ସମୀକ୍ଷା ବ୍ୟୁରୋ
କଟକ : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ 159ଟି ବିଶ୍ବ ବିଦ୍ୟାଳୟର 3400 ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସମୁଦାୟ 17ଟି କ୍ରୀଡା ବର୍ଗକୁ ଏହି ବିଶ୍ବବିଦ୍ୟାଳୟ ଗେମ୍ରେ ସାମିଲ୍ କରାଯାଇଛି । ଏହି ଇଭେଣ୍ଟରେ ଦୁଇ ଜଣ ଓଡିଆ ଆଥ୍ଲେଟ୍ ଦୂତୀ ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡା ଅଂଶଗ୍ରହଣ କରୁଛନ୍ତି । ଦୂତି ଏହି ଇଭେଣ୍ଟ ଜରିଆରେ ଅଲମ୍ପିକ୍ସ ଯୋଗ୍ୟତା ହାସଲର ଉଦ୍ୟମ କରିବେ । (ଏଜେନ୍ସି)
Tag: Modi
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ସହଯୋଗୀ ଦଳଙ୍କ ସହିତ ମତଭେଦ ପରେ ଶୁକ୍ରବାର ଉଦ୍ଧବ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ଉଦ୍ଧବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବରିଷ୍ଠ ବିଜେପି ନେତା ଏଲ୍ କେ ଆଡଭାନୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସହଯୋଗୀ ଏନ୍ସିପି ଏବଂ କଂଗ୍ରେସ ସହିତ ମତଭେଦ ଚାଲିଥିବା ବେଳେ ଉଦ୍ଧବ-ମୋଦି ବୈଠକକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଏହାପରେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏହି ବୈଠକୁ ଏକ ସାଧାରଣ ବୈଠକ ବୋଲି ଅଭିହିତ କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମମନ୍ଦିର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ଆମନ୍ତ୍ରଣ ପ୍ରଦାନ କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟର ଏକାଧିକ ସଦସ୍ୟ ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଭାପତି ନୃତ୍ୟ ଗୋପାଳ ଦାଶ , ସାଧାରଣ ସମ୍ପାଦକ ଚମ୍ପତ୍ତ ରାୟ ଏବଂ ଗୋବିନ୍ଦ ଗିରି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଭୂମିପୂଜନରେ ଯୋଗ ଦେବାର ଆମନ୍ତ୍ରଣ ପ୍ରଦାନ କରିଥିଲେ । ଆସନ୍ତା ମାର୍ଚ୍ଚ 3-4 ତାରିଖରେ ଟ୍ରଷ୍ଟର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୁଧବାର ଅନୁଷ୍ଠିତ ବୈଠକରେ ନୃତ୍ୟ ଗୋପାଳ ଦାଶଙ୍କୁ ସଭାପତି ଚୟନ କରାଯାଇଥିବା ବେଳେ ବିଭିନ୍ନ କାର୍ଯ୍ୟ ପାଇଁ 9ଟି କମିଟି ଗଠନ କରାଯାଇଥିଲା । (ଏଜେନ୍ସି)
କେଦାର ମିଶ୍ର
ଭାରତର ରାଜନୀତି ହେଉଛି ମୂଳତଃ ସ୍ଲୋଗାନ ସର୍ବସ୍ଵ ରାଜନୀତି। ଗୋଟେ ଗୋଟେ ସ୍ଲୋଗାନ ଭାରତର ରାଜନୀତିକୁ ଜନତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ସତୁରୀ ଦଶକରେ ଇନ୍ଦିରା ଗାନ୍ଧୀଙ୍କର “ଗରିବୀ ହଟାଓ”, ଅଶି ଦଶକରେ ରାଜୀବ ଗାନ୍ଧୀଙ୍କର “ମେରା ଭାରତ ମହାନ”, ନବେ ଦଶକରେ ଅଟଳ ବିହାରୀ ବାଜପାୟୀଙ୍କର “ଭାରତ ଉଦୟ” ଭଳି ସ୍ଲୋଗାନ ରାଜନୀତିର ଧାରାକୁ ବଦଳାଇଦେବାର ସାମର୍ଥ୍ୟ ରଖିଥିଲା। ସେମିତି ୨୦୧୪ରେ ଭାରତର ରାଜନୀତିରେ ଯେତେବେଳେ ନରେନ୍ଦ୍ର ମୋଦୀଙ୍କ ପ୍ରଭାବ ପ୍ରବଳ ପଡିବା ଆରମ୍ଭ ହେଉଥିଲା, ସେତେବେଳେ ଆମ ମୁଣ୍ଡରେ ଗୋଟେ ଶବ୍ଦ ପୂରେଇ ଦିଆଗଲା- ଗୁଜରାଟ ମଡେଲ । ଲଗାତାର ତିନୋଟି ବିଧାନସଭା ନିର୍ବାଚନ ଜିତି, ୨୦୦୨ର ଭୟଙ୍କର ଗୁଜରାଟ ଦଙ୍ଗାର ସତ୍ୟକୁ ଚାପିଦେଇ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କର ଏକ ଜାତୀୟ ଭାବମୂର୍ତ୍ତି ନିର୍ମାଣ ପାଇଁ ଏକ କୁହୁକ କଳ୍ପନାର ନିର୍ମାଣ କରା ଯାଇଥିଲା- ଯାହାକୁ କୁହା ଯାଉଥିଲା- ଗୁଜରାଟ ମଡେଲ।
ପୂରା ଦେଶ ଗୁଜରାଟ ହୋଇଯାଉ ବୋଲି ସେତେବେଳେ ଗୋଟେ ସ୍ଲୋଗାନ ଆରମ୍ଭ ହୋଇଥିଲା। ଗୁଜରାଟର ସ୍ଵପ୍ନିଳ ଓ ସୁନ୍ଦର ଛବି ସବୁ ସେତେବେଳେ ତିଆରି କରି ପ୍ରଚାର କରାଗଲା। ଦେଶର ବଡ ବଡ ପୁଞ୍ଜିପତି ଓ ସେମାନଙ୍କର ପ୍ରିୟ ଅର୍ଥନୀତିଜ୍ଞ ମାନେ ସେତେବେଳେ ଆମକୁ ବୁଝାଇ ଦେଲେ ଯେ ଦେଶ ପାଇଁ ଗୁଜରାଟ ମଡେଲ ହିଁ ଶ୍ରେଷ୍ଠ। ପ୍ରଗତି, ବିକାଶ ଓ ମାନବ ସମ୍ବଳର ସର୍ବୋତ୍ତମ ବିବିଯୋଗ କରି ସେଯାଏ ଶ୍ରେଷ୍ଠ ବିବେଚିତ ହୋଇ ରହିଥିବା “କେରଳ ମଡେଲ” ବିରୋଧରେ “ଗୁଜରାଟ ମଡେଲ” କୁ ଆଗକୁ ଅଣାଗଲା। ତେବେ ସେହି ସମୟରେ ପଶ୍ଚିମ ବଂଗର ଜଣେ ଅତ୍ୟନ୍ତ ଲୋକପ୍ରିୟ ଗାୟକ ନଚିକେତା ଚକ୍ରବର୍ତ୍ତୀ ଆମକୁ ଗୋଟେ ଗୀତରେ ଆମକୁ ସତର୍କ କରାଇ ଦେଇଥିଲେ ଯେ- “ତୁମି ଆସବେ ବୋଲେ ଇ ଏଖନ ଦେଶ ଟା ଗୁଜରାଟ ହେଇ ଯାଇନି”। ଗୁଜରାଟ ମଡ଼େଲର ଗୋଟେ ବଡ ବାସ୍ତବତା ଥିଲା- ସଙ୍ଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର, ଗରିବଙ୍କ ପ୍ରତି ଅସମ୍ମାନ ଓ ପଇସାବାଲାଙ୍କ ପ୍ରତି ପ୍ରବଳ ସମର୍ଥନ। ଏହି ମଡ଼େଲର ଆଉ ଏକ ଭୟଙ୍କର ବାସ୍ତବତା ଥିଲା, ସହରୀ ଓ ଗ୍ରାମୀଣ ଗୁଜରାଟ ଭିତରେ ଏକ ବିରାଟ ଖାଇ। ଏହାର ପ୍ରତିଫଳନ ଗତ ଗୁଜରାଟ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଗ୍ରାମୀଣ ଗୁଜରାଟ ବିଜେପିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ସହରୀ ଗୁଜରାଟ ବିଜେପିକୁ ବଞ୍ଚାଇଥିଲା।
ତେବେ ଗୁଜରାଟ ମଡେଲକୁ ଦେଖାଇ ନିର୍ବାଚନ ଜିତିବା ପରେ, ସେ ପ୍ରସଙ୍ଗ ଆଉ ଆଲୋଚିତ ହେଲାନାହିଁ। ଗୁଜରାଟ ମଡ଼େଲର ଯେଉଁ ସବୁ ଚକମକ ଛବି ଆମକୁ ଦେଖା ଯାଇଥିଲା ସେସବୁ କୁଆଡେ ଉଭେଇ ଗଲା। ତେବେ ଗୁଜରାଟ ମଡେଲ କହିଲେ ଆମେ ଆଜି ବୁଝୁଛୁ- ମୋଦୀ-ଶାହାଙ୍କ ଯୋଡି ଓ ତାଙ୍କୁ ଘେରି ରହିଥିବା ପଞ୍ଝାଏ ଗୁଜରାଟ କ୍ୟାଡରର ଅଧିକାରୀ.। (ମଜା କଥା ହେଉଛି ମୋଦୀଙ୍କ ବୋଲକରା ଗୁଜରାଟ ଅଧିକାରୀଙ୍କ ଭିତରେ ବେଶ ପ୍ରଭାବଶାଳୀ ଓଡିଆ ମଧ୍ୟ ରହିଛନ୍ତି) ଗୁଜରାଟ ମଡ଼େଲରେ ସତ୍ୟ ଏବଂ ପ୍ରଚାର ଭିତରେ ଦୂରତା ପ୍ରବଳ। କେବଳ ପ୍ରଚାର ମାଧ୍ୟମରେ ମିଛକୁ ସତ ବୋଲି ଦେଖାଇବାର ଏକ କୁହୁକ ଏହି ମଡେଲରେ ରହିଥିଲା ଓ ଏହା ଅନେକାଂଶରେ ସଫଳ ମଧ୍ୟ ହୋଇଥିଲା।
ତେବେ ଗୁଜରାଟ ମଡେଲକୁ ନେଇ ଆଜି କିଛି ପ୍ରାସଙ୍ଗିକତା ରହିଛି କି? ନିକଟରେ ଭାରତ ସରକାରଙ୍କର କ୍ରାଇମ ରେକର୍ଡ ବ୍ୟୁରୋ ଗୁଜରାଟ ସମ୍ପର୍କରେ ଯେଉଁ ତଥ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। ୨୦୧୮ ବର୍ଷରେ ୨୯୪ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି, ଯାହାର କାରଣ ହେଉଛି ଦାରିଦ୍ର୍ୟ। ଅଭାବ, ଅନାଟନ ଓ ପେଟ ପାଟଣାର ଚାପ ସମ୍ଭାଳି ନ ପାରି ଏ ଦେଶର ସବୁଠୁ ବିତ୍ତଶାଳୀ ରାଜ୍ୟ କୁହାଯାଉଥିବା ଗୁଜରାଟରେ ୨୯୪ ଜଣ ଲୋକ ଆତ୍ମହତ୍ୟା କରିଥିବା ଖବର ଆଜି ଚର୍ଚ୍ଚାର ବିଷୟ କାହିଁକି ନୁହେଁ? ମୋଟ ୩୧୮ ଜଣ ବ୍ୟକ୍ତି ବେକାରୀର ଚାପ ସମ୍ଭାଳି ନପାରି ଆତ୍ମହତ୍ୟା କରିଛନ୍ତି। ୨୦୧୭ ବର୍ଷ ତୁଳନାରେ ଏହି ଆତ୍ମହତ୍ୟା ହାର ୧୬୩% ବଢିଛି ବୋଲି ସରକାରୀ ତଥ୍ୟ କହୁଛି। ଆଉ ଟିକେ ସ୍ପଷ୍ଟ କରି ଏହି ରିପୋର୍ଟ ଲେଖିଛି ଯେ ଅହମଦାବାଦରେ ୩୧ ଜଣ ଓ ବଧୋଦାରାରେ ୧୮ ଜଣ ବେକାରି ପାଇଁ ଆତ୍ମହତ୍ୟା କରିଛନ୍ତି।
୨୦୧୮ରେ ଗୁଜରାଟରେ ମୋଟ ୭୭୯୩ ତି ଆତ୍ମହତ୍ୟା ରେକର୍ଡ କରାଯାଇଥିବା ବେଳେ ଅଥିରୁ ୭୩.୩% ଲୋକ ଗରିବ ଶ୍ରେଣୀର। ଆର୍ଥିକ ଚାପ ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବାର ତଥ୍ୟ ସରକାର ଦେଇଛନ୍ତି। ଏହାକୁ ଆମେ ଗୁଜରାଟ ମଡ଼େଲର ଏକ ପ୍ରମାଣପତ୍ର ବୋଲି ବିବେଚନା କରି ପାରିବା କି? ସବୁଠୁ ଡେଙ୍ଗା ମୂର୍ତ୍ତି ତିଆରି କରିଥିବା ଗୁଜରାଟ ଆଜି ହଜାର ହଜାର ଲୋକଙ୍କୁ କର୍ମ ଯୋଗାଣ ଦେଇ ନପାରି ସେମାନଙ୍କୁ ଆତ୍ମହତ୍ୟା କରିବାକୁ ଅସହାୟ ଅବସ୍ଥାରେ ଛାଡି ଦେଉଛି। ଆମେ ଏହି ଗୁଜରାଟ ମଡେଲକୁ ପୂରା ଦେଶରେ ଲାଗୁ କରିବା ପାଇଁ ଚାହୁଁଥିଲେ କି?
ଆଜି ଗୁଜରାଟ ମଡେଲ ଅବଶ୍ୟ ଆଉ ପ୍ରାସଙ୍ଗିକ ହୋଇ ରହିନାହିଁ। ବହୁ ସ୍ଲୋଗାନ ପରି ସେ ସ୍ଲୋଗାନ ମଧ୍ୟ କୁଆଡେ ଉଡି ଗଲାଣି। ହେଲେ ଗୁଜରାଟ ମଡ଼େଲର ସତ୍ୟ ବିଷୟରେ ଆଜି ଚର୍ଚ୍ଚା ହେବା ନିତାନ୍ତ ଜରୁରୀ।
କେଦାର ମିଶ୍ର
ପଚାଶରୁ ଅଧିକ ଦିନ ଶାହୀନ ବାଗରେ ଧାରଣା ଦେବାପରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ପ୍ରତିବାଦକାରୀମାନେ ନିଜ ତରଫରୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଚାହିଁଛନ୍ତି। ଏଥିଲାଗି ସେମାନେ ଏକ ଶୋଭାଯାତ୍ରାରେ ବାହାରିଥିବା ବେଳେ ପୋଲିସ ତାଙ୍କୁ ଅଟକାଇଛି। ପୋଲିସର ଯୁକ୍ତି ହେଲା ଗୃହମନ୍ତ୍ରୀ ପ୍ରତିବାଦକାରୀଙ୍କୁ ଭେଟିବାକୁ ଅନୁମତି ଦେଇନାହାନ୍ତି। ଦିଲ୍ଲୀ ନିର୍ବାଚନରେ ବୁଲି ବୁଲି ଗୃହମନ୍ତ୍ରୀ ଓ ତାଙ୍କ ଦଳର ଅନ୍ୟ ନେତାମାନେ ଶାହୀନବାଗର ଆନ୍ଦୋଳନରତ ନାଗରିକଙ୍କୁ ଯା ଇଚ୍ଛା ତା ଗାଳି କରିଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଚାଲିଥିବା ଏ ଆନ୍ଦୋଳନରେ ହଜାର ହଜାର ମହିଳାଙ୍କର ଯୋଗଦାନକୁ ଅତି ନିକୃଷ୍ଟ ଭାଷାରେ ଶାସକ ଦଳ ତରଫରୁ ନିନ୍ଦା କରାଯାଇଥିଲା। ଗୋଟେ ଗଣତାନ୍ତ୍ରିକ ସରକାର ନିଜ ନାଗରିକଙ୍କୁ ଏ ପ୍ରକାର ଆଚରଣ କରିବା ସବୁଠୁ ଦୁର୍ଭାଗ୍ୟର କଥା। ସବୁଠୁ ବଡ ବିରୋଧୀ ସହିତ ଆଲୋଚନା କରିବାର ସୁଯୋଗ ଗଣତନ୍ତ୍ର ହିଁ ଦେଇଥାଏ।
ଆମେ ମନମୋହନ ସିଂ ସରକାର ସମୟରେ ଦେଖିଛୁ, ଆନ୍ଦୋଳନ ଆଗରେ ସରକାର କେମିତି ନିଜକୁ ଅସହାୟ ଅନୁଭବ କରନ୍ତି। ସେତେବେଳେ ତାହା ମନମୋହନ ସିଂ ସରକାରର ଦୁର୍ବଳତା ବୋଲି କୁହା ଯାଉଥିଲା। ୨୦୧୪ ପୂର୍ବର ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ମନମୋହନ ସିଂ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିଲେ। ସେତେବେଳେ ଆନ୍ନା ହଜାରେଙ୍କ ନେତୃତ୍ବରେ ଚାଲିଥିବା ଆନ୍ଦୋଳନ ପଛରେ ବିଜେପି ଓ ସଂଘ ପରିବାରର ପ୍ରଚ୍ଛନ୍ନ ସମର୍ଥନ ରହିଥିବା ସତ୍ତ୍ୱେ, ଆନ୍ଦୋଳନକାରୀଙ୍କ ସହିତ ସରକାର ନିରବଚ୍ଛିନ୍ନ ଆଲୋଚନା କରିଥିଲେ। ଜନ ଲୋକପାଳ ବିଲ ସମ୍ପର୍କରେ ଆଲୋଚନା କରିବା ପାଇଁ ସେତେବେଳେ ସରକାର ଓ ଆନ୍ଦୋଳନକାରୀଙ୍କର ଏକ ମିଳିତ କମିଟି ମଧ୍ୟ ଗଠିତ ହୋଇଥିଲା। ଆନ୍ନାଙ୍କ ପରେ ବାବା ରାମଦେବ ଯେତେବେଳେ ତାଙ୍କର ଅନଶନ ଆରମ୍ଭ କରିଥିଲେ ତାଙ୍କ ସହିତ ଆଲୋଚନା କରିବାକୁ କଂଗ୍ରେସ ସରକାର ତତ୍କାଳୀନ ବରିଷ୍ଠ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ମନ୍ତ୍ରୀ ମନ୍ତ୍ରୀଙ୍କୁ ପଠାଇଥିଲେ। ଗଣତନ୍ତ୍ରରେ ତାହା ହିଁ ଆବଶ୍ୟକତା।
ମୋଦୀ ସରକାରରେ ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ସବୁଠୁ ବେଶୀ ବ୍ୟାହତ ହୋଇଛି। କୌଣସି ସରକାର ବିରୋଧୀ ସ୍ଵର ଶୁଣିବାକୁ ମୋଦୀ ସରକାର ପ୍ରସ୍ତୁତ ନୁହନ୍ତି। ଅତ୍ୟଧିକ ଆତ୍ମ ବିଶ୍ଵାସ ଓ କ୍ଷମତାର ଅହଂକାର ଯୋଗୁଁ ହୁଏତ ପୂର୍ଣ୍ଣ ବହୁମତରେ ଥିବା ଏକ ସରକାର, ନିଜ ବିରୋଧୀଙ୍କୁ ଅଣଦେଖା କରିପାରେ, ଏହା କିନ୍ତୁ ଭବିଷ୍ୟତରେ ଗଣତନ୍ତ୍ର ଲାଗି ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ଅଧିକ। ବର୍ତ୍ତମାନ ସମୟରେ ଦେଶର ୬୦% ରାଜ୍ୟରେ ବିରୋଧୀ ଦଳର ସରକାର ରହିଛି। ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ପରଷ୍ପରର ପରିପୂରକ ହେବାକୁ ବାଧ୍ୟ। କେବଳ ଉତ୍ତର ପ୍ରଦେଶ ଓ ଗୁଜରାଟକୁ ବାଦ ଦେଲେ ଦେଶର ବାକି ସବୁ ବଡ ରାଜ୍ୟରେ ଆଜି ବିରୋଧୀ ଦଳର ଶାସନ ରହିଛି। ଦେଶର ପାଞ୍ଚଟି ମହାନଗରୀ ରୁ ଚାରୋଟିରେ ବିରୋଧୀ ଦଳର ପ୍ରାଧାନ୍ୟ ରହିଛି। ଏହା କେନ୍ଦ୍ର ସରକାରଙ୍କୁ ଅଧିକ ନମନୀୟ କରିବା ଉଚିତ ହୁଅନ୍ତା। ତେବେ ମୋଦୀ ସରକାର ଏକଥା ବୁଝିବାକୁ ନାରାଜ।
ମୋଦୀ ସରକାରର ପ୍ରଥମ ପାଳିରେ କେବଳ ଜମି ଅଧିଗ୍ରହଣ ସଂଶୋଧନ ଆଇନକୁ ନେଇ ଦେଶ ବ୍ୟାପୀ ଆନ୍ଦୋଳନ ହୋଇଥିଲା। ତେବେ ୨୦୧୯ ନିର୍ବାଚନ ପରେ ପରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ପରେ ପରେ ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧୀ ଭାବନା ତୀବ୍ର ହୋଇଛି। ଧାରା ୩୭୦ ପ୍ରସଙ୍ଗ କାଶ୍ମୀରରେ ସୀମିତ ରହିଥିବା ବେଳେ ନାଗରିକତା ସଂଶୋଧନ ଆଇନର ବିରୋଧ ତୀବ୍ର ହୋଇଛି। ବୋଧହୁଏ ମୋଦୀ ସରକାର ଏହି ଆନ୍ଦୋଳନ ଓ ବିରୋଧ ଏତେ ତୀବ୍ର ହେବ ବୋଲି ଚିନ୍ତା କରିନଥିଲେ। ଚିରାଚରିତ ଢଙ୍ଗରେ ଏହି ଆନ୍ଦୋଳନକୁ ଦେଶଦ୍ରୋହୀ ବା ବିରୋଧୀ ପ୍ରାୟୋଜିତ ଆନ୍ଦୋଳନ ବୋଲି କହି ବିଜେପି ଖସି ଯିବାକୁ ଚାହୁଁଥିଲା। ତେବେ ଏହି ବିରୋଧର ପରିଣତି ସ୍ଵରୂପ ଝାଡଖଣ୍ଡ ଓ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି।
ଏକ ଗଣତାନ୍ତ୍ରିକ ସରକାର ଯେତେବେଳେ ବିରୋଧୀଙ୍କୁ ଦମନ କରି ଦବାଇ ଦେବା ବୋଲି ଭାବେ ସେଠାରେ ସେହି ସରକାର ର ପତନ ଆରମ୍ଭ ହୁଏ। ନାଗରିକତା ସଂଶୋଧନ ଆଇନ ସହିତ ଜାତୀୟ ନାଗରିକ ପଞ୍ଜିକା ଓ ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ନେଇ ଏବେ ଦେଶସାରା ସନ୍ଦେହର ବାତାବରଣ ରହିଛି। ଏହାକୁ ଦୂର କରିବା ଲାଗି ଏକ ତରଫା ପ୍ରଚାର ଅପେକ୍ଷା ବିରୋଧୀଙ୍କ ସହ ଆଲୋଚନା ଅତ୍ୟନ୍ତ ଜରୁରୀ। ଶାହିନବାଗ ଆଜି ପୂରା ଦେଶରେ ସରକାର ବିରୋଧୀ ପ୍ରତିବାଦର ଏକ ନୂଆ ମେଟାଫର ପାଲଟି ଯାଇଛି। ଏହାକୁ ମୋଇ ସରକାର ଦମନ କରିବା ଅବସ୍ଥାରେ ମଧ୍ୟ ନାହାନ୍ତି। ଆଜି ମୋଦୀଙ୍କ ପାଖରେ ଏକମାତ୍ର ବାଟ ହେଉଛି, ଲୋକଙ୍କ ସହିତ ଆଲୋଚନା। ବିରୋଧୀ ଜନମତକୁ ଦମନ ମାଧ୍ୟମରେ ଦବାଇବା ସମ୍ଭବ ନୁହେଁ। ଗଣତନ୍ତ୍ରରେ ନିରନ୍ତର ଆଲୋଚନା କରିବାକୁ ସରକାର ବାଧ୍ୟ।
ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଯେତେ ଶୀଘ୍ର ବୁଝିବେ, ସେତେ ଶୀଘ୍ର ଦେଶରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଫେରିବ।
କେଦାର ମିଶ୍ର
ଦିଲ୍ଲୀ ନିର୍ବାଚନର ଫଳ ପ୍ରକାଶ ପାଇଲା ପରେ ଯେଉଁ ଗୀତର ଧାଡିଟି ଆମର ମନେ ପଡୁଥିଲା ସେଇଟା ହେଉଛି- ସମଝନେ ୱାଲେ ସମଝ ଗୟେ ହୈ ଜୋ ନା ସମଝେ ୱୋ ଅନାଡି ହୈ”। ଏ ଗୀତଟି ଆଉ କିଏ ଶୁଣୁ ବା ନ ଶୁଣୁ, ବିଜେପିର ଦୁଇ ସର୍ବୋଚ୍ଚ ନେତା ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଶୁଣିବା ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯେଉଁ ପ୍ରକାର ନେତୃତ୍ବର ଉଦାହରଣ ପ୍ରସ୍ତୁତ କରିଥିଲେ, ତାହା ଏ ଦେଶର ଗଣତନ୍ତ୍ର ଲାଗି ଏକପ୍ରକାର ମରଣାନ୍ତକ ଆକ୍ରମଣ ଥିଲା। ବିଜେପି ହାରିବା ଏ ନିର୍ବାଚନରେ ଦେଶ ପାଇଁ ଜରୁରୀ ଥିଲା। ହେଲେ ବିଜେପିର ଏ ପ୍ରକାର ଲଜ୍ଜାଜନକ ପରାଜୟ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଅପରିହାର୍ୟ ଥିଲା।
ପ୍ରଥମଥର ଲାଗି ନିର୍ବାଚନ ଜିତିବା ଲାଗି ଖୋଲାଖୋଲି ହିଂସା ଓ ଗୁଣ୍ଡାମିର ପ୍ରୟୋଗ କରିଥିଲା। ସରକାରକୁ ବିରୋଧ କରୁଥିବା ଛାତ୍ରଛାତ୍ରୀ, ସାଧାରଣ ନାଗରିକ ଓ ସଂଖ୍ୟାଲଘୁଙ୍କ ଉପରେ ବିଜେପିର ଉଗ୍ର ଆକ୍ରମଣ ଅତି ଭୟଙ୍କର ସ୍ତରରେ ପହଞ୍ଚି ଯାଇଥିଲା। ଜାମିଆ ମିଲିଆ ଓ ଆଲିଗଡ ମୁସ୍ଲିମ ବିଶ୍ଵ ବିଦ୍ୟାଳୟରେ ପୋଲିସ ହିଂସା, ଜବାହାରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରେ ମୁଖାଧାରୀ ଗୁଣ୍ଡାମାନଙ୍କର ଆକ୍ରମଣ, ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କ ବିରୋଧରେ ପ୍ରବଳ ଦମନ ଏବଂ ୨୫ ରୁ ଅଧିକ ଲୋକଙ୍କ ଗୁଳିକାଣ୍ଡରେ ହତ୍ୟା ଭଳି ଘଟଣାର ପୃଷ୍ଠଭୂମିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା । ସେହି ପୃଷ୍ଠଭୂମିରେ ଦିଲ୍ଲୀ ନିର୍ବାଚନର ଭାଷା ସବୁଠୁ ହିଂସ୍ର ଓ ନିକୃଷ୍ଟ ରହିଥିଲା। ଦୁର୍ଭାଗ୍ୟକ୍ରମେ ଏହି ରାଜନୀତିର ଅଧିନାୟକ ଖୋଦ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଥିଲେ।
ବିଜେପି ପାଇଁ ଦିଲ୍ଲୀ ନିର୍ବାଚନ ଜିତିବା ଅପେକ୍ଷା ଏକ ସମ୍ମାନଜନକ ପରାଜୟର ଆବଶ୍ୟକତା ରହିଥିଲା। ପୁରା ଦମରେ ନିର୍ବାଚନ ଲଢିବା ପରେ ଏବଂ ନିଜେ ଅମିତ ଶାହ ଦିଲ୍ଲୀ ପ୍ରଚାରର ମଙ୍ଗ ସମ୍ଭାଳିବା ପରେ ମଧ୍ୟ ବିଜେପି ମାତ୍ର ୭ ଟି ଆସନ ପାଇବା ଦଳ ଲାଗି ଅପମାନଜନକ ଅନୁଭବ ନିଶ୍ଚୟ। ଲୋକେ ବିଜେପିକୁ ଏ ପ୍ରକାର ଅପମାନିତ କରିବାର କାରଣ କଣ? ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ। ବିଜେପି ନିଜର ବିରୋଧୀଙ୍କୁ ଅପମାନିତ କରିବା, ସେମାନଙ୍କୁ ଦେଶଦ୍ରୋହୀ କହିବା ଓ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପ୍ରତି ଉପହାସ କରିବାକୁ ନିଜର ବଡପଣ ବୋଲି ଭାବିଥାଏ। ଏ ପ୍ରକାର ରାଜନୀତିରୁ ଅତୀତରେ ବିଜେପିକୁ ଲାଭ ମଧ୍ୟ ମିଳିଛି। ତେବେ ଏ ପ୍ରକାର ରାଜନୀତି ଦୀର୍ଘ ସମୟ ଯାଏଁ ଚାଲିପାରେନା। ଲୋକେ ନକାରାତ୍ମକ ରାଜନୀତିରେ ଅତିଷ୍ଠ ହେବା ଆରମ୍ଭ କରିଛନ୍ତି। ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନରୁ ଗୋଟେ କଥା ସ୍ପଷ୍ଟ ଯେ, ଅନ୍ୟକୁ ଅପମାନିତ କରିବା ଓ ଦେଶଦ୍ରୋହୀ କହିବାର ରାଜନୀତି ଆଉ କାମ କରୁନାହିଁ।
ଦିଲ୍ଲୀ ରେ ଅଦ୍ଭୁତ ରାଜନୈତିକ ଘୃଣା ଓ ହିଂସାର ବାତାବରଣ ଗତ ମାସେ ଧରି ରହିଥିଲା। ବିଜେପି ର ନିର୍ବାଚନୀ ପ୍ରଚାରରେ ଯେଉଁ କେତୋଟି ଶବ୍ଦ ବିଶେଷ ପ୍ରୟୋଗ ହୋଇଥିଲା, ସେସବୁ ହେଲା- ହିନ୍ଦୁ-ମୁସଲମାନ, ପାକିସ୍ତାନ, ଗୋଲି ମାରୋ, ଶାହିନ ବାଗ, ମନ୍ଦିର-ମସଜିଦ, ବିରିଆନୀ ଇତ୍ୟାଦି ଇତ୍ୟାଦି। କେବଳ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ମାନସିକ ଆକ୍ରମଣ କରି ନିର୍ବାଚନ ଜିତିହେବ ବୋଲି ବିଜେପି ଭାବୁଛି। ତେବେ ଏ ପ୍ରକାର ରାଜନୀତି ଏବେ ନିରନ୍ତର ଲୋକଙ୍କ ଦ୍ଵାରା ଖାରଜ ହେଉଛି, ଏକଥା ବିଜେପି ବୁଝିବା ଦରକାର। ବିଜେପି ନେତା ଓ କର୍ମକର୍ତ୍ତାଙ୍କ ମନରେ ଗୋଟେ ଭାବନା ରହିଛି ଯେ, ସଂଖ୍ୟାଧିକ ହିନ୍ଦୁ ବିଜେପିର ହିନ୍ଦୁତ୍ଵ ନୀତିକୁ ସମର୍ଥନ କରିବେ। ବାସ୍ତବରେ କୌଣସି ସଚେତନ ନାଗରିକ ଧର୍ମ ଆଧାରରେ ନିଜର ରାଜନୀତି କୁ ଦେଖିବ ନାହିଁ। ଯେଉଁ ମଧ୍ୟବିତ୍ତ ଜନତା ଏକଦା ବିଜେପିକୁ ବିକାଶର ରାଜନୀତି ପାଇଁ ସମର୍ଥନ କରୁଥିଲେ ସେମାନେ ଏବେ ବିଜେପିର ଉଗ୍ର ରାଜନୀତିରେ ଆହତ ହେବା ସ୍ଵାଭାବିକ।
ବିଜେପି ନିଜର ଘୃଣା ତଥା ଆକ୍ରାମକ ରାଜନୀତିର ନୂଆ ପୋଷ୍ଟର ବୟ ଭାବରେ ଅମିତ ଶାହ ଓ ଆଦିତ୍ୟନାଥଙ୍କର ପ୍ରୟୋଗ କରିବାକୁ ଚେଷ୍ଟା କରୁଛି। ଆଦିତ୍ୟନାଥ ନିଜର ଘୃଣା ଓ ବିଭାଜନକାରୀ ରାଜନୀତିକୁ ଆଦିତ୍ୟନାଥ ଅନ୍ୟ ରାଜ୍ୟରେ ପ୍ରଚାର କରିବାକୁ ଅବଶ୍ୟ ଚେଷ୍ଟା କରୁଛନ୍ତି। ହେଲେ ସେ ଯେଉଁଠି ପ୍ରଚାର କରୁଛନ୍ତି, ବିଜେପି ସେଠାରେ ପରାଜିତ ହେଉଛି। ଏହା ବିଜେପିକୁ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ଦେବା ଉଚିତ।
ବିଜେପିର ରାଜନୀତିରେ ଘୃଣା ଓ ହିଂସାର ବିଷାକ୍ତ ସମନ୍ଵୟ ତାଙ୍କର କେତେ ଲାଭ କ୍ଷତି କରିବ, ତାହା ଭିନ୍ନ କଥା। ହେଲେ ଏହି ରାଜନୀତି ଆମର ସାମାଜିକ ଜୀବନକୁ ବିଭକ୍ତ କରି ଚାଲିଛି। ଦିଲ୍ଲୀର ଜନମତ ଏ ପ୍ରକାର ବିଷାକ୍ତ ରାଜନୀତି ଗାଲରେ ଏକ ଶକ୍ତିଶାଳୀ ଚାପୁଡା। ତେବେ ବିଜେପି ଏହାକୁ ବୁଝୁଛି ତ!!
ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ବୁଧବାର ସଂସଦରେ ରାମମନ୍ଦିର ଟ୍ରଷ୍ଟ ପାଇଁ ମୋଦି ଘୋଷଣା କରିଛନ୍ତି । କ୍ୟାବିନେଟ୍ ସହିତ ଆଲୋଚନା କରିବା ପରେ ମୋଦି ଏହି ଟ୍ରଷ୍ଟ ନେଇ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରଖାଯାଇଛି । ଟ୍ରଷ୍ଟର ସଦସ୍ୟ ମାନଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ମୋଦି କହିଛନ୍ତି । ଏହ ସହିତ ସୁନ୍ନି ଓ୍ବାକଫ୍ ବୋର୍ଡକୁ 5 ଏକର ଜମି ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଚାରି ଦିନ ପୂର୍ବରୁ ଏକ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାଲିରେ ମୋଦି ବାଟ୍ଲା ହାଉସ୍ ଏନ୍କାଉଣ୍ଟର ନେଇ ବିରୋଧୀ ଆପ୍ ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ । ଭାରତ ମାତା କି ଜୟ ସ୍ଲୋଗାନ୍ରୁ ମୋଦି ନିଜର ଭାଷଣ ଆରମ୍ଭ କରିଥିଲେ । ଦିଲ୍ଲୀର ନିର୍ବାଚନୀ ହାଓ୍ବା ବର୍ତ୍ତମାନ ବିଜେପି ସପକ୍ଷରେ ବହୁଛି ଫେବୃୟାରୀ 8 ତାରିଖରେ ଦିଲ୍ଲୀବାସୀ ଏକତ୍ର ହୋଇ ଏକ ସରକାର ଗଠନ କରିବେ । ଦିଲ୍ଲୀ ବାସୀଙ୍କୁ ଏପରି ଏକ ସରକାର ଆବଶ୍ୟକ ଯିଏକି ଅଭିଯୋଗ କରିବା ପରିବର୍ତ୍ତେ ଦିଲ୍ଲୀକକୁ ବିକାଶ ଦିଗରେ ଆଗେଇ ନେବ । ସେହିପରି ଆପ୍କୁ ଆକ୍ରମଣ କରିବାକୁ ଯାଇ ମୋଦି କହିଥିଲେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ଯୋଜନାକୁ ଦିଲ୍ଲୀରେ ଆପ୍ ସରକାର ଲାଗୁ କରାଉ ନାହାନ୍ତି ଯାହାକି ଗ୍ରହଣଯୋଗ୍ୟ ନୁହେଁ ।
ସର୍ଜିକାଲ ଷ୍ଟ୍ରାଇକ୍ର ପ୍ରମାଣ ମାଗୁଥିବା ବ୍ୟକ୍ତି ଏବଂ ବାଟ୍ଲା ହାଉସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ପାଇଁ ଲୁହ ଝରାଉଥିବା ବ୍ୟକ୍ତି ଦିଲ୍ଲୀର ନେତୃତ୍ବ ନେବା ପାଇଁ ଉପଯୁକ୍ତ ନୁହନ୍ତି । ଏପରି ଦୃଷ୍ଟିଭଙ୍ଗୀ ରଖୁଥିବା ବ୍ୟକ୍ତିଙ୍କ ନେତୃତ୍ବରେ ଦିଲ୍ଲୀ ଆଗକୁ ବଢିପାରିବ ନାହିଁ ବୋଲି କହି କେଜ୍ରିଓ୍ବାଲଙ୍କୁ ଆକ୍ରମଣ କରିଥିଲେ । ସେହିପରି ସିଏଏକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭ୍ରମିତ କରାଯାଉଛି ବୋଲି ମୋଦି କହିଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ : ପରୀକ୍ଷା ଋତୁ ନିକଟତର ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଟିପ୍ସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ତଲାକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ବିଫଳତା ଜୀବନର ଏକ ଅଂଶବିଶେଷ, ଏହା ଦ୍ବାରା ଭାଙ୍ଗିନପଡି ସଫଳତା ପାଇଁ ପ୍ରେରଣା ହାସଲ କରିବା ଉଚିତ୍ ବୋଲି ମୋଦି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ ।
ଯୁବପିଢିଙ୍କ ସହିତ ଆଲୋଚନା ଦ୍ବାରା ତାଙ୍କୁ ଅନେକ ନୂତନ ଅଭିଜ୍ଞତା ମିଳିଥାଏ ଏବଂ ସେ ପିଲାମାନଙ୍କ ବନ୍ଧୁ ଭାବରେ ଏହି କାର୍ଯ୍ୟକ୍ରମକୁ ଆସିଛନ୍ତି ବୋଲି ପ୍ରାରମ୍ଭରୁ ପ୍ରକାଶ କରିଥିଲେ ମୋଦି । ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ପରୀକ୍ଷାକୁ ନେଇ ଅଭିଭାବକଙ୍କ ଚାପକୁ ନାପସନ୍ଦ କରିଥିଲେ ମୋଦି । ଏହା ସଠିକ୍ ନୁହେଁ । ଅଭିଭାବକ ମାନେ ପିଲାମାନଙ୍କ ଉପରେ ପରୀକ୍ଷା ଫଳକୁ ନେଇ ଚାପ ପକାଇବା ବନ୍ଦ କରିବା ଉଚିତ ବୋଲି ମୋଦି କହିଥିଲେ । ଆଗକୁ ବଢିବା ପାଇଁ ପରୀକ୍ଷା ଫଳ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚ, ମାତ୍ର ଏହା ସବୁକିଛି ନୁହେଁ ତେଣୁ ପାଠ ବ୍ୟତୀତ ଖେଳକୁଦ, ସଙ୍ଗୀତ ଇତ୍ୟାଦିକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରିବା ଉଚିତ୍ ବୋଲି ମୋଦି ମତ ଦେଇଥିଲେ । (ଏଜେନ୍ସୀ)
କେଦାର ମିଶ୍ର
ରାଜନୀତିରେ ଥିବା ଲୋକେ ଭାବନ୍ତି ସେମାନଙ୍କ ପାଇଁ ସବୁ ମଞ୍ଚ ହେଉଛି ଭୋଟ ଗୋଟେଇବାର ମଞ୍ଚ। ରାଜନୀତି ବିଷୟରେ କହିବା ହୁଏତ ଗ୍ରହଣୀୟ ହେଲେ ସବୁ କଥାରେ ରାଜନୈତିକ ଫାଇଦା ଉଠାଇବାର ପ୍ରବୃତ୍ତି ଜଣେ ରାଜନେତାଙ୍କ ମର୍ୟାଦା ହାନି ଘଟାଇଥାଏ। ତେବେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ। ତାଙ୍କ ପାଇଁ ସବୁ ମଞ୍ଚ ରାଜନୀତି ଓ ନିଜର ଭାବମୂର୍ତ୍ତି ଚମକାଇବାର ମଞ୍ଚ। କେଦାରନାଥଙ୍କର ମନ୍ଦିର ହେଉ ବା ସ୍ଵାମୀ ବିବେକାନନ୍ଦଙ୍କର ବେଲୁର ମଠ, ସବୁଠି ରାଜନୀତିର ପ୍ରୟୋଗ କରିବାକୁ ମୋଦୀ ଚାହିଁଛନ୍ତି। ଦେଶର ପ୍ରତିଷ୍ଠିତ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକର ରାଜନୀତିକରଣ କରିବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ ଯେ ଉଚିତ ନୁହେଁ, ଏକଥା ଯଦି ସେ ନିଜେ ନ ବୁଝିବେ, ତାଙ୍କୁ ବୁଝାଇବ କିଏ! ମହାପୁରୁଷ ରାମକୃଷ୍ଣ ପରମହଂସ ଓ ସ୍ଵାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ରାମକୃଷ୍ଣ ମିଶନ, ସବୁବେଳେ ସବୁ ଧର୍ମ ଓ ସବୁ ଜାତୀୟତାର ସଂଗମ ଭାବରେ କାମ କରିଛି। ସେହି ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ଭାଷଣ ଦେବା,କେବଳ ଅଯଥାର୍ଥ ନୁହେଁ, ଏହା ଅନେକାଂଶରେ ଶ୍ରୀ ଶ୍ରୀ ରାମକୃଷ୍ଣଙ୍କ ଆଦର୍ଶର ଅବମାନନା।
ନରେନ୍ଦ୍ର ମୋଦୀ ନିଜ ସରକାରର ନାଗରିକତା ସଂଶୋଧନ ଆଇନକୁ ଯଥାର୍ଥ ବୋଲି ପ୍ରମାଣିତ କରିବାକୁ ବାରମ୍ବାର ମହାତ୍ମା ଗାନ୍ଧୀ ଓ ସ୍ଵାମୀ ବିବେକାନନ୍ଦଙ୍କ ନାମକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ସେହି ଚେଷ୍ଟାରୁ ସେ ରାମକୃଷ୍ଣ ମିଶନର ପ୍ରଖ୍ୟାତ ବେଲୁର ମଠରେ ରାତ୍ରୀ ଯାପନ ଓ ମଠର ମଞ୍ଚରୁ ସିଏଏ ସପକ୍ଷରେ ଜନମତ ଗୋଟାଇବାର କାମଟି କରିଛନ୍ତି। ମଠର ଅଣରାଜନୈତିକ ମଞ୍ଚରେ ମୋଦୀଙ୍କ ରାଜନୀତି ଏହାର କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ କରିଛି। ରାମକୃଷ୍ଣ ମଠର ସାଧାରଣ ସମ୍ପାଦକ ସ୍ଵାମୀ ସୁବୀରାନନ୍ଦ କହିଛନ୍ତି ଯେ ରାମକୃଷ୍ଣ ମିଶନରେ ସବୁ ଧର୍ମର ଲୋକଙ୍କର ସମାନ ସ୍ଥାନ ରହିଛି ଓ ଏହା ସହିତ ରାଜନୀତିର କିଛି ସମ୍ପର୍କ ନାହିଁ। ସନ୍ୟାସୀମାନେ କୌଣସି ପାର୍ଥିବ ରାଜନୈତିକ ବିଚାର ରଖନ୍ତି ନାହିଁ ବୋଲି ମିଶନ କହିଛି ଓ ଏହା ସତ୍ୟ ମଧ୍ୟ। ହେଲେ ଭାରତର ପ୍ରଧାନମନ୍ତ୍ରୀ ଏକଥା ଜାଣନ୍ତି ନାହିଁ କି?
ରାମକୃଷ୍ଣ ମିଶନରେ ପ୍ରଧାନମନ୍ତ୍ରୀ କହିବା ପୂର୍ବରୁ ରେ ସ୍ଵାମୀ ବିବେକାନନ୍ଦ ୧୧, ସେପ୍ଟେମ୍ବର, ୧୮୯୩ ଦିନ ଶିକାଗୋ ସହରରେ ତାଙ୍କର ଯେଉଁ ପ୍ରସିଦ୍ଧ ଭାଷଣଟି ଦେଇଥିଲେ, ତାକୁ ଆଉଥରେ ପଢିବା ଉଚିତ ହୋଇଥାନ୍ତା। ଭାରତରେ ନାଗରିକତାର ଏକ ମାନବୀୟ ଆଧାର କଥା ସ୍ବାମୀଜୀ ଆଜିକୁ ୧୨୬ ବର୍ଷ ତଳୁ ପ୍ରସ୍ତୁତ କରିଥିଲେ। ସ୍ଵାମୀ ବିବେକାନନ୍ଦଙ୍କ ଭାଷାରେ “ ମୁଁ ଗର୍ବର ସହ କହିବି ଯେ ମୁଁ ସେହି ଧର୍ମର ଲୋକ ଯେଉଁ ଧର୍ମ ସାରା ପୃଥିବୀକୁ ସହିଷ୍ଣୁତା ଓ ଜଗତକୁ କୋଳେଇନେବାର ଶିକ୍ଷା ଦେଇଛି। ଆମେ କେବଳ ସହିଷ୍ଣୁତା ଉପରେ ବିଶ୍ଵାସ କରୁନା, ଆମେ ସବୁ ଧର୍ମକୁ ସତ୍ୟ ଭାବରେ ଗ୍ରହଣ କରୁ। ମୁଁ ସେହି ଜାତିର ଗୌରବାନ୍ଵିତ ପ୍ରତିନିଧି ଯିଏ ପୃଥିବୀର ସବୁ ଧର୍ମ ଓ ସବୁ ଜାତିର ଉତ୍ପୀଡିତ ଶରଣାର୍ଥୀମାନଙ୍କୁ ଆଶ୍ରୟ ଦେଇଛି।“
ସ୍ଵାମୀ ବିବେକାନନ୍ଦଙ୍କ ବିଚାରକୁ ଅତି ଭୟଙ୍କର ଭାବରେ ଆଜିର ନାଗରିକତା ସଂଶୋଧନ ଆଇନ ବିରୋଧ କରୁଛି। ସ୍ବାମୀଜୀ ସବୁ ଦେଶ ଓ ସବୁ ଧର୍ମର ଉତ୍ପୀଡିତ ମଣିଷଙ୍କୁ ଶରଣ ଦେବାର କଥା କହିଥିଲେ। ହେଲେ ନାଗରିକତା ସଂଶୋଧନ ଆଇନ ଧର୍ମ ଓ ରାଷ୍ଟ୍ର ଭିତ୍ତିରେ ପାଟର ଅନ୍ତର ନୀତି ଗ୍ରହଣ କରିଛି। ପ୍ରଥମତଃ ଏହି ଆଇନ ତିନୋଟି ମୁସଲମାନ ବହୁଳ ପଡୋଶୀ ରାଷ୍ଟ୍ରଙ୍କ ପାଇଁ ଉପଲକ୍ଷ୍ୟ ରଖି ତିଆରି ହୋଇଛି ଓ ଏଥିରେ ଉତ୍ପୀଡିତ ମୁସଲମାନମାନଙ୍କୁ ସ୍ପଷ୍ଟ ଭାବରେ ନାଗରିକତା ନ ଦେବାର ବ୍ୟବସ୍ଥା ରହିଛି। ନାଗରିକତାର ଅତି ସ୍ପଷ୍ଟ ଲକ୍ଷ୍ୟ ରହିଛି। ଆପଣ କୌଣସି ବାହାର ଲୋକଙ୍କୁ ନାଗରିକତା ଦିଅନ୍ତୁ ନାହିଁ, ଯଦି ଦେଉଛନ୍ତି ତାହେଲେ ଧର୍ମ ଓ ରାଷ୍ଟ୍ର ଆଧାରରେ ପାତର ଅନ୍ତର କରନ୍ତୁ ନାହିଁ। ଯଦି ପାକିସ୍ତାନର ଉତ୍ପୀଡିତ ହିନ୍ଦୁ ଭାରତରେ ନାଗରିକତା ପାଇବାର ହକଦାର, ତାହେଲେ ସେ ଅଧିକାର ଶ୍ରୀଳଙ୍କାର ହିନ୍ଦୁ ପାଇବ ନାହିଁ କାହିଁକି? ଧର୍ମ ଓ ଜାତୀୟତାର ଆଧାରରେ ଗୋଟେ ଆଇନ ତିଆରି କରି ତାକୁ ସ୍ଵାମୀ ବିବେକାନନ୍ଦଙ୍କ ମହାନ ଆଶ୍ରମରେ ଗ୍ରହଣୀୟ ହେଉ ବୋଲି ଜଣେ ରାଜନେତା କହି ପାରୁଛନ୍ତି କେମିତି?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯେତେ ଭାଷଣ ଦେଲେ ମଧ୍ୟ ନାଗରିକତା ସଂଶୋଧନ ଆଇନରେ ଭାରତର ମାନବାତ୍ମା ପ୍ରତି ହୋଇଥିବା ଅବିଚାରକୁ ଠିକ ବୋଲି ପ୍ରମାଣିତ କରି ପାରିବେ ନାହିଁ। ଏହି ଆଇନ ଭାରତର ସମନ୍ବୟବାଦୀ ଆଦର୍ଶ ଓ ମାନବ ଅଧିକାର ବିରୋଧୀ। ଏହି ଆଇନରେ ଧାର୍ମିକ ବିଭାଜନ ଓ ଘୃଣାର ମଞ୍ଜି ପୋତିବାକୁ ପ୍ରଧାନମନ୍ତ୍ରୀ ଚେଷ୍ଟା କରିଛନ୍ତି। ଏହି ଆଇନରେ ପରମହଂସ ରାମକୃଷ୍ଣ, ସ୍ଵାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଭାରତର ବିରୋଧୀ ଭାବନା ରହିଛି। ତେଣୁ ସେମିତି ଏକ ଆଇନ ସପକ୍ଷରେ ବେଲୁର ମଠର ପବିତ୍ର ମଞ୍ଚରୁ କହିବା ପ୍ରଧାନମନ୍ତ୍ରୀଙ୍କ ପଦ ଓ ଗରିମାକୁ ଶୋଭା ଦେଉନାହିଁ।
ଅବଶ୍ୟ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ ପଦ ଓ ଗରିମା ବିଷୟରେ, ଆଗରୁ କେବେ ସଚେତନ ଥିଲେ ଜୀ ଆଜି ରହିବେ! ଏ ବୃଥା ଆଶା କରିବାର କୌଣସି କାରଣ ଅବଶ୍ୟ ନାହିଁ!!
କୋଲକାତା : ସାରା ଦେଶରେ ରବିବାର ଜାତୀୟ ଯୁବ ଦିବସ ପାଳିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁର ମଠ ଗସ୍ତ କରିଛନ୍ତି । ରାମକୃଷ୍ଣ ମିଶନର ମୁଖ୍ୟାଳୟ ବେଲୁର ମଠରେ ମୋଦି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଏଏ ସମ୍ପର୍କରେ ଆଲୋଚନା କରିଥିଲେ । ନିଷ୍ପେସିତ ଏବଂ ନିର୍ଯାତିତଙ୍କୁ ନାଗରିକତ୍ବ ପ୍ରଦାନ କରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । କାହାର ନାଗରିକତ୍ବ ଛିନ୍ନ କରିବା ପାଇଁ ଏହି ଆଇନ ନୁହେଁ ବୋଲି ମୋଦି ସ୍ପଷ୍ଟ କରିଛନ୍ତି । ପଡୋଶୀ ରାଷ୍ଟ୍ର ମାନଙ୍କରେ ନିର୍ଯାତିତ ହିନ୍ଦୁଙ୍କୁ ଫେରାଇ ଆଣିବା ପାଇଁ ଏହି ନିୟମକୁ ପ୍ରଣୟନ କରାଯାଇଛି ବୋଲି ମୋଦି କହିଥିଲେ । ଦେଶର ଯୁବଗୋଷ୍ଠୀ ଏହି ଆଇନକୁ ନେଇ ଉତ୍ସାହିତ ମାତ୍ର ବିପକ୍ଷ ରାଜନେତା ଏହାକୁ ନେଇ ସାଧାରଣରେ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି ବୋଲି ମୋଦି କହିଥିଲେ । (ଏଜେନ୍ସୀ)
କେଦାର ମିଶ୍ର
ଆସନ୍ତା ଫେବୃଆରି ୧ ତାରିଖ ଦିନ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ବଜେଟ ଉପସ୍ଥାପନ କରିବେ କି? ଏମିତି ଏକ ପ୍ରଶ୍ନକୁ କେହି କେହି ଅବାନ୍ତର ବୋଲି କହିପାରନ୍ତି। ଇତିମଧ୍ୟରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପାଇଁ ନୋଟିସ ଆସିଗଲାଣି। ଅର୍ଥମନ୍ତ୍ରୀ ତାଙ୍କ ବିଭାଗରେ ହାଲୁଆ ତିଆରି କରି ବଜେଟ ପ୍ରସ୍ତୁତି ଆରମ୍ଭ କଲେଣି। ତା ପରେ ବି ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବେ କି ନାହିଁ ବୋଲି ସନ୍ଦେହର କାରଣ କଣ? ଏହି ସନ୍ଦେହର ଏକମାତ୍ର କାରଣ ହେଉଛି, ପ୍ରଧାନମନ୍ତ୍ରୀଙ୍କ ନିଜସ୍ଵ ବାର୍ତ୍ତା। ଗତ ଦୁଇଦିନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବଡ ବଡ ଶିଲ୍ପପତି, ବ୍ୟବସାୟୀ, ଅର୍ଥନୀତିଜ୍ଞ ଓ ଶିଳ୍ପ ବିଶାରଦମାନଙ୍କ ସହିତ ଆଲୋଚନା କରୁଛନ୍ତି। ବଜେଟ ପ୍ରସ୍ତୁତି ପୂର୍ବରୁ ଅର୍ଥ ମନ୍ତ୍ରୀ ଦେଶର ବିଭିନ୍ନ ବରଗଡ଼ ଲୋକଙ୍କ ସହିତ ଏ ବିଷୟରେ ଆଲୋଚନା କରିଥାନ୍ତି। ଏଥର କିନ୍ତୁ ଅର୍ଥମନ୍ତ୍ରୀଙ୍କ ବଦଳରେ ଖୋଦ ପ୍ରଧାନମନ୍ତ୍ରୀ ସେ କାମଟି କରୁଛନ୍ତି। ତେଣୁ ଆମେ ପଚାରିଥିବା ପ୍ରଶ୍ନଟି ସ୍ଵାଭାବିକ ନୁହେଁ କି?
ଭାରତୀୟ ଅର୍ଥନୀତିର ସ୍ଥିତି ଓ ଗତି ଶୋଚନୀୟ ଭାବରେ ଦୁର୍ବଳ ବୋଲି ସ୍ପଷ୍ଟ ସଙ୍କେତ ମିଳିସାରିଛି। ଚଳିତ ବର୍ଷ ଦେଶର ଅଭିବୃଦ୍ଧି ହାର ୫% ଭିତରେ ରହିବ ବୋଲି ବିଶ୍ଵ ବ୍ୟାଙ୍କ ସ୍ପଷ୍ଟ ଭାବରେ କହିସାରିଛି। ଇତି ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥା ଅଧିକରୁ ଅଧିକ ଦୁର୍ବଳ ହୋଇଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନିଜର ପାଞ୍ଚ ଟ୍ରିଲିଅନ ଡଲାରର ସ୍ଵପ୍ନ କଥା ଦୋହରାଇ ଚାଲିଛନ୍ତି। ବର୍ତ୍ତମାନର ଅଭିବୃଦ୍ଧି ହାର ଯଦି ଅବ୍ୟାହତ ରହେ ତାହେଲେ ୨୦୨୫ ସୁଦ୍ଧା ଏହା କେବଳ ଭାଷଣରେ ହିଁ ରହିବ। ଏପ୍ରିଲ-ଜୁନ-୨୦୧୮ ବେଳକୁ ଆମର ଅର୍ଥନୀତି ୮% ହାରରେ ବଢୁଥିବା ବେଳେ ସେପ୍ଟେମ୍ବର-୨୦୧୮ରୁ କମି କମି ଏହା ବର୍ତ୍ତମାନ ୪.୫% ରେ ପହଞ୍ଚିଛି। ଖୋଦ ବିଜେପିରେ ଥିବା ଅର୍ଥନୀତିଜ୍ଞ ସୁବ୍ରମନ୍ୟମ ସ୍ବାମୀଙ୍କ ମତରେ ଏହା ବାସ୍ତବରେ ୨.୫ ରୁ ୩% ଭିତରେ ହିଁ ସୀମିତ। ଏହି ପୃଷ୍ଠଭୂମିରେ ଅର୍ଥମନ୍ତ୍ରୀଙ୍କ ପାଇଁ ବଜେଟ ପ୍ରସ୍ତୁତି ଭୟଙ୍କର ଚିନ୍ତାର ବିଷୟ।
ଅର୍ଥନୀତିର ଜଟିଳ ଗଣିତକୁ ନଯାଇ ଆମେ ଯଦି ଏହାର ରାଜନୈତିକ ଦିଗକୁ ଦେଖିବା ତାହେଲେ, ଜଣେ ସଚେତନ ନାଗରିକର ମୁଣ୍ଡ ଘୂରିଯିବ। ଦେଶର ବଜେଟ ଓ ଅର୍ଥନୀତି ବିଷୟରେ ନୀତି ଆୟୋଗରେ ବୈଠକ ହେଉଛି ଯେଉଁଠି ଅର୍ଥମନ୍ତ୍ରୀ ନାହାନ୍ତି। ଏହା କି ପ୍ରକାର ସନ୍ଦେଶ ଦେଉଛି। ନିର୍ମଲା ସୀତାରମଣଙ୍କର ଏହା ଦ୍ଵିତୀୟ ବଜେଟ। ପ୍ରଥମ ବଜେଟ ପୂର୍ବରୁ ମଧ୍ୟ ଯେଉଁ ମନ୍ଥନ ପ୍ରକ୍ରିୟା ଚାଲିଥିଲା ସେଥିରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସମୟରେ ଅର୍ଥମନ୍ତ୍ରୀଙ୍କୁ ସାମିଲ କରାଯାଇନଥିଲା। ଗତକାଲି ନୀତି ଆୟୋଗରେ ବସିଥିବା ବୈଠକରେ ଗୃହ ମନ୍ତ୍ରୀ ଅମିତ ଶାହ, ପରିବହନ ମନ୍ତ୍ରୀ ନୀତିନ ଗଦକରୀ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉପସ୍ଥିତ ଥିଲେ। ହେଲେ ଏମାନେ ତ କେହି ବଜେଟ ଉପସ୍ଥାପନ କରିବେ ନାହିଁ। ଅର୍ଥନୀତି ଦାୟିତ୍ବରେ ଥିବା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଏ ପ୍ରକାର ବୈଠକର ଅର୍ଥ କଣ?
ଏହି ବୈଠକର ଦୁଇ ଦିନ ଆଗରୁ ପ୍ରଧାନମନ୍ତ୍ରୀ ଦେଶର ବଡ ବଡ ଶିଳ୍ପପତିଙ୍କୁ ମଧ୍ୟ ଭେଟିଥିଲେ। ସେଥିରେ ମଧ୍ୟ ଅର୍ଥମନ୍ତ୍ରୀଙ୍କୁ ସାମିଲ କରାଯାଇନଥିଲା। ତାହେଲେ ଅର୍ଥମନ୍ତ୍ରୀ ଅଛନ୍ତି କାହିଁକି? ପ୍ରଧାନମନ୍ତ୍ରୀ ନିଜେ ଅର୍ଥମନ୍ତ୍ରୀ ଭାବରେ ବଜେଟ ଉପସ୍ଥାପନା କରିବାରେ କୌଣସି ଅସୁବିଧା ନାହିଁ। କେବଳ ନାମକୁ ମାତ୍ର ଅର୍ଥମନ୍ତ୍ରୀଙ୍କୁ ବହିଖାତା ଧରାଇ ବଜେଟ ପଢିବାକୁ କହିବା ତାଙ୍କ ପ୍ରତି ଅପମାନ ନୁହେଁ କି? ଅବଶ୍ୟ ଅର୍ଥମନ୍ତ୍ରୀଙ୍କୁ କୁହାଯାଇଛି, ଭାରତୀୟ ଜନତା ପାର୍ଟି ଅଫିସରେ ବସି ବଜେଟ ସମ୍ପର୍କରେ ଦଳୀୟ କର୍ମୀଙ୍କ ମତାମତ ନେବା ପାଇଁ? ବଜେଟ ଉପସ୍ଥାପନ ସରକାରଙ୍କର ଦାୟିତ୍ଵ। ଏଥିରେ ଶାସକ ଦଳର ଭୂମିକା କଣ? ଯଦି ଅର୍ଥମନ୍ତ୍ରୀ କେବଳ ନିଜ ଦଳର ପରାମର୍ଶରେ ବଜେଟ କରିବାକୁ ଚ୍ଚିନତା କରୁଛନ୍ତି ତାହେଲେ ସେ ଏକ ଗଣତାନ୍ତ୍ରିକ ସରକାରୀ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛନ୍ତି। ସରକାର ଯଦିଓ ସଂଖ୍ୟାଗରିଷ୍ଠ ଦଳ ଗଢିଥାଏ, ହେଲେ ସରକାର ନିର୍ଦ୍ଦିଷ୍ଟ ଦଳର ସ୍ଵାର୍ଥରେ କାମ କରିବା ଅନୈତିକ। ଅର୍ଥମନ୍ତ୍ରୀ ସବୁ ରାଜନୈତିକ ଦଳ ଓ ପୂର୍ବତନ ଅର୍ଥମନ୍ତ୍ରୀମାନଙ୍କ ସହ ଏ ବିଷୟରେ ଆଲୋଚନା କରିବା ନିତାନ୍ତ ଜରୁରୀ।
ଛାଡନ୍ତୁ, ଅର୍ଥମନ୍ତ୍ରୀଙ୍କର ଆବଶ୍ୟକତା ବା କଣ? ମୋଦୀ ସରକାରର ସବୁକିଛି କ୍ଷମତା ପ୍ରଧାନମନ୍ତ୍ରୀଙ୍କ ପାଖରେ ଠୁଳ ହୋଇ ରହିଛି। ଅର୍ଥମନ୍ତ୍ରୀ କେବଳ ପ୍ରଧାନମନ୍ତ୍ରୀ ଅଫିସ ତିଆରି କରିଥିବା ବଜେଟକୁ ସଂସଦରେ ପଢିବେ। ଏହା ବ୍ୟତୀତ ତାଙ୍କର ଅଧିକ କିଛି କାମ ଥିବା ଭଳି କାହିଁ ଦିଶୁନାହିଁ ତ! ଅରୁଣ ଜେଟଲି ଅର୍ଥମନ୍ତ୍ରୀ ଥିବା ସମୟରେ ତାଙ୍କୁ ମୋଦୀ ଏପ୍ରକାର ଅଣଦେଖା କରି ପାରୁନଥିଲେ। ଏବେ କିନ୍ତୁ ନିର୍ମଲା ସୀତାରମଣ କେବଳ ରବର ଷ୍ଟାମ୍ପ ଅର୍ଥମନ୍ତ୍ରୀ ଦାୟିତ୍ଵ ତୁଲାଉଛନ୍ତି। ଏ ପ୍ରସଙ୍ଗରେ ପୂର୍ବତନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ଆମକୁ ସତର୍କ କରାଇ ଦେଇ କହିଥିଲେ, ଅର୍ଥନୀତିର ମୂଳ ସଙ୍କଟ ହେଉଛି କ୍ଷମତାର କେନ୍ଦ୍ରୀକରଣ। ଜଣେ ବ୍ୟକ୍ତି ପାଖରେ ସବୁ ନିଷ୍ପତ୍ତି ନେବାର କ୍ଷମତା ଠୁଳ ହୋଇ ରହିଲେ, ଏହାର ପ୍ରଭାବ ଅର୍ଥନୀତିର ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଆଜି ତାହା ହିଁ ହେଉଛି। ଅର୍ଥମନ୍ତ୍ରୀଙ୍କୁ ନଡାକି ଅର୍ଥନୀତିର ଆଲୋଚନାରୁ ଆମେ ବୁଝିଯିବା ଉଚିତ ଜେ ଆମର ଭବିଷ୍ୟତ ବାସ୍ତବରେ କଣ ହେବାକୁ ଯାଉଛି!!
ନୂଆଦିଲ୍ଲୀ : ବଜେଟ୍ ପୂର୍ବରୁ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନିତି ଆୟୋଗ ସଦସ୍ୟଙ୍କୁ ଭେଟିଛନ୍ତି । ନିତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ଉପମୁଖ୍ୟ ରାଜୀବ କୁମାରଙ୍କ ସହିତ ପ୍ରଧାନମନ୍ତ୍ରୀ ଗୁରୁବାର ଆଲୋଚନା କରିଛନ୍ତି । ଫେବୃୟାରୀ 1 ତାରିଖରେ ବଜେଟ୍ ଆଗତ ହେବାକୁ ଥିବାରୁ ଏହି ବୈଠକରେ ଅର୍ଥନୀତି ସୁଧାରିବା ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ପ୍ରଥମେ ଶିଳ୍ପ ଜଗତର ଟାଇକୁନ୍ ମାନଙ୍କ ସହିତ ଆଲୋଚନାର ଦୁଇ ଦିନ ମଧ୍ୟରେ ମୋଦି ନିତି ଆୟୋଗ ସଦସ୍ୟଙ୍କୁ ଭେଟିଥିବାରୁ ଶିଳ୍ପ ବ୍ୟବସ୍ଥାରେ ସୁଧାର ଆଣିବା ସମ୍ପର୍କରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । (ଏଜେନ୍ସୀ)
କେଦାର ମିଶ୍ର
ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଦିନ ନିର୍ବାଚନ ହେବାକୁ ଥିବା ବେଳେ ଫେବ୍ରୁଆରି ୧୧ ତାରିଖରେ ଫଳ ପ୍ରକାଶ ପାଇବ। ପୂର୍ଣ୍ଣ ରାଜ୍ୟର ଦର୍ଜା ପାଇନଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଶାସନିକ ଭାବରେ ଯେତିକି ନୁହେଁ, ବରଂ ରାଜନୈତିକ ଭାବରେ ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ୨୦୧୪ ନିର୍ବାଚନରେ ହଠାତ ଆମ ଆଦମି ପାର୍ଟିର ଅଭ୍ୟୁଦୟ ଦିଲ୍ଲୀର ରାଜନୈତିକ ସମୀକରଣକୁ ପୂରା ବଦଳାଇ ଦେଇଥିଲା। ୨୦୧୨ରେ ହୋଇଥିବା ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମି ପାର୍ଟି ବା ଆପ ୨୦୧୪ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତତ୍କାଳୀନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିବାରେ ସଫଳ ହେବା ସହିତ ଲୋକପ୍ରିୟତାର ଚରମ ସୀମାରେ ଥିବା ବିଜେପିକୁ ମଧ୍ୟ କ୍ଷମତାରୁ ଦୂରେଇ ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ଥର ନିର୍ବାଚନ ଲଢି ଆପ ୨୮ଟି ଆସନ ଓ ୨୯.୪୯% ଭୋଟ ହାସଲ କରିଥିଲା। ଯେ କୌଣସି ନୂଆ ଦଳ ଲାଗି ଏହା ଥିଲା ଆଶାତୀତ ସଫଳତା। କଂଗ୍ରେସ ସମର୍ଥନରେ ଆପ ନେତା ଅରବିନ୍ଦ କେଜ୍ରିୱାଲ ସରକାର ଗଢିଥିଲେ ମଧ୍ୟ ମାତ୍ର ୪୯ ଦିନରେ ତାଙ୍କ ସରକାର ଭାଙ୍ଗିଗଲା।
୨୦୧୫ ନିର୍ବାଚନର ପୃଷ୍ଠଭୂମିରେ ଆପ ଲାଗି ଅନେକ ସଙ୍କଟ ରହିଥିଲା। ସରକାର ଚଲାଇ ନ ପାରି ପଳାତକ ହେବାର ଅପବାଦ, ୨୦୧୪ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ତଥା କେନ୍ଦ୍ରରେ ନବଗଠିତ ମୋଦୀ ସରକାରର ଲୋକପ୍ରିୟତା ଭଳି ଅତ୍ୟନ୍ତ ଶକ୍ତିଶାଳୀ ଆହ୍ଵାନକୁ ମୁକାବିଲା କରିବା ଦଳ ପକ୍ଷରେ ସହଜ ନଥିଲା। ହେଲେ ୨୦୧୫ ର ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମଥର ଲାଗି ମୋଦୀଙ୍କ ନେତୃତ୍ବରେ ବିଜେପି ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ୨୦୧୫ ନିର୍ବାଚନରେ ଆପକୁ ୭୦ ଆସନରୁ ୬୭ ଆସନ ଓ ୫୪.୩% ଭୋଟ ମିଳିଥିଲା। ଏହା ଥିଲା ସର୍ବକାଳୀନ ରେକର୍ଡ। ମୋଦୀ ହାୱାକୁ ପ୍ରତିହତ କରି ମାତ୍ର ବର୍ଷେ ଭିତରେ ଆପ ନିଜ ଭୋଟ ହାରକୁ ପ୍ରାୟ ଦୁଇଗୁଣ ବଢାଇବାରେ ସଫଳ ହୋଇଥିଲା।
୨୦୨୦ ନିର୍ବାଚନରେ ଆପ ସେହି ସଫଳତା ଦୋହରାଇ ପାରିବ କି? ୨୦୧୫ ଓ ୨୦୨୦ ଭିତରେ ଆପରେ ଅନେକ କିଛି ନୂଆ ପରିବର୍ତ୍ତନ ହୋଇଛି। ଜାତୀୟ ଅଭିଳାଷ ପରିତ୍ୟାଗ କରି ଦଳ ନିଜକୁ ମୁଖ୍ୟତଃ ଦିଲ୍ଲୀ କୈନ୍ଦ୍ରିକ ଦଳ ଭାବରେ ସଂଗଠିତ କରିଛି। ଦଳ ଭିତରେ ଅରବିନ୍ଦ କେଜ୍ରିୱାଲ ନିଜର ଏକାଧିପତ୍ୟ ଜାହିର କରିବା ସହିତ ଦଳର ପ୍ରାୟ ସବୁ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳରୁ ବିଦା କରି ସାରିଛନ୍ତି। ଦିଲ୍ଲୀରେ ରାଜନୈତିକ ଦୃଷ୍ଟିରୁ କେନ୍ଦ୍ର ବିଜେପି ସରକାରର ସର୍ବାଧିକ ଆକ୍ରୋଶର ଶିକାର ହେବା ପରେ ମଧ୍ୟ ଆପ ନିଜକୁ ଶକ୍ତିଶାଳୀ କରିବାରେ ସଫଳ ହୋଇଛି। କେନ୍ଦ୍ର ସରକାର ବନାମ ଦିଲ୍ଲୀ ସରକାରର ଝଗଡା ଯୋଗୁଁ ଆପ ସରକାର ପ୍ରଥମ ଦୁଇ ବର୍ଷ କାମ କରିପାରି ନ ଥିଲା। ଦିଲ୍ଲୀ ଉପରାଜ୍ୟପାଳ ବନାମ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଲଢେଇରେ ସୁପ୍ରିମ କୋର୍ଟ ନିର୍ଣ୍ଣାୟକ ରାୟ ନଦେବା ଯାଏ ଆପ ସରକାର ଏକ ପ୍ରକାର ଅସହାୟ ଅବସ୍ଥାରେ ରହିଥିଲା। ଏତେ ପ୍ରବଳ ରାଜନୈତିକ ଚାପକୁ ସମ୍ଭାଳି ପାଞ୍ଚ ବର୍ଷ ଶାସନ ଚଳାଇବା କେଜ୍ରିୱାଲଙ୍କର ସବୁଠୁ ବଡ ସଫଳତା ନିଶ୍ଚୟ।
ଗତ ତିନି ବର୍ଷ ଭିତରେ ଦିଲ୍ଲୀର ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଆପ ସରକାର ପ୍ରଶଂସନୀୟ କାର୍ୟ କରିଛନ୍ତି। ତା ସତ୍ତ୍ୱେ ଦିଲ୍ଲୀ ପୌର ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଆପ ବିଜେପିଠାରୁ ହାରିଛି। ବିଧାନସଭା ନିର୍ବାଚନରେ ବିଜେପି ଲୋକସଭା ନିର୍ବାଚନର ଫଳାଫଳକୁ ଦୋହରାଇ ପାରିବ କି? ଆପ ପାଇଁ କେଜ୍ରିୱାଲଙ୍କ ନିର୍ଣ୍ଣାୟକ ନେତୃତ୍ଵ ରହିଥିବା ବେଳେ ବିଜେପି ଆଜି ମଧ୍ୟ ନେତୃତ୍ବଶୂନ୍ୟ ଅବସ୍ଥାରେ ରହିଛି। ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ବିଜେପି କହୁନାହିଁ। ତେଣୁ କେଜ୍ରିୱାଲ ବନାମ ଆଉ କିଏ ର ଏକ ସନ୍ଦେହ ଭୋଟରଙ୍କ ପାଖରେ ରହିଛି।
ବିଜେପି ଲାଗି କେଜ୍ରିୱାଲ ସବୁଠୁ ବଡ କଣ୍ଟା ହୋଇ ଖୋଦ ରାଜଧାନୀରେ ରହିଛନ୍ତି। ତାଙ୍କୁ ହରାଇବା ବିଜେପି ଲାଗି ଏକ ପ୍ରକାର କର ବା ମର ସ୍ଥିତି ସୃଷ୍ଟି କରିଛି। ନିକଟରେ ଅନୁଷ୍ଠିତ ମହାରାଷ୍ଟ୍ର, ହରିଆଣା ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବାରୁ ଏହାର ପ୍ରଭାବ ଦିଲ୍ଲୀ ଉପରେ ନିଶ୍ଚୟ ପଡିବ। ନିର୍ବାଚନ ଘୋଷଣା ହେବା ପରେ ପରେ ଏବିପି ଟିଭି ତରଫରୁ ଯେଉଁ ଜନମତ ସର୍ଭେ ହୋଇଛି ସେଥିରେ ୨୦୨୦ ରେ ଆପ ୫୯ ଆସନ ଜିତିପାରେ ବୋଲି ପୂର୍ବାନୁମାନ କରିଛି। ତେବେ ଏହି ଅନୁମାନ ସତ୍ୟ ହେବ କି?
ନିର୍ବାଚନରେ ବିଜେପି ନିଜର ସବୁ ଶକ୍ତି ଓ କ୍ଷମତା ପ୍ରୟୋଗ କରି ଆପ ପାଖରୁ କ୍ଷମତା ଛଡାଇ ଆଣିବାକୁ ଚେଷ୍ଟା କରିବ। ଆସନ୍ତା ମାସେ ପର୍ୟନ୍ତ ଆପକୁ କେବଳ ବିଜେପି ସହିତ ଯେ ଲଢିବାକୁ ପଡିବ ତା ନୁହେଁ, ଏହାକୁ ବିଜେପିର ସମର୍ଥକ ଗଣମାଧ୍ୟମ ସହ ଲଢିବା ସବୁଠୁ ବଡ ଆହ୍ଵାନ ହେବାକୁ ଯାଉଛି। ଦିଲ୍ଲୀ ବିଜେପି ଗୁଜବ, ଅପପ୍ରଚାର ଓ ଷଡଯନ୍ତ୍ର ରଚନାରେ ଆପକୁ ଘାଏଲା କରିବ ନିଶ୍ଚୟ।
ସରକାର ଭାବରେ ସଫଳତାର ଆକଳନ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା କାମକୁ ନେଇ ହେବ ନା ପ୍ରଚାର ସର୍ବସ୍ଵ ରାଜନୀତି ଦ୍ଵାରା ପ୍ରଭାବିତ ହେବ, ତାହା ଦେଖିବାକୁ ପଡିବ। କିଏ ଜିତିବ ବା ହାରିବ ତାହା ତ ଫେପୃଆରି ୧୧ ରେ ଜଣାପଡିବ, ହେଲେ ଏହି ନିର୍ବାଚନକୁ ନେଇ ଉଦବେଗ ଓ ଉତ୍ତେଜନା ଆଜିଠୁ ବଳବତ୍ତର ରହିବ।
କେଦାର ମିଶ୍ର
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି, ଆମେ ଦେଶବାସୀ ପାକିସ୍ତାନ ବିଷୟରେ ଅଧିକ ଚର୍ଚ୍ଚା କରୁ। ଆମେ ଗତ ସତୁରୀ ବର୍ଷ ଭିତରେ ପାକିସ୍ତାନ ସଙ୍ଖ୍ୟାଲଘୁଙ୍କ ଉପରେ କଣ କରିଛି ତାକୁ ନେଇ ଚର୍ଚ୍ଚା କାହିଁକି କରୁନାହୁଁ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଦେଶର ସଂସଦକୁ ପ୍ରଶ୍ନ କରିବା ଅପେକ୍ଷା ପାକିସ୍ତାନକୁ ପ୍ରଶ୍ନ କରିବା ଜରୁରୀ ବୋଲି କର୍ଣ୍ଣାଟକରେ ଏକ ସଭାରେ ପ୍ରଧାନମନ୍ତ୍ରୀ କହିଲା ପରେ, ଅନେକ ଲୋକ ଏବେ ପଚାରୁଛନ୍ତି, ଆଜ୍ଞା, ଆମେ ଭାରତରେ ରହି ପାକିସ୍ତାନର ଚିନ୍ତା କରିବୁ କାହିଁକି? ଭାରତର ସମ୍ବିଧାନ ଆମକୁ ଗଣତନ୍ତ୍ରର ଗୌରବ ଦେଇଛି। ସେହି ଗଣତନ୍ତ୍ର ଆମକୁ ଆମର ସରକାରକୁ ପ୍ରଶ୍ନ କରିବାର ଅଧିକାର ଦେଇଛି। ଆମେ ଆମ ସରକାରକୁ ଓ ଆମ ରାଷ୍ଟ୍ରକୂ ପ୍ରଶ୍ନ ନକରି ଗୋଟେ ବିଦେଶୀ ରାଷ୍ଟ୍ରକୂ ପ୍ରଶ୍ନ କରିବୁ କାହିଁକି? ପାକିସ୍ତାନ ଆମର ଚିନ୍ତା ଓ ଭାବନାରେ କେବଳ ଏକ ପଡୋଶୀ ଦେଶ ଓ ଏହାର ରାଜନୈତିକି ଇତିହାସ ଅତ୍ୟନ୍ତ କଳଙ୍କିତ। ସେମିତି ଏକ ଦେଶ ବିଷୟରେ ଚିନ୍ତା କରିବାର ଆବଶ୍ୟକତା କଣ?
ପାକିସ୍ତାନରେ ରହୁଥିବା ସଂଖ୍ୟାଲଘୁ ବର୍ଗର ଲୋକଙ୍କ ପାଇଁ ସେଠିକାର ମାନବ ଅଧିକାର କର୍ମୀ ଓ ଅନ୍ୟାନ୍ୟ ସଂଗଠନ ସ୍ଵର ଉତ୍ତୋଳନ କରୁଛନ୍ତି। ତାହା ସେମାନଙ୍କର ଦାୟିତ୍ଵ। ଯେମିତି ଭାରତରେ ରହୁଥିବା ସଙ୍ଖ୍ୟାଲଘୁଙ୍କ ପ୍ରତି ହେଉଥିବା ଆଚରଣ ବିଷୟରେ ପାକିସ୍ତାନର ପ୍ରଶ୍ନ କରିବାର ଅଧିକାର ନାହିଁ, ସେମିତି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ଆମର ମଧ୍ୟ କିଛି କହିବାର ନାହିଁ। ତେବେ ମାନବ ଅଧିକାରର ଉଲ୍ଲଙ୍ଘନ ହୋଇଥିବାର ପ୍ରମାଣ ମିଳିଲେ ଆମେ ପାକିସ୍ତାନକୁ ଜାତିସଙ୍ଘରେ ନିନ୍ଦିତ କରିପାରିବା। ସେ ଦାୟିତ୍ଵ ଭାରତ ସରକାରଙ୍କର। ଏଥିପାଇଁ ଭାରତର ବିରୋଧୀ ଦଳ ବା ନାଗରିକ ସଙ୍ଗଠନମାନଙ୍କର ବିଶେଷ କିଛି ଭୂମିକା ନାହିଁ। ଭାରତରେ ଭାରତର ସମସ୍ୟା ଓ ସରକାରଙ୍କ ନୀତିକୁ ସମାଲୋଚନା କରିବା ଆମର ନୈତିକ ଦାୟିତ୍ଵ। ସେଥିରେ ପାକିସ୍ତାନକୁ ଟାଣିବାର ଅପପ୍ରୟାସକୁ ହାସ୍ୟାସ୍ପଦ ବୋଲି କହିବାକୁ ପଡିବ।
ପ୍ରଧାନମନ୍ତ୍ରୀ ମହୋଦୟ, ଅନେକ ସମୟରେ ଭାବପ୍ରବଣ ହୋଇ ଏମିତି କିଛି କହୁଛନ୍ତି, ଯେଉଁଥିରେ ଗଣତନ୍ତ୍ର ପ୍ରତି ତାଙ୍କର ଆସ୍ଥା ନଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ସେ ଭାବୁଛନ୍ତି, ସରକାର ବା ସଂସଦକୁ ପ୍ରଶ୍ନ କରିବା ଅନୁଚିତ। ସଂସଦ ଯେହେତୁ ନାଗରିକତା ସଂଶୋଧନ ଆଇନକୁ ଗ୍ରହଣ କରିସାରିଛି, ତାହାର ବିରୋଧ କରିବା ସଂସଦ ପ୍ରତି ଅବମାନନା ବୋଲି କହିବାକୁ ସେ ଚେଷ୍ଟା କରିଛନ୍ତି। ଏଠି ଆମେ ମନେ ପକାଇଦେବାକୁ ଚାହୁଁ ଯେ, ସଂସଦ ନେଇଥିବା ଅନେକ ନିଷ୍ପତ୍ତିକୁ ଦେଶବାସୀ ବିଭିନ୍ନ ସମୟରେ ପ୍ରଶ୍ନ କରିଛନ୍ତି ଓ ଆବଶ୍ୟକ ସ୍ଥଳେ ତାକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଜାର ଥର ଇନ୍ଦିରା ଗାନ୍ଧୀଙ୍କର ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରିଛନ୍ତି। କରିବା ଯଥାର୍ଥ ମଧ୍ୟ। ତେବେ ସେକାମ କଲାବେଳେ ମୋଦୀ ମନେ ରଖିବା ଉଚିତ ଯେ, ଜରୁରୀକାଳିନ ପରିସ୍ଥିତି ପ୍ରତି ତତ୍କାଳୀନ ସଂସଦର ସମର୍ଥନ ରହିଥିଲା। ସଂସଦରେ ଜରୁରୀକାଳୀନ ପରିସ୍ଥିତି ଜାରି ପ୍ରସ୍ତାବକୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ତା ସତ୍ତ୍ୱେ ଜରୁରୀ ପରିସ୍ଥିତି ବିରୋଧରେ ସାରା ଦେଶ ସଂଘର୍ଷ କରି ବିଜୟୀ ହୋଇଥିଲା। ମୋଦୀ କଣ କହିବାକୁ ଚାହାନ୍ତି ଯେ, ସଂସଦକୁ ପ୍ରଶ୍ନ ନ ପଚାରି ନାଗରିକମାନେ ସବୁକଥାକୁ ମୁଣ୍ଡ ପାତି ଗ୍ରହଣ କରିନିଅନ୍ତୁ?
ଗଣତନ୍ତ୍ରରେ ନାଗରିକ ପ୍ରଶ୍ନ ପଚାରିବାର ପୂର୍ଣ୍ଣ କ୍ଷମତା ପାଇଛି। ସେ କ୍ଷମତା ଛଡେଇ ନେବାର ଅଧିକାର ଆମ ସମ୍ବିଧାନ ଆଉ କାହାକୁ ଦେଇନାହିଁ। ସ୍ଵାଧୀନତା ଓ ସମାନତାର ଅଧିକାର ଆମ ସମ୍ବିଧାନରେ ଚିରସ୍ଥାୟୀ। ଏହାକୁ ମୋଦୀ ବା ଅନ୍ୟ କେହି ବଦଳାଇ ପାରିବେ ନାହିଁ। ସଂଖ୍ୟା ଗରିଷ୍ଠତାର ଅହଂକାରରେ ସଂସଦ ଯେତେବେଳେ ବି କିଛି ଭୁଲ ନିଷ୍ପତ୍ତି ନେଇଛି ଲୋକେ ତାକୁ ବିରୋଧ କରିଛନ୍ତି ଓ କରିବେ। ଯଦି ବିରୋଧ ନଥାନ୍ତା ତାହେଲେ ଆଜି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥାନ୍ତେ। କଂଗ୍ରେସ ସରକାର ବିରୋଧରେ ଥରେ ନୁହେଁ, ଶହ ଶହ ଥର ରାସ୍ତାରେ ଲୋକ ସଂଘର୍ଷ କରିଛନ୍ତି। ବିଜେପି ବେଳକୁ ତାର ବ୍ୟତିକ୍ରମ ହେବନାହିଁ।
ସରକାର ଯଦି ଦେଶର ସମ୍ବିଧାନ ବିରୋଧରେ ଏବଂ ଲୋକଙ୍କ ବିରୋଧରେ କାମ କରେ ବୋଲି ଲୋକେ ଅନୁଭବ କରିବେ, ତାହେଲେ ସେମାନେ ବିରୋଧ କରିବେ। ବିରୋଧକୁ ପ୍ରତିହତ କରିବାକୁ ଯାଇ ସବୁ ପ୍ରତିବାଦ ଆଗରେ ପାକିସ୍ତାନକୁ ଏକ ପ୍ରସଙ୍ଗ କରି ଥୋଇବା ବିଜେପିର ପୁରୁଣା ଅଭ୍ୟାସ ବୋଲି ଲୋକ ଜାଣି ସାରିଲେଣି। ଏବେ ଆଉ ପାକିସ୍ତାନ ପ୍ରସଙ୍ଗ ଆଉ ଜାତୀୟ ରାଜନୀତିରେ କାମ କରିବ ନାହିଁ। ଯେତେବେଳେ ବି ସରକାର ଲୋକଙ୍କ ବିରୋଧର ସମ୍ମୁଖୀନ ହେଉଛି, ସେତେବେଳେ ବୁଲି ବଙ୍କେଇ ପାକିସ୍ତାନକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ବିଜେପି ସରକାର ଉଦ୍ୟମ କରୁଛନ୍ତି। ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଯେଉଁ ତୀବ୍ର ପ୍ରତିବାଦର ଧାରା ଚାଲିଛି, ତା ଆଗରେ ପାକିସ୍ତାନକୁ ଥୋଇବା ପାଇଁ ଏହା ଯେ ପ୍ରଧାନମନ୍ତ୍ରୀଙ୍କର ଏକ ସୁଚିନ୍ତିତ ଉଦ୍ୟମ, ଏକଥା ଲୋକ ବୁଝି ସାରିଛନ୍ତି। ତେଣୁ ଏ ପ୍ରସଙ୍ଗରେ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ବେଶ ବିଦ୍ରୁପାତ୍ମକ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,02/01 : ଓଡିଶାକୁ ପଞ୍ଚମ ଥର ପାଇଁ କୃଷି କର୍ମଣ ପୁରସ୍କାର ମିଳିଛି । କୃଷି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଓଡିଶାକୁ ଏହି ପୁରସ୍କାର ମିଳିଛି । କର୍ଣ୍ଣାଟକ ଟୁମ୍କୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । 2016-17 ଏବଂ 2017-18 ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଛି । ଖାଦ୍ୟ ଶସ୍ୟ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଅରୁଣ ସାହୁଙ୍କୁ ଟ୍ରଫି, ପ୍ରଶଂସାପତ୍ର ଏବଂ ଏକ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀ,01/01 : ଶେଷ ହୋଇଛି ବର୍ଷ 2019 ଏବଂ 2020 ଆଗମନ କରିଛି । ଇଂରାଜୀ ନବବର୍ଷର ଆଗମନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣୁ । ସମସ୍ତଙ୍କର ସ୍ୱପ୍ନ ସାକାର ହେଉ । ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରି ମୋଦି 2020 ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦି ଉଭୟ ଇଂରାଜୀ ଏବଂ ହିନ୍ଦିରେ ଟ୍ବିଟ୍ କରିଥିଲେ ।
କେଦାର ମିଶ୍ର
୨୦୧୯ ବର୍ଷର ଅନ୍ତିମ ଖବର ଭାବେ ନାଗରିକତା ସଂଶୋଧନ ଆଇନ ଓ ତାକୁ ନେଇ ଶାସକ ବିଜେପିର ଭୟକୁ ହିଁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ପର୍ୟନ୍ତ ସବୁ ନିଷ୍ପତ୍ତିକୁ ଲୋକଙ୍କ ଉପରେ ଲଦିଦେବାକୁ ଚାହୁଁ ଥିବା ବିଜେପି ନାଗରିକତା ପ୍ରସଙ୍ଗ ଓ ଏହାର ପରବର୍ତ୍ତୀ ନାଗରିକ ପଞ୍ଜୀକରଣ ପ୍ରସଙ୍ଗକୁ ନେଇ ହରଡଘଣା ରେ ପଡିଛି। ସଂସଦରେ ବିଜୁ ଜନତା ଦଳ, ସଂଯୁକ୍ତ ଜନତା ଦଳ ଓ ଆନ୍ନା ଡିଏମକେ ଭଳି ଦଳର ସମର୍ଥନରେ ନାଗରିକତା ବିଲ ଆଇନରେ ସିନା ପରିଣତ ହୋଇଗଲା, ହେଲେ ଲୋକେ ଏହାକୁ ଗ୍ରହଣ କଲେନାହିଁ। ସାରା ଦେଶରେ ଏହା ବିରୋଧରେ ବ୍ୟାପକ ପ୍ରତିବାଦ ହେଲା ଓ ସେ ପ୍ରତିବାଦକୁ ଦମନ କରିବାକୁ ଯାଇ ବିଜେପି ସରକାର ଆହୁରି ବଦନାମ ହେଲା। ଉତ୍ତରପ୍ରଦେଶରେ ଏହି ଆନ୍ଦୋଳନକୁ ଦମନ କରିବାକୁ ଯାଇ ପୋଲିସ ଗୁଣ୍ଡାବାହିନୀ ଭଳି ବ୍ୟବହାର କରିବାର ଦୃଶ୍ୟ ଦେଶବାସୀ ଦେଖିଲେ। ସଂସଦରେ ବିଲ ଆଇନ ଭାବରେ ଗୃହିତ ହେଲାପରେ ମଧ୍ୟ ଏହାକୁ ନେଇ ଆଜି ସାରାଦେଶରେ ବିତର୍କ ଓ ବିଦ୍ରୋହ ଅବ୍ୟାହତ ରହିଛି।
ଏହି ପ୍ରତିବାଦକୁ ହିନ୍ଦୁ ବନାମ ମୁସଲମାନ ସଂଘର୍ଷ ଭାବରେ ଦେଖାଇବାକୁ ବିଜେପି ଉଦ୍ୟମ କରିଥିଲେ ମଧ୍ୟ ଲୋକେ ସେହି ଭାବରେ ଏହାକୁ ଗ୍ରହଣ କରିନାହାନ୍ତି। ପ୍ରଥମେ ଏହା ଅନ୍ୟକୁ ନାଗରିକତା ଦେବାର ଆଇନ, ଛଡାଇବାର ନୁହଁ ବୋଲି ଯୁକ୍ତି କରୁଥିବା ବିଜେପି, ନିଜର ପୁରୁଣା ଭାଷଣ ଓ ଚିଠା ଆଗରେ ହାରିବାକୁ ବାଧ୍ୟ ହୋଇଛି। ନାଗରିକତା ସଂଶୋଧନ ଆଇନ, ମୁସଲମାନ ବିରୋଧୀ ନୁହଁ, ଏହା ଦେଶର ସମ୍ବିଧାନ ବିରୋଧୀ। ସମ୍ବିଧାନରେ ନାଗରିକତା ପ୍ରସଙ୍ଗ ଧର୍ମୀୟ ଆଧାରରେ ସ୍ଵୀକୃତି ପାଇବା କଥା ନୁହେଁ। ତେବେ ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ ତୁରନ୍ତ କିଛି ନିର୍ଦ୍ଦେଶ ନଦେବା ଫଳରେ ଲୋକ ଅସନ୍ତୋଷ ବଢିଛି ଓ ପ୍ରତିବାଦ ବ୍ୟାପକ ହୋଇଛି। ଲୋକଙ୍କ ଭିତରେ ରହିଥିବା ପୁଞ୍ଜିଭୂତ ଅସନ୍ତୋଷ ଏହି ଆଇନ ବିରୋଧରେ ଏକତ୍ରିତ ହୋଇଛି।
ସଂସଦରେ ଆଇନ କରିସାରିବା ପରେ, ଏହାକୁ କାର୍ୟକାରୀ କରିବାର ଦାୟିତ୍ଵ କେନ୍ଦ୍ର ସରକାରଙ୍କର। ନାଗରିକତା କେନ୍ଦ୍ର ବିଷୟ ହୋଇଥିବାରୁ ଏ ସମ୍ପର୍କରେ ରାଜ୍ୟମାନଙ୍କର ବିଶେଷ କିଛି ଭୂମିକା ନାହିଁ। ହେଲେ ଏହାର ପରବର୍ତ୍ତୀ ପଦକ୍ଷେପ ଭାବରେ ଯଦି ଜାତୀୟ ନାଗରିକତା ପଞ୍ଜୀକରଣ କାମ କରାଜୀ, ତାହେଲେ ତାକୁ ଦେଶର ଅର୍ଦ୍ଧାଧିକ ରାଜ୍ୟ ବିରୋଧ କରୁଛନ୍ତି। ଏପରିକି ନାଗରିକତା ସଂଶୋଧନ ସପକ୍ଷରେ ଭୋଟ ଦେଇଥିବା ବିଜେଡି, ଜେଡ଼ି-ୟୁ ଭଳି ଦଳ ଏହାକୁ ବିରୋଧ କରୁଛନ୍ତି। ପୂର୍ବରୁ ଏହି ସବୁ ପ୍ରକ୍ରିୟାକୁ ଏକ ବୃତ୍ତ ବୋଲି ଭାବୁଥିବା ବିଜେପି, ଏବେ ବହୁ ମୁହଁରେ ବହୁ ଭାଷା କହୁଛି। ସଂସଦରେ ପ୍ରବଳ ଉତ୍ତେଜନା ଓ ଉତ୍ସାହ ଦେଖାଇଥିବା ବିଜେପି ଏବେ ସୋସିଆଲ ମିଡିଆ ଓ ମିଡିଆ ଜରିଆରେ ନିଜର ପକ୍ଷ ରଖିବାକୁ ଚେଷ୍ଟା କରୁଛି। ଏହାକୁ ବିରୋଧ କରି ପ୍ରାଣ ହରାଇଥିବା ଲୋକଙ୍କ ବିରୋଧରେ ବିଜେପିର ବିଷୋଦଗାର ଅବ୍ୟାହତ ରହିଛି।
କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହା ସପକ୍ଷରେ ଜନମତକୁ ପ୍ରଭାବିତ କରିବାର ଉଦ୍ୟମ ଆରମ୍ଭ ହୋଇଛି। ଏହା ବିରୋଧରେ ହୋଇଥିବା ଆନ୍ଦୋଳନ ଅତ୍ୟନ୍ତ ସ୍ଵାଭାବିକ ଓ କୌଣସି ରାଜନୈତିକ ପୃଷ୍ଠପୋଷକତା ବିନା ହୋଇଥିବା ବେଳେ, ବିଜେପି ଏବେ ଏହା ସପକ୍ଷରେ ଜନମତ ସୃଷ୍ଟି କରାଇବାକୁ ପାଣି ଭଳି ଅର୍ଥ ବୁହାଇ ଚାଲିଛି। ସୋସିଆଲ ମିଡିଆରେ ପ୍ରବଳ ପ୍ରଚାର କରି ବିଜେପି ଭାବୁଛି, ଲୋକେ ଏଥିରେ ଭୂତେଇଯିବେ। ଦେଶର ଆର୍ଥିକ ଦୁରବସ୍ଥା ଉପରୁ ନଜର ହଟାଇବାକୁ ଯାଇ ନାଗରିକତା ପ୍ରସଙ୍ଗକୁ ଉତ୍ତପ୍ତ କରି ରଖିବାକୁ ବିଜେପି ଚାହୁଛି। ବିଜେପି ଭଲ ଭାବରେ ଜାଣେ ଯେ ଜାତୀୟ ନାଗରିକତା ପଞ୍ଜିକରଣକୁ ଲାଗୁ କରିବା ସହଜ ହେବନାହିଁ। ଏହା ଲାଗୁହେଲେ, ଆସାମରେ ଯେଉଁ ସ୍ଥିତି ହୋଇଛି, ସାରାଦେଶରେ ସେହି ସ୍ଥିତି ହେବ। ଅର୍ଥାତ ଏଥିରୁ ବେଆଇନ ଶରଣାର୍ଥୀ ବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସମ୍ଭବ ହେବନାହିଁ। ବରଂ ଏହାର ଓଲଟା ଅନେକ ଦେଶର ବାସ୍ତବ ନାଗରିକ କାଗଜପତ୍ର ଅଭାବରେ ନିଜର ଜାତୀୟ ପରିଚୟ ହରାଇବେ।
ଏବେ ବିଜେପି ନେତାମାନେ କିଛି ବୁଦ୍ଧିଜୀବୀଙ୍କ ଘରକୁ ଯାଇ ତାଙ୍କୁ ଏହି ଆଇନ ସପକ୍ଷରେ ବୁଝାଉଛନ୍ତି। ତାହାହିଁ ଆମ ସମୟର ସବୁଠୁ ବଡ ନାଟକ। ଦେଶରେ ଏମିତି ଏକ ଆଇନ ସରକାର ଆଣିଛନ୍ତି, ଯାହାକୁ ବୁଦ୍ଧିଜୀବୀମାନେ କୁଆଡେ ବୁଝିବାକୁ ଅସମର୍ଥ। ସେହି କ୍ରମରେ ଆମେ ଓଡିଶାରେ ଏକ ଚମତ୍କାର ଚିତ୍ର ଦେଖିଲୁ। ବିଜେପିର ଉପ ସଭାପତି ବୈଜୟନ୍ତ ପଣ୍ଡା ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏହି ଆଇନ ବିଷୟରେ ବୁଝାଇବାକୁ ଯାଇଥିଲେ। ସୌମ୍ୟ ବାବୁ ଓଡିଶାର ସର୍ବାଧିକ ବିକ୍ରି ହେଉଥିବା ଖବର କାଗଜ “ସମ୍ବାଦ” ଓ କନକ ଟିଭିର ମୁଖିଆ। ବୈଜୟନ୍ତ ବାବୁ ରାଜ୍ୟର ଏକନମ୍ବର ଟିଭି ଚାନେଲ ଓ ଟିଭିର ପୃଷ୍ଠପୋଷକ। ଏ ଦୁହେଁ, କିଏ କାହାକୁ କଣ ବୁଝାଇଲେ?
ସୌମ୍ୟବାବୁ ନିଜେ ରାଜନୀତି ବିଜ୍ଞାନର ଅଧ୍ୟାପକ ଥିଲେ। ଆଗରୁ ସାଂସଦ ଥିଲେ, ଏବେ ବିଧାୟକ ଅଛନ୍ତି। ତାଙ୍କ ଦଳ ବିଜେଡି ନାଗରିକତା ସଂଶୋଧନ ଆଇନକୁ ସଂସଦରେ ସମର୍ଥନ କରିଛି। ତାପରେ ବି ସୌମ୍ୟ ପଟ୍ଟନାୟକଙ୍କୁ ବୁଝେଇବାକୁ ବୈଜୟନ୍ତ ପଣ୍ଡାଙ୍କୁ ତାଙ୍କ ପାଖକୁ ଯିବାକୁ ପଡିଲା କାହିଁକି? ବରଂ ଏହି ବିଲକୁ ବିରୋଧ କରୁଥିବା ସୌମ୍ୟ ବାବୁଙ୍କ ବଡଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଏହି ବିଲ ବାବଦରେ ବୁଝାଇବା ଉଚିତ ହୋଇଥାନ୍ତା।
ଅସଲରେ, ଏହି ଆଇନକୁ ଯେଉଁ ପ୍ରକାର ବିରୋଧ ହେଉଛି, ସେଥିରେ ଛାନିଆଁ ହୋଇ ବିଜେପି ନିଜର ପୁରୁଣା ଅଭ୍ୟାସ କ୍ରମେ ସୋସିଆଲ ମିଡିଆ ଆନ୍ଦୋଳନ ଓ ଫଟୋ-ଅପ ର ନାଟକ କରୁଛି।
ନୂଆଦିଲ୍ଲୀ,30/12 : ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବରେ ବିପିନ୍ ରାଓ୍ବତ୍ଙ୍କୁ ନିଯୁକ୍ତିକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି । ଆସନ୍ତା କାଲି ନିଜ ଦାୟିତ୍ବରୁ ରାଓ୍ବତ୍ ଅବସର ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ୍ ନେଇ ଘୋଷଣା କରିଥିବା ବେଳେ ଏହି ଦୌଡରେ ରାଓ୍ବତ୍ ଆଗୁଆ ରହିଥିଲେ । ସୋମବାର କେନ୍ଦ୍ର କ୍ୟାବିନେଟ ପକ୍ଷରୁ ରାଓ୍ବତ୍ଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦେଶର ତିନି ସେନାବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ରାଓ୍ବତ୍ଙ୍କ ମୁଖ୍ୟ କାର୍ଯ୍ୟ ରହିବ ବୋଲି ଜଣାପଡିଛି । (ଏଜେନ୍ସୀ)
କେଦାର ମିଶ୍ର
ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ । ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ ସିଂଙ୍କୁ ମୋଦୀ ସରକାର ନିଜ କ୍ୟାବିନେଟରେ ରଖିବାକୁ ବାଧ୍ୟ ହୋଇଥିଲେ। ଦଳର ବରିଷ୍ଠତା ଦୃଷ୍ଟିରୁ ଏମାନଙ୍କୁ ଅଣଦେଖା କରି ଶାସନ ଚଳାଇବା ମୋଦୀ-ଶାହାଙ୍କ ପକ୍ଷରେ ସମ୍ଭବ ନଥିଲା।
୨୦୧୯ ନିର୍ବାଚନ ପରେ ପରିସ୍ଥିତି କିନ୍ତୁ ବଦଳି ଯାଇଛି। ସୁଷମା ସ୍ଵରାଜ ଓ ଅରୁଣ ଜେଟଲିଙ୍କ ପରଲୋକ ଘଟିଛି। ରାଜନାଥ ସିଂ ଓ ନିତିନ ଗଡକାରୀଙ୍କ ପର କଟା ସରିଛି। ଏ ଦୁହେଁ କେବଳ ନାମକୁ ମାତ୍ର ବରିଷ୍ଠ ମନ୍ତ୍ରୀ। ଏବେ କେବଳ ଦଳ ନୁହେଁ, ସରକାର ଚଳାଇବାରେ ମଧ୍ୟ ଅମିତ ଶାହା ଏବେ ଏକ ନମ୍ବର ଭୂମିକା ନେବା ଆରମ୍ଭ କରିଛନ୍ତି। ମୁଖ୍ୟଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏବେ ନରେନ୍ଦ୍ର ମୋଦୀଙ୍କ ତୁଳନାରେ ଅମିତ ଶାହାଙ୍କ ଉପସ୍ଥିତି ଢେର ଅଧିକ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହେଉ ବା ନାଗରିକତା ସଂଶୋଧନ ଆଇନ, ସବୁଥିରେ ଅମିତ ଶାହାଙ୍କୁ ସର୍ବାଧିକ “ମାଇଲେଜ” ମିଳୁଛି। ନାଗରିକତା ସଂଶୋଧନ ଆଇନ ସଂସଦରେ ଗୃହୀତ ହେବା ପରେ ମୋଦୀ ସରକାର ଯେଉଁ ପ୍ରବଳ କଣ ଆକ୍ରୋଶର ସାମ୍ନା କଲେ, ସେଥିଲାଗି କେବଳ ଅମିତ ଶାହ ଦାୟୀ ବୋଲି ମୋଦୀଙ୍କ ତରଫରୁ ଏକ ବାର୍ତ୍ତା ଦିଆଯାଇଥିଲା। ଜାତୀୟ ନାଗରିକ ପଞ୍ଜୀକରଣ ସମ୍ପର୍କରେ ପ୍ରତହମ ଥର ଲାଗି ମୋଦୀ ଓ ଶାହ ଦୁଇଟି ମତ ରଖିଲେ।
ଅନ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୪ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟସ ଠିକ ୭୫ ବର୍ଷ ହେଉଥିବ, ଅର୍ଥାତ ବିଜେପିର ନିର୍ଦ୍ଧାରିତ ଅବସର ବୟସ। ତେଣୁ ୨୦୨୪ ବେଳକୁ ଅମିତ ଶାହାଙ୍କ ନେତୃତ୍ବକୁ ଏକ ବିକଳ୍ପ ବ୍ରାଣ୍ଡ ଭାବରେ ପ୍ରସ୍ତୁତ କରିବାର ସବୁ ଉଦ୍ୟମ ଏବଠୁ ଆରମ୍ଭ ହୋଇ ଯାଇଛି-ହୁଏତ ଆଗରୁ ସେୟା ଲାଗୁଥିଲା। ଏବେ କିନ୍ତୁ ଅମିତ ଶାହ ଖୋଲାଖୋଲି ନିଜ ନେତୃତ୍ଵ ଜାହିର କରିବା ଆରମ୍ଭ କଲେଣି। କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ରେ ସେ ଯେଉଁ ପ୍ରକାର ରଣନୀତି ଆପଣାର କରିଛନ୍ତି, ସେଥିରେ ସେ କାହାକୁ ଖାତିର କରିବା ମନୋସ୍ଥିତିରେ ନାହାନ୍ତି। ଶାହ ଏବେ ନିଜକୁ ବିଜେପିର ଓ ସରକାରର ସର୍ବେସର୍ବା ବୋଲି କହିବାକୁ ସଙ୍କୋଚ କରୁନାହାନ୍ତି।
ବିଜେପି ଭିତରେ ନିଜର ପତିଆରା ପ୍ରତିଷ୍ଠା ସହିତ ଅମିତ ଶାହା ନିର୍ବାଚନ ପରଠୁ ବିଭିନ୍ନ ଆଞ୍ଚଳିକ କ୍ଷମତା କେନ୍ଦ୍ର ସହିତ ନିଜର ସମ୍ପର୍କ ବଢାଇବା ଆରମ୍ଭ କରି ଦେଇଛନ୍ତି। ଗୋଟେ ପକ୍ଷରେ ଆନ୍ଧ୍ରର ଜଗନ୍ମୋହନ ରେଡ୍ଡୀ, ଓଡିଶାର ନବୀନ ପଟ୍ଟନାୟକ, ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ପ୍ରମୁଖଙ୍କୁ ନିଜର ଘନିଷ୍ଠ ହେବାର ସୁଯୋଗ ଦେଇ ସେମାନଙ୍କର ସହଯୋଗ ନିଆ ଯାଉଛି। ଅପର ପକ୍ଷରେ ସୁଯୋଗ ଦେଖି ତାମିଲନାଡୁରେ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଇତ୍ୟାଦି ଦଳକୁ ବିଜେପି ଅକ୍ତିଆର କରିନେବା ଭଳି ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି। ବିଭିନ୍ନ ଆଞ୍ଚଳିକ ଦଳକୁ ନିଜ ଭିତରେ ବିଲୟ କରିବା ର ଲକ୍ଷ୍ୟରେ ଓଡିଶାର ବିଜେଡି ମଧ୍ୟ ଏକ ପ୍ରମୁଖ ଲକ୍ଷ୍ୟ ବୋଲି କୁହା ଯାଇପାରେ।
କ୍ଷମତା ଦଖଲ କରିବା ପାଇଁ କିଛି ବି କରାଯାଇପାରେ- ଏହା ହେଉଛି ଅମିତ ଶାହଙ୍କ ଆଦର୍ଶ। ତେଣୁ ସରକାର ଗଢିବା ଲାଗି ଯେ କୌଣସି ବୈଧ ବା ଅବୈଧ ଉପାୟ ପ୍ରୟୋଗରେ ସେ ସିଦ୍ଧହସ୍ତ। ହରିଆନାରେ ସେ ଯେତେ କ୍ଷୀପ୍ରତାର ସହିତ ଦୂଷ୍ୟନ୍ତ ଚଉତାଲାଙ୍କ ସହ ବୁଝାମଣା କଲେ ଓ ବିନା ଦ୍ଵିଧାରେ ଦୂଷ୍ୟନ୍ତଙ୍କ ବାପା ଅଜୟ ଚୌତାଲାଙ୍କୁ ବିହାର ଜେଲରୁ ଛୁଟି ଦେଲେ କିମ୍ବା ଦେବେନ୍ଦ୍ର ଫଡନବିସଙ୍କୁ ୪୮ ଘଣ୍ଟା ମୁଖ୍ୟମନ୍ତ୍ରୀ କରାଇବାର ଲାଳସା ଦେଖାଇଲେ, ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ- ବିଜେପି ଆଉ ଆଗପରି ମୁଖଲଜ୍ଜା ର ରାଜନୀତିରେ ବିଶ୍ଵାସ କରୁନାହିଁ।
ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ “ମୁହଁ ଓ ମୁଖା’ କୁ ନେଇ ବେଶ ରୋଚକ ଆଲୋଚନା ଚାଲିଥିଲା। ସେତେବେଳେ ବାଜପାୟୀଙ୍କୁ ମୁଖା ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଅସଲ ମୁହଁ ବୋଲି କୁହା ଯାଉଥିଲା।ଏ ପ୍ରସଙ୍ଗରେ ଅନେକଥର ବାଜପାୟୀ ସଂସଦରେ ନିଜର ସ୍ବଭାବସୁଲଭ ଢଙ୍ଗରେ ରୋଚକ ବକ୍ତବ୍ୟ ମଧ୍ୟ ରଖିଥିଲେ। ତେବେ ସେତେବେଳେ ବିଜେପି ଓ ସରକାର ଉଭୟ ଉପରେ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ତୁଳନାରେ ଆଡଭାନୀଙ୍କ ପ୍ରଚ୍ଛନ୍ନ ପ୍ରଭାବ ରହିଥିଲା। ବର୍ତ୍ତମାନ ସମୟରେ ଠିକ ସେହି ସମାନ ସ୍ଥିତି ବିଜେପି ସରକାରରେ ଆସିଛି। ଏବେ ମୋଦୀ କେବଳ ମୁଖା, ଅସଲ ମୁହଁ ହେଉଛନ୍ତି ଅମିତ ଶାହା। ଆସନ୍ତା ୪ ବର୍ଷ ଭିତରେ ମୋଦୀଙ୍କ ନେତୃତ୍ଵ କେବଳ ଆଳଙ୍କାରିକ ହୋଇ ରହିବ ଓ ବାସ୍ତବ କ୍ଷମତା ବଳୟ ଅମିତ ଶାହାଙ୍କ ପାଖରେ ରହିବ-ଏହାହିଁ ୨୦୧୯ ରାଜନୀତିର ସବୁଠୁ ବଡ ସୂଚକ ବୋଲି ଆମେ କହି ପାରିବା।
ନୂଆଦିଲ୍ଲୀ, 29/12 : ବର୍ଷର ଅନ୍ତିମ ମନ୍ କୀ ବାତ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ଯୁବସମାଜର ଭୁରିଭୁରି ପ୍ରଶଂସା କରିଥିଲେ । ଆଜିର ଯୁବ ସମାଜ ଜାତି ପ୍ରଥାକୁ ଦୂର କରି ଦେଶ ଗଠନରେ ଅଧିକରୁ ଅଧିକ ବ୍ରତୀ ହେବାରେ ଲାଗିଛନ୍ତି ବୋ.ଲି ମୋଦି କହିଛନ୍ତି । ଦେଶର ଆଧୁନିକୀକରଣ ଓ ବିକାଶ ଦିଗରେ ଯୁବ ପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ମୋଦି ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା କହିଛନ୍ତି । ଆଜିର ଯୁବ ବର୍ଗ ଅଶାନ୍ତି ଓ ଦେଶ ପାଇଁ ଖରାପ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁ ନାହିଁ ବରଂ କୌଣସି ପ୍ରସଙ୍ଗ ଉପରେ ଯୁବ ପିଢ଼ି ନିଜର ମତାମତ ଉପସ୍ଥାପନ କରିବାରେ ବିଶ୍ୱାସ ରଖୁଛି ବୋଲି ମୋଦି କହିଛନ୍ତି । ସ୍ୱାମୀ ବିବେକାନନ୍ଦ କନ୍ୟାକୁମାରୀର ଯେଉଁ ପ୍ରସ୍ଥର ଉପରେ ସାଧନା କରିଥିଲେ, ଏବେ ତାହାକୁ 50 ବର୍ଷ ପୂରିବାକୁ ଯାଉଛି । ବିଗତ 5 ଦଶନ୍ଧି ହେବ ସେହି ପ୍ରସ୍ଥର ଖଣ୍ଡ ଆମ ପାଇଁ ଗର୍ବ ଓ ଗୌରବ ହୋଇ ରହିଛି ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତରେ ଜାମ୍ମୁ, କାଶ୍ମୀର ଏବଂ ଲଦାଖରେ ଆରମ୍ଭ ହୋଇଥିବା କୌଶଳ ବିକାଶ ଯୋଜନା ‘ହିମାୟତ’ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଏହାସହିତ ଦେଶବାସୀଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦ ଜଣାଇଥିଲେ ମୋଦି ।