Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ରେଲୱେ ଷ୍ଟେସନ୍ ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ: ମେମୁ ଟ୍ରେନର ଶୁଭାରମ୍ଭ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତୀକ୍ଷିତ ଜନସାଧାରଣ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ “ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶ” ସହିତ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିତ୍ତିପ୍ରସ୍ତର ଦେବା ସହିତ ପୁରୀ-ଜଳେଶ୍ୱର-ପୁରୀ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି।

ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରହ୍ଲାଦ ଯୋଶୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦେଶର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରି ନୂତନ ଷ୍ଟେସନ ସ୍ଥାପନ କରି ଷ୍ଟେସନଗୁଡିକର ପୁନଃବିକାଶ କରାଇବା ସହିତ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଆଧୁନିକ ସୁବିଧା ଯୋଗାଇବା କ୍ଷେତ୍ରରେ ସୁଧାର ଆଣି ରେଳବାଇକୁ ପରିବର୍ତ୍ତନ କରିଚାଲିଛନ୍ତି ବୋଲି କହିଥିଲେ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଓଡ଼ିଶାର ରେଳ ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶା ୨୦୧୪ ପୂର୍ବରୁ ୭୦୦ ରୁ ୮୦୦ କୋଟି ଟଙ୍କା ବଜେଟ ଅନୁମୋଦନ ପାଉଥିବାବେଳେ ବର୍ତ୍ତମାନ ୧୦ ହଜାର କୋଟିରୁ ଅଧିକ ଅନୁମୋଦନ ପାଉଅଛି। ସେହିପରି ୨୦୧୪ ପୂର୍ବରୁ ରେଳବାଇ ମାତ୍ର ୨୦ ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ନୂଆ ରେଳ ଲାଇନ ନିର୍ମାଣ କରୁଥିଲାବେଳେ ବର୍ତ୍ତମାନ ବର୍ଷକୁ ପ୍ରାୟ ୩୦୦ କିମି ରେଳ ଲାଇନ ନିର୍ମାଣ କରୁଛି। ଏହା ବ୍ୟତୀତ ଓଡିଶାର ୩୬ ରେଳ ଷ୍ଟେସନକୁ ବର୍ତ୍ତମାନ ଆଧୁନିକ ସୁବିଧା ସହିତ ନବୀକରଣ କରାଯାଉଛି ଯେଉଁଠାରେ ରାଜ୍ୟର ପ୍ରତ୍ୟେକ କୋଣକୁ ପ୍ରାଥମିକତା ଦିଆଯାଇଛି। ଏହା ସହିତ ଜଗନ୍ନାଥ ସର୍କିଟ ଟ୍ରେନ ଅଳ୍ପ ଦିନ ମଧ୍ୟରେ ଚଳାଚଳ କରିବବୋଲି ଶ୍ରୀ ବୈଷ୍ଣବ କହିଥିଲେ।

ଭୁବନେଶ୍ୱର ରେଳ ଷ୍ଟେସନର ପୁନଃବିକାଶରେ ଆଧୁନିକ ଭିତ୍ତିଭୂମି ଏବଂ ସୁବିଧା ସହିତ ଅନେକ ଯାତ୍ରୀ ପାରିସେବା ରହିବ। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଭୁବନେଶ୍ୱର ରେଳ ଷ୍ଟେସନରେ ଯୋଗଦାନ କରିଥିଲେ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଷ୍ଟେସନ ଠାରେ ଆୟୋଜିତ ରେଳବାଇ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସମ୍ବଲପୁର ଏବଂ ଶାଲିମାର ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଇଥିଲେ। ଅନୁଗୁଳ-ଢେଙ୍କାନାଳ-ଭଦ୍ରକ ମାର୍ଗଦେଇ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବ ଓ ଯାତ୍ରା ସୁବିଧା ଯୋଗାଇଦେବ।

ପରେ, ଅନୁଗୁଳ ଲୋକୋ ସେଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୪ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରହଲ୍ଲାଦ ଯୋଶୀ ଏବଂ ଅଶ୍ବିନୀ ବୈଷ୍ଣବ ଉଦ୍ଘାଟନ କରିଥିଲେ। ଅନୁଗୁଳ-ବଳରାମ ନୂତନ ରେଳ ଲାଇନ ମାଲ ପରିବହନ ପାଇଁ ସୁବିଧା ଯୋଗାଇବ। ଏହା ବିଶେଷ ଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଥିବା ବିଭିନ୍ନ ଶିଳ୍ପ ଏବଂ ପାୱାର ହାଉସକୁ କୋଇଲା ଯୋଗାଇବ ଏବଂ ଦେଶ ପାଇଁ ଅତିରିକ୍ତ ରାଜସ୍ୱ ଯୋଗାଇପାରିବ।

ଓଡିଶା ବିଧାନସଭାର ଉପ ବାଚସ୍ପତି ରଜନୀ କାନ୍ତ ସିଂ, ସାଂସଦ ମହେଶ ସାହୁ, ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଅନୁଗୁଳ ଠାରେ ଆୟୋଜିତ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେଇଥିଲେ।

ଏହାପୂର୍ବରୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଉଭୟ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ରେଳବାଇ କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ଓ ପୁରୀ ରେଳ ଷ୍ଟେସନର ହେବ ପୁନଃବିକାଶ; କଟକ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି

ଭୁବନେଶ୍ଵର: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ୧୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୫ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ପୁନଃବିକଶିତ ହେବାକୁ ଥିବା ରେଳ ଷ୍ଟେସନ ମଧ୍ୟରେ ପୁରୀ, ଭୁବନେଶ୍ବର ଏବଂ କଟକ ରେଳ ଷ୍ଟେସନ ସାମିଲ ରହିଛି। ଇତିମଧ୍ୟରେ କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଦେଶବ୍ୟାପୀ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଆର୍ଥିକ ବିକାଶରେ ସୁଧାର ଆସିବ। ଏହାଦ୍ବାରା ଦେଶର ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ପ୍ରଭାବ ପଡ଼ିବ।

ଏସବୁ ଷ୍ଟେସନର ବିକାଶ କାର୍ଯ୍ୟରେ ଅଧିକ ସ୍ଥାନ ଥିବା ରୁଫ୍‌ ପ୍ଲାଜା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ଏହାବ୍ୟତୀତ ଫୁଡକୋର୍ଟ, ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ମାନ୍ୟତାପ୍ରାପ୍ତ ସ୍ଥାନ ଆଦି ସୁବିଧା ବିକଶିତ କରାଯିବ। ଷ୍ଟେସନଗୁଡ଼ିକର ଉନ୍ନତିକରଣ ସମୟରେ ମେଟ୍ରୋ, ବସ ଆଦି ବିଭିନ୍ନ ପରିବହନ ମାଧ୍ୟମକୁ ରେଳ ଷ୍ଟେସନ ସହିତ ଯୋଡ଼ାଯିବ। ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ଅବଲମ୍ବନ କରାଯିବ ଏବଂ ଦିବ୍ୟାଙ୍ଗଜନଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ। ଇଣ୍ଟେଲିଜେଣ୍ଟ ବିଲ୍ଡିଂ ନିର୍ମାଣ ଲକ୍ଷ୍ୟ ନେଇ ଷ୍ଟେସନଗୁଡ଼ିକୁ ବିକଶିତ କରାଯିବ ଏବଂ ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ରେଳ ଷ୍ଟେସନ ନିକଟରେ ‘ସିଟି ସେଣ୍ଟର’ ଭଳି ସ୍ଥାନ ସୃଷ୍ଟି ହେବ। ଏହାଦ୍ବାରା ରେଳ ଯାତ୍ରୀ ଏବଂ ସାଧାରଣ ଜନତା ଉପକୃତ ହୋଇପାରିବେ।

ଇତିମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ରାଣୀ କମଳାପତି ଷ୍ଟେସନ, ପଶ୍ଚିମ ରେଳବାଇର ଗାନ୍ଧୀନଗର କ୍ୟାପିଟାଲ ଷ୍ଟେସନ ଏବଂ ଦକ୍ଷିଣ ପଶ୍ଚିମ ରେଳବାଇର ସାର ଏମ ବିଶ୍ବେଶ୍ବରାୟା ଟର୍ମିନାଲ ଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଏସବୁ କାର୍ଯ୍ୟକ୍ଷମ ହୋଇସାରିଛି।

ବର୍ତ୍ତମାନ ପରିସ୍ଥିତିରେ ଏସବୁ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ କାରଣ ଏହି କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇଥିବା ବେଳେ ଏଥିରେ ବହୁ ଅଂଶୀଦାରମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏଥିପାଇଁ ବିଭିନ୍ନ ବୈଧାନିକ ମଞ୍ଜୁରିର ଆବଶ୍ୟକତା ରହିଛି।