Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ଆଜ୍ଞାମାଳକୁ ଗ୍ରହଣ କଲେ ରାଜା ସନ୍ତୋଷ କୁମାର: ଭଉଣୀ କାଳିଜାଇଙ୍କ ପୀଠରେ ମକର ମେଳା ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର ମକର ସଂକ୍ରାନ୍ତି ଅବସରରେ କୃଷ୍ଣପ୍ରସାଦଗଡ଼ର ଆରାଧ୍ୟା ଦେବୀ, ନୀଳାମ୍ବୁ ଚିଲିକା ମଧ୍ୟରେ ପୂଜିତା ମା’ ଭଗବତୀଙ୍କ ପୂର୍ବଦିଗରକ୍ଷାକାରିଣୀ ଭଉଣୀମା’ କାଳିଜାଇ ଙ୍କ ପୀଠରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା। ପରମ୍ପରା କ୍ରମେ କାହିଁ କେଉଁ କାଳରୁ ଅନୁଷ୍ଠିତ ଏହି ମେଳାରେ ଯୋଗ ଦେବାପାଇଁ ପବିତ୍ର ମାସନ୍ତତିଥିରେ ମା’ କାଳିଜାଇ ବଡ ଭଉଣୀ ମା’ ଭଗବତୀଙ୍କୁ ନିମନ୍ତ୍ରଣ କରିବାକୁ ପାନ ଗୁଆ ମହାପ୍ରସାଦ ନଡ଼ିଆ ପଇତା , ପୁଷ୍ପଚନ୍ଦନ ସହିତ ଶାଢି ଚୁଡି ସିନ୍ଦୁର ଗଡ଼ର ରାଜଗୁରୁଙ୍କ ହାତରେ ପଠାଇଥିଲେ।

ଭଉଣୀର ନିମନ୍ତ୍ରଣ ସ୍ଵୀକର କରି ମା’ ଭଗବତୀ ନିଜର ଆଜ୍ଞାମାଳ ସହ ସାନ ଭଉଣୀ ପାଇଁ ଶାଢି ଚୁଡି ସିନ୍ଦୁର ଅଳତା ସହିତ ମନ୍ଦାରମାଳ ନଡ଼ିଆ ଗଜାମୁଆଁ କାଠିନାହାକ ଗଣେଶ ନାୟକ, ହାତରେ ଭଉଣୀ ଘରକୁ ପଠାଇଥିଲେ। ମା’ କାଳିଜାଇ ଓ ମା’ ଭଗବତୀଙ୍କ ଆଦ୍ୟସେବକ କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ମାଙ୍କ ତରଫରୁ ନିମନ୍ତ୍ରଣ ପଠାଇଥିବାବେଳେ ଶ୍ରୀ ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟ ତରଫରୁ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ନିମନ୍ତ୍ରଣକୁ ଗ୍ରହଣ କରି ମା’ ଭଗବତୀଙ୍କ ଠାରୁ ଆଜ୍ଞାମାଳ ପ୍ରେରଣ କରିଥିଲେ।

ପ୍ରକାଶ ଥାଉକି ଦୁଇ ପ୍ରସିଦ୍ଧ ଶକ୍ତିପୀଠର ଆରାଧ୍ୟା ଦୁଇ ଭଉଣୀଙ୍କ ମାନବୀୟ ଲୀଳାର ପ୍ରତୀକ ଏହି ପର୍ବପର୍ବାଣୀଜାନିଯାତ୍ରାରେ ନିମନ୍ତ୍ରଣ ଦିଆନିଆ,ଅସୀମ ସ୍ନେହ ଶ୍ରଦ୍ଧାର ସଂପର୍କ, ପ୍ରାଚୀନ ଉତ୍କଳୀୟ ଶକ୍ତି ଉପାସନାର ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।ମା’ଭଗବତୀ ମଧ୍ୟ ଭାଦ୍ରବ ଶୁକ୍ଳ ଲଳିତା ସପ୍ତମୀରେ ଶାରଦୀୟ ପର୍ବରେ ଯୋଗଦାନ ପାଇଁ ମା କାଳିଜାଇ ଙ୍କୁ ନିମନ୍ତ୍ରଣ ଧରି ଚିଲିକାକୁ ନୌବିହାର କରିବାକୁ ଯାଇ ମା’ଙ୍କ ଆଜ୍ଞାମାଳ ଧରି ଆସିଥାନ୍ତି। ରାଜାଙ୍କ ରାଜଗୁରୁ, ମନ୍ଦିର ପରିଛା ସଆନ୍ତ ବିନାୟକ ମହାପାତ୍ର,ପାଳିଆ ମାଳି ମୁନାନାୟକ, ମନ୍ଦିର ପ୍ରତିନିଧି ନବ ପ୍ରଧାନ, ସେବାୟତ ସୁଧାକର ଭୋପା, ସହଦେବ ନାୟକ, ସୁକାନ୍ତନାୟକ, କମଳ ମିଶ୍ର, ମଶାଲତି ନାରଣ ବାରିକ ଏହି ପବିତ୍ର ଦେବ କାର୍ଯ୍ୟରେ ସହଯୋଗ କରିଥିଲେ।

Categories
DurgaPujaNews ଧର୍ମ ବିଶେଷ ଖବର ରାଜ୍ୟ ଖବର

ମା’ଭଗବତୀଙ୍କ ପୀଠରେ ଜନ୍ମାଷ୍ଟମୀ: ଧରାବତରଣ କଲେ ଦେବୀ ଓ ଶ୍ରୀକୃଷ୍ଣ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀକ୍ଷେତ୍ରପରି ଭଗବତୀ କ୍ଷେତ୍ର ବାଣପୁର ଠାରେ ମା’ ଭଗବତୀଙ୍କ ପିତ୍ରାଳୟ ଭାବରେ ପରିଚିତ ପ୍ରାଚୀନ ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଏକତ୍ର ପାଳିତ ହୋଇଯାଇଛି ଶ୍ରୀକୃଷ୍ଣ ଓ ଦେବୀ ଭଗବତୀଙ୍କ ଜନ୍ମନୀତି । କେବଳ ବିଷ୍ଣୁ ମନ୍ଦିରମାନଙ୍କରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେଉଥିବାର ପରମ୍ପରା ଚଳି  ଆସୁଥିବା ବେଳେ ବାଣପୁରର ଶୈବ ପୀଠ ଶ୍ରୀ ଦକ୍ଷେଶ୍ଵର ମହାଦେବଙ୍କ ମନ୍ଦିରରେ ଚନ୍ଦ୍ରଶେଖର, ଗୋପାଳକୃଷ୍ଣ ଓ ଦେବୀ ଭଗବତୀ ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କୁ ନେଇ ସଂପୂର୍ଣ୍ଣ ନିଆରା ଢଙ୍ଗରେ ପାଳିତ ହୁଏ ଜନ୍ମାଷ୍ଟମୀର ସମସ୍ତ ପରମ୍ପରା।

ପ୍ରଚଳିତ ବିଧି ଅନୁସାରେ ଅଷ୍ଟମୀର ପ୍ରତ୍ୟୁଷରୁ ଦେବା ଦେବୀଙ୍କ ମନ୍ଦିର ଦ୍ଵାର ଫିଟା, ଅଙ୍ଗରାଗ (ମାଜଣା ପରେ ମହାପ୍ରସାଦ ଲାଗି, ବଲ୍ଲଭ ମଙ୍ଗଳାର୍ପଣ, ବେଶ ପରେ ସାଧାରଣ ଦର୍ଶନ,ଶଙ୍କୁଡ଼ି ଧୂପ , ଦିବା ପହୁଡ଼, ପରେ ସଂଧ୍ୟାରେ ନିଶଙ୍କୁଡ଼ି, ଆଳତୀ କରାଯାଇଥିଲା। ପରେ ପରିଚ୍ଛା ସାମନ୍ତଙ୍କ ଦ୍ଵାରା ଗୁରୁଣ୍ଡି ଗୋପାଳ ଏବଂ ମା’ଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ ନବବସ୍ତ୍ର ପରିଧାନ ପରେ ସିଂହାସନରେ ବସାଯାଇଥିଲା ।ପଲେଇ ସେବକମାନେ ଜନ୍ମ ବିଧି ପାଇଁ ଆବଶ୍ୟକୀୟ କାଣ୍ଡିଆ କୁଣ୍ଡା, ଅଙ୍ଗାର, ଶିମ୍ଵପତ୍ର,କୁଶ, ପାଳରେ ତିଆରି ଏନ୍ତୁଡି, ଇତ୍ୟାଦି ଯୋଗାଇ ଦେଇଥିଲେ।

ମଧ୍ୟରାତ୍ରରେ ପରିଛା ସାମନ୍ତ, ପାଳିଆମାଳି ଖଡ଼ି ରତ୍ନ ଙ୍କ ଦ୍ଵାରା ନିର୍ଦ୍ଧାରିତ ଜନ୍ମ ସମୟ ପରେ ନିଶବ୍ଦରେ ଗୋପାଳକୃଷ୍ଣଙ୍କୁ ନେଇ ମନ୍ଦିର ବେଢାରେ ଥିବା ବାମ୍ଫି ନିକଟରେ ଆଗରୁ ତିଆରି ହୋଇଥିବା ନାଭିକଟା ମଣ୍ଡପରେ କୁଶ ସାହାଯ୍ୟରେ ନାଭିକଟାନୀତି ସଂପର୍ଣ୍ଣ କରି କାଳ୍ପନିକ ଯମୁନା ନଦୀରେ ସ୍ନାନ କରାଇ ମନ୍ଦିର ମଧ୍ୟକୁ ଆଣିବା ପରେ ଆସନରେ ବସାଇଥିଲେ । ପରେ କଟନାଭି ସ୍ଥାନରୁ ନିର୍ଗତ ରକ୍ତକୁ ବନ୍ଦକରିବା ସହିତ ଯନ୍ତ୍ରଣା ର ଉପଷମ ପାଇଁ ପରିଛା ସାମନ୍ତ ଗୋପାଳଙ୍କ ନାଭିରେ ଶିମ୍ବ ପତ୍ରର ର ରସ ସ୍ଥାପନ କରିଥିଲେ ।

ଏଣେ ପଲେଇ ସେବକଙ୍କ ଦ୍ୱାରା କାଣ୍ଡିଆ କୁଣ୍ଡା, ଅଙ୍ଗାର ଓ ପାଳ ବିଡାରୁ ପ୍ରସ୍ତୁତ ଏନ୍ତୁଡି ନିଆଁରେ ଶ୍ରୀଗୋପାଳଙ୍କୁ ସେକାଯିବା ପରେ ଶ୍ରୀ ଚନ୍ଦ୍ରଶେଖର, ଶ୍ରୀ ଗୁରୁଣ୍ଡି ଗୋପାଳ ଏବଂ ମା’ ଭଗବତୀଙ୍କୁ ନବବସ୍ତ୍ର ପରିଧାନ କରାଇର ଆସନ ଉପରେ ବସାଇଥିଲେ। ପରେ ତିନୋଟି ଥାଳିରେ ଖଇ, ନଡ଼ିଆ କୋରା,ରାଶିକୋରା ଇତ୍ୟାଦି ନୈବେଦ୍ୟ ଏକତ୍ର ମଣୋହି କରାଇ ଆଳତି ପରେ ବଡ଼ସିଂହାର ନୀତିକାନ୍ତି ସାରି ଜନ୍ମବିଧି ଶେଷ ହୋଇ ପହୁଡ଼ ପଡ଼ିଥିଲା।

ପଣ୍ଡିତମାନଙ୍କ ମତରେ ଏଠାରେ ଚନ୍ଦ୍ରଶେଖରଙ୍କୁ ବଳରାମ, ଦେବୀ ଭଗବତୀଙ୍କୁ ବିଜୁଳିକନ୍ୟା ଏବଂ ଗୁରୁଣ୍ଡି ଗୋପାଳଙ୍କୁ ଭଗବାନ ଶ୍ରୀକୃଷ୍ଣ ଭାବରେ ଏକତ୍ର ପୂଜା କରାଯିବାର ପରମ୍ପରା ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ କାହିଁ କେଉଁ କାଳରୁ ଚଳି ଆସୁଛି। ଅବଶ୍ୟ ଦେବା ଦେବୀଙ୍କର ମାନବୀୟ ଲୀଳାର ପ୍ରତୀକ ଏଥିରୁ ଅନେକ ନୀତିକାନ୍ତି ଧୀରେ ଧୀରେ ବନ୍ଦ ହୋଇଯିବାକୁ ବସିଲାଣି।

ଏହାକୁ ପରିଛା ସାମନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସୁନୀଲ ମହାପାତ୍ର, ଶଙ୍କର ନାୟକ ଓ ପଲେଇ ସେବକ ମାନେ ସଂପାଦନ କରିଥିବା ବେଳେ ମନ୍ଦିର ପ୍ରଶାସନ ତରଫରୁ ସମସ୍ଥ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା। ଏହି ଜନ୍ମ ଉତ୍ସବକୁ ଦେଖିବା ପାଇଁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।