Categories
ଆଜିର ଖବର

ନୂଆ ବର୍ଷରେ ନୂଆ ରୂପରେ ଜୀ ସାର୍ଥକର ଦାଦାଗିରି

ଭୁବନେଶ୍ୱର: ଓଡିଆ ନୂଆବର୍ଷରେ ନୂଆ ଚମକ ସହ ଜୀ ସାର୍ଥକର ‘ଦାଦାଗିରି’। ଏହି ଲୋକପ୍ରିୟ ରିୟଲିଟି ସୋରେ ପୁଣି ହେବ ପ୍ରତିଭାର ବିଜୟ। ଏହି କାର୍ଯ୍ୟକ୍ରମର ଟାଇଟଲ ରହିଛି ‘ପ୍ରତିଭାର ଦାଦାଗିରି’।

ତେବେ ଏହି ସୋ’ରେ ଏବେ ନଜର ଆସିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ଓଡିଆ ଟେଲିଭିଜନରେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର ରିୟଲିଟି ସୋ’କୁ ହୋଷ୍ଟ କରିବେ। ଯାହାକୁ ନେଇ ପୁରା ଓଡିଶାବାସୀ ଏହି କାର୍ଯ୍ୟକ୍ରମକୁ ଚାହିଁ ବସିଛନ୍ତି।

ମନୋରଞ୍ଜନ ସାଙ୍ଗକୁ ସୂଚନାଧର୍ମୀ ହେବ ‘ପ୍ରତିଭାର ଦାଦାଗିରି’। ଏହି ରିୟଲିଟି ସୋ’ରେ ଓଡିଶାର କୋଣ ଅନୁକୋଣରୁ ପ୍ରତିଭା ଚୟନ କରିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର। ନିଜ ଅନ୍ଦାଜରେ ପ୍ରତିଯୋଗୀମାନଙ୍କ ସହ ମଜାମସ୍ତି କରିବେ ମୁନାଭାଇ। ମେଗା ରିୟଲିଟି ସୋ ‘ଦାଦାଗିରି ’ ଘରେ ଘରେ ସବୁବର୍ଗର ଲୋକଙ୍କୁ ମନୋରଞ୍ଜନ କରିଆସିଛି। ଏହି ରିୟଲିଟି ସୋ’ ସିଦ୍ଧାନ୍ତଙ୍କ ଚମକରେ ଆହୁରି ଅଧିକ ଚମକିବ ବୋଲି ଚ୍ୟାନେଲ ପକ୍ଷରୁ ଜୀସାର୍ଥକର ଚ୍ୟାନେଲ ମୁଖ୍ୟ ପ୍ରତିକ ସିଲ୍ ମତ ଦେଇଛନ୍ତି। ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ଅଭିନୟ, କ୍ରୀଡା, ରାଜନୀତି ସବୁଥିରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ତେଣୁ ‘ପ୍ରତିଭାର ଦାଦାଗିରି’ରେ ସିଦ୍ଧାନ୍ତଙ୍କ ହୋଷ୍ଟ ହି କାର୍ଯ୍ୟକ୍ରମରେ ଚାର ଚାନ୍ଦ ଲଗାଇବ ବୋଲି କୁହାଯାଇପାରେ।

ନବେ ଦଶକରୁ ନେଇ ଆଜି ଯାଏଁ ନିଜ ଅଭିନୟର ଯାଦୁରେ ଓଡିଶାବାସୀଙ୍କ ହୃଦୟ ଜିତି ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର। ପ୍ରାୟ ୧୮୦ରୁ ଅଧିକ ଓଡିଆ ସିନେମା ସହ ତାମିଲ ଓ ବଙ୍ଗାଳୀ ସିନେମାରେ ଅଭିନୟ କରି ସମସ୍ତଙ୍କର ଖାସ ପସନ୍ଦ ହୋଇପାରିଛନ୍ତି ମୁନାଭାଇ। ଆଜ ବି ଯୁବବର୍ଗଙ୍କ ପ୍ରଥମ ପସନ୍ଦ ସିଦ୍ଧାନ୍ତ ମହାପାତ୍ର। ଏବେ ବି ସିଦ୍ଧାନ୍ତଙ୍କ ଅଭିନୀତ ପ୍ରତିଟି ସିନେମା ଦର୍ଶକେ ଦେଖିବାକୁ ପାଗଳ ହୋଇଯାଆନ୍ତି। ସିରିୟଲରେ ମଧ୍ୟ ଅଭିନୟ କରି ଓଡିଆ ଦର୍ଶକଙ୍କ ମନ କିଣିଛନ୍ତି ମୁନାଭାଇ।

ସାତ ସାତ ଥର ଓଡିଶା ଫିଲ୍ମ ଫେୟାର ଆୱାର୍ଡ ଜିତିବାରେ ସିଦ୍ଧାନ୍ତ ହେଉଛନ୍ତି ଏକମାତ୍ର ଓଲିଉଡ ଅଭିନେତା। ନାୟକରୁ ଖଳନାୟକ ପ୍ରତିଟି ଅଭିନୟ ତାଙ୍କର ମନଛୁଆଁ ହୋଇଛି। ତେଣୁ ତାଙ୍କ ପ୍ରଶଂସକମାନେ ‘ପ୍ରତିଭାର ଦାଦାଗିରି’ରେ ନିଜ ପ୍ରିୟର ଅଭିନେତା ସିଦ୍ଧାନ୍ତଙ୍କୁ ଏବେ ଦେଖିବାକୁ ପାଇବେ। ଯାହାକୁ ନେଇ ସବୁଠି ଖୁସିର ଲହରୀ ଖେଳିଯାଇଛି। ଏହି ସୋ’ଟି ଜୀ ସାର୍ଥକରେ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯ଟା ୩୦ରେ ପ୍ରସାରିତ ହେବ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଦିଦି ନମସ୍କାର”ର ଅଡିଓ ଲୋକାର୍ପିତ

ଭୁବନେଶ୍ବର: ଗତକାଲି ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଦିଦି ନମସ୍କାର”ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ଅଜୟ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), କାହାଣୀ ଓ ସଂଳାପକାର ଡ. ରଜନୀ ରଞ୍ଜନ ଉପସ୍ଥିତ ଥିଲେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଶୀତଳ ପାତ୍ର, ନବାଗତ ଶାଶ୍ଵତ, ପିଣ୍ଟୁ ନନ୍ଦ, ପ୍ରିୟଙ୍କା ମହାପାତ୍ର, ସୋମା ଭୌମିକ ପ୍ରମୁଖ ଅଭିନୟ କରିଛନ୍ତି।

“ଦିଦି ନମସ୍କାର”ର ଟାଇଟଲ ଓ ପ୍ରଥମ ଶ୍ରେଣୀ ଗୀତକୁ ସତ୍ୟଜିତ ଓ ଅସୀମା ପଣ୍ଡା ଗାଇଥିବା ବେଳେ, ମନ୍ ହନସିନୀ ଗୀତକୁ କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀ ଗାଇଛନ୍ତି। ସମସ୍ତ ଗୀତକୁ ଗୀତିକାର ଡ. ନିର୍ମଳ ନାୟକ ଲେଖିଛନ୍ତି। ସହଯୋଗୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ଵସ୍ତିକ।

ଚଳଚ୍ଚିତ୍ରଟି ଜୀ ସାର୍ଥକ ଚ୍ୟାନେଲରେ ଏପ୍ରିଲ ୧୭ ତାରିଖ ସଂଧ୍ୟା ୬.୩୦ ମିନିଟରେ ପ୍ରସାରିତ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଦର୍ଶକଙ୍କ ପ୍ରଥମ ପସନ୍ଦ ଜୀ ସାର୍ଥକର ମେଗା ଧାରାବାହିକ ସର୍ବଜୀତା ଅନୁ

ଭୁବନେଶ୍ୱର: ଓଡିଆ ଦର୍ଶକଙ୍କ ମନ କିଣୁଛି ‘ସର୍ବଜୀତା ଅନୁ’। ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ଏହି ନୂଆ ମେଗା ଧାରାବାହିକ ମାତ୍ର ୧୫ ଏପିସୋଡରେ ସର୍ବାଧିକ ଜନାଦୃତି ହାସଲ କରିଛି। ମାର୍ଚ୍ଚ ୧୪ ତାରିଖରୁ ‘ସର୍ବଜୀତା ଅନୁ’ର ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ମାତ୍ର କମ୍ ଦିନ ମଧ୍ୟରେ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏହି ମେଗା ଧାରାବାହିକ।

‘ସର୍ବଜୀତା ଅନୁ’ର ଆଗାମୀ ଅଧ୍ୟାୟରେ ରହିଛି ଭରପୁର ରୋମାଞ୍ଚ । ଯେଉଁଥିରେ ସୋସାଇଟି ମଧ୍ୟରେ ଏକ ନୃତ୍ୟ ପ୍ରତିଯୋଗୀତା ଆରମ୍ଭ ହେଉଥିବା ବେଳେ ଏଥିରେ ଅନୁର ଝିଅ ସାରା ବି ଅଂଶ ଗ୍ରହଣ କରିବାକୁ ଚାହୁଁଛି କିନ୍ତୁ ତାକୁ ଜଣେ ପାର୍ଟନରର ଆବଶ୍ୟକତା ରହିଛି। ତେବେ ସାରା ପାଇଁ କଣ ପାର୍ଟନର ହେବେ କି ମା ଅନୁ? ଆଉ ଯଦି ମାଙ୍କ ସହ ସାରା ଏହି ପ୍ରତିଯୋଗିତାରେ ଭାଗ ନିଏ ତାହା ହେଲେ କଣ ସେ ପ୍ରତିଯୋଗିତା ଜିତିପାରିବ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଦର୍ଶକଙ୍କୁ ଆଗାମୀ ଅଧ୍ୟାୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ସୋମବାରରୁ ଶନିବାର ରାତି ୮ଟାରେ ଜୀ ସାର୍ଥକରେ ମେଗା ଧାରାବାହିକ ‘ସର୍ବଜୀତା ଅନୁ’ ପ୍ରସାରିତ ହେଉଛି। ମାତ୍ର କମ୍ ଦିନରେ ଦର୍ଶକଙ୍କ ଆଦୃତି ଲାଭ କରିଥିବା ‘ସର୍ବଜୀତା ଅନୁ’କୁ ଦର୍ଶକ ଆଗକୁ ଆହୁରି ଭଲପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

Categories
ଆଜିର ଖବର ମନୋରଂଜନ

ଜୀ ସାର୍ଥକରେ ଆସୁଅଛି “ରଜ କୁଇନ୍ ୨୦୨୨- ଉତ୍ସବ ୧୦ ବର୍ଷର”

ଭୁବନେଶ୍ବର: ଜୀ ସାର୍ଥକ ପୁଣି ଥରେ ନେଇ ଆସିଛି ପ୍ରତିଭା ପ୍ରଦର୍ଶନର ବଡ଼ ପ୍ଳାଟଫର୍ମ “ରଜ କୁଇନ୍ ୨୦୨୨- ଉତ୍ସବ ୧୦ ବର୍ଷର”। ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜକୁ ନେଇ ସୁପରହିଟ୍ ରିଆଲିଟି ସୋ’ “ରଜ କୁଇନ”ର ଅଡିସନ ଅପ୍ରେଲ ୩ ତାରିଖରୁ ରାଜ୍ୟର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି। ଓଡିଶା ଟେଲିଭିଜନ ଇତିହାସ ରେ ପ୍ରଥମ ରିୟଲିଟି ସୋ ଯାହା ଦୀର୍ଘ ୧୦ବର୍ଷ ଧରି ଚାଲିଆସିଛି ଓ ଦର୍ଶକମାନଙ୍କୁ ମନୋରଞ୍ଜନ ସହ ସର୍ବାଧିକ ପସନ୍ଦ ର ହୋଇ ଯାଇଛି। ଅଡିସନ୍ ରାଉଣ୍ଡରେ ତମନ୍ନା, ଦିବ୍ୟା, ସୂର୍ଯ୍ୟମୟୀ , ଶ୍ରୀତମ ଦାସ, ରାକେଶ, ରିଷି ଓ ହରିହରଙ୍କ ଭଳି ଓଲିଉଡର ସେଲିବ୍ରିଟି ମାନେ ଜଜ୍ ଭାବେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପରବର୍ତ୍ତୀ ଗାଲା ରାଉଣ୍ଡ ପାଇଁ ବାଛିବେ। ଏହି ସୋରେ ସାମିଲ ହେଉଥିବା ପ୍ରତିଯୋଗୀଙ୍କୁ ସବୁବେଳେ ମିଳିଥାଏ ସ୍ବତନ୍ତ୍ର ପରିଚୟ। ଏଥିରେ ସଫଳ ହେଉଥିବା ପ୍ରତିଯୋଗୀଙ୍କୁ ଗ୍ଲାମର ଇଣ୍ଡଷ୍ଟ୍ରିରେ ସୁଯୋଗ ମିଳିଥାଏ।

ଜୀ ସାର୍ଥକର ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍ ଏହି କାର୍ଯ୍ୟକ୍ରମର ପ୍ରସାରଣ ପରିପ୍ରେକ୍ଷୀରେ କହିଛନ୍ତି ଯେ, ଜୀ ସାର୍ଥକ ତାର ଅଗଣିତ ଦର୍ଶକମାନଙ୍କ ପାଇଁ ସଦା ସର୍ବଦା ମନୋରଂଜନ ଭରା କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆସିଛି ଏବଂ ଏହି ପ୍ରୟାସକୁ ଜାରି ରଖି “ରଜ କୁଇନ ୨୦୨୨- ଉତ୍ସବ ୧୦ ବର୍ଷର” ପ୍ରସାରଣ କରିବାକୁ ଯାଉଛି। ଆଉ ଆଶା କରୁଛି ଯେ, ଏହି କାର୍ଯ୍ୟକ୍ରମ ଦର୍ଶକ ମାନଙ୍କ ମନକୁ ନିଶ୍ଚୟ ଛୁଇଁବ। ତେଣୁ ଅଡିସନରେ ଭାଗ ନିଅନ୍ତୁ ଓ ନିଜର ପ୍ରତିଭା ପ୍ରଦର୍ଶନ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।

ମହାମାରୀ କୋରୋନା କଟକଣା କମିଲା ପରେ ନୂଆ ସମ୍ଭାବନାର ଆଶା ନେଇ ଜୀ ସାର୍ଥକ ଆରମ୍ଭ କରିଛି ଓଡିଶାର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ “ରଜ କୁଇନ ୨୦୨୨- ଉତ୍ସବ ୧୦ ବର୍ଷର”। ଅଡିସନ ରାଉଣ୍ଡରେ ପ୍ରତିଯୋଗୀଙ୍କ ପ୍ରତିଭା, ଦୂରଦୃଷ୍ଟି ଓ ସ୍ମାର୍ଟନେସ୍ ଉପରେ ଗୁରୁତ୍ବ ଦିଆଯାଇଥାଏ। ଅଡିସନ ପାଇଁ ପ୍ରତିଯୋଗୀଙ୍କ ବୟସ ସୀମା ରହିଛି ୫ରୁ ୨୫ ବର୍ଷ । ରଜ କୁଇନର ଅଡିସନରେ ଭାଗନେବା ପାଇଁ ଆଗେଇ ଆସନ୍ତୁ, ଲୁଚି ରହିଥିବା ନିଜ ପ୍ରତିଭା ଦେଖାନ୍ତୁ , ଆଉ ପିନ୍ଧନ୍ତୁ ରଜ କୁଇନ୍-୨୦୨୨ର ମୁକୁଟ। ଅଡିସନ୍ ରାଉଣ୍ଡର ପ୍ରସାରଣ ୧୮ ଏପ୍ରିଲରୁ ଆରମ୍ଭ ହେବ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୫ଟାରେ।

ଚଳିତ ବର୍ଷ ରଜକୁଇନ୍ ର ଅଡିସନ୍ କେନ୍ଦ୍ରାପଡ଼ା ଓ ପୁରୀ ଏପ୍ରିଲ ୧୬,କଟକ ଓ ଜଗତସିଂହପୁର ଏପ୍ରିଲ ୧୭, ଭୁବନେଶ୍ୱର ଓ ବ୍ରହ୍ମପୁର ଏପ୍ରିଲ ୨୪, କେନ୍ଦୁଝର ଓ ସମ୍ବଲପୁର ଏପ୍ରିଲ ୩୦ ଏବଂ ଅନୁଗୁଳ ଓ ରାଉରକେଲା ମେ ୧ ତାରିଖ ରେ ଅନୁଷ୍ଠିତ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ମାର୍ଚ୍ଚ ୧୪ରୁ ଜୀ ସାର୍ଥକରେ ଆସୁଅଛି ଅନୁ ଚୌଧୁରୀଙ୍କ ଅଭିନିତ ମେଗା ଧାରାବାହିକ “ସର୍ବଜିତା ଅନୁ”

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ। ଦୀର୍ଘ ୨ ଦଶନ୍ଧି ଧରି ୬୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ। ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ। ସେ ଯେ, କେବଳ ଓଲିଉଡରେ ଚର୍ଚ୍ଚିତା ତାହା ନୁହେଁ, ବେଙ୍ଗଲୀ, ତେଲଗୁ ଏବଂ ହିନ୍ଦୀ ଫିଲ୍ମସରେ ମଧ୍ୟ ଦର୍ଶକ ଦେଖିଛନ୍ତି ତାଙ୍କ ଅଭିନୟ। ଗ୍ଲାମର ଇଣ୍ଡଷ୍ଟ୍ରିରେ ବେଶ୍ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ମସିହାରେ ଫିଲ୍ମ ଶାଶୂଘର ଚାଲିଯିବିରେ ଆକର୍ଷଣୀୟ ଅଭିନୟ ପାଇଁ ମିଳିଥିଲା ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର। ନାୟିକା ଅନୁ ପୁଣି ଆସୁଛନ୍ତି ଦର୍ଶକଙ୍କ ହୃଦୟରେ ଘର କରିବାପାଇଁ। ଜୀ ସାର୍ଥକର ମେଗା ଧାରାବାହିକ ସର୍ବଜିତା ଅନୁରେ ଲିଡ ରୋଲରେ ଆସୁଛନ୍ତି ଅନୁ ଚୌଧୁରୀ।

ଜୀ ସାର୍ଥକ ସଦା ସର୍ବଦା ତାର ଦର୍ଶକ ମାନଙ୍କ ପାଇଁ ମନପସନ୍ଦର ଧାରାବାହିକ ନେଇ ଆସିଥାଏ। ଓଡିଆ କଳା, ସଂସ୍କୃତି ଓ ଚାଲିଚଳନକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି ଜୀ ସାର୍ଥକ। ଏହି ଧାରାରେ ସାମିଲ ହେବାକୁ ଯାଉଛି ମେଗା ଧାରାବାହିକ “ସର୍ବଜିତା ଅନୁ”।

ଆଗରୁ “କେମିତି କହିବି କହ”ରେ ସୁପରଷ୍ଟାର ସିଦ୍ଧାନ୍ତ ଓ “ଦାଦାଗିରି”ରେ ଅନୁଭବଙ୍କ ଜଲୱା ପରେ ଏବେ “ସର୍ବଜିତା ଅନୁ”ରେ ଦର୍ଶକ ଦେଖିବେ ଏଭରଗ୍ରିନ୍ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ। ଆସନ୍ତା ୧୪ ତାରିଖ ଠାରୁ ସନ୍ଧ୍ୟା ୮ ଟାରେ ଏହି ମେଗା ଧାରାବାହିକ ପ୍ରସାରଣ ଆରମ୍ଭ ହେବ। ଏହାକୁ ନେଇ ଦର୍ଶକଙ୍କ ଭିତରେ ରହିଛି ଅନେକ ଉତ୍କଣ୍ଠା ରହିଛି। ପୂର୍ବ ସିରିଏଲ୍ ପରି “ସର୍ବଜିତା ଅନୁ” ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୁରଣ କରିବ ବୋଲି କହିଛନ୍ତି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଶ୍ରୀ ଅର୍ଘ୍ୟ ରାୟ ଚୌଧୁରୀ।

Categories
ଆଜିର ଖବର ମନୋରଂଜନ

ଅନୁଭବଙ୍କ ସହ “ଦାଦାଗିରି”ରେ ଭାଗ ନେବେ “ଦିବ୍ୟଦୃଷ୍ଟି”ର କଳାକାର

ଭୁବନେଶ୍ଵର: ବର୍ତ୍ତମାନ ଓଡ଼ିଶାର ଜୀ-ସାର୍ଥକ ଚ୍ୟାନେଲ୍‌ରେ ‘ଦାଦାଗିରି ହୃଦୟରୁ’ ଏକ ରିଅଲିଟି ସୋ’ ଚାଲିଛି। ଏହି ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ଦାଦାଗିରିର ଆଗାମୀ ଏପିସୋଡରେ “ଦିବ୍ୟଦୃଷ୍ଟି” ମେଗା ଧାରାବାହିକର ମୁଖ୍ୟ କଳାକାରମାନେ ଭାଗ ନେବେ। “ଦିବ୍ୟଦୃଷ୍ଟି” ମେଗା ଧାରାବାହିକର ମୁଖ୍ୟ କଳାକାର ଦିବ୍ୟ, ଦୃଷ୍ଟି, ଜସ୍ମୀନ୍ ଓ ସୁନନ୍ଦା ପ୍ରମୁଖ ଭାଗନେଇ ଦର୍ଶକମାନଙ୍କୁ  ଆନନ୍ଦିତ କରିବେ।

ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। କିଛିଦିନ ତଳେ ଦର୍ଶକ ଜୀ-ସାର୍ଥକ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ଧାରାବାହିକ,”ଝିଲି” ‘ବିଜୟୀନି’ ,”ତୋ ପାଇଁ ମୁଁ ମୋ ପାଇଁ ତୁ”ର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଏହି ସୋ’ର ଏକ ବିଶେଷ ଅଧ୍ୟାୟ ଦେଖିଥିଲେ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର,ଦିପ୍ତୀରେଖା,ଅସୀମା ପଣ୍ଡା,ପ୍ରଜ୍ଞା ଙ୍କୁ ନେଇ ବିଶେଷ ଅଧ୍ୟାୟ ହୋଇ ବେଶ୍ ଜନାଦୃତ ହୋଇସାରିଛି।

ଏଥି ପୂର୍ବରୁ ବିଗତ ଅଧ୍ୟାୟରେ ବିଜୟିନୀର ଅଭିନେତ୍ରୀ ଦୀପିକା ତ୍ରିପାଠୀ, ଅଭିନେତା ବିଶ୍ବଭୂଷଣ, ସାଗର ଓ ବାଦଲ ମଧ୍ୟ ଯୋଗଦେଇ ଅନୁଭବଙ୍କ ସହ ମଜାମସ୍ତି କରିଥିଲେ। ଅନୁଭବଙ୍କ ଏହି ରିଆଲିଟି ସୋ’ ସଂଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ସୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି।

୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି ପାଇବାର ମୁଖ୍ୟ ଭୂମିକା ନେଉଛନ୍ତି। “ଦିବ୍ୟଦୃଷ୍ଟି” ର କଳାକାରମାନଙ୍କୁ ନେଇ ପ୍ରସ୍ତୁତ ବିଶେଷ ଅଧ୍ୟାୟ ଆସନ୍ତା ରବିବାର ଫେବୃଆରୀ ୨୭ ରାତି ୯ଟା ରେ ପ୍ରସାରିତ ହେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସୌରଭ ଗାଙ୍ଗୁଲିଙ୍କ ସହ ଅନୁଭବ କରିବେ “ଦାଦାଗିରି” ହୃଦୟରୁ

ଭୁବନେଶ୍ବର: ସମସ୍ତଙ୍କ ପ୍ରିୟ କ୍ରିକେଟିୟର ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏଥର ଓଡ଼ିଆ ଟେଲି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସିବେ। ସେ ଜୀ ସାର୍ଥକ ଓଡ଼ିଆର ସବୁଠାରୁ ବ୍ୟୟ ବହୁଳ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି”କୁ ଆସିବେ।

ସୌରଭ ଗାଙ୍ଗୁଲି ଯେକି ଜି ବଙ୍ଗଳାରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି” ର ପରିଚାଳକ। ସେ ବିଗତ ୯ ବର୍ଷଧରି “ଦାଦାଗିରି” ଧାରାବାହିକକୁ ସଂଚାଳନା କରି ଆସୁଛନ୍ତି। ଏଥର ଓଡ଼ିଶାର ଜୀ ସାର୍ଥକ ଚ୍ୟାନେଲରେ ଚାଲୁଥିବା ଧାରାବାହିକ “ଦାଦାଗିରି” ର ସ୍ବତନ୍ତ୍ର ଅଧ୍ୟାୟରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି। “ଦାଦାଗିରି” ର ଏହି ସପ୍ତମ ଅଧ୍ୟାୟ ଆସନ୍ତା ଶନିବାର ଫେବୃଆରୀ ୫ ରାତି ୯ ଟାରେ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ତରଫରୁ ପ୍ରକାଶ।

ଓଡ଼ିଆ ଟେଲି ଦର୍ଶକଙ୍କୁ ଆମୋଦିତ କରିବେ କ୍ରିକେଟର ସୌରଭ ଗାଙ୍ଗୁଲି। ଏବେ ଓଡ଼ିଶାରେ ଜୀ-ସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। କିଛିଦିନ ତଳେ ଦର୍ଶକ ଜୀ-ସାର୍ଥକ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ଧାରାବାହିକ,”ଝିଲି” ‘ବିଜୟୀନି’,”ତୋ ପାଇଁ ମୁଁ ମୋ ପାଇଁ ତୁ”ର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଏହି ସୋ’ର ଏକ ବିଶେଷ ଅଧ୍ୟାୟ ଦେଖିଥିଲେ। ଅଭିନେତ୍ରୀ ଦୀପିକା ତ୍ରିପାଠୀଙ୍କ ନିପୁଣ ନୃତ୍ୟ ସହ ଉକ୍ତ ଏପିସୋଡ୍‌ରେ ଅଭିନେତା ବିଶ୍ବଭୂଷଣ, ସାଗର ଓ ବାଦଲ ମଧ୍ୟ ଯୋଗଦେଇ ଅନୁଭବଙ୍କ ସହ ମଜାମସ୍ତି କରିଥିଲେ।

ଅନୁଭବଙ୍କ ଏହି ରିଆଲିଟି ସୋ’ ସଂଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ସୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି। ୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନେଉଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକରେ ଅଭିନେତା ଅନୁଭବ ମହାନ୍ତିଙ୍କ ନୂଆ ଗେମ୍ ସୋ “ଦାଦାଗିରି”

ଭୁବନେଶ୍ବର: ଜୀବନର ଛୋଟରୁ ଛୋଟ କାମ ବି ନିଏ ବିଶାଳ ରୂପ। ଯଦି ସେଥିରେ ଥାଏ, ହୃଦୟର ସ୍ପର୍ଶ। ଛୋଟରୁ ଛୋଟ ସ୍ଵପ୍ନ ଦିନେ ଛୁଏଁ, ସଫଳତାର ଶିଖର। ଯଦି ତାହା ଦେଖାହୁଏ ହୃଦୟରୁ। ଏକଥା ଅନୁଭବଙ୍କର ନୁହଁ… ତାଙ୍କ ମାଆଙ୍କର। ତେଣୁ ଆଜି ଯାଏଁ ଅନୁଭବ ଯାହା କିଛି କରିଛନ୍ତି ତାଙ୍କ ହୃଦୟରୁ। ଆଉ ଓଡ଼ିଶାର ପ୍ରତିଟି ପ୍ରାନ୍ତରେ ତାଙ୍କ ଭଳି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଦିନରାତି କାମ କରନ୍ତି ହୃଦୟରୁ।

ଏଭଳି ବ୍ୟକ୍ତିତ୍ଵଙ୍କୁ ନେଇ ପ୍ରଥମ ଥର ଓଲିଉଡ ସୁପର୍‌ଷ୍ଟାର୍ ଅନୁଭବ ଆସୁଛନ୍ତି। ଓଡ଼ିଶା ଟେଲିଭିଜନ ଇତିହାସରେ ସବୁଠୁ ବଡ଼ ମନୋରଞ୍ଜନ ଭରା ରିୟାଲିଟି ଶୋ’ ‘ଦାଦାଗିରି’ରେ। ଯେଉଁଠି ଅନୁଭବଙ୍କ ସହିତ ଭାଗନେବେ ଓଡ଼ିଶାର ୩୦ଟି ଜିଲ୍ଲା ଏବଂ ତାଙ୍କ ସହିତ କରିବେ ଦାଦାଗିରି ହୃଦୟରୁ।

ଜୀସାର୍ଥକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଦର୍ଶକମାନଙ୍କୁ ସାଥୀରେ ସବୁବେଳେ ଥାଏ। ଦର୍ଶକମାନଙ୍କ ପାଇଁ ଦର୍ଶକମାନଙ୍କ ସହ ମିଶି ଏହିପରି ଏକ ନୂଆ ମେଗା ରିଅଲିଟି ଶୋ’ ‘ଦାଦାଗିରି’ର ପରିକଳ୍ପନା କରିଛି।

ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ରର ସୁପର୍‌ଷ୍ଟାର୍ ଅନୁଭବ କରିବେ ଦାଦାଗିରି। ଆଉ କାହା ସହ ନୁହେଁ, ଜୀସାର୍ଥକର ଦର୍ଶକମାନଙ୍କ ସହ।

ଆସନ୍ତା ଜାନୁଆରୀ ୧୫ ତାରିଖ ରାତି ୯ଟା ରେ ଜୀସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ଏହି ନିଆରା କାର୍ଯ୍ୟକ୍ରମ। ଯେଉଁଥିରେ ଦାଦାଗିରି ଦେଖାଇବେ ଦମଦାର ଅଭିନେତା ଅନୁଭବ। ସବୁରି ପ୍ରିୟ ମେଳାପି, ବନ୍ଧୁ ବତ୍ସଳ ଅନୁଭବ ଏଥର ଦର୍ଶକମାନଙ୍କ ହୃଦୟରେ କରିବେ ରାଜ୍। ସେଥିପାଇଁ ଉତ୍ସାହିତ ଅନୁଭବପ୍ରେମୀ।

ସବୁବେଳେ ବଡ଼ ପରଦାରେ ନିଜ ପ୍ରିୟ ଷ୍ଟାରଙ୍କୁ ଦେଖୁଥିବା ଦର୍ଶକ ଏବେ ଛୋଟ ପରଦାରେ ସେ ସୁଯୋଗ ପାଇବେ। ଚ୍ୟାନେଲ ମୁଖ୍ୟ ଅର୍ଘ୍ୟ ରାୟଚୌଧୂରୀ ଏହି କାଯ୍ୟକ୍ରମ ପ୍ରସାରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଯେ “ଏହି ନିଆରା ରିଆଲିଟି ଗେମ ଶୋ “ଦାଦାଗିରି” ହୃଦୟରୁ ଏହି କାର୍ଯ୍ୟକ୍ରମ ନିଶ୍ଚିତଭାବରେ ଦର୍ଶକଙ୍କମନକୁ ଛୁଇଁବ ଓ ପ୍ରଭାବିତ କରିବ। ଜୀ ସାର୍ଥକ ତାର ଅଗଣିତ ଦର୍ଶକଙ୍କ ମନୋରଞ୍ଜନ ସକାଶେ ନିରନ୍ତନ ଉଦ୍ୟମ କରିଆସିଛି ଏବଂ ଆଗମୀଦିନରେ ଏହି ପ୍ରୟାସ ଜାରୀ ରହିବ।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ଓଡିଆ ମନୋରଂଜନ ଜଗତରେ ସୃଷ୍ଟି ହେବ ହଇଚଇ, ଷ୍ଟାର ଟିଭି ଆଣୁଛି ଦୁଇଟି ନୂଆ ଓଡିଆ ଚ୍ୟାନେଲ

ନୂଆଦିଲ୍ଲୀ, ଓଡିଶା ମନୋରଂଜନ ଜଗତରେ ଆସିଛୁ ଆଉ ଏକ ବଡ ବିପ୍ଲବ। ତାହା ହେଲା ଦେଶର ନାମଜାଦା ମନୋରଂଜନ ଧର୍ମି ଟିଭି କଂପାନୀ ‘ଷ୍ଟାର ଇଣ୍ଡିଆ’ ଓଡିଶାରେ ଖୋଲୁଛି ଦୁଇଟି ନୂଆ ଚ୍ୟାନେଲ। ତାହାର ନାମ ହେଲା ‘ଷ୍ଟାର କିରଣ’ ଏବଂ ‘ଷ୍ଟାର କିରଣ ଏଚଡି’। ଏହି ଦୁଇଟି ଚ୍ୟାନେଲକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଲାଇସେନସ ପ୍ରଦାନ କରାଯାଇଛି।

ଷ୍ଟାର ଟିଭି ବର୍ତ୍ତମାନ ବିଶ୍ବର ନାମଜାଦା ଟେଲିଭିଜନ କଂପାନୀ ଡିଜିନ୍ ଦ୍ବାରା ପରିଚାଳିତ ହେଉଛି। ଏହି କଂପାନୀକୁ ଚାରୋଟି ଚ୍ୟାନେଲ ପାଇଁ ଲାଇସେନସ ମିଳିଛି। ଓଡିଶା ପାଇଁ ଏହି ଦୁଇଟି ସହିତ ଷ୍ଟାର ସ୍ପୋର୍ଟସ ୱାନ ତେଲୁଗୁ ଏବଂ ଷ୍ଟାର ଗୋଲ୍ଡ ଫାମିଲି ଲାଇସେନସ ହାସଲ କରିଛି।

ଏହି ଦୁଇଟି ଚ୍ୟାନେଲ ପାଇଁ ଲାଇସେନସ ମିଳିବା ପୂର୍ବରୁ କଂପାନୀ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଏ ନେଇ କଂପାନୀର କୋଲକାତା ଏବଂ ମୁମ୍ବାଇ ଅଧିକାରୀମାନେ ଦୁଇଥର ଓଡିଶା ଆସି ଓଡିଆ ଟେଲିଭିଜନ ପ୍ରଯୋଜକଙ୍କ ସହିତ ଆଲୋଚନା କରି ସାରିଲେଣି। କଣ ଏବଂ କି ପ୍ରକାରର ନୂଆ ନୂଆ କାର୍ଯ୍ୟକ୍ରମ ଓ ଧାରାବାହିକ ହେବ ସେ ନେଇ ବୈଠକ ହୋଇ ସାରିଛି। ଫଳରେ କଂପାନୀ ଏକ ବ୍ୟବସାୟିକ ଢଙ୍ଗରେ ଚ୍ୟାନେଲ ଆରମ୍ଭ କରିବା ବୋଲି ଜଣାପଡିଛି।

ବର୍ତ୍ତମାନ ଓଡିଶାରେ ପାଞ୍ଚୋଟି ମନୋରଂଜନ ଧର୍ମି ଚ୍ୟାନେଲ ପ୍ରସାରଣ ହେଉଛି। ସେଗୁଡିକ ହେଲା ଜୀ ସାର୍ଥକ, ତରଙ୍ଗ ଟିଭି, ମଞ୍ଜରୀ ଟିଭି, କଲରସ ଓଡିଆ ଏବଂ ସିଦ୍ଧାର୍ଥ ଟିଭି। ସେଥିମଧ୍ୟରୁ କେବଳ ଜୀ ସାର୍ଥକ ଏବଂ କଲରସ ଓଡିଆ ହେଉଛି ଜାତୀୟ ସ୍ତରର ମନୋରଂଜନ ଧର୍ମି ଚ୍ୟାନେଲ। ଓଡିଶାରେ ଷ୍ଟାରର ଏହି ଦୁଇଟି ନୂଆ ଚ୍ୟାନେଲର ପ୍ରସାରଣ ଆରମ୍ଭ ହେଲେ ଏହି ସଂଖ୍ୟା ସାତ ହେବ।

ଦୀର୍ଘବର୍ଷ ଧରି ଓଡିଶାର ମନୋରଂଜନ ବଜାରରେ ଜୀ ସାର୍ଥକ ଏବଂ ତରଙ୍ଗ ଟିଭି ସେମାନଙ୍କ ଆଧିପତ୍ୟ ବିସ୍ତାର କରି ରହିଛନ୍ତି। ଅନ୍ୟ ଚ୍ୟାନେଲଗୁଡିକ ସେହିପରି ଆକର୍ଷଣୀୟ କାର୍ଯ୍ୟକ୍ରମ ଦେବାରେ ବିଫଳ ହୋଇଛନ୍ତି। କଲରସ ଓଡିଆ ଭାରତର ନାମଜାଦା ଭାୟାକମ-18 କଂପାନୀର ହୋଇଥିଲେ ମଧ୍ୟ କର୍ତ୍ତୁପକ୍ଷ ଓଡିଆ ଚ୍ୟାନେଲ ପ୍ରତି ସେମିତି ଗୁରୁତ୍ବ ପ୍ରଦାନ କରୁ ନାହଁନ୍ତି। ଫଳରେ ଓଡିଆ ଦର୍ଶକଙ୍କୁ ନୂଆନୂଆ କାର୍ଯ୍ୟକ୍ରମ ଦେବାରେ ଏହି ଚ୍ୟାନେଲଟି ମଧ୍ୟ ବିଫଳ ହୋଇଛି। ସେହିପରି ଓଡିଶା ମିଡିଆ ଜଗତର ନାମାଜାଦା ବ୍ୟକ୍ତିତ୍ବ ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ମଂଜରୀ ଟିଭି ମଧ୍ୟ ଭଲ ପ୍ରଦର୍ଶନ କରିପାରୁ ନାହିଁ।

ଓଡିଶାର ମନୋରଂଜନ ଶିଳ୍ପର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ବ ସୀତାରାମ ଅଗ୍ରୱାଲା ମଧ୍ୟ ନୂଆ ଚ୍ୟାନେଲ ବଜାରକୁ ଆଣିଛନ୍ତି। ଯାହାର ନାମ ରହିଛି ସିଦ୍ଧାର୍ଥ ଟିଭି। ପୂର୍ବରୁ ସୀତାରାମ ସାର୍ଥକ ଟିଭି ପ୍ରତିଷ୍ଠା କରି ବେଶ୍ ଲୋକପ୍ରିୟ କରାଇ ପାରିଥିଲେ। ଯାହା ପରବର୍ତ୍ତି ସମୟରେ ଜୀ ଏଣ୍ଟରଣ୍ଟେନମେଣ୍ଟ କଂପାନୀକୁ ବିକ୍ରି କରିଦେଲେ। ବର୍ତ୍ତମାନ ଏହା ‘ଜୀ ସାର୍ଥକ’ ଭାବେ ପ୍ରସାରଣ ହେଉଛି। ତେବେ ସୀତାରାମଙ୍କ ସିଦ୍ଧାର୍ଥ ଟିଭି ନୂଆ ଭାବେ ବଜାର ପ୍ରବେଶ କରିଥିବାରୁ ଏହା ଲୋକପ୍ରିୟତା ହାସଲ କରିବା ଅପେକ୍ଷାରେ ରହିଛି।

ତେବେ ଏସବୁ ପ୍ରତିଯୋଗୀତା ଭିତରେ ଷ୍ଟାର କିରଣ ନିଶ୍ଚିତ ଭାବେ ଓଡିଶା ମନୋରଂଜନ ବଜାରରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଷ୍ଟାର କିରଣ ଏଚଡି ଚ୍ୟାନେଲ ଓଡିଶା ବଜାର ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିବ। କାରଣ ବର୍ତ୍ତମାନ ଜାତୀୟ ତଥା ଅନେକ ଆଞ୍ଚଳିକ ଭାଷାରେ ଏଚଡି ବା ହାଇ ଡେଫିନେସନ ଚ୍ୟାନେଲ ରହିଥିଲେ ମଧ୍ୟ ଓଡିଶାରେ ଏହା ନାହିଁ। ଷ୍ଟାର କିରଣ ଏଚଡି ଚ୍ୟାନେଲ ନିଶ୍ଚିତ ଭାବେ ଓଡିଶା ଦର୍ଶକଙ୍କୁ ଏକ ନୂଆ ସ୍ବାଦ ପ୍ରଦାନ କରିବ।

(ଏଥିରେ ବ୍ୟବହାର କରାଯାଇଥିବା ଫଟୋଟି ସୋସିଆଲ ମିଡିଆରୁ ସଂଗ୍ରହ କରାଯାଇଛି। ଏହା କଂପାନୀ ଘୋଷିତ ଲୋଗୋ ନୁହେଁ)