Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ କରୋନା

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଆସିଛି । ସେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏନେଇ ସୂଚନା ଦେବା ସହିତ ତାଙ୍କ ସମ୍ପର୍କରେ ଆସିଥିବା  ସମସ୍ତେ କରୋନା ଟେଷ୍ଟ କରିବାକୁ ଅପିଲ୍‌ କରିଛନ୍ତି । ସେହିପରି ତାଙ୍କ ନିକଟତର ହୋଇଥିବା ସମସ୍ତ ସହଯୋଗୀ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଶିବରାଜ ଏକ ଟୁଇଟ୍‌ ଜରିଆରେ କହିଛନ୍ତି ସେ କୋଭିଡ୍‌-19ର ଗାଇଡଲାଇନ ପାଳନ କରୁଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ 25ରୁ ପ୍ରତ୍ୟେକ ସନ୍ଧ୍ୟାରେ କରୋନା ଗତିବିଧିକୁ ନେଇ ସମୀକ୍ଷା ବୈଠକ କରୁଥିଲେ । ତେବେ ମୁଖ୍ୟମନ୍ତ୍ରୀ ଏବେ କ୍ବାରେଣ୍ଟାଇନ୍‌ରେ ରହିଥିବାବେଳେ ସେ ଏବେ ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା ବୈଠକ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ।

ଶିବରାଜ ସିଂହ ଚୌହ୍ବାନଙ୍କ ଅନୁପସ୍ଥିତିରେ ଏହି ବୈଠକରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର, ନଗର ବିକାଶ ଏବଂ ପ୍ରଶାସନ ମନ୍ତ୍ରୀ ଭୂପେନ୍ଦ୍ର ସିଂହ, ସ୍ବାସ୍ଥ୍ୟମ ଶିକ୍ଷା ମନ୍ତ୍ରୀ ବିଶ୍ବାସ ସାଙ୍ଗ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ପିଆର ଚୌଧୁରୀ କରିବେ ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ଦୁଷ୍ମନ୍ତ କୁମାର ପଣ୍ଡା 
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଜଣେ ଦିଲ୍ଲୀ ଫେରନ୍ତାଙ୍କ ପଜିଟିଭ ବାହାରିଥିବା ବେଳେ ଆର ଜଣକ ଅନ୍ୟ ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଯାଇଥିବା ଜଣାପଡିଛି। ଦୁଇଜଣ ଯାକ ବ୍ୟକ୍ତିଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କଳାହାଣ୍ଡିରେ ପଜିଟିଭ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ମାନେ ଧର୍ମଗଡ ଅଂଚଳର ବୋଲି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି।

ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପ।ଇଁ କ୍ଵାରେଣ୍ଟିନରେ ରହିବା ବାଧ୍ୟତା ମୂଲକ ବୋଲି କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଲନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ ତଥା ସରପଂଚ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି। ସେହିପରି ଜନସାଧାରଣଙ୍କ ଭିଡ ହେଉଥିବା ଦୃଷ୍ଟିରୁ ଜିଲ୍ଲାସାରା ସମସ୍ତ ସାପ୍ତାହିକ ବଜାରକୁ ମଧ୍ୟ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ ୨୪୫ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ୩୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦୮୬ ଜଣ। ସେହିପରି ସୁସ୍ଥ ହୋଇଛନ୍ତି ୪ହଜାର ୭୪୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୧ ଜଣ। ସେହିପରି ୭ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ପଡିଲା ମହଙ୍ଗା : 25 ଜଣଙ୍କ ମଧ୍ୟରୁ 19 ଜଣଙ୍କଠାରେ କରୋନା ପଜିଟିଭ୍‌

ତେଲେଙ୍ଗାନା :  ତେଲେଙ୍ଗାନାର ସାଙ୍ଗାରେଡ୍ଡିଠାରେ ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିବା 25 ଜଣ ଲୋକଙ୍କ ମଧ୍ୟରୁ 19 ଜଣଙ୍କ ଠାରେ ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ସମସ୍ତେ ଜୁନ୍‌10 ତାରିଖରେ ସାଙ୍ଗାରେଡ୍ଡିର ଜହୀରାବାଦଠାରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିଲେ ।

କରୋନା ଲକ୍ଷଣ ଦେଖାଯିବା ପରେ ଏହି ସମସ୍ତ ଲୋକଙ୍କ ଟେଷ୍ଟ କରାଯାଇଥିଲା । ଏହା ମଧ୍ୟରୁ 19 ଜଣଙ୍କ ଠାରେ କରୋନା ପଜିଟିଭ୍‌ ଆସିବାର ସୂଚନା ରହିଛି । ଏହି ସମସ୍ତଙ୍କୁ ହାଇଦ୍ରାବାଦର ଗାନ୍ଧି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ମୃତ ମହିଳା ଜଣକ ଜହୀରାବାଦର ଶାନ୍ତି ନଗର କଲୋନୀରେ ରହୁଥିଲା । ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା ।

55 ବର୍ଷୀୟା ଏହି ମହିଳାଜଣକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ। ଜୁନ୍‌ 9 ତାରିଖରେ ତାଙ୍କ ସାମ୍ପଲ୍‌ ସଂଗ୍ରହ କରାଯାଇଥିଲା  । ଏହା ପରେ ମହିଳା ଜଣକଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷ ଦାୟିତ୍ବହୀନ ଭାବେ  କରୋନା ରିପୋର୍ଟକୁ ଅପେକ୍ଷା ନ କରି ମୃତ ମହିଳାଙ୍କ ଶବକୁ ପରିଜନକୁ ହସ୍ତାନ୍ତର କରିଦେଇଥିଲେ । ଏହା ପରେ ମହିଳାଙ୍କ ସମ୍ବନ୍ଧୀୟମାନେ ପାରମ୍ପରିକ ରୀତିନୀତିରେ ଅନ୍ତିମ ସଂସ୍କାର କରାଇଥିଲେ । ଏହା ପରେ ମହିଳାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚିନ୍ତା ବଢି ଯାଇଥିଲା । ପ୍ରଶାସନ ଶାନ୍ତି ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିବାବେଳେ ସେଠାରେ ଥିବା 350 ଘରକୁ ଟେଷ୍ଟିଂ କରାଯାଉଛି ।  ସମସ୍ତଘରକୁ ସାନିଟାଇଜେସନ୍‌ ମଧ୍ୟ କରାଯାଉଛି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ୍‌କୁ ଟପିଲା ଭାରତ : କରୋନା ପ୍ରଭାବିତ ଦେଶ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ ଦିନକରେ 10 ହଜାର 956 ଆକ୍ରାନ୍ତ ହୋଇଛନ୍ତି । ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 97 ହଜାର 535 କୁ ବୃଦ୍ଧି ହୋଇଛି । ଏହି ଆଧାରରେ ସ୍ପେନ ଓ ବ୍ରିଟେନକୁ ଭାରତ ଅତିକ୍ରମ କରିଛି । ସ୍ପେନରେ ଏଯାଏଁ କରୋନା ସଂକ୍ରମିତ ସଂଖ୍ୟା 2 ଲକ୍ଷ 89 ହଜାର 787 ହୋଇଥିବା ବେଳେ ବ୍ରିଟେନରେ ଏହି ସଂଖ୍ୟା 2 ଲକ୍ଷ 91 ହଜାର 409 ଜଣ । କରୋନା ପ୍ରଭାବିତ ଦେଶ  ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍‌ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ଋଷିଆ ।

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ୮୯ ହଜାର 701 ଥିବାବେଳେ ମୃତ୍ୟୁ ସଂଖ୍ୟା 1,16ହଜାର 034ରେ ପହଞ୍ଚିଛି । ସେହିପରି ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 5 ହଜାର 649କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 58ରେ ପହଞ୍ଚିଛି  ଓ ଋଷିଆରେ ମୃତ୍ୟୁ ସଂଖ୍ୟା 6,532କୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 2 ହଜାର 436କୁ ବୃଦ୍ଧି ହୋଇଛି । ସେହିପରି ଭାରତରେ ମୋଟ୍‌ ମୃତ୍ୟୁ ସଂଖ୍ୟା 8 ହଜାର 498କୁ ବୃଦ୍ଧି ହୋଇଛି । ସେହିପରି ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ 89 ହଜାର 787 ଥିବାବେଳେ ମୃତ୍ୟୁ ସଂଖ୍ୟା 27 ହଜାର 136 ରହିଛି । ବ୍ରିଟେନ୍‌ରେ 2 ଲକ୍ଷ 91 ହଜାର 409 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 279କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ନୂତନ 136 ପଜିଟିଭ୍‌ ଚିହ୍ନଟ ପରେ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି ଆକ୍ରାନ୍ତ

ଭୁବନେଶ୍ବର : ଆଜି ଚିହ୍ନଟ ହୋଇଥିବା 136 ଆକ୍ରାନ୍ତଙ୍କ ମଧ୍ୟରେ  ପଶ୍ଚିମବଙ୍ଗ ଆମ୍ପାନ୍‌ ଉଦ୍ଧାର କାର୍ଯ୍ୟରୁ ଫେରିଥିବା ଏନ୍‌ଡିଆର୍‌ଏଫ୍‌ / ଓଡିଆରଏଫ୍‌/ଫାୟାର ସର୍ଭିସ୍‌ର 54 ଜଣ କର୍ମଚାରୀ ରହିଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ 17 ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ 15 ଜଣ,  ମୟୂରଭଞ୍ଜରୁ 9, କେଉଁଝରରୁ 8,  କଟକ ଓ ଗଜପତିରୁ 7 ଜଣ ଲେଖାଏଁ ରହିଛନ୍ତି ।   ଝାରସୁଗୁଡାରୁ 4,  ଢେଙ୍କାନାଳ, ଗଞ୍ଜାମ, ପୁରୀ ଜିଲ୍ଲାରୁ ତିନି ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡା ଓ କଳାହାଣ୍ଡିରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି ।

ଜିଲ୍ଲା ପଜିିଟିଭ୍‌ ସୁସ୍ଥ ଆକ୍ରାନ୍ତ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 652 498 150 4 0
ଯାଜପୁର 326 287 39 0 0
ଖୋର୍ଦ୍ଧା 307 183 118 4 2
କଟକ 216 119 96 1 0
ବାଲେଶ୍ବର 197 159 37 0 1
କେନ୍ଦ୍ରାପଡା 171 161 10 0 0
ଭଦ୍ରକ 152 135 17 0 0
ଜଗତସିଂହପୁର 130 76 54 0 0
ବଲାଙ୍ଗିର 124 80 44 0 0
ପୁରୀ 118 92 26 0 0
ସୁନ୍ଦରଗଡ 118 69 49 0 0
NDRF-ODRF 115 0 115 0 0
ନୟାଗଡ 97 75 22 0 0
ମୟୂରଭଞ୍ଜ 92 16 76 0 0
ଗଜପତି 79 33 46 0 0
ନୂଆପଡା 74 57 17 0 0
କେଉଁଝର 54 25 29 0 0
କନ୍ଧମlଳ 52 22 30 0 0
ଢେଙ୍କାନାଳ 42 21 21 0 0
ଦେବଗଡ 38 32 6 0 0
କଳାହାଣ୍ଡି 38 15 23 0 0
ବୌଦ୍ଧ 35 34 1 0 0
ଅନୁଗୁଳ 33 25 8 0 0
ସୋନପୁର 29 7 22 0 0
ମାଲ୍‌କାନଗିରି 22 21 1 0 0
ବରଗଡ 18 11 7 0 0
ସମ୍ବଲପୁର 18 12 6 0 0
କୋରାପୁଟ 17 8 9 0 0
ଝାରସୁଗୁଡା 13 7 6 0 0
ରାୟଗଡା 7 0 7 0 0
ନବରଙ୍ଗପୁର 2 2 0 0 0
Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଫିସ୍‌ ପାଇଁ ନୂତନ ଗାଇଡ ଲାଇନ୍‌ ଜାରି କଲେ ସରକାର

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଦେଶରେ ଚାରୋଟି ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଥିଲା । ଏବେ ପଞ୍ଚମ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଅର୍ଥାତ୍‌ ଅନ୍‌ଲକ୍‌ 1.0 ଆରମ୍ଭ ହୋଇଛି। ତେବେ ଲକ୍‌ଡାଉନ୍‌ରେ ଜାରି କରାଯାଇଥିବା ଅନେକ ଗୁଡିଏ କଟକଣାକୁ ଏହି ପର୍ଯ୍ୟାୟରେ କୋହଳ କରାଯାଇଛି । ନିକଟରେ ବହୁ ସରକାରୀ ତଥା ମନ୍ତ୍ରାଳୟର ବହୁ ଅଧିକାରୀମାନେ କରୋନାରେ ସଂକ୍ରମିତ ହୋଇଥିବାର ଖବର ରହିଛି । ନିକଟରେ ପ୍ରତିରକ୍ଷା ସଚିବ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଗତକାଲି ଶ୍ରମ ମନ୍ତ୍ରାଳୟ, ନିର୍ବାଚନ କମିଶନ, ପିଆଇବି କାର୍ଯ୍ୟାଳୟ ଆଦିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମଣ ବୃଦ୍ଧି ରୋକିବା ପାଇଁ ସରକାର ନୂଆ ନିୟମ ଜାରି କରିଛନ୍ତି । ସରକାରୀ ବିଭାଗ ଓ କର୍ମଚାରୀଙ୍କ ପାଇଁ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଜାରି ହୋଇଥିବା କଟକଣାକୁ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ସମସ୍ତ ଅଧିକାରୀଙ୍କୁ ଏହି ସମସ୍ତ ନିୟମ ମାନିବାକୁ ବାଧ୍ୟତାମୂଳକ କରାଯାଇଛି ।

ଲକ୍ଷଣବିହୀନ କର୍ମଚାରୀମାନେ ଅଫିସ ଆସିପାରିବାର ନିୟମ କରାଯାଇଥିବାବେଳେ । ସାଧାରଣ ଥଣ୍ଡା ଜ୍ବର ବା କାଶ ହେଉଥିଲେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି କଣ୍ଟେନେମଣ୍ଟ ଜୋନ୍‌  କୌଣସି ପ୍ରକାରର ଅଫିସ୍‌ କାର୍ଯ୍ୟାଳୟ ଖୋଲାଯାଇପାରିବ ନାହିଁ ।

20 ବା 20ରୁ କମ୍‌ ଅଫିସ୍‌ରେ କର୍ମଚାରୀ ଉପସ୍ଥିତ ରହିବେ । ସମେସ୍ତ ସାମାଜିକ ନିୟମ ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଅଫିସ୍‌ରେ କର୍ମଚାରୀମାନେ ଏକାଠି ହେବା କିମ୍ବା ବୈଠକ କରିବାକୁ ବାରଣ କରାଯାଇଛି ।

ସମସ୍ତ ଅଧିକାରୀ, କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏପରିକି ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ଓ ଜଗୁଆଳୀମାନଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି। ନିୟମିତ ସାବୁନରେ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।

କର୍ମଚାରୀ କିମ୍ବା ଭିଜିଟର ଅଫିସ୍‌ ପରିସରରେ ଛେପ ପକାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଛେପ ପକାଇବା ଦଣ୍ଡନୀୟ କାର୍ଯ୍ୟ । ତେଣୁ ଏଥିପାଇଁ ଜରିମାନା ମଧ୍ୟ ଆଦାୟ ହେବ ବୋଲି ସୂଚନା ରହିଛି ।

ସେହିପରି କଟକଣା ଖିଲାପ କଲେ ସମ୍ପ୍ରତି କର୍ମଚାରୀ ତଥା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଭଙ୍ଗ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ବେକାବୁ କରୋନା : ପ୍ରଭାବିତ ଦେଶ ତାଲିକାରେ ଷଷ୍ଠ ସ୍ଥାନରେ ଭାରତ, ଦିନକରେ 294 ମୃତ

ନୂଆଦିଲ୍ଲୀ : ଭାରତର ହୁ ହୁ ହୋଇ କରୋନା ସଂକ୍ରମଣ ମାମଲା ବଢୁଛି । କେନ୍ଦ୍ର ସ୍ବାସ୍ଥ୍ୟ ପରିବାର ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 9887 ଆକ୍ରାନ୍ତ ହୋଇଥିବାବେଳେ 294ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 6,642ରେ ପହଞ୍ଚିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 36 ହଜାର 657କୁ ବୃଦ୍ଧି ହୋଇଛି । ଏପର୍ଯ୍ୟନ୍ତ ଦେଶରେ 1 ଲକ୍ଷ 15 ହଜାର 942 ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 14 ହଜାର 73 ଜଣ ।

ବିଶ୍ବରେ ସବୁଠୁ ଅଧିକ କରୋନା ପ୍ରଭାବିତ ଦେଶ ଆମେରିକା, ବ୍ରାଜିଲ୍‌, ରୁଷ୍‌, ବ୍ରିଟେନ୍‌ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ସେହିପରି ସଂକ୍ରମିତ ହାର ବୃଦ୍ଧିରେ ଭାରତ ବିଶ୍ବରେ ତୃତୀୟ ସ୍ଥାନରେ ପହଞ୍ଚିଛି ।

ଭାରତରେ ପାଞ୍ଚୋଟି ଦେଶରେ ସର୍ବାଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ଆସୁଥିବାବେଳେ ମହାରାଷ୍ଟ୍ର ପରେ ଦ୍ବିତୀୟ ସ୍ଥାନରେ ରହିଛି ଦିଲ୍ଲୀ, ତୃତୀୟ ସ୍ଥାନରେ ତାମିଲନାଡୁ, ଚତୁର୍ଥ ସ୍ଥାନରେ ଗୁଜୁରାଟ ଓ ପଞ୍ଚମ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ଏହି ପାଞ୍ଚୋଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ୍‌ ମାମଲା ରହିଛି ।

ମହାରାଷ୍ଟ୍ରରେ ସର୍ବାଧିକ 80, 229 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2849କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ର ପଛକୁ ରହିଛି ଗୁଜୁରାଟ । ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 1190 ରହିଥିବାବେଳେ ଦିଲ୍ଲୀରେ 708, ମଧ୍ୟପ୍ରଦେଶରେ 384, ପଶ୍ଚିମବଙ୍ଗରେ 366, ଉତ୍ତରପ୍ରଦେଶରେ 257, ତାମିଲନାଡୁରେ 232, ରାଜସ୍ଥାନରେ 218, ତେଲେଙ୍ଗାନାରେ 113, ଆନ୍ଧ୍ରପ୍ରଦେଶରେ 73 ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

କେଉଁ ରାଜ୍ୟରେ କିପରି ରହିଛି କରୋନା ସ୍ଥିତି :

କ୍ରମିକ ସଂଖ୍ୟା ରାଜ୍ୟର ନାମ ଆକ୍ରାନ୍ତଙ୍କ ସଂଖ୍ୟା (11ବିଦେଶୀଙ୍କ ସମେତ)
ସୁସ୍ଥ ମୃତ
1 ଆଣ୍ଡାମାନ ନିକୋବର 33 33 0
2 ଆନ୍ଧ୍ରପ୍ରଦେଶ 4303 2576 73
3 ଅରୁଣାଚଳ ପ୍ରଦେଶ 45 1 0
4 ଆସାମ 2153 498 4
5 ବିହାର 4596 2225 29
6 ଚଣ୍ଡୀଗଡ 304 222 5
7 ଛତିଶଗଡ 879 244 2
8 ଦିଲ୍ଲୀ 26334 10315 708
9 ଗୋଆ 196 165 0
10 ଗୁଜୁରାଟ 19094 13003 1190
11 ହରିୟାଣା 3597 2134 24
12 ହିମାଚଳ ପ୍ରଦେଶ 393 189 5
13 ଜମ୍ମୁକାଶ୍ମୀର 3324 1086 36
14 ଝା୍ଡଖଣ୍ଡ 881 410 7
15 କର୍ଣ୍ଣାଟକ 4835 1688 57
16 କେରଳ 1699 712 14
17 ଲଦାଖ 97 48 1
18 ମଧ୍ୟପ୍ରଦେଶ 8996 5878 384
19 ମହାରାଷ୍ଟ୍ର 80229 35156 2849
20 ମଣିପୁର 132 41 0
21 ମେଘାଳୟ 33 13 1
22 ମିଜୋରାମ 22 1 0
23 ଓଡ଼ିଶା 2608 1604 8
24 ପୁଡୁଚେରୀ 99 36 0
25 ପଞ୍ଜାବ 2461 2069 48
26 ରାଜସ୍ଥାନ 10084 7359 218
27 ତାମିଲନାଡୁ 28694 15762 232
28 ତେଲେଙ୍ଗାନା 3290 1627 113
29 ତ୍ରିପୁରା 692 173 0
30 ଉତ୍ତରାଖଣ୍ଡ 1215 344 11
31 ଉତ୍ତରପ୍ରଦେଶ 9733 5648 257
32 ପଶ୍ଚିମବଙ୍ଗ 7303 2912 366
ଭାରତରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 236657 114073 6642

 

Categories
ଆଜିର ଖବର ଜାତୀୟ ଖବର

ଭାରତରେ କରୋନା ସ୍ଥିତି ଜଟିଳ : କରୋନା ମୃତ୍ୟୁ ସଂଖ୍ୟା 5,598କୁ ବୃଦ୍ଧି

ନୂଆଦିଲ୍ଲୀ:  ମହାମାରୀ କରୋନା ବିଶ୍ବରେ କାୟା ମେଲାଇଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ  ଭୟଙ୍କର ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଗତ 24 ଘଣ୍ଟାରେ 8ହଜାର ରୁ ଅଧିକ ମାମଲା ସାମନାକୁ ଆସୁଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 98 ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 5 ହଜାର 5 ଶହ ପାର ହେଲାଣି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 8171 ନୂତନ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଥିବାବେଳେ 204ଜଣଙ୍କର ମୃତ୍ୟୁଘଟିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 1 ଲକ୍ଷ 98  ହଜାର 706ରେ ପହଂଚିଛି ।  ସେହିପରି ମୃତ୍ୟୁ ସଂଖ୍ୟା 5 ହଜାର 598 କୁ ବୃଦ୍ଧି ହୋଇଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 95, 527 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 97,581 ସକ୍ରିୟ ଅଛନ୍ତି। 97 ହଜାର 581 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 70 ହଜାର 13 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 2362 ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ 1063, ମଧ୍ୟପ୍ରଦେଶରେ 358  ଓ ପଶ୍ଚିମବଙ୍ଗରେ 302 ଜଣ ଙ୍କ ମୃତ୍ୟୁ ହୋଇଛି । ସେହିପରି ରାଜସ୍ଥାନରେ 184, ଦିଲ୍ଲୀରେ 398 ଓ ତାମିଲନାଡୁରେ 154 ଜଣଙ୍କ ମୃତ୍ୟୁହୋଇଛି ।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ରାଜଭବନରେ ଚାରି କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନାର ମାମଲା ବଢିବାରେ ଲାଗିଛି । ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ୍‌ ବୈଜଲ୍‌ଙ୍କ ବାସଭବନରେ ଚାରିଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି । ଶୁକ୍ରବାର ଦିନ ଏନେଇ ସୂଚନା ମିଳିଛି। ଏଠାରେ ଚାରି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣ ଅଫିସ୍‌ରେ କିରାଣୀ ଭାବେ କାର୍ଯ୍ୟ କରୁଥିବାବେଳେ ଜଣେ ସଫାଇ କର୍ମଚାରୀ ରହିଛନ୍ତି । ରାଜ ଭବନରୁ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କୁ ସ୍କାନରରେ ରଖାଯାଇଛି । ଚିହ୍ନଟ ହୋଇଥିବା ଚାରି ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଖୋଜାଚାଲିଛି । ଏହାପରେ ଉପରାଜ୍ୟପାଳଙ୍କ ଅଫିସ୍‌ରେ ସମସ୍ତ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ ।

ଏତଦ୍‌ବ୍ୟତୀତ ଦିଲ୍ଲୀର ମେୟର ହାଉସ୍‌ରେ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଏହା ପରେ ନର୍ଥ ଏମ୍‌ସିଡି ମେୟର ଅବତାର ସିଂଙ୍କ ସମେତ 21 ଜଣ କର୍ମଚାରୀଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ କରାଯାଇଛି ।

ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ଯୋଗୁଁ 398ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍‌ଡାଉନ୍‌ 4ରେ କୋହଳ କଟକଣା ଯୋଗୁଁ ମାମଲା ବେଶ୍‌ ବଢିବାରେ ଲାଗିଛି । ଦିଲ୍ଲୀରେ ଏବେ ସଂକ୍ରମିତଙ୍କ ସଂଖ୍ୟା 16,281 ରହିଛି । (ଏଜେନ୍ସି)

Categories
ବିଶେଷ ଖବର

କୋଭିଦ ପରି ଅଙ୍ଗାରକାମ୍ଳ ବକ୍ରରେଖା ବୃଦ୍ଧିକୁ ସମତଳ କରିବା ନିତାନ୍ତ ଆବଶ୍ୟକ

ଧନଦା କାନ୍ତ ମିଶ୍ର

କୋଭିଦ ମହାମାରୀ ଆରମ୍ଭ ହେବା ସହିତ ‘ବକ୍ରରେଖା ବୃଦ୍ଧି କୁ ସମତଳ କରିବା’ (ଫ୍ଲାଟେନ ଦି କର୍ଭ) ଉକ୍ତି ଟି ଲୋକପ୍ରିୟ ହୋଇଛି । ଏହା ସଂକ୍ରମଣର ହାରକୁ ମନ୍ଥର କରିବାକୁ ବୁଝାଏ। ହାତ ଧୋଇବା, ମୁହଁ ରେ ମୁଖା ପିନ୍ଧିବା, ବାଧ୍ୟତାମୂଳକ ସଙ୍ଗରୋଧ ଠାରୁ ଆରମ୍ଭ କରି ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଇବା ପର୍ଯ୍ୟନ୍ତ ବିଭିନ୍ନ ଉପାୟରେ ଏହା କରାଯାଏ । ସାରା  ବିଶ୍ୱରେ ବିଭିନ୍ନ ଦେଶର ସରକାରମାନେ ଏହାଦ୍ବାରା କରୋନା ଭୁତାଣୁ କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ବିପଦ ଠାରୁ  ଆହୁରି ଏକ ବଡ ବିପଦପୂର୍ଣ୍ଣ ଚକ୍ର ବୃଦ୍ଧି ପ୍ରକ୍ରିୟା ଅଛି ଯାହା ମାନବ ସମାଜ ଏ ପର୍ଯ୍ୟନ୍ତ ସମତଳ କରିବାରେ ଅସମର୍ଥ ଏବଂ ଏହା କରୋନା ଭୁତାଣୁ ଜନିତ  ମହାମାରୀ ର ବହୁ ଦିନ ପର ପର୍ଯ୍ୟନ୍ତ ମାନବ ସମାଜ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରି ଚାଲିବ । ସେହି ବିପଦ ର ଏକ ଛୋଟ ଝଲକ ଥିଲା ଅମଫନ ଘୁର୍ନି  ବାତ୍ୟା ଯାହା ସଦ୍ୟ  ଓଡ଼ିଶା ଓ ପଶ୍ଚିମ  ବଙ୍ଗଳାରେ ତାଣ୍ଡବ କରି ଯାଇଛି । ଏହି ଚକ୍ର ବୃଦ୍ଧି ପ୍ରକ୍ରିୟାଟିର  ନାଁ  ହେଲା – ଅଙ୍ଗାରକାମ୍ଳ ବାଷ୍ପ ବୃଦ୍ଧି ଚକ୍ର ।

ସାର୍ସ – କୋଭ -2 ଭୁତାଣୁ ଯାହା କୋଭିଦ -୧୯ ବିମାରୀ ସୃଷ୍ଟି କରେ, ପୃଥିବୀ ର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ମାନଙ୍କୁ ଆଣ୍ଠେଇ ସାରିଛି ।  ଏହି ବିମାରୀ ରେ ସଂକ୍ରମିତମାନଙ୍କ ମଧ୍ୟରୁ ଅଧିକାଂଶ ଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଯାଏ ନାହିଁ କିନ୍ତୁ ଭୁତାଣୁ ବିସ୍ତାରରେ ସେମାନେ ସକ୍ଷମ ହୋଇଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରମାଣିତ ହୋଇଛି। ଲେଖିବା ସମୟ ପର୍ଯ୍ୟନ୍ତ ସାରା ବିଶ୍ବରେ ଅନ୍ୟୁନ ୫ ନିୟୁତରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରି ଥିଲେ, ଯେଉଁଥିରୁ ତିନି  ଲକ୍ଷ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରି ଥିଲା। ବିଶେଷଣଜ୍ଞଙ୍କ ମତରେ କରୋନା ଚକ୍ର ବୃଦ୍ଧି ଅନେକ ଦେଶରେ, ଯଥା ହଂକଂ, ଚୀନ, କୋରିଆ, ନିଉଜିଲାଣ୍ଡ, ଜାପାନ ଆଦିରେ ନିୟନ୍ତ୍ରଣରେ ଆସିସରିଛି ଓ ସାରା ବିଶ୍ବରେ ଭବିଷ୍ୟତରେ ଏହାର ଚକ୍ର ବୃଦ୍ଧି ସଂକ୍ରମଣର ହାର ସମତଳ ହୋଇପାରିବ। କିନ୍ତୁ ବିଶ୍ଵ ଉତ୍ତପ୍ତି କରଣ ଓ ଜଳବାୟୁ ପରିବର୍ତନ ପାଇଁ ଦାୟୀ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳ ବାଷ୍ପର ଚକ୍ର ବୃଦ୍ଧି ହାର କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଠିନ କିନ୍ତୁ ନିତାନ୍ତ ଆବଶ୍ୟକ।

ବିଶ୍ଵର ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ମାତ୍ରା ରେ ବୃଦ୍ଧି ହାର କୁ ଦର୍ଶାଉଥିବା ବକ୍ରରେଖା – କିଲିଙ୍ଗ ରେଖା ଭାବରେ ଜଣାଶୁଣା। ୧୭୬୦  ମସିହାରେ ଶିଳ୍ପ ବିପ୍ଳବର ଆରମ୍ଭ ହେବା ଆଗରୁ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ମାତ୍ରା ଥିଲା ଦଶ ଲକ୍ଷ ଭାଗରେ ୨୭୫ ଭାଗ ଯାହାକୁ ୨୭୫ ପିପିଏମ କୁହାଯାଏ । ଆଜି ଏହା ପ୍ରାୟ ୪୧୭ ପିପିଏମ ରେ ପହଞ୍ଚି ସାରିଛି ।  ଯଦି ଆନ୍ତଃ–ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ସମିତି (ଆଇପିସିସି) ଦ୍ବାରା  ନିର୍ଦ୍ଧାରିତ ବିଶ୍ଵର ହାରାହାରି ତାପମାତ୍ରାକୁ ପ୍ରାକ୍-ଶିଳ୍ପ ତାପମାତ୍ରାଠାରୁ ୨ °C ତଳେ ରଖାଯାଏ, ତାହେଲେ  ୨୦୧୭ ମସିହାରୁ – ହିସାବ କଲେ ବାୟୁମଣ୍ଡଳ ୧୧୭୦ ଗିଗାଟନ୍ (ଏକ ଟନ ଅର୍ଥାତ ୧୦୦୦ କିଗ୍ରା ଓ ଗିଗ ଅର୍ଥ ୧୦୦ କୋଟି) ରୁ ଅଧିକ ଅଙ୍ଗାରକାମ୍ଳ ଗ୍ରହଣ କରିପାରିବ ନାହିଁ  । ଯେହେତୁ ବିଶ୍ଵ ସ୍ତରରେ ପ୍ରତିବର୍ଷ ୪୨ ଗିଗାଟନ୍ ଅଙ୍ଗାରକାମ୍ଳ ନିର୍ଗତ ହେଉଛି, ପ୍ରାୟ ୨୬  ବର୍ଷ ମଧ୍ୟରେ ଏହି ଅଙ୍ଗାରକାମ୍ଳ ବଜେଟ୍ ଶେଷ ହୋଇଯିବ । ଯଦି ହାରାହାରି ତାପମାତ୍ରା ବୃଦ୍ଧି କୁ ୧.୫ °C ରେ ସୀମିତ ରକ୍ଷା ଯାଏ ଯାହା ଦ୍ଵାରା ଜଳବାୟୁ ସଙ୍କଟ ର ସବୁଠାରୁ ଅଧିକ କୁପ୍ରଭାବ ଏଡାଇ ହେବ, ତେବେ ମାତ୍ର ୮ ବର୍ଷ ମଧ୍ୟରେ ଅଙ୍ଗାରକାମ୍ଳ ନିର୍ଗମନ କୁ ନିୟନ୍ତ୍ରଣ ରେ ଆଣିବାକୁ ହେବ।

କରୋନା ଭୁତାଣୁ ସମସ୍ୟା ର ପ୍ରତିଷେଧକ ନାହିଁ, କିନ୍ତୁ ଜଳବାୟୁ ସଙ୍କଟକୁ ହ୍ରାସ କରିବା ଏବଂ ଏହ ପଛରେ ଥିବା ଅଙ୍ଗାରକାମ୍ଳ ନିର୍ଗମନ ଚକ୍ରବୃଦ୍ଧି କୁ ସମତଳ କରିବା ପାଇଁ ସମସ୍ତ ଜ୍ଞାନ ଓ ଇଚ୍ଛା  କଲେ ସବୁ ସାଧନ ମଧ୍ୟ ଏକାଠି କାରୀ ହେବ। ଯଦି ସବୁ ଦେଶର ସରକାର ମାନେ ଏକାଠି ହୋଇ ଏହାକୁ କରିବାକୁ ଚାହିଁବେ ତାହେଲେ ନିଶ୍ଚୟ ଏହି ସଙ୍କଟ ର ସମାଧାନ ହୋଇପାରିବ । ଜୀବାଶ୍ମ ଇନ୍ଧନ କମ୍ପାନୀ  ମାନେ ୧୯୮୦ ଦଶକରୁ ଗବେଷଣା କରି ଆଜି  ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ର ସ୍ତର କ’ଣ ହେବ ତାହା ସଠିକ ଭାବରେ ଜାଣି ପାରି ଥିଲେ । ଏହା ଦ୍ଵାରା ହେବାକୁଥିବା ସବୁଜ ଘର ପ୍ରଭାବ ଓ ତତ୍ ଜନିତ ବିଶ୍ଵ ଉତ୍ତପ୍ତି କରଣ ଓ ଜଳବାୟୁ ପରିବର୍ତନ ବିଷୟରେ ବୈଜ୍ଞାନିକ ମାନେ ଅତି କମରେ ୩୦-୪୦ ବର୍ଷ ତଳୁ ମାନବ ସମାଜ କୁ ଚେତାବନୀ ଦେଇ ଆସୁଛନ୍ତି । ବିଭିନ୍ନ ଦେଶ ର ସରକାର ମାନେ ଏ ବିଷୟରେ ସମ୍ପୂର୍ଣ  ଭାବରେ ଅବଗତ ଥିଲେ ମଧ୍ୟ ବହୁ ଚେଷ୍ଟା ପରେ ୨୦୧୫ – ୧୬ ମସିହାରେ ପ୍ୟାରିସ  ଚୁକ୍ତି ମାଧ୍ୟମରେ ଏହି ସଙ୍କଟ ର ସମାଧାନ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ବଦ୍ଧ ହୋଇଥିଲେ। ନିକଟ ରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ୟାରିସ ଚୁକ୍ତି ରୁ ଓହରି ଯିବା ଦ୍ଵାରା ଏହାର ଫଳପ୍ରଦ କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି  ହୋଇଛି ।

ଜଳବାୟୁ ସଙ୍କଟ ର ଅନ୍ୟ ଏକ ଗୁରୁତ୍ଵପୂର୍ଣ ଦିଗ ହେଲା ବର୍ଦ୍ଧିତ ବାୟୁ ପ୍ରଦୂଷଣ, ଯାହାକି ମଣିଷର ହୃଦୟ ଏବଂ ଫୁସଫୁସକୁ କ୍ଷତି ପହଞ୍ଚାଏ । ପୂର୍ବରୁ ଶ୍ଵାସ କ୍ରିୟା ଏବଂ ହୃଦ୍‌ରୋଗରେ ଆକ୍ରାନ୍ତ କରୋନା ରୋଗୀ କୋବିଦ ରୋଗରେ ଆକ୍ରାନ୍ତ ହେବା ଏବଂ ମୃତ୍ଯୁ   ମୁଖରେ ପଡିବାର ସମ୍ଭାବନା ବହୁ ଅଧିକ । ବୈଜ୍ଞାନିକ ଅଧ୍ୟୟନରୁ ବାୟୁ ପ୍ରଦୂଷଣ ଓ ୨୦୦୩ ମସିହାର ସାର୍ସ ମହାମାରୀ ମଧ୍ୟରେ ଥିବା ସମ୍ବନ୍ଧ ପ୍ରମାଣିତ ହୋଇସାରିଛି ।  କରୋନା ମହାମାରୀ ପାଇଁ କରାଯାଇଥିବା ସମାନ ପ୍ରକାର ଅଧ୍ୟୟନଗୁଡିକ ଏପର୍ଯ୍ୟନ୍ତ ପୂର୍ଣ ସମୀକ୍ଷା ହୋଇପାରି ନଥିଲେ ମଧ୍ୟ ଏସବୁରୁ ମହାମାରୀର ବିସ୍ତାର ଏବଂ ନିୟନ୍ତ୍ରଣ କରିବାର  ଉପାୟ ବିଷୟରେ ସମ୍ୟକ ଧାରଣା ମିଳି ଥାଏ । ଆମେରିକା ର ଏକ ଅଧ୍ୟୟନ ରୁ ବାୟୁ ପ୍ରଦୂଷଣ ଓ ଅଧିକ କରୋନା ମୃତ୍ୟୁ ଦର ମଧ୍ୟରେ ସିଧା ସଳଖ ସମ୍ପର୍କ ରହିଥିବାର ଜଣାପଡିଛି । ଅନ୍ୟ ଏକ ୟୁରୋପୀୟ ଅଧ୍ୟୟନ ମଧ୍ୟ ଅନୁରୂପ ସିଦ୍ଧାନ୍ତରେ ପହଞ୍ଚିଛି । ପରିଶେଷରେ, ଚୀନ ଦେଶରେ ମଧ୍ୟ ୩୨୪ ଟି ସହର ର ଏକ ଅଧ୍ୟୟନ ଯବକ୍ଷାରଜାନ ଡାଇଅକସାଇଡ ପ୍ରଦୂଷଣର ମାତ୍ରା ସହିତ ସେହି ସ୍ଥାନଗୁଡିକର କରୋନା ମହାମାରୀର ସମ୍ପର୍କ ଥିବାର ଜଣାଯାଏ ।

ବାୟୁ ପ୍ରଦୂଷଣ ସାରା ବିଶ୍ୱରେ ବାର୍ଷିକ ୭ ନିୟୁତ ଅକାଳ ମୃତ୍ୟୁର କାରଣ ଅଟେ ।  ମହାମାରୀର ପରିଣତି ସ୍ଵରୂପ ଲକ ଡାଉନ ଦ୍ଵାରା ବାୟୁ ପ୍ରଦୂଷଣ ହାରାହାରି ୨୫ % କମ୍ ହେବା ଯୋଗୁଁ ଏକ ମାସ ଭିତରେ ୩୬୦୦୦ ଅକାଳ ମୃତ୍ୟୁ କମିପାରିଛି । ୟୁରୋପରେ, ପରିଷ୍କାର ବାୟୁ ଯୋଗୁଁ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଏକ ମାସରେ ୧୧୦୦୦ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିଥିଲା। ଆଶ୍ଚର୍ଯ୍ୟ କଥା ହେଲା ତେଣେ ଆମେରିକାରେ ଟ୍ରମ୍ପ୍ ପ୍ରଶାସନ ଅଟୋ କମ୍ପାନୀଗୁଡିକୁ ଅଧିକ ଇନ୍ଧନ-ଦକ୍ଷ ଯାନ ଉତ୍ପାଦନ ନିୟମ ପାଳନ କରିବାକୁ ସଶକ୍ତ କରିବା ବଦଳରେ ଦୁର୍ବଳ କରୁଛି – ଯାହା ଅକ୍ଷମଣୀୟ |

ମାନବ ଯେ ପ୍ରକୃତି ଓ ପରିବେଶର ବିନାଶ କରି ନୂଆ ନୂଆ ଭୂତାଣୁ ଏବଂ ଜୀବାଣୁ ସବୁକୁ ଡାକି ଆଣୁଛି – ଏହାର କିଛି  କିଛି ଆଦ୍ୟ ପ୍ରମାଣ ମିଳି ସାରିଛି। ଭବିଷ୍ୟତରେ ମହାମାରୀ ସବୁ ର ମୁକାବିଲା ପାଇଁ  ଜଳବାୟୁ ସଙ୍କଟର ସମାଧାନ ତଥା ପରିବେଶ ର ସ୍ଥିରତା ଅବଶ୍ୟମ୍ଭାବୀ ଠିକ ସେହିପରି ଯେପରି କି ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ କରିବା ଯେତିକି ଯୁକ୍ତିଯୁକ୍ତ।

କରୋନା ମହାମାରୀର ସବୁଠାରୁ ତତକ୍ଷଣାତ୍ ପ୍ରଭାବ ହେଲା ସ୍ୱାସ୍ଥ୍ୟ ଓ ଜୀବନ ହାନି । ପରବର୍ତୀ ବଡ ସମସ୍ୟା ହେଲା ଅର୍ଥନୀତିର ବିନାଶ ଯୋଗୁଁ ଅନେକଙ୍କ ଜୀବିକା ହରାଇବା । ଏହି ଆର୍ଥିକ କ୍ଷତି ଭରଣା କରିବା ପାଇଁ ଅର୍ଥନୀତିଜ୍ଞ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତାବ ଦେଉଛନ୍ତି । ଉଦାହରଣ ସ୍ବରୂପ, ଆମେରିକାରେ ମଲ୍ଟି ଟ୍ରିଲିୟନ୍ ଡଲାର୍ ର ଆର୍ଥିକ ସହାୟତା ଘୋଷଣା କରାଯାଇଛି, ସ୍ପେନରେ ଏକ ସାର୍ବଜନୀନ ନ୍ୟୁନତମ ଆୟର ପ୍ରସ୍ତାବ ବିଚାରାଧୀନ ଅଛି ।  ବିଶ୍ୱ ସ୍ତରରେ ଏହି ସବୁ ଆର୍ଥିକ ସହାୟତା ର ମୂଲ୍ୟ ସାରା ପୃଥିବୀର ମୋଟ ଘରୋଇ ଉତ୍ପାଦ (ଜିଡିପି) ର ୫% ହେଇଥିବା ବେଳେ, ଜାପାନରେ ଏହା ଜିଡିପିର ୨୧% ଏବଂ ଆମେରିକାରେ ୧୧% ।  ଏହି ସବୁ ଆର୍ଥିକ ବିନିଯୋଗ ର ପ୍ରସ୍ତାବ ତୁଳନାରେ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଆବଶ୍ୟକ ଅର୍ଥ  ର ପରିମାଣ ହେଲା ବର୍ଷ ପ୍ରତି ୨୦୦ – ୩୦୦  ବିଲିୟନ ୟୁରୋ ଯାହା ୨୦୩୦ ମସିହାର ସମ୍ଭାବ୍ୟ ବିଶ୍ୱ ଜିଡିପିର ମାତ୍ର ୧% ରୁ ମଧ୍ୟ କମ୍ । କରୋନା ମହାମାରୀ ବିଶ୍ୱ ଆର୍ଥିକ ବ୍ୟବସ୍ଥାରେ ଦୀର୍ଘମିଆଦୀ ସଂସ୍କାର ଆରମ୍ଭ କରିବାର ଏକ ବଡ ସୁଯୋଗ ଏବଂ  ଜୀବାଶ୍ମ ଇନ୍ଧନରୁ ଦୂରେଇ ଯାଇ ପ୍ୟାରିସ୍ ଜଳବାୟୁ ଚୁକ୍ତିନାମାର ଲକ୍ଷ୍ୟ ହାସଲ କରିବାକୁ ବଳିଷ୍ଠ ପଦକ୍ଷେପ ନେବାର ପ୍ରକୃଷ୍ଟ ଅବସର।  ଆନ୍ତର୍ଜାତୀୟ ନବୀକରଣ ଯୋଗ୍ୟ ଶକ୍ତି ଏଜେନ୍ସି (IRENA) ଏକ ରିପୋର୍ଟ ରେ ପ୍ରକାଶ କରିଛି ଯେ ଅକ୍ଷୟ ଶକ୍ତି ବର୍ତ୍ତମାନ ଏବଂ ୨୦୫୦ ମଧ୍ୟରେ ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ପ୍ରାୟ ୧୦୦ ଟ୍ରିଲିୟନ (ଏକ ଲକ୍ଷ କୋଟି) ଆମେରିକୀୟ ଡଲାରର ମୂଲ୍ୟ ଯୋଗ କରିପାରିବ ।

ସ୍ଵନାମଧନ୍ୟ ଲେଖିକା ଅରୁନ୍ଧତୀ ରୟ ତାଙ୍କର ନିକଟ ରେ ପ୍ରକାଶିତ ଏକ ପ୍ରବନ୍ଧରେ କରୋନା  ମହାମାରୀକୁ ମହାକାଶରେ ଏକ ଜାଗତିକ ସନ୍ଧି-ଦ୍ଵାର (ପୋର୍ଟାଲ) ସହ ତୁଳନା କରି କହିଛନ୍ତି – “ଏହା ମାନବ ସମାଜକୁ ଭବିଷ୍ୟତର ଗତିପଥ ନିର୍ଦ୍ଧାରଣ କରିବା ପାଇଁ ଏକ ଐତିହାସିକ  ସୁଯୋଗ ଦେଇଛି। ଜଳବାୟୁ ସଙ୍କଟର ମୁକାବିଲା କରିବା ପାଇଁ ସମର୍ଥ ବିଶ୍ୱ ନିର୍ମାଣ କରିବାର ଏହା ଏକ ସୁବର୍ଣ ଅବସର” । ଅଙ୍ଗାରକାମ୍ଳ ବକ୍ରରେଖା କୁ ସମତଳ କରି ମାନବ ସମାଜ ଭବିଷ୍ୟତର ଅଜଣା ମହାମାରୀ ମାନଙ୍କୁ ଏଡାଇବାର ଏହି ଅପୂର୍ବ ଅବସର ର ସଦୁପୋଯୋଗ କରିବ କି ନାହିଁ ତାହା ଭବିଷ୍ୟତ ହିଁ  କହିବ।

ଲେଖକ ଜଣେ ସିଭିଲ  ଇଞ୍ଜିନିୟରିଂ ର ପ୍ରାଧ୍ୟାପକ ଓ ବର୍ତ୍ତମାନ ଜଣେ ଗବେଷକ ଭାବରେ ହଂକଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ରେ କାର୍ଯ୍ୟରତ ତାଙ୍କୁ [email protected] ରେ ଇମେଲ ମାଧ୍ୟମରେ ଯୋଗାଯୋଗ  କରିହେବ

 

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁସ୍ଥ ହେଲେ 17 ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି 17 କରୋନା ଆକ୍ରାନ୍ତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏକା ସାଙ୍ଗରେ ଏତେ ରୋଗୀ ସୁସ୍ଥ ହେବା ଉତ୍ସାହଜନକ ରହିଛି । ସୋମବାର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ 85 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 7 ଜଣ ବ୍ୟକ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ 5 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ତିନି ଜଣ ଏବଂ ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସମୁଦାୟ 391 ଜଣ ଆକ୍ରାନ୍ତ ରହିଥିବା ବେଳେ ତନ୍ମଧ୍ୟରୁ 85 ଜଣ ସୁସ୍ଥ ହୋଇଛନ୍ତି ଏବଂ 3 ଜଣଙ୍କର ପ୍ରାଣହାନି ଘଟିଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ତୃତୀୟ ମୁଣ୍ଡ ନେଲା କରୋନା

ଭୁବନେଶ୍ବର : ରାଜ୍ୟରେ କରୋନା ଯୋଗୁଁ ଆଉ ଜଣଙ୍କ ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ହୋଇଥିବାର ସୂଚନା ରହିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 352କୁ ଛୁଇଁଛି । ଆଜି ରାଜ୍ୟରେ ଆଉ 58ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ରୋଗୀ 117 ଜଣ ଚିହ୍ନଟ ହୋଇଥିବାବେଳେ ଆଜି ଜଣଙ୍କ ମୃତ୍ୟୁ ହୋଇଛି ।

Categories
ଆଜିର ଖବର ଜାତୀୟ ଖବର

କୋଭିଡ19 ମୁକାବିଲାରେ ସବୁ ଲୋକଙ୍କ ପରି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ସମଭାବାପନ୍ନ ; ନକଭି

ନୂଆଦିଲ୍ଲୀ : କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ କୌଶଳ ବିକାଶ କାର୍ଯ୍ୟକ୍ରମ ଜରିଆରେ 1500 ସ୍ଵାସ୍ଥ୍ୟସେବା ସହାୟକଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେମାନେ ଏବେ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି ବୋଲି ମନ୍ତ୍ରୀ ନକଭି କହିଛନ୍ତି।

ନକଭି କହିଛନ୍ତି ଯେ, ଏହି ସ୍ଵାସ୍ଥ୍ୟସେବା ସହାୟକଙ୍କ ମଧ୍ୟରୁ ଶତକଡା 50 ଭାଗ ହେଉଛନ୍ତି ଝିଅ, ଯେଉଁମାନେ କି ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା କରୁଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଉ 2000 ସ୍ୱାସ୍ଥ୍ୟ ସହାୟକଙ୍କୁ ତାଲିମ ଦିଆଯିବ। ଏହି ସ୍ୱାସ୍ଥ୍ୟସେବା ସହାୟକମାନଙ୍କୁ ଦେଶର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ଵନାମଧନ୍ୟ ହସ୍ପିଟାଲଗୁଡିକରେ ଏକ ବର୍ଷ ପର୍ଯ୍ୟନ୍ତ ତାଲିମ ପ୍ରଦାନ କରାଯାଉଛି ।

ନକଭି କହିଛନ୍ତି ଯେ, ଦେଶର ବିଭିନ୍ନ ୱାକଫ ବୋର୍ଡଗୁଡିକ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟକ ପାଣ୍ଠିକୁ 51 କୋଟି ଟଙ୍କା ସହାୟତା ଦିଆଯାଇଛି । ଏହାଛଡା ଏହି ୱାକଫ ବୋର୍ଡଗୁଡିକ ବିଭିନ୍ନ ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟୁଛନ୍ତି।

ନକଭି କହିଛନ୍ତି ଯେ, ଦେଶର 16ଟି ହଜ ଭବନକୁ କରୋନା ରୋଗୀଙ୍କ ଏକାନ୍ତବାସ ନିମନ୍ତେ ବ୍ୟବହାର କରିବାକୁ ରାଜ୍ୟ ସରକାରଗୁଡିକୁ ହସ୍ତାନ୍ତର କରାଯାଇଛି। ଆବଶ୍ୟକତା ଅନୁସାରେ ସେହି ରାଜ୍ୟ ସରକାରଗୁଡିକ ଏହାର ଉପଯୋଗ କରୁଛନ୍ତି।

ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ 1.40 କୋଟି ଟଙ୍କା ପ୍ରଦାନ କରିଛି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟ 100ଟି ଶଯ୍ୟାର ବ୍ୟବସ୍ଥା କରିବା ସହ 9000 ରୋଗୀଙ୍କ ନମୁନା ପରୀକ୍ଷଣ କରିଛି ବୋଲି ଶ୍ରୀ ନକଭି କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନା ରୋଗୀଙ୍କ ପାଇଁ ସଙ୍ଗରୋଧ ଏବଂ ଏକାନ୍ତବାସ ବ୍ୟବସ୍ଥା ଆଜମିର ସରିଫ ଦର୍ଘା ଖ୍ଵାଜା ଆଦର୍ଶ ବିଦ୍ୟାଳୟ ଏବଂ କୟାଦ ବିଶ୍ରାମସ୍ଥଳୀଠାରେ କରାଯାଇଛି। ଜାତି, ଧର୍ମ ନିର୍ବିଶେଷରେ ଲକଡାଉନ କାଳରେ 4500ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହିତ ରବିହାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଦର୍ଘା କମିଟି, ଦର୍ଘା ଖାଦିମ ଏବଂ ସଜଦା-ନସିନ ପକ୍ଷରୁ ଏସବୁ ସୁବିଧା ଯୋଗାଇ ଦିଆଯାଇଛି। ଦର୍ଘା କମିଟି ଏଥିସହ ସଂଶ୍ଳିଷ୍ଟ ସଙ୍ଗଠନଗୁଡିକ ପ୍ରାୟ 1 କୋଟି ଟଙ୍କା ଖର୍ଚ୍ଚ କରି ଅନ୍ୟ ରାଜ୍ୟରେ ଫସି ରହିଥିବା ବିଭିନ୍ନ ଲୋକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିଛନ୍ତି।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ଶିଖୋ ଔର କମାଓ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମାସ୍କ ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ବଣ୍ଟା ଯାଇଛି। ମନ୍ତ୍ରଣାଳୟ “ଜାନ ଭି ଜାହାନ ଭି” ସଚେତନତା ଆରମ୍ଭ କରି ସମାଜରେ ସାମାଜିକ ଦୂରତ୍ଵ ଓ ଅନ୍ୟାନ୍ୟ ନିୟମାବଳୀ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବ।

କରୋନା ବିଶ୍ଵମାରୀର ମୁକାବିଲା ପାଇଁ ଦେଶର ସବୁ ଲୋକ ମିଳିତଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡାକରାରେ କାର୍ଯ୍ୟ କରୁଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ମଧ୍ୟ ସମାଜର ଅନ୍ୟମାନଙ୍କ ଭଳି ଏଥିରେ ସହଭାଗୀ ଅଛନ୍ତି ବୋଲି ଶ୍ରୀ ନକଭି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନା ପାଇଁ ପ୍ରସ୍ତୁତ କରିଥିବା ଔଷଧକୁ ଖାଇ ଡାକ୍ତରଙ୍କ ମୃତ୍ୟୁ

ଚେନ୍ନାଇ : ସାରା ବିଶ୍ବରେ ତାଣ୍ଡବ ରଚୁଥିବା କରୋନାରୁ ମୁକ୍ତି ତଥା ପ୍ରତିଷେଧକ ପ୍ରସ୍ତୁତି ପାଇଁ ସମେସ୍ତ ଉଦ୍ୟମରତ ରହିଛନ୍ତି। ଏଥିପାଇଁ ଭାରତ ସମେତ ବହୁ ବଡ ବଡ ଦେଶ ଏହି ରୋଗର ନିଦାନ ପାଇଁ ଚେଷ୍ଟା ଚଳାଇଛନ୍ତି। ଏହା ମଧ୍ୟରେ ଚେନ୍ନାଇର ଜଣେ ଡାକ୍ତର କରୋନା ଭାଇରସର ଚିକିତ୍ସା ପାଇଁ ଏକ ମେଡିସିନ୍‌ର ପରୀକ୍ଷଣ କରୁଥିଲେ। କିନ୍ତୁ ସେ ନିଜ ଉପରେ ଏହି ମେଡିସିନ୍‌ର ପ୍ରୟୋଗ କରିବା ସମୟରେ ଡାକ୍ତରଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ  ଚେନ୍ନାଇର ପେରୁଂଗୁଡିର ରହୁଥିବା ଶିବନେସନ ନାମକ ଜଣେ ଆୟୁର୍ବେଦିକ ଉତ୍ପାଦନ କମ୍ପାନୀ ସହିତ ଫାର୍ମାସିଷ୍ଟ୍‌ ଓ ପ୍ରଡକ୍ସନ୍‌ ମ୍ୟାନଜେର୍‌ ରୂପରେ କାମ କରୁଥିଲେ।

ଏହା ମଧ୍ୟରେ କରୋନା ଭାଇରସ ସହ ମୁକାବିଲା ପାଇଁ ଶିବନେସନ୍‌ ଓ ତାଙ୍କ ଉପରିସ୍ଥ କର୍ମଚାରୀ  ରାଜକୁମାର କରୋନା ବିପକ୍ଷରେ ଏକ ଔଷଧକୁ ନେଇ ପରୀକ୍ଷାରେ ବ୍ୟସ୍ତ ରହିଥିଲେ।  କରୋନା ପାଇଁ ପ୍ରସ୍ତୁତ କରୁଥିବା ଔଷଧଟିକୁ ନିଜ ଉପରେ ପରୀକ୍ଷା କରିଥିଲେ। ରାଜକୁମାର ଏହି ଔଷଧର କିଛି ବୁନ୍ଦାକୁ ପିଇଥିବାବେଳେ ଶିବନେସନ୍‌ ଅଧିକ ମାତ୍ରାରେ ଏହି ଔଷଧକୁ ସେବନ କରିଥିଲେ। ଏହି ଔଷଧଟିକୁ ପିଇ ସାରିବା ପରେ ଦୁଇଜଣ ବେହୋସ୍‌ ହୋଇଯାଇଥିଲେ। ଦୁହିଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଶିବନେସନଙ୍କ ମୃତ୍ୟୁ ହୋଇଥିବାବେଳେ ରାଜକୁମାରଙ୍କ ଅବସ୍ଥା ସ୍ଥିର ରହିଛି। ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ତେବେ ଚୀନ୍‌ ପ୍ରଥମ ଦେଶ ଭାବେ କରୋନା ଭ୍ୟାକସିନ୍‌ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକାରେ ମଧ୍ୟ କରୋନା ଭ୍ୟାକସିନ ପାଇଁ‌ ପ୍ରସ୍ତୁତି  ଜୋର୍‌ସୋର ଚଲାଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇ ପୋଲିସ୍‌ରେ କରୋନା ଜନିତ ପ୍ରଥମ ମୃତ୍ୟୁ : 57 ବର୍ଷୀୟ କନେଷ୍ଟବଳଙ୍କ କରୋନା ଯୋଗୁଁ ହେଲା ମୃତ୍ୟୁ

ମୁମ୍ବାଇ : କରୋନା ଯୋଗୁଁ ମୁମ୍ବାଇ ପୋଲିସ୍‌ରେ ପ୍ରଥମ ମୃତ୍ୟୁ ହୋଇଛି । 57 ବର୍ଷୀୟ କନଷ୍ଟେବଳ କରୋନା ସହ ଲଢି  ଜୀବନ ହାରିଛନ୍ତି । କନଷ୍ଟେବଳଙ୍କ ପରିବାରରେ ଦୁଇ ସନ୍ତାନଙ୍କ ପତ୍ନୀ ରହିଛନ୍ତି । ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 25 ହଜାର ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି। ସେହିପରି 5210ଜଣଙ୍କ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ କରୋନା ସଂକ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ 6817ଜଣ ସଂକ୍ରମିତ ହୋଇଛନ୍ତି  । ସେହିପରି ମହାରାଷ୍ଟ୍ରରେ 300ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁବରଣ କରିଛନ୍ତି । (ଏଜେନ୍ସି)

 

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଇଂଜିନିୟରିଂ କଲେଜରେ ରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡିରେ କାର୍ଯ୍ୟକ୍ଷମ ହେଲା କୋଭିଦ-୧୯ ଡାକ୍ତରଖାନା। ଭବାନୀପାଟଣା-ଜୁନାଗଡ ରାସ୍ତା ଏନଏଚ-୨୬ ରାଜପଥ ଉପରେ ବାନ୍ଦୋପଲା ଠାରେ ଥିବା କଳାହାଣ୍ଡି ଇଂଜିନିୟରିଂ କଲେଜ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଯାଇଛି। ଏହି ଡାକ୍ତରଖାନାରେ ୬ଟି ଆଇସିୟୁ ଭେଂଟିଲେଟର ସୁବିଧା ସହିତ ସନ୍ଦିଗ୍ଧ କରୋନା ରୋଗୀଙ୍କ ପାଇଁ ୭୦ ଟି ପୃଥକ ଆଇସୋଲେସନ କକ୍ଷ ରହିଛି। ଏଥିସହ ଏହି ଡାକ୍ତରଖାନାରେ ନିୟୋଜିତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ରହିବା ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସିଡିଏମଓ ଙ୍କ ସୂତ୍ରରୁ ପ୍ରକାଶ। କଳାହାଣ୍ଡି କୋଭିଦ-୧୯ ଡାକ୍ତରଖାନା ନିମନ୍ତେ ଓଡିଶା ଖଣି ନିଗମ ଆର୍ଥୀକ ସହାୟତା ଯୋଗାଇ ଦେଉଥିବା ବେଳେ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାର ପରିଚାଳନା ଦାୟୀତ୍ୱ ନେଇଥିବା ଜଣାପଡିଛି।

 

ଏହି ଡାକ୍ତରଖାନାରେ ଆଇସିୟୁ ମାନେଜମେଂଟ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୫ଜଣ ଡାକ୍ତରଙ୍କ ସମେତ ୩୭ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଇସିୟୁ ପାଇଁ ୧୦ ଜଣ ଷ୍ଟାଫ ନର୍ସଙ୍କ ସମେତ ୫୧ ଜଣ ଷ୍ଟାଫ ନର୍ସ ନିୟୋଜିତ କରାଯାଇଛି। ଆଇସିୟୁ ପାଇଁ ଜଣେ ଫାର୍ମାସିଷ୍ଟଙ୍କ ସମେତ ୯ ଜଣ ଫାର୍ମସିଷ୍ଟଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜଣେ ମାଇକ୍ରୋବାଇଲୋଜିଷ୍ଟଙ୍କ ସମେତ ୮ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିଯୁକ୍ତି କରାଯାଇଛି। ଏଥିସହିତ ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ବିଷୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ କଳାହାଣ୍ଡି ଦକ୍ଷିଣ ଡିଏଫଓ ଶ୍ରୀ ଟି. ଅଶୋକ କୁମାରଙ୍କୁ ପ୍ରାଧିକୃତ ଅଧିକାରୀ ଭାବେ ଦାୟୀତ୍ୱ ଦିଆଯାଇଥିବା ବେଳେ ଏଡିପିଏଚଓ ଡା, ନିହାରେନ୍ଦ୍ର କୁମାର ପଣ୍ଡାଙ୍କୁ କୋଭିଦ ଡାକ୍ତରଖାନାର ପ୍ରଶାସନିକ ପ୍ରାଧିକୃତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ପାକିସ୍ତାନରେ କୋଭିଡ-୧୯ ଦ୍ୱାରା ସଂକ୍ରମିତ ୨୫୩ ସ୍ୱାସ୍ଥ୍ୟ କର୍ମୀ

ଇସଲାମବାଦ: ଜାତୀୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଅତି କମରେ ୨୫୩ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏବଂ ଡାକ୍ତରୀ କର୍ମଚାରୀ ପାକିସ୍ତାନରେ କରୋନାଭାଇରସ୍ ସଂକ୍ରମିତ ହୋଇଛନ୍ତି। ବୁଧବାର ପର୍ଯ୍ୟନ୍ତ ତଥ୍ୟ ଥିବା ରିପୋର୍ଟକୁ ଆଧାର କରି ଦେଶରେ ୧୨୪ ଡାକ୍ତର, ୩୯ ନର୍ସ ଏବଂ ୯୦ ଜଣ ସ୍ୱାସ୍ଥ୍ୟ କର୍ମୀ ଏହି ଜୀବାଣୁ ସଂକ୍ରମିତ ହୋଇଛନ୍ତି ବୋଲି ଡନ୍ ନ୍ୟୁଜ୍ ଶୁକ୍ରବାର ଦିନ ପ୍ରକାଶ କରିଛି। ଏହି ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରୁ ବାଇଶି ଜଣ ବିଚ୍ଛିନ୍ନ ଅଛନ୍ତି, ୧୨୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ୩୩ ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି। ସ୍ଥାନୀୟ ମେଡିକାଲ୍ ସମ୍ପ୍ରଦାୟ ମଧ୍ୟରେ ପ୍ରଥମ କୋଭିଡ଼-୧୯ ମୃତ୍ୟୁ ଗିଲଗିଟ୍ ବାଲ୍ଟିସ୍ତାନରେ ଘଟିଥିଲା ​​ଯେତେବେଳେ ଗତ ମାସରେ ଜଣେ ଯୁବ ଡାକ୍ତର ଉସାମା ରିଆଜ୍ ଏହି ରୋଗରେ ପୀଡିତ ହୋଇଥିଲେ। ୨୫୩ ଟି ମାମଲା ମଧ୍ୟରୁ ପଞ୍ଜାବରେ ୮୩ ଟି ସଂକ୍ରମଣ, ସିନ୍ଧ ୫୬, ଖାଇବର ପାଖ୍ଟନଖୱା ୩୦, ବାଲୁଚିସ୍ତାନ ୩୨, ଇସଲାମାଦ ୩୧, ପାକିସ୍ତାନ କାଶ୍ମୀର ଚାରି, ଏବଂ ଗିଲଗିଟ ବାଲ୍ଟିସ୍ତାନ ୧୭ ରିପୋର୍ଟ କରିଛି। ବୁଧବାର, ପାକିସ୍ତାନ ୧୦,୦୦୦ କୋଭିଡ଼-୧୯ ମାମଲାର ଘୋର ମାଇଲଖୁଣ୍ଟ ଅତିକ୍ରମ କରିଛି। ଶୁକ୍ରବାର ସୁଦ୍ଧା ପାକିସ୍ତାନରେ ୧୧,୪୨୯ ମାମଲା ରେକର୍ଡ ହୋଇଥିବା ବେଳେ ୨୩୭ ଜଣଙ୍କର ମୃତ୍ୟୁ ଘଟିଛି।

Categories
ଆଜିର ଖବର ଜାତୀୟ ଖବର

କେରଳରେ କରୋନା ଯୋଗୁଁ ଚାରିମାସର ଶିଶୁର ମୃତ୍ୟୁ

କେରଳ : କେରଳରେ କରୋନା ଯୋଗୁଁ ଚାରିମାସର ଶିଶୁର ମୃତ୍ୟୁ ହୋଇଛି । କୋଝିକୋଡ ମେଡ଼ିକାଲ୍‌ କଲେଜରେ ଏହି ଶିଶୁଟିର ଚିକିତ୍ସା ଚାଲୁଥିଲା । ଏପ୍ରିଲ୍‌ 22ରେ କରୋନା ସଂକ୍ରମିତ ହୋଇଥିଲେ । ଶିଶୁଟିର ହାର୍ଟ ପ୍ରୋବ୍ଲେମ୍‌ ଥିବାରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଶିଶୁଟି କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା। କେରଳରେ ଏପର୍ଯ୍ୟନ୍ତ ସର୍ବମୋଟ କରୋନା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 400 ପାର୍‌ କରିଛି । କେରଳରେ ସର୍ବପ୍ରଥମେ କରୋନା ଆକ୍ରାନ୍ତ ନଜର ଆସିଥିବାବେଳେ କେରଳରେ ମୃତ୍ୟୁ ସଂଖ୍ୟା ବହୁତ କମ ରହିଛି । ସର୍ବମୋଟ ତିନିଜଣଙ୍କ ପ୍ରାଣ ଯାଇଛି । ସେହିପରି କେରଳରେ ଏବେ ସଂକ୍ରମିତଙ୍କ ହାର ମଧ୍ୟ ବେଶ୍‌ କମ ରହିଛି । ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ କେରଳ ଓ ଓଡ଼ିଶାକୁ କରୋନା ମ୍ୟାନେଜମେଣ୍ଟ ପାଇଁ ପ୍ରଶଂସା କରିଥିଲେ ।

ପୂର୍ବରୁ ଚଣ୍ଡୀଗଡରେ ମଧ୍ୟ ଏକ ଶିଶୁର କରୋନା ଯୋଗୁଁ ମୃତ୍ୟୁ ହୋଇଛନ୍ତି । ଗତ ଗୁରୁବାର ଦିନ ଏହି ଶିଶୁଟି ମୃତ୍ୟୁବରଣ କରିଛି । ଏହି ଶିଶୁଟିର ମଧ୍ୟ ଓପନ୍‌ ହାର୍ଟ ସର୍ଜରୀ ହେବାର ଥିଲା । କିନ୍ତୁ ଶିଶୁଟି କରୋନାରେ ସଂକ୍ରମିତ ହୋଇଥିଲା ।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 23 ହଜାର ପାର୍‌ କରିଥିବାବେଳେ 718ଜଣଙ୍କର ମୃତ୍ୟୁ ହୋଇଛନ୍ତି । ସେହିପରି 4 ହଜାର ସାତ ଶହରୁ ଉର୍ଦ୍ଧ୍ବ ଲୋକେ ସୁସ୍ଥ ହୋଇଛନ୍ତି । ଦେଶରେ ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ର ଓ ଗୁଜୁରାଟରେ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏଟିଏମ୍‌ରୁ ସଂକ୍ରମିତ ହେଲେ ଗୁଜୁରାଟର ତିନି ଯବାନ୍‌!, କ୍ବାରେଣ୍ଟାଇନ୍‌ରେ ଗଲେ 28 ଲୋକ

ଗୁଜୁରାଟ : ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟ ଟେଷ୍ଟ ଅନୁସାରେ ଏକ ଏଟିଏମ୍‌ ବୁଥ୍‌କୁ ଏହି ତିନି ଯବାନ୍‌ମାନେ ବ୍ୟବହାର କରିଥିଲେ । ଗୋଟିଏ ଦିନରେ ତିନିଜଣ ଯାକ ଏଟିଏମ୍‌ରୁ ଟଙ୍କା ଉଠାଇ ନେଇଥିଲେ। ଏଟିଏମ୍ ଯୋଗୁଁ ଏହି ତିନି ଯବାନ୍‌ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି। ଏହି ଯବାନ୍‌ଙ୍କ ସମ୍ପର୍କରେ ଆସିଥିବା 28ଜଣ ବ୍ୟକ୍ତିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ଏହି ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଯାଇଛି ।

ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପୋଲିସ୍‌ କର୍ମୀ, ସୁରକ୍ଷା ବାହିନୀ ଏବଂ ତିନି ବାହିନୀ ଉପରେ ମଧ୍ୟ କରୋନା ପ୍ରଭାବ ପଡିଛି । ନିକଟରେ ମହାରାଷ୍ଟ୍ରର ନୌସେନାରେ କାମ କରୁଥିବା ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ 25 ଜଣ ନୌସେନା କର୍ମଚାରୀଙ୍କ ଟେଷ୍ଟ କରାଯାଇଥିଲା । ଏଥିରେ 21 ଜଣଙ୍କ ପଜିଟିଭ୍‌ ରିପୋର୍ଟ ଆସିଥିଲା ।

ସୂଚନାଯୋଗ୍ୟ, ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ହୋଇଚାଲିଛି । ଲକ୍‌ ଡାଉନ୍‌ ଜାରି ରହିଥିବା ସତ୍ତ୍ବେ ଦେଶରେ କରୋନା ପ୍ରଭାବ ବଢିବାରେ ଲାଗିଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 21 ହଜାର 700 ପର୍ଯ୍ୟନ୍ତ ପହଞ୍ଚିଥିବାବେଳେ 686ଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୭ ଦିନ ଭିତରେ ଭୁବନେଶ୍ବରରେ ପାଞ୍ଚ ହଜାର ଟେଷ୍ଟ କରାଯିବ: ଅସିତ୍‌ ତ୍ରିପାଠୀ

ଭୁବନେଶ୍ବର: କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜିର ଘୋଷଣା କଲେ ମୁଖ୍ୟ ଶାସନ ସଚିବ। ଭୁବନେଶ୍ବର କରୋନାର ହଟସ୍ପଟ୍‌ ହୋଇଥିବାରୁ ଏଠାରେ ବ୍ୟାପକ ଟେଷ୍ଟ କରାଯିବ। ୫ ହଜାର ଯାଏଁ ଟେଷ୍ଟ କ୍ଷମତା ବଢାଇବାକୁ ପ୍ରସ୍ତୁତି କରାଯାଇଛି। ସାତ ଦିନ ମଧ୍ୟରେ ଭୁବନେଶ୍ବରରେ ୫ ହଜାରର ଟେଷ୍ଟ ହେବ। ତେବେ ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ ଶାସନ ସଚିବ। ଚାରୋଟି କ୍ୟାଟେଗାରୀରେ ଲୋକଙ୍କୁ ଚୟନ କରାଯାଇ ସାମ୍ପଲ୍‌ ନିଆଯିବ। ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଲୋକ, ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ୍‌ ନିଆଯିବ। ୬୦ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କ ଟେଷ୍ଟ କରାଯିବ।  ସେହିପରି ସ୍ବାସ୍ଥ୍ୟ କର୍ମୀ, ପୋଲିସ୍‌, କର୍ମଚାରୀଙ୍କ ସାମ୍ପଲ୍‌ ଟେଷ୍ଟ ମଧ୍ୟ କରାଯିବା। ଭୁବନେଶ୍ବରରେ ନମୁନା ସଂଗ୍ରହ ପାଇଁ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯିବ। ଉଭୟ ସ୍ଥାୟୀ ଓ ଭ୍ରାମ୍ୟମାଣ୍ୟ କ୍ୟାମ୍ପ୍‌ କରି ସାମ୍ପଲ୍‌ ସଂଗ୍ରହ କରାଯିବ। ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ୭ ଟି ଲ୍ୟାବ୍‌ରେ କରୋନା ପରୀକ୍ଷା ହେବ।