Categories
ବିଶେଷ ଖବର

ବାତ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଏଥିରେ ଚାଷୀ, ମତ୍ସ୍ୟଜୀବୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବହୁତ କିଛି ରହିଛି

ସମୀକ୍ଷା ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଫନି ବାତ୍ୟା ପ୍ୟାକେଜ ଘୋଷଣା କରିଛନ୍ତି। ଆଜି ସଚିବାଳୟରେ ବସିଥିବା ଏକ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଫନି ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ଜଳସେଟିତ ଜମି ଚାଷିଙ୍କୁ ମିଳିବ ହେକ୍ଟର ପିଛା 18 ହଜାର ଟଙ୍କା। ସେହିପରି ଅଣ ଜଳସେଚିତ ଜମି ଚାଷିଙ୍କୁ ମିଳିବ 6 ହଜାର 8ଶହ ଟଙ୍କା। ଏଥିସହିତ ବିଭିନ୍ନ କୃଷି ତଥା ମତ୍ସ୍ୟଜୀବୀଙ୍କ ପାଇଁ ଯାହା ଘୋଷଣା କରାଯାଇଛି ତାହା ହେଲା..

1-ଜଳସେଚିତ ଜମି ଚାଷୀଙ୍କୁ ହେକ୍ଚର ପିଛା 18 ହଜାର ଟଙ୍କାର କୃଷି ଇନପୁଟ ସବସିଡି ମିଳିବ

2-ଅଣ ଜଣସେଚିତ ଚାଷୀଙ୍କୁ ହେକ୍ଚର ପିଛା 6 ହାଜାର 8ଶହ ଟଙ୍କା ଇନପୁଟ ସବସିଡ

3-ବାତ୍ୟା ପ୍ରଭାବିତ ଅଞ୍ଚଳରେ ପନିପରିବା ଚାଷୀଙ୍କୁ ମିଳିବ ସହାୟତା। ଏଥିରେ ଏକ ଲକ୍ଷ ମିନି କିଟ ପ୍ରଦାନ କରାଯିବ

4-ପାନବରଜ ଚାଷୀଙ୍କୁ 15 ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ

5-ଛତୁ ଚାଷୀଙ୍କୁ ସେଡ୍ ନିର୍ମାଣ କରିବା ପାଇଁ ପ୍ରତି ୟୁନିଟ ପିଛା 40 ହଜାର ଟଙ୍କା ଦିଆଯିବ

6-କଦଳୀ ଚାଷୀଙ୍କୁ ହେକ୍ଟର ପିଛା 25 ହଜାର ଟଙ୍କା ମିଳିବ

7-ବଳଦ ଓ ଗାଈ ମରିଥିଲେ 30 ହଜାର ଟଙ୍କା ଲେଖାଏଁ ସହାୟତା, ଅନ୍ୟ ବଡ ପଶୁ ମରିଥିଲେ 25 ହଜାର ଟଙ୍କା ଏବଂ ଛେଳି ମରିଥିଲେ 3 ହଜାର ଟଙ୍କା ମିଳିବ

8-ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା କରାଯାଇଥିବା ଛେଳି ଓ ଗାଈ ଚାଷୀଙ୍କ ସେଡ୍ ନିର୍ମାଣ ପାଇଁ 50 ହଜାର ଟଙ୍କା

9-ମତ୍ସ୍ୟଜୀବୀଙ୍କୁ 80 ହଜାର ଟଙ୍କାର ନୂଆ ଡଙ୍ଗା କିଣିବା ପାଇଁ 40 ହଜାର ଟଙ୍କା ଏବଂ 20 ହଜାର ଟଙ୍କାର ଜାଲ ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯିବ

10-ମାଛ ଚାଷୀଙ୍କୁ ହେକ୍ଟର ପିଛା 12 ହଜାର 200 ଟଙ୍କା ମିଳିବ

11- ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଅତିରିକ୍ତ 10  ହଜାର ଟଙ୍କାର ମୂଳ ଧନ ପ୍ରଦାନ

12-ଗୋଷ୍ଠୀ ବ୍ୟୟ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ 1 ଲକ୍ଷ ଟଙ୍କା

13-ଘରକୁ ମସଲା ପ୍ରଭୃତି ଯୋଗାଣ କରୁଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ 50 ହଜାର ଟଙ୍କା ପ୍ରଦାନ କରାଯିବ।

 

Categories
ବିଶେଷ ଖବର ମତାମତ

ରଖ ହୋ ତମର ଡିଜିଟାଲ ଇଣ୍ଡିଆ, ମୋର ପୁରୁଣା କାଗଜର ଭାରତ ମୋ ପାଖରେ ଥାଉ

କେଦାର ମିଶ୍ର

ମାତ୍ର ଦେଢ ଘଣ୍ଟାର ବାତ୍ୟା ପରେ –

ଟେଲିଫୋନ ସବୁ ଅଚଳ।

ଇଣ୍ଟରନେଟ ସାତ ସ୍ଵପ୍ନ।

ଡ଼େବିଟ କାର୍ଡ/କ୍ରେଡିଟ କାର୍ଡ ଅଛି, ହେଲେ ପାଣି ଗିଲାସେ କିଣିବା ସମ୍ଭବ ନୁହେଁ। ତମରଓଲା, ଉବର, ଗୁଗୁଲ ମ୍ୟାପ, ଜମାଟୋ , ସ୍ଵୀଗୀ ସବୁ ସବୁ ମିଛ। ଦେଢ ଘଣ୍ଟାର ପବନ ପରେ ମୁଁ ଗୋଟେ କଥା ବୁଝି ଯାଇଛି, ଯଦି ତମ ପାଖରେ କାଗଜ ନାଇଁ ତମର ଅସ୍ତିତ୍ଵ ଇ ନାଇଁ। ବାତ୍ୟା ପବନରେ କୁଆଡେ ଗୋଟେ ଛିଣ୍ଡା ଡାଳ ପଡି ପଡି ରହିଛି ଡିଜିଟାଲ ଇଣ୍ଡିଆ ର ସ୍ଵପ୍ନ। ଏଟିଏମ ରେ ପଇସା ନାଇଁ, ବୁଝା ପଡୁଛି।ବିନା ବିଜୁଳିରେ ମେସିନ କାମ ନ କରିବା ସ୍ଵାଭାବିକ। ହେଲେ ବ୍ୟାଙ୍କରେ ବି ପଇସା ମିଳୁନି କାରଣ ଲିଙ୍କ ନାଇଁ। ଗୋଟେ ନଗଦ ବିହୀନ ଅର୍ଥନୀତିର କଥା କହୁଥିବା କୁହାଳିଆ ଅର୍ଥନୀତିଜ୍ଞମାନେ ଏବେ ଭୁବନେଶ୍ଵର ଓ ପୁରୀ ଆସି ନିଜ ସ୍ଵପ୍ନର ସତ୍ୟତା ବିଷୟରେ ଥରେ ଭାବିବା ଉଚିତ। ବାତ୍ୟାରେ ବାଏଁ ବାଏଁ ଉଡିଯାଉଥିବା ମୋବାଇଲ ଟାୱାର କୁ ଭରସା କରି ଆମର ଭାଗ୍ୟ ନିୟନ୍ତ୍ରଣ କରିବାର ପାଗଳାମୀ ଯୋଗୁଁ ଆଜି ଲକ୍ଷ ଲକ୍ଷ ଲୋକ ହାତରେ ପଇସା ଥାଇ ହୀନସ୍ତା ହେଉଛନ୍ତି।

ଆଜି ଗୋଟେ ରିପୋର୍ଟ ପଢୁଥିଲି। ଆସନ୍ତା ମଇ ୧୩ ତାରିଖ ସୁଦ୍ଧା ପୁରୀରେ ବ୍ୟାଙ୍କ ବ୍ୟବସ୍ଥା ସ୍ଵାଭାବିକ ହେବ। ୩ ରୁ ୧୩, ଦଶ ଦିନ ବ୍ୟାପୀ ଲୋକେ କରିବେ କଣ? ବାସ୍ତବତା ହେଉଛି, ଲୋକେ ହାତରେ ପଇସା ଥାଇ ଭିକାରି ହୋଇ ଯାଇଛନ୍ତି। ଡିଜିଟାଲ ଇଣ୍ଡିଆର ଏହା ବୋଧେ ସବୁଠୁ ବଡ ସଫଳତା। ନାଗରିକକୁ ଆର୍ଥିକ ଭାବରେ ପରାଧୀନ କରିବାର ଏହା ସବୁଠୁ ସଫଳ ଷଡଯନ୍ତ୍ର। ଏକଥା କହିଲା ବେଳେ ଡିଜିଟାଲ ଇଣ୍ଡିଆର ସୁବିଧାକୁ ମୁଁ ଅସ୍ଵୀକାର କରୁନି। ବ୍ୟାଙ୍କ ଓ ଯୋଗାଯୋଗ ବ୍ୟବସ୍ଥାରେ ବହୁତ ବଡ ପରିବର୍ତ୍ତନ ଆସିଛି, ଏ କଥା ମଧ୍ୟ ଠିକ। ହେଲେ ପ୍ରାକୃତିକ ବିପର୍ଯୟ ବେଳେ ମଣିଷ ଯେତେବେଳେ ସବୁଠୁ ବେଶୀ ଅସହାୟ ସେତେବେଳେ ଡିଜିଟାଇଜେସନ ଆମର କି କାମରେ ଲାଗୁଛି? ଯଦି ମୋ ତଣ୍ଟି ଶୁଖି ଯାଉଛି, ଯଦି ମୋ ପାଖରେ କାର୍ଡ ଅଛି, ଯଦି ଦୋକାନରେ ପାଣି ବୋତଲ ଅଛି, ମୁଁ ତାକୁ କିଣିବାରେ ସମର୍ଥ ନୁହେଁ କାହିଁକି? ବିଜୁଳି ନାଇଁ ତ ନେଟ କାମ କରୁନି। ନେଟ ନାଇଁ ତ ଲିଙ୍କ କାମ କରୁନି। ମୁଁ ପାଣି ଦେଖି ଦେଖି ଶୋଷରେ ମରୁଛି।

ଆଜି ସବୁଠୁ ବଡ ଚିନ୍ତାର ବିଷୟ ହେଉଛି, ବନ୍ୟା, ବାତ୍ୟା ଓ ଭୂମିକମ୍ପ ପରବର୍ତ୍ତୀ ସ୍ଥିତିରେ ଆମର ଅର୍ଥନୈତିକ ପରିଚାଳନାର ବିକଳ୍ପ କଣ? ପୂରା ଡିଜିଟାଲ ବ୍ୟବସ୍ଥା ଉପରେ ଜୀବନ ନିର୍ଭରଶୀଳ ହୋଇ ପାରିବ କି? ଆମକୁ କେଉଁଠି ନା କେଉଁଠି ଏକ ପାରମ୍ପାରିକ ବ୍ୟବସ୍ଥାକୁ ସକ୍ରିୟ କରି ରଖିବା ଜରୁରୀ। ବ୍ୟାଙ୍କ ବ୍ୟବସ୍ଥାରୁ ଲେଜର ବ୍ୟବସ୍ଥା ଉଠିଗଲା ପରେ ବିନା ଲିଙ୍କରେ ଗ୍ରାହକ ଆଉ ପଇସା ପାଇବନି। ଏହା ଏକ ପ୍ରକାର ସମ୍ବିଧାନ ବିରୋଧୀ ବ୍ୟବସ୍ଥା। କୌଣସି ବ୍ୟବସ୍ଥା ଜରିଆରେ ନାଗରିକର ଆର୍ଥିକ ସ୍ଵାଧୀନତା ଅପହରଣ କରାଯାଇପାରିବ ନାଇଁ।

Categories
ବିଶେଷ ଖବର ମତାମତ

ଫେସବୁକ ପାଇଁ ଦିୱାନା ଭୋଟର !

ବୋୖଦ୍ଧାୟନ ଆଚାର୍ଯ୍ୟ

ଓଡ଼ିଶାରେ ସରିଯାଇଛି ସମସ୍ତ ପର୍ଯ୍ୟାୟର ନିର୍ବାଚନ କିଛି ରିପୋଲିଂ କୁ ବାଦ ଦେଲେ ଏବେ ଇଭିଏମରେ କଏଦ ହୋଇଯାଇଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ। ତେବେ ଫଳାଫଳ ଯାହା ହେଉନା କାହିଁକି ଫେସବୁକ ଭଳି ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଏଥର ଛାଇଯାଇଛି ଭୋଟରଙ୍କ ମାଳମାଳ ଫଟୋ। କିଏ ସେଲ୍ଫି ନେଇ ଆଉ ହାତରେ ଲାଗିଥିବା କାଳୀ ଦାଗକୁ ଦେଖାଇଛି ତ କିଏ ପୁଣି ସଂକ୍ଷିପ୍ତରେ ଜଣାଇଦେଇଛି ତାଙ୍କ ଅଂଚଳର ମୁଡ଼। ସତେ ଯେମିତି ପ୍ରାର୍ଥୀ ଚୟନ ଅପେକ୍ଷା ଫେସବୁକ ପୋଷ୍ଟକୁ ପ୍ରାଧାନ୍ୟ ଦେଇଛନ୍ତି କିଛି ଭୋଟର। କାହାକୁ ଭୋଟ ଦେବେ ତାହାକୁ ନେଇ ଯେତିକି ଉତ୍କଣ୍ଠା ନାହିଁ ବରଂ କେତେ ଶୀଘ୍ର ହାତରେ କାଳୀ ଲାଗିବ ଆଉ ବୁଥ ବାହାରକୁ ଯାଇ ଫେସବୁକରେ ପୋଷ୍ଟ କରିକି କମେନ୍ଟ ଆଉ ଲାଇକ୍ସ ମିଳିବ ତାହାକୁ ନେଇ ଜୋରଦାର ମାନସିକ ପ୍ରସ୍ତୁତି ମଧ୍ୟ କରିଛନ୍ତି। ୨୦୧୨ ମସିହାରେ ଫେସବୁକ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ଭୁବନେଶ୍ୱରରେ ୧ ଲକ୍ଷ ୯୦ ହଜାର ଲୋକ ଫେସବୁକ ବ୍ୟବହାର କରିଛନ୍ତି। ଆଉ ୨୦୧୨ ତୁଳନାରେ ନିଶ୍ଚିତ ଭାବେ ଏହି ସଂଖ୍ୟା ବଢିଥିବ। ତେବେ ଫେସବୁକରେ ଯଦି ଭୁବନେଶ୍ୱରର ଏତେ ବ୍ୟକ୍ତି ଅଛନ୍ତି ତାହା ହେଲେ ଭୋଟ ପ୍ରତିଶତ କାହିଁକି କମିଛି। କାହିଁକି ଅଧିକ ଭୋଟ ମିଳିପାରିନାହିଁ। ଆଉ ଏକ ଦିଗକୁ ବିଚାରକୁ ନେଲେ ରାଜନୈତିକ ବ୍ୟକ୍ତି ବିଶେଷ ଓ ଦଳମାନଙ୍କର ବିଭିନ୍ନ ପୋଷ୍ଟ ଓ କିଛି ଭାଇରଲ ପୋଷ୍ଟକୁ ଅନେକ ଥର ଫେସବୁକ କାନ୍ଥରେ ସେୟାର କରାଯିବା ସହ ଲାଇକ୍ସ ବି କରାଯାଇଛି। କିନ୍ତୁ ସମସ୍ତେ କଣ ଭୋଟ ଦେଇଛନ୍ତି। ମୋବାଇଲରେ ବସି ଲାଇକ୍ସ କରିବା ଓ ମତଦାନ କେନ୍ଦ୍ରରେ ଯାଇ ଭୋଟ ଦେବା ମଧ୍ୟରେ ବହୁତ ଫରକ ରହୁଛି।ଏହା ଯୁଦ୍ଧ କ୍ଷେତ୍ରକୁ ନଯାଇ କିଏ ଜିତିବା କିଏ ହାରିବା ଭଳିଆ କଥା କହିବା ଯାହା। ଫେସବୁକରେ ମାତିଥିବା ଏହି ତଥାକଥିତ ଭୋଟର ପ୍ରାୟତଃ ସମାନ। ବଡ କଥା ଗାଁ ଗହଳିରେ ଅଧିକାଂଶ ଲୋକ ଫେସବୁକ ବ୍ୟବହାର କରୁନଥିଲେ ବି ଭୋଟ ଦେବାକୁ ଦେଖାଇଛନ୍ତି ସ୍ୱତନ୍ତ୍ର ଆଗ୍ରହ। ଧୁ ଧୁ ଖରାରେ ବୁଥ ବାହାରେ ଛିଡା ହୋଇ ୫ ବର୍ଷରେ ମିଳିଥିବା ସୁଯୋଗକୁ ହତାଦର କରିନାହାନ୍ତି।

(ଉପରୋକ୍ତ ଆଲେଖ୍ୟଟି କାହାକୁ ଆକ୍ଷେପ କରି ଲେଖାଯାଇନାହିଁ ବରଂ ଫେସବୁକରେ ନିର୍ବାଚନ ମାହୋଲକୁ ଦର୍ଶାଯାଇଛି )

Categories
ବିଶେଷ ଖବର

“ଫନି” ଏହି ଶଦ୍ଦର ଅର୍ଥ କଣ ? ଏହାର ନାମ କିଏ ଦେଲା ? କେଉଁଠୁ ଆସିଲା ଏହି ନାମ ?

ସମୀକ୍ଷା ବ୍ୟୁରୋ

ଫନି ବାତ୍ୟା ବର୍ତ୍ତମାନ ଓଡିଶା ମୁହାଁ ହେଉଛି, ଏହା ସ୍ଥଳଭାଗକୁ ଖୁବ ଶିଘ୍ର ଛୁଇଁବ। ଏହାକୁ ନେଇ ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ଲୋକମାନେ ସମସ୍ତେ ତତ୍ପତରତା ପ୍ରକାଶ କରିଛନ୍ତି। ତେବେ ‘ ଫନି ‘ ବୋଲି କହାଯାଉଥିବା ଏହି ଶଦ୍ଦର ପ୍ରକୃତ ଅର୍ଥ କଣ ? ଏପରି ନାମକରଣ କିପରି ହୁଏ ? ଏହାକୁ କିଏ ନାମକରଣ କରେ ? ଏପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନଭିତରେ ଆସେ। ହେଲେ କିଛି ଲୋକଙ୍କୁ ଏହି କଥା ଜଣା ଥିବା ବେଳେ ବହୁ ଲୋକଙ୍କୁ ଏହା ପଛର ରହସ୍ୟ କଣ , ତାହା ଜଣା ନ ଥାଏ।

ପ୍ରଥମେ ଆସନ୍ତୁ ଜାଣିବା ପ୍ରକୃତରେ ଏହି ଫନି ଅର୍ଥ କଣ ?

‘ ଫନି ‘ ହେଉଛି ବାଙ୍ଗାଲଦେଶର ଏକ ଶଦ୍ଦ । ଯାହାର ଓଡିଆରେ ଅର୍ଥ ହେଉଛି ସାପ। ଏହାକୁ ଇଂରାଜୀରେ FANI ବୋଲି ଲେଖାଯାଏ। ହେଲେ ଏହାକୁ ଉଚ୍ଚାରଣ କଲାବେଳେ ଫୋନି ବୋଲି ଉଚ୍ଚାରଣ କରିବାକୁ ପଡିଥାଏ। କାରଣ ବାଙ୍ଗାଲଦେଶରେ ସେହିପରି ଉଚ୍ଚାରଣ କରାଯାଇଥାଏ। ଓଡିଶାରେ ସାଧାରଣତଃ ସାପ ଯେତେବେଳେ ମୁଣ୍ଡ ଟେକିଥାଏ ସେତେବେଳେ ତାହାକୁ କୁହାଯାଏ ସାପ ଫଣା ଟେକିଲା ବା ଫଣା। ତେଣୁ ବାଙ୍ଗାଲଦେଶର ଫନି ବା ସାପ ସହିତ ଓଡିଶାର ଫଣା ସହିତ ସାମଞ୍ଜସ୍ୟ ରହୁଥିବାର ପରିଲକ୍ଷିତ ହୋଇଛି।

ବାତ୍ୟାର ନାମକରଣ କିପରି କରାଯାଏ ?

ପ୍ରକୃତରେ ବାତ୍ୟାର ନାମକରଣ କରିବା କେତେକ ନିୟମ ରହିଛି। ଏହି ନିୟମ ବିଶ୍ବ ପାଣିପାଗ ସଂସ୍ଥା ବା world meteorological Organization ବା WMO ଦ୍ବାରା ନିର୍ଦ୍ଧାରିତ ହୋଇଥାଏ। ଏହି ସଂସ୍ଥା ବିଭିନ୍ନ ଦେଶକୁ ମୁଖ୍ୟତଃ ସମୁଦ୍ର କୂଳିଆ ଦେଶକୁ ନାମ ଦେବା ପାଇଁ ନିର୍ଦ୍ଦେଶ ଦେଇଥାଏ। ସେହି ଅନୁସାରେ ସମୁଦ୍ର କୂଳିଆ ଦେଶ ସେଠାରେ ଥିବା ଆଞ୍ଚଳିକ ଗ୍ରୀଷ୍ମ ମଣ୍ଡଳକୁ ଏହି ତାଲିକା ପ୍ରଦାନ କରିଥାଏ। ବିଭିନ୍ନ ମହାସାଗର ସହିତ ଥିବା ଦେଶରୁ ଆସିଥିବା ନାମକୁ ଅଲଗା ଭାବେ ବିଚାର କରାଯାଇ ଗୋଟିଏ ନାମକୁ ବଛା ଯାଇଥାଏ। ସେହି ଅନୁସାରେ ଉତ୍ତର ଭାରତୀୟ ମହାସାଗର ଦେଶରୁ ଆସିଥିବା ନାମଗୁଡିକ ଅଲଗା ଭାବେ ବିଚାର କରାଯାଇଥାଏ। ଉତ୍ତର ଭାରତ ମହାସାଗର ଦେଶ ମଧ୍ୟରେ ରହିଛି ଭାରତ, ଶ୍ରୀଲଙ୍କା,ବାଙ୍ଗାଲାଦେଶ,ମାଲଦ୍ବୀପ, ମିଆଁମାର, ଓମାନ, ପାକିସ୍ଥାନ ଏବଂ ଥାଇଲାଣ୍ଡ। ଏହି ଦେଶରୁ ଆଠଟି ଲେଖାଏଁ ନାମ ପଠାଇବା ପାଇଁ କୁହାଯାଇଥାଏ। ବାତ୍ୟା ଆସିଲେ 8 ଟି ଦେଶରୁ ଆସିଥିବା ମୋଟ 64ଟି ନାମରୁ ଗୋଟିଏ ନାମ ବଛାଯାଇଥାଏ ନାମକରଣ କରାଯାଇଥାଏ। ସେହିଅନୁସାରେ ବାଙ୍ଗଲାଦେଶ ପଠାଇଥିବା ଫନି ଅନୁସାରେ ଏହି ବାତ୍ୟାର ନାମ ଫନି ରଖାଯାଇଛି।

ନାମ ପଠାଇବାର କଣ ରହିଛି ନିୟମ ?

ଯେଉଁ ଦେଶକୁ ନାମ ଦେବା ପାଇଁ କୁହାଯାଇଥାଏ ସେମାନେ କେତେକ ନିତିନିୟମ ଭିତରେ ନାମଗୁଡିକ ପଠାଇବାକୁ ପଡିଥାଏ। ମୁଖ୍ୟତଃ ଯେଉଁ ନାମ ପଠାଇବେ ତାହା ଯେପରି କଷ୍ଟକର ଶଦ୍ଦ ହୋଇ ନ ଥିବା ସେଥିପ୍ରତି ସେହି ଦେଶ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ପଠାଯାଉଥିବା ଶଦ୍ଦଟି ବଡ ହୋଇ ନ ଥିବା ଆବଶ୍ୟକ। ଏହି ଶଦ୍ଦର ଅର୍ଥ ଯେପରି ଆଞ୍ଚଳିକ ସ୍ତରରେ ସମସ୍ତେ ବୁଝିପାରୁଥିବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଏହାର କାରଣ ହେଲା ଏହି ଶଦ୍ଦଟି ଗଣମାଧ୍ୟମ ବ୍ୟବହାର କରିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ସରକାର ସୁରକ୍ଷା ଏବଂ ରିଲିଫ ଦେବାରେ ଏହି ଶଦ୍ଦଟି ଯେପରି ସହଜରେ ବ୍ୟବହାର କରିପାରିବେ ସେଥିପାଇଁ ସଂକ୍ଷିପ୍ତ ଓ ସହଜ ନାମ ପଠାଇବା ପାଇଁ କୁହାଯାଇଛି।

ଭାରତ ଯେଉଁ ଆଠଟି ନାମ ପଠାଇଛି ସେଗୁଡିକ ହେଲା-ଅଗ୍ନି, ଆକାଶ, ବିଜୁଳି, ଜଳ, ଲହର, ମେଘ, ସାଗର ଏବଂ ବାୟୁ

ପୂର୍ବରୁ ତିତିଲି ବାତ୍ୟାର ନାମକରଣ ପାକିସ୍ଥାନ ପଠାଇଥିବା ନାମରୁ ବଛାଯାଇଥିଲା। ସେହିପରି 2017ରେ କେରଳରେ ଯେଉଁ ଓଖି ବାତ୍ୟା ହୋଇଥିଲା ତାହା ମଧ୍ୟ ବାଙ୍ଗଲାଦେଶର ନାମ ଥିଲା।

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷିଲେ ବାହାରେ ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )

Categories
ଆଜିର ଖବର

ବାତ୍ୟା ପାଇଁ କୌଣସି ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣଙ୍କୁ ନିବେଦନ

ସାମୁଦ୍ରିକ ଝଡ଼ ‘ଫାନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ପାଇଁ କୌଣସି ଭୟଭୀତ ହେବାର କାରଣ ନାହିଁ, ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାତ୍ୟା ସମୟରେ ମହିଳା, ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏପରିକି ଟେଲିଫୋନ ସର୍ଭିସ ପ୍ରୋଭାଇଡରଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ବାତ୍ୟା ସମୟରେ କିପରି ସେବା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ର ବିଭିନ୍ନ ବିଭାଗୀୟ ସଚିବ ଏବଂ ଅଧିକାରୀଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରିଛନ୍ତି।

Categories
ବିଶେଷ ଖବର ମତାମତ

“ଫନି” ଆସୁଛି ତ ଆସୁ, ହେଲେ ତାକୁ ନେଇ ଆମ ସାମ୍ବାଦିକମାନେ ଆତଙ୍କର ମହାନାଟକ ରଚନା ନ କରନ୍ତୁ !

କେଦାର ମିଶ୍ର

ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ ନାଟକୀୟ ପ୍ୟାକେଜ ଭାବରେ ବ୍ୟବହାର କରିବାର ଚଳଣି ଆମ ସମୟରେ ଗଣମାଧ୍ୟମରେ ବେଶ ପରିଚିତ। ଆମ ସାମ୍ବାଦିକମାନେ ପ୍ରାକୃତିକ ବିପର୍ୟୟ ସମୟରେ ଘଟୁଥିବା ମାନବୀୟ ସଙ୍କଟ ଅପେକ୍ଷା ଏହାର ରାଜନୈତିକ ଦିଗ ପ୍ରତି ଟିକେ ଅଧିକ ଆଗ୍ରହୀ। ଯେ କୌଣସି ବାତ୍ୟାର ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଦେଖିଲେ ଆମର ମନେହେବ, ସତେକି ସେ ଜଣେ ଦୁଃସାହସୀ ଖେଳାଳୀ। ଅବଶ୍ୟ ଏଥିରେ ବିଲକୁଲ ଦ୍ଵିମତ ହେବାର ନାହିଁ ଯେ, ୨୦୦ ବା ୩୦୦ ମିଟର ପବନ ଆଗରେ କ୍ୟାମେରା ଧରି ଠିଆ ହେବା କିଛି କମ ସାହସର କଥା ନୁହଁ। ଅନେକ ସମୟରେ ଆମର ଗଣମାଧ୍ୟମ ଏ ପ୍ରକାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ମାଧ୍ୟମରେ ଲୋକଙ୍କୁ ବଡ ସାହାଯ୍ୟ ମଧ୍ୟ ଦେଇଛନ୍ତି। ତେବେ ରିପୋର୍ଟିଂ ଓ ନାଟକୀୟତା ଭିତରେ ଗୋଟେ ମୌଳିକ ପାର୍ଥକ୍ୟ ରହିଛି ବୋଲି ଆମର ସାମ୍ବାଦିକ ବନ୍ଧୁମାନେ ଭୁଲି ଯାଆନ୍ତି।

ଏକଥା କହିଲା ବେଳେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଗତ ଦୁଇଦିନ ଭିତରେ ହଠାତ ଆଳୁର ଦର କିଲୋ ପିଛା ତିନି ଟଙ୍କା ବଢି ଯାଇଛି, ତାର ଏକମାତ୍ର କାରଣ ହେଉଛି, ସମ୍ଭାବ୍ୟ ବାତ୍ୟା “ଫନି”। ଶୁଣାଯାଉଛି, ଭୀଷଣରୁ ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା “ଫନି” ସ୍ଥଳଭାଗକୁ ଅଗ୍ରସର ହେଉଛି। ପ୍ରଥମେ ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ପଡିବ ବୋଲି ଆଶା କରାଯାଉଥିଲା। ପରେ କୁହାଗଲା, ଏହା ଓଡିଶା ଉପକୂଳରେ ସାତପଡା ଓ ବାଲେଶ୍ଵର ମଝିରେ ସ୍ଥଳଭାଗ ସ୍ପର୍ଶ କରିପାରେ। ଶେଷ ଖବର ମୁତାବକ ଏହା ପୁରୀର କୃଷ୍ଣ ପ୍ରସାଦରେ ସ୍ଥଳଭାଗ ଛୁଇଁ ପାରେ। ତେବେ ବାତ୍ୟା “ମାଡି ଆସୁଛି” ବୋଲି ଏକ ପ୍ରକାର ଆତଙ୍କ ଏବେ ଆମ ଲୋକଙ୍କୁ ଘାରିଛି। ଲୋକଙ୍କୁ ବାତ୍ୟା ସମ୍ପର୍କରେ ସୂଚନା ଦେବାକୁ ଯାଇ ଆମେ ଯେଉଁ ଭାଷାର ପ୍ରୟୋଗ କରୁ, ତାହା ଅନେକାଂଶରେ ଲୋକଙ୍କୁ ଆତଙ୍କିତ ଓ ଆବଶ୍ୟକତାଠାରୁ ଅଧିକ ଭୟାଳୁ କରିଦିଏ।

ବାତ୍ୟା ସମୟରେ ସଜାଗ, ସତର୍କ ଓ ନିର୍ଭୟ ରହିବା ସବୁଠୁ ବଡ ଆବଶ୍ୟକତା। ତେବେ ଆମର ଗଣମାଧ୍ୟମର ଭାଷାରେ ଏତେ ଅଧିକ ନାଟକୀୟତା ଥାଏ ଯେ, ଟିଭି ଦେଖି ବା ଖବର କାଗଜ ପଢି ହଠାତ ଆମେ କୁଇଣ୍ଟାଲେ ଆଳୁ ବା ମହଣେ ଚୂଡା କିଣିବାକୁ ବାହାରିପଡୁ। ଅନେକ ସମୟରେ କଳାବଜାରୀ ଓ ଲାଭଖୋର ବେପାରୀ ଏହାର ଫାଇଦା ଉଠାନ୍ତି। ମୋର ଏବେବି ମନେ ଅଛି, ଫାଇଲିନ ବାତ୍ୟା ସମୟରେ ମହମବତୀ ଗୋଟାକୁ ପଚିଶ ଟଙ୍କାରେ ବିକ୍ରି ହେଲା। ଗଣମାଧ୍ୟମର ଚର୍ଚ୍ଚା ଶୁଣି ଲୋକ ଛାନିଆ ହୋଇପଡିଲେ। ଏଠି ଗଣମାଧ୍ୟମକୁ ଭାବିବାକୁ ପଡିବ ଯେ, ଲୋକଙ୍କୁ ଛାନିଆ କରିବା ଅପେକ୍ଷା ସେମାନଙ୍କୁ ସତର୍କ କରିବା ଆମର କାମ। ସତର୍କ କରିବାକୁ ଯାଇ ଆମେ ଅଧିକ ନାଟକ କାଲେ, ତାର ପ୍ରଭାବ ଗୋଟେ ବଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।

ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟାରୁ ଆମେ ଅନେକ କଥା ଶିଖିବା କଥା, ହେଲେ ଆଜି ବି ଆମେ ପ୍ରତ୍ୟେକ ବାତ୍ୟାର ସମାନ ଆକଳନ କରୁଛୁ। ଗତ ତିନୋଟି ଯାକ ବାତ୍ୟାରେ ବାତ୍ୟା ପତ୍ତନ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଭୟଙ୍କର କ୍ଷତି କରୁଛି। ଆମର ଫୋକସ ବାତ୍ୟା ସମୟ ଅପେକ୍ଷା ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ଅଧିକ କେନ୍ଦ୍ରୀଭୂତ ହେବା ଏବେ ଜରୁରୀ ହୋଇ ପଡିଛି। ବାତ୍ୟା ପରବର୍ତ୍ତୀ ଅଚାନକ ବନ୍ୟା ଓ ଭୂ ସ୍ଖଳନ ବିଷୟକୁ ଆମେ ଗୁରୁତ୍ଵ ଦେଇ ବିଚାର କରୁନାହୁଁ। ଏ ପ୍ରସଙ୍ଗରେ ଗଣମାଧ୍ୟମ ଅଧିକ ସଚେତନତା ସୃଷ୍ଟି କରିବା ଜରୁରୀ।

କେବଳ ପବନର ବେଗ ଓ ସରକାରୀ ପ୍ରସ୍ତୁତି କଥା ନକହି, ଆଭ୍ୟନ୍ତରୀଣ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଆଲୋଚିତ ହେବା ଜରୁରୀ। ରକ୍ଷା ହୋଇଛି, ଇତି ମଧ୍ୟରେ ଓଡିଶାରେ ନିର୍ବାଚନ ସଋ ଯାଇଛି। ନଚେତ ଏହାକୁ ନେଇ ରାଜନୈତିକ ପବନର ବେଗ ବାତ୍ୟାର ବେଗଠୁ ବଳି ଯାଇଥାନ୍ତା। ଏବେ ଅନ୍ତତଃ ସେ ଆଶଙ୍କା ଆଉ ନାହିଁ। ୧୯୯୯ ପରଠୁ ବିପର୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରସ୍ତୁତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆମର ବିପର୍ୟୟ ପରିଚାଳନା ବ୍ୟବସ୍ଥା ସବୁଠୁ ଭଲ ସ୍ଥିତିରେ ରହିଛି। ତଥାପି ତିତିଲି ବାତ୍ୟା ପରେ କନ୍ଧମାଳ, ଗଜପତି ଓ ରାୟଗଡା ଜିଲାର ପାହାଡୀ ଅଞ୍ଚଳରେ ଯେଉଁ ଧାନ ଜୀବନ କ୍ଷୟ ହେଲା, ତାକୁ ରୋକିବା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ।

ଆମେ ଆଶା କରିବା, ଭୟଙ୍କର ଓ  ଆତଙ୍କପ୍ରଦ ଖବର ତିଆରି କରିବା ଅପେକ୍ଷା ଆମର ସାମ୍ବାଦିକମାନେ ଏହି ବନ୍ୟାରେ ଆମର ସହଯୋଗୀ ଭାବରେ ଆମ ସହିତ ରହିବେ!

(ମୋବାଇଲରେ ସଂକ୍ଷିପ୍ତ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍, ଏହାପରେ ସ୍କ୍ରିନକୁ ଘଷିଘଷି ପଢିଚାଲନ୍ତୁ ଖବର)

Categories
ଆଜିର ଖବର

ପ୍ରଚଣ୍ଡ ଗ୍ରୀଷ୍ମପ୍ରଭାବରେ ହନ୍ତସନ୍ତ ସାରା ଓଡିଶା

ବାତ୍ୟା ଫୋନିକୁ ନେଇ ସାରା ରାଜ୍ୟରେ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସତର୍କ ସୂଚନା ଦେଇଥିବାବେଳେ, ଏପଟେ ରାଜ୍ୟର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଓଡିଶାବାସୀଙ୍କୁ ଅସହ୍ୟ କରିଦେଇଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ଡିଗ୍ରୀ ଅତିକ୍ରମ କରିସାରିଛି। ଏହି ପ୍ରଚଣ୍ଡ ତାତିରେ ଲୋକେ ଡହଳବିକଳ ହେଉଛନ୍ତି। ଆଜିର ସର୍ବାଧିକ ଗ୍ରୀଷ୍ମପ୍ରଭାବ ଝାରସୁଗୁଡା ସହରରେ ଅନୁଭୂତ ହୋଇଛି। ଏହି ସହରର ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡର ତାପମାତ୍ରା ୪୪.୫, ଅନୁଗୁଳ- ୪୩.୭, ତାଳଚେର-୪୩.୬, ସୋନପୁର-୪୩.୨, ସମ୍ବଲପୁର-୪୩, ହୀରାକୁଦ-୪୨.୧ ରହିଥିଲା। ଏବଂ ଭବାନୀପାଟଣା, ମାଲକାନଗିରି ଓ ବଲାଙ୍ଗିରର ତାପମାତ୍ରା ୪୨ ଡିଗ୍ରୀ ଥିଲା। ଏପଟେ ଟ୍ଵିନ ସିଟି ଭୁବନେଶ୍ବର ଏବଂ କଟକର ତାପମାତ୍ରା ଯଥାକ୍ରମେ ୩୮.୭ ଏବଂ ୩୯.୪ ଡିଗ୍ରୀ ରହିଥିଲା।

 

Categories
ଆଜିର ଖବର

ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ, ଅନ୍ତିମ ପର୍ଯ୍ୟାୟରେ ସର୍ବାଧିକ ଭୋଟିଂ ହେବା ସମ୍ଭାବନା

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୫ ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା-

୧-ମୟୁରଭଂଜ- ୬୬ ପ୍ରତିଶତ

୨-ବାଲେଶ୍ବର- ୬୪ ପ୍ରତିଶତ

୩-ଭଦ୍ରଖ- ୬୮ ପ୍ରତିଶତ

୪-ଯାଜପୁର- ୬୫ ପ୍ରତିଶତ

୫-କେନ୍ଦ୍ରାପଡା- ୬୫ ପ୍ରତିଶତ

୬-ଜଗତସିଂହପୁର- ୬୪ ପ୍ରତିଶତ

Categories
ଆଜିର ଖବର

ଦିନ ଗୋଟାଏ ସୁଦ୍ଧ ରାଜ୍ୟ ମତଦାନ ୨୦.୮୯ ପ୍ରତିଶତ, କେନ୍ଦ୍ରାପଡାରେ ୨୭.୯୯ ପ୍ରତିଶତ ମତଦାନ

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୨୦.୮୯ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା

ମୟୁରଭଂଜ- ୨୨.୬୬ ପ୍ରତିଶତ

ବାଲେଶ୍ବର-୨୨.୬୬ ପ୍ରତିଶତ

ଭଦ୍ରଖ- ୨୧.୦୬ ପ୍ରତିଶତ

ଯାଜପୁର- ୧୩.୨୪ ପ୍ରତିଶତ

କେନ୍ଦ୍ରାପଡା- ୨୭.୯୯ ପ୍ରତିଶତ

ଜଗତସିଂହପୁର- ୧୬.୯୦ ପ୍ରତିଶତ ମତଦାନ ହୋଇଛି

Categories
ଆଜିର ଖବର

ଓଡିଶା ଉପକୂଳ ଦେଇ “ଫୋନି” ଗତିକରିବା ସମ୍ଭାବନା: ମୁଖ୍ୟ ସଚିବଙ୍କ ଦ୍ଵାରା ଜରୁରୀକାଳୀନ ବୈଠକ

ଓଡିଶା ରାଜ୍ୟ ପାଇଁ ଆସୁଛି ଆଉ ଏକ ବାତ୍ୟା। ଯାହାର ନାମ ରହିଛି ଫୋନି। ପୂର୍ବରୁ ଏହା ଦକ୍ଷିଣଭାରତର ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ସ୍ଥଳଭାଗ ସ୍ପର୍ଶ କରିବାରଥିଲା, କିନ୍ତୁ ତାହାର ଗତିପଥର ପରିବର୍ତ୍ତନ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୩୦ତାରିଖରେ ଫୋନି ପ୍ରବଳ ବାତ୍ୟାର ରୂପନେବ ବୋଲି ଆଶଙ୍କା କରାଯାଉଛି। ମେ୧ ତାରିଖରେ ଏହା ଉତ୍ତର-ପଶ୍ଚିମ ଦିଗ ପରିବର୍ତ୍ତେ ଉତ୍ତର-ପୂର୍ବ ଦିଗ ଆଡକୁ  ଗତିକରିବାର ସୂଚନା ରହିଛି। ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ୨ତାରିଖ ସୁଦ୍ଧା ପ୍ରବଳ ବର୍ଷ ସହ ୪୦ରୁ୫୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ୪ତାରିଖ ସୁଦ୍ଧା ଓଡିଶା ଭୂଭାଗ ସ୍ପର୍ଶ କରିବାର ସମ୍ଭାବନା ନହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଫୋନିକୁ ନେଇ ଓଡିଶା ରାଜ୍ୟ ପାଇଁ ପାଣିପାଗ ବିଭାଗ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବାବେଳେ, ଏନେଇ ମୁଖ୍ୟସଚିବ ଏକ ଜରୁରୀକାଳୀନ ବୈଠକ ଡକାଇ ସମ୍ପୂର୍ଣ ଭାବରେ ସଜାଗ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ୧୨ ଏନଡିଆରଏଫ, ୨୦ ଓଡ୍ରାଫ, ୨୩୦ ଅଗ୍ନିଶମ ବିଭାଗ ଦଳ ସତର୍କ ରହିଛନ୍ତି ବୋଲି ସୂଚନା ରହିଛି। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରଖାଯାଇଛି।

Categories
ଆଜିର ଖବର

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୧୭ ପ୍ରତିଶତ ମତଦାନ, କେନ୍ଦ୍ରାପଡାରେ ସର୍ବାଧିକ ୨୪ପ୍ରତିଶତ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ଭୋଟ ଗ୍ରହଣ ଚାଲିଛି। ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ଦିନ ୧୧ଟା ସୁଦ୍ଧା ୧୭ ପ୍ରତିଶତ ମତଦାନ ହୋଇଛି। ଶେଷ ପର୍ଯ୍ୟାୟରେ ଚାଲିଥିବା ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଦିନ ୧୧ ଟା ସୁଦ୍ଧା ହୋଇଥିବା ମତଦାନ ହାର ହେଲା-

ମୟୁରଭଂଜ-୧୮.୧୪ ପ୍ରତିଶତ

ବାଲେଶ୍ବର-୧୯.୫୯ ପ୍ରତିଶତ

ଭଦ୍ରଖ-୧୫.୪୬ ପ୍ରତିଶତ

ଯାଜପୁର-୧୨.୭୪ ପ୍ରତିଶତ

କେନ୍ଦ୍ରାପଡା-୨୪.୭୮ ପ୍ରତିଶତ

ଜଗତସିଂହପୁର-୧୬.୯୦ ପ୍ରତିଶତ

Categories
ଆଜିର ଖବର

କାଁ ଭାଁ ବିଶୃଙ୍ଖଳା ଛାଡିଦେଲେ, ଓଡିଶାରେ ଏ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ମତଦାନ ଚାଲିଛି

କେଉଁଠି ଇଭିଏମ ଖରାପ, କେଉଁଠି କାମ କରୁନାହିଁ ଏହିପରି କିଛି ଅଭିଯୋଗକୁ ଛାଡିଦେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମତଦାନ ଠିକଠାକ ଚାଲିଛି। ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି।

Categories
ଆଜିର ଖବର

ମୟୁରଭଞ୍ଜରେ ଶାହା : ଉଭୟ କଂଗ୍ରେସ ଏବଂ ବିଜେଡ଼ିକୁ କଡ଼ା ସମାଲୋଚନା କଲେ

ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଏହି ନିର୍ବାଚନକୁ ଆଖିଆଗରେ ରଖି ବିଜେପି ଓଡ଼ିଶାରେ ତା’ର ନିର୍ବାଚନୀ ପ୍ରଚାର ପୂରା ଜୋର୍‌ସୋର୍‌ରେ କରି ଚାଲିଛି। ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ଓଡ଼ିଶାଗସ୍ତ କରିଛନ୍ତି। ଏହି ଅବସରରେ କଂଗ୍ରେସ ଏବଂ ବିଜେଡିକୁ କଡା ସମାଲୋଚନା କରିଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ ଶାହା। ସେ ମୟୁରଭଞ୍ଜ ମୋରଡାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି। ଅମିତ କହିଛନ୍ତି ଯେ, ସାରା ଦେଶରେ ମୋଦୀ ଲହର ଦେଖାଦେଇଛି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ। ମୟୁରଭଞ୍ଜବାସୀ ମଧ୍ୟ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଚାହୁଁଛନ୍ତି। ମୋଦୀଙ୍କୁ ଓଡିଶାର ବିକାଶ ପାଇଁ ମଜବୁତ ହାତ ଦରକାର। ଅଣଓଡିଆ ମୁଖ୍ୟମନ୍ତ୍ରୀ ଦରକାର ନାହିଁ ବୋଲି କହିଛନ୍ତି ଶାହା। ବିଜେପି ସରକାରର ଗୁଣଗାନ କରିବା ସହିତ ଓଡ଼ିଶାରେ ବିଜେପି ସରକାର ଆସିଲେ କ’ଣ କ’ଣ କରିବେ ସେ ବିଷୟରେ କହିଛନ୍ତି ଶାହା। ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରମିକ ଏବଂ କୃଷକଙ୍କୁ ପେନସନ ଦେବ। ୧ହଜାର କୋଟି ମହାନଦୀ ପାଇଁ ଖର୍ଚ୍ଚ ହେବ। ଜଳସେଚନ ହେବ। ପ୍ରତି ଘରେ ରୋଜଗାର ରହିବ। ଯୁବକଙ୍କୁ ବ୍ୟବସାୟ ପାଇଁ ଲୋନ ଦିଆଯିବ। ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯିବ। କେନ୍ଦୁପତ୍ରରୁ ଜିଏସଟି ଛାଡ ହେବ। ମୁଣ୍ଡାରୀ ଏବଂ ହୋ ଭାଷାକୁ ସମ୍ବିଧାନରେ ସାମିଲ କରାଯିବ ବୋଲି କହିଛନ୍ତି ଶାହା। ଓଡ଼ିଶାରେ ପରିବର୍ତ୍ତନ ପାଇଁ ସେ ବିଜେପିକୁ ଭୋଟ ଦେବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି।

Categories
ଆଜିର ଖବର

୧୦ଟି ସ୍ଥାନରେ ସାନି ନିର୍ବାଚନ ହେବା ନେଇ ପ୍ରତିକ୍ରିୟା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ରାଜ୍ୟରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ମତଦାନ ଠିକ ଭାବେ ହୋଇପାରିନଥିଲା। ତେଣୁ ସାନି ନିର୍ବାଚନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ପର୍ଯ୍ୟାୟକ୍ରମେ ମତଦାନ ଚାଲିଛି। ବର୍ତ୍ତମାନ ଯାଏଁ ତିନୋଟି ପର୍ଯ୍ୟାୟ ଶେଷ ହୋଇ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ବାକି ରହିଛି। କିନ୍ତୁ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଫଳରେ କେତେକ ସ୍ଥାନରେ ମତଦାନ ହୋଇପାରି ନାହିଁ। ତେଣୁ ୧୦ ଟି ବୁଥରେ ସାନି ନିର୍ବାଚନ ପାଇଁ ଏପ୍ରିଲ ୨୪ରେ ନିବାଚନ ଆୟୋଗଙ୍କ ପାଖକୁ ପ୍ରସ୍ତାବ ପଠାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ସେହିପରି ପୁରୀ ବ୍ରହ୍ମଗିରିରେ କଣ୍ଟ୍ରୋଲ ୟୁନିଟ ହଜିବା ଘଟଣାରେ ସେ କହିଛନ୍ତି ଯେ ସେଠାରେ ୧୨ଟି ଷ୍ଟ୍ରଙ୍ଗରୁମ ରହିଛି। କେଉଁଠାରେ କିଏ ଭୁଲରେ କଣ୍ଟ୍ରୋଲ ୟୁନିଟ ରଖିଦେଇଥିବ। ଯେଉଁ ବୁଥରେ ସାନି ନିର୍ବାଚନ ପାଇଁ ପ୍ରସ୍ତାବ ଦିଆଯାଇଛି ସେଗୁଡ଼ିକ ହେଲା, ବ୍ରହ୍ମଗିରି ବିଧାନସଭାର ୬୨ ନଂ ବୁଥ୍‌ , ବଡ଼ମ୍ବାର ବୁଥ ନଂ ୧୯୬ , ବୁଥ ନଂ ୧୮୩, ବୁଥ ତାମଶାସନର ବୁଥ୍‌ ନଂ ୨୨୨, ବ୍ରହ୍ମଗିରିର ବୁଥ୍‌ ନଂ ୧୦୮ ସମେତ ଆଠଗଡ଼ର ଚାରୋଟି ବୁଥ ଦେବଗଡ଼, ସତ୍ୟବାଦୀ , ତାଳଚେରର ଗୋଟିଏ ଗୋଟିଏ ବୁଥରେ ସାନି ମତଦାନ ପାଇଁ ସୁପାରିଶ କରାଯାଇଛି। ଇଭିଏମ୍‌କୁ ହ୍ୟାକ କରିବା ଅସମ୍ଭବ ବୋଲି ମଧ୍ୟ ନିର୍ବାଚନ କମିଶନ କହିଛନ୍ତି।

Categories
ଆଜିର ଖବର

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ନବଜ୍ୟୋତି ସବୁଠୁ ଧନୀ ପ୍ରାର୍ଥୀ

ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ଏଡିଆର୍‌ ପକ୍ଷରୁ ଏ ସମ୍ପର୍କିତଏକ ରିପୋର୍ଟ ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଏହି ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ ବ୍ୟକ୍ତି। ନବଜ୍ୟୋତିଙ୍କ ସମ୍ପତ୍ତିର ମୁଲ୍ୟ ୧୦୪ କୋଟି ଟଙ୍କା। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହେଉଛନ୍ତି ଧନୀ ପ୍ରାର୍ଥୀ। ନିରଞ୍ଜନଙ୍କ ପାଖରେ ୬୦ କୋଟିରୁ ଅଧିକ ସମ୍ପତ୍ତି ଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ନବଜ୍ୟୋତି ତଳକୁ ରହିଛନ୍ତି ବାଲେଶ୍ୱରର ବିଜେଡ଼ି ପ୍ରାର୍ଥୀ ରବିନ୍ଦ୍ର ଜେନା। ତାଙ୍କ ସମ୍ପତ୍ତିର ମୂଲ୍ୟ ୭୨ କୋଟି ଟଙ୍କା। ସେହିପରି କେନ୍ଦ୍ରାପଡ଼ାରୁ ଲଢ଼ୁଥିବା ବୈଜୟନ୍ତ ପଣ୍ଡାଙ୍କର ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ନିରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ହୋଇଥିବାବେଳେ ତାଙ୍କ ତଳକୁ ରହିଛନ୍ତି ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଣବ ବଳବନ୍ତରାୟ। ଚିରଞ୍ଜିବୀ ବିଶ୍ୱାଳଙ୍କ ପାଖରେ ୩୩ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ପ୍ରଣବ ବଳବନ୍ତରାୟ ୧୭ କୋଟି ମୂଲ୍ୟ ସମ୍ପତ୍ତି ରହିଥିବା ନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଶୁକ୍ରବାର ଓଡିଶା ଆସିବେ ରାହୁଲ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପୁନର୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବାରୁ ଓଡିଶାରେ ପ୍ରଚାର କରି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ରାହୁଲ ଓଡିଶା ଆସୁଛନ୍ତି। ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ଓଡ଼ିଶା ଆସି ବାଲେଶ୍ୱର ନିର୍ବାଚନୀ ସଭାରେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି। ଏହାପରେ ସେ ଜଗତସିଂହପୁରରେ ଆୟୋଜିତ ସଭାରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଆସନ୍ତା ଏପ୍ରିଲ୍‌ ୨୯ ତାରିଖରେ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।

Categories
ଆଜିର ଖବର

ବରୀରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ରାଜନାଥ

ଯାଜପୁରର ବରୀରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଗୃହ ମନ୍ତ୍ରୀ ରାଜନାଥ ସିଂ। ସେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅବସରରେ ବିଜେପି ନେତାଙ୍କ ପାଇଁ ପ୍ରଚାର କରିବାକୁ ଓଡିଶା ଆସିଥିଲେ। ନିଜ ଭାଷଣରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ସମାଲୋଚନା କରିଥିଲେ ରାଜନାଥ। ଭାଷଣ ଆରମ୍ଭରୁ ବିଜେଡି ସରକାରକୁ ସମାଲୋଚନା କରିବା ସହିତ ୨୦ ବର୍ଷରେ ରାଜ୍ୟର କଣ ବିକାଶ ହୋଇଛି ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସେହିପରି ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନକରିବାକୁ ମଧ୍ୟ ସମାଲୋଚନା କରିଥିଲେ ରାଜନାଥ। ଏହା ସହିତ ୨୦ ବର୍ଷ ବିଜେଡିକୁ ସୁଯୋଗ ଦେଇଥିବା ଜନସାଧାରଣ ୫ ବର୍ଷ ବିଜେପିକୁ ସୁଯୋଗ ଦେବା ଉଚିତ୍‌ ବୋଲି ରାଜନାଥ କହିଥିଲେ। କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାକୁ ପ୍ରଶଂସା କରି କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ ରାଜନାଥ। ସେ କହିଥିଲେ, ୧୯୯୭ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର ଅମଳରେ ମାତ୍ର ୧୨ କୋଟି ଗ୍ୟାସ୍‌ ସଂଯୋଗ ଦିଆଯାଇଥିବା ବେଳେ କେବଳ ବିଗତ ଚାରି ବର୍ଷରେ ୧୩ କୋଟି ଗ୍ୟାସ୍‌ ସଞ୍ଜୋଗ ପ୍ରଦାନ କରାଯାଇଛି। ଏହା ସହିତ କହିଥିଲେ ୨୦୨୨ ସୁଦ୍ଧା ଏମିତି କୌଣସି ଘର ନଥିବ ଯେଉଁଥିରେ ପକ୍କା ଘର ନଥିବ କିମ୍ବା ଗ୍ୟାସ୍‌ ସଞ୍ଜୋଗ ନଥିବ। ସେହିପରି କେନ୍ଦ୍ର ସରକାର ଦୈନିକ ୩୦ରୁ ୩୨ କିମି ଜାତୀୟ ରାଜପଥ ନିର୍ମାଣ କରୁଛନ୍ତି ବୋଲି ରାଜନାଥ କହିଥିଲେ। ସରକାର ପୁନର୍ବାର କ୍ଷମତାକୁ ଆସିଲେ କିଷାନ କ୍ରେଡିଟ କାର୍ଡରେ ୫ ବର୍ଷ ପର୍ଯ୍ୟନ୍ତ ବିନା ସୁଦ୍ଧରେ ଋଣ ଦିଆଯିବ ବୋଲି କହିବା ସହିତ ଭୋଟ ଅପିଲ୍‌ କରିଥିଲେ ରାଜନାଥ।

Categories
ବିଶେଷ ଖବର

ଆମ ଉପରେ ହିଂସା ହେଲେ ନିନ୍ଦନୀୟ, କିନ୍ତୁ ଅନ୍ୟ ଉପରେ ହିଂସା, କେବଳ ଅଭିନୟ – ନିର୍ବାଚନୀ ହିଂସାକୁ ନେଇ ବିଜେପିର ଉଦ୍ଭଟ ଯୁକ୍ତି

କେଦାର ମିଶ୍ର

ତୃତୀୟ ପର୍ୟାୟ ନିର୍ବାଚନ ପୂର୍ବରୁ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ବଢି ଚାଲିଛି। ନିର୍ବାଚନ ତାରିଖର ୪୮ ଘଣ୍ଟା ଆଗରୁ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କ ଫାର୍ମ ହାଉସ ଉପରେ ନିର୍ବାଚନ କମିଶନଙ୍କ ଅନୁସନ୍ଧାନକାରୀ ଦଳ ଚଢାଉ କରିବାକୁ ଯାଇଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିପାଇଁ ମହାରଥୀଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାରେ ପୋଲିସର ତ୍ଵରିତ କାର୍ୟାନୁଷ୍ଠାନ ନିହାତି ଜରୁରୀ ଥିଲା। କିନ୍ତୁ ଗତ କିଛିଦିନ ଭିତରେ ଅନ୍ୟାନ୍ୟ ହିଂସାକାଣ୍ଡ ଓ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ନିର୍ବାଚନ କମିଶନ ରହସ୍ୟମୟ ଭାବରେ ନୀରବ। ସମ୍ବଲପୁର ଓ ଲକ୍ଷ୍ମୀପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ କମିଶନଙ୍କ ଦାୟିତ୍ଵ ନିର୍ବାହ କରୁଥିବା ଅଧିକାରୀଙ୍କୁ ଅତ୍ୟନ୍ତ ଅପମାନଜନକ ଭାଷାରେ ଧମକ ଚମକ ଦେଇଥିଲେ। ସମ୍ବଲପୁର ଠାରେ ପୋଲିସ ଅଧିକାରୀଙ୍କୁ “ନବୀନ ପଟ୍ଟନାୟକଙ୍କ କୁକୁର” ବୋଲି କହି ଗାଳି ଗୁଲଜ କରିବା ସହିତ ଧର୍ମେନ୍ଦ୍ର କମିଶନର ଅଧିକାରୀମାନଙ୍କୁ ହେଲିକପ୍ଟର ଯାଞ୍ଚ କରିବାକୁ ଦେଇନଥିଲେ। ସେଥି ପାଇଁ ଧର୍ମେନ୍ଦ୍ରଙ୍କ ବିରୋଧରେ କମିଶନ କି କାର୍ୟାନୁଷ୍ଠାନ ନେଇଛନ୍ତି, ତାହା ଜଣ ସାଧାରଣ ନିହାତି ଜାଣିବା ଉଚିତ।

ଇତି ମଧ୍ୟରେ ଭୁବନେଶ୍ଵର ଲୋକସଭା କ୍ଷେତ୍ର ଓ ଭୁବନେଶ୍ଵର ମଧ୍ୟ ବିଧାନସଭା କ୍ଷେତ୍ର ରେ ବ୍ୟାପକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭୁବନେଶ୍ଵର ଓଡିଶାର ରାଜଧାନୀ ସହର ଓ ଏଠାରେ ସାଧାରଣତଃ ହିଂସାମୁକ୍ତ ନିର୍ବାଚନର ଏକ ପରମ୍ପରା ରହି ଆସିଛି। ପ୍ରଥମଥର ଲାଗି ଏଠାରେ ବ୍ୟାପକ ହିଂସାର ଆରୋପ ପ୍ରତ୍ୟାରୋପ ସବୁଠୁ ଦୁଃଖ ର ଘଟଣା। ଲୋକସଭା ପ୍ରାର୍ଥୀ ଭାବରେ ଅପରାଜିତ ଷଡଙ୍ଗୀ, ଅରୂପ ପଟ୍ଟନାୟକ ଓ ଜନାର୍ଦ୍ଦନ ପତିଙ୍କ ଅପରାଧିକ ପୃଷ୍ଠଭୂମି ନାହିଁ। ଅପରାଜିତା ସଦ୍ୟ ପ୍ରଶାସନିକ ସେବାରୁ ଆସିଥିବା ବେଳେ ଅରୂପ ମୁମ୍ବାଇ ମହାନଗରର ପୋଲିସ କମିଶନର ଥିଲେ। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଜନାର୍ଦ୍ଦନ ପତି ମଧ୍ୟ ଜଣେ ଅତ୍ୟନ୍ତ ଭଦ୍ର ରାଜନେତା। ତା ସତ୍ତ୍ୱେ ଏହି ନିର୍ବାଚନ ମଣ୍ଡଳୀରେ ଏତେ ବ୍ୟାପକ ହିଂସାକାଣ୍ଡ ହେବାର କାରଣ କଣ?

ଗତ ପନ୍ଦର ଦିନ ଭିତରେ ଖୁର୍ଦ୍ଧାର ଜଣେ ବିଜେପି କର୍ମୀଙ୍କୁ ବିଧାୟକ ପ୍ରାର୍ଥୀଙ୍କ ଘର ପାଖରେ ହତ୍ୟା କରାଯାଇଥିବା ବେଳେ ଭୁବନେଶ୍ୱର ରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ଅନେକ ଥର ବୋମାମାଡ ହୋଇଛି। ପରିଶେଷରେ ବିଜେଡି ପ୍ରାର୍ଥୀ ତଥା ମହାନଗର ନିଗମର ପ୍ରାକ୍ତନ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟି ସେ ଏବେ ଡାକ୍ତରଖାନାରେ ପଡିଛନ୍ତି। ହିଂସାକାଣ୍ଡରେ ଯିଏ ବି ସାମିଲ ଅଛି ସେମାନେ ଦଣ୍ଡିତ ହେବା ଉଚିତ। ଏ ପ୍ରସଙ୍ଗରେ ପୋଲିସ ନୀରବ ରହିଛି। ହେଲେ ଏହାକୁ କେନ୍ଦ୍ର କରି ବିଜେପିର ଓଡିଶା ଶାଖା ଗୋଟେ ଅଜବ ରାଜନୀତି ଆରମ୍ଭ କରିଛି। ଯେତେବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ ହେଉଛି ତାକୁ ନେଇ ଦଳ ପ୍ରଚୁର ଆକ୍ରମଣ କରୁଛି। ସବୁ କଥାରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ବୟାନ ଦିଆ ଚାଲିଛି। ଏଠି କହି ରଖିବା ଉଚିତ ଯେ, ନିର୍ବାଚନ ସମୟରେ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନଥାଏ। ନିର୍ବାଚନ କମିଶନଙ୍କ ଅଧୀନରେ ଥିବା ପୋଲିସ ଓ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଏଜେଣ୍ଟ ବୋଲି କହିବାର ଅର୍ଥ ହେଉଛି, ନିର୍ବାଚନ କମିଶନ ହିଁ ସରକାରର ଏଜେଣ୍ଟ। ବିଜେପି ଏ କଥା ମାନୁଛି କି?

ନିର୍ବାଚନୀ ହିଂସାକୁ ନେଇ ବିଜେପିର ଯେଉଁ ରାଜନୈତିକ କାହାଣୀ, ତାହା ଆହୁରି ହାସ୍ୟାସ୍ପଦ। ଯେତେବେଳେ ବିଜେପି ନେତାଙ୍କ ଉପରେ ଆକ୍ରମଣ ହେଉଛି ତାକୁ ନେଇ ଚୌକିଦାର ଅପରାଜିତା ଷଡଙ୍ଗୀ, ଚୌକିଦାର ବୈଜୟନ୍ତ ପଣ୍ଡା ଓ ଚୌକିଦାର ଧର୍ମେନ୍ଦ୍ର ପ୍ରଧାନ ମାନେ ହିଂସା ବିରୋଧରେ ପ୍ରବଚନ ଦେଉଛନ୍ତି। ହେଲେ ପ୍ରତିପକ୍ଷ ଉପରେ ଆକ୍ରମଣ ହେଲେ, ଏହା ଅଭିନୟ ଓ ନାଟକବାଜି ବୋଲି କୁହାଯାଉଛି। ଭୁବନେଶ୍ଵର ମଧ୍ୟ ର ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ମିଛ ଅଭିନୟ କରି ଡାକ୍ତରଖାନାରେ ପଡିଛନ୍ତି ବୋଲି ଏବେ ବିଜେପିର ମିଡିଆ ସେଲ ପ୍ରଚାର ଆରମ୍ଭ କରୁଛି। ସବୁଠୁ ମଜା କଥାହେଲା, ବିଜେପିର ମୁଖପାତ୍ର ଭାବେ କାମ କରୁଥିବା ଗୋଟେ ଟେଲିଭିଜନ ଚାନେଲ ମଧ୍ୟ ଏ କଥାକୁ ପ୍ରଚାର କରୁଛି। କେଉଁ ଆଧାରରେ ଜଣେ ପୀଡିତ ଓ ଆହତ ଲୋକକୁ ଅଭିନୟ କରୁଛି ବୋଲି କୁହାଯିବ, ତାହା ବୁଝା ପଡୁନାହିଁ!   ଯଦି ଅନନ୍ତ ଜେନାଙ୍କ ଉପରେ ବୋମାମାଡ ଏକ ମିଛ, ତାହେଲେ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ଆତ୍ମ-ପ୍ରାୟୋଜିତ ହୋଇନଥିବ ବୋଲି କିଏ କହିବ? ରାଜନୀତିରେ ମାନବୀୟ ସଂବେଦନା ଯଦି ରହିବା ନାହିଁ, ତାହେଲେ ସବୁ ରାଜନୈତିକ ଦଳ ଅସୁର ଭଳି ବ୍ୟବହାର କରିବେ।

ରାଜନୀତିରେ ନିର୍ବାଚନୀ ହିଂସା ସବୁଠୁ ନିନ୍ଦନୀୟ କଥା। ହେଲେ ଆମ ଉପରେ ଆକ୍ରମଣ ନିନ୍ଦନୀୟ ଓ ଅନ୍ୟର ଯନ୍ତ୍ରଣା ଅଭିନୟ ବୋଲି ବିଜେପି ଯାହା ପ୍ରଚାର କରୁଛି, ତାହା ଅମାନବୀୟ।

(ମୋବାଇଲରେ ଫଟାଫଟ୍ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ SANKHIPTA ଆପ, ସ୍କ୍ରିନକୁ ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

ଆସନ୍ତାକାଲି ତୃତୀୟ ନିର୍ବାଚନ : ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ୪୨ଟି ବିଧାନସଭା ଆସନରେ ୩୫୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୦୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧,୧୬୩ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହପିରି ୧ ଲକ୍ଷ ୫୮ ହଜାର ୪୯୫ ଜଣ ଭିନ୍ନକ୍ଷମ ଭୋଟର୍‌ ଅଛନ୍ତି। ସେହିପରି ନିର୍ବାଚନରେ ୫୯,୫୦୦ ପୋଲିଂ ଅଧିକାରୀ ନିୟୋଜିତ ରହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ୧୦ ହଜାର ୪୬୪ଟି ପୋଲିଂ ଷ୍ଟେସନ ରହିଥିବାବେଳେ ସେଥିମଧ୍ୟରୁ ୩,୧୮୬ଟି ସମ୍ବେଦନଶୀଳ ବୁଥ ରହିଛି। ନିର୍ବାଚନ ସୁରକ୍ଷା ପାଇଁ ୬୦୦ଟି ବୁଥରେ ସିଏପିଏଫ୍‌ ଫୋର୍ସ ନିୟୋଜିତ କରାଯାଇଛି।

Categories
ଆଜିର ଖବର

ଆସନ୍ତା ୨୬ରେ ଓଡ଼ିଶା ଆସିବେ ରାହୁଲ୍‌

ରାଜ୍ୟରେ ଚାଲିଛି ନିର୍ବାଚନ ମତଦାନ। ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ କରିବା ପାଇଁ ସବୁ ରାଜନୈତିକ ଦଳ ନିଜ ପ୍ରଚାର ଜୋରସୋରରେ କରୁଛନ୍ତି। ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ନିର୍ବାଚନ ପାଇଁ ନିୟମିତ ସବୁ ରାଜନୈତିକ ଦଳର ନେତାମାନେ ଓଡ଼ିଶା ଗସ୍ତ କରୁଛନ୍ତି। ଓଡ଼ିଶାରେ ନିଜ ସ୍ଥିତି ସୁଦୃଢ ସହ ସାମ୍ରାଜ୍ୟ ବିସ୍ତାର କରିବାକୁ ପୁଣି ଆସନ୍ତା ୨୬ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ସେ ପୂର୍ବରୁ ମଧ୍ୟ ଅନେକ ଥର ଓଡ଼ିଶା ଗସ୍ତ କରିଛନ୍ତି। ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ ରହିଛି। ୨୯ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବାରୁ ଆସନ୍ତା ୨୬ରେ ଓଡ଼ିଶା ଆସି  ରାହୁଲ ବାଲେଶ୍ୱରରେ ନିର୍ବାଚନୀ ସଭାରେ ଯୋଗ ଦେବେ। ଏହାପରେ ସେ ଜଗତସିଂହପୁରରେ ମଧ୍ୟ ସଭା କରିବା କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର

ବିଜେପି ଫୋକସ୍‌ରେ ଓଡ଼ିଶା : ପୁଣି ଆସିବେ ଶାହ, ରାଜନାଥ ଓ ଗଡ଼କରୀ

ପୁଣି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୭ ତାରିଖରେ ଶାହ ମୟୂରଭଞ୍ଜର ମୋରଡ଼ାରେ ଓ ଯାଜପୁରର ସୁକିନ୍ଦାରେ ନିର୍ବାଚନୀ ସଭାରେ ଯୋଗଦେବେ। ତାଙ୍କ ପୂର୍ବରୁ ୨୫ ତାରିଖରେ ରାଜନାଥ ସିଂହ ଆସିବେ। ୨୪ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ଥରେ ଓଡ଼ିଶା ଆସିବେ। ସେ ଯାଜପୁର ଓ ମୟୂରଭଞ୍ଜରେ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦୁଇଟି ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ସୂଚନା ରହିଛି। ଉଭୟ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ମାରାଥନ୍ ପ୍ରଚାର କରୁଛନ୍ତି। ଏହା ପୂର୍ବରୁ ଅମିତ ଶାହ ଢେଙ୍କାନାଳ ଓ କଟକରେ ପ୍ରଚାର କରି ଯାଇଥିଲେ। ସେହିପରି ରାଜନାଥ ସିଂହ ମୟୂରଭଞ୍ଜ, ନୟାଗଡ଼ ଓ କଟକ ସଦରରେ ପ୍ରଚାର କରିଥିଲେ। ନୀତିନ ଗଡ଼କରୀ ମଧ୍ୟ ମୟୂରଭଞ୍ଜରେ ନିର୍ବାଚନ ପ୍ରଚାର କରିଥିଲେ। ସେହିପରି ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‌ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିଛନ୍ତି। ପ୍ରତ୍ୟେକ ଦିନ ବିଜେପିର ଷ୍ଟାର ପ୍ରଚାରକମାନେ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି।