Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ମାମଲା ନେଇ ରାଜ୍ୟସଭାରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ, ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ” ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଦେଇଥିବା ବିବୃତି ଦେଇଛନ୍ତି।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ “ନିର୍ଦ୍ଦିଷ୍ଟ କିଛି ଲୋକଙ୍କ ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର କଥିତ ଉପଯୋଗ ନେଇ ଗଣମାଧ୍ୟମରେ ୧୮ ଜୁଲାଇ ୨୦୨୧ରେ ପ୍ରକାଶ ପାଇଥିବା ଖବର ସଂକ୍ରାନ୍ତରେ ଆଜି ରାଜ୍ୟସଭାରେ ଯାହା ବିବୃତି ରଖିଲେ ତାହାର ଅବିକଳ ଓଡିଆ ରୂପାନ୍ତର ହେଲା..

“ମାନନୀୟ ଅଧ୍ୟକ୍ଷ ମହୋଦୟ,

ମୁଁ କିଛି ଲୋକମାନଙ୍କର ଫୋନ ତଥ୍ୟ ଚୋରି ଲାଗି ସ୍ପାଏୱେର୍ ପେଗାସସର ଦୁରୂପଯୋଗ ସହ ଜଡ଼ିତ ଖବର ସଂକ୍ରାନ୍ତର ବିବୃତି ଦେବା ଲାଗି ଛିଡ଼ା ହୋଇଛି। ୧୮ ଜୁଲାଇ, ୨୦୨୧ରେ ଏକ ୱେବ ପୋର୍ଟାଲରେ ଅତ୍ୟନ୍ତ ଚାଞ୍ଚଲ୍ୟକର ଖବର ପ୍ରକାଶ ପାଇଥିଲା। ଏହି ଖବର ମାଧ୍ୟମରେ ଅନେକଗୁଡ଼ିଏ ଗମ୍ଭୀର ଅଭିଯୋଗ ଅଣାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଗଣମାଧ୍ୟମରେ ଏହି ଖବର ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଆସିଛି। ଏହାକୁ କେବଳ ମାତ୍ର ଏକ ସଂଯୋଗ ବୋଲି କୁହାଯାଇପାରିବ ନାହିଁ। ପୂର୍ବରୁ ମଧ୍ୟ ଏପରି ଭାବେ ପେଗାସସ ସ୍ପାଏୱେରର ହ୍ବାଟ୍ସଆପରେ ଦୂରୁପଯୋଗ ସଂକ୍ରାନ୍ତରେ ଦାବି କରାଯାଇଥିଲା। ଏହି ଦାବିର କୌଣସି ତଥ୍ୟାତ୍ମକ ଆଧାର ନଥିଲା ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମେତ ସମସ୍ତ ସ୍ଥାନରେ ସମ୍ପୃକ୍ତ ପକ୍ଷ ଏହାକୁ ଖାରଜ କରି ଦେଇଥିଲେ। ୧୮ଜୁଲାଇ ୨୦୨୧ରେ ଏ ସଂକ୍ରାନ୍ତରେ ପ୍ରକାଶ ପାଇଥିବା ଖବର ଭାରତର ଗଣତନ୍ତ୍ର ଏବଂ ଏହାର ସୁଦୃଢ଼ ସଂସ୍ଥାଗୁଡ଼ିକର ଗରିମାକୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟରେ ପ୍ରକାଶିତ କରାଯାଇଛି।

ଏହି ଖବରକୁ ବିସ୍ତୃତ ଭାବେ ପଢ଼ିନଥିବା ଲୋକମାନଙ୍କୁ ଆମେ ଦୋଷ ଦେଇପାରିବା ନାହିଁ। ମୁଁ ସଦନର ସମସ୍ତ ସମ୍ମାନିତ ସଦସ୍ୟମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଏହି ପ୍ରସଙ୍ଗରେ ସମସ୍ତ ତଥ୍ୟ ଓ ତର୍କକୁ ସେମାନେ ଗଭୀର ଭାବେ ଯାଞ୍ଚ କରନ୍ତୁ। ଏହି ଖବରର ଆଧାରରେ ଏକ ଡାଟାବେସ ରହିଛି ଯାହା ପାଖରେ କଥିତ ଭାବେ ୫୦ ହଜାର ଫୋନ ନମ୍ବରରୁ ଲିକ୍ ହୋଇଥିବା ଡାଟା ରହିଛି। ଅଭିଯୋଗ କରାଯାଉଛି ଯେ ଏହି ଫୋନ ନମ୍ବରଗୁଡ଼ିକ ଯେଉଁ ବ୍ୟକ୍ତିମାନଙ୍କର, ସେମାନଙ୍କ ଉପରେ ନଜର ରଖାଯାଉଛି। କିନ୍ତୁ ରିପୋର୍ଟରେ ଏହା କୁହାଯାଇଛି ଯେ :

ଡାଟାବେସ୍ ଫୋନ ନମ୍ବର ମିଳିବା ଫଳରେ ଫୋନ ପେଗାସସ ସ୍ପାଇୱେର ଦ୍ବାରା ପ୍ରଭାବିତ ହୋଇଛି କିମ୍ବା ଏହା ଉପରେ କୌଣସି ସାଇବର ଆକ୍ରମଣ ହୋଇଛି ବୋଲି ପ୍ରମାଣିତ ହେଉ ନାହିଁ।

କୌଣସି ଫୋନର ବୈଷୟିକ ବିଶ୍ଳେଷଣ କରାନଯାଇ ସେଥିରେ ସାଇବର ଆକ୍ରମଣର ପ୍ରୟାସ ସଫଳ ହୋଇଛି କି ନାହିଁ କହିବା ଠିକ୍ ହେବ ନାହିଁ।

ସେଥିପାଇଁ ଏହି ରିପୋର୍ଟ ସ୍ବତଃ ଏହା ପ୍ରମାଣିତ କରୁଛି ଯେ ଡାଟା ବେସ୍ରେ ଫୋନ ନମ୍ବର ମିଳିବାର ଅର୍ଥ ସେମାନଙ୍କ ଉପରେ କୌଣସି ପ୍ରକାରର ଗୁପ୍ତ ନଜର ଯେ ରଖାଯାଇଛି ତାହା ପ୍ରମାଣିତ କରୁନାହିଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏ ସଂକ୍ରାନ୍ତରେ ଏହି ଜ୍ଞାନକୌଶଳର ମାଲିକାନା ଥିବା ଏନଏସଓର ବୟାନ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ :

ଏନଏସଓ ଗ୍ରୁପ୍ ଏହା ବିଶ୍ବାସ କରିଥାଏ ଯେ ଆପଣମାନେ କରିଥିବା ଦାବି-ଏଚଏଲଆର ଲୁକଅପ୍ ସର୍ଭିସେସ ଭଳି ମୌଳିକ ସୂଚନାରୁ ତଥ୍ୟ ଲିକ୍ ହେବା-ଏକ ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା ଉପରେ ଆଧାରିତ। ସୂଚୀଭୁକ୍ତ ଉପଭୋକ୍ତାମାନେ ପେଗାସସ୍ କିମ୍ବା ଏନଏସଓର ଅନ୍ୟ କୌଣସି ଉତ୍ପାଦର ଶିକାର ହେବା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ଏହି ସେବା ଯେକୌଣସି ବ୍ୟକ୍ତିଙ୍କୁ ଯେକୌଣସି ସମୟରେ ଉପଲବ୍ଧ, ଯାହାର ସାଧାରଣ ପ୍ରୟୋଗ ସରକାରୀ ସଂସ୍ଥା ଏବଂ ଘରୋଇ କମ୍ପାନୀଗୁଡ଼ିକ ସାରା ବିଶ୍ବରେ କରୁଛନ୍ତି। ଗୋପନୀୟ ଭାବେ ନଜର ରଖାଯିବା କିମ୍ବା ଏନଏସଓ ସହିତ ନିଶ୍ଚିତ ଭାବେ ଏହି ତଥ୍ୟର କୌଣସି ସମ୍ପର୍କ ନାହିଁ। ତେଣୁ ଗୁପ୍ତ ଭାବେ ନଜର ରଖାଯିବା ଲାଗି ଏହି ତଥ୍ୟ ଉପଯୋଗ କରାଯିବା ଦାବି ସମ୍ପୂର୍ଣ୍ଣ ଭାବେ ଆଧାରହୀନ ଅଟେ।

ଏନଏସଓ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ଦେଶଗୁଡ଼ିକର ନାମ ପେଗାସସର ଉପଭୋକ୍ତା ସୂଚୀରେ ଦର୍ଶାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଭୁଲ ଏବଂ ଏଗୁଡ଼ିକ ମଧ୍ୟରୁ ଅନେକ ଦେଶ ସେମାନଙ୍କର ଉପଭୋକ୍ତା ନୁହନ୍ତି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଏହାର ଅଧିକାଂଶ ଉପଭୋକ୍ତା ହେଉଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ର।

ତେଣୁ ଏହା ସ୍ପଷ୍ଟ ଯେ ଏନଏସଓ ପକ୍ଷରୁ ପ୍ରକାଶିତ ଖବରରେ କରାଯାଇଥିବା ଦାବିଗୁଡ଼ିକୁ ଖଣ୍ଡନ କରାଯାଇଛି।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଭାରତରେ ଗୁପ୍ତ ନଜର ରଖାଯିବା ସଂକ୍ରାନ୍ତରେ ଏକ ନିର୍ଦ୍ଧାରିତ ପ୍ରୋଟୋକଲ ରହିଛି। ବିରୋଧୀ ଦଳରେ ଥିବା ମୋର ସହଯୋଗୀ ଏବଂ ଯେଉଁମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେମାନେ ନିଶ୍ଚିତ ଭାବେ ଏହି ପ୍ରୋଟୋକଲ ସମ୍ପର୍କରେ ସୂଚନା ପାଇଥିବେ। ସେମାନେ ଅନେକ ବର୍ଷ ଧରି ସରକାରରେ ଥିଲେ, ସେଥିପାଇଁ ସେମାନେ ଏହା ଜାଣିଥିବେ ଯେ କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା, ଆଇନଗତ ନିୟନ୍ତ୍ରଣ ବିନା ସମ୍ଭବ ନୁହେଁ।

ଭାରତରେ ଏକ ନିର୍ଦ୍ଧାରିତ ପ୍ରକ୍ରିୟା ରହିଛି, ଯାହା ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକୁ ଆଇନଗତ ଭାବେ ପ୍ରତିରୋଧ (ଇଣ୍ଟରସେପ୍ସନ) କରାଯାଇଥାଏ ଏବଂ ଏହା କେବଳ ଜାତୀୟ ସୁରକ୍ଷା ଭଳି କାରଣ, ବିଶେଷ କରି କୌଣସି ସାର୍ବଜନୀନ ବିପତ୍ତି କିମ୍ବା ଜନ ସୁରକ୍ଷା ବିଷୟରେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ସଂସ୍ଥା ଦ୍ବାରା କରାଯାଇଥାଏ।

ଇଲେକ୍ଟ୍ରୋନିକ୍ସ ବାର୍ତ୍ତାଗୁଡ଼ିକର ଆଇନଗତ ପ୍ରତିରୋଧ ଅନୁରୋଧ ଭାରତୀୟ ଟେଲିଗ୍ରାଫ ଆଇନ, ୧୮୮୫ର ଧାରା ୫(୨) ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୯ ଅନ୍ତର୍ଗତ କରାଯାଇଥାଏ। ନଜର ରଖାଯିବା କିମ୍ବା ପ୍ରତିରୋଧର ସମସ୍ତ ମାମଲା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଅନୁମୋଦିତ କରାଯାଇଥାଏ। ଆଇଟି (ପ୍ରୋସିଜ୍ୟୋର ଆଣ୍ଡ ସେଫ୍ଗାର୍ଡସ ଫର ଇଣ୍ଟରସେପ୍ସନ, ମନିଟରିଂ ଆଣ୍ଡ ଡିକ୍ରିପ୍ସନ ଅଫ ଇନଫରମେସନ) ନିୟମାବଳୀ, ୨୦୦୯ ବଳରେ ଏହି କ୍ଷମତା ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ସମିତି ରୂପରେ ଏଠାରେ ନିରୀକ୍ଷଣର ଏକ ନିର୍ଦ୍ଧାରିତ ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ସ୍ତରରେ ଏପରି ବିଷୟର ନିରୀକ୍ଷଣ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ସମିତି କରିଥାଏ। ଯେଉଁ ଲୋକମାନେ ଏପରି ଘଟଣାରେ ପୀଡ଼ିତ, ସେମାନଙ୍କୁ ନ୍ୟାୟ ଦେବା ଲାଗି ଆଇନଗତ ବ୍ୟବସ୍ଥା ରହିଛି।
ସେହିପରି କୌଣସି ପ୍ରକାରରେ କାହା ଉପରେ ନଜର ରଖାଯିବା କିମ୍ବା ପ୍ରତିରୋଧ କରାଯିବା କାର‌୍ୟ୍ୟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ କରାଇବା ଲାଗି ଏହି ପ୍ରକ୍ରିୟାରେ ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଏବଂ ସଂସ୍ଥାଗୁଡ଼ିକ ସମୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ମାନନୀୟ ଅଧ୍ୟକ୍ଷ ମହୋଦୟ, ଶେଷରେ, ମୁଁ କହିବାକୁ ଚାହୁଁଛି ଯେ :

● ଏହି ରିପୋର୍ଟର ପ୍ରକାଶକ କହିଛନ୍ତି ଯେ, ରିପୋର୍ଟରେ ଦିଆଯାଇଥିବା ଫୋନ ନମ୍ବର ଉପରେ ନଜର ରଖାଯାଉଥିଲା ବୋଲି କୁହାଯାଇପାରିବ ନାହିଁ।
● ଯେଉଁ କମ୍ପାନୀର ଜ୍ଞାନକୌଶଳକୁ କଥିତ ଭାବେ ଦୁରୂପଯୋଗ କରାଯାଉଥିବା କୁହାଯାଉଛି, ସେହି କମ୍ପାନୀ ମଧ୍ୟ ଏହି ଦାବିକୁ ସ୍ପଷ୍ଟ ଭାବେ ଖାରଜ କରିଛି।
● ଦୀର୍ଘ ସମୟ ଧରି ଦେଶରେ ପ୍ରତିଷ୍ଠିତ ଆଇନଗତ ପ୍ରକ୍ରିୟା ଏହା ସୁନିଶ୍ଚିତ କରୁଛି ଯେ କୌଣସି ପ୍ରକାରର ବେଆଇନ ନଜର ରଖାଯିବା ସମ୍ଭବ ନୁହେଁ।

ମାନନୀୟ ଅଧ୍ୟକ୍ଷ ମହୋଦୟ,

ଏହି ବିଷୟକୁ ତର୍କସଙ୍ଗତ ଦୃଷ୍ଟିକୋଣରୁ ଦେଖିଲେ ଏହା ଜଣାପଡ଼ୁଛି ଯେ ଏପରି ଚାଞ୍ଚଲ୍ୟକର ବିଷୟର କୌଣସି ସତ୍ୟତା ନାହିଁ।
ଧନ୍ୟବାଦ, ମାନନୀୟ ଅଧ୍ୟକ୍ଷ ମହୋଦୟ।”

Categories
ଆଜିର ଖବର ଜାତୀୟ ଖବର

ମୌସୁମୀ ଅଧିବେଶନ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଉଭୟ ଗୃହକୁ କରାଗଲା ମୁଲତବୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଗୁରୁବାର ଦିନ ଝଡ଼ ଆରମ୍ଭ ହୋଇଛି। ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୁରୁବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ରଖିବାକୁ ପଡିଥିଲା। ଲୋକସଭାରେ ବିରୋଧୀ ସାଂସଦମାନେ ତିନୋଟି କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ହଟ୍ଟଗୋଳ ସୃଷ୍ଟି କରିଥିଲେ।

ବାଚସ୍ପତି ଓମ୍ ବିର୍ଲା ବିରୋଧୀଙ୍କ ହଟ୍ଟଗୋଳକୁ ଅନ୍ୟାୟ ବୋଲି କହିଛନ୍ତି ଏବଂ ଗୃହର ମର୍ଯ୍ୟାଦା ବଜାୟ ରଖିବା ମଧ୍ୟ ବିରୋଧୀଙ୍କ ଦାୟିତ୍ୱ ବୋଲି କହିଛନ୍ତି। ଗଣତନ୍ତ୍ରକୁ ସଶକ୍ତ କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ କହିଥିଲେ। ଜନସାଧାରଣ ଆମକୁ ହଙ୍ଗାମା ସୃଷ୍ଟି କରିବାକୁ ଏବଂ ପ୍ଲାକାର୍ଡ ଦେଖାଇବାକୁ ପଠାଇ ନାହାଁନ୍ତି। ଗୃହ ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟା ସରକାରଙ୍କୁ ଜଣାଇବାକୁ ସେ ସାଂସଦମାନଙ୍କୁ ନିବେଦନ କରିଥିଲେ।

ଜାରି ରହିଥିବା ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ବିର୍ଲା ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଯେତେବେଳେ ପୁନର୍ବାର ପ୍ରକ୍ରିୟା ଅପରାହ୍ନ ୧୨ ଟାରେ ଆରମ୍ଭ ହେଲା, ପୁଣିଥରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହେଲା ଏବଂ ପ୍ରକ୍ରିୟାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

ଅପରପକ୍ଷରେ, ୧୧ ଟା ସମୟରେ ରାଜ୍ୟସଭାର କାର୍ଯ୍ୟବାହୀ ଆରମ୍ଭ ହେବା ମାତ୍ରେ ସଦସ୍ୟମାନେ ହଙ୍ଗାମା କରିବା ଆରମ୍ଭ କରିଥିଲେ। ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବିରୋଧୀ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ଯେ, ସେମାନେ ନିଜ ଆସନକୁ ଫେରିଯାଆନ୍ତୁ ଏବଂ ପୋଷ୍ଟର ଉତ୍ତୋଳନ କରନ୍ତୁ ନାହିଁ, କିନ୍ତୁ ବିରୋଧୀମାନେ ଚୁପ ରହିନଥିଲେ। ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ରାଜ୍ୟସଭା ବୈଠକ ବେଳେ ପ୍ରଶ୍ନକାଳରେ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ରାଜ୍ୟସଭାକୁ ମଧ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ପେଗାସସ୍ ଗୁପ୍ତଚର ମାମଲା ସହ ବିଭିନ୍ନ ପ୍ରସଂଗ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ

ନୂଆଦିଲ୍ଲୀ, ପେଗାସସ ଗୁପ୍ତଚର ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ସଂସଦର ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଲୋକସଭା କାର୍ଯ୍ୟ ଅନେକ ଥର ବ୍ୟାହତ ହୋଇଥିଲା ଏବଂ ଶେଷରେ ଦିନ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ରାଜ୍ୟସଭାର କାର୍ଯ୍ୟ ମଧ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା।

ଲୋକସଭା ଦୁଇଥର ସ୍ଥଗିତ ହୋଇ ଆରମ୍ଭ ହେବା ମାତ୍ରେ ପେଗାସସ୍ ଗୁପ୍ତଚର ମାମଲା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ଦାବି କରି କଂଗ୍ରେସ ସମେତ ଟିଏମସି, ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଠା କରିଥିଲେ।

ବାଚସ୍ପତି ଶାନ୍ତି ବଜାୟ ରଖିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ବିରୋଧ ଜାରି ରଖିଥିଲେ। ଫଳରେ ଗୃହ କାର୍ଯ୍ୟ ଦିନକ ପାଇଁ ସ୍ଥଗିତ ରଖାଯାଇଥିଲା। ୱାଇଏସଆର କଂଗ୍ରେସ ସଦସ୍ୟ ବିଶାଖାପାଟନମ୍ ଇସ୍ପାତ କାରଖାନାର ଘରୋଇକରଣକୁ ବିରୋଧ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଥିଲେ।

ରାଜ୍ୟସଭାର କାର୍ଯ୍ୟ ମଧ୍ୟ ଦୁଇଥର ବ୍ୟାହତ ହୋଇଥିଲା। ଅପରାହ୍ନ 1 ଟାରେ ପୁଣିଥରେ ଆଲୋଚନା ଆରମ୍ଭ ହେବା ମାତ୍ରେ ୱାଇଏସର କଂଗ୍ରେସ ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ଷ୍ଟାଟସ ମାନ୍ୟତା ଦାବି କରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଥିଲେ। ଗୃହର ନେତା ପୀୟୁଷ ଗୋୟଲ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଥିବା କୋଭିଡ ମହାମାରୀ ଉପରେ ଗୃହରେ ଆଲୋଚନା କରିବାକୁ ସଦସ୍ୟମାନଙ୍କୁ ନିବେଦନ କରିଥିଲେ।

ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଗୃହରେ କୋଭିଡଙ୍କ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ୱାଇଏସଆର କଂଗ୍ରେସର ସଦସ୍ୟମାନେ ଶାନ୍ତ ହୋଇନଥିଲେ ଏବଂ ହୋହାଲ୍ଲା ଜାରି ରଖିଥିଲେ। ଫଳରେ ବାଚସ୍ପଚି ଗୃହ କାର୍ଯ୍ୟକୁ ଅପରାହ୍ନ 2.45 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ଏହାପୂର୍ବରୁ, ଯେତେବେଳେ ମଧ୍ୟାହ୍ନ 12 ଟାରେ ପ୍ରଥମ ମୁଲତବୀ ପରେ ରାଜ୍ୟସଭା ଆରମ୍ଭ ହୋଇଥିଲା, ସେତେବେଳେ ପେଗାସସ୍ ଗୁପ୍ତଚର କାର୍ଯ୍ୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କଂଗ୍ରେସ, ଟିଏମସି , ଡିଏମକେ ଏବଂ ଅନ୍ୟ ଦଳର ସଦସ୍ୟମାନେ ପୁନର୍ବାର ଗୃହର ମଧ୍ୟଭାଗକୁ ଆସିଥିଲେ। ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ବାମପନ୍ଥୀ ତଥା ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।

ଡେପୁଟି ଚେୟାରମ୍ୟାନ୍ ବାରମ୍ବାର ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ କହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ଗୃହର କାର୍ଯ୍ୟକୁ ଦିନ 1 ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ସକାଳେ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ ଗତକାଲି 17 ଟି ମୁଲତବୀ ପ୍ରସ୍ତାବ ଆସିଛି ଏବଂ ଆଜି ମଧ୍ୟ 15 ଟି ପ୍ରସ୍ତାବ ଆସିଛି। ଏକାସାଙ୍ଗରେ ଏତେଗୁଡିଏ ପ୍ରସ୍ତାବକୁ କିପରି ଅନୁମତି ଦିଆଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ।

କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ ଏହି ପ୍ରସଙ୍ଗ ଜାତୀୟ ସୁରକ୍ଷା ସହ ଜଡିତ ଏବଂ ଏହାକୁ ଗୃହରେ ଉଠାଇବାକୁ ଦିଆଯାଉ। ତେବେ ଦିନ ତମାମ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ଠିକରେ ଚାଲିପାରି ନ ଥିଲା।

Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭାରେ ବିଜେପିର ନେତା ହେଲେ ପୀୟୂଷ ଗୋଏଲ: ଲୋକସଭାର ନୂଆ ନେତା ଘୋଷଣା କରିବ କଂଗ୍ରେସ

ନୂଆଦିଲ୍ଲୀ: ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ନେତା ଭାବେ ପୀୟୂଷ ଗୋଏଲଙ୍କୁ ନିଯୁକ୍ତି ଦିଆଯାଇଛି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପୀୟୂଷ ଗୋଏଲଙ୍କୁ ବିଜେପି ରାଜ୍ୟସଭାର ନେତା ଭାବେ ନିଯୁକ୍ତି ଦେଇଛି। ତାଙ୍କ ପୂର୍ବରୁ ଧାୱାରଚାନ୍ଦ ଗେହେଲେତ ରାଜ୍ୟସଭାରେ ବିଜେପିର ନେତା ଭାବେ କାର୍ଯ୍ୟ କରୁଥିଲେ। ଧାୱାରଚାନ୍ଦଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ପୀୟୂଷଙ୍କୁ ବିଜେପି ଏବେ ଏହି ଦାୟିତ୍ଵ ପ୍ରଦାନ କରିଛି।

ତେବେ ପୀୟୂଷଙ୍କ ରାଜ୍ୟସଭାରେ ଆସନ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବ। ପୀୟୂଷ ୨୦୧୦ ମସିହାରୁ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ପଦବୀ ପାଇଁ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଆଲୋଚନା କରାଯାଉଥିଲା। ପୀୟୂଷ ଗୋଏଲ ରାଜ୍ୟସଭାରେ ନେତା ମନୋନୀତ ହେବା ପରେ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

ଅପରପକ୍ଷେ ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ କଂଗ୍ରେସର ଲୋକସଭା ନେତା ଭାବେ ନୂଆ ଏକ ନେତାଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ଓଡ଼ିଶାର ସ୍ୱାଭିମାନ ପ୍ରତି ଏକ ଆହ୍ୱାନ: ସମାଜବାଦୀ ପାର୍ଟି

ଭୁବନେଶ୍ୱର: ୭୪ବର୍ଷର ସ୍ୱାଧୀନତା ପରେ ପ୍ରଥମ ବ୍ୟକ୍ତି ଭାବରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ୨୦୧୮ ମସିହାରେ ଓଡ଼ିଶାରୁ ଭାରତବର୍ଷର ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିଲେ। କିନ୍ତୁ ଦୁଃଖର କଥା କାଳର କରାଳ ସ୍ରୋତରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ରଘୁନାଥ ମହାପାତ୍ର ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ୩ବର୍ଷ ବାକି ଥାଉ ଥାଉ ଗତମାସରେ ଇହଧାମରୁ ବିଦାୟ ନେଲେ। ତାଙ୍କ ମୃତ୍ୟୁର ଦୁଃଖ ଓଡ଼ିଶାବାସୀଙ୍କ ମନରୁ ନ ଭୁଲୁଣୁ ଭାରତବର୍ଷର ରାଷ୍ଟ୍ରପତି ମହୋଦୟ ତାଙ୍କର ବାକି କାର୍ଯ୍ୟକାଳ ପାଇଁ ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନୀଙ୍କୁ ମନୋନୀତ କରିଛନ୍ତି।

ଶ୍ରୀଯୁକ୍ତ ଜେଠମାଲାନୀ ଜଣେ ଖ୍ୟାତନାମା ଓକିଲ ଏବଂ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିବାରେ ଆମ୍ଭର କୌଣସି ବିଦ୍ୱେଷ ନାହିଁ। କିନ୍ତୁ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରୀଯୁକ୍ତ ଜେଠମାଲାନୀଙ୍କୁ ମନୋନୟନ କରିବା ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି। ଏ ରାଜ୍ୟରେ ଶିଳ୍ପ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଶିଳ୍ପୀକଳା ଓ ରାଜନୀତି କ୍ଷେତ୍ରରେ ପ୍ରତିଭାର ଅଭାବ ନାହିଁ। ବହୁ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନଙ୍କୁ ଅବଶିଷ୍ଟ ସମୟ ପାଇଁ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାରୁ ମନୋନୀତ କରିପାରିଥାନ୍ତେ।

କିନ୍ତୁ ଦୁଃଖ ଓ ପରିତାପର କଥା ନିର୍ବାଚନ କମିଶନଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଥିବା ଭାରତୀୟ ଜନତା ପାର୍ଟି ଆଜି ମାନ୍ୟବର ରାଷ୍ଟ୍ରପତିଙ୍କ ଗାରିମାକୁ ମଧ୍ୟ ତାର ସ୍ୱାର୍ଥ ପାଇଁ ବାଜିରେ ଲଗାଇ ମହେଶ ଜେଠମାଲାନୀଙ୍କୁ ରାଜ୍ୟସଭାକୁ ମନୋନୀତି କରିଛି। ଏହା ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ଏକ ଆହ୍ୱାନ। ଦଳମତ ନିର୍ବିଶେଷରେ ସମସ୍ତେ ରାଜ୍ୟର ସ୍ୱାଭିମାନ ପାଇଁ ଏହାକୁ ବିରୋଧ କରିବା ଆବଶ୍ୟକ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ଭାରତର ରାଷ୍ଟ୍ରପତିଙ୍କ ପାଖକୁ ଆଜି ଏ ସଂକ୍ରାନ୍ତରେ ଏକ ପତ୍ର ଲେଖି ସେ ନିଜର ନାପସନ୍ଦକୁ ଜାହିର କରିବା ସହିତ ଆଗାମୀ ଦିନରେ ଯେଉଁ ଶୂନ୍ୟସ୍ଥାନ ଆସିବ, ସେଥିରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାର ଜଣେ ବିଜ୍ଞ ବ୍ୟକ୍ତିଙ୍କୁ ମନୋନୀତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ରାଜ୍ୟର ମାନ୍ୟବର ବିଧାୟକ, ସାଂସଦ ଓ ଅନ୍ୟାନ୍ୟ ବିରୋଧୀ ଦଳ ସମେତ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମନୋନୟନର ପ୍ରତିବାଦ କରିବାକୁ ସେ ନିବେଦନ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ରାଜ୍ୟସଭାରେ ମେଡିକାଲ ଟର୍ମିନେସନ (ଗର୍ଭପାତ) ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

ନୂଆଦିଲ୍ଲୀ, ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (ମେଡିକାଲ ଟର୍ମିନେସନ ଅଫ୍‍ ପ୍ରେଗେନ୍ସି) ୨୦୨୧ ଗୃହୀତ ହୋଇଛି । ଏହି ବିଲ୍‍ଟି ୧୯୭୧ ଗର୍ଭପାତ ଆଇନରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ । ୨୦୨୦ ମାର୍ଚ୍ଚ ୧୭ ତାରିଖରେ ଏହି ବିଲ୍‍ଟି ଲୋକସଭାରେ ଗୃହୀତ ହୋଇଥିଲା ।

ସଂଶୋଧନର ମୁଖ୍ୟାଂଶ

  1. ଏହି ବିଲ୍‍ ଅନୁସାରେ କେତେକ ସ୍ୱତନ୍ତ୍ର ଶ୍ରେଣୀ ମହିଳାଙ୍କ ପାଇଁ ଚିକିତ୍ସାଗତ ଆବଶ୍ୟକତା କାରଣରୁ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଭ୍ରୁଣର ଗର୍ଭପାତ କରାଯାଇପାରିବ । ଆଗରୁ ଏହି ସମୟସୀମା ୨୦ ସପ୍ତାହ ଥିଲା ।
  2. ବିଶେଷକରି ବଳାତ୍କାର, ଭିନ୍ନକ୍ଷମ ମହିଳା, ବଳାତ୍କୃତା ନାବାଳିକା ତଥା କୌଟୁମ୍ବିକ ବଳାତ୍କାର ଦ୍ୱାରା ଗର୍ଭବତୀ ହୋଇଥିବା ମହିଳାଙ୍କ ପାଇଁ ଏହି ଗର୍ଭପାତ ସୁବିଧା ମିଳିବ ।
  3. ଏହି ଗର୍ଭପାତ ପାଇଁ ଚିକିତ୍ସକ ଓ ଆଇନ ବିଶାରଦଙ୍କ ମତାମତ ନେବାକୁ ପଡିବ ।
  4. ଭ୍ରୁଣର ଅନିୟମିତତା ପାଇଁ ଏହି ପରିବର୍ଦ୍ଧିତ ୨୪ ସପ୍ତାହ ଆପଣାଛାଏଁ ଲାଗୁହେବ ନାହିଁ।
  5. ମେଡିକାଲ ବୋର୍ଡର ମତାମତ ଓ ସବିଶେଷ ତଥ୍ୟ ପରେ ଆବଶ୍ୟକ ପଡିଲେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇହେବ ।
  6. ଯେଉଁ ମହିଳାଙ୍କର ଗର୍ଭପାତ କରାଯାଇଥିବ ତାଙ୍କର ନାମ ଏବଂ ଅନ୍ୟାନ୍ୟ ତଥ୍ୟାବଳୀ ସାଧାରଣତଃ ଗୁପ୍ତ ରଖାଯିବ । କେବଳ ଆଇନଗତ ଓ ଜରୁରୀ ଆବଶ୍ୟକତା ନିମନ୍ତେ ଏହି ତଥ୍ୟ ଜଣେ ଅଧିକୃତ ବ୍ୟକ୍ତିବିଶେଷଙ୍କୁ ଦେଇହେବ ।
  7. ଡାକ୍ତରୀ ଗର୍ଭପାତ ସଂଶୋଧନ ବିଲ୍‍ର ଉଦ୍ଦେଶ୍ୟ ହେଲା ନିରାପଦ ଓ ଆଇନ ସମ୍ମତଭାବେ ଡାକ୍ତରଖାନାରେ ଗର୍ଭପାତ କରାଇବା ।
  8. ସ୍ୱାସ୍ଥ୍ୟଗତ, ମାନବିକ, ସାମାଜିକ, ଆନୁବଂଶିକ, ବ୍ୟାଧି ଆଦି କାରଣରୁ ମହିଳାଙ୍କୁ ନିରାପଦ ଗର୍ଭପାତ ସୁବିଧା ଦେବା ପାଇଁ ଏହି ବିଲ୍‍ ଉଦ୍ଦିଷ୍ଟ ।
  9. ଏହାଛଡା ଗର୍ଭପାତ ବେଳେ ସମସ୍ତ ପ୍ରକାର ନିରାପଦ ଚିକିତ୍ସା ବ୍ୟବସ୍ଥା ସଂପୃକ୍ତ ମହିଳା ଯେପରି ପାଆନ୍ତି ତାହାର ମଧ୍ୟ ବନ୍ଦୋବସ୍ତ ଏଥିରେ କରାଯାଇଛି ।
  10. ମହିଳାମାନଙ୍କୁ ବିଭିନ୍ନ କାରଣରୁ ଗର୍ଭଧାରଣର ୨୪ ସପ୍ତାହ ପର‌୍ୟ୍ୟନ୍ତ ଡାକ୍ତରୀ ଉପାୟରେ ଗର୍ଭପାତର ସୁବିଧା ଦେବାକୁ ବିଭିନ୍ନ ମହିଳା ସଂଗଠନ ଏବଂ ସଂସ୍ଥା ପକ୍ଷରୁ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା ।
  11. ଏସବୁକୁ ବିଚାରକୁ ନେଇ ସରକାର ମହିଳାଙ୍କ ହିତରେ ଏହି ନୂଆ ବିଲ୍‍ ପ୍ରସ୍ତୁତ କରୁଛନ୍ତି।
Categories
ଆଜିର ଖବର ଜାତୀୟ ଖବର

ବିଜେପିରୁ ପ୍ରାର୍ଥୀ ହେବା ପରେ ସାଂସଦ ସ୍ବପନ ଦାସଗୁପ୍ତାଙ୍କୁ ଘେରିଲା ଟିଏମସି: ରାଜ୍ୟସଭାରୁ ଦେଲେ ଇସ୍ତଫା

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ସାଂସଦ ସ୍ବପନ ଦାସଗୁପ୍ତାଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିଛି। ଏହାକୁ ନେଇ ଟିଏମସି ସମାଲୋଚନା କରିଛି। ଯାହାଫଳରେ ସ୍ବପନ ଦାସଗୁପ୍ତା ରାଜ୍ୟସଭା ସାଂସଦ ପଦବୀରୁ ଇସ୍ତଫା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବିଜେପିରୁ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିବା ସ୍ବପନ ଦାସଗୁପ୍ତା ରାଜ୍ୟସଭାର ସାଂସଦ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟସଭାର ମନୋନୀତ ସାଂସଦ ହୋଇଥିବାରୁ ନିୟମ ମୁତାବକ ସେ କୌଣସି ଦଳୀୟ ଟିକେଟରୁ ନିର୍ବାଚନ ଲଢି ପାରିବେ ନାହିଁ। ତେଣୁ ଏନେଇ ଟିଏମସି ପକ୍ଷରୁ ବିରୋଧ କରାଯାଇଥିଲା।

ତେବେ ଆଜି ସ୍ବପନ ଇସ୍ତଫା ପତ୍ର ଉପ-ରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କୁ ପ୍ରଦାନ କରିଛନ୍ତି। ଯାହା ଫଳରେ ନିର୍ବାଚନ ଲଢିବା ପାଇଁ ଏବେ ସ୍ବପନ ଦାସଗୁପ୍ତାଙ୍କ ରାସ୍ତା ସଫା ହୋଇଛି। ପଶ୍ଚିମବଙ୍ଗ ରାଜନୀତିରେ ବଡ ଚେହେରା ଭାବେ ସ୍ବପନ ଦାସଗୁପ୍ତାଙ୍କୁ ହୁଗୁଳି ଜିଲ୍ଲାର ତାରକେଶ୍ଵର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କରିଛି।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ କଥାକୁ ମନେ ପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମେତ ରାଜ୍ୟସଭାରୁ ଚାରି ଜଣ ସାଂସଦ ଆଜି ବିଦାୟ ନେଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଲାମ ନବୀ ଆଜଦଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଆତଙ୍କବାଦୀ ଘଟଣା ପରେ ଗୁଲାମ ନବୀ ଆଜାଦଙ୍କ ସହ ଫୋନରେ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ।

ସେହି ବାର୍ତ୍ତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି। ନରେନ୍ଦ୍ର ମୋଦୀ କହିଥିଲେ ଯେ, ଗୁଜୁରାଟରେ ଯେତେବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେତେବେଳ ଗୁଲାମ ନବୀ ଆଜାଦଙ୍କ ପ୍ରଥମ ଫୋନ ତାଙ୍କ ପାଖକୁ ଆସିଥିଲା। ଏହି ଫୋନ କେବଳ ସୂଚନା ଦେବା ପାଇଁ ଆସିନଥିଲା। ଫୋନରେ ଗୁଲାମ ନବୀ ଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା।

ସେତେବେଳ ରକ୍ଷାମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଥିଲେ ଏବଂ ସେନାଙ୍କୁ ଆଣିବା ଲାଗି ବିମାନର ବ୍ୟବସ୍ଥା କରିବା ଲାଗି ତାଙ୍କୁ ଅନୁରୋଧ କରିଥିଲେ। ଠିକ ସେହି ସମୟରେ ଆଜଦ ତାଙ୍କୁ ଫୋନ କରି ଆକ୍ରମଣ ଉପରେ ଚିନ୍ତା ପ୍ରକଟ କରିଥିଲେ। ଯେମିତିକି ନିଜର ପରିବାରର କୌଣସି ସଦସ୍ୟଙ୍କ ପାଇଁ ଚିନ୍ତା କରାଯାଏ । ଆଜାଦ ସେହିପରି ମୋଦୀଙ୍କ ବିଷୟରେ ଚିନ୍ତା କରିଥିଲେ। ଗୁଲାମ ନବୀ ନିଜର ଦଳ ସହିତ ଦେଶ କଥାକୁ ମଧ୍ୟ ଭାବିଥାନ୍ତି। ତାଙ୍କ ସ୍ଥାନକୁ ପୂରଣ କରିବା ଅନ୍ୟମାନଙ୍କ ପାଇଁ କଷ୍ଟ ଦାୟକ ହେବ, ରାଜନୀତିକୁ ଆସିବା ପୂର୍ବରୁ ମୁଁ ଅନେକ ସମୟ ଧରି ତାଙ୍କ ସହିତ ବାର୍ତ୍ତାଳାପ କରୁଥିଲି ବୋଲି ମୋଦୀ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ରାଜ୍ୟସଭାରେ କଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ଆଜି ଭାରତ ସୁଯୋଗର ଏକ ଭୂମି ପାଲଟିଛି ଓ ସାରା ବିଶ୍ୱର ଆଖି ଭାରତ ଉପରେ ରହିଛି । ଭାରତଠାରୁ ଅନେକ ଆଶା କରାଯାଉଥିଲା ଓ ଭରସା ଥିଲା ଯେ ଭାରତ ବିଶ୍ୱର ଉନ୍ନତି ପାଇଁ ନିଶ୍ଚୟ କିଛି କରିବ । ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିପାଳନ କରିବାକୁ ଯାଉଛି ଓ ଆମେ ଏହି ଆଶା ଭରସାକୁ ସାକାର କଲେ ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ତାହା ପ୍ରତିପାଦିତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀର ମୁକାବିଲା କୌଣସି ଦଳ ବା ବ୍ୟକ୍ତିର ସଫଳତା ନୁହେଁ ଏହା ସମଗ୍ର ଦେଶର ସଫଳତା ଓ ପୁରାଦେଶ ଏହାକୁ ଉତ୍ସବ ମନେକରି ପାଳନ କରିବା ଉଚିତ । ଯେତେବେଳେ ବସନ୍ତ ଓ ପୋଲିଓର ଭୟ ଥିଲା ଦେଶ ତାହାର ମୁକାବିଲା କରିଛି । କେହି ଜାଣି ନଥିଲେ ଭାରତ କେବେ ଟୀକା ଉଦ୍‌ଭାବନ କରିବ ଓ କେତେ ଲୋକ ଟୀକା ପାଇବେ । ଆଜି ଆମ ଦେଶ ସାରା ବିଶ୍ୱ ପାଇଁ ଟୀକା ପ୍ରସ୍ତୁତ କରୁଛି ଓ ଆମେ ବିଶ୍ୱର ବୃହତ୍ତମ ଟୀକାକରଣ ଅଭିଯାନ ମଧ୍ୟ ହାତକୁ ନେଇଛୁ । ଏହା ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଆମର ସଂଘୀୟ ଢାଂଚା ଓ ସମନ୍ୱୟ ସଂଘୀୟ ବ୍ୟବସ୍ଥାକୁ କୋଭିଡ-୧୯ ନୂତନ ଶକ୍ତି ଯୋଗାଇଛି ।

ଭାରତୟ ଗଣତନ୍ତ୍ର ପ୍ରତି ସମାଲୋଚନା ଉପରେ ମନ୍ତବ୍ୟ ଦେଇ ମୋଦି କହିଛନ୍ତି ଯେ ଭାରତ ଗଣତନ୍ତ୍ର ପାଶ୍ଚାତ୍ୟ ନୁହେଁ ବରଂ ଏକ ମାନବିକ ଅନୁଷ୍ଠାନ । ଭାରତୀୟ ଜାତୀୟତାବାଦ ଉପରେ ଚାରିଆଡୁ ହେଉଥିବା ଷଣ୍ଢୁଆଶୀ ଆକ୍ରମଣ ସମ୍ପର୍କରେ ଦେଶବାସୀଙ୍କୁ ସତର୍କ କରାଇବା ନିହାତି ଆବଶ୍ୟକ । ନେତାଜୀ ସୁଭାଷ ବୋଷଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତୀ କହିଛନ୍ତି ଯେ, ଭାରତୀୟ ଜାତୀୟତାବୋଧ ସଂକୀର୍ଣ୍ଣ ନୁହେଁ କି ସ୍ୱାର୍ଥନ୍ୱେଷୀ ବା ଉଗ୍ର, ଏହା ସତ୍ୟମ, ଶିବମ୍ ସୁନ୍ଦରମ୍ ଦର୍ଶନ ଉପରେ ପର‌୍ୟ୍ୟବସିତ । “ଭାରତ କେବଳ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ନୁହେଁ, ଏହା ଗଣତନ୍ତ୍ର\”ର ଜନନୀ ଓ ତାହା ହିଁ ଆମର ବୈଶିଷ୍ଟ୍ୟ । ଆମ ଦେଶର ମନୋଭାବ ଗଣତାନ୍ତ୍ରିକ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦି କହିଛନ୍ତି ଯେତେବେଳେ କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ବିଭିନ୍ନ ଦେଶ ବିଦେଶୀ ପୁଞ୍ଜିନିବେଶରୁ ବଞ୍ଚିତ ଥିଲେ ସେତେବେଳେ ଭାରତରେ ରେକର୍ଡ ର୍ପରିମାଣର ନିବେଶ ହୋଇଥିଲା । ବୈଦେଶିକ ମୁଦ୍ରା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ, ଇଣ୍ଟରନେଟର ବିସ୍ତାର ଓ ଡିଜିଟାଲ କାର୍ଯ୍ୟଦକ୍ଷତା, ଆର୍ଥିକ ଅନ୍ତଭୁର୍କ୍ତୀକରଣ, ଶୌଚାଳୟର ବହୁଳ ନିର୍ମାଣ, କମ୍ ବ୍ୟୟସାପେକ୍ଷ ଆବାସ, ନିଶୁଳ୍କ ଚିକିତ୍ସା ସେବା, ଶୌଚାଳୟର ବହୁଳ ନିର୍ମାଣ, ବ୍ୟୟସାପେକ୍ଷ ଆବାସ, ନିଃଶୁଳ୍କ ଚିକିତ୍ସା ସେବା, ଏଲପିଜି ବିତରଣ ଇତ୍ୟାଦି କ୍ଷେତ୍ରରେ ଦକ୍ଷ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସମ୍ମୁଖରେ ଆହ୍ୱାନ ଅଛି, ଆମକୁ ନିଷ୍ପତ୍ତି ନେବାକୁ ପଡିବ । ଆମେ ସମାଧାନ ବା ସମସ୍ୟାର ଅଂଶବିଶେଷ ହେବା ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୃହକୁ ଜଣାଇଛନ୍ତି ଯେ କୃଷକମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ୨୦୧୪ ମସିହାଠାରୁ ସରକାର କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଚାଷୀମାନଙ୍କୁ ସୁହାଇବା ଭଳି ଫସଲବୀମା କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି । ପ୍ରଧାନମନ୍ତ୍ରୀ କିଶାନ ଯୋଜନା ମଧ୍ୟ ପ୍ରବର୍ତ୍ତିତ ହୋଇଛି । କ୍ଷୁଦ୍ର ଚାଷୀମାନଙ୍କ ନିମନ୍ତେ ସରକାର କାର‌୍ୟ୍ୟ କରୁଥିବା ନେଇ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀ ୯୦ହଜାର କୋଟିରୁ ଅଧିକ ବୀମା ରାଶି ପାଇଛନ୍ତି ।

ଛାତ୍ରଛାତ୍ରୀମାନେ କିଶାନ କ୍ରେଡିଟ୍‌କାର୍ଡ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ସମ୍ମାନନିଧି ଜରିଆରେ ମଧ୍ୟ ଉପକୃତ ହୋଇଛନ୍ତି । ଯେତେବେଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ସଡକ ଯୋଗାଯୋଗ ସୁଗମ ହେଲା, କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଦୂରସ୍ଥାନକୁ ନେଇ ପାରିଲେ । କିଶାନ ରେଳ ଓ କିଶାନ ଉଡାଣ ପାଇଁ ମଧ୍ୟ ଉଦ୍ୟମ ହେଉଛି । ବର୍ତ୍ତମାନ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନମାନର ଉନ୍ନତି ଆଣିବା ପାଇଁ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରଭଳି ଘରୋଇ ବା ସମବାୟ କ୍ଷେତ୍ରରେ କାମ କରିବାକୁ ସେମାନଙ୍କୁ କାହିଁକି ସ୍ୱାଧୀନତା ନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ।

କୃଷି ସମସ୍ୟା ସମାଧାନ ହେବା ଉଚିତ ଓ ଏ ଦିଗରେ କାର‌୍ୟ୍ୟ ଆବଶ୍ୟକତା ରହିଛି । କୃଷକମାନଙ୍କ କଲ୍ୟାଣ ପାଇଁ ସବୁ ଦଳ ଆଗେଇ ଆସିବାକୁ ସେ ଆମନ୍ତ୍ରଣ ଜଣାଇଥିଲେ । ଗଝଚ ଉପରେ ନିଜର ଦୃଢୋକ୍ତିକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଗଝଚ ଥିଲା, ଗଝଚ ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ । ଗରୀବଙ୍କ ନିମନ୍ତେ କମ୍ ବ୍ୟୟସାପେକ୍ଷ ରାସନ ମଧ୍ୟ ରହିବ । ମଣ୍ଡିଗୁଡିକର ଆଧୁନିକକରଣ ହେବ ।” କୃଷକମାନଙ୍କ ଲାଗି ଆମକୁ ରାଜନୀତିକ ବିଚାରଧାରାର ଉର୍ଦ୍ଧ୍ୱରେ ରହିବାକୁ ପଡିବ ସେ କହିଛନ୍ତି ।

ଦେଶକୁ ଅସ୍ଥିରତା ଆଡକୁ ଠେଲିଦେବାକୁ ଚେଷ୍ଟା କରୁଥିବା ଶକ୍ତି ବିରୁଦ୍ଧରେ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଦେଶ ଶିଖ୍‌ମାନଙ୍କ ଅବଦାନ ପାଇଁ ଗର୍ବିତ । ଏହି ସଂପ୍ରଦାୟ ଦେଶ ପାଇଁ ବହୁତ କିଛି କରିଛି । ଗୁରୁସାହିବଙ୍କ ଶବ୍ଦାବଳୀ ଓ ନୀତିବାଣୀ ଖୁବ୍ ମୂଲ୍ୟବାନ । ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହା ଦୂର ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯୁବ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁବଗୋଷ୍ଠୀକୁ ସଶକ୍ତ କଲେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ । ସେହିପରି ଜାତୀୟ ଶିକ୍ଷା ନୀତିର ଗ୍ରହଣୀୟତାକୁ ନେଇ ଖୁସି ପ୍ରକଟ କରିଥିଲେ ।

ଦେଶର ଆର୍ଥିକ ଅଭିବୃଦ୍ଧିର ପୁନରୁଥାନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗଝଗଋର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେଥିପାଇଁ କରୋନା ମହାମାରୀ କାଳରେ ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି ।

ସବ୍‌‌କାସାଥ, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସ ଚିନ୍ତାଧାରା ଉପରେ ମତ ରଖି ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ନିଆଯାଇଥିବା ପଦକ୍ଷେପଗୁଡିକର ଦୃଷ୍ଟାନ୍ତ ଦେଇଥିଲେ । ସେ କହିଥିଲେ ଯେ ସେସବୁ ଅଞ୍ଚଳରେ ପରିସ୍ଥିତିର ଉନ୍ନତ ଘଟିବା ସହ । ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଆଗାମୀ ଦିନରେ ଦେଶର ବିକାଶରେ ପୂର୍ବାଞ୍ଚଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

କୃଷି ଆଇନରେ କ’ଣ କଳା ରହିଛି?: ରାଜ୍ୟସଭାରେ କଂଗ୍ରେସ ଠାରୁ ଉତ୍ତର ମାଗିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ଆଇନକୁ ନେଇ ଆଲୋଚନା ଜାରି ରହିଛି। ଆଲୋଚନା ସମୟରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂ ହୁଡ୍ଡାଙ୍କୁ ନୂତନ କୃଷି ଆଇନ ବିଷୟରେ ପଢିକି ଆସିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ ରକ୍ତରେ କ୍ଷେତି କେବଳ କଂଗ୍ରେସ କରିପାରିବ ବୋଲି ଶ୍ରୀ ତୋମର କହିଛନ୍ତି। ପଞ୍ଜାବ ଏବଂ ହରିୟଣାର କଣ୍ଟ୍ରାକ୍ଟ ଫାର୍ମିଙ୍ଗର ଉଦାହରଣ ଦେଇ କଂଗ୍ରେସ ସାଂସଦ କୃଷିମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ଏହି ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ କହିଥିଲେ ଯେ, ଆପଣ ଏହି ନୂଆ ଆଇନ ବିଷୟରେ ପଢିକି ଆସନ୍ତୁ।

ତେବେ ରାଜ୍ୟସଭାରେ କୃଷିମନ୍ତ୍ରୀ କହିଥିଲେ ଯେ, ସରକାରକୁ କୃଷି ଆଇନକୁ ନେଇ ବିରୋଧୀ ସମାଲୋଚନା କରୁଛି ଏବଂ ଏହି ତିନି ଆଇନ କଳା ଆଇନ ବୋଲି କହୁଛି। କିନ୍ତୁ ଏହି ଆଇନରେ କ’ଣ କଳା ଅଛି ବୋଲି କହି ସେ କଂଗ୍ରେସଠାରୁ ଉତ୍ତର ମାଗିଛନ୍ତି। ଏହାସହିତ ନୂଆ ଆକ୍ଟ ଦ୍ଵାରା ଚାଷୀ ତାହାର ଫସଲକୁ ନିଜ ଇଚ୍ଛା ଅନୁଯାୟୀ କେଉଁଠି ବି ବିକ୍ରି କରିପାରିବ। ଯଦି ଏପିଏମସିର ବାହାରେ କିଛି ବ୍ୟବସାୟ ହେଉଛି, ତେବେ ଏଥିପାଇଁ ଚାଷୀଙ୍କୁ କୌଣସି ଟାକ୍ସ ଲାଗିବା ନାହିଁ।

Categories
ଆଜିର ଖବର ଆଞ୍ଚଳିକ

କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ ଆମ୍ ଆଦମୀ ପାର୍ଟି ରେଢାଖୋଲ ତରଫରୁ ବିରୋଧ

କନ୍ଦର୍ପ ବେହେରା
ରେଢାଖୋଲ: କେନ୍ଦ୍ର ସରକାର ଯେଉଁଭଳି ଭାବରେ ଅଗଣତାନ୍ତ୍ରୀକ ଉପାୟରେ ରାଜ୍ୟସଭାରେ କୃଷିବିଲ୍ ପାସ୍ କଲେ ତାହା ଠିକ୍ ହେଲା ନାଇଁ ବୋଲି ଆମ୍ ଆଦମୀ ପାର୍ଟି ତରଫରୁ ସମଗ୍ର ଭାରତବର୍ଷରେ ଘୋର ବିରୋଧ କରାଯାଇଛି। ରେଢାଖୋଲ ସବଡିଭିଜନ୍ ତରଫରୁ ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ବିଲ୍ କୁ ବିରୋଧ କରିଛି।

ଆଜି ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପାର୍ଟିର ଆବାହକ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ କେନ୍ଦ୍ରସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲ। ବର୍ତ୍ତମାନ ମଣ୍ଡି ମାଧ୍ୟମରେ କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍ ପି)) ପାଉଛି ଯଦି ତାହା ନୂଆ ଆଇନ୍ କାର୍ଯ୍ୟକାରୀ କରାଯାଏ ତାହେଲେ ଏହି ଏମ୍ ଏସ୍ ପି ଉଠିଯିବାର ସମ୍ଭାବନା ରହିଛି। ଚାଷୀ ଧାନକୁ ମଣ୍ଡିବାହାରେ ବିକ୍ରି କରିପାରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବାକୁ ନେଇ ଆମ୍ ଆଦମୀ ପାର୍ଟି ଏହାକୁ ଦୃଢ ପ୍ରତିବାଦ କରିଛି। ଚାଷୀ ବାହାରେ ଧାନ ବିକ୍ରି କଲେ ମାଫିଆମାନେ ଲୁଟ୍ କରିବେ। ଚାଷୀ ଧାନର ସହାୟକ ମୂଲ୍ୟ ମଧ୍ୟ ପାଇପାରିବ ନାହିଁ। କେବଳ କଂପାନୀ ଲାଭବାନ ହେବ। ଆମ୍ ଆଦମୀ ପାର୍ଟି ତରଫରୁ ଆଗାମୀ ୨୫ ସେପ୍ଟେମ୍ବରରେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି। ତାହାକୁ ରେଢାଖୋଲ ପାର୍ଟି ମଧ୍ୟ ସମର୍ଥନ କରିଛି ବୋଲି ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଂଯୋଜକ ଆନନ୍ଦ ସାମଲ ପ୍ରକାଶ କରିଛନ୍ତି।

ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଜୟ କୁମାର ସାହୁ, ଦିଲ୍ଲୀପ ପ୍ରଧାନ, ସଞୟ କୁମାର ବିଶ୍ୱା , ସାମୁଏଲ ପୁର୍ତି , ଉତମ ମହାକୁଡ, ମାମି ଶବର , ସୁନୀଲ କୁମାର ବିଶ୍ୱାଳ, ରମାକାନ୍ତ ପ୍ରଧାନ, ପିପୁନ୍ ଧଳ ପ୍ରମୁଖ ଯୋଗ ଦେଇଥିଲ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ର ସରକାରର କୃଷକ ବିଲକୁ ବିରୋଧ: ରାଜରାସ୍ତାକୁ ଓହ୍ଲାଇବା ପାଇଁ ଧମକ ଦେଲା ଆମ ଜନତା ଅଧିକାର

ଭୁବନେଶ୍ବର: ସଂସଦରେ ଆଗତ କୃଷିସଂକ୍ରାନ୍ତ ବିଧେୟକକୁ ସାରା ଦେଶର କୃଷକ ସଂସଦ ବାହାରେ ଓ ସଂସଦ ଭିତରେ ବିରୋଧୀ ଦଳ ଓ ଏନଡିଏର ଅଂଶୀଦାର ଦଳ ବିରୋଧ ଜାରି ରଖିଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୃକ୍ଷେପ ନକରି ବିଧେୟକକୁ ଆଗତ କରିଛି।

କେନ୍ଦ୍ର ସରକାର ରାଜ୍ୟସଭାରେ ମଧ୍ୟ ଲୋକସଭା ଭଳି ବାଚନିକ ଭୋଟ ବଳରେ ଆଗତ ହୋଇଥିବା କୃଷି ସମ୍ପର୍କିତ ୩ଟି ବିଧେୟକକୁ ଗୃହୀତ କରାଇଛନ୍ତି। କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ ୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷିସେବା ବିଧେୟକ ୨୦୨୦ ଏଵଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦ ବାଦ ବିବାଦ ମଧ୍ୟରେ ଶୁକ୍ରବାର ଦିନ ଲୋକସଭାରେ ଗୃହୀତ ହୋଇଥିଲା।

ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଅଣଦେଖା କରି କର୍ପୋରେଟ ଜଗତର ସ୍ଵାର୍ଥ ଲାଗି ନିରୀହ ଗରୀବ କୃଷକମାନଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି ବୋଲି ଅଭିଯୋଗ କରିଛି “ଆମ ଜନତା ଅଧିକାର“।

ରାଜ୍ୟସଭାରେ ଏନଡିଏର ସହଯୋଗୀ ଶୀରୋମଣୀ ଅକାଳୀ ଦଳ ସମେତ ଟିଆରଏସ, ଆମ ଆଦମୀ ପାର୍ଟି ଭଳି ଅନେକ ଦଳ ବିରୋଧ ଜାରୀ ରଖିଥିବା ବେଳେ ପୂର୍ବରୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଥିବା ବିଜୁ ଜନତା ଦଳ ମଧ୍ୟ ଏହି ବିଲକୁ ପୂର୍ବରୁ ଲୋକସଭାରେ ବିରୋଧ କରିନଥିଲେ ବି ରାଜ୍ୟସଭାରେ ବିରୋଧ କରିଛି। ତେଣୁ ଶୀରୋମଣୀ ଅକାଳୀ ଦଳର ମନ୍ତ୍ରୀ ଇସ୍ତଫା ଦେବା ଫଳରେ କେନ୍ଦ୍ର ସରକାର ବିଜୁ ଜନତା ଦଳର ସାଂସଦଙ୍କ ସମର୍ଥନ ଲାଗି ସିବିଆଇର ଦୁରୁପଯୋଗ କରିବା ଓ ଚିଟଫଣ୍ଡ ତଦନ୍ତ ନାଁରେ ଜନୈକ ପୂର୍ବତନ ମନ୍ତ୍ରୀଙ୍କ ଘରେ ରେଡ଼ କରିବା ନେଇ ପ୍ରଶ୍ନ କରିଛି ‘ଆମ ଜନତା ଅଧିକାର’ ସଂଗଠନ। ସିବିଆଇ ଦୀର୍ଘ ସାତବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି  ନିରୀହ ବେସାହାରା ଚିଟଫଣ୍ଡ ଜମାକାରୀଙ୍କ ଅର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀଙ୍କ ଘରେ ହଠାତ ଚଢ଼ାଉ କରିବା ମନ୍ଦ ଉଦ୍ଧେଶ୍ୟ ଥିଲା ବୋଲି ସଂଗଠନ କହିଛି।

ତେଣୁ କୃଷକବିରୋଧୀ ବିଧେୟକକୁ ରାଜ୍ୟସଭାରେ ବିଜେଡି ସମର୍ଥନ ନଦେବାକୁ ସ୍ୱାଗତ କରିଛି “ଆମ ଜନତା ଅଧିକାର”। ରାଜ୍ୟସଭାରେ ବିଲ ବିପକ୍ଷରେ ବିରୋଧଭାସ ରଖିବା ସହ ବିଲକୁ ସଂଶୋଧନ କମିଟିକୁ ପଠାଇବା ସୁପାରିଶ କରି ଏଭଳି ତାନାଶାହୀ କେନ୍ଦ୍ର ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଓଡ଼ିଶାର ଭାତହାଣ୍ଡିର ଦାୟାଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂଗଠନର କର୍ମକର୍ତ୍ତାଗଣ।

ଚାଷୀଙ୍କ ସ୍ଵାର୍ଥକୁ ଯଦି କୌଣସି ଆଞ୍ଚ ଆସେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରି ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବନାହିଁ ବୋଲି ସଂଗଠନର ରାଜ୍ୟ ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ, କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ୱାଇଁ, ମୁଖପାତ୍ର ପ୍ରସନ୍ନ ବିଷୋୟୀ,ସଂଯୋଜକ ଭକ୍ତିରଞ୍ଜନ ପଳାଇ ପ୍ରମୁଖ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ

ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ ହୋଇଛନ୍ତି। ବିଗତ 20 ବର୍ଷରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ ହୋଇଛନ୍ତି। ଡଃ ପାତ୍ର ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ହୋଇ ମଧ୍ୟ ଏହି ଗୌରବ ଅର୍ଜନ କରିଛନ୍ତି।

Categories
ଆଜିର ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ, କହିଲେ ଆରମ୍ଭ ହେଲା ନୂଆ ଇନିଂସ୍

ଆଜି ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ଶପଥ ନେଇଛନ୍ତି। ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକ ନିଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସସ୍ମିତ ବିଜେଡିର ମୁଖପାତ୍ର ଥିବା ବେଳେ ଅମର ଦଳର ଆଇଟି ସେଲର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଚଳିତ ଥର ରାଜ୍ୟସଭାର ତିନୋଟି ଆସନ ଖାଲି ହୋଇଥିଲା। ଏହି ତିନୋଟି ଆସନରେ ବିଜେଡି ଦୁଇ ଜଣ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଜଣେ ପ୍ରାର୍ଥୀ ଦେଇଥିଲା। ବିଜେପି ତରଫରୁ ପୂର୍ବତନ ଆଇଏଏସ ଅଫିସର ତଥା ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଅଶ୍ବନୀ ବୈଷ୍ଣବ ପ୍ରାର୍ଥୀ କରିଥିଲା। ଅଶ୍ବନୀଙ୍କୁ ବିଜେଡି ସମର୍ଥନ କରିଥିଲା। ଫଳରେ ସେ ମଧ୍ୟ ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ସାଂସଦ ଭାବେ ଶପଥ ନେଇ ସାରିଥିଲେ। ଶପଥ ନେବା ପରେ ସସ୍ମିତ କହିଛନ୍ତି ଯେ, ବର୍ତ୍ତମାନ ରାଜନୈତିକ କ୍ୟାରିୟରରେ ଏକ ନୂଆ ଇନିଂସ ଆରମ୍ଭ ହେଲା। ଓଡିଶାର ସମସ୍ୟା ରାଜ୍ୟସଭାରେ ଉପସ୍ଥାପନା କରି ଉନ୍ନତି କରିବା କାର୍ଯ୍ୟରେ ଲାଗିବି ବୋଲି ସସ୍ମିତ କହିଛନ୍ତି।