ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଠପାଟଣାର ବିଭୁତି ଭୂଷଣ ପଟ୍ଟଯୋଶୀ (୬୨) ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ମୁତାବକ ଆଜି ଅପରାହ୍ନରେ ବିଭୁତି ନିଜ ଦୋକାନକୁ ଯାଉଥିବା ବେଳେ ହଠାତ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ କ୍ଷିପ୍ର ଗତିରେ ଯାଉଥିବା ଏକ କାର ଉକ୍ତ ଛକ ନିକଟସ୍ଥ ତାରିଣୀ ମନ୍ଦିର ସମ୍ମୁଖରେ ବିଭୁତିଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ବିଭୁତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ତେବେ ଏଥିରେ ଉତ୍ୟକ୍ତ ହୋଇ ଶତାଧିକ ଗ୍ରାମବାସୀ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଏବଂ ଉକ୍ତ ସ୍ଥାନରେ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି। ଖବର ପାଇ ଦୁର୍ଘଟଣାସ୍ଥଳରେ ବାଣପୁର ଆଇଆଇସି, ବାଲୁଗାଁ ଏସଡ଼ିପିଓ, ବାଣପୁର ତହସିଲଦାର, ବାଣପୁର ବ୍ଲକ ଅଧ୍ୟକ୍ଷ ଆଦି ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା ଜାରି ରଖିଛନ୍ତି।