Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନଭେମ୍ବର ୨୬ ତାରିଖରେ ସ୍କୁଲ କଲେଜରେ ପାଳିତ ହେବ ସମ୍ବିଧାନ ଦିବସ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ଦିବସ ନଭେମ୍ବର ୨୬କୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ ପାଇଁ ଜାତୀୟ ସ୍ତରରେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସରକାରୀ ଉଦ୍ୟୋଗ ବିଭାଗ ଦ୍ୱାରା ସେମାନଙ୍କ ଅଧିନସ୍ଥ ସ୍କୁଲ, କଲେଜ, ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ପ୍ରତିଷ୍ଠାନଗୁଡ଼ିକରେ ଏହି ସମ୍ବିଧାନ ଦିବସ ସ୍ୱତନ୍ତ୍ର ରୂପେ ପାଳିତ ହେବ। ଏହି ଦିବସ ପାଳନ ସମୟରେ ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ପାଠ କରାଯିବ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ମୁଖ୍ୟ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲାପାଳମାନେ ଏହି ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ମାନବସମ୍ବଳ ଓ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ପ୍ରଗତିରେ ସେମାନଙ୍କ କ୍ରିୟାଶୀଳ ଭୂମିକାକୁ ଉନ୍ନତ କରିବା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଆଜି ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗଦେଇ ଶ୍ରୀ ମହାପାତ୍ର ଉପରୋକ୍ତ ମର୍ମରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପଗୁଡ଼ିକ ନେଇ ଆଲୋକପାତ କରିଛନ୍ତି।

‘ବିକଶିତ ଭାରତ: ଦିଗନ୍ତ ପହୁଞ୍ଚ’ ଶୀର୍ଷକ ଏହି କର୍ମଶାଳାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିକଶିତ ଭାରତ ଓ ମାନବସମ୍ବଳ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ନେଇ ମୁଖ୍ୟ ଶାସନ ସଚିବ ବକ୍ତବ୍ୟ ରଖିଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ମଧ୍ୟ ବକ୍ତବ୍ୟ ରଖି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ସରକାର ଅନେକାନେକ ପଦକ୍ଷେପ ନେଇ ରାଜ୍ୟରେ ଦକ୍ଷତା ବିକାଶ ପରିମଣ୍ଡଳର ସ୍ଥିତି ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ହିମାଚଳ ପ୍ରଦେଶ, ଗୋଆ, ଜାମ୍ମୁ ଓ କାଶ୍ମୀର, ପଞ୍ଜାବ, ତ୍ରିପୁରା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ, ମଣିପୁର ତଥା କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଡାମନ-ଡିଉ-ଦାଦ୍ରା-ନଗର ହାବେଳୀ, ଲାକ୍ଷାଦ୍ୱୀପ, ଲାଦାକର ପ୍ରତିନିଧିମାନେ ଯୋଗଦେଇ ଦକ୍ଷତା ବିକାଶ ସ୍ଥିତି ନେଇ ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟର ଶାସନ ସଚିବ ଅତୁଲ ତିୱାରୀ ମଧ୍ୟ ବକ୍ତବ୍ୟ ରଖିଥିଲେ। କର୍ମଶାଳା ଆରମ୍ଭରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇ ରାଜ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରେଘୁ ଜିଙ୍କ ସମେତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅପରାହ୍ନର ଉଦ୍‌ଯାପନ ଅଧିବେଶନ ପରେ ପ୍ରତିନିଧି ଦଳ ଜଟଣୀସ୍ଥିତ ଦକ୍ଷତା ବିକାଶ ପ୍ରତିଷ୍ଠାନ ଓ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ତଥ୍ୟ ସଂପର୍କରେ ଅବଗତ ହୋଇଥିଲେ ଏବଂ ଉଭୟ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ତାଙ୍କୁ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଶର୍ମା ମନ୍ତ୍ରୀଙ୍କ ସହ ଅଧିକାରୀମାନଙ୍କ ପରିଚୟ କରାଇଥିଲେ।

ମନ୍ତ୍ରୀ କହିଥିଲେ ଯେ ଆଜିର ପିଢି ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାର ସମ୍ମୁଖୀନ ହେଉଛନ୍ତି। ସଂପ୍ରତି ଫିନ୍‌ଟେକ୍‌, ଏଜୁଟେକ୍‌ ଓ ଫୁଡ୍‌ଟେକ୍‌ କ୍ଷେତ୍ରରେ ଅଧିକ ନିଯୁକ୍ତିର ସୁଯୋଗ ରହିଛି। ଆମ ରାଜ୍ୟରେ ମଧ୍ୟ ଏହି ସବୁ କ୍ଷେତ୍ରରେ ସ୍କିଲିଂ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ହେବ। ସ୍କିଲ ହେଉଛି ଆଜିର ଆବଶ୍ୟକତା। ସ୍କିଲ ହିଁ କର୍ମନିଯୁକ୍ତି ଆଡକୁ ପଥ ପ୍ରସ୍ତୁତ କରିଥାଏ। ତେଣୁ ସ୍କିଲ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଜଣେ ଜଣେ ଉଦ୍ୟୋଗୀ ସୃଷ୍ଟି କରିପାରିଲେ ତାହା ହିଁ ସବୁଠାରୁ ବଡ ସଫଳତା ହେବ ବୋଲି ମନ୍ତ୍ରୀ ଇଂ ଘଡାଇ କହିଥିଲେ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା, ବିଭାଗ ଅଧୀନସ୍ଥ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, କର୍ମନିଯୁକ୍ତି ନିର୍ଦ୍ଦେଶାଳୟ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ, ବିପିୟୁଟି, ଭିସୁଟ୍‌ ଓ ଓୟୁଟିଆର ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ସେହିପରି ବିଭାଗ ଦ୍ୱାରା ପରିଚାଳିତ ଦୀର୍ଘମିଆଦୀ ଏବଂ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ସହ ସୁଦକ୍ଷା ଯୋଜନା ବିଷୟରେ ମଧ୍ୟ ସମ୍ୟକ ସୂଚନା ଦେଇଥିଲେ।

ୱାର୍ଲ୍ଡ ସ୍କିଲ ସେଣ୍ଟର(ଡବ୍ଲଏସସି) ବିଷୟରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ଆଇଟିଆଇ ଏବଂ ପଲିଟେକନିକରୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଶିକ୍ଷାର୍ଥୀଙ୍କ ପାଇଁ ଏହା ଏକ ଫିନିସିଙ୍ଗ ସ୍କୁଲ ଭାବରେ କାର୍ଯ୍ୟ କରୁଛି । ଭାରତ ସରକାର ଡବ୍ଲìଏସସିକୁ ମଡେଲ ହିସାବରେ ନେଇଛନ୍ତି। ଯାହାଫଳରେ ସମାନ ଢାଞ୍ଚାର ସ୍କିଲ ଅନୁଷ୍ଠାନ ଗଢିତୋଳିବାକୁ ଅନ୍ୟ ରାଜ୍ୟମାନେ ଏହାର ପରିଦର୍ଶନରେ ଆସୁଛନ୍ତି।

ଶ୍ରୀ ଶର୍ମା ଆହୁରି ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ଯେ ଜାତୀୟ ସ୍କିଲ ପ୍ରତିଯୋଗିତାରେ ଆମ ରାଜ୍ୟ ସର୍ବଶେଷ୍ଠ ପ୍ରଦର୍ଶନ କରିଛି ଏବଂ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ଏକମାତ୍ର ସ୍ୱ୍‌ର୍ଣ୍ଣ ଓଡିଶା ଆଣିଥିଲା। ଓଡିଶାର ସ୍କିଲ ଗୁଣବତ୍ତା ସବୁଠାରୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ନିକଟ ଅତୀତରେ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଇଞ୍ଜିନିୟରିଂ ଏବଂ ମେଡିକାଲ ମହାବିଦ୍ୟାଳୟରେ ପଢିବା ପାଇଁ ୧୫% ସ୍ଥାନ ସଂରକ୍ଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ ତପନ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।