ନୂଆଦିଲ୍ଲୀ : ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ମିଳିତ ଜାତିସଂଘ ପକ୍ଷରୁ ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରାଯାଇଛି । ମଙ୍ଗଳବାର ସୁପ୍ରିମକୋର୍ଟରେ ମିଳିତ ଜାତିସଂଘର ମାନବାଧିକାର କମିଶନଙ୍କ ପକ୍ଷରୁ ଏକ ଯାଚିକା ଦାଖଲ କରାଯାଇଛି । ଜେନେଭାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଜରିଆରେ ମାନବାଧିକାର କମିଶନ ପକ୍ଷରୁ ଯାଚିକା ଦାଖଲ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାତିସଂଘର ମାନବାଧିକାର ସେଲ୍ ଉଚ୍ଚାୟୁକ୍ତ ମିସେଲ୍ ବାରେଟ୍ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଛି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଏହି ଯାଚିକା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏହା ଭାରତର ଅନ୍ତରୀଣ ମାମଲା ଏବଂ କୌଣସି ବୈଦେଶିକ ଶକ୍ତି ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ମତ ରଖିଛନ୍ତି । (ଏଜେନ୍ସି)
Tag: caa
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ଗୁଳିଚାଳନାକାରୀ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । ଗୁଳି ଚାଳନାକାରୀ ଶାହରୁଖକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଉତ୍ତର ପ୍ରଦେଶରୁ ଗିରଫ କରିଛି । ମଙ୍ଗଳବାର ଦିନ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାହରୁଖକୁ ଗିରଫ କରାଯିବା ସହିତ ତାର ପରିବାର ଲୋକଙ୍କୁ ଅଟକ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀର ଜାଫରାବାଦରେ ଜାନୁୟାରୀ 24 ତାରିଖରେ ଶାହରୁଖ 8 ରାଉଣ୍ଡ ଗୁଳି ଚଳାଇଥିଲା । ଦିଲ୍ଲୀରେ ହିଂସାକାଣ୍ଡ ଘଟି 47 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଥିଲେ । 47ଟି ହତ୍ୟା ଅଭିଯୋଗର ତଦନ୍ତ କରି ଦିଲ୍ଲୀ ପୋଲିସ୍ ବର୍ତ୍ତମାନ ସୁଦ୍ଧା 24 ଜଣଙ୍କୁ ଗିରଫ କରିଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବାଲେଶ୍ବରର ଜଳେଶ୍ବରରୁ 400 ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରାଯାଇଛି । ସେକ୍ବାଡରୁ ଏହି ଧଳା ଜହର ଜବତ କରାଯିବା ସହିତ 3 ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ବରର ସେକ୍ ସିଦ୍ଦିକି ସମେତ ପଶ୍ଚିମବଙ୍ଗର ଦୁଇ ବେପାରୀଙ୍କୁ ଗିରଫ କରାଯାଇଛି । ଜବତ କରାଯାଇଥିବା ଧଳାଜହରର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ 40 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଦୁଇ ଦିନିଆ ଓଡିଶା ଗସ୍ତରେ ରହିଥିବା ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବରର ଜନତା ମଇଦାନରେ ଏକ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଛନ୍ତି । ଏହି ଅବସରରେ ଗୃହମନ୍ତ୍ରୀ ଓଡିଶାକୁ ନିଜର ଦ୍ବିତୀୟ ଘର ଭାବରେ ଅଭିହିତ କରିଥିଲେ । 24 ତମ ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ନେଇ ଅମିତ ଶାହା ଓଡିଶା ଆସିଥିବା ବେଳେ ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହିତ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଥିଲେ ।
ଓଡିଶାର ବରପୁତ୍ରଙ୍କୁ ସ୍ମରଣ କରି ଶାହା ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଓଡିଶା ମୋତେ ସର୍ବଦା ମୋର ଦ୍ବିତୀୟ ଘର ଭଳି ପ୍ରତୀୟମାନ ହୋଇଥାଏ ବୋଲି ଶାହା ପ୍ରକାଶ କରିଛନ୍ତି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଏବଂ 2024 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରମକୁ ପାଣି ପାଇପ୍ କସଞ୍ଜୋଗ କରାଯିବ ବୋଲି ଶାହା କହିଥିଲେ । ଏହା ସହିତ କେନ୍ଦ୍ର ସରକାରଙ୍କ ଅନ୍ୟାକନ୍ୟ ସଫଳତା ଯେପରିକି ରାମ ମନ୍ଦିର ଟ୍ରଷ୍ଟ ନିର୍ମାଣ, ଧାରା 370 ଉଚ୍ଛେଦ ସମ୍ପର୍କରେ ଶାହା ଘୋଷଣା କରିଥିଲେ । ସେହିପରି ସିଏଏ ଦ୍ବାରା କାହାର ନାଗରିକତା ଯିବ ନାହିଁ ତେଣୁ ଏହାକୁ ନେଇ ଲୋକେ ଭୟଭୀତ ହେବା ଅନୁଚିତ ବୋଲି ଶାହା କହିଥିଲେ । ପଡୋଶୀ ରାଷ୍ଟ୍ରର ନିଷ୍ପେସିତ ଲୋକଙ୍କୁ ନାଗରିକତ୍ବ ପ୍ରଦାନ ପାଇଁ ସିଏଏ ପ୍ରଣୟନ କରାଯାଇଛି ତେଣୁ ଦେଶବାସୀଙ୍କ ନାଗରିକତ୍ବ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଶାହା ସ୍ପଷ୍ଟ କରିଥିଲେ । ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟରେ ବିଜେପିକୁ 38.4 ପ୍ରତିଶତ ଭୋଟ ମିଳିଥିବାରୁ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ ଶାହା । ଦଳ 14 ହଜାର ବୁଥ୍ରେ ଆଗୁଆ ରହିଥିବା ବେଳେ 55 ହଜାର ବୁଥରେ ଦ୍ବିତୀୟ ସ୍ଥାନରେ ରହିଛି ତେଣୁ ଆଉ ଗୋଟିଏ ଲମ୍ଫରେ ଦଳ ପ୍ରଥମ ସ୍ଥାନକୁ ଆସିପାରିବ ବୋଲି ଶାହା କହିଥିଲେ ।
ଏହି ସମାବେଶରେ ପ୍ରଥମ ଥର ପାଇଁ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିଥିଲେ । ସଦାସର୍ବଦା ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଶାହା ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହିନଥିଲେ । କେବଳ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ କହି ଶାହା ନିଜର ବକ୍ତବ୍ୟ ଶେଷ କରିଥିଲେ । ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ବିଜେପି ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ୍କୁ ଦିଲ୍ଳୀ ହାଇକୋର୍ଟ ନୋଟିସ୍ ପଠାଇଛନ୍ତି । ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଦାଖଲ କରାଯାଇଥିବା ତିନିଟି ପିଟିସନ୍ ଉପରେ ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି ଡି ଏନ୍ ପଟେଲ୍ ଏବଂ ସି ହରିଶଙ୍କରଙ୍କ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଅଜୟ ଗୌତମ , ସଞ୍ଜୀବ କୁମାର ଏବଂ ବିଜେପି ଲିଗାଲ୍ ସେଲ୍ ପକ୍ଷରୁ ଏହି 3 ଯାଚିକା ଦାଖଲ କରାଯାଇଥିଲା । ପ୍ରଥମ ଯାଚିକାରେ ଦିଲ୍ଳୀ ପୋଲିସ୍ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ଉଠାଯାଇଥିଲା । ଆକ୍ରମଣ ପଛରେ ରହିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଯାଚିକାରେ ଉଲ୍ଲେଖ କରାଯାଇଛି । ଦ୍ବିତୀୟ ଯାଚିକାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ତଦନ୍ତ କରାଯାଉନଥିବା ନେଇ ଉଲ୍ଲେଖ କରାଯାଇଥିଲା । ସାମାଜିକ କର୍ମୀ ହର୍ଷ ମନ୍ଦାର, ଆରଜେ ସାୟେମା ଏବଂ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଘୃଣାଭରା ଭାଷଣ ସତ୍ତ୍ବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ମାମଲା ରୁଜୁ କରାଯାଇଥିଲା । ବିଜେପି ଲିଗାଲ୍ ସେଲ୍ ପକ୍ଷରୁ ଦାଖଲ କରାଯାଇଥିବା ତୃତୀୟ ଯାଚିକା ଉପରେ ଶୁଣାଣି କରାଯାଇଥିଲା । ସୋନିଆ, ରାହୁଲ , ପ୍ରିୟଙ୍କା ଗାନ୍ଧୀ, ଅସଦ୍ଦୁଦ୍ଦିନ ଓଓ୍ବେସୀ ଏବଂ ଓ୍ବାରିସ୍ ପଠାନ୍ ପ୍ରମୁଖ ଘୃଣାଭରା ଭାଷଣ ଦେଇଥିବା ନେଇ ଯାଚିକାରେ ଉଲ୍ଲେଖ କରାଯାଇଥିଲା । କୋର୍ଟଙ୍କ ପକ୍ଷରୁ ତିନି ଯାଚିକା ଉପରେ ଶୁଣାଣି କରାଯାଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ୍କୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ଏପ୍ରିଲ୍ 30 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରେ ହିଂସାକାଣ୍ଡ ଘଟଣା ମାମଲାର ବିଚାର କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଉତ୍ତେଜନାମୂଳକ ଭାଷଣ ଦେଇଥିବା ସମସ୍ତ ନେତାଙ୍କ ବିପକ୍ଷରେ ମାମଲା ଦାୟର କରିବା ପାଇଁ ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍ ଦିଆଯାଇଛି । ଏହା ସହିତ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ପୁନର୍ବାର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ଏପ୍ରିଲ୍ 13 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ହିଂସା ଘଟଣାରେ 35 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 200ରୁ ଅଧିକ ଲୋକ ଆହତ ହୋଇଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ସିଏଏକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି । ବିଗତ ଦୁଇ ଦିନ୍ ଧରି ଚାଲିଥିବା ଏହି ହିଂସାକାଣ୍ଡରେ 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 150ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ କାରଣରୁ ଉତ୍ତର ପୂର୍ବ ଦିଲ୍ଲୀରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଜାରି ରହିଥିବା ବେଳେ ରାଜନୈତିକ ଦଳଙ୍କ ପକ୍ଷରୁ ଆରୋପ ପ୍ରତ୍ୟାରୋପର ରାଜନୀତି ଥମିବାର ନାମ ନେଉନାହିଁ । ବିଜେପି ସଦାସର୍ବଦା ହିଂସା ଏବଂ ଦଙ୍ଗାର ରାଜନୀତି କରୁଛି ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଟ୍ବିଟ୍ କରିଛନ୍ତି । ସେହିପରି ବିଜେପିର ବିବାଦୀୟ ନେତା କପିଲ ମିଶ୍ର ମଧ୍ୟ ଏକ ଟ୍ବିଟ୍ କରିଛନ୍ତି । ଆକ୍ରମଣରେ ନିହତ ପୋଲିସ୍ କନେଷ୍ଟବଳଙ୍କ ପରିବାରକୁ 1 କୋଟିର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ କେଜ୍ରିଓ୍ବାଲଙ୍କୁ ଟ୍ବିଟ୍ କରିଛନ୍ତି କପିଲ୍ । (ଏଜେନ୍ସି)
କେଦାର ମିଶ୍ର
ଗତ ଦୁଇଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଜଳୁଛି। ୧୯୮୪ ପରେ ସବୁଠୁ ବଡ ହିଂସା ଓ ଦଙ୍ଗାର ଶିକାର ହୋଇଥିବା ଦିଲ୍ଲୀ ସହରର ଏ ଅଶାନ୍ତି ଲାଗି ଦାୟୀ କିଏ? କାହିଁକି ଏ ଦେଶର ରାଜଧାନୀରେ ଆମର ଆଇନ ବ୍ୟବସ୍ଥା ବିଫଳ ହୋଇଛି? ଗତ ଦୁଇ ଦିନର ହିଂସାରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ସାତ ଜଣ ଲୋକ ପ୍ରାଣ ହରାଇଲେଣି। ଶତାଧିକ ଲୋକ ଆହତ ହେବା ସହିତ ହଜାର ହଜାର ଘର ଓ ଦୋକାନ ପୋଡି ଯାଇଛି। ନାଗରିକତା ସଂଶୋଧନ ଆଇନର ପକ୍ଷ ଓ ପ୍ରତିପକ୍ଷ ଭାବରେ ଛିଡା ହୋଇ ଏହି ଦଙ୍ଗାର ସୂତ୍ରପାତ କରାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଯେଉଁ ବିଷମଞ୍ଜି ବୁଣା ଯାଇଥିଲା, ତାର ଅମଳ ସମୟ ଏବେ ଚାଲିଛି। କୌଣସି ଘଟଣାକୁ ଠିକ ଭାବରେ ବିଚାର ନକରି ନିଷ୍ପତ୍ତି ନେଲେ, ଏ ପ୍ରକାର ସ୍ଥିତି ଯେ ଉପୁଜିବ ତାହା ସ୍ଵାଭାବିକ। ଏ କଥା କାହିଁକି ଘଟିଲା?
ଯେତେବେଳେ ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ସରକାର ସବୁଠୁ ବେଶି ଚିନ୍ତା କରିବାର ଆବଶ୍ୟକତା ଥିଲା, ସେତେବେଳେ ପୂରା ଦେଶର ମୁଣ୍ଡରେ ଅର୍ଥନୀତିକୁ ବାହାର କରି ଧର୍ମକୁ ପୂରେଇ ଦିଆଗଲା। ଦେଶରେ ଅନୁପ୍ରବେଶକାରୀଙ୍କୁ ସବୁଠୁ ବଡ ସମସ୍ୟା ଭାବରେ ଉପସ୍ଥାପନ କରାଯିବା ଓ ଧର୍ମ ଆଧାରରେ ଅନୁପ୍ରବେଶକାରୀଙ୍କୁ ନାଗରିକର ସ୍ଵୀକୃତି ଦେବା ଲାଗି ମୋଦୀ ସରକାର ହଠାତ ତତ୍ପର ହୋଇ ଉଠିବାର କାରଣ ଅବଶ୍ୟ ଅତ୍ୟନ୍ତ ସ୍ପଷ୍ଟ। ଏହାକୁ ନେଇ ଦେଶର ସଙ୍ଖ୍ୟାଲଘୁଙ୍କ ମନରେ ଆଶଙ୍କା ସୃଷ୍ଟି ହେବ ଓ ଏହା ଦେଶର ଧର୍ମ ନିରପେକ୍ଷ ଆଦର୍ଶର ପରିପନ୍ଥୀ ବୋଲି ମୋଦୀ ସରକାର ଭଲ ଭାବରେ ଜାଣିଥିଲେ। ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିବିଧ ପ୍ରତିକ୍ରିୟା ପ୍ରକାଶ ପାଇବ ବୋଲି ମଧ୍ୟ ସ୍ପଷ୍ଟ ଜଣାଥିଲା। ହୁଏତ ପ୍ରତିକ୍ରିୟା ଏତେ ବ୍ୟାପକ ବା ଉଗ୍ର ହେବା କଥା ସରକାର ଭାବି ନଥିବେ। ହେଲେ ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷର ବାତାବରଣ ଆସିବ ଓ ତାହା ଆସୁ ବୋଲି ମୋଦୀ ସରକାର ଚାହିଁଛନ୍ତି। ଅର୍ଥନୀତି ତୁଳନାରେ ସାମ୍ପ୍ରଦାୟିକତାର ବିତର୍କକୁ ଜାଣିଶୁଣି ଲୋକଙ୍କ ଉପରେ ସରକାର ଲଦି ଦେଇଛନ୍ତି।
ପ୍ରଥମରୁ ଏହାକୁ ନେଇ ମତ ପାର୍ଥକ୍ୟ ରହିବ ଓ ସୋସିଆଲ ମିଡିଆରେ ଏହାକୁ ନେଇ କିଛିଟା ରୋଚକ ବିତର୍କରେ କଥା ସରିଯିବ ବୋଲି ସରକାରଙ୍କ ଚିନ୍ତା ଥିଲା। ହିନ୍ଦୁ ବନାମ ମୁସଲମାନ ବିବାଦରେ ସରକାରଙ୍କର ମୂଳ ବିଫଳତାକୁ ନେଇ ଆଉ ପ୍ରଶ୍ନ ଯେମିତି ନଉଠେ ସରକାର ସେ ବ୍ୟବସ୍ଥା କରିବାକୁ ନାଗରିକତା ସଂଶୋଧନ ଆଇନ କୁ ହଠାତ ଆଣିଥିଲେ। ତେବେ ଏ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଯେଉଁ ନିଆଁ ଲାଗିଛି, ସେଥିରେ ପୂରା ଦେଶର ସାମାଜିକ ସଂହତି ଓ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଏହି ଆଂଦୋଳନର ନିଆଁ ମାଡି ଚାଲିଛି। ଏହି ଆଇନ ବିରୋଧରେ ସ୍ଵତଃସ୍ଫୂର୍ତ୍ତ ବିରୋଧ ବଢି ଚାଲିଛି।
ଆରମ୍ଭରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାକୁ କେବଳ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି କହି ଆଡେଇଯିବାର ଉଦ୍ୟମ କରୁଥିଲେ। ଏହି ପ୍ରତିରୋଧ କେଉଁଠି କେଉଁଠି ହିଂସ୍ର ହେଉଥିବାବେଳେ ଅନେକ ସ୍ଥାନରେ ଏହା ସତ୍ୟାଗ୍ରହର ରୂପ ନେଉଛି। ଦେଶର ଖ୍ୟାତନାମା ବୁଦ୍ଧିଜୀବୀ ଓ ଲେଖକ ଏହି ଆନ୍ଦୋଳନ ଓ ସତ୍ୟାଗ୍ରହର ନେତୃତ୍ଵ ନେଉଛନ୍ତି। ବିଜେପିର ଟ୍ରୋଲ ବାହିନୀ ଏବଂ ପୁଲିସର ଲାଠି ଗୁଳିକୁ ବେଖାତିର କରି ଏ ଆନ୍ଦୋଳନ ତୀବ୍ର ହୋଇଛି। ପୂର୍ବରୁ ପୋଲିସ ଗୁଳିରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କେତେକ ସ୍ଥାନରେ ସତ୍ୟାଗ୍ରହିମାନେ ପୋଲିସକୁ ଗୋଲାପ ଫୁଲ ଦେଇ ସତ୍କାର କରିଛନ୍ତି।
ଆଜି କୌଣସି ରାଜନୈତିକ ଦଳ ବା ଗୋଷ୍ଠୀ ହାତରେ ଏହି ଆନ୍ଦୋଳନ ଆଉ ନାହଁ। ଆପେ ଆପେ ଏ ଆନ୍ଦୋଳନ ଲୋକଙ୍କ ହାତକୁ ଚାଲି ଆସିଛି। ୟୁପିଏ ସରକାର ଅମଳରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଲୋକଙ୍କର ଯେଉଁ ପ୍ରକାର ଅଂଶିଦାରିତା ଦେଖିବାକୁ ମିଳିଥିଲା, ଏହି ଆନ୍ଦୋଳନ ଏବେ ସେ ଦିଗକୁ ଗତି କରୁଛି। ଏତେ ବ୍ୟାପକ ପ୍ରତରୋଧ ଓ ଜଣ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ସରକାର କଣ କରିବେ, ତାହା ଏବେ ସବୁଠୁ ଚିନ୍ତାର ବିଷୟ।
ଦିଲ୍ଲୀର ଶାହିନବାଗରେ ଯେଉଁ ଦୀର୍ଘକାଳୀନ ଆନ୍ଦୋଳନ ଚାଲିଛି, ତାକୁ ହିଂସା ମାଧ୍ୟମରେ ପ୍ରତିରୋଧ କରିବାର ଉଦ୍ୟମ ଯୋଗୁଁ ଆଜି ଏ ସ୍ଥିତି ଉପୁଜିଛି। ଦିଲ୍ଲୀରେ କପିଳ ମିଶ୍ରଙ୍କ ଭଳି ବିଜେପିର କୁଜିନେତାମାନେ ଏ ପ୍ରକାର ହିଂସାକୁ ଅଧିକ ଉଗ୍ର କରିଛନ୍ତି।
ଆଜି ସରକାରଙ୍କର ପ୍ରଥମ ଦାୟିତ୍ଵ ହେବା ଉଚିତ, କେମିତି ଏ ନିଆଁ ପ୍ରଶମିତ ହେବ। ଦେଶର ଅର୍ଥନୀତିକୁ ଏ ପ୍ରକାର ଜନ ପ୍ରତିରୋଧ ଅଧିକ ପ୍ରଭାବିତ କରିବ। ସରକାର ନିଜେ ଏ ନିଆଁ ଲଗାଇଛନ୍ତି, ତେଣୁ ଏ ନିଆଁ କୁ ପ୍ରଶମିତ କରିବାର ଦାୟିତ୍ଵ ମଧ୍ୟ ସରକାରଙ୍କର। ତୁରନ୍ତ ନାଗରିକ ସଂଶୋଧନ ଆଇନକୁ ଧର୍ମର ପରିସରମୁକ୍ତ କରିବା ଏବଂ ଭବିଷ୍ୟତରେ ଜାତୀୟ ନାଗରିକତା ପଞ୍ଜୀକରଣ ଭଳି ଭୟଙ୍କର ବ୍ୟବସ୍ଥାକୁ ବିରାମ ଦେଲେ, ଏ ନିଆଁ ଆପେ ଆପେ ପ୍ରଶମିତ ହେବ। ନିଜ ଜିଦାରୁ ସରକାର ନ ଓହରିଲେ ଏହା ଦେଶର ସାମାଜିକ ବ୍ୟବସ୍ଥାକୁ ଅଧିକ ପ୍ରଭାବିତ କରିବ।
ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ସିଏଏ ବିରୋଧୀ ହିଂସାକାଣ୍ଡ ଏବଂ ପୋଡାଜଳା ସଙ୍ଗଠିତ ହୋଇଛି । 24 ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ ହିଂସାକାଣ୍ଡ ଘଟିଛି । ଦିଲ୍ଲୀର କବୀର ନଗର ଅଞ୍ଚଳ ଏବଂ ମୌଜପୁର ମେଟ୍ରୋ ଷ୍ଟେସନ୍ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଛି । ଏହା ସହିତ ଉକ୍ତ ଭିଡିଓରେ ଆକ୍ରମଣକାରୀ ମାନେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ଆକ୍ରମଣକାରୀଙ୍କ ଉପରକୁ ପୋଲିସ୍ ପକ୍ଷରୁ ଲାଠିଚାଳନା କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ପକ୍ଷରୁ ଏକ ଅଟୋରେ ନିଆଁ ଲଗାଇ ଦିଆଯାଇଥିଲା । (ଏଜେନ୍ସି)
ଲକ୍ଷ୍ନୌ : ଆଲିଗଡରେ ସିଏଏ ବିରୋଧୀ ହିଂସାକାଣ୍ଡ କାରଣରୁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ପୋଲିସ୍ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ରବିବାର ସନ୍ଧ୍ୟାରେ ବିକ୍ଷୋଭକାରୀଙ୍କ ପକ୍ଷରୁ ପଥର ଫିଙ୍ଗାଯିବା କାରଣରୁ ପୋଲିସ୍ ପକ୍ଷରୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ଏହି ଘଟଣା ପରେ ହିଂସାକାଣ୍ଡ ବ୍ୟାପିବା ଆଶଙ୍କା କରି ଆଲିଗଡର ଇଣ୍ଟରନେଟ ସେବା ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ଚନ୍ଦ୍ରଭୂଷଣ ସିଂ ନିର୍ଦ୍ଦେଶ ଦେଇଥିଲେ । ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ସେବା ବନ୍ଦ ରଖାଯିବ । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
ସମ୍ବଲପୁର: ସିଏଏ ଓ ଏନ୍ଆରସି ପ୍ରତ୍ୟାହାର ଦାବିରେ ଆଜି ଭାରତ ବନ୍ଦର ପ୍ରଭାବ ଓଡ଼ିଶାର ବେଶ୍ କିଛି ସ୍ଥାନରେ ଦେଖିବାକୁ ମିଳିଛି । ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଭୀମ ଆର୍ମି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ସମ୍ବଲପୁର, ସୋନପୁର, ବଲାଙ୍ଗିର ଆଦି ସହରରେ ଦେଖିବାକୁ ମିଳିଛି। ସିଏଏ ଓ ଏନ୍ଆରସି ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ସମ୍ବଲପୁର ଷ୍ଟେସନରେ ଭୀମ ଆର୍ମି କର୍ମକର୍ତ୍ତାମାନେ ଟ୍ରେନ୍ ଅଟକାଇଛନ୍ତି। ତେବେ ଏକ ଘଣ୍ଟା ବିଳମ୍ୱରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଛାଡ଼ିଛି। ସେହିପରି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଧ୍ୟ ଏନେଇ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ନୂଆଦିଲ୍ଲୀ : ଶନିବାର ଦିନ ଶାହିନବାଗ ଆନ୍ଦୋଳନକାରୀଙ୍କ ସହିତ ତୃତୀୟ ରାଉଣ୍ଡ ଆଲୋଚନା କରିଛନ୍ତି ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ । ଏହି ଆଲୋଚନା ସମୟରେ ସାଧନା ସରକାରଙ୍କ ପକ୍ଷ ନେଇ ଆଲୋଚନାକୁ ଆସି ନାହାନ୍ତି ଏବଂ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ନିଯୁକ୍ତ ବୋଲି କହିଥିଲେ । ଶାହିନ୍ବାଗ ଆନ୍ଦୋଳନକୁ ହଟାଯାଉ ବୋଲି ମୁଁ କହୁନାହିଁ । ଶାହିନବାଗ ଜାରି ରହିବା ଉଚିତ୍ ମାତ୍ର ଏହାଦ୍ବାରା ସର୍ବସାଧାରଣ ରାସ୍ତା ବନ୍ଦ ନହେବା ଉଚିତ୍ ବୋଲି ସେ ପ୍ରକାଶ କରିଥିଲେ । ଯଦି ବିକ୍ଷୋଭକାରୀ ଗୃହମନ୍ତ୍ରୀ ବା ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହାନ୍ତି ତେବେ ସେ କରିପାରନ୍ତି ମାତ୍ର ମଧ୍ୟସ୍ଥି ଦଳ ସରକାରଙ୍କ ପକ୍ଷରୁ ଆସି ନାହାନ୍ତି ବୋଲି ରାମଚନ୍ଦ୍ରନ ସ୍ପଷ୍ଟ କରିଥିଲେ । ବିକ୍ଷୋଭକାରୀ ମାନେ ସୁରକ୍ଷା ଦାବି କରିଥିବା ବେଳେ ଏନେଇ ସର୍ବୋଚ୍ଚ କୋର୍ଟ ଆଦେଶ ପ୍ରଦାନ କରିବା ପାଇଁ ଦାବି କରାଯାଇଥିଲା । ଶାହିନବାଗ ଏବଂ ଜାମିଆ ହିଂସାକାଣ୍ଡରେ ଦାଖଲ କରାଯାଇଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)
ବାଲେଶ୍ୱର : ଦେଶର ବିଭାଜନ ଧର୍ମ ଆଧାରରେ ହେବା କଥା ନୁହେଁ କିନ୍ତୁ କଂଗ୍ରେସ ଧର୍ମ ଆଧାରରେ ଦେଶକୁ ବିଭାଜନ କରିଛି। ଆଉ ଏବେ କ୍ଷମତା ହାସଲ କରିବା ପାଇଁ ନାଗରିକତା ସଂଶୋଧନ ଆଇନ ନାଁରେ ହୀନ ରାଜନୀତି କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରିଚାଲିଛି। ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ। କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ବାଲେଶ୍ବରରେ ଆୟୋଜିତ ସିଏଏ ରାଲିକୁ ସମ୍ବୋଧିତ କରି ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।
ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟା ଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ବୋଲି ବାଲେଶ୍ୱରଠାରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି।ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏହି ରାଲିରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ସଫଳତା ଉପରେ ଉଲ୍ଲେଖ କରିଥିଲେ।
ଭୁବନେଶ୍ୱର ତା ୧୭.୦୨ – ବର୍ତମାନ ସମଗ୍ର ଦେଶରେ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ସିଟିଜେନ୍ସିପ୍ (#NRC) କୁ ନେଇ ବାଦବିବାଦ ଚାଲୁଥିବା ବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ଅନ୍ଏମ୍ପେ୍ଲାଏଡ୍ (NRU) ନାମକ ରାଷ୍ଟ୍ରବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନକୁ କେନ୍ଦ୍ର କରି ଭାରତୀୟ ଯୁବ କଂଗ୍ରେସ ସବୁ ରାଜ୍ୟରେ “ୟଙ୍ଗ ଇଣ୍ଡିଆ କି ବୋଲ” ନାମକ ଭାଷଣ ପ୍ରତିଯୋଗିତାର ଆୟୋଜନ ଆରମ୍ଭ କରାଯାଇଛି । ଯାହାର ବିଷୟ ରହିଛି “ବେରୋଜଗାରୀ” । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ଏହି କାର୍ଯ୍ୟକ୍ରମର ପୋଷ୍ଟର, ବ୍ୟାନର କଂଗ୍ରେସ ଭବନରେ ଉନ୍ମୋଚନ କରାଯାଇଛି ।
ସି.ଏ.ଏ, ଏନ୍.ଆର୍.ସି. ଏବଂ ଏନ୍.ପି.ଆର୍. ସହିତ ଅର୍ଥ ବ୍ୟବସ୍ଥା, ବେରୋଜଗାରୀ ବିଷୟରେ ଯୁବ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଲଗାତର ସମାଲୋଚନା କରୁଛି । ଏହି ମୁହୂର୍ତରେ ଦେଶରେ ବେରୋଜଗାରୀ ବହୁତ ବଡ ସମସ୍ୟା ରହିଛି । ବିଗତ ୨୦ ବର୍ଷରେ ନବୀନ ସରକାର ଓଡିଶାକୁ ବେରୋଜଗାରୀରେ ଏକ ନମ୍ବର ସ୍ଥାନରେ ପହଁଚାଇଛି। ତେଣୁ ଦେଶରେ ନ୍ୟାସନାଲ୍ ରେଜିଷ୍ଟ୍ରାର ଅଫ୍ ଅନ୍ଏମ୍ପେ୍ଲାଏଡ୍ ନିତାନ୍ତ ଦରକାର ବୋଲି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପ୍ରଥମେ ଜିଲ୍ଲାସ୍ତରୀୟ ପରେ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା “ୟଙ୍ଗ ଇଣ୍ଡିଆ କି ବୋଲ୍” ଦ୍ୱାରା କରାଯିବ ଏବଂ ଶେଷରେ ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଦିଲ୍ଲୀ ଠାରେ ମାର୍ଚ୍ଚ ୨୩ ତାରିଖରେ ସମାପନ ହେବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦିକା ତଥା ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀ, ‘ୟଙ୍ଗ ଇଣ୍ଡିଆ କି ବୋଲ୍’ର ପ୍ରଭାରୀ ଆଶୁତୋଷ ଚାଟାର୍ଜୀ, ୟଶ୍ ଚୌଧୁରୀ, ପ୍ରଦେଶ ଯୁବ କଂଗ୍ରେସ ମୁଖାପାତ୍ର ଅଜୟ କୁମାର ସାହୁ, ଦେବାଶିଷ ମହାପାତ୍ର, ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜିତ୍ ପାତ୍ର, ସଂକୁନା କହଁର, ଆଲୋକ ଲେଙ୍କା, ଜ୍ଞାନରଂଜନ ରାଉତ, ନଳିନୀକାନ୍ତ ନାୟକ ଓ ବିରଂଚି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆଦିଲ୍ଲୀ : ଶହିନବାଗକୁ ନେଇ ମୁହଁ ଖୋଲିଛନ୍ତି ଆପ୍ ନେତା ରାଘବ ଚଢ୍ଢା । ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କରାଯାଇଥିବା ପ୍ରଶ୍ନରେ ରାଘବ ଏହି ଉତ୍ତର ଦେଇଥିଲେ । ଦିଲ୍ଲୀର ଆଇନ ଶୃଙ୍ଖଳା ପରସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ତେଣୁ ଶାହିନବାଗରୁ ଆନ୍ଦୋଳନ ହଟାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କର ବୋଲି ରାଘବ ପ୍ରକାଶ କରିଛନ୍ତି । ଆପ୍ ଏକ କ୍ଷୁଦ୍ର ରାଜନୈତିକ ଦଳ ଯାହାକି ସାଧାରଣ ଜନତାଙ୍କ ବିଭିନ୍ନ ଅସୁବିଧା, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ପ୍ରଦୂଷଣକୁ ନେଇ ରହିଥିବା ସମସ୍ୟା ଦୂର କରିବା ଏହାର ଦାୟିତ୍ବ । ସିଏଏ ଏବଂ ଏହାକୁ ନେଇ ରହିଥିବା ସମସ୍ୟା ସହିତ ଆପ୍ର କୌଣସି ସମ୍ପର୍କ ନାହିଁ ବୋଲି ରାଘବ ପ୍ରକାଶ କରିଥିଲେ । (ଏଜେନ୍ସି)
ମୁମ୍ବାଇ : ମୁମ୍ବାଇରେ ଅବୈଧ ଭାବରେ ଅବସ୍ଥାନ କରୁଥିବା 23 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ପାଲଗଡ ଜିଲ୍ଲାରେ ଏହି 23 ଜଣ ନାଗରିକ ଅବୈଧ ଭାବରେ ଅବସ୍ଥାନ କରୁଥିଲେ । ସିଏଏକୁ ନେଇ ସମଗ୍ର ଦେଶରେ ବିରୋଧାଭାସ ଦେଖାଦେଇଥିବା ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ ଏବଂ ମାନବଚାଲାଣକାରୀ ବିରୋଧୀ ସ୍କ୍ବାଡ୍ ପକ୍ଷରୁ ଚଢାଉ କରାଯାଇ ଏହି 23 ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ଅର୍ଣ୍ଣାଲା ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଛି । ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇଁ ଅର୍ଣ୍ଣାଲା ପୋଲିସ୍ ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଏସ୍ଏଫ୍ ଏବଂ ତ୍ରିପୁରା ପୋଲିସ୍ ପକ୍ଷରୁ ଚଳିତ ସପ୍ତାହରେ 12 ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା ।
ନୂଆଦିଲ୍ଲୀ : ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି । ଏହା ଉପରେ କୌଣସି ରାୟ ଦେଇନଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ସମାଲୋଚନା କରିଛନ୍ତି । ଆନ୍ଦୋଳନ ନାମରେ କୌଣସି ରାସ୍ତାକୁ ଆପଣ ସର୍ବଦା ବନ୍ଦ କରିବେ ନାହିଁ । ଶାହିନ୍ବାଗ ଆନ୍ଦୋଳନକୁ ନେଇ ଦାଖଲ କରାଯାଇଥିବା ବିଭିନ୍ନ ସର୍ବସାଧାରଣ ଯାଚିକା ଉପରେ ବିଚାର କରି ଦୁଇ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି । ଅପର ପକ୍ଷର ଉତ୍ତର ଶୁଣିବା ପରେ ଆସନ୍ତା 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡିଛି । ଏହା ସହିତ ସର୍ବୋଚ୍ଚ କୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ପୋଲିସ୍କୁ ନୋଟିସ୍ ଜାରି କରିଛନ୍ତି । ଜଷ୍ଟିସ୍ ସଞ୍ଜୟ କିଶାନ କୌଲ୍ ଏବଂ ଜଷ୍ଟିସ୍ କେ ଏମ୍ ଯୋଶେଫ୍ ଏହି ମାମଲାର ଶୁଣାଣି କରିଥିଲେ । ଆନ୍ଦୋଳନ ପାଇଁ ଏକ ଜାଗା ସ୍ଥିରୀକୃତ ରହିବା ଆବଶ୍ୟକ । କୌଣସି ସ୍ଥାନରେ କେହିବି ଆନ୍ଦୋଳନ କରିବା ଅନୁଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଗତ 50 ଦିନ ଧରି ସିଏଏ ଆଇନ ବିରୋଧରେ ରୋଡ ନମ୍ବର 13 ଏ କୁ ଅବରୋଧ କରି ରଖାଯାଇଛି ।
ଜୟପୁର : ସିଏଏକୁ ନେଇ ଏକ ବଡ ବୟାନ ଦେଇଛନ୍ତି ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଯୋଶୀ । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ୍ ପ୍ରଣୟନ କରାଯାଇଥିବା ବେଳେ ଏହାକୁ ରାଜସ୍ଥାନ ବାଚସ୍ପତି ବିରୋଧ କରିଛନ୍ତି । ଭାରତ ଏକ ସଂଘୀୟ ରାଷ୍ଟ୍ର ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୀତ ଆଇନ୍କୁ ମାନିବା ଉଚିତ୍ । କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ସରକାର ଏହାକୁ ମାନିବା ଉଚିତ୍ । ନାଗରିକତା ସଦାସର୍ବଦା କେନ୍ଦ୍ରର ଅଧିକାର ରାଜ୍ୟ ସରକାରଙ୍କ ଏଥିରେ କୌଣସି ସମ୍ପର୍କ ନାହିଁ ବୋଲି ଯୋଶୀ ଜୟପୁରରେ ଏକ କାର୍ଯ୍ୟକ୍ରମ ଅବସରରେ ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ରାଜସ୍ଥାନରେ ସିଏଏ ବିରୋଧରେ ଏକ ବିଲ୍ ପାଶ୍ କରାଯାଇଛି । (ଏଜେନ୍ସି)
ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହା ନାଗରିକମାନଙ୍କ ସ୍ୱାର୍ଥ ପାଇଁ ହୋଇଥିଲେ ମଧ୍ୟ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ଯୋଗୁ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଏନଆରସି ବା ଜାତୀୟ ନାଗରିକ ପଞ୍ଜିକା କେବଳ ଆସାମ ପାଇଁ ଉଦ୍ଦିଷ୍ଟ, ଏଥିନେଇ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଥିଲେ । ସାରା ଦେଶରେ ଏନଆରସି ଲାଗୁ କରିବାର କୌଣସି ନିଷ୍ପତି ସରକାର ନେଇ ନାହାନ୍ତି । ସେ ଆହୁରି କହିଥିଲେ ଯେ ସିଏଏ ଦ୍ୱାରା ମୁସଲମାନଙ୍କର କୌଣସି କ୍ଷତି ହେବ ନାହିଁ । ଯଦି କୌଣସି କ୍ଷତି ହୁଏ ତା’ହେଲେ ସେ ମୁସଲମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଠାୱଲେ ପ୍ରକାଶ କରିଥିଲେ । ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛନ୍ତି । କେନ୍ଦ୍ର ସରକାର ସର୍ବଦା ମୁସଲିମ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସିଛନ୍ତି । ତିନି ତଲାକ ପ୍ରଥାର ଉଚ୍ଛେଦ ଫଳରେ ମୁସଲିମ ମହିଳାମାନଙ୍କୁ ସେମାନଙ୍କ ଅଧିକାର ମିଳିପାରିଛି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ଭାବନା ନେଇ କାମ କରୁଛନ୍ତି । ତେଣୁ ମୁସଲିମମାନେ କେନ୍ଦ୍ର ସରକାରଙ୍କ ପ୍ରତି ବିଶ୍ୱାସ ରଖିବା ଦରକାର ବୋଲି ଅଠାୱଲେ କହିଥିଲେ ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବ ବିଜେପି କାର୍ଯ୍ୟକର୍ତ୍ତାମାନେ । ରାଜ୍ୟର 1004 ମଣ୍ଡଳର 37000 ବୁଥ୍ରୁ ସର୍ବନିମ୍ନ 50 ଜଣ କାର୍ଯ୍ୟକର୍ତ୍ତା ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ପୋଷ୍ଟ କାର୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, ପ୍ରତ୍ୟେକ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କରେ ସଚେତନତା ରାଲି ଏବଂ ବିଶାଳ ଜନ ସମାବେଶ କରାଯାଉଛି । ଏହି ଆଇନକୁ ସମର୍ଥନ କରି ପ୍ରତ୍ୟେକ ସ୍ଥାନରେ ଜନ ଜାଗରଣ କାର୍ଯ୍ୟକ୍ରମ, ଜନସଭା, ସଚେତନତା ସମାବେଶ ଆଦି କରାଯାଉଛି । ଏହା ସହ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରତ୍ୟେକ ସାଙ୍ଗଠନିକ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନୀ, ପଦଯାତ୍ରା ଘରକୁ ଘର ଯାଇ ସିଏଏ ସମ୍ପର୍କିତ ତଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି । ଏହି ଆଇନ୍କୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଞ୍ଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତ୍ତି ରଖିଛନ୍ତି ।ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତ୍ତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ଏହି ଆଇନ ଦ୍ୱାରା କେହି ଜଣେ ହେଲେ ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଏହି ସମାନ ମାର୍ଗରେ ହିଁ ଚାଲିଥିଲେ । ମୋଦୀ କହିଥିଲେ ଯେ, ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ମଧ୍ୟ ଚାହୁଁଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି । ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ ଲୋକସଭାରେ ଆଶ୍ୱାସନା ଦେଇଥିଲେ । ସିଏଏ ଲାଗୁ ହେବା ଦ୍ୱାରା ଧର୍ମ, ବିଶ୍ୱାସ ନିର୍ବିଶେଷରେ ଭାରତର କେହି ଜଣେ ହେଲେ ନାଗରିକ ପ୍ରଭାବିତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।