Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟାପିକା କରୋନା ପଜିଟିଭ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ କରୋନା ରିପୋର୍ଟ ଆଜି ପଜିଟିଭ ଆସିଛି। କୌଣସି କାରଣରୁ ଗତ ୮ ତାରିଖରେ ସେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଛୁଟି ପାଇଁ ଆବେଦନ କରଥିଲେ।  ଏହାପରେ ଅସୁସ୍ଥତା ଅନୁଭବ କରିବାରୁ ସେ କଟକସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି ।

ତେବେ ଏହି ଖବର ପ୍ରଚାର ହେବା ମାତ୍ରେ ସାରା କଲେଜରେ ବର୍ତ୍ତମାନ ଭୟର ବାତାବରଣ ଖେଳିଯାଇଛି। କାରଣ ଜନୈକ ଅଧ୍ୟାପିକା ପ୍ରତିଦିନ ଅନର୍ସ କ୍ଲାସ କରିବା ସହ କଲେଜର ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ଡିପାର୍ଟମେଣ୍ଟକୁ ସାନିଟାଇଜ କରାଇଛନ୍ତି। ଏ ନେଇ ଆମ ପ୍ରତିନିଧି କଲେଜ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏପର୍ଯ୍ୟନ୍ତ ଏ ବିଷୟ ନେଇ ଅବଗତ ନଥିବା ପ୍ରକାଶ କରିଛନ୍ତି।

ତେବେ ବର୍ତ୍ତମାନ ପରିସ୍ଥିତିରେ ତୁରନ୍ତ କଲେଜର ସମସ୍ତ କର୍ମଚାରୀ ଏବଂ ଜନୈକ ଡିପାର୍ଟମେଣ୍ଟର ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ସହ ସମ୍ପୂର୍ଣ୍ଣ କଲେଜକୁ ସାନିଟାଇଜେସନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଦାବି କରିଛନ୍ତି। ତତ ସହିତ କଲେଜରେ କୋଭିଡ ନିୟମକୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଜାତୀୟ ସଡକ ସୁରକ୍ଷା ମାସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହୋଇଥିବା ସଚେତନତା ରଥ ପରିକ୍ରମା ଏବଂ ସଚେତନତା ନୃତ୍ୟ ପରିବେଷଣର ଶୁଭାରମ୍ଭ ହୋଇଯାଇଅଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ପ୍ରମୋଦ କୁମାର ପାଢୀ, ଏନ ସି ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ ଗୁରୁ କିଶୋର ନାୟକ, ରୋଭର ଲିଡର୍ ଡ଼ ଆଦିତ୍ୟ ସାରଥୀ ବେଦମତା ଓ ରେଞ୍ଜର ଲିଡର୍ ନିହାର ବାଳା ରାଉତ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ସହରର ଅଚ୍ୟୁତରାଜପୁର, ପୋଡା ସାହି, ଥାନା, ତହସିଲ, ପଲଟନ ପଡ଼ିଆ ଓ ବାଣପୁର ବଜାର ମଧ୍ୟ ଦେଇ ସଚେତନତା ରଥ ପରିକ୍ରମା କରାଯିବା ସହ ନୃତ୍ୟ ପରିବେଷଣ ମାଧ୍ୟମରେ ଜନ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ଲୋଗାନ ଓ କୁଇଜ ପ୍ରତିଯୋଗୀତା କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବୀମା ଉପଦେଷ୍ଟା ବିନୋଦ କୁମାର ପ୍ରଧାନ, ଆର ଟି ଓ ଆଡ଼ଭାଇଜର ସର୍ବେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଉକ୍ତ ଜାତୀୟ ସଡକ ସୁରକ୍ଷା ଅଭିଯାନ କୁ ଖୋର୍ଦ୍ଧା ଆଞ୍ଚଳିକ ସହକାରୀ ଅଧିକାରୀ ବୃନ୍ଦାବନ ସାହୁ,ଏମ ଭି ଆଇ ଅମିତ କୁମାର ରଣା, ବାଣପୁର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ, ଏବଂ ଏସ ଆଇ ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଆଦି ପରିଚାଳନା କରିଥିଲେ।

ପରିଶେଷରେ ବାଣପୁର ବ୍ଲକ ଛକ ଭୀମପୁର ରୋଡ଼ଠାରେ ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ଅଭିଯାନ କୁ ସାର୍ଥକ କରିବା ସହ ଉକ୍ତ ରାଲିକୁ ସଫଳ କରିଥିବା ହେତୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ମିନି ଷ୍ଟାଡିୟମ୍‌ ନେଇ କ୍ରୀଡାମନ୍ତ୍ରୀଙ୍କ ଘୋଷଣା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ସର୍ବପୁରାତନ କଲେଜ ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏକ ମିନି ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀଙ୍କ ବ୍ୟତିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗ୍‌ଦ୍ଦେବ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଉତ୍ତମ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଉପସ୍ଥିତ ଅତିଥି ଗଣ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କଲେଜ ପରିସରରେ ଏକ ମିନି ଷ୍ଟାଡିୟମ୍‌ ନିର୍ମାଣ ପାଇଁ କ୍ରୀଡାମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ। ଏହାପରେ ଚିଲିକା ବିଧାୟକଙ୍କ ଦ୍ବାରା ମହାବିଦ୍ୟାଳୟ ପରିସରରେ ଏକ ହାଇମାଷ୍ଟ ଲାଇଟର ଲୋକାର୍ପଣ କରାଯାଇଥିଲା। ଏହା ସହିତ ଭବିଷ୍ୟତରେ କଲେଜରେ ବିଜ୍ଞାନ ଲାବୋରୋଟାରୀ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ବିଧାୟକ ସୂଚନା ଦେଇଥିଲେ।