ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସଦସ୍ୟତା ଗ୍ରହଣ କରିଛନ୍ତି ବୈଷ୍ଣବ। ବିଜେପିର ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ଓଡ଼ିଶାରୁ ଅଶ୍ବିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି। ବିଜେପିରେ ଯୋଗଦେବା ପରେ ଅଶ୍ବିନୀଙ୍କ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ତାଙ୍କୁ ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହିତ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ବିଜେଡ଼ି ସମର୍ଥନ କରିଛି।
Tag: BJP
ସମୀକ୍ଷା ବ୍ୟୁରୋ
ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସରେ ନବୀନ ପଟ୍ଟନାୟକ ଓଡିଶାର ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରିଥିଲେ। ପ୍ରଥମେ ସେ ତିନିଜଣ ନାମ ଘୋଷଣା କରିଥିଲେ। ସେମାନେ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପୂର୍ବତ୍ତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ। ଏମାନେ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ଏପରିକି ନବୀନ ଅଶ୍ବିନୀଙ୍କ ସଂପର୍କରେ ସଫେଇ ଦେଇ କହିଲେ ଯେ ସେ ହେଉଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ହେଲେ ଏହାପରେ କଥାଟା ବିଗିଡି ଗଲା ଯେତେବେଳେ ଅଶ୍ବିନୀଙ୍କୁ ବିଜେପି ଓଡିଶା ପାଇଁ ତାଙ୍କ ଦଳୀୟ ରାଜ୍ୟସଭା ପ୍ରାର୍ଥୀ ବୋଲି ଟ୍ବିଟ୍ କରି ସ୍ପଷ୍ଟ କଲା। ଏହାପରେ ଅଶ୍ବିନୀ କେଉଁ ଦଳର ପ୍ରାର୍ଥୀ ହେବେ ତାହାକୁ ନେଇ ଦ୍ବନ୍ଦ ସୃଷ୍ଟି ହେଲା।
ନବୀନ ନିବାସରେ ଏପରି ଦ୍ବନ୍ଦ ଉପୁଜିବା ପରେ ନବୀନ ପୁଣି ଥରେ ଗଣମାଧ୍ୟମ ଆଗକୁ ଆସି ସଫେଇ ଦେଇ କହିଲେ ଅଶ୍ବିନୀ ହେଉଛନ୍ତି ବିଜେପି ପ୍ରାର୍ଥୀ। ବିଜେପି ଅଶ୍ବିନୀଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହିତ କଥା ହୋଇଥିଲେ। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରୁ ବୋଲି ଉଭୟ ଅନୁରୋଧ କରିଥିଲେ। ଫଳରେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ନବୀନ ପୁଣି ଘୋଷଣା କଲେ। ପ୍ରଶ୍ନ ଉଠୁଛି ଯେ, ଯଦି ନବୀନ ମୋଦି ଓ ଶାହଙ୍କ ସହିତ କଥା ହୋଇଥିଲେ ତେବେ ସେ ପ୍ରଥମରୁ କାହିଁକି ଏକଥା ସ୍ପଷ୍ଟ କଲେ ନାହିଁ। ଥରେ ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ପୁଣି ତାହା ପରିବର୍ତ୍ତନ କରି ସେ ବିଜେପି ପ୍ରାର୍ଥୀ ବୋଲି କାହିଁକି କହିଲେ।
ଜଣେ ବରିଷ୍ଠ ନେତାଙ୍କ ଖବର ଅନୁସାରେ ଅଶ୍ବିନୀଙ୍କୁ ନେଇ ବିଜେପି ଓ ବିଜେଡି ଭିତରେ ଏକ ବୁଝମାଣା ହୋଇଥିଲା। କଥା ଥିଲା ଯେ, ବିଜେଡି ତିନି ଜଣଙ୍କ ନାମ ଘୋଷଣା କରିବ। ସେଥିରେ ଦୁଇଜଣ ରହିବେ ଦଳୀୟ ପ୍ରାର୍ଥୀ, ଆଉ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଅଶ୍ବନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯିବ। ଘୋଷଣା ପରେ ରାଜ୍ୟ ବିଜେପି ତାଙ୍କୁ ସମର୍ଥନ କରିବ ବୋଲି କହିବ। ହେଲେ କଥାଟା ବିଗିଡିଗଲା। କାରଣ ବିଜେପି ନେତାମାନେ ଚାହୁଁ ନ ଥିଲେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ତାଙ୍କ ଦଳ ସମର୍ଥନ କରିବ। ତାଙ୍କର ଦାବି ହେଲା ଯେ, ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଉ। ଫଳରେ ନବୀନ ଥରେ ତାଙ୍କ ଦଳର ପ୍ରାର୍ଥୀ ବୋଲି କହିବା ପରେ ପୁଣି ଥରେ ସେଥିରେ ପରିବର୍ତ୍ତନ କରି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ସଂଖ୍ୟା ଅନୁସାରେ ଦେଖିଲେ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବିଜେଡି ଜିତିବା ନିଶ୍ଚିତ ଥିଲା। ଏସବୁ ସତ୍ଵେ ଗୋଟିଏ ଆସନ ବିଜେପିକୁ ଟେକିଦେବା ଉଭୟ ଦଳ ଭିତରେ ଥିବା ସୁସଂପର୍କ ପଦାକୁ ଆସିଛି।
ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ବିଜେଡି ବିଜେପିକୁ ସମର୍ଥନ କରିଛି। ତାହା ରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ନିକଟରେ ହୋଇଥିବା ଲୋକସଭା ବାଚସ୍ପତି ନିର୍ବାଚନ। ସବୁଥିରେ ବିଜେଡି ଅଯାଚିତ ଭାବେ ବିଜେପିକୁ ସମର୍ଥନ କରିଆସିଛି। ହେଲେ ଏସବୁ ସମର୍ଥନ ଜାତୀୟ ସ୍ତରରେ ଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉ ନ ଥିଲା। ହେଲେ ବର୍ତ୍ତମାନ ରାଜ୍ୟ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ଜିତିବାକୁ ଥିବା ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ସିଧା ଟେକିଦେବା ପ୍ରମାଣିତ କରିଛି ବିଜେଡି ବିଜେପି ଭିତରେ ଯେଉଁ ଭିତିରିଆ ସଂପର୍କ ରହିଛି ତାହା ସତ। ଏବେ ସେହି ଭିତିରଆ ସଂପର୍କ ପୁରା ବାହାରକୁ ଆସିଯାଇଛି। ହେଲେ ବିଜେଡିର ଯୁକ୍ତି ହେଲା ଯେ, ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ବିଜେପିକୁ ସମର୍ଥନ ଯୋଗାଇ ଦେବ। ପୂର୍ବରୁ ଖୋଦ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ ଉତ୍ତର ମଧ୍ୟ ରଖିଛନ୍ତି। ତାହା ହେଉଛି ଓଡିଶା ସ୍ବାର୍ଥ ପାଇଁ ବିଜେଡି ସମର୍ଥନ କରିବାରେ କୈଣସି ଅସୁବିଧା ନାହିଁ। ସେହି କଥା ବର୍ତ୍ତମାନ ସତ ବୋଲି ପ୍ରମାଣିତ ହୋଇଛି। ଏହି ଘଟଣା ପରେ ବିଜେଡି ବିଜେପି ମଧ୍ୟରେ ଆହୁରି ଅନେକ କଥା ଆଗକୁ ଘଟିବ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।
କେଦାର ମିଶ୍ର
ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ର ସମ୍ପର୍କ ଟେଲିଭିଜନ ପରଦାରେ ଯେତେ ତିକ୍ତ ଜଣାପଡୁଥାଏ, ବାସ୍ତବ କ୍ଷେତ୍ରରେ ଏ ଦୁଇ ଦଳର ସମ୍ପର୍କ ମାତ୍ରାଧିକ ମଧୁର। ୨୦୧୪ ରୁ ଆଜି ପର୍ଯ୍ୟନ୍ତ ସଂସଦ ଭିତରେ ବିଜେଡି ବିଜେପିକୁ ନିଜର ଆନ୍ତରିକ ସମର୍ଥନ ଦେଇ ଆସିଛି। ବିଜେପି ସରକାରର ଦୁଇଟି ପ୍ରମୁଖ ଜନବିରୋଧୀ ନୀତି- ବିମୁଦ୍ରାକରଣ ଓ ପରିବର୍ତ୍ତିତ ଭୂମି ଅଧିଗ୍ରହଣ ବିଲ ସପକ୍ଷରେ ବିଜେଡି ଠିଆ ହୋଇଛି। ତେବେ ୨୦୧୯ ନିର୍ବାଚନ ବିଜେଡି ମୁଖ୍ୟତଃ ବିଜେପି ବିରୋଧରେ ହିଁ ଜିତିଛି। ୨୦୧୭ ପଞ୍ଚାଯତ ନିର୍ବାଚନ ପରଠାରୁ ବିଜେପି ଓ ବିଜେଡି ଭିତରେ ସମ୍ପର୍କ ଅତି ତିକ୍ତ ଅବସ୍ଥାକୁ ଚାଲି ଆସିଥିଲା। ୨୦୧୯ ସାଧାରଣ ନିର୍ବାଚନ ବେଳକୁ ବିଜେଡି ର ଏକନମ୍ବର ଶତ୍ରୁ ଭାବରେ ବିଜେପି ଉଭା ହେଲା। ନିର୍ବାଚନ ସମୟରେ ବିଜେପି ସଭାପତି ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଅତ୍ୟନ୍ତ ଆକ୍ରାମକ ଭାଷାର ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ବିଜେପି ବିରୋଧରେ ନିଜର ସ୍ପଷ୍ଟ ମତ ରଖିଥିଲେ। ତେବେ ନିର୍ବାଚନ ପରେ ପରେ, ନବୀନ ବାବୁଙ୍କ ପ୍ରତି ବିଜେପିର ପ୍ରେମ ଉଛୁଳିବା ଆରମ୍ଭ କରିଥିଲା ଓ ଏହାର ପ୍ରତି ଜବାବରେ ନବୀନ ବାବୁ ବିଜେପି ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜାହିର କରୁଛନ୍ତି।
ବିଜେଡି ବିଜେପି ପ୍ରତି ନିଜର ସମର୍ଥନ ଦେବାବେଳେ ଏକଥା ଭଲ ଭାବରେ ଜାଣେ ଯେ, ଆଗାମୀ ଦିନରେ ବିଜେପି ଓଡିଶାରେ ନରମ ଆଭିମୁଖ୍ୟ ଗ୍ରହଣ କରିବ ନାହିଁ। କେବଳ ସାମୟିକ ଭାବରେ ଏ ପ୍ରେମ ଦିଆନିଆ ଚାଲିବ ଓ ଆବଶ୍ୟକତା ଅନୁଯାୟୀ ଉଭୟ ଦଳ ପରଷ୍ପରକୁ ସହଯୋଗ କରିବେ। ତେବେ ବିଜେପିର ଦୀର୍ଘସ୍ଥାୟୀ ଯୋଜନା ହେବ, ବିଜେଡ଼ିର ବିନାଶ। ଓଡିଶାରେ କ୍ଷମତା ଦଖଲ କରିବାକୁ ହେଲେ ବିଜେଡ଼ିକୁ ଦୁର୍ବଳ କରିବା ବିଜେପିର ପ୍ରାଥମିକ ଲକ୍ଷ୍ୟ। ବିଜେପି ସେ ଲକ୍ଷ୍ୟରୁ ଅଲଗା ହେବନାହିଁ। ସେହି ପୃଷ୍ଟଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ଏକ ଦେଶ- ଏକ ନିର୍ବାଚନ” ପ୍ରତି ବିଜେଡ଼ିର ସମର୍ଥନ କୁ ଆଲୋଚନା କରିବାକୁ ପଡିବ।
ଏକ ଦେଶ- ଏକ ନିର୍ବାଚନ ଆମ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ଏହାକୁ ସମର୍ଥନ କଲାବେଳେ ବିଜେଡି ନିଜର ସଙ୍ଘୀୟ ଦାୟିତ୍ଵ ପ୍ରତି ସଚେତନ ଥିବା ପରି ଲାଗୁନାହିଁ। ଯେହେତୁ ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେଉଛି, ସେଥିଲାଗି ଏ ବ୍ୟବସ୍ଥା ପ୍ରତି ଆମର ସ୍ଵାଭାବିକ ସମର୍ଥନ ରହିଛି ବୋଲି ବିଜେଡି କହୁଛି। ହେଲେ ସଙ୍ଘୀୟ ବ୍ୟବସ୍ଥାରେ ବିଧାନସଭା ଭାଙ୍ଗିବାର ଅଧିକାର କେବଳ ବିଧାନସଭାର ରହିଛି। ପାଞ୍ଚ ବର୍ଷ ପୂରିବା ଆଗରୁ କୌଣସି ବିଧାନସଭାକୁ ଭାଙ୍ଗିବା ଲାଗି ସମ୍ବିଧାନ ସଂଶୋଧନ ପ୍ରସ୍ତାବ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ ଓ ମାନ୍ୟବର ସୁପ୍ରିମ କୋର୍ଟଙ୍କ ପ୍ରସିଦ୍ଧ କେଶବାନନ୍ଦ ଭାରତୀ ବନାମ ଭାରତ ସରକାର ରାୟ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ପାଞ୍ଚ ବର୍ଷ ପୂର୍ବରୁ ଯଦି ସରକାର ଭାଙ୍ଗିଯାଏ ତାହେଲେ, ବାକି ଥିବା ସମୟ ଲାଗି ନିର୍ବାଚନ ମଧ୍ୟ ଏକ ପିଲାଳିଆ ବ୍ୟବସ୍ଥା।
ବିଜେଡି ମୁଖ୍ୟତଃ ଏକ ଆଞ୍ଚଳିକ ଦଳ ଓ ସଙ୍ଘୀୟ ବ୍ୟବସ୍ଥାର ସୁରକ୍ଷା ଲାଗି ଏହାର ଗୁରୁ ଦାୟିତ୍ଵ ରହିଛି। ସେହି ଦାୟିତ୍ଵ ପ୍ରତି ଆଖି ବୁଜି ଦେଇ ଏକ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ ବ୍ୟବସ୍ଥାକୁ ବିଜେଡ଼ିର ସମର୍ଥନ, ଏହି ଦଳର ମୌଳିକ ଆଦର୍ଶ ବିରୋଧରେ ଯାଉଛି। ନିର୍ବାଚନ ସମୟରେ ଅର୍ଥନୈତିକ ସ୍ଵାୟତ୍ତତାର ପ୍ରସଙ୍ଗ ଉଠାଉଥିବା ମୁଖ୍ୟମନ୍ତ୍ରୀ ଏବେ ବିଜେପିର କେନ୍ଦ୍ରୀୟ ବର୍ଚ୍ଚସ୍ଵବାଦକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ହେଲେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ସବୁ ରାଜନୈତିକ ଦଳ ଓ ସବୁ ବିଧାନସଭାର ସହମତି ଏଥିଲାଗି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ପ୍ରମୁଖ ଜାତୀୟ ଦଳ ଗୁଡିକ ବିରୋଧ କରୁଥିବାବେଳେ କେବଳ ବିଜେଡି ଉପରେ ପଡି ଏହି ବ୍ୟବସ୍ଥାକୁ ସମର୍ଥନ କରୁଛି।
ଆଞ୍ଚଳିକ ଅସ୍ମିତା ଓ ଆଞ୍ଚଳିକ ଦଳମାନଙ୍କ ବିରୋଧରେ ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା ଯେ ଏକ ସୁଚିନ୍ତିତ ଷଡଯନ୍ତ୍ର, ଏକଥା ବିଜେଡି ବୁଝୁନାହିଁ ନା ବୁଝି ମଧ୍ୟ ଅବୁଝା ହେବାର ନାଟକ କରୁଛି, ତାହା ସମୟକ୍ରମେ ସ୍ପଷ୍ଟ ହେବ। ଏହି ପ୍ରସଙ୍ଗରେ ବିଜେଡି ଯଦି ବିଜେପିର ଗୋଡାଣିଆଁ ହେବାର ପ୍ରବୃତ୍ତି ନ ଛାଡେ, ତାହେଲେ ଭବିଷ୍ୟତରେ ଏହା ବିଜେଡି ଭିତରେ ଅସ୍ତିତ୍ଵ ସଙ୍କଟ ସୃଷ୍ଟି କରିବ। ବିରୋଧ କରି ବିଜେଡ଼ିକୁ ଧ୍ଵଂସ କରିବାରେ ବିଜେପି ସମର୍ଥ ହୋଇନାହିଁ, ହେଲେ ସମର୍ଥନ ଦେବା ଆଳରେ ହେଉ ବା ସହଯୋଗୀ ସଙ୍ଘୀୟ ବ୍ୟବସ୍ଥା ନାଁରେ ବିଜେଡ଼ିକୁ ଖତମ କରିବାର ରଣନୀତି ବିଜେପିର ପ୍ରଚ୍ଛନ୍ନ ଭାବରେ ରହିଛି।
କେଦାର ମିଶ୍ର
ନନା ଅନର୍ଗଳ ସଂସ୍କୃତରେ ଟେଲିଭିଜନକୁ ସାକ୍ଷାତ୍କାର ଦେଲେ।
ନନା ସଂସ୍କୃତରେ ଲୋକସଭା ସଦସ୍ୟ ଭାବରେ ଶପଥ ନେଲେ।
ନନା ସଂସ୍କୃତରେ ଶପଥ ନେଲାବେଳେ ଲୋକସଭାରେ ସର୍ବାଧିକ ତାଳି ପଡିଲା।
ନନା ଗାଁ କୁ ଆସି ଗାଡିଆରେ ଗାଧେଇଲେ।
ନନା ଭଉଣୀ ରାନ୍ଧିଥିବା ଭାତ ଶାଗ ନ ଖାଇ ଓପାସରେ ଶୋଇ ପଡିଲେ।
ନନାଙ୍କ ବିଷୟରେ କିଛି ସାମ୍ବାଦିକ ମିଥ୍ୟା ସମ୍ବାଦ ପରିବେଷଣ କରୁଛନ୍ତି।
ନନାଙ୍କ ସଫଳତା ଦେଖି କିଛି ଲୋକ ସହି ପାରୁନାହାନ୍ତି।
ନନାଙ୍କ ବିରୋଧରେ ତାଙ୍କ ଦଳର ଜଣେ ବଡ ନେତା ଷଡଯନ୍ତ୍ର କରୁଛନ୍ତି।
ନନା ଆମର ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହନ୍ତି ସିନା ବାସ୍ତବରେ ସେ ଗାନ୍ଧୀବାଦି!!
ନନା…..ନନା…ନନା…… ସତେକି ଓଡିଶାର ସାମ୍ବାଦିକତା ଏବେ ନନା କୈନ୍ଦ୍ରିକ। ୟା ଆଗରୁ ପ୍ରତାପ ଷଡଙ୍ଗୀ ୧୦ ବର୍ଷ ବିଧାୟକ ଥିଲେ। ତାଙ୍କ ରାଜନୈତିକ ଜୀବନରେ ସେ ତିନୋଟି ନିର୍ବାଚନ ଜିତିଛନ୍ତି, ଦୁଇଟି ହାରିଛନ୍ତି। ହେଲେ ତାଙ୍କ ବିଷୟରେ ଏମିତି ବ୍ରହ୍ମଜ୍ଞାନ ହଠାତ ଉଦୟ ହେଲା କାହିଁକି? ସବୁଠୁ ମଜାର କଥା ହେଲା, ସେ ମନ୍ତ୍ରୀ ହେବାର ଲବି ଆରମ୍ଭ ହେଲା ବେଳକୁ ତାଙ୍କର ଦାରିଦ୍ର୍ୟ ଓ ସରଲା ଜୀବନକୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। (ଦୁଇଥର ବିଧାୟକ ହୋଇ ଦରମା ଓ ପେନସନ ପାଇ କି ପ୍ରକାର ଦାରିଦ୍ର୍ୟ!) ଏବେ ତାଙ୍କର ସଂସ୍କୃତ ବ୍ୟବହାର କୁ ନେଇ ଚର୍ଚ୍ଚା ଚାଲିଛି। ହଠାତ ସେ ସଂସ୍କୃତ ଭାଷାର ରାଷ୍ଟ୍ରଦୂତ ଭାବରେ ସାମ୍ବାଦିକଙ୍କ ଦ୍ଵାରା ପୂଜିତ ହେବା ଆରମ୍ଭ କରିଛନ୍ତି।
ଯେଉଁ ସାମ୍ବାଦିକମାନେ ସଂସ୍କୃତର ଗୋଟିଏ ଶବ୍ଦ ବୁଝିପାରନ୍ତି ନାହିଁ, ସେମାନେ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ଜ୍ଞାନକୁ ନେଇ ଗଦଗଦ ହୋଇ ପଡ଼ୁଛନ୍ତି। ଓଡିଶାର ଦୁଇଟି ଟେଲିଭିଜନ ଚାନେଲ ଏବେ ପ୍ରତାପ ବାବୁଙ୍କୁ ( ଏ ନନା ଶବ୍ଦଟି କେବେ,କେଉଁଠି, କେମିତି ପ୍ରତାପ ଷଡଙ୍ଗୀଙ୍କ ନାଁ ଆଗରେ ଯୋଡିହେଲା, ତାହା ମଧ୍ୟ ବିଶେଷ ଅନୁସନ୍ଧାନର ବିଷୟ) ମହାପୁରୁଷ କରିବାର ପୂର୍ଣ୍ଣକାଳୀନ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେମାନେ ଏବେ ପୂର୍ଣ୍ଣ ପ୍ରତାପଗତ ପ୍ରାଣ!!
ହଁ, ଏବେ ପଣ୍ଡିତ ପ୍ରତାପ ଷଡଙ୍ଗୀଙ୍କ ସଂସ୍କୃତ ପାଖକୁ ଫେରିବା। ପ୍ରତାପ ବାବୁ ମନ୍ତ୍ରୀ ଭାବରେ ହିନ୍ଦୀରେ ଓ ଲୋକସଭା ସଦସ୍ୟ ଭାବରେ ସଂସ୍କୃତରେ ଶପଥ ନେଲେ। ହିନ୍ଦୀ ଅବା ସଂସ୍କୃତ ତାଙ୍କର ମାତୃଭାଷା କି? ଆମ ଜାଣିବାରେ ୧୩୦ କୋଟି ଲୋକଙ୍କର ଭାରତରେ ମାତ୍ର ୨୪,୮୨୧ ଜଣ ଲୋକ ନିଜ ମାତୃଭାଷା ସଂସ୍କୃତ ବୋଲି ୨୦୧୧ ଜନଗଣନା ସମୟରେ କହିଥିଲେ। ପ୍ରତାପ ବାବୁ କଣ ସେଇ ମାନଙ୍କ ଭିତରୁ ଅନ୍ୟତମ? ଲୋକସଭାରେ ସେ ଯେଉଁ ଭାଷାରେ ଶପଥ ନେଲେ ତାହା ତାଙ୍କର ମାତୃଭାଷା ନଥିଲା କିମ୍ବା ତାଙ୍କୁ ନିର୍ବାଚିତ କରିଥିବା ଲୋକଙ୍କର ମଧ୍ୟ ଭାଷା ନଥିଲା। ତାହେଲେ ସେ ସଂସ୍କୃତକୁ ନିଜର ଭାଷା ଭାବରେ ବାଛିଲେ କାହିଁକି? ଉଦ୍ଦେଶ୍ୟମୂଳକ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ହିଦୁତ୍ଵ ମୁଖା ଭାବରେ ବ୍ୟବହାର କରାଯାଉଛି। ସଂସ୍କୃତ ଓ ସଂସ୍କୃତ ଆଧାରିତ ବ୍ରାହ୍ମଣବାଦକୁ ଲୋକସଭା ଭିତରେ ଅଧିକ ପ୍ରାଧାନ୍ୟ ଦେବାର ଏହା ଏକ ସୁଚିନ୍ତିତ ରଣନୀତି।
ପ୍ରତାପ ଷଡଙ୍ଗୀ ନିଜର ଓଡିଆ ପରିଚୟ ଅପେକ୍ଷା ନିଜର ସଂସ୍କୃତ ପରିଚୟକୁ ନେଇ ଏତେ ଉତ୍ସାହିତ କାହିଁକି? ଏ ପ୍ରଶ୍ନ ପଚାରିବା ଗଣମାଧ୍ୟମର ଦାୟିତ୍ଵ। ହେଲେ ଗଣମାଧ୍ୟମ ତାଙ୍କର ସଂସ୍କୃତ ଶୁଣି ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି। ପ୍ରତାପ ନନାଙ୍କ(ନନା କହିଲେ କି ଅର୍ଥ ବହନ କରେ ତାକୁ ନେଇ ବହୁ ଆଞ୍ଚଳିକ ମତ ରହିଛି। ପୁରୀ ଓ ଗଞ୍ଜାମରେ ନନା ହେଉଛନ୍ତି ବାପା, ଉତ୍ତର ଓଡିଶାରେ ନନା ହେଉଛନ୍ତି ବଡଭାଇ, ପଶ୍ଚିମ ଓଡିଶାରେ ଏହା ପିଉସୀ ଅଥବା ଆଈ) ବାଷ୍ପୀୟ ଶକଟ ଜାତୀୟ ସଂସ୍କୃତ(ୟାର ଅର୍ଥ କିଛି ବୁଝିଲେ? ଦେଶୀ ଓଡିଆରେ କହିଲେ ରେଳଗାଡି ପରିକା ଦଉଡୁଥିବା ସଂସ୍କୃତ) ବୁଝିବାର ସାମର୍ଥ୍ୟ ଆମର କେତେଜଣ ସାମ୍ବାଦିକଙ୍କର ରହିଛି ସେମାନେ ହାତ ଟେକିବେ କି?
ବ୍ୟକ୍ତିଗତ ଭାବରେ ମୁଁ ସଂସ୍କୃତ ପଢିପାରେ, ବୁଝିପାରେ, ଟିକେ ଟିକେ କହି ମଧ୍ୟ ପାରେ। ପ୍ରତାପ ବାବୁଙ୍କର ସଂସ୍କୃତ ସାକ୍ଷାତ୍କାରଟିକୁ ମୁଁ ଶୁଣିବାକୁ ଚେଷ୍ଟା କରୁଥିଲି। ସେ ଏତେ ତୀବ୍ର ଗତିରେ ସଂସ୍କୃତ କହୁଥିଲେ ଯେ, ସେଥିରେ ମୋତେ ଗୋଟିଏ ଶବ୍ଦକୁ ବୁଝିବା କାଠିକର ହେଉଥିଲା। ତେଣୁ ଯାହା ବୁଝି ନହୁଏ ତାହା ସଂସ୍କୃତ ବୋଲି ଆମେ କହିପାରିବା କି? ଲୋକ ଜୀବନରେ ଯେଉଁ ଭାଷାର କୌଣସି ବ୍ୟବହାର ଆଉ ନାହିଁ, ତାକୁ ଲୋକସଭାରେ ଭାଷା ବୋଲି ବାହାଷ୍ଫୋଟ ମାରିବାର ମାନେ କଣ? ତେବେ ଏହି ଘଟଣାର ପରବର୍ତ୍ତୀ ପ୍ରତିକ୍ରିୟା ଆମେ ଉତ୍ତର ପ୍ରଦେଶରେ ଦେଖୁଛୁ। ଉତ୍ତର ପ୍ରଦେଶ ସରକାର କହିଲେଣି, ଏଣିକି ସବୁ ସରକାରୀ ବିଜ୍ଞପ୍ତି ସଂସ୍କୃତ ଭାଷାରେ ମଧ୍ୟ ପ୍ରକାଶ ପାଇବା। ଏଇ ସମଗ୍ର ଘଟଣାକ୍ରମ ର ମଞ୍ଜକଥାଟି ଏଇଆ । ଦେବତା ଓ ବ୍ରାହ୍ମଣଙ୍କର ପ୍ରାୟ ମରିଆସୁଥିବା ଓ ଏ ଦେଶର ମାତ୍ର ୦.୦୦୧% ଲୋକ ଜାଣିଥିବା ଏକ ଭାଷାକୁ ଲୋକତନ୍ତ୍ରର ଭାଷା ଭାବରେ ପ୍ରତିଷ୍ଠା କରିବାର ଏ ଉଦ୍ୟମ ପଛରେ କେତେ ବଡ ଷଡଯନ୍ତ୍ର ରହିଛି, ତାକୁ ବୁଝିଲା ବେଳକୁ ନେଡି ଗୁଡ କହୁଣୀକି ବୋହି ସାରିଥିବ!
ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ Sankhipta ଆପ୍
କେଦାର ମିଶ୍ର
ମନ୍ତ୍ରିମଣ୍ଡଳ ଗଠନ ପରେ ସବୁଠୁ ଅଧିକ ଚର୍ଚ୍ଚା ହୁଏ ଲୋକସଭାର ବାଚସ୍ପତି କିଏ ହେବେ। କାରଣ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ପରେ ସଂସଦୀୟ ପରମ୍ପରାରେ ବାଚସ୍ପତି ହେଉଛନ୍ତି ତୃତୀୟ ଗୁରୁତ୍ୱପୂର୍ଣ୍ଣ ପଦବୀ। ସଂସଦୀୟ ଓ ସାମ୍ବିଧାନିକ ନିଷ୍ପତ୍ତି କ୍ଷେତ୍ରରେ ବାଚସ୍ପତି ପଦବୀ ର ବିଶେଷ ମହତ୍ତ୍ଵ ରହିଛି। ଯଦିଓ ସରକାରୀ ଦଳ ହାତକୁ ସବୁବେଳେ ବାଚସ୍ପତି ପଦ ଯାଇଛି, ହେଲେ ବାଚସ୍ପତି ଦଳୀୟ ସୀମାରୁ ଉପରକୁ ଯାଇ କାମ କରିବାର ଏକ ମହାନ ପରମ୍ପରା ମଧ୍ୟ ଆମ ଗଣତନ୍ତ୍ରରେ ରହିଛି। ବାଚସ୍ପତି ପରମ୍ପରାରେ ଗଣେଶ ବାସୁଦେବ ମାଭଲଙ୍କର, କେ.ଏସ.ହେଗଡେ, ରବି ରାୟ, ପୂର୍ଣ୍ଣ ଏ ସାଙ୍ଗମା ଓ ସୋମନାଥ ଚାଟାର୍ଜୀଙ୍କ ନାମ ଅତ୍ୟନ୍ତ ଶ୍ରଦ୍ଧାର ସହିତ ନିଆ ଯାଇପାରିବ। ତେବେ ଶାସକ ଦଳର ହାତବାରିସି ହୋଇ ବାଚସ୍ପତି ପରମ୍ପରା ପ୍ରତି କୁଠାରାଘାତ ମଧ୍ୟ କମ ହୋଇନାହିଁ।
ଆଜି ବାଚସ୍ପତି ନିର୍ବାଚନକୁ ନେଇ ଖୁବ ବେଶୀ ଚର୍ଚ୍ଚା ହେଉନାହିଁ। ଏକ ସଂଖ୍ୟା ଗରିଷ୍ଠ ସରକାରରେ ଶାସକ ଦଳର ଖାସ ଲୋକ ହିଁ ବାଚସ୍ପତି ହେବେ। କିନ୍ତୁ ଅଦ୍ଭୁତ ଭାବରେ ଉପ ବାଚସ୍ପତି ପଦକୁ ନେଇ ଏବେ ପ୍ରବଳ ଚର୍ଚ୍ଚା ଚାଲିଛି। ଲୋକସଭା ପରିଚାଳନାରେ ଉପ ବାଚସ୍ପତିଙ୍କର ସେମିତି ବିଶେଷ କିଛି ଭୂମିକା ନଥାଏ। ତଥାପି ଏହାକୁ ନେଇ ଏବେ ଜାତୀୟ ରାଜନୀତି ଚଳ ଚଞ୍ଚଳ ହେବା ପଛରେ ଏକ ଭିନ୍ନ ବାର୍ତ୍ତା ରହିଛି। ଏକ ଅଲିଖିତ ପରମ୍ପରା ଅନୁଯାୟୀ ଲୋକସଭାରେ ଉପ ବାଚସ୍ପତି ଓ ରାଜ୍ୟସଭାରେ ଉପ ସଭାପତି ପଦ ବିରୋଧୀ ଦଳକୁ ଯାଇଥାଏ। ତେବେ ଭିନ୍ନ ଭିନ୍ନ ସମୟରେ ଏହାର ବ୍ୟତିକ୍ରମ ଘଟିଛି। ରାଜୀବ ଗାନ୍ଧୀ ସରକାର ଅମଳରେ ନିଜ ସହଯୋଗୀ ଆନ୍ନା ଡିଏମକେ ର ଥମ୍ବିଦୁରାଇଙ୍କୁ ଏହି ପଦବୀ ଦେଇ ବିରୋଧୀ ଦଳକୁ ଏଥିରୁ ବଞ୍ଚିତ କରାଯାଇଥିଲା। ତେବେ ୧୯୯୦ ରୁ ୨୦୧୪ ପର୍ଯ୍ୟନ୍ତ ଉପ ବାଚସ୍ପତି ପଦ ସବୁବେଳେ ବିରୋଧୀ ଦଳ ହାତକୁ ଯାଇଛି।
୨୦୧୪ରେ ନରେନ୍ଦ୍ର ମୋଦୀ ସରକାର ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପରମ୍ପରା ଭାଙ୍ଗି ନିଜର ସହଯୋଗୀ ଦଳଙ୍କୁ ଏହି ପଦବୀ ଦେଇଥିଲା। ଏବେ ନିଜର ଦ୍ଵିତୀୟ ପାଳିର ସରକାର ବେଳେ ମଧ୍ୟ ଉପ ବାଚସ୍ପତି ପଦକୁ ଲୋଭନୀୟ ଲଲିପପ ଭଳି ବ୍ୟବହାର କରା ଯାଉଛି। ଲୋକସଭାରେ ଦ୍ଵିତୀୟ ସର୍ବ ବୃହତ ଦଳ ହିସାବରେ ପରମ୍ପରାନୁକ୍ରମେ କଂଗ୍ରେସକୁ ଏହି ପଦବୀ ମିଳିବା କଥା। ତେବେ ୧୯୮୪ ରେ କଂଗ୍ରେସ ଯାହା କରିଥିଲା ୨୦୧୪ରେ ବିଜେପି ଠିକ ସେୟା କରିଥିଲା। ଏବେ ବୁଲି ବୁଲି ଉପ ବାଚସ୍ପତି ପଦକୁ ନୂଆ ମିତ୍ର ଯୋଗାଡ ଲାଗି ବ୍ୟବହାର କରାଯାଉଛି। ପ୍ରଥମେ ଏହା ବିଜୁ ଜନତା ଦଳକୁ ଯଚା ଯାଇଥିଲା। ଏ ସମ୍ପର୍କରେ ବିଜେଡ଼ିର ଭର୍ତ୍ତୁହରି ମହତାବଙ୍କ ନାଁ ଜୋରସୋର ଚର୍ଚ୍ଚାରେ ରହିଲା। ଏହି ପଦବୀ ଆଧାରରେ ବିଜେଡି ସଂସଦୀୟ ଦଳରେ ଫାଟ କଥା କହି ବହୁ ଗାଲୁଗପ କୁହାଗଲା। ଏହି ପ୍ରସଙ୍ଗରେ ଏନଡିଏର ସହଯୋଗୀ ଶିବସେନା ଖୋଲାଖୋଲି ବିରୋଧ ମଧ୍ୟ କଲା। ଲୋକସଭା ଉପ ବାଚସ୍ପତି ପଦ ଉପରେ ଶିବସେନାର ଅଧିକାର ରହିଛି ବୋଲି ଦାବି କରାଗଲା।
ତେବେ ହଠାତ ବିଜେଡି ଖାତାରୁ ଏବେ ଉପ ବାଚସ୍ପତି ପଦ ୱାଇଏସଆର ହାତକୁ ଦେବା ଲାଗି ଉଦ୍ୟମ ଚାଲିଛି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଏଥିଲାଗି କଥାବାର୍ତ୍ତା ଚାଲିଛି। ଲୋକସଭାରେ ନିଜର ବହୁମତ ଥିବା ସତ୍ତ୍ୱେ ବିଜେପି ଟିଆରଏସ, ବିଜେଡି ଓ ୱାଇଏଏସଆର ସହିତ ଏତେ ନିବିଡ ହେବାର ଉଦ୍ୟମ ପଛରେ କି କାରଣ ରହିଛି? ଆଗାମୀ ଦିନରେ ବିଜେପି ନିଜର ପୁରୁଣା ଏଜେଣ୍ଡା ଯଥା ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ଇତ୍ୟାଦି ପାଇଁ ସମ୍ବିଧାନ ସଂଶୋଧନ ଆଣିବ। ସେତେବେଳେ ଜାତୀୟ ରାଜନୀତିଠୁ ଦୂରତର ଏହି ଆଞ୍ଚଳିକ ଦଳ ଗୁଡିକ ବିଜେପିର ସହଯୋଗୀ ହେବେ ବୋଲି ଚିନ୍ତା କରାଯାଉଛି। ଜଗନ ରେଡ୍ଡୀଙ୍କ ନାଁ ରେ ବହୁ ସିବିଆଇ ମାମଲା ରହିଛି। ବିଜେଡ଼ିକୁ ଘେରିବା ଲାଗି ସିବିଆଇ ପାଖରେ ଚିଟ ଫଣ୍ଡ ଓ ଖଣି ଦୁର୍ନୀତିର ପ୍ରସଙ୍ଗ ରହିଛି। ତେଣୁ ସାମ ଦାନ ଦଣ୍ଡ ଭେଦ ନୀତି ଆପଣାର କରି ଏଇ ଦଳମାନଙ୍କୁ ନିଜ ଆଜେଣ୍ଡା ପୂରଣ କରାଇବାରେ ବିଜେପି ଚାପ ପ୍ରୟୋଗ କରିବ।
ଉପ ରାଷ୍ଟ୍ରପତି ନିର୍ବାଚନ ସେ ଦୃଷ୍ଟିରୁ କେବଳ ସାମାନ୍ୟ ଯୋଜନା ନୁହେଁ, ଏହା ଭବିଷ୍ୟତରେ ସଂଘ ପରିବାରର ଏଜେଣ୍ଡା କୁ କାମରେ ଲଗାଇବାକୁ ଏକ ଷଡଯନ୍ତ୍ରର ଅଂଶ ବିଶେଷ।
ବର୍ତ୍ତମାନ କଂଗ୍ରେସର ଅବସ୍ଥା ଦିନକୁ ଦିନ ଉଭୟ ଜାତୀୟ ଓ ରାଜ୍ୟରେ ଦୟନୀୟ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଧାୟକମାନେ ଦଳ ଛାଡି ବିଜେପି କିମ୍ବା ଆଞ୍ଚଳିକ ଦଳରେ ମିଶିବାରେ ଲାଗିଛନ୍ତି। ସେହିପରି ଅବସ୍ଥା ଓଡିଶା କଂଗ୍ରେସରେ ମଧ୍ୟ ଘଟିବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଖୁବ ଶିଘ୍ର କଂଗ୍ରେସର 9 ଜଣ ବିଧାୟକଙ୍କ ମଧ୍ୟରୁ 5 ଜଣ ଦଳ ଛାଡି ଅନ୍ୟ ଦଳରେ ମିଶିବେ। ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇସାରିଲାଣି ବୋଲି ଜଣାପଡିଛି। ବିଜେପିର ଭିତିରିଆ ସୁତ୍ର ଅନୁସାରେ ଏହି କାର୍ଯ୍ୟରେ କୁଆଡେ ଦଳର ଜଣେ ଟାଣୁଆ ନେତା କଥାବାର୍ତ୍ତା ଆରମ୍ଭ କରିଛନ୍ତି। ସେମାନେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ଏକ ବଡ ଅଫର ମଧ୍ୟ ଦିଆଯାଇଛି। କଂଗ୍ରେସ ଦଳର ଯେପରି ଅବସ୍ଥା ସେଥିରେ ରହି କିଛି ଲାଭ ନାହିଁ ବୋଲି ଏହି ବିଧାୟକଙ୍କୁ ବୁଝାଇ ଦିଆଯାଇଛି। ବିଜେପି ପରି ବିଜେଡି ମଧ୍ୟ କୁଆଡେ ଏହି ପାଞ୍ଚଜଣ ବିଧାୟକଙ୍କୁ ଦଳରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ସରକାର ଗଠନ ପରେ ପରେ ଦଳର ଜଣେ ପ୍ରଭାବଶାଳୀ ନେତା ଏହି କାର୍ଯ୍ୟରେ କୁଆଡେ ଲାଗିପଡିଛନ୍ତି। ବିଜେଡି ତରଫରୁ ମଧ୍ୟ ସେମାନଙ୍କୁ ବଡ ଅଫର ଦିଆଯାଇଛି। ଯାହା ଜଣାପଡୁଛି ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଏହି ପାଞ୍ଚଜଣ ବିଧାୟକ କଂଗ୍ରେସ ଦଳ ଛାଡି ନୂଆ ଦଳରେ ଯୋଗଦେବାର ସମ୍ଭାବନା ରହିଛି।
କେଦାର ମିଶ୍ର
ଓଡିଶା ବିଜେପିରେ ଅନେକ ଗୋଷ୍ଠୀ ଓ ଅନେକ ଫାଟ- ଏତିକି ଶୁଣୁ ଶୁଣୁ ଭକ୍ତମଣ୍ଡଳୀ ପାଗଳା ହୋଇଯିବେ। ସେମାନଙ୍କ ମତରେ ଅନ୍ୟ ଦଳରେ ବହୁତ ସମସ୍ୟା ଓ ସଙ୍କଟ, ହେଲେ ବିଜେପି ବିଶୁଦ୍ଧ ଗଙ୍ଗାଜଳ! ତେବେ ରାଜ୍ୟ ବିଜେପି ଭିତରେ ଗୋଷ୍ଠୀ ବିବାଦ ଓ ଫାଟ ଯେତେ ଲୁଚେଇଲେ ବି ଲୁଚୁ ନାଇଁ। ମନ୍ତ୍ରୀ ଭାବରେ ଶପଥ ନେବା ପରେ ଗତକାଲି ଓଡିଶାର ଏକମାତ୍ର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ମଧ୍ୟପ୍ରଦେଶରୁ ନିର୍ବାଚିତ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ କରିବା ଲାଗି ଯେଉଁ ଯୋଜନା ହୋଇଥିଲା, ସେଥିରେ ବିଜେପିର ବିଜୟ ଉତ୍ସବ ଅପେକ୍ଷା ଦଳର ଗୋଷ୍ଠୀ କନ୍ଦଳ ଜଳ ଜଳ ଦେଖା ଯାଉଥିଲା। ବିମାନ ବନ୍ଦରରୁ ପୁରୀ ଓ ପୁରୀ ରୁ ପ୍ରଦର୍ଶନୀ ପଡିଆର ସମ୍ବର୍ଦ୍ଧନା ସଭା ଯାଏଁ ସବୁଠି ବିଜେପି ନେତାମାନଙ୍କ ଭିତରେ ମନୋମାଳିନ୍ୟର ସ୍ପଷ୍ଟ ଛବି ଦିଶୁଥିଲା।
ବିମାନ ବନ୍ଦରରେ ଦଳର ଯୁବ ନେତାମାନେ ପରଷ୍ପର ବିରୋଧରେ ଧସ୍ତାଧସ୍ତି ହେବା ସହିତ ଏହି ମାମଲା ଥାନାକୁ ପହଞ୍ଚିଥିଲା। ଭୁବନେଶ୍ବରର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ବହୁ ଦଳୀୟ ନେତା ଖୋଲାଖୋଲି ଅଭିଯୋଗ କରିଥିଲେ। ଦଳୀୟ କର୍ମୀଙ୍କ ଭିତରେ ପ୍ରବଳ ସନ୍ଦେହ ଓ ଅବିଶ୍ବାସର ପ୍ରତିଫଳନ ସବୁଠି ବାରି ହୋଇ ପଡୁଥିଲା । ପରାଜୟର ଗ୍ଲାନିକୁ ଯେତେ ଲୁଚେଇଲେ ମଧ୍ୟ ତାହା ଦିଶି ଯାଉଛି। ତାରି ଭିତରେ ଲୋକସଭାରେ ବିଜେପି ଯେଉଁ ଆଂଶିକ ସଫଳତା ପାଇଛି, ତାର ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେବାଲାଗି ଅନେକ ରାଜ୍ୟ ନେତା ନାରାଜ। ସେଥିଲାଗି ଗତ କାଲିର ସମ୍ବର୍ଦ୍ଧନା ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡଙ୍ଗୀ ଯୋଗଦାନ କରି ନଥିଲେ। ଔପଚାରିକ ଭାବରେ ଅପରାଜିତା ବିମାନ ବନ୍ଦରରେ ମନ୍ତ୍ରୀ ଦୁହିଙ୍କୁ ସ୍ଵାଗତ କରିଥିଲେ ମଧ୍ୟ, ନିଜ ନିର୍ବାଚନ ମଣ୍ଡଳୀର ସମ୍ବର୍ଦ୍ଧନା ସଭାରେ ଯୋଗ ନଦେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇତି ମଧ୍ୟରେ ଅପରାଜିତା ବିଜେପିର ପାରମ୍ପରିକ ରାଜନୀତିଠୁ ଭିନ୍ନ ଢଙ୍ଗରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ବିଜେପିର ଆକ୍ରାମକ ପ୍ରଚାରଠାରୁ ନିଜକୁ ଦୂରେଇ ରଖିଥିଲେ। ନିଜର ଲୋକ ସମ୍ପର୍କ ଓ ବିକାଶର କଥା କହିବା ସହିତ ସବୁ ବର୍ଗଙ୍କୁ ସାଙ୍ଗରେ ନେଇ କାମ କରିବାର ସୂତ୍ର ସେ ଆପଣାର କରିଥିଲେ। ତାଙ୍କ ବିଜୟ ପଛରେ ଏହି ସୂତ୍ର ହିଁ କାମ କରିଥିଲା। ଭୁବନେଶ୍ୱର ଆସନରୁ ଜିତିଥିବାରୁ ତାଙ୍କୁ ବିଜେପି ତରଫରୁ ମନ୍ତ୍ରୀ କରାଯିବ ବୋଲି ସେ ହୁଏତ ଆଶା ମଧ୍ୟ କରିଥିଲେ। ଏ ସମ୍ପର୍କରେ କିଛିଟା ଇଙ୍ଗିତ ଗତକାଲିର ସଭାରେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଦେଇଥିଲେ। ମନ୍ତ୍ରୀ କିଏ ହେଉଛି ବୋଲି ଜାଣିବାକୁ ଅପରାଜିତା ତାଙ୍କୁ ଫୋନ କରିଥିଲେ ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି। ଇତି ମଧ୍ୟରେ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନେଇ ମଧ୍ୟ ବିଜେପି ଭିତରେ ଚାପା ଗୁଞ୍ଜରଣ ଲାଗି ରହିଛି। ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କିମ୍ବା ବାଚସ୍ପତି ନିର୍ବାଚନରେ ଭାଗ ନେଇନଥିବା ବେଳେ ଅପରାଜିତା ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅନେକଙ୍କୁ ଅସ୍ଵାଭାବିକ ମାନେ ହେଉଛି।
ତେବେ ଅପରାଜିତା ଷଡଙ୍ଗୀ ତାଙ୍କ ରାଜନୀତି ବିଜେପି ରାଜନୀତିଠୁ ଅଲଗା ହେବ ବୋଲି ସ୍ପଷ୍ଟ ସଙ୍କେତ ଦେଇ ସାରିଛନ୍ତି। ତାଙ୍କର ଏ ପ୍ରକାର ମନୋଭାବ ହୁଏତ ବିଜେପିର ତାଙ୍କୁ ବେଶୀ ଦିନ ରଖାଇ ଦେଇ ନପାରେ। ସମନ୍ଵୟ ଓ ସହାବସ୍ଥାନ ବିଜେପିର ସ୍ଵାଭାବିକ ରାଜନୀତି ନୁହେଁ। ସଂଘ ପରିବାରର ପୃଷ୍ଠଭୂମି ନ ଥିବାରୁ ଅପରାଜିତାଙ୍କୁ ସହଜରେ ମନ୍ତ୍ରୀମଣ୍ଡଳରେ ଜାଗା ମିଳିବାର ସମ୍ଭାବନା କମ। ସମୟକ୍ରମେ ଅପରାଜିତା ବିଜେପିର ରାଜ୍ୟ ନେତୃତ୍ଵ ସହ ଅସହମତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ। ଦଳ ଭିତରେ ଆଜି ମଧ୍ୟ ସେ ଏକ ପ୍ରକାର “ବାହାରିଆ” ଲୋକ ହୋଇ ରହିଛନ୍ତି।
କେବଳ ଅପରାଜିତା ନୁହନ୍ତି, ବିଜେଡ଼ିରୁ ଠିକ ନିର୍ବାଚନ ପୂର୍ବରୁ ଯେଉଁ ନେତା ମାନେ ବିଜେପିକୁ ଆସିଛନ୍ତି, ସେମାନେ ମଧ୍ୟ ଦଳ ଭିତରେ କୋଣଠେସା ହେବେ। ଦାମୋଦର ରାଉତ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ନିର୍ବାଚନ ପରେ ଏବେ ବିଜେପିର ଆଉ ବିଶେଷ କାମରେ ଲାଗିବାର ନାହିଁ। ପାଟକୁରା ଉପ ନିର୍ବାଚନରେ ବିଜୟ ମହାପାତ୍ର ଜିତିଲେ ହୁଏତ ତାଙ୍କର କିଛି ସ୍ଥିତି ରହିବ, ନଚେତ ପୁଣିଥରେ ସେ ବିଜେପି ଅଫିସରେ ପୁରୁଣା ଚୌକି ହୋଇ ପଡି ରହିବେ। ଏକଦା ଧର୍ମେନ୍ଦ୍ର ପ୍ରଧାନଙ୍କ କଠୋର ସମାଲୋଚକ ଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ପରେ ଏବେ ଧର୍ମେନ୍ଦ୍ରଙ୍କ ବଶଂବଦ ହୋଇ ରହିଛନ୍ତି। ତେବେ ଏହା କେତେଦିନ ଜାରି ରହୁଛି, ତାରି ଉପରେ ସମସ୍ତଙ୍କ ନଜର ରହିବ।
ଅନ୍ୟ ପକ୍ଷରେ ପଶ୍ଚିମ ଓଡିଶାରୁ ବିଜେପି ୫ ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନ ଜିତିଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେ ଅଞ୍ଚଳ ପ୍ରତି ଉପେକ୍ଷାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ସାରିଛି। ଏହା ଅନେକାଂଶରେ ବିଜେପି ନେତାଙ୍କ ଲାଗି ବିଷମ ପରିସ୍ଥିତି ସୃଷ୍ଟି କରିବ। ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପ୍ରଭାବ ରାଜ୍ୟ ବିଜେପିକୁ ଆଗାମୀ ଦିନରେ ଆହୁରି ବିଭାଜିତ ଓ ଗୋଷ୍ଠୀ ବିଭକ୍ତ କରିବାର ସମ୍ଭାବନା ଏବେ ଜଳ ଜଳ ହୋଇ ଦିଶୁଛି। ସେଥିରେ ଆଉ ଥରେ୨୦୨୪ ଲାଗି ମିଶାନ-୧୨୦+ ଗୋଟେ ହାସ୍ୟାସ୍ପଦ ସ୍ଲୋଗାନ ମନେ ହେଉଛି!!
ବିଜେପି ମହାସଚିବ ରାମ ମାଧବ ବିଜେପି କଂଗ୍ରେସର ରେକର୍ଡ ଭାଙ୍ଗି ୨୦୪୭ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବ ବୋଲି କହିଛନ୍ତି। ଭାରତରେ ଦୀର୍ଘକାଳ ଧରି ରାଜନୈତିକ କ୍ଷମତାରେ ରହିଥିବା ଦଳ ଭିତରେ ରହିଛି କଂଗ୍ରେସ। କଂଗ୍ରେସ ୧୯୫୦ରୁ ୧୯୭୭ ଯାଏଁ କ୍ରମାଗତ ଭାବରେ କେନ୍ଦ୍ରରେ ସରକାର ଗଢିଥିଲା। ଆଉ ଏହି ରେକର୍ଡକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଭାରତୀୟ ଜନତା ପାର୍ଟି ଭଙ୍ଗ କରିବ ବୋଲି କହିଛନ୍ତି ରାମ ମାଧବ। ତ୍ରିପୁରାର ରାଜଧାନୀ ଅଗରତଲା ଠାରେ ଶୁକ୍ରବାର ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ରାମ ମାଧବ କହିଛନ୍ତି, ଭାରତ ସ୍ୱଧୀନତାର ୧୦୦ତମ ବାର୍ଷିକ ଉତ୍ସବ ପାଳନ କରିବା ପର୍ଯ୍ୟନ୍ତ ବିଜେପି କ୍ଷମତାରେ ରହିବ ବୋଲି କହିବା ସହିତ ଆଗାମୀ ୩ ବର୍ଷରେ ନୂତନ ଭାବରେ ଭାରତ ନିର୍ମାଣ ହେବ। ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବର୍ତ୍ତମାନ ସରକାରଙ୍କ ନୀତି ବଳରେ ଦେଶ ବିକାଶ ପଥରେ ଆଗଉଛି ବୋଲି କହିଛନ୍ତି ରାମ ମାଧବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରକାର ପରିଚାଳନା କରିବା ପାଇଁ ବିଭିନ୍ନ କ୍ୟାବିନେଟ କମିଟି ଗଠନ କରିଛନ୍ତି। ୭ଟି କ୍ୟାବିନେଟ୍ କମିଟିରେ ଅମିତ ଶାହାଙ୍କ ଉପସ୍ଥିତି ତାଙ୍କୁ ବିଜେପିର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବରେ ଉପସ୍ଥିତ କରିଛି। ଏହା ସହିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ଦୁଇଟି ନୂତନ କ୍ୟାବିନେଟ କମିଟି ମଧ୍ୟ ଗଠନ କରାଯାଇଛି। ପ୍ରତିରକ୍ଷା ପାଇଁ ଗଠିତ କ୍ୟାବିନେଟ୍ କମିଟିରେ ଅମିତ ଶାହ, ରାଜନାଥ ସିଂ, ଏସ୍ ଜୟଶଙ୍କର ଏବଂ ନିର୍ମଳା ସୀତାରମଣ ଏହି କମିଟିରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଅମିତ ଶାହାଙ୍କ ବ୍ୟତିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସମସ୍ତ ୭ଟି ଯାକ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି।
କେଦାର ମିଶ୍ର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ହିଂଜିଳି ବିଧାନସଭା ଆସନରୁ ଜିତିଥିବାରୁ, ବିଧି ମୁତାବକ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଛି। ଶେଷ ନିଷ୍ପତ୍ତି କ୍ରମେ ନବୀନ ବାବୁ ତାଙ୍କର ପୁରୁଣା ଆସନ ହିଂଜିଳିକୁ ରଖିଥିବା ବେଳେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଏହାର ପରିଣତି ସ୍ଵରୂପ ଆସନ୍ତା ମାସେ ଦୁଇ ମାସ ଭିତରେ ବିଜେପୁରରେ ଇଉପିଏ ନିର୍ବାଚନ ଅନୁଷ୍ଠିତ ହେବ। ହୁଏତ ପାଟକୁରା ଓ ବିଜେପୁର ଆସନ ପାଇଁ ଏକା ସାଙ୍ଗରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ମନ୍ତ୍ରୀ ମଣ୍ଡଳ ଗଠନ ଓ ବିଭାଗ ବଣ୍ଟନ ବେଳେ ପଶ୍ଚିମ ଓଡିଶା ଉପରେ ଯେଉଁ ପ୍ରକାର ଗୁରୁତ୍ଵ ଦିଆଗଲା, ସେଥିରୁ ଗୋଟେ ସଙ୍କେତ ସ୍ପଷ୍ଟ ଥିଲା ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡୁଛନ୍ତି। ତାହା ସହିତ, ବିଜେପୁରକୁ ଏକ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ଭାବ୍ୟ ଉପ ନିର୍ବାଚନକୁ ମିଶାଇ ଗତ ଦୁଇ ବର୍ଷରେ ବିଜେପୁରରେ ଏହା ହେବ ତୃତୀୟ ନିର୍ବାଚନ। ଓଡିଶାର ନିର୍ବାଚନୀ ଇତିହାସରେ ଲଗାତାର ଏମିତି ତିନୋଟି ନିର୍ବାଚନ ହେବାରେ ବିଜେପୁର ବୋଧେ ପ୍ରଥମ ଇତିହାସ ସୃଷ୍ଟି କରିବ।
ଐତିହାସିକ ଦୃଷ୍ଟିରୁ ବିଜେପୁର ପଶ୍ଚିମ ଓଡିଶାର ଏକ ପ୍ରମୁଖ ଶକ୍ତି କେନ୍ଦ୍ର ଭାବରେ ରହି ଆସିଛି। ବିଶେଷ କରି କଂଗ୍ରେସ ରାଜନୀତିରେ ବିଜେପୁରର ସ୍ଥାନ ସ୍ଵତନ୍ତ୍ର। ୧୯୬୧ ରେ ବିଜେପୁର ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠୁ ଏଠାରୁ ୮ ଥର କଂଗ୍ରେସ ପ୍ରାର୍ଥୀ ମାନେ ଜିତି ଆସିଛନ୍ତି। ୨୦୦୪ ରୁ ୨୦୧୪ ପର୍ୟନ୍ତ ବିଜେଡି ହାୱାକୁ ପ୍ରତିହତ କରି ଏଠାରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନିଥର ନିର୍ବାଚିତ ହୋଇଥିଲେ। ୨୦୧୮ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ସେ ବର୍ଷ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ପାରମ୍ପରିକ ସଂଘର୍ଷ ଭିତରକୁ ବିଜେପି ଧସେଇ ପଶିଥିଲା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପୁର ଉପ ନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଗଲା। ତେବେ ସେଇ ସେମିଫାଇନାଲରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା। ସ୍ଵର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିପୁଳ ଭୋଟରେ ସେଠାରୁ ନିର୍ବାଚନ ଜିଣିଥିଲେ।
୨୦୧୯ ନିର୍ବାଚନ ବେଳକୁ ବିଜେପୁର ପୁଣି ଇତିହାସ ରଚନା କଲା। ନିଜର ୨୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଏକା ସାଙ୍ଗରେ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି କ୍ରମରେ ହିଂଜିଳି ଓ ବିଜେପୁର ରୁ ନବୀନ ବାବୁ ନିର୍ବାଚନ ଲଢିଥିଲେ ଓ ସ୍ଵାଭାବିକ ଭାବରେ ଦୁଇଟି ଯାକ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏବେ ବିଜେପୁରରେ ପୁଣି ନିର୍ବାଚନ ହେବ।
ହାରା ହାରି ପ୍ରତି ୮ ମାସରେ ଗୋଟିଏ ନିର୍ବାଚନର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ଏହାର କି ପ୍ରକାର ମନସ୍ତାତ୍ତ୍ଵିକ ପ୍ରଭାବ ପଡିବ, ସେ ବିଷୟରେ ଆମେ କ୍ଵଚିତ ଭାବିଥାଉ। ସାଧାରଣ ଭାବରେ ଦେଖିଲେ ନିର୍ବାଚନକୁ ଆଖି ଆଗରେ ରଖି, ଏ ଅଞ୍ଚଳ ଲାଗି ସ୍ଵତନ୍ତ୍ର ପ୍ୟାକେଜ ମିଳୁଛି। ବିକାଶର ଗତି ସହିତ ରାଜନୈତିକ ଚାପ କୁ ଆମେ କେବେ ତୁଳନା କରି ଦେଖିଛୁ କି?
ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ସମୟରେ ଅନ୍ତତଃ ଲୋକଙ୍କର ଏଇ ମାନସିକ ଚାପ ବିଷୟରେ ଭାବିବା ଉଚିତ ଥିଲା। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଜିତିଛନ୍ତି। ସେଠାରେ ହୁଏତ ଏକ ଉପ ନିର୍ବାଚନ ନୂଆ ଅନୁଭବ ହୋଇଥାନ୍ତା। ବିଜେପୁର ଲାଗି ଆସନ୍ତା ତିନିମାସ ପୁଣି ରାଜନୈତିକ ଉନ୍ମାଦନାର ପରିବେଶ ରହିବ। ସାଧାରଣ ନିର୍ବାଚନ ତୁଳନାରେ ଉପ ନିର୍ବାଚନର ରାଜନୈତିକ ଚାପ ବହୁତ ବେଶୀ। ଏବେ ଉଭୟ ବିଜେପି ଓ ବିଜେଡି ବିଜେପୁରକୁ ନିଜ ସମ୍ମାନର ପ୍ରଶ୍ନ ଭାବରେ ଗ୍ରହଣ କରିବେ। ଲୋକଙ୍କ ଭିତରେ ରାଜନୀତିକୁ ନେଇ ପ୍ରବଳ ମାନସିକ ଚାପ ରହିବ। ଭୋଟ ଦେବାର ଚାପ, ପ୍ରଲୋଭନ ଓ ପ୍ରଭାବର ଚାପ, ରାଜନୈତିକ ହିଂସାର ଚାପ ଓ ସର୍ବୋପରି ଜୀବନ ରାଜନୀତି ସର୍ବସ୍ଵ ହୋଇଯିବାର ଚାପରୁ ବିଜେପୁର ଜନତା ମୁକ୍ତି ପାଇବା ଉଚିତ। ଏ ଉପ ନିର୍ବାଚନ ବିଜେପୁର ଲୋକଙ୍କ ଉପରେ ଏକ ପ୍ରକାର ମାନସିକ ଅତ୍ୟାଚାର ବୋଲି କୁହା ଯାଇପାରେ।
( Download SANKHIPTA app to read short news on your mobile )
ଲୋକସଭା ନିର୍ବାଚନରେ ବିଜେପିର ବୃହତ୍ ବିଜୟ ପରେ ଅନ୍ୟାନ୍ୟ ଦଳମାନେ ସମୀକ୍ଷା କରିବା ଆରମ୍ଭ କରିଛନ୍ତି। ବିଜେପିର ବିଜୟର ପ୍ରଭାବ ଏବେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଉପରେ ପଡିଛି। ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ଟି ଆସନରୁ ବିଜେପି ୧୮ଟି ଆସନ ହାତେଇଛି। ଏହା ଟିଏମସି ପାଇଁ ଚିନ୍ତାର ବିଷୟ ହୋଇଥିବାବେଳେ ତାଙ୍କ ଦଳରୁ ଦୁଇ ଟିଏମସ ନେତା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି। ଚଳିତ ନିର୍ବାଚନରେ ବିଜେପି – ଟିଏମସିର ଲଢେଇ ବେଶ୍ ଚର୍ଚ୍ଚାରେ ରହିଥିଲା। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ ମଙ୍ଗଳବାର ଦୁଇ ଜଣ ତୃଣମୂଳ କଂଗ୍ରେସ ବିଧାୟକଙ୍କ ସହିତ ବିଜେପିରେ ଯୋଗ ଦେଇପାରନ୍ତି। ସୂତ୍ର ଅନୁସାରେ ମୁକୁଲ ରାୟ ସୋମବାର ନିଜର ପୁଅ ଏବଂ ଟିଏମସିର ୨ ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଇବାକୁ ଦିଲ୍ଲୀରୁ କୋଲକାତା ଗସ୍ତ କରିଛନ୍ତି। ଟିଏମ୍ସି ଦଳ ବିରୋଧୀ ଗତିବିଧି ଅଭିଯୋଗରେ ଶୁଭ୍ରାଂଶୁ ରାୟଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଥିଲା। ମୁକୁଲ ରାୟ ପୂର୍ବରୁ ଟିଏମସିର ନେତା ଥିଲେ ଏବଂ ମମତା ବାନାର୍ଜୀଙ୍କ ପରେ ପଶ୍ଚିମବଙ୍ଗରେ ପ୍ରଭାବଶାଳୀ ନେତା ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ମୁକୁଲ।
ସମୀକ୍ଷା ବ୍ୟୁରୋ
ପୁଣି ଥରେ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସେ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବର୍ତ୍ତମାନ ଯାହା ଫଳାଫଳ ମିଳିଛି ସେଥିରୁ ସ୍ପଷ୍ଟ ହୋଇଛି ଯେ, ନବୀନଙ୍କ ନେତୃତ୍ବକୁ ବର୍ତ୍ତମାନ ସୁଦ୍ଧା ଓଡିଶାର ଲୋକେ ସମର୍ଥନ କରିଛନ୍ତି। ୧୪୬ଟି ଆସନରୁ ବର୍ତ୍ତମାନ ବିଜେଡି ଶହେରୁ ଅଧିକ ଆସନ ଅକ୍ତିଆର କରିଛି। ସଂପୂର୍ଣ୍ଣ ଫଳାଫଳ ଆସି ନ ଥିଲେ ମଧ୍ୟ ବର୍ତ୍ତମାନ ବିଜେଡିକୁ ପ୍ରାୟ ୧୧୫ ଟି ଆସନ ମିଳୁଛି। ସେହିପରି ବିଜେପିକୁ ୨୩ଟି ଆସନ ମିଳିବାକୁଥିବା ବେଳେ କଂଗ୍ରେସକୁ ମିଳିଛି ମାତ୍ର ୮ଟି ଆସନ। ତେବେ ଲୋକସଭାରେ ନବୀନଙ୍କୁ ସମାନ୍ୟ ଝଟକ୍କା ଲାଗିଛି। କାରଣ ଏଥର ବିଜେପି ପ୍ରାୟ ୫ଟି ଆସନରେ ଜିତିବାକୁ ଯାଉଛି। ୨୦୧୪ ମସିହାରେ ବିଜେପିର ଏକମାତ୍ର ପ୍ରାର୍ଥୀ ଜୁଏଲ ଓରାମ ସୁନ୍ଦରଗଡରୁ ଜିତି ଦଳର ଇଜ୍ଜତ ରଖିଥିଲେ। ଏଥର ନିର୍ବାଚନରେ ବିଜେପି ପୂର୍ବ ଅପେକ୍ଷା ବେଶ ଭଲ କରିଛି।
ତେବେ ଏହି ନିର୍ବାଚନରେ ଦୁଇଟି ବଡ କଥା ଦେଖିବାକୁ ମିଳିଛି। ତାହା ହେଲା ସାରା ଭାରତରେ ମୋଦୀ ଶାହା ଟିମ ଭଲ ପ୍ରଦର୍ଶନ କରିଥିବା ବେଳେ ତାହା ଓଡିଶାରେ କାମ ଦେଇ ନାହିଁ। ଦ୍ବିତୀୟ କଥା ହେଲା ଯେ, ଏଥର କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ଥିଲେ ମଧ୍ୟ ତାହା ସେମାନେ ହାସଲ କରିବାରେ ସଫଳ ହେଲେ ନାହିଁ। ଆଶ୍ଚର୍ଯ୍ୟର କଥା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଛିଡା ହୋଇଥିବା ଦୁଇଟି ଆସନରେ ତାଙ୍କର ନିକଟତମ ପ୍ରାର୍ଥୀଙ୍କଠାରୁ ପଛରେ ଅଛନ୍ତି। ସେହିପରି ବାଲେଶ୍ବର ଲୋକସଭାରୁ ପ୍ରାର୍ଥୀ ହୋଇଥିବା ତାଙ୍କର ପୁତ୍ର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି। କଂଗ୍ରେସ ଲୋକସଭାରେ ୨୦୧୪ରେ କୌଣସି ପ୍ରାର୍ଥୀ ପଠାଇବାରେ ସମର୍ଥ ହୋଇ ନ ଥିବା ବେଳେ ଏଥର ମଧ୍ୟ ସେହି ଅବସ୍ଥା ହୋଇଛି। ସେହିପରି ବିଧାନସଭାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିପାରି ନାହିଁ। ପୂର୍ବ ଅପେକ୍ଷା ଏଥର ସିଟ ସଂଖ୍ୟା ହ୍ରାସ ପାଇଛି। ଏପରିକି ବିରୋଧୀ ଦଳର ଭୂମିକାରେ ମଧ୍ୟ ଏଥର କଂଗ୍ରେସ ଆସିପାରିବ ନାହିଁ। ଗତଥର କଂଗ୍ରେସ ୧୬ଟି ଆସନ ପାଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ଅଧାକୁ ଖସିବାକୁ ଯାଉଛି। ଏହି ନିର୍ବାଚନ କଂଗ୍ରେସକୁ ଧରାଶାୟୀ କରିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଅପେକ୍ଷା ବିଜେପିକୁ ଅଧିକ ଫାଇଦା ମିଳିଛି। କାରଣ ବିଜେପି ଏଥର ବିଧାନସଭାରେ ବିରୋଧୀ ଦଳର ଭୂମିକା ନେଉଥିବା ବେଳେ ଲୋକସଭାରେ ମଧ୍ୟ ଆସନ ସଂଖ୍ୟା ବଢିଛି। ବିଧାନସଭାରେ ବିଜେପି ଏଥର ପ୍ରାୟ ୨୩ଟି ଆସନ ମିଳିବାକୁ ଯାଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଓଡିଶାରେ ମୋଦୀଶାହା ଟିମ ଯେପରି ମାରଥନ ପ୍ରଚାର କରିଥିଲେ, ସେହି ଅନୁସାରେ ଫଳ ମିଳିପାରିଲା ନାହିଁ। ନବୀନଙ୍କ କ୍ରେଜ ଆଗରେ ବିଜେପିର ଏହି ମାରଥନ ପ୍ରଚାର କୌଣସି କାମ କଲା ନାହିଁ। ବିଜେପି ମିଶନ ୧୨୦ ଅର୍ଥାତ ୧୪୭ଟି ଆସନରୁ ୧୨୦ଟି ଆସନ ହାସଲ କରିବ ବୋଲି ଲକ୍ଷ୍ୟ ରଖିଥିଲା। ତେବେ ମିଶନ ୧୨୦ ନୁହେଁ ମିଶନ ୨୦ ପ୍ଲସରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି। ଯେତେବେଳେ ଏଗଜିଟ ପୋଲ ଆସିଥିଲା ସେତେବେଳେ ମଧ୍ୟ ରାଜ୍ୟ ବିଜେପି ବାହାସ୍ଫୋଟ ମାରିଥିଲେ ଯେ, ଓଡିଶାରେ ବିଜେପି ଶାସନ କରିବ। ନବୀନଙ୍କୁ ଲୋକମାନେ ଏଥର ନିର୍ବାଚନରେ ପରିବର୍ତ୍ତନ କରିଦେଇଛନ୍ତି ବୋଲି ବିଜେପି କହିଆସୁଥିଲା। ବର୍ତ୍ତମାନ୨୦ପ୍ଲସରେ ବିଜେପିକୁ ସନ୍ତୁଷ୍ଠ ହେବାକୁ ପଡିଛି।
ଏହି ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା, ପୁରୀ ଏବଂ ଭୁବନେଶ୍ବର ଲୋକସଭାରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଜନମତ ମିଳିଛି। କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ୪୯ ହଜାର ଭୋଟ ପଛରେ ଅଛନ୍ତି। ସେହିପରି ପୁରୀରେ ମଧ୍ୟ ପିନାକୀ ମିଶ୍ର ଖୁବ କମ ଭୋଟରେ ଆଗୁଆ ଅଛନ୍ତି। ହେଲେ ଭୁବନେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କଠାରୁ ମଧ୍ୟ ଢେର ଅଧିକ ଭୋଟରେ ଆଗୁଆ ଅଛନ୍ତି।
ପଶ୍ଚିମବଙ୍ଗର କିଛି ବୁଥ୍ରେ ପୁନର୍ବାର ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସର ନେତା ମାନେ ହିଂସାତ୍ମକ ରାସ୍ତା ଆପଣାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସଶସ୍ତ୍ର ସୁରକ୍ଷା ବଳଙ୍କୁ ବିଜେପି ନିଜର ରାଜନୈତିକ ସୁରକ୍ଷା ପାଇଁ ବ୍ୟବହାର କରୁଛି ବୋଲି ତୃଣମୂଳ ପକ୍ଷରୁ ଅଭିଯୋଗ ଅଣାଯିବା ପରେ ବିଜେପି ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ତୃଣମୂଳ ନେତୃବୃନ୍ଦ ନିଜର ମାନସିକ ଭାରସାମ୍ୟ ହରାଇଥିବା ପରି ପ୍ରତୀୟମାନ ହେଉଛି ବୋଲି ବିଜେପି ପକ୍ଷରୁ ମୁକୁଲ ରାୟ କହିଛନ୍ତି। ଗତକାଲି ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ 9ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେଉଥିବା ବେଳେ ତନ୍ମଧ୍ୟରୁ 8ଟି ସଂସଦୀୟ କ୍ଷେତ୍ରର ବିଭିନ୍ନ ବୁଥ୍ରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ନିର୍ବାଚନରେ ପରାଜୟ ଭୟରେ ତୃଣମୂଳ ଏପରି ଅଭିଯୋଗ ଆଣିବା ସହିତ ହିଂସାକାଣ୍ଡର ରାସ୍ତା ଆପଣାଇଛି ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟା ପ୍ରକାଶ କରିଛନ୍ତି।
କେଦାର ମିଶ୍ର
ଆଜି ସନ୍ଧ୍ୟାରେ ୧୭ଶ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଲାଗି ପ୍ରଚାର ଶେଷ ହେଉଛି। ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯାୟ ଲାଗି ଭୋଟ ଗ୍ରହଣ କରାଯିବ। ଶେଷ ପର୍ଯାୟରେ ଆଉ ୫୯ ଟି ଆସନରେ ଭୋଟ ଗ୍ରହଣ ବାକିଥିବା ବେଳେ ୪୮୩ ଆସନରେ ଭୋଟ ଗ୍ରହଣ ସରିଯାଇଛି। ମୋଟାମୋଟି ଏବେ ଦେଶର ଜନମତ କେଉଁ ଦିଗକୁ ଯିବ ତାର ଏକ ସ୍ପଷ୍ଟ ଚିତ୍ର ଜଣା ପଡିଯାଉଛି। ନିର୍ବାଚନ ଆରମ୍ଭ ସମୟରେ ପୁଲୱାମା ଆକ୍ରମଣ ଓ ତାର ପରବର୍ତ୍ତୀ ସାମରିକ ଉତ୍ତେଜନା କୁ କେନ୍ଦ୍ର କରି ରାଜନୀତି ଚଳଚଞ୍ଚଳ ଥିଲା। ଡିସେମ୍ବର ୨୦୧୭ ରେ ବିଜେପି ମଧ୍ୟପ୍ରେଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ହାରିବା ପରେ ଦଳ ଭିତରେ ଯେଉଁ ଆଶଙ୍କା ଥିଲା ତାହା ପୁଲୱାମା ଓ ବାଲାକୋଟ ମାଧ୍ୟମରେ ଦୂର ହୋଇ ଯାଇଥିଲା। ତେବେ ନିର୍ବାଚନ ଘୋଷଣା ପରେ ସେନାବାହିନୀକୁ ନେଇ ବିଜେପି ରାଜନୀତି ଖୁବ ବେଶୀ ପ୍ରଭାବଶାଳୀ ସାବ୍ୟସ୍ତ ହେଲାନାହିଁ।
ପାଞ୍ଚ ବର୍ଷର ଶାସନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ସଫଳତା ଆଧାରରେ ଭୋଟ ନ ମାଗି, କଂଗ୍ରେସକୁ ଗାଳି ଦେବାକୁ ମୁଖ୍ୟ ପ୍ରସଙ୍ଗ କଲେ। ଏହି ନିର୍ବାଚନ ପ୍ରଚାରରେ ହଠାତ ପଣ୍ଡିତ ଜବାହାରଲାଲ ନେହେରୁ ଓ ରାଜୀବ ଗାନ୍ଧୀ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଗଲେ। ନରେନ୍ଦ୍ର ମୋଦୀ ନିଜ ସଫଳତାର ମୂଳ ଭାବରେ ଗାନ୍ଧୀ ପରିବାରର ବିଫଳତା ବୋଲି ବୋଧେ ଭାବିନେଲେ! ଯାହାର ପରିଣତି ସ୍ଵରୂପ ନିର୍ବାଚନ ପ୍ରଚାରରେ କୌଣସି ବାସ୍ତବ ପ୍ରସଙ୍ଗ ଆଉ ଆଲୋଚିତ ହେଲାନାହିଁ। ରାଜନୀତିର ଗମ୍ଭୀର ଚିନ୍ତନ ସ୍ଥାନରେ ପ୍ରଧାନମନ୍ତ୍ରୀ ଆମ୍ବ ଖାଆନ୍ତି କି ନାଇଁ, ଯଦି ଖାଆନ୍ତି ତାକୁ ଚୁଚୁମି କି ନା କାଟିକରି ଖାଆନ୍ତି, ତାହା ଚର୍ଚ୍ଚାରେ ରହିଲା। ଏପରିକି ପ୍ରଧାନମନ୍ତ୍ରୀ ମନି ପର୍ସ ଧରନ୍ତି କି ନାଇଁ, ତାହା ମଧ୍ୟ ଚର୍ଚ୍ଚାରେ ରହିଲା। ମୂଳତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ନିର୍ବାଚନକୁ ଏକ ଅଣରାଜନୈତିକ ନିର୍ବାଚନ କରିବାକୁ ପ୍ରବଳ ପ୍ରୟାସ କରିଥିଲେ।
ତେବେ ପ୍ରଧାନମନ୍ତ୍ରୀ ରାଜନୀତି ଚର୍ଚ୍ଚା ରୁ ଯେତେ ଦୂରେଇବାକୁ ଚାହିଁଲେ ମଧ୍ୟ ନିର୍ବାଚନ ରାଜନୀତିର ସବୁଠୁ ବଡ ଖେଳ,ଏହାକୁ ଅସ୍ଵୀକାର କରି ନିର୍ବାଚନ ଲଢି ହେବନାହିଁ। ନିର୍ବାଚନର ପ୍ରଥମ ପର୍ୟାୟରୁ ଶେଷ ପର୍ଯାୟ ପର୍ଯନ୍ତ ପ୍ରଧାନମନ୍ତ୍ରୀ ବାରମ୍ବାର ପ୍ରସଙ୍ଗ ବଦଳାଇଛନ୍ତି ଓ ବିଜେପିର ଏକମାତ୍ର ଏଜେଣ୍ଡା ଯେ କେବଳ ନରେନ୍ଦ୍ର ମୋଦୀ, ତାହା ପ୍ରମାଣିତ କରିଛନ୍ତି। ତେବେ ଛଅ ଟି ପର୍ଯାୟର ନିର୍ବାଚନ ଫଳାଫଳ ବିଜେପି ଲାଗି ଖୁବ ଉତ୍ସାହଜନକ ନୁହେଁ ବୋଲି ଏବେ ଦିଲ୍ଲୀ ମହଲରେ ଚର୍ଚ୍ଚା ଚାଲିଛି। ବିଶେଷକରି ଉତ୍ତରପ୍ରଦେଶରେ ପ୍ରବଳ ବିଜେପି ବିରୋଧୀ ହାୱା ବିଷୟରେ ସବୁଠି ଚର୍ଚ୍ଚା ଚାଲିଛି। ଉତ୍ତର ପ୍ରଦେଶରେ ଗତଥର ବିଜେପିକୁ ୮୦ ରୁ ୭୩ ଆସନ ମିଳିଥିବା ବେଳେ ଚଳିତ ନିର୍ବାଚନରେ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ବିଜେପିର ବାଟ ଓଗାଳିଛି। ମେଣ୍ଟ ଅତି କମରେ ୪୦ ରୁ ୫୦ ଆସନ ଏଥର ପାଇବ ବୋଲି ଏବେ ଆକଳନ କରାହେଉଛି।
ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ, ଛତିଶଗଡ, ହରିୟାନା ଓ କର୍ଣ୍ଣାଟକ ରେ ଗତଥର ଭଳି ସମାନ ଫଳାଫଳ ବିଜେପି ଖାତାକୁ ଆସୁନାହିଁ। ତେଣୁ ଉତ୍ତର ଭାରତ ଓ ପଶ୍ଚିମ ଭାରତର ରାଜ୍ୟ ଗୁଡିକରେ ବିଜେପି ଯେଉଁ କ୍ଷତି ସହିବ ତାହା ଓଡିଶା ଓ ପଶ୍ଚିମବଙ୍ଗରେ ଭରଣା ହୋଇ ପାରିବ ବୋଲି ବିଜେପି ଚିନ୍ତା କରୁଛି। ଓଡିଶାରେ ୧୨ଓ ପଶ୍ଚିମ ବଙ୍ଗରେ ୨୨ ଟି ଆସନ ପାଇବାକୁ ବିଜେପି ଆଶା ରଖିଛି। ତେବେ ଓଡିଶାରେ କେଉଁ ୧୨ଟି ଆସନ ବିଜେପି ପାଇବ ଓ ଏହା ପଛରେ ନିର୍ବାଚନୀ ଯୁକ୍ତି କଣ, ତାହା ବିଜେପିକୁ ଜଣା ନାହିଁ। ବିଜେପିର ଯୁକ୍ତି ହେଲା ଗୋଟିଏ ଲୋକସଭା ଆସନର କୌଣସି ବିଧାନସଭା ଆସନ ନ ଜିତିଲେ ମଧ୍ୟ ଲୋକସଭା ଆସନ ବିଜେପି ଖାତାକୁ ଆସିବ। ଯଦି ସତରେ ତାହା ଘଟେ ଏହା ଭାରତୀୟ ନିର୍ବାଚନୀ ଇତିହାସରେ ଏକ ବିସ୍ମୟକର ଘଟଣା ବୋଲି ଆମକୁ ମାନିବାକୁ ପଡିବ।
ପ୍ରଥମଥର ଲାଗି ଓଡିଶା ନିର୍ବାଚନରେ ଏଥର ଭୋଟ ବିଭାଜନର ପ୍ରଶ୍ନ ଉଠିଛି। ଲୋକସଭାରେ ଓ ବିଧାନସଭା ରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାର ପ୍ରବଣତା ଦେଖିବାକୁ ମିଳିଛି। ତେବେ ଏ ପ୍ରକାର ପ୍ରବଣତା ବିଜେପିକୁ କେତୋଟି ଆସନ ଦେବ, ତାହା କହିବା ମୁସ୍କିଲ। ଭୋଟ ପ୍ରତିଶତ ବଢିଲେ ଯେ ଦଳର ଆସନ ସଂଖ୍ୟା ବଢିବ, ତାହା ବିଲକୁଲ କହିହେବ ନାହିଁ। ଏହା ଆଗରୁ ବିଜେଡି ବିରୋଧରେ ବିଜେପିର ଯେଉଁ ମୁହଁ ଫୁଟାଣି ଥିଲା ଆଜି ଆଉ ତାହା ନାହିଁ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବେ ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନରେ ଲାଗି ପଡିଛନ୍ତି। ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ଯେ ବିଜେପିର ଓଡିଶା ଆଶା ନବୀନଙ୍କ ଭରସାରେ ଚାଲିଛି। ପଶ୍ଚିମବଙ୍ଗରେ ବିଜେପି ଏଥର ଏକ ପ୍ରକାର “କର ବା ମର” ସଂଘର୍ଷ କରୁଛି। ତ୍ରିଣମୂଳ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ନରେନ୍ଦ୍ର ମୋଦୀଙ୍କ ଏକ ନମ୍ବର ଶତ୍ରୁ ଭାବରେ ଉଭା ହୋଇଛନ୍ତି। ପଶ୍ଚିମ ବଙ୍ଗ ନିର୍ବାଚନରେ ବ୍ୟାପକ ହିଂସା ଓ ବିଜେପି ତଥା ତୃଣମୂଳ ଭିତରେ ଯେଉଁ କଟୁ ସଂଘର୍ଷ ଚାଲିଛି, ସେଥିରୁ ଗୋଟେ କଥା ଜଣ ପଡୁଛି ଯେ, ବିଜେପି ଲାଗି ପଶ୍ଚିମବଙ୍ଗ ହିଁ ଶେଷ ଆଶା।
ପଶ୍ଚିମବଙ୍ଗ ରାଜନୀତି ରେ ଭୟଙ୍କର ଧୃବୀକରଣ ଯୋଗୁଁ ବିଜେପି ଲାଭବାନ ହେବ ବୋଲି ବିଜେପି ତରଫରୁ ପ୍ରଚାର ଚାଲିଛି। ତେବେ ବାସ୍ତବ କ୍ଷେତ୍ରରେ ମମତା ଦିଦିଙ୍କୁ ମାତ ଦେବା ଭଳି ପରିସ୍ଥିତି ବଙ୍ଗଳାରେ ଆସିନାହିଁ। ଓଡିଶା ଓ ବଙ୍ଗଳା କୁ ମିଶେଇ ବିଜେପି ୧୫ ଆସନ ପାଇଲେ ବହୁତ ବଡ ସଫଳତା ହେବ। ବର୍ତ୍ତମାନର ପରିସ୍ଥିତି ଓ ପୃଷ୍ଠଭୂମିରୁ ଏକଥା କୁହାଯାଇପାରେ ଯେ ଆମେ ଏକ ଝୁଲା ଭବିଷ୍ୟତ ଆଡକୁ ଗତି କରୁଛୁ।
ଲୋକସଭା ନିର୍ବାଚନ ପାଇଁ ଭାରତର ରାଜନୈତିକ ପାଣିପାଗ ବେଶ୍ ସରଗରମ ରହିଛି। ଏହାରି ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପ। ଗୁଜୁରାଟର ପୂର୍ବ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲା ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି। ପୁଲ୍ଓ୍ବାମା ଆକ୍ରମଣକୁ ଭାଜାପାର ଏକ ଷଡଯନ୍ତ୍ର ବୋଲି କହିବା ସହିତ ଗୋଧ୍ରା ଦଙ୍ଗା ପରି ପୁଲ୍ଓ୍ବାମା ଆକ୍ରମଣ ମଧ୍ୟ ବିଜେପିର ଏକ ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଯେଉଁ ଗାଡିରେ ଆର୍ଡିଏକ୍ସ ନିଆଯାଉଥିଲା ତା’ର ରେଜିଷ୍ଟ୍ରେଶନ ନମ୍ବର ଗୁଜରାଟର ଥିଲା। ତେଣୁ ନିର୍ବାଚନ ଜିତିବା ଲାଗି ବିଜେପି ଆତଙ୍କବାଦୀଙ୍କ ସାହାରା ନେଇଥିବା ବାଘେଲା କହିଛନ୍ତି। କାରଣ ଗତ ୫ ବର୍ଷ ଭାଜପା ଶାସନ ସମୟରେ ବହୁ ଆତଙ୍କବାଦୀ ଆକ୍ରମଣ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ବାଲାକୋଟ ଆକ୍ରମଣରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ନାହିଁ। କାରଣ କୌଣସି ବିଦେଶୀ ଏଜେନ୍ସି ଏହାର ସ୍ପଷ୍ଟ ଚିତ୍ର ଦେଇନାହିଁ। ବାଲାକୋଟ୍ ଆକ୍ରମଣ ମଧ୍ୟ ଏକ ସୁନିୟୋଜିତ ଷଡଯନ୍ତ୍ର ଥିଲା। ଫେବୃଆରୀ ୧୪ ତାରିଖରେ ଆତଙ୍କୀମାନଙ୍କ ଦ୍ବାରା ୪୦ ଜଣ ସିଆରଏଫ୍ ଯବାନ୍ ଶହୀଦ୍ ହୋଇଥିଲେ। ଏହି ଆତଙ୍କ ଆକ୍ରମଣ ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ଏହାପରେ ଭାରତ ତରଫରୁ ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ କରାଯାଇଥିଲା।
କେଦାର ମିଶ୍ର
ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ କେନ୍ଦ୍ର କରି ଓଡିଶା ରାଜନୀତିର ଘୂର୍ଣ୍ଣି ଆହୁରି ଭୟଙ୍କର ଲାଗୁଛି। ଆପାତତଃ ଶାନ୍ତିପୂର୍ଣ୍ଣ ଭାବରେ ଓଡିଶାର ଚାରୋଟି ଯାକ ପର୍ୟାୟ ନିର୍ବାଚନ ସମାହିତ କରିଥିବାରୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ପାଇବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ଓ ଏହାର ସଦା କ୍ରୋଧିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଶର ଶିକାର ହୋଇଛନ୍ତି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ଅଧିକାରୀ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏ ପ୍ରକାର ଅଭିଯୋଗର ଆଧାର କଣ, ସେ କଥା କାହାକୁ ଜଣାନାହିଁ। ଓଡିଶା ଯେତେବେଳେ ଏକ ବିରାଟ ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାକୁ ଯାଉଛି ସେତେବେଳେ ଏ ପ୍ରକାର ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ବଡ ଦୁର୍ଭାଗ୍ୟଜନକ। ନିର୍ବାଚନ ଏବେ ସରିଯାଇଛି। ଆସନ୍ତା ୧୯ ତାରିଖରେ ପାଟକୁରା ଉପ ନିର୍ବାଚନ ହେବା କଥା। ତାକୁ ନେଇ ଏ ସବୁ ନାଟକ।
ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳରେ କେଉଁଠି ସ୍ଥଳଭାଗ ଛୁଇଁବ ସେ କଥା ଏଯାଏ ସ୍ପଷ୍ଟ ହୋଇନି। ତେବେ ପୁରୀରୁ ଦୀଘା ମଝିରେ ଏହା କେଉଁଠି ହେଲେ ସ୍ଥଳଭାଗକୁ ପ୍ରବେଶ କରିପାରେ। ବାତ୍ୟା ମୁକାବିଲା ବର୍ତ୍ତମାନ ସମୟର ସବୁଠୁ ବଡ ଚିନ୍ତା। ସେତେବେଳେ ପାଟକୁରା ନିର୍ବାଚନ ହେବା ନହେବା, ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ତେବେ ପାଟକୁରାକୁ ନେଇ ଗତ ମାସେ ହେଲା ଅନେକ ରୋଚକ ରାଜନୈତିକ ମୋଡ ଆସିଛି। ପ୍ରଥମେ ବିଜୟ ମହାପାତ୍ର ବର୍ଷାଧିକ କାଳ ବିଜେପିଠାରୁ ଅଭିମାନ କରି ଦୂରରେ ରହିଲେ। ତାଙ୍କୁ ବିଜେପି ପୁରୁଣା ଆସବାବ ଭଳି ବ୍ୟବହାର କରୁଛି ବୋଲି କହି ସେ ବିଜେପିରୁ ଇସ୍ତଫା ଦେଇ ଚାଲିଆସିଥିଲେ। ତେବେ ହଠାତ ତାଙ୍କର ମାନଭଞ୍ଜନ ହେଲା। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିବା ପରେ ସେ ପ୍ରଥମେ ବିଜୟଙ୍କୁ ନିଜ ପାଖକୁ ନେଇ ଆସିଲେ। ପୁରୁଣା ଆସବାବ ପୁଣି ଥରେ ନିଜ ଜାଗାକୁ ଫେରି ଆସିଲା। ତେବେ ପୁରୁଣା ଜାଗା କହିଲେ, ସେଇ ପାଟକୁରା। ବିଜୟଙ୍କୁ ବିଜେପି ପାଟକୁରାର ପ୍ରାର୍ଥୀ କଲା।
ବିଜୟଙ୍କ ପ୍ରତିଦ୍ବନ୍ଦ୍ବୀ ଭାବରେ ବିଜେଡି ନିଜର ବର୍ଷିୟାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲାପରେ ବେଦୁ ବାବୁଙ୍କ ଦେହାନ୍ତ ହେଲା। ଆମ ଜାଣିବାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତକୁ ଆମେ ଆମ ସମୟର ସବୁଠୁ ବଡ ରାଜନୈତିକ ମୃତ୍ୟୁ ବୋଲି କହିପାରିବା। ବିଜେପି ଓ ବିଜୟ ଅଭିଯୋଗ କଲେ ଯେ ଜାଣିଶୁଣି ନିର୍ବାଚନ ଘୁଞ୍ଚାଇବାକୁ ଏଠାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କୁ ବିଜେଡି ଟିକଟ ଦେଇଥିଲା। ଏହାର ସିଧା ଅର୍ଥ ହେଉଛି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମତେ ବୋଧହୁଏ ଯମରାଜା ବେଦପ୍ରକାଶଙ୍କୁ ଇହ ଧାମରୁ ନେଇଗଲେ! ବିଜୟଙ୍କୁ ହଇରାଣ କରିବା ଲାଗି ଖୋଦ ଯମରାଜ ମଧ୍ୟ ନବୀନଙ୍କ ସହ ଷଡଯନ୍ତ୍ରରେ ସାମିଲ ବୋଲି ଆମେ ମାନିବାକୁ ବାଧ୍ୟ!
ତେବେ ଯମରାଜା ତାଙ୍କ କାମ କରିବା ପରେ ଏବେ ଇନ୍ଦ୍ର ମଧ୍ୟ ନବୀନଙ୍କ ସହ ମିଶି ବିଜୟ ଓ ବିଜେପି ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ପାଟକୁରା ନିର୍ବାଚନ ଆସନ୍ତା ମେ ୧୯ ରେ ହେବା ପୂର୍ବରୁ ଏବେ ବାତ୍ୟା “ଫନୀ” ଆସି ପହଞ୍ଚି ଯାଇଛି। ବାତ୍ୟାକୁ ଆଳ କରି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଦରଖାସ୍ତ କରିଛି ଓ ଏହା ବିରୋଧରେ ବିଜେପି ଠିଆ ହୋଇଛି। ଶେଷ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ହେଲେ ସାଧାରଣ ଓଡିଆ ଭାବରେ ଆମର ପ୍ରଶ୍ନ ହେଲା, ଆଜ୍ଞାମାନେ! ୧୪୬ ଟି ବିଧାନସଭା ନିର୍ବାଚନ ସରି ତ ଗଲାଣି। ବାତ୍ୟାର କ୍ଷୟକ୍ଷତି ଭିତରେ ଆଉ ଗୋଟେ ବିଧାନସଭା ନିର୍ବାଚନ ଯଦି କିଛି ଦିନ ଘୁଞ୍ଚିଯାଏ, ତାହେଲେ କଣ ବା ଅସୁବିଧା ହେବ କି ? ହୁଏତ ଏଥିଲାଗି ଶାସକ ଦଳ ଟିକେ ଅଧିକ ସମୟ ପାଇଯିବ। ତେବେ ମେ ୨୩ ପରେ ବିଜେଡି କଣ ଶାସକ ଦଳ ହୋଇ ରହିବ ବୋଲି ବିଜେପି ମାନି ନେଇ ସାରିଛି ?
ଅସଲ କଥା ହେଉଛି, ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ତା ପୂର୍ବରୁ ପୂର୍ବରୁ ବିଜେପିର ବିଳିବିଳା ବଡ ଅରୁଚିକର ଲାଗୁଛି। ନିର୍ବାଚନ କମିଶନଙ୍କୁ ଭେଟି ଧର୍ମେନ୍ଦ୍ର କହିଛନ୍ତି- “ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଥିଲା। ଯାହାକୁ କମିଶନ ଗ୍ରହଣ କରି ନିର୍ବାଚନ ଆଚରଣ ବିଧି କୋହଳ କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଚରଣ ବିଧି ହଟିବା ଆଳରେ ରାଜ୍ୟର ବିଜେଡି ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ସରିଛି। ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡି଼ଶାକୁ ଲୁଟ୍ କରିଛନ୍ତି, ଆଉ ଓଡ଼ିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ।
ଏ କଥାର କିଛି ଅର୍ଥ ସତରେ ଅଛି କି ? ବାତ୍ୟା ସମୟରେ ୧୧ ଟି ଜିଲ୍ଲାରୁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି। ବାତ୍ୟା ସହାୟତା ଓ ରିଲିଫ କାମ ଲାଗି ତାହା ଜରୁରୀ। ତେବେ ଏଥିରୁ ହଜାରେ କୋଟି ବିଜେଡି ସରକାର କେମିତି ଓ କେଉଁ ବାଗରେ ହଡପ କରିବେ, ଆମେ ତାହା ବୁଝି ପାରୁନାହୁଁ ? ତା ପରେ ମନ୍ତ୍ରୀଙ୍କ କଥା ମୁତାବକ ଯଦି ତାଙ୍କ ସରକାର ଆସୁଛି, ତାହେଲେ ଏ ସରକାର ଯଦି କିଛି ଗଫଲତି କରେ, ତାର ବିଲ ଅଟକା ଯାଇପାରିବ ଓ ଦୋଷୀମାନଙ୍କୁ ବନ୍ଧା ଯାଇପାରିବ।
ଦୁର୍ଦ୍ଦିନ ସମୟରେ ସବୁ ରାଜନୈତିକ ଦଳ ହାତକୁ ହାତ ମିଳାଇ ଏବେ ଲୋକଙ୍କ ସେବା କରିବାର ସମୟ ଆସିଛି। ନିର୍ବାଚନ ସରିଗଲାଣି। ଭାଷଣ ଓ ବୟାନବାଜିରେ ଜନମତ ଆଉ ପ୍ରଭାବିତ ହେବାର ନାହିଁ। ଏବେ ଅନ୍ତତଃ ରାଜନୀତିରେ ମଣିଷପଣିଆ କିଛି ତ ରହୁ !
( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷି ଚାଲିଲେ ବାହାରୁଛି ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )
ସମୀକ୍ଷା ବ୍ୟୁରୋ
ଦୀର୍ଘ ଏକମାସ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ପରସ୍ପର ଗାଳି ଓ ସମାଲୋଚନାରେ ଲିପ୍ତ ରହିଥିଲେ। କାରଣ ଥିଲା ଉଭୟ କିପରି ଅନ୍ୟକୁ ଦୋଷ ଦେଇ ଭୋଟ ହାତେଇବା। ହେଲେ ନିର୍ବାଚନ ସରିବାର ଗୋଟିଏ ଦିନ ପରେ ଉଭୟ ଗୋଟିଏ ଗାଡିରେ ବସି ହସଖୁସିରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣାଟି ଆଜି ଅର୍ଥାତ ମଙ୍ଗଳବାର ସକାଳ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ ପହଁଚିବା ପରେ ସେଠାରେ ଥିଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପରେ ନମସ୍କାର କରି ତାଙ୍କ ନିକଟକୁ ଯାଇଥିଲେ। ନବୀନ ବାହାରକୁ ଆସିବା ପାଇଁ ଏକ ବ୍ୟାଟେରି ଚାଳିତ ଗାଡିରେ ବସିବାକୁ ଆସିଥିଲେ। ଧର୍ମେନ୍ଦ୍ର ମଧ୍ୟ ସେହି ଗାଡି ପାଖକୁ ଆସି ତାଙ୍କ ପାଖ ସିଟରେ ବସିଥିଲେ। ଉଭୟ ସେହି ଗାଡିରେ କଥାବାର୍ତ୍ତା ହୋଇ ବାହାରକୁ ଆସିଥିଲେ। ସେଠାରେ ଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତ୍ର କେତେ ଘଣ୍ଟା ତଳେ ଉଭୟ ନେତା ପରସ୍ପରକୁ ଗାଳି କରିବାଠାରୁ ଆରମ୍ଭ କରି ସମାଲୋଚନାର ଚରମ ସୀମାରେ ପହଁଚିଥିଲେ। ଏପରିକି ନବୀନ, କେନ୍ଦ୍ର ଏବଂ ମୋଦୀଙ୍କ ବିରୋଧରେ ବେଶ୍ କିଛି ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ନବୀନ ସରକାରଙ୍କୁ ଲୋକେ ହଟାଇ ଦେଇଛନ୍ତି ବୋଲି କହିଥିଲେ। ଅମିତ ସାହା ମଧ୍ୟ ନବୀନ ସରକାରଙ୍କୁ ଫୋପାଡି ଫିଙ୍ଗି ଦିଅ ବୋଲି ତାଙ୍କ କର୍ମିଙ୍କୁ ଆହ୍ବାନ ଦେଇଥିଲେ। ସେସବୁ ଝଡ ସରିବା ପରେ ବର୍ତ୍ତମାନ ଧର୍ମେନ୍ଦ୍ର ଓ ନବୀନ ଗୋଟିଏ ଗାଡିରେ ଏକାଠି ଯିବା ଅନେକଙ୍କର ହଜମ ହେଉ ନ ଥିଲେ ମଧ୍ୟ କେତେକ ଏହା ଗଣତନ୍ତ୍ରର ଶୁଭ ଲକ୍ଷଣ ବୋଲି କହୁଛନ୍ତି। ନବୀନ ଓ ଧର୍ମେନ୍ଦ୍ରଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ହଠାତ ଦୁଇ ରାଜନୈତିକ ଶତ୍ରୁ କାହିଁକି ଏକାଠି ହେଲେ ଏବଂ ଧର୍ମେନ୍ଦ୍ର କଣ ପାଇଁ ଏୟାରପୋର୍ଟରେ ଥିଲେ ସେ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା।
ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତା ସନି ଦେଓଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ବବି ଦେଓଲ ଏବଂ ପଞ୍ଜାବ ବିଜେପି ପ୍ରଦେଶ ଅଧ୍ୟକ୍ଷ ଶ୍ୱେତା ମଲ୍ଲିକ ଉପସ୍ଥିତ ଅଛନ୍ତି। ସନି ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଅମୃତସରରେ ଶ୍ରୀ ହରମନ୍ଦିର ସାହିବ ଯାଇଥିଲେ। ରାଜନୈତିକ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରିଥିଲେ। ଅଭିନେତା ବିନୋଦ ଖାନ୍ନାଙ୍କ ଆସନରୁ ବିଜେପି ସନିଙ୍କୁ ଟିକେଟ ଦେଇଛି। ତାଙ୍କ ସହ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ତଥା ଗୁରୁଦାସପୁରରୁ ସାଂସଦ ସୁନୀଲ ଜାଖଡଙ୍କ ସହ ତାଙ୍କର ଲଢେଇ ହେବ।
ସମୀକ୍ଷା ବ୍ୟୁରୋ
ଶେଷ ଖବର ମୁତାବକ କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ଭୋଟରଙ୍କ ଆସ୍ଥା ବଢୁଛି ଓ ସେ ଜିତି ଯାଇପାରନ୍ତି ବୋଲି ଏକ ଧାରଣା ସବୁଠି ଘୂରି ବୁଲୁଛି। ତା ସତ୍ତ୍ୱେ ବିଜେପିର ଏକ ସାତ ଜଣିଆ ପ୍ରତିନିଧି ଦଳ ଆଜି ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ଯେ କୁଆଡେ କେନ୍ଦ୍ରାପଡାର ୧୯୯୨ ଟି ଯାକ ବୁଥରେ ରିଗିଂ କରାଯିବ। ନବୀନ ସରକାରର ପୋଲିସ ଓ ସରକାରୀ କର୍ମଚାରୀ କୁଆଡେ ସବୁ ଭୋଟ ନିଜ ଆଡକୁ ନେଇଯିବେ। ଏହା ସହିତ ବିଜେପିର କୁହାଳିଆ ଉପ ସଭାପତି ପୀତାମ୍ବର ଆଚାର୍ୟ ଏୟା ବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ରୁ ୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟି ଫେରିଛନ୍ତି। ବିଜେପିର ଏ ପ୍ରକାର ଅଭିଯୋଗ ଶୁଣି ଯେ କେହି ବି ଚିନ୍ତାରେ ପଡିବ ଯେ, ସତରେ କଣ ବୈଜୟନ୍ତ ଜିତୁଛନ୍ତି! ନା ବୈଜୟନ୍ତ ହାରନ୍ତୁ ବୋଲି ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚକ୍ରାନ୍ତ କରି ଏ ପ୍ରକାର ମିଛ କାହାଣୀ ବୁଣୁଛନ୍ତି? କେନ୍ଦ୍ରାପଡା ନକ୍ସଲ ପୀଡିତ ଅଞ୍ଚଳ ନୁହେଁ କିମ୍ବା ସେଠି ନିର୍ବାଚନୀ ହିଂସା ଏତେ ବ୍ୟାପକ ହୋଇନାହିଁ ଯେ ନିର୍ବାଚନ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ପାରା ମିଲିଟାରୀ ବାହିନୀ ମୁତୟନ କରିବେ। ଜଣେ ତଥାକଥିତ ଜିତୁଥିବା ପ୍ରାର୍ଥୀ ଏତେ ଡରିବାର କାରଣ କଣ? ଲୋକେ ଯଦି ଆପଣଙ୍କୁ ସମର୍ଥନ କରୁଛନ୍ତି, ସେମାନେ କଣ ଏତେ ଭୟାଳୁ ଯେ ଡରରେ ବା ପ୍ରଲୋଭନରେ ବିଜେଡ଼ିକୁ ଭୋଟ ଦେଇଦେବେ ?
ସତ କହିବାକୁ ଗଲେ ବିଜେପିର ଏ ପ୍ରକାର ଉଦ୍ଦେଶ୍ୟ ପଛରେ କିଛି ଗୋଟେ ଭିତିରି ରହସ୍ୟ ରହିଛି। ଯଦି ମୁଖ୍ୟମନ୍ତ୍ରୀ ୪୫-୫୦ କୋଟି ଟଙ୍କା କେନ୍ଦ୍ରାପଡାରେ ବାଣ୍ଟିକି ଚାଲି ଆସିଲେ, କେନ୍ଦ୍ରାପଡାରେ ବାବୁ ବୈଜୟନ୍ତ ଓ ତାଙ୍କ ଚୌକିଦାରମାନେ କରୁଥିଲେ କଣ? ତେବେ ମୁଖ୍ୟମନ୍ତ୍ରୀଙ୍କ ଆଗରୁ କେନ୍ଦ୍ରାପଡାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଯାଇଥିଲେ। ଆମେ କଣ କହିବା ଯେ ପ୍ରଧାନମନ୍ତ୍ରୀ ସେଠି ବୈଜୟନ୍ତଙ୍କୁ ଜିତାଇବାକୁ ୫୦-୬୦ କୋଟି ବାଣ୍ଟି ଦେଇ ଚାଲି ଆସିଛନ୍ତି! ଯଦି ସାରା ଦେଶର ନଜର ଥିବା ଓ ଏ ପର୍ୟନ୍ତ ନିର୍ବାଚନୀ ହିଂସାରୁ ବିରତ ରହିଥିବା ଏକ ନିର୍ବାଚନ ମଣ୍ଡଳୀ ବିଷୟରେ ଏତେ ଭୟ ଓ ଆଶଙ୍କା ବିଜେପି ତରଫରୁ ସୃଷ୍ଟି କରାଯାଉଛି କାହିଁକି? ହୁଏତ ବିଜେଡି କୁ ଚାପରେ ରଖିବାକୁ ଏହା ବିଜେପିର ଏକ କୌଶଳ ହୋଇଥାଇପାରେ। ହେଲେ ଏ ପ୍ରକାର ବାର୍ତ୍ତାକୁ ଭୋଟର ଭିନ୍ନ ବାଗରେ ଗ୍ରହଣ କରନ୍ତି ଯଦି, ତାହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇପାରେ।
ଭୋଟ ଗ୍ରହଣର ପୂର୍ବ ୨୪ ଘଣ୍ଟା ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବୁଥ ପରିଚାଳନା ଓ ପ୍ରତ୍ୟେକ ବୁଥରେ ନିଜର ବିଶ୍ଵସ୍ତ ଏଜେଣ୍ଟ ରଖିପାରିବା ପ୍ରାର୍ଥୀଙ୍କ ପାଇଁ ବଡ ଆହ୍ଵାନ। ବିଜେପି ଓ ବୈଜୟନ୍ତଙ୍କ ପାଖରେ ଏତେ ସଂଖ୍ୟକ ବିଶ୍ଵସ୍ତ ଏଜେଣ୍ଟ ନାହାନ୍ତି କି? ନଚେତ ୧୯୯୨ ଟି ଯାକ ବୁଥ ରିଗିଂ ହୋଇପାରେ ବୋଲି ଅଭିଯୋଗର କୌଣସି ଭିତ୍ତି ନାହିଁ। କାଳ୍ପନିକ ଅଭିଯୋଗ କରି ଗୁଡାଏ ଆଜେ ବାଜେ କଥା କହିଲେ ଲୋକ ଏବେ ଆଉ ଶୁଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ଟଙ୍କା ବାଣ୍ଟୁଛନ୍ତି ବୋଲି କହିଲେ ସେକଥାର ମୂଲ୍ୟ ବା କଣ? ଏ ପ୍ରକାର ଅଭିଯୋଗ କରି ବିଜେପି ପରୋକ୍ଷରେ ବୈଜୟନ୍ତଙ୍କ ଦୁର୍ବଳତାକୁ ପଦାରେ ପକାଉଛି କି ?
ନିର୍ବାଚନରେ ଜିତିବା ହାରିବା ତ ଅନ୍ତିମ କଥା, ହେଲେ ନିର୍ବାଚନ ସମୟରେ ଦଳ ଓ ପ୍ରାର୍ଥୀଙ୍କ ପଦେ ପଦେ କଥାରେ ପାନରୁ ଚୂନ ଖସି ଯାଇପାରେ, ଏ କଥା ବିଜେପି ନିହାତି ବୁଝିବା ଉଚିତ !
(ମୋବାଇଲରେ ଫଟାଫଟ ଖବର ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନକୁ ଠେଲିଠେଲି ପଢି ଚାଲନ୍ତୁ ଖବର)
ଆମ ଆଦମୀ ପାର୍ଟିର ମୁଖ୍ୟ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲଙ୍କ ବିରୁଦ୍ଧରେ ମତଦାତାଙ୍କୁ ଏଫଏମ ରେଡିଓରେ ବିଜ୍ଞାପନ ଜରିଆରେ ଭ୍ରମିତ ତଥା ନିଜ ଆଡକୁ ଆକର୍ଷିତ କରିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି। ଅରବିନ୍ଦ କେଜ୍ରିଓ୍ବାଲ ବିଜେପି ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କ ବୟାନକୁ ମଧ୍ୟ ଭୁଲ ଶୈଳୀରେ ଉପସ୍ଥାପନ କରିବା ନେଇ ମଧ୍ୟ ଅଭିଯୋଗ ଆଣିଛି ବିଜେପି। ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଅଭିଯୋଗ ପତ୍ର ପଠାଇଛନ୍ତି। ଏଥିରେ ଆପ ଏଫଏମ ରେଡିଓରେ ବିଜ୍ଞାପନ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗରେ ପ୍ରବୀଣ କହିଛନ୍ତି, ରେଡିଓ ବିଜ୍ଞାପନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲୋକଙ୍କୁ କହିଛନ୍ତି, କେନ୍ଦ୍ର ସରକାର ଦିଲ୍ଲୀର ଲୋକଙ୍କ ଠାରୁ ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରି କେବଳ ୩୨୫ କୋଟି ଟଙ୍କା ଦିଲ୍ଲୀକୁ ଦେଇଛନ୍ତି। ସେ ନିର୍ବାଚନ ଆୟୋଗଙ୍କୁ ଆପର ବିଜ୍ଞାପନ ବିଷୟ-ବସ୍ତୁର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି।
ଇଭିଏମ୍ରେ ଦଳୀୟ ଲୋଗୋ ତଳେ ବିଜେପିର ନାମ ଥିବା ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିରୋଧୀ ଦଳ । ଅନ୍ୟ ସମସ୍ତ ଦଳର କେବଳ ଚିହ୍ନ ରହିଥିବା ବେଳେ ପଦ୍ମ ଚିହ୍ନ ତଳେ ବିଜେପିର ନାମ ରହିଥିବା ନେଇ ଅଭିଯୋଗ କରିଛନ୍ତି ବିପକ୍ଷ ଦଳ । ଦଶ ବିପକ୍ଷ ରାଜନୈତିକ ଦଳର ସଦସ୍ୟ ମାନଙ୍କ ଏକ ଦଳ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ଭେଟି ଏ ନେଇ ଅଭିଯୋଗ ଦାୟର କରିଛନ୍ତି । ଏହି ଦଳରେ କଂଗ୍ରେସ ଦଳର ଅଭିଷେକ ମନୁ ସିଂଘଭୀ ଏବଂ ତୃଣମୂଳର ଦୀନେଶ ତ୍ରିବେଦୀ ଏବଂ ଡେରେକ୍ ଓ ବ୍ରାଏନ୍ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି। ବିପକ୍ଷ ସଦସ୍ୟ ମାନେ ବିଜେପିର ନାମ ଇଭିଏମ୍ରୁ ହଟାଯାଉ କିମ୍ବା ଅନ୍ୟାନ୍ୟ ରାଜନୈତିକ ଦଳ ଗୁଡିକର ନାମ ଦଳୀୟ ଚିହ୍ନ ସହିତ ଯୋଡା ଯାଉ ବୋଲି ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଛନ୍ତି । ଏହାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସ୍ବୀକାର କରାଯାଇଥିବା ବେଳେ ୨୦୧୩ରେୁ ବିଜେପିର ଆବେଦନ ପରେ ବିଜେପି ଏହି ଚିହ୍ନ ବ୍ୟବହାର କରି ଆସୁଛି ଏବଂ ୨୦୧୪ ଠାରୁ ହିଁ ବ୍ୟବହୃତ ହେଉଛି ବୋଲି କୁହାଯାଇଛି । ଏନେଇ ପଶ୍ଚିମବଙ୍ଗ ନିର୍ବାଚନ କମିଶନଙ୍କୁ ଏକ ଚିଠି ଜରିଆରେ ସ୍ପଷ୍ଟୀକରଣ ଦେଇଥିବା ବେଳେ ଇଭିଏମ୍ ବଦଳାଯିବ ନାହିଁ ବୋଲି ସୁନୀଲ ଅରୋରା ସ୍ପଷ୍ଟ କରିଛନ୍ତି ।