Categories
ଆଜିର ଖବର ରାଜ୍ୟ ଖବର

ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେଲା ଓଡିଶାର ଦୁଇଟି ଏନଏସି ନିର୍ବାଚନ

ଭୁବନେଶ୍ବର: ଆଜି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ରାଜ୍ୟର ଦୁଇଟି ଏନଏସି ନିର୍ବାଚନ। ଏହି ଦୁଇଟି ହେଲା ବରଗଡ ଜିଲ୍ଲାର ଅତାବିରା ଏବଂ ଢେଙ୍କାନାଳର ହିନ୍ଦୋଳ ଏନଏସି। ଏହି ଦୁଇ ଏନଏସିରେ ମୋଟ 28ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଫିସରୁ ସୂଚନା ଦିଆଯାଇଛି।

ଅତାବିରା ଏନଏସିର 12ଟି ୱାର୍ଡ କାଉନସିଲର ପାଇଁ 39 ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଅଧ୍ୟକ୍ଷ ପାଇଁ 4 ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ହିନ୍ଦୋଳର 16ଟି କାଉନସିଲର ପଦବୀ ପାଇଁ 50 ଜଣ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ଅଧ୍ୟକ୍ଷ ପାଇଁ ତିନିଜଣ ଅଛନ୍ତି। ଆଜି ସକାଳ 8ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା।

Categories
ଆଞ୍ଚଳିକ

ପାଖେଇ ଆସୁଛି ଏନଏସି ନିର୍ବାଚନ: ବାଣପୁରରେ ପ୍ରଚାର କ୍ଷେତ୍ରରେ ବିଜେଡି ଆଗୁଆ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ପୌର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ଉଷ୍ମ ହେବାରେ ଲାଗିଛି। ମୁଖ୍ୟତଃ ଏଠାରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଚାରରେ ଆଗୁଆ ରହିଛି ବିଜେଡି। ବିଜେଡିରୁ ଅଧ୍ୟକ୍ଷ ପଦବୀ ପାଇଁ ମିଟୁ ନାୟକ ପ୍ରତିଦ୍ବନ୍ଦିତା କରୁଥିବାବେଳେ ବିଜେପିରୁ ଅଧ୍ୟକ୍ଷ ପଦବୀ ପାଇଁ ନନ୍ଦ କିଶୋର ମିଶ୍ର ପ୍ରତିଦ୍ବନ୍ଦିତା କରୁଛନ୍ତି। ଉଭୟ ପ୍ରାର୍ଥୀ ନିଜ ନିଜ ଦଳକୁ ଜିତାଇବା ପାଇଁ ଦିନ ରାତି ଏକ କରୁଥିବା ବେଳେ ପ୍ରଚାର କ୍ଷେତ୍ରରେ ବିଜେଡିର ମିଟୁ ନାୟକ ଆଗୁଆ ଥିବା ଦେଖାଯାଇଛି।

ପୁର୍ବରୁ ବିଜେଡିର ୧୨ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଥିବା ବେଳେ ଦଳ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛି। ବାଣପୁର ପଞ୍ଚାୟତ ସମିତି ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ପରେ ବିଜେଡି ଏନଏସି ଦଖଲ କରିବା ପାଇଁ ସମସ୍ତ ପନ୍ଥା ଅବଲମ୍ବନ କରିବାରେ ଲାଗିଛି। ସହର ସାରା ବିଜେଡି ପତାକା ଓ ବ୍ୟାନର ଛାଇ ହୋଇଥିବା ବେଳେ ବିଜେପି ପକ୍ଷରୁ ସେତଟା ଚଞ୍ଚଳତା ଦେଖାଯାଉନାହିଁ। କାଁ ଭାଁ ବିଜେପି କାଉନସିଲର ପ୍ରାର୍ଥୀ ମାନେ ପ୍ରଚାର କରୁଥିବା ଦେଖାଯାଉଛି। ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ସହରର ଜଣେ ବିଶିଷ୍ଟ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ବହୁ ଦଶନ୍ଧିର ରାଜନୀତି ଅଭିଜ୍ଞତା ମଧ୍ୟ ରହିଛି।

ତେବେ ଖୁବ ଶୀଘ୍ର ବିଜେପି ତାହାର ରଣନିତୀ ପ୍ରସ୍ତୁତ କରି ମୈଦାନକୁ ଓହ୍ଳାଇବ ବୋଲି ଦଳୀୟ କର୍ମୀମାନେ କହୁଥିବାର ଦେଖାଯାଇଛି। ତେବେ ବେଳ ଥାଉ ଥାଉ ଯଦି ବିଜେପି ବେଣୀ ନବାନ୍ଧେ ତେବେ ପୁନଶ୍ଚ ଏଠାରେ ପରାଜୟର ସ୍ୱାଦ ଚାଖିବ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କରୁଛନ୍ତି।

Categories
ଆଞ୍ଚଳିକ

ବାଣପୁର ଏନଏସି ନିର୍ବାଚନ: ଆଚରଣ ବିଧିର ଖୋଲାଖୋଲି ଉଲଂଘନ, ମନ୍ଦିରରେ ଲାଗିଲା ଦଳୀୟ ପତାକା

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟରେ ପୌର ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ରାଜ୍ୟର ସମଗ୍ର ପୌରାଞ୍ଚଳରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି। ତେବେ ପଞ୍ଚାୟତ ନିର୍ବାଚନରେ ଯେପରି ଆଚରଣ ବିଧିକୁ କଡ଼ାକଡି କରାଯାଇଥିଲା ପୌର ନିର୍ବାଚନରେ ତାହା ପରିଲକ୍ଷିତ ହେଉନାହିଁ। ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସେମିତି କିଛି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଥିବାର ଦେଖିବାକୁ ମିଳୁନି। ଏପରି ଏକ ନଜିର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ।

ସହରର ପ୍ରମୁଖ ଶୈବ ପିଠ ଶ୍ରୀ ଦକ୍ଷେଶ୍ୱର ଦେବଙ୍କ ବେଢାରେ ଏକ ନିର୍ଦ୍ଦିଷ୍ଟ ଦଳର ପତାକା ଛାଇ ଯାଇଥିବାର ଦେଖିବାକୁ ମିଳିଛି। ଯାହାକୁ ଭକ୍ତମାନେ ଘୋର ବିରୋଧ କରିଛନ୍ତି।  ଦକ୍ଷେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାଇତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ଥିବା ବେଳେ ପରିଚାଳନା ଦାଇତ୍ୱ ଅଛି ଭଗବତୀ-ଦକ୍ଷେଶ୍ୱର ଏଣ୍ଡାଉମେଣ୍ଟ ହାତରେ। ତେବେ ଉକ୍ତ ଦୁଇ ବିଭାଗର ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶେଷକରି ମନ୍ଦିରକୁ ଦଳୀୟ ଛାପରୁ ଦୁରେଇ ରଖାଯାଉ ବୋଲି ଭକ୍ତମାନେ ଦାବି କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା ଦକ୍ଷେଶ୍ୱର ମନ୍ଦିର ପରିଧି ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କିପରି ମନ୍ଦିର ବେଢାରେ ଦଳୀୟ ପତାକା ଲଗାଗଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।  ନିର୍ବାଚନ ଅଧିକାରୀ ତଥା ବାଣପୁର ତହସିଲଦାର ଏ ଦିଗରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ସମସ୍ତ ପ୍ରାର୍ଥୀଙ୍କୁ ଗାଇଡ଼ଲାଇନ ବିଷୟରେ ଅବଗତ କରାଇବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର ଏନଏସି ନିର୍ବାଚନ: ସମସ୍ୟା ଅନେକ, ସମାଧାନ ପାଇଁ କାହାକୁ ଭରଷାକୁ ନେବେ ଜନତା?

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଗଠନ କୁ ୪୯ ବର୍ଷ ପୂରିଯାଇଥିଲେ ସୁଦ୍ଧା ଆଜିବି ସହରର ସ୍ଥିତି ସୁଧୁରିନି। ମାଳ ମାଳ ସମସ୍ୟାରେ ବୁଡ଼ି ରହିଛି ଐତିହାସିକ ସହର ବାଣପୁର। ପୌର ନିର୍ବାଚନ ମାର୍ଚ୍ଚ ୨୪ ତାରିଖକୁ ଥିବା ବେଳେ ଭୋଟରଙ୍କ ଆଗରେ ପ୍ରାର୍ଥୀମାନେ ବଡ଼ ବଡ଼ ପ୍ରତିଶ୍ରୁତି ରଖୁଥିବା ଦେଖାଯାଉଛି। ପ୍ରତ୍ୟେକ ନିର୍ବାଚନରେ ସମାନ ପ୍ରତିଶ୍ରୁତି ଦେଉଥିବା ବେଳେ ସମସ୍ୟା ସମାଧାନ କରିବାକୁ କୌଣସି ନେତାଙ୍କର ଇଚ୍ଛା ଶକ୍ତି ଥିବା ଭଳି ମନେ ହେଉନାହିଁ। ନିର୍ବାଚନ ସମୟରେ ପରସ୍ପର ଉପରେ ଅଭିଯୋଗ କରିବା ରାଜନୈତିକ ଦଳର ନେତାମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଛି। କିନ୍ତୁ ଏଥର ଜନତା ଜାଗ୍ରତ ହୋଇଥିବା ଜଣାପଡିଛି। ମୌଳିକ ସମସ୍ୟା ପୂରଣ ହେଇପାରୁନଥିବାରୁ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

ସେଥିପାଇଁ ଚଳିତ ପୌର ନିର୍ବାଚନରେ ପ୍ରାର୍ଥୀଙ୍କୁ ଜନତା ପ୍ରଶ୍ନ ପଚାରିବା ଆରମ୍ଭ କରିସାରିଲେଣି। ସହରର ମୁଖ୍ୟ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ଥା ଯାହାକି କାହାରି ଆଖିରେ ପଡୁନାହିଁ। ଅସରାଏ ବର୍ଷା ହେଲେ ସହର କୃତିମ ହ୍ରଦ ପାଲଟୁଛି। ଚଳିତ ପୌର ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ଡ୍ରେନେଜ ସମସ୍ୟା ହେବ ବୋଲି ଭୋଟରମାନେ କହୁଥିବାର ଦେଖାଯାଇଛି।

ସହରରେ ଶୌଚାଳୟ, ମେଡିକାଲରେ ଉନ୍ନତ ଚିକିତ୍ସା, ଉନ୍ନତ ରାସ୍ତା, ଆଲୋକୀକରଣ, ପାର୍କ, ବସ ଷ୍ଟାଣ୍ଡ, ୱାକିଙ୍ଗ ଟ୍ରାକ, ମୁକ୍ତାକାଶ ବ୍ୟୟାମ କେନ୍ଦ୍ରର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଥିବା ବେଳେ ଦୀର୍ଘ ବର୍ଷ ହେଲା ଏ ସବୁ ସୁବିଧା କଣ ପାଇଁ ଉପଲବ୍ଧ କରାଯାଇନାହିଁ ବୋଲି ପ୍ରାର୍ଥୀଙ୍କୁ ଓଲଟା ଭୋଟର ପ୍ରଶ୍ନ ପଚାରୁଥିବା ଦେଖାଯାଉଛି।

ମା’ ଭଗବତୀ ମନ୍ଦିର ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଏହାର ଅନୁସାଙ୍ଗିକ ବିକାଶ ମଧ୍ୟ ଏକ ମୁଖ୍ୟ ପ୍ରସଙ୍ଗ ରହିଛି। ତେବେ ଚଳିତ ପୌର ନିର୍ବାଚନରେ ବାଣପୁର ସହର ବାସିନ୍ଦା ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେବା ସହିତ ଏକ ଶାନ୍ତିପ୍ରିୟ ସରକାର ଚାହୁଁଥିବା ସ୍ପଷ୍ଟ ବାରି ହେଉଛି।

ବାରମ୍ବାର ଭୋଟରମାନେ ଠକାମିର ଶିକାର ହୋଇଥିବା ବେଳେ ଏଥର କିନ୍ତୁ ବୁଝିବିଚାରି ସଠିକ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ ରୂପେ ଚୟନ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

ସୂଚନା ଥାଉକି ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି।