Categories
ଆଞ୍ଚଳିକ

ବାଲୁଗାଁ: ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ -ଶିକ୍ଷକ ବୈଠକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ଏକ ଅଭିଭାବକ – ଶିକ୍ଷକ ବୈଠକ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପତିତପାବନ ପଣ୍ଡା, ଅଧ୍ୟାପକ ମୃଡ଼ାନୀ ଶଙ୍କର ପ୍ରସାଦ ମିଶ୍ର, ବିଜୟ ରାଉତ, ଅଧ୍ୟାପକ ପ୍ରବୀଣ ଜେନା ପ୍ରମୁଖ ମହାବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ ଓ ଶିକ୍ଷକ ମାନଙ୍କର ମିଳିତ ଉଦ୍ୟମ ଓ ସମନ୍ୱୟ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ଉପସ୍ଥିତ ଅଭିଭାବକମାନେ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିମତ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନରେ ପ୍ରଶାସନିକ ଶୃଙ୍ଖଳା, ଛାତ୍ର ବୃତ୍ତି, ମେଧା ତାଲିକା, କ୍ୟାରିଅର କାଉନ ସେଲିଙ୍ଗ, ଆଣ୍ଟି ରାଗିଙ୍ଗ, ବାଳିକା ଆତ୍ମ ରକ୍ଷା କୌଶଳ ତାଲିମ୍ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।

Categories
ଅପରାଧ ଆଞ୍ଚଳିକ

ବାଲୁଗାଁ: ଚୋରି ମାମଲାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ସାମଗ୍ରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି, ରାହଜାନୀ ବଢ଼ିବାରେ ଲାଗିଛି। ଯାହାକି ଗତକାଲି ଅପରାହ୍ନରେ ବାଲୁଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ଗତକାଲି ବାଲୁଗାଁ ଥାନା ଅଞ୍ଚଳର ମେଘନାଦ ମହାରଣାଙ୍କ ଘରୁ ଲାପଟପ ଏବଂ ୧୦୦୦ଟଙ୍କା ଚୋରି ହେଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ପକ୍ଷରୁ ସର୍ଚ୍ଚ ମିଶନ ଜାରିରହିଥିବା ବେଳେ ବାଣପୁର ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଧରି ଜେରା କରିବାରୁ ତାଙ୍କ ନିକଟରୁ ଚୋରି ହୋଇଥିବା ଲାପଟପ ସହ ୧୦୦୦ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୧/୨୦୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

Categories
ଆଞ୍ଚଳିକ

ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ: ବାଲୁଗାଁ ଏବଂ ବଡବିଲ କଲେଜରେ ଶୋକାକୁଳ ପରିବେଶ

ଭୁବନେଶ୍ବର: ବଡ଼ବିଲ କଲେଜର ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ ହୋଇଯାଇଛି। ମାତ୍ର ୫୫ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଚିକିତ୍ସା ପାଇଁ ସେ ଗତ ୨ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ବ୍ରେନରେ ଏକ ଛୋଟ ଅସ୍ତ୍ରୋପଚାର କଲେ ଦୀପକ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଥିଲେ। ହେଲେ ନିଜ ଦାୟିତ୍ଵରେ କେବେ ଅବହେଳା କରୁନଥିବା ଛାତ୍ରବତ୍ସଳ ପ୍ରାଧ୍ୟାପକ ଶ୍ରୀ ସିଂହ ମାତ୍ର ୧୫ ଦିନ କଲେଜରୁ ଛୁଟି ନେଇପାରିବେ ବୋଲି ଡାକ୍ତରଙ୍କ ଆଗରେ ପ୍ରକାଶ କରିଥିଲେ। କିନ୍ତୁ ସେ ମାତ୍ର ୮ ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜର କର୍ତ୍ତବ୍ୟ କରିପାରିବେ ବୋଲି ଡାକ୍ତର କହିଥିଲେ।

ତା’ପରେ ତାଙ୍କର ବ୍ରେନରେ ଅସ୍ତ୍ରୋପଚାର (ଇଣ୍ଡୋସ୍କୋପି) କରାଯାଇଥିଲା। ହେଲେ ପ୍ରଥମ ଅସ୍ତ୍ରୋପଚାର ବିଫଳ ହୋଇଥିବା କୁହାଯାଉଥିବା ବେଳେ ଜାନୁୟାରୀ ୫ ତାରିଖରେ ତାଙ୍କର ଦ୍ଵିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସେବେଠାରୁ ସେ ସଜ୍ଞାହୀନ ଅବସ୍ଥାରେ ଥିବା ବେଳେ ଗତକାଲି ଅପରାହ୍ନ ୧୨ ଟା ୪୦ ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯାହାପରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରୁ ପୈତୃକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବେତୁଲି ପର୍ଯ୍ୟନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ଏହି ଅକାଳ ବିୟୋଗ ଖବର ଶୁଣି ସାଙ୍ଗସାଥି, ବନ୍ଧୁ ପରିଜନ ଭାଙ୍ଗି ପଡିଛନ୍ତି। ମୃତ୍ୟୁ ବେଳକୁ ଦୀପକଙ୍କ ନିକଟରେ ତାଙ୍କ ସ୍ତ୍ରୀ, ପୁଅ, ଝିଅ, ତାଙ୍କର ୭ ଭାଇ, ସାଙ୍ଗସାଥି, ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ଦୀପକ ନଭେମ୍ବର ୧୧ ତାରିଖ ୧୯୬୬ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଦର୍ଶ ଶିକ୍ଷକ ସ୍ଵର୍ଗତ ସଚ୍ଚିଦାନନ୍ଦ ନାୟକ ଏବଂ ପ୍ରମିଳା ନାୟକଙ୍କ ସେ ତୃତୀୟ ନମ୍ବର ସନ୍ତାନ। ତାଙ୍କର ଛୋଟ ଛୋଟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ଦୀପକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ନିଜର ଛାତ୍ର ଜୀବନ ଶେଷ କରି କେନ୍ଦୁଝର ଜିଲ୍ଲା ବଡ଼ବିଲ ମହାବିଦ୍ୟାଳୟରେ ସେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ତାଙ୍କ ସହକର୍ମୀ ବନ୍ଧୁମାନେ ଏହି ଦୁଃଖଦ ଖବରରେ ମ୍ରିୟମାଣ ହୋଇପଡିଥିବା ବେଳେ ସେମାନେ ଏହାକୁ ବିଶ୍ଵାସ ବି କରିପାରୁନାହାନ୍ତି। ଜଣେ ସୁସ୍ଥ ଦେଖାଯାଉଥିବା ଏବଂ ନିଜର କର୍ତ୍ତବ୍ୟ ଜାରି ରଖିଥିବା ଲୋକ କିପରି ହଠାତ୍ ଅସୁସ୍ଥ ହୋଇ ଆର ପାରିକୁ ଚାଲିଯିବ, ସେକଥା କେହି ବିଶ୍ଵାସ କରିପାରୁନାହାନ୍ତି।

ଏତେ ବଡ ଦୁଃଖଦ ସମୟରେ ମହାବିଦ୍ୟାଳୟ ତରଫରୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦୀପକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ମହାପ୍ରଭୁ ଜଗନ୍ନାଥ ଦୀପକଙ୍କ ଆତ୍ମା-ପ୍ରଦୀପକୁ ତାଙ୍କ ଚରଣକମଳ ନିକଟରେ ପ୍ରଜ୍ଜ୍ଵଳିତ ରଖନ୍ତୁ ବୋଲି ବଡ଼ବିଲ ମହାବିଦ୍ୟାଳୟ ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଗଳ୍ପ ସଂକଳନ “ଛାଇ ସହ ମୁହାଁମୁହିଁ” ଉନ୍ମୋଚିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି “ଚଳିତ ଦଶକର ସର୍ଜନ ସାହିତ୍ୟ ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହେବା ସହ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଗଳ୍ପ ପୁସ୍ତକ “ଛାଇ ସହ ମୁହାଁମୁହିଁ”ର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥିତଯଶା ଗାଳ୍ପିକ ଡକ୍ଟର ଅଜୟ ସ୍ୱାଇଁ କହିଲେ ଯେ, ମାତୃଭାଷାକୁ ଭଲ ପାଇଲେ ଜାତିର ଗାରିମା ବିକଶିତ ହୁଏ ଓ ଆମ ଜାତୀୟ ଚେତନା ପ୍ରତିଫଳିତ ହୋଇଥାଏ। ଛାତ୍ରଛାତ୍ରୀ ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଓଡ଼ିଆ ଭାଷାର ଲେଖକ ମାନଙ୍କ ଗଳ୍ପ, କବିତା, ଉପନ୍ୟାସ ଆଦି ଅଧ୍ୟୟନ ପଢିଲେ ବିଭିନ୍ନ ସମୟର ସାମାଜିକ ଚିତ୍ରଣ ଓ ସାଂସ୍କୃତିକ ଐତିହ୍ୟ ତଥା ବୌଦ୍ଧିକ ପ୍ରତିଫଳନ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରି ପାରନ୍ତେ। ସମ୍ପ୍ରତି ଛାତ୍ରଛାତ୍ରୀଙ୍କର ପଠନଶୀଳତା ହ୍ରାସ ହେବା ସହ ନିଜ ଚାରିପଟର ବ୍ୟକ୍ତି ଓ ପ୍ରକୃତି ସମ୍ପର୍କରେ ଅନାଗ୍ରହତା ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗରଣ ପ୍ରତି ଏକ ଅପମାନନ।

ସାମ୍ପ୍ରତିକ ସମୟର ଦୃଶ୍ୟପଟ କିପରି ଉପସ୍ଥାପିତ ହୋଇଛି ତାହା ଆଲୋଚନା କରିଥିଲେ।  ରାଷ୍ଟ୍ରପତିଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ହୋଇଥିବା ପ୍ରକାଶକ ବନୋଜ କୁମାର ତ୍ରିପାଠୀ ଚଳିତ ଦଶକର ସର୍ଜନ ସାହିତ୍ୟ ସମ୍ପର୍କରେ ଆଲୋକପlତ କରି ଯୁବ ପିଢ଼ି ସର୍ଜନ ମନସ୍କ ହେବାପାଇଁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅଧ୍ୟକ୍ଷତା କରି ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଛାତ୍ରଛାତ୍ରୀ ମାନେ ସାମ୍ପ୍ରତିକ ସମୟର ଲେଖକ ମାନଙ୍କୁ ପଢିବା ସହିତ ଗଳ୍ପ କବିତା ଲେଖି ଛାତ୍ର ଜୀବନର ଉତ୍କର୍ଷତା ପ୍ରତିପାଦନ କରିବାକୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଉଚ୍ଚାଙ୍ଗ ସାହିତ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସପ୍ତଫେଣୀର ମୁଖ୍ୟ ସମ୍ପାଦକ କବି ଗୋପୀନାଥ ଦାଶ ବାଲୁଗାଁ ଓ ବାଣପୁର ଅଂଚଳର ଲେଖକ ମାନଙ୍କ ସାହିତ୍ୟ କିପରି ଓଡ଼ିଶାର ସାହିତ୍ୟ ପରିମଣ୍ଡଳକୁ ପରିପୁଷ୍ଟ କରିଛି, ଆଲୋଚନା କରିଥିଲେ।

ଉତ୍ସବରେ ଡକ୍ଟର ଲକ୍ଷ୍ମୀ ସୁବୁଦ୍ଧି, ଡକ୍ଟର ରଘୁନାଥ ଓଝା, ଅଧ୍ୟାପିକା ରୀନା ରାଉତ, ପ୍ରିୟଦର୍ଶିନୀ ମହାରଣା, ଗବେଷକ ମଦନ ମୋହନ ମହାପାତ୍ର, ଡକ୍ଟର ଅକ୍ଷୟ ମିଶ୍ର, ଗାଳ୍ପିକ ସୁଶାନ୍ତ ଦାଶ, ଝରଣା ନାଥ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।  ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶ୍ରୀ ଜୁନାଲି ସୁର, ଓ ଶୋଭିତ ଜେନା ଏଥିରେ ସହାୟତା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମାରକ୍ଷା କୌଶଳ ତାଲିମ୍ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରୋତ୍ସାହନ ରେ ବାଲୁଗାଁ ମହାବିଦ୍ୟାଳୟରେ ଆଜି ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହଙ୍କ ନେତୃତ୍ୱରେ ଯୁକ୍ତ ଦୁଇ ଶ୍ରେଣୀର 185 ଜଣ ଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଜୀବନର ପ୍ରତିଟି କ୍ଷେତ୍ରରେ ନିର୍ଭୀକ ଭାବେ ନିଜର ଆତ୍ମରକ୍ଷା କରିବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ସେଲର ସମସ୍ତ ସଦସ୍ୟ ସହାୟତା କରିଥିଲେ। ଆଜିଠାରୁ ଆଠଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ୍ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ସୁଶ୍ରୀ ଜ୍ୟୋତି ସାମଲ, ନିଲମ ସାହୁ ଓ ଲିପିକା ସାହୁ ତାଲିମ୍ ପ୍ରଦାନ କରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି।

ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ସୂଚନା ମୁତାବକ ଗତକାଲି ରାତିରେ ଖଡ଼ିକାପଲ୍ଲି ଗ୍ରାମର ରବୀନ୍ଦ୍ର ସ୍ୱାଇଁ (୬୨) ନିଜ ସାଇକେଲ ଯୋଗେ ଖଡ଼ିକାପଲ୍ଲି ଛକରୁ ସୁବୁଦ୍ଧିପାଟଣା ଯିବା ପାଇଁ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ହଠାତ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାରଟି ରବୀନ୍ଦ୍ରଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ରବୀନ୍ଦ୍ର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ପଠାଇଥିଲେ। ହେଲେ ମେଡିକାଲରେ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବାଲୁଗାଁ ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଜଣାପଡିଛି।

Categories
ଆଞ୍ଚଳିକ

ନବ ବର୍ଷରେ ବାଲୁଗାଁ ସହରବାସୀଙ୍କୁ ଏନଏସି ର ଭେଟି: ଉଦଘାଟିତ ହେଲା ସେଲଫି ପଏଣ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନୂତନ ବର୍ଷ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଦୁଇଟି ସ୍ୱାଗତ ଫଳକ ସହ ସେଲଫି ପଏଣ୍ଟ ଉନ୍ମୋଚନ ହୋଇଯାଇଛି।

ସୂଚନା ମୁତାବକ ଏସିଆ ମହାଦେଶର ବୃହତ୍ତମ ଲୁଣ ହ୍ରଦ ଚିଲିକା ତଟ ଦେଶରେ ଅବସ୍ଥିତ ବାଲୁଗାଁ ସହର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ତଥା ବ୍ୟସ୍ତବହୁଳ ସହର ଭାବେ ପରିଚିତ।ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ଦୀର୍ଘ ୪୦ ବର୍ଷ ହେବ ଏନଏସି ମାନ୍ୟତା ପାଇଥିଲେ ସୁଦ୍ଧା ଅଦ୍ୟାବଧି ସ୍ୱାଗତ ଫଳକଟିଏ ଅବା ସେଲଫି ପଏଣ୍ଟ ଦେଖିବାକୁ ମିଳୁନଥିଲା। ଏନଏସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ, ୟୁଜର ଫି, ପାର୍କିଂ ଫି ଆଦି ନିୟମିତ ଆଦାୟ କରାଯାଉଥିଲେ ମଧ୍ୟ ତାହାର ସଦୁପଯୋଗ କେଉଁଠି କରାଯାଉଛି ତାହା ଜନସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ରହୁଥିବା ଦେଖିବାକୁ ମିଳୁଛି।

ସ୍ଥାନୀୟ ବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳ ହେଉ ଅବା ବାହାରୁ ଦୈନନ୍ଦିନ ଅନେକ ଲୋକଙ୍କ ଯିବାଆସିବା ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟଟକ ଋତୁରେ ଦେଶବିଦେଶରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଯାହାକି ବାହାରୁ ଆସୁଥିବା ଲୋକମାନେ ବାଲୁଗାଁ ସହରର ଅବସ୍ଥିତି ଜାଣିବା କଷ୍ଟକର ହୋଇପଡୁଥିବା ବେଳେ ଆଜି ମୁକ୍ତା ଯୋଜନାରେ ସହର ସୀମା ତଥା ଦକ୍ଷିଣ ପାର୍ଶ୍ଵ ପ୍ରବେଶ ଦ୍ୱାର ସୋମନାଥ ବସ ଷ୍ଟାଣ୍ଡ ଓ ଉତ୍ତର ପାର୍ଶ୍ଵ ମାମୁଁ ଭଣଜା ପାଦଦେଶ ପୋଲିସ ଥାନା ଠାରେ ନବନିର୍ମିତ ଦୁଇ ଗୋଟି ସ୍ୱାଗତ ଫଳକ ସହ ଚିଲିକା କୁଳ ଜେଟି ଠାରେ ସେଲଫି ପଏଣ୍ଟ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଏଥିସହିତ ବାଲୁଗାଁ-ବାଣପୁର ରେଲୱେ ଓଭର ବ୍ରିଜ ଉପରେ ଥିବା ବିଦ୍ୟୁତ ଖୁଣ୍ଟର ସୌନ୍ଦର୍ଯ୍ୟକରଣ ଲାଇଟ ଏବଂ ବିଜ୍ଞାପିତ ପରିଷଦର ପରିମଳ କାର୍ଯ୍ୟ ପାଇଁ ନୂତନ ଭାବେ ନିୟୋଜିତ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ଟାଟା ଏସି ର ଶୁଭ ଉଦଘାଟନ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ପୌର ଯନ୍ତ୍ରୀ, ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଆସନ୍ତାକାଲି ଠାରୁ ଦୀନବନ୍ଧୁଙ୍କ ସ୍ମୃତିରେ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆସନ୍ତାକାଲି (୨୭ ତାରିଖ, ମଙ୍ଗଳବାର) ଠାରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଗୋପୀନାଥପୁର ଗ୍ରାମରେ ଏକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଗୋପୀନାଥପୁର ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଏହି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ସ୍ଵର୍ଗତ ଦୀନବନ୍ଧୁ ପ୍ରଧାନଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଦୀନବନ୍ଧୁ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ସେ ବାଲୁଗାଁ ମହାବିଦ୍ୟାଳୟର ଜଣେ କର୍ମଚାରୀ ଥିଲେ। ତାଙ୍କର ଗତ ୧୮ ତାରିଖରେ ଦେହାନ୍ତ ହୋଇଥିଲା। ତେଣୁ ଦୀନବନ୍ଧୁଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।

ତେବେ ଆୟୋଜକ ତରଫରୁ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଉଛନ୍ତି। ଗୋପୀନାଥପୁର, ସିଙ୍ଗେଶ୍ଵର, ଭୀମପୁର, ବାଲୁଗାଁ ଇଲେଭେନ ଷ୍ଟାର, ପଦନପୁର, ସାମାନ୍ତରାୟ ପୁର, ଏମଡି ସ୍ପୋର୍ଟସ୍ ଓ ତୋରସିଂହ ଭଳି କ୍ରିକେଟ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

ସେହିଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରେ ପରେ ଦୀନବନ୍ଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭଲି ବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରାଯାଉଛି। ଏଥିରେ ମଧ୍ୟ ୮ ଟି ଦଳ ଭାଗ ନେଉଛନ୍ତି। ସେହି ଦଳ ଗୁଡିକ ହେଲେ…ଭୀମପୁର, ବିଷରପାଟଣା, ଇଞ୍ଜନପୁର, ଗୋପୀନାଥପୁର, ଏଆରସି ବାଲୁଗାଁ, ଗମ୍ଭାରିମୁଣ୍ଡା, ଦୀକ୍ଷିତିପଡା ଏବଂ ପୁଞ୍ଜିଆମାର ଭଲି ବଲ ଟିମ ଅଂଶଗ୍ରହଣ କରୁଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣଙ୍କୁ ବାନ୍ଧିଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକାଧିକ ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ ପୂର୍ବରୁ ହୋଇଛି। ତେବେ ସିସିଟିଭି ଫୁଟେଜ ଏବଂ ନିଜସ୍ୱ ତଦନ୍ତ ଆଧାରରେ ଆଜି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବ ପ୍ରସାଦ ପଣ୍ଡା ଓରଫ ଆଦିତ୍ୟ। ଶିବଙ୍କ ନିକଟରୁ ପୋଲିସ ଏକାଧିକ ଚୋରି ଏଟିଏମ କାର୍ଡ, ଚାରି ଗୋଟି ଚୋରା ମୋବାଇଲ ଫୋନ ଏବଂ ୯ ହଜାର ୬୦୦ ଚୋରି ଟଙ୍କା ଜବତ କରିଛି।

ଅନୁରୂପ ଭାବେ ଉକ୍ତ ଅପରାଧ କରୁଥିବା ବେଳେ ଅଭିଯୁକ୍ତଜଣଙ୍କ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ପୋଲିସ ଜବତ କରିଛି। ଆଜି ଶିବଙ୍କୁ କୋର୍ଟଚାଲାଣ କରାଯାଇଛି ଏବଂ ଉକ୍ତ ଗ୍ୟାଙ୍ଗରେ ଆଉ କିଏ ସାମିଲ ଅଛନ୍ତି, ତାହାର ତଦନ୍ତ ଜାରିରହିଥିବା ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଡିଜେ ବ୍ୟାନ ମାମଲା: ସାମ୍ବାଦିକ ସମ୍ମିଳନୀ କଲା ସଂଘ, ଉପଜିଲ୍ଲାପାଳଙ୍କ ନାଁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ମା’ ଭଗବତୀ ବ୍ୟାଣ୍ଡ ଓ ସାଉଣ୍ଡ ସଂଘ ବାଲୁଗାଁ-ବାଣପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ବୈଠକରେ ସଂଘ ସଭାପତି କବିରାଜ ସାହୁଙ୍କ ପୌରହିତ୍ୟରେ ବାଲୁଗାଁ ପୋଲିସ ସବଡିଭିଜନରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା ଫଳରେ ଜୀବିକା ଉଜୁଡୁଥିବା ସମ୍ପର୍କିତ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ଡିଜେ ବନ୍ଦ କରିବା ଫଳରେ ନିଜର ବ୍ୟବସାୟରେ ପ୍ରବଳ କ୍ଷତି ସହିବା ସହ ପରିବାର ପୋଷଣ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ଋଣ ଆଣି ସଂସ୍ଥା କରିଥିବାବେଳେ ଡିଜେ ନ ବାଜିବାରୁ ଋଣ ଭାରରେ ବୁଡିରହିଛନ୍ତି। ଏହାକୁ ସଂଘମତ ଭାବେ ପୁନର୍ବାର ଡିଜେ ବଜାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅବଗତ କରାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ବୈଠକରେ ବିଚାର ବିମର୍ଷ କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଏସମ୍ପର୍କରେ ଅବଗତ କରାଇଥିବା ସଦସ୍ୟମଣ୍ଡଳୀ କହିଛନ୍ତି।

ଏନେଇ ସଂଘ ସଭାପତି ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଡିଜେ ବନ୍ଦ ହେବା ଦ୍ୱାରା ଆମେ ଆମର ଜୀବିକା ହରେଇଛୁ।ଚଳିବୁ କେମିତି ତା ଛଡା ଏତେ ଟଙ୍କା ବିନିଯୋଗ କରି ଏକ ସଂସ୍ଥା କରିଥିଲୁ ତାହାର ଭରଣ କିଏ ଦେବ ବୋଲି କହିଥିଲେ। ତତସହିତ ନିକଟରେ ଜିଲ୍ଲା ପ୍ରଶାସନ ଅନୁମତି ସତ୍ତ୍ୱେ ବାଲୁଗାଁ ପୋଲିସ ଲାଉଡ଼ସ୍ପିକର ଗାଡ଼ି ସିଜ କରିଦେଇଥିବାର ଅଭିଯୋଗ କରିଥିଲେ ଶ୍ରୀ ସାହୁ।

ତେବେ ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଯୋଗାଯୋଗ କରିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଲାଉଡ଼ସ୍ପିକରରେ ଶବ୍ଦର ପରିଧି ମାପିବା ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ ଅଟେ। ଉକ୍ତଦିନ ସମ୍ପୃକ୍ତ ଗାଡ଼ିରେ ଉକ୍ତ ଯନ୍ତ୍ର ନଥିଲା ଏବଂ ଉଚ୍ଚ ଶବ୍ଦରେ ଲାଉଡ଼ସ୍ପିକର ବାଜିବାରୁ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ କ୍ରମେ ତାହା ଜବତ ହୋଇଥିବାର କହିଛନ୍ତି ଶ୍ରୀ ଦାସ।

ସେହିପରି ଭାବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଯୋଗାଯୋଗ କରାଯିବାରୁ ଜିଲ୍ଲା ପ୍ରଶାସନର ଅନୁମତି ପତ୍ର ବିନା ଡିଜେକୁ କୌଣସି ମତେ ବାଲୁଗାଁ ସବଡିଭିଜନରେ ଅନୁମତି ଦିଆଯିବ ନାହିଁ ବୋଲି ରୋକଠୋକ କହିଛନ୍ତି। କେବଳ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଡିଜେ ବାଜିପାରିବ ବୋଲି ଶ୍ରୀ ବାରିକ କହିଛନ୍ତି। ଏଥିସହିତ ଡିଜେ ବାଜିବା ସମୟରେ ଯଦି କୌଣସି ନାଗରିକଙ୍କ ସ୍ୱାସ୍ଥ୍ୟଜନିତ ଅଘଟଣ ଘଟେ, ଏଥିପ୍ରତି ଉତ୍ତରଦାୟୀ କିଏ ରହିବ ବୋଲି ଏସଡିପିଓ ଶ୍ରୀ ବାରିକ ସିଧାସଳଖ କହିଛନ୍ତି। ଯଦି ଉକ୍ତ ନିର୍ଦ୍ଦେଶନାମାରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିବା ସହ ଏଥିପାଇଁ ସମ୍ପୃକ୍ତ ଥାନା ଅଧିକାରୀମାନେ ସତର୍କ ରହିଥିବା କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ ଡ଼ିଜେ ଅନୁମତି କାହାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ତତସହିତ ସାଉଣ୍ଡ ଲାଇଟ ମାଲିକମାନେ ସରକାରୀ ନିୟମ ମୁତାବକ ୬୫ ଡେସିବିଲ ମଧ୍ୟରେ ଲାଉଡ଼ସ୍ପିକର ବଜାଇପାରିବେ, କିନ୍ତୁ ଡିଜେ ବଜାଇପାରିବେ ନାହିଁ ବୋଲି କହିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ଆସିବା ଫଳରେ ଏନେଇ ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ଡିଜେକୁ ବ୍ୟାନ କରାଯାଇଥିଲା। ଏଥିସହିତ ଡିଜେ ବଜାଇବା ପାଇଁ କିଛି ନିୟମାବଳୀ ଅନୁସରଣ କରିବାସହ ଉପଜିଲ୍ଲାପାଳଙ୍କ ଅନୁମତି ଅପରିହାର୍ଯ୍ୟ ହୋଇଥିବା ବେଳେ ଡିଜେ ମାଲିକମାନେ ଏହାକୁ ଖୁଲାମଖୁଲା ଉଲଙ୍ଘନ କରିବାରୁ ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଭଳି ଅଭିଯୋଗମାନ ଆସିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳ ପାନ୍ଥନିବାସରୁ ଏକ ବେସରକାରୀ ଯାତ୍ରୀବାହୀ ଡଙ୍ଗା ୮ ଜଣ ଯାତ୍ରୀଙ୍କୁ ନେଇ ମା’ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ଜଟିଆ ନାସି ଠାରେ ଘେରି ଜାଲ ଲାଗିଯିବାରୁ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା। ଯାହାଫଳରେ ଚିଲିକ‍ା ମଧ୍ୟରେ ଡଙ୍ଗାଟି ଫସି ରହିଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯାତ୍ରୀ ଏ ନେଇ ବଡ଼କୂଳ ଓଟିଡିସି ପରିଚାଳକ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ଓଟିଡିସି ଏବଂ ପ୍ରାଇଭେଟ ମୋଟର ବୋଟ ଆସୋସିଏସନ ପକ୍ଷରୁ ଉକ୍ତ ଡଙ୍ଗା ସମେତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିବା ଶ୍ରୀ କର ସୂଚନା ଦେଇଛନ୍ତି।

ଖବର ପାଇ ବାଲୁଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଯାତ୍ରୀଙ୍କ ସହ ଆଲୋଚନା ପରେ ସମସ୍ତ ଯାତ୍ରୀ ପୁରୀ ବରହମପୁର ଅଞ୍ଚଳର ବୋଲି ଅଗ୍ନିଶମ ଅଧିକାରୀ ମୋହନ ଦଳେଇ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକ ଋତୁ ସମେତ ବର୍ଷତମାମ ଚିଲିକାରେ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଏହା ଯାତ୍ରୀଙ୍କୁ ନିରାଶ କରୁଥିବା ଦେଖାଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଲୁଗାଁ: ୨୯ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୨୯ ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଶିକ୍ଷା ପ୍ରଦାନ କରାଯାଇଥିଲା।

ଅପରାହ୍ନରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସଂଚାଳିକା ବି.କେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ ତମବର୍ଷ ତଥା ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହାମହିମ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜୋନର ସହ ନିର୍ଦ୍ଦେଶିକା ବି.କେ ସୁଲୋଚନା, ବି.କେ କମଲେସ ଦିଦି, ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବି.କେ ଲିନା,ରାଜ୍ୟ ସଂଯୋଜକ ବି. କେ ନଥମଲ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବି.କେ ଅରୁଣ ପଣ୍ଡା, ବିଶିଷ୍ଟ ସମାଜସେବୀ ପୃଥ୍ୱୀରାଜ ହରିଚନ୍ଦନ, ରଘୁନାଥ ସାହୁ ଆଦି ଯୋଗଦେଇ ଆଧୁନିକ ସମାଜରେ ଶିବ ଜ୍ୟୋତି ଧାମ ତରଫରୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରେମ, ମୈତ୍ରୀ ଓ ଭ୍ରାତୃତ୍ବ ମନୋଭାବ ନେଇ ନୂତନ ଦିଗଦର୍ଶନ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିଚନ୍ଦନ ନିଜ ଅଭିଭାଷଣ ରେ ଆଧ୍ୟାତ୍ମିକତା ହେଉଛି ଶାନ୍ତିର ପ୍ରତୀକ।ଶାନ୍ତି ହେଉଛି କାମ୍ୟ, ଅଶାନ୍ତ ସମାଜକୁ ଶାନ୍ତ ଦିଗରେ ଆଧ୍ୟାତ୍ମିକତା ଚେତନା ସଫଳୟନ ରୂପ ଦେଇପାରିବ ବୋଲି କହିଥିଲେ।

ପରିଶେଷରେ ଗମ୍ଭାରୀମୁଣ୍ଡା ଅଞ୍ଚଳର ସୁନାମ ଧନ୍ୟ ଡାକ୍ତର ସୁରେନ୍ଦ୍ରନାଥ ଦାସ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, କ୍ରୀଡ଼ାବିତ କ୍ରିଷ୍ଣା ଶିକାରୀ ଏବଂ ଆଶିଷ ସ୍ୱାଇଁଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହୋଇଥିବା ବିକେ କେତକୀ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ବ୍ରହ୍ମା କୁମାରୀ ଉପସ୍ଥିତ ରହି ଆସନ୍ତା ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ବାରଣ ସତ୍ତ୍ୱେ ବାଲୁଗାଁରେ ଉଚ୍ଚ ଶବ୍ଦରେ ବାଜିଲା ଡ଼ିଜେ, ଗାଡ଼ି ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବ ଡିଭିଜନରେ ଗତ ମାସରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରାଯାଇଥିଲା। ମାତ୍ର ଏହାକୁ ବେଖାତିର କରି ଆଜି ଅପରାହ୍ନରେ ବାଲୁଗାଁ ପାଟଣା ସାହିଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବା ନେଇ ସ୍ଥାନୀୟ କିଛି ବରିଷ୍ଠ ନାଗରିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଘଟଣାସ୍ଥଳରେ ବାଲୁଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ପହଞ୍ଚି ସମ୍ପୃକ୍ତ ଡିଜେ ଗାଡିକୁ ଜବତ କରିବା ସହ କେସ ନମ୍ବର ୨୭୧/୨୦୨୨ରେ ଏକ ମାମଲା ରୁଜୁକରି ଗାଡି ଚାଳକଙ୍କୁ ଅଟକ ରଖିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି। ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି।

Categories
ଆଞ୍ଚଳିକ

ବାଲୁଗାଁରେ ‘ବରିଷ୍ଠ ନାଗରିକ ମଞ୍ଚ’ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ‘ବରିଷ୍ଠ ନାଗରିକ ମଞ୍ଚ’ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଯୋଗ ଦେଇଥିଲେ।

ବାଲୁଗାଁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ା ଯୋଗିନ୍ଦ୍ର ନାଥ ସେନାପତିଙ୍କ ସଭାପତିତ୍ୱରେ ସମ୍ପାଦକ ମୁରଲୀ ସାମନ୍ତସିଂହାର ମଞ୍ଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ସହ ନିବନ୍ଧକ ପ୍ରଫୁଲ କୁମାର ଜାଲି ଅତିଥି ପରିଚୟ ପ୍ରଦାନ କରିଥିଲେ। ବୟସର ତାଳେ ତାଳେ ପରିଣତ ବୟସରେ ପ୍ରତିଟି ମୁହୂର୍ତ୍ତରେ ଉପେକ୍ଷିତ ହେଉଥିବା ବରିଷ୍ଠ ନାଗରିକମାନେ ପରିବାର ପ୍ରତି ମଧ୍ୟ ଅଲୋଡ଼ା ହୋଇଯାଉଥିବାର ଦୃଶ୍ୟ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି।ଯାହାକି ପ୍ରତିଷ୍ଠିତ ମାନବ ସମାଜରେ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ଏବଂ ଗୁରୁଜନମାନେ ସଦାସର୍ବଦା ପୂଜ୍ୟ ତେଣୁ ସେମାନଙ୍କ ସମସ୍ତ ଜରୁରୀ ସୁବିଧା ହାତ ପାହାନ୍ତାରେ ଯୋଗାଇ ଦେବାପାଇଁ ଅନୁଷ୍ଠିତ ମଞ୍ଚରେ ଉପସ୍ଥିତ ଅତିଥିମାନେ ଦୃଷ୍ଟିପାତ କରିଥିଲେ।

ଏଥିସହିତ ଗରିବ ଶ୍ରେଣୀର ନାଗରିକଙ୍କୁ ସହାୟତା ଓ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ସହ ମୌଳିକ ଅଧିକାର ତଥା ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ମଞ୍ଚ ପକ୍ଷରୁ ସର୍ବସମ୍ମତି ପ୍ରକାଶ ପାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବରିଷ୍ଠ ନାଗରିକ ମଞ୍ଚରେ ୩୩ ଜଣ ସଭ୍ୟ ନିଷ୍ଠାପର ଭାବେ କାର୍ଯ୍ୟ ଜାରି ରଖିଥିବା ବେଳେ ଆଗାମି ଦିନରେ ଅଧିକରୁ ଅଧିକ ସଭ୍ୟ ଯୋଡିବାପାଇଁ ପ୍ରୟାସ ଜାରିରହିଛି।

ଉକ୍ତ ଉତ୍ସବରେ ସ୍ଥାନୀୟ ଚାଷଙ୍ଗରା ଗ୍ରାମର ଉଦୟମାନ ୧୮ ବର୍ଷରୁ କମ ବାଳକ ଆନ୍ତର୍ଜାତିକ ସ୍ତରରେ ଦେଶ ପାଇଁ ତେହେରାନ ଠାରେ ୧୪ ତମ ଏସିଆ ଭଳିବଲ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ବ କରିଥିବା ଆଶିଷ ସ୍ୱାଇଁ ଏବଂ ଉତ୍କଳ ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କୃତ ହୋଇଥିବା ଶିଶିକାନ୍ତ ସାମନ୍ତସିଂହାରଙ୍କୁ ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଥିଲା। ନାଗରିକ ମଞ୍ଚ ଉପ ସଭାପତି ତଥା ବାଲୁଗାଁ ଉମା ମହେଶ୍ୱର ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: “ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା” ଆଲୋଚନା ଚକ୍ର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ଅବସରରେ ଏକ ଆଲୋଚନା ଚକ୍ର ‘ସୁବର୍ଣ୍ଣ ଭାରତ ନିର୍ମାଣରେ ସାମ୍ବାଦିକଙ୍କ ଭୂମିକା’ ଉପରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ସୁକାନ୍ତ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ରାଜସ୍ଥାନ ମାଉଣ୍ଟଆବୁର ସୁଶାନ୍ତ ଭାଇ, ରାଜ୍ୟ ମିଡିଆ କୋର୍ଡିନେଟର ବି କେ ନାଥମଲ, ମୁଖ୍ୟ ବକ୍ତା ଭାବେ ଫରିଦାବାଦର ବ୍ରହ୍ମକୁମାରୀ ପୁନମ ବର୍ମା ଯୋଗ ଦେଇ ଆଜିର ଆଧୁନିକ ସମାଜରେ ସାମ୍ବାଦିକ ମାନଙ୍କର ଆବଶ୍ୟକତା ଓ ସମାଜ ପାଇଁ ପ୍ରତିଟି ମୁହୂର୍ତ୍ତରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ନିଜର କର୍ମମୟ ଜୀବନ ଭିତରେ ସଦାସର୍ବଦା ଜାଗ୍ରତ ପ୍ରହରୀର ମୁଖ୍ୟ ସ୍ରୋତ ପାଲଟିଥିବା ସାମ୍ବାଦିକ ଆଜି ବି ଆକ୍ରୋଶର ଶିକାର ହେଉଥିବା ବେଳେ ଅନେକ ସମୟରେ ସାଧାରଣରେ ଉପେକ୍ଷିତ ହେଉଥିବା ନଜିର ରହିଛି। ସେମାନେ ସଦା ସର୍ବଦା ନିଜକୁ ଜଗତ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରିଛନ୍ତି।

ଏହିପରିପ୍ରେକ୍ଷୀରେ କର୍ତ୍ତବ୍ୟ ରତ ସାମ୍ବାଦିକଙ୍କୁ ମାନସିକ ସ୍ତରରେ କିଛି ମାତ୍ରାରେ ଶାନ୍ତ୍ୱନା ତଥା ଚାପ ମୁକ୍ତ ଉଦ୍ବେଶ ନେଇ ଛୋଟ ପ୍ରୟାସ କରାଯାଇଥିବା ବ୍ରହ୍ମା କୁମାରୀ ପୁନମ ବର୍ମା କହିଛନ୍ତି। ଏଥିସହିତ କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି କିପରି ନିଜର ମାନସିକ ଶାନ୍ତି ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବାନେଇ ଆଲୋଚନା କରାଯାଇଥିଲା।ଏଥିସହିତ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଓ ବାଣପୁର ବ୍ଲକ ଅନ୍ତର୍ଗତ ସାମ୍ବାଦିକମାନେ ଯୋଗ ଦେଇ ଆଧ୍ୟାତ୍ମିକ ଦିଗଦର୍ଶନ ଉପରେ ଅନୁପ୍ରାଣିତ ହୋଇ ନିଜ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଉପଲବ୍ଧିର ସତ୍ତା ଖୋଜିବାକୁ ଉପକ୍ରମ କରିଥିଲେ।

ପରିଶେଷରେ ଉପସ୍ଥିତ ସାମ୍ବାଦିକ ଓ ବିଭିନ୍ନ ବର୍ଗରେ ସାମାଜିକ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନରେ ସହଯୋଗ ପାଇଁ ମିଡ଼ିଆ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ସାମ୍ବାଦିକଙ୍କ ମାନସିକ ସ୍ଥିତିକୁ ଖୁବ ନିକଟରୁ ପରଖି ଏଭଳି ନିଆରା କାର୍ଯ୍ୟକ୍ରମ କରିଥିବାରୁ ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଗାନ୍ଧୀଛକରୁ ୫ ଅମାନିଆଙ୍କ ବାଇକ ଜବତ କଲା ପୋଲିସ, ୫ ମାମଲା ରୁଜୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାରମ୍ବାର ପୋଲିସର ତାଗିଦ ସତ୍ତ୍ୱେ ସୁଧୁରୁନାହାନ୍ତି ଅମାନିଆ ଗାଡ଼ିଚାଳକ। ଅମାନିଆମାନେ ଟ୍ରାଫିକ ନିୟମକୁ ଫୁ କରି ଉଡାଇଦେଉଛନ୍ତି। ଯାହା ଫଳରେ ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି।

ତେବେ ଅମାନିଆ ଗାଡ଼ିଚାଳକଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ। ବର୍ତ୍ତମାନ ଅମାନିଆ ଗାଡ଼ିଚାଳକଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରି ଚବିଶ ଘଣ୍ଟା ମଧ୍ୟରେ ଅଦାଲତରେ ପୋଲିସ ଚାର୍ଜସିଟ ଦାଖଲ କରୁଥିବା ବେଳେ ଆଜି ଏକା ସଙ୍ଗରେ ବାଲୁଗାଁ ଗାନ୍ଧୀଛକରୁ ୫ ଜଣ ଅମାନିଆ ଗାଡ଼ିଚାଳକ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ। ସେମାନେ ଜନଗହଳିପୂର୍ଣ୍ଣ ଗାନ୍ଧୀଛକରେ ବେପରୁଆ ବାଇକ ଚଲାଉଥିବା ବେଳେ ପୋଲିସ ପଞ୍ଝାରେ ପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ପୋଲିସ ୫ ଗୋଟି ବାଇକ ଜବତ କରିବା ସହ ୫ ଗୋଟି ମାମଲା ରୁଜୁ କରି ତଦନ୍ତ ଜାରିରଖିଥିବାର ବାଲୁଗାଁ ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ମାଛ ଜାଲରେ ଫସିଲା ବିରାଟ ଅଜଗର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସିଙ୍ଗେଶ୍ଵର ପଞ୍ଚାୟତ ଘିଅଖଲା ଗ୍ରାମ ନିକଟସ୍ଥ କଳିଜୁଗେଶ୍ଵର ପାହାଡ ନିକଟରୁ ଏକ ବିରାଟ ଅଜଗର ସାପ ମାଛ ଜାଲରେ ପଡିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ଦୈନନ୍ଦିନ ମାଛ ଧରିବାପାଇଁ ଘିଅଖଲା ଗ୍ରାମର ଶୁକୁଟା ଜେନା କଳିଯୁଗେଶ୍ୱର ପାହାଡ଼ ପାଦ ଦେଶ ଚିଲିକା କୂଳରେ ଜାଲ ଘେରି ବାନ୍ଧି ଆସୁଛନ୍ତି। ଦୈନିକ ଯାହା ମାଛ ଧରନ୍ତି ସେସବୁ ବିକ୍ରି କରି ପରିବାର ପୋଷଣ କରନ୍ତି। ସବୁ ଦିନ ପରି ଆଜି ଭୋର ସମୟରେ ଚିଲିକାକୁ ଯାଇ ଜାଲ ଉଠାଇ ଦେଖିଲାବେଳକୁ ପାଖାପାଖି ୭ ଫୁଟରୁ ଉର୍ଦ୍ଧ୍ବ ବିରାଟ ଅଜଗର ସାପ ଜାଲ ମଧ୍ୟରେ ପଡିଥିଲା। ଭୟଭୀତ ଅବସ୍ଥାରେ ତୁରନ୍ତ ଗାଁ ଲୋକଙ୍କୁ ଡାକି ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇ ଚାରି ଜଣିଆ ସ୍ନେକ ହେଲ୍ପ ଲାଇନ ଟିମ ସହ ବନ୍ୟଜନ୍ତୁ ବିଭାଗ କର୍ମଚାରୀ ପହଞ୍ଚି ଉକ୍ତ ଅଜଗର ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ: ମୋରମ ଚାଲାଣ ବେଳେ ପୋଲିସର ଅତର୍କିତ ଚଢାଉ, ଟିପର ଓ ଜେସିବି ଜବତ, ୪ ଗିରଫ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଭାଲେରି ପାହାଡ଼ ପାଦ ଦେଶ ବୋରିଆ ସାହି ଜଙ୍ଗଲରୁ ଦୁଇଟି ମୋରମ ବୋଝେଇ ଟିପର ସମେତ ଗୋଟିଏ ଜେସିବି ଗତ କାଲି ବିଳମ୍ବିତ ରାତିରେ ଜବତ କରିଛି ପୋଲିସ। ସୂଚନା ମୁତାବକ ନାଭାଲ୍ ବୁଚୁଡି, ନୂଆଗଡ- ବୋରିଆ ସାହି ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ମାଫିଆମାନେ ସ୍ଥାନୀୟ ପ୍ରଶାସନକୁ ହାତବାରିସ୍ କରି ବେଧଡକ ମୋରମ ଚାଲାଣ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅତିରିକ୍ତ ଥାନା ଅଧିକାରିଣୀ ରଶ୍ମିବାଳା ସେଠି, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଏଏସଆଇ ତିରୁପତି ନାୟକଙ୍କ ସଦଳବଳେ ମୋରମ ଉତ୍ତୋଳନ ସ୍ଥାନରେ ଅତର୍କିତ ଚଢ଼ାଉ କରି ଦୁଇଟି ଟିପର, ଗୋଟିଏ ଜେସିବି ଜବତ କରିବା ସହ ଚାରି ଜଣ ମୋରମ ମାଫିଆଙ୍କୁ କେଶ ନଂ ୨୪୭/୨୦୨୨ ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଆଗକୁ ଏକ ବଡ଼ ଧରଣର ରାକେଟ ଏଥିରେ କାମ କରୁଥିବା ସନ୍ଧେହ ଥିବା ନେଇ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମିଶନ ଶକ୍ତି ଋଣ ମେଳାରେ ବାଲୁଗାଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ପ୍ରଥମ ସ୍ଥାନ ଅକ୍ତିଆର କରି ପୁରସ୍କୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ସାରା ରାଜ୍ୟରେ ମହିଳାମାନଙ୍କୁ ସ୍ଵତନ୍ତ୍ର ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ସ୍ଵାବଲମ୍ବି କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଧାନ୍ୟ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଏସଏଚଜି ମହିଳା ଗ୍ରୁପ ମାନଙ୍କୁ ସମସ୍ତ ସ୍ଵିକୃତି ପ୍ରାପ୍ତ ବ୍ୟାଙ୍କମାନଙ୍କୁ ସୁଲଭ ଶୁଦ୍ଧ ହାରରେ ଋଣ ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ତେବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଏସଏଚଜି ମହିଳା ଗ୍ରୁପକୁ ଋଣ ଦେବରେ ସର୍ବାଗ୍ରେ ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବାଲୁଗାଁ ଶାଖା ପ୍ରବନ୍ଧକ ଅମିତ ମିଶ୍ରଙ୍କୁ ଆଜି ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି।

ଉକ୍ତ ଋଣ ମେଳାରେ ଜିଲ୍ଲାର ପ୍ରତି ବ୍ଲକରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ୟାଙ୍କକୁ ପୁରସ୍କୃତ କରାଯାଇଥିବା ବେଳେ ଚିଲିକା ବ୍ଲକରେ ଏକ ନମ୍ବର ରହିଛି ବାଲୁଗାଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ।  ବାଲୁଗାଁ ଓଡିଶା ଗ୍ରାମ୍ୟବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୬୭ଟି ଏସଏଚଜି ଗ୍ରୁପ ଆକାଉଣ୍ଟଧାରିଙ୍କୁ ୨.୮୦କୋଟି ଋଣ ଦେଇ ସର୍ବାଗ୍ରେ ରହିଛି। ଯାହାକୁ ନେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅମିତ ମିଶ୍ର ଖୁସି ବ୍ୟକ୍ତ କରିଥିବା ବେଳେ ଆଗାମି ଦିନରେ ସ୍ୱାବଲମ୍ବୀ କ୍ଷେତ୍ରରେ ଅଧିକରୁ ଅଧିକ ପ୍ରୟାସ ଜାରି ରହିବା ନେଇ ଶ୍ରୀ ମିଶ୍ର କହିଛନ୍ତି।

Categories
ଆଞ୍ଚଳିକ ବ୍ୟବସାୟ

ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହେଲା ବାଲୁଗାଁ ଏଚଡିଏଫସି ବ୍ୟାଙ୍କ: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମେନ ରୋଡ଼ ଦିଗନ୍ତିକା ହୋଟେଲ ମହଲାରେ ପୁର୍ବରୁ ଅବସ୍ଥିତ ଥିବା ଏଚଡିଏଫସି ବ୍ୟାଙ୍କ ଟି ନିକଟସ୍ଥ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ଆଜି ସ୍ଥାନାନ୍ତରିତ ହୋଇ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ ପି ପ୍ରଦୀପ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଉଦଘାଟନ କରିଥିଲେ।

ଅନ୍ୟ ପ୍ରମୁଖ ଅତିଥି ଭାବେ ଜୋନାଲ ମୁଖ୍ୟ ଦୀପକ ସିଂ, କ୍ଲଷ୍ଟର ମୁଖ୍ୟ ଅନିଷ ବିଶ୍ୱାଳ, ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, ସହ-ପରିଚାଳକ ଅମୂଲ୍ୟ ନାୟକଙ୍କ ସମେତ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ଫାଇନାନ୍ସ କମ୍ପାନୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଗାମି ଦିନରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଦିଗରେ ବିଶେଷ ଦୃଷ୍ଟି ସହ ଏହି ଶାଖାକୁ ବାଲୁଗାଁ ସହରରେ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।

ସୂଚନା ଥାଉକି ବାଲୁଗାଁ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଦୃଷ୍ଟିରୁ ସହରରେ ଅନେକ ସରକାରୀ ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ଥିବାବେଳେ ଏଚଡିଏଫସି ବ୍ୟାଙ୍କର ଏକ ଶାଖା ୨୦୧୩ ମସିହାରୁ ଦିଗନ୍ତିକା ହୋଟେଲ ମହଲାରେ ଥିଲା। ମାତ୍ର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ଋଣ ତଥା ସ୍ୱାବଲମ୍ବୀ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ, ଗାଡିମୋଟର ଋଣ, ଗୃହ ଋଣ, ସୁନା ବନ୍ଧକ ଋଣ ଆଦି କ୍ଷେତ୍ରକୁ ନଜରରେ ରଖି ଉନ୍ନତ ମାନର ସେବା ଯୋଗାଇ ଦେବା ନିମନ୍ତେ ଉକ୍ତ ଶାଖାକୁ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ସ୍ଥାନାନ୍ତରିତ କରାଯାଇଛି। ଯାହାକି ଉଦଘାଟନୀ ଦିବସରେ ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଋଣ ପ୍ରଦାନ କରାଯିବା ସହ ଲଘୁ ଉଦ୍ୟୋଗରେ ସ୍ଥାନୀୟ ଜଣେ ବ୍ୟକ୍ତିକୁ ୮୦ ଲକ୍ଷ ଋଣ, ଦୁଇଟି ବାଇକ ଏବଂ ଗୋଟିଏ ଚାରି ଚକିଆ ଗାଡି ଋଣ ଦିଆଯାଇଥିବା ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।