Categories
ବିଶେଷ ଖବର ମତାମତ

ସାମ୍ବାଦିକ ହେବା ବିଜେପି ଶାସନରେ ସବୁଠୁ ବଡ ଅପରାଧ, ସାମ୍ବାଦିକତା କାରଣରୁ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ଜୀବନକୁ ବିପନ୍ନ କରିଛି ବିଜେପି !!

କେଦାର ମିଶ୍ର

ବ୍ରିଟିଶ ସରକାର ଅମଳରେ ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ଲେଖୁଥିଲେ, ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଉଥିଲା। ସ୍ଵାଧୀନତା ପରେ ସେ ଚିତ୍ର ବଦଳିଯିବ ବୋଲି ଆମେ ଆଶା କରୁଥିଲୁ। ତେବେ ଗତ ସତୁରୀ ବର୍ଷ ଭିତରେ ଏମିତି ଅନେକ ଉଦାହରଣ ରହିଛି,ଯେଉଁଠି ନିଜର ଦାୟିତ୍ଵ ନିର୍ବାହ କରିବାକୁ ଯାଇ ସମ୍ବାଦିକମାନେ ଲାଞ୍ଛିତ ହୋଇଛନ୍ତି। ଅନେକ ସମୟରେ ସାମ୍ବାଦିକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି। ୧୯୭୫ ମସିହାରେ ଯେତେବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ, ତା ବିରୋଧରେ ଲେଖିଥିବା ଅନେକ ସାମ୍ବାଦିକଙ୍କୁ ଜେଲରେ ଦିନ କାଟିବାକୁ ପଡିଥିଲା। ତେବେ ସରକାର ବିରୋଧରେ ଲେଖାଲେଖି କରି ଜେଲ ଭୋଗିଥିବା ସେ ସାମ୍ବାଦିକମାନେ ଥିଲେ ଆମ ପାଇଁ ମହାନାୟକ। ଆମେ କୁଲଦୀପ ନାୟାର କିମ୍ବା ପ୍ରଭାସ ଯୋଷିଙ୍କୁ ସାମ୍ବାଦିକତାର ମହାନାୟକ ବୋଲି କହିଆସିଛୁ କାରଣ ସେମାନେ ସରକାର ଓ ସତ୍ତା ବିରୋଧରେ ଲେଖିପାରିବାର ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ଯେତେବେଳେ ରାଜୀବ ଗାନ୍ଧୀ ସରକାର ଗଣମାଧ୍ୟମର ସ୍ଵାଧୀନତା କ୍ଷୁଣ୍ଣ କଲାଭଳି ଏକ ଆଇନ ଆଣିଥିଲେ, ତାରି ବିରୋଧରେ ସାରା ଦେଶର ସାମ୍ବାଦିକ ଏକାଠି ହୋଇ ସେହି ଆଇନର ବିରୋଧ କରିଥିଲେ।

ରାଜୀବ ଗାନ୍ଧି ଏ ଦେଶର ସବୁଠୁ ବୃହତ୍ତମ ଜନମତ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଭାରତୀୟ ସାମ୍ବାଦିକମାନେ ତାଙ୍କୁ ପ୍ରତି ପାଦରେ ସମାଲୋଚନା କରିଛନ୍ତି। ରାଜୀବ ଗାନ୍ଧୀ ସରକାର ବିରୋଧରେ ବୋଫୋର୍ସ ଦୁର୍ନୀତି ମାମଲାକୁ ନେଇ ଅରୁଣ ଶୌରୀଙ୍କ ଲେଖା ସେତେବେଳେ ପ୍ରବଳ ମାନ୍ୟତା ପାଇଥିଲା। ବୋଫୋର୍ସ ଦୁର୍ନୀତି କେବେହେଲେ ଅଦାଲତରେ ପ୍ରମାଣିତ ହୋଇନଥିଲା। ହେଲେ ଆମେ ଏଥିଲାଗି ଅରୁଣ ଶୌରୀ ବା ଚିତ୍ରା ସୁବ୍ରମନ୍ୟମଙ୍କ ସାମ୍ବାଦିକତା ଉପରେ କେବେ ପ୍ରଶ୍ନଚିହ୍ନ ଲଗାଇନାହୁଁ। ଆଜି ହଠାତ ସାମ୍ବାଦିକତା ଏତେ ବଡ ଅପରାଧ ପାଲଟି ଯାଇଛି କେମିତି? ସରକାରକୁ ସମାଲୋଚନା କରୁଥିବା ସାମ୍ବାଦିକଙ୍କୁ ଅପରାଧୀ ଭଳି ବ୍ୟବହାର କରିବାର ଏ ଅଶ୍ଳୀଳତା କୁ ଶାସକ ବିଜେପି ଦଳ ସର୍ବାଧିକ ପ୍ରୋତ୍ସାହନ ଦେଉଛି କେମିତି ଓ କାହିଁକି?

ସରକାର ବିରୋଧରେ ସତର୍କ ରହିବା ଓ ସମାଲୋଚନା କରିବା ସାମ୍ବାଦିକତାର ମୌଳିକ କର୍ତ୍ତବ୍ୟ। ସରକାରଙ୍କ ପ୍ରଚାର କରିବା ଲାଗି ସରକାରୀ ବ୍ୟବସ୍ଥା ରହିଛି। ସାମ୍ବାଦିକ ସରକାରର ଆଲୋଚକ, ସ୍ତାବକ ନୁହେଁ। ବିଜେପି ସରକାର ବୋଧହୁଏ ଚାହୁଁଛନ୍ତି, ଭାରତୀୟ ସାମ୍ବାଦିକତା ତାଙ୍କର ଭାଟଗିରି ଓ ଗୋଲାମଗିରି କରୁ। କିଛି ଗଣମାଧ୍ୟମ ସରକାରୀ ଦଳର ଭାଟ ତଥା ଗୋଲାମ ହେବାକୁ ପସନ୍ଦ କରିଛନ୍ତି। ସେଥିପାଇଁ ସେମାନଙ୍କୁ ଆମର କିଛି କହିବାର ନାହିଁ। ହେଲେ ଯେଉଁ ସାମ୍ବାଦିକମାନେ ସରକାରର ସମାଲୋଚକ ସେମାନଙ୍କ ଉପରେ ଲାଞ୍ଛନା ଲଗାଇବା ଓ ସେମାନଙ୍କ ଜୀବନକୁ ବିପନ୍ନ କଲାଭଳି ପରିସ୍ଥିତି ବିଜେପି ସୃଷ୍ଟି କରୁଛି। ସରକାର ବିରୋଧୀ ସାମ୍ବାଦିକମାନଙ୍କୁ ଦେଶଦ୍ରୋହୀ ଓ ସନ୍ତ୍ରାସବାଦୀ ବୋଲି କହିବାର ଅତ୍ୟନ୍ତ ନୀଚ ଉଦ୍ୟମ ବିଜେପି କରୁଛି।

ଏହାର ଶେଷତମ ଉଦାହରଣ ହେଉଛି, ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେସାଇଙ୍କ ବିଷୟରେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଦେଇଥିବା ଅରୁଚିକର ,ମନ୍ତବ୍ୟ। ରାଜଦୀପ ସନ୍ତ୍ରାସବାଦୀ ସଂଗଠନ ଆଇଏସଆଇଏସର ମୁଖପାତ୍ର ହେବାକୁ ଯୋଗ୍ୟ କି ବୋଲି କହି ଏକ ସୋସିଆଲ ମିଡିଆ ସର୍ଭେ କରାଯାଇଛି। ଏହା କେବଳ ଅଶ୍ଳୀଳ ନୁହେଁ, ମାନବତା ବିରୋଧୀ ମଧ୍ୟ। ଦାୟିତ୍ଵ ନିର୍ବାହ କରୁଥିବା ଜଣେ ସାମ୍ବାଦିକଙ୍କୁ ସନ୍ତ୍ରାସବାଦୀ ବୋଲି କହି ତାଙ୍କ ବିରୋଧରେ ଘୃଣା ଓ ହିଂସା ସୃଷ୍ଟି କରିବାକୁ ଶାସକ ଦଳ ଖୋଲାଖୋଲି ଉଦ୍ୟମ କରିଛି। ରାଜଦୀପ ଓ ତାଙ୍କ ପତ୍ନୀ ସାଗରିକା ଘୋଷଙ୍କ ବିରୋଧରେ ବିଜେପିର ଆଇଟି ସେଲ ଗତ ପାଞ୍ଚ ବର୍ଷ ଧରି ଏ ପ୍ରକାର ଘୃଣା ସୃଷ୍ଟି କରିଚାଲିଛି। ହେଲେ ଦଳୀୟ କର୍ମକର୍ତ୍ତା ଭାବରେ ଅମିତ ମାଲବ୍ୟଙ୍କ ଏହି କୁତ୍ସିତ କାମ ବିଜେପିର ବିଧିବଦ୍ଧ ସ୍ଵୀକୃତି ପାଇଛି ବୋଲି ଆମକୁ କହିବାକୁ ପଡିବ। ଅମିତ ମାଲବ୍ୟ ନିୟମିତ ଭାବରେ ନିଜର ବିରୋଧୀଙ୍କ ପ୍ରତି କଦର୍ୟ ବ୍ୟବହାର ଓ ମିଛ ପ୍ରଚାର ପାଇଁ ବେଶ କୁଖ୍ୟାତ। ତେବେ ଖୋଲାଖୋଲି ଜଣେ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଏ ମହାଶୟଙ୍କ ବିରୋଧରେ କିଛି କାର୍ୟାନୁଷ୍ଠାନ ହେବ କି?

ଆମେ କାଣିଛୁ, ଅମିତ ମାଲବ୍ୟଙ୍କ ବିରୋଧରେ କିଛି ବି କାର୍ୟାନୁଷ୍ଠାନ ହେବନାହିଁ। ସରକାର ବିରୋଧୀ ପ୍ରତ୍ୟେକ ସ୍ଵରକୁ ଦବାଇ ଦେବାର ଉଦ୍ୟମ ଯୋଗୁଁ ଅମିତଙ୍କୁ ଓଲଟି ପୁରସ୍କାର ମିଳିପାରେ। ତେବେ ରାଜଦୀପ ଓ ତାଙ୍କ ପରି ସରକାର ବିରୋଧୀ ସାମ୍ବାଦିକଙ୍କ ଉପରେ ହେଉଥିବା ବିଜେପିର ଏହି ଆକ୍ରମଣ ବିରୋଧରେ ସାମ୍ବାଦିକମାନେ ଠିଆ ହେବେ ନା ନାହିଁ? ଏହାର ଉତ୍ତର ମଧ୍ୟ ଅତି ସହଜ। ସମାଜର ସବୁ ବର୍ଗଙ୍କୁ ତୀବ୍ର ଭାବରେ ବିଭାଜିତ କରିଥିବା ବିଜେପି, ସାମ୍ବାଦିକତାକୁ ମଧ୍ୟ ବିଭାଜିତ କରି ସାରିଛି। ସରକାରୀ ଦଳର ଚାମଚାଗିରିକୁ ନିଜର ଧର୍ମ ମନେ କରୁଥିବା କିଛି ସାମ୍ବାଦିକ ଓ ତାଙ୍କର ପୋଷା ଟ୍ରୋଲ ବାହିନୀ, ଏଥିପାଇଁ ନୀରବ ରହିବେ କିମ୍ବା ଅମିତ ମାଲବ୍ୟଙ୍କ ସହ ସ୍ଵର ମିଳାଇବେ। ବାକି ଯେଉଁମାନେ ରାଜାଦୀପଙ୍କ ସହ ରହିବେ, ସେମାନଙ୍କୁ ଦେଶଦ୍ରୋହୀର ସାର୍ଟିଫିକେଟ ବିଜେପି ଅଫିସ ତରଫରୁ ପଠାଇ ଦିଆଯିବ। ବିଜେପିର ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ଏ ପ୍ରକାର ପଦକ୍ଷେପ ବିରୋଧରେ ଯଦି ତୀବ୍ର ପ୍ରତିବାଦ ନ ହୁଏ, ତାହେଲେ ଏ ଦେଶ ନିଜର ଗଣତନ୍ତ୍ରକୁ ବଞ୍ଚାଇ ରଖିବା ସମ୍ଭବ ହେବନାହିଁ ।

Categories
ଆଜିର ଖବର ଜାତୀୟ ଖବର

ସୁଧାର ଗୃହକୁ ନେଇ ବିଜେପିକୁ ରାହୁଲଙ୍କ ଆକ୍ରମଣ

ନୂଆଦିଲ୍ଲୀ, 28/12 : ଦେଶରେ ସୁଧାର ଗୃହ ପ୍ରତିଷ୍ଠାକୁ ନେଇ ବିଜେପିକୁ ଆକ୍ରମଣ କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସୁଧାର ଗୃହ ପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ଅସ୍ବୀକାର କରିଥିବା ବେଳେ ଆସାମରେ ଏକ ସୁଧାର ଗୃହ ରହିଛି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ରାହୁଲ ଏକ ଭିଡିଓ ସେୟାର କରିଥିଲେ, ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ ସହିତ ରାହୁଲ ସୁଧାର ଗୃହର ଭିଡିଓ ମଧ୍ୟ ଜାରି କରିଥିଲେ । ଏହି ଭିଡିଓ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି କି ସତ କହୁଛନ୍ତି ଏହା ଦେଶବାସୀ ନିର୍ଦ୍ଧାରଣ କରନ୍ତୁ ବୋଲି ରାହୁଲ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ସୂର୍ଯ୍ୟପରାଗ ଦେଖିବା ପାଇଁ ମୋଦି ପିନ୍ଧିଲେ ଦେଢ ଲକ୍ଷର ଚଷମା : ସୋସିଆଲ ମିଡିଆାରେ ମିଶ୍ରିତ ପ୍ରତିକ୍ରିୟା

ନୂଆଦିଲ୍ଲୀ, 26/12 : ଗୁରୁବାର ସଙ୍ଗଠିତ ହୋଇଥିବା ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଢ ଲକ୍ଷ ଟଙ୍କାର ଚଷମା ପିନ୍ଧିଛନ୍ତି । ସୂର୍ଯ୍ୟପରାଗ ଦେଖୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସୋସିଆଲ ମିଡିଆରେ ସେୟାର ପରେ ଏହାକୁ ନେଇ ବିଭିନ୍ନ ମିମ୍‌ ଦେଖିବାକୁ ମିଳିଛି । କିଛି ଲୋକ ମୋଦିଙ୍କ ସପକ୍ଷରେ ମିମ୍‌ ପୋଷ୍ଟ କରିଥିବା ବେଳେ କିଛି ମୋଦିଙ୍କ ବିପକ୍ଷରେ ଦେଖିବାକୁ ମିଳିଛି । ଏକ ମିମ୍‌ରେ ମୋଦି ଏହି ଚଷମାରେ ରାହୁଲ ଓ ସୋନିଆଙ୍କୁ ଦେଖୁଛନ୍ତି ବୋଲି ଲେଖାଯାଇଥିବା ବେଳେ ଅନ୍ୟ ଏକ ମିମ୍‌ରେ ମୋଦିଙ୍କ 5 ଟ୍ରିଲିୟନ୍‌ ଅର୍ଥନୀତି ଉପରେ କମେଣ୍ଟ କରାଯାଇଥିଲା । ମୋଦି ପିନ୍ଧିଥିବା ଏହି ଚଷମାଟି ଜର୍ମାନୀରେ ନିର୍ମିତ ହୋଇଥିବା ବେଳେ ଏହାର ମୂଲ୍ୟ 1.5 ଲକ୍ଷ ଟଙ୍କା ରହିଛି । (ଏଜେନ୍ସୀ)

Categories
ଆଜିର ଖବର

ଅଟଳ ଭୂତଳ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,25/12: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂତଳ ଯୋଜନାର ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ 7ଟି ରାଜ୍ୟର 8350 ଗ୍ରାମ ସାମିଲ ହେବେ ବୋଲି ଜଣାପଡିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟରେ ଏହି ଯୋଜନା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 6 ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି । ଏହା ସହିତ ମନାଲିରୁ ଲେହକୁ ସଞ୍ଜୋଗ କରୁଥିବା ରୋହତାଙ୍ଗ କେନାଲର ନାମକୁ ପରିବର୍ତ୍ତନ କରାଯାଇ ‘ଅଟଳ ସୁଡଙ୍ଗ’ ରଖାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ମୋଦି ସରକାରଙ୍କ କ୍ୟାବିନେଟ୍‌ ବୈଠକ : ଏନ୍‌ପିଆରକୁ ମଞ୍ଜୁରୀ

ନୂଆଦିଲ୍ଲୀ,24/12 : ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆରକୁ ମଞ୍ଜୁରୀ ମିଳିଛି । ଦେଶରେ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧ ଏବଂ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହା ମଧ୍ୟରେ ସରକାର ଏନ୍‌ପିଆରକୁ ମଞ୍ଜୁରୀ ଦେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍‌ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍‌ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ସିଏଏ ଏବଂ ଏନ୍‌ଆରସିକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମୋଦୀ : ଓଓ୍ବେସୀ

ହାଇଦ୍ରାବାଦ,24/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍‌ଆରସି ଦେଶର ମୁସଲିମ୍‌ଙ୍କ ପାଇଁ ଲାଗୁ କରାଯିବ ନାହିଁ । ସିଏଏକୁ ନେଇ ବିଜେପି ଦେଶବାସୀଙ୍କୁ ଅନ୍ଧାରରେ ରଖିଥିବା ବେଳେ ଏନ୍‌ଆରସି ଲାଗୁ କରିବାକୁ ଚେଷ୍ଟା କରୁଥିବା ବେଳେ ମୋଦୀଙ୍କ ଏହି ମନ୍ତବ୍ୟ କିଛି ବୁଝା ପଡୁନାହିଁ । ଏନ୍‌ଆରସି ଲାଗୁ କରାଗଲେ ସମଗ୍ର ଦେଶରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଓଓ୍ବେସୀ କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୀତା ଗୋପୀନାଥ : ଅର୍ଥନୈତିକ ମାନ୍ଦାବସ୍ଥାକୁ ନେଇ ଆଲୋଚନା

ନୂଆଦିଲ୍ଲୀ,24/12 : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ପରାମର୍ଶଦାତା ଗୀତା ଗୋପୀନାଥ । ଫିକିର 92 ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗୋପୀନାଥ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଭାରତୀୟ ଅର୍ଥନୀତିରେ ଦେଖା ଦେଇଥିବା ଶୀଥିଳତା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକ ନେଇ ମୋଦି ଏବଂ ଗୋପୀନାଥଙ୍କ ଏକ ଫଟୋ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ଟର ଜରିଆରେ ସେୟାର କରାଯାଇଛି । ଏହି ବୈଠକ ପରେ ଗୀତା କହିଛନ୍ତି ବିଶ୍ବର ଅର୍ଥନୈତିକ ମାନ୍ଦାବସ୍ଥା ଦ୍ବାରା ଭାରତର ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହୋଇଛି । ଏହା ସହିତ ସରକାରଙ୍କ ଅର୍ଥନୈତିକ ନିଷ୍ପତ୍ତି ମଧ୍ୟ ଏପରି ପରସ୍ଥିତି ପାଇଁ ଦାୟୀ । ଭାରତ ପକ୍ଷରୁ ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ମାତ୍ର ଏହି ପଦକ୍ଷେପ ଦୀର୍ଘସୂତ୍ରୀ ହେବା ଆବଶ୍ୟକ । ଏହା ସହିତ ଜିଏସ୍‌ଟିକୁ ଗୋପୀନାଥ ପ୍ରଶଂସା କରିଥିଲେ ।

Categories
ବିଶେଷ ଖବର

ବିଜୟ ହେଲେ ମୋଦୀ –ଶାହ ଙ୍କ ଉପରେ ଫୁଲ ବର୍ଷା, ହେଲେ ପରାଜୟ ବେଳକୁ ମୋଦୀ-ଶାହ ଗାୟବ!!

କେଦାର ମିଶ୍ର

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ସରଳ ଉତ୍ତର ହେଉଛି, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବାର ଦାସ। ଝାଡଖଣ୍ଡର ଅସ୍ଥିର ରାଜନୀତିରେ ପ୍ରଥମ ଥର ଲାଗି ରଘୁବାର ଦାସ ପାଞ୍ଚବର୍ଷ ପୂରା ସମୟ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ତୁଲାଇଥିଲେ। ଏହା ପୂର୍ବରୁ ଶିବୁ ସୋରେନ, ଅର୍ଜୁନ ମୁଣ୍ଡା, ବାବୁଲାଲ ମାରାଣ୍ଡିଙ୍କ ଭଳି ପ୍ରଭାବଶାଳୀ ଆଦିବାସୀ ନେତା ପୂରା ସମୟ ଶାସନ କରିବାର ସୁଯୋଗ ପାଇନଥିଲେ। ବିଧାନସଭା ନିର୍ବାଚନରେ ଜୟ ପରାଜୟର ଶ୍ରେୟ ସ୍ଥାନୀୟ ନେତୃତ୍ବକୁ ମିଳିବା କଥା। ହେଲେ ବିଜେପିରେ ବିଜୟର ଶ୍ରେୟ ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହଙ୍କୁ ମିଳୁଥିବା ବେଳେ, ପରାଜୟ ଲାଗି ବଳିର ଛେଳି ଭାବରେ ସ୍ଥାନୀୟ ନେତାମାନଙ୍କୁ ବଛା ଯାଉଛି। ଝାଡଖଣ୍ଡରେ ଠିକ ସେଇକଥା ଦେଖିବାକୁ ମିଳିଛି। ଏବେ ପରାଜୟ ପାଇଁ ରଘୁବର ଦାସଙ୍କୁ ଅହଙ୍କାରୀ, ଅପାରଗ, ଆଦିବାସୀ ବିରୋଧୀ ଇତ୍ୟାଦି ବିଶେଷଣ ଦିଆଯାଉଛି। ହେଲେ ମୋଦୀ-ଶାହଙ୍କ ବିନା ଅନୁମୋଦନରେ ରଘୁବର ଦାସଙ୍କର ଅସ୍ତିତ୍ଵ ବୋଲି କିଛି ଥିଲା କି?

ସାଧାରଣ ନିର୍ବାଚନଠୁ ସ୍ଥାନୀୟ ନିର୍ବାଚନ, ସବୁଥି ବିଜେପି ନରେନ୍ଦ୍ର ମୋଦୀଙ୍କୁ ନିଜର ଏକମାତ୍ର ଚେହେରା ଭାବରେ ଉପସ୍ଥାପନ କରି ଆସୁଛି। ପ୍ରତି ନିର୍ବାଚନରେ ମୋଦୀ ଓ ଶାହାଙ୍କ ବ୍ୟତୀତ ତୃତୀୟ ଲୋକର ଅସ୍ତିତ୍ଵକୁ ବିଜେପି ସ୍ଵୀକାର ମଧ୍ୟ କରୁନାହିଁ। ଯେ କୌଣସି ଛୋଟ ବଡ ସଫଳତା ବିଜେପି ପାଇଲେ ସେଥିଲାଗି ଅମିତ ଶାହାଙ୍କୁ ଚାଣକ୍ୟ ବୋଲି କହି ତାଙ୍କର ସବୁ ପଦକ୍ଷେପ କୁ ମାଷ୍ଟର ଷ୍ଟ୍ରୋକ ବୋଲି କୁହାଯାଉଛି। ହେଲେ ପରାଜୟ ବେଳକୁ ଏ ଦୁଇ ନେତା ଗାୟବ ହୋଇ ଯାଉଛନ୍ତି। ୟେ ହେଉଛି କଂଗ୍ରେସର ପୁରୁଣା ରୋଗ ଯାହା ବିଜେପିକୁ ଏବେ ଆକ୍ରାନ୍ତ କଲାଣି। ତ୍ରିପୁରା ଭଳି ଗୋଟେ ଛୋଟିଆ ରାଜ୍ୟର ବିଜୟ ପାଇଁ ମୋଦୀ-ଶାହଙ୍କ ଉପରେ ଟନ ଟନ ଗୋଲାପ ପାଖୁଡା ବର୍ଷା କରାଯାଇଥିଲା। ହେଲେ ପରାଜୟର କଳଙ୍କ ଆଉ କିଏ ନେବ କାହିଁକି?

ଗତ ସାଧାରଣ ନିର୍ବାଚନ ପରଠୁ ବିଜେପି ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇଛି ବୋଲି ଡିଣ୍ଡିମ ପିଟୁଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଉ ଅଥବା ନାଗରିକ ସଂଶୋଧନ ଆଇନ, ଏହାକୁ ମହାରାଷ୍ଟ୍ର, ହରିୟାନା ଓ ଝାଡଖଣ୍ଡ ନିର୍ବାଚନରେ ପ୍ରସଙ୍ଗ କରାଯାଇଛି। ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାରି ଆଧାରରେ ଭୋଟ ମାଗିଛନ୍ତି। ଏହି ତିନୋଟି ଯାକ ରାଜ୍ୟ ନିର୍ବାଚନରେ ଏହି ପ୍ରସଙ୍ଗ ଲୋକଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛି। ତଥାପି ଏହାକୁ ମାନିବାକୁ ବିଜେପି ନାରାଜ। ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସକୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦୀ ଅତି କଟୁ ସମାଲୋଚନା କରିଥିଲେ। ଏପରିକି ଏହି ଆଇନକୁ ପ୍ରତିବାଦ କରୁଥିବା ଲୋକଙ୍କ ପିନ୍ଧା ଲୁଗା ଓ ଧର୍ମକୁ ନେଇ ମଧ୍ୟ ଅତି ଜଘନ୍ୟ କଥା ପ୍ରଧାନମନ୍ତ୍ରୀ କହିଥିଲେ। ତାଙ୍କର ବିଭାଜନକାରୀ ତଥା ସାମ୍ପ୍ରଦାୟିକ ରାଜନୀତିକୁ ଆଜି ଝାଡଖଣ୍ଡ ବାସୀ ପ୍ରତ୍ୟଖ୍ୟାନ କରିଛନ୍ତି ବୋଲି କାହିଁକି କୁହାଯିବ ନାହିଁ?

ଝାଡଖଣ୍ଡର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବରେ ରଘୁବର ଦାସ ଅନେକ ଗୁଡିଏ ଆଦିବାସୀ ବିରୋଧୀ ନିଷ୍ପତ୍ତି ନେଇଥିଲେ, ତେଣୁ ତାଙ୍କୁ ସେଥିଲାଗି ମୂଲ୍ୟ ଦେବାକୁ ପଡିଲା ବୋଲି କହିବା ଅବଶ୍ୟ ସହଜ। ପଥଲଗଡି ଆନ୍ଦୋଳନ (ନିଜ ଜମି ଉପରେ ଆଦିବାସୀର ସାର୍ବଭୌମ ଅଧିକାର।ରଘୁବର ଦାସ ସରକାର ଆଣିଥିବା ଛୋଟ ନାଗପୁର ଓ ସାନ୍ତାଳ ପ୍ରଗଣା ଆଇନର ସଂଶୋଧନ ବିରୋଧରେ ବ୍ୟାପକ ଆଦିବାସୀ ଆନ୍ଦୋଳନ।)ଫଳରେ ସରକାର ବିରୋଧୀ ସ୍ଵର ରାଜ୍ୟରେ ଅତି ତୀବ୍ର ହୋଇଥିଲା। ଏହା କେନ୍ଦ୍ରୀୟ ନେତୃତ୍ବର ବିନା ଅନୁମୋଦନରେ ସମ୍ଭବ ନୁହେଁ। ଝାଡଖଣ୍ଡରେ ଅଣ ଆଦିବାସୀ ଭୋଟର ଧୃବୀକରଣ କରି ଏକ ଭିନ୍ନ ପ୍ରକାର ବିଭାଜନ ର ରାଜନୀତି ବିଜେପି କରି ଆସୁଥିଲା। ଯାହାକୁ ଝାଡଖଣ୍ଡ ଜନତା ଆଜି ପ୍ରତ୍ୟାଖ୍ୟାନ କରିଛନ୍ତି।

ଗତ ପଞ୍ଚବର୍ଷରେ ଝାଡଖଣ୍ଡରେ ବ୍ୟାପକ ଭିଡାହିଂସା ଜନିତ ମୃତ୍ୟୁ ଘଟନା ଘଟିଛି। ରାଜ୍ୟରେ ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ବିଜେପି ଓ ସଂଘ କର୍ମୀମାନେ ନିରନ୍ତର ଆକ୍ରମଣ କରିଛନ୍ତି। ଏହା ବିଜେପି ପରାଜୟର ଅନ୍ୟତମ ପ୍ରମୁଖ କାରଣ। ସଂଘ ଓ ବିଜେପି ଭିଡହିଂସାକୁ ରୋକିବା ପରିବର୍ତ୍ତେ ଏହାକୁ ଅତି ହାଲୁକା ଭାବରେ ନେଇଥିଲା। ଏହାର ଜବାବ ତାଙ୍କୁ ମିଳିଛି।

ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ କିଛିଟା ସଚେତନ କରିବା ଉଚିତ। ତେବେ ବିଜେପିକୁ କଂଗ୍ରେସର ବ୍ୟାଧି ଏମିତି କବଳିତ କରୁଛି ଯେ, ଆଜି ମଧ୍ୟ ଲୋକଙ୍କ ଭାଷା ଓ ଭାବନାକୁ ବୁଝିବାକୁ ଦଳ ରାଜି ହେଉନାହିଁ। ଝାଡଖଣ୍ଡରେ ବିଜେପିର ପରାଜୟ ଆଦୌ ସ୍ଥାନୀୟ କାରଣରୁ ନୁହେଁ, ବରଂ ଜାତୀୟ ସ୍ତରରେ କ୍ରମାଗତ ଭାବରେ ବିଜେପି ନେଇଥିବା ଲୋକବିରୋଧୀ ପଦକ୍ଷେପ ବିରୋଧରେ ଏହା ତୃତୀୟ ସତର୍କ ଘଣ୍ଟି।

Categories
ଆଜିର ଖବର

ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ମୋଦି : ଗୋପାଳ ସିଂ ଚାଓ୍ବଲା

ନୂଆଦିଲ୍ଲୀ, 23/12 : ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀକୁ ଆକ୍ରମଣ କରିବେ ବୋଲି ପ୍ରୋ ଖଲିସ୍ତାନୀ ନେତା ଗୋପାଳ ସିଂ ଚାଓ୍ବଲା କହିଛନ୍ତି । ପ୍ରୋ ଖଲିସ୍ତାନୀ ନେତା ନାଗରିକତା ସଂଶୋଧନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ସିଏଏ ଦ୍ବାରା ମୁସ୍‌ଲିମ୍‌ ସମ୍ପ୍ରଦାୟକୁ ମୋଦି ସରକାର ଟାର୍ଗେଟ କରିଛନ୍ତି । ଯଦି ଭାରତୀୟ ମାନେ ଏହା ବିରୋଧରେ ସ୍ବର ଉତ୍ତୋଳନ ନ କରନ୍ତି ତେବେ ଧୀରେ ଧୀରେ ମୋଦି ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ୍‌ କରିବେ । ଭାରତରେ ବର୍ତ୍ତମାନ ରହିଥିବା ସମସ୍ୟା ଆରଏସ୍‌ଏସ୍‌ କାରଣରୁ ଆସିଛି । ଆରଏସ୍‌ଏସ୍‌ ମୁଖ୍ୟ ଏମ ଏସ୍‌ ଗୋଓ୍ବାଲକରଙ୍କ ଲିଖିତ ପୁସ୍ତକ ‘ବଞ୍ଚ ଅଫ୍‌ ଥଟ୍‌ସ’ ଆଧାରରେ ମୋଦି ଭାରତ ଗଠନ କରିବାକୁ ଯାଉଛନ୍ତି । ଏହି ପୁସ୍ତକ ଅନୁଯାୟୀ ଭାରତ କେବଳ ହିନ୍ଦୁଙ୍କର, ତେଣୁ ମୋଦି ମୁସ୍‌ଲିମ୍‌ ମାନଙ୍କ ଅଧିକାର କ୍ଷୁର୍ଣ୍ଣ କରିବାର ଘୃଣ୍ୟ ପ୍ରୟାସ କରୁଛନ୍ତି । ଭାରତରେ 30 କୋଟି ମୁସ୍‌ଲିମ୍‌ ରହିଥିବା ବେଳେ ଏହି ଆଇନ ବିରୋଧରେ ପ୍ରତିବାଦ କରିବା ଆବଶ୍ୟକ ବୋଲି ଚାଓ୍ବଲା ମତ ଦେଇଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

 ଗଣମାଧ୍ୟମ ଉପରେ ସରକାରୀ ଅଙ୍କୁଶ, କିଏ କହିବ ଦେଶଦ୍ରୋହୀ ଖବରର ସଜ୍ଞା ଓ ସ୍ଵରୂପ କଣ?

କେଦାର ମିଶ୍ର

ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁନାହିଁ କି? ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, ସେ କେମିତି ପାକିସ୍ତାନକୁ ଛାନିଆ କରି ରଖିଛନ୍ତି ଇତ୍ୟାଦି ଇତ୍ୟାଦିର ଟିକିନିକି ଖବର ଆମେ ଦେଖାଇ ଚାଲିଛୁ। ପ୍ରଧାନମନ୍ତ୍ରୀଙ୍କୁ ଯଦି ବିରୋଧୀ ଦଳ ସମାଲୋଚନା କଲେ (ଯାହାକି ବିରୋଧୀ ଦଳର ସାମ୍ବିଧାନିକ ଓ ନୈତିକ ଦାୟିତ୍ଵ) ତାଙ୍କ ଉପରେ ମାଡି ବସି ଆମେ ତାଙ୍କ ଗଳା ବନ୍ଦ କରି ଦେଉଛୁ। ମୋଦୀ ଖେଳୁଥିବା ପ୍ରତି ବଲ କୁ ମାଷ୍ଟର ଷ୍ଟ୍ରୋକ ବୋଲି କହି ଷ୍ଟାଡିୟମ ବାହାରେ ଆମେ “ଚିୟର ଲିଡର” ର ଭୂମିକା ତୁଲାଉଛୁ। ପ୍ରଧାନମନ୍ତ୍ରୀ ହିଁ ଏକମାତ୍ର ଏ ଦେଶର ତ୍ରାଣକର୍ତ୍ତା ବୋଲି କହି ଆମର ବନ୍ଦନା ଗାନ ଶୁଣି ପୃଥିବୀର ଗଣମାଧ୍ୟମରେ ଭାରତର ଗଣମାଧ୍ୟମକୁ ସରକାରଙ୍କ ବୋଲକରା ବୋଲି କୁହାଯାଉଛି। ହେଲେ ଯାହା ଲାଗି ଆମର ଏତେ ପ୍ରେମ, ସେ କିନ୍ତୁ ଆମକୁ ଆଜି ବି ଅବିଶ୍ଵାସ କରୁଛନ୍ତି। ଯେଉଁ ପ୍ରଧାନମନ୍ତ୍ରୀଙ୍କ ଲାଗି ଆମର ସବୁ ପ୍ରାଇମ ଟାଇମ ନିବେଦିତ, ସେ ଆମକୁ ଅବିଶ୍ଵସ୍ତ ବୋଲି କହୁଛନ୍ତି।

ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରାୟ ଦଶଦିନ ହେଲାଣି ଦେଶସାରା ନିରନ୍ତର ବିରୋଧ ଲାଗି ରହିଛି। ଅନେକ ଜାଗାରେ ହିଂସ୍ର ପ୍ରତିବାଦ ଘଟିଛି ଓ ଏହାର ପରିଣତିରେ ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଇଲେଣି।ସେହି ସମୟରେ ମୋଦୀ ସରକାର ଟେଲିଭିଜନ ଚାନେଲମାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ଦେଶଦ୍ରୋହୀ ଖବର ପରିବେଷଣ ନ କରିବା ପାଇଁ। ବାସ୍ତବରେ ଏକ ମୁକ୍ତ ଗଣମାଧ୍ୟମର ଦାୟିତ୍ଵ ହେଉଛି ସେ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରିବ। ଦେଶପ୍ରେମ ସ୍ଵାଭାବିକ ଭାବରେ ସାମ୍ବାଦିକତାର ଏକ ଅଂଶବିଶେଷ। ଏ ସମ୍ପର୍କରେ ସରକାରଙ୍କର ଏ ହୁକୁମନାମା କାହିଁକି?

ଏଇଟା ହିଁ ଆଜିର ତାରିଖରେ ସବୁଠୁ ବଡ ଖବର। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୁହାଇବାକୁ ଭାରତର ଗଣମାଧ୍ୟମ କୌଣସି ସୁଯୋଗ ସୃଷ୍ଟି କରିବାକୁ ଭୟ କରୁଛି। ଅପରିହାର୍ୟ ପରିସ୍ଥିତି ନ ଆସିଲେ ମିଡିଆରେ ସରକାର ବିରୋଧୀ ସ୍ଵର ଶୁଣିବାକୁ ମିଳୁନାହିଁ। ଏତେ ବଡ ଜନ ପ୍ରତିବାଦକୁ ଯଦି ଗଣମାଧ୍ୟମ ଅଣଦେଖା କରେ ବା ତାହାର ଭୁଲ ଚିତ୍ରଣ କରେ ତାହେଲେ ସବୁଠୁ ବଡ କ୍ଷତି ଗଣମାଧ୍ୟମର ହିଁ ହେବ। ଏମିତିରେ  ଆଜିର ତାରିଖରେ ଗଣମାଧ୍ୟମ ପ୍ରତି ଲୋକଙ୍କର ଅବିଶ୍ଵାସ କେବଳ ବଢିଛି ତା ନୁହେଁ, ଗଣମାଧ୍ୟମ ପ୍ରତି କ୍ରୋଧ ଓ ଘୃଣା ବ୍ୟାପକ ହେଉଛି। ଲୋକେ ସିଧା ସିଧା ଗଣମାଧ୍ୟମକୁ ସରକାରଙ୍କ ପୋଷା ଶୁଆ ବୋଲି କହୁଛନ୍ତି। ନିଜ ବୃତ୍ତିକୁ ବଞ୍ଚାଇବାକୁ ହେଲେ ସରକାରୀ ଦାସତ୍ଵ ଗଣମାଧ୍ୟମର ସୁରକ୍ଷା କବଚ ହୋଇ ସବୁଠି ରହି ପାରିବ ନାହିଁ।   ସରକାରଙ୍କର ଚିଠି କହୁଛି, ସେମାନେ ଗଣମାଧ୍ୟମ ତାଙ୍କରି ଭାଷାରେ କଥା କହୁ ବୋଲି ଚାହୁଛନ୍ତି।  ଯଦି ଗଣମାଧ୍ୟମ ସେ କଥା କରେ, ତାହେଲେ ଲୋକେ ଅବଶ୍ୟ ନିଜର ବାଟ ବାଛିବେ।

ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଦାୟିତ୍ଵ ନେବା ପରେ ନରେନ୍ଦ୍ର ମୋଦୀ  ତାଙ୍କର ସାଂସଦ ମାନଙ୍କୁ କହିଥିଲେ- ମିଡିଆଠାରୁ ବଞ୍ଚିକି ରହିବା ପାଇଁ  ପରାମର୍ଶ ଦେଇଥିଲେ। ଉଭୟ ଛପାସ ଓ ଦିଖାସ ଗଣମାଧ୍ୟମ ଠାରୁ ଦୂରରେ ରହିବାକୁ ସେ ତାଙ୍କର ନେତାମାନଙ୍କୁ କହି ଆସୁଛନ୍ତି। ବିଜେପି ଦଳ ଓ ସରକାର ଗଣମାଧ୍ୟମକୁ ନିଜର କିଣା ବ୍ୟବସ୍ଥାର ଅଂଶ ବୋଲି ଭାବୁଛନ୍ତି। ନଚେତ ଏମିତି ଏକ ଚିଠି (ଥରେ ନୁହଁ, ଦୁଇ ଥର) ଲେଖିବାକୁ ସରକାର ସାହସ କରିନଥାନ୍ତେ। ସରକାରଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ବୁଝାଇଦେବା ଉଚିତ ଯେ ଦେଶପ୍ରେମ ଓ ଦେଶଦ୍ରୋହର ସଜ୍ଞା ଆମେ ସରକାରଙ୍କଠାରୁ ଶିଖିନାହୁଁ।  ବହୁ ସରକାର ଆସିଛନ୍ତି ଓ ଯାଇଛନ୍ତି। ହେଲେ ଏକ ଗଣତାନ୍ତ୍ରିକ ଦେଶର ମୁକ୍ତ ଗଣମାଧ୍ୟମ ଭାବରେ ଲୋକଙ୍କ କଥା କହିବ ଆମର ଏକମାତ୍ର ଦେଶପ୍ରେମ। ସରକାରଙ୍କୁ ତେଲ ମାରିବା ସାମ୍ବାଦିକତା ନୁହେଁ, ଏକଥା ଆଜିର ଗଣମାଧ୍ୟମ ମୋଦୀ ସରକାରଙ୍କୁ ବୁଝାଇ ଦେଇପାରିବ କି?

Categories
ଆଜିର ଖବର

ଧନ୍ୟବାଦ ରାଲିରେ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଆକ୍ରମଣ

ନୂଆଦିଲ୍ଲୀ, 22/12 : ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ସିଏଏ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା ମାତ୍ର ବିରୋଧୀ ଦଳ ଲୋକଙ୍କୁ ଅନ୍ଧାରରେ ରଖି ସିଏଏକୁ ନେଇ ଅରାଜକତା ବଢାଉଛନ୍ତି ବୋଲି ମୋଦି କହିଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା। ସାମାଜିକ ଗଣମାଧ୍ୟମରେ ନିଆଁ ଲାଗାଇବାକୁ ଚେଷ୍ଟା କରାଯାଉଛି । ମିଥ୍ୟା ତଥ୍ୟ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରି ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଯାଉଛି ।  ଏହାପରେ ମୋଦି ଦିଲ୍ଲୀର 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଲୋକଙ୍କ ଜୀବନରେ ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଛି । ନିଜର ବାସସ୍ଥଳୀ ହରାଇବାର ଆଶଙ୍କା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଛି ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ରାମଲୀଲା ମୈଦାନରେ ଧନ୍ୟବାଦ ରାଲି କରିବେ ମୋଦି

ନୂଆଦିଲ୍ଲୀ, 22/12 : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମୈଦାନରେ ଧନ୍ୟବାଦ ରାଲିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହି ରାଲି ଜରିଆରେ ମୋଦି ବିଜେପିର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। 8 ଉଚ୍ଚ ଏବଂ 80 ଫୁଟ ଲମ୍ୱା ମଞ୍ଚରୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ସମ୍ୱୋଧିତ କରିବେ। ଦିଲ୍ଲୀର ଅନଧିକୃତ କଲୋନୀକୁ ଅଧିକୃତ କରାଯଉଥିବାରୁ ଏହି ଧନ୍ୟବାଦ ରାଲି ଅନୁଷ୍ଠିତ ହେଉଛି। ଏହି ଅବସରରେ 11.5 ଲକ୍ଷ ଲୋକଙ୍କୁ ଧନ୍ୟବାଦ ହସ୍ତାକ୍ଷର ପତ୍ର ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଏହା ସହିତ ସାଧାରଣ ଲୋକଙ୍କୁ ସିଏଏ ଏବଂ ଏନ୍‌ଆର୍‌ସି ସମ୍ପର୍କରେ ଅବଗତ କରାଇବେ ମୋଦି  (ଏଜେନ୍ସୀ)

Categories
ଆଜିର ଖବର

ଆସୋଚାମ୍‌ ବାର୍ଷିକ ସାଧାରଣ ବୈଠକରେ ମୋଦି : 5 ଟ୍ରିଲିୟନ୍‌ ଅର୍ଥନୀତି ଲକ୍ଷ୍ୟ ହାସଲ ସମ୍ଭବ

ନୂଆଦିଲ୍ଲୀ, 20/12 : ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ ଇଣ୍ଡିଆ(ଆସୋଚାମ୍‌) କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି । 5 ଟ୍ରିଲିୟନ୍‌ ଅର୍ଥନୀତି ହାସଲର ଲକ୍ଷ୍ୟ ସମ୍ଭବ ବୋଲି ମୋଦି କହିଛନ୍ତି । ବାଣିଜ୍ୟ ଜଗତରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଜିଏସ୍‌ଟି ନିୟମ ଆଣିଥିଲେ । ଏଥିରେ ସଂସ୍କାର ପାଇଁ ବିଭିନ୍ନ ସମୟରେ ଏଥିରେ ପରିବର୍ତ୍ତନ ମଧ୍ୟ କରାଯାଇଛି । ଜିଏସ୍‌ଟି ଲାଗୁ ସମୟରେ ଜନ ଆକ୍ରୋଶ ଦେଖା ଦେଇଥିଲେ ମଧ୍ୟ ଧୀରେ ଧୀରେ ଜନସାଧାରଣ ଏହାର ସୁଫଳ ପାଇବାକୁ ଯାଉଛନ୍ତି । ସେହିପରି 5 ଟ୍ରିଲିୟନ୍‌ ଅର୍ଥନୀତି ହାସଲରେ ସରକାର କାର୍ଯ୍ୟ କରୁଛନ୍ତି ଏବଂ ଖୁବ୍‌ ଶୀଘ୍ର ସରକାର ଏହି ଲକ୍ଷ୍ୟ ହାସଲରେ ସକ୍ଷମ ହେବେ ବୋଲି ମୋଦି ପ୍ରକାଶ କରିଛନ୍ତି । ଭାରତରେ ସାମର୍ଥ୍ୟ ରହିଛି । ସେହି ସାମର୍ଥ୍ୟର ଭରସାରେ ଆଗକୁ ବଢ଼ିଲେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମୋଦି କହିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏବେ ପଶ୍ଚାତ୍ତାପ କରୁଛି କି ବିଜୁ ଜନତା ଦଳ?

କେଦାର ମିଶ୍ର

ସଂସଦରେ ବିଜେପିର ଯେଉଁ ସହଯୋଗୀ ଦଳଗୁଡିକ ନାଗରିକତା ସଂଶୋଧନ ବିଲ ସପକ୍ଷରେ ଭୋଟ ଦେଇଥିଲେ, ସେଥିରୁ ଅଧିକାଂଶ ଏବେ ନିଜ ନିଜର ମତ ବଦଳାଇବା ଆରମ୍ଭ କଲେଣି। ପ୍ରଥମେ ବିଜେପିର ଅନ୍ୟତମ ପୁରୁଣା ସହଯୋଗୀ ଶିରୋମଣି ଅକାଳୀ ଦଳ ଏହି ଆଇନରେ ନିର୍ୟାତିତ ମୁସଲମାନଙ୍କୁ ମଧ୍ୟ ନାଗରିକତାର ଅଧିକାର ଦିଆ ଯାଉ ବୋଲି ଦାବି କରିଛି। ଆସାମରେ ବିଜେପିର ସହଯୋଗୀ ରହିଥିବା ଆସାମ ଗଣ ପରିଷଦ ସଂସଦରେ ଏହି ବିଲକୁ ସମର୍ଥନ କରିବା ନିଜର ସବୁଠୁ ବଡ ଭୁଲ ଥିଲା ବୋଲି ସ୍ଵୀକାର କରିବା ସହିତ, ଏହି ଆଇନ ବିରୋଧରେ ଏବେ ସୁପ୍ରିମ କୋର୍ଟରେ ଯାଚିକା ଦାଖଲ କରିବ ବୋଲି କହିଛି। ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏହି ଆଇନକୁ ସମର୍ଥନ କରିଥିଲେ ମଧ୍ୟ ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଦଳର ଦୁଇ ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ କୁମାର ବର୍ମା ଏହି ଆଇନ ଅସାମ୍ବିଧାନିକ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ବିଜେପି ଏହି ପ୍ରସଙ୍ଗରେ ଏତେ ଅଧିକ ପ୍ରତିରୋଧ ହେବ ବୋଲି ଆଶା କରୁନଥିଲା ବୋଲି ଶୁଣାଯାଉଛି।

ଏହି ବିଲକୁ ଆଇନରେ ପରିଣତ କରାଇବାରେ ଓଡିଶାର ବିଜୁ ଜନତା ଦଳର ସମର୍ଥନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ନବୀନ ପଟ୍ଟନାୟକଙ୍କ ସମର୍ଥନ ଫଳରେ ଏହି ବିଲ ସହଜରେ ଆଇନରେ ପରିଣତ ହୋଇ ପାରିଲା ବୋଲି ଜାତୀୟ ସ୍ତରରେ ଏକ ବାର୍ତ୍ତା ପ୍ରଚାରିତ ହେଲା। ଏହା ବିଜେଡି ଓ ନବୀନ ପଟ୍ଟନାୟକଙ୍କର ଧର୍ମ ନିରପେକ୍ଷ ଭାବମୂର୍ତ୍ତିକୁ ପ୍ରଭାବିତ କରିଛି ବୋଲି ଦଳ ଏବେ ଅନୁଭବ କରୁଛି। ଜାତୀୟ ସ୍ତରରେ ବିଜେଡ଼ିକୁ ଏଠି ଲାଗି ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ବିଜେଡି ଏ ପ୍ରସଙ୍ଗରେ ବିତର୍କକୁ ଆଡେଇ ଯାଉଥିଲେ ମଧ୍ୟ, ଏହା ଦଳର ଭାବମୂର୍ତ୍ତିକୁ ଅସୁବିଧାରେ ପକାଇଛି। ଗତ ପାଞ୍ଚୋଟି ଯାକ ନିର୍ବାଚନରେ ରାଜ୍ୟର ସଂଖ୍ୟାଲଘୁ ଭୋଟର ନବୀନ ପଟ୍ଟନାୟକଙ୍କ ଉପରେ ଆଖି ବୁଜି ବିଶ୍ଵାସ ପୋଷଣ କରି ଆସିଛନ୍ତି। ଭଦ୍ରଖ, କେନ୍ଦ୍ରାପଡା, ସମ୍ବଲପୁର ଭଳି ଅଞ୍ଚଳରେ ମୁସଲମାନ ଭୋଟର ବିଜେଡି ପ୍ରତି ସବୁବେଳେ ଅନୁରକ୍ତ ରହି ଆସିଛନ୍ତି।

ନାଗରିକତା ସଂଶୋଧନ ଆଇନରେ ମୁସଲମାନଙ୍କ ପ୍ରତି ବାଛ ବିଚାର କରା ଯାଇଥିବାରୁ ଓ ଏହାକୁ ବିଜେଡି ସମର୍ଥନ କରିଥିବାରୁ ରାଜ୍ୟର ସଙ୍ଖ୍ୟାଲଘୁ ଭୋଟର ଆଶଙ୍କିତ ହୋଇ ପଡିଛନ୍ତି। ଏହି ଅଳ୍ପ ସଂଖ୍ୟକ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଲାଗି ଏବେ ନବୀନ ବାବୁ ସେମାନଙ୍କର କେତେଜଣ ବରିଷ୍ଠ ନେତାଙ୍କୁ ଭେଟିଥିଲେ ଓ ରାଜ୍ୟରେ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରାଇ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜାତୀୟ ନାଗରିକ ପଞ୍ଜୀକରଣ ତ ଦୂରର କଥା, ନୂଆ ଭାବେ ସଂଶୋଧିତ ନାଗରିକ ଆଇନରେ ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାରକୁ କ୍ଷୁଣ୍ଣ କରାଯାଇଛି। ଧର୍ମକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଏକ ଆଇନକୁ ବିଜେଡି ସମର୍ଥନ କରିବା କଥାଟିକୁ ଓଡିଶାର ସଂଖ୍ୟାଲଘୁ ସଂପ୍ରଦାୟ କେବଳ ନୁହନ୍ତି, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାରେ ବିଶ୍ଵାସୀ ବିଜେଡ଼ିର ଏକ ବଡ ସମର୍ଥକ ଗୋଷ୍ଠୀ ବିଶ୍ଵା କରି ପାରୁନାହାନ୍ତି। ବିଜେପି ପ୍ରତି ବିଜେଡ଼ିର ଏହି ଅହେତୁକ ସମର୍ଥନ ବିଜେଡ଼ିର ବଡ କ୍ଷତି କରୁଛି ବୋଲି ଦଳ ଅନୁଭବ କରୁଛି।

ଏହି ଆଇନକୁ ଏବେ ସାରା ଦେଶରେ ଯେଉଁ ପ୍ରକାର ବିରୋଧ କରାଯାଉଛି, ସେମିତି ହେବ ବୋଲି ବିଜେଡି ନେତୃତ୍ଵ ଚିନ୍ତା କରି ନଥିଲେ। ପୂର୍ବରୁ ଅନେକ ଅପ୍ରିୟ ପଦକ୍ଷେପ ନେଇ ଲୋକମତକୁ ନିଜ ସପକ୍ଷରେ ରଖିବାକୁ ବିଜେପି ସମର୍ଥ ହେଉଥିଲା। ବିମୁଦ୍ରାକରଣ ଭଳି ଲୋକଙ୍କ ଜୀବନ ଓ ଜୀବିକାକୁ ଧ୍ଵଂସ କରି ପକାଇଥିବା ଏକ ପଦକ୍ଷେପକୁ ମଧ୍ୟ ଲୋକେ ବିରୋଧ କରି ନଥିଲେ। ତେବେ ନାଗରିକତା ସଂଶୋଧନ ଆଇନ ଆସିବା ଫଳରେ ସାରା ଦେଶରେ ଏହାକୁ ନେଇ ଜନମତ ପ୍ରବଳ ହେବା ଆରମ୍ଭ କରିଛି।

ଏହି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନକୁ ଚପାଇଦେବାକୁ ବିଜେପି ସରକାରର ଆକ୍ରାମକ ବ୍ୟବହାର ବିଜେଡ଼ିକୁ ଅଡୁଆରେ ପକାଇଛି। ଏହି ଆଇନ ର ବିରୋଧ କରୁଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭାଷା ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଓଡିଶାରେ ବିଜେଡି ଏ ପ୍ରକାର ରାଜନୀତି କେବେ ମଧ୍ୟ କରିନାହିଁ। ବିରୋଧୀ ରାଜନୀତିକୁ ରାଜ୍ୟ ବିରୋଧୀ ବୋଲି କହିବାର ଉଦାହରଣ ନବୀନଙ୍କ ପାଖରେ ନାହିଁ। ନବୀନଙ୍କ ରାଜନୀତିର ଠିକ ବିପରୀତ ରାଜନୀତି କରୁଥିବା ବିଜେପି ପ୍ରତି ଦଳର ସମର୍ଥନ ଏହାର ନେତା ଓ କ୍ୟାଡରଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ଛାତ୍ର ଓ ସାଧାରଣ ନାଗରିକଙ୍କ ଉପରେ ପୋଲିସ ଜୁଲମକୁ ବିଜେଡି ସମର୍ଥନ କରିବା ମଧ୍ୟ ସମ୍ଭବ ନୁହେଁ।

ଅମିତ ଶାହ ଅତ୍ୟନ୍ତ ଚତୁରତାର ସହ ବିଜେଡ଼ିର ସମର୍ଥନ ହାସଲ କରିବା ସହିତ, ଏହି ଦଳର ଏକ ବଡ ଭୋଟ ଆଧାରକୁ ଦୋହଲାଇ ଦେଇଛନ୍ତି। ସଂଖ୍ୟାଲଘୁ ଭୋଟ ପୂରା ମାତ୍ରାରେ ବିଜେଡି ପାଖକୁ ଆଗକୁ ଯେମିତି ନ ଯାଏ ସେ ବ୍ୟବସ୍ଥା ଅମିତ ଶାହ କରିଛନ୍ତି। ବିଜେଡି ଏକଥା ବୁଝି ମଧ୍ୟ ନ ବୁଝି ପାରିବାର ଛଳନା କରିବାକୁ ଏବେ ବାଧ୍ୟ।

Categories
ଆଜିର ଖବର

ଅଶ୍ଲୀଳ ସାଇଟ୍‌ ନିଷିଦ୍ଧ କରିବା ପାଇଁ ମୋଦିଙ୍କୁ ପତ୍ର ଲେଖିଲେ ନୀତିଶ

ନୂଆଦିଲ୍ଲୀ,17/12 : ବିଭିନ୍ନ ଅଶ୍ଲୀଳ ସାଇଟ୍‌ ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅନ୍‌ଲାଇନ୍‌ରେ ଉପଲବ୍ଧ ସମସ୍ତ ଅଶ୍ଲୀଳ ସାଇଟ୍‌ ଏବଂ ଅପ୍ରୟୋଜନୀୟ ଜିନିଷ ଉପରେ ନିଷିଦ୍ଧାଦେଶ ଲଗାଇବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଦେଶରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ବୃ୍ଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଅଶ୍ଲୀଳ ସାଇଟ୍‌ କାରଣରୁ ଯୁବପିଢିଙ୍କ ମାନସିକତା ବଦଳିବା ସହିତ ଦିନକୁ ଦିନ ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର 6 ତାରିଖରେ ‘ଜଳ ଜୀବନ-ହରିୟାଲୀ ଯାତ୍ରା’ ସମୟରେ କେନ୍ଦ୍ରକୁ ଚିଠି ଲେଖିବା ସମ୍ପର୍କରେ ଘୋଷଣା କରିଥିଲେ । ଏହା ସହିତ ଏକ ନିର୍ଦ୍ଦିଷ୍ଟ ବୟସ ବର୍ଗ ପୂର୍ବରୁ ଏସବୁ ଦେଖିବାର ଅନୁମତି ପ୍ରଦାନ କରାଯିବା ଉଚିତ୍‌ ନୁହେଁ ବୋଲି ନୀତିଶ କହିଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ଏ ଛାତ୍ର ଆନ୍ଦୋଳନର ସବୁ ଶ୍ରେୟ ଆପଣଙ୍କର ପ୍ରଧାନମନ୍ତ୍ରୀ ମହାଶୟ, ସାରା ଦେଶକୁ ଅସ୍ତବ୍ୟସ୍ତ କରିବାର ସାମର୍ଥ୍ୟ କେବଳ ଆପଣଙ୍କର ହିଁ ରହିଛି!!

କେଦାର ମିଶ୍ର

ଆସାମରେ ଏବେ ଇଣ୍ଟରନେଟ ସେବା ନାହିଁ, ତେଣୁ ସେଠିକାର ଖବର ସହଜରେ ଆସୁନାହିଁ। ଏପଟେ ଆଲିଗଡରେ ମଧ୍ୟ ଇଣ୍ଟରନେଟ କାଟି ଦିଆ ଯାଇଛି। ଦେଶର ସବୁ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷର ନିଆଁ ଜଳୁଛି। ଜାମିଆ ମିଲିଆ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସ ଜୁଲମର ପ୍ରତିବାଦରେ ଦେଶର ସବୁ ବିଶ୍ଵ ବିଦ୍ୟାଳୟ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ବମ୍ବେ ବିଶ୍ଵ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଭାଷାରେ- ଯଦି ଦିଲ୍ଲୀରେ ଛାତ୍ରଙ୍କ ଉପରେ ଆକ୍ରମଣ ହୁଏ ତାହେଲେ ମୁମ୍ବାଇ ର ଛାତ୍ରମାନେ ତାର ଜବାବ ଦେବେ। ଯଦି ମୁମ୍ବାଇ ଛାତ୍ରଙ୍କୁ ଚପାଇଦେବ, ତାହେଲେ ତାର ଉତ୍ତର କେରଳ କି କୋଲକତାର ଛାତ୍ର ଦେବେ“ । ସହଜ ଏବଂ ସ୍ଵାଭାବିକ ଭାବରେ ଆରମ୍ଭ ହୋଇଥିବା ଏହି ଛାତ୍ର ଅସନ୍ତୋଷକୁ ପ୍ରଥମେ ଦେଶଦ୍ରୋହୀ ବୋଲି କହିବାର ଚେଷ୍ଟା ବିଜେପି ତରଫରୁ କରାଯାଇଥିଲା। ପୂର୍ବରୁ ଜୱାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଯେମିତି ମିଛ ଭିଡିଓ ଦେଖାଇ ଛାତ୍ରଙ୍କ ବିରୋଧରେ ଅଭିଯୋଗ ଅଣା ଯାଇଥିଲା, ଜାମିଆ ରେ ମଧ୍ୟ ସେହି ଉଦ୍ୟମ ହୋଇଥିଲା। ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଓ ବିଜେପିର ଇଉପିଏ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ମିଛ ଭିଡିଓ ମାଧ୍ୟମରେ ଛାତ୍ରଙ୍କୁ ବଦନାମ କରିବାର ଉଦ୍ୟମ କରିଥିଲେ। ତେବେ ଏହି ଷଡଯନ୍ତ୍ରକୁ ଦେଶର କେତେକ ଦାୟିତ୍ଵବାନ ଗଣମାଧ୍ୟମ ତୁରନ୍ତ ପଦାରେ ପକାଇ ଦେଇଥିଲେ। ଏତେ ବଡ ଛାତ୍ର ଆନ୍ଦୋଳନ ଓ ଏହାର ବ୍ୟାପକତା ଦେଖି, ଏହାକୁ ଦେଶଦ୍ରୋହୀ ବୋଲି କହିବାର ସାହସ ଆଉ ବିଜେପିର ହେଲାନାହିଁ। ହଠାତ ଗତକାଲି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ଆନ୍ଦୋଳନକୁ କଂଗ୍ରେସ ଓ ବିରୋଧୀଙ୍କ ସମର୍ଥନ ରହିଛି ବୋଲି କହିବା ଆରମ୍ଭ କଲେ।

ଯଦି ସତରେ ଏତେ ବଡ ଛାତ୍ର ଆନ୍ଦୋଳନକୁ ସଂଗଠିତ କରିବାର କ୍ଷମତା କଂଗ୍ରେସର ଥାଆନ୍ତା, ତାହେଲେ ତାକୁ କଂଗ୍ରେସର ସାମର୍ଥ୍ୟ ବୋଲି ଆମେ ଭାବନ୍ତୁ। ଆଜିର ତାରିଖରେ କଂଗ୍ରେସ ସବୁଠୁ ଦୁର୍ବଳ ଓ ଅସଂଗଠିତ। ରାଷ୍ଟ୍ରୀୟ ସ୍ତରରେ କୌଣସି ରାଜନୈତିକ ଦଳ ନାହାନ୍ତି, ଯେଉଁମାନେ ଛାତ୍ର ଓ ଯୁବକଙ୍କୁ ସରକାର ବିରୋଧରେ ସଂଗଠିତ କରିପାରିବେ। ଆଜି ସରକାର ବିରୋଧରେ ଏ ଯେଉଁ ବ୍ୟାପକ ଛାତ୍ର ଓ ଯୁବ ଅସନ୍ତୋଷ ଦେଖାଦେଇଛି, ଏହାର ଶ୍ରେୟ କେବଳ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ ବ୍ୟତୀତ ଆଉ କେହି ନେଇ ପାରିବେ ନାହିଁ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜିଦ ଯୋଗୁଁ ନାଗରିକତା ସଂଶୋଧନ ଆଇନକୁ ନେଇ ଏତେ ବଡ ପରିବେଶ ସୃଷ୍ଟି ହେଲା। ଅର୍ଥନୈତିକ ମାନ୍ଦାବସ୍ଥା ଓ  ବ୍ୟାପକ ଭାବରେ ଉତ୍ତର ପ୍ରଦେଶରେ ଘଟି ଚାଲିଥିବା ନାରୀ ନିର୍ୟାତନା ତଥା ଧର୍ଷଣ ବିରୋଧରେ ସୃଷ୍ଟି ହେଉଥିବା ଜନ ଅସନ୍ତୋଷକୁ ଚପାଇ ଦେବାକୁ ନାଗରିକ ସଂଶୋଧନ ଆଇନକୁ ଏକ ଅସ୍ତ୍ର ଭାବରେ ବିଜେପି ସରକାର ବ୍ୟବହାର କରିବାକୁ ଚାହିଁଥିଲେ। ଦୁର୍ଭାଗ୍ୟକ୍ରମେ ସେ ଅସ୍ତ୍ର ଆଜି ବୁମେରାଂ ପାଲଟି ବିଜେପିକୁ ଗୋଡାଉଛି।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭଲଭାବରେ ଜାଣିଥିଲେ ଯେ ଉତ୍ତରପୂର୍ବ ରାଜ୍ୟ ଓ ଦକ୍ଷିଣ ଭାରତରେ ଏହି ଆଇନକୁ ନେଇ ବ୍ୟାପକ ବିରୋଧ ହେବ। ଏହି ଆଇନରେ ଶ୍ରୀଲଙ୍କାରେ ନିର୍ୟାତିତ ହେଉଥିବା ତାମିଲ ହିନ୍ଦୁ ଓ ମିଆଁମାରର ହିନ୍ଦୁ ରୋହିଙ୍ଗିୟା ( ଭକ୍ତମାନେ ବୁଝିବା ଦରକାର ରୋହିଙ୍ଗିୟା କେବଳ ମୁସଲମାନ ନୁହନ୍ତି) ଙ୍କୁ ସାମିଲ କରା ଯାଇନଥିବାରୁ ଏହା ବିପକ୍ଷରେ ଦକ୍ଷିଣ ଭାରତରେ ମଧ୍ୟ ତୀବ୍ର ଅସନ୍ତୋଷ ରହିଛି। ଉତ୍ତରପୂର୍ବ ରାଜ୍ୟ ଗୁଡିକ ନିଜର ଅସ୍ମିତା ଓ ସାଂସ୍କୃତିକ ପରିଚୟକୁ ନେଇ ଚିନ୍ତିତ ଥିବାବେଳେ ଏହି ଆଇନର ପ୍ରଭାବରେ ଯେ ଏକ ଭୟଙ୍କରସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି ହେବାକୁ ଯାଉଛି, ତାକୁ ନେଇ ପ୍ରତ୍ୟେକ ନାଗରିକ ଚିନ୍ତିତ ହେବା ସ୍ଵାଭାବିକ। ତେଣୁ ଏହି ଆଇନକୁ ନେଇ ବିଜେପି ଯେଉଁ ଉତ୍ତେଜନା ସୃଷ୍ଟି କରିବାକୁ ଚାହିଁଥିଲା, ତାହା ବିଜେପି ବିରୋଧରେ ହିଁ ଅସନ୍ତୋଷର କାରଣ ହେଲା।

ଏହି ଅସନ୍ତୋଷ ଓ ହିଂସ୍ର ଆନ୍ଦୋଳନ ଲାଗି କଂଗ୍ରେସ ଦାୟୀ ବୋଲି ବିଜେପିର ଅଭିଯୋଗ ଅତ୍ୟନ୍ତ ହାସ୍ୟାସ୍ପଦ। କଂଗ୍ରେସ ନିଜ ନେତୃତ୍ବକୁ ନେଇ ଆଜି ସଙ୍କଟରେ। ସରକାର ବିରୋଧରେ ଛୋଟିଆ ରାଲି ବା ସଭାଟିଏ କରିବାକୁ କଂଗ୍ରେସ ସମର୍ଥ ହୋଇ ପାରୁନାହିଁ। ସେଥିରେ ଏତେ ବଡ ଆନ୍ଦୋଳନ କଂଗ୍ରେସର ପ୍ରରୋଚନାରେ ଚାଲୁଛି ବୋଲି କହି ପ୍ରଧାନମନ୍ତ୍ରୀ କଂଗ୍ରେସର ଓଜନକୁ  ବେଶ ବଢାଇ ଦେଇଛନ୍ତି। ବିନା ଉଦ୍ୟମରେ ଏହି ଆଂଦୋଳନର ରାଜନୈତିକ ଶ୍ରେୟ କଂଗ୍ରେସ ଓ ବିରୋଧୀଙ୍କ ହାତକୁ ଯାଉଛି। ସେଥିଲାଗି କଂଗ୍ରେସ ଓ ବିରୋଧୀ ନେତାମାନେ ବିଜେପିକୁ ଧନ୍ୟବାଦ ଦେବା ଉଚିତ।

ଛାତ୍ରମାନେ ଯେତେବେଳେ ପୋଲିସ ଜୁଲମର ଶିକାର ହେଉଥିଲେ ସେତେବେଳେ କୌଣସି ରାଜନୈତିକ ଦଳ ସେମାନଙ୍କ ସମର୍ଥନରେ ବାହାରି ନାହାନ୍ତି। ଆଜି ଯେତେବେଳେ ସାରା ଦେଶର ଛାତ୍ର ଏକାଠି ହୋଇ ସରକାର ବିରୋଧରେ ଓ ସମ୍ବିଧାନର ଆଦର୍ଶ ବିରୋଧୀ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦୃଢତାର ସହ ପ୍ରତିବାଦ କରୁଛନ୍ତି, ସେତେବେଳେ ରାଜନୈତିକ ଦଳ ଗୁଡିକ ଏହାକୁ ସମର୍ଥନ କରିବାକୁ ବାଧ୍ୟ ହେଉଛନ୍ତି।

ବିଜେପି ସରକାର ଏହି ଆନ୍ଦୋଳନକୁ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି ଯେତେ କହିଲେ ମଧ୍ୟ ଏହା ଯେ ଆଜି ସବୁଠୁ ବଡ ସରକାର ବିରୋଧୀ ଆଂଦୋଳନର ରୂପ ନେଇଛି, ତାକୁ ମାନିବାକୁ ବାଧ୍ୟ। ଏହି ଆନ୍ଦୋଳନକୁ ଯଦି ଶୀଘ୍ର ପ୍ରଶମିତ କରା  ନଯାଏ ତାହେଲେ ଦେଶର ଅର୍ଥନୀତି ଯେଉଁ ସ୍ଥିତିରେ ଅଛି, ତାହା ଆହୁରି ଭୟଙ୍କର ଅବସ୍ଥାକୁ ଚାଲିଯିବ। ସାମାଜିକ ଶାନ୍ତି ନ ରହିଲେ ଅର୍ଥନୈତିକ ପ୍ରଗତି ସମ୍ଭବ ନୁହେଁ, ଏକଥା ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଯଥାଶୀଘ୍ର ବୁଝିଯିବା ଉଚିତ। ଧାର୍ମିକ ବିଭାଜନ ମାଧ୍ୟମରେ ଭୋଟ ହାତେଇବାର ରାଜନୀତି ହୁଏତ ଥରେ କି ଦୁଇ ଥର ସଫଳ ହୋଇପାରେ, ହେଲେ ଏହା ଚିରସ୍ଥାୟୀ ନୁହେଁ।

ତେଣୁ ଆମର କହିବାର କଥା ହେଉଛି, ପ୍ରଧାନମନ୍ତ୍ରୀ ମହାଶୟ! ସରକାର ବିରୋଧୀ ଏ ବିରାଟ ଛାତ୍ର ଆନ୍ଦୋଳନ ପାଇଁ ଆପଣ ହିଁ ଏକମାତ୍ର ଦାୟୀ। ଏଥିରେ କଂଗ୍ରେସକୁ ଶ୍ରେୟ ଦେଇ ଆପଣଙ୍କୁ କିଛି ମିଳିବାର ନାହିଁ।

Categories
ଆଜିର ଖବର

2002 ଗୁଜରାଟ ଦଙ୍ଗା : ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,11/12: 2002 ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । ବୁଧବାର ନାନାବତୀ-ମେହେଟ୍ଟା କମିଶନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ମୋଦିଙ୍କୁ କ୍ଲିନ୍‌ଚିଟ୍‌ ପ୍ରଦାନ କରାଯାଇଛି । କମିଶନଙ୍କ ପକ୍ଷରୁ ଟ୍ରେନ୍‌ ପୋଡିକୁ ପୂର୍ବ ନିର୍ଦ୍ଧାରିତ ଦର୍ଶା ଯାଇଥିବା ବେଳେ ଦଙ୍ଗା ସ୍ବତଃସ୍ଫୂର୍ତ୍ତ ଭାବରେ ଘଟିଥିଲା । ଦଙ୍ଗା ହେବାରେ କିମ୍ବା ଏହାକୁ ବଢାଇବାରେ ସରକାରଙ୍କ କୌଣସି ସମ୍ପର୍କ ନଥିଲା ବୋଲି କମିଶନ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ବୁଧବାର ଗୁଜରାଟ ବିଧାନସଭାରେ ଏହି ତଥ୍ୟ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, 2002 ମସିହାରେ କରସେବକଙ୍କୁ ନେଇ ଯାଉଥିବା ଟ୍ରେନ୍‌ର ଏସ-6 କୋଚ୍‌ରେ ନିଆଁ ଲଗାଯିବାରୁ 59 କରସେବକଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଦଙ୍ଗା ଘଟି 1044 ଜଣଙ୍କର ପ୍ରାଣହାନି ଘଟିବା ସହିତ 25ଶହ ଆହତ ଏବଂ 225 ଜଣ ନିଖୋଜ ହୋଇଥିଲେ । ମୃତକଙ୍କ ମଧ୍ୟରେ 790 ଜଣ ମୁସଲିମ ରହିଥିବା ବେଳେ 290 ଜଣ ହିନ୍ଦୁ ରହିଥିଲେ । (ଏଜେନ୍ସୀ)

Categories
ବିଶେଷ ଖବର

ବିଜେଡି ବିଜେପି ଭାଇ ଭାଇ ,ହେଲେ ବିରୋଧୀ ହେବାର ଏ ନାଟକ କାହା ପାଇଁ?

ସମୀକ୍ଷା ବ୍ୟୁରୋ

୨୦୦୭-୦୮ କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ କରନ ଥାପରଙ୍କୁ ଏକ ସାକ୍ଷାତ୍କାର ଦେଇ କହିଥିଲେ ଯେ- ତାଙ୍କର ଧର୍ମ ନିରପେକ୍ଷ ଚରିତ୍ର ଉପରେ କେହି ବି ଆଙ୍ଗୁଳି ଉଠାଇ ପାରିବେ ନାହିଁ, କାରଣ ତାଙ୍କର ହାଡେ ହାଡେ ଧର୍ମନିରପେକ୍ଷତାର ବିଚାର ରହିଛି। ନିଜ କଥା ପ୍ରମାଣିତ କରିବାକୁ ଯାଇ ନବୀନ ୯ ବର୍ଷ ଧରି ରହିଥିବା ବିଜେପି ସହିତ ବିଜେଡ଼ିର ସମ୍ପର୍କ ତୁଟାଇ ଦେଇଥିଲେ। ୨୦୦୯ ନିର୍ବାଚନ ବିଜେଡି ଏକାକୀ ଲଢିଲା ଓ ବେଶ ଭଲ ଭାବରେ ଜିତିଲା। ୨୦୦୯, ୨୦୧୪ଓ ୨୦୧୯ ନିର୍ବାଚନରେ ଏକାକୀ ନିର୍ବାଚନ ଲଢି ବିଜେଡି ୧୦୦ ରୁ ଅଧିକ ଆସନ ପାଇ ଆସୁଛି। ୨୦୦୯ ପରଠୁ ବିଜେପି ସହିତ ବିଜେଡିର ମତଭେଦ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ବାଚନୀ ରାଜନୀତିରେ ଉଭୟ ପରଷ୍ପର ର ଶତ୍ରୁ ଭଳି ରହିଛନ୍ତି। ୨୦୧୯ ନିର୍ବାଚନପ୍ରଚାର ସମୟରେ ମଧ୍ୟ ନବୀନ ବାବୁ ବିଜେପି ର ସାମ୍ପ୍ରଦାୟିକ ଚରିତ୍ରକୁ ନେଇ ସମାଲୋଚନା କରିଥିଲେ। ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେସାଇଙ୍କୁ ସାକ୍ଷତକାର ଦେଇ ନବୀନ ବାବୁ କହିଥିଲେ ଯେ ବିଜେପିର ଉଗ୍ର ସାମ୍ପ୍ରଦାୟିକ ଚରିତ୍ର କାରଣରୁ ତାଙ୍କ ସହ ସହଯୋଗ କରିବା ବିଜେଡି ପକ୍ଷରେ ସମ୍ଭବ ନୁହେଁ।

ହଠାତ ନିର୍ବାଚନ ସରିବା ପରେ ନବୀନ ବାବୁ ଓ ତାଙ୍କ ବିଜେଡି ଦଳ ବିଜେପିର ସାମ୍ପ୍ରଦାୟିକ ଚରିତ୍ର କଥା ଭୁଲିଗଲେ ଓ ନିଃସର୍ତ୍ତରେ ବିଜେପିର ସବୁଠୁ ବିଶ୍ଵସ୍ତ ସହଯୋଗୀ ହୋଇ ପଡିଲେ। ଯଦିଓ ବିଜେଡି ସମର୍ଥନ ବିଜେପି ପାଇଁ ସେତେ ଗୁରୁତ୍ୱପୂର୍ଣ୍ଣ ନଥିଲା, ତେବେ ସଂସଦରେ ବିଭିନ୍ନ ବିଲ ଗୃହୀତ କରାଇବା ଲାଗି ବିଜେଡି ସମର୍ଥନ ବିଜେପି ଲାଗି ଅତ୍ୟନ୍ତ ଜରୁରୀ ଥିଲା। ରାଜ୍ୟର ବିଧାନସଭା ନିର୍ବାଚନ ଗଣିତକୁ ଦେଖିଲେ, ବିଜେଡ଼ିକୁ ସାମ୍ନା କରିବାର ସ୍ଥିତି ବିଜେପି ପାଖରେ ନାହିଁ। ପ୍ରଚଣ୍ଡ ସଂଖ୍ୟାମତ ଓ ଲୋକ ବିଶ୍ଵାସସତ୍ତ୍ଵେ ବିଜେପି ପାଖରେ ବିଜେଡି ଆତ୍ମ ସମର୍ପଣ କରିଚାଲିଛି କାହିଁକି?ତିନୋଟି ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପରେ ଓ ସାରାଦେଶରେ ପ୍ରବାହିତ ହେଉଥବା ପ୍ରବଳ ମୋଦୀ ହାୱାକୁ ପରାହତ କଲା ପରେ ବିଜେପି ପାଖରେ ଏ ଆତ୍ମ ସମର୍ପଣ ପଛର ରହସ୍ୟକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ସଙ୍ଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ଵୟ କଥା ଆଜି ବିଜେଡି କହୁଛି। ତେବେ ୨୦୧୯ ପର୍ୟନ୍ତ ବିଜେଡ଼ିର ନିଜସ୍ଵ ସ୍ଲୋଗାନ ଥିଲା “କେନ୍ଦ୍ର ଅବହେଳା”। ୨୦୧୯ ନିର୍ବାଚନ ଆଗରୁ ନବୀନ ବାବୁ ରାଜ୍ୟ ପାଇଁ ଆର୍ଥିକ ସ୍ଵାୟତ୍ତତାର କଥା ମଧ୍ୟ ଉଠାଇଥିଲେ। ବାସ୍ତବତା ଦୃଷ୍ଟିରୁ ଦେଖିଲେ ନରେନ୍ଦ୍ର ମୋଦୀ- ଅମିତ ଶାହାଙ୍କ ତୀବ୍ର ବିରୋଧ ସତ୍ତ୍ୱେ ପ୍ରବଳ ଜନ ସମର୍ଥନ ପାଇଥିବା ନବୀନ ପଟ୍ଟନାୟକ ଆଜି ହଠାତ ମୋଦୀ-ଶାହାଙ୍କ ସବୁକଥାରେ ହଁ ମାରିବା ଅନେକଙ୍କୁ ଚକିତ କରିଛି।

ବିଜେଡି ରାଜ୍ୟର ସ୍ଵାର୍ଥ ଲାଗି କେନ୍ଦ୍ର ସହ ସହଯୋଗ କରୁଛି ବୋଲି ଯେଉଁ ଯୁକ୍ତି କରୁଛି, ତାହା ପଛରେ ସେମିତି କିଛି ଟାଣୁଆ ଯୁକ୍ତି ମଧ୍ୟ ନାହିଁ। କାଶ୍ମୀର ପ୍ରସଙ୍ଗ ହେଉ କି ଧର୍ମ ଆଧାରିତ ନାଗରିକ ସଂଶୋଧନ ବିଲ, ଏ ଦୁଇଟି ଯାକ ଆଇନ ବିଜେଡ଼ିର ଆଦର୍ଶ ପରିପନ୍ଥୀ। ବିଜୁ ପଟ୍ଟନାୟକଙ୍କ ରାଜନୀତିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଚାର ଥିଲା ଧର୍ମ ନିରପେକ୍ଷତା। ନିଜ ଜୀବନ କାଳରେ ବିଜେପିକୁ ସାମ୍ପ୍ରଦାୟିକ କହି ସେ ଏହି ଦଳ ସହିତ କୌଣସି ବୁଝାମଣାକୁ ଅସ୍ଵୀକାର କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଗଠିତ ଦଳପ୍ରଥମେ ବିଜେପି ବୁଝାମଣା କରି ଦୁଇଥର ସରକାର ଗଢିଥିଲା। ତେବେ ଅଣ କଂଗ୍ରେସ ରାଜନୀତିର ଆବଶ୍ୟକତା ଦୃଷ୍ଟିରୁ ସେତେବେଳେ ଏହା ଏକ ବାସ୍ତବାଭିମୁଖୀ ପଦକ୍ଷେପ ଥିଲା ବୋଲି କୁହାଯାଇପାରେ।

ଆଜି ନବୀନଙ୍କ ନିଜ ରାଜନୈତିକ ପତିଆରା ଅତ୍ୟନ୍ତ ଦୃଢ ଓ ଓଡିଶାର ଜନମାନସରେ ତାଙ୍କ ବିରୋଧରେ ସେମିତି କୌଣସି ଅସନ୍ତୋଷ ନାହିଁ। ଗତ ନିର୍ବାଚନରେ ବିଜେପି ବିରୋଧରେ ହିଁ ନବୀନ ଜିତିଛନ୍ତି। ତେବେ ଏହି ବିପୁଳ ବିଜୟକୁ ସେ ବିଜେପି ପାଖରେ ସମର୍ପି ଦେବାର କାରଣ କଣ? ଧର୍ମ ଆଧାରରେ ନାଗରିକ ସଂଶୋଧନ ବିଲ ଅଣା ଯାଇଥିବାରୁ ଏହା ଦେଶର ସାମ୍ବିଧାନିକ ମୂଳ ଆଦର୍ଶ ବିରୋଧୀ। ନିଜକୁ ଧର୍ମ ନିରପେକ୍ଷ ଆଦର୍ଶ ଓ ଗାନ୍ଧୀବାଦର ଉତ୍ତରାଧିକାରୀ ବୋଲି କହୁଥିବା ଏହି ବିଲକୁ ନିଃସର୍ତ୍ତ ସମର୍ଥନ ଦେବାର କି କାରଣ ରହିଛି?

ବିଜେପି ସଂଘ ପରିବାରର ବିଚାରକୁ ନିଜର ନୂଆ ବିଚାର ଭାବେ ଗ୍ରହଣ କରିଛି କି? କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ବିଜେପି ସାଂସଦମାନେ ଯେଉଁ ଭାଷଣ ଦେଇଛନ୍ତି, ତାହା ସଂଘ ବିଚାରର ସମର୍ଥନ କରୁଛି। ତେଣୁ ବିଜେଡି ନିଜକୁ ଆଉ ଧର୍ମ ନିରପେକ୍ଷ ଆଦର୍ଶର ପ୍ରତିନିଧି ବୋଲି କହିବା ହାସ୍ୟାସ୍ପଦ ମନେହେବ। ବିଜେପି ଓଡିଶାରେ ପରାଜିତ ହୋଇ ମଧ୍ୟ ଆଜି ଓଡିଶାର ବିପୁଳ ସମର୍ଥନ ପାଉଛି, ତାର ଏକମାତ୍ର କାରଣ ହେଉଛି, ବିଜେପି ବିରୋଧୀ ଜନମତ ସହ ବିଜେଡି ବିଶ୍ଵାସଘାତକତା କରିଛି। ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିଜେପିର ପ୍ରଚଣ୍ଡ ଆକ୍ରମଣରୁ ସୁରକ୍ଷା ଦେଇ ନିଜର ନେତା ବାଛିଥିଲେ ସେମାନେ ଆଜି ଠକି ଯାଇଥିବାର ଅନୁଭବ କରିବାକୁ ବାଧ୍ୟ।

Categories
ବିଶେଷ ଖବର

ଆସନ୍ତୁ, ଆଉଥରେ ଲାଇନରେ ଠିଆ ହୋଇ ପ୍ରମାଣ କରନ୍ତୁ ଯେ ଆପଣ ଭାରତର ନାଗରିକ!

ରଙ୍ଗାଚରଣ ପ୍ରଧାନ

ଦୌଡନ୍ତୁ। ଯେତେ ପାରୁଛନ୍ତି ଦୌଡନ୍ତୁ। ଦେଶ ପାଇଁ ଦୌଡନ୍ତୁ। ଜାତି ପାଇଁ ଦୌଡନ୍ତୁ। ଅମୁକ ଦିବସ ପାଇଁ ଦୌଡନ୍ତୁ। ସମୁକ ଦିବସ ପାଇଁ ଦୌଡନ୍ତୁ। ପାନ୍ କାର୍ଡ ପାଇଁ ଦୌଡନ୍ତୁ। ଆଧାର କାର୍ଡ ପାଇଁ ଦୌଡନ୍ତୁ। ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଦୌଡନ୍ତୁ। ବ୍ୟାଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଦୌଡନ୍ତୁ। ବିମୁଦ୍ରିକରଣବେଳେ ଅଚଳ ନୋଟ୍ ବଦଳପାଇଁ ଆପଣ ବ୍ୟାଙ୍କକୁ ଦୌଡିଛନ୍ତି। ଏଟିଏମ୍ ଆଗରେ ଲମ୍ବା ଧାଡିରେ ଠିଆ ହେବା ପାଇଁ ଦୌଡିଛନ୍ତି। ଏବେ ଲର୍ଣର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ବି ସେମିତି ଦଉଡୁଛନ୍ତି।

ଦୌଡିବା ଶରୀର  ପାଇଁ  ଭଲ। କିନ୍ତୁ ସରକାର ଆମକୁ କେଉଁ ଭଲ ପାଇଁ ଦୌଡାଉଛନ୍ତି? ସରକାରଙ୍କ କହିବାରେ କଳାଧନ ଧରିବା ପାଇଁ ନୋଟବନ୍ଦୀରେ ଲୋକେ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମାତ୍ର କଳାଧନ ମିଳିଲା ନାହିଁ। ସରକାର କାହିଁକି ଲୋକଙ୍କୁ ଏତେଥର ଗଣୁଛନ୍ତି ? କ’ଣ ବାଣ୍ଟିବେ ? ଏବେ ତ ସରକାରଙ୍କର ବିକାଶ ଦର ବି ଦୌଡିବାକୁ ମନା କରି ଦେଲାଣି।

ଏଥର ଆପଣ ପୁଣି ଥରେ ଦୌଡିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ଏଥର ଦୌଡିବେ ଏନ୍.ଆର୍.ସିରେ ନାଁ ପଞ୍ଜିକରଣ ପାଇଁ। ନଚେତ୍ ଆପଣ ଆଉ ଦେଶର ନାଗରିକ ହୋଇ ରହିବେ ନାହିଁ।  କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନୂଆ ‘ନାଗରିକ ସଂଶୋଧନ  ବିଲ୍’ ଗ୍ରହଣ କରିଛନ୍ତି। ସଂସଦର ଚଳିତ ଅଧିବେଶନରେ ଏହା ହୁଏତ ପାଶ୍ ହୋଇଯିବ। କେଉଁ କେଉଁ ସର୍ତ୍ତ ପୂରଣ ନ କଲେ କିମ୍ବା କେଉଁ ଦସ୍ତାବିଜ୍ ନ ଦେଖାଇପାରିଲେ ଆପଣ ନାଗରିକତ୍ବ ହରାଇବେ ଓ ସେ ବିଷୟରେ ଏହି ବିଲ୍ ରେ କ’ଣ ଲେଖା ଅଛି ତାହା ଏ ପର୍ଯ୍ୟନ୍ତ ଗୁପ୍ତ ଅଛି। ତେବେ ଏତିକି ଜଣା ଅଛି ଯେ ସରକାର ଚାହୁଁଛନ୍ତି  ଦେଶରେ ଅଶୁଦ୍ଧ ନାଗରିକଙ୍କ ସଂଖ୍ୟା କେତେ ତାହା ଜାଣି ସେମାନଙ୍କୁ ଦେଶ ବାହାରକୁ ପଠାଯିବ କିମ୍ବା ଅବରୁଦ୍ଧ ଶିବିରରେ ରଖାଯିବ ଓ ସେଠାରେ ସେମାନଙ୍କୁ ହୁଏତ ଦ୍ବିତୀୟ ଶ୍ରେଣୀର ନାଗରିକ ବୋଲି ଧରାଯିବ ଏବଂ ପୂର୍ଣ ନାଗରିକ ଉପଭୋଗ କରୁଥିବା ସମସ୍ତ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯିବ। ତେବେ କାହାକୁ ଅଶୁଦ୍ଧ ନାଗରିକ କୁହାଯିବ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୄହମନ୍ତ୍ରୀ ଅମିତ ଶାହ ବିଭିନ୍ନ ନିର୍ବାଚନୀ ସଭାରେ ସେ ବିଷୟରେ କହି ସେମାନଙ୍କର ଉଦ୍ଦେଶ୍ୟ ପରିଷ୍କାର କରି ସାରିଛନ୍ତି।

ସେମାନଙ୍କ ଭାଷଣ ଅନୁଯାୟୀ ଭାରତ ବାହାରୁ ଯେଉଁମାନେ ବେଆଇନ୍ ଭାବେ ଆସି ଦେଶରେ ରହିଛନ୍ତି କିମ୍ବା ଯେଉଁମାନେ ଭିସାର ଅବଧି ସରିଯାଇଥିଲେ ମଧ୍ୟ ନିଜ ଦେଶକୁ ଫେରିନାହାନ୍ତି  ସେମାନଙ୍କୁ ମଧ୍ୟ ଏଣିକି ଭାରତର ନାଗରିକତା ପ୍ରଦାନ କରାଯିବ ବା ସେମାନେ ହେବେ ଶୁଦ୍ଧ ନାଗରିକ। କିନ୍ତୁ ଏଥିରେ ଯେଉଁ ଗୋଟିଏ  ସର୍ତ୍ତ ଅଛି ତାହା ହେଉଛି  ସେମାନେ ମୁସଲମାନ ହୋଇ ନଥିବେ। ଯଦି ମୁସଲମାନ ହୋଇଥିବେ ତେବେ ଅମିତ୍ ଶାହଙ୍କ ଭାଷାରେ ସେମାନେ ହେଉଛନ୍ତି ଘୁଷପେଠି।  ଧର୍ମୀୟ ବାଛବିଚାର ଆଧାରରେ ଏପରି ଏକ ତ୍ରୁଟିପୁର୍ଣ ଓ ଅଭିସନ୍ଧିମୁଳକ ଆଇନ୍ ସମ୍ବିଧାନର ମୂଳ ଆଧାରର ପରିପନ୍ଥି ହେବ କି ନାହିଁ  କିମ୍ବା ସୁପ୍ରିମ୍ କୋର୍ଟଙ୍କ ତନଖିରେ ତାହା ତିଷ୍ଠି ପାରିବ କି ନାହିଁ ତାହା ଏକ ବିରାଟ ସନ୍ଦେହ ସୄଷ୍ଟି କରୁଛି। କିନ୍ତୁ ବର୍ତ୍ତମାନର ସରକାର ଏପରି  ଆବଶ୍ୟକତାକୁ କେବେ ଭୄକ୍ଷେପ  କରିଛି ଯେ ଏବେ ଆମେ ତାହା ତାଙ୍କଠାରୁ ଆଶା କରିବା ?

ଏହି ପ୍ରକ୍ରୀୟାର ପରୀକ୍ଷଣ ଆସାମରେ ହୋଇସାରିଛି। ଅବଶ୍ୟ ଆସାମରେ ଏନ୍.ଆର୍.ସି ଲାଗୁହେବାର ଏକ ଐତିହାସିକ ପୄଷ୍ଟଭୂମି  ରହିଛି। ସତୁରି ଦଶକର ଶେଷରେ ବେଆଇନ୍ ଭାବରେ ରହୁଥିବା ବଙ୍ଗଳାଦେଶୀଙ୍କୁ ବହିଷ୍କାର କରିବା ପାଇଁ ସେଠାରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ତାହାରି ମୁତାବକ ୧୯୭୧ ମସିହା ପରଠାରୁ ଯେଉଁ ବିଦେଶୀ ନାଗରିକ ଭାରତରେ ପଶି ଆସିଛନ୍ତି ଚିହ୍ନଟ କରିସାରିବା ପରେ  ସେମାନଙ୍କୁ ବାଦ୍ ଦେଇ ଏକ ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ଏହି ଚୁକ୍ତିରେ ଧର୍ମୀୟ ବାଛବିଚାର କଥା ନଥିଲା। ଏହାକୁ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ ବା ଏନ୍.ଆର୍.ସି କୁହାଗଲା। ଏହି ପ୍ରକ୍ରୀୟା ଦୀର୍ଘ ୩୫ ବର୍ଷ ଚାଲିବା ପରେ ଚଳିତ ବର୍ଷ ଯେତେବେଳେ ଏମିତି ଏକ ରେଜିଷ୍ଟର ପ୍ରସ୍ତୁତ ହେଲା ସେତେବେଳେ ଦେଖାଗଲା ଆସାମରେ ରହୁଥିବା ୪୦ ଲକ୍ଷ ଲୋକ ନାଗରିକ ରେଜିଷ୍ଟରରୁ ବାଦ୍ ପଡିଛନ୍ତି। ମାତ୍ର ସେଥିରେ ଅନେକ ତ୍ରୁଟି ଥିବାର ମନେହେବାରୁ ରେଜିଷ୍ଟରରେ ସଂଶୋଧନ ହେଲା। ସଂଶୋଧନ ପରେ  ଏହି ସଂଖ୍ୟା ହ୍ରାସ ପାଇ ୧୯ ଲକ୍ଷରେ ପହଞ୍ଚିଲା। ତଥାପି ଏହି ସଂଖ୍ୟାରେ  କେନ୍ଦ୍ରର ବିଜେପି ସରକାର, ଆସାମର ବିଜେପି ରାଜ୍ୟ ସରକାର ଓ ଆନ୍ଦୋଳନକାରୀ  ସନ୍ତୁଷ୍ଟ ହୋଇପାରି ନାହାନ୍ତି। ସେମାନଙ୍କର ଆଶଙ୍କା ଯେ ଏହି ୧୯ ଲକ୍ଷ ଲୋକଙ୍କ ମଧ୍ଯରେ ଅନେକ ହିନ୍ଦୁ ରହି ଯାଇଛନ୍ତି ଓ ଏଥିରେ ଯଥେଷ୍ଟ ସଂଖ୍ୟକ ମୁସଲମାନ ନାହାନ୍ତି। ନୂଆ ‘ନାଗରିକ  ସଂଶୋଧନ ବିଲ୍’ ଭିତ୍ତିରେ ପୁଣି ଥରେ ଏହି ରେଜିଷ୍ଟରକୁ ସଂଶୋଧନ କରାଗଲେ ସେଥିରେ  ଆଉ ମାତ୍ର ଦୁଇରୁ ତିନି ଲକ୍ଷ ଲୋକ ରହିବେ ବୋଲି ଅନୁମାନ କରାଯାଉଛି।

ଏଥିରୁ ପରିଷ୍କାର ହେଉଛି ଯେ ସରକାରଙ୍କର ଉଦ୍ଦେଶ୍ଯ ସବୁ ଅନୁପ୍ରବେଶକାରୀଙ୍କୁ ତଡିବା ନୂହେଁ, ବରଂ କେବଳ ମୁସଲମାନ ଅନୁପ୍ରବେଶକାରୀଙ୍କୁ ତଡିବା। ବର୍ତମାନ କେନ୍ଦ୍ର ସରକାର ଏହି ଆଧାରରେ ପୁରା ଦେଶ ପାଇଁ ଜାତୀୟ ନାଗରିକତା ରେଜିଷ୍ଟର ଲାଗୁ କରିବା କଥା କହୁଛନ୍ତି। ଅବଶ୍ୟ ନିକଟରେ ପଶ୍ଚିମବଙ୍ଗରେ  ତିନୋଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ  ଭୋଟ ଧୄବିକରଣର ଏହି କୌଶଳ କାମ ଦେଲାନାହିଁ ଓ ବିଜେପି ତିନୋଟି ଯାକ ଆସନରେ ହାରିଲା। ଅର୍ଥାତ ଜନତା ଏହି ପ୍ରସ୍ତାବକୁ ଗ୍ରହଣ କରିପାରି ନାହାନ୍ତି।

ତଥାପି ବିଜେପି ସାରା ଦେଶରେ ଏନ୍.ଆର୍.ସି ଲାଗୁକରିବା ପାଇଁ ତାହାର ଜିଦ୍ ରେ ଅଟଳ ଅଛି। ବର୍ତ୍ତମାନ ଚାଲୁଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ବିଜେପି ଏହାକୁ ଏକ ବଡ ପ୍ରସଙ୍ଗ କରୁଥିବାର ଦେଖାଯାଉଛି। ସେମାନେ କହିବା କଥା ହେଲା ଯେ ଭାରତରେ ବହୁ ସଂଖ୍ୟକ ବିଦେଶୀ ଘୁଷପେଠି ରହିଥିବାରୁ ଭାରତର ବିକାଶର ଲାଭରେ ସେମାନେ ଦିମକ୍ ବା ରକ୍ତଶୋଷଣକାରୀ କୀଟ ଭଳି କାମ କରୁଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା କେତେ ସେ ବିଷୟରେ ହେଉଥିବା ବିଭିନ୍ନ ଦାବୀର କୌଣସି ଆଧାର ସେମାନେ ଦେଇ ପାରୁ ନାହାନ୍ତି। ଗତ ଦୁଇବର୍ଷରେ ପାର୍ଲିଆମେଣ୍ଟରେ ୭ ଥର ଏହି ପ୍ରଶ୍ନ ଉଠିଥିଲେ ମଧ୍ୟ ସରକାର ଏହାର ଏକ ଆକଳନ ମଧ୍ୟ ଦେବାକୁ ସମର୍ଥ ହୋଇନାହାନ୍ତି। ନୋଟବନ୍ଦୀବେଳେ ଯେମିତି ଏକ ଧାରଣା ଦିଆଯାଇଥିଲା ଯେ ପ୍ରାୟ ୨/୩ ଲକ୍ଷ କୋଟିର କଳାଟଙ୍କା ଅର୍ଥନୀତିରୁ ବାହାର ହୋଇଯିବ, ବର୍ତମାନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବିଷୟରେ ମଧ୍ୟ ବିନା କୌଣସି ଆଧାରରେ ସେମିତି ଏକ ଧାରଣାର ପ୍ରୋପାଗଣ୍ଡା ଚାଲିଛି।

ପ୍ରାୟ ୩.୨ କୋଟି ଆସାମବାସୀଙ୍କ ଉପରେ ଏନ୍.ଆର୍.ସିର ପ୍ରୟୋଗ କାମରେ ୫୫ ହଜାର ସରକାରୀ କର୍ମଚାରୀଙ୍କୁ ଲଗାଯାଇଥିଲା ଏବଂ ଏଥିରେ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାପରେ ମାତ୍ର ୩୦୦୦ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବା ପାଇଁ ୨.୫ ହେକ୍ଟର ଜମି ଉପରେ ପ୍ରଥମ ଅବରୁଦ୍ଧ ଶିବିର ତିଆରିରେ ସରକାର ୪୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପୁରା ଆସାମରେ ଚିହ୍ନଟ ଅନୁପ୍ରବେଶକାରୀଙ୍କ ପାଇଁ ଶିବିର ତିଆରିରେ ପ୍ରାୟ ୨୭୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶରେ ବର୍ତ୍ତମାନ ପ୍ରାୟ ୧୪୦୦ ଟି ଜେଲ୍ ଅଛି ଯେଉଁଠାରେ ପ୍ରାୟ ସାଢେ ୩ ଲକ୍ଷ ବନ୍ଦୀ ଅଛି। ପୁରା ଦେଶରେ ଏନ୍.ଆର୍.ସି ଲାଗୁକରିବା ଓ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବାରେ  କେତେ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ତାହାର ଏବେ କଳନା କରିବା କଷ୍ଟକର। ଏହା ବାଦ୍ ବର୍ଷ ପରେ ବର୍ଷ ସେହି ଶିବିରଗୁଡିକର ପରିଚାଳନା, ସେଠାରେ ରହିବାକୁ ଥିବା ଚିହ୍ନଟମାନଙ୍କୁ ଖାଦ୍ୟବସ୍ତ୍ର ଯୋଗାଇବା ଖର୍ଚ୍ଚ ବି ରହିଛି।

ବଙ୍ଗଳାଦେଶ ବାରମ୍ବାର ପରିଷ୍କାର ଭାବେ ଜଣାଇଦେଇଛି ଯେ ସେମାନେ ସେହି ଲୋକମାନଙ୍କୁ ନିଜ ଦେଶରେ ପୁରାଇବେ ନାହିଁ। ତା’ଛଡା ନିକଟରେ ବଙ୍ଗଳା ଦେଶର ଜଣେ ସରକାରୀ ଉଚ୍ଚ ଅଧିକାରୀ ଏହି ପ୍ରସ୍ତାବକୁ ହସରେ ଉଡାଇ କହିଛନ୍ତି ଯେ ବଙ୍ଗଳାଦେଶର ଅର୍ଥନୀତି ଭାରତଠାରୁ ବହୁ ଉନ୍ନତ ଥିବାରୁ ତାଙ୍କ ଦେଶ ଛାଡି କେହି ଭାରତକୁ  ଆସିଥିବାର ସମ୍ବାବନା ନାହିଁ। ଏକଥା ବି ସତ ଯେ ବଙ୍ଗଳା ଦେଶର ଜିଡିପି ଦର ଏବଂ ଅନ୍ୟ ସମସ୍ତ ସାମାଜିକ ସୁଚକାଙ୍କ ଭାରତଠାରୁ ଆଗରେ ଅଛି।

କିନ୍ତୁ ସାମାଜିକ ଓ ଅର୍ଥନୈତିକ ପ୍ରଗତି ବା ଜିଡିପି ଦର ବିଷୟରେ ଭାରତର ବର୍ତମାନର ଶାସକଗୋଷ୍ଠି ଚିନ୍ତିତ ଅଛନ୍ତି ବୋଲି କିଏ କହୁଛି ? ଯଦି ସରକାରଙ୍କ ନିଜ ତଥ୍ୟ ବି ଏକ ବିକଟ ଅର୍ଥନୀତି ବା ମାନ୍ଦାବସ୍ଥା ବିଷୟରେ ସୁଚନା ଦେଉଛି ସରକାର ତାକୁ ପ୍ରଥମେ ଲୁଚାଉଛନ୍ତି ଓ ପରେ ଅସ୍ବୀକାର କରୁଛନ୍ତି। ସରକାରଙ୍କ ପାଇଁ ତଥ୍ୟ ଓ ସମ୍ବିଧାନର କିଛି ମୂଲ୍ୟ ନାହିଁ। ସେମାନଙ୍କର ଆଧାରହୀନ ଧାରଣା ଓ କରାଗତ ପ୍ରଚାରତନ୍ତ୍ର ହିଁ ସେମାନଙ୍କ ପାଇଁ ସବୁକିଛି। ଏହି ବିଭାଜନକାରୀ  ଓ ସମାଜରେ  ବିଦ୍ବେଷସୄଷ୍ଟିକାରୀ ଧାରଣା ଦ୍ବାରା ଭୋଟରଙ୍କ ଧୄବିକରଣ ହୋଇ ସେଥିରୁ ଯଦି ନିର୍ବାଚନୀ ଫାଇଦା  ଗୋଟାଇ ହେଉଛି ଏବଂ ସେମାନଙ୍କ ବ୍ରାଣ୍ଡର ପରିକଳ୍ପିତ ହିନ୍ଦୁରାଷ୍ଟର ଗଠନ ହେଉଛି ତେବେ ସରକାର ସେଥିରେ ସନ୍ତୁଷ୍ଟ।

କିନ୍ତୁ ଦେଶୀୟ ଓ ବିଦେଶୀ ପୁଞ୍ଜିନିବେଶକାରୀ ଯେ ଏହି ବ୍ୟାଘାତ ସୄଷ୍ଟିକାରୀ ବାତାବରଣରେ ପୁଞ୍ଜିନିବେଶ କରିବେ ଓ ଦେଶରେ ରୋଜଗାର ସୄଷ୍ଟି ହେବ ସେ ଆଶା ନାହିଁ। ଅତୀତର ଅଭିଜ୍ଞତା ଭଳି ଏହାକୁ ମଧ୍ୟ ଆଉ ଏକ ଦେଶଭକ୍ତି ଯଜ୍ଞର ନାମ ଦେଇ ଦିଆଯାଇପାରେ। ଏହି ପ୍ରକ୍ରୀୟା ଆରମ୍ଭରୁ ସମସ୍ତଙ୍କୁ କୁହାଯିବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ସେମାନେ ନାଗରିକ ବୋଲି ପ୍ରମାଣ କରିବା ପାଇଁ ସେମାନଙ୍କୁ ପ୍ରମାଣ ନଥି ଧରି ଏନ୍.ଆର୍.ସି କେନ୍ଦ୍ରକୁ ଦଉଡିବାକୁ ପଡିବ। ସେ ଆଦିବାସୀ ହେଉ କି ବିସ୍ଥାପିତ ହେଉ, ଶିକ୍ଷିତ ହେଉ କି ଗ୍ରାମାଞ୍ଚଳର ଅଶିକ୍ଷିତ ମୁଲିଆ ହେଉ ସମସ୍ତଙ୍କୁ ନଥି ପ୍ରମାଣ ଯୋଗାଡ କରି କେନ୍ଦ୍ର ଆଗରେ ଧାଡିରେ ଛିଡା ହେବାକୁ ପଡିବ। ସମସ୍ତେ ପୁଣି ଥରେ ଦୌଡିବେ।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନଓ୍ବାବ ମଲ୍ଲିକ୍‌

ମୁମ୍ବାଇ,2/12: 40 ହଜାର କୋଟି କେନ୍ଦ୍ରକୁ ସ୍ଥାନାନ୍ତର ହୋଇଥିବା ଦାବିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏନ୍‌ସିପି । ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲ୍ଲିକ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି । କେନ୍ଦ୍ରକୁ 40 ହଜାର କୋଟି ସ୍ଥାନାନ୍ତର କରିବା ପାଇଁ ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ବୋଲି କହି କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ ଏହି ବିବାଦର ସୂତ୍ରପାତ କରିଥିଲେ । ହେଗ୍‌ଡେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରେ କେନ୍ଦ୍ରର 40 ହଜାର କୋଟି ଟଙ୍କା ଥିଲା । ଶପଥ ଗ୍ରହଣର 15 ଘଣ୍ଟା ମଧ୍ୟରେ ଫଡନବିସ୍ ଉକ୍ତ ଅର୍ଥ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ । ମୋଦି ସରକାର କ୍ଷମତାର ଅପ ବ୍ୟବହାର କରି ଏପରି କରିଥିବାରୁ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ ବୋଲି ମଲିକ୍‌ କହିଛନ୍ତି । ହେଗଡେଙ୍କ ମନ୍ତବ୍ୟ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଏହାକୁ ଭିତ୍ତିହୀନ ବୋଲି କହିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଜିଡିପି ହ୍ରାସ : ମୋଦି ସରକାରଙ୍କୁ ମନମୋହନଙ୍କ ଚେତାବନୀ

ନୂଆଦିଲ୍ଲୀ,30/11: ଗତକାଲି ସରକାରଙ୍କ ପକ୍ଷରୁ ତୃତୀୟ କ୍ବାର୍ଟର ଅର୍ଥନୈତିକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତୀୟ ଘରୋଇ ଅଭିବୃଦ୍ଧି ହାରରେ 0.5 ପ୍ରତିଶତ ହ୍ରାସ ପାଇ 4.5 ପ୍ରତିଶତରେ ପହଞ୍ଚିଛି । ଏହା ସହିତ 8ଟି ମୁଖ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ 5.8 ପ୍ରତିଶତର ହ୍ରାସ ଘଟିଛି । ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନମୋହନ ସିଂ କହିଛନ୍ତି । ମୋଦି ସରକାରଙ୍କୁ ମନମୋହନ ସିଂ ଚେତାବନୀ ଦେଇ କହିଛନ୍ତି, ଏହି ଅବସ୍ଥା ଜାରି ରହିଲେ ଦେଶର ଅର୍ଥନୀତି ରସାତଳକୁ ଚାଲିଯିବ ବୋଲି ମନମୋହନ ମତ ଦେଇଛନ୍ତି । ସରକାର ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ମନମୋହନ ମତ ଦେଇଛନ୍ତି । ଦେଶର ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ସରକାର ନିଦରୁ ଉଠିବା ଆବଶ୍ୟକ ବୋଲି ମନମୋହନ କହିଛନ୍ତି ।