Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଏନ୍‌ଏସିର ଏକ ନମ୍ବର କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବ୍ୟବସ୍ଥା : ନିମ୍ନମାନର ଖାଦ୍ୟକୁ ନେଇ ଅନ୍ତେବାସୀଙ୍କ ଅନଶନ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ବାଲୁଗାଁ ଏନ୍‌ଏସିର ଏକ ନମ୍ବର କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଥିବା ଅବ୍ୟବସ୍ଥା ସାମ୍ନାକୁ ଆସିଛି । ନିମ୍ନମାନର ଖାଦ୍ୟ ନେଇ କ୍ବାରେଣ୍ଟାଇନ୍‌ ସେଣ୍ଟର ଆଗରେ ଅନ୍ତେବାସୀମାନେ ଅନଶନ କରିଛନ୍ତି। ବାଲୁଗାଁ ମହାବିଦ୍ୟାଳୟଠାରେ ଏକ ନମ୍ବର କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଥିବାବେଳେ ଏହି ସେଣ୍ଟରରେ 25 ଜଣ ଅନ୍ତେବାସୀ ରହିଥିବାର ସୂଚନା ରହିଛି। ଏହି ସମସ୍ତ ପ୍ରବାସୀମାନେ ଗୁଜୁରାଟ, ମହାରାଷ୍ଟ୍ର, ହାଇଦ୍ରାବାଦ, ବେଙ୍ଗାଲୁରୁରୁ ଫେରିଛନ୍ତି। ଏହି ଅନ୍ତେବାସୀଙ୍କ ମଧ୍ୟରେ ଛୋଟ ଛୁଆ ଓ ମହିଳା ମାନେ ରହିଥିବାବେଳେ ଗତକାଲି ରାତ୍ରିରୁ ଖାଦ୍ୟ ବର୍ଜନ କରିଥିବାର ସୂଚନା ରହିଛି।

ଗତକାଲି ରାତ୍ରିରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବା ଅନ୍ତେବାସୀମାନେ ନିମ୍ନମାନର ଖାଦ୍ୟକୁ ନେଇ ଭିଡିଓ ଭାଇରାଲ୍‌ କରିଥିଲେ। ତେବେ ଏହି ଅନ୍ତେବାସୀମାନଙ୍କୁ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ବୁଝାଶୁଝା କରି ନିଜ ହାତରୁ ଖର୍ଚ୍ଚ କରି ସକାଳେ ଜଳଖିଆ ଖାଇବାକୁ ଦେଇଥିଲେ।

କ୍ବାରେଣ୍ଟାଇନ୍‌ ସେଣ୍ଟରର ଅବ୍ୟବସ୍ଥାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ନୋଡାଲ୍‌ ଅଫିସର୍‌ମାନେ କେହି ଶୁଣୁନଥିବାର ଅନ୍ତେବାସୀ ଅଭିଯୋଗ କରିଛନ୍ତି। ଏପରିକି ନୋଡାଲ୍‌ ଅଫିସରଙ୍କ ମୋବାଇଲ୍‌ ଅଫ୍‌ ରହୁଥିବାର କହିଛନ୍ତି ଅନ୍ତେବାସୀ।

ତେବେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଥିବା ସମସ୍ୟା ସମ୍ପର୍କରେ ବାଲୁଗାଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଡ. ଶତପଥୀ ଶୁଣିବା ପରେ ଏହି ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ଏହି କ୍ବାରେଣ୍ଟାଇନ୍‌ ସେଣ୍ଟରରେ ମଧ୍ୟାହ୍ନ ଭୋଜନ ପହଞ୍ଚିନଥିବାର ଜଣାପଡିଛି । କ୍ବାରେଣ୍ଟାଇନ୍‌ ସେଣ୍ଟରରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ନ ପହଞ୍ଚିବା ପର୍ଯ୍ୟନ୍ତ ସରକାରୀ ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଅନ୍ତେବାସୀମାନେ ଦାବି କରିଛନ୍ତି । ଅପରପକ୍ଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ମହିଳା ଓ ଶିଶୁ ରହୁଥିବା ସ୍ଥଳେ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉନଥିବାର ଅଭିଯୋଗ କରିଛନ୍ତି ଅନ୍ତେବାସୀ। ଏଠାରେ ବିଦ୍ୟୁତ୍‌ ରହୁନଥିବାରୁ ହଇରାଣ ହେଉଥିବାର ଅଭିଯୋଗ କରିଛନ୍ତି ଅନ୍ତେବାସୀମାନେ।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁରରୁ ଆସିଥିବା ଶ୍ରମିକଙ୍କୁ ଚିଲିକା କୂଳରେ ଅଟକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଲା ବାଲୁଗାଁ ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ବେଶ୍‌ ଘାରିଛି। କରୋନା ସ୍ଥିତିକୁ ଦେଖି ବିଭିନ୍ନ ଦେଶରେ ଥିବା ବିଭିନ୍ନ ରାଜ୍ୟ ଓ ଜିଲ୍ଲାକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଲକ୍‌ଡାଉନ୍ ୩.୦ ଜାରି କରାଯାଇଛି। ଅପିତୁ ଏହି ପର୍ଯ୍ୟାୟ ଲକ୍‌ ଡାଉନ୍‌ରେ କିଛି କଟକଣାକୁ କୋହଳ କରାଯାଇଛି। ସେହିପରି ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ତିନୋଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌ ଜୋନ୍‌ରେ ଥିବା ଜଗତସିଂହପୁର ଜିଲ୍ଲାରେ ୫ ଟି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଜିଲ୍ଲାକୁ ଏବେ ଅରେଞ୍ଜ ଜୋନ୍‌ରେ ପରିବର୍ତ୍ତନ କରାଯାଇଛି। ଲକ୍‌ ଡାଉନ୍‌ ଯୋଗୁଁ ଶ୍ରମିକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କାମ ଧନ୍ଦା ନ ପାଇଁ ଶ୍ରମିକମାନେ ଏବେ ନିଜ ନିଜ ଭିଟାମାଟିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଗତକାଲି ରାତିରେ ଜଗତସିଂହପୁରପୁରରେ କାମ କରୁଥିବା କିଛି ଶ୍ରମିକ କୌଣସି ଏକ ଗାଡି ଯୋଗେ ବାଲୁଗାଁ ଗାନ୍ଧି ଛକ ଠାରେ ପହଞ୍ଚିଥିଲେ। ଏବଂ ସେଠାରୁ ଗ୍ରାମକୁ ଯିବା ପାଇଁ ଚିଲିକା କୂଳକୁ ଚାଲି ଚାଲି ଯାଉଥିବା ବେଳେ ବାଲୁଗାଁ ପୋଲିସ ଦ୍ୱାରା ଅଟକ ରଖଯାଇଥିଲା। ବର୍ତ୍ତମାନ ସମୟରେ ସନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ଯନ୍ତ କର୍ଫ୍ଯୁ ଲାଗିରହିଛି। ବାଲୁଗାଁ ପୋଲିସ୍ ର ଏହି ସମୟରେ କଡା ପ୍ରହାର ରହିଥିବାରୁ ରାତି ୯ ଟା ସମୟରେ ସେମାନଙ୍କୁ ଧରି ଅଟକ ରଖିଥିଲା। ଏହାପରେ ଏହି ସମସ୍ତ ଶ୍ରମିକଙ୍କ ବାଲୁଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଶ୍ରମିକମାନେ କୃଷ୍ଣପ୍ରସାଦ ଗଡ (ପାରିକୁଦ)ର ବୋଲି ପୋଲିସ୍‌କୁ କହିଥିଲେ। ଜଗତସିଂହପୁର ତିର୍ତ୍ତୋଲର କୌଣସି ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରୁଥିଲେ ଏହି ଶ୍ରମିକମାନେ। ପୋଲିସ୍‌ ଅଟକ ରଖିଥିବା ଶ୍ରମିକଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସମେତ ୧୨ ଜଣ ଲୋକ ରହିଛନ୍ତି। ପୋଲିସ୍‌  ସେମାନଙ୍କ ସରପଞ୍ଚ ସହ କଥା ହେବା ପରେ ସରପଞ୍ଚ ଆଜି ସକାଳୁ ଡ଼ଙ୍ଗା ସାହାଯ୍ୟରେ ସେମାନଙ୍କୁ ବାଲୁଗାଁ ଠାରୁ ତାଙ୍କ ଗ୍ରାମକୁ ନେଇଥିବା ସୂଚନା ରହିଛି। ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଓ ବାଲୁଗାଁ ପୋଲିସ୍‌ ଏଏସ୍‌ଆଇ ଦିଲ୍ଲୀପ ବିଶ୍ବାଳ ସହଯୋଗ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଲକ୍‌ ଡାଉନ୍‌ ସମୟରେ ଶ୍ରମିକଙ୍କୁ ଏକାଠି କରି କରୋନା ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଛି ବାଲୁଗାଁ ଏନ.ଏ.ସି

ସୀତାରାମ ଅଗ୍ରଓ୍ବାଲ
ବାଲୁଗାଁ: ସମ୍ପ୍ରତି ସମଗ୍ର ଦେଶରେ ଲକ ଡ଼ାଉନ ଚାଲିଥିବାବେଳେ ସାମାଜିକ ଦୁରତ୍ବ ବଜାୟ ରଖିବାକୁ ପ୍ରାଥମିକତା ଦେଉଛନ୍ତି ସରକାର। କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି ବାଲୁଗାଁ ଏନ୍‌ଏସିରେ। ଆଜି ସକାଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦଠାରେ ଶ୍ରମିକମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଏଠାରେ୫୦୦ରୁ ଅଧିକ ନିର୍ମାଣ ଶ୍ରମିକ ହାତରେ ଖଣ୍ଡେ ଖଣ୍ଡେ କାଗଜ ଧରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ରାଜ୍ୟରେ ଲକ୍‌ ଡାଉନ୍‌ ପାଇଁ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ତରଫରୁ 1500 ଟଙ୍କାର ସହାୟତା ପାଇଁ ଘୋଷଣା କରାଯାଇଛି । ଏନ୍‌ଏସି କର୍ମଚାରୀମାନେ ପ୍ରତି ଓ୍ବାର୍ଡରେ ଶ୍ରମିକମାନଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଏଥିରୁ କିଛି ଶ୍ରମିକ ବାଦ୍‌ ପଡିଯାଇଥିଲେ । ଏନେଇ ବାଲୁଗାଁ ଏନ୍ଏସିରେ ଅଭିଯୋଗ କରାଯିବା ପରେ ସେମାନଙ୍କୁ ପରିଚୟ ପତ୍ର ସହ ଏନ୍‌ଏସିରେ ଆସି ଯୋଗାଯୋଗ କରିବାକୁ କୁହାଯାଇଥିଲା । ସୋମବାର ଦିନ ଏନେଇ 500ରୁ ଅଧିକ ନିର୍ମାଣ ଶ୍ରମିକ ଏନ୍‌ଏସି ସମ୍ମୁଖରେ ଜମା ହୋଇଥିଲେ ସୁଦ୍ଧା ସେଠାରେ ବାଲୁଗାଁ ଏନ୍‌ଏସି କାର୍ଯ୍ୟନିବାହୀ ଅଧିକାରୀଙ୍କ ଦେଖା ଦର୍ଶନ ମିଳି ନଥିଲା ।

ପ୍ରାୟ ତିନି ଘଣ୍ଟା ଧରି ଏହି ଶ୍ରମିକମାନେ ଏକାଠି ଗୋଟିଏ ଜାଗାରେ ଅପେକ୍ଷା କରିଥିବାବେଳେ ଜଣେ କର୍ମଚାରୀ ଶ୍ରମିକମାନଙ୍କୁ ଶ୍ରମ କାର୍ଯ୍ୟାଳୟ ନଚେତ୍‌ ମେ ୩ ପରେ ଆସନ୍ତୁ ବୋଲି କହିଥିଲେ। ତେବେ ଏନ୍‌ଏସି କର୍ମଚାରୀ ଏପରି ମନମୁଖୀ କାର୍ଯ୍ୟକୁ ନେଇ ଶ୍ରମିକ ମାନେ  ଆନ୍ଦୋଳନରେ ବସିବା ପରେ ଚିଲିକା ତହସିଲଦାର ଅପର୍ଣ୍ଣା ଭୋଇ ଘଟଣାସ୍ଥଳରେ ପହଁଚି ଶ୍ରମିକ ମାନଙ୍କୁ ବୁଝାସୁଝା କରି ଘରକୁ ଫେରାଇଥିଲେ।

ତେବେ ଲକ୍‌ଡାଉନ୍‌ ସମୟରେ ସାମାଜିକ ଦୂରତ୍ବକୁ ନିଘା ନକରି ଏନ୍‌ଏସି କର୍ମଚାରୀମାନେ ଶ୍ରମିକମାନଙ୍କୁ ଡକାଇ ଭିଡ ଜମାଇବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପ୍ରତି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ଭିଡ ନ ଜମାଇବା ବା ସାମାଜିକ ଦୂରତ୍ବ ରକ୍ଷା କରିବାକୁ ନେଇ ସରକାରଙ୍କ ନିର୍ଦ୍ଦେଶନାମା ଜାରି ହୋଇଛି । ଏପରି ସମୟରେ ଶ୍ରମିକମାନଙ୍କୁ କାର୍ଯ୍ୟାଳୟକୁ ଡାକି ଅଧିକାରୀମାନେ ଉପସ୍ଥିତ ନ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅପରପକ୍ଷରେ ସରକାର ସାମାଜିକ ଦୂରତା ରକ୍ଷା କରିବା ଲାଗି ଘର ଘର ବୁଲି ଶ୍ରମିକ କାର୍ଡଧାରୀଙ୍କୁ ଅର୍ଥ ବାଣ୍ଟିବା ନିୟମ କରିଥିବା ବେଳେ କିଛି ବିଜ୍ଞାପିତ ଅଞ୍ଚଳର କର୍ମଚାରୀ ମାନେ ଶ୍ରମିକମାନଙ୍କୁ ଅଫିସ ଆସି ସେମାନଙ୍କ ପ୍ରାପ୍ୟ ଟଙ୍କା ନେବା ପାଇଁ କହିବା କେତେ ଦୂର ଯୁକ୍ତିଯୁକ୍ତ । ତେବେ ଶ୍ରମିକମାନଙ୍କୁ ଡାକି ଏକ ଜାଗାରେ ଭିଡ ଜମାଇ କରେନା ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଥିବା ଅଧିକାରୀ ତଥା ପ୍ରଶାସନ ଏହାର କି ପ୍ରକାର ଜବାବ ରଖିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Categories
ଭିଡ଼ିଓ

ମୁମ୍ବାଇରେ ଫଶିଛନ୍ତି ବାଲୁଗାଁର ଜଣେ ଛାତ୍ରଙ୍କ ସମେତ 75ଜଣ ଓଡ଼ିଆ ଛାତ୍ରଛାତ୍ରୀ |

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା କୂଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ: ବାଲୁଗାଁ ଚିଲିକା କୂଳରେ ଜେଟିରେ ନିଖୋଜ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ମୃତକ ଜଣକ ବାଣପୁର ବ୍ଲକ୍‌ର ବିଷ୍ଣୁଡିହ ଗ୍ରାମର ସୁକେଶ ସାହୁ ବୋଲି ଜଣାପଡିଛି।  ତାଙ୍କ ପିତାଙ୍କ ନାମ ନକୁଳସାହୁ ହୋଇଥିବାବେଳେ ଯୁବକଙ୍କର ବୟସ ୨୨ବର୍ଷ ବୋଲି ସୂଚନା ମିଳିଛି। ଚିଲିକା କୂଳରେ ଯୁବକର ଶବ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାଲୁଗାଁ ପୋଲିସ୍‌କୁ ଖବର ଦେଇଥିଲେ। ତେବେ ଯୁବକଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ। ବାଲୁଗାଁ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଥିବାବେଳେ ଶବଟି ଚିଲିକାରେ ଭାସୁଥିବାରୁ ଏହା ତାଙ୍କର ତଦନ୍ତ ପରିସର ଭୁକ୍ତ ନୁହେଁ ବୋଲି କହିବା ସହିତ ଏହି ଘଟଣାର ତଦନ୍ତ ପାରିକୁଦ ପୋଲିସ ଅଧୀନରେ ଆସୁଛି ବୋଲି କହିଥିଲେ। ତେବେ ବାଲୁଗାଁ ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଯୁବକଙ୍କର ପରିଚୟ ମିଳିପାରିଛି।

ଗତ ୨୦ ତାରିଖରୁ ଯୁବକ ଜଣକ ନିଖୋଜ ରହିଥିବାବେଳେ ପରିବାର ତରଫରୁ ଗତକାଲି ପୋଲିସ୍‌ରେ ଏକ ଲିଖିତ ଅଭିଯୋଗ ଦିଆଯାଇଥିବାର ଖବର ମିଳିଛି। ତେବେ ଏହି ଯୁବକ ଜଣକ କ’ଣ ପାଇଁ ଘର ଛାଡି ଚାଲି ଆସିଥିଲେ, ତାହା ଏକ ପ୍ରଶ୍ନ ହୋଇଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଚିଲିକାରେ ଫିଙ୍ଗି ଦେଇଛି ତାହା ପୋଲିସ୍‌ ତଦନ୍ତ ପରେ ସ୍ପଷ୍ଟ ହେବ।

Categories
ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ କର୍ମଚାରୀଙ୍କ ଉପରେ ମହିଳା ସଙ୍ଗଠନର ସଙ୍ଗୀନ୍‌ ଅଭିଯୋଗ

ସମୀକ୍ଷା ବ୍ୟୁରୋ

ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ଶିବଶକ୍ତି ମହାସଂଘ ନାମକ ଏକ ମହିଳା ସଙ୍ଗଠନର ମହିଳାମାନେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀଙ୍କ ଉପରେ ମାନସିକ ଶାରିରୀକ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି। ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ନିର୍ଦ୍ଦେଶକ୍ରମେ ଉକ୍ତ ମହିଳା ସଙ୍ଗଠନର ଦୁଇ ମହିଳାଙ୍କୁ ଗତ ତିନି ମାସ ହେବ ସ୍ବଚ୍ଛ ସାଥୀ ଭାବରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବିଜ୍ଞାପିତ ଅଞ୍ଚଳର ଦୁଇ କର୍ମଚାରୀ  ମହିଳାଙ୍କ ଦରମା ନ ଦେଇ ମିଛ ବାହନା ଦେଖାଇ ଚାକିରିରୁ କାଢି ଦେବାର ଧମକ ଦେଇଥିବାର ଅଭିଯୋଗ ହୋଇଛି। ତେବେ ଏ ବାବଦରେ ସମ୍ପୃକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀଙ୍କୁ ପଚାରିବାରୁ ସେ ତାଙ୍କ ଉପରିସ୍ଥ ଅଫିସର ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉତ୍ତର ଦେଇଛନ୍ତି।

ଏହାକୁ ନେଇ ସମ୍ପୃ୍କ୍ତ ଦୁଇ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଇ ତାଙ୍କୁ ତାଙ୍କର ଉଚିତ୍‌ ପ୍ରାପ୍ୟ ଓ ଅଧିକାର ମିଳୁ ବୋଲି ଉକ୍ତ ମହିଳା ସଙ୍ଗଠନ ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଏହି ମହିଳା ସଙ୍ଗଠନ ବିଭିନ୍ନ ଦାବି ନେଇ ବିଜ୍ଞାପିତ ଅଞ୍ଚଳର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତେବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଉପୁଜିଥିବା ଏହି ସମସ୍ୟାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କଲାପରେ ସମ୍ପୃକ୍ତ ଘଟଣାର ସତ୍ୟତା ଜଣାପଡିବା ସହିତ ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁଠାରେ ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ

ସମୀକ୍ଷା ବ୍ୟୁରୋ

ବାଲୁଗାଁ, ୨୭/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ତରଫରୁ  ବାଲୁଗାଁ ବିଜ୍ଞାପିତ ପରିଷଦ (କଲ୍ୟାଣ ମଣ୍ଡପ) ପରିସରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ପୂର୍ବତନ ଦେବେନ୍ଦ୍ର ମାନସିଂହ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ନଗେନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ, ଭଗବାନ ପ୍ରଧାନ, ରମେଶ ମହାପାତ୍ର, ଚିଲିକା ବିଜ୍ଞାପିତ ଅଞ୍ଚଳ ବିଧାୟକ ପ୍ରତିନିଧି ଅଜୟ କୁମାର ଦାସ, ବାଣପୁର ବ୍ଲକ୍‌ ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା, ବାଣପୁର ବ୍ଲକ୍‌ ଅଧ୍ୟକ୍ଷା ରଂଜିତା ସେଠୀ, ଉପାଧ୍ୟକ୍ଷ ଅଜୟ ରାଉଳ, ଯୁବ ନେତା ଜଗତବଲ୍ଲଭ ମହାରଥା ସମେତ ଦଳୀୟ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଏହି ଅବସରରେ ନବୀନ ସରକାରଙ୍କ ସୁଶାସନ ତଥା ନେତୃତ୍ବକୁ ପ୍ରଶଂସା କରିବା ସହିତ ସରକାରଙ୍କ ବିଭିନ୍ନ ଲୋକହିତକର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ବିଜେଡ଼ିର ଶତାଧିକ କର୍ମୀ ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁଠାରେ ଘରେ ପଶି ଯୁବତୀଙ୍କ ତଣ୍ଟି କାଟିବା ଘଟଣା : ଘଟଣାସ୍ଥଳରେ ଏସପି ସମେତ ସାଇଣ୍ଟିଫିକ୍ ଟିମ୍

ସମୀକ୍ଷା ବ୍ୟୁରୋ / ବାଲୁଗାଁ
ବାଲୁଗାଁର ଗଙ୍ଗନଗର ଗ୍ରାମରେ ଯୁବତୀଙ୍କ ଘରେ ପଶି ତଣ୍ଟିକାଟିବା ଘଟଣାକୁ ନେଇ ଚାଲିଛି ତନାଘନା। ଏହି ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ବାଇଁ। ଖୋର୍ଦ୍ଧା ଏସପିଙ୍କ ଅଧ୍ୟକ୍ଷତାରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ବାଲୁଗାଁ ଆଇଆଇସି ରମାକାନ୍ତ ମହାଳିକ ଓ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗନଗର ଗ୍ରାମରେ ବାଲୁଗାଁ କଲେଜର ଯୁକ୍ତ ଦୁଇ କଳା ଛାତ୍ରୀ ଶିବାନୀ ବେହେରାଙ୍କ ଘରେ ପଶି ତାଙ୍କୁ ଜଣେ ଯୁବକ ଗଳାକାଟି ହତ୍ୟା କରିଛି। ଶିବାନୀ ତାଙ୍କ ଘର ବାରିପଟେ ଥିବା ଏକ କୋଠରୀରେ ବସି ପାଠ ପଢୁଥିବାବେଳେ ସେହି ଗ୍ରାମର ଜଣେ ଯୁବକ ଛାତ ଚଢି ଘରେ ପ୍ରବେଶ କରି ଏକ ଧାରୁଆ ଅସ୍ତ୍ର ଦ୍ବାରା ଶିବାନୀର ଗଳା କାଟି ଦେଇ ଫେରାର ହୋଇଯାଇଥିଲା। ପାଖ ରୁମରେ ବସିଥିବା ତାଙ୍କ ମା’ ଓ ଭାଉଜ ତାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମେନ୍ତ ବାଲୁଗାଁ ମେଡ଼ିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଗଳାକାଟି ଥିବା ଯୁବକ ଜଣକ ଏକତରଫା ପ୍ରେମ କରୁଥିବାର ସନ୍ଦେହ କରାଯାଉଛି। ପୋଲିସ୍ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି। ଶିବାନୀଙ୍କ ମୃତଦେହକୁ ବୈଦ୍ୟନାଥପୁର ଥାନା ପୁଲିସ ଜବତ କରିଥିବାବେଳେ ଆଜି ଶବବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ଏହି ହତ୍ୟାକାଣ୍ଡର କାରଣ ଏବେବି ରହସ୍ୟାବୃତ୍ତ ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ବାହାରକୁ ଆସିବ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
Uncategorized

ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ

ଖୋର୍ଦ୍ଧା, ୧୨/୧୨: ବାଲୁଗାଁ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟଠାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ବାରା ପ୍ରାୟୋଜିତ ‘ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ-୨୦୧୯’ ଦୁଇ ଦିନ ଧରି ପାଳିତ ହୋଇଯାଇଛି। ଡିସେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଏହି ମହୋତ୍ସବ ପାଳନ ହୋଇଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ମହୋତ୍ସବରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ତଥା ଦଳଗତ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ଭଦ୍ରକଠାରେ ଅନୁଷ୍ଠିତ ହେବା ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ଦୁଇ ଦିନ ଧରି ଚାଲିଥିବା ଏହି ମହୋତ୍ସବରେ ବାଦ୍ୟଯନ୍ତ୍ର ବାଦନ, ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଏକାଙ୍କିକା-ଏକକ ନାଟକ, ଲୋକ ସଙ୍ଗୀତ, ଲୋକନୃତ୍ୟ ଆଦି ବିଭାଗ ରହିଥିଲା। ଗତକାଲି ବାଦ୍ୟଯନ୍ତ୍ର ବିଭାଗରେ ବୀଣା, ତବଲା, ସିତାର ଓ ଗୀଟାର ବାଦନ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆଜି ବାଦ୍ୟଯନ୍ତ୍ର ବିଭାଗରେ ବଂଶୀ, ହାରମୋନିୟମ୍‌, ମୃଦଙ୍ଗ ଆଦିରେ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ସେହିପରି ଶାସ୍ତ୍ରୀୟ ସଙ୍ଗୀତ ବିଭାଗରେ ହିନ୍ଦୁସ୍ତାନୀ ଲୋକାଲ୍‌ ଓ କର୍ଣ୍ଣାଟକୀ ନୃତ୍ୟର ପ୍ରତିଯୋଗିତା କରାଯାଇଥିଲା। ଅନ୍ୟାନ୍ୟ ନୃତ୍ୟ ମଧ୍ୟରେ ଓଡ଼ିଶୀ, କୁଚୁପଡ଼ି, ଭାରତନାଟ୍ୟମ୍‌ ଆଦି ସାମିଲ୍‌ ରହିଥିଲା।

ଏହି ପ୍ରତିଯୋଗିତାରେ ୧୩ ବର୍ଷଠାରୁ ୩୫ ବର୍ଷ ବୟସ ମଧ୍ୟରେ କଳାକାରମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ଅର୍ଥ ରାଶିର ପୁରସ୍କାର ମଧ୍ୟ ଦିଆଯାଇଛି।

ଏହି ମହୋତ୍ସବରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଲୁଗାଁ ବିଜ୍ଞାପତି ଅଞ୍ଚଳର ଉପାଧ୍ୟକ୍ଷ ଅଜୟ କୁମାର ଦାଶ, ବାଣପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ମାନସ ପ୍ରଧା , ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହି ଏହି ଯୁବ ମହୋତ୍ସବକୁ ସଫଳ କରାଇଥିଲେ।

ରିପୋର୍ଟର : ସୁନୀଲ୍‌ କୁମାର ଭୋଳ (ବିଜୁ)

Categories
ଆଞ୍ଚଳିକ

ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନ କାର୍ଯ୍ୟ ପାଇଁ ନୂତନ ବିଧାୟକ ପ୍ରତିନିଧି ଚୟନ

ସମୀକ୍ଷା ବ୍ୟୁରୋ

ବାଣପୁର, ବାଲୁଗାଁ : ୩/୧୨: ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ପ୍ରତିଦିନର ଉନ୍ନୟନ କାର୍ଯ୍ୟଗୁଡ଼ିକୁ ଦେଖାଶୁଣା ତଥା ସୁପରିଚାଳନା କରିବା ପାଇଁ ପ୍ରତିନିଧି ଚୟନ କରାଯାଇଛି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଓ୍ବାର୍ଡ ନଂ ୪ର ବିକ୍ରମ କେଶରୀ ଜେନା ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ଓ୍ବାର୍ଡ ନଂ ୯ର ଅଜୟ କୁମାର ଦାସଙ୍କୁ ମନୋନୀତ କରିଛନ୍ତି। ସେ ଦୁହେଁ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଅବଗତ କରାଇବେ। ଯୁବ ବିଜେଡି କର୍ମୀ ବିକ୍ରମ କେଶରୀ ଜେନା ହେଉଛନ୍ତି ପୂର୍ବତନ ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନାଙ୍କ ସ୍ବାମୀ। ପୂର୍ବରୁ ତାଙ୍କର ଏନେଇ ଅଭିଜ୍ଞତା ଥିବାବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳକୁ ଆହୁରି ସରସ ଓ ବିକଶିତ କରିବାରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି। ସେହିପରି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପାଇଁ ମନୋନୀତ ହୋଇଥିବା ଅଜୟ କୁମାର ଦାସ ପୂର୍ବରୁ ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି। ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ସଫଳତାର ସହ ଏହି ଦାୟିତ୍ବ ନିର୍ବାହ କରିଥିବାବେଳେ ଏହି ନୂତନ କାର୍ଯ୍ୟକୁ ବେଶ୍‌ ସୂଚାରୁରୂପେ ସମ୍ପନ୍ନ କରିବେ ବୋଲି ଆଶା କରାଯାଉଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ ଦିଗନ୍ତିକା ହୋଟେଲ ପଛପଟୁ ମିଳିଲା ଯୁବକର ମୃତଦେହ: ହତ୍ୟା ସନ୍ଦେହ

ସମୀକ୍ଷା ବ୍ୟୁରୋ

ବାଲୁଗାଁ, ୨/୧୨: ବାଲୁଗାଁ ସ୍ଥିତ ବଜାର ଉପରେ ଏକ ପ୍ରତିଷ୍ଠିତ ହୋଟେଲ୍‌ ପାଖରୁ ଅଜଣା ଯୁବକର ମୃତଦେହ ମିଳିଛି। ମିଳିଥିବା ସୂଚନା ଅନୁସାରେ, ହୋଟେଲ ଦିଗନ୍ତିକା ପଛପଟେ ଅର୍ଦ୍ଧନିର୍ମିତ ଏକ ଘରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି।  ମୃତ ଯୁବକଟି ଜିଭ କାମୁଡି ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ହୋଟେଲ୍‌ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଯୁବକଙ୍କ ଶବ ପଡ଼ିଥିବାର ଦେଖିଥିଲେ। ହୋଟେଲ୍‌ ମାଲିକ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହୋଟେଲ୍‌ ଦିଗନ୍ତିକାରେ ଲାଗିଥିବା ସିସିଟିଭି ଯାଞ୍ଚରୁ ଗତ ୨୭ ତାରିଖରୁ ଯୁବକଟିର ମୃତଦେହ ସେଠାରେ ପଡ଼ିଥିବାର ସୂଚନା ରହିଛି। ଉଲଗ୍ନ ଅବସ୍ଥାରେ ଯୁବକର ଶବଟି ପଡିଥିବାବେଳେ ଦେହରେ କିନ୍ତୁ ଇଟ୍‌ଷ୍ଟ୍ରିଟ୍‌ ରେସ୍ତୋରାଁର ଏକ ଟି- ସାର୍ଟ ପିନ୍ଧିଥିବା ଜଣାଯାଇଛି। ଶବ ପାଖରୁ ଥିବା ପ୍ୟାଣ୍ଟ ପକେଟରୁ  ପୋଲିସ୍ ଏକ ମୋବାଇଲ୍‌ ମଧ୍ୟ ଜବତ କରିଛି। ମୃତ ଯୁବକ ଜଣକର ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବାବେଳେ ପ୍ରକୃତ ପରିଚୟ ମିଳିପାରିନାହିଁ। ତେବେ ଯୁବକଜଣକ କେନ୍ଦ୍ରାପଡ଼ାର ଓ ସେ ନାରାୟଣୀ ରେସ୍ତୋରାଁରେ କାର୍ଯ୍ୟ କରୁଥିଲେ ବୋଲି ଶୁଣିବାକୁ ମିଳିଛି। ଏହି ଘଟଣାରେ ପୋଲିସ୍‌ ଏକ ଅପମୃତ୍ୟୁ ମାାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି। ଏକ ପ୍ରତିଷ୍ଠିତ ହୋଟେଲ୍‌ ପାଖରୁ ଏପରି ଶବ ଉଦ୍ଧାର ହେବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ