Categories
ଆଜିର ଖବର ରାଜ୍ୟ ଖବର

ଗଣତନ୍ତ୍ରର ବିଜୟ, ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରି କହିଛନ୍ତି ଯେ, ତାଙ୍କ ସରକାର ଯେଉଁ ତିନୋଟି କୃଷି ଆଇନକୁ ପାରିତ କରିଥିଲା ସେ ସମସ୍ତ କୃଷି ଆଇନକୁ ଆସନ୍ତା ଶୀତକାଳୀନ ଅଧିବେଶନରେ ସଂସଦରେ ରୁଦ୍ଧ କରାଯିବ। ଆଜକୁ ଦୀର୍ଘ ୧୩ ମାସ କାଳ ଧରି କୃଷକମାନେ ଏହି କଳା କୃଷି ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି। ସାରା ଭାରତବର୍ଷର ଅନ୍ନଦାତା ଏ ଆଇନକୁ ରୁଦ୍ଧ ବା ଆଇନର ପରିବର୍ତ୍ତନ କରିବା ପାଇଁ ବାରମ୍ବାର ମୋଦି ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜି ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଡଃ ଏ ଚେଲ୍ଲା କୁମାର ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଭାରତ ବର୍ଷର ନରେନ୍ଦ୍ର ମୋଦି ସରକାର ଯେଉଁ କଳା କୃଷି ଆଇନ ପ୍ରଣୟନ କରିଥିଲେ ତାହା ଆଜି ସେ ନିଜେ ଏବଂ ତାଙ୍କ ସରକାର ଏ ଆଇନକୁ ରୁଦ୍ଧ କରିବାର ଘୋଷଣା କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଭାରତବର୍ଷର କୋଟି କୋଟି କୃଷକ ଯେଉଁ ଆନ୍ଦୋଳନ ଜାରି ରଖିଥିଲେ ତାହା ନ୍ୟାୟ ସଂଗତ ଓ କୃଷକ ବିରୋଧି ଥିଲା ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣି । ଏହି ବିଜୟ ଭାରତ ବର୍ଷର କୃଷକଙ୍କର ବିଜୟ, ଗଣତନ୍ତ୍ରର ବିଜୟ, ସତ୍ୟର ବିଜୟ ଓ ଅହଂକାରର ପରାଜୟ ବୋଲି ସେ କହିଥିଲେ।

ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜି ଯେଉଁ ୭୦୦ ରୁ ଅଧିକ କୃଷକ ମୃତ୍ୟୁବରଣ କଲେ। ସେମାନଙ୍କ ପଛପଟୁରୁ ଗାଡ଼ି ଚଢ଼ାଇ ଓ ଟ୍ରାକ୍ଟର ଚଢ଼ାଇ ମାରିଦିଆଗଲା ଏବଂ ତାଙ୍କ ନାଁରେ ବିଭିନ୍ନ ଆତଙ୍କବାଦ ଆଇନ ବଳରେ ଯେଉଁ କେସ ଦାୟର ହୋଇଛି, ସେଥିପାଇଁ ନରେନ୍ଦ୍ର ମୋଦି ଦାୟୀ ରହିବେ କି ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି। ଆଜି ଯଦି ସରକାର ନିଷ୍ପତ୍ତି ନେଇପାରିଲେ ତାହାହେଲେ କାହଁକି କୃଷକମାନଙ୍କୁ ଆତଙ୍କବାଦୀ ବୋଲି ଚିତ୍ରଣ କରାଯାଇଥିଲା। ଅହଂକାର ଓ ସଂଖ୍ୟାର କେବେ ଜୟ ହୋଇ ନାହିଁ, ଗଣତନ୍ତ୍ରର ଜୟହିଁ ହୋଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଜି ରୁଦ୍ର ରାଜୁ, ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ଯଜ୍ଞେଶ୍ୱର ବାବୁ ଏବଂ ବରିଷ୍ଠ ମୁଖପାତ୍ର ତଥା ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କୃଷି ଆଇନ ପ୍ରତ୍ୟାହାର ଉଦବୋଧନ ସମୟରେ ଆହୁରି ଅନେକ କଥା କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଉଦବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ ଗୁରୁ ନାନକ ଦେବଙ୍କ ଜୟନ୍ତୀ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି। ଦେଢ଼ ବର୍ଷର ବ୍ୟବଧାନ ପରେ କରତାରପୁର ସାହିବ କରିଡର ପୁଣିଥରେ ଖୋଲିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, “ପାଞ୍ଚ ଦଶନ୍ଧିର ସାର୍ବଜନୀନ ଜୀବନରେ ମୁଁ ଚାଷୀମାନେ ସମ୍ମୁଖିନ ହେଉଥିବା ସମସ୍ୟାଗୁଡ଼ିକୁ ଅତି ନିକଟରୁ ଦେଖିଛି। ଏହି କାରଣରୁ ୨୦୧୪ରେ ମୋତେ ଯେତେବେଳେ ଦେଶରେ ପ୍ରଧାନସେବକ ଭାବେ ଦେଶସେବା କରିବାର ସୁଯୋଗ ମିଳିଲା, ଆମେ କୃଷି ବିକାଶ ଏବଂ କୃଷକଙ୍କ କଲ୍ୟାଣ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲୁ। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ଲାଗି, ଆମେ ବିହନ, ବୀମା, ବଜାର ଓ ସଞ୍ଚୟ, ଏସବୁ ଉପରେ ଚତୁର୍ଦ୍ଦିଗରୁ ପ୍ରୟାସ କଲୁ। ସରକାର ଉନ୍ନତ କିସମର ବିହନ ସହିତ ଚାଷୀମାନଙ୍କୁ ନିମ୍ବ ମିଶ୍ରିତ ୟୁରିୟା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କ୍ଷୁଦ୍ର ଜଳସେଚନ ଭଳି ସୁବିଧା ସହ ଯୋଡ଼ିଲେ।

ଚାଷୀମାନେ ସେମାନଙ୍କ କଠିନ ପରିଶ୍ରମ ବଳରେ ଉତ୍ପାଦନ କରିଥିବା ଫସଲର ଯେପରି ଉଚିତ୍ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଗ୍ରହଣ କରାଯାଇଥିବା ଅନେକଗୁଡ଼ିଏ ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଦେଶ ନିଜର ଗ୍ରାମୀଣ ବଜାର ଭିତ୍ତିଭୂମିକୁ ସୁଦୃଢ଼ କରିଥିବା ସେ କହିଥିଲେ। “ଆମେ କେବଳ ଏମଏସପି ବୃଦ୍ଧି କରିନାହୁଁ, ବରଂ ରେକର୍ଡ ସଂଖ୍ୟକ ସରକାରୀ କ୍ରୟ କେନ୍ଦ୍ର ନିର୍ମାଣ କରିଛୁ। ଆମ ସରକାରଙ୍କ ପକ୍ଷରୁ କରାଯାଇଥିବା ଫସଲ କ୍ରୟ ପ୍ରକ୍ରିୟା ବିଗତ କିଛି ଦଶନ୍ଧିର ସମସ୍ତ ରେକର୍ଡ ଭାଙ୍ଗିଛି,” ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, କୃଷକମାନଙ୍କ ସ୍ଥିତିରେ ସୁଧାର ଆଣିବା ଲାଗି ଏହି ମହାଅଭିଯାନରେ ଦେଶରେ ତିନୋଟି କୃଷି ଆଇନ ଅଣାଯାଇଥିଲା। ଲକ୍ଷ୍ୟ ଥିଲା ଯେ ଦେଶର କୃଷକମାନଙ୍କୁ, ବିଶେଷ କରି କ୍ଷୁଦ୍ର ଚାଷୀମାନଙ୍କୁ, ଆହୁରି ଶକ୍ତି ମିଳୁ, ସେମାନଙ୍କୁ ନିଜ ଫସଲର ଉଚିତ୍ ମୂଲ୍ୟ ଏବଂ ଫସଲ ବିକ୍ରି କରିବା ଲାଗି ଅଧିକରୁ ଅଧିକ ବିକଳ୍ପ ମିଳିପାରୁ।

ମୋଦୀ କହିଥିଲେ, ଦୀର୍ଘ ବର୍ଷ ଧରି ଦେଶର ଚାଷୀ, ଦେଶର କୃଷି ବିଶେଷଜ୍ଞ, ଦେଶର ଚାଷୀ ସଂଗଠନ ଲଗାତାର ଏହି ଦାବି କରି ଆସୁଥିଲେ। ପୂର୍ବରୁ ଅନ୍ୟ ସରକାରମାନେ ଏ ସମ୍ପର୍କରେ ମାନସମନ୍ଥନ କରିଥିଲେ। ଏଥର ମଧ୍ୟ ସଂସଦରେ ଆଲୋଚନା ହେଲା, ମାନସମନ୍ଥନ ହେଲା ଏବଂ ଏହି ଆଇନ ଆସିଲା। ଦେଶର କୋଣ ଅନୁକୋଣରେ କୋଟି କୋଟି ଚାଷୀ, ଅନେକ ଚାଷୀ ସଂଗଠନ, ଏହାକୁ ସ୍ୱାଗତ କଲେ, ସମର୍ଥନ କରିଥିଲେ। ଆଇନକୁ ସମର୍ଥନ କରିଥିବା ସଂଗଠନ, ଚାଷୀ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଏହି ଅବସରରେ କୃତଜ୍ଞତା ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ କଲ୍ୟାଣ, ବିଶେଷ କରି କ୍ଷୁଦ୍ର ଚାଷୀଙ୍କ ଲାଭ, କୃଷି କ୍ଷେତ୍ରର ହିତ, ‘ଗାଁ-ଗରିବ’ଙ୍କ ଉଜ୍ଜ୍ବଳ ଭବିଷ୍ୟତ ଲକ୍ଷ୍ୟ ନେଇ, ସମ୍ପୂର୍ଣ୍ଣ ସଚ୍ଚୋଟ, ସ୍ପଷ୍ଟ ଉଦ୍ଦେଶ୍ୟରେ ଏବଂ ଚାଷୀମାନଙ୍କ ପ୍ରତି ସମର୍ପିତ ଏହି ତିନୋଟି କୃଷି ଆଇନ ସରକାର ଆଣିଥିଲେ। ସେ ଆହୁରି କହିଥିଲେ ଯେ, କିନ୍ତୁ ଏତେ ପବିତ୍ର କଥା, ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ, ଚାଷୀଙ୍କ ହିତର କଥାକୁ, ଆମେ ଅନେକ ପ୍ରୟାସ ସତ୍ତ୍ୱେ କିଛି କୃଷକମାନଙ୍କୁ ବୁଝାଇ ପାରିଲୁ ନାହିଁ। କୃଷି ଅର୍ଥନୀତଜ୍ଞ, ବୈଜ୍ଞାନିକ, ପ୍ରଗତିଶୀଳ ଚାଷୀମାନେ ମଧ୍ୟ ସେମାନଙ୍କୁ କୃଷି ଆଇନର ଗୁରୁତ୍ୱ ବୁଝାଇବା ଲାଗି ଭରପୂର ପ୍ରୟାସ ମଧ୍ୟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ଆଜି ମୁଁ ଆପଣମାନଙ୍କୁ, ସାରା ଦେଶକୁ, ଏକଥା କହିବାକୁ ଆସିଛି ଯେ ଆମେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ଚଳିତ ମାସ ଶେଷ ଭାଗରେ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ, ଆମେ ଏହି ତିନୋଟି ଚାଷୀ ଆଇନକୁ ଉଚ୍ଛେଦ କରିବା ଲାଗି ସାମ୍ବିଧାନିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଦେବୁ।

ପବିତ୍ର ଗୁରୁପରବର ଭାବନା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆମେ ପରସ୍ପରକୁ ଦୋଷ ଦେବାରେ ଲିପ୍ତ ନରହି ଚାଷୀଙ୍କ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବା ଉଚିତ୍। କୃଷି କ୍ଷେତ୍ରରେ ପାଇଁ ପ୍ରଧାନମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଶୂନ୍ୟ ବଜେଟ୍ ଆଧାରିତ କୃଷି, ଦେଶର ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ଫସଲର ପଦ୍ଧତିକୁ ବଦଳାଇବା, ଏମଏସପି ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ଲାଗି ଏକ କମିଟି ଗଠନ କରିବା ନିମନ୍ତେ ସେ ଘୋଷଣା କରିଥିଲେ। ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ପ୍ରତିନିଧି, ଚାଷୀ, କୃଷି ବୈଜ୍ଞାନିକ ଏବଂ କୃଷି ଅର୍ଥନୀତିଜ୍ଞ ମାନେ ସାମିଲ ରହିବେ।

Categories
ଆଜିର ଖବର ଜାତୀୟ ଖବର

ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ କୃଷକ ନେତା ରାକେଶ ଟିକାଏତ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶକୁ ଦେଇଥିବା ସମ୍ବୋଧନରେ ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ପାଞ୍ଚ ଦଶନ୍ଧି ଧରି ତାଙ୍କ ସାଧାରଣ ଜୀବନରେ ମୁଁ କୃଷକଙ୍କ ଅସୁବିଧା ଏବଂ ଆହ୍ଵାନକୁ ଅତି ନିକଟରୁ ଅନୁଭବ କରିଛି। ରାଷ୍ଟ୍ରକୁ ସମ୍ବୋଧିତ କରି ସେ କ୍ଷୁଦ୍ର ଚାଷୀଙ୍କୁ ଉପକୃତ କରିବା ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ପରେ ଭାରତୀୟ କିଷାନ ୟୁନିଅନର ନେତା ତଥା ଜାତୀୟ ମୁଖପାତ୍ର ରାକେଶ ଟିକାଏତ ନିଜର ପ୍ରତିକ୍ରିୟା ରଖିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ପରେ ରାକେଶ ଟିକାଏତ କହିଛନ୍ତି ଯେ, ଏହି ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହୃତ ହେବ ନାହିଁ। ସଂସଦରେ କୃଷି ଆଇନ ରଦ୍ଦ ହେବାର ଦିନକୁ ଆମେ ଅପେକ୍ଷା କରିବୁ। ଏମଏସପି ସହିତ ସରକାର ଚାଷୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ।