Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ସୁବିଧା ପାଇଁ ଜାତୀୟ ବଫର୍‌ ଷ୍ଟକ୍‌ରୁ ହରଡ଼ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ କରାଯାଇଥିବା ହରଡ଼ ଡାଲି ଭାରତୀୟ ବଜାରରେ ନିର୍ଦ୍ଧାରିତ ଓ ଲକ୍ଷ୍ୟ ଆଧାରିତ ଢଙ୍ଗରେ ନପହଞ୍ଚିବା ପର୍ଯ୍ୟନ୍ତ ସରକାର ଡାଲି ଯୋଗାଇଦେବେ। ଅନଲାଇନ ନିଲାମୀ ଜରିଆରେ ଯୋଗ୍ୟ ମିଲର୍‌ମାନଙ୍କୁ ଡାଲି ଯୋଗାଣ ନିମନ୍ତେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) ଓ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ)କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ଉପଭୋକ୍ତାଙ୍କ ଖାଇବା ପାଇଁ ଯଥେଷ୍ଟ ପରିମାଣରେ ହରଡ଼ ଡାଲି ମିଲିଂ ନିମନ୍ତେ ଉପଲବ୍ଧ ହୋଇପାରିବ।

ସାଧାରଣ ଉପଭୋକ୍ତାଙ୍କୁ ଶସ୍ତା ଦରରେ ହରଡ଼ ଡାଲି ଯୋଗାଇ ଦେବା ପାଇଁ ଯଥେଷ୍ଟ ପରିମାଣରେ ଡାଲି ନିଲାମ କରାଯିବ। ବଜାରରେ ଡାଲି ଉପଲବ୍ଧତାର ପ୍ରଭାବକୁ ଆକଳନ କରାଯାଇ ସେହି ଆଧାରରେ ନିଲାମୀର ପୁନରାବୃତ୍ତି କରାଯିବ।

ଏଠାରେ ସୂଚନାଯୋଗ୍ୟ ଯେ ଜମାଖୋରୀ ଏବଂ ବେଆଇନ ମହଜୁଦକୁ ରୋକିବା ତଥା ଉପଭୋକ୍ତାଙ୍କ ପାଇଁ ଯଥେଷ୍ଟ ଡାଲି ଉପଲବ୍ଧତାରେ ସୁଧାର ଆଣିବା ଲାଗି ୨ ଜୁନ୍‌ ୨୦୨୩ରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୯୫ କୁ ଲାଗୁ କରି ସରକାର ହରଡ଼ ଓ ବିରି ଡାଲିର ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରିଥିଲେ। ଏହି ଆଦେଶ ଅନୁଯାୟୀ, ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି।

ପ୍ରତ୍ୟେକ ଡାଲି ଉପରେ ଷ୍ଟକ୍‌ ସୀମା ଲାଗୁ ହେବ। ପାଇକାରୀ ବ୍ୟବସାୟୀଙ୍କ କ୍ଷେତ୍ରରେ ଷ୍ଟକ୍‌ ସୀମା ୨୦୦ ମେଟ୍ରିକ ଟନ୍‌, ଖୁଚୁରା ବ୍ୟବସାୟୀଙ୍କ ପାଇଁ ୫ ମେଟ୍ରିକ ଟନ୍‌, ପ୍ରତ୍ୟେକ ଖୁଚୁରା ବିକ୍ରୟ କେନ୍ଦ୍ରରେ ୫ ମେଟ୍ରିକ ଟନ୍‌ ଏବଂ ବଡ଼ ଶୃଙ୍ଖଳାର ଖୁଚୁରା ବିକ୍ରୟ କେନ୍ଦ୍ରର ଡିପୋରେ ୨୦୦ ମେଟ୍ରିକ ଟନ୍‌ ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ସେହିପରି ମିଲରଙ୍କ କ୍ଷେତ୍ରରେ ଶେଷ ତିନି ମାସର ଉତ୍ପାଦନ କିମ୍ବା ବାର୍ଷିକ ଉତ୍ପାଦନ କ୍ଷମତାର ୨୫% ଷ୍ଟକ୍‌ ସୀମା ନିର୍ଦ୍ଧାରଣ କରାଯାଇଛି। ବିଭାଗର ପୋର୍ଟାଲ (https://fcainfoweb.nic.in/psp)ରେ ଷ୍ଟକ୍‌ ସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ଏସବୁ ସଂସ୍ଥାମାନଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ଷ୍ଟକ୍‌ ସୀମା ଆଦେଶକୁ କାର୍ଯ୍ୟକାରୀ କରିବା ଏବଂ ପୋର୍ଟାଲରେ ଷ୍ଟକ୍‌ ସମ୍ପର୍କରେ ସୂଚନା ଦେବା ସ୍ଥିତିକୁ ଉପଭୋକ୍ତା ବ୍ୟାପାର ବିଭାଗ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅନୁଧ୍ୟାନ କରାଯାଉଛି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲୁସି) ଓ ରାଜ୍ୟ ପଣ୍ୟାଗାର ନିଗମ (ଏସଡବ୍ଲୁସି)ର ଗୋଦାମରେ ବିଭିନ୍ନ ସଂସ୍ଥା ଦ୍ୱାରା ରଖାଯାଉଥିବା ଷ୍ଟକ୍‌ ଆଦିର ତଥ୍ୟକୁ ପୋର୍ଟାଲରେ ଘୋଷଣା କରାଯାଇଥିବା ମାତ୍ରା ସହିତ ତୁଳନା କରାଯାଇଛି।

ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ନିରନ୍ତର ଭାବେ ମୂଲ୍ୟ ଅନୁଧ୍ୟାନ କରୁଛନ୍ତି ଏବଂ ଷ୍ଟକ୍‌ ସୀମା ଆଦେଶର ଉଲ୍ଲଙ୍ଘନ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଷ୍ଟକର ସ୍ଥିତିକୁ ଯାଞ୍ଚ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜଭବନ ସମ୍ମୁଖରେ ବିଜେଡ଼ିର ବିକ୍ଷୋଭ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ଵର: ରାଜଭବନ ସମ୍ମୁଖରେ ଆଜି ବିଜେଡ଼ି ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ କରାଯାଉଛି। ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଛି। ଏଥିରେ ଦଳର ଅନେକ ବିଧାୟକ ଓ ନେତା ଧାରଣାରେ ବସିଛନ୍ତି।

ତେବେ ଏହି ସମୟରେ ମହିଳା କର୍ମୀ ମାନେ ଖାଲି ସିଲିଣ୍ଡର ଧରି ରାସ୍ତା ମଝିରେ ଚୁଲି ଜାଲି ପ୍ରତିବାଦ କରିଛନ୍ତି। ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ବିଜେଡ଼ି ସ୍ମାରକପତ୍ର ଦେଇଛି।

Categories
ଆଜିର ଖବର ଜାତୀୟ ଖବର

କୋୱିନ୍‌ ତଥ୍ୟ ଗୋପନୀୟତା ଉଲ୍ଲଂଘନ ପ୍ରସଙ୍ଗ: ସ୍ପଷ୍ଟୀକରଣ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକା ନେଇଥିବା ହିତାଧିକାରୀଙ୍କ ଗୋପନୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏସବୁ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ ପୋର୍ଟାଲରେ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ କରାଯାଇଛି। କୋଭିଡ ୧୯ ଟିକା ନେଇଥିବା ହିତାଧିକାରୀଙ୍କ ସବୁ ତଥ୍ୟ ଏହି ପୋର୍ଟାଲରେ ସଂରକ୍ଷିତ ହୋଇ ରହିଛି।

ସାମାଜିକ ଗଣମାଧ୍ୟମ ମଞ୍ଚ ଟ୍ୱିଟ୍ଟରରେ କରାଯାଇଥିବା କେତେକ ପୋଷ୍ଟରେ ଦାବି କରାଯାଇଛି ଯେ, ଟେଲିଗ୍ରାମ (ଅନଲାଇନ ବାର୍ତ୍ତାପ୍ରେରଣ ଆପ୍ଲିକେସନ) ବିଓଟି ବ୍ୟବହାର କରାଯାଇ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଗୋପନୀୟ ତଥ୍ୟକୁ ଆକ୍ସେସ ବା ହାସଲ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବିଓଟି ମାଧ୍ୟମରେ ଜଣେ ହିତାଧିକାରୀଙ୍କ ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ଦିଆଯାଇ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟ ହାସଲ କରାଯାଇଛି।

ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଏଭଳି ରିପୋର୍ଟଗୁଡ଼ିକର କୌଣସି ଆଧାର ନାହିଁ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରସାରିତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଅଧିକନ୍ତୁ, ୱେବ୍‌ ଆପ୍ଲିକେସନ ଫାୟାରୱାଲ୍‌, ଆଣ୍ଟି-ଡିଡିଓଏସ, ଏସଏସଏଲ/ଟିଏଲଏସ, ନିୟମିତ ବିପଦ ମୂଲ୍ୟାଙ୍କନ, ପରିଚୟ ଏବଂ ଆକ୍ସେସ ପରିଚାଳନା ଆଦି ସୁବିଧା ସହିତ କୋ-ୱିନ ପୋର୍ଟାଲରେ ଯଥେଷ୍ଟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। କୋୱିନ୍‌ ପୋର୍ଟାଲରେ ଥିବା ତଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି କିମ୍ବା କରାଯାଉଛି।

କୋୱିନ୍‌ ପୋର୍ଟାଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି ଏବଂ ଏହା ମନ୍ତ୍ରଣାଳୟ ମାଲିକାନାରେ ରହି ପରିଚାଳିତ ହେଉଛି। କୋୱିନ୍‌ର ବିକାଶ ଏବଂ ନୀତିଗତ ପ୍ରସଙ୍ଗରେ ବିଚାର କରିବା ଲାଗି ଏକ କ୍ଷମତାପ୍ରାପ୍ତ ଟିକା ପରିଚାଳନା ଗୋଷ୍ଠୀ (ଇଜିଭିଏସି) ଗଠନ କରାଯାଇଥିଲା। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଇଜିଭିଏସିର ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟର ସଦସ୍ୟମାନେ ସାମିଲ ରହିଥିଲେ।

କୋୱିନ ଡେଟା ଆକ୍ସେସ ବା ତଥ୍ୟ ହାସଲବର୍ତ୍ତମାନ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିବା ଲାଗି ତିନୋଟି ପର୍ଯ୍ୟାୟ ଦେଇ ଗତି କରିଥାଏ ଯାହାକି ନିମ୍ନରେ ଦିଆଗଲା:

ହିତାଧିକାରୀଙ୍କ ଡ୍ୟାଶବୋର୍ଡ ଟିକା ନେଇଥିବା ବ୍ୟକ୍ତିବିଶେଷ ନିଜର ପଞ୍ଜିକୃତ ମୋବାଇଲ ନମ୍ବରକୁ ଆସିଥିବା ଓଟିପି ପ୍ରାମାଣିକରଣ କରିବା ପରେ କୋ-ୱିନ୍‌ ତଥ୍ୟ ହାସଲ କରିପାରିବେ।

କୋୱିନ୍ଅଧିକୃତ ବ୍ୟବହାରକାରୀ ଟିକା ଦେଇଥିବା ବ୍ୟକ୍ତି ପ୍ରାମାଣିକ ଲଗ୍‌ଇନ୍‌ ତଥ୍ୟ ଦାଖଲ କରି ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟ ହାସଲ କରିପାରିବେ। କିନ୍ତୁ ଜଣେ ଅଧିକୃତ ବ୍ୟବହାରକାରୀ କେତେଥର କୋୱିନ୍‌ ସିଷ୍ଟମକୁ ଖୋଲି ତଥ୍ୟ ଦେଖୁଛନ୍ତି ତାହା କୋୱିନ୍‌ ସିଷ୍ଟମ ଅନୁଧ୍ୟାନ କରିଥାଏ ଏବଂ ରେକର୍ଡ ରଖିଥାଏ।

ଏପିଆଇ ଆଧାରିତ ଆକ୍ସେସ କୋ-ୱିନ୍‌ ଏପିଆଇଗୁଡ଼ିକର ଅଧିକୃତ ଆକ୍ସେସ ପାଇଥିବା ତୃତୀୟ ପକ୍ଷ ଆପ୍ଲିକେସନଗୁଡ଼ିକ ହିତାଧିକାରୀ ଓଟିପି ପ୍ରମାଣିକତା ଜରିଆରେ ଟିକା ନେଇଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ସ୍ତରର ତଥ୍ୟକୁ ଦେଖିପାରିବେ।

ଟେଲିଗ୍ରାମ ବିଓଟି

ବିନା ଓଟିପିରେ ଟିକା ନେଇଥିବା ହିତାଧିକାରୀଙ୍କ ତଥ୍ୟକୁ କୌଣସି ବିଓଟିରେ ଶେୟାର କରାଯାଇ ପାରିବ ନାହିଁ।

ଟିକା ନେଇଥିବା ବୟସ୍କ ହିତାଧିକାରୀଙ୍କ ଠାରୁ କେବଳ ଜନ୍ମ ବର୍ଷ (ୱାଇଓବି)ର ତଥ୍ୟ ସଂଗ୍ରହ କରାଯାଇଥିବା ବେଳେ ଅନଲାଇନ୍‌ ମିଡିଆ ପୋଷ୍ଟରେ ବିଓଟି ଜରିଆରେ ଜନ୍ମ ତାରିଖ (ଡିଓବି) ତଥ୍ୟ ହାସଲ କରାଯାଇଥିବା ଦାବି କରାଯାଇଛି।

ହିତାଧିକାରୀଙ୍କ ଠିକଣା ନିଆଯିବାର କୌଣସି ବ୍ୟବସ୍ଥା ନାହିଁ।

କୋ-ୱିନକୁ ବିକଶିତ କରିଥିବା ଦଳ ଏହା ସୁନିଶ୍ଚିତ କରିଛନ୍ତି ଯେ, ବିନା ଓଟିପିରେ ତଥ୍ୟ ହାସଲ କରିବା ଭଳି କୌଣସି ସାର୍ବଜନୀନ ଏପିଆଇ ନାହିଁ । ଉପରୋକ୍ତ ବ୍ୟତୀତ,  ଏପରି କେତେକ ଏପିଆଇ ଅଛନ୍ତି ଯେଉଁମାନଙ୍କୁ ତଥ୍ୟ ପ୍ରଦାନ କରିବା ଲାଗି ଆଇସିଏମଆର ଭଳି ତୃତୀୟ ପକ୍ଷଙ୍କ ସହିତ ଯୋଡ଼ା ଯାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଭଳି ଏକ ଏପିଆଇରେ ଆଧାର ସହ ଜଡ଼ିତ ମୋବାଇଲ ନମ୍ବରରୁ କଲ କରି ତଥ୍ୟ ବା ଡେଟା ଶେୟାର କରିବାର ସୁବିଧା ରହିଛି। ତେବେ, ଏହି ଏପିଆଇ ମଧ୍ୟ ବିଶେଷ ପ୍ରକାରର ଏବଂ ଏଥିରେ ତଥ୍ୟ ପାଇଁ ଅନୁରୋଧ କେବଳ ବିଶ୍ୱସନୀୟ ଏପିଆଇରୁ ସ୍ୱୀକାର କରାଯାଏ ଯାହାକୁ କୋ-ୱିନ ଆପ୍ଲିକେସନ ଦ୍ୱାରା ଶ୍ୱେତ ତାଲିକାଭୁକ୍ତ ବା ହ୍ୱାଇଟ୍‌ ଲିଷ୍ଟେଡ୍‌ କରାଯାଇଛି।

ଏହି ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ପ୍ରସଙ୍ଗରେ ଅନୁଧ୍ୟାନ କରିବା ଏବଂ ରିପୋର୍ଟ ଦାଖଲ କରିବା ନିମନ୍ତେ ଭାରତୀୟ କମ୍ପ୍ୟୁଟର ଜରୁରିକାଳୀନ ପ୍ରତିକ୍ରିୟା ଟିମ୍‌ (ସିଇଆରଟି-ଇନ୍‌)କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ଏହାବ୍ୟତୀତ, କୋ-ୱିନର ବର୍ତ୍ତମାନର ସୁରକ୍ଷା ଉପାୟର ସମୀକ୍ଷା କରିବା ଲାଗି ଏକ ଆନ୍ତରିକ ଅଭ୍ୟାସ ଆରମ୍ଭ କରାଯାଇଛି।

ସିଇଆରଟି-ଇନ୍‌ ନିଜ ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଇଛି ଯେ ଟେଲିଗ୍ରାମ ବିଓଟିର ବ୍ୟାକଏଣ୍ଡ ଡେଟାବେସ୍‌ କୋୱିନ୍‌ ଡେଟାବେସର ଏପିଆଇ ସହିତ ସିଧାସଳଖ ସମ୍ପର୍କ  ସ୍ଥାପନ କରୁନାହିଁ।

Categories
ଆଜିର ଖବର ଜାତୀୟ ଖବର

ପିଏମ କିସାନ ସମ୍ମାନ ନିଧି: ଏଣିକି ୬ ହଜାର ବଦଳରେ କୃଷକମାନଙ୍କୁ ମିଳିବ ୧୦ ହଜାର

ନୂଆଦିଲ୍ଲୀ: ଭାରତରେ ଚାଷୀଙ୍କ ଅବସ୍ଥା ସେତେ ଭଲ ନୁହେଁ। ଏହି କାରଣରୁ ଏଠାରେ ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ନୂତନ ଯୋଜନା ଆଣିବା ଜାରି ରଖିଛନ୍ତି, ଯାହା ଦ୍ଵାରା ସେମାନଙ୍କୁ ସାହାଯ୍ୟ କରାଯାଇପାରିବ। ଏହିପରି ଗୋଟିଏ ଯୋଜନା ହେଉଛି ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା। ଏହି ଯୋଜନା ଅଧୀନରେ ସରକାର ପ୍ରତିବର୍ଷ ୬ ହଜାର ଟଙ୍କା କୃଷକମାନଙ୍କୁ ପ୍ରଦାନ କରୁଛନ୍ତି। ଏହି ଯୋଜନା ସମଗ୍ର ଦେଶରେ ପ୍ରଯୁଜ୍ୟ। କିନ୍ତୁ ବର୍ତ୍ତମାନ ସମାନ ଧାଡିରେ ଆଉ ଏକ ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ଯାହା ଅନୁଯାୟୀ ବର୍ତ୍ତମାନ ଚାଷୀଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦିଆଯିବ।

ଏହି ନୂତନ ଯୋଜନା କ’ଣ?:

ମଧ୍ୟପ୍ରଦେଶ ସରକାର ଏହି ନୂତନ ଯୋଜନା ଆରମ୍ଭ କରି ଏହାର ନାମ କିସାନ କଲ୍ୟାଣ ଯୋଜନା କରିଛନ୍ତି। ଏହି ଯୋଜନା ଅନୁଯାୟୀ ରାଜ୍ୟ ସରକାର କୃଷକମାନଙ୍କୁ ସେମାନଙ୍କ କଲ୍ୟାଣ ପାଇଁ ପ୍ରତିବର୍ଷ ୬ ବର୍ଷ ବଦଳରେ ୧୦ ହଜାର ଟଙ୍କା ଦେବେ। କିନ୍ତୁ ଏହା ସହିତ ଚାଷୀଙ୍କୁ ୪ ହଜାର ଟଙ୍କା ଦିଆଯିବ। ମଧ୍ୟପ୍ରଦେଶ ସରକାର ଏହି ଯୋଜନାକୁ ୨୦୨୦ ରେ ଆରମ୍ଭ କରିଥିଲେ। ସେହି ସମୟରେ ଏହି ଟଙ୍କା ଦୁଇ ହଜାର ଆକାରରେ ଦୁଇଟି କିସ୍ତିରେ ଯାଉଥିଲା।

କେଉଁ କୃଷକମାନେ ଲାଭ ପାଇବେ?:

ଏହି ଯୋଜନା ଅଧୀନରେ କେବଳ ମଧ୍ୟପ୍ରଦେଶର କୃଷକମାନେ ଏହି ସୁବିଧା ପାଇବେ। ସବୁଠାରୁ ବଡ କଥା ହେଉଛି ମଧ୍ୟପ୍ରଦେଶର ସମସ୍ତ କୃଷକ ଏହି ଯୋଜନା ଅଧୀନରେ ଲାଭ ପାଇବେ ନାହିଁ, କେବଳ ସେହି କୃଷକମାନେ ଲାଭ ପାଇବେ, ଯେଉଁମାନେ ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ପଞ୍ଜୀକୃତ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପାକିସ୍ତାନ ଉପରକୁ ବ୍ରହ୍ମୋସ୍ ମାରିବା ହେତୁ ୨୪ କୋଟି କ୍ଷତି, ବିପଦ ବହୁତ ବଡ ଥିଲା: କେନ୍ଦ୍ର ସରକାର 

ନୂଆଦିଲ୍ଲୀ: ଗତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ଉପରେ ଭୁଲରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ କହିଥିଲେ ଯେ ଏହି ଭୁଲ ହେତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡି ଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ଏହି ଭୁଲ ପାଇଁ ଭାରତକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି।

ଭାରତୀୟ ବାୟୁସେନାର ତିନିଜଣ ଅଧିକାରୀଙ୍କ ବହିଷ୍କାର ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏହି ସବୁ କଥା କେନ୍ଦ୍ର ସରକାର କହିଛନ୍ତି। ଏହା ସହିତ ପାକିସ୍ତାନ ଉପରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚରମ ଅବହେଳା ବୋଲି କୁହାଯାଇଛି।

ୱିଙ୍ଗ କମାଣ୍ଡର ଅଭିନବ ଶର୍ମାଙ୍କ ଦ୍ୱାରା ଆବେଦନ ହୋଇଥିବା ଏକ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟରେ ଏହି ଶୁଣାଣି ଚାଲିଥିଲା। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଦାଖଲ କରିଥିବା ଏକ ଆଫିଡେଭିଟରେ ଦର୍ଶାଯାଇଛି ଯେ, ଦେଶର ସୁରକ୍ଷା ପ୍ରତି ବ୍ୟାପକ ବିପଦ ସୃଷ୍ଟି କରୁଥିବା ଘଟଣାର ସମ୍ବେଦନଶୀଳ ପ୍ରକୃତିକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ, ଏହି ନିଷ୍ପତ୍ତି ଜନସାଧାରଣଙ୍କ ସ୍ୱାର୍ଥରେ ନିଆଯାଇଛି। ୨୩ ବର୍ଷ ପରେ ଭାରତୀୟ ବାୟୁସେନାରେ ଏଭଳି ନିଷ୍ପତ୍ତି ନିଆଯାଇଛି, କାରଣ ମାମଲାର ସତ୍ୟତା ଏବଂ ପରିସ୍ଥିତି ଏପରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହି କାରଣରୁ ଅନେକ ପ୍ରକାରର ସମ୍ଭାବ୍ୟ ବିପଦ ଉପୁଜିଥିଲା, ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ଏବଂ ଭାରତୀୟ ବାୟୁସେନା ସହିତ ଦେଶର ପ୍ରତିଷ୍ଠା ନଷ୍ଟ ହୋଇଥାନ୍ତା।

ଆବେଦନରେ କ’ଣ କୁହାଯାଇଥିଲା?:

ଭାରତୀୟ ବାୟୁସେନା ଅଧିନିୟମ ୧୯୫୦ ଅନୁଯାୟୀ ବହିଷ୍କାର ନିଷ୍ପତ୍ତିକୁ ଆବେଦନକାରୀ ୱିଙ୍ଗ କମାଣ୍ଡର ଶର୍ମା ଚ୍ୟାଲେଞ୍ଜ କରିଥିଲେ। ଆବେଦନରେ କୁହାଯାଇଛି ଯେ, ୱିଙ୍ଗ କମାଣ୍ଡରଙ୍କୁ କେବଳ ରକ୍ଷଣାବେକ୍ଷଣ ସହ ଜଡିତ ବୃତ୍ତିଗତ ଏବଂ ବ୍ୟବହାରିକ ତାଲିମ ଦିଆଯାଇଥିଲା, ଏହା ଅପରେସନ୍ କରିବା ସହିତ ଜଡିତ ନୁହେଁ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରିସରରେ କୁଇ ଓ ଦେଶିଆ ଭାଷାର କର୍ମଶାଳା

ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଓଡ଼ିଶା, ବିହାର, ଛତିଶଗଡ ଓ ଝାଡ଼ଖଣ୍ଡ ରାଜ୍ୟରେ ମୁଖ୍ୟତଃ କୁଇ ଓ ଦେଶିଆ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ସ୍ତରରେ କହିବା, ପଢ଼ିବା, ବୁଝିବା ଓ ଲେଖିବାର ଉଦ୍ଦେଶ୍ୟ ନେଇ ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପରୀକ୍ଷଣ ପରିଷଦ (NCERT), ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE), ଭୁବନେଶ୍ଵର ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ମିଳିତ ଉଦ୍ୟମରେ ତା.୨୯.୦୫.୨୦୨୩ ରୁ ତା.୦୨.୦୬.୨୦୨୩ରିଖ ପର୍ଯ୍ୟନ୍ତ ଏକ ପାଞ୍ଚଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ ଜାତୀୟ କର୍ମଶାଳା ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି।

ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘କୁଇ’ ବା ‘ଦେଶିଆ’ ଭାଷାଭାଷୀ ଶିକ୍ଷାର୍ଥୀମାନଙ୍କର ମୌଖକ ଭାଷା ବିକାଶ, ପଠନ ଓ ଲିଖନ ଦକ୍ଷତା ବିକାଶ ଉପଯୋଗୀ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାର୍ଥୀ ତଥା ଶିକ୍ଷକମାନଙ୍କୁ ଯୋଗାଇଦେବା। ଏହି କର୍ମଶାଳାଟି NCERTର ମାନ୍ୟବର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକଲାନି ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ,ର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ମିଳିତ ସହଯୋଗ କ୍ରମେ ଓଡ଼ିଆ ଶାସ୍ତ୍ରୀୟ ଭାଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ।

ଏଥିରେ ସଦସ୍ୟ ଡ. ମହେନ୍ଦ୍ର କୁମାର ମିଶ୍ର, ପ୍ରଫେସର ଗୋପବନ୍ଧୁ ମହାନ୍ତି, ଡ. ପରମାନନ୍ଦ ପଟେଲ, ଡ. ରାଜେନ୍ଦ୍ର ପାଢ଼ୀ, ଡ. କପିଳ ଖେମଣ୍ଡୁ, ଡ. ରୁଦ୍ରାଣୀ ମହାନ୍ତି, ଡ. ଗୋବିନ୍ଦ ଚନ୍ଦ୍ର ପେଣ୍ଡେଇ, ସୁରେଶ ଖରା, ସନା ସାନ୍ତା, ତ୍ରିନାଥ ଖରା, ସୋମନାଥ ଅମାନତ୍ୟ, ଗୀତାଞ୍ଜଳି ପୂଜାରୀ, ନାରାୟଣ ମାଝି, ଗୋବିନ୍ଦ କୁମ୍ଝରିଆ, ସୁରେନ୍ଦ୍ର ତନ୍ତୀ ଏବଂ ଶିବଶଙ୍କର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରାଜ୍ୟଗୁଡିକ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ଉପରେ ଟିକସ ଲାଗୁ କରିବା ଅସାମ୍ବିଧାନିକ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବିଶେଷକରି ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଉପରେ ଟିକସ କିମ୍ବା ଶୁଳ୍କ ଆଦାୟ ନକରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ କହିଛି। ଏହା ସହିତ ପୂର୍ବରୁ ଲାଗୁ ହୋଇଥିବା ଟ୍ୟାକ୍ସ ପ୍ରତ୍ୟାହାର କରିବାକୁ କୁହାଯାଇଛି। ମଙ୍ଗଳବାର ଦିନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ ମନ୍ତ୍ରଣାଳୟ କହିଛି ଯେ ବିଦ୍ୟୁତ୍ ଉତ୍ପାଦନ ଉପରେ କିଛି ରାଜ୍ୟ ସରକାର ଟିକସ/ଶୁଳ୍କ ଲାଗୁ କରିଛନ୍ତି। ଏହା ଭୁଲ ଏବଂ ଅସାମ୍ବିଧାନିକ ଅଟେ।

ଚିଠିରେ କୁହାଯାଇଛି ଯେ, ତାପଜ, ଜଳ ବିଦ୍ୟୁତ୍, ପବନ, ସୌର, ଆଣବିକ ସମେତ ଯେକୌଣସି ଉତ୍ସରୁ ଉତ୍ପାଦିତ ବିଦ୍ୟୁତ୍ ଉପରେ କୌଣସି ଟିକସ କିମ୍ବା ଶୁଳ୍କ ଲାଗୁ କରିବା ଭୁଲ ଏବଂ ଅସାମ୍ବିଧାନିକ। ମନ୍ତ୍ରଣାଳୟ କହିଛି ଯେ, ସାମ୍ବିଧାନିକ ବ୍ୟବସ୍ଥା ଆଧାରରେ କୌଣସି ରାଜ୍ୟ ବିଦ୍ୟୁତ୍ ଉତ୍ପାଦନ ସମ୍ବନ୍ଧରେ କୌଣସି ପ୍ରକାର ଟିକସ କିମ୍ବା ଶୁଳ୍କ ଲଗାଇ ପାରିବେ ନାହିଁ ଏବଂ ଯଦି କୌଣସି ଟିକସ କିମ୍ବା ଶୁଳ୍କ ଲାଗୁ କରାଯାଏ, ତେବେ ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯିବା ଉଚିତ। ଟିକସ କିମ୍ବା ଶୁଳ୍କ ଆଦାୟ କରିବାର କ୍ଷମତା ବିଶେଷ ଭାବରେ ସମ୍ବିଧାନର ସପ୍ତମ ଅନୁସୂଚୀର ଦ୍ଵିତୀୟ ସୂଚୀରେ ଅଛି।

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, “ଏହି ତାଲିକାରେ ବିଶେଷ ଭାବରେ ଉଲ୍ଲେଖ କରାଯାଇ ନ ଥିବା ଟିକସ / ଶୁଳ୍କ ରାଜ୍ୟ ସରକାରଙ୍କ ଦ୍ଵାରା କୌଣସି ରୂପରେ ଆଦାୟ କରାଯାଇପାରିବ ନାହିଁ। କାରଣ ଅବଶିଷ୍ଟ ବିଦ୍ୟୁତ କେନ୍ଦ୍ର ସରକାର ପାଖରେ ଅଛି। ରାଜ୍ୟ ସୂଚୀରେ କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟଗୁଡିକ ଅଧୀନରେ ବିଦ୍ୟୁତ୍ ବ୍ୟବହାର କିମ୍ବା ବିକ୍ରୟ ଉପରେ ହିଁ ଟିକସ ଲଗାଇବାର ଅଧିକାର ଅଛି। କିନ୍ତୁ ଏଥିରେ ବିଦ୍ୟୁତ୍ ଉତ୍ପାଦନ ଉପରେ ଟିକସ ଦେବା ବିଷୟ ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ମନ୍ତ୍ରଣାଳୟ ଅନୁଯାୟୀ, ଏହାର କାରଣ ହେଉଛି ଗୋଟିଏ ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ହୋଇଥିଲେ ମଧ୍ୟ ଏହା ଅନ୍ୟ ରାଜ୍ୟରେ ଖର୍ଚ୍ଚ ହୋଇପାରିବ। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟରେ ରହୁଥିବା ଲୋକଙ୍କୁ ଟିକସ ଦେବାର ଅଧିକାର କୌଣସି ରାଜ୍ୟଙ୍କର ନାହିଁ। ଚିଠିରେ କୁହାଯାଇଛି ଯେ, କେତେକ ରାଜ୍ୟ ଜଳ ବ୍ୟବହାର ଉପରେ ସେସ୍ ଆକାରରେ ଟିକସ କିମ୍ବା ଶୁଳ୍କ ଲଗାଇଛନ୍ତି। ଯଦିଓ ରାଜ୍ୟମାନେ ଏହାକୁ ଜଳ ସେସ୍ ବୋଲି କହିପାରନ୍ତି, ଏହା ପ୍ରକୃତରେ ବିଦ୍ୟୁତ୍ ଉତ୍ପାଦନ ଉପରେ ଟିକସ। ଏହି ଟିକସ ସେହି ବିଦ୍ୟୁତ୍ ଉପଭୋକ୍ତାମାନଙ୍କଠାରୁ ସଂଗ୍ରହ କରାଯିବ ଯେଉଁମାନେ ଅନ୍ୟ ରାଜ୍ୟଗୁଡିକର ହୋଇପାରନ୍ତି। ସମ୍ବିଧାନର ଧାରା ୨୮୬ ଅନୁଯାୟୀ, ସାମଗ୍ରୀ କିମ୍ବା ସେବା ଉପରେ କିମ୍ବା ରାଜ୍ୟ ବାହାରେ ଯୋଗାଣ କ୍ଷେତ୍ରରେ ରାଜ୍ୟମାନେ କୌଣସି ଟିକସ କିମ୍ବା ଶୁଳ୍କ ଆଦାୟ କରିପାରିବେ ନାହିଁ।

Categories
ବିଶେଷ ଖବର

ଅତିକ୍-ଅଶ୍ରଫ୍ ଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ SOP ପ୍ରସ୍ତୁତ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ସତର୍କ ଅବସ୍ଥାରେ ଅଛନ୍ତି। ପୋଲିସ୍ ହେପାଜତରେ ଅତିକ୍ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଗଣମାଧ୍ୟମର ବ୍ୟକ୍ତି ଭାବରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିବ। ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ (SOP) ପ୍ରସ୍ତୁତ କରିବାକୁ ଯାଉଛି। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ତିନିଜଣ ବ୍ୟକ୍ତି ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ, ଯେତେବେଳେ ପୋଲିସ୍ ସେମାନଙ୍କୁ ପରୀକ୍ଷା ପାଇଁ ଏକ ମେଡିକାଲ କଲେଜକୁ ନେଉଥିଲେ।

ଏଫ୍ଆଇଆର୍ ଅନୁଯାୟୀ ଅଭିଯୁକ୍ତ କହିଛନ୍ତି ଯେ, ସେମାନେ ଅତିକ୍-ଅଶ୍ରଫ୍ ଗ୍ୟାଙ୍ଗକୁ ପୋଛି ଦେବାକୁ ଚାହୁଁଛନ୍ତି, ଯାହାଫଳରେ ସେମାନେ ରାଜ୍ୟରେ ନାମ ପାଇବେ। ସେହି ଲୋକମାନେ ପୋଲିସର କର୍ଡନ ଅନୁମାନ କରିପାରିନଥିଲେ ଏବଂ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଧରାପଡିଥିଲେ। ସେ ଅନେକ ଦିନ ଧରି ଅତିକ୍ ଏବଂ ଅଶ୍ରଫ୍ ଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଉପଯୁକ୍ତ ସମୟ କିମ୍ବା ସୁଯୋଗ ପାଇନଥିଲେ।

ଏହି ସମୟରେ ପ୍ରୟାଗରାଜ ରାସ୍ତାରେ ନୀରବତା ରହିଛି। ସବୁଆଡେ ପୋଲିସ ମୁତୟନ କରାଯାଇଛି ଏବଂ ଦୋକାନଗୁଡ଼ିକର ସଟର ବନ୍ଦ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟ ଉପରେ ପୋଲିସ ନଜର ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ ପୋଲିସ କଡା ନିରୀକ୍ଷଣ ନିର୍ଦ୍ଦେଶ ପାଇଛି।

Categories
ବିଶେଷ ଖବର

‘ଅଗ୍ନିପଥ ମନମୁଖୀ ନୁହେଁ’, ସେନା ନିଯୁକ୍ତି ପାଇଁ କେନ୍ଦ୍ରର ଯୋଜନାକୁ ମୋହର ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଆଜି ସୁପ୍ରିମକୋର୍ଟ ଦୁଇଟି ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଯୋଜନା ମନମୁଖୀ ନୁହେଁ ବୋଲି ଶୀର୍ଷ କୋର୍ଟ ମନ୍ତବ୍ୟରେ କହିଛନ୍ତି।

ଅନ୍ୟ ବିଚାର ଅପେକ୍ଷା ଜନସାଧାରଣଙ୍କ ସ୍ୱାର୍ଥ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ଆରମ୍ଭ ହେବା ପୂର୍ବରୁ ପ୍ରତିରକ୍ଷା ନିଯୁକ୍ତି ପ୍ରକ୍ରିୟାରେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି କରିବାର ଅଧିକାର ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରରେ ଜି-୨ଠ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଚଳିତ ବର୍ଷ ଜି-୨୦ରେ ଭାରତର ଅଧ୍ୟକ୍ଷତା ଅବସରରେ କେନ୍ଦ୍ର ସରକାର ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଇଛନ୍ତି। ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଅଗ୍ରଣୀ ପ୍ରତିଷ୍ଠାନ ଭାବେ ଏହି କାର୍ଯ୍ୟକ୍ରମର ସପ୍ତମ ଦିବସରେ ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ କରିଅଛି। ପ୍ରତିଷ୍ଠାନର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲନ୍ ଟେନିସ୍ ଓ ବ୍ୟାଡମିଣ୍ଟନ ପ୍ରତିଯୋଗିତା (ଛାତ୍ରଛାତ୍ରୀ ଓ କର୍ମଚାରୀ)କୁ ଅଧ୍ୟକ୍ଷ ପ୍ର. ପି.ସି. ଅଗ୍ରୱାଲ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ଡିନ ପ୍ରଫେସର ସନ୍ଧ୍ୟାରଣୀ ସାହୁ, ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ର. ଅନିମେଶ ମହାପାତ୍ର, ଡ. ଜିବେଂଦୁ ବେଜ ପରିଚାଳନା କରିଥିଲେ। ନୋଡାଲ ଅଫିସର ପ୍ରଫେସର ଲକ୍ଷ୍ମୀଧର ବେହେରା ଓ ସଂଯୋଜକ ଅଖିଳେଶ୍ୱର ମିଶ୍ରଙ୍କ ସଂଯୋଜନା ଓ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହି ଜନଭାଗିଦାରୀ କାର୍ଯ୍ୟକ୍ରମ ଏପ୍ରିଲ ୨୨ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର

ରାଜ୍ୟମାନଙ୍କ ସହିତ କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ଏବଂ ଟିକାକରଣ ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭିକେ ପଲ, ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡକ୍ଟର ରାଜୀବ ବେହଲ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ବିଷୟରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ, ରାଜ୍ୟମାନେ କୋଭିଡ-୧୯ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ଆବଶ୍ୟକ। ପ୍ରସ୍ତୁତି କ୍ଷେତ୍ରରେ ରହିଥିବା ବକେୟା କାର୍ଯ୍ୟ ସାରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୫ ମାର୍ଚ୍ଚ, ୨୦୨୩ରେ ଜାରି କରାଯାଇଥିବା ଯୁଗ୍ମ ମାର୍ଗଦର୍ଶିକା ଅନୁଯାୟୀ ପ୍ରାଥମିକତା ନିର୍ଦ୍ଧାରଣ କରି ପ୍ରସ୍ତୁତି କରାଯିବା ଉଚିତ। ସେ ସନ୍ଦିଗ୍ଧ ନମୁନାର ଆରଟି-ପିସିଆର ଟେଷ୍ଟ ବଢ଼ାଇବା ଉପରେ ଜୋର ଦେଇଥିଲେ। ସେହିପରି ନମୁନାଗୁଡ଼ିକର ହୋଲ ଜିନୋମ ସିକୁଏନ୍ସିଂ ବା ସମ୍ପୂର୍ଣ୍ଣ ଜିନଗତ ଅନୁଶୀଳନ ନିମନ୍ତେ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ଯଥାଶୀଘ୍ର ସମସ୍ତଙ୍କୁ, ବିଶେଷ କରି ଦୁର୍ବଳ ବର୍ଗଙ୍କୁ ବୁଷ୍ଟର ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ବୈଠକରେ ବିଶ୍ୱସ୍ତରରେ କୋଭିଡ-୧୯ ପରିସ୍ଥିତି ଏବଂ ଭାରତରେ ବର୍ଦ୍ଧିତ ସଂକ୍ରମଣ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚନା ଦିଆଯାଇଥିଲା ଯେ ୩ ମାର୍ଚ୍ଚ, ୨୦୨୩ରେ ଶେଷ ହେଉଥିବା ସପ୍ତାହରେ ଦୈନିକ ହାରାହାରୀ କୋଭିଡ ସଂକ୍ରମଣ ୩୧୩ ଥିବା ବେଳେ ୨୩ ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ସପ୍ତାହରେ ଦୈନିକ ହାରାହାରୀ ସଂକ୍ରମଣ ୯୬୬କୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟୀ ହାର ୧.୦୮%କୁ ବୃଦ୍ଧି ପାଇଛି।

୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟୀ ହାର ୪.୫୮%କୁ ବୃଦ୍ଧି ପାଇଛି ଯାହାକି ୩ ମାର୍ଚ୍ଚରେ ଶେଷ ହୋଇଥିବା ସପ୍ତାହରେ ୦.୫୪% ଥିଲା। ଗୁଜରାଟରେ ସାପ୍ତାହିକ ସଂକ୍ରମଣ ୦.୦୭%ରୁ ୨.୧୭%କୁ ବଢ଼ିଛି। କେରଳରେ ସାପ୍ତାହିକ ସଂକ୍ରମଣ ହାର ୧.୪୭%ରୁ ୪.୫୧%କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ଏହି ହାର ୧.୬୫%ରୁ ୪.୫୧%, ଦିଲ୍ଲୀରେ ୦.୫୩%ରୁ ୪.୨୫%କୁ ବୃଦ୍ଧି ପାଇଛି। ସେହିପରି ହିମାଚଳ ପ୍ରଦେଶରେ ସାପ୍ତାହିକ ପଜିଟିଭିଟୀ ହାର ୧.୯୨%ରୁ ୭.୪୮%କୁ ବୃଦ୍ଧି ପାଇଛି। ତାମିଲନାଡ଼ୁରେ ସାପ୍ତାହିକ ପଜିଟିଭିଟୀ ହାର ୦.୪୬%ରୁ ୨.୪୦%କୁ ବୃଦ୍ଧି ପାଇଛି।

୨୨ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ଦୈନିକ ଟିପିଏମ ଜାତୀୟ ହାରାହାରୀ ଠାରୁ କମ ରହିଛି। ଦେଶର ୨୪ଟି ଜିଲ୍ଲାରେ ୨୪ ମାର୍ଚ୍ଚ ରେ ଶେଷ ହୋଇଥିବା ସପ୍ତାହ ସୁଦ୍ଧା ୧୦%ରୁ ଅଧିକ ସାପ୍ତାହିକ ପଜିଟିଭିଟୀ ହାର ରେକର୍ଡ କରାଯାଇଛି। ଅନ୍ୟପଟେ ଏହି ସମୟ ମଧ୍ୟରେ ୪୩ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟୀ ହାର ୫-୧୦% ରହିଛି।

ଅକ୍ସିଜେନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ଡାକ୍ତରଖାନା ଭିତ୍ତିଭୂମିକୁ କାର୍ଯ୍ୟକ୍ଷମ ସ୍ଥିତିରେ ପ୍ରସ୍ତୁତ ରଖିବା ଲାଗି ଆସନ୍ତା ଏପ୍ରିଲ ୧୦ ଓ୧୧ ତାରିଖରେ ସବୁ ଡାକ୍ତରଖାନାରେ ମକଡ୍ରିଲ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ। ୨୭ ଡିସେମ୍ବର ୨୦୨୩ରେ ହୋଇଥିବା ଶେଷ ମକଡ୍ରିଲ ସମ୍ପର୍କରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୋଟ ୨୧,୯୩୯ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମକଡ୍ରିଲ କରାଯାଇଥିଲା। ଏଥିରେ ୧୬,୬୦୧ ସରକାରୀ ଡାକ୍ତରଖାନା ଓ ୫,୩୩୮ଟି ଘରୋଇ ଡାକ୍ତରଖାନା ସାମିଲ ରହିଛି। ୯୪% ପିଏସଏ ପ୍ଲାଣ୍ଟ ଓ ଅକ୍ସିଜେନ କନସେନଟ୍ରେଟର ପରିଚାଳନା ସ୍ଥିତିରେ ରହିଥିବା ବେଳେ ୮୭% ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର, ଅକ୍ସିଜେନ ଶଯ୍ୟା ଓ ପୃଥକବାସ ଶଯ୍ୟା କାର୍ଯ୍ୟକ୍ଷମ ସ୍ଥିତିରେ ରହିଛି।

ନୂଆ କୋଭିଡ ଭେରିଏଣ୍ଟ ବା ପ୍ରତିରୂପର ଆଗମନ ସତ୍ତ୍ୱେ ପରୀକ୍ଷା-ଚିହ୍ନଟ-ଚିକିତ୍ସା-ଟିକାକରଣ ଏବଂ କୋଭିଡ ଅନୁକୂଳ ବ୍ୟବହାର ପରିକ୍ଷୀତ ରଣନୀତି ଭାବେ କାର୍ଯ୍ୟ କରିବା ଜାରି ରଖିବ। ଯଥେଷ୍ଟ ସଂଖ୍ୟାରେ ଶଯ୍ୟା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରସ୍ତୁତ ରଖିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ରୋଗ ଓ ଟିକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ କୋଭିଡ ଇଣ୍ଡିଆ ପୋର୍ଟାଲରେ ନିୟମିତ ଭାବେ କୋଭିଡ-୧୯ ତଥ୍ୟ ଅପଡେଟ୍ କରିବାକୁ କୁହାଯାଇଥିଲା।

ଡକ୍ଟର ଭିକେ ପଲ କହିଥିଲେ ଯେ ନୂଆ ଭୂତାଣୁ ପ୍ରତିରୂପକୁ ନେଇ ସମସ୍ତେ ସତର୍କ ରହିବା ଆବଶ୍ୟକ। ବର୍ତ୍ତମାନ ଟିକା ପ୍ରତିଷେଧକ ବ୍ୟବସ୍ଥା ସାରା ଦେଶରେ ସାଧାରଣ ସ୍ତରରେ ରହିଛି। ଅଧିକ ଆରଟି-ପିସିଆର ନମୁନା ପରୀକ୍ଷା କରିବା ସହିତ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲାଗି ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଲୋକମାନଙ୍କ ମଧ୍ୟରେ ବୁଷ୍ଟର ଡୋଜ ଟିକାକରଣ ବଢ଼ାଇବାକୁ ଆହ୍ୱାନ କରିଥିଲେ।

ଡକ୍ଟର ରାଜୀବ ବେହଲ ରାଜ୍ୟମାନଙ୍କୁ ଅଧିକ ସଂଖ୍ୟାରେ ଆରଟି-ପିସିଆର ପରୀକ୍ଷା କରିବାକୁ କହିବା ସହିତ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀ ସଚେତନତା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ମାର୍ଗଦର୍ଶିକା ଅନୁସରଣ କରିବାକୁ ସେ କହିଥିଲେ। ନୂଆ ସଂକ୍ରମଣ କ୍ଲଷ୍ଟର ଓ ଗୁରୁତର ସଂକ୍ରମିତଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

କୋଭିଡ ପରିଚାଳନାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଓ ସବିଶେଷ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୟୋଚିତ ସମୀକ୍ଷା ବୈଠକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାର୍ଗଦର୍ଶିକା ପାଇଁ ରାଜ୍ୟମାନେ ଧନ୍ୟବାଦ ଜଣାଇଥିଲେ। କୋଭିଡ-୧୯ର ସଫଳ ମୁକାବିଲା ନିମନ୍ତେ ସେମାନେ କେନ୍ଦ୍ର ସରକାରଙ୍କ ସହିତ ମିଶି କାର୍ଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ରାଜ୍ୟମାନେ ସୂଚନା ଦେଇଥିଲେ ଯେ, ସେମାନେ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ବର୍ତ୍ତମାନର ସ୍ଥିତିକୁ ସମୀକ୍ଷା କରୁଛନ୍ତି। ହସ୍ପିଟାଲ ଭିତ୍ତିଭୂମି ପ୍ରସ୍ତୁତି ଅନୁଧ୍ୟାନ ପାଇଁ ଏପ୍ରିଲ ୧୦-୧୧ ତାରିଖରେ ମକ୍ ଡ୍ରିଲ ନିମନ୍ତେ ସବୁ ରାଜ୍ୟ ପ୍ରସ୍ତୁତ ଥିବା ବୈଠକରେ ସୂଚନା ଦେଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲବ ଅଗ୍ରୱାଲଙ୍କ ସମେତ ଅନ୍ୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହିଥିଲେ। ସମୀକ୍ଷା ବୈଠକରେ ସବୁ ରାଜ୍ୟର ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଦେଶରେ ହରଡ଼ ଡାଲିର ଷ୍ଟକ୍‌ ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରିଛନ୍ତି । ବିଭାଗୀୟ ଅତିରିକ୍ତ ସଚିବ ନିଧୀ ଖାରେଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଏହି କମିଟି ରାଜ୍ୟ ସରକାରଙ୍କ ସହିତ ନିବିଡ଼ ସମନ୍ୱୟ ସ୍ଥାପନ କରି ରପ୍ତାନିକାରୀ, ମିଲର, ଷ୍ଟକିଷ୍ଟ, ବ୍ୟବସାୟୀ ପ୍ରମୁଖଙ୍କ ପାଖରେ ଗଚ୍ଛିତ ରହିଥିବା ହରଡ଼ ଡାଲି ଷ୍ଟକ ଅନୁଧ୍ୟାନ କରିବେ । ଯଥେଷ୍ଟ ପରିମାଣରେ ହରଡ଼ ଡାଲି ଆମଦାନୀ କରାଯାଉଥିଲେ ମଧ୍ୟରେ କିଛି ଅସାଧୁ ବ୍ୟବସାୟୀ ସେସବୁକୁ ଖୋଲା ବଜାରକୁ ଛାଡ଼ିବା ପରିବର୍ତ୍ତେ ଗଚ୍ଛିତ ରଖୁଛନ୍ତି । ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ସରକାର କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବଜାରରେ ଜମାଖୋର ଏବଂ ଅସାଧୁ ବ୍ୟବସାୟୀମାନେ ବେଆଇନ ଭାବେ ଗଚ୍ଛିତ ରଖିଥିବା ହରଡ଼ ଡାଲି ଷ୍ଟକକୁ ଯାଞ୍ଚ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସରକାର କମିଟି ଗଠନ କରିଛନ୍ତି । ଏହା ଆଗାମୀ ମାସଗୁଡ଼ିକରେ ହରଡ଼ ଡାଲି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି । ସରକାର ଘରୋଇ ବଜାରରେ ଅନ୍ୟ ଡାଲିର ଗଚ୍ଛିତ ପରିମାଣ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି, ଯଦ୍ଦ୍ୱାରା ଆଗାମୀ ମାସଗୁଡ଼ିକରେ ଅହେତୁକ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଅଧୀନରେ ଗଚ୍ଛିତ ହରଡ଼ ଡାଲିର ଷ୍ଟକ୍‌ ପରିମାଣ ପ୍ରକାଶ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଗତ ବର୍ଷ ଅଗଷ୍ଟ ୧୨ ତାରିଖରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାର୍ଗଦର୍ଶିକା ଜାରି କରିଥିଲେ । ଆହୁରି ହରଡ଼ ଡାଲି ଆମଦାନୀକୁ ସୁଗମ ଓ ବାଧାମୁକ୍ତ କରିବା ଲାଗି ସରକାର ଅଣ-ଏଲଡିସି ଦେଶରୁ ଏହି ଡାଲି ଆମଦାନୀ ଉପରେ ଲାଗୁ ହେଉଥିବା ୧୦ ପ୍ରତିଶତ ଶୁଳ୍କକୁ ଉଚ୍ଛେଦ କରିଥିଲେ, କାରଣ ଏଲଡିସି ଦେଶରୁ ନିଃଶୁଳ୍କ ଆବଦାନୀ କ୍ଷେତ୍ରରେ ମଧ୍ୟ ଏହି ଶୁଳ୍କ ପ୍ରକ୍ରିୟାଗତ ବାଧା ଉତ୍ପନ୍ନ କରୁଥିଲା ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବଢୁଥିବା କରୋନା ମାମଲା ମଧ୍ୟରେ କେନ୍ଦ୍ରର ମାର୍ଗଦର୍ଶିକା ଜାରି, ପାଳନ କରନ୍ତୁ ଏହି ସତର୍କତା

ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ଏବଂ ଫ୍ଲୁ ରୋଗକୁ ନେଇ କେନ୍ଦ୍ର ସରକାର ଅତ୍ୟନ୍ତ ଗମ୍ଭୀର। ଏ ସମ୍ପର୍କରେ କେନ୍ଦ୍ର ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ ଲୋକମାନଙ୍କୁ ଭିଡ଼ ଏବଂ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ କୁହାଯାଇଛି। ଏହା ସହିତ କେନ୍ଦ୍ର ସରକାର ମଧ୍ୟ କରୋନା ଲଢେଇ ପାଇଁ ବ୍ୟବସ୍ଥା ସଂପର୍କରେ ଏପ୍ରିଲ ୧୦ ତାରିଖ ଏବଂ ୧୧ ତାରିଖରେ ଜାତୀୟ ସ୍ତରରେ ଏକ ମକ୍ ଡ୍ରିଲ୍ ଆୟୋଜନ କରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟ ସହ ଏକ ବୈଠକ ଡାକିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଏବଂ ଫ୍ଲୁ ରୋଗ ସମ୍ବନ୍ଧରେ ଦିଆଯାଇଥିବା ପରାମର୍ଶରେ ସାଧାରଣ ଲୋକଙ୍କୁ ଅନେକ ପରାମର୍ଶ ଦେଇଛି। ଜନଗହଳିପୂର୍ଣ୍ଣ ଏବଂ ବନ୍ଦ ସ୍ଥାନରେ ମାସ୍କ ପିନ୍ଧିବାକୁ ସରକାର କହିଛନ୍ତି। ଛିଙ୍କିବା କିମ୍ବା କାଶ କରିବା ସମୟରେ ନାକ ଏବଂ ପାଟି ଘୋଡାଇବା ଏବଂ ହାତର ସ୍ୱଚ୍ଛତା ରକ୍ଷା କରିବା ପାଇଁ ରୁମାଲ କିମ୍ବା ଟିସୁ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର କହିଛି। ଲୋକଙ୍କୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି।

ଏହି ପରାମର୍ଶରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଠାରୁ ଦୂରେଇ ରହିବା ସହିତ ଲୋକଙ୍କୁ ପରୀକ୍ଷାକୁ ପ୍ରୋତ୍ସାହିତ କରିବାକୁ ଏବଂ ଲକ୍ଷଣଗୁଡିକ ଶୀଘ୍ର ରିପୋର୍ଟ କରିବାକୁ କୁହାଯାଇଛି। ଏଥି ସହିତ ଯଦି ଶ୍ୱାସ ରୋଗରେ ପୀଡିତ ତେବେ ବ୍ୟକ୍ତିଗତ ସମ୍ପର୍କକୁ ସୀମିତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ହାଇ ପ୍ରାଇସ୍‍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ ର ଶୁଭାରମ୍ଭ କଲେ କେନ୍ଦ୍ର ସରକାର 

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହାଇ ପ୍ରାଇସ୍‍ ଡେ ଆହେଡ ମାର୍କେଟ ଏବଂ ସରପ୍ଲସ ପାୱାର ପୋର୍ଟାଲ୍ (ପିୟୁଏସଏଚପି) ର ଶୁଭାରମ୍ଭ କରିଛନ୍ତି। ଏହା ସର୍ବୋଚ୍ଚ ଚାହିଦା ଋତୁରେ ଶକ୍ତିର ଅଧିକ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ। କେନ୍ଦ୍ର ଶକ୍ତି ଏବଂ ଏନଆରଇ ମନ୍ତ୍ରୀ ଆର କେ ସିଂହ ରାଜ୍ୟ ସରକାର ଏବଂ ଶକ୍ତି କ୍ଷେତ୍ରର ୨୦୦ ରୁ ଅଧିକ ହିତାଧିକାରୀଙ୍କ ଉପସ୍ଥିତିରେ ଗତକାଲି ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ପୋର୍ଟାଲ୍‌ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶକ୍ତି ଏବଂ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜ୍ଜର, ଶକ୍ତି ମନ୍ତ୍ରଣାଳୟର ସଚିବ ଆଲୋକ କୁମାର, ସିଇଏର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ, ଆଇଇଏକ୍ସର ସିଏମ୍‍ଡି ଏସ୍ ଏନ ଗୋଏଲ୍‌, ଗ୍ରିଡ୍‍ ଇଣ୍ଡିଆର ସିଏମ୍‍ଡି ଏସ୍ ଆର ନରସିଂହନଙ୍କ ସମେତ ଶକ୍ତି ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଗତ ବର୍ଷ ଶକ୍ତି ମନ୍ତ୍ରଣାଳୟ ସ୍ଥିତି ଅନୁଧ୍ୟାନ ପରେ ଦେଖିବାକୁ ପାଇଥିଲେ ଯେ କିଛି ଦିନ ବିଦ୍ୟୁତ୍‍ ବିନିମୟରେ ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା, ବିନିମୟ ମୂଲ୍ୟ ୧୨ ଟଙ୍କା ସୀମାରେ ରଖିବାକୁ ସିଇଆରସି କୁ ନିର୍ଦ୍ଦେଶ ଦେଇଥିଲେ, ଯେଭଳି ବିନିୟମ ଦରର ସର୍ବାଧିକ ସୀମା ଧାର୍ଯ୍ୟ ହୋଇପାରିବ। ୦୧.୦୪.୨୦୨୨ ରୁ ଡେ ଆହେଡ ମାର୍କେଟ ଏବଂ ରିଅଲ ଟାଇମ୍‍ ମାର୍କେଟ ଏବଂ ୦୬.୦୫.୨୦୨୨ ରୁ ସମସ୍ତ କ୍ଷେତ୍ରରେ ଏହି ସୀମା ଲାଗୁ କରାଯାଇଥିଲା। ଏହି ପଦକ୍ଷେପ କ୍ରେତାମାନଙ୍କ ପାଇଁ ମୂଲ୍ୟକୁ ଯୁକ୍ତିଯୁକ୍ତ କରିଛି। କାରଣ ଆନ୍ତର୍ଜାତୀୟ ବଜାରରେ ଗ୍ୟାସର ମୂଲ୍ୟ ଅଧିକ ଥିବାରୁ; ଗ୍ୟାସ୍ ବ୍ୟବହାର କରି ଉତ୍ପାଦିତ ହେଉଥିବା ବିଦ୍ୟୁତ୍‍ ମହଙ୍ଗା ଥିଲା – ୟୁନିଟ୍ ପିଛା ୧୨ ଟଙ୍କାରୁ ଅଧିକ – ଏବଂ ଏହି ଦରରେ ବଜାରରେ ବିକ୍ରି ହୋଇପାରିବ ନାହିଁ। ସେହିଭଳି, ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନା ଏବଂ ବ୍ୟାଟେରୀ-ଶକ୍ତି ସଂରକ୍ଷଣ ପ୍ରଣାଳୀରେ ଗଚ୍ଛିତ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାର ହୋଇପାରିବ ନାହିଁ, କାରଣ ସେମାନଙ୍କର ଉତ୍ପାଦନ ମୂଲ୍ୟ ଅଧିକ ଥିଲା।

ଚଳିତ ବର୍ଷ ଆଶା କରାଯାଉଛି ଯେ ଗତବର୍ଷ ତୁଳନାରେ ଚାହିଦା ବହୁତ ଅଧିକ ହେବ, ତେଣୁ ଗ୍ୟାସ୍ ଭିତ୍ତିକ କାରଖାନାଣ୍ଟ ଏବଂ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନା ର୍ନିଦ୍ଧାରିତ ହେବା ଆବଶ୍ୟକ – ଏବଂ ସେହି କାରଣରୁ ଅନ୍ୟ ପ୍ରଣାଳୀ ପାଇଁ ଏକ ପୃଥକ କ୍ଷେତ୍ର ସ୍ଥିରୀକୃତ ହୋଇଛି ଯେଉଁଠାରେ ଶକ୍ତି ଉତ୍ପାଦନ ମୂଲ୍ୟ – ଗ୍ୟାସ୍/ଆମଦାନୀ ହୋଇଥିବା କୋଇଲା/ଆରଇ ପ୍ଲସ୍ ଷ୍ଟୋରେଜ୍ ଠାରୁ – ୧୨ ଟଙ୍କା ଅତିକ୍ରମ କରିପାରେ। ଏହି ପୃଥକ କ୍ଷେତ୍ରକୁ ଏଚ୍‍ପି ଡିଏଏମ୍‍ କୁହାଯାଏ।

ଏହି ଅବସରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହ କହିଛନ୍ତି ଯେ, ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ଉପଲବ୍ଧ ଶକ୍ତି କ୍ଷମତାକୁ ବ୍ୟବହାର କରାଯିବା ନିଶ୍ଚିତ କରିବାକୁ ଏଚ୍‍ପି-ଡିଏଏମ୍‍ ସାମଗ୍ରିକ ରଣନୀତିର ଏକ ଅଂଶ। ଏଚପି-ଡିଏଏମର କାର୍ଯ୍ୟକୁ ବ୍ୟାଖ୍ୟା କରି ଶ୍ରୀ ସିଂହ କହିଛନ୍ତି ଯେ ଅତ୍ୟଧିକ ଦର ଆଦାୟ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କେବଳ ଯାହାର ଉତ୍ପାଦନ କ୍ଷମତା ପ୍ରତି ୟୁନିଟ୍ ପାଇଁ ୧୨ ଟଙ୍କାରୁ ଅଧିକ ହେବ ତାହାକୁ ଏଚ୍‍ପି-ଡିଏଏମ୍‍ ରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ। ଯଦି ଉତ୍ପାଦନର ମୂଲ୍ୟ ୧୨ ଟଙ୍କାରୁ କମ୍‌, ଉତ୍ପାଦକମାନଙ୍କୁ ବିଦ୍ୟୁତ୍‍ ବିନିମୟର ଇଣ୍ଟିଗ୍ରେଟେଡ୍ ଡେ ଆହେଡ ମାର୍କେଟ (ଆଇ-ଡିଏଏମ) ରେ କେବଳ ସିଲିଂ ମୂଲ୍ୟ ୧୨ ଟଙ୍କା ସହିତ ଶକ୍ତି ପ୍ରଦାନ କରିବାକୁ ପଡିବ। ସେ ସିଇଏ ଏବଂ ଗ୍ରୀଡ୍ କଣ୍ଟ୍ରୋଲରଙ୍କୁ ଏଚପି-ଡିଏଏମ୍‍ ରେ ମୂଲ୍ୟ ଯୁକ୍ତିଯୁକ୍ତ ବୋଲି ନିଶ୍ଚିତ କରିବାକୁ ଏବଂ କୌଣସି ବିଦ୍ୟୁତ୍‍ ଉତ୍ପାଦକ ଅତ୍ୟଧିକ ମୂଲ୍ୟ ଆଦାୟ ନକରିବାକୁ ନିଶ୍ଚିତ ପଦକ୍ଷେପ ନେବାକୁ କହିଥିଲେ, ଯାହା ଉତ୍ପାଦନ ମୂଲ୍ୟଠାରୁ ଅଧିକ ଅଟେ। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ବିକଶିତ ଦେଶରେ ଏହି ମାମଲା ତୁଳନାରେ ଭାରତ ଏକ ସ୍ଥିର ଶକ୍ତି ବଜାର ଥିଲା ଯେଉଁଠାରେ ଗତ ବର୍ଷ ଉତ୍ପାଦନ ମୂଲ୍ୟ ତୁଳନାରେ ବିଦ୍ୟୁତ ଦରର ପରିସ୍ଥିତି ଅଧିକ ଦେଖାଯାଇଥିଲା।

ଏହି ଅବସରରେ ଶକ୍ତି ଏବଂ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜ୍ଜର କହିଛନ୍ତି ଯେ ପୂର୍ବ ପରିସ୍ଥିତି ତୁଳନାରେ ବର୍ତ୍ତମାନ ବିଦ୍ୟୁତ୍‍ ବିନା ଜୀବନକୁ କେହି କଳ୍ପନା କରିପାରିବେ ନାହିଁ। ନୂତନ ଜ୍ଞାନକøଶଳ ବିଦ୍ୟୁତ୍‍ର ପର୍ଯ୍ୟାପ୍ତ ଉପଲବ୍ଧତା ନିଶ୍ଚିତ କରିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ସଚିବ ଆଲୋକ କୁମାର ନୂତନ ବଜାର ବ୍ୟବସ୍ଥାର ଅନେକ ଲାଭ ବିଷୟରେ ଉଲ୍ଲେଖ କରି ସ୍ପଷ୍ଟ କରିଛନ୍ତି ଯେ କିଛି ରିପୋର୍ଟ ତୁଳନାରେ ୟୁନିଟ୍ ପିଛା  ୫୦ ଟଙ୍କା କେବଳ ଏକ ବୈଷୟିକ କ୍ୟାପ୍ ଥିଲା ଏବଂ ବଜାର ଶକ୍ତିମାନେ ବହୁତ କମ୍ ହାର ନିଶ୍ଚିତ କରିବେ।

ସରପ୍ଲସ ପାୱାର ପୋର୍ଟାଲ ହେଉଛି ଏହାର ଏକ ପ୍ରକାର ପଦକ୍ଷେପ, ଯାହା ଶକ୍ତି ମନ୍ତ୍ରଣାଳୟ ଏବଂ ନିୟାମକଙ୍କ ଚତୁରତାକୁ ପ୍ରତିଫଳିତ କରିଥାଏ। ବିଦ୍ୟୁତ ଯୋଗାଣ ପାଇଁ ବିତରଣ କମ୍ପାନୀଗୁଡିକ ଦୀର୍ଘକାଳୀନ ଭିତ୍ତିରେ ପିପିଏ ଗୁଡ଼ିକ ସହିତ ଅନୁବନ୍ଧିତ ଅଛନ୍ତି। ବିଦ୍ୟୁତ୍‍ ଦର ର୍ନିଦ୍ଧାରଣ ନକଲେ ମଧ୍ୟ ସେମାନଙ୍କୁ ର୍ନିଦ୍ଦିଷ୍ଟ ଦେୟ ଦେବାକୁ ପଡିବ। ବର୍ତ୍ତମାନ ଡିସ୍‍କମ୍‍ ଗୁଡିକ ପୋର୍ଟାଲରେ ବ୍ଲକ୍ ସମୟ/ଦିନ/ମାସରେ ସେମାନଙ୍କର ଅତିରିକ୍ତ ଶକ୍ତି ସୂଚାଇବାକୁ ସମର୍ଥ ହେବେ। ସେହି ଡିସକମ୍‍ ଗୁଡିକ ଯେଉଁମାନେ ବିଦ୍ୟୁତ୍‍ ଆବଶ୍ୟକ କରନ୍ତି ସେମାନେ ଅତିରିକ୍ତ ବିଦ୍ୟୁତ୍‍ ପାଇବାକୁ ସକ୍ଷମ ହେବେ। ନିୟନ୍ତ୍ରକଙ୍କ ଦ୍ୱାରା ସ୍ଥିର ହୋଇଥିବା ନୂତନ କ୍ରେତା ଉଭୟ ଭେରିଏବଲ୍ ଚାର୍ଜ (ଭିସି) ଏବଂ ସ୍ଥିର ମୂଲ୍ୟ (ଏଫସି) ଦେବେ। ଥରେ ବିଦ୍ୟୁତ୍‍ ପୁନଃନ୍ୟସ୍ତ ହୋଇଗଲେ, ମୂଳ ହିତାଧିକାରୀଙ୍କର ସମଗ୍ର ଏଫସି ଦାୟିତ୍ୱ ନୂତନ ହିତାଧିକାରୀଙ୍କ ନିକଟକୁ ସ୍ଥାନାନ୍ତରିତ ହେବାରେ କୌଣସି ଅଧିକାର ରହିବ ନାହିଁ। ନୂତନ କ୍ରେତାଙ୍କ ଆର୍ଥିକ ଦାୟିତ୍ୱ ଅସ୍ଥାୟୀ ଆବଣ୍ଟିତ/ସ୍ଥାନାନ୍ତରିତ ଶକ୍ତି ପରିମାଣରେ ସୀମିତ ରହିବ। ଏହା ଡିସକମ୍‍ ଉପରେ ସ୍ଥିର ମୂଲ୍ୟର ଭାର ହ୍ରାସ କରିବ, ଏବଂ ସମସ୍ତ ଉପଲବ୍ଧ ଉତ୍ପାଦନ କ୍ଷମତାକୁ ବ୍ୟବହାର କରିବାକୁ ସକ୍ଷମ କରିବ।

Categories
ଆଜିର ଖବର ଜାତୀୟ ଖବର

ବିଏସଏଫ ନିଯୁକ୍ତିରେ ପୂର୍ବତନ ଅଗ୍ନିଶମ କର୍ମଚାରୀଙ୍କ ପାଇଁ ୧୦% ସଂରକ୍ଷଣ, ବୟସ ସୀମାରେ ମଧ୍ୟ ଆଶ୍ବସ୍ତି

ନୂଆଦିଲ୍ଲୀ: ବିଏସଏଫ ମଧ୍ୟରେ ଖାଲିଥିବା ପଦବୀରେ ଥିବା ପୂର୍ବ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାର ୧୦% ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସହିତ ଅଗ୍ନିବୀରଙ୍କୁ ବୟସ ଆଶ୍ଵସ୍ତି ମଧ୍ୟ ଦିଆଯିବ। ଯାହା ଆପଣ ପ୍ରଥମ ବ୍ୟାଚ୍ ର ଅଂଶ ଅଟନ୍ତି କିମ୍ବା ପରବର୍ତ୍ତୀ ବ୍ୟାଚ୍ ରେ ଯୋଗ ଦେଇଛନ୍ତି ତାହା ଉପରେ ନିର୍ଭର କରିବ। ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ମାଧ୍ୟମରେ ଗୃହ ମନ୍ତ୍ରଣାଳୟ ଏହା ଘୋଷଣା କରିଛି।

ଏଥିପାଇଁ ଗୃହ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ, ଜେନେରାଲ ଡ୍ୟୁଟି କ୍ୟାଡର ନିଯୁକ୍ତି ନିୟମ ୨୦୧୫ ରେ ସଂଶୋଧନ କରିଛି, ଯାହା ଗୁରୁବାର ଠାରୁ ଲାଗୁ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଏହି ଲୋକମାନଙ୍କ ପାଇଁ ଆଧାର-ପ୍ୟାନ୍ ଲିଙ୍କ ଜରୁରୀ ନାହିଁ, ସରକାର ଦେଇଛନ୍ତି ମୁକ୍ତି!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ୟାନକୁ ଆଧାର ସହିତ ସଂଯୋଗ କରିବାର ଶେଷ ତାରିଖ ଭାବରେ ମାର୍ଚ୍ଚ ୩୧ ତାରିଖ ୨୦୨୩ ଧାର୍ଯ୍ୟ କରିଛନ୍ତି। ସେହି ବ୍ୟକ୍ତି ଯେଉଁମାନେ ପ୍ୟାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି ଏବଂ ସେମାନେ ଶେଷ ତାରିଖ ପର୍ଯ୍ୟନ୍ତ ପ୍ୟାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରନ୍ତି ନାହିଁ, ତେବେ ସେମାନଙ୍କର ପ୍ୟାନ୍ କାର୍ଡର କୌଣସି କାମରେ ଆସିବ ନାହିଁ। ସେହି ଲୋକମାନେ ପ୍ୟାନ୍ କାର୍ଡ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ।

ପ୍ୟାନ କାର୍ଡକୁ ଆଧାର ସହିତ ଯୋଡିବା ପାଇଁ କେନ୍ଦ୍ର ସରକାର ଏକ ଗାଇଡଲାଇନ ଜାରି କରିଥିଲେ। ଏଥି ସହିତ, ଆୟକର ବିଭାଗ ମଧ୍ୟ ଟିକସଦାତାଙ୍କୁ ସୂଚନା ଦେଇଛି ଯେ, ଆୟକର ଅଧିନିୟମ ୧୯୬୧ ଅନୁଯାୟୀ, ସମସ୍ତ ପ୍ୟାନ କାର୍ଡଧାରୀଙ୍କ ପାଇଁ ମାର୍ଚ୍ଚ ୩୧ ତାରିଖ ୨୦୨୩ ପର୍ଯ୍ୟନ୍ତ ଏହା ବାଧ୍ୟତାମୂଳକ ଅଟେ। ଅନ୍ୟପକ୍ଷରେ, କିଛି ଲୋକଙ୍କୁ ଆଧାରକୁ ପାନ୍ କାର୍ଡ ସହିତ ଲିଙ୍କ୍ କରିବାକୁ ରିହାତି ଦିଆଯାଇଛି। ଆସନ୍ତୁ ଜାଣିବା ସେହି ବ୍ୟକ୍ତି କିଏ, ଯେଉଁମାନେ ଆଧାର ସହିତ ପାନ୍ କୁ ଲିଙ୍କ୍ କରିବା ଆବଶ୍ୟକ କରନ୍ତି ନାହିଁ।

ଏହି ଲୋକଙ୍କ ପାଇଁ ପାନ୍-ଆଧାର ଲିଙ୍କ୍ ବାଧ୍ୟତାମୂଳକ ନୁହେଁ:

ମେ ୨୦୧୭ ରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ କେତେକ ବର୍ଗର ଲୋକଙ୍କୁ ପାନ୍-ଆଧାର ସଂଯୋଗରୁ ବଞ୍ଚିତ କରାଯାଇଛି। ଏହି ଲୋକମାନଙ୍କ ପାଇଁ ପାନ୍ କୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ ନୁହେଁ।

– ଆସାମ, ମେଘାଳୟ ଏବଂ ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ରହୁଥିବା ଲୋକମାନେ।

– ଆୟକର ଅଧିନିୟମ ୧୯୬୧ ଅନୁଯାୟୀ ଜଣେ ଅଣ-ବାସିନ୍ଦା।

– ଗତ ବର୍ଷ ପର୍ଯ୍ୟନ୍ତ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତି।

– ଭାରତର ନାଗରିକ ହୋଇନଥିବେ।

ପାନ୍ ଆଧାରକୁ କିପରି ଲିଙ୍କ୍ କରିବେ?:

ଯଦି ଆପଣ ପାନ୍ ଆଧାରକୁ ଲିଙ୍କ୍ କରିବାକୁ ଯାଉଛନ୍ତି, ତେବେ କିଛି ଉପାୟ ଅଛି, ଯାହାକୁ ଅନୁସରଣ କରି ଆପଣ ଏହାକୁ ସହଜରେ ସଂପୂର୍ଣ୍ଣ କରିପାରିବେ।

ଅନଲାଇନ୍ ପ୍ରକ୍ରିୟା ଅଧୀନରେ, ଆପଣ ଆୟକର ଇ-ଫାଇଲ୍ ୱେବସାଇଟ୍ incometaxindiaefiling.gov.in ପରିଦର୍ଶନ କରି ଆଧାର ସହିତ ଆପଣଙ୍କର ପାନ୍ କୁ ଲିଙ୍କ୍ କରିପାରିବେ।

ଏହା ସହିତ ଆପଣ ପ୍ୟାନ୍ ଏବଂ ଆଧାରକୁ SMS ମାଧ୍ୟମରେ ମଧ୍ୟ ଲିଙ୍କ୍ କରିପାରିବେ। ଏଥିପାଇଁ ଆପଣଙ୍କୁ UIDPAN <ସ୍ପେସ୍> <୧୨ ଆଧାର ସଂଖ୍ୟା> <ସ୍ପେସ୍> <୧୦ ପାନ୍ ନମ୍ବର> ଫର୍ମାଟ୍ ୫୬୭୬୭୮ କିମ୍ବା ୫୬୧୬୧ କୁ ପଠାଇବାକୁ ପଡିବ।

ଅଫଲାଇନ୍ ପ୍ରକ୍ରିୟା ଅଧୀନରେ ଆପଣଙ୍କର ପାନ୍ କୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ଆପଣ ନିକଟତମ ପାନ୍ ସେବା କେନ୍ଦ୍ର କିମ୍ବା ଆଧାର ସେବା କେନ୍ଦ୍ର ପରିଦର୍ଶନ କରିପାରିବେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନଅ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ ଦର ପ୍ରାୟ ୩ ଗୁଣ ବଢାଇଛି କେନ୍ଦ୍ର, ନୀରବତା ଭାଙ୍ଗୁ ଓଡିଶା ବିଜେପି: ବିଜେଡି

ଭୁବନେଶ୍ୱର: ଓଡିଶା ତଥା ଦେଶର ମା’ ଭଉଣୀଙ୍କ ଆଖିରୁ ଚୂଲି ଧୂଆଁ ବାଜି ଯେଭଳି ଲୁହ ନବାହାରିବ ସେଥିପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ରିହାତି ଦରରେ ରନ୍ଧନଗ୍ୟାସ ସିଲିଣ୍ଡର ଯୋଗାଣ ଯୋଜନା କରିଥିଲେ। ହେଲେ ଏଲପିଜି ରନ୍ଧନ ଗ୍ୟାସର ଦର ଦ୍ରୁତ ଗତିରେ ବୃଦ୍ଧି କେବଳ ଓଡିଶାର ମା ଏବଂ ଭଉଣୀଙ୍କ ଆଖିରେ ଲୁହ ଆଣିଦେଇ ନାହିଁ ବରଂ ସବୁ ପରିବାର ଆଖିରେ ଲୁହ ଆଣି ଦେଇଛି ଯାହା ସେମାନଙ୍କୁ ଅତ୍ୟନ୍ତ କଷ୍ଟ ଦେଇଛି ବୋଲି ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜେଡି ପ୍ରବକ୍ତା ଶ୍ରମୟୀ ମିଶ୍ର କହିଛନ୍ତି।

ସେମାନେ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ସହିତ ଇନ୍ଧନ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ଓଡିଶାର ୪.୫ କୋଟି ଲୋକଙ୍କୁ ବହୁତ ଯନ୍ତ୍ରଣା ଦେଉଥିବାବେଳେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ଗୁରୁତ୍ୱ ଦେଉଥିବା ମନେ ହେଉନାହିଁ। ମାର୍ଚ୍ଚ ୨୦୧୪ ରେ ଗୋଟିଏ ଘରୋଇ ଏଲପିଜି ସିଲିଣ୍ଡର (୧୪.୨ କିଲୋଗ୍ରାମ ସିଲିଣ୍ଡର) ର ମୂଲ୍ୟ ୪୧୦ ଟଙ୍କା ଥିଲାବେଳେ ବର୍ତ୍ତମାନ ତାହା ୨୦୨୩ ମାର୍ଚ୍ଚ ପହିଲାରୁ ୧୧୦୩ ଟଙ୍କା ହୋଇଛି। ଆପଣ ଦେଖୁଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ଗୋଟିଏ ରନ୍ଧନ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ ୩ ଗୁଣ ବୃଦ୍ଧି କରାଯାଇଛି। ୯ ବର୍ଷରେ ୩ ଗୁଣା ଗ୍ୟାସ ବୃଦ୍ଧି ହେବାକୁ କେହି କଳ୍ପନା କରିପାରିବେ କି? ଏହି ଦ୍ରୁତ ଦର ବୃଦ୍ଧି ଲକ୍ଷ ଲକ୍ଷ ମା’ଙ୍କୁ ବହୁତ ଯନ୍ତ୍ରଣା ଏବଂ କଷ୍ଟ ଦେଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ଶସ୍ତା ରନ୍ଧନ ଗ୍ୟାସ କଥା କହୁଥିବାବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ ଦର ବଢାଇ ଚାଲିଛନ୍ତି।

ରନ୍ଧନ ଗ୍ୟାସର ଏପରି ଆକାଶଛୁଆଁ ଦରବୃଦ୍ଧି ହେତୁ ଲକ୍ଷ ଲକ୍ଷ ମା’ ଓ ଭଉଣୀମାନେ ଏହି ଗ୍ୟାସ ସିଲିଣ୍ଡର ଭରି ନପାରି ପୁନର୍ବାର ଜାଳେଣି କାଠ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାର ଏନଏସଏଫ୍‍ଏ ଅଧିନରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ରେ ପ୍ରତି ବ୍ୟକ୍ତିଙ୍କ ପାଇଁ ଦେଉଥିବା ମାସିକ ୫ କିଲୋଗ୍ରାମ ମାଗଣା ଚାଉଳକୁ ବନ୍ଦ କରିଦେଲେ। ବର୍ତ୍ତମାନ ୯ ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ତିନି ଗୁଣା ବୃଦ୍ଧି କରି ସେମାନେ ସାଧାରଣ ଲୋକଙ୍କ ରୋଷେଇ ଘର ଏବଂ ପରିବାର ଉପରେ ଦୁଇଗୁଣା ବୋଝ ଲଦି ଦେଇଛନ୍ତି।

ଆମେ ଆଶ୍ଚର୍ଯ୍ୟ ହେଉଛୁ ଯେ ଓଡିଶା ବିଜେପି କାହିଁକି ଚୁପ୍ ଅଛି? ଏଥିରୁ ଜଣାପଡୁଛି ଯେ ସେମାନେ ଲୋକ ଏବଂ ମହିଳା ପ୍ରସଙ୍ଗକୁ ବିଭ୍ରାନ୍ତ କରିବାକୁ ଅଧିକ ଆଗ୍ରହୀ। ସେମାନେ କାହିଁକି ଏହିପରି ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ଯାହା ସାଧାରଣ ପୁରୁଷ ଏବଂ ମହିଳା, ତାଙ୍କ ରୋଷେଇ ଘର, ପରିବାର, ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇଥାଏ? ଋନ୍ଧନଗ୍ୟାସ ମୂଲ୍ୟ ବୃଦ୍ଧି ଯୋଗୁଁ ଓଡିଶାର ମା’ମାନଙ୍କ ଆଖିରୁ ବାହାରୁଥିବା ଲୁହ ଅପେକ୍ଷା କ’ଣ ରାଜନୀତି କରିବା ଓଡିଶା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ କି ବୋଲି ବିଜେଡି ପ୍ରଶ୍ନ କରିଛି।

ବିଜୁ ଜନତା ଦଳ ଦାବି କରିଛି ଯେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାରେ ଭାରତ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ବିଜୁ ଜନତା ଦଳ ଓଡିଶାର ଲୋକ ଏବଂ ବିଶେଷକରି ଓଡିଶାର ମା’ ଏବଂ ଭଉଣୀମାନଙ୍କ ସହିତ ଛିଡା ହୋଇଛି ଯେଉଁମାନେ ଏହି ମୂଲ୍ୟ ବୃଦ୍ଧି ଯୋଗୁଁ ଘର ଚଳାଇବାରେ କଠିନ ସମୟର ସମ୍ମୁଖୀନ ହେଉଛନ୍ତି। ଆମେ ଆଶା କରୁଛୁ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଜରୁରୀ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବ ଏବଂ ସାଧାରଣ ଲୋକ ଏବଂ ବିଶେଷକରି ମା ଏବଂ ଭଉଣୀମାନେ ସମ୍ମୁଖୀନ ହେଉଥିବା କଠିନ ସମୟରେ ଓଡ଼ିଶା ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ପଡିବ଼ ନାହିଁ ତାହା ନିଶ୍ଚିତ କରିବେ। ଆମେ ଏହା ମଧ୍ୟ ଆଶା କରୁଛୁ ଯେ ଓଡିଶା ବିଜେପି ମଧ୍ୟ ତାହାର ନିରବତାକୁ ଭାଙ୍ଗୁ ଏବଂ ଏଭଳି ପ୍ରସଙ୍ଗ ପାଇଁ କହୁ ଯାହାକି ଓଡିଶାର ୪.୫ କୋଟି ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଉଛି ଏବଂ ବିଶେଷ କରି ଲକ୍ଷ ଲକ୍ଷ ମା’ ଓ ଭଉଣୀ ଓ ସେମାନଙ୍କ ରୋଷେଇ ଘର ଉପରେ ଗୁରୁତର ପ୍ରଭାବ ପକାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Categories
ବିଶେଷ ଖବର

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି କେନ୍ଦ୍ରର ଇଚ୍ଛାରେ ହେବନି ନିର୍ବାଚନ ଆୟୋଗରେ ନିଯୁକ୍ତି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କାର୍ଯ୍ୟରେ ଅଧିକ ବିଶ୍ୱସନୀୟତା ଆଣିବାକୁ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅଦାଲତ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଉ କେନ୍ଦ୍ର ସରକାର ସିଧାସଳଖ କରିବେ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ତଥା ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଏକ କମିଟି ଦ୍ୱାରା ସୁପାରିଶ କରାଯିବ। ଯଦି ଲୋକସଭାରେ ବିରୋଧୀଦଳର ନେତା ପଦ ଖାଲି ହୁଏ, ତେବେ ସର୍ବ ବୃହତ ବିରୋଧୀ ଦଳର ନେତା ଏହି କମିଟିର ସଦସ୍ୟ ହେବେ। ରାଷ୍ଟ୍ରପତି ଏହି କମିଟି ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତ କରିବେ। ସଂସଦ ଦ୍ୱାରା ଏ ବାବଦରେ ଏକ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କହିଛନ୍ତି ଯେ, ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ସେତେବେଳେ ଏହା ହୋଇପାରିବ, ଯେତେବେଳେ ସେମାନେ ନିର୍ବାଚନ ଆୟୋଗର କାର୍ଯ୍ୟକୁ ବିଶ୍ୱସନୀୟ ମନେ କରନ୍ତି। ଏହି ବେଞ୍ଚର ଅବଶିଷ୍ଟ ୪ ଜଣ ସଦସ୍ୟ ଥିଲେ ଜଷ୍ଟିସ୍ ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ଋଷିକେଶ ରାୟ ଏବଂ ସିଟି ରବିକୁମାର। ଏପରିକି ମାମଲାର ଶୁଣାଣି ସମୟରେ ମଧ୍ୟ ସୁପ୍ରିମକୋର୍ଟ ସରକାରଙ୍କ ଦ୍ୱାରା ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ଭୁଲ ବୋଲି କହିଥିଲେ। କୋର୍ଟ କହିଛନ୍ତି ଯେ, ଏଭଳି ବ୍ୟକ୍ତି ମୁଖ୍ୟ ନିର୍ବାଚନ କମିଶନର ପଦରେ ବସିବା ଉଚିତ୍, ଯଦି ଆବଶ୍ୟକ ହୁଏ ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍କୋଚ କରିବେ ନାହିଁ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରଙ୍କ ବଡ ବିଜୟ, ଅଗ୍ନିପଥ ଯୋଜନା ବିରୋଧରେ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅଗ୍ନିପଥ ନିଯୁକ୍ତି ଯୋଜନା ମାମଲାରେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାର ଏକ ବଡ଼ ବିଜୟ ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବୈଧ ବୋଲି କୋର୍ଟ ଘୋଷଣା କରିଛନ୍ତି। ଏହା ସହ ଅଗ୍ନିପଥ ଯୋଜନାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକ ଖାରଜ ହୋଇଯାଇଛି। ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ନିଜର ରାୟ ଦେଇଛନ୍ତି। ଏହାପୂର୍ବରୁ ଗତ ବର୍ଷ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଶୁଣାଣି ସମୟରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାକୁ ସମର୍ଥନ କରିଥିଲେ। ସଶସ୍ତ୍ର ବାହିନୀରେ ଯୁବକ ନିଯୁକ୍ତି ପାଇଁ ଗତ ବର୍ଷ ଜୁନ୍ ୧୪ ତାରିଖରେ ଅଗ୍ନିପଥ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାର ନିୟମ ଅନୁଯାୟୀ, ୧୭ ବର୍ଷ​​ରୁ ୨୧ ବର୍ଷ ବୟସର ଲୋକମାନେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି ଏବଂ ସେମାନଙ୍କୁ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ଅଧୀନରେ ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ନିୟମିତ ହେବ।

ଅଗ୍ନିପଥ ଆରମ୍ଭ ହେବା ପରେ ଅନେକ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରାଯାଇଥିଲା। ପରେ, ସରକାର ୨୦୨୨ ମସିହାରେ ନିଯୁକ୍ତି ପାଇଁ ବୟସ ସୀମାକୁ ବୃଦ୍ଧି କରି ୨୩ ବର୍ଷ କରିଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ସମେତ ଅନେକ ହାଇକୋର୍ଟରେ ଆବେଦନ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକୁ ଦିଲ୍ଲୀ ହାଇକୋର୍ଟକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ବର୍ତ୍ତମାନ ୬ ବର୍ଷ ପୂର୍ବରୁ ବିଦ୍ୟାଳୟରେ ନାମ ଲେଖିପାରିବନି ଶିଶୁ, ନିୟମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂତନ ଶିକ୍ଷା ନୀତି ଅନୁଯାୟୀ ଦେଶର ଶିକ୍ଷା ନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରମୁଖ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଗୋଟିଏ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି ଯେ, ବର୍ତ୍ତମାନ କୌଣସି ଶିଶୁଙ୍କୁ ୬ ବର୍ଷ ବୟସ ପୂର୍ବରୁ ଶ୍ରେଣୀରେ ପ୍ରବେଶ କରାଯିବ ନାହିଁ। ଏହା ଏକ ବଡ ପରିବର୍ତ୍ତନ। ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ପିଲାମାନଙ୍କର ଆରମ୍ଭର ୫ ବର୍ଷ ବୟସ ହେଉଛି ସେମାନଙ୍କର ଶିଖିବା ଏବଂ ମୌଳିକ ପର୍ଯ୍ୟାୟ।

ଗତ ବର୍ଷ ମାର୍ଚ୍ଚରେ ଏକ ପ୍ରଶ୍ନ ଉପରେ ଲୋକସଭାରେ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ପ୍ରଥମ ଶ୍ରେଣୀରେ ଆଡମିଶନ ବୟସ ଭିନ୍ନ ଅଟେ। ସେହି ସମୟ ମଧ୍ୟରେ କୁହାଯାଇଥିଲା ଯେ, ଦେଶର ୧୪ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଅଛି, ଯେଉଁଠାରେ ପିଲାମାନଙ୍କୁ ୬ ବର୍ଷ ବୟସ ପୂର୍ବରୁ ପ୍ରଥମ ଶ୍ରେଣୀରେ ଆଡମିଶନ କରିବାକୁ ଅନୁମତି ଦିଆଯାଇଥିଲା। ଗୁଜୁରାଟ, ତେଲେଙ୍ଗାନା, ଲଦାଖ, ଆସାମ ଏବଂ ପୁଡୁଚେରୀ ହେଉଛି ଏଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଯେଉଁଠାରେ ୫ ବର୍ଷର ପିଲାମାନେ ମଧ୍ୟ ପ୍ରଥମ ଶ୍ରେଣୀରେ ଭର୍ତ୍ତି ହୋଇଥିଲେ।

ଲୋକସଭାରେ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ରାଜସ୍ଥାନ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଗୋଆ, ଝାଡଖଣ୍ଡ ଏବଂ କେରଳ ଭଳି ରାଜ୍ୟରେ ପିଲାମାନଙ୍କର ସର୍ବନିମ୍ନ ବୟସ ୫ ବର୍ଷରୁ ଅଧିକ ହେବା ଆବଶ୍ୟକ।
ନିକଟରେ ଲଞ୍ଚ ହୋଇଥିବା ମ୍ୟାଜିକ୍ ବାକ୍ସ |

ନୂତନ ଶିକ୍ଷା ନୀତି ଅଧୀନରେ ବିଭିନ୍ନ ପରିବର୍ତ୍ତନ ଏବଂ ନୂତନ କାର୍ଯ୍ୟ କରାଯାଉଛି। ଏହି କ୍ରମରେ, ବର୍ତ୍ତମାନ ପିଲାମାନଙ୍କ ପାଇଁ ଏକ ନୂତନ ଅଧ୍ୟୟନ ସାମଗ୍ରୀ ପ୍ରକାଶ ପାଇଛି। ଯାହାର ନାମ ଥିଲା ‘ମ୍ୟାଜିକ୍ ବାକ୍ସ’। ଏହି ‘ମ୍ୟାଜିକ୍ ବାକ୍ସ’ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ତଥାପି, ବର୍ତ୍ତମାନ ‘ମ୍ୟାଜିକ୍ ବକ୍ସ’ ଫାଉଣ୍ଡେସନ୍ ସ୍ତରର ପିଲାମାନଙ୍କ ପାଇଁ। ଏହି ଯାଦୁକରୀ ବାକ୍ସ ପ୍ରାଥମିକ ସ୍ତରର ପିଲାମାନଙ୍କ ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ପ୍ରବୃତ୍ତି ବୃଦ୍ଧି କରିବାରେ ସହାୟକ ହେବ। ଏହି ବାକ୍ସରେ ପିଲାମାନଙ୍କ ପାଇଁ ଖେଳନା, ମାତୃଭାଷାରେ କୌତୁହଳପୂର୍ଣ୍ଣ କାହାଣୀ ଉପଲବ୍ଧ ହେବ। ଏହା ବ୍ୟତୀତ କ୍ରୀଡ଼ା, ପେଣ୍ଟିଂ, ନୃତ୍ୟ ଏବଂ ସଙ୍ଗୀତ ଉପରେ ଆଧାରିତ ଶିକ୍ଷା ମଧ୍ୟ ଯାଦୁ ବାକ୍ସରେ ଅନ୍ତର୍ଭୁକ୍ତ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଝୋଟ ବସ୍ତାରେ ହେବ ଖାଦ୍ୟ ଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ

ନୂଆଦିଲ୍ଲୀ: ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ, ଗହମ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ମାନଦଣ୍ଡକୁ ମଞ୍ଜୁର କରିଛନ୍ତି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବାଧ୍ୟତାମୂଳକ ମାନଦଣ୍ଡ ଖାଦ୍ୟଶସ୍ୟର ପ୍ୟାକେଜିଂ ଲାଗି ସମ୍ପୂର୍ଣ୍ଣ ସଂରକ୍ଷଣ ପ୍ରଦାନ କରିଥାଏ। ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ଲାଗି ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି । ଯାହାକି ଓଡ଼ିଶା, ପଶ୍ଚିମବଙ୍ଗ ଭଳି ଝୋଟ ଉତ୍ପାଦନକାରୀ ରାଷ୍ଟ୍ର ପାଇଁ ଏକ ବଡ଼ ପ୍ରୋତ୍ସାହନ ସାବ୍ୟସ୍ତ ହେବ।

ଝୋଟ ଉଦ୍ୟୋଗ ଭାରତର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ବିଶେଷ କରି ପଶ୍ଚିମବଙ୍ଗରେ ୭୫ଟି ଝୋଟ କଳ ଚାଲିଥାଏ। ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ଅର୍ଜନ କରିଥାନ୍ତି। ଏବେ ସରକାର ନେଇଥିବା ନିଷ୍ପତ୍ତି ଝୋଟ କ୍ଷେତ୍ରରେ ନିୟୋଜିତ ପ୍ରାୟ ୪୦ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା କରିବ। ଏହାଦ୍ବାରା ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଝୋଟ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ।

ଝୋଟ ପ୍ୟାକେଜିଂ ସାମଗ୍ରୀ-ଜେପିଏମ ଆଇନ ଅଧୀନରେ ସଂରକ୍ଷଣ ମାନଦଣ୍ଡ ୩.୭୦ ଲକ୍ଷ ଶ୍ରମିକଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିବା ସହିତ ୪୦ ଲକ୍ଷ ଚାଷୀ ପରିବାରଙ୍କ ହିତ ରକ୍ଷା କରିଥାଏ। ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ସାମଗ୍ରୀ ଉତ୍ପାଦନରେ ଲାଗିଥିବା ଲୋକମାନଙ୍କର ସ୍ବାର୍ଥ ରକ୍ଷା କରିଥାଏ। ଝୋଟ ଉଦ୍ୟୋଗରେ ମୋଟ ଉତ୍ପାଦନର ୭୫ ପ୍ରତିଶତ ଝୋଟ ବସ୍ତା ହୋଇଥାଏ। ଏଥିମଧ୍ୟରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓ ରାଜ୍ୟ କ୍ରୟ ଏଜେନ୍ସି (ଏସପିଏଏସ)କୁ ୮୫ ପ୍ରତିଶତ ଯୋଗାଣ କରାଯାଇଥାଏ। ଅବଶିଷ୍ଟକୁ ସିଧାସଳଖ ରପ୍ତାନି କରାଯାଇଥାଏ କିମ୍ବା ବିକ୍ରି କରାଯାଏ।

ସରକାର ପ୍ରତ୍ୟେକ ବର୍ଷ ଖାଦ୍ୟଶସ୍ୟ ପ୍ୟାକେଜିଂ ନିମନ୍ତେ ପ୍ରାୟ ୯,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି। ଏହାଦ୍ବାରା ଝୋଟ ଚାଷୀ, ଶ୍ରମିକମାନଙ୍କ ଉତ୍ପାଦ ବିକ୍ରି ଲାଗି ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ ।

ହାରାହାରୀ ୩୦ ଲକ୍ଷ ବେଲ୍‌ (୯ଲକ୍ଷ ମେଟ୍ରିକ ଟନ) ଝୋଟ ବସ୍ତା ଉତ୍ପାଦନ ହେଉଥିବା ବେଳେ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ଉଦ୍ୟୋଗରେ ନିୟୋଜିତ ଲୋକମାନଙ୍କ ହିତ ରକ୍ଷା ନିମନ୍ତେ ସରକାର ସବୁ ଝୋଟ ବସ୍ତା କିଣିବାକୁ ସଂକଳ୍ପବଦ୍ଧ ଅଛନ୍ତି।

ଏବେ ସଂରକ୍ଷଣ ମାନଦଣ୍ଡ ଭାରତର କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବ, ଯାହାଫଳରେ ଦେଶ ଆତ୍ମନିର୍ଭର ଭାରତର ପରିକଳ୍ପନା ଅନୁରୂପ ସ୍ବାବଲମ୍ବୀ ହୋଇପାରିବ। ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇପାରିବ କାରଣ ଝୋଟ ଏକ ପ୍ରାକୃତିକ, ଜୈବ-କ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ଏହା ସମସ୍ତ ଦୀର୍ଘସ୍ଥାୟିତ୍ବ ମାପଦଣ୍ଡକୁ ପୂରଣ କରିଥାଏ।