Categories
ବିଶେଷ ଖବର

ଓଡିଶାରେ ବିଜେପି ଓ କଂଗ୍ରେସର ମୁଖ୍ୟ ପ୍ରତିଦ୍ଵନ୍ଦୀ ହେଉଛନ୍ତି କେହି ଜଣେ ସରୋଜ ସାହୁ, ସେ କିଏ କି ?

କେଦାର ମିଶ୍ର

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଗତ ମାସେ ଭିତରେ ତାଙ୍କର ପ୍ରତ୍ୟେକ ବକ୍ତବ୍ୟରେ ଗୋଟିଏ ନାଁ କହୁଛନ୍ତି- ସରୋଜ ସାହୁ ।

ବିଜେପିର ସାମ୍ବାଦିକ ସମ୍ମିଳନୀ ଓ ବିଜେପି ପ୍ରବକ୍ତାମାନଙ୍କ ଟେଲିଭିଜନ ଆଲୋଚନାରେ ସେଇ ନାଁଟି ବାରମ୍ବାର ଆସୁଛି- ସରୋଜ ସାହୁ।

ଏପରିକି କଂଗ୍ରେସରେ ନୂଆ କରି ଯୋଗଦେଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ମଧ୍ୟ ସେ ନାଁ କହିଲେ- ସରୋଜ ସାହୁ।

ଲାଗୁଛି, ସତେ ଯେମିତି ୨୦୧୯ ସାଧାରଣ ନିର୍ବାଚନରେ ସରୋଜ ସାହୁ ବନାମ ବିଜେପି ଓ କଂଗ୍ରେସର ପ୍ରତିଦ୍ଵନ୍ଦୀତା ହେବାକୁ ଯାଉଛି। ତେବେ ତିନିମାସ ଆଗରୁ ସ୍ଥିତି ଟିକେ ଅଲଗା ଥିଲା। ସବୁ ଟିଭି ଚାନେଲ ଓ ସବୁ ବିରୋଧୀ ରାଜନେତା ଆଉ ଗୋଟେ ନାଁ ନେଉଥିଲେ- ପାଣ୍ଡିଆନ। ଏବେ ହଠାତ ପାଣ୍ଡିଆନ ବାବୁଙ୍କ ନାଁର ଚର୍ଚ୍ଚା ଟିକେ କମିଯାଇଛି। ଏବେ ବିଜେଡ଼ିର ସର୍ବଶକ୍ତିମାନ ଓ ସର୍ବ ବିଦ୍ୟମାନ ନେତା ହେଉଛନ୍ତି ସରୋଜ ସାହୁ। କେନ୍ଦ୍ର ମନ୍ତ୍ରୀଙ୍କଠୁ ଆରମ୍ଭ କରି ବଡ ବଡ ପ୍ରବକ୍ତା ତାଙ୍କ ବିରୋଧରେ ଯେତେବେଳେ କହୁଛନ୍ତି, ସେ ନିଶ୍ଚୟ ଜଣେ ବଡ ନେତା ହୋଇଥିବେ ନିଶ୍ଚୟ!!

ତେବେ ବିଜୁ ଜନତା ଦଳ ଭିତରେ ସରୋଜ ସାହୁଙ୍କ ସ୍ଥିତି କଣ, ସେକଥା  କାହାକୁ ଜଣାନାହିଁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବାସିକ ଦପ୍ତରର ଜଣେ କର୍ମଚାରୀ। ବଡ ଅଧିକାରୀ ମଧ୍ୟ ନୁହନ୍ତି। ତଥାପି ତାଙ୍କ ବିରୋଧରେ ଏତେ ବଡ ବଡ ନେତା କହିବାର କାରଣ କଣ? ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିବାକୁ ଯାଇ ବିରୋଧୀ ଦଳ ଗୁଡିକ ତାଙ୍କ କର୍ମଚାରୀଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବାର କାରଣ କଣ ହୋଇପାରେ? ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟରେ ଅନେକ କର୍ମଚାରୀ ଅଛନ୍ତି। ସେମାନେ ସମସ୍ତେ କଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି?

ତେବେ ଜଦି ବା କିଛି କ୍ଷଣ ପାଇଁ ମାନିନେବା ଯେ ସରୋଜ ସାହୁ ନବୀନ ନିବାସର କର୍ମଚାରୀ ହୋଇଥିବାରୁ, ସେ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ହୋଇଥାଇ ପାରନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ତଥାକଥିତ ପାଖଲୋକ ସରୋଜ ସାହୁଙ୍କର ଅପରାଧ କଣ?  ତାଙ୍କ ବିଷୟରେ ଜାଣିବାକୁ କେନ୍ଦ୍ରମନ୍ତ୍ରୀ ସ୍ତରରେ ଏତେ ଉତ୍ସୁକତା କାହିଁକି? ଏପ୍ରକାର ଉତ୍ସୁକତାର କାରଣ ହେଉଛି, ୨୨, ନଭେମ୍ବର,୨୦୧୪, ଅର୍ଥାତ ଆଜକୁ ପ୍ରାୟ ସାଢେ ଚାରି ବର୍ଷ ତଳେ ସରୋଜ ସାହୁଙ୍କୁ ସିବିଆଇର ଭୁବନେଶ୍ୱର କାର୍ୟାଳୟକୁ ଡାକି ଚିଟଫଣ୍ଡ ମାମଲାରେ ପଚରାଉଚୁରା କରାଯାଇଥିଲା। ସେତେବେଳେ ଏହି ସମ୍ବାଦ ବେଶ ହଇଚଇ ସୃଷ୍ଟି କରିଥିଲା ଓ ସିବିଆଇ ନବୀନ ନିବାସର ଦୁଆରରେ ପହଞ୍ଚି ଯାଇଛି ବୋଲି ସେତେବେଳେ କୁହାଗଲା। ସରୋଜ ସାହୁଙ୍କୁ ସି-ଶୋର ଚିଟ ଫଣ୍ଡ ମାମଲା ରେ ପ୍ରାୟ ଦେଢ ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା। ବାସ, କଥାଟି ସେତିକି ମାତ୍ର। ସରୋଜ ସାହୁ ସେଇ ନଭେମ୍ବର ୨୨, ୨୦୧୪ ରେ ସିବିଆଇ ଆଗରେ ଯାହା କହିଥିଲେ, ତା ପରଠୁ ସେ ବିଷୟରେ ଅଧିକ କିଛି କାର୍ୟାନୁଷ୍ଠାନ ହୋଇନାହିଁ।

ତେବେ ହଠାତ ଆଜି ସିବିଆଇ ଓ ସରୋଜ ସାହୁଙ୍କ କଥା ଉଠିବାର ମାନେ କଣ? ଯଦି  ସରୋଜ ସାହୁ ଚିଟ ଫଣ୍ଡ ମାମଲାରେ ସଂପୃକ୍ତ ଥିଲେ, ତାଙ୍କୁ ତ ଗିରଫ କରିବା କଥା। କାଇଁ, ସାଢେ ଚାରି ବର୍ଷ ଭିତରେ ସେକଥା ତ ହେଲାନାହିଁ। ଜଣେ ବ୍ୟକ୍ତିଙ୍କୁ ସିବିଆଇ ଜେରା କରିଦେଲେ ସେ କଣ ଅପରାଧୀ ହୋଇଯାଏ କି? ସିବିଆଇ ୨୦୧୪/୧୫ ରେ ବହୁ ନେତା, ଅଭିନେତା, ସାମ୍ବାଦିକ,ବ୍ୟବସାୟୀ, ପୋଲିସ ଅଧିକାରୀ, ପ୍ରଶାସକ ପ୍ରମୁଖଙ୍କୁ ଡାକି ପଚରା ଉଚୁରା କରିଥିଲା। ଯେଉଁମାନେ ସିବିଆଇ ଅଫିସ ଗଲେ ସେମାନେ ସମସ୍ତେ ଅପରାଧି କି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାଙ୍କ କଥାରୁ ତ ସେୟା ମନେ ହେଉଛି। ଗୋଟେ ସମୟରେ ସିବିଆଇ ଅଧିକାରୀମାନେ ଆଜିର ପ୍ରଧାନମନ୍ତ୍ରୀ ତଥା ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତଦନ୍ତ କରୁଥିଲେ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ତଦନ୍ତକାରୀ ଦଳ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ସଂପୃକ୍ତି ବିଷୟରେ ତଦନ୍ତ କରିଥିଲେ। ସେଇ ଦୃଷ୍ଟିରୁ ମୋଦୀଙ୍କୁ ଆମେ ଅପରାଧୀ ବୋଲି କହିପାରିବା କି? ବିଜେପିର ଜାତୀୟ ସଭାପତି ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ, ତେଣୁ ତାଙ୍କୁ ଅପରାଧୀ ବୋଲି କହିବା ଠିକ ହେବ କି?

ସରୋଜ ସାହୁଙ୍କୁ ସାଢେ ଚାରି ବର୍ଷ ତଳେ ପଚରା ଉଚୁରା ପାଇଁ ଡକା ଯିବା ଯଦି ରାଜନୈତିକ ପ୍ରସଙ୍ଗ ହୁଏ, ତାହେଲେ ସରୋଜ ସାହୁ ଜଣେ ବଡ ରାଜନୈତିକ ହେଭିୱେଟ ହୋଇଯିବା କଥା। ତାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ବାରମ୍ବାର କହୁଥିବାରୁ, ସେ ବୋଧେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢିବାକୁ ସବୁଠୁ ଯୋଗ୍ୟ ପ୍ରାର୍ଥୀ!!

ସମୁଦାୟ ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ଦିଶୁଛି ଯେ, ଚେସ ଖେଳରେ ରାଜାକୁ ବାନ୍ଧିବାକୁ ଯାଇ ପିଆଦାକୁ ବ୍ୟବହାର କରିବାର ପୁରୁଣା ଖେଳ ବିରୋଧୀ ଖେଳୁଛନ୍ତି।  ହେଲେ ପିଆଦାକୁ ବ୍ୟବହାର କରିବାକୁ ଯାଇ କେତେବେଳେ ସେମାନେ ଯେ ତାକୁ ଇ ରାଜା ବୋଲି ଭାବି ତା ପଛରେ ଗୋଡାଇ ବାଜି ହାରି ସାରିଲେଣି, ସେକଥା ତାଙ୍କର ଆଉ ମନେ ନାହିଁ। ଏଠି ନବୀନ ବାବୁଙ୍କ ବିରୋଧରେ ଲଢିବାକୁ ଅଣ୍ଟା ଭିଡିଥିବା ବିରୋଧୀ ତାଙ୍କ କାର୍ୟାଳୟର ଛୋଟ ଛୋଟ ଅଧିକାରୀଙ୍କ ପଛରେ ହାସ୍ୟାସ୍ପଦ ଭାବରେ ଗୋଡାଗୋଡି ହେଉଛନ୍ତି। ସେଥିରେ ଅସଲ ଲୋକ ନବୀନଙ୍କୁ ମଜା ଦେଖିବାର ଓ ମଝିରେ ମଝିରେ ବିଦ୍ରୁପମିଶା ହସ ହସିବାର ଚମତ୍କାର ସୁଯୋଗ, ବିରୋଧୀ ହିଁ ସୃଷ୍ଟି କରିଛନ୍ତି!!

 

Categories
ବିଶେଷ ଖବର

ଶେଷରେ ଅପରାଜିତାଙ୍କ ହୋର୍ଡିଙ୍ଗରେ ଧର୍ମେନ୍ଦ୍ରଙ୍କ ଭୂମିକା, ଲାଇଫ ସାଇଜ ଫଟୋ ରୁ ପାସପୋର୍ଟ କୁ ଖସି ଆସିଲା!!

ରିପୋର୍ଟ-ସମୀକ୍ଷା ବ୍ୟୁରୋ , ଫଟୋ-ସଂଜୀବ ମୁଖାର୍ଜୀ

ବିଜେପି ଫୋକସରେ ଓଡ଼ିଶା, ଏ ଖବର ଆମେ ବାରମ୍ବାର ପଢୁଛୁ ଓ ଶୁଣୁଛୁ। ମାସେ ଭିତରେ ପ୍ରଧାନମନ୍ତ୍ରୀ ତିନି ଥର ରାଜ୍ୟ ଗସ୍ତ କରୁଥିବା ହେତୁ ଏ ଖବରର ଗୁରୁତ୍ୱ ମଧ୍ୟ ରହିଛି। ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିଜେପି ର ପରାଜୟ ଏହାକୁ ଅଧିକ ପୂର୍ବାଭିମୁଖୀ କରିଛି, ତାହା ମଧ୍ୟ ସତ। ହିନ୍ଦୀ ଅଞ୍ଚଳର କ୍ଷତି କୁ ପୂର୍ବ ଭାରତରେ ଭରଣା କରିବାର ଲକ୍ଷ୍ୟ ନେଇ ପଶ୍ଚିମ ବଙ୍ଗ ଓ ଓଡ଼ିଶା ଉପରେ ବିଜେପି ନଜର ରଖିଛି। ହେଲେ ଏ ଦୁଇ ରାଜ୍ୟର ଶାସନ ସମ୍ଭାଳିଥିବା ତୃଣମୂଳ କଂଗ୍ରେସ ଓ ବିଜୁ ଜନତା ଦଳ ସହ ଲଢ଼େଇ ବିଜେପି ଲାଗି ସହଜ ହେଉନାହିଁ। ତ୍ରିପୁରା, ଆସାମ ଓ ଅନ୍ୟାନ୍ୟ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ବିଜେପି ଯେଉଁ ରଣନୀତି ରଖି ସଫଳ ହୋଇ ଥିଲା, ସେ ରଣନୀତି ଓଡ଼ିଶାରେ କାମ କରୁନାହିଁ। ଓଡ଼ିଶାର ରାଜନୀତିରେ ଆଜି ମଧ୍ୟ ଉଗ୍ର ସାମ୍ପ୍ରଦାୟିକତା ଗ୍ରହଣୀୟ ନୁହେଁ। ୨୦୦୭-୦୮ କନ୍ଧମାଳ ଦଙ୍ଗା ରେ ବିଜେପି ଓ ସଙ୍ଘ ପରିବାରର ସଂପୃକ୍ତି କୁ ଓଡିଶାର ଜନସାଧାରଣ ଗ୍ରହଣ କରିପାରିନଥିଲେ ଓ ସେହିଦିନଠୁ ବିଜେପି ନିଜ ସ୍ଥିତି ଓଡିଶାରେ ସୁଧାରି ପାରିନାହିଁ।

ଯେତେ ପ୍ରକାର କୌଶଳ ଓ ରଣନୀତି ଆପଣାର କଲେ ମଧ୍ୟ ଓଡିଶାରେ ତାହା କାଟୁ ନକରିବା କାରଣରୁ ବିଜେପିର ରାଜ୍ୟ ୟୁନିଟରେ ଏହାକୁ ନେଇ ହତାଶା ମଧ୍ୟ ଅଛି। ରାଜ୍ୟ ନେତୃତ୍ୱ କିଏ ନେବା ତାକୁ ନେଇ କେନ୍ଦ୍ରୀୟ ନେତୃତ୍ୱ କିଛି ସ୍ପଷ୍ଟ ନିର୍ଦ୍ଦେଶ ଦେଉନଥିବା ବେଳେ ରାଜ୍ୟ ଭିତରେ ଏହାକୁ ନେଇ ଏବେ ନୂଆ ନୂଆ ସମୀକରଣ ଦେଖିବାକୁ ମିଳୁଛି। ମାତ୍ର ଅଳ୍ପ ଦିନ ତଳେ ସରକାରୀ ଚାକିରି ଛାଡି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ଏବେ ବିଜେପି ରାଜ୍ୟ ନେତା ଭାବରେ ନିଜକୁ ସବୁଠୁ ବଡ ବୋଲି ଉପସ୍ଥାପନା କରି ଚାଲିଛନ୍ତି।

ଅପରାଜିତାଙ୍କ ଯୋଗଦାନକୁ ନେଇ ଗଣମାଧ୍ୟମର ଚର୍ଚ୍ଚା ଓ ସଂଘ ମୁଖିଆ ମୋହନ ଭାଗବତଙ୍କୁ ତାଙ୍କର ସାକ୍ଷାତ କରିବା ଘଟଣାକୁ ନେଇ, ବିଜେପି ରାଜ୍ୟ ଶାଖାର ସେ ହିଁ ପ୍ରମୁଖ ଶକ୍ତି କେନ୍ଦ୍ର ବୋଲି ଯେଉଁ କଲ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ବେଳେ କିଛିଟା ଥମି ଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଖୁର୍ଦ୍ଧା ସଭାରେ ଅପରାଜିତାଙ୍କୁ ସେମିତି କିଛି ଖାସ ଭୂମିକା ମିଳିନଥିଲା। ସେହି କଥାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଚର ଗୋଷ୍ଠୀ ବେଶ ପ୍ରଚାରିତ କରିଥିଲେ ଓ ରାଜ୍ୟ ବିଜେପିର ଅସଲ ମୁଖିଆ କେବଳ ଧର୍ମେନ୍ଦ୍ର ହିଁ ବୋଲି ଏକ ବାର୍ତ୍ତା ଦେବାର ଉଦ୍ୟମ କରିଥିଲେ।

ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ନୂଆବର୍ଷ ପାଇଁ ଲାଗିଥିବା କେତୋଟି ହୋର୍ଡିଙ୍ଗ, ବିଜେପି ରାଜ୍ୟ ରାଜନୀତିରେ ପୁଣି ହଟଚମଟ ସୃଷ୍ଟି କରିଛି। ରାଜଧାନୀର ପ୍ରମୁଖ ଛକ ମାନଙ୍କରେ ଲଗା ଯାଇଥିବା ଏହି ବିଶାଳକାୟ ହୋର୍ଡିଙ୍ଗ ସବୁରେ ମୋଦୀ-ଶାହାଙ୍କ ବିରାଟ ଚିତ୍ର ସହିତ ସମତୁଲ ଛବି ଅପରାଜିତାଙ୍କର ରହିଛି। ଉଭୟ ବିଶାଳକାୟ ଛବିର ବନ୍ଧନୀ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ , ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓଙ୍କର ତିନୋଟି ପାସପୋର୍ଟ ସାଇଜର ଫଟୋ ଦିଆ ଯାଇଛି। ଏହି ହୋର୍ଡିଙ୍ଗ ରାଜଧାନୀର କେନ୍ଦ୍ରରେ ବିଜେପି ନେତୃତ୍ୱ ବଦଳର ସ୍ପଷ୍ଟ ସଙ୍କେତ ଦେଉଛି କି? ଧର୍ମେନ୍ଦ୍ରଙ୍କ ଭୂମିକା ଲାଇଫ ସାଇଜରୁ ଖସି ଆସି ଶେଷରେ ପାସପୋର୍ଟ ସାଇଜରେ ପହଞ୍ଚି ଯାଇଛି ବୋଲି ଏବେ ଚର୍ଚ୍ଚା ହେଉଛି।

ଇତି ମଧ୍ୟରେ ବିଜେପିର ନିୟମିତ ସାମ୍ବାଦିକ ସମ୍ମିଳନୀ ରେ ମଧ୍ୟ ଅପରାଜିତା ମୁଖ୍ୟ ଭୂମିକାରେ ରହୁଛନ୍ତି। ଦୀର୍ଘ ଦିନ ଧରି ବିଜେପିର ମିଡିଆ ଦାୟିତ୍ଵ ଧର୍ମେନ୍ଦ୍ରଙ୍କ ଖାସ ଅନୁଗତମାନେ ତୁଲାଇ ଆସୁଥିଲେ। ରାଜ୍ୟ ବିଜେପି ର ଦାୟିତ୍ଵ କ୍ରମେ କ୍ରମେ ଧର୍ମେନ୍ଦ୍ରଙ୍କ ହାତରୁ ଅପରାଜିତାଙ୍କ ହାତକୁ ଚାଲି ଯାଉଥିବା ବିଷୟରେ ଏବେ ସୂଚନା ସ୍ପଷ୍ଟ ହୋଇ ଚାଲିଛି। ତେବେ ବିଜେପି ଭିତରେ ଏହି ନେତୃତ୍ୱ ପରିବର୍ତ୍ତନର ଅଦୃଶ୍ୟ ପ୍ରକ୍ରିୟା ଦଳୀୟ କର୍ମୀଙ୍କୁ ସନ୍ଦେହ ଘେରରେ ରଖୁଛି।

କେବଳ ମୋଦୀ ଓ ଶାହାଙ୍କ ଉପରେ ନିର୍ଭର କରି ବିଜେପି ଓଡିଶାରେ ସଫଳତା ପାଇବାର ଆଶା କରିବା ଆକାଶ କଇଆଁ ଚିଲିକା ମାଛ ପରି ହେବ। ଓଡିଶା ନେତୃତ୍ଵରେ ସ୍ପଷ୍ଟତା ନ ଆସିଲେ, ବିଜେପି ନିଜ ସ୍ଥିତି ରକ୍ଷା କରିବା ମଧ୍ୟ ସମ୍ଭବ ହୋଇନପାରେ!

Categories
ବିଶେଷ ଖବର

ନିର୍ବାଚନ ସର୍ବେକ୍ଷଣ; ରାଜନୈତିକ ବ୍ୟବସାୟ ମାତ୍ର

କେଦାର ମିଶ୍ର 

ନିର୍ବାଚନ ଯେତେ ପାଖେଇ ଆସିବ, ନିର୍ବାଚନରେ ଗଣିତ କଷୁଥିବା ବେପାରୀ ମାନଙ୍କର ଲାଭ ସେତେ ବଢୁଥିବଗତ ଦଶ ବର୍ଷ ଧରି ଆମ ଦେଶର ଗଣମାଧ୍ୟମ କରିଥିବା ଗୋଟିଏ ବି ଜନମତ ସର୍ବେକ୍ଷଣ ସତ ପ୍ରମାଣିତ ହୋଇନାହିଁସବୁବେଳେ ଶାସକ ଦଳକୁ ସୁହାଇଲା ପରି ଓ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ଧରି କାମ କରୁଥିବା ସର୍ଭେ ବ୍ୟବସାୟୀ ମାନେ ପ୍ରତି ନିର୍ବାଚନରେ ନିଜର ଦୋକାନ ଖୋଲି ବଢିଆ ବ୍ୟବସାୟ କରୁଛନ୍ତିନିର୍ବାଚନ ପଣ୍ଡିତ ବୋଲାଉଥିବା ଏହି ବ୍ୟବସାୟୀମାନେ ଏବେ ବେଶ ସକ୍ରିୟ। ଏବଠୁ ଆସନ୍ତା ମଇ, ୨୦୧୯ ପର୍ଯନ୍ତ ସର୍ଭେ ବେପାର ଭଲ ଜମିବା। ଟେଲିଭିଜନ ଚ୍ୟାନେଲ ଗୁଡିକ ଏହାକୁ ବିକି ବେଶ ଭଲ ରୋଜଗାର କରିବେ

ଏହି ବ୍ୟବସାୟର ଅଂଶ ବିଶେଷ ଭାବରେ ସବୁ ରାଜନୈତିକ ଦଳ କିଛି କିଛି ଜନମତ ର ଗରାଖ ହେବାକୁ ବାଧ୍ୟ। ଭଲ ପଇସା ଦେଇ ନିଜ ସପକ୍ଷରେ ହାୱା ସୃଷ୍ଟି କରିବାକୁ ସବୁ ଦଳ ଏମିତି କିଛି କିଛି ପୋଷା ସଂସ୍ଥା ରଖିଛନ୍ତିଏକଦା ଭାରତୀୟ ନିର୍ବାଚନ ସର୍ବେକ୍ଷଣର ଅନ୍ୟତମ ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବ କହିଥିଲେ, ପ୍ରତ୍ୟେକ ଜନମତ ସର୍ଭେ ରେ ଭାରତୀୟ ଜନତା ପାର୍ଟିକୁ ବଢେଇ ଚଢେଇ ଦେଖେଇବା ଆମର ପରମ୍ପରା ପାଲଟିଛିକିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ସବୁ ଜନମତ ସର୍ଭେ ଓ ଏଗଜିଟ ପୋଲ କୁ ଭୁଲ ପ୍ରମାଣିତ କରି ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇଥିଲା

ନିକଟରେ ଓଡିଶା ରାଜନୀତିର ଗଣିତ କୁ ନେଇ କିଛି ସର୍ଭେ ଫଳାଫଳ ଆସିଛି। ପ୍ରାୟ ସବୁ ଜନମତ ସର୍ଭେ କହୁଛି, ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳର ସରକାର ପୁଣିଥରେ ଗଠିତ ହେବ, କିନ୍ତୁ ବିଜେପି ଲୋକସଭା ଆସନ ଅଧିକ ଜିତିବ। ଏ ପ୍ରକାର ଭବିଷ୍ୟବାଣୀର ଆଧାର କଣ? ୨୦୦୪,୨୦୦୯ ଓ ୨୦୧୪ ରେ ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ଏକା ସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇଛି ଓ ସବୁଥର ଲୋକସଭା ଓ ବିଧାନସଭାର ବିଜୟହାର ସମାନ ରହିଛି। ରାଜ୍ୟରେ ଯିଏ ବିଧାନସଭା ନିର୍ବାଚନ ଜିତିଛି, ଲୋକ ସଭା ରେ ସେ ଦଳକୁ ଅଧିକ ଆସନ ମିଳିଛି।

୨୦୦୪ ରେ ବିଜେଡି-ବିଜେପି ମେଣ୍ଟ ବିଧାନସଭାରେ ୯୩ ଆସନ ପାଇଥିବା ବେଳେ ଲୋକସଭାରେ ୧୮ ଆସନ ଜିତିଥିଲେ। ସମାନ ଧାରା ୨୦୦୯ ୦ ୨୦୧୪ ରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୦୯ ରେ ବିଜେଡି ବିଧାନସଭାରେ ୧୦୩ ଓ ଲୋକସଭାରେ ୧୪ ଆସନ ପାଇଥିଲା। ୨୦୧୪ ରେ ପ୍ରବଳ ମୋଦୀ ହାୱା ସତ୍ତ୍ୱେ ଓଡିଶାରେ ବିଜେଡି ବିଧାନସଭାରେ ୧୧୭ ଓ ଲୋକସଭାରେ ୨୦ ଟି ଆସନ ପାଇଥିଲାସେହି ଧାରା ସହ ତୁଳନା କରି ଦେଖିଲେ ଏଥର ରାଜ୍ୟରେ ବିଜେଡି ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଲେ ଲୋକସଭାରେ ଏହାର ସଭ୍ୟ ସଂଖ୍ୟା କମିବ କେମିତି?

ସି-ଭୋଟର ସର୍ଭେରେ ବିଜେପି କୁ ଓଡିଶାରେ ୧୨ ଟି ଲୋକସଭା ଆସନ ମିଳିବ ବୋଲି କୁହାଯାଇଛିଓଡିଶାର ରାଜନୈତିକ ଜୀବନ ବିଷୟରେ ଜାଣିଥିବା ଯେକୌଣସି ସାଧାରଣ ଲୋକ ମଧ୍ୟ ଏ ପ୍ରକାର ଭବିଷ୍ୟବାଣୀକୁ ଅନ୍ତତଃ ବର୍ତ୍ତମାନ ବିଶ୍ଵାସ କରିବନାହିଁଏପରିକି ଖୋଦ ରାଜ୍ୟ ବିଜେପି ନେତାମାନେ ଏ ପ୍ରକାର ଆକଳନକୁ ବିଶ୍ଵାସ କରିପାରୁନାହାନ୍ତି

ତେବେ ୨୦୧୪ ରେ ଓଡିଶା ପାଇଁ ଯେଉଁ ସର୍ଭେ ପ୍ରସ୍ତୁତ ହୋଇଥିଲା ସେଥିରୁ ଗୋଟିଏ ମଧ୍ୟ ସଠିକ ପ୍ରମାଣିତ ହୋଇନଥିଲା। ଅଗଷ୍ଟ ୨୦୧୩ ରୁ ଏପ୍ରିଲ ୨୦୧୪ ମଧ୍ୟରେ ୬ ଟି ଜନମତ ସର୍ଭେରେ ବିଜେଡି ଅତି ବେଶୀରେ ୧୨ ଟି ଲୋକସଭା ଆସନରେ ଜିତିପାରେ ବୋଲି କୁହାଯାଇଥିଲା। ପ୍ରତ୍ୟେକ ସର୍ଭେ କଂଗ୍ରେସ କୁ ଆପାତତଃ ୭ ଟି ଓ ବିଜେପି ୩ ଟି ଆସନ ଜିତିବା କଥା କହିଥିଲେ। -ଟାଇମ୍ସ ନାଓ-ସି-ଭୋଟର ର ଆକଳନ ଥିଲା- ବିଜେଡି ୧୨, କଂଗ୍ରେସ ୯, ଇଣ୍ଡିଆ ଟୁଡେ- ସି ଭୋଟର- ବିଜେଡି ୧୩, କଂଗ୍ରେସ ୮, ସିଏନଏନ-ଲୋକନୀତି, ବିଜେଡ଼ି ୧୦-୧୬, ବିଜେପି-୩-୭, କଂଗ୍ରେସ ୦-୪ ଆସନ ପାଇବେ ବୋଲି କହିଥିଲେ

ଚୂଡାନ୍ତ ଫଳାଫଳ ବେଳକୁ ବିଜେଡି ୨୦, ବିଜେପି ୧ ଓ କଂଗ୍ରେସ ୦ ଆସନ ପାଇଥିଲେ। ତେଣୁ କୌଣସି ଗୋଟିଏ ବି ସର୍ବେକ୍ଷଣ ର ସଠିକତା ନଥିଲା। ଆଜି ମଧ୍ୟ ଯାହା ସି-ଭୋଟର ଯାହା କହିଛି, ତାହା କେବଳ ଗାଲୁଆମୀ ଓ ସେଥିରେ ସଠିକତା ନାହିଁ ବୋଲି କୁହାଯାଇପାରେ। ଓଡିଶାରେ ଯେଉଁ ଦଳ ବିଧାନସଭାରେ ଭଲ କରିବ, ସେହି ଦଳ ଲୋକସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠ ଆସନ ଜିତିବ