Categories
ଆଜିର ଖବର ଜାତୀୟ ଖବର

ଫସଫେଟ ଏବଂ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ହାରକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ବର୍ଷ କେଜି ପିଛା ଟଙ୍କା
ରବି, ୨୦୨୩-୨୪

(୦୧.୧୦.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ)

ଏନ ପି କେ ଏସ
୪୭.୦୨ ୨୦.୮୨ ୨.୩୮ ୧.୮୯

ଆଗାମୀ ୨୦୨୩-୨୪ ରବି ଋତୁରେ ଏନବିଏସ ଉପରେ ୨୨,୩୦୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି।

ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସହଜରେ ଉପଲବ୍ଧ କରାଇବା ପାଇଁ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ।

ଲାଭ

୧- ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ।

୨- ସାର ଏବଂ କୃଷି ଉପକରଣର ଅନ୍ତର୍ଜାତୀୟ ମୂଲ୍ୟବୃଦ୍ଧିର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଆଣ୍ଡକେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ

ଖୋର୍ଦ୍ଧା: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ “ରବି ଋତୁରେ ଧାନ ସଂଗ୍ରହ ନିମିତ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବୈଠକ” ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ, ଉପ-ଜିଲ୍ଲାପାଳ, କୃଷି ଉପ-ନିର୍ଦ୍ଦେଶକ, ଉପ-ନିବଦ୍ଧକ, ଖୋର୍ଦ୍ଧା-ଭୁବନେଶ୍ଵର ସମବାୟ ସମିତି, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ, ଜଟଣୀ ଓ ବାଲୁଗାଁ ତଥା ବେସାମରିକ ଯୋଗାଣ ଅଧିକାରୀ ଓ ମିଲର୍ସ, ସାମ୍ବାଦିକ ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

ଉକ୍ତ ବୈଠକରେ ଆସନ୍ତା ମଇ ୨୪ ତାରିଖ ଠାରୁ ରବି ଧାନ ସଂଗ୍ରହ ନିମିତ୍ତ ଦିନ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ନିମିତ୍ତ ୨୦ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଧାନ ସଂଗ୍ରହ ସ୍ଥିରୀକୃତ କରାଯାଇଛି। ରବି ଧାନ ସଂଗ୍ରହ ସମୟରେ ମଣ୍ଡି କାର୍ଯ୍ୟରେ ମିଲରମାନଙ୍କର ସହଯୋଗ ଓ ପ୍ରତ୍ୟେକ ଦିନ ୧୨୦୦ କୁଇଣ୍ଟାଲ ଧାନ କ୍ରୟ କରିବା ପାଇଁ ସ୍ଥିରୀକୃତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଛି ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଏବଂ ଏସଏସପି  ସାର 

ନୂଆଦିଲ୍ଲୀ: କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ତାମିଲନାଡ଼ୁର ତ୍ରିଚି ଏବଂ ରାଜସ୍ଥାନରେ ସାର ଅଭାବ ଦେଖା ଦେଇଛି। ଏହି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହା ସ୍ପଷ୍ଟ କରାଯାଉଛି ଯେ ଦେଶରେ ରବି ଋତୁ 2022-23 ର ଆବଶ୍ୟକତାକୁ ପୂରଣ କରିବା ପାଇଁ ସାର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି। ଭାରତ ସରକାର ସମସ୍ତ ରାଜ୍ୟର ଆବଶ୍ୟକତା ଅନୁସାରେ ସାର ପଠାଉଛି। ଏହା ପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏହା ଦାୟିତ୍ବ ଯେ ସେ ନିଜ ରାଜ୍ୟ ଭିତରେ ଏବଂ ଜିଲ୍ଲା ମଧ୍ୟରେ ବିତରଣ ମାଧ୍ୟମରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରିବେ।

ଦେଶରେ ସାର ଉପଲବ୍ଧତାର ପରିସଂଖ୍ୟାନ ନିମ୍ନରେ ଦିଆଗଲା :

ୟୁରିଆ: ରବି ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଭାରତରେ ୟୁରିଆର ଆନୁମାନିକ ଆବଶ୍ୟକତା 180.18 ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) । 16.11.2022 ସୁଦ୍ଧା ଏହାର ଆନୁପାତିକ ଆବଶ୍ୟକତା 57.40 ଲକ୍ଷ ମେଟ୍ରିକ ଟନ୍। ଏଥିପାଇଁ ସାର ବିଭାଗ  (ଡିଓଏଫ୍‌)  92.54 ଲକ୍ଷ ମେଟ୍ରିକ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ୟୁରିଆର ବିକ୍ରି 38.43 ଲକ୍ଷ ମେଟ୍ରିକ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ 54.11 ଲକ୍ଷ ମେଟ୍ରିକ ଟନ୍ ର କ୍ଲୋଜିଂ ଷ୍ଟକ୍ (ପୂର୍ବରୁ ଉପଲବ୍ଧ) ରହିଛି। ଏହା ବ୍ୟତୀତ ୟୁରିଆ ପ୍ଲାଣ୍ଟରେ 1.05 ଲକ୍ଷ ମେଟ୍ରିକ୍ ଟନ୍ ଓ ବନ୍ଦରରେ 5.03 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ ଉପଲବ୍ଧ ରହିଛି ଯଦ୍ବାରା ୟୁରିଆର ଚାହିଦାକୁ ପୂରଣ କରାଯାଇ ପାରିବ।

ଡିଏପି : ରବି ସିଜିନ୍ 2022-23 ସମୟରେ ସମଗ୍ର ଦେଶରେ ଡିଏପିର ଆନୁମାନିକ ଆବଶ୍ୟକତା 55.38 ଲକ୍ଷ ମେଟ୍ରିକ୍ ଟନ୍। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 26.98 ଲକ୍ଷ ମେଟ୍ରିକ ଟନ୍। ଏଥିପାଇଁ ସାର ବିଭାଗ 36.90 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ସମୟରେ ଡିଏପିର ବିକ୍ରି 24.57 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର 12.33 ଲକ୍ଷ ମେଟ୍ରିକ୍ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ଡିଏପିର ଚାହିଦା ପୁରଣ କରିବା ପାଇଁ ଡିଏପି ପ୍ଲାଣ୍ଟରେ 0.51 ଲକ୍ଷ ମେଟ୍ରିକ୍ ଟନ୍ ଏବଂ ପୋର୍ଟରେ 4.51 ଲକ୍ଷ ମେଟ୍ରିକ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏମଓପି : ରବି  ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଓପି (ମ୍ୟୁରେଟ୍ ଅଫ୍ ପଟାସ୍ ବା ପଟ୍ଟାସିୟମ କ୍ଲୋରାଇଡ୍‌) ର ଆନୁମାନିକ ଆବଶ୍ୟକତା 14.35 ଲକ୍ଷ ମେଟ୍ରିକ ଟନ୍ ଅଟେ। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 5.28 ଲକ୍ଷ ମେଟ୍ରିକ୍ ଟନ୍ ର ଅଟେ। ଏଥିପାଇଁ ସାର ବିଭାଗ 8.04 ଲକ୍ଷ ମେଟ୍ରିକ ଟନ୍ ର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ବ୍ୟତୀତ ରାଜ୍ୟ ନିକଟରେ ଏହାର 5.03 ଲକ୍ଷ ମେଟ୍ରିକ ଟନର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ବନ୍ଦରରେ 1.17 ଲକ୍ଷ ମେଟ୍ରିକ ଟନ୍ ର ଷ୍ଟକ୍ ଉପଲବ୍ଧ ରହିଛି, ଯାହାର ଏମଓପିର ଚାହିଦା ପୁରଣ କରାଯାଇପାରିବ।

ଏନପିକେଏସ୍ : ରବି ଋତୁ 2022-23 ସମୟରେ ସାରା ଦେଶରେ ଏନପିକେଏସ୍ ର ଆନୁମାନିକ ଆବଶ୍ୟକତା 56.97 ଲକ୍ଷ ମେଟ୍ରିକ୍ ଟନ୍ ରହିଛି। 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 20.12 ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏହା ପାଇଁ ସାର ବିଭାଗ 40.76 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତାର ସୁନିଶ୍ଚିତ କରିଛି। ଏହି ସମୟରେ ଏନପିକେଏସ୍ ର ବିକ୍ରି 15.99 ଲକ୍ଷ ମେଟ୍ରିକ୍ ଟନ୍ ରହିଛି। ରାଜ୍ୟ ନିକଟରେ ଏହାର 24.77 ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ ରହିଛି। ଏହା ବ୍ୟତୀତ ଏନପିକେଏସର ଚାହିଦା ପୂରଣ କରିବା ପାଇଁ ପ୍ଲାଣ୍ଟରେ 1.24 ଲକ୍ଷ ମେଟ୍ରିକ୍ ଟନ୍ ଏବଂ ବନ୍ଦରରେ 2.93 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି।

ଏସଏସପି: ରବି ଋତୁ 2022-23 ସମୟରେ ସମ୍ପୂର୍ଣ୍ଣ ଦେଶରେ ଏମଏସପିର ଆନୁମାନିକ ଆବଶ୍ୟକତା 33.64 ଲକ୍ଷ ମେଟ୍ରିକ୍ ଟନ୍ । 16.11.2022 ସୁଦ୍ଧା ଏହାର ଆନୁମାନିକ ଆବଶ୍ୟକତା 14.05 ଲକ୍ଷ ମେଟ୍ରିକ୍ ଟନ୍। ଏଥିପାଇଁ ସାର ବିଭାଗ 24.79 ଲକ୍ଷ ମେଟ୍ରିକ୍ ଟନର ଉପଲବ୍ଧତା ସୁନିଶ୍ଚିତ କରିଛି। ଏହି ଅବଧି ସମୟରେ ଏସଏସପି ର ବିକ୍ରି 9.25 ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି। ରାଜ୍ୟ ନିକଟରେ ଏହାର 15.54 ଲକ୍ଷ ମେଟ୍ରିକ୍ ଟନ୍ ର କ୍ଲୋଜିଂ ଷ୍ଟକ୍ ରହିଛି। ଏହା ବ୍ୟତୀତ ପ୍ଲାଣ୍ଟରେ 1.65 ଲକ୍ଷ ମେଟ୍ରିକ୍ ଟନର ଷ୍ଟକ୍ ଉପଲବ୍ଧ ରହିଛି, ଯାହାଦ୍ବାରା ଏସଏସପିର ଚାହିଦା ପୂରଣ କରାଯାଇପାରିବ।

ଏହିପରି ଦେଶରେ ରବି ଋତୁ 2022-23 ର ଆବଶ୍ୟକତାକୁ ପୂରଣ କରିବା ପାଇଁ ୟୁରିଆ, ଡିଏପି, ଏମଓପି, ଏନପିକେଏସ୍ ଓ ଏସଏସପି ସାରର ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଦେଶରେ ସ୍ଥିର ହେଲା ଡାଲି ଓ ପିଆଜ ଦର

ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କାରଣରୁ ଦେଶରେ ପିଆଜ ଓ ଡାଲି ଦର ସ୍ଥିର ରହିଛି। କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ ଦୃଷ୍ଟି ରଖି ଆସିଛନ୍ତି। ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ରୋହିତ କୁମାର ସିଂ ଏହା କହିଛନ୍ତି।

ବଫର ଷ୍ଟକ୍‌ ପରିମାଣକୁ ଆହୁରି ବଢ଼ାଇବା ଲାଗି କେନ୍ଦ୍ର ସରକାର ଆମଦାନୀ କରାଯାଇଥିବା ୧.୦୦ ଲକ୍ଷ ଟନ ହରଡ଼ ଏବଂ ୫୦,୦୦୦ ଟନ ବିରି ସଂଗ୍ରହ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପିଏସଏଫ ଏବଂ ପିଏସଏସ ଅଧୀନରେ କେନ୍ଦ୍ର ସରକାରଙ୍କ ପାଖରେ ୪୩.୮୨ ଲକ୍ଷ ଟନ୍‌ ବିଭିନ୍ନ ଡାଲିର ଷ୍ଟକ୍‌ ଉପଲବ୍ଧ ରହିଛି। ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିତରଣ ଲାଗି କେନ୍ଦ୍ର ସରକାର ଉପଲବ୍ଧ ଷ୍ଟକରୁ କିଲୋପ୍ରତି ୮ ଟଙ୍କାର ରିହାତି ଦରରେ ଚଣା ରାଜ୍ୟମାନଙ୍କୁ ଆବଣ୍ଟନ କରିଛନ୍ତି।

ସୁଗମ ଏବଂ ବାଧାମୁକ୍ତ ଆମଦାନୀ ଜରିଆରେ ଦେଶରେ ଡାଲି ଉପଲବ୍ଧତା ବଢ଼ାଇବା ଲାଗି କେନ୍ଦ୍ର ସରକାର ହରଡ଼ ଓ ବିରିର ଆମଦାନୀକୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମୁକ୍ତ ବର୍ଗରେ ରଖିଛନ୍ତି। ଅନ୍ୟପଟେ ୧୩ ଫେବୃଆରୀ ୨୦୨୨ ଠାରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଶୂନ୍ୟ କୃଷି ଭିତ୍ତିଭୂମି ଓ ବିକାଶ ସେସକୁ ମଧ୍ୟ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରବି ଋତୁ ୨୦୨୨ ଅମଳ ଅବଧି ସମୟରେ କେନ୍ଦ୍ର ସରକାର ୨.୫୦ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିବା ଲାଗି ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ର ଧାରା ୩(୨)(ଏଚ) ଏବଂ ୩(୨)(ଆଇ) ଅଧୀନରେ ଅଂଶୀଦାରମାନଙ୍କ ଦ୍ବାରା ଗଚ୍ଛିତ ହରଡ଼ର ଷ୍ଟକ୍‌ ସମ୍ପର୍କରେ ସୂଚନା ଦେବା ଏବଂ ଷ୍ଟକର ଅନୁଧ୍ୟାନ ଓ ଯାଞ୍ଚ କରିବା ଲାଗି କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ୧୨ ଅଗଷ୍ଟ ୨୦୨୨ରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ।

ପିଆଜର ଖୁଚୁରା ଦରକୁ ସ୍ଥିର ରଖିବା ଲାଗି ୨୦୨୨ ରବି ଋତୁରେ କେନ୍ଦ୍ର ସରକାର ୨.୫୦ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିବା ଲାଗି ବଫର ଷ୍ଟକ ପ୍ରସ୍ତୁତ କରିଛନ୍ତି । ଜାତୀୟ ପିଆଜ ବଫର ଷ୍ଟକରୁ ଏବେ ସୁଦ୍ଧା ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ୫୪ ହଜାର ଟନ ପିଆଜ ଯୋଗାଇ ଦିଆଯାଇଛି। ପିଆଜ ମୂଲ୍ୟ ବୃଦ୍ଧିକୁ ରୋକିବା ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କେବଳ ସେତିକି ନୁହେଁ ପିଆଜର ଖୁଚୁରା ଦରକୁ ସ୍ଥିର ରଖିବା ଲାଗି କେନ୍ଦ୍ରୀୟ ବଫର ଷ୍ଟକରୁ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କାରେ ପିଆଜ ଉଠାଇବା ଲାଗି ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ, ସଫଳ, ଏନସିସିଏଫ, ମଦର ଡାଏରୀ ଓ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରସ୍ତାବ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନିରନ୍ତର ଅନୁଧ୍ୟାନ ଏବଂ ନୀତିଗତ ନିଷ୍ପତ୍ତି କାରଣରୁ ପ୍ରମୁଖ ଡାଲିଗୁଡ଼ିକର ସର୍ବଭାରତୀୟ ଖୁଚୁରା ମୂଲ୍ୟ ଚଳିତ ବର୍ଷ ଆରମ୍ଭରୁ ସ୍ଥିର ରହିଛି। ତେବେ ସ୍ବାଭାବିକ ଋତୁଗତ ଦରବୃଦ୍ଧି ଦେଖିବାକୁ ମିଳିଛି। ଗତ ମାସରେ ଚଣା ଡାଲି ଓ ମସୁର ଡାଲିର ସର୍ବଭାରତୀୟ ହାରାହାରୀ ଦର ସାମାନ୍ୟ ହ୍ରାସ ପାଇଛି। ହରଡ଼, ବିରି ଓ ମୁଗ ଡାଲିର ସର୍ବଭାରତୀୟ ହାରାହାରୀ ଦର ସମାନ ଅବଧିରେ କେବଳ ଋତୁଗତ ଦରବୃଦ୍ଧିକୁ ଛାଡ଼ି ପ୍ରାୟତଃ ସ୍ଥିର ରହିଛି। ଅନ୍ୟପଟେ ଗତ ବର୍ଷ ତୁଳନାରେ ପିଆଜର ହାରାହାରୀ ଖୁଚୁର ଦର ୨୮% ହ୍ରାସ ପାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଲାଗି ଗଠିତ ଆନ୍ତଃ ମନ୍ତ୍ରଣାଳୟ ସମିତି ଏବଂ ସଚିବମାନଙ୍କର ସମିତି ନିୟମିତ ଦର ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ଏବଂ ନୀତିଗତ ହସ୍ତକ୍ଷେପ ପାଇଁ ସୁପାରିସ କରୁଛନ୍ତି। ଏହାଛଡ଼ା ସରକାର ଏକ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଗଠନ କରିଛନ୍ତି। ଡାଲି, ପିଆଜ ଓ ଆଳୁର ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ସହିତ ଉପଭୋକ୍ତାଙ୍କ ହିତ ରକ୍ଷା ପାଇଁ ସିଧାସଳଖ କୃଷି ଭଣ୍ଡାର/ମଣ୍ଡିରୁ କୃଷି ଉତ୍ପାଦ କ୍ରୟକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ବେଆଇନ ଭାବେ ଖାଦ୍ୟ ସାମଗ୍ରୀ ଗଚ୍ଛିତ କରି ରଖୁତିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଭାରତ ସରକାରଙ୍କ ଉପଭୋକ୍ତ ବ୍ୟାପାର ବିଭାଗ, ଶସ୍ୟ, ଡାଲି, ଖାଇବା ତେଲ, ପନିପରିବା ଆଦି ୨୨ଟି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଉପରେ ଦୃଷ୍ଟି ରଖିଛନ୍ତି। ୧୭ ଅକ୍ଟୋବର ୨୦୨୨ରେ ଅନୁଷ୍ଠିତ ପିଏମ-କିଷାନ ସମ୍ମାନ ସମ୍ମେଳନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଡାଲି ଉତ୍ପାଦନ ୭୦% ବୃଦ୍ଧି ପାଇବାକୁ ନେଇ ଖୁସି ବ୍ୟକ୍ତ କରିବା ସହିତ ଏଥିପାଇଁ ଚାଷୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିପୂର୍ବରୁ ୨୦୧୫ରେ ପ୍ରଧାନମନ୍ତ୍ରୀ ଡାଲି ଉତ୍ପାଦନ ବଢ଼ାଇବା ଲାଗି ଚାଷୀମାନଙ୍କୁ ଆହ୍ବାନ କରିଥିଲେ। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କୃଷି କ୍ଷେତ୍ରକୁ ଆକର୍ଷଣୀୟ କରିବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ଚାଷୀ ଓ ଷ୍ଟାର୍ଟଅପମାନଙ୍କୁ ଆହ୍ବାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

୨୦୨୦-୨୧ ବର୍ଷ ରବି ଋତୁ ପାଇଁ ଜଗତସିଂହପୁରରେ କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୃଷି କାର୍ଯ୍ୟ ନିର୍ଦ୍ଧାରଣ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଲେ ଜଗତସିଂହପୁର ଏକ କୃଷି ପ୍ରଧାନ ଜିଲ୍ଲା। ଆଗାମୀ ରବି ଋତୁରେ ଜିଲ୍ଲାର ୯୯,୫୦୦ ହେକ୍ଟର ଜମିରେ ରବିଚାଷ କରାଯିବ। ଜିଲ୍ଲାରେ ଅଧିକ ଡାଲି ଜାତୀୟ ଫସଲ, ତୈଳବୀଜ ଓ ପନିପରିବା ଚାଷ ପାଇଁ ଉନ୍ନତ ମାନର ବିହନ, ସାର ଓ କୀଟନାଶକ ଔଷଧ ଚାଷୀମାନଙ୍କୁ ଯୋଗାଇ ଦେବାକୁ କୃଷି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବାସୁମତି ଭଳି ବାସନା ଧାନ ଚାଷ ନିମନ୍ତେ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ରାସାୟନିକ ସାର ବ୍ୟତୀତ ଜୈବୀକ ସାର ବ୍ୟବହାର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ଲକରେ ଅନ୍ୟୁନ ଗୋଟିଏ ଗୋଟିଏ ଯାଗାରେ ବାସୁମତି ଧାନଚାଷ କରାଗଲେ, ଚାଷୀମାନେ ଅଧିକ ଲାଭବାନ ହୋଇ ପାରିବେ। ବୈଠକରେ ଯୋଗଦେଇ ଜିଲ୍ଲା ମୁଖ୍ୟ କୃଷି ଅଧକାରୀ ରବି ନାରାୟଣ ମହାପାତ୍ର ଖରିଫ୍ ଋତୁର ସଫଳତା ସଂପର୍କରେ ଅବଗତ କରାଇଥିଲେ।

ରବି ଫସଲ ପାଇଁ ଜଳସେଚନ ଏବଂ ମାଟିର ଆଦ୍ରତାକୁ ଦୃଷ୍ଟିରେ ରଖି ୧୫୭୦ ହେକ୍ଟର ଜମିରେ ଧାନଚାଷ, ମକା ୧୧୦ ହେକ୍ଟର, ମୁଗ ପାଇଁ ୪୬,୪୪୦ ହେକ୍ଟର, ବିରି ପାଇଁ ୧୫,୨୧୦ ହେକ୍ଟର, କୋଳଥ ୧୯୦୫ ହେକ୍ଟର ଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ମୋଟ ଡାଲି ଜାତୀୟ ଫସଲ ପାଇଁ ୬୪,୦୨୫ ହେକ୍ଟର, ତୈଳବୀଜ ପାଇଁ ୩୩୬୦ ହେକ୍ଟର, ପନିପରିବା ପାଇଁ ୨୬,୫୨୫ ହେକ୍ଟର, ମସଲା ଜାତୀୟ ଚାଷ ପାଇଁ ୩୧୧୦ ହେକ୍ଟର ଓ ଆଖୁ ଚାଷ ପାଇଁ ୮୦୦ ହେକ୍ଟର ଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତୈଳବୀଜ ମଧ୍ୟରେ ବାଦାମ ପାଇଁ୨୪୦୦ ହେକ୍ଟର, ସୋରିଷ ପାଇଁ ୬୮୦ ହେକ୍ଟର, ସୂର୍ଯ୍ୟମୂଖୀ ଚାଷ ପାଇଁ ୨୧୦ ହେକ୍ଟର, ପନିପରିବା ମଧ୍ୟରେ ଆଳୁପାଇଁ ୭୩୦ ହେକ୍ଟର, ପିଆଜ ପାଇଁ ୨୪୦ ହେକ୍ଟର, ମସଲା ଜାତୀୟ ଯଥା ଲଙ୍କା ପାଇଁ ୨୪୦୦ ହେକ୍ଟର, ରସୁଣ ଚାଷ ପାଇଁ ୧ ୮୦ ହେକ୍ଟର, ଧନିଆ ପାଇଁ ୫୩୦ ହେକ୍ଟର ଚାଷ ହେବାର ଲକ୍ଷ ଧାର୍ଯ୍ୟ ରହିଛି।

ଏହାଛଡା ଚଳିତ ରବିଋତୁରେ ୪୭,୭୭୯ ହେକ୍ଟର ଜମିରେ ଜଳ ସେଚନ ସୁବିଧା କରାଯିବା ସହିତ ୩୬୬୯ ମେଟ୍ରିକ୍ ଟ୍ରନ ସାର ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯିବ। ଫସଲର ସୁରକ୍ଷା ଓ ଅଧିକ ଅମଳ ନିମନ୍ତେ ୪୬,୧୫୦ ହେକ୍ଟର ଜମିରେ କୀଟନାଶକ ପ୍ରୟୋଗ ଓ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଉଦ୍ୟାନକୃଷି ବିଭାଗ ପକ୍ଷରୁ ହାଇବ୍ରିଡ୍ ପନିପରିବା, ଅମୃତଭଣ୍ଡା, ପିଆଜ, ଆଳୁ, ଛତୁ ଚାଷ ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ବୋଲି ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ଅଧିକାରୀ ସୂଚନା ଦେଇଥିଲେ।

ଏହା ବ୍ୟତୀତ ମାଗଣା ଭେଜିଟେବୁଲ ମିନିକିଟ୍‌, ନଡିଆ ଚାରା ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଯୋଗଦେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଡାଲି ଓ ତୈଳବୀଜ ଫସଲକୁ ପ୍ରାଧାନ୍ୟ ଦେବା ସହିତ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କୃଷି ଯୋଜନା ଓ ପ୍ରୋତ୍ସାହନ ସଂପର୍କରେ ଚାଷୀମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଭାଗଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ବଳରାମ ଯୋଜନା, ଫାର୍ମ ମେକାନାଇଜେସନ୍‌, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ସୈାର ଜଳନିଧି, ଫାର୍ମପଣ୍ଡ, ରାଷ୍ଟ୍ରିୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ୍‌, ଆତ୍ମା ବିଷୟରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଜିଲ୍ଲା ସମବାୟ ନିବନ୍ଧକ, ଡିଡିଏମ୍‌, ନାବାର୍ଡ  ବିଶ୍ୱଭୁଷଣ ମହାନ୍ତି,ଏଲ୍‌.ଡି.ଏମ୍ ସତୀଶ ପାତ୍ର, ଜଳସେଚନ ଓ ଉଠାଜଳ ସେଚନ ନିର୍ବାହୀ ଯନ୍ତ୍ରୀ, କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ଜିଲ୍ଲା କୃଷି ଅଧିକାରୀ, ବ୍ଲକ କୃଷି
ଅଧିକାରୀ ସମେତ ବିଭିନ୍ନ ବ୍ୟାଙ୍କର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।