ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ

ବାହାର ଚନ୍ଦନ ଯାତ୍ରା ଉପଲକ୍ଷେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଥିବାର କିଛି ସୁନ୍ଦର ଦୃଶ୍ୟ
ପୁରୀ, ଶ୍ରୀମନ୍ଦିର ରୂପକାର ସେବକ ମାନଙ୍କ ଦ୍ୱାରା ଅତ୍ୟନ୍ତ ସୁନ୍ଦର ଓ ନିଖୁଣ ଭାବରେ ମହାପ୍ରଭୁଙ୍କ ରଥ ତ୍ରୟର ଗୁଜ କାର୍ଯ୍ୟ ଆଗେଇଚାଲିଛି ।
ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣକୁ ଦେଖି କଟକଣା ଅବଧିକୁ ବୃଦ୍ଧି କରାଯାଇଛି। ଜୁନ୍ ୧୫ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। କୋଭିଡ଼ ସ୍ଥିତିକୁ ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ତେଣୁ ଜୁନ୍ ୧୫ ତାରିଖ ଯାଏଁ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। ଏହି ସମୟରେ କେବଳ ମହାପ୍ରଭୁଙ୍କ ରୀତିକାନ୍ତି ଚାଲିବ। ଶ୍ରୀମନ୍ଦିର କାର୍ଯ୍ଯାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।
ଭୁବନେଶ୍ବର: ପୁରୀରେ ଚନ୍ଦନ ଯାତ୍ରା ପାଇଁ କଟକଣାକୁ କଡାକଡି କରାଯାଇଛି। କୋଭିଡ଼ କଟକଣା ଭିତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ୧୪୪ ଧାରା ଜାରି ହେବ ବୋଲି ପୁରୀ ଏସପି କହିଛନ୍ତି। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵ ସହ ଶ୍ରୀମନ୍ଦିର ସମ୍ମୁଖରେ ୧୪୪ ଧାରା ଲାଗିବ ବୋଲି ଏସପି କହିଛନ୍ତି।
ଏହି ଚନ୍ଦନ ଯାତ୍ରା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ନିୟନ୍ତ୍ରଣ ପାଇଁ ୨ ଟି ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଥିବା ବେଳେ ୬ ଟି ଏନଫୋର୍ସମେଣ୍ଟ ଟିମ ଗଠନ ହୋଇଛି। ଏହି ସମୟରେ କେହି କୋଭିଡ଼ କଟକଣାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି,
ରାମଅଭିଷେକ ଉତ୍ସବର ଶ୍ରୀମନ୍ଦିର ପାଳନ କରାଯାଇଥାଏ। ଏଥିପାଇଁ ଏକ ସ୍ବତନ୍ତ୍ର ବିମାନରେ ରାମ ଲକ୍ଷ୍ଣଣ ସୀତାଙ୍କ ସହିତ ହନୁମାନଙ୍କ ପ୍ରତିମା ସହର ପରିକ୍ରମା କରିଥାନ୍ତି।
ପୁରୀ, ଆଜି ହେଉଛି ରାମ ଅଭିଷେକ। ଏହି ଉପଲକ୍ଷେ ଶ୍ରୀମନ୍ଦିରର ମଧ୍ୟ ସ୍ବତନ୍ତ୍ର ରିତିନିତି ପାଳିତ ହୋଇଛି। ଆଜି ଶ୍ରୀଜୀୟୁଙ୍କ ସଂଧ୍ୟା ଆରତି ପରେ ଏହି ସ୍ବତନ୍ତ୍ର ପର୍ବର ଆୟୋଜିନ କରାଯାଇଥିଲା। ଏଥିରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ପ୍ରତିମା ଏକ ବିମାନରେ ଜଗନ୍ନାଥ ବଲ୍ଲବ ମଠକୁ ବିଜେ କରିଥିଲେ।
ଏଥିରେ ସେବକମାନେ ଘଣ୍ଟିଘଣ୍ଟା ଛତି ଧରି ଏହି ଚାରି ପ୍ରତିମାକୁ ସହର ପରିକ୍ରମା କରାଇଥିଲେ। କୋଭିଡ କଟକଣା ଭିତରେ ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଥିଲା।
ପୁରୀ, ଆଜି ଶ୍ରୀମନ୍ଦିରରେ ପବିତ୍ର ବନବାସ ଓ କନ୍ଦର୍ପ ଅଧିବାସ ନୀତି ଅନୁଷ୍ଠିତ ହେଉଅଛି । ଆଜ୍ଞାମାଳ ପାଇ ରାମ, ଲକ୍ଷ୍ମଣ ଏବଂ ସୀତାଦେବୀ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି। ସେଠାରେ ମାର୍କଣ୍ଡେଶ୍ଵର ସାହି ଲୋକେ ବନବାସ ପ୍ରସ୍ତାବ (ଲୀଳା) କରିଥାନ୍ତି ।
ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜିଠୁ ମେ’ ୧୫ ପର୍ଯ୍ୟନ୍ତ ଭକ୍ତଙ୍କୁ ମାହାପ୍ରଭୁଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି କଟକଣା ଲଗାଇଛି।
ଆଜି ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ବନ୍ଦ ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। ଯାହାଫଳରେ ଭକ୍ତଙ୍କୁ ମେ’ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଲାଗି ବନ୍ଦ କରାଯାଇଛି।
ଭୁବନେଶ୍ଵର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ନୂଆ କଟକଣା ଲାଗୁ କରାଯାଇଛି। ଏବେ ଶନିବାର ଏବଂ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ ଶ୍ରୀମନ୍ଦିର କେବଳ ରବିବାର ଦିନ ବନ୍ଦ ରହୁଥିଲା। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ କରାଯିବ।
ଏହାସହିତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିରର ବାହାର କାଠ ନିକଟରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଅନୁମତି। ଛତିଶା ନିଯୋଗ କମିଟି ଦ୍ଵାରା ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।
ପୁରୀ: ଶ୍ରୀମନ୍ଦିରର ସହ ଜଡିତ ଥିବା ୨୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଚିହ୍ନଟ ୨୩ ଜଣଙ୍କ ମଧ୍ୟରୁ ୭ ଜଣ ସେବାୟତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ପରିବାରରୁ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାରା ଜୋତାଷ୍ଟାଣ୍ଡରୁ ୮ ଜଣ, ଶ୍ରୀମନ୍ଦିର ପ୍ରଶାସନର ୩ ଜଣ କର୍ମଚାରୀ, ଶ୍ରୀମନ୍ଦିରରେ ନିୟୋଜିତ ଜଣେ ପୋଲିସ କର୍ମୀ, ଜଣେ ମାଳୀ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।
ତେବେ ଆଜି ସୁରତରୁ ପୁରୀ ଆସିଥିବା ଜଣେ ନାବାଳିକା ପର୍ଯ୍ୟଟକ କରୋନାରେ ସଂକ୍ରମଣ ହୋଇଛନ୍ତି। ଆଣ୍ଟିଜେନ ଟେଷ୍ଟ ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆଜି ତାଙ୍କର ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ। ହେଲେ ନାବାଳିକାଙ୍କ ବାପା ମାଆଙ୍କ ରିପୋର୍ଟ ନେଗେଟିଭ ଆସିଛି।
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ନୂଆ ଏସଓପି ଜାରି କରିଛି। ସକାଳ ୬ ଟା ରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। କିନ୍ତୁ ଆସନ୍ତାକାଲିଠାରୁ ସବୁ ରବିବାର ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପ୍ରତ୍ୟେକ ରବିବାର ଦିନ ଶ୍ରୀମନ୍ଦିର ପରିସରକୁ ବିଶୋଧନ କରାଯିବ। ରବିବାର ଦିନକୁ ଛାଡି ଅନ୍ୟ ଦିନଗୁଡିକରେ ଭକ୍ତମାନେ ସକାଳ ୬ ଟାରୁ ଦର୍ଶନ ଆରମ୍ଭ କରିବେ। ଶ୍ରୀମନ୍ଦିର ବନ୍ଦ ପରେ ସପ୍ତାହକୁ ଦୁଇଥର ବିଶୋଧନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ପୁରୀ: ଶ୍ରୀମନ୍ଦିରରେ ରକ୍ତର ଛିଟା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି। ଯାହାଦ୍ୱାରା ସକାଳ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀଜିଉଙ୍କର ମହାସ୍ନାନ ପରେ ସକାଳ ନୀତିର ଆୟୋଜନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସାଧାରଣ ଭକ୍ତଙ୍କୁ ଅନୁମତି ମିଳିଛି। ହେଲେ ଶ୍ରୀମନ୍ଦିର ପରିସରରେ ଏଭଳି ଏକ ଅଭାବନୀୟ ଘଟଣା କିପରି ଘଟିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନାରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ସାଢେ ୪ କୋଟି ଓଡିଆ ସାମିଲ ହେବାକୁ ଉଚ୍ଛା ରଖିଛନ୍ତି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ତାଙ୍କର ସହଯୋଗ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ର ଜରିଆରେ କହିଛନ୍ତି।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ କରିବା ତଥା ସେବାୟତଙ୍କ ସାମଗ୍ରିକ ବିକାଶ, ଶ୍ରଦ୍ଧାଳୁଙ୍କ କଲ୍ୟାଣ ତଥା ଆମର ପୁରୁଣା ପରମ୍ପରା ଏବଂ ଐତିହ୍ୟକୁ ବଜାୟ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ପୁରୀ ମହାରାଜା ଦିବ୍ୟସିଂହ ଦେବ ନିରନ୍ତର ଓ ନିରଳସ ଉଦ୍ୟମ କରି ଆସୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବରେ ପୁରୀ ଗଜପତି ମହାରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା। ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନା କିମ୍ବା ଶ୍ରୀଜଗନ୍ନାଥ ମନ୍ଦିର ଐତିହ୍ୟ କୋରିଡ଼ର ଯୋଜନାକୁ ଆଗେଇ ନେବାରେ କୋଟି କୋଟି ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡ଼ିଆଙ୍କ ଭାବାବେଗ, ଶ୍ରଦ୍ଧା ଏବଂ ଭକ୍ତିଭାବନାକୁ ଉଜ୍ଜୀବିତ କରିଥିବାରୁ ପୁରୀ ଗଜପତି ମହାରାଜାଙ୍କ ନିକଟରେ ଶ୍ରୀ ପ୍ରଧାନ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିକଟରେ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଦରମାରୁ ୧ ଲକ୍ଷ ସହଯୋଗ ରାଶି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ। ଏ ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗର ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ସମ୍ଭବ ନୁହେଁ। ତେବେ ପ୍ରତ୍ୟେକ ହିନ୍ଦୁ ବିଶେଷ ଭାବରେ ଓଡ଼ିଆ ଲୋକମାନେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ମହାପ୍ରଭୁଙ୍କ ସେବା କରିବା ତଥା ଶ୍ରୀମନ୍ଦିରର ବିକାଶ ପାଇଁ ଏହି ଧାମର ସହଯୋଗ ନିମନ୍ତେ ଶ୍ରମଦାନ ଏବଂ ଅର୍ଥଦାନ ପାଇଁ ସୁଯୋଗ ଦିଆଯିବା ନିମନ୍ତେ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିର ବିକାଶ ପାଇଁ ଶ୍ରମ ଓ ଅର୍ଥଦାନ ସେମାନଙ୍କୁ ସ୍ୱର୍ଗୀୟ ଆଶୀର୍ବାଦରେ ଆଧ୍ୟାତ୍ମିକ ଶାନ୍ତି ସହ ଅଭୁତପୂର୍ବ ଆନନ୍ଦ ଦେବ।
ଏହି ମର୍ମରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆପଣଙ୍କ ଦକ୍ଷ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ବଡ ଆକାରର ଧନ ସଂଗ୍ରହ ଅଭିଯାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଭକ୍ତ ସହଯୋଗରେ ହାତ ବଢାଇପାରିବେ ତା’ର ବ୍ୟବସ୍ଥା ତିଆରି କରାଯିବା ନେଇ ଗଜପତି ମହାରାଜାଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମ୍ମାନ ଏବଂ ଭକ୍ତିଭାବର ପ୍ରକାଶ କରି ଆସୁଛନ୍ତି। ଏହି ପବିତ୍ର ପ୍ରଚେଷ୍ଟାକୁ ବଡ ସଫଳତାର ରୂପ ଦେବା ପାଇଁ ଭାରତ ସରକାର ଆଇନଗତ ଏବଂ ନୀତିଗତ ଭାବରେ ସମସ୍ତ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ପାଇଁ ଇଚ୍ଛୁକ ଅଛନ୍ତି।
ତେବେ ପ୍ରସ୍ତାବିତ ଅଭିଯାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ।
ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମଧ୍ୟରେ ସମ୍ପର୍କର ସେତୁ ସାଜିବା ଏବଂ ସମନ୍ୱୟ ରକ୍ଷା କରିବା ପାଇଁ ଶ୍ରୀ ପ୍ରଧାନ ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି ଆଇନଗତ ଦୃଷ୍ଟିକୋଣରୁ ଭାରତ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଆୟକର ଅଧିନିୟମ ଅନୁଯାୟୀ ଛାଡ, ବୈଦେଶିକ ଆର୍ଥିକ ଯୋଗଦାନ ପଞ୍ଜିକରଣ (ନିୟମାବଳି) ଆଇନ, ୨୦୧୦ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସହାୟତା ପ୍ରଦାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ ମାନଙ୍କ ପାଇଁ ଓଡ଼ିଶା ତଥା ଭାରତର ଏକାଧିକ ବ୍ୟାଙ୍କ୍ ଏବଂ ସେମାନଙ୍କ ଶାଖା ବ୍ରାଂଚ୍ ମଧ୍ୟ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇବା ସହ ସହଯୋଗ କରିବେ।
ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ତଦାରଖ କରୁଥିବାରୁ ଶ୍ରୀ ପ୍ରଧାନ ମହାରାଜାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଧାନ ସେବକ ଭାବରେ ଗଜପତି ମହାରାଜ କୋଟି କୋଟି ହିନ୍ଦୁ ତଥା ସାଢ଼େ ୪ କୋଟି ଓଡ଼ିଆଙ୍କ ମହାପ୍ରଭୁ ତଥା ଶ୍ରୀମନ୍ଦିର ପ୍ରତି ଥିବା ଧାର୍ମିକ ଆସ୍ଥାର ପବିତ୍ର ପ୍ରତୀକ। ଗଜପତି ମହାରାଜାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର କ୍ରିୟାନ୍ୱୟନ ବଡ ସଫଳତା ପାଇବ ବୋଲି ଦୃଢ ଆଶାବାଦୀ ଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ପ୍ରଧାନ।
ମହାପ୍ରଭୁ ଜଗନ୍ନାଥଙ୍କୁ ଆର୍ଥିକ ସହାୟତା କିମ୍ବା ଶ୍ରମଦାନ ମାଧ୍ୟମରେ ସେବା କରିବା ପାଇଁ ହିନ୍ଦୁ ବିଶେଷ ଭାବରେ ଓଡ଼ିଆଙ୍କୁ ସୁଯୋଗ ମିଳିବା ଗୌରବ ଏବଂ ସୌଭାଗ୍ୟର ବିଷୟ। ଏହି ମହତ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଦୋହରାଇବା ସହ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମାର୍ଗଦର୍ଶନ ଓ ସହଯୋଗରେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଏହି ପବିତ୍ର ପ୍ରକଳ୍ପ ପ୍ରତ୍ୟେକ ଓଡ଼ିଆ ଏବଂ ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ବିଶାଳ ସଫଳତା ହେବ ବୋଲି ଶ୍ରୀ ପ୍ରଧାନ ଆଶାବାଦୀ ଅଛନ୍ତି।
ଓଡ଼ିଶା, ଭାରତ ତଥା ବିଶ୍ୱରେ ଏକ ବିଶାଳ ଦାନ ଅଭିଯାନକୁ ସ୍ୱେଚ୍ଛାକୃତ ଜନଆନ୍ଦୋଳନ ଭାବେ ପରିଣତ କରିବା ପାଇଁ ସହଯୋଗ ନିମନ୍ତେ ଗଜପତି ମହାରାଜାଙ୍କୁ ଅନୁରୋଧ କରିବା ସହ ଏହାଦ୍ୱାରା ସମଗ୍ର ବିଶ୍ୱରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତମାନେ ସମ୍ପୂର୍ଣ୍ଣ ଜୀବନରେ ଗୋଟିଏ ଥର ସେବା କରିବାର ମହାନ୍ ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
ପୁରୀ: ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ଉନ୍ନତିମୂଳକ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଭକ୍ତଙ୍କୁ ଉତ୍ତର, ଦକ୍ଷିଣ, ପଶ୍ଚିମ ଦ୍ୱାରରେ ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଆଜି ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି।
ଶ୍ରୀମନ୍ଦିର ଚାରିପଟେ ଦେଢଲକ୍ଷରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଛନ୍ତି। ଗ୍ରାମଦେବତାଙ୍କ ପରି ମନ୍ଦିରରେ ସ୍ଥାନୀୟ ଅଧିବାସୀଙ୍କ ଦିନକୁ ଦୁଇ ତିନିଥର ମନ୍ଦିର ଭିତରେ କାର୍ଯ୍ୟ ରହୁଛି। ଅନେକ ବରିଷ୍ଠ ଭକ୍ତ ସିଂହଦ୍ୱାର ବାଇଶି ପାହାଚରେ ଚଢିକରି ଯାଇପାରୁନଥିବା ବେଳେ ଅନ୍ୟ ଦ୍ୱାରରେ ୬, ୭ଟି ପାହାଚ ଉଠିବା ପରେ ସୁବିଧାରେ ମନ୍ଦିରରେ ପ୍ରବେଶ କରିପାରୁଛନ୍ତି। ସ୍ଥାନୀୟ ଅଧିବାସୀଙ୍କୁ ଆଧାର କାର୍ଡ ଯାଂଚ କରି ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ଠାରେ ଦାବି କରିଛନ୍ତି।
ଏହାସହ ପ୍ରତି ଶନିବାର ଓ ରବିବାର ୫୦ହଜାରରୁ ଉର୍ଦ୍ଧ ଭକ୍ତ ଶ୍ରୀମନ୍ଦିରକୁ ଆସୁଥିବାରୁ ମନ୍ଦିର ଚାରିପଟ ଟ୍ରାଫିକ୍ ଜାମ୍ ହେଉଛି। ବ୍ୟାରିକେଡ ଯୋଗୁଁ ବିଭିନ୍ନ ସାହିର ଲୋକମାନେ ସୁବିଧାରେ ବଡଦାଣ୍ଡକୁ ଆସିପାରୁନାହାଁନ୍ତି। ପୂର୍ବରୁ ଥିବା ଜିଲ୍ଲାପାଳ ବଲବନ୍ତ ସିଂ ବିଭିନ୍ନ ସମୟରେ ବିଧାୟକଙ୍କୁ ପଚାରି କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନର ଜିଲ୍ଲାପାଳ ସେମିତି କିଛି କାର୍ଯ୍ୟ କରିବା ପାଇଁ ବିଧାୟକଙ୍କୁ ଡାକିନଥିବା ଅଭିଯୋଗ କରିଛନ୍ତି।
ପୁରୀ: ଆଜି ଜଣେ ଦାତା ଶ୍ରୀଜୀଉଙ୍କୁ ୪ କେଜିରୁ ଉର୍ଦ୍ଧ୍ଵ ସ୍ଵର୍ଣ୍ଣ ଅଳଙ୍କାର ଦାନ କରିଥିବା ସୂଚନା ମିଳିଛି। ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଜଣେ ଦାତା ଏହି ସୁନା ଅଳଙ୍କାର ଶ୍ରୀଜୀଉଙ୍କୁ ଦାନ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ପାଇଁ ୪୦ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ ଶ୍ରୀମୁଖ ପଦ୍ମା ଦାନ କରିଛନ୍ତି। ସେହିପରି ସୁଭଦ୍ରାଙ୍କ ପାଇଁ ୨ଟି କିରିଟ ଓ ୨ ଟି ଝୋବା ପ୍ରଦାନ କରିଛନ୍ତି। ସେ ମୋଟ ୪ କେଜି ୮୫୮ ଗ୍ରାମ ଓଜନର ସୁନା ଦାନ କରିଥିବା ଜଣାପଡିଛି।
ଦାତା ତାଙ୍କର ପ୍ରତିନିଧି ମାଧ୍ୟମରେ ଏହିସବୁ ସୁନା ଅଳଙ୍କାର ତିନି ଠାକୁରଙ୍କ ଲାଗି ଦାନ କରିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହା ଦାନ କରିଛନ୍ତି। ତେବେ ଏହି ସବୁ ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ବ୍ୟବହାର କରାଯିବ ବୋଲି କୁହାଯାଉଛି।
ପୁରୀ: ଧୀରେ ଧୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଉଠାଇବା ଆରମ୍ଭ ହୋଇଛି। ଗତ ୨୧ ତାରିଖ ଠାରୁ ଭକ୍ତମାନଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ହଟାଯାଇଥିବା ବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାରିକେଡ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ବ୍ୟାରିକେଡ ହଟାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମତାମତ ଗ୍ରହଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ବ୍ୟାରିକେଡ ଯୋଗୁଁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କୁ ଚାଲିବାକୁ ପଡୁଥିଲା।
ହେଲ ଆଜି ଶ୍ରୀମନ୍ଦିର ବନ୍ଦ ରହିଛି। ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯାଉଥିବାରୁ ଆଜି ଦର୍ଶନ ବନ୍ଦ ରହିଛି। କିନ୍ତୁ ଭକ୍ତମାନଙ୍କ ପାଇଁ କୋଭିଡ଼ କଟକଣା ଜାରି ରହିବ। ଭକ୍ତମାନେ ହାତ ସାନିଟାଇଜ୍ କରିବା ସହ ସାମାଜିକ ଦୂରତା ରକ୍ଷା କରିବେ। ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା ଛେପ ପକାଇବା ମନା।
ଶ୍ରୀମନ୍ଦିର ଖୋଲିବା ପରେ ଜଗନ୍ନାଥ ଦର୍ଶନ କରିବାକୁ ସାଧାରଣ ଭକ୍ତଙ୍କୁ ପ୍ରବେଶ ଅନୁମତି
ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଏଣିକି ଦିନକୁ ୧୭ ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ନେଇ ବ୍ୟବସ୍ଥା ରହିଥିଲା। ଆସନ୍ତା ୩ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରାଯିବ।
ତେବେ ଦର୍ଶନ କରିବାକୁ ହେଲେ ଭକ୍ତମାନଙ୍କ ପାଇଁ କୋଭିଡ଼ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ ଥିବା ଭକ୍ତମାନଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି। ପେବୃୟାରୀ ମାସରୁ ଦର୍ଶନ କୋହଳ କରାଯିବା ନେଇ ବ୍ୟବସ୍ଥା କରାଯାଉଛି ବୋଲି କ୍ରିଷନ୍ କୁମାର କହିଛନ୍ତି।
ପୁରୀ, ଧାର୍ମିକ ସହର ପୁରୀରେ ଯେଉଁମାନେ ଭଡାରେ ରହିଛନ୍ତି ସେମାନଙ୍କ ଉପରେ ଜଗନ୍ନାଥ ପ୍ରସନ୍ନ ହୋଇଛନ୍ତି। ଭଡାଟିଆମାନେ ମଧ୍ୟ ଠାକୁରଙ୍କୁ ଦର୍ଶନ କରିପାରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତେବେ ଏମାନେ ଘରମାଲିକଙ୍କଠାରୁ ଏହି ଲେଖା ଆଣିବାକୁ ପଡିବ। ତାହାକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ।
କୋଭିଡ19 ପାଇଁ ଦୀର୍ଘ ନ ମାସଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ଗତ 23 ତାରିଖରୁ ଖୋଲାଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ସେବାୟତ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଛଡାଯାଇଥିଲା। ଏହ ଅବଧୀ ଗତକାଲି ସରିବା ପରେ ପୁରୀବାସୀଙ୍କ ଦର୍ଶନ ପାଇଁ ବର୍ତ୍ତମାନ ଖୋଲାଯାଇଛି। ଏଥିରେ ଭଡାଟିଆମାନେ ମଧ୍ୟ ଯାଇପାରିବେ ବୋଲି କୁହାଯାଇଛି।
ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି। ଦୀର୍ଘ ୯ ମାସ ଧରି କାଳିଆ ଦର୍ଶନ ପାଇଁ ଯେଉଁ କଟକଣା ଲାଗିଥିଲା ତାହାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷା ପରେ ଭକ୍ତଙ୍କୁ କାଳିଆ ଦର୍ଶନ ପାଇଁ ଅନୁମତି ମିଳିଛି।
ତେବେ କାଳିଆକୁ ଦର୍ଶନ କରିବା ପାଇଁ କିଛି ନୂତନ କଟକଣା ଲାଗୁ କରାଯାଇଛି। ଶ୍ରୀମନ୍ଦିର ଭିତରେ ଦୀପ ଜାଳିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା। ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ। ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ। ମନ୍ଦିର ଭିତରକୁ ଯିବା ସମୟରେ ପ୍ରତ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ହାତକୁ ସାନିଟାଇଜ କରିବେ। ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି।
ତେବେ ସେବାୟତମାନେ ପ୍ରଥମ ପର୍ଯ୍ୟାୟରେ ମାହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଓ ସେମାନଙ୍କ ପରିବାର ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ। ଭିନ୍ନକ୍ଷମଙ୍କ ପାଇଁ ଉତ୍ତରଦ୍ବାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ଅସୁସ୍ଥ ଲୋକ, ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ। ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ। ତେବେ ପୁରୀ ବାହାରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦେଖାଇବା ଜରୁରୀ।
ପୁରୀ: ଆସନ୍ତା ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ମନ୍ଦିର ଖୋଲିବାକୁ ଆଉ ୩ ଦିନ ରହିଥିବାବେଳେ ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ଟି ସଚିବ ଭିକେ ପାଣ୍ଡିଆନ୍। ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ। ସେହିଭଳି ଶ୍ରୀମନ୍ଦିର ଉନ୍ନତିମୂଳକ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି ଫାଇଭ୍ ଟି ସଚିବ। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହିତ ଭିତର ଦର୍ଶନ ବ୍ୟବସ୍ଥାର ମଧ୍ୟ ତଦାରଖ କରିଥିଲେ ଫାଇଭ୍ ଟି ସଚିବ। ଶ୍ରୀମନ୍ଦିର ଐତିହ୍ୟ କରିଡର ଓ ବଫର ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ଫାଇଭ୍ ଟି ସଚିବ। ଫାଇଭ୍ ଟି ସଚିବଙ୍କ ସହିତ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି କନଓ୍ଵର ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ପୁରୀ ଶ୍ରୀମନ୍ଦିର ଖୋଲିବ। ତେବେ ପ୍ରଥମ ଦୁଇ ଦିନ ଅର୍ଥାତ୍ ୨୩ ଓ ୨୪ ତାରିଖରେ ସେବାୟତ ପରିବାରକୁ ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବ ବୋଲି ସୂଚନା ରହିଛି। ତା’ପରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ପର୍ଯ୍ୟାୟକ୍ରମେ ଦର୍ଶନ ସୁବିଧା ମିଳିବ। ନୂଆବର୍ଷ ଉପଲକ୍ଷେ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଆସନ୍ତା ୩ ତାରିଖରୁ ସର୍ବସାଧାରଣ ଦର୍ଶନ ନିମେନ୍ତ ମନ୍ଦିର ଖୋଲାଯିବ ବୋଲି ସୂଚନା ରହିଛି। ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ବାଧ୍ୟତା ମୂଳକ କରାଯାଇଛି। ଦୈନିକ ୫ ହଜାର ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ସୂଚନା ରହିଛି। ଦର୍ଶନ ସମୟରେ କୋଭିଡ୍ ନିୟମ ପାଳନ କରାଯିବ।