Categories
ଆଜିର ଖବର ଜାତୀୟ ଖବର

ରାମ ମନ୍ଦିର ପାଇଁ ଅଯୋଧ୍ୟା ପ୍ରସ୍ତୁତ : ଅଯୋଧ୍ୟା ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୂମି ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ସରିଛି। ମହାସମାରୋହରେ ଭୂମି ପୂଜନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅଯୋଧ୍ୟାରେ ଭୂମି ପୂଜନ ପାଇଁ ସରଜୁ ନଦୀ କୂଳକୁ ସଜ୍ଜିତ କରାଯାଇଛି। ସାଧୁସନ୍ଥଙ୍କ ରାମଧ୍ବନି ସହ ଅଖଣ୍ଡ ରାମାୟଣ ଗାନରେ କମ୍ପୁଛି ଚଉଦିଗ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଯୋଧ୍ୟା ପାଇଁ ବାହାରି ସାରିଲେଣି। ପିଏମ୍‌ଓ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ଆସୁଥିବାର ଏକ ଫଟୋ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ 10ଟା 35ରେ ପହଞ୍ଚିବେ। ଅଯୋଧ୍ୟାରେ ପ୍ରଥମେ ହନୁମାନଗଡି ମନ୍ଦିର ଦର୍ଶନ କରିବେ ମୋଦି। ମଧ୍ୟାହ୍ନ 12ଟା ସମୟରେ ରାମଜନ୍ମଭୂମିରେ ନରେନ୍ଦ୍ର ମୋଦି ପହଞ୍ଚିବେ। ମଧ୍ୟାହ୍ନ 12ଟା 30ରୁ ଭୂମି ପୂଜା ଆରମ୍ଭ ହେବ।  (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସଜେଇ ହେଲା ଅଯୋଧ୍ୟା ନଗରୀ, ଭୂମିପୂଜାରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଉଥିବାରୁ ସୁରକ୍ଷା କଡାକଡି

ଅଯୋଧ୍ୟା, ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିର ଭୂମି ପୂଜା ପାଇଁ ବର୍ତ୍ତମାନ ଅଯୋଧ୍ୟା ନଗରୀ ସଜେଇ ହୋଇ ପଡିଛି। ଏହି ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ଯୋଗଦେବେ।

ସେଥିପାଇଁ ପୁରା ଅଯୋଧ୍ୟାକୁ ସୁରକ୍ଷା କବଳକୁ ନିଆଯାଇଛି। ଯେହେତୁ ସେହି ସ୍ଥାନଟି ବହୁ ବର୍ଷ ଧରି ବିବାଦୀୟ ହୋଇ ରହିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ରଖି ତ୍ରିସ୍ତରୀୟ ସୁରକ୍ଷା କରାଯାଇଛି। ଗତ ସୋମବାରଠାରୁ ଅଯୋଧ୍ୟାକୁ ସିଲ କରାଯାଇଛି। ମନ୍ଦିର ସ୍ଥଳରେ କମାଣ୍ଡୋମାନେ ପଇଁତରା ମାରୁଛନ୍ତି। ପ୍ରଧାନମନ୍ତ୍ରୀ ବୁଧବାର ସକାଳେ ଭୂମିପୂଜା ଉତ୍ସବରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଦାନରେ ମିଳିଲା ୩୪ କିଲୋ ଓଜନର ସୁନା ଇଟା

ନୂଆଦିଲ୍ଲୀ, ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଆସନ୍ତା ଅଗଷ୍ଚ ୩ କିମ୍ବା ୫ ତରିଖରେ ହୋଇପାରେ। ଏଥିସହିତ ମନ୍ଦିର ନିର୍ମାଣ ପାଇଁ ଦାନ ମିଳିବା ଆରମ୍ଭ ହୋଇଯାଇଛି। ଇଣ୍ଡିଆନ୍‌ ବୁଲିଅନ୍‌ ଜୁଏଲର୍ସ ଆସୋସିଏସନର ମଙ୍ଗଳବାର ଦିନ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ପ୍ରାୟ ୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଇଟା ଦାନ କରିଛନ୍ତି।

ମନ୍ଦିର ଆକାର ଏବଂ ଡିଜାଇନ୍‌କୁ ପରିବର୍ତ୍ତନ କରିବା ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷର ସବୁଜ ସଙ୍କେତ ମିଳିଛି। ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ଯଦି ନୂଆ ଆକାର ଓ ଡିଜାଇନ୍‌ରେ ନିର୍ମାଣ ହୁଏ ତେବେ ଏହା ବିଶ୍ୱର ଅନ୍ୟତମ ବୃହତ୍ତମ ହିନ୍ଦୁ ମନ୍ଦିର ହେବ।

ନୂଆ ଆକାର ଏବଂ ଡିଜାଇନ୍‌ ଅନୁଯାୟୀ, ମନ୍ଦିରର ଓସାର ୧୪୦ ଫୁଟରୁ ୨୭୦- ୨୮୦ ଫୁଟକୁ ବୃଦ୍ଧି ହେବାର ସମ୍ଭାବନା ଅଛି । ସେହିପରି ମନ୍ଦିର ଲମ୍ବ ୨୬୮ରୁ ୨୮୦-୩୦୦ ଫୁଟକୁ ବୃଦ୍ଧି ହୋଇପାରେ। ଏଥିସହିତ ମନ୍ଦିରର ଉଚ୍ଚତା ୧୨୮ ଫୁଟ ରହିଥିବା ବେଳେ ଏହା ୧୬୧ ଫୁଟକୁ ବୃଦ୍ଧି କରାଯାଇପାରେ।

ଏହି ପ୍ରକଳ୍ପର ମୁଖ୍ୟ ନିର୍ମାତା ଚନ୍ଦ୍ରକାନ୍ତ ସୋମପୁରାଙ୍କ ପୁଅ ସ୍ଥପତି ନିଖିଲ ସୋମପୁରା ଏବଂ ଆଶିଷ ସୋମପୁରା ମନ୍ଦିରର ପରିବର୍ତ୍ତିତ ନୂଆ ନକ୍ସା ପ୍ରସ୍ତୁତ କରିବେ। ମନ୍ଦିରର ନୂଆ ନକ୍ସା ଆଙ୍କିଲା ବେଳେ ମୌଳିକ ନକ୍ସାରେ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଲ ନୟନ ଦାସ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାମମନ୍ଦିର ପାଇଁ ଅଷ୍ଟଧାତୁର ପ୍ରାଚୀନ ମୁଦ୍ରା ଦାନ ଦେଲେ ମୁସଲିମ ଶ୍ରଦ୍ଧାଳୁ

ଆଜମଗଡ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜନୈକ ମୁସଲିମ ଶ୍ରଦ୍ଧାଳୁ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଆଜମଗଡର ସୟଦ୍‌ ମହମ୍ମଦ ଇସଲାମ ଅଷ୍ଟଧାତୁରେ ନିର୍ମିତ ଏକ ପ୍ରାଚୀନ ମୁଦ୍ରା ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଏହି ମୁଦ୍ରାରେ ରାମ, ସୀତା ଏବଂ ହନୁମାନଙ୍କ ଚିତ୍ର ରହିଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଆଜମଗଡର ସୀତାରାମ ଅଞ୍ଚଳରେ ବାସ କରୁଥିବା ସୟଦ୍‌ ନିଜ ପୁରୁଣା ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ନଭେମ୍ବର 30, 2019ରେ ନିଜ ଗ୍ରାମର ଘରୁ ଏହି ମୁଦ୍ରାଟିକୁ ପାଇଥିଲେ । ଖୁବ୍‌ ଶୀଘ୍ର ଅଯୋଧ୍ୟା ଯାତ୍ରା କରି ରାମ ତୀର୍ଥ କ୍ଷେତ୍ରର ଚେୟାରମ୍ୟାନ୍‌ ନୃତ୍ୟ ଗୋପାଳ ଦାସଙ୍କୁ ଏହି ମୁଦ୍ରା ପ୍ରଦାନ କରିବେ ବୋଲି ଜଣାଇଛନ୍ତି । ଏହି ଉପହାର ଦେଶର ଅନ୍ୟ ମୁସଲିମଙ୍କୁ ରାମନ୍ଦିର ପାଇଁ ଦାନ କରିବାକୁ ଉତ୍ସାହିତ କରିବ ଏବଂ ଏହାଦ୍ବାରା ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାରି ରହିବ ବୋଲି ସୟଦ୍‌ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଅଯୋଧ୍ୟା ମାମଲା ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ମୁସଲିମ୍‌ ପକ୍ଷ

ନୂଆଦିଲ୍ଲୀ,2/12: ଅଯୋଧ୍ୟା ମାମଲା ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛି ମୁସଲିମ ପକ୍ଷ । ନଭେମ୍ବର 9ରେ ପ୍ରକାଶିତ ଐତିହାସିକ ରାୟରେ ତ୍ରୁଟି ରହିଥିବା ଅଭିଯୋଗ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରାଯାଇଛି । ଏମ୍‌ ସିଦ୍ଦିକିଙ୍କ ଉତ୍ତରାଧିକାରୀ ମୌଲାନା ସୈଦ୍‌ ଅସଦ୍‌ ରସିଦିଙ୍କ ପକ୍ଷରୁ ଏହି ଯାଚିକା ଦାୟର କରାଯାଇଛି । ସର୍ବୋଚ୍ଚ କୋର୍ଟ ଅନୈତିକ ଭାବରେ ବାବ୍ରୀ ମସ୍‌ଜିଦ୍‌ ଉପରେ ରାମ ମନ୍ଦିର ନିର୍ମାଣର ରାୟ ପ୍ରଦାନ କରିଛନ୍ତି ତେଣୁ ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରାଯାଇଛି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସଠିକ୍‌ ନ୍ୟାୟ ପ୍ରଦାନ କରାନଗଲେ ଶାନ୍ତି ଫେରିବାର ସମ୍ଭାବନା କ୍ଷୀଣ ବୋଲି ଯାଚିକାରେ ଉଲ୍ଲେଖ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ : କେନ୍ଦ୍ର ପିଟିସନ୍‌କୁ ନିର୍ମୋହୀ ଆଖଡାର ଚ୍ୟାଲେଞ୍ଜ

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦରେ କେନ୍ଦ୍ର ସରକାରଙ୍କ ଯାଚିକାକୁ ନେଇ ନିର୍ମୋହି ଆଖଡା ବିରୋଧ କରିଛି। ଏହି ଜମି ମାମଲା ବିଚାରାଧୀନ ଥିବାବେଳେ ବିବାଦୀୟ ସ୍ଥଳ ଆଖପାଖରେ ରହିଥିବା ନିର୍ବିବାଦୀୟ ଜାଗାଗୁଡ଼ିକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଚ୍ୟାଲେଞ୍ଜ କରିଛି ନିର୍ମୋହୀ ଆଖଡ଼ା। ଏ ନେଇ ନିର୍ମୋହୀ ଆଖଡ଼ା ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି। ଗତ ଜାନୁୟାରୀରେ ସରକାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରି ବିବାଦୀୟ ସ୍ଥଳ ନିକଟ ଅଞ୍ଚଳରେ ଥିବା  ପାଖାପାଖି ୬୭ ଏକର ଜାଗାକୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିବାକୁ ନିବେଦନ କରିଥିଲେ। ଉକ୍ତ ଜାଗାଗୁଡ଼ିକ ନିର୍ବିବାଦୀୟ ବୋଲି ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ଜାଗା ମଧ୍ୟରୁ ରାମ ଜନ୍ମଭୂମି ନ୍ୟାସର ୪୨ ଏକର ରହିଛି। କିନ୍ତୁ ନିର୍ମୋହୀ ଆଖଡ଼ା କେନ୍ଦ୍ର ସରକାରଙ୍କ ପିଟିଶନକୁ ବିରୋଧ କରିଛି। ଆଲ୍ଲାବାଦ ହାଇକୋର୍ଟ ବିବାଦୀୟ ଜମିକୁ ତିନି ଭାଗରେ ବାଣ୍ଟ କରିଥିଲେ। ସୂଚନାଯୋଗ୍ୟ, ୨.୭୭ଏକର ଜମିରୁ ରାମଲଲାଙ୍କ ପାଇଁ ଗୋଟିଏ ଭାଗ ଓ ଦ୍ବିତୀୟଭାଗ ନିର୍ମୋହୀ ଆଖଡାକୁ ଦିଆଯାଇଥିବାବେଳେ ତୃତୀୟଭାଗକୁ ସୁନ୍ନୀ ବୋର୍ଡ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଜମି ଭାଗବଣ୍ଟାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯିବା ପରେ ଏହି ଜମି ଉପରେ ରୋକ୍‌ ଲଗାଯାଇଥିଲା। ଏବେବି ଏହି ବିବାଦୀୟ ଜମି ସୁପ୍ରିମ୍‌କୋର୍ଟଙ୍କ ବିଚରାଧୀନ ରହିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )