Categories
ଆଞ୍ଚଳିକ

ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ ହେଲେ ବାଣପୁରର ଯୁବ ବୈଜ୍ଞାନିକ ଶଶାଙ୍କ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶା ବିଜ୍ଞାନ ଏକଡେମୀ ପକ୍ଷରୁ ‘ବୈଜ୍ଞାନିକ ସମ୍ବଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୨୦’ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ।

ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍ଭାବନ, ଷ୍ଟାର୍ଟ ଅପ୍ ଓ ଇକୋ-ସିଷ୍ଟମ୍‌ ବିକାଶ କ୍ଷେତ୍ରରେ ସଫଳ ପଦକ୍ଷେପ ନେଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ। ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥୁ ରୂପେ ଯୋଗଦେଇଏକଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରର ଅଡିଓ ସଂସ୍କରଣ ଜାରି କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏହି ଅବସରରେ ଓଡ଼ିଶାରେ କାର୍ଯ୍ୟରତ ଯୁବ- ବୈଜ୍ଞାନିକ ଡ. ଶଶାଙ୍କ ଶେଖର ସ୍ଵାଇଁଙ୍କୁ ଜୀବ ଓ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ “ଓଡ଼ିଶା ଯୁବ ବୈଜ୍ଞାନିକ” ପୁରସ୍କାର ସହ ୨୫ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସୂଚନା ଥାଉକି ଡକ୍ଟର ଶଶାଙ୍କ ଶେଖର ସ୍ୱାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ‘ଏକଡାଳିଆ’ ଗ୍ରାମର ବ୍ରଜକିଶୋର ସ୍ୱାଇଁଙ୍କ ପୁତ୍ର। ସେ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ କଲେଜରୁ ‘ଜୈବପ୍ରଯୁକ୍ତିତଥ୍ୟବିଦ୍ୟା’ ରେ ସ୍ନାତକ ୨୦୧୦ ଏବଂ ସ୍ନାତକୋତ୍ତର ୨୦୧୨ ରେ ସମାପ୍ତ କରିଛନ୍ତି। ସେ ଶିକ୍ଷା ‘ଓ’ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ ‘ଜୈବପ୍ରଯୁକ୍ତିବିଦ୍ୟା’ ରେ ପି.ଏଚଡି. (ଡ଼କ୍ଟରେଟ) ୨୦୧୯ ମସିହାରେ ରେ ହାସଲ କରିଛନ୍ତି। ବର୍ତ୍ତମାନ, ସେ ଆଧୁନିକ ବିଜ୍ଞାନ ପାଇଁ ନାନୋମେଡିସିନ୍ ପ୍ରୟୋଗ କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତ ‘ଡିବିଟି-ଜୀବ ବିଜ୍ଞାନ ସଂସ୍ଥାନ’ ର ନାନୋମେଡିସିନ୍ ଲାବୋରେଟୋରୀରେ ‘ପୋଷ୍ଟଡକ୍ଟରାଲ୍ ଫେଲୋ’ ଭାବରେ କାର୍ଯ୍ୟ କରିଆସୁଅଛନ୍ତି।

ସେ ଗବେଷଣା କ୍ଷେତ୍ରରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ବେଳେ ସେ ଅନେକ ଖ୍ୟାତିସମ୍ପର୍ଣ ଆନ୍ତର୍ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ରେ ଜଣେ ସକ୍ରିୟ ଏବଂ ଖ୍ୟାତିସମ୍ପନ୍ନ ପତ୍ରିକାର ସମ୍ପାଦକୀୟ ବୋର୍ଡ ସଦସ୍ୟ ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କୁ ବ୍ୟବହାର କରି ପ୍ରାକୃତିକ ଉତ୍ପାଦ ଭିତ୍ତିକ ଔଷଧ ମାଧ୍ୟମରେ ଏକ ସୁସ୍ଥ, ସଂକ୍ରମଣ ବିହୀନ ରାଷ୍ଟ୍ର ଗଠନ ଦିଗ ରେ କାର୍ଯ୍ୟରତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୋ ଜୀବନର ମୋଡ଼ ବଦଳାଇଛି ଗଣମାଧ୍ୟମ: ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଏନ୍ ଏସି, ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ସଂଘ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୁବ ବୈଜ୍ଞାନିକ ଶେଷ କିଷାନ, ମୁଖ୍ୟବକ୍ତା ଭାବରେ ଭୀମଭୋଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଂଜନ କୁମାର ମିଶ୍ର ଯୋଗ ଦେଇଥିଲେ।

ଗଣମାଧ୍ୟମ ମୋ’ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜି ମୁଁ ପରିଚୟ ସୃଷ୍ଟି କରିପାରିଛି ଗଣମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକଚନକୁ ଆସିପାରୁଛି , ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣିପାରୁଛି ଆଜିର ଗଣମାଧ୍ୟମ ବୋଲି ଯୁବ ବୈଜ୍ଞାନିକ ଶେଷ କିସାନ ନିଜର ବକ୍ତବ୍ୟରେ କହିଛନ୍ତି।

ସେହିପରି ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି , ଆଜିର ମିଡ଼ିଆ ବଜାରରେ ଖବର ଗୁଡ଼ିକର କିଣା ବିକା ଚାଲିଛି ସେଥିପାଇଁ ସକରାତ୍ମକ ରିପୋର୍ଟ, ତଦନ୍ତ ମୂଳକ ଖବର ଉପରେ ଗୁରୁତ୍ବ ଦେବା ସହିତ ଖବର ଭିତରେ ଲୁଚି ରହିଥିବା ଖବର ଲୋକଙ୍କ ପାଖକୁ ପହଞ୍ଚିଇବା ଗଣମାଧ୍ୟମର ମୁଖ୍ୟ ଲକ୍ଷ୍ୟ ହେବା ଦରକାର ବୋଲି ମୁଖ୍ୟବକ୍ତା କହିଥିଲେ।

ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସଂଘ ସମ୍ପାଦକ କନ୍ଦର୍ପ ବେହେରା ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ସାମ୍ବାଦିକ ଜୟନ୍ତ ଖଡିରତ୍ନ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି , ତପନ ବିଶ୍ବାଳ, ଅରୁଣ ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ, ସୁଶାନ୍ତ ନାଗ , ଅନୀଲ ପୃଷ୍ଟି, ବିନୋଦ କୁମାର ସେଠୀ, ସୁଧିର ସୁନା, ବିଦ୍ୟାଧର ମାଝୀ, ସରୋଜ କୁମାର ସାହୁ, ମଦନ ବେହେରା ସମେତ ଉପଖଣ୍ଡର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ କିସାନ

କନ୍ଦର୍ପ ବେହେରା

ରେଢାଖୋଲ: ନିପଟ ମଫସଲରୁ ଯାଇ ଜର୍ମାନରେ ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ରେଢାଖୋଲ ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଆଜି ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କରିଛନ୍ତି।

ଆଜି ଅପରାହ୍ନ ୩ ଟା ସମୟରେ ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ପରିସରରେ ବାଲେଶ୍ୱରର ଜୟଶ୍ରୀ ଜେନାକୁ ରେଜେଷ୍ଟ୍ରି ବିବାହ କରିଛନ୍ତି। ଏହି ବିବାହ ସମୟରେ ଶେଷ କିସାନଙ୍କ ଶାଶୁ ଏବଂ ଅଜା ଶ୍ୱଶୁର ଉପସ୍ଥିତ ଥିଲେ। ଡଃ ଶେଷ କିସାନଙ୍କ ଓକିଲ ପରୀକ୍ଷିତ ଦାସଙ୍କ ସହ ସବ୍ ରେଜିଷ୍ଟାର ଦେବାଶିଷ ପାତ୍ର ଏବଂ ସାକ୍ଷ୍ୟ ଭାବରେ ସୁନନ୍ଦ ପ୍ରଧାନ, ରମଣୀ ରଞନ ମେଣ୍ଡୁଲୀ ଏବଂ ପ୍ରଫୁଲ୍ଲ କର୍ଣ ଉପସ୍ଥିତ ଥିଲେ। ଆଇନ୍ ସହାୟତାରେ ସେ ଏଇ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି। ରେଜେଷ୍ଟ୍ରି ଅଫିସ୍ ପରିସରରେ କେକ୍ କାଟି ଉଭୟେ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରିଛନ୍ତି। ଭିସା ପାଇଁ ଅସୁବିଧା ହେଉଥିବାରୁ ସେ ପ୍ରଥମେ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି।

ସୂଚନା ଥାଉକି, ବଲାସିଂହା ଭଳି ଏକ ଅନୁନ୍ନତ ଅଂଚଳରୁ ଆସିଥିବା ଶେଷ କିସାନ୍ ଛୋଟ ସମୟରୁ ମା, ବାପାଙ୍କୁ ହରାଇଥିଲେ। ଏପରିକି ମୂଲମଜୁରୀ ଲାଗି ପେଟ ପୋଷିବା ସହ ବିଦ୍ୟାଳୟରେ ପାଠ ପଢିଥିଲେ। ବହୁ ସଂଘର୍ଷ କରି ସେ ଆଜି ଜର୍ମାନରେ ଜଣେ ବୈଜ୍ଞାନିକ ଭାବରେ କାମ କରି ସାରା ଭାରତରେ ଏକ ଇତିହାସ ପାଲଟିଛନ୍ତି। ନିଜର ଅସାଧାରଣ ପ୍ରତିଭା, ମନୋବଳ ଓ ଇଚ୍ଛାଶକ୍ତି ବଳରେ ଜର୍ମାନର ଗଟିଜେନସି ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବରେ କାମ କରୁଥିଲେ। ଆସନ୍ତା ନଭେମ୍ବର ୨୨ ତାରିଖରେ ସେ ପୁନର୍ବାର ବୈଦିକ ରୀତିନିତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣା ପଡିଛି।