Categories
ଆଜିର ଖବର ଖେଳ

ରଣଜୀ ଟ୍ରଫି : ପ୍ରଥମ ଇନିଂସ ଅଗ୍ରଣୀ ସହିତ କ୍ବାର୍ଟରରେ ଓଡିଶା

ସମୀକ୍ଷା ବ୍ୟୁରୋ
କଟକ : ରଣଜୀ ଟ୍ରଫି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡିଶା । ଝାରଖଣ୍ଡ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପ୍ରଥମ ଇନିଂସ ଅଗ୍ରଣୀ ସହିତ ଏଲିଟ୍‌ ଗ୍ରୁପ୍‌ ସିର ଦ୍ବିତୀୟ ସ୍ଥାନରେ ରହି ଓଡିଶା କ୍ବାର୍ଟରରେ ପ୍ରବେଶ କରିଛି । ଗ୍ରୁପ୍‌ ସିରୁ ଓଡିଶା 38 ପଏଣ୍ଟ ସହିତ କ୍ବାର୍ଟରରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଓଡିଶା 436 ରନ୍‌ କରିଥିବା ବେଳେ ଝାରଖଣ୍ଡ 356 ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା । ପ୍ରଥମ ଇନିଂସରେ 80 ରନ୍‌ର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ବିତୀୟ ଇନିଂସରେ 1 ଓ୍ବିକେଟ ହରାଇ 187 ରନ୍‌ ସଂଗ୍ରହ କରିଥିବା ବେଳେ ମ୍ୟାଚ୍‌କୁ ଡ୍ର ଘୋଷଣା କରାଯାଇଥିଲା । ଶୁଭ୍ରାଂଶୁ ସେନାପତି 100 ରନ୍‌ରେ ଅପରାଜିତ ରହିଥିଲେ । ପ୍ରଥମ ଇନିଂସରେ 156 ରନ୍‌ର ଇନିଂସ ଖେଳିଥିବା ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ବିଶେଷ ଖବର

ପ୍ରସଙ୍ଗ ବିହୀନ ଦୁର୍ବଳ ବିରୋଧୀ, ଓଡିଶାରେ ସରକାରୀ ଦଳକୁ ପ୍ରଶ୍ନ ପଚାରିବ କିଏ?

କେଦାର ମିଶ୍ର

ଗଣତନ୍ତ୍ରରେ ସରକାର ଯେତିକି ଗୁରୁତ୍ବପୂର୍ଣ୍ଣ, ବିରୋଧୀ ତାଠୁ ଗୁରୁତ୍ୱପୂର୍ଣ୍ଣ। ବ୍ରିଟିଶ ଢାଞ୍ଚାରେ ବିରୋଧୀ ଦଳକୁ ଛାୟା ସରକାର ବୋଲି କୁହାଯାଏ। ଗଣତନ୍ତ୍ରରେ ଗୋଟେ ସାଧାରଣ ନିୟମ ହେଉଛି, ଯେଉଁ ଦଳ ସରକାର ରେ ଅଛି ସେ କେବଳ ବହୁମତର ପ୍ରତିନିଧି । ସେ ସର୍ବସମ୍ମତ ବା ସାର୍ବଭୌମ ନୁହେଁ। ତାକୁ ସବୁ ସମୟରେ ବିରୋଧର ସାମ୍ନା କରିବାକୁ ପଡିବ। ବିନା ବିରୋଧିର ଶାସନ କେବଳ ଏକଛତ୍ରବାଦରେ ସମ୍ଭବ। ତେଣୁ ଗଣତନ୍ତ୍ରରେ ବିରୋଧୀଙ୍କର ଭୂମିକା ଶାସକ ସହିତ ସମାନ୍ତରାକରେ ରହି ସରକାରକୁ ତାଗିଦ କରିବା। ବର୍ତ୍ତମାନ ସମୟରେ ସାରା ପୃଥିବୀ ଗଣତନ୍ତ୍ର ଭିତରେ ଏକଛତ୍ରବାଦର ନୂଆ ଚେହେରା ଦେଖୁଛି। ଭାରତ ବା ଓଡିଶା ତାର ବ୍ୟତିକ୍ରମ ନୁହେଁ। ଓଡିଶାରେ ଗତ ପାଞ୍ଚଟି ଯାକ ନିର୍ବାଚନରେ ବିଜୁ ଜନତା ଦଳ ଲୋକଙ୍କର ପ୍ରବଳ ସମର୍ଥନ ପାଇ ସରକାର ଗାଢୁଛି। ଦଳର ନେତା ନବୀନ ପଟ୍ଟନାୟକ ଓଡିଶାର ଅପ୍ରତିଦ୍ବନ୍ଦ୍ବୀ ଜନନେତା ଭାବେ ଲୋକଙ୍କର ସ୍ଵୀକୃତି ପାଉଛନ୍ତି। ତେବେ ଏଥିପାଇଁ ଓଡିଶାରେ ବିରୋଧୀ ଦଳ ଗୁଡିକ ଉଦାସ ଓ ଅକ୍ଷମ ହୋଇ ପଡି ରହିବେ କି?

ଏ ପ୍ରଶ୍ନ ପଚାରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାରେ ସରକାରୀ ଦଳର ଉପସ୍ଥିତି ଏ ପ୍ରଭାବଶାଳୀ ଓ ପ୍ରବଳ ଯେ, ତାଙ୍କ ଆଗରେ ବିରୋଧୀ ରାଜନୀତିର କୌଣସି ଉପସ୍ଥିତି ଦେଖା ଯାଉନାହିଁ। ଏହା ଗୋଟେ ଗଣତାନ୍ତ୍ରିକ ସମାଜ ଲାଗି ସବୁଠୁ ଚିନ୍ତାର ବିଷୟ ହେବା ଉଚିତ। ୧୯୮୦ ରୁ ୧୯୮୯ ଯାଏଁ ଓଡିଶାରେ କଂଗ୍ରେସର ଶାସନ ରହିଥିଲା। ସେତେବେଳେ ଓଡିଶାରେ ବିରୋଧୀଙ୍କ ସଂଖ୍ୟା ବହୁତ ଇ ଦୁର୍ବଳ ଥିଲା। କିନ୍ତୁ ସେହି ସମୟରେ ଏକାକୀ ବିରୋଧୀ ଦଳ ନେତା ଭାବରେ ବିଜୁ ପଟ୍ଟନାୟକଙ୍କର ଉପସ୍ଥିତି କଂଗ୍ରେସକୁ ବାରମ୍ବାର ଅଡୁଆରେ ପକାଉଥିଲା। ୧୯୮୫ ରୁ ୧୯୮୯, ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ଵିତୀୟ ପାଳିର ସରକାରକୁ ସେତେବେଳେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ମାତ୍ର ହାତଗଣତି ବିଧାୟକ ଗୁଡେଇ ତୁଡେଇ ପ୍ରଶ୍ନ କରୁଥିଲେ। ବିଧାନସଭାରେ ଓ ରାଜରାସ୍ତାରେ ସରକାରକୁ ବାରମ୍ବାର ପ୍ରଶ୍ନ ପଚାରି ଅସ୍ତବ୍ୟସ୍ତ କରୁଥିବା ସେତେବେଳର ଟାଣୁଆ ବିଧାୟକମାନଙ୍କ ଭିତରେ ରହିଥିଲେ- ରାମକୃଷ୍ଣ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ପ୍ରସନ୍ନ ପାଟ୍ଟଶାଣୀ, ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖ। ସେମାନେ ସଂଖ୍ୟାରେ କମ ଥିଲେ, କିନ୍ତୁ ବିଚାର ଓ ବିରୋଧୀ ମତ ରଖିବାର ଦୃଢତାରେ ସେମାନେ ଏକ ନୂଆ ଇତିହାସ ତିଆରି କରିଥିଲେ।

୧୯୯୦ରେ ବିଜୁ ବାବୁ ପରିଣତ ବୟସରେ ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କ ନେତୃତ୍ବରେ ଜନତା ଦଳକୁ ସେତେବେଳେ ୧୪୭ ରୁ ୧୨୫ ଆସନ ମିଳିଥିଲା। ତଥାପି ସେତେବେଳେ କଂଗ୍ରେସ ନେତୃତ୍ବରେ ବିରୋଧୀ ଓ ବାମ ଦଳର ଜଣେ ଦୁଇ ଜଣ ବିଧାୟକ ବିଜୁ ବାବୁଙ୍କ ଭଳି ଅଭିଜ୍ଞ ନେତାଙ୍କୁ ପାଣି ପିଆଇ ଦେଉଥିଲେ। ବାମପନ୍ଥୀ ବିଧାୟକ ରାଧାକାନ୍ତ ସେଠି, ସ୍ଵାଧୀନ ବିଧାୟକ ପଞ୍ଚାନନ ମିଶ୍ର ପ୍ରମୁଖ ସେ ସମୟରେ ବିରୋଧୀ ସ୍ଵରକୁ ତେଜୀୟାନ କରି ରଖିଥିଲେ। ବିରୋଧୀ ଶକ୍ତିଶାଳୀ ରହିଲେ, ଶାସକ ଦଳ ଅଧିକ ସତର୍କ ଓ ଦାୟିତ୍ୱବାନ ହେବାକୁ ବାଧ୍ୟ ହୁଅନ୍ତି।

ଓଡିଶା ରାଜନୀତିରେ ଗତ କୋଡିଏ ବର୍ଷର ସମୟ, ବିରୋଧୀ ରାଜନୀତି ପାଇଁ ସବୁଠୁ ଦୁର୍ଦ୍ଦଶାର ସମୟ। ଏହି ସମୟ ଖଣ୍ଡରେ ବିଜେପି ପ୍ରଥମ ୯ ବର୍ଷ ସରକାରରେ ରହିଛି। ସରକାରରୁ ବିଦା ହେବା ପରେ ବିଜେପି ରାଜ୍ୟ ଲାଗି ବିକଳ୍ପ ବିରୋଧୀ ଦେବାରେ ସମର୍ଥ ହୋଇ ପାରିନାହିଁ। ଆଜି ମଧ୍ୟ ଓଡିଶାର ବିଜେପି ନବୀନ ପଟ୍ଟନାୟକଙ୍କୁ ପ୍ରବଳ ବିରୋଧ କରିବାର ନୈତିକ ସାହସ ଯୋଗାଡ କରି ପାରୁନାହିଁ। କେନ୍ଦ୍ରରେ ବିଜେଡି ସମର୍ଥନର ବାଧ୍ୟ ବାଧକତା କାରଣରୁ ବିଜେପି ନିଜକୁ ବିଜେଡି ପାଖରେ ସମର୍ପିତ କରି ରଖିବାକୁ ବାଧ୍ୟ। କେବଳ ୨୦୧୭ ପଞ୍ଚାୟତ ନିର୍ବାଚନରୁ ୨୦୧୯ ସାଧାରଣ ନିର୍ବାଚନ ପର୍ୟନ୍ତ ବିଜେପିର ବିରୋଧ କିଛିଟା ପ୍ରଖର ଥିଲା। ତେବେ ନିର୍ବାଚନ ଉଦ୍ଦେଶ୍ୟରେ ବିରୋଧ ଏବଂ ବିରୋଧୀ ଦଳ ଭାବରେ ବିରୋଧ କରିବାର ତଫାତକୁ ଲୋକେ ଭଲ ଭାବରେ ବୁଝନ୍ତି।

କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଭାବରେ ଶାସକ ଦଳ ସହିତ ଲଢିବା ଅପେକ୍ଷା, ଏହା ନିଜେ ନିଜ ବିରୋଧରେ ଲଢି ଚାଲିଛି। କଂଗ୍ରେସ ପାଖରେ ନେତୃତ୍ଵ ଅଛି, ପ୍ରତିଭା ଅଛି, ହେଲେ ସଂଗଠନ ନାହିଁ। କଂଗ୍ରେସର ନୈତିକ ମନୋବଳ ଏତେ ମାତ୍ରାରେ ଭାଙ୍ଗି ପଡିଛି ଯେ, ଏହା ନିଜକୁ ସଜାଡିବାକୁ ସାହସ ଯୋଗାଡ କରି ପାରୁନାହିଁ। ଦଳ ଭିତରେ ବିଧାୟକ ଓ ନେତାମାନେ ପରଷ୍ପରର ଗୋଦା ଟାଣିବାରେ ଏତେ ବ୍ୟସ୍ତ ଯେ ସରକାର ବିରୋଧରେ ଜନ ଆନ୍ଦୋଳନ ଗଢି ପାରିବାର କ୍ଷମତା ଆଉ କାହା ପାଖରେ ନାହିଁ।

ଏହାର ପରିଣତିରେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ଏବେ ସଂପୂର୍ଣ୍ଣ ନିରଙ୍କୁଶ। ସରକାର ପାଖରେ ବିରୋଧ ବା ପ୍ରଶ୍ନ ବୋଲି କିଛି ନାହିଁ। ସରକାର ନିରଙ୍କୁଶ ଭାବରେ ନିଜର ଜୟଯାତ୍ରା ଅବ୍ୟାହତ ରଖିଛନ୍ତି। ବିରୋଧୀ ନିଜ ନିଜ ଭିତରେ ଟଣା ଓଟରା ହେଉଥିବା ବେଳେ, ସରକାର ନିର୍ଭିଘ୍ନରେ ମାଡି ଚାଲିଛନ୍ତି। ଏହା ଗଣତନ୍ତ୍ର ଲାଗି କେତେଦୂର ଶୁଭଂକର ସେ ପ୍ରଶ୍ନର ଉତ୍ତର ଦେବା କିଏ??

Categories
ବିଶେଷ ଖବର

2020 ରେଳ ବଜେଟ୍‌ରେ ଓଡିଶାକୁ ମିଳିଲା 4373 କୋଟି ଟଙ୍କାର ଅନୁଦାନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଚଳିତ ବଜେଟ୍‌ ଅଧିବେଶନ ପରେ ବୁଧବାର ଦିନ ରେଳ ବଜେଟ୍‌ ଘୋଷଣା କରାଯାଇଛି। ବୁଧବାର ମିଳିଥିବା ସୂଚନା ଅନୁଯାୟୀ ଓଡିଶାକୁ 4373 କୋଟି ଟଙ୍କାର ରେଳ ବଜେଟ୍‌ ମିଳିଛି। ପୂର୍ବତଟ ରେଳବାଇକୁ 5865 କୋଟି ଅର୍ଥ ମିଳିଥିବା ବେଳେ ଏହା ମଧ୍ୟରୁ ଓଡିଶାକୁ ସିଂହଭାଗ ମିଳିବାକୁ ଯାଉଛି। ଗତବର୍ଷ 4593 କୋଟି ଟଙ୍କା ମିଳିଥିବା ବେଳେ ଝାରସୁଗୁଡା-ବରପାଲି କୋଲ କରିଡର ପାଇଁ 1400 କୋଟିଟଙ୍କା ଏନ୍‌ଟିପିସି ନିବେଶ କରିଥିଲା। ଉକ୍ତ ରେଳପଥ ନିର୍ମାଣ ସରିଥିବାରୁ ଚଳିତ ବର୍ଷ ଏନ୍‌ଟିପିସି ପକ୍ଷରୁ କୌଣସି ନିବେଶ କରାଯାଇ ନାହିଁ। ନୂତନ ଭାବରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀର 241 କିମି ରେଳପଥ ନିମନ୍ତେ 2957 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପଥ ପାଇଁ ଗତବର୍ଷ 350 କୋଟି ମଞ୍ଜୁର ହୋଇଥିବା ବେଳେ ଚଳିତ ବର୍ଷ 520 କୋଟି ମଞ୍ଜୁର କରାଯାଇଛି। ଅନୁଗୋଳ-ସୁକିନ୍ଦା ପ୍ରକଳ୍ପକୁ ଗତବର୍ଷ 250 କୋଟି ମଞ୍ଜୁର କରାଯାଇଥିବା ବେଳେ ଚଳିତ ବର୍ଷ 450 କୋଟି ମଞ୍ଜୁରୀ ପ୍ରଦାନ କରାଯାଇଛି। ସେହିପରି ହରିଦାସପୁର-ପାରାଦୀପ ପ୍ରକଳ୍ପର କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଏହି ପ୍ରକଳ୍ପ ପାଇଁ ମାତ୍ର 100 କୋଟି ମଞ୍ଜୁର କରାଯାଇଛି।

ସମ୍ବଲପୁର-ତାଳଚେର,ସମ୍ବଲପୁର-ଟିଟଲାଗଡ, ଟିଟଲାଗଡ-ରାୟଗଡା ଏବଂ ଟିଟଲାଗଡ-ରାୟପୁର ରେଳପଥର ଦ୍ବିତୀୟ ଲାଇନ ନିର୍ମାଣ କରାଯାଇ ପ୍ରଶସ୍ତୀକରଣ କରାଯିବ। ଖୋର୍ଦ୍ଧା ରୋଡ- ବଲାଙ୍ଗୀର ଏବଂ ଲାଞ୍ଜିଗଡ ରୋଡ୍‌-ଜୁନାଗଡ ରୋଡ୍‌ ରେଳପଥର ବିଦ୍ୟୁତୀକରଣକୁ ବଜେଟରେ ପ୍ରାଥମିକତା ପ୍ରଦାନ କରାଯାଇଛି। ମନେଶ୍ବରର ଓ୍ବାଗନ ମରାମତି କେନ୍ଦ୍ରକୁ 20 କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ସୁରକ୍ଷା ପାଇଁ ଲେଭଲ କ୍ରସିଂ, ରୋଡ ଓଭର ବ୍ରିଜ୍‌ ଏବଂ ରୋଡ ଅଣ୍ଡର ବ୍ରିଜ୍‌ ନିର୍ମାଣ ପାଇଁ 1165 କୋଟି ଟଙ୍କା ମଞ୍ଜୁର କରାଯାଇଛି।

ବିଭିନ୍ନ ପ୍ରକଳ୍ପ ପାଇଁ ଅନୁମୋଦିତ ଅର୍ଥ :
1. ଅନୁଗୁଳ-ସୁକିନ୍ଦା ରୋଡ (98.7 କିମି)- 450 କୋଟି
2.ହରିଦାସପୁର-ପାରାଦୀପ (82 କିମି)-100 କୋଟି
3.ଖୋର୍ଦ୍ଧା ରୋଡ-ବଲାଙ୍ଗୀର (82 କିମି)-520 କୋଟି
4. ତାଳଚେର-ବିମଳଗଡ (154 କିମି ) – 140 କୋଟି
5. ଜୟପୁର-ମାଲକାନଗିରି (130 କିମି) – 33 କୋଟି
6. ଜୟପୁର-ନବରଙ୍ଗପୁର (38 କିମି) – 20 କୋଟି
7. ଖୋର୍ଦ୍ଧା ରୋଡ-ବିଜୟନଗରମ ବାଇପାସ୍‌ – 20 କୋଟି
8. ନାଉପଡା-ଗୁଣୁପୁର (ଥେରୁବାଲିକୁ ସମ୍ପ୍ରସାରିତ) – 0.01 କୋଟି
9. ଗୋପାଳପୁର-ସମ୍ବଲପୁର(ଭାୟା ଫୁଲବାଣୀ) -0.01 କୋଟି
10. ତାଳଚେର ଅନୁଗୁଳ (14.5 କିମି) – 0.01 କୋଟି
ଦ୍ବିତୀୟ ଲାଇନ ନିର୍ମାଣ :
1. ସମ୍ବଲପୁର-ତାଳଚେର(174.11 କିମି) – 292 କୋଟି
2.ସମ୍ବଲପୁର-ଟିଟଲାଗଡ (182.11 କିମି) – 382 କୋଟି
3. ଟିଟଲାଗଡ-ବିଜୟନଗରମ୍‌ (264.6 କିମି) ତୃତୀୟ ଲାଇନ୍‌ – 380 କୋଟି
4. ବାଂଶପାଣି-ଦୈତାରୀ-ଟୋମ୍‌କା-ଜଖପୁରା (180 କିମି) – 80 କୋଟି
5. ବୃନ୍ଦାମାଳ-ଝାରସୁଗୁଡା ଫ୍ଲାଏଓଭର, 6.6 କିମି -10 କୋଟି
6. ଭଦ୍ରକ-ନେରଗୁଣ୍ଡି ତୃତୀୟ ଲାଇନ (80 କିମି) – 102 କୋଟି
7. ଝାରପଡା-ବୁଦାପାଙ୍କ (ତୃତୀୟ ଏବଂ ଚତୁର୍ଥ ଲାଇନ୍‌) – 118 କୋଟି
8. ବୁଦାପାଙ୍କ-ସାଲେଗାଓଁ (ତୃତୀୟ ଏବଂ ଚତୁର୍ଥ ଲାଇନ୍‌) – 205 କୋଟି
9. କୋରାପୁଟ-ସିଙ୍ଗାପୋର୍‌ ରୋଡ୍‌ – 201 କୋଟି
10. ଜଗଦଲପୁର-କୋରାପୁଟ (110 କିମି) – 130 କୋଟି
11. କୋଟ୍ଟାଭଲାସା-କୋରାପୁଟ (110 କିମି) – 196 କୋଟି
12. ରାୟପୁର-ଟିଟଲାଗଡ (203 କିମି)- 146 କୋଟି
13. ଖୋର୍ଦ୍ଧା ରୋଡ- ବାରଙ୍ଗ ତୃତୀୟ ଲାଇନ୍‌ – 35 କୋଟି
14. ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍‌ (206 କିମି) – 280 କୋଟି
15. ବାଘୁପାଳ ଫ୍ଲାଏ ଓଭର – 10 କୋଟି
16. ମନୋହରପୁର-ବଣ୍ଡାମୁଣ୍ଡା ତୃତୀୟ ଲାଇନ୍‌ – 35 କୋଟି
17. ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍‌ – 170 କୋଟି
18. ବଣ୍ଡାମୁଣ୍ଡା- ରାଞ୍ଚି ଦ୍ବିତୀୟ ଲାଇନ୍‌ – 20 କୋଟି
19 : ନୟାଗଡ-ଭଦ୍ରକ ତୃତୀୟ ଲାଇନ୍‌ -50 କୋଟି
20. ବଣ୍ଡାମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ୍‌ – 23 କୋଟି
21. ଚମ୍ପା-ଝାରସୁଗୁଡା ତୃତୀୟ ଲାଇନ୍‌ – 20 କୋଟି

Categories
ଆଜିର ଖବର ଖେଳ

ଆସାମ ବିପକ୍ଷରେ ଇନିଂସ ବିଜୟ ସହିତ ପଏଣ୍ଟ ଟେବୁଲ୍‌ର ପ୍ରଥମ ସ୍ଥାନରେ ଓଡିଶା

ସମୀକ୍ଷା ବ୍ୟୁରୋ
କଟକ : ଓଡିଶା ଏବଂ ଆସାମ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାର ଅନ୍ତିମ ଦିବସରେ ମ୍ୟାଚ୍‌ ଜତିନେଇଛି ଓଡିଶା । ଆସାମକୁ ଏକ ଇନିଂସ ଓ 3 ରନ୍‌ରେ ପରାସ୍ତ କରି ଓଡିଶା ପୁନର୍ବାର ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି । ପ୍ରଥମ ଇନିଂସରେ ଓଡିଶା 436 ରନ୍‌ କରିଥିବା ବେଳେ ଆସାମ 238 ରନ୍‌ରେ ସମସ୍ତ ଓ୍ବିକେଟ ହରାଇ ଫଲୋଅନ୍‌ ଡାକରା ପାଇଥିଲା । ଦ୍ବତୀୟ ଇନିଂସରେ ଆସାମର ଦୁଇ ଓପନର ଦୃଢତାର ସହିତ ଇନିଂସ ଆରମ୍ଭ କରିଥିଲେ । 198 ରନ୍‌ ପଛରେ ରହିଥିବା ଆସାମ ପକ୍ଷରୁ ଦୁଇ ଓପ୍‌ନର କୁନାଲ ସାଇକିଆ(74) ଏବଂ ଶୁଭମ ମଣ୍ଡଳ(72) ପ୍ରଥମ ଓ୍ବିକେଟରେ 124 ରନ୍‌ ଯୋଡିଥିଲେ । ପ୍ରଥମ ଓ୍ବିକେଟର ପତନ ପରେ ଆସାମ ଇନିଂସ ତାସ ପତା ପରି ଭୁଷୁଡି ପଡିଥିଲା । ଦୁଇ ଜଣଙ୍କ ବ୍ୟତିତ 11 ନମ୍ବର ବ୍ୟାଟ୍ସମ୍ୟାନ୍‌ ଅରୂପ ଦାସ(13) କେବଳ ଦୁଇ ଅଙ୍କ ଛୁଇଁଥିଲେ । ଆସାମର 8 ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିବା ବେଳେ ଓଡିଶା ପକ୍ଷରୁ ରାଜେଶ ମହାନ୍ତି ସର୍ବାଧିକ 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଦେବବ୍ରତ ପ୍ରଧାନ ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । 79 ରନ୍‌ ଏବଂ 7ଟି ଓ୍ବିକେଟ ଅକ୍ତିଆର କରିଥିବା ଦେବବ୍ରତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୯ରୁ ଆରମ୍ଭ ହେବ ଭୁବନେଶ୍ୱରରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ଟି ବୁଥ୍‌ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲେୱ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନମାନଙ୍କରେ ବହିରାଗତ ଶିଶୁମାନଙ୍କୁ ପୋଲିଓ ଟୀକା ଦେବା ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି। ୫ଟି ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧିନ ସ୍ଥଳୀଗୁଡ଼ିକରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାହିତ ହେବ।

ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍‌ ପୋଲିଓ ଟୀକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନର୍‌ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ ଯେ, ୫ ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ ଏହି ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ। ଏଥିନିମନ୍ତେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ରାଜଧାନୀର ପ୍ରତ୍ୟେକ ଘର ବୁଲି ସୂଚନା ଦେବା ଓ ସଚେତନତାର ପ୍ରସାର କରାଇବା ଆବଶ୍ୟକ। ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ପରିବାରଗୁଡ଼ିକର ୫ବର୍ଷରୁ କମ୍‌ ସମସ୍ତ ଶିଶୁ ଯେପରି ଏହି ପୋଲିଓ ଟୀକାକରଣ ସୁଯୋଗ ନେଇପାରିବେ ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଥିଲେ। ସେହିପରି କେଉଁ ଅଞ୍ଚଳରେ କେଉଁଠି ବୁଥ୍‌ ହୋଇଛି, ସେ ସମ୍ବନ୍ଧରେ ଜାଣିବା ପାଇଁ  ବିଏମସି ତରଫରୁ ୱେବସାଇଟ୍‌ରେ ଲିଙ୍କ୍‌ ଦିଆଯିବ।  ନିକୋ ପାର୍କ ଓ ଅନ୍ୟାନ୍ୟ ପାର୍କରେ କେତେଗୁଡ଼ିଏ ମଡ଼େଲ ଟୀକାକରଣ ବୁଥ୍‌ କରାଯାଇ ଶିଶୁମାନଙ୍କ ପାଇଁ ଟୀକାଦାନ ସଙ୍ଗେ ସଙ୍ଗେ ଖେଳିବାର ବ୍ୟବସ୍ଥା ମଧ୍ୟ କରାଯିବାକୁ ଶ୍ରୀ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି।

 

Categories
ଆଜିର ଖବର ଖେଳ

ରଣଜୀ ଟ୍ରଫି : ହ୍ୟାଟ୍ରିକ୍‌ ବିଜୟ ସହିତ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଓଡିଶା

ସମୀକ୍ଷା ବ୍ୟୁରୋ
କଟକ, 28/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଡିଶା 10 ଓ୍ବିକେଟ୍‌ରେ ବିଜୟୀ ହୋଇଛି । କ୍ରମାଗତ ତୃତୀୟ ମ୍ୟାଚ୍‌ରେ ବିଜୟୀ ହେବା ସହିତ ଓଡିଶା 3 ଟି ମ୍ୟାଚ୍‌ରୁ 21 ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି । ଚତୁର୍ଥ ଇନିଂସରେ ଓଡିଶାକୁ ବିଜୟ ପାଇଁ 60 ରନ୍‌ ଆବଶ୍ୟକ ଥିବା ବେଳେ ଦଳ କୌଣସି ଓ୍ବିକେଟ ନହରାଇ 60 ରନ୍‌ ସଂଗ୍ରହ କରିଥିଲା । ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବସନ୍ତ ମହାନ୍ତିଙ୍କ 6 ଓ୍ବିକେଟ୍‌ ଫଳରେ ଉତ୍ତରାଖଣ୍ଡ 117 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଜବାବରେ ଶାନ୍ତନୁ ମିଶ୍ର(110)ଙ୍କ ଶତକ ସହାୟତାରେ ଓଡିଶା 253 ରନ୍‌ ସଂଗ୍ରହ କରିଥିଲା । 116 ରନ୍‌ର ଅଗ୍ରଣୀ ହାସଲ କରିଥିବା ଓଡିଶା ପକ୍ଷରୁ ତୃତୀୟ ଇନିଂସରେ ସୂର୍ଯ୍ୟକାନ୍ତ ପ୍ରଧାନ 5 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ 195 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଓଡିଶାକୁ ବିଜୟ ପାଇଁ 60 ରନ୍‌ ଆବଶ୍ୟକ ଥିବା ବେଳେ ଓଡିଶା କୌଣସି ଓ୍ବିକେଟ୍‌ ନହରାଇ ବିଜୟ ହାସଲ କରିବା ସହିତ ବୋନସ ପଏଣ୍ଟ ହାସଲ କରିଥିଲା ।
ସଂକ୍ଷିପ୍ତ ସ୍କୋର :
ଉତ୍ତରାଖଣ୍ଡ ପ୍ରଥମ ଇନିଂସ 117, ଦୀକ୍ଷାଂଶୁ ନେଗୀ:36, ବସନ୍ତ ମହାନ୍ତି :17/6
ଓଡିଶା ପ୍ରଥମ ଇନିଂସ : 253, ଶାନ୍ତନୁ ମିଶ୍ର 110, ସନ୍ନି ରାଣା : 45/3
ଉତ୍ତରାଖଣ୍ଡ ଦ୍ବିତୀୟ ଇନିଂସ 195, ଧନରାଜ ଶର୍ମା:50, ସୂର୍ଯ୍ୟକାନ୍ତ ପ୍ରଧାନ :63/5
ଓଡିଶା ଦ୍ବିତୀୟ ଇନିଂସ : 60/0, ଶାନ୍ତନୁ ମିଶ୍ର 29*

Categories
ଆଜିର ଖବର ଖେଳ

ଡ୍ରିମ୍ସ ରଣଜୀ ମୁକାବିଲାରେ ବସନ୍ତଙ୍କୁ 6 ଓ୍ବିକେଟ୍‌ : 117ରେ ସମାପ୍ତ ହେଲା ଉତ୍ତରାଖଣ୍ଡ ଇନିଂସ

ସମୀକ୍ଷା ବ୍ୟୁରୋ
କଟକ, 25/12 : ଓଡିଶା ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ଦୃଢ ସ୍ଥିତିରେ ରହିଛି । ଓଡିଶାର ପେସ୍ ବୋଲର ସମସ୍ତ 10 ଓ୍ବିକେଟ ଅକ୍ତିଆର କରିବାରୁ ଉତ୍ତରାଖଣ୍ଡ ମାତ୍ର 117 ରନ୍‌ରେ ଅଲଆଉଟ ହୋଇଛି । ଓଡିଶା ପକ୍ଷରୁ ଭେଟେରାନ୍‌ ପେସ୍‌ ବୋଲର ବସନ୍ତ ମହାନ୍ତି 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦେବବ୍ରତ ପ୍ରଧାନ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ରାଜେଶ ମହାନ୍ତି ପ୍ରତ୍ୟୋକ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଉତ୍ତରାଖଣ୍ଡ ପକ୍ଷରୁ ଦୀକ୍ଷାଂଶୁ ନେଗୀ ସର୍ବାଧିକ 36 ରନ୍‌ ସଂଗ୍ରହ କରିଥିବା ବେଳେ ମାତ୍ର 4 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର ଛୁଇଁଥିଲେ । ବସନ୍ତ 19.4 ଓଭର ବୋଲିଂ କରି 17 ରନ୍‌ ବିନିମୟରେ 6ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Categories
ଆଜିର ଖବର

ସର୍ଭିସେସ୍‌କୁ ଇନିଂସ ଓ 31 ରନ୍‌ରେ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ଓଡିଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, 20/12 : ରଣଜୀ ଟ୍ରଫିରେ ଓଡିଶା ନିଜର ଭଲ ପ୍ରଦର୍ଶନ ଜାରି ରଖିଛି । କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ଇନିଂସ ବିଜୟ ସହିତ ଓଡିଶା ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି । ସର୍ଭିସେସ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ସର୍ଭିସେସ 271 ରନ୍‌ ସଂଗ୍ରହ କରିଥିବା ବେଳେ ଓଡିଶା 540 ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସରେ ବସନ୍ତ ମହାନ୍ତି 69 ରନ୍‌ ବିନିମୟରେ 6 ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ପକ୍ଷରୁ ଦେବାଶିଷ ସାମନ୍ତରାୟ (195) ଏବଂ ବିପ୍ଲବ ସାମନ୍ତରାୟ(73) ରନ୍‌ ସଂଗ୍ରହ କରିବାରୁ ଓଡିଶା 540 ରନ୍‌ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ 57 ରନ୍‌ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ 28 ବଲ୍‌ରୁ 64 ରନ୍‌ ସଂଗ୍ରହ କରିଥିଲେ । ଦ୍ବିତୀୟ ଇନିଂସରେ ସର୍ଭିସେସ୍‌ର ବ୍ୟାଟିଂ ମଧ୍ୟ କ୍ଲିକ୍‌ କରିନଥିଲା । ଦଳ ମାତ୍ର 238 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ବିକାଶ ହାଥିଓ୍ବାଲା 71 ରନ୍‌ ସଂଗ୍ରହ କରିଥିଲେ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ଅଭିଷେକ ରାଉତ ପ୍ରତ୍ୟେକ ତିନୋଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Categories
ଭିଡ଼ିଓ

ଏନ୍ଆରସିକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

Categories
ଆଜିର ଖବର

ପେସ୍‌ ବୋଲରଙ୍କ ସଫଳତା : ଛତିଶଗଡକୁ ଇନିଂସ ଓ 3 ରନ୍‌ରେ ପରାସ୍ତ କଲା ଓଡିଶା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,11/12 : ପେସ୍‌ ବୋଲରଙ୍କ ସଫଳତା ବଳରେ ରଣଜୀ ଟ୍ରଫିର ପ୍ରଥମ ମୁକାବିଲାରେ ବିଜୟୀ ହୋଇଛି ଓଡିଶା । ଓଡିଶାର ପେସ୍‌ ବୋଲର ଛତିଶଗଡର ସମସ୍ତ 20 ଓ୍ବିକେଟ ଅକ୍ତିଆର କରିବାରୁ ଓଡିଶା ଏକ ଇନିଂସ ଏବଂ 3 ରନ୍‌ରେ ବିଜୟୀ ହୋଇଛି । ଛତିଶଗଡର ରାୟପୁରରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡିଶା ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲା । ରାଜେଶ ମହାନ୍ତି (47/6)ଙ୍କ ଘାତକ ବୋଲିଂ ଫଳରେ ଛତିଶଗଡ ମାତ୍ର 134 ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ବସନ୍ତ ମହାନ୍ତି 3ଟି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ଅନ୍ୟ ଓ୍ବିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ସୁଜିତ ଲେଙ୍କାଙ୍କ(56) ରନ୍‌ ସହାୟତାରେ ଓଡିଶା 215 ରନ୍‌ ସଂଗ୍ରହ କରିଥିଲା । 81 ରନ୍‌ ପଛରେ ରହିଥିବା ଛତିଶଗଡ ଦ୍ବିତୀୟ ଇନିଂସରେ ମାତ୍ର 78 ରନ୍‌ରେ ଅଲ୍‌ଆଉଟ ହେବାରୁ ଓଡିଶା ଇନିଂସ ଏବଂ ତିନି ରନ୍‌ରେ ବିଜୟୀ ହୋଇଥିଲା । ଓଡିଶା ପକ୍ଷରୁ ରାଜେଶ ମହାନ୍ତି ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ 4ଟି ଲେଖାଏଁ ଓ୍ବିକେଟ କରିଥିବା ବେଳେ ବସନ୍ତ ମହାନ୍ତି ଅନ୍ୟ ଦୁଇଟି ଓ୍ବିକେଟ ଅକ୍ତିଆର କରିଥିଲେ । ସୁଜିତ ଲେଙ୍କାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । ଇନିଂସ ବିଜୟ ପାଇଁ ବୋନସ ପଏଣ୍ଟ ସହିତ ଓଡିଶା 7 ପଏଣ୍ଟ ହାସଲ କରିଛି ।

Categories
ଆଜିର ଖବର

ଭୁବନେଶ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର,୭/୧୨:  ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍‌, ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଭୁବେନଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ, ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ରାଷ୍ଟ୍ରପତି ସ୍ବାଗତ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ରହିଥିଲେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିବାବେଳେ ଆଜି ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତା କାଲି ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ଶିଳାନ୍ୟାସ କରିବା ସହ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିରେ ଯୋଗଦେବେ । (ଏଜେନ୍ସି)

Categories
ଆଜିର ଖବର

ଓଡିଶାର 20ଟି ଖଣି ପାଇଁ ନୂତନ ବିଡ୍‌ ଆମନ୍ତ୍ରଣ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/12 : ଓଡିଶାର 20ଟି ଖଣି ପାଇଁ ନୂତନ ବିଡ୍‌ ଆମନ୍ତ୍ରଣ କରାଯାଇଛି । ଆସନ୍ତା ମାର୍ଚ୍ଚ 31, 2020ରେ ଏହି 20ଟି ଖଣିର ଲାଇସେନ୍ସ ଅବଧି ଶେଷ ହେବାକୁ ଯାଉଛି । ଖଣି ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ନିୟମରେ ଆଂଶିକ ପରିବର୍ତ୍ତନ କରାଯାଇ ଏହି ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହା ସହିତ ଅକ୍ଟୋବର ମାସରେ ଜାରି କରାଯାଇଥିବା ଲାଇସେନ୍ସ ବିଜ୍ଞପ୍ତିକୁ ମଧ୍ୟ ଖାରଜ କରି ଦିଆଯାଇଛି । ନଭେମ୍ବର 30 ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସମୁଦାୟ ତିନି ପର୍ଯ୍ୟାୟରେ ଏହି ନିଲାମୀ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Categories
ବିଶେଷ ଖବର

ପିପିଲି ରାଜନୀତିରେ ବିଜେପି ପାଇଁ ଭଲ ସୁଯୋଗ ରହିଛି, ହେଲେ ଏଥିପାଇଁ ନିରନ୍ତର ରାଜନୈତିକ ଉଦ୍ୟମ ଓ ପରିଶ୍ରମ ଦରକାର

କେଦାର ମିଶ୍ର 

ଓଡିଶା ରାଜନୀତିରେ ପିପିଲି ରାଜନୀତି ସବୁଠୁ ଅଲଗା। କେବଳ ଏହା ରାଜଧାନୀର ସବୁଠୁ ନିକଟତମ ନିର୍ବାଚନ ମଣ୍ଡଳୀ ଭାବରେ ନୁହଁ, ବରଂ ରାଜନୀତିର ସବୁ ନକାରାତ୍ମକ ଗୁଣର ପ୍ରୟୋଗଶାଳା ଭାବରେ ପିପିଲି ପରିଚିତ। ଏକଦା ଗାନ୍ଧୀ ଆନ୍ଦୋଳନ ଓ କଂଗ୍ରେସ ସତ୍ୟାଗ୍ରହର ପେଣ୍ଠସ୍ଥଳ ଭାବରେ ପରିଚିତ ପିପିଲି, ପରବର୍ତ୍ତୀ ସମୟରେ ହିଂସାର ରାଜନୀତି ଓ ନାଟକୀୟ ଯୁଦ୍ଧ ଭୂମି ଭାବରେ ଅଧିକ ବିଖ୍ୟାତ ହୋଇଛି। ଗୋଟେ ସମୟରେ ପ୍ରଖ୍ୟାତ ଗାନ୍ଧୀବାଦୀ ନେତା ଜୟକୃଷ୍ଣ ମହାନ୍ତି ଓ ତାଙ୍କ ପତ୍ନୀ କିରଣଲେଖା ମହାନ୍ତି ପିପିଲିରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଏକଥା ଆଜିର ପିପିଲିକୁ ଦେଖି ବିଶ୍ଵାସ କରିବା ସମ୍ଭବ ନୁହେଁ। ୧୯୮୫ ରୁ ଏହି ନିର୍ବାଚନ ମଣ୍ଡଳୀର ରାଜନୀତି ଦୁଇଜଣ ବାହୁବଳି ରାଜନେତାଙ୍କ କବଜାରେ ରହିଆସିଛି। ୧୯୮୫ ରୁ ୨୦୧୯, ସାତୋଟି ନିର୍ବାଚନରେ, ୬ ଥର ଜନତାଦଳ/ବିଜୁ ଜନତା ଦଳରୁ ପ୍ରଦୀପ ମହାରଥୀ ଜିତିଥିବା ବେଳେ,ଗୋଟିଏ ଥର କଂଗ୍ରେସରୁ ଯୁଧିଷ୍ଠିର ସାମନ୍ତରାୟ ଜିତିଛନ୍ତି। ତେବେ ଜିତିବା ହାରିବା ଅପେକ୍ଷା, ଏଠିକାର ରାଜନୀତି ଦୁଇଜଣ ନେତାଙ୍କ ହାତରେ କବଳିତ ହୋଇ ରହିଛି। ସେଥିଲାଗି ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ କହିଥିଲେ- ଏଠି କେବଳ ମହାରଥୀ ଓ ସାମନ୍ତରାୟ-ତୃତୀୟ ଲୋକର ଏଠି ଜାଗା ନାହିଁ।

୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବନାମ ସାମନ୍ତରାୟ ଯୁଦ୍ଧର ଏକପ୍ରକାର ସମାପ୍ତି ଘଟିଥିଲା। କଂଗ୍ରେସ ପିପିଲିରେ ନୂଆ ପ୍ରାର୍ଥୀ ଭାବେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଥିଲା, ଯିଏ ମାତ୍ର ୫.୬୩% ଭୋଟ ପାଇଥିଲେ। ବିଜୟୀ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ୫୦.୬୬% ଭୋଟ ପାଇଥିବା ବେଳେ, ତାଙ୍କର ନିକଟତମ ପ୍ରତିଯୋଗୀ ଭାବରେ ବିଜେପିର ଆଶ୍ରିତ ପଟ୍ଟନାୟକ ୪୧.୬୨% ଭୋଟ ପାଇଥିଲେ। ମୋଟାମୋଟି ଦେଖିବାକୁ ଗଲେ ପିପିଲିରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଥିଲା। କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କର ଏକ ବିକଳ୍ପ ଭାବରେ ବିଜେପି ପାଇଁ ପିପିଲି ଏକ ଭଲ ସୁଯୋଗ ବୋଲି କୁହାଯାଇପାରେ। ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ର ବିଭିନ୍ନ କ୍ଷେତ୍ରରେ ବିଜେପି ଚମକପ୍ରଦ ସଫଳତା ପାଇଛି। ପୁରୀ ଓ ବ୍ରହ୍ମଗିରି ଆସନ ବିଜେପି ଜିତିଥିବା ବେଳେ, ପିପିଲି, ସତ୍ୟବାଦୀ,ଚିଲିକା,ରଣପୁର ଓ ନୟାଗଡ ଆସନରେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଛି। କେବଳ ପିପିଲି ନୁହଁ, ପୁରା ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେପିର ଅଭିବୃଦ୍ଧି ଲାଗି ପ୍ରଶସ୍ତ ସମ୍ଭାବନା ଦେଖା ଦେଇଛି।

ତେବେ ପୁରୀରେ ସଫଳତା ଲାଗି ପିପିଲି ବାଟରେ ବିଜେପିକୁ ଯିବାକୁ ପଡିବ। ମହାରଥୀ-ସାମନ୍ତରାୟ ବନ୍ଧନୀରେ ରହିଥିବା ପିପିଲି ରାଜନୀତିର ଚକ୍ରବ୍ୟୁହକୁ ବିଜେପି ଭାଙ୍ଗି ପାରିବ କି? ପ୍ରଥମଥର ଲାଗି ବିଜେପି ଏଠାରେ ଉଭୟ ମହାରଥୀ ଓ ସାମନ୍ତରାୟଙ୍କ ଉପରେ ସିଧା ସିଧା ଅଭିଯୋଗ ଆଣିଛି। ଉଭୟ ନେତା ସରକାରୀ ଜମି ହଡପ କରିଛନ୍ତି ବୋଲି ବିଜେପି କହିଛି। ତେବେ ଏହାର ଉତ୍ତର ରଖି ପ୍ରଦୀପ ମହାରଥୀ ଯଦି ବିଜେପି ପ୍ରମାଣ ଦେବ, ତାହେଲେ ମୁଁ ସବୁଦିନ ପାଇଁ ରାଜନୀତିରୁ ସନ୍ୟାସ ନେଇଯିବି ବୋଲି କହିଛନ୍ତି। ମହାରଥିଙ୍କର ଏହି ଚାଲେଞ୍ଜକୁ ବିଜେପି ଗ୍ରହଣ କରି ଆଇନଗତ ପଦକ୍ଷେପ ନେଇ ପାରିବ କି? କେବଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ରାଜନୈତିକ ସଫଳତା ମିଳିବ ନାହିଁ।

ପିପିଲିର ରାଜନୀତି ଏକ ବିକଳ୍ପ ମୁହଁ ର ସନ୍ଧାନରେ ଅଛି। ତାର ସୁଯୋଗ ବିଜେପି କୁ ହୁଏତ ମିଳିପାରିବ। ଦୀର୍ଘ ବର୍ଷ କ୍ଷମତାରେ ରହିଥିବା ମହାରଥିଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନୀ ହିଂସା, ଜମି ହଡପ, ବେବିନା ବେହେରା ଧର୍ଷଣ ଓ ହତ୍ୟାକାଣ୍ଡ ଭଳି ବହୁ ଦୁର୍ଘଟଣାରେ ମହାରଥିଙ୍କ ସମ୍ପୃକ୍ତି କଥା ଉଠିଛି। ତାକୁ ଉଠାଇବାରେ ବିଜେପି ସମର୍ଥ ହେବ କି?

ବିଜେପିର ପାରମ୍ପାରିକ ସାମ୍ପ୍ରଦାୟିକ ରାଜନୀତି ପୁରୀ ବା ପିପିଲିରେ କାମ କରିବ ନାହିଁ। କଂଗ୍ରେସ ଓ ବିଜେଡିରେ ନେତୃତ୍ବକୁ ନେଇ ଯେଉଁ ସ୍ଥିତାବସ୍ଥା ରହିଛି, ତାରି ବିରୋଧରେ ବିଜେପି ନିଜ ଲାଗି ସୁଯୋଗ ତିଆରି କରି ପାରିବ। ତେବେ ପୁରୀ ରାଜନୀତିରେ ଆଗାମୀ ଦିନରେ ନେତୃତ୍ଵ ବଦଳାଇବାକୁ ବିଜେଡି ମଧ୍ୟ ଚିନ୍ତା କରୁଛି। ମହେଶ୍ଵର ମହାନ୍ତି ପୁରୀରୁ ହାରିବା ପରେ ମହାରଥିଙ୍କର ବିକଳ୍ପ ବିଷୟରେ ବିଜେଡି ମଧ୍ୟ ଚିନ୍ତିତ। ସେହି ସମୟର ସଦୁପଯୋଗ  ବିଜେପି କରିପାରିବା ଉପରେ ସବୁକିଛି ନିର୍ଭର କରୁଛି।

Categories
ଆଜିର ଖବର

ମାଲକାନଗିରିରେ 84 ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା । ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ଗ୍ରାମରେ ପାଖାପାଖି 50 ଏକର ଜମିରେ ହୋଇଥିବା 84 ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

Categories
ଆଜିର ଖବର

ଜୁଲାଇ ୮ରୁ ଆରମ୍ଭ ହେବ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଚଳିତ ଥରର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଜୁଲାଇ ୮ରୁ ଆରମ୍ଭ ହୋଇ ଜୁଲାଇ ୧୪ରେ ଶେଷ ହେବ। ସକାଳ ୯ଟାରୁ ୧୧ଟା୩୦ ମିନିଟ୍‌ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୮ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ। ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ପାଦକ ରାମାଶିଷ ହାଜାରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ମେ ୨୧ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ପରୀକ୍ଷା ଦେଇଥିବା ମୋଟ୍‌ ୨ ଲକ୍ଷ ୫ ଜହାର ୪୭୦ ଜଣ ଛାତ୍ରୀ ଦଶମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

Categories
ଆଜିର ଖବର

ମୋଦିଙ୍କ ପାଖ ଲୋକ ହେବାକୁ ଚେଷ୍ଟା ଚଳାଇଛନ୍ତି ନବୀନ : ନିରଞ୍ଜନ ପଟ୍ଟନାୟକ

ଆୟୁଷ୍ମାନ ଯୋଜନାକୁ ନେଇ ନବୀନଙ୍କ ସମାଲୋଚନା କରିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିକଟରେ କେନ୍ଦ୍ର ସରକାରଙ୍କ ତରଫରୁ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାକୁ ନେଇ ସଚିବାଳୟରେ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି ଯୋଜନା ସମ୍ପର୍କରେ ବିଶେଷ ଆଲୋଚନା ହୋଇଛି। ତେବେ ଏହାକୁ ନେଇ କଟାକ୍ଷ କରିଛନ୍ତି ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ। ପୂର୍ବରୁ ଏହି ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ନବୀନ ସରକାର ଏବେ ମୋଦିଙ୍କ ପାଖ ଲୋକ ହେବା ପାଇଁ ଏହି ଯୋଜନାକୁ ଆପାଣାଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ନିଜ ଯୋଜନା ପାଇଁ ଫାଣ୍ଠିର ଅଭାବ ରହିଛି ବୋଲି ମଧ୍ୟ କହିଛନ୍ତି ନିରଞ୍ଜନ।

Categories
ଆଜିର ଖବର

ଆରମ୍ଭ ହେଲା ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା : ଆବେଦନର ଶେଷ ତାରିଖ ଜୁନ୍‌ ୨୦

ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଗୁରୁବାରଠାରୁ ଆରମ୍ଭ ହୋଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ଛାତ୍ରଛାତ୍ରୀମାନେ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଅଫ୍‌ଲାଇନ୍‌ରେ କୌଣସି ଫର୍ମ ଗ୍ରହଣ କରାଯିବ ନାହିଁ। ଫର୍ମ ପୂରଣ କରିବା ପୂର୍ବରୁ କମନ ଆପ୍ଲିକେସନ୍‌ ଫର୍ମକୁ ଭଲଭାବେ ପଢ଼ି ପୂରଣ କରିବାକୁ ପରାମର୍ଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟରେ ଥିବା ୧୬ ଶହରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ଆବେଦନ କରିପାରିବେ। ଉଭୟ ସରକାରୀ ଏବଂ ପ୍ରାଇଭେଟ କଲେଜରେ ନାମଲେଖା ପାଇଁ ପ୍ରକ୍ରିୟା ସମାନ ରହିଛି।  ପୂର୍ବାହ୍ନ ୧୧ଟାରୁ www.samodisha.gov.inରେ ଫର୍ମ ଉପଲବ୍ଧ ହୋଇଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ନାମଲେଖା ପାଇଁ ଆବେଦନ କରାଯାଇପାରିବ। ଅନଲାଇନ ଆବେଦନର ଶେଷ ତାରିଖ ଜୁନ ୨୦ ଥିବା ବେଳେ ଅଫଲାଇନ ପାଇଁ ସମୟସୀମା ଜୁନ ୨୧ ରହିଛି।

Categories
ବିଶେଷ ଖବର

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭବିଷ୍ୟବାଣୀ, 2024ରେ ମଧ୍ୟ ବିଜେଡି ଓଡିଶାରେ ଷଷ୍ଠ ଥର ପାଇଁ ଶାସନ କରିବ

ସମୀକ୍ଷା ବ୍ୟୁରୋ

ପଞ୍ଚମ ଥର ପାଇଁ ନୁହେଁ, 2024 ରେ ଯେଉଁ ନିର୍ବାଚନ ହେବ ସେଥିରେ ବିଜେଡି ବିପୁଳ ଭୋଟର ବିଜୟ ହୋଇ ଷଷ୍ଠ ଥର ପାଇଁ ଓଡିଶାରେ ଶାସନ କରିବ। ଏହା କୌଣସି ନେତାଙ୍କ ବାଣୀ ନୁହେଁ। ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’ ଟିଭିକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଯେତେ କଲେ ମଧ୍ୟ ଓଡିଶାରେ ଶାସନ କରିପାରିବ ନାହିଁ। ବର୍ତ୍ତମାନ ଓଡିଶାରେ ବିଜେପିର ଯାହା ବୃଦ୍ଧି ଘଟିଛି ତାହା କଂଗ୍ରେସ ଭୋଟ। ଓଡିଶାରେ କଂଗ୍ରେସ ଭୁଷୁଡି ପଡିବାରୁ ସେହି ଭୋଟ ବିଜେପି ହାତେଇ ନେଲା। ଗତ ନିର୍ବାଚନଠାରୁ ଏଥର ବିଜେଡିର ଭୋଟ ହାର 2 ପ୍ରତିଶତ ବୃଦ୍ଧି ପାଇଛି। ବିଜେପି କୋତେଟି ସାଂସଦ ଆସନ ନେଇଛି ଅର୍ଥ ନୁହେଁ ବିଜେଡି ଭୋଟ ହ୍ରାସ ପାଇଛି। ହେଲେ ବିଜେପି ଓଡିଶାରେ ଲଢେଇ କରିବାରେ ସକ୍ଷମ ହୋଇଛି, ମାତ୍ର ଏହି ଦଳ ଓଡିଶାରେ ଆଉ ଆଗକୁ ଯାଇପାରିବ ନାହିଁ ବୋଲି ନବୀନ ପରୋକ୍ଷରେ ଇସାରା ଦେଇଛନ୍ତି।

ସାରା ଦେଶର ମୋଦି ଲହର ପାଇଁ ବିଭିନ୍ନ ଆଞ୍ଚଳିକ ଦଳ ଭୁଷିଡି ପଡିଛି। ହେଲେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନବୀନ ହାୱାରେ ମୋଦି ଲହର କାମ ଦେଇପାରି ନାହିଁ। ପଶ୍ଚିମ ବଂଗରେ ମମତାଠାରୁ ଆରମ୍ଭ କରି ଚନ୍ଦ୍ରବାବୁ ନାଇଡୁ ପର୍ଯ୍ୟନ୍ତ ମୋଦି ଲହରକୁ ରୋକିବାର ସକ୍ଷମ ହୋଇପାରି ନାହାଁନ୍ତି। ହେଲେ ନବୀନଙ୍କ ଏପରି ବିଜୟ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟି ଯାଇଛି। ଓଡିଶାରେ କଣ ପାଇଁ ମୋଦି ଲହର କାମ ଦେଲା ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ, କେବେଳ ଜନହିତକର କାମ ମୁଖ୍ୟ ସଫଳତା। ଓଡିଶାରେ ଯେପରି ଜନ କଲ୍ୟାଣ କାର୍ଯ୍ୟ କରାଯାଇଛି ସେଥିରେ କୌଣସି ଶକ୍ତି ବିଜେଡିକୁ ରୋକିପାରିବ ନାହିଁ। ଆସନ୍ତା ବର୍ଷଗୁଡିକରେ ଏହି କାର୍ଯ୍ୟକୁ ଆହୁରି ବୃଦ୍ଧି କରାଯିବ ବୋଲି ନବୀନ କହିଛନ୍ତି। ବର୍ତ୍ତମାନ କଂଗ୍ରେସର ଅବସ୍ଥା ସଂପର୍କରେ ନବୀନ କହିଛନ୍ତି ଯେ, ଦେଶରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଆସିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିବ।

ବର୍ତ୍ତମାନ ବିଜେଡିରୁ ବହୁ ନେତା ଦଳ ଛାଡିଥିବାରୁ ଏହା ଦ୍ବାରା ଦଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ନବୀନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ନିର୍ବାଚନ ସମୟରେ କେତେକ ଟିକେଟ ନ ପାଇବାରୁ ଦଳ ଛାଡିଛନ୍ତି। ଆଉ କେତେକଙ୍କୁ ଦଳ ବହିସ୍କାର କରିଛି। ହେଲେ ଏହା ଦ୍ବାରା ବିଜେଡିର କୌଣସି କ୍ଷତି ହୋଇ ନାହିଁ କି ଭବିଷ୍ୟତରେ କିଛି କ୍ଷତି ହେବାର ନାହିଁ ବୋଲି ନବୀନ ରୋକଠୋକ କହିଛନ୍ତି। ମୁଖ୍ୟତଃ ଜାତୀୟ ଗଣମାଧ୍ୟମ ବୈଜୟନ୍ତ ପଣ୍ଡାଙ୍କ ବହିସ୍କାରକୁ ଲକ୍ଷ କରି ଏହି ପ୍ରଶ୍ନ ପଚାରିଥିବାର ଜଣାପାଡିଛି।

ସେହିପରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଏକ ପ୍ରଶ୍ନ ଉତ୍ତରରେ ନବୀନ କହିଛନ୍ତି ଯେ, ବିଜେଡି ଦଳରୁ କେହି ଜଣେ ଉତ୍ତରାଧିକାରୀ ହେବେ। ହେଲେ ତାଙ୍କୁ ଓଡିଶାର ଜନସଧାରଣ ବାଛିବେ ବୋଲି ନବୀନ ସ୍ପଷ୍ଟ କରିଛନ୍ତି। ଦୀର୍ଘ ଦିନ ଧରି ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ବୋଲି ଆଲୋଚନା ଚାଲିଛି। ଅନେକ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିଜେଡିର ଉତ୍ତରାଧିକାରୀ ହେବେ ବୋଲି କହୁଛନ୍ତି। ହେଲେ ନବୀନ ସେ କଥାକୁ ସଂପୂର୍ଣ୍ଣ ଭାବେ ଏଡେଇ ଯାଇଛନ୍ତି। ତାଙ୍କ ଉତ୍ତରାଧିକାରୀ ଓଡିଶାର ଜନସାଧାରଣ ବାଛିବେ ବୋଲି ନବୀନ କହିଛନ୍ତି। ବିଜେଡିର ବିପୁଳ ବିଜୟ ପରେ ଏହା ହେଉଛି ନବୀନଙ୍କ ପ୍ରଥମ ସାକ୍ଷାତକାର।

Categories
ଆଜିର ଖବର

ସପ୍ତଦଶ ଲୋକସଭାର କନିଷ୍ଠ ସଦସ୍ୟ ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର ଆସନରୁ ବିଜୁ ଜନତା ଦଳର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁ ଦେଶର କନିଷ୍ଠତମ ସାଂସଦ ହେବାର ଗୌରବ ହାସଲ କରିଛନ୍ତି। ୨୫ ବର୍ଷ ବୟସ୍କା ଏହି ଇଞ୍ଜିନିୟରିଂ ସ୍ନାତକ ଜଣକ ବିଜେପିର ଅନନ୍ତ ନାୟକଙ୍କୁ ପରାସ୍ତ କରି ସଂସଦକୁ ନିର୍ବାଚିତ ହୋଇଛନ୍ତି। ୨୫ ବର୍ଷ ୧୧ ମାସ ଏବଂ ୯ ଦିନର ଏହି ଯୁବତୀ ଜଣକ ବିଜେପିର ଅନନ୍ତ ନାୟକଙ୍କୁ ୬୬ ହଜାର ୨୦୩ ଭୋଟରେ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହେବା ସହିତ ଦେଶର କନିଷ୍ଠ ସାଂସଦ ହେବାର ଗୌରବ ହାସଲ କରିଛନ୍ତି। ଖଣିଜ ପଦାର୍ଥରେ ଭରପୁର କେନ୍ଦୁଝରରୁ ଆସିଥିବା ମୁର୍ମୁ ବେକାରୀ ସମସ୍ୟା ଦୂରୀକରଣ ତାଙ୍କର ପ୍ରାଥମିକ ଲକ୍ଷ୍ୟ ବୋଲି କହିଛନ୍ତି। ନିଜ ନିର୍ବାଚନ ମଣ୍ଡଳରେ ଶିଳ୍ପ ସ୍ଥାପନର ସୁଯୋଗ ମିଳିଲେ ଏହାକୁ ହାତଛଡା କରିବି ନାହିଁ ବୋଲି ମୁର୍ମୁ କହିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଗତ ଦୁଇଥର ଧରି ବିଜୟୀ ହୋଇଛି।

Categories
ଆଜିର ଖବର

ତାପମାତ୍ରା ଅସହ୍ୟ : ରାଜ୍ୟର ୯ଟି ଜିଲ୍ଲାକୁ ହିଟ୍‌ ଓ୍ବେଭ୍‌ ସତର୍କ ସୂଚନା

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରାରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ଗତକାଲି ରାଜ୍ୟର ଦୁଇଟି ସହର ଟିଟିଲାଗଡ ଏବଂ ବଲାଙ୍ଗୀରରେ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ମିଳିଛି। ଏହି ସ୍ଥିତିକୁ ନଜରରେ ରଖି ୯ଟି ଜିଲ୍ଲାରେ ହିଟ୍ ୱେଭ୍ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ ସମେତ ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, ବରଗଡ, ସୋନପୁର, ବଲାଙ୍ଗୀର ଏବଂ ନୂଆପଡାରେ ଏହି ସତର୍କ ସୂଚନା ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ଆସନ୍ତା ୪ଦିନ ଯାଏଁ ପ୍ରବଳ ତାତି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।

Categories
ଆଜିର ଖବର

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶିତ : ପାଶ୍‌ ହାର ୭୦.୭୮

ଆଜି ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ମଙ୍ଗଳବାର ସକାଳ କଟକ ବୋର୍ଡ କାର୍ଯ୍ୟାଳୟରୁ ଏହି ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଦଶମ ଶ୍ରେଣୀ ନିମନ୍ତେ ପାଶ୍‌ ହାର ୭୦.୭୮ ପ୍ରତିଶତ ରହିଛି। ରେଗୁଲାରରେ ପାଶ୍‌ ହାର ୭୨.୩୫  ରହିଥିବା ବେଳେ ଏକ୍ସ ରେଗୁଲାରରେ ୩୭.୪୩ ପ୍ରତିଶତ ରହିଛି। ଚଳିତ ଥର ୫ ଲକ୍ଷ ୮୭ ହଜାର ୭୮୦ ପରୀକ୍ଷାର୍ଥୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ରେଗୁଲାର ଶ୍ରେଣୀରେ ଏ-୧ ରେ୧୧୮୦ , ଏ-୨ରେ ୯୯୩୮, ବି-୧ ରେ ୨୪୯୯୧ , ବି-୨ରେ ୪୬୩୧୯, ସି ରେ ୭୬  ହଜାର ୧୩୯  ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଶ୍‌ ହାର ଗତବର୍ଷ ତୁଳନାରେ ୫.୨୮  ପ୍ରତିଶତ ହ୍ରାସ ପାଇଛି। ଝାରସୁଗୁଡାରେ ପାଶ ହାର ସର୍ବାଧିକ ରହିଥିବା ବେଳେ କୋରାପୁଟରେ ଏହି ହାର ସର୍ବନିମ୍ନ ରହିଛି। ଝାରସୁଗୁଡାରେ ପାଶ ହାର ୮୫.୪୮ ରହିଥିବା ବେଳେ କୋରାପୁଟରେ ୫୦.୬୧  ପ୍ରତିଶତର ପାଶ୍‌ ହାର ରହିଛି। ୨୮୯  ଟି ସ୍କୁଲ୍‌ରେ ଶତ ପ୍ରତିଶତ ପାଶ୍‌ ହାର ରହିଛି। ୮୨ଟି ସ୍କୁଲର ଜଣେବି ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇନଥିବା ବେଳେ ଖରାପ ପ୍ରଦର୍ଶନ କରିଥିବା ବିଦ୍ୟାଳୟର ଶିକ୍ଷକଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ପ୍ରକାଶ କରିଛନ୍ତି। ମୂଲ୍ୟାୟନର ପୁନଃ ଯାଞ୍ଚ ପ୍ରକ୍ରିୟା ନିମନ୍ତେ ଆସନ୍ତା ୧୦  ଦିନ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରାଯିବ ବୋଲି ଜଣା ପଡିଛି । ମଧ୍ୟମାରେ ପାଶ୍‌ ହାର ୮୪.୬୨  ରହିଛି। ସେହିପରି ମଧ୍ୟମାରେ ୩୫୬୩  ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୦୧୫  ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଧ୍ୟମାର ଛାତ୍ର ଛାତ୍ରୀ ମାନେ ମୂଲ୍ୟାୟନ ଯାଞ୍ଚ ନିମନ୍ତେ ଆସନ୍ତା ୨୪  ତାରିଖରୁ ଅଫ୍‌ଲାଇନ୍‌ରେ ଆବେଦନ କରିପାରିବେ।

ମାଟ୍ରିକ୍‌ ରେଜଲ୍ଟ ପାଇଁ ଉପଲବ୍ଧ ଓ୍ବେବସାଇଟ୍‌ : www.bseodisha.ac.in, www.bseodisha.nic.in

ମାଟ୍ରିକ୍‌ ରେଜଲ୍ଟ ପାଇଁ SMS ନମ୍ବର : ୫ ୬୭ ୬୭ ୫୦

(OR 10 ସ୍ପେସ୍‌ ଦେଇ ନିଜର ରୋଲନମ୍ବର ଲେଖି ଉପରୋକ୍ତ ନମ୍ବରକୁ ମେସେଜ୍‌ ପଠାଇ ପରୀକ୍ଷା ଫଳ ଜାଣିପାରିବେ।)