Categories
ଆଜିର ଖବର

ଜୁନ ୧ ରୁ ଚିନି ରପ୍ତାନିକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଘରୋଇ ଉପଲବ୍ଧତାକୁ ବଜାୟ ରଖିବା ଏବଂ ମୂଲ୍ୟ ସ୍ଥିରତା ରକ୍ଷା ନିମନ୍ତେ ୨୦୨୧-୨୨ (ଅକ୍ଟୋବର – ସେପ୍ଟେମ୍ବର) ଅବଧିରେ ସରକାର ୧୦୦ ଏଲଏମଟି ପର୍ଯ୍ୟନ୍ତ ଚିନି ବିଦେଶକୁ ରପ୍ତାନି କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସଂପର୍କରେ ଡିଜିଏଫଟି ପକ୍ଷରୁ ଜାରି ଆଦେଶନାମା ଅନୁସାରେ ଏହି ନିଷ୍ପତ୍ତି ଜୁନ ୧, ୨୦୨୨ ତାରିଖ ଠାରୁ ଅକ୍ଟୋବର ୩୧, ୨୦୨୨ ତାରିଖ କିମ୍ବା ତତ୍‌ ପରବର୍ତ୍ତୀ ଆଦେଶ ଯେଉଁଟି ପୂର୍ବରୁ ହେଉଥିବ, ସେପର୍ଯ୍ୟନ୍ତ ବଳବତ୍ତର ରହିବ। ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଅଧୀନସ୍ଥ ଚିନି ନିର୍ଦ୍ଦେଶାଳୟଙ୍କ ଠାରୁ ନିର୍ଦ୍ଦିଷ୍ଟ ଅନୁମତି ସହ ଚିନି ରପ୍ତାନି ପାଇଁ ଅନୁମତି ମିଳିପାରିବ। ବିଦେଶକୁ ରେକର୍ଡ଼ ପରିମାଣର ଚିନି ରପ୍ତାନି ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୧୭- ୧୮, ୨୦୧୮- ୧୯, ଏବଂ ୨୦୧୯- ୨୦ ଚିନି ଉତ୍ପାଦନ ବର୍ଷରେ ଯଥାକ୍ରମେ ପ୍ରାୟ ୬.୨ ଏଲଏମଟି, ୩୮ ଏଲଏମଟି, ଏବଂ ୫୯.୬୦ ଏଲଏମଟି ଚିନି ବିଦେଶକୁ ରପ୍ତାନି କରାଯାଇଥିଲା। ୨୦୨୦- ୨୧ ଚିନି ଉତ୍ପାଦନ ବର୍ଷରେ ୬୦ଏଲଏମଟି ଚିନି ରପ୍ତାନି କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୭୦ ଏଲଏମଟି ଚିନି ରପ୍ତାନି କରାଯାଇସାରିଛି। ଚଳିତ ୨୦୨୧- ୨୨ ଚିନି ଉତ୍ପାଦନ ବର୍ଷରେ ୯୦ ଏଲଏମଟି ଚିନି ରପ୍ତାନି କରାଯିବା ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇସାରିଛି ଏବଂ ସେଥି ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୮୨ ଏଲଏମଟି ଚିନିକଳମାନଙ୍କରୁ ପଠାଯାଇସାରିଛି ଏବଂ ସେଥିରୁ ୭୮ ଏଲଏମଟି ଚିନି ବିଦେଶକୁ ପଠାଯାଇସାରିଛି। ଚଳିତ ୨୦୨୧- ୨୨ର ଚିନି ଉତ୍ପାଦନ ଋତୁରେ ଚିନି ରପ୍ତାନି ଐତିହାସିକ ଭାବେ ସର୍ବାଧିକ ସ୍ତର ଛୁଇଁଛି।

ସରକାର ଏବେ ଗ୍ରହଣ କରିଥିବା ନିଷ୍ପତ୍ତି ଚଳିତ ଚିନି ଋତୁ (ସେପ୍ଟେମ୍ବର ୩୦,୨୦୨୨) ଶେଷ ସୁଦ୍ଧା ଷ୍ଟକ୍‌ କ୍ଲୋଜିଂକୁ ସୁନିଶ୍ଚିତ କରିବ ଯାହାକି ୬୦- ୬୫ ଏଲଏମଟି ଏବଂ ତାହା ହେଉଛି ୨- ୩ ମାସର ଷ୍ଟକ୍‌ (ଏହି ମାସମାନଙ୍କରେ ମାସିକ ଆବଶ୍ୟକତା ୨୪ ଏଲଏମଟି ପାଖାପାଖି ହୋଇଥାଏ) ଘରୋଇ ଅବଶ୍ୟକତା ପୂରଣ ପାଇଁ ଉଦ୍ଦିଷ୍ଟ। କର୍ଣ୍ଣାଟକରେ ନୂତନ ଚିନି ଋତୁରେ ଆଖୁପେଡ଼ା କାମ  ଅକ୍ଟୋବର ବାସ ଶେଷ ସପ୍ତାହରେ ଆରମ୍ଭ ହୋଇଥାଏ ଏବଂ ମହାରାଷ୍ଟ୍ରରେ ତାହା ଅକ୍ଟୋବର ଶେଷ ସପ୍ତାହ ଠାରୁ ନଭେମ୍ବର ମଧ୍ୟରେ ହୋଇଥିବାବେଳେ ଉତ୍ତର ପ୍ରଦେଶରେ ତାହା ନଭେମ୍ବର ମାସରେ କରାଯାଇଥାଏ। ତେଣୁ ସାଧାରଣତଃ, ନଭେମ୍ବର ମାସ ପର୍ଯ୍ୟନ୍ତ ଗତବର୍ଷର ଷ୍ଟକ୍‌ରୁ ହିଁ ଚିନି ଯୋଗାଣ କରାଯାଇଥାଏ।

ବିଦେଶକୁ ଚିନିର ଏଭଳି ମାତ୍ରାତିରିକ୍ତ ରପ୍ତାନି ବୃଦ୍ଧିକୁ ବିଚାର କରି ଏବଂ ଦେଶର ଘରୋଇ ଚିନି ଚାହିଦା ପୂରଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଚିନି ଷ୍ଟକ୍‌ ରଖିବା ସକାଶେ ତଥା ଦେଶର ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ସରକାର ଚିନି ମୂଲ୍ୟକୁ ନିୟନ୍ତ୍ରିତ ରଖିଛନ୍ତି। ଭାରତ ସରକାର ଏହି ମର୍ମରେ ଜୁନ ୦୧, ୨୦୨୨ ତାରିଖ ଠାରୁ ବିଦେଶକୁ ଚିନି ରପ୍ତାନି ଉପରେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବାକୁ ସ୍ଥିର କରିଛନ୍ତି। ବିଦେଶକୁ ଚିନି ରପ୍ତାନି କରିବା ସକାଶେ ଏହି ଅବଧି ମଧ୍ୟରେ ଚିିନିକଳମାନଙ୍କୁ ଏବଂ ରପ୍ତାନୀକାରୀମାନଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଅଧୀନସ୍ଥ ଚିନି ନିର୍ଦ୍ଦେଶାଳୟ ଠାରୁ ରପ୍ତାନି ରିଲିଜ୍‌ ଅର୍ଡର (ଓଆରଓ) ପାପ୍ତ ହେବାକୁ ପଡ଼ିବ।

ସରକାର ଚିନି କ୍ଷେତ୍ରର ସ୍ଥିତି ଯେଉଁଥିରେ ଚିନି ଉତ୍ପାଦନ, ବ୍ୟବହାର, ରପ୍ତାନି ତଥା ମୂଲ୍ୟ ଧାରା ଏବଂ ପାଇକାରୀ ତଥା ଘରୋଇ ବଜାରକୁ ନିୟମିତ ଭାବେ ମନିଟର କରିଆସୁଛନ୍ତି। ଚଳିତ ବର୍ଷ ଭାରତ ବିଶ୍ୱର ସର୍ବବୃହତ୍‌ ଚିନି ଉତ୍ପାଦନକାରୀ ତଥା ଦ୍ୱିତୀୟ ବୃହତ୍ତମ ରପ୍ତାନୀକାରୀ ରାଷ୍ଟ୍ରର ମାନ୍ୟତା ହାସଲ କରିଛି। ଭାରତ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଫଳରେ, ରେକର୍ଡ଼ ପରିମାଣର ଚିନି ଉତ୍ପାଦନ ସତ୍ତ୍ୱେ,  ଗତ ୨୦୨୦- ୨୧ ଚିନି ବର୍ଷରେ ୯୯.୫% ଆଖୁ ମୂଲ୍ୟ ଚାଷୀମାନଙ୍କୁ ଦିଆସରିଛି ଏବଂ ଚଳିତ ଚିନି ଋତୁ , ୨୦୨୧-୨୨ରେ ଏବେସୁଦ୍ଧା ୮୫% ଆଖୁ ମୂଲ୍ୟ ଚାଷୀମାନଙ୍କୁ ମଂଜୁର କରାଯାଇସାରିଛି। ଭାରତ ସରକାର ଘରୋଇ ବଜାରରେ ଚିନି ମୂଲ୍ୟକୁ ସ୍ଥିର ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏବଂ ଗତ ୧୨ ମାସ ମଧ୍ୟରେ ଚିନି ମୂଲ୍ୟ ନିୟନ୍ତ୍ରଣାଧୀନ ରହିଛି। ଭାରତରେ ଚିନିର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୫୦ ଟଙ୍କାରୁ ୩୫୦୦ ଟଙ୍କା ମଧ୍ୟରେ ରହିଛି ଯଦ୍ୟପି ଖାଉଟି ମୂଲ୍ୟ ନିୟନ୍ତ୍ରଣାଧୀନ ରହିବା ସହିତ ତାହା ଦେଶର ବିଭିନ୍ନ ଭାଗରେ କିଲୋପିଛା ୩୬-୪୪ ଟଙ୍କା ମଧ୍ୟରେ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କଞ୍ଚା ଝୋଟ ଉପରେ ଥିବା ମୂଲ୍ୟ କଟକଣା ଉଠାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଝୋଟଜାତ ସାମଗ୍ରୀ ଉତ୍ପାଦନକାରୀ ଉଦ୍ୟୋଗର ମୋଟ କାରବାରର ରପ୍ତାନୀ ଭାଗ ୩୦% କଞ୍ଚା ଝୋଟର ବଜାର ଚାହିଦା ଓ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ଏହା ଉପରେ ଥିବା ମୂଲ୍ୟ କଟକଣାକୁ ଚଳିତମାସ ୨୦ତାରିଖରୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅତଏବ ଏହି ବ୍ୟବସ୍ଥା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ।

କଞ୍ଚା ଝୋଟ ବ୍ୟବହାରକାରୀ ବିଭିନ୍ନ ମିଲ୍ ଓ ସଂସ୍ଥାଙ୍କ ପାଇଁ ସରକାରର ୨୦୨୧ ସେପ୍ଟେମ୍ବର ୩୦ତାରିଖରୁ ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏଥିରେ ଟିଡିଏସ୍ ୫ଗ୍ରେଡର କଞ୍ଚା ଝୋଟର କୁଇଣ୍ଟାଲ ପିଛା ମୂଲ୍ୟ ୬୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା।
ଝୋଟ କମିଶନର ଦପ୍ତର ପକ୍ଷରୁ ଦେଶରେ ଝୋଟର ମୂଲ୍ୟ ସମ୍ପର୍କରେ ଉଭୟ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟରୁ ଜଣାପଡିଲା ଯେ ବର୍ତ୍ତମାନ ଯେଉଁ ମୂଲ୍ୟରେ ଝୋଟ ବିକ୍ରି ହେଉଛି ତାହା ସରକାରୀ ଧାର୍ଯ୍ୟ କରିଥିବା ମୂଲ୍ୟର ପ୍ରାୟ ପାଖାପାଖି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଝୋଟର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଉଠାଇ ନେଇଛନ୍ତି।

ଆଶା କରାଯାଉଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାଷୀ, ମିଲ୍ ଓ ଝୋଟ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଉପକୃତ ହେବେ। ଝୋଟ ଉଦ୍ୟୋଗରେ ସାତଲକ୍ଷରୁ ଅଧିକ ଲୋକ କାମ କରୁଥିବାବେଳେ ପ୍ରାୟ ୪୦ଲକ୍ଷ ଚାଷୀ ଝୋଟ ଚାଷ କରୁଛନ୍ତି। ଝୋଟର ମୂଲ୍ୟ ହ୍ରାସ ଫଳରେ ଝୋଟରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନୀ ବାଣିଜ୍ୟ ବଢିବ ବୋଲି ଆଶା କରାଯାଉଛି। ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଉଦ୍ୟୋଗର ମୋଟ କାରବାରର ପ୍ରାୟ ୩୦ ଶତାଂଶ ରପ୍ତାନୀ କରାଯାଇଥାଏ।

Categories
ବିଶେଷ ଖବର

ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦ ବିକ୍ରିର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ସରକାରଙ୍କର “ସ୍ୱଦେଶୀ” ଅଭିଯାନକୁ ଅଖିଳ ଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ ହସ୍ତ ନିର୍ମିତ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରାଯାଇଛି। ଗୃହ ବ୍ୟାପାର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ଦିନ ୧୦୭ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍‌) କ୍ୟାଂଟିନ୍ ଗୁଡିକରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିଛନ୍ତି ଏବଂ ଏହି ଅବସରରେ ସେ କହିଛନ୍ତି ଯେ, ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ କରିବେ।

“ଗାନ୍ଧୀଜୀଙ୍କ ନିମନ୍ତେ ଖଦି ସ୍ୱଦେଶୀର ପ୍ରତୀକ ଥିଲା ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା ନିମନ୍ତେ ଏକ ସାଧନ ମଧ୍ୟ ଅଟେ। ଖଦି ନିଜେ ହିଁ ଶୁଦ୍ଧତାର ଗ୍ୟାରେଂଟି ଦେଇଥାଏ। ମୁଁ ବହୁତ ଖୁସି ଯେ, ୧୦୭ ପାରା ମିଲିଟାରୀ କ୍ୟାଂଟିନ୍‌ରେ ଖଦି ଉତ୍ପାଦ ଗୁଡିକର ବିକ୍ରି ଆରମ୍ଭ ହୋଇ ଯାଇଛି ଏବଂ ବହୁତ ଶୀଘ୍ର ଖଦି ଉତ୍ପାଦ ଗୁଡିକୁ ସାରା ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକରେ ଉପଲବ୍ଧ କରାଯିବ” ବୋଲି ଆସାମର ତାମୁଲପୁରରେ ବିଏସ୍‌ଏଫ୍‌ର କେନ୍ଦ୍ରୀୟ କାର୍ଯ୍ୟଶାଳା ଏବଂ ଷ୍ଟୋର୍‌ର ଭିତି ପ୍ରସ୍ତର ସ୍ଥାପନ କରିବା ଅବସରରେ ଗୃହ ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସାକ୍‌ସେନା, ଗୃହ ସଚିବ ଅଜୟ କୁମାର ଭଲ୍ଲା ଏବଂ ବିଏସ୍‌ଏଫ୍ ଏବଂ ସିଆରପିଏଫ୍‌‌ର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ଶାହ ଦେଶରେ ସ୍ଥାୟୀ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ନିମନ୍ତେ କେଭିଆଇସିର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କେଭିଆଇସିର ପ୍ରମୁଖ ଯୋଜନା ଗୁଡିକ, ଯେମିତିକି ମହୁ ମିଶନ, କୁମ୍ଭାର ସଶକ୍ତିକରଣ ଯୋଜନା, ଚମଡା ଏବଂ ବଢ଼େଇ ସଶକ୍ତିକରଣ ଯୋଜନା ଗୁଡିକର ଆସାମର ବୋଡୋଲ୍ୟାଣ୍ଡରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବାର କ୍ଷମତା ରହିଛି। ସେ କହିଥିଲେ ଯେ, “ଯଦି କେଭିଆଇସି ଲୋକ ମାନଙ୍କୁ ନିଜର ସ୍ୱରୋଜଗାର କାର୍ଯ୍ୟକଳାପ ସହିତ ଜୋଡିବା ଆରମ୍ଭ କରି ଦିଏ, ଏହା ନିଶ୍ଚିତ ରୂପରେ ବୋଡୋଲ୍ୟାଣ୍ଡରେ ବେରୋଜଗାରୀ ସମସ୍ୟାକୁ ଶେଷ କରି ଦେବ ଏବଂ ଅସ୍ତଶସ୍ତ୍ର ତ୍ୟାଗ କରି ଦେଇଥିବା ବୋଡୋ ଯୁବକ ମାନଙ୍କୁ ରାଷ୍ଟ୍ରର ବିକାଶ ସହିତ ପୁଣି ଥରେ ଯୋଡି ଦେବ।” ଗୃହ ମନ୍ତ୍ରୀ ଏହି କଥା ଉପରେ ଗୁରୁତ୍ୱ ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, କେଭିଆଇସି ୨୦୨୧- ୨୨ରେ ୧.୧୫ ଲକ୍ଷ କୋଟି ଟଙ୍କା ପରିମାଣର ଐତିହାସିକ ବ୍ୟବସାୟ କରିଛି, ଯେଉଁଥିରେ ପ୍ରାୟ ୨୫୦ ପ୍ରତିଶତର ଅତ୍ୟଧିକ ଅଭିବୃଦ୍ଧି ହୋଇଛି।

ଏହା ପୂର୍ବରୁ, ସ୍ୱଦେଶୀ  ଧାରାକୁ ଆଗକୁ ବଢ଼େଇବା ନିମନ୍ତେ, ଗୃହ ମନ୍ତ୍ରୀ ସମସ୍ତ ସିଏପିଏଫ୍ କ୍ୟାଂଟିନ୍ ଗୁଡିକ ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ମାଧ୍ୟମରେ ଅଧିକରୁ ଅଧିକ “ସ୍ୱଦେଶୀ” ଉତ୍ପାଦ ବିକ୍ରି କରିବା ବାଧ୍ୟତାମୂଳକ କରି ଦେଇଥିଲେ। ଆରମ୍ଭରେ ଜାତୀୟ ପତାକା, ସୂତା ତିଆରି ତଉଳିଆ, ମହୁ, କଚିଘନି ସୋରିଷ ତେଲ, ଧୂପକାଠି, ଦଲିଆ, ପାପଡ, ଆଚାର, ଅଁଳା ଉତ୍ପାଦ ଇତ୍ୟାଦି ସହିତ ୩୨ ପ୍ରକାରର ଉତ୍ପାଦର ଯୋଗାଣ ଦିଲ୍ଲୀ ଏନ୍‌ସିଆର୍‌, ପଞ୍ଜାବ, ହରିୟାନା, ଗୁଜରାଟ, ଉତର ପ୍ରଦେଶ, ଆସାମ ଏବଂ ଅନ୍ୟ ରାଜ୍ୟ ଗୁଡିକରେ ରହିଥିବା କ୍ୟାଂଟିନ୍ ଗୁଡିକରେ ଉପଲବ୍ଧ କରାଯିବ।

ସୋରିଷ ତେଲ, କପାରେ ତିଆରି ଦରି, ଉଲ୍‌ରେ ପ୍ରସ୍ତୁତ କମ୍ବଳର ଯୋଗାଣ ନିମନ୍ତେ ପାରାମିଲିଟାରୀ ବଳ ସହିତ କେଭିଆଇସିର ଐତିହାସିକ ବୁଝାମଣା ପରେ ଏହାର ବିକାଶ ହୋଇଥିଲା। ଏବେ ପର୍ଯ୍ୟନ୍ତ କେଭିଆଇସି ବିଭିନ୍ନ ପାରା ମିଲିଟାରୀ ବଳକୁ ପ୍ରାୟ ୧୭ କୋଟି ଟଙ୍କାର ଉତ୍ପାଦ ସଫଳତାର ସହିତ ଯୋଗାଣ କରିଛି। ଯୋଗାଣରେ ୫.୫୦ କୋଟି ଟଙ୍କାର ୩ ଲକ୍ଷ କିଲୋଗ୍ରାମ୍ (୩୦୦୦ ମେଟ୍ରିକ୍ ଟନ୍‌) କଚି ଘନି ସୋରିଷ ତେଲ, ୧୧ କୋଟି ଟଙ୍କା ମୂଲ୍ୟର ୨.୧୦ ଲକ୍ଷ କପାର ଦରି, ୪୦ ଲକ୍ଷ ଟଙ୍କା ମୂଲ୍ୟର ଉଲ୍ ତିଆରି କମ୍ବଳ ସାମିଲ୍ ଅଟେ।

ବିଶେଷ ରୂପରେ, ପାରା ମିଲିଟାରୀ କ୍ୟାଂଟିନ୍ ଗୁଡିକ ଖଦି ଉତ୍ପାଦକୁ ବିକ୍ରି କରିବା ନିମନ୍ତେ ଏକ ବଡ ପ୍ଲାଟଫର୍ମ (ମଂଚ) ପ୍ରଦାନ କରିବେ ଏବଂ ଏହାର ସିଧାସଳଖ ପ୍ରଭାବ କେଭିଆଇସିର ଉତ୍ପାଦନ ଏବଂ ବିକ୍ରି ଉପରେ ପଡିବ। ପାରା ମିଲିଟାରୀ ବଳକୁ ଖଦି ଉତ୍ପାଦ ଗୁଡିକର ଏକ ବିସ୍ତୃତ ଶୃଙ୍ଖଳାର ଯୋଗାଣ କରିବା ନିମନ୍ତେ ବ୍ୟବସ୍ଥା ଉପରେ କାର୍ଯ୍ୟ କରାଯାଉଛି, ଯେଉଁଥିରେ ଖଦି କପଡା ଏବଂ ରେଡିମେଡ୍ ପୋଷାକ, ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖାଇବା ଯୋଗ୍ୟ ଏବଂ ହର୍ବାଲ୍ ଉତ୍ପାଦ ସାମିଲ୍ ହେବ।

Categories
ବିଶେଷ ଖବର ବ୍ୟବସାୟ

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍‌ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ।

ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ। ଭାରତୀୟ ମାନକ (ଆଇଏସ) ୧୪୧୭ ଏବଂ ପ୍ରଥମ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥା ଅଧୀନରେ ଏଏଚସି ପ୍ରତିଷ୍ଠା ହୋଇଥିବା ୩୨ଟି ନୂଆ ଜିଲ୍ଲାରେ ଯେପରି ଉଲ୍ଲେଖ କରାଯାଇଛି ସେହିପରି ଭାବେ ଦ୍ୱିତୀୟ ପର୍ଯ୍ୟାୟ ହଲମାର୍କିଂକୁ କାର୍ଯ୍ୟକାରୀ କରାଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in  ଜିଲ୍ଲାଗୁଡ଼ିକର ତାଲିକା ଦିଆଯାଇଛି।

ଏପ୍ରିଲ ୪, ୨୦୨୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

୨୩ ଜୁନ୍‌ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ବାରା ବାଧ୍ୟତାମୂଳକ ବିଆଇଏସ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଦୈନିକ ଏଚୟୁଆଇଡିରେ ୩ ଲକ୍ଷରୁ ଅଧିକ ସୁନା ଉପକରଣକୁ ହଲମାର୍କ କରାଯାଉଛି।

ସାଧାରଣ ଗ୍ରାହକ ଯେକୌଣସି ବିଆଇଏସ ମାନ୍ୟତା ପ୍ରାପ୍ତ ଏସେଇଂ ଏଣ୍ଡ ହଲମାର୍କିଂ ସେଣ୍ଟର (ଏଏଚସି)ରେ ସେମାନଙ୍କର ହଲମାର୍କ ହୋଇନଥିବା ସୁନା ଅଳଙ୍କାରର ଶୁଦ୍ଧତା ପରୀକ୍ଷା କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଅନୁମତି ଦେବା ଲାଗି ବିଆଇଏସ ଏକ ବ୍ୟବସ୍ଥା କରିଛି।

ଏଏଚସି ସାଧାରଣ ଗ୍ରାହକଙ୍କ ସୁନା ଅଳଙ୍କାରକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରିବ ଏବଂ ସେମାନଙ୍କୁ ଏକ ଟେଷ୍ଟ ରିପୋର୍ଟ ଦେବ। ଏହି ଟେଷ୍ଟ ରିପୋର୍ଟ ଗ୍ରାହକଙ୍କୁ ସେମାନଙ୍କ ଅଳଙ୍କାରର ଶୁଦ୍ଧତା ସମ୍ପର୍କରେ ସୁନିଶ୍ଚିତ କରିବ। ଫଳରେ ଗ୍ରାହକମାନେ ସେମାନଙ୍କ ପାଖରେ ପଡ଼ିରହିଥିବା ସୁନା ଅଳଙ୍କାରକୁ ବିକ୍ରି କରିବାକୁ ଚାହିଁଲେ ଏହି ସୁଦ୍ଧତା ପରୀକ୍ଷା ରିପୋର୍ଟ ସେମାନଙ୍କ ପାଇଁ ବେଶ ଉପଯୋଗୀ ହେବ।

୪ଟି ପର୍ଯ୍ୟନ୍ତ ସୁନା ଅଳଙ୍କାର ପାଇଁ ୨୦୦ ଟଙ୍କା ଶୁଳ୍କ ନିଆଯିବ। ୫ କିମ୍ବା ତା’ଠାରୁ ଅଧିକ ସଂଖ୍ୟକ ସୁନା ଅଳଙ୍କାର ଓ ସାମଗ୍ରୀ ପାଇଁ ଗୋଟିଏକୁ ୪୫ ଟଙ୍କା ଲେଖାଏଁ ନିଆଯିବ।

ବିଆଇଏସର ୱେବସାଇଟ୍‌ www.bis.gov.in.ହୋମ ପେଜରେ ଗ୍ରାହକଙ୍କ ସୁନା ଅଳଙ୍କାର ପରୀକ୍ଷା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଏବଂ ବିଆଇଏସ ମାନ୍ୟତାପ୍ରାପ୍ତ ଏଏଚସିଗୁଡ଼ିକର ତାଲିକା ଦିଆଯାଇଛି।

ଗ୍ରାହକଙ୍କ ଦ୍ବାରା କ୍ରୟ କରାଯାଇଥିବା ଏଚୟୁଆଇଡି ନମ୍ବର ବିଶିଷ୍ଟ ହଲମାର୍କ ସୁନା ଅଳଙ୍କାରର ପ୍ରାମାଣିକତା ଓ ଶୁଦ୍ଧତାକୁ ବିଆଇଏସ କେୟାର ଆପ୍‌ରେ ଥିବା ‘ଭେରିଫାଏ ଏଚୟୁଆଇଡି’କୁ ବ୍ୟବହାର କରି ମଧ୍ୟ ପରୀକ୍ଷା କରାଯାଇ ପାରିବ। ଏହି ଆପ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି।

Categories
ବିଶେଷ ଖବର

ପୁଣି ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର: ପାକିସ୍ତାନରୁ ହେଉଥିଲା ସଞ୍ଚାଳିତ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୬ ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସମ୍ବନ୍ଧୀୟ ମିଥ୍ୟା ଘଟଣାକୁ ପ୍ରଚାର ପ୍ରସାର କରୁଥିବା ଯୋଗୁଁ ଏହି ସବୁ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ୧୬ ଟି ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟରୁ ୧୦ ଟି ଭାରତୀୟ ଏବଂ ୬ ଟି ପାକିସ୍ଥାନରୁ କାର୍ଯ୍ୟ କରୁଥିଲା। ଆଇଟି ନିୟମ ୨୦୨୧ ଅନୁଯାୟୀ ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଭାରତ ସରକାର ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ଅବରୋଧ କରିଛନ୍ତି। ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକ ଜାତୀୟ ବିରୋଧୀ ଦୃଷ୍ଟିକୋଣ, ସାମ୍ପ୍ରଦାୟିକ ଘୃଣା ଏବଂ ଭାରତରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ଏହି ଚ୍ୟାନେଲଗୁଡିକରେ ୬୮ କୋଟିରୁ ଅଧିକ ସବସ୍କ୍ରାଇବର ଥିଲେ।

ଏହା ପୂର୍ବରୁ ଏପ୍ରିଲ୍ ୫ ତାରିଖରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୨୨ ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ପ୍ରଥମ ଥର ଥିଲା ଯେ, ଆଇଟି ନିୟମ ୨୦୨୧ ଅଧୀନରେ ପ୍ରଥମ ଥର ପାଇଁ ୧୮ ଟି ଭାରତୀୟ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ୍ କୁ ବ୍ୟାନ କରାଯାଇଥିଲା। ଏହି ସମୟରେ ପାକିସ୍ତାନର ୪ ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ମଧ୍ୟ ବନ୍ଦ କରାଯାଇଥିଲା। ଦର୍ଶକଙ୍କୁ ବିଭ୍ରାନ୍ତ କରିବା ପାଇଁ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଲୋଗୋ ଏବଂ ନକଲି ଥମ୍ବନେଲ ବ୍ୟବହାର କରିଥିଲେ। ଏହା ବ୍ୟତୀତ ୩ ଟି ଟ୍ୱିଟର ଆକାଉଣ୍ଟ, ୧ ଫେସବୁକ୍ ଆକାଉଣ୍ଟ ଏବଂ ଏକ ନ୍ୟୁଜ୍ ୱେବସାଇଟ୍ ମଧ୍ୟ ବ୍ଲକ୍ କରାଯାଇଥିଲା।

ଭାରତ ସରକାର କହିଥିଲେ ଯେ, ଏପ୍ରିଲ୍ ୫ ତାରିଖରେ, ଅବରୋଧିତ ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ମୋଟ ଦର୍ଶକଙ୍କ ସଂଖ୍ୟା ୨୬୦ କୋଟିରୁ ଅଧିକ ଥିଲେ। ଜାତୀୟ ନିରାପତ୍ତା, ଭାରତର ବୈଦେଶିକ ସମ୍ପର୍କ ତଥା ଜନ ଶୃଙ୍ଖଳା ଦୃଷ୍ଟିରୁ ସମ୍ବେଦନଶୀଳ ବିଷୟ ଉପରେ ସୋସିଆଲ ମିଡିଆରେ ମିଥ୍ୟା ଖବର ଏବଂ ସୁଚିନ୍ତିତ ପ୍ରଚାର ପ୍ରସାର ପାଇଁ ସେଗୁଡିକୁ ଅପବ୍ୟବହାର କରାଯାଉଥିଲା।

Categories
ବିଶେଷ ଖବର

ଏଣିକି ଟିଭି ଚ୍ୟାନେଲ ଉପରେ ହେବ କାର୍ଯ୍ୟାନୁଷ୍ଠାନ!, ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ କଭରେଜ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡ ସ୍ପିକର ଉପରେ ବିତର୍କ ପ୍ରଦର୍ଶନକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ଏହା ସହିତ, ନ୍ୟୁଜ୍ ଚ୍ୟାନେଲଗୁଡିକ ପାଇଁ ଗାଇଡଲାଇନ ଜାରି କରି, ସାମାଜିକ ବିରୋଧୀ, ଅସଂସଦୀୟ ତଥା ଉତ୍ତେଜକ ହେଡଲାଇନରୁ ଦୂରେଇ ରହିବାକୁ କୁହାଯାଇଛି। କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ ଆକ୍ଟ) ୧୯୯୫ ର ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରନ୍ତୁ ବୋଲି କେନ୍ଦ୍ର କହିଛି।

ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଏହି ନିର୍ଦ୍ଦେଶ ପାଳନ ନହୁଏ ତେବେ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ପରାମର୍ଶଦାତା ଦର୍ଶାଇଛନ୍ତି ଯେ, ଟେଲିଭିଜନ୍ ନେଟୱାର୍କ (ନିୟମାବଳୀ) ଅଧିନିୟମ, ୧୯୯୫ ର ଧାରା ୨୦ ଟିଭି ଚ୍ୟାନେଲ ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ କ୍ଷମତା ପ୍ରଦାନ କରିଥାଏ। ମାର୍ଗଦର୍ଶିକାରେ ଏହା ଉଲ୍ଲେଖ କରାଯାଇଛି ଯେ, ଯଦି କୌଣସି କାର୍ଯ୍ୟକ୍ରମ ନିର୍ଦ୍ଦେଶନାମା ପାଳନ ନକରନ୍ତି, ତା’ହେଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

lu6sm9q

ଜାହାଙ୍ଗୀରପୁରୀ ଘଟଣା ଏବଂ ବିଭିନ୍ନ ବିତର୍କ ଶୋ’କୁ ବିରୋଧ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଟିଭି ଚ୍ୟାନେଲକୁ ଏକ ପରାମର୍ଶଦାତା ଜାରି କରିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦୋହରାଇଛି ଯେ, ବିଭିନ୍ନ ସମୟରେ ଟିଭି ଚ୍ୟାନେଲଗୁଡିକରେ ସାମାଜିକ ପରିବେଶରେ ଯାଞ୍ଚ ହୋଇନଥିବା, ବିଭ୍ରାନ୍ତିକର, ସମ୍ବେଦନଶୀଳ ଏବଂ ଗ୍ରହଣୀୟ ଭାଷା ବ୍ୟବହାର କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଋଣ ପ୍ରଦାନ/ଇଥାନଲ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାର ସମୟସୀମା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇଥାନଲ ପ୍ରକଳ୍ପ ନିର୍ମାତାମାନଙ୍କୁ ଶୀଘ୍ର ନିଜର ପ୍ରକଳ୍ପ  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସୁବିଧା ସୁଯୋଗ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂତନ ନିଷ୍ପତ୍ତି ଅନୁସାରେ ସମ୍ପୃକ୍ତ ପ୍ରକଳ୍ପ ନିର୍ମାତାଙ୍କୁ ଋଣ ଯୋଗାଣ ସମୟସୀମାକୁ ୨୦୨୨ ସେପ୍ଟେମ୍ବର ୩୦ତାରିଖ ଯାଏ ବଢାଇ ଦିଆଯାଇଛି । ୨୦୧୮-୨୧ ବର୍ଷ ମଧ୍ୟରେ ପଞ୍ଜୀକୃତ ଏଭଳି ସମସ୍ତ ପ୍ରକଳ୍ପକୁ ଏହି ସୁବିଧା ମିଳିବ । ଏହାଫଳରେ ସେମାନେ ଧାର୍ଯ୍ୟ ସମୟରେ ପ୍ରକଳ୍ପ ନିର୍ମାଣ ଶେଷ କରିବା ସହିତ ସୁଧଛାଡର ସୁବିଧା ପାଇବେ ।

ପେଟ୍ରୋଲରେ ଇଥାନଲ ମିଶାଇବାକୁ ସରକାର ଯେଉଁ ଇବି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ସେଥିରେ ଦେଶରେ ଇଥାନଲ ଉତ୍ପାଦନ ଓ ଯୋଗାଣକୁ ଗୁରୁତ୍ୱପ୍ରଦାନ କରାଯାଇଛି । ବଳକା ଋତୁରେ ଦେଶର  ଚିନିକଳଗୁଡିକୁ ଅଧିକ ଇଥାନଲ ଉତ୍ପାଦନ ଉପରେ ସରକାର ବିଶେଷ ଜୋର ଦେଉଛନ୍ତି । ଏହାଛଡା ଚିନିକଳ ମାଲିକମାନେ ଇଥାନଲ ବିକ୍ରି କରି ଯେଉଁ ଅର୍ଥ ପାଇବେ ତାହାକୁ ଚାଷୀଙ୍କଠାରୁ ବାକିରେ କିଣିଥିବା ଆଖୁ ବାବଦରେ ଦେୟ ପ୍ରଦାନ କରିବାର ସୁବିଧା ପାଇବେ । ଏହା ଦ୍ୱାରା ମଧ୍ୟ ଚିନିକଳଗୁଡିକର ଆର୍ଥିକ ସ୍ୱଚ୍ଛଳତା ବଢିବ । ଏହା ବ୍ୟତୀତ ବିଭିନ୍ନ ଚିନିକଳ ଓ ଡିଷ୍ଟିଲାରୀକୁ ୨୦୧୮-୨୧ରେ ଏହି ଯୋଜନାରେ ନାନା ପ୍ରକାର ଯେଉଁ ସୁଧ ଛାଡ ସୁବିଧା ଭିନ୍ନଭିନ୍ନ ପ୍ରକାର ଋଣ ଉପରେ ଘୋଷଣା କରାଯାଇଥିଲା ତାହାର ଲାଭ ମଧ୍ୟ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ମିଳିବ ।

ଇଥାନଲ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ସରକାର ଋଣ ଉପରେ ବାର୍ଷିକ ୬ ଶତାଂଶ ସୁଧ ଛାଡ ସୁବିଧା ଦେଇଛନ୍ତି। ଏହାର ବିକଳ୍ପ ଭାବେ ବ୍ୟାଙ୍କରୁ ଋଣ ଆଣିଥିଲେ ସେ ବାବଦ ସୁଧର ୫୦ଶତାଂଶ ସରକାର ବହନ କରିବାର ବ୍ୟବସ୍ଥା ଅଛି । ଏହି ଦୁଇଟି ବିକଳ୍ପ ମଧ୍ୟରୁ ଯେଉଁଠି କମ୍ ପ୍ରକଳ୍ପ ନିର୍ମାତା କେବଳ ସେହି ସୁଯୋଗ ନେଇପାରିବେ । ଏହି ଯୋଜନାରେ ପ୍ରକଳ୍ପ ନିର୍ମାଣ ନିମନ୍ତେ ବ୍ୟାଙ୍କଗୁଡିକ ୫ବର୍ଷ ପାଇଁ ଋଣ ଯୋଗାଇ ଦେଉଛନ୍ତି । ଏଥିରେ ପ୍ରଥମ ବର୍ଷ ନିମନ୍ତେ ସୁଧ ଆଦାୟକୁ ସ୍ଥଗିତ ରଖିବାର ବ୍ୟବସ୍ଥା ରହିଛି ।

ଯୋଜନା ଅନୁସାରେ ଇଥାନଲ ପ୍ରକଳ୍ପ ପାଇଁ ଋଣ ଯୋଗାଣର ଶେଷ ତାରିଖ  ଏଥି ପୂର୍ବରୁ ୨୦୨୨ ମାର୍ଚ୍ଚ/ଏପ୍ରିଲ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଥିଲା । ତେବେ କୋଭିଡ ମହାମାରୀ ଭଳି କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ । ତେଣୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସବୁ ପ୍ରକଳ୍ପକୁ ଋଣ ଯୋଗାଣ ବ୍ୟାହତ ହୋଇଛି । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ନ କଲେ ଋଣ ମିଳିବା ସମ୍ଭବ ନୁହେଁ । ତେଣୁ ୨୦୧୫-୨୧ ଯୋଜନା ଅନୁସାରେ ଏସବୁ ପ୍ରକଳ୍ପର ନିର୍ମାଣକାଳ ଏବଂ ଏଥିପାଇଁ ଋଣ ଯୋଗାଣ ସମୟ ସୀମା ବୃଦ୍ଧି କରିବା ଆବଶ୍ୟକ ଥିଲା । ଏହା ଫଳରେ ସମ୍ପୃକ୍ତ ଉଦ୍ୟୋଗୀ ସୁଧଛାଡ ଯୋଜନାର ଲାଭ ପାଇପାରିବେ ।

୨୦୧୪ ପୂର୍ବର ଦେଶର ମୋଲାସେସ୍ ଭିତ୍ତିକ ଡିଷ୍ଟିଲାରୀ ଗୁଡିକରେ ଇଥାନଲ ପ୍ରସ୍ତୁତି କ୍ଷମତା ମାତ୍ର ୨୧୫ କୋଟି ଲିଟର ଥିଲା । ଏହାର ପରବର୍ତ୍ତୀ ସାତବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାର ପରିବର୍ତ୍ତିତ ନୀତି ଓ ପ୍ରୟାସ ଦ୍ୱାରା ଏହି କ୍ଷମତା ଦେଢଗୁଣ ବଢିଛି ଏବଂ ଏବେ  ଏହା ୫୫୫କୋଟି ଲିଟରରେ ପହଞ୍ଚିଛି । ଦେଶରେ ବିଭିନ୍ନ ପ୍ରକାର ଶସ୍ୟରୁ ଇଥାନଲ ପ୍ରସ୍ତୁତି କ୍ଷମତା ୨୦୧୩ରେ ଥିଲା ୨୦୬କୋଟି ଲିଟର । ଏବେ ଏହା ୨୮୦କୋଟି ଲିଟରରେ ପହଂଚିଛି । ଅତଏବ ଭାରତରେ ଏବେ ମୋଟ ଇଥାନଲ ଉତ୍ପାଦନ କ୍ଷମତା ୮୩୫ କୋଟି ଲିଟର ହୋଇଛି । ତେବେ ୨୦୨୫ ସୁଦ୍ଧା ଦେଶରେ ପେଟ୍ରୋଲରେ ୨୦% ଇଥାନଲ ମିଶାଇବାର ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ପୂରଣ କରିବା ପାଇଁ ଇଥାନଲ ଉତ୍ପାଦନ ପରିମାଣକୁ ୧୭୦୦କୋଟି ଲିଟରରେ ପହଞ୍ଚଇବାର ଆବଶ୍ୟକତା ରହିଛି  । ସରକାର ଏବେ ଇଥାନଲ ପ୍ରକଳ୍ପଗୁଡିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ସମୟସୀମା ବୃଦ୍ଧି କରିବା ଫଳରେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ଏବଂ ଏହାର ଉତ୍ପାଦନ ଦକ୍ଷତା ବଢିବ ।

୨୦୧୩ ଫେବୃୟାରୀ ପର୍ଯ୍ୟନ୍ତ ଓଏମ୍‌ସି ବା ତୈଳ ବିପଣନକାରୀ କମ୍ପାନୀଗୁଡିକୁ ମାତ୍ର ୩୮କୋଟି ଲିଟର ଇଥାନଲ ପେଟ୍ରୋଲରେ ମିଶାଇବାକୁ ଯୋଗାଇ ଦିଆଯାଇଥିଲା । ସେତେବେଳେ ଏହି ମିଶ୍ରଣର ହାର ଥିଲା ୧.୫୩%  । ୨୦୧୩-୧୪ରୁ ୨୦୨୦-୨୧ ମଧ୍ୟରେ ଓଏମ୍‌ସି ଗୁଡିକୁ ଇନ୍ଧନ ଉପଯୋଗୀ ଇଥାନଲ ଯୋଗାଣ ଆଠଗୁଣ ବଢିଛି  ଏବଂ ଏହାର ଉତ୍ପାଦନ ମଧ୍ୟ ସମାନ ପରିମାଣରେ ବୃଦ୍ଧି ପାଇଛି । ଏଥିରେ ଐତିହାସିକ ସଫଳତାଟି ହେଲା ୩୦୨.୩୦କୋଟି ଇଥାନଲତ୍ତଉତ୍ପାଦିତ ହୋଇ ତାହା ତୈଳ କମ୍ପାନୀମାନଙ୍କୁ ଯୋଗାଇ ଦିଆଯାଇଛି ଏବଂ ପେଟ୍ରୋଲରେ ଏହାର ମିଶ୍ରଣ ହାର ଏବେ ୮.୧୦ଶତାଂଶ । ୨୦୨୧-୨୨ ଆର୍ଥିକ ବର୍ଷେରେ ୨୦୨୨ ଏପ୍ରିଲ ୩ତାରିଖ ସୁଦ୍ଧା ୧୪୧କୋଟି ଲିଟର ଇଥାନଲ ମିଶାଯାଇଛି ଏବଂ ମିଶ୍ରଣର ହାର ୯.୬୬ ଶତାଂଶ ହୋଇଛି । ଆଶା କରାଯାଉଛି ଯେ ଚଳିତ ଇଥାନଲ ଯୋଗାଣ ବର୍ଷ (୨୦୨୧-୨୨)ରେ ଆମେ ୧୦ଶତାଶ ମିଶ୍ରଣ ବା ବ୍ଲେଡିଂ ଲକ୍ଷ୍ୟପୂରଣ କରିପାରିବୁ ।

କୃଷି ଅର୍ଥନୀତିକୁ ପ୍ରୋତ୍ସାହନ ଏବଂ ଜୀବାଶ୍ମ ଇନ୍ଧନର ଆମଦାନୀକୁ ହ୍ରାସ କରିବା ପାଇଁ ସରକାର ୨୦୨୨ ସୁଦ୍ଧା ୧୦ଶତାଂଶ ଇନ୍ଧନମାନର ଇଥାନଲ ପେଟ୍ରୋଲରେ ମିଶାଇବାକୁ ଲକ୍ଷ୍ୟ ରଖିବା ସହିତ ୨୦୨୫ ସୁଦ୍ଧା ଏହାକୁ  ୨୫ ଶତାଂଶକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ପେଟ୍ରୋଲିୟମ ଆମଦାନୀ ହ୍ରାସ ପାଇବା ସହିତ  ଦେଶର ବୈଦେଶିକ ବିନିମୟ ମୁଦ୍ରା ମହଜୁଦ ପରିମାଣ ବଢିବ ଏବଂ ପରିବେଶ ପ୍ରଦୂଷଣ ହ୍ରାସ ପାଇବ। (ପିଆଇବି)

Categories
ବିଶେଷ ଖବର

କେନ୍ଦ୍ର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ମିଥ୍ୟା ସୂଚନା ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ଚ୍ୟାନେଲ

ନୂଆଦିଲ୍ଲୀ: ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍‌ ସମାଚାର ଚ୍ୟାନେଲ, ୩ଟି ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ସମାଚାର ୱେବସାଇଟ୍‌କୁ ବ୍ଲକ୍‌ କରିବା ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଆଇଟି ନିୟମାବଳୀ ୨୦୨୧ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବ୍ଲକ୍‌ ହୋଇଥିବା ୟୁଟ୍ୟୁବ୍‌ ଚ୍ୟାନେଲକୁ ପାଖାପାଖି ୨୬୦ କୋଟି ଦର୍ଶକ ଦେଖିଥିଲେ। ଏଗୁଡ଼ିକୁ ମିଛ ଖବର ପ୍ରସାରଣ ପାଇଁ ଉପଯୋଗ କରାଯାଉଥିଲା। ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ଖବର ପ୍ରସାରଣ କରାଯାଇ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିଲା।

ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପ୍ରଥମ ଥର ପାଇଁ ଭାରତରୁ ପରିଚାଳିତ ୟୁଟ୍ୟୁବ ନ୍ୟୁଜ୍‌ (ସମାଚାର) ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ବର୍ଷ ପେବୃଆରୀରେ ଆଇଟି ନିୟମାବଳୀ, ୨୦୨୧ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆ ଆଦେଶରେ ଭାରତରୁ ପରିଚାଳିତ ହେଉଥିବା ୧୮ଟି ଏବଂ ପାକିସ୍ତାନରୁ ପରିଚାଳିତ ହେଉଥିବା ୪ଟି ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ଲକ୍‌ କରାଯାଇଛି।

ବିଷୟବସ୍ତୁର ବିଶ୍ଳେଷଣ

ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ଏସବୁ ୟୁଟ୍ୟୁବ ଚ୍ୟାନେଲରେ ମିଛ ଖବର ପ୍ରସାରିତ ହେଉଥିଲା। ପାକିସ୍ତାନରୁ ସଂଯୋଜିତ ଢଙ୍ଗରେ ପରିଚାଳିତ ହେଉଥିବା ଏକାଧିକ ସୋସିଆଲ ମିଡିଆଗୁଡ଼ିକରୁ ଭାରତ ବିରୋଧୀ ବିଷୟବସ୍ତୁ ପୋଷ୍ଟ କରାଯାଉଥିଲା ଯାହାକି ଏସବୁ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ହେଉଥିଲା। ଏହି କାରଣରୁ ଏସବୁ ଚ୍ୟାନେଲକୁ ବ୍ଲକ୍‌ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ୟୁକ୍ରେନ ପ୍ରସଙ୍ଗ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଭାରତରେ ପରିଚାଳିତ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକରେ ଅନେକ ମିଛ ବିଷୟବସ୍ତୁ ପ୍ରସାରଣ କରାଯାଉଥିବା ବିଶ୍ଳେଷଣରୁ ଜଣାପଡ଼ିଛି।

ଅପରାଧିକ ଉଦ୍ଦେଶ୍ୟ

ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ୍‌ ଚ୍ୟାନେଲଗୁଡ଼ିକ କେତେକ ଟିଭି ନ୍ୟୁଜ୍‌ ଚ୍ୟାନେଲର ନକଲି ଟେମ୍ପଲେଟ୍‌ ଏବଂ ଲୋଗୋ ବ୍ୟବହାର କରୁଥିଲେ। ଏପରିକି ମିଛ ଖବରକୁ ସତ ବୋଲି ପ୍ରମାଣିତ କରିବା ଲାଗି ନ୍ୟୁଜ୍‌ ଉପସ୍ଥାପକ (ଆଙ୍କର୍‌)ମାନଙ୍କର ଫଟୋ ମଧ୍ୟ ବ୍ୟବହାର କରୁଥିଲେ। ନକଲି ଥମ୍ବନେଲ ବ୍ୟବହାର କରିବା ସହିତ ଥମ୍ବନେଲ୍‌ ଓ ଟାଇଟଲକୁ ବାରମ୍ବାର ପରିବର୍ତ୍ତନ କରାଯାଇ ଏସବୁ ମିଛ ଖବରକୁ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ (ଭାଇରାଲ୍‌) କରିବା ପାଇଁ ଉଦ୍ୟମ କରାଯାଉଥିଲା। କେତେକ କ୍ଷେତ୍ରରେ, ଭାରତ-ବିରୋଧୀ ମିଛ ଖବରର ଉତ୍ସ ପାକିସ୍ତାନରୁ ହିଁ ସୃଷ୍ଟି ହେଉଥିବା ତଦନ୍ତରୁ ଜଣାପଡ଼ିଛି।

ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ଜାତୀୟ ସୁରକ୍ଷା, ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା, ସାର୍ବଜନୀନ ଆଇନ ଶୃଙ୍ଖଳା ବ୍ୟବସ୍ଥା ଆଦିକୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରୁଥିବା ୭୮ଟି ୟୁଟ୍ୟୁବ ନ୍ୟୁଜ୍‌ ଚ୍ୟାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍‌ କରାଯାଇଛି।

ପ୍ରାମାଣିକ, ବିଶ୍ବସନୀୟ ଏବଂ ନିରାପଦ ଅନଲାଇନ୍‌ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ । ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ବ, ଜାତୀୟ ସୁରକ୍ଷା, ବିଦେଶ ସମ୍ପର୍କ ଏବଂ ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା ପ୍ରତି  ବିପଦ ସୃଷ୍ଟି କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

‘ମୁକ୍ତ ବର୍ଗ’ ଅଧୀନରେ ହରଡ଼ ଓ ବିରି ଆମଦାନୀ ଅବଧି ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଘରୋଇ ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବଢ଼ାଇବା ଏବଂ ମୂଲ୍ୟ ସ୍ଥିର ରଖିବା ଲାଗି କେନ୍ଦ୍ର ସରକାର ଆଉ ଏକ ସକ୍ରିୟ ତଥା ତତ୍ପରତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍‌ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ‘ମୁକ୍ତ ବର୍ଗ’ରେ ହରଡ଼ ଏବଂ ବିରି ଡାଲି ଆମଦାନୀ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ଜାରି ହୋଇଛି।

ଏହି ନିଷ୍ପତ୍ତି ଫଳରେ ଆଗାମୀ ୨୦୨୨-୨୩ ଆର୍ଥିକ ବର୍ଷରେ ହରଡ଼ ଓ ବିରି ଡାଲିର ଆମଦାନୀ ନୀତି ପରିଚାଳନାକୁ ନେଇ ରହିଥିବା ଆକଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ମଧ୍ୟ ଏକ ସ୍ଥିର ନୀତିଗତ ବ୍ୟବସ୍ଥାର ସଙ୍କେତ ଦେଉଛି ଯାହାକି ସବୁ ଅଂଶୀଦାରମାନଙ୍କୁ ଲାଭାନ୍ବିତ କରିବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଘରୋଇ ବଜାରରେ ଏସବୁ ଡାଲିର ଉପଲବ୍ଧତା ବଢ଼ାଇବା ପାଇଁ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ ହେବ। ଯାହାଫଳରେ ସାଧାରଣ ଗ୍ରାହକମାନେ ସୁଲଭ ଦରରେ ଡାଲି ପାଇପାରିବେ।

ସୁଗମ ଏବଂ ବାଧାମୁକ୍ତ ଆମଦାନୀ ସୁନିଶ୍ଚିତ କରିବା ଲାଗି ସରକାର ‘ମୁକ୍ତ ବର୍ଗ’ରେ ହରଡ଼, ବିରି ଏବଂ ମୁଗ ଡାଲି ଆମଦାନୀକୁ ଅନୁମତି ଦେଇଥିଲେ। ଏହା ମେ ୧୫, ୨୦୨୧ ଠାରୁ ଅକ୍ଟୋବର ୩୧, ୨୦୨୧ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ଏହାପରେ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ମୁକ୍ତ ବର୍ଗ ଅଧୀନରେ ହରଡ଼ ଓ ବିରି ଡାଲି ଆମଦାନୀର ଅବଧି ସମ୍ପ୍ରସାରଣ କରାଯାଇଥିଲା। ଏହି ନୀତିଗତ ପଦକ୍ଷେପ ସହିତ ଏହାର କାର୍ଯ୍ୟକାରିତା ନିମନ୍ତେ ସୁବିଧାଜନକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏବଂ ସମ୍ପୃକ୍ତ ସମ୍ପୃକ୍ତ ବିଭାଗ/ସଂଗଠନ ପକ୍ଷରୁ ଗୁରୁତ୍ବର ସହ ଏହାକୁ ନିରୀକ୍ଷଣ କରାଯାଇଥିଲା।

ଉପଭୋକ୍ତା ବ୍ୟାପାର ବିଭାଗ (ଡିଓସିଏ)ର ସରକାରୀ ତଥ୍ୟ ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ୨୮.୦୩.୨୦୨୨ରେ ହରଡ଼ ଡାଲିର ହାରାହାରୀ ଖୁଚୁରା ଦର କିଲୋ ପ୍ରତି ୧୦୨ ଟଙ୍କା ୯୯ ପଇସା ରହିଥିଲା, ଯାହାକି ୨୮.୦୩.୨୦୨୧ରେ ରେକର୍ଡ ହୋଇଥିବା ପ୍ରତି କିଲୋଗ୍ରାମ ଖୁଚୁରା ଦର ୧୦୫ ଟଙ୍କା ୪୬ ପଇସା ଠାରୁ ୨.୪ ପ୍ରତିଶତ କମ୍‌। ଅନ୍ୟପକ୍ଷରେ ସର୍ବଭାରତୀୟ ସ୍ତରରେ ୨୮.୦୩.୨୦୨୨ରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ବିରି ଡାଲିର ହାରାହାରୀ ଖୁଚୁରା ଦର କିଲୋ ପ୍ରତି ୧୦୪ ଟଙ୍କା ୩ ପଇସା ରହିଥିଲା, ଯାହାକି ୨୮.୦୩.୨୦୨୧ରେ ରେକର୍ଡ ହୋଇଥିବା ପ୍ରତି କିଲୋଗ୍ରାମ ଖୁଚୁରା ଦର ୧୦୮ ଟଙ୍କା ୨୨ ପଇସା ଠାରୁ ୩.୬୨ ପ୍ରତିଶତ କମ୍‌।

Categories
ବିଶେଷ ଖବର

ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ବୋଲି ଏହି ରାଜ୍ୟଗୁଡିକ ଘୋଷଣା କରିପାରିବେ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟମାନେ ଯେକୌଣସି ସମ୍ପ୍ରଦାୟ କିମ୍ବା ଭାଷାକୁ ନିଜସ୍ୱ ଅଧିକାରରେ ସଂଖ୍ୟାଲଘୁ ମାନ୍ୟତା ଦେଇପାରିବେ। ଏହା ସେମାନଙ୍କ ଅଧୀନରେ ଆସେ। ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଗଠନ ବିରୋଧରେ ଆବେଦନକୁ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଉତ୍ତର ରଖିଛନ୍ତି। ଏହି ଆବେଦନରେ ପ୍ରତ୍ୟେକ ରାଜ୍ୟରେ ଜନସଂଖ୍ୟା ଅନୁଯାୟୀ ସଂଖ୍ୟାଲଘୁ ସମ୍ପ୍ରଦାୟର ନିର୍ଣ୍ଣୟ ପାଇଁ ଦାବି ରହିଛି।

ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ୧୯୯୨ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଆଇନ ଏବଂ ୨୦୦୪ ର ଜାତୀୟ ସଂଖ୍ୟାଲଘୁ ଆୟୋଗ ଶିକ୍ଷା ପ୍ରତିଷ୍ଠାନ ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି ଯେ, ୯ ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଟନ୍ତି। ଲଦାଖରେ ହିନ୍ଦୁ ଜନସଂଖ୍ୟା ୧ ପ୍ରତିଶତ ଥିବା ବେଳେ ମିଜୋରାମରେ ୨.୭୫ ପ୍ରତିଶତ, ଲକ୍ଷଦ୍ୱୀପ ରେ ୨.୭୭ ପ୍ରତିଶତ, କାଶ୍ମୀରରେ ୪ ପ୍ରତିଶତ, ନାଗାଲାଣ୍ଡରେ ୮.୭୪ ପ୍ରତିଶତ, ମେଘାଳୟରେ ୧୧.୫୨ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୨୯.୨୪ ପ୍ରତିଶତ, ପଞ୍ଜାବରେ ୩୮.୪୯ ପ୍ରତିଶତ ଏବଂ ମଣିପୁରରେ ୪୧.୨୯ ପ୍ରତିଶତ ରହିଛି। କିନ୍ତୁ ତଥାପି ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ସେମାନଙ୍କୁ କୌଣସି ସୁବିଧା ମିଳିପାରୁ ନାହିଁ।

୨୦୦୨ ର ଟିଏମଏ ପଇ ବନାମ କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଆବେଦନ କରାଯାଇଥିଲା। ତା’ପରେ ସୁପ୍ରିମକୋର୍ଟ କହିଥିଲେ ଯେ, ସମ୍ବିଧାନର ଧାରା ୩୦ (୧) ଅନୁଯାୟୀ ସେମାନଙ୍କର ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ବିଦ୍ୟାଳୟ, କଲେଜ ଖୋଲିବାର ଅଧିକାର ଅଛି। ଉପାଧ୍ୟାୟ କହିଛନ୍ତି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରି ଦେଶରେ ଚର୍ଚ୍ଚ ଦ୍ୱାରା ପରିଚାଳିତ ବିଦ୍ୟାଳୟ କିମ୍ବା ମଦ୍ରାସା ଖୋଲନ୍ତି, ୯ ଟି ରାଜ୍ୟରେ ହିନ୍ଦୁମାନଙ୍କୁ ମଧ୍ୟ ଅନୁମତି ଦିଆଯିବା ଉଚିତ୍। ଏହି ବିଦ୍ୟାଳୟଗୁଡ଼ିକ ସରକାରୀ ସ୍ୱତନ୍ତ୍ର ସୁରକ୍ଷା ପାଇବା ଉଚିତ୍।

ଏହି ମାମଲାରେ ସୁପ୍ରିମକୋର୍ଟ ଅଗଷ୍ଟ ୨୮ ତାରିଖ ୨୦୨୦ରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ କୋର୍ଟ ଏହାର ଉତ୍ତର ଦାଖଲ କରିବାର ଶେଷ ସୁଯୋଗ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀ ୩୧ ତାରିଖରେ କେନ୍ଦ୍ର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରଣାଳୟର ଉତ୍ତର ଦାଖଲ କରିବାରେ ବିଳମ୍ବ କରିବା ଯୋଗୁଁ ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଏମଏମ ସୁନ୍ଦରେଶଙ୍କ ଏକ ବେଞ୍ଚ ୭ ହଜାର ୫୦୦ ଟଙ୍କା ସାଙ୍କେତିକ ଜରିମାନା ଲଗାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ସଂକ୍ରମଣ ହ୍ରାସ ପାଇବା ମଧ୍ୟରେ ସରକାରଙ୍କ ବଡ ନିଷ୍ପତ୍ତି, ମାର୍ଚ୍ଚ ୩୧ରୁ ହଟିବ ସମସ୍ତ କୋଭିଡ ପ୍ରତିବନ୍ଧକ

ନୂଆଦିଲ୍ଲୀ: କରୋନା ହ୍ରାସ ପାଉଥିବା ମାମଲା ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୩୧ ତାରିଖରୁ ସମସ୍ତ କୋଭିଡ ପ୍ରତିବନ୍ଧକ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତଥାପି, ଫେସ୍ ମାସ୍କର ନିୟମ ଏବଂ ସାମାଜିକ ଦୂରତା ଲାଗୁ ରହିବ।

ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନାଭାଇରସ୍ ମହାମାରୀର ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ହଜାର ୧ ହଜାର ୭୭୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧ ହଜାର ୫୮୧ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୩୦ ଲକ୍ଷ ୧୨ ହଜାର ୭୪୯ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତକାଲି ଦେଶରେ ୨ ହଜାର ୫୪୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୩ ହଜାର ୮୭ କୁ ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୭୩ ହଜାର ୫୭ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

Categories
ଆଜିର ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ୧୨ ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟିକା

ନୂଆଦିଲ୍ଲୀ: ୧୨ରୁ ୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ପିଲାମାନଙ୍କର କୋଭିଡ ୧୯ ଟିକାକରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବୈଜ୍ଞାନିକ ସଂସ୍ଥାମାନଙ୍କ ସହିତ ଆବଶ୍ୟକ ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୬ ମାର୍ଚ୍ଚ ୨୦୨୨ ଠାରୁ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ। ୧୨ ବର୍ଷ ବୟସ ଟପି ସାରିଥିବା ଅର୍ଥାତ୍ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଥିବା ପିଲାମାନଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ ୧୯ ଟିକା ପିଲାମାନଙ୍କୁ ଦିଆଯିବ।

ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଜାରି ରହିଥିବା କୋଭିଡ ୧୯ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ୧୪ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ କୋଭିଡ ୧୯ ଟିକା ଦିଆଯାଉଛି।

୬୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟାଙ୍କ ପାଇଁ କୋଭିଡ ୧୯ ବୁଷ୍ଟର ଡୋଜ୍ ଦିଆଯିବା ଲାଗି ପୂର୍ବବ୍ୟାଧି (କୋ-ମୋର୍ବଡିଟୀ) ସର୍ତ୍ତାବଳୀକୁ ଉଚ୍ଛେଦ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେଣୁ ୧୬ ମାର୍ଚ୍ଚ, ୨୦୨୨ ପରଠାରୁ, ୬୦ ବର୍ଷରୁ ଅଧିକ ବୟସ୍କ ସବୁ ଲୋକମାନେ କୋଭିଡ ୧୯ର ବୁଷ୍ଟର ଡୋଜ୍ ଟିକା ନେଇପାରିବେ।

Categories
ବିଶେଷ ଖବର ବ୍ୟବସାୟ

ଆପଣ ଜାଣିଛନ୍ତି କି, ଦେଶର ସବୁ ପେଟ୍ରୋଲ ପମ୍ପରେ ମାଗଣାରେ ମିଳୁଛି ଏହି ୬ ଟି ସୁବିଧା? ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଆଜିର ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଗାଡି ଅଛି। ଗାଡି ଚଲାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ପାଇବା ପାଇଁ ସେମାନଙ୍କୁ ପେଟ୍ରୋଲ ପମ୍ପକୁ ମଧ୍ୟ ଯିବାକୁ ପଡେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପେଟ୍ରୋଲ ପମ୍ପକୁ ଯାଉଥିବା ଲୋକଙ୍କୁ ପମ୍ପ ଅପରେଟରଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସୁବିଧା ଯୋଗାଇବା ବାଧ୍ୟତାମୂଳକ ଅଟେ। ଏହି ସୁବିଧା ପାଇବା ପାଇଁ ସେଠାକୁ ଯାଉଥିବା ଲୋକଙ୍କ ଅଧିକାର ରହିଛି। ଏପରିକି କୋର୍ଟ ତାଙ୍କ ଆଦେଶରେ ଏହା କହିଛନ୍ତି। ଯଦି ଆପଣ ଏହି ସୁବିଧା ପାଇ ନାହାଁନ୍ତି ତେବେ ଆପଣ ଏହା ଉପରେ ମଧ୍ୟ ଅଭିଯୋଗ କରିପାରିବେ। ଉଦୟପୁର ପେଟ୍ରୋଲ ଡିଲର ଆସୋସିଏସନର ସଚିବ ରାଜରାଜେଶ୍ଵର ସେହି ୬ ଟି ସୁବିଧା ବିଷୟରେ ସୂଚନା ଦେଇଛନ୍ତି।

୧- ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ଏବଂ ରାସ୍ତାରେ କାରର ଚକାରେ ପମ୍ପ କମ ରହିଛି, ତେବେ ଆପଣଙ୍କୁ ବାହାରେ ଯାଞ୍ଚ କରି ଏଥିପାଇଁ ଦେୟ ଦେବାକୁ ପଡିବ ନାହିଁ। ଆପଣ ଯେକୌଣସି ପେଟ୍ରୋଲ ପମ୍ପକୁ ଯାଇ ମାଗଣା ପମ୍ପ ଭରି ପାରିବେ, ଏହା ଆମର ଅଧିକାର। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେଠାରେ ଥିବା କର୍ମଚାରୀଙ୍କ ଦ୍ୱାରା ପମ୍ପ ଭରିବା ଜରୁରୀ ନୁହେଁ।

୨- ଯଦି ଆମେ ଘରୁ ବାହାରକୁ ଗଲା ବେଳେ ଆମ ପାଖରେ ପାଣି ନ ନଥାଏ, ତେବେ ଏହାକୁ କିଣିବାର କୌଣସି ଆବଶ୍ୟକତା ନାହିଁ। ପେଟ୍ରୋଲ ପମ୍ପରେ ଆପଣ ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ପେଟ୍ରୋଲ ପମ୍ପ ସର୍ତ୍ତରେ ଏହା ଲେଖାଯାଇଛି ଯେ, ଏଠାରେ ଥିବା ବ୍ୟକ୍ତିଙ୍କୁ ପାଣି ମିଳିବା ଉଚିତ୍।

୩- ଯଦି ଯାତ୍ରା ସମୟରେ ଜରୁରୀକାଳୀନ ପରିସ୍ଥିତିରେ ଆମକୁ କାହା ସହିତ କଥା ହେବାକୁ ପଡିବ ଏବଂ ଆପଣଙ୍କର ମୋବାଇଲ୍ ନାହିଁ, ତେବେ ଆପଣ ଥରେ ଏଠାକୁ ଯାଇ ଏକ ମାଗଣା କଲ କରିପାରିବେ। ଏହା ଆମର ଅଧିକାର। କିନ୍ତୁ ଏହି ସୁବିଧା କେବଳ ଜରୁରୀକାଳୀନ ପରିସ୍ଥିତି ପାଇଁ ଏବଂ ସାଧାରଣ ପରିସ୍ଥିତିରେ ନୁହେଁ।

୪- ଯଦି ଯାତ୍ରା ସମୟରେ ଆପଣଙ୍କୁ ଶୌଚାଳୟ ବ୍ୟବହାର କରିବାକୁ ପଡିବ, ତେବେ ଏଥିପାଇଁ ଆପଣ ପେଟ୍ରୋଲ ପମ୍ପକୁ ଯାଇ ଶୌଚାଳୟ ସେବାର ଲାଭ ଉଠାଇ ପାରିବେ। କିନ୍ତୁ ଆଦେଶ ଅନୁଯାୟୀ, ଏହା କେବଳ ଗ୍ରାହକଙ୍କ ପାଇଁ ଅଟେ କିମ୍ବା ଏହା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହୁଏ। କୌଣସି ସାଧାରଣ ବ୍ୟକ୍ତି ଏହାକୁ ବ୍ୟବହାର କରିପାରିବେ ନାହିଁ। ଆପଣ ମଧ୍ୟ ଏଠାରେ ଧୂମପାନ କରିପାରିବେ ନାହିଁ।

୫- ଯଦି ପାଖରେ କିମ୍ବା ପେଟ୍ରୋଲ ପମ୍ପରେ ନିଆଁ ଭଳି ସମସ୍ୟା ଥାଏ, ତେବେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକ ଉପକରଣ ଏବଂ ବାଲି ବାଲତି ଅଛି। ଯାହା ଦ୍ୱାରା ନିଆଁକୁ ନିୟନ୍ତ୍ରଣ କରାଯାଇପାରିବ। ଅଗ୍ନି ନିରାପତ୍ତା ଉପକରଣଗୁଡ଼ିକ ଏଠାରେ ଉପସ୍ଥିତ ଏବଂ ଏହାକୁ ମାଗଣାରେ ବ୍ୟବହାର କରାଯାଇପାରିବ।

୬- ଯାତ୍ରା ସମୟରେ ଯଦି କିଛି ଅସୁବିଧା ହୁଏ ଏବଂ ଆପଣ କୌଣସି ସ୍ଥାନରେ ଆଘାତ ପାଆନ୍ତି, ତେବେ ଆପଣ ପେଟ୍ରୋଲ ପମ୍ପକୁ ଯାଇ ମାଗଣା ମଲମ ଏବଂ ଔଷଧ ପାଇପାରିବେ। ଏଠାରେ ସର୍ବଦା ପ୍ରଥମ ସହାୟତା ବାକ୍ସ ଉପଲବ୍ଧ। ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ। ପେଟ୍ରୋଲ ପମ୍ପରେ ପ୍ରାଥମିକ ଚିକିତ୍ସା ସର୍ବଦା ଉପଲବ୍ଧ ହେବ।

ଆପଣ ଏହିପରି ଅଭିଯୋଗ କରିପାରିବେ:

ରାଜରାଜେଶ୍ଵର କହିଛନ୍ତି ଯେ, ସଂପୃକ୍ତ କମ୍ପାନୀର ଏରିଆ ମ୍ୟାନେଜରଙ୍କ ମୋବାଇଲ୍ ନମ୍ବର ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଲେଖାଯାଇଛି। ଯାହା ଉପରେ ଆପଣ ଅଭିଯୋଗ କରିପାରିବେ। ଆହୁରି ମଧ୍ୟ, ପେଟ୍ରୋଲ ପମ୍ପରେ ଅଭିଯୋଗ ପୁସ୍ତକ ରଖିବା ଆବଶ୍ୟକ। ଆପଣ ସେଠାରେ ଏକ ଅଭିଯୋଗ ମଧ୍ୟ କରିପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

୨୧୯ ଭାରତୀୟଙ୍କ ସହ ରୋମାନିଆରୁ ଆସିଲା ବିମାନ: କେନ୍ଦ୍ର ସରକାର କରୁଛନ୍ତି ତଦାରଖ

ନୂଆଦିଲ୍ଲୀ: ଭାରତୀୟମାନଙ୍କୁ ଘରକୁ ଆଣିବା ପାଇଁ ବୁଖାରେଷ୍ଟକୁ ପଠାଯାଇଥିବା ଏୟାର ଇଣ୍ଡିଆର ବିମାନ ଏବେ ଯାତ୍ରା ଆରମ୍ଭ କରିଦେଇଛି। ୟୁକ୍ରେନରୁ ୨୧୯ ଜଣ ଭାରତୀୟଙ୍କ ସହ ପ୍ରଥମ ବିମାନ ରୋମାନିଆରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି। ଏହି ବିମାନଟି ଆଜି ଅପରାହ୍ନ ୩ ଟାରୁ ୪ ଟା ମଧ୍ୟରେ ଭାରତରେ ପହଞ୍ଚିବ।

ଏଭଳି ପରିସ୍ଥିତିରେ ମୁମ୍ବାଇର ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆସୁଥିବା ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର କରିଡର ବ୍ୟବସ୍ଥା କରାଯାଇଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଏକ କୋଭିଡ଼ ଟୀକାକରଣ ପ୍ରମାଣପତ୍ର / କରୋନା ନେଗେଟିଭ ରିପୋର୍ଟ ଦାଖଲ କରିବାକୁ ପଡିବ।

ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ, ଯଦି ଜଣେ ଯାତ୍ରୀ ଆସିବା ସମୟରେ କୌଣସି ଡକ୍ୟୁମେଣ୍ଟ ଦେଖାଇବାକୁ ଅସମର୍ଥ। ତେବେ ତାଙ୍କୁ ବିମାନ ବନ୍ଦରରେ କୋଭିଡ୍ର ଆରଟି- ପିସିଆର ପରୀକ୍ଷା ଦେବାକୁ ପଡିବ, ଯାହାର ମୂଲ୍ୟ ବିମାନବନ୍ଦର ପ୍ରଶାସନ ବହନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ନିକଟରେ ଦାବି: ୮ ରେ ଏଫ୍‍ସିଆଇ ଦପ୍ତର ଘେରିବ ବିଜେଡି

ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି। କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରୋକଠୋକ୍‍ ଭାବେ ମନା କରିବା। ଏହାଦ୍ୱାରା ଓଡ଼ିଶାର କୋଟି କୋଟି କୃଷକ ଦୁଃଖ ଓ ଅନାଟନରେ ପଡ଼ିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଓ ଶ୍ରୀମତୀ ଦେଓ କହିଛନ୍ତି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍)ରେ ଚାଉଳ ଯୋଗାଣ କ୍ଷେତ୍ରରେ ଓଡିଶା ହେଉଛି ତୃତୀୟ ବୃହତ୍ତମ ଯୋଗଦାନକାରୀ। ଓଡିଶା ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ବଳକା ଚାଉଳକୁ ଉଠାଇବା କେନ୍ଦ୍ରର କର୍ତ୍ତବ୍ୟ, ରାଜ୍ୟର ନୁହେଁ। ଓଡିଶାର କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ର ତରଫରୁ ଚାଉଳ ଖରିଦ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବଳକା ଚାଉଳ ନ ଉଠାଇବାକୁ କେନ୍ଦ୍ର ସରକାର ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବା ଓଡିଶା ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି। ଏହା ବିରୁଦ୍ଧରେ ଆସନ୍ତାକାଲି (ଫେବୃୟାରୀ ୮ ତାରିଖ) ଦିନ ୧୦.୩୦ରେ ଏଫ୍‍ସିଆଇ ଦପ୍ତର ସମ୍ମୁଖରେ ଦଳ ଧାରଣା ଦେବ ବୋଲି ଦୁଇ ମୁଖପାତ୍ର ସୂଚନା ଦେଇଛନ୍ତି।

୨୦୨୧-୨୨ ଖରିଫ ଋତୁରେ ଓଡିଶାରୁ ଚାଉଳ ସଂଗ୍ରହର ମୋଟ ଧାର୍ଯ୍ୟ ଲକ୍ଷ୍ୟ ହେଉଛି ୫୨ ଲକ୍ଷ ମେଟ୍ରିକ୍ ଟନ୍। ୩୦ ଲକ୍ଷ ମେଟ୍ରିକ୍ ଟନ୍ ରାଜ୍ୟରେ ବ୍ୟବହାର ହେବ। ଅବଶିଷ୍ଟ ୨୨ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ମଧ୍ୟରୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଯିବ। ବଳକା ୨୦ ଲକ୍ଷ ମେଟ୍ରିକ୍ ଟନ୍ ମଧ୍ୟରୁ ୫ ଲକ୍ଷ ମେଟ୍ରିକ୍ ଟନ୍ ଭିଟାମିନ ଯୁକ୍ତ ଉଷୁନା ଚାଉଳ ଭାବରେ ଉଠାଇବାକୁ ଲକ୍ଷ୍ୟ ରଖାଯାଇଥିଲା ଯାହା ଏପର୍ଯ୍ୟନ୍ତ ଉଠାଯାଇ ନାହିଁ। ଅବଶିଷ୍ଟ ୧୫ ଲକ୍ଷ ମେଟ୍ରିକ ଟନ୍‍ ଉଷୁନା ଚାଉଳକୁ ବି କେନ୍ଦ୍ର ଉଠାଉନାହିଁ। ଏହା ଏବେ ଓଡିଶାର ଚାଷୀଙ୍କ ଜୀବନ ମୃତ୍ୟୁର କାରଣ ପାଲଟିଛି।

କୃଷକଙ୍କ କଲ୍ୟାଣକୁ ନେଇ ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି। ଏହାର ମିଥ୍ୟା ଏବଂ ଦୋମୁହାଁ କାର୍ଯ୍ୟ ବର୍ତ୍ତମାନ ଓଡିଶାର ଲୋକ ଏବଂ ବିଶେଷ କରି ଓଡିଶାର କୃଷକଙ୍କ ଆଗରେ ଧରାପଡି ଯାଇଛି। ରାଜ୍ୟର ବିଜେପି ସାଂସଦମାନେ ଚାଷୀଙ୍କ ପାଖକୁ ଯାଇ ନିର୍ବାଚନ ସମୟରେ ଭୋଟ୍ ମାଗିଥାନ୍ତି କିନ୍ତୁ ଯେତେବେଳେ ଚାଷୀଙ୍କ ଉପରେ ଏଭଳି ଘୋର ବିପଦ ଆସେ, ସେତେବେଳେ ସେମାନେ ଦେଖା ଦିଅନ୍ତି ନାହିଁ। ସେମାନେ କୃଷକଙ୍କ କଲ୍ୟାଣ ବିଷୟରେ ନୁହେଁ, କେବଳ ନିଜର ଭୋଟ କଥା ଚିନ୍ତା କରିଥାନ୍ତି। ଓଡିଶାର କୃଷକ ଏବଂ ସେମାନଙ୍କ ହକ୍‍ ପାଇଁ ଛିଡା ହେବା ପରିବର୍ତ୍ତେ ବିଜେପି ଓଡିଶାର ଚାଷୀଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛି। ଆମେ ଦାବି କରୁଛୁ ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତୁରନ୍ତ ଓଡିଶାରୁ ବଳକା ଉଷୁନା ଚାଉଳ ଉଠାଣ ଆରମ୍ଭ କରିବା ସହିତ ଏହା ଯେଭଳି ଓଡ଼ିଶାର କୋଟି କୋଟି ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ତାହା ନିଶ୍ଚିତ କରିବା ଉଚିତ୍‍।

ଓଡିଶା ବିଶେଷକରି କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ନୂଆପଡା, ଦେବଗଡ ଏବଂ ନବରଙ୍ଗପୁର ଜିଲ୍ଲାର କୃଷକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତା ମନୋଭାବ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେବେ। ଓଡିଶାର ଲୋକ ଏବଂ ବିଶେଷକରି ଓଡିଶାର କୃଷକମାନେ ବିଜେପିର ଏହି ଚାଷୀ ବିରୋଧୀ ତଥା ଓଡ଼ିଶା ବିରୋଧୀ ମନୋଭାବର ଉଚିତ୍‍ ଜବାବ ଦେବେ ବୋଲି ବିଜେଡିର ଦୁଇ ମୁଖପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ

ଭୁବନେଶ୍ୱର: ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’କୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୧ ତାରିଖ ଦିନ ଉପସ୍ଥାପନା କରିଥିବା “ବଜେଟ-୨୦୨୨”କୁ ଦେଶବ୍ୟାପୀ ପ୍ରଶଂସା ମିଳିଛି। ମୋଦି ସରକାରଙ୍କ ‘ଆତ୍ମନିର୍ଭର ଅର୍ଥବ୍ୟବସ୍ଥା’ ଏବଂ “ବଜେଟ-୨୦୨୨” ପ୍ରସଙ୍ଗରେ ଦେଶବାସୀଙ୍କୁ ବିସ୍ତୃତ ତଥ୍ୟ ଜଣାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ରାଜ୍ୟ ଗସ୍ତ କରିବେ।

ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତା କାଲି ମଧ୍ୟାହ୍ନ ୧୨.୦୫ ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଏବଂ ଅପରାହ୍ନ ୪ଟାରେ କଟକସ୍ଥିତ ଶାରଳା ଭବନରେ ଆୟୋଜିତ ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି।

Categories
ବିଶେଷ ଖବର

କୃଷକମାନଙ୍କ ପାଇଁ ଖୁସି ଖବର!, ମିଳିବ ପିଏମ କିଷାନର ଏକାଦଶ କିସ୍ତି, ଜାଣନ୍ତୁ କେଉଁମାନେ ହେବେ ଉପକୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ନୂତନ ବର୍ଷରେ କେନ୍ଦ୍ର ସରକାର ଉପହାର ଦେଇଥିଲେ। ଜାନୁଆରୀ 1 ତାରିଖରେ କେନ୍ଦ୍ର ସରକାର ପିଏମ କିଷାନର ଦଶମ କିସ୍ତି କୃଷକଙ୍କ ଆକାଉଣ୍ଟରେ ଜମା କରିଥିଲେ। ଯଦି ପିଏମ କିଷାନର ଟଙ୍କା ଆପଣଙ୍କ ଆକାଉଣ୍ଟରେ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ, ତେବେ ତୁରନ୍ତ ଆପଣଙ୍କର ବିବରଣୀ ଯାଞ୍ଚ କରିବା ଉଚିତ୍। ନଚେତ୍ ଆପଣ ଏକାଦଶ କିସ୍ତି ପାଇଁ ଟଙ୍କା ମଧ୍ୟ ପାଇବେ ନାହିଁ। ପିଏମ କିସାନ ଯୋଜନାର ଏକାଦଶ କିସ୍ତି ବିଷୟରେ କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି-

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଅଧୀନରେ କୃଷକମାନେ ବାର୍ଷିକ 6000 ଟଙ୍କା ପାଆନ୍ତି। ଯାହାକି କିସ୍ତିରେ ଦିଆଯାଏ। ଏଥିରେ 2000-2000 ଟଙ୍କାର 3 କିସ୍ତିର ଅର୍ଥ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ କିଷାନ ଯୋଜନାର ଏକାଦଶ କିସ୍ତିର ଟଙ୍କା ଏପ୍ରିଲ ମାସରେ ଜମା ହେବ। ଜାନୁୟାରୀ 1 ତାରିଖ 2022 ରେ ଦଶମ କିସ୍ତି ଟଙ୍କା 10.09 କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ସରକାର ପଠାଇଥିଲେ। ସରକାର 20,900 କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

ଏହିପରି ସ୍ଥିତି ଯାଞ୍ଚ କରନ୍ତୁ:

– ସର୍ବପ୍ରଥମେ ଆପଣଙ୍କୁ pmkisan.gov.in ୱେବସାଇଟ୍ କୁ ଯିବାକୁ ପଡିବ।

– ଏହି ୱେବସାଇଟ୍ ର ଡାହାଣ ପାର୍ଶ୍ୱରେ ଥିବା ଫାର୍ମର୍ସ କର୍ନରରେ କ୍ଲିକ୍ କରନ୍ତୁ।

– ବର୍ତ୍ତମାନ ଆପଣଙ୍କୁ ହିତାଧିକାରୀ ସ୍ଥିତି ଉପରେ କ୍ଲିକ୍ କରିବାକୁ ପଡିବ।

– ଆପଙ୍କର ସ୍ଥିତି ଯାଞ୍ଚ କରିବାକୁ, ଆପଣଙ୍କୁ ଆଧାର ନମ୍ବର, ମୋବାଇଲ୍ ନମ୍ବର ପରି ସମସ୍ତ ବିବରଣୀ ପୂରଣ କରିବାକୁ ପଡିବ।

– ପ୍ରକ୍ରିୟା ସମାପ୍ତ ହେବା ପରେ, ଆପଣ ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିପାରିବେ।

ଯଦି ଟଙ୍କା ନ ମିଳେ ତେବେ ଏହି ନମ୍ବରରେ ଅଭିଯୋଗ କରନ୍ତୁ:

– ପିଏମ କିଷାନ ଟୋଲ ଫ୍ରି ନମ୍ବର: 18001155266

– ପିଏମ କିଷାନ ହେଲ୍ପଲାଇନ ନମ୍ବର: 155261

– ପିଏମ କିଷାନ ଲ୍ୟାଣ୍ଡ ଲାଇନ ନମ୍ବର: 011-23381092, 23382401

– ପିଏମ କିଷାନର ନୂତନ ହେଲ୍ପଲାଇନ: 011-24300606

– ପିଏମ କିଷାନ ର ଆଉ ଏକ ହେଲ୍ପଲାଇନ: 0120-6025109

– ଇ-ମେଲ୍ ID: [email protected]

Categories
ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ: ସ୍ୱର

ଭୁବନେଶ୍ୱର: ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜ ପରିସରରେ ଅଫ୍‌ଲାଇନ୍ ଓ ଅନଲାଇନ ମାଧ୍ୟମରେ ସ୍ୱର, ଭାରତୀୟ ସ୍ତ୍ରୀ ଶକ୍ତି ଓଡ଼ିଶା ଶାଖା, ମାଧ୍ୟମ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ତରଫରୁ ମହିଳାମାନଙ୍କ ବିବାହ ବୟସକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ମହିଳା ମାନଙ୍କର ବିବାହର ବୟସ ୧୮ରୁ ୨୧ବର୍ଷକୁ ବୃଦ୍ଧି କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଏହିସବୁ ସଂଗଠନମାନଙ୍କ ତରଫରୁ ମତପ୍ରକାଶ ପାଇଥିଲା।

ଏହି ଆଲୋଚନାଚକ୍ରରେ ଭାରତର ୧୭ଟି ରାଜ୍ୟରୁ ମହିଳା ସଶକ୍ତିକରଣର ପ୍ରତିନିଧିମାନେ ଯୋଗ ଦେବା ସହିତ କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏଥିରେ ସ୍ୱରର ମ୍ୟାନେଜିଂ ଟ୍ରଷ୍ଟି ଚନ୍ଦନା ଦାସ ସଭାପତିତ୍ୱ କରି ତାଙ୍କ ଭାଷଣରେ କହିଲେ ଯେ, ମହିଳାଙ୍କ ବିବାହ ବୟସ ସରକାର ୨୧ବର୍ଷକୁ ବୃଦ୍ଧି କରି ଏକ ଉନ୍ନତ ସମାଜ ଗଠନ ଦିଗରେ ଏକ ଦୃଢ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀରୁ ଆଭାସୀ ମାଧ୍ୟମରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ରେଖା ଶର୍ମା ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ, ସରକାର ମହିଳାଙ୍କ ବୟସକୁ ବୃଦ୍ଧି କରି ସମାଜରେ କେତେ ଯେ ହିତ ସାଧନ କଲେ ତାହାକୁ ବଖାଣିବା ଏତେଟା ସହଜ ନୁହେଁ। ମହିଳାଙ୍କ ସବୁ ପ୍ରକାର ଉନ୍ନତି ଏହା ମାଧ୍ୟମରେ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ରାଷ୍ଟ୍ରୀୟ ଭାରତୀୟ ସ୍ତ୍ରୀ ଶକ୍ତିର ସମ୍ପାଦିକା ବର୍ଷା ପାୱାର ତାୱାଡ଼େ ତାଙ୍କ ଭାଷଣରେ ମହିଳାଙ୍କ ବିବାହ ବୟସ ସହିତ ସ୍ୱାସ୍ଥ୍ୟ ଓ ପରିବେଶର କଥା ମନେ ପକାଇ ୨୧ବର୍ଷ ଅଧୁନା ସମୟରେ ମହିଳାଙ୍କର ଜାତୀୟ ଉନ୍ନତି ସହିତ ସାମାଜିକ ବିକାଶରେ ବହୁତ ବଡ଼ ପଦକ୍ଷେପ ବୋଲି କହିଥିଲେ। ଓଡ଼ିଶାର ସୁନାମଧନ୍ୟା ସ୍ତ୍ରୀରୋଗ ବିଶେଷଜ୍ଞ ଡଃ ସରୋଜିନୀ ଷଡ଼ଙ୍ଗୀ ଆଭାସୀ ମାଧ୍ୟମରେ ମହିଳାଙ୍କର ବିବାହ ବୟସ ୨୧କୁ ସମର୍ଥନ କରିବା ଏହା ମାଧ୍ୟମରେ ମହିଳାଙ୍କର ମାନସିକ, ଶାରୀରିକ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିଲେ। ଚିକିତ୍ସା ଶାସ୍ତ୍ରର ଉଦାହରଣ ଦେଇ ୨୧ବର୍ଷ ଅଧୁନା ସମୟ ନିହାତି ଦରକାର ଥିଲା ବୋଲି କହିଥିଲେ।

ସାମାଜିକ କର୍ମୀ ନମ୍ରତା ଚଢ଼ା ପଶ୍ଚିମବଙ୍ଗରୁ ଆଭାସୀ ମାଧ୍ୟମରେ ମହିଳାଙ୍କ ବିବାହ ବୟସ ସହିତ ମାନସିକ ସ୍ଥିରତା ଉପରେ ଓ ସାମାଜିକ ପ୍ରଭାବକୁ ବଖାଣି ସରକାର ନେଇଥିବା ନିଷ୍ପତ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ ତାଙ୍କ ବକ୍ତବ୍ୟରେ ଯେଉଁବର୍ଗର ମହିଳାମାନେ ୧୮ବର୍ଷରୁ କମ୍ ବୟସରେ ବିବାହ କରୁଥିଲେ, ସେହି ମହିଳାମାନେ ୨୧ବର୍ଷରୁ କମ୍ ବୟସରେ ବିବାହ କରିବେ। କିନ୍ତୁ ଏହାକୁ କିପରି ଆମେ ସାମାଜିକ ଇଞ୍ଜିନିୟରିଂ ମାଧ୍ୟମରେ ଲୋକଙ୍କୁ ସଚେତନ କରିପାରିବା, ତାହାରି ଉପରେ ଗୁରୁତ୍ୱାରୋପ କରିଥିଲେ।

ଆଲୋଚନାଚକ୍ରକୁ ଡ. ସ୍ୱାତୀ ପଟ୍ଟନାୟକ, ଡ. ଗାର୍ଗୀ ବାନାର୍ଜୀ, କ୍ରିଷ୍ଣା ଅଗ୍ରୱାଲ, ସବିତା ରାୟ, ମନ୍ଦିରା ଦାସଗୁପ୍ତା ଓ କଲେଜର ଅଧ୍ୟାପିକାମାନେ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ୨୦୦ରୁ ଉର୍ଦ୍ଧ୍ୱ ସାମାଜିକ କର୍ମୀ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅନେକ ପ୍ରଶ୍ନ ପଚାରି ନିଜ ଭିତରେ ଥିବା ସନ୍ଦେହକୁ ଦୂର କରିଥିଲେ। କଲେଜର ଉପାଧ୍ୟକ୍ଷ ଡଃ ହଟକେଶ୍ୱର ସେନାପତି ସଭାକୁ ସମ୍ବୋଧନ କରି ସରକାରଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି କହିବା ସହ ମହିଳାଙ୍କ ବିବାହ ବୟସ ୨୧ବର୍ଷ ବହୁ ପୂର୍ବରୁ ହେବା ଦରକାର ଥିଲା ବୋଲି କହିଥିଲେ। ଶେଷରେ ଖୁସ୍‌ବୁ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆକ୍ରମଣ ପରେ ଅସଦୁଦ୍ଦିନ ଓୱାଇସିଙ୍କ ବଢିଲା ସିକ୍ୟୁରିଟି, ଜେଡ ବର୍ଗର ସୁରକ୍ଷା ଦେଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ଆକ୍ରମଣ ପରେ କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବୃଦ୍ଧି କରିଛି। ସୂତ୍ର ଅନୁଯାୟୀ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ସୁରକ୍ଷା ସମୀକ୍ଷା ଭାରତ ସରକାର କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ସିଆରପିଏଫ ର Z ବର୍ଗର ସୁରକ୍ଷା ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଗାଜିଆବାଦର ପିଲଖୁଆ ନିକଟରେ ସାଂସଦଙ୍କୁ ଆକ୍ରମଣ କରାଯାଇଥିଲା।

ସାଂସଦଙ୍କ ଉପରେ ଆକ୍ରମଣ ପରେ ଶୁକ୍ରବାର, ଏଡିଜି (ଆଇନ ବ୍ୟବସ୍ଥା) ପ୍ରଶାନ୍ତ କୁମାର କହିଛନ୍ତି ଯେ, ବିସ୍ତୃତ ପଚରାଉଚରା ଏବଂ ସିସିଟିଭି ଫୁଟେଜରେ ଏହି ଘଟଣାରେ ଦୁଇଜଣଙ୍କର ସମ୍ପୃକ୍ତି ରହିଛି। ଉଭୟଙ୍କୁ କିଛି ଘଣ୍ଟା ମଧ୍ୟରେ ପୋଲିସ ଗିରଫ କରିଥିଲା, ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏବଂ ଏକ କାର ଜବତ କରାଯାଇଛି।

ଅନୁସନ୍ଧାନ ଅନୁଯାୟୀ, ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ସାଂସଦଙ୍କ ଭାଷଣଶୈଳୀରେ ଏହି ଯୁବକମାନେ ଆହତ ହୋଇଥିଲେ ବୋଲି ଏଡିଜି କହିଛନ୍ତି। ଏହି କାରଣରୁ ସେମାନେ ଏହି ଆକ୍ରମଣ କରିଥିବା ଅଭିଯୁକ୍ତମାନେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

୫୦ ଲକ୍ଷ ଅବ୍ୟବହୃତ କୋଭିସିଲ୍ଡ ମାତ୍ରା ନଷ୍ଟ ହେବା ଖବର: ସ୍ପଷ୍ଟ କଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅବ୍ୟବହୃତ ୫୦ଲକ୍ଷ କୋଭିସିଲ୍ଡ ମାତ୍ରା ଫେବୃୟାରୀ ମାସ ଶେଷ ସୁଦ୍ଧା ନଷ୍ଟ ହୋଇଯିବ ବୋଲି ଏକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଭଳି ଖବର ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ନୁହଁ ଯେ, ରାଜ୍ୟୱାରୀ ଟିକାର ମାତ୍ରା ଏହାର ମିଆଦ ପୂରଣ କରିବାର ନିକଟବର୍ତ୍ତୀ ହୋଇଛି।

କେନ୍ଦ୍ର ସରକାର ଆଗତୁରା ପ୍ରତ୍ୟେକ ରାଜ୍ୟକୁ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭରେ ମାତ୍ରା ଯେପରି ଯଥା ସମ୍ଭବ କମ୍ ନଷ୍ଟ ହୁଏ। ତାହା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିରେ ପ୍ରଥମ ମିଆଦ ସମ୍ପୂର୍ଣ୍ଣ ହେବାକୁ ଥିବା ଟିକାର ବ୍ୟବହାର ପ୍ରଥମେ କରିବାକୁ କୁହାଯାଇଛି।

ନଭେମ୍ବର ୨୦୨୧ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ନିୟମିତ ଭାବେ କୋଭିଡ ଟିକାର ମିଆଦ ପୂରଣ ତିଥି ନେଇ ମାସିକ ସମୀକ୍ଷା କରିବାକୁ କୁହାଯାଇଛି। ରାଜ୍ୟର ଘରୋଇ ଡାକ୍ତରଖାନାରେ ଥିବା ଷ୍ଟକ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।
ଯେପରି କୌଣସି ଟିକାକୁ ଏହାର ମିଆଦ ପୂରଣ ପର୍ଯ୍ୟନ୍ତ ଅବ୍ୟବହୃତ ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ରଖା ନଯିବ ସେଥିପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ଅତିରିକ୍ତ ଓ ପ୍ରଧାନ ସ୍ୱାସ୍ଥ୍ୟ ସଚିବମାନେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଘରୋଇ ହସ୍ପିଟାଲ ଗୁଡିକରେ ଟିକା ମାତ୍ରା ବିନିଯୋଗ ଅବଗତ ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଘରୋଇ ହସ୍ପିଟାଲଗୁଡିକରେ ମଧ୍ୟ ରିହାତି ଦରରେ ଟିକାକରଣ ସଂକ୍ରାନ୍ତରେ ରାଜ୍ୟ ସରକାରମାନେ ହସ୍ତକ୍ଷେପ କରିପାରିବେ ବୋଲି ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

ଏହାଛଡା କେତେକ ରାଜ୍ୟଙ୍କ ଅନୁରୋଧ କ୍ରମେ ଘରୋଇ କ୍ଷେତ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ସରକାରୀ କ୍ଷେତ୍ରକୁ ଆବଶ୍ୟକ ସ୍ଥଳେ ଟିକା ସ୍ଥାନାନ୍ତର ନେଇ ମଧ୍ୟ କୌଣସି ଆପତ୍ତି ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛନ୍ତି। ଏହାଫଳରେ ଟିକା ନଷ୍ଟ ହେବାରୁ ରୋକି ହେବ। ଏହି ବିନିମୟକ୍ଷମ ଟିକାର ସବିଶେଷ କୋୱିନ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେବ।

ଏହାଛଡା ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ ଏବଂ ଦିଲ୍ଲୀ ଭଳି ରାଜ୍ୟଙ୍କ ସହ ଆଲୋଚନା ହୋଇ ଘରୋଇ କୋଭିଡ ଟିକାକରଣ କେନ୍ଦ୍ରରେ ଯେପରି ଟିକା ବ୍ୟବହୃତ ହୁଏ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ସ୍କୁଲ ଖୋଲିବା ପାଇଁ କୋଭିଡ ନିର୍ଦ୍ଦେଶାବଳୀକୁ ସଂଶୋଧନ କଲା କେନ୍ଦ୍ର, ଏହା ହେଉଛି ସର୍ତ୍ତ

ନୂଆଦିଲ୍ଲୀ: ଅନେକ ରାଜ୍ୟରେ କରୋନା ମାମଲା ହ୍ରାସ ପାଇବା ପରେ ବିଦ୍ୟାଳୟଗୁଡିକ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି। ତେଣୁ ସ୍କୁଲ ଖୋଲିବା ନେଇ କୋଭିଡ ନିର୍ଦ୍ଦେଶାବଳୀରେ କେନ୍ଦ୍ର ସରକାର ସଂଶୋଧନ କରିଛି। ଆଜି ପ୍ରକାଶିତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲଗୁଡ଼ିକର ସଂଶୋଧିତ ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟଗୁଡ଼ିକ ବର୍ତ୍ତମାନ ସ୍ଥିର କରିବେ ଯେ, ବିଦ୍ୟାଳୟଗୁଡ଼ିକ ଶାରୀରିକ କ୍ଲାସ ପାଇଁ ପିତାମାତାଙ୍କ ସମ୍ମତି ଲୋଡ଼ିବେ କି ନାହିଁ। ଏହା ବ୍ୟତୀତ ବିଦ୍ୟାଳୟରେ ସଂଗୀତ, କ୍ରୀଡା ଏବଂ କଳା କ୍ଷେତ୍ରରେ ଗୋଷ୍ଠୀ କାର୍ଯ୍ୟକଳାପକୁ ରାଜ୍ୟଗୁଡିକ ଦ୍ଵାର ଜାରି କରାଯାଇଥିବା କୋଭିଡ-୧୯ ସମୟରେ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ଅନୁଯାୟୀ ଅନୁମତି ଦିଆଯାଇପାରେ। ଶିକ୍ଷା ମନ୍ତ୍ରଣାଳୟ ଆଜି କହିଛି ଯେ ୧୧ ଟି ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ଖୋଲା ଅଛି ଏବଂ ନଅଟିରେ ବନ୍ଦ ଅଛି।

ଅନଲାଇନରେ କ୍ଲାସ୍ ପର୍ଯ୍ୟାପ୍ତ ନ ଥିବାରୁ ବିଦ୍ୟାଳୟରେ ଶାରୀରିକ କ୍ଲାସ୍ ପୁନଃ ଆରମ୍ଭ କରିବାକୁ ଅନେକ ଅଭିଭାବକ ଏବଂ ଶିକ୍ଷକମାନେ ଦାବି କରିଆସୁଛନ୍ତି। ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଉପକରଣ ନିର୍ଭରଶୀଳତା କାରଣରୁ ଅର୍ଥନୈତିକ ପଛୁଆ ବର୍ଗ ଏବଂ ଅନ୍ୟାନ୍ୟ ଦୁର୍ବଳ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ କରିଛି ଏବଂ ଅନେକ ବିଶେଷଜ୍ଞ ଏହାକୁ “ହଜିଯାଇଥିବା ପିଢୀ” ବୋଲି କହିଛନ୍ତି।

“ସାମାଜିକ ଦୂରତା” ବାକ୍ୟକୁ ବର୍ତ୍ତମାନ “ଶାରୀରିକ ଦୂରତା” ସହିତ ବଦଳାଯିବ। ପୂର୍ବ ବାକ୍ୟାଂଶ ପାଇଁ ଅନେକେ ଅନୁଭବ କରିଥିଲେ ଯେ, ଏହାର ନକାରାତ୍ମକ ଅର୍ଥ ଅଛି, ଯାହା ସଙ୍କଟ ସମୟରେ ସାମାଜିକ ଏକତାକୁ ପ୍ରଭାବିତ କରିପାରେ।

ରାଜ୍ୟଗୁଡିକ ଦ୍ଵାରା ଜାରି କରାଯାଇଥିବା ଏସଓପି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସମାବେଶ ଏବଂ ଏକତ୍ରିତ ହେବାକୁ ମଧ୍ୟ ଅନୁମତି ଦିଆଯାଇଛି। ପରିସରରେ ଧାଡି ପରିଚାଳନା ଏବଂ ଶାରୀରିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ବାଧ୍ୟତାମୂଳକ କରାଯାଇଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ପିଲାମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ କରନ୍ତି ଏବଂ କଣ୍ଟେଣ୍ଟମେଣ୍ଟ ଜୋନରେ ରହୁଥିବା ସ୍କୁଲ ଡ୍ରାଇଭର ଏବଂ କଣ୍ଡକ୍ଟରମାନଙ୍କୁ ଗାଡିରେ ଯିବାକୁ ଅନୁମତି ଦିଆଯିବ ନାହିଁ।