ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବିଜେପିକୁ ଆକ୍ରମଣ କରିଛନ୍ତି। ଯଦି ବିଜେପି କ୍ଷମତାକୁ ଆସିବ ତେବେ ଭାରତ ବିଭାଜିତ ହୋଇଯିବ ବୋଲି ଅମରିନ୍ଦର ସିଂ କହିଛନ୍ତି। ଅମରିନ୍ଦର କହିଛନ୍ତି ବିଜେପି ସର୍ବଦା ଜଣେ ବ୍ୟକ୍ତିଙ୍କ ପଛରେ ରହି ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛି। ସେହିପରି ବିଜେପି ଯେଉଁପରି ଭାବରେ ମିଥ୍ୟା ଜାତୀୟତାର ଡିଣ୍ଡିମ ପିଟୁଛି ଏହା ଦେଶ ପାଇଁ କ୍ଷତିକାରକ ତେଣୁ ଏହି ଦଳକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସମସ୍ତ ରାଜନୈତିକ ଦଳ ଏକ ହେବା ଉଚିତ୍। ସିଂ କହିଛନ୍ତି ପଞ୍ଜାବରେ ସମସ୍ତ ୧୩ ଆସନ କଂଗ୍ରେସ ହାସଲ କରିବାକୁ ଯାଉଛି। ଜନତା ବର୍ତ୍ତମାନ ମୋଦି ସରକୋରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେହିପରି ବିଜେପି ଆତଙ୍କବାଦ ବିରୋଧରେ ବିମାନ ବାହିନୀର ଆକ୍ରମଣ ବା ଏୟାର ଷ୍ଟ୍ରାଇକ୍କୁ ନିଜ ସଫଳତା ବୋଲି ବଖାଣିବା ଆଦୌ ଗ୍ରହଣୀୟ ନୁହେଁ। ଏହି ଆକ୍ରମଣକୁ ବିଜେପି ନିଜର ନିର୍ବାଚନୀ ପ୍ରଚାରରେ ବ୍ୟବହାର କରିବା ବିଗତ ୫ ବର୍ଷ ମଧ୍ୟରେ ବିଜେପିର ବିଫଳତାକୁ ପ୍ରମାଣ କରୁଛି ବୋଲି କହିଥିଲେ ଶ୍ରୀ ସିଂ।
Tag: BJP
କେଦାର ମିଶ୍ର
ତୃତୀୟ ପର୍ୟାୟ ନିର୍ବାଚନ ସରିଗଲା ପରେ ଏବେ ସାରା ରାଜ୍ୟର ଓ କିଛିକାଂଶରେ ପୂରା ଦେଶର ନଜର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଉପରେ ରହିଛି। ଏକଦା ଘନିଷ୍ଠ ବନ୍ଧୁ ଓ ଏବେ ପରଷ୍ପରର ପ୍ରବଳ ଶତ୍ରୁ ପାଲଟିଥିବା ବୈଜୟନ୍ତ ପଣ୍ଡା ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରାର ସଂଘର୍ଷ ଏଠାରେ ଦେଖିବାକୁ ମିଳୁଛି। ଅନେକ ସମୟରେ ଆମକୁ ଏ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି- କେନ୍ଦ୍ରାପଡାରେ କିଏ ଜିତିବ? ସତେକି କେନ୍ଦ୍ରାପଡା ଏବେ ପୂରା ଓଡିଶାର ପ୍ରତୀକ ପାଲଟି ଯାଇଛି। ସାରା ରାଜ୍ୟ କେନ୍ଦ୍ରାପଡା ବିଷୟରେ ଯାହା ଭାବୁଛି, କେନ୍ଦ୍ରାପଡା ନିଜ ବିଷୟରେ ସେୟା ଭାବୁଛି କି? ଆମେ ସାଲେପୁରରେ ପହଞ୍ଚିବା ଆଗରୁ ଜଣେ ବାଟୋଇଙ୍କୁ ଏକଥା ପଚାରିଥିଲୁ। ତାଙ୍କର ଉତ୍ତର ଥିଲା- ମୁହଁ ବଦଳିଛି, ହେଲେ ଚିହ୍ନ ବଦଳିନାହିଁ, ତେଣୁ ଇଏ ଆଉ ଅନେକ ନିର୍ବାଚନ ପରି ନୂଆ ଏକ ନିର୍ବାଚନ। ଏକଥାର ଯାହା ଅର୍ଥ କରିବେ ଆପଣମାନେ କରନ୍ତୁ। ହେଲେ କେନ୍ଦ୍ରାପଡା କୁ ଜାଣିବାଲାଗି ଓ ଭୋଟରଙ୍କ ମନୋଭାବ ବୁଝିବାଲାଗି ଗୋଟେ ବଡ ସଙ୍କେତ ଆମକୁ ସେଇଠି ମିଳିଗଲା।
ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡା, ରାଜନଗର ଓ ଆଳି ଏମିତି ପାଞ୍ଚୋଟି ବିଧାନସଭା କ୍ଷେତ୍ର ବୁଲିବାର ସମୟ ଆମ ପାଖରେ ଥିଲା। ପାଟକୁରା ଓ ମହାକାଳପଡା ଆମେ ଯାଇପାରିଲୁ ନାହିଁ। ସବୁଠାରେ ଭୋଟରଙ୍କ ମୁହଁ ରେ ଗୋଟେ କଥା- କଡା ଟକ୍କର ହେବ। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଭିତରୁ ଯିଏ ବି ଜିତିବ, ତାଙ୍କ ପାଇଁ ବିଜୟ ଆଦୌ ସହଜ ନୁହେଁ। ଏକଦା ବିଜେଡ଼ିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା କେନ୍ଦ୍ରାପଡାରେ ବୈଜୟନ୍ତ ବିଜେଡି ଲାଗି ଏକ ମୁକାବିଲା ପରିସ୍ଥିତି ସୃଷ୍ଟି କରିଛନ୍ତି, ଯେଉଁଥିରେ ବିଜେଡ଼ିକୁ ନିଜର ସବୁ ଶକ୍ତି ଏଠାରେ ଖଟାଇବାକୁ ବାଧ୍ୟ କରିଛି।
ଭୋଟରଙ୍କ ମନୋଭାବରୁ ବିଲକୁଲ କହି ହେଉନାହିଁ ଯେ, ଏଠାରେ କାହା ସପକ୍ଷରେ ହାୱା ବୋହୁଛି। ବୈଜୟନ୍ତ ଭୋଟରଙ୍କ ପାଇଁ ବ୍ୟକ୍ତି ଭାବରେ ଚର୍ଚ୍ଚିତ, ହେଲେ ବିଜେପି କୁ ନେଇ ସେଠାରେ କୌଣସି ବିଶେଷ ଆଗ୍ରହ ନାଇଁ। ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରାପଡା ସଭା ପରଦିନ ଆମେ ପଚାରି ବୁଝୁଥିଲୁ ଯେ, କେନ୍ଦ୍ରାପଡା ନିଜର ରଙ୍ଗ ଗେରୁଆ କରିବାକୁ ଚାହେଁ କି? ଏହାର ସିଧାସଳଖ ଉତ୍ତର ହେଉଛି, ଏଠି ପ୍ରାର୍ଥୀ ଭଲଲୋକ, ହେଲେ ଦଳ ପସନ୍ଦ ନୁହେଁ। କେନ୍ଦ୍ରାପଡାର ଯେଉଁମାନେ ମୂଳ ବିଜେପି ଓ ସଂଘ ସଦସ୍ୟ ସେମାନେ ବୈଜୟନ୍ତଙ୍କ ପାଇଁ ଉଦାସୀନ ବା ନୀରବ। ବୈଜୟନ୍ତଙ୍କ ପ୍ରଚାର କିନ୍ତୁ ଭଲ ଜମୁଛି। ବୈଜୟନ୍ତଙ୍କ ସମର୍ଥକ ଓ ପ୍ରଶଂସକ ତାହେଲେ କିଏ? ବିଜେଡ଼ିର ଅଳ୍ପ କିଛି ଅସନ୍ତୁଷ୍ଟ ନେତା ଅଛନ୍ତି, ଯେଉଁ ମାନେ ତାଙ୍କର ସମର୍ଥକ। ତେବେ ସବୁଠୁ ବଡ ବୈଜୟନ୍ତ ସମର୍ଥକ ଏବେ ଏକ ଆଚମ୍ବିତ ଗୋଷ୍ଠୀରୁ ଆସିଛନ୍ତି। କଂଗ୍ରେସ ଦଳର ପ୍ରାୟ ନବେ ଭାଗ ସମର୍ଥକ ଏବେ ବୈଜୟନ୍ତଙ୍କ ପତାକା ଧରି ବୁଲୁଛନ୍ତି। ସାଲେପୁର କଂଗ୍ରେସ ବିଧାୟକ ତ ସହଜେ ବିଜେପିରେ ଅଛନ୍ତି, ହେଲେ ସେଠିକାର କଂଗ୍ରେସ ପ୍ରାର୍ଥୀ ମଧ୍ୟ ବୈଜୟନ୍ତଙ୍କୁ ଭିତିରି ସମର୍ଥନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଆଳି ବଜାରରେ ଆମକୁ ଜଣେ କଂଗ୍ରେସ କର୍ମୀ କହିଥିଲେ- ଆମ ପରିବାର ଦେବଶର୍ମାଙ୍କ ସମର୍ଥକ କିନ୍ତୁ ମୋ ଝିଅ ବୈଜୟନ୍ତଙ୍କ ଲାଗି ପ୍ରଚାର କରୁଛି। ଆମେ ବିଧାୟକଙ୍କୁ ହାତରେ ଓ ସାଂସଦଙ୍କୁ ଫୁଲରେ ଭୋଟ ଦେବୁ। ଗତ ଥର କଂଗ୍ରେସ ପାଖାପାଖି ଚାରି ଲକ୍ଷ ଭୋଟ ଏଠାରୁ ପାଇଥିଲା, ଏଥର ତାର ଅଧା ଭୋଟ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମିଳିବାର ସମ୍ଭାବନା ନାହିଁ। ଧରଣୀବାବୁଙ୍କ ପ୍ରଚାର ଏବେ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି। ଆଳି, ରାଜନଗର, କେନ୍ଦ୍ରାପଡା ଓ ସାଲେପୁରର ଏକ ବଡ କଂଗ୍ରେସ ଭୋଟ ଅଂଶ ବୈଜୟନ୍ତଙ୍କ ପାଖକୁ ଯିବ। ସାରା ଦେଶରେ କଂଗ୍ରେସ ଓ ବିଜେପି ଭିତରେ ଅହି ନକୁଳ ସମ୍ପର୍କ ରଖିଥିବା ବେଳେ, କେନ୍ଦ୍ରାପଡାରେ ଏମାନେ ଭାଇ ଭାଇ ହୋଇ ଲଢୁଛନ୍ତି। ଗତ ନିର୍ବାଚନରେ ଆଳି, ରାଜନଗର ତଥା ସାଲେପୁର ଆସନ କଂଗ୍ରେସ ହାତକୁ ଯାଇଥିଲା। ଏଥର କେବଳ ରାଜନଗର ଆସନରେ କଂଗ୍ରେସ ସ୍ଥିତି ସାମାନ୍ୟ ଭଲ ରହିଛି। ତେବେ ସବୁ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଭୋଟ ବୈଜୟନ୍ତଙ୍କ ପାଖକୁ ଯେମିତି ଆସେ, ସେମିତି ଏକ “ଡିଲ” ହୋଇଛି ବୋଲି ଅନେକ କଂଗ୍ରେସ ସମର୍ଥକ ଖୋଲାଖୋଲି ସ୍ଵୀକାର କରିଛନ୍ତି।
କେନ୍ଦ୍ରାପଡାରେ କଂଗ୍ରେସ, ବିଜେପି ଓ ଅସନ୍ତୁଷ୍ଟ ବିଜେଡି ମିଶି ଏକ ଶକ୍ତିଶାଳୀ ବିଜେଡି ବିରୋଧୀ ଭୋଟବ୍ୟାଙ୍କ ହୁଏତ ତିଆରି ହୋଇଥାଇପାରେ। ଏହା ବିଜେଡ଼ିର ଦୁର୍ଗ ପତନରେ ସାହାଯ୍ୟ କରିବ କି? ଲୋକଙ୍କ ମତରେ ଆଜି ମଧ୍ୟ ମହାକାଳପଡା, ଆଳି ଓ ମାହାଙ୍ଗାରେ ବିଜେଡ଼ିର ବିଧାୟକମାନେ ଜିତିବା ସ୍ଥିତିରେ ଅଛନ୍ତି। କେନ୍ଦ୍ରାପଡା ଓ ରାଜନଗରରେ କଂଗ୍ରେସ ଓ ବିଜେଡି ଭିତରେ କଡା ମୁକାବିଲା ରହିଛି। କେବଳ ପାଟକୁରାରେ ବିଜେପି ଆଗୁଆ ରହିଛି, ଯାହାର ମୁଖ୍ୟ କାରଣ ବିଜୟ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ। ପାଟକୁରା ଓ ସାଲେପୁର ବ୍ୟତୀତ ବାକି ସବୁ ଆସନରେ ବିଜେପି ତୃତୀୟ ସ୍ଥାନରେ ରହିଛି। ସେହି ଦୃଷ୍ଟିରୁ ପାଞ୍ଚଟି ରୁ ଅତିକମରେ ତିନୋଟି ବିଧାନସଭା ଆସନରେ କଂଗ୍ରେସ ଭୋଟ ସମୂଳେ ବୈଜୟନ୍ତଙ୍କ ଖାତାକୁ ଯାଇପାରିବ କି? ଯଦି ତାହା ସମ୍ଭବ ହୁଏ, ତାହେଲେ କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବାର ସମ୍ଭାବନା ସୃଷ୍ଟି ହେବ, ନଚେତ ଆଜି ମଧ୍ୟ ବିଜେଡି ଲାଗି କେନ୍ଦ୍ରାପଡା ବିଜୟର ବାର୍ତ୍ତା ଦେବ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର )
ସୀତାଙ୍କୁ ନେଇ କୁଶଓ୍ବାହାଙ୍କ ବିବାଦୀୟ ବୟାନ
ରାଷ୍ଟ୍ରୀୟ ଲୋକ ସମତା ପାର୍ଟୀ(ଆରଏଲଏସପି)ର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ବିଜେପିକୁ ଟାର୍ଗେଟ କରି ବିବାଦୀୟ ବୟାନ ଦେଇଛନ୍ତି। ବିହାରର ଦରଭଙ୍ଗା ଏକ ଜନସଭାକୁ ସମ୍ବୋଧିତ କରି ସେ ବିଜେପିକୁ ଆକ୍ରମଣ କରିଛନ୍ତି ଯାହା ପରେ ବିବାଦ ସୃଷ୍ଟି ହୋଇଛି। ବିଜେପିକୁ ଛଳନାକାରୀ ବୋଲି ଅଭିହିତ କରିବା ସହିତ ରାମଲୀଳାର ନକଲି ସୀତା ବୋଲି ସମ୍ବୋଧନ କରିଥିଲେ। କୁଶୱାହା କହିଛନ୍ତି ଯେ ବିଜେପି ରାମଲୀଲାର ସେହି ନକଲି ସୀତା ପରି, ଯିଏ ପରଦା ସମ୍ନାରେ ରହିଲେ ସମସ୍ତେ ନତ ମସ୍ତକ ହୁଅନ୍ତି ଏବଂ ପରଦା ପଛରେ ସିଗାରେଟ ପିଅନ୍ତି। କୁଶୱାହଙ୍କ ଏହି ବୟାନ ପରେ ବିବାଦ ସୃଷ୍ଟି ହୋଇଛି। ଧାର୍ମିକ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଧାର୍ମିକ ସଙ୍ଗଠନ। ମାଆ ସୀତାଙ୍କ ଏହା ଅପମାନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ବିଜେପି ବହୁମତରେ ସରକାର ଗଠନ କରିବ : ଅମର ସିଂ
ଭାରତୀୟ ଜନତା ପାର୍ଟି (ବିଜେପି) ଏକକ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଠନ କରିବ ବୋଲି ପୂର୍ବାନୁମାନ ଲଗାଇଛନ୍ତି ପୂର୍ବତନ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂ। ସମାଜବାଦୀ ପାର୍ଟିର ନେତୃତ୍ବ ଶୈଳୀକୁ ସମାଲୋଚନା କରିବା ସହିତ ମୁଲାୟମ ସିଂଙ୍କ ଦୋମୁହାଁ ନୀତିକୁ ମଧ୍ୟ ସମାଲୋଚନା କରିଥିଲେ। ବିଜେପି ବର୍ତ୍ତମାନ କେନ୍ଦ୍ରରେ ଏକାକୀ ସରକାର ଗଠନ କରିବ କାରଣ ଜାତୀୟତା ବାଦ ନିକଟରେ ଜାତିବାଦ ଦୁର୍ବଳ ହୋଇଯାଇଛି। ସାମ୍ବାଦିକ ମାନେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଣ ଫରକ ରହିବ ବୋଲି ପ୍ରଶ୍ନ କରିଥିଲେ। ୨୦୧୪ରେ ଦେଶରେ ମୋଦି ଲହର ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ୨୦୧୯ରେ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ତାଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେହିପରି ସମାଜବାଦୀ ପାର୍ଟି ତାଙ୍କୁ ଧୋକା ଦେଇଛି ବୋଲି ଅଭିଯୋଗ କରିଥିଲେ ଅମର ସିଂ।
ବିଜେପି ଗୋହତ୍ୟାରେ ସମ୍ପୃକ୍ତ : ବିଜୟ ସାମ୍ପଲା
ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ସାମ୍ପଲା ଦଳ ବିରୋଧରେ ଭୟଙ୍କର ଅଭିଯୋଗ ଆଣିଛନ୍ତି। ବିଜେପି ଗୋହତ୍ୟାରେ ସମ୍ପୃକ୍ତ ବୋଲି ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ଅଭିଯୋଗ କରିଛନ୍ତି ସାମ୍ପଲା। ହୋସିଆରପୁରରୁ ବିଜେପିର ସାଂସଦ ରହିଥିବା ସାମ୍ପଲାଙ୍କୁ ଦଳ ତରଫରୁ ଟିକଟ ନମିଳିବା ପରେ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସାମ୍ପଲା। ଏହି ଅଭିଯୋଗ ଆଣିବା ସହିତ ଟ୍ବିଟ୍ଟରରେ ନିଜ ନାମ ପୂର୍ବରୁ ଚୌକିଦାର ମଧ୍ୟ ହଟାଇଛନ୍ତି। ହୋସିଆରପୁରରୁ ଦଳ ଫଗଓ୍ବାରା ବିଧାୟକ ସୋମ ପ୍ରକାଶଙ୍କୁ ଟିକଟ ପ୍ରଦାନ କରିଥିଲା। ଏକାଧିକ ଟ୍ବିଟ୍ ଜରିଆରେ ସାମ୍ପଲା ଦଳକୁ ସମାଲୋଚନା କରିଥିଲେ। ସେହିପରି ଅନ୍ୟ ଏକ ଟ୍ବିଟ୍ରେ ଦଳୀୟ ମୁଖ୍ୟଙ୍କୁ ତାଙ୍କର ପ୍ରଦର୍ଶନ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। ଦଳିତ ନେତା ସାମ୍ପଲା କହିଥିଲେ, ମୋର କାର୍ଯ୍ୟକାଳ ସମୟରେ ଏକ ବିମାନ ବନ୍ଦର ନିର୍ମାଣ ହୋଇଛି, ଅନେକ ନୂତନ ଟ୍ରେନ୍ ସେବା ଏବଂ ରାସ୍ତା ମଧ୍ୟ ନିର୍ମାଣ ହୋଇଛି। ବିକାଶମୂଳକ କାର୍ଯ୍ୟ କରିବା କଣ ଭୁ୍ଲ୍ ବୋଲି ଅନ୍ୟ ଏକ ଟ୍ବିଟ୍ରେ କହିଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର କେନ୍ଦ୍ର ମନ୍ତ୍ରୀ ସାମ୍ପଲା। ସୋମ ପ୍ରକାଶଙ୍କ ସହିତ ବିଜେପି ସନ୍ନି ଦେଓଲଙ୍କୁ ଗୁରୁଦାସପୁର ଏବଂ କିରଣ ଖେରଙ୍କୁ ଚଣ୍ଡୀଗଡରୁ ପ୍ରାର୍ଥୀ କରିଛି।
କେଦାର ମିଶ୍ର
ତୃତୀୟ ପର୍ୟାୟ ନିର୍ବାଚନ ପୂର୍ବରୁ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ବଢି ଚାଲିଛି। ନିର୍ବାଚନ ତାରିଖର ୪୮ ଘଣ୍ଟା ଆଗରୁ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କ ଫାର୍ମ ହାଉସ ଉପରେ ନିର୍ବାଚନ କମିଶନଙ୍କ ଅନୁସନ୍ଧାନକାରୀ ଦଳ ଚଢାଉ କରିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିପାଇଁ ମହାରଥୀଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ପୋଲିସର ତ୍ଵରିତ କାର୍ୟାନୁଷ୍ଠାନ ନିହାତି ଜରୁରୀ ଥିଲା। କିନ୍ତୁ ଗତ କିଛିଦିନ ଭିତରେ ଅନ୍ୟାନ୍ୟ ହିଂସାକାଣ୍ଡ ଓ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ରହସ୍ୟମୟ ଭାବରେ ନୀରବ। ସମ୍ବଲପୁର ଓ ଲକ୍ଷ୍ମୀପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ କମିଶନଙ୍କ ଦାୟିତ୍ଵ ନିର୍ବାହ କରୁଥିବା ଅଧିକାରୀଙ୍କୁ ଅତ୍ୟନ୍ତ ଅପମାନଜନକ ଭାଷାରେ ଧମକ ଚମକ ଦେଇଥିଲେ। ସମ୍ବଲପୁର ଠାରେ ପୋଲିସ ଅଧିକାରୀଙ୍କୁ “ନବୀନ ପଟ୍ଟନାୟକଙ୍କ କୁକୁର” ବୋଲି କହି ଗାଳି ଗୁଲଜ କରିବା ସହିତ ଧର୍ମେନ୍ଦ୍ର କମିଶନର ଅଧିକାରୀମାନଙ୍କୁ ହେଲିକପ୍ଟର ଯାଞ୍ଚ କରିବାକୁ ଦେଇନଥିଲେ। ସେଥି ପାଇଁ ଧର୍ମେନ୍ଦ୍ରଙ୍କ ବିରୋଧରେ କମିଶନ କି କାର୍ୟାନୁଷ୍ଠାନ ନେଇଛନ୍ତି, ତାହା ଜଣ ସାଧାରଣ ନିହାତି ଜାଣିବା ଉଚିତ।
ଇତି ମଧ୍ୟରେ ଭୁବନେଶ୍ଵର ଲୋକସଭା କ୍ଷେତ୍ର ଓ ଭୁବନେଶ୍ଵର ମଧ୍ୟ ବିଧାନସଭା କ୍ଷେତ୍ର ରେ ବ୍ୟାପକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭୁବନେଶ୍ଵର ଓଡିଶାର ରାଜଧାନୀ ସହର ଓ ଏଠାରେ ସାଧାରଣତଃ ହିଂସାମୁକ୍ତ ନିର୍ବାଚନର ଏକ ପରମ୍ପରା ରହି ଆସିଛି। ପ୍ରଥମଥର ଲାଗି ଏଠାରେ ବ୍ୟାପକ ହିଂସାର ଆରୋପ ପ୍ରତ୍ୟାରୋପ ସବୁଠୁ ଦୁଃଖ ର ଘଟଣା। ଲୋକସଭା ପ୍ରାର୍ଥୀ ଭାବରେ ଅପରାଜିତ ଷଡଙ୍ଗୀ, ଅରୂପ ପଟ୍ଟନାୟକ ଓ ଜନାର୍ଦ୍ଦନ ପତିଙ୍କ ଅପରାଧିକ ପୃଷ୍ଠଭୂମି ନାହିଁ। ଅପରାଜିତା ସଦ୍ୟ ପ୍ରଶାସନିକ ସେବାରୁ ଆସିଥିବା ବେଳେ ଅରୂପ ମୁମ୍ବାଇ ମହାନଗରର ପୋଲିସ କମିଶନର ଥିଲେ। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜନାର୍ଦ୍ଦନ ପତି ମଧ୍ୟ ଜଣେ ଅତ୍ୟନ୍ତ ଭଦ୍ର ରାଜନେତା। ତା ସତ୍ତ୍ୱେ ଏହି ନିର୍ବାଚନ ମଣ୍ଡଳୀରେ ଏତେ ବ୍ୟାପକ ହିଂସାକାଣ୍ଡ ହେବାର କାରଣ କଣ?
ଗତ ପନ୍ଦର ଦିନ ଭିତରେ ଖୁର୍ଦ୍ଧାର ଜଣେ ବିଜେପି କର୍ମୀଙ୍କୁ ବିଧାୟକ ପ୍ରାର୍ଥୀଙ୍କ ଘର ପାଖରେ ହତ୍ୟା କରାଯାଇଥିବା ବେଳେ ଭୁବନେଶ୍ୱର ରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଅନେକ ଥର ବୋମାମାଡ ହୋଇଛି। ପରିଶେଷରେ ବିଜେଡି ପ୍ରାର୍ଥୀ ତଥା ମହାନଗର ନିଗମର ପ୍ରାକ୍ତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟି ସେ ଏବେ ଡାକ୍ତରଖାନାରେ ପଡିଛନ୍ତି। ହିଂସାକାଣ୍ଡରେ ଯିଏ ବି ସାମିଲ ଅଛି ସେମାନେ ଦଣ୍ଡିତ ହେବା ଉଚିତ। ଏ ପ୍ରସଙ୍ଗରେ ପୋଲିସ ନୀରବ ରହିଛି। ହେଲେ ଏହାକୁ କେନ୍ଦ୍ର କରି ବିଜେପିର ଓଡିଶା ଶାଖା ଗୋଟେ ଅଜବ ରାଜନୀତି ଆରମ୍ଭ କରିଛି। ଯେତେବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ ହେଉଛି ତାକୁ ନେଇ ଦଳ ପ୍ରଚୁର ଆକ୍ରମଣ କରୁଛି। ସବୁ କଥାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ବୟାନ ଦିଆ ଚାଲିଛି। ଏଠି କହି ରଖିବା ଉଚିତ ଯେ, ନିର୍ବାଚନ ସମୟରେ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନଥାଏ। ନିର୍ବାଚନ କମିଶନଙ୍କ ଅଧୀନରେ ଥିବା ପୋଲିସ ଓ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଏଜେଣ୍ଟ ବୋଲି କହିବାର ଅର୍ଥ ହେଉଛି, ନିର୍ବାଚନ କମିଶନ ହିଁ ସରକାରର ଏଜେଣ୍ଟ। ବିଜେପି ଏ କଥା ମାନୁଛି କି?
ନିର୍ବାଚନୀ ହିଂସାକୁ ନେଇ ବିଜେପିର ଯେଉଁ ରାଜନୈତିକ କାହାଣୀ, ତାହା ଆହୁରି ହାସ୍ୟାସ୍ପଦ। ଯେତେବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ ହେଉଛି ତାକୁ ନେଇ ଚୌକିଦାର ଅପରାଜିତା ଷଡଙ୍ଗୀ, ଚୌକିଦାର ବୈଜୟନ୍ତ ପଣ୍ଡା ଓ ଚୌକିଦାର ଧର୍ମେନ୍ଦ୍ର ପ୍ରଧାନ ମାନେ ହିଂସା ବିରୋଧରେ ପ୍ରବଚନ ଦେଉଛନ୍ତି। ହେଲେ ପ୍ରତିପକ୍ଷ ଉପରେ ଆକ୍ରମଣ ହେଲେ, ଏହା ଅଭିନୟ ଓ ନାଟକବାଜି ବୋଲି କୁହାଯାଉଛି। ଭୁବନେଶ୍ଵର ମଧ୍ୟ ର ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ମିଛ ଅଭିନୟ କରି ଡାକ୍ତରଖାନାରେ ପଡିଛନ୍ତି ବୋଲି ଏବେ ବିଜେପିର ମିଡିଆ ସେଲ ପ୍ରଚାର ଆରମ୍ଭ କରୁଛି। ସବୁଠୁ ମଜା କଥାହେଲା, ବିଜେପିର ମୁଖପାତ୍ର ଭାବେ କାମ କରୁଥିବା ଗୋଟେ ଟେଲିଭିଜନ ଚାନେଲ ମଧ୍ୟ ଏ କଥାକୁ ପ୍ରଚାର କରୁଛି। କେଉଁ ଆଧାରରେ ଜଣେ ପୀଡିତ ଓ ଆହତ ଲୋକକୁ ଅଭିନୟ କରୁଛି ବୋଲି କୁହାଯିବ, ତାହା ବୁଝା ପଡୁନାହିଁ! ଯଦି ଅନନ୍ତ ଜେନାଙ୍କ ଉପରେ ବୋମାମାଡ ଏକ ମିଛ, ତାହେଲେ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ଆତ୍ମ-ପ୍ରାୟୋଜିତ ହୋଇନଥିବ ବୋଲି କିଏ କହିବ? ରାଜନୀତିରେ ମାନବୀୟ ସଂବେଦନା ଯଦି ରହିବା ନାହିଁ, ତାହେଲେ ସବୁ ରାଜନୈତିକ ଦଳ ଅସୁର ଭଳି ବ୍ୟବହାର କରିବେ।
ରାଜନୀତିରେ ନିର୍ବାଚନୀ ହିଂସା ସବୁଠୁ ନିନ୍ଦନୀୟ କଥା। ହେଲେ ଆମ ଉପରେ ଆକ୍ରମଣ ନିନ୍ଦନୀୟ ଓ ଅନ୍ୟର ଯନ୍ତ୍ରଣା ଅଭିନୟ ବୋଲି ବିଜେପି ଯାହା ପ୍ରଚାର କରୁଛି, ତାହା ଅମାନବୀୟ।
(ମୋବାଇଲରେ ଫଟାଫଟ୍ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ SANKHIPTA ଆପ, ସ୍କ୍ରିନକୁ ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର)
ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ଭୂସ୍ବର୍ଗ କହିଛନ୍ତି ବିଜେପି ନେତା ତଥା ସିକନ୍ଦରାବାଦରୁ ବିଜେପି ସାଂସଦ ରହିଥିବା ବନ୍ଦାରୁ ଦତ୍ତାତ୍ରେୟ। ନିକଟରେ ଆଇଏସ୍ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ୪ ଯୁବକଙ୍କୁ ଗିରଫ କରାଯାଇଥିଲା। ସର୍ବଦା ଆଇଏସ୍ ଲିଙ୍କରେ ଦେଶର ଏକ ନମ୍ବର ସ୍ଥାନ ରହିବା ନେଇ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କରିଛନ୍ତି ଦତ୍ତାତ୍ରେୟ। ଦତ୍ତାତ୍ରେୟ କହିଛନ୍ତି, କେସିଆର ଅସଦ୍ଦୁଦ୍ଦିନ୍ ଓଓ୍ବେସୀଙ୍କ ସହିତ ଭିତିରି ବୁଝାମଣା କରିଛନ୍ତି, ଫଳରେ ପୋଲିସ୍ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି। ପୋଲିସ୍ର ନିଷ୍କ୍ରିୟତା ପାଇଁ ଦେଶର ଅଧିକ ଆଇଏସ୍ ଆତଙ୍କୀଙ୍କ ଲିଙ୍କ ହାଇଦ୍ରାବାଦରୁ ମିଳୁଛି। ପୋଲିସ୍କୁ ସଶକ୍ତ କରିବା ପାଇଁ ଅନ୍ୟ ଏକ ଆତଙ୍କ ନିରୋଧୀ ସେଲ୍ର ନିର୍ମାଣ ପାଇଁ କହିଛନ୍ତି ଏହି ସିକନ୍ଦରାବାଦ ସାଂସଦ। ନିକଟରେ ମୋଦି ମଧ୍ୟ କେସିଆରଙ୍କୁ ସମାଲୋଚନା କରି କହିଥିଲେ, କେସିଆର ହେଉଛନ୍ତି କାର୍ର ଡ୍ରାଇଭର୍ ମାତ୍ର କାର୍ର ଷ୍ଟିଅରିଂ ଓଓ୍ବେସୀଙ୍କ ହାତରେ ରହିଛି। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନ ପାଇଁ ଟିଆରଏସ୍ ଏବଂ ଏଆଇଏମ୍ଆଇଏମ୍ ଏକତ୍ର ୧୭ଟି ଆସନରେ ନିର୍ବାଚନ ଲଢିଛନ୍ତି।
ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୭ ତାରିଖରେ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗଦେବେ। ତାଙ୍କ ପୂର୍ବରୁ ୨୫ ତାରିଖରେ ରାଜନାଥ ସିଂହ ଆସିବେ। ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସିବେ। ସେ ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ସୂଚନା ରହିଛି। ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି। ଏହା ପୂର୍ବରୁ ଅମିତ ଶାହ ଢେଙ୍କାନାଳ ଓ କଟକରେ ପ୍ରଚାର କରି ଯାଇଥିଲେ। ସେହିପରି ରାଜନାଥ ସିଂହ ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ପ୍ରଚାର କରିଥିଲେ। ନୀତିନ ଗଡ଼କରୀ ମଧ୍ୟ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଥିଲେ। ସେହିପରି ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିଛନ୍ତି। ପ୍ରତ୍ୟେକ ଦିନ ବିଜେପିର ଷ୍ଟାର ପ୍ରଚାରକମାନେ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି।
ହାତ ଛାଡ଼ି ପଦ୍ମ ଧରିଲେ ଏସ୍.କ୍ରିଷ୍ଣା
କଂଗ୍ରେସର ବରିଷ୍ଠ ନେତା ତଥା କେରଳର କୋଲାମର ସାଂସଦ ଏସ.କ୍ରିଷ୍ଣା କୁମାର ଶନିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ବରିଷ୍ଠ ନେତା ଶାହନୱାଜ ହୁସେନ କ୍ରିଷ୍ଣା କୁମାରଙ୍କୁ ସ୍ୱାଗତ କରିଛନ୍ତି। କ୍ରିଷ୍ଣାଙ୍କ ଯୋଗଦାନ ଦକ୍ଷିଣ ଭାରତରେ ବିଜେପିକୁ ମଜବୁତ କରିବ ବୋଲି ବିଜେପି ନେତା କହିଛନ୍ତି। କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତର ଜନତା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିବା ସହିତ ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ବର୍ଷିଥିଲେ ଏସ୍,କ୍ରିଷ୍ଣା। ସୋନିଆ ଗାନ୍ଧୀଙ୍କ ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଉପରେ ଧାରଣ ନଥିବା ସେ କହିଛନ୍ତି। ଏସ୍.କ୍ରିଷ୍ଣା ୧୬ତମ ଲୋକସଭାରେ କେରଳରୁ ସାଂସଦ ହୋଇଥିଲେ। ଗତକାଲି କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚର୍ତୁବେଦୀ ଦଳୀୟ ନେତାଙ୍କ ଉପରେ ଅସନ୍ତୋଷ ପ୍ରକଟ କରି ଦଳରୁ ଇସ୍ତଫା ଦେଇ ଶିବସେନାରେ ସାମିଲ ହୋଇଥିଲେ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଆକ୍ରମଣ କରିଛନ୍ତି। ମୋଦିଙ୍କୁ ନିର୍ବାଚନ ହାରିବାର ଭୟ (ହାରାତଙ୍କ) ରହିଛି ବୋଲି କହିଛନ୍ତି ମମତା। ଏହା ସହିତ ଦେଶ ବଞ୍ଚାଇବାକୁ ବିଜେପିକୁ ଭୋଟ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି। ମୋଦିଙ୍କ ମନ୍ତବ୍ୟ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ବର୍ତ୍ତମାନ ଦିଦିଙ୍କ ନିଦ ହଜି ଯାଇଛିର ପ୍ରତିକ୍ରିୟାରେ ମମତା ଏହି ମନ୍ତବ୍ୟ ଦେଇଛନ୍ତି। ବିଜେପି ଲୋକଙ୍କ ମଧ୍ୟରେ ଜାତିଆଣ ଭାବ ସୃଷ୍ଟି କରି ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ମମତା। ନିର୍ବାଚନ ହାରିବାର ଭୟ ମୋଦିଙ୍କ ମୁହଁରେ ସ୍ପଷ୍ଟ ଜଣାପଡୁଛି। ବିଜେପି ଉତ୍ତର ପ୍ରଦେଶ, ରାଜସ୍ଥାନ, ନୂଆଦିଲ୍ଲୀ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଗୁଜରାତ ଏବଂ ଓଡିଶାରେ ପରାଜୟର ସାମ୍ନା କରିବାକୁ ଯାଉଛି ବୋଲି କହିଥିଲେ ମମତା। ବିକାଶ କରିନଥିବା ଉପରେ ବିଜେପିର ଆରୋପକୁ ନେଇ ମମତା କହିଥିଲେ ଏନେଇ ପଶ୍ଚିମବଙ୍ଗର ଜନତା ବିଚାର କରିବେ।
କେଦାର ମିଶ୍ର
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି ,ମୋଦିଜୀ ପଠାଇଛନ୍ତି।
ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଆମେ ଗଢି ତୋଳିବୁ।
ପୁରୀ ବ୍ରହ୍ମଗିରି ରାସ୍ତାରେ ଏମିତି ସ୍ଲୋଗାନ ଲେଖାଥିବା କିଛି ପୋଷ୍ଟର ଓ ବ୍ୟାନର ଲାଗିଛି। ଏ ପୋଷ୍ଟରର ନାୟକ ହେଉଛନ୍ତି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀମାନ ସଂବିତ ପାତ୍ର । ଯେବଠୁ ସଂବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବେ ବୋଲି ଘୋଷଣା ହେଲାଣି, ସେବଠୁ ସଂବିତ ପାତ୍ର ଆମ ସମସ୍ତଙ୍କ ଲାଗି ମନୋରଞ୍ଜନର ଏକ ମାଗଣା ପ୍ୟାକେଜ ଭାବରେ କାମ କରି ଚାଲିଛନ୍ତି। କେଉଁଠି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଧରି ନିର୍ବାଚନ ପ୍ରଚାର କଲେଣି ତ ଆଉ କେଉଁଠି ରାସ୍ତାରେ ଗଡିଲେଣି। ମୁଣ୍ଡିଆ ମାରି ମାରି ତାଙ୍କ କପାଳ ଏକ ପ୍ରକାର ଘୋରି ହୋଇଗଲାଣି। ପୁରୀ ସଦର ନିର୍ବାଚନ ମଣ୍ଡଳୀର ଜମାରସୁଆଁ ଗାଁରେ ଜଣେ ବୟସ୍କ ଭୋଟର ଆମକୁ କହିଥିଲେ, ସେ ଲୋକଟି (ସଂବିତ ପାତ୍ର) ବଡ ବିକଳ ହେଉଛନ୍ତି। ତେବେ ସମ୍ବିତଙ୍କ ଏ ପ୍ରକାର ନାଟକର ବହୁ ସମର୍ଥକ ମଧ୍ୟ ଅଛନ୍ତି। ଯେଉଁମାନେ ଜାତୀୟ ଟେଲିଭିଜନରେ ସମ୍ବିତଙ୍କ ବିତର୍କ ଦେଖିଛନ୍ତି, ସେମାନଙ୍କ ଲାଗି ସଂବିତ ଏକ ପ୍ରକାର ହିରୋ। ସମ୍ବିତଙ୍କ ପ୍ରଚାର କୌଶଳର ଏକ ମୁଖ୍ୟ ଉପାଦାନ ହେଉଛି ଧର୍ମ। ତାଙ୍କର ପ୍ରାୟ ବ୍ୟାନରରେ ଲେଖା ହୋଇଛି ଯେ “ପୁରୀ କୁ ଭାରତର ଆଧ୍ୟାତ୍ମିକ ରାଜଧାନୀ ଭାବରେ ଗଢି ତୋଳାଯିବ।“ ଏ ପ୍ରକାର ସ୍ଲୋଗାନ ଓ ପ୍ରତିଶୃତି ଦେଖିଲାପରେ ପ୍ରଥମ ପ୍ରଶ୍ନ ମନକୁ ଆସୁଛି- ଆଧ୍ୟାତ୍ମିକତା କଣ ଏକ ରାଜ୍ୟ ନା ଦେଶ ? ଆଧ୍ୟାତ୍ମିକତାର ଏକ ରାଜଧାନୀ ପୁଣି କଣ ? ପୁରୀ ଯଦି ଆଧ୍ୟାତ୍ମିକତା ର ରାଜଧାନୀ ହୁଏ ବାରାଣାସି ବା ଦ୍ଵାରକା କଣ ଆଧ୍ୟାତ୍ମିକତାର ଜିଲା ବା ତହସିଲ ହେବେ କି ?
ରାଜନୀତିରେ ସବୁ ଉଦ୍ଭଟତାକୁ ବାସ୍ତବ ବୋଲି ଉପସ୍ଥାପନ କରାଯାଇପାରେ। ସଂବିତ ପାତ୍ର ତାଙ୍କ ପ୍ରଚାରରେ ସେୟା କରିଚାଲିଛନ୍ତି। ତାଙ୍କ କଥାରେ ଆନ୍ତରିକତା କମ, ନାଟକୀୟତା ବେଶୀ। ପୁରୀ ଜିଲ୍ଲାର ଅନେକ ଗାଁ ଅଛି, ଯେଉଁଠି ପାତ୍ରଙ୍କୁ କେହି ଦେଖିନାହାନ୍ତି। କିନ୍ତୁ ପାତ୍ରଙ୍କ ପ୍ରଚାରତନ୍ତ୍ର ଏମିତି କହୁଛି, ଯେମିତି ସେ ପୁରୀର ଘରେ ଘରେ ପହଞ୍ଚି ସାରିଛନ୍ତି। ଓଡିଆରେ ଆମର ଗୋଟେ କଥା ଅଛି- କିଛି ବଡକୁହା ଅଛନ୍ତି, ଯେଉଁମାନେ କୁଆ ଉଡିଗଲେ, ଛୁଆ ଉଡିଗଲା ବୋଲି କହନ୍ତି। ସଂବିତ ସେ ପ୍ରକାର କଳାରେ ବେଶ ଧୁରନ୍ଧର। ପୁରୀ ଜିଲାର ରାଜନୀତିରେ ଭାରତୀୟ ଜନତା ପାର୍ଟିର ପ୍ରଭାବ ଆଜି ମଧ୍ୟ ସୀମିତ। ହେଲେ ପ୍ରଚାର ଓ ହୋ ହଲ୍ଲା ଜରିଆରେ ବିଜେପି ପୁରୀର ସହରୀ ମଧ୍ୟବିତ୍ତ ଓ ବିଜେଡ଼ିର ଅସନ୍ତୁଷ୍ଟଙ୍କ ପ୍ରିୟଭାଜନ ହେବା ଆରମ୍ଭ କରିଛି। ଇତି ମଧ୍ୟରେ ବ୍ରହ୍ମଗିରି ଓ ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ବିଜେପିର ଲୋକପ୍ରିୟତା କିଛିଟା ବଢିଛି। ବ୍ରହ୍ମଗିରିରେ ପୂର୍ବତନ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର ବିଜେପିରେ ଯୋଗ ଦେଇଥିବାରୁ ସ୍ଵାଭାବିକ ଭାବରେ କଂଗ୍ରେସ ଭୋଟ ଏବେ ବିଜେପି ହାତକୁ ଆସିଛି। ଲୁଲୁଙ୍କ ପ୍ରତି ରହିଥିବା ଭଲପାଇବାର ଲାଭ ବିଜେପିକୁ ଏଠାରେ ମିଳୁଛି। ଏଥିରେ ବିଜେପିର ପ୍ରଭାବ ବା ସଂବିତ ପାତ୍ରଙ୍କ ବ୍ୟକ୍ତିତ୍ବର ବିଶେଷ ଅବଦାନ ନାହିଁ।
ତେବେ ଆରମ୍ଭରୁ ଆମେ ଯେଉଁ ପ୍ରସଙ୍ଗ ଉଠାଇଥିଲୁ, ଏବେ ସେଇ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ। ନିର୍ବାଚନ କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ ନିର୍ବାଚନରେ କୌଣସି ଧାର୍ମିକ ପ୍ରସଙ୍ଗ ଓ ସଙ୍କେତର ବ୍ୟବହାର କାରାଯାଇପାରିବ ନାହିଁ। କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ସଂବିତ ନିଜ ପ୍ରଚାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଓ ନାମକୁ ବ୍ୟବହାର କରୁଛନ୍ତି। “ମହାପ୍ରଭୁ ଶ୍ରୀ ଜଗନ୍ନାଥ ଡାକିଛନ୍ତି, ମୋଦିଜୀ ପଠାଇଛନ୍ତି” ବୋଲି କହିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମର ରାଜନୈତିକ ବ୍ୟବହାର କରିବା। ଏ ପ୍ରସଙ୍ଗରେ ବହୁ ବିଳମ୍ବରେ ନିର୍ବାଚନ କମିଶନ କାର୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି। ଧାର୍ମିକତା ର ଅପପ୍ରୟୋଗ ସମ୍ବିତଙ୍କ ଲାଗି ନୂଆ ନୁହଁ। ଅନ୍ୟ ଧର୍ମ ପ୍ରତି ହିଂସ୍ର ଓ ଅସୂୟାମୂଳକ ଟିପ୍ପଣୀ ଦେବାର ଏକ କଳଙ୍କିତ ଇତିହାସ ତାଙ୍କ ନାମରେ ରହିଛି। ଭାରତୀୟ ଜନତା ପାର୍ଟିର ଜାତୀୟ ପ୍ରବକ୍ତା ଭାବରେ ଅନ୍ୟ ଧର୍ମକୁ ନିନ୍ଦିତ କରିବା ଓ ବିଶେଷ କରି ଇସଲାମ ବିରୋଧରେ ଘୃଣା ସୃଷ୍ଟି କଲାପରି ବହୁ ମନ୍ତବ୍ୟ ଶ୍ରୀ ପାତ୍ର ଦେଇଥାନ୍ତି। ବିରୋଧୀଙ୍କ ପ୍ରତି ଅତ୍ୟନ୍ତ ଅଭଦ୍ର ଶବ୍ଦ ପ୍ରୟୋଗ କରିବାରେ ମଧ୍ୟ ତାଙ୍କର ଦକ୍ଷତା ବେଶ ଜଣାଶୁଣା।
ସଂବିତ ନାଟକବାଜିରେ ବେଶ ପାରଙ୍ଗମ ହୋଇଥିବାବେଳେ ତାଙ୍କର ଦୁଇ ପ୍ରତିଯୋଗୀ ବିଜେଡ଼ିର ପିନାକୀ ମିଶ୍ର ଓ କଂଗ୍ରେସର ସତ୍ୟ ନାୟକ, ନିଜ ଉଚ୍ଚାରଣରେ ଅତ୍ୟନ୍ତ ମାର୍ଜିତ। ଏ ଦୁହିଙ୍କୁ ନାଟକ କରିବାର କଳା କୌଶଳ ଜଣାନାହିଁ। ଧର୍ମକୁ ନେଇ ପିନାକୀ ବା ସତ୍ୟ ସଂବିତ ପାତ୍ରଙ୍କ ସ୍ତରକୁ ଖସି ପାରିବେ ନାହିଁ। ତେବେ ଭୋଟ ରାଜନୀତିରେ ଧର୍ମ ଓ ଶ୍ରୀ ଜଗନ୍ନାଥଙ୍କୁ ଯିଏ ବି ଟାଣିଛି, ସେ ଓଡିଶାବାସୀଙ୍କର ପ୍ରତ୍ୟାଖ୍ୟାନ ସହିବାକୁ ବାଧ୍ୟ ହୋଇଛି। ସର୍ବ ଧର୍ମ ଓ ସବୁ ପନ୍ଥାର ମହା ସମନ୍ଵୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭୋଟ ମାଗିବାର ମାଧ୍ୟମ ବୋଲି ମନେ କରିବାର ଭୁଲ ଯୋଗୁଁ, ସଂବିତ ପାତ୍ର ଓ ତାଙ୍କର ବିଜେପିକୁ ଯଥେଷ୍ଟ ଅଧିକ ମୂଲ୍ୟ ଦେବାକୁ ପଡିପାରେ!!
( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )
ପ୍ରଚାର ମଇଦାନରେ ନବୀନ କେନ୍ଦ୍ର ଉପରେ ବରଷୁଥିବାବେଳେ ବାଙ୍କୀ – ବଡ଼ମ୍ବାରେ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ନବୀନ। ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ଡବଲ୍ ଇଞ୍ଜିନ୍କୁ ସମାଲୋଚନା କରିଛନ୍ତି। ନବୀନ କହିଛନ୍ତି, “ବିଜେପିର ବଡ ବଡ ନେତାମାନେ ପ୍ରଚାର ସମୟରେ ସବୁବେଳେ ଡବଲ ଇଞ୍ଜିନର କଥା କହୁଛନ୍ତି। ତେବେ ଓଡିଶାର ଇଞ୍ଜିନ କିଏ ବୋଲି ପ୍ରଶ୍ନ କରିବା ସହିତ ଓଡିଶା ବାଦ ବିଜେପି ଶାସିତ ରାଜ୍ୟରେ ଯେଉଁଠି ଡବଲ ଇଞ୍ଜିନ ଲାଗିଥିଲା, ସେଠାରେ ବିଜେପି କାହିଁକି ହାରିଲା” ବୋଲି କହିଛନ୍ତି ନବୀନ। ବିଜେପିର ଡବଲ୍ ଇଞ୍ଜିନରୁ ୫ଟି ଇଞ୍ଜିନ୍ ଲାଇନଚ୍ୟୁତ ହୋଇଛି, ଆଉ ଆସନ୍ତା ମେ ୨୩ ତାରିଖରେ ଦିଲ୍ଲୀର ମେନ ଇଞ୍ଜିନ୍ ମଧ୍ୟ ଲାଇନ୍ଚ୍ୟୁତ ହୋଇଯିବ ବୋଲି କଟାକ୍ଷ କରିଛନ୍ତି ନବୀନ। ନିର୍ବାଚନ ଆସିଲେ, କେନ୍ଦ୍ରରେ ଥିବା ବିଜେପି ନେତାମାନେ ଓଡିଶାକୁ ଆସୁଛନ୍ତି। ଗରିବଙ୍କ କଥା ଏବେ ମନେ ପଡୁଛି ବୋଲି ନବୀନ କହିଛନ୍ତି।
କେଦାର ମିଶ୍ର
କନ୍ଧମାଳ ଲୋକସଭା ଲାଗି ଅଚ୍ୟୁତ ସାମନ୍ତ ହିଁ ପ୍ରଥମ ଓ ଶେଷ ପସନ୍ଦ- ଏକଥା କହିଲା ବେଳେ ବାଲିଗୁଡାର ଜଣେ ପୁରୁଣା ବିଜେପି କର୍ମୀ ଏକ ପ୍ରକାର ଥମ ଥମ ହୋଇପଡିଥିଲେ। କନ୍ଧମାଳ, ଏକଦା ବିଜେପି ପାଇଁ ଥିଲା ସାମ୍ପ୍ରଦାୟିକତାର ପରୀକ୍ଷାଗାର। ଜାତି ଓ ପରିଚୟ ଆଧାରରେ ଆଦିବାସୀ ତଥା ଦଳିତଙ୍କ ମଧ୍ୟରେ ସାମାଜିକ ବିଭାଜନ ସୃଷ୍ଟି କରି ବିଜେପି ଏଠାରୁ ବେଶ ରାଜନୈତିକ ଫାଇଦା ଉଠାଇଥିଲା। ସଂଘ ପରିବାରର ପରୀକ୍ଷାଗାର ଭାବରେ କନ୍ଧମାଳ ବହୁ ଦଙ୍ଗା ଓ ରକ୍ତପାତ ଦେଖିଛି। ୨୦୦୭-୦୮ ର ଭୟଙ୍କର କନ୍ଧମାଳ ଦଙ୍ଗାର ହିଂସା, ରକ୍ତପାତ, ଜଳାପୋଡା ଓ ଧର୍ଷଣର କଳଙ୍କିତ ସ୍ମୃତି କୁ ପଛରେ ପକାଇ କନ୍ଧମାଳ ଗତ ଦଶକରେ ଗୋଟେ ନୂଆ ଇତିହାସ ରଚନା କରିଛି। ସାମ୍ପ୍ରଦାୟିକତାର ବିଷ ବଳୟରୁ ମୁକୁଳି କନ୍ଧମାଳ ସୌହାର୍ଦ୍ଦ୍ୟ ଓ ଶାନ୍ତିର ରାସ୍ତାରେ ଚାଲିଛି। ଅନ୍ତତଃ ୨୦୧୪ ନିର୍ବାଚନ ପରଠୁ କନ୍ଧମାଳରେ ବିଜେପିର ଅବକ୍ଷୟ ଆରମ୍ଭ ହୋଇଛି। ଗତ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ହେମେନ୍ଦ୍ର ନାରାୟଣ ସିଂ ୫୦.୨୮% ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସେଠାରୁ ମାତ୍ର ୧୨.୯୫% ଭୋଟ ପାଇଥିଲେ। ହେମେନ୍ଦ୍ରଙ୍କ ମୃତ୍ୟୁ ପରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ଵରୀ ୬୧.୫୪% ଭୋଟ ପାଇଥିଲେ। ଏହି ଉପ ନିର୍ବାଚନରେ ଯଦିଓ ବିଜେପି ପ୍ରାର୍ଥୀ ରୁଦ୍ରମାଧବ ରାୟଙ୍କ ଭୋଟ ପ୍ରତିଶତ ୧୦.୦୭% ବଢିଥିଲା, ସମାନୁପାତରେ ବିଜେଡ଼ିର ଭୋଟ ପ୍ରତିଶତ ମଧ୍ୟ ୧୧.୩୩% ବଢିଥିଲା।
କନ୍ଧମାଳ ଲୋକସଭା ଅନ୍ତର୍ଗତ ୭ ଟି ଯାକ ବିଧାନସଭା ଆସନ ଯଥା ଭଞ୍ଜନଗର, ଘୁମୁସର ଉଦୟଗିରି, ବାଲିଗୁଡା, ଫୁଲବାଣୀ, କଣ୍ଟାମାଳ, ବୌଦ ଓ ଦଶପଲ୍ଲା ବିଧାନସଭା ଭିତରୁ କେବଳ ଜି.ଉଦୟଗିରିକୁ ବାଦ ଦେଲେ ବାକି ସବୁଠି ବିଜେଡି ବିଧାୟକ ଜିତିଥିଲେ। କଂଗ୍ରେସ ବିଧାୟକ ଜାକବ ପ୍ରଧାନ ଗତଥର ଏକମାତ୍ର କଂଗ୍ରେସ ବିଧାୟକ ଭାବରେ ଏଠାରୁ ଜିତିଥିଲେ ମଧ୍ୟ କଂଗ୍ରେସ ଏଥର ତାଙ୍କୁ ଟିକଟ ଦେଇନାହିଁ। ଏଥର ନିର୍ବାଚନରେ କନ୍ଧମାଳର ସମୀକରଣ ବହୁ ବିଚିତ୍ର। ଉଭୟ ବିଜେପି ଓ ବିଜେଡି ଲୋକସଭା ପ୍ରାର୍ଥୀ କନ୍ଧମାଳ ବାହାର ଲୋକ ହୋଇଥିବା ବେଳେ ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟଙ୍କ ସେତେ ବେଶୀ ପ୍ରଭାବ ନାହିଁ। ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗଦାନ କରିଥିବା ପୂର୍ବତନ ବାଲେଶ୍ଵର ସାଂସଦ ଐର ଖାରବେଳ ସ୍ଵାଇଁଙ୍କୁ ବିଜେପି ଏଠାରେ ଥଇଥାନ କରିଛି। କନ୍ଧମାଳ ସହିତ ଦୂର ଦୂର ପର୍ୟନ୍ତ ଖାରବେଳଙ୍କର କୌଣସି ସମ୍ପର୍କ ନଥିବା ବେଳେ ସ୍ଥାନୀୟ ବିଜେପି ସଙ୍ଗଠନରେ ମଧ୍ୟ ତାଙ୍କୁ ନେଇ ସଙ୍କଟ ରହିଛି।
ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମନୋଜ ଆଚାର୍ୟ ରାଜନୀତିରେ ନବାଗତ ଓ ତାଙ୍କର ପ୍ରଭାବ କେବଳ ବାଲିଗୁଡା ଅଞ୍ଚଳରେ ସୀମିତ। ଏ ପ୍ରକାର ଶୂନ୍ୟସ୍ଥାନ ଭିତରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଜଗତସିଂପୁର ଜିଲ୍ଲାର ଲୋକ ହୋଇଥିଲେ ମଧ୍ୟ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଆଦିବାସୀ ଶିକ୍ଷାନୁଷ୍ଠାନ “କିସ’ ଜରିଆରେ ତାଙ୍କର ବିଶେଷ ପରିଚୟ ରହିଛି। କନ୍ଧମାଳର ପ୍ରାୟ ସବୁ ଗାଁ ରୁ କିଛି କିଛି ପିଲା “କିସ’ ରେ ପାଠ ପଢୁଛନ୍ତି ଓ ଏହା ହିଁ ଅଚ୍ୟୁତଙ୍କୁ କନ୍ଧମାଳରେ ଏକ ସହଜ ପରିଚିତି ଦେଇଛି। ବାକି ଦୁଇ ପ୍ରତିପକ୍ଷ ଦଳର ଲୋକ ଏଠାରେ ପ୍ରାୟ ଅପରିଚିତ ହୋଇଥିବାବେଳେ ଅଚ୍ୟୁତ ସାମନ୍ତଙ୍କର କନ୍ଧମାଳ ଜିଲ୍ଲାରେ ଖାସ ପରିଚୟ ରହିଛି। ଯାହା ବାଲିଗୁଡାର ସେ ବିଜେପି କର୍ମୀ କହୁଥିଲେ, କିଛି କଂଗ୍ରେସ କର୍ମୀଙ୍କ ମତ ମଧ୍ୟ ସେୟା। ଶ୍ରୀ ସାମନ୍ତ କନ୍ଧମାଳରେ ଏକ ପ୍ରକାର ସର୍ବଦଳୀୟ ପ୍ରାର୍ଥୀ ହୋଇପଡିଛନ୍ତି। ପ୍ରାଥମିକ ଭାବରେ ଶ୍ରୀ ସାମନ୍ତଙ୍କୁ ନେଇ ସ୍ଥାନୀୟ ବିଜେଡି ନେତାଙ୍କ ଭିତରେ ଯେଉଁ ହିଚକିଚ ଥିଲା, ତାହା ଏବେ ଆଉ ନାହିଁ। ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଶ୍ରୀ ସାମନ୍ତଙ୍କୁ ଏକପ୍ରକାର ବୋନସ ବୋଲି କୁହାଯାଇପାରେ।
ତେବେ ବିଜେଡି ଓ ଶ୍ରୀ ସାମନ୍ତଙ୍କ ଲାଗି ସବୁଠୁ ବଡ ଆହ୍ଵାନ ବୌଦ ଜିଲ୍ଲାରେ ରହିଛି। କଣ୍ଟାମାଳ ବିଧାୟକ ମହୀଧର ରଣା ଲୋକଙ୍କ ରୋଷର ଶିକାର ହେଉଥିବାବେଳେ ବୌଦ ବିଧାୟକ ତଥା ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ପ୍ରତି ଲୋକ ସମର୍ଥନ ଢେର କମିଛି। ଉଭୟ ଆସନରେ ବିଜେଡ଼ିର ଅସନ୍ତୁଷ୍ଟ ପ୍ରାର୍ଥୀ ପରିସ୍ଥିତି କୁ ଆହୁରି ଜଟିଳ କରିଛନ୍ତି। ଦଶପଲ୍ଲା ଆସନରେ ମଧ୍ୟ ବିଜେଡି ଅସନ୍ତୋଷର ସାମ୍ନା କରୁଛି। ଏହି ସବୁ ଆସନକୁ ଜିଣିବା ଏଥର ବିଜେଡି ଲାଗି ସବୁଠୁ କଷ୍ଟକର ହୋଇପଡିବ। କଣ୍ଟାମାଳ ଆସନ ବିଜେଡି ର ହାତଛଡା ହେବା ଏକପ୍ରକାର ସୁନିଶ୍ଚିତ ମନେ ହେଉଥିବାବେଳେ ପ୍ରଦୀପ ଅମାତଙ୍କୁ ବୌଦରେ ଜିଣିବା ଲାଗି ପ୍ରଚୁର ସଂଘର୍ଷ କରିବାକୁ ପଡିବ। ଏଠାରେ ସିପିଆଇ ର ପ୍ରାର୍ଥୀ ଅବକାଶ ସାହୁଙ୍କର ହରଭଙ୍ଗା ଅଞ୍ଚଳରେ ଯଥେଷ୍ଟ ଭଲ ସଂଗଠନ ରହିଛି। ସେ ବିଜେଡି ଭୋଟ ବିଭାଜିତ କରି ପାରନ୍ତି। ତେବେ ବିଧାନସଭା କ୍ଷେତ୍ରରେ ରହିଥିବା ସମସ୍ୟା ଓ ସଙ୍କଟର କୌଣସି ପ୍ରଭାବ ଅଚ୍ୟୁତ ସାମନ୍ତଙ୍କ ଉପରେ ପଡୁନାହିଁ। ବିଜେଡ଼ିର ଯେଉଁ ଅଳ୍ପ କେତେଜଣ ସାଂସଦ ପ୍ରାର୍ଥୀଙ୍କ ବିଜୟ ସବୁଠୁ ସହଜ ବୋଲି କୁହାଯାଇପାରେ, ସେଥିରେ ଅଚ୍ୟୁତ ସାମନ୍ତଙ୍କ ନାମ ଏକ ନମ୍ବରରେ ଆସିବ।
୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ୨୧ତମ ସୂଚୀ ଜାରି କରିଛି। ଏଥିରେ ଉତ୍ତରପ୍ରଦେଶର ୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଭୋଜପୁରୀ ଗାୟକ ତଥା ଅଭିନେତା ରବି କିଶନଙ୍କୁ ଗୋରଖପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବରୁ ରବି କିଶନଙ୍କୁ ଜୌନ୍ପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। ନିକଟରେ ବିଜେପିରେ ଯୋଗଦେଇଥିବା ପ୍ରବୀଣ ନିଷାଦଙ୍କୁ ସନ୍ତକବିର ନଗରରୁ ପ୍ରାର୍ଥୀ କରାଯାଇଛି। ବିଧାୟକଙ୍କୁ ଚପଲରେ ପିଟିବା ମାମଲାରେ ବିବାଦକୁ ଆସିଥିବା ସନ୍ତକବିର ନଗର ସାଂସଦ ଶରଦ ତ୍ରିପାଠୀଙ୍କ ଟିକେଟ୍ କାଟି ଦିଆଯାଇଛି। ସେହିପରି ଭଦୋହିର ବର୍ତ୍ତମାନର ସାଂସଦ ବୀରେନ୍ଦ୍ର ସିଂହଙ୍କ ସ୍ଥାନରେ ରମେଶ ବିନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରତାପଗଡ଼ରୁ ସଂଗମ ଲାଲ ଗୁପ୍ତା, ଅମ୍ବେଦନଗର ଲୋକସଭା ଆସନରୁ ମୁକୁଲ ଭାରତୀ ଓ ଦେଓରିଆ ଲୋକସଭା ଆସନରୁ ରମାପତି ରାମ ତ୍ରିପାଠୀ, ଜୌନପୁରରୁ କେପି ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ସବୁ ଲୋକସଭା ଆସନରେ ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।
କେଦାର ମିଶ୍ର
ଓଡିଶାରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ଯାୟ ନିର୍ବାଚନରେ ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ ଓ ସୁନ୍ଦରଗଡ ଲୋକସଭା ତଥା ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆସନ୍ତା ୧୮ ତାରିଖରେ ହେବ। ପ୍ରଥମ ପର୍ୟାୟ ନିର୍ବାଚନ ଶାସକ ବିଜେଡି ପାଇଁ ଏକପ୍ରକାର ଅଗ୍ନି ପରୀକ୍ଷା ଥିଲା। କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ବିଜେଡି କଡା ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି। ବିଧାନସଭା ପାଇଁ ବିଜେଡି ଭଲ ଫଳାଫଳ କରିଥିବାବେଳେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନରେ ବିଜେଡ଼ିକୁ ନାକେଦମ ହେବାକୁ ପଡିଛି। କୋରାପୁଟ ଆସନରେ ମଧ୍ୟ ବିଜେପିର ଅଭ୍ୟୁଦୟ ଅପ୍ରତ୍ୟାଶ୍ୟିତ ବୋଲି କୁହାଯାଇପାରେ। ତେବେ ଦ୍ଵିତୀୟ ପର୍ୟାୟରେ ଆସ୍କା ଓ କନ୍ଧମାଳ ଆସନ ବିଜେଡି ପାଇଁ ସବୁଠୁ ସହଜ ଆସନ ମନେ ହେଉଛି। ପାରମ୍ପରିକ ଭାବରେ ଆସ୍କା ବିଜୁ ଜନତା ଦଳର ଗଡ ରହି ଆସିଛି। ତେବେ ଏଥର ମିଶନ ଶକ୍ତିରୁ ପ୍ରମିଳା ବିଷୋୟୀଙ୍କୁ ପ୍ରାର୍ଥୀ କରିବାଟାକୁ ସାଧାରଣ ଭୋଟର ଉତ୍ସାହ ର ସହିତ ନେଇଥିବାବେଳେ ବିଜେଡି କର୍ମୀ ମହଲରେ ଏହାକୁ ନେଇ କିଛିଟା ଭିନ୍ନମତ ରହିଥିଲା।
ଆସ୍କାରେ ତ୍ରିମୁଖୀ ପ୍ରତିଯୋଗିତା ରହିଛି। କଂଗ୍ରେସ ସମର୍ଥନରେ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା, ବିଜେପି ପ୍ରାର୍ଥୀ ଅନୀତା ପ୍ରିୟଦର୍ଶିନୀ ଓ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କ ମଧ୍ୟରେ ତ୍ରିମୂଖୀ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଗତ ୬ ଟି ଯାକ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ଜିତି ଆସୁଛି। ୨୦୧୪ ରେ ଆସ୍କାର ୭ ଟି ଯାକ ଆସନ ଯଥା- ପୋଲସରା, ହିଂଜିଳି, ଆସ୍କା, କବିସୂର୍ୟ ନଗର, ଖଲ୍ଲିକୋଟ, ସୋରୋଡା ଓ ସାନ ଖେମଣ୍ଡିରେ ବିଜେଡି ବିଜୟ ଲାଭ କରିଥିଲା। ଆସ୍କା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ସ୍ଵର୍ଗତ ଲଡୁ କିଶୋର ସ୍ଵାଇଁ ୫,୪୧,୪୭୩ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥ ୨,୨୯,୪୭୬ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଥିଲା ୩ ଲକ୍ଷ ୧୧ ହଜାରରୁ ଅଧିକ। ଏହି ଆସନରେ ବିଜେପିକୁ ମାତ୍ର ୬୭,୩୬୧ ଖଣ୍ଡ ଭୋଟ ମିଳିଥିଲା। ତେବେ ଚଳିତ ନିର୍ବାଚନରେ ସମୀକରଣ ପୂରାପୂରି ଅଲଗା। ବହୁ ବର୍ଷ ପରେ ଏଠାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା ଏକ ପ୍ରମୁଖ ଦାବୀଦାର ଭାବରେ ଛିଡା ହୋଇଛନ୍ତି। ଏକଦା ଆସ୍କା କମ୍ୟୁନିଷ୍ଟ ପାର୍ଟିର ଅଭେଦ୍ୟ ଦୁର୍ଗ ଥିଲା। ତେବେ ବ୍ୟାପକ ସଂଗଠନ ସତ୍ତ୍ୱେ ଏହି ଆସନରୁ ମାତ୍ର ଥରେ ସିପିଆଇ ପ୍ରାର୍ଥୀ ଦ୍ଵିତିକୃଷ୍ଣ ପଣ୍ଡା ୧୯୭୧ ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ଏଥର ନିର୍ବାଚନରେ ହଠାତ ବିଜେପି ଆସ୍କା ଲୋକସଭା ଆସନରେ ଟିକେ ଅଧିକ ଶକ୍ତିଶାଳୀ ଲାଗୁଛି। ବିଜେଡ଼ିର ପୂର୍ବତନ ନେତା ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନୀତା ପ୍ରିୟଦର୍ଶିନୀ ଏଥର ବିଜେପି ଟିକଟରେ ଲଢୁଥିବାରୁ ତାଙ୍କ ପ୍ରତି ସହରୀ ମଧ୍ୟବିତ୍ତ ଭୋଟରଙ୍କ ଆଗ୍ରହ ବଢିଛି। ଯଦିଓ ଆସ୍କାରେ ବିଜେପିର ସଂଗଠନ ଅତ୍ୟନ୍ତ ଦୁର୍ବଳ, ତଥାପି ରାମକୃଷ୍ଣ ପଟ୍ଟନାୟକଙ୍କ ପ୍ରଭାବରୁ ଅନୀତା କିଛି ଅଧିକ ଭୋଟ ପାଇପାରନ୍ତି। ହିଂଜିଳି ର ଶେରଗଡ, ସାନ ଖେମଣ୍ଡି ବିଧାନସଭା କ୍ଷେତ୍ରରୁ କମ୍ୟୁନିଷ୍ଟ ପ୍ରାର୍ଥୀ ଅଧିକ ଭୋଟ ପାଇପାରନ୍ତି। ତେବେ ହିଂଜିଳି, କବିସୂର୍ୟ ନଗର, ସୋରୋଡା, ଖଲ୍ଲିକୋଟ ଇତ୍ୟାଦି କ୍ଷେତ୍ରରେ ବିଜେଡ଼ିର ପ୍ରଚଣ୍ଡ ପ୍ରଭାବ ରହିଛି। ଏଥର କବିସୂର୍ୟ ନଗର ଆସନରୁ ଭି.ସୁଜ୍ଞାନୀ କୁମାରୀ ଦେଓ ପ୍ରାର୍ଥୀ ହୋଇନଥିଲେ ମଧ୍ୟ ଉଭୟ ଖଲ୍ଲିକୋଟ ଓ କବିସୂର୍ୟ ନଗର ଆସନରେ ତାଙ୍କ ନାଁର ପ୍ରଭାବ ରହିଛି।
ସବୁଠୁ ବଡ କଥା ହେଉଛି ଆସ୍କା ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ। ପ୍ରଥମ ଥର ଲାଗି ନବୀନ ହିଂଜିଳି ଓ ବିଜେପୁରରୁ ନିର୍ବାଚନ ଲଢୁଥିଲେ ମଧ୍ୟ, ଆସ୍କାରେ ଆଜି ମଧ୍ୟ ନବୀନଙ୍କର ବିକଳ୍ପ କଥା ଲୋକେ ଚିନ୍ତା କରୁନାହାନ୍ତି। ଆସ୍କାର ଲୋକସଭା ପ୍ରାର୍ଥୀ ପ୍ରମିଳା ବିଷୋୟୀଙ୍କୁ ନେଇ ପ୍ରାଥମିକ ଭାବରେ ଯେଉଁ ପ୍ରଶ୍ନବାଚୀ ଉଠୁଥିଲା, ଏବେ ସେଟା ମିଳେଇଗଲାଣି। ନିଜର ଭାଷଣ ଓ କଥାବାର୍ତ୍ତାରେ ପ୍ରମିଳା ନିଜର ନେତୃତ୍ବର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। ତେବେ ବିଧାନସଭାରେ ଏଥର ବିଜେଡି ପାଇଁ ଆସ୍କା ଓ ସାନ ଖେମଣ୍ଡି ଆସନ ଜିଣିବା ସହଜ ହୋଇ ନପାରେ। ଆସ୍କା ବିଧାୟକ ଦେବରାଜ ମହାନ୍ତିଙ୍କ ପ୍ରତି ବିଜେଡି କର୍ମୀଙ୍କ ଅସନ୍ତୋଷ ରହିଥିବା ବେଳେ ଖେମଣ୍ଡି ରେ କଂଗ୍ରେସ ପ୍ରତି ଲୋକ ସମର୍ଥନ ବାରି ହୋଇ ପଡୁଛି। ବିଜେଡି ଆସ୍କାର ସାତୋଟି ଯାକ ଆସନ ଏଥର ଜିଣିବା ସମ୍ଭବ ହୋଇନପାରେ।
ଆସ୍କା ଆସନ ଜିଣିବା ବିଜେଡି ଲାଗି ସବୁଠୁ ସହଜ କଥା ହୁଏତ ହୋଇପାରେ। କିନ୍ତୁ ଏଠାରେ ବିଜେପିର ଅଭ୍ୟୁଦୟ ଉଭୟ ବିଜେଡି ଓ କମ୍ୟୁନିଷ୍ଟମାନଙ୍କୁ ଚିନ୍ତିତ କରିବା ଉଚିତ। ଏକଦା ପ୍ରଗତିବାଦୀ ଆଂଦୋଳନର ମୁଖ୍ୟ ଆଧାର ଥିବା ଆସ୍କାରେ ଗୈରିକ ସମ୍ଭାବନା ସୃଷ୍ଟି ହେବା, ନିହାତି ଆଶ୍ଚର୍ୟଜନକ।
ବହୁଜନ ସମାଜବାଦୀ ପାର୍ଟି (ବିଏସ୍ପି) ନେତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀ ଯୋଗୀ ଆଦିତ୍ୟନାଥଙ୍କ ‘ଅଲୀ-ବଜରଙ୍ଗବାଲୀ’ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ବିଜେପିକୁ ନାହିଁତ ଅଲୀଙ୍କ ଭୋଟ ମିଳିବ ନାହିଁ ବଜରଙ୍ଗବଲୀଙ୍କର ତେଣୁ ବିଜେପି ନେତା ସାବଧାନ ରହିବା ଉଚିତ୍। ମଙ୍ଗଳବାର ଦିନ ଆଦିତ୍ୟନାଥ କହିଥିଲେ ସପା- ବସ୍ପା ମେଣ୍ଟ ଅଲୀଙ୍କ ଉପରେ ନିର୍ଭରଶୀଳ ଯେତେବେଳେକି ବିଜେପି ବଜରଙ୍ଗବଲୀଙ୍କ ଉପରେ ଭରସା ରଖିଛି। ଗତବର୍ଷ ଯୋଗୀ ବଜରଙ୍ଗବଲୀଙ୍କୁ ବନବାସୀ ଏବଂ ଦଳିତ ବୋଲି କହିଥିଲେ ତେଣୁ ଦଳିତ ଭାବରେ ବଜରଙ୍ଗବଲୀ ସର୍ବଦା ବିଏସ୍ପି ସମର୍ଥନରେ ରହିବେ ବୋଲି କହିଛନ୍ତି ମାୟାବତୀ। ଦଳିତ ସମାଜ ଅନେକ ଦିନରୁ ଉଭୟ କଂଗ୍ରେସ ଏବଂ ବିଜେପିକୁ ପରିତ୍ୟାଗ କରି ସାରିଛି। ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବିଏସ୍ପି ମେଣ୍ଟକୁ ସମାଜର ସବୁ ବର୍ଗର ଲୋକ ସମର୍ଥନ କରିବେ ଏବଂ ଆଗାମୀ ସରକାର ସପା-ବସ୍ପା ମହାମେଣ୍ଟ ଗଠନ କରିବ ବୋଲି ମାୟାବତୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ନରେନ୍ଦ୍ର ମୋଦି ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭୀ। ନରେନ୍ଦ୍ର ମୋଦି ସରକାରକୁ ଶିଳ୍ପପତିଙ୍କ ସରକାର ବୋଲି କହିବା ସହିତ ଚଳିତ ସରକାରରେ ଶିଳ୍ପପତିଙ୍କୁ ସର୍ବାଧିକ ପରିମାଣର ଋଣ ଛାଡ କରାଯାଇଛି। ଚଳିତ ସରକାର ସମୟରେ ୫.୫ ଲକ୍ଷ କୋଟିର ଋଣ ଛାଡ କରାଯାଇଛି ବୋଲି ଅଭିଷେକ ମନୁ ସିଂଘଭୀ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ମୁଖପାତ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତ ୫ ବର୍ଷରେ ସମୁଦାୟ ୭ ଲକ୍ଷ କୋଟିର ଋଣ ଛାଡ ହୋଇଥିବା ବେଳେ କେବଳ ଶିଳ୍ପପତିଙ୍କୁ ୫.୫ ଲକ୍ଷ କୋଟିର ଋଣ ଛାଡ କରାଯାଇଛି। ବିଜେପି ପକ୍ଷରୁ କେଉଁ କେଉଁ ଶିଳ୍ପପତିଙ୍କୁ ଋଣ ଛାଡ କରିଛି ତାହାର ସୂଚନା ଜାରି କରିବା ଆବଶ୍ୟକ ବୋଲି ସିଂଘଭୀ କହିଛନ୍ତି। ସାଧାରଣ କରଦାତାଙ୍କ ଅର୍ଥକୁ ଏପରି ଭାବରେ ଅପବ୍ୟବହାର କରାଯିବା ଭୁଲ ବୋଲି ସିଂଘଭୀ କହିଛନ୍ତି।
କେଦାର ମିଶ୍ର
ନିର୍ବାଚନ ସମୟରେ ନୂଆ ନୂଆ ପଦ ଗଢିବାର ଅଭ୍ୟାସ ରାଜନୈତିକ ଦଳମାନଙ୍କର ରହିଛି। ତେବେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ସରକାର ଆସିବା ପରେ ଏମିତି ପଦ ଗଠନ, ଗୋଟେ ପ୍ରକାର ଫେସନରେ ପରିଣତ ହୋଇଛି। ଯେମିତି “ଅଛେ ଦିନ” । ଯେମିତି ପ୍ରତି ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା। ଯେମିତି ନୋଟବନ୍ଦୀରେ କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ। କିମ୍ବା ଗୁଜରାଟ ମଡେଲ। ଶୁଣିବା ଲାଗି ଏସବୁ ବହୁତ ଭଲ ଶବ୍ଦ। ହେଲେ ବାସ୍ତବ କ୍ଷେତ୍ରରେ ଏହାର କୌଣସି ଉପଯୋଗ ନାଇଁ। ଏବେ ଯେଉଁ ସବୁ ରାଜ୍ୟରେ ବିଜେପି ବା ବିଜେପି ସମର୍ଥିତ ସରକାର ନାହିଁ, ସେଠି ବିଜେପି କହୁଛି, ବିକାଶ ଲାଗି ଡବଲ ଇଞ୍ଜିନର ସରକାର ଦରକାର । ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର। ବିକାଶ ହେବାକୁ ହେଲେ ଏହା ଏକମାତ୍ର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେଇ ଚାଲିଛନ୍ତି। ଏ ପ୍ରକାର ଭାଷଣ ଦେଲାବେଳେ ନିଜର ଇତିହାସ ବୋଧେ ନରେନ୍ଦ୍ର ମୋଦୀଙ୍କର ମନେ ନାହିଁ ! ୨୦୧୪ ରେ ମୋଦୀ ଯେଉଁ ଗୁଜରାଟ ମଡେଲ ଦେଖାଇ ଭୋଟ ମାଗୁଥିଲେ ସେ ଗୁଜରାଟ ମଡ଼େଲର ସରକାର ଡବଲ ଇଞ୍ଜିନ ବାଲା ଥିଲା ନା ଗୋଟିଏ ଇଞ୍ଜିନରେ ଚାଲୁଥିଲା? କେନ୍ଦ୍ରର କଂଗ୍ରେସ ସରକାର ବିରୋଧରେ ନରେନ୍ଦ୍ର ମୋଦୀ ଯେଉଁ ଗୁଜରାଟ ମଡେଲ ତିଆରି କରିଥିଲେ ତାହା ଛଳନା ଥିଲା କି ?
ଆମର ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର ଯେ କୌଣସି ଦଳରୁ ଆସିଲେ ମଧ୍ୟ ସମ୍ବିଧାନର ନିୟମ ଅନୁଯାୟୀ ପରସ୍ପରକୁ ସହଯୋଗ କରିବାକୁ ସେମାନେ ବାଧ୍ୟ। ଯଦି କେହି କହୁଛି ଯେ ଦୁଇଟି ଯାକ ସରକାର ଗୋଟିଏ ଦଳର ହେଲେ ଯାଇ ବାସ୍ତବ ବିକାଶ ହେବ, ସେ ମିଛ କହୁଛି ନଚେତ ସମ୍ବିଧାନର ଅବମାନନା କରୁଛି। ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତି ଏ ଦୁଇଟାରୁ କୌଣସି ଗୋଟିଏ କରିବା ଆମ ଗଣତନ୍ତ୍ର ପାଇଁ ବିପଦ। ଓଡିଶା ଆସି ପ୍ରଧାନମନ୍ତ୍ରୀ ବାରମ୍ବାର ଡବଲ ଇଞ୍ଜିନର ସରକାର କଥା କହୁଛନ୍ତି। ତେବେ କଣ ସେ ଡବଲ ଇଞ୍ଜିନ ଓ ସେଥିରେ ଆମର ସଙ୍ଘୀୟ ଗଣତନ୍ତ୍ର ପ୍ରତି କି ବିପଦ ସୃଷ୍ଟି ହେବ, ତାକୁ ନେଇ ବ୍ୟାପକ ଚର୍ଚ୍ଚା ହେବା ଉଚିତ।
ତେବେ ଡବଲ ଇଞ୍ଜିନର ବିତର୍କରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ପ୍ରମୁଖ ପ୍ରସଙ୍ଗ ଯୋଡିଛନ୍ତି। ସରକାରର ଡବଲ ଇଞ୍ଜିନ କହିଲେ ଗୋଟିଏ ପଟେ ସରକାର ଓ ଅପର ପକ୍ଷରେ ସଶକ୍ତ ମହିଳା ସଂଗଠନ ବୋଲି ସେ କହିଛନ୍ତି। ଏହା ସହିତ ଗତକାଲି ଦଶପଲ୍ଲାଠାରେ ନିର୍ବାଚନୀ ସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ପଚାରିଛନ୍ତି ଯେ, ବିଜେପିର ଗୋଟେ ଇଞ୍ଜିନ ଆସି ଖାଲି ବଡ ବଡ କଥା କହୁଛନ୍ତି, ହେଲେ ତାଙ୍କର ଅନ୍ୟ ଇଞ୍ଜିନ ଟି କିଏ? ଏଠି ବିଜେପି ରାଜ୍ୟ ନେତୃତ୍ୱ ଉପରେ ନବୀନ ସିଧାସଳଖ ପ୍ରହାର କରିଛନ୍ତି। ଓଡିଶା ଇଞ୍ଜିନର ସଜ୍ଞା ଓ ସ୍ଵରୂପ ବିଷୟରେ ବିଜେପି ଲୋକଙ୍କୁ ଜବାବ ଦେଉ ବୋଲି ଗୋଟେ ଧାରଣା ଲୋକଙ୍କ ଭିତରେ ନବୀନ ବାବୁ ଛାଡି ଦେଇଛନ୍ତି। ଏବେ ବିଜେପି ଭିତରେ ମାଳ ମାଳ ଅସନ୍ତୁଷ୍ଟ ନେତାଙ୍କ ଭିଡ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ନିଜକୁ ଅଘୋଷିତ ନେତା ବୋଲି ଦେଖେଇ ହେଉଥିଲେ ମଧ୍ୟ ତାଙ୍କୁ ନେତା ବୋଲି ମାନିବାକୁ କେହି ପ୍ରସ୍ତୁତ ନୁହନ୍ତି। ଇତି ମଧ୍ୟରେ ବିଜେଡ଼ିର ଅନେକ ଘରଭଙ୍ଗା ନେତା ବିଜେପିରେ ପ୍ରବେଶ କରିଛନ୍ତି। ସେମାନେ ଏବେ ବିଜେପି ନେତୃତ୍ୱ ହାତେଇବାକୁ ହମ ହମ ହେଉଛନ୍ତି। ବିଜେପିରେ ଏବେ ବହୁତ ନେତା, ହେଲେ ନେତୃତ୍ୱ କେବଳ ହାୱା ହାତରେ ରହିଛି। ବିନା ସ୍ପଷ୍ଟ ନେତୃତ୍ବରେ ବିଜେପି ଏଠି ନିର୍ବାଚନ ଜିତିଯିବ ବୋଲି ଭାବୁଛି। ବିଜେପି ନେତା ଓ ସମର୍ଥକମାନେ ସ୍ଵୀକାର କରୁଛନ୍ତି ଯେ, ଓଡିଶାରେ ଜିତିବା ଭଳି ସଂଗଠନ ଓ ଶକ୍ତି ବିଜେପିର ନାହିଁ। କେବଳ ମୋଦୀ ହାୱା ମାଧ୍ୟମରେ ବିଜେପି କିଛି ଲୋକସଭା ଆସନ ପାଇଯିବ ବୋଲି ସେମାନେ ଭାବୁଛନ୍ତି।
ଏଠି କହିରଖିବା ଉଚିତ ହେବ ଯେ, ୨୦୧୪ ରେ ସାରା ଦେଶରେ ଯେଉଁ ମୋଦୀ ହାୱା ଥିଲା ତାହା ଏଥର ବିଲକୁଲ ନାହିଁ। ବରଂ ହିନ୍ଦୀ କ୍ଷେତ୍ରରେ ଏବେ ବିଜେପିର ବିପର୍ଯୟ ଆରମ୍ଭ ହୋଇଯାଇଛି। ସେଥିରେ ମୋଦୀ ହାୱା ଓଡିଶାରେ କାମ ଦେବ ବୋଲି ଭାବିବା ସତ୍ୟର ଅପଳାପ ହେବ। ଗତଥର ମଧ୍ୟ ବଲାଙ୍ଗୀର, ବାଲେଶ୍ଵର, କଳାହାଣ୍ଡି, ଭୁବନେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଆସନରେ ବିଜେପି ଜିତୁଛି ବୋଲି ପ୍ରବଳ ହାୱା ସୃଷ୍ଟି ହୋଇଥିଲା, ଯାହାକି ଫଳ ବାହାରିଲା ବେଳକୁ ଫୁସକି ଯାଇଥିଲା। ଏଥର ସେ ପ୍ରକାର ହାୱା ସତରେ କାମ ଦେଉଛି କି ନାଇଁ, ତାହା ଆସନ୍ତା ମଇ ୨୩ ତାରିଖରେ ଜଣା ପଡିବ। ନବୀନ ପଟ୍ଟନାୟକ ଏବେ ଡବଲ ଇଞ୍ଜିନ ବିତର୍କକୁ ଡେଇଁପଡି ବିଜେପିର ସବୁଠୁ ବଡ କ୍ଷତକୁ ଚାହାଲି ଦେଇଛନ୍ତି। ବିନା ଡବଲ ଇଞ୍ଜିନର ସରକାରରେ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡିକ ବିକାଶର ଉଚ୍ଚତା ରେ ପହଞ୍ଚିପାରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅଧସ୍ତନ ହେବା ଅପେକ୍ଷା ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଜ୍ୟ ସରକାର ରାଜ୍ୟର ବିକାଶରେ ବେଶୀ ସହାୟକ ହୋଇ ପାରିବେ। ତାମିଲନାଡୁ ଓ କେରଳରେ ଦୀର୍ଘ ବର୍ଷ ଧରି ଗୋଟିଏ ଇଞ୍ଜିନର ସରକାର ରହିଛି ଓ ସେ ସରକାର ଭଲ କାମ କରିଛି। ବରଂ ଏବେ ବିଜେପି ଶାସିତ ରାଜ୍ୟ ଗୁଡିକ ଅନେକାଂଶରେ ବିକାଶ ସୂଚକାଙ୍କରେ ପଛୁଆ ରହିଛନ୍ତି। ତେଣୁ ବିକାଶ ଲାଗି ଡବଲ ଇଞ୍ଜିନର ସରକାର କେବଳ ଏକ ଛଳନା।
ଲୋକେ ଠିକ ଜାଣନ୍ତି, କେଉଁ ଇଞ୍ଜିନ ଲଗାଇ ସେମାନେ ନିଜର ସରକାରକୁ ଚଳାଇବେ।
ସମୀକ୍ଷା ବ୍ୟୁରୋ
ନିର୍ବାଚନ ରଣାଙ୍ଗନରେ ଦିନେ ଦିନେ ଏପରି ଘଟଣା ଘଟୁଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ସେହିପରି ଏକ ଘଟଣା ଘଟିଛି ଦଶପଲ୍ଲାର ଗାନ୍ଧୀ ପଡିଆରେ ହୋଇଥିବା ନିର୍ବାଚନ ପ୍ରଚାରରେ। ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ପ୍ରଚାର ବେଳେ ବିଜେପିକୁ ଏକ ପ୍ରଶ୍ନ ପଚାରିଛନ୍ତି। ତାହା ହେଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ସେ କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାରେ ଡରୁଛି କାହିଁକି ? ଏପରି ପ୍ରଶ୍ନ କରିବା ପରେ ସ୍ବାଭାବିକ ଭାବେ ସେଠାରେ ଉପସ୍ଥିତ ଲୋକେ ମଜ୍ଜା ନେଇଥିଲେ ସତ। ହେଲେ ଏପରି ପ୍ରଶ୍ନ ବିଜେପିକୁ ଏକ ଅଡୁଆ ପରିସ୍ଥିତରେ ପକାଇ ଦେଇଛି। ସେତିକି ନୁହେଁ ଡବଲ ଇଂଜିନ କଥା ଉଠାଇ ମୁଖ୍ୟମନ୍ତ୍ରୀ ବିଜେପିକୁ ଚକ୍ରବୂହ ଭିତରେ ଠେଲି ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେପି ସବୁବେଳେ ଡବଲ ଇଂଜିନ କଥା କହି ରଡି କରୁଛି। ନିର୍ବାଚନ ହେଲେ ଦିଲ୍ଲୀରୁ ଇଂଜିନି ଆସୁଛି , ହେଲେ ନିର୍ବାଚନ ସରିଲେ ଦିଲ୍ଲୀ ଇଂଜିନର ଆଉ ଦେଖା ମିଳିବ ନାହିଁ। ଏହି ଦୁଇଟି କଥା ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି। କାରଣ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କେବଳ ନିଜର କାମ ଏବଂ କେନ୍ଦ୍ରୀୟ ଅବହେଳା କହି ଭୋଟ ଭିକ୍ଷା କରୁଥିଲେ। ହେଲେ କେବେ ରାଜ୍ୟ ବିଜେପିକୁ ଟ୍ୟାର୍ଗେଟ କରି ନ ଥିଲେ। ଏଥର ନବୀନ ରାଜ୍ୟ ବିଜେପିକୁ ଟାର୍ଗେଟ କରିବା ଏକ ନୂଆ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।
ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଚଟାପଟ ବିଜେପି ଦେଇଛି ସତ ହେଲେ ତାହା ବାଆଁରେଇବା ବ୍ୟତିତ ଆଉ କିଛି ନୁହେଁ। କାରଣ ଏହାର ଉତ୍ତର ବିଜେପି ପାଖରେ ନାହିଁ ବୋଲି ସମସ୍ତେ ଜାଣିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରରେ କହିଛନ୍ତି ଯେ, ଓଡିଶାର ୪ କୋଟି ଜନସଧାରଣ ହେଉଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ସ୍ବୟଂ ନାରାୟଣ ଯେଉଁଠି ନେତା ସେଠାରେ ନେତାର ଆବଶ୍ୟକ ନାହିଁ। ଧର୍ମେନ୍ଦ୍ରଙ୍କ ଏପରି ଉତ୍ତର କେବଳ ଉପର ଠରୁଆ ବୋଲି କୁହାଯିବ। କାରଣ ନବୀନଙ୍କ ସିଧା ପ୍ରଶ୍ନ ଥିଲା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତାହାର ନାମ କଣ। ବିଜେପି ଏହାର ସିଧା ଉତ୍ତର ନ ଦେଇ ଏପରି ବାଆଁରେଇବାକୁ ଲୋକେ କିପରି ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ। ଯଦି ସ୍ବୟଂ ନାରାୟଣ ତାଙ୍କର ନେତା ତେବେ ସେ କାହିଁକି ବୁଲି ବୁଲି ପ୍ରଚାର କରୁଛନ୍ତି। ଯଦି ସାଢେ ୪ କୋଟି ଲୋକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେବେ ସେ କାହିଁକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଲୋକଙ୍କ ପାଖକୁ ଯାଉଛନ୍ତି।
ପ୍ରକୃତରେ ଦେଖିବାକୁ ଗଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଦ୍ବନ୍ଦ ୨୦୧୪ ମସିହାରୁ ରହି ଆସିଛି। କାରଣ ୨୦୧୪ ମସିହା ନିର୍ବାଚନ ସମୟରେ ଅମିତ ସାହାଙ୍କୁ ଏହିପରି ପ୍ରଶ୍ନ ପଚରା ଯାଇଥିଲା। ସେତେବେଳେ ମଧ୍ୟ ଧର୍ମେନ୍ଦ୍ର କଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥି କି ବୋଲି ସାମ୍ବାଦିକ ପଚାରି ଥିଲେ। ହେଲେ ଅମିତ ସାହା ସେତେବେଳେ କାହାର ନାମ ନେଇ ନ ଥିଲେ। ଖାଲି ଏତିକି କହିଥିଲେେ ଯେ, ଦଳରେ ବହୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ପ୍ରକୃତରେ ୨୦୧୪ ନିର୍ବାଚନ ବେଳେ ବିଜେପିର ଦୁଇ ଜଣ ମୁଖ୍ୟମନ୍ତ୍ରୀ ଦାବୀଦାର ଥିଲେ। ସେ ଦୁହେଁ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ। ହେଲେ ବର୍ତ୍ତମାନ ସ୍ଥିତି ବଦଳିଯାଇଛି। କାରଣ ବିଜେପିରେ ବର୍ତ୍ତମାନ ଯେପରି ତୁଙ୍ଗ ନେତାମାନେ ଯୋଗ ଦେଇଛନ୍ତି, ସେଥିରେ ଏହି ସଂଖ୍ୟା ଆଉ ଦୁଇରେ ନାହିଁ। ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟେ ଦେଖିଲେ ଜଣାପଡେ ଯେ, ବିଜେପିରେ ବର୍ତ୍ତମାନ ପାଞ୍ଚ ଜଣ ମୁଖ୍ୟମନ୍ତ୍ରୀ ପାଇଁ ଦାବୀଦାର ଅଛନ୍ତି। ଧର୍ମେନ୍ଦ୍ର ଓ ଜୁଏଲଙ୍କୁ ଛାଡିଦେଲେ ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର ଏବଂ ଅପରାଜିତା ଷଡଙ୍ଗୀ ଏହି ତାଲିକାରେ ଯୋଡି ହୋଇଗଲେଣି। କାରଣ ଏହି ତିନି ନେତାଙ୍କ ଦବଦବା ଦିଲ୍ଲୀ ଦରବାରରେ ବେଶ୍ ରହିଛି। ଏହି ତିନି ଜଣ ପ୍ରଦେଶ ନେତାଙ୍କ ସୁପାରିଶରେ ବିଜେପିରେ ଯୋଗ ଦେଇ ନାହିଁନ୍ତି। ବୈଜୟନ୍ତ ଏବଂ ଅପରାଜିତା ସିଧା ଦିଲ୍ଲୀ ନେତାଙ୍କ ସହିତ କଥା ହୋଇ ଦଳରେ ମିଶିଛନ୍ତି। ସେହିପରି ବିଜୟ ମଧ୍ୟ ଅମିତ ସାହାଙ୍କ ସହ 3 ଥର ଫୋନରେ କଥା ହୋଇ ବିଜେପିକୁ ଫେରିଛନ୍ତି। ତେଣୁ ଏହି ତିନି ନେତା କେଉଁଠି ନା କେଉଁଠି ଦିଲ୍ଲୀ ଦରାବରର ଅଭୟ ଶକ୍ତି ପାଇଛନ୍ତି ବୋଲି କୁହାଯାଇପାରିବ।
ତେବେ ବର୍ତ୍ତମାନର ନିର୍ବାଚନ ଦୃଶ୍ୟପଟରେ ନବୀନଙ୍କ ଏହି ପ୍ରଶ୍ନ ଆଉ ବିଜେପିର ଉତ୍ତର ଏକ ରୋଚକ ମୋଡ ନେଇଛି।
ବିଜେପିରେ ସାମିଲ ହୋଇଛନ୍ତି କିରୋରି ସିଂହ ବୈଂଶଲ। ରାଜସ୍ଥାନରେ ଗୁଜ୍ଜର ସଂପ୍ରଦାୟଙ୍କ ସଂରକ୍ଷଣ ପାଇଁ ଆନ୍ଦୋଳନ କରୁଥିବା କିରୋରି ସିଂହ ବୈଂଶାଲ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କିରୋରି ସିଂହ ବୈଂଶଲ ଏବଂ ତାଙ୍କ ପୁଅ ବିଜୟ ବୈଂଶଲ ପଦ୍ମ ଧରିଛନ୍ତି। ଉଭୟଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରକାଶ ଜାଭଡେକର ଦଳକୁ ସ୍ୱାଗତ କରିଥିଲେ। ୨୦୦୯ରେ ସେ ଟୋଙ୍କ-ସାୱାଇ ମାଧୋପୁର ଆସନରୁ କଂଗ୍ରେସ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ତେବେ ନିର୍ବାଚନ ହାରିବା ପରେ ସେ ଦଳଠାରୁ ଦୂରେଇ ଯାଇଥିଲେ। ଗୁଜ୍ଜର ସଂପ୍ରଦାୟ ମଧ୍ୟରେ କିରୋରି ସିଂହ ବୈଂଶଲଙ୍କ ବେଶ ଦବଦବା ରହିଛି।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )
ପାକିସ୍ତାନ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ପରେ ଏହାକୁ ନେଇ ରାଜନୀତି ବେଶ୍ ଉଷ୍ମ। ବିଜେପିକୁ କଂଗ୍ରେସ ସମେତ ଆପ୍ ମଧ୍ୟ ଘେରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ଙ୍କ ଖାନ୍ ବୟାନ ପରେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଆମ୍ ଆଦ୍ମୀ ପାର୍ଟିର ପ୍ରମୁଖ ଅରବିନ୍ଦ କେଜ୍ରୀଓ୍ବାଲା ପାକିସ୍ତାନ କ’ଣ ପାଇଁ ନିର୍ବାଚନରେ ବିଜେପିର ବିଜୟ ଚାହୁଁଛି ବୋଲି ପିଏମ୍ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ପଚାରିବା ସହିତ ମୋଦି ଓ ପାକିସ୍ତାନ ସହ ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ମୋଦିଜୀ ଜିତିଲେ, ପାକିସ୍ତାନରେ ବାଣ ଫୁଟିବ ବୋଲି ଅରବିନ୍ଦ ଟୁଇଟ୍ କରିଛନ୍ତି। ଇମ୍ରାନ୍ ଖାନ୍ ଭାରତରେ ଆଉଥରେ ବିଜେପି ସତ୍ତାକୁ ଆସିଲେ ଭାରତ ଓ ପାକ ମଧ୍ୟରେ ଶାନ୍ତିର ବାତାବରଣରେ ଆହୁରି ଉନ୍ନତ ଘଟିବ ଏବଂ କଂଗ୍ରେସ ଜିତିଲେ, କାଶ୍ମୀର ସମସ୍ୟାକୁ ନେଇ ଭାରତ- ପାକ ମଧ୍ୟରେ ଅସ୍ଥିରତା ଦେଖାଦେବ ବୋଲି କହିଥିଲେ। ଇମ୍ରାନ୍ଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ବାଲା ମଧ୍ୟ ବିଜେପିକୁ ସିଧା ନିଶାନା କରିଥିଲେ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )