Categories
ଆଜିର ଖବର ଜାତୀୟ ଖବର

କରୋନା ରୋଗୀଙ୍କ ପାଇଁ ଗୁଜୁରାଟରେ ମାତ୍ର 6 ଦିନରେ ପ୍ରସ୍ତୁତ ହେଲା 2200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌

ଗୁଜୁରାଟ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରମାନେ ମୁକାବିଲା କରିବା ପାଇଁ କଡା ପଦକ୍ଷେପ ନେଉଛନ୍ତି। ଏହି କ୍ରମେ ଗୁଜୁରାଟ ସରକାର କରୋନା ସଂକ୍ରମିତଙ୍କ ଦେଖାରେଖା ପାଇଁ ମାତ୍ର 6 ଦିନରେ 2200 ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଠାରେ କରୋନା ରୋଗୀଙ୍କୁ ସବୁପ୍ରକାରର ଚିକିତ୍ସା ମିଳିପାରି । ସେହିପରି କୋଭିଡ -19 ସମ୍ବନ୍ଧୀୟ ଚାରୋଟି ବିଶେଷ ହସ୍ପିଟାଲ୍‌ର ଆରମ୍ଭ କରିଛନ୍ତି । ଏହା ଅହାମଦାବାଦ, ରାଜକୋଟ୍‌, ସୁରତ୍‌ ଓ ବଡଦୋରଠାରେ ପ୍ରସ୍ତୁତ କରାଯାଇଛି । ଏହି ହସ୍ପିଟାଲଗୁଡିକୁ ଚାରି ଉଚ୍ଚ ଅଧିକାରୀଙ୍କ ଦାୟିତ୍ବରେ ରହିଛି।

ସୁରତଠାରେ କୋଭିଡ୍‌-19 ପାଇଁ ସ୍ପେଶାଲ୍‌ ହସ୍ପିଟାଲ୍‌ରେ 40ଟି ଆଇସିୟୁ ଶଯ୍ୟା, ଓ 140 ଟି ସାଧାରଣ ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି ବଡଦୋରାଠାରେ 50ଟି ଆଇସିୟୁ ଶଯ୍ୟା, 200ଟି ସାଧାରଣ ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ ରାଜକୋଟଠାରେ 40ଟି ଆଇସିୟୁ ଶଯ୍ୟା ଓ 160ଟି ସାଧାରଣ ଶଯ୍ୟା ପ୍ରସ୍ତୁତ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ହଜାରେ ଡେଇଁଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁଠି କିପରି ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ : ସାରା ଦୁନିଆରେ କରୋନା ତା’ର ତାଣ୍ଡବ ରଚୁଥିବାବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପି ସାରିଲାଣି । ସବୁଠୁ ଅଧିକାଂଶ ଆକ୍ରାନ୍ତ ମହାରାଷ୍ଟ୍ରରେ ରହିଛନ୍ତି । କରୋନା ଭାଇରସ୍‌ ଯୋଗୁଁ ଭାରତ ସରକାର 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ଆଜି ଲକ୍‌ ଡାଉନ୍‌ର ପଞ୍ଚମ ଦିବସ ହୋଇଥିବାବେଳେ ସାରା ଦେଶ ଏକ ପ୍ରକାର ଠପ୍‌ ହୋଇଥିବାବେଳେ ଖଟିଖିଆ ଓ ଶ୍ରମିକମାନେ ନିଜ ନିଜ ଘରକୁ ପଳାୟନ କରୁଥିବାବେଳେ ଏହା ସରକାରଙ୍କ ପାଇଁ ଏକପ୍ରକାରର ଚ୍ୟାଲେଞ୍ଜ ପାଲଟି ଯାଇଛି । ଭାରତରେ କରେନା ମୃତ୍ୟୁ ସଂଖ୍ୟା 20ରେ ପହଞ୍ଚିଥିବାବେଳେ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1029ରେ ପହଞ୍ଚିଛି। ସେହିପରି 85 ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସର୍ବାଧିକ ମହାରାଷ୍ଟ୍ରରେ 186ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ରିପୋର୍ଟ ଅନୁସାରେ ମାର୍ଚ୍ଚ 15 ରେ ଦେଶରେ ଶହେଟି ମାମଲା ଆସିଥିବାବେଳେ ବିଗତ 13 ଦିନ ଭିତରେ ଏହା 1000 ପାଖାପାଖିରେ ପହଞ୍ଚିଛି ।

ସେହିପରି ମହାରାଷ୍ଟ୍ରରେ ଚାରି, ଗୁଜୁରାଟ ଓ କର୍ଣ୍ଣାଟକରେ ତିନି, ମଧ୍ୟପ୍ରଦେଶରେ ଦୁଇ, ତାମିଲନାଡୁ, ବିହାର, ପଞ୍ଜାବ, ଦିଲ୍ଲୀ, ପଶ୍ଚିମ ବଙ୍ଗ, ଜମ୍ମୁକାଶ୍ମୀର ଓ ହିମାଚଳ ପ୍ରଦେଶରେ ଓ କେରଳରେ ଜଣେ ଜଣେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଦେଶରେ ସର୍ବାଧିକ ମହାରାଷ୍ଟ୍ରରେ ପାଞ୍ଚ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି। ଭାରତରେ କରୋନା ଦ୍ବିତୀୟ ଷ୍ଟେଜ୍‌ରେ ରହିଥିବାବେଳେ ଏହା ଯେପରି ତୃତୀୟ ଷ୍ଟେଜ୍‌କୁ ନ ବ୍ୟାପେ ସେଥିପାଇଁ ସାମାଜିକ ଦୂରତ୍ବ ଓ ସଙ୍ଗରୋଧକୁ ବେଶ୍‌ କଡାକଡି କରାଯାଇଛି ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ’ମନ କୀ ବାତ୍‌’ କାର୍ଯ୍ୟକ୍ରମ ଜରିଆରେ କରୋନା ସମ୍ପର୍କରେ ସୂଚନା ଦେବେ ବୋଲି ଜଣାପଡିଛି ।

କେଉଁ ରାଜ୍ୟରେ କିପରି ରହିଛି କରୋନାର ସ୍ଥିତି :

ଆନ୍ଧ୍ରପ୍ରଦେଶ : 13

ଛତିଶଗଡ : 6

ଦିଲ୍ଲୀ : 49

ଗୁଜୁରାଟ : 55

ହରିୟାଣା : 33

ହିମାଚଳ ପ୍ରଦେଶ : 3

କର୍ଣ୍ଣାଟକ : 81

କେରଳ : 182

ମଧ୍ୟପ୍ରଦେଶ : 34

ମହାରାଷ୍ଟ୍ର : 186

ଓଡ଼ିଶା : 3

ପୁଡୁଚେରୀ : 1

ପଞ୍ଜାବ : 38

ରାଜସ୍ଥାନ : 54

ତାମିଲନାଡୁ : 42

ତେଲେଙ୍ଗାନା : 67

ଚଣ୍ଡୀଗଡ : 8

ଜମ୍ମୁକାଶ୍ମୀର : 33

ଲଦାଖ : 13

ଉତ୍ତରପ୍ରଦେଶ : 65

ଉତ୍ତରାଖଣ୍ଡ : 6

ପଶ୍ଚିମବଙ୍ଗ : 17

ବିହାର : 9

ମଣିପୁର : 1

ମିଜୋରାମ : 1

ପୁଡୁଚେରୀ :1

ଗୋଆ : 3

ଆଣ୍ଡାମାନ ନିକୋବର : 9

Categories
ବିଶେଷ ଖବର ରାଜ୍ୟ ଖବର

କରୋନା ପାଇଁ 2200 କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22ଶହ କୋଟିର ପ୍ୟାକେଜ୍‌ର ଘୋଷଣା କରିଛନ୍ତି । ଗରିବ, ଖଟିଖିଆ, ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଆସୁଥିବା 94 ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କଲେ ନବୀନ। ଏଥିପାଇଁ 940 କୋଟି ଖର୍ଚ୍ଚ ହେବ। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ତିନି ମାସର ରାସନ ଆଗୁଆ ମିଳିଛି। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର 48 ହିତାଧିକାରୀଙ୍କୁ 4 ମାସର ଭତ୍ତା ଆଗୁଆ ଦିଆଯାଉଛି। ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଚାରି ମାସର ଭତ୍ତା ଆଗୁଆ ମିଳୁଛି। ଚାରି ମାସର ଆଗୁଆ ଭତ୍ତା ପାଇଁ 932 ଟଙ୍କା ଖର୍ଚ୍ଚ ହେବ । ରାଜ୍ୟର 94 ଲକ୍ଷ ପରିବାରକୁ 1 ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ସେହିପରି ରାଜ୍ୟର 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିବ। 22 ଲକ୍ଷ ନିର୍ମାଣ ଶ୍ରମିକଙ୍କୁ 15 ଶହ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବ । ନିର୍ମାଣ ଶ୍ରମିକଙ୍କୁ ସହାୟତା ବାବଦରେ 330 କୋଟି ଖର୍ଚ୍ଚ ହେବ।

Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ପ୍ରବାସୀଙ୍କ ଉପରେ କଡା ନଜର ରଖିବା ପାଇଁ  ଗୃହ ମନ୍ତ୍ରାଳୟ କଡା ନିର୍ଦ୍ଦେଶ  ଦେଇଛନ୍ତି। ବିଦେଶ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଗୃହ ମନ୍ତ୍ରାୟ ତରଫରୁ ଚିଠିରେ ନିର୍ଦ୍ଦେଶ ରହିଛି। ଆଇସୋଲେସନ୍‌, କ୍ବାରେଣ୍ଟାଇନ୍‌ ଓ ନିରୀକ୍ଷଣ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ପ୍ରବାସୀଙ୍କ ଉପରେ ନଜର ରଖିବା ସହ କଡାକଡି ଯାଞ୍ଚ କରିବାକୁ ପରାମର୍ଶ। 35ଟି ଲାବୋରେଟୋରୀରେ ନମୁନା ପରୀକ୍ଷା ପାଇଁ ବ୍ୟବସ୍ଥାର ସୂଚନା ଦିଆଯାଇଛି।

ଲକ୍‌ଡାଉନ ଘୋଷଣା ହେବା ପରେ ଦିଲ୍ଲୀ ସମେତ ଅନ୍ୟାନ୍ୟ କିଛି ପ୍ରଦେଶରେ ଖଟିଖିଆମାନେ ପଳାୟନ କରୁଛନ୍ତି। ଶ୍ରମିକମାନେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଛନ୍ତି। ବିଗତ ଦୁଇ ଦିନ ଧରି ଏହିପରି ଖବର ସାମ୍ନାକୁ ଆସିଛି। ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଆଡ୍‌ଭାଇଜାରୀ ଜାରି କରି ଏହି ଖଟିଖିଆ ଓ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ସହ ଯୁଦ୍ଧ କରିବା ପାଇଁ ମୋଦି ସରକାର 21 ଦିନିଆ ଲକ୍‌ଡାଉନ୍‌ର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଭିନ୍ନ ଭିନ୍ନ ରାଜ୍ୟରେ ଶ୍ରମିକ ବା ଦିନମଜୁରିଆମାନେ ସେହି ସ୍ଥାନ ଛାଡି ନିଜ ଭିଟାମାଟିକୁ ଫେରୁଛନ୍ତି। ଏହିପରି ଖବର ଜଣାପଡିବା ପରେ ସରକାର ଏହିପରି ପ୍ରବାସୀ ଶ୍ରମିକ ବା ଖଟିଖିଆମାନଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। (ଏଜେନ୍ସି)

 

Categories
ଆଜିର ଖବର ରାଜ୍ୟ ଖବର

କର କ୍ଲିନିକ ଯିବାକୁ ବାରଣ, କୋଭିଡ19 ଗାଇଡ ଲାଇନ ଉଲ୍ଲଂଘନକାରୀ ହସପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ଗତକାଲି ରାଜ୍ୟରେ ତୃତୀୟ କରୋନା ପଜିଟିଭି ଚିହ୍ନଟ ହେବା ପରେ ଘରୋଇ କ୍ଲିନିକ୍‌ଗୁଡିକ କୋଭିଡି -19ର ଗାଇଡଲାଇନ୍‌ ଉଲ୍ଲଂଘନ କରୁଥିବା ନେଇ କ୍ଷୁବ୍ଧ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଣିକି ଘରୋଇ କ୍ଲିନିକଗୁଡିକ ଗାଇଡ୍‌ଲାଇନ୍‌ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ସାଧାରଣ ଥଣ୍ଡା, କାଶ ଯାଞ୍ଚ ବେଳେ ମଧ୍ୟ କୋଭିଡ୍‌-19 ଗାଇଡଲାଇନ୍‌ ମାନିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ତୃତୀୟ ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବର ଭୌମନଗରସ୍ଥିତ କର କ୍ଲିନିକ୍‌କୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ବୟସ 60 ବର୍ଷ । ସେ ଗତ 10 ତାରିଖରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ଫେରିଥିଲେ । ଗତ 21 ତାରିଖରେ ସମ୍ପୃକ୍ତ ରୋଗୀ ଜଣକ କର କ୍ଲିନିକ୍‌ ଆସିଥିଲେ । ପୁନର୍ବାର ମାର୍ଚ୍ଚ 24ରେ କର କ୍ଲିନିକ୍‌ରେ ଆଡମିଟ୍‌ ହୋଇ ଗୋଟିଏ ଆଇସିୟୁରେ ମଧ୍ୟ ରହିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରଖିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଲେ ମମତା

କୋଲକତା : ଦେଶରେ କରୋନା ମୁକାବିଲା ପାଇଁ 21 ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯିବା ସହ ସାମାଜିକ ଦୂରତ୍ବ ରଖିବାକୁ ଅନୁରୋଧ କରାଯାଇଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅପିଲ୍‌ କରିଛନ୍ତି । ଯଦି ଘରୁ ବାହାରୁଛନ୍ତି ତେବେ ସୋସିଆଲ୍‌ ଡିଷ୍ଟାସିଂ ବା ସାମାଜିକ ଦୂରତ୍ବ ରଖିବାକୁ କହିଛନ୍ତି।  ମୋଦିଙ୍କ କଥାକୁ ସମେସ୍ତ ଗ୍ରହଣ କରୁଥିବାର ଦେଖାଯାଉଛି । ସେହିପରି ରାଜ୍ୟ ସରକାରମାନେ ମଧ୍ୟ ସାମାଜିକ ଦୂରତ୍ବ ରଖିବା ନିମେନ୍ତ ନିଜ ନିଜ କ୍ଷେତ୍ରରେ ବହୁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ରାସ୍ତାକୁ ଆସି ଲୋକଙ୍କୁ ଏହି ସମ୍ବନ୍ଧରେ ସଚେତନ କରୁଛନ୍ତି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଆସି ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଇଛନ୍ତି । ଏକ ଫଳ ମାର୍କେଟ୍‌କୁ ମମତା ଯାଇ ସେଠାରେ ଗୋଲାକାର ବୃତ୍ତ ଅଙ୍କନ କରି ସାମାଜିକ ଦୂରତ୍ବ ନିମେନ୍ତ ନିଜ ଭିତରେ ଅତି କମ୍‌ରେ 1 ମିଟର ଦୂରତ୍ବ ରଖିବା ନିମେନ୍ତ ଲୋକଙ୍କୁ ବୁଝାଇଥିଲେ । ଦୋକାନ ଆଗରେ ନିର୍ମିତ ହୋଇଥିବା ଗୋଲାକାର ବୃତ୍ତ ମଧ୍ୟରେ ଛିଡା ହୋଇ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ କହିଥିଲେ । ମମତା ରାସ୍ତା ଉପରେ ଲୋକଙ୍କୁ ଏପରି ସଚେତନ କରାଉଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି । ମମତା ଧଳା ଶାଢି ପିନ୍ଧିଥିବାବେଳେ ମୁହଁରେ ରୁମାଲ୍‌ ବାନ୍ଧି ରାସ୍ତାକୁ ଆସିଥିବାବେଳେ ଲୋକଙ୍କୁ ସାମାଜିକ ଦୂରତ୍ବ ରଖିବା ନେଇ ଅପିଲ୍‌ କରିଥିଲେ ।

ଲକ୍‌ ଡାଉନ୍‌ ସମୟରେ ଲୋକଙ୍କର ଯେପରି କିଛି ଅସୁବିଧା ନହୁଏ, ସେଥିପ୍ରତି ସରକାର ସଜାଗ ଅଛନ୍ତି ବୋଲଇ କହିଛନ୍ତି ମମତା । ସମସ୍ତ ପୋଲିସ୍‌ ଷ୍ଟେସନ୍‌ ଲୋକଙ୍କ ଘର ଦୁଆର ମୁହଁରେ ଖାଦ୍ୟ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟ ମାଜିଷ୍ଟ୍ରଟ୍‌ ଓ ପୋଲିସ୍‌ ଅଧୀକ୍ଷକଙ୍କ ଦାୟିତ୍ବରେ କରାଯାଉଛି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ରହିଥିବାବେଳେ ଜଣକର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 694 ରହିଥିବାବେଳେ ଏଥିରେ 16ଜଣଙ୍କର ମୃତ୍ୟୁ ହୋଇଛି ।(ଏଜେନ୍ସି)