Categories
ବିଶେଷ ଖବର

ମୋଦି ନୁହଁନ୍ତି, ପୁରୀରୁ ଛିଡା ହେବେ ସମ୍ବିତ ପାତ୍ର, ବିଜେପିର ୨ୟ ପ୍ରାର୍ଥୀ ତାଲିକାରେ ଓଡିଶାର ୫ଲୋକସଭା ଏବଂ ୨୨ବିଧାନସଭା ଆସନ ପାଇଁ ଘୋଷଣା ହେଲା ନାମ

ସମୀକ୍ଷା ବ୍ୟୁରୋ

ବିଜେପି ପୁଣିଥରେ ବିଳମ୍ବିତ ରାତିରେ ପ୍ରକାଶ କରିଛି ତାହାର ପ୍ରାର୍ଥୀ ତାଲିକା। ସିଇସି ବୈଠକରେ ଆନ୍ଦ୍ରପ୍ରଦେଶ, ଆସାମ, ମହାରାଷ୍ଟ୍ର, ମେଘାଳୟ ଏବଂ ଓଡିଶାର ୩୬ ଜଣ ନାମ ପ୍ରକାଶ ପାଇଛି। ଓଡିଶାର ୫ଲୋକସଭା ସହିତ ୨୨ଟି ବିଧାନସଭାର ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି। ଯେଉଁ ୫ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ସେମାନେ ହେଲେ

ପୁରୀ-ସମ୍ବିତ ପାତ୍ର

ବରଗଡ-ସୁରେଶ ପୂଜାରୀ

କଳାହାଣ୍ଡି-ବସନ୍ତ କୁମାର ପଣ୍ଡା

ସମ୍ବଲପୁର-ନିତେଶ ଗଙ୍ଗଦେବ

କୋରାପୁଟ-ଜୟରାମ ପାଙ୍ଗୀ

ଯେଉଁ ୨୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କରିଛି ସେଗୁଡିକ ହେଲା

ଭଟଲୀ ସାଧାରଣ ଇରାଶୀଷ ଆଚାର୍ଯ୍ୟ
ଦେବଗଡ଼ ସାଧାରଣ ସୁବାସ ପାଣିଗ୍ରାହୀ
ବୀରମହାରାଜପୁର ଦଳିତ ରଘୁନାଥ ଜଗଲ
ସୋନପୁର ସାଧାରଣ ଅଶୋକ ପୂଜାର
ବଲାଙ୍ଗୀର ସାଧାରଣ ଅନନ୍ତ ଦାସ
ନୂଆପଡ଼ା ସାଧାରଣ ହୋମସିଂହ ମାଝି
ଝରିଗ୍ରାମ ଆଦିବାସୀ ପର୍ଶୁରାମ ମାଝି
ଡାବୁଗାଁ ଆଦିବାସୀ ପଦ୍ମନ ନାୟକ
ଭବାନୀପାଟଣା ଦଳିତ ପ୍ରଦୀପ ନାୟକ
ଦଶପଲ୍ଲା ଦଳିତ ପୂଣ୍ଣଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର ସାଧାରଣ ରଞ୍ଜନ ପଲାଇ
ଛତ୍ରପୁର ଦଳିତ ପ୍ରଶାନ୍ତ କର
ଆସ୍କା ସାଧାରଣ ଦେବରାଜ ମହାନ୍ତି
ସୋରଡ଼ା ସାଧାରଣ ନୀଳମଣି ବିଶୋଇ
ବ୍ରହ୍ମପୁର ସାଧାରଣ କାହ୍ନୁ ପତି
ଦିଗପହଣ୍ଡି ସାଧାରଣ ପିଙ୍କି ପ୍ରଧାନ
ମୋହହନା ଆଦିବାସୀ ପ୍ରଶାନ୍ତ ମଲ୍ଲିକ
ଗୁଣୁପୁର ଆଦିବାସୀ ଶିଶିର ଗମାଙ୍ଗ
ରାୟଗଡ଼ା ଆଦିବାସୀ ବସନ୍ତ ଉଲାକା
ଜୟପୁର ସାଧାରଣ ଗୌତମ ସାମନ୍ତରାୟ
କୋରାପୁଟ ଦଳିତ ତ୍ରିପୁରା ଗରଡ଼ା
ଚିତ୍ରକୋଣ୍ଡା ଆଦିବାସୀ ପଦୁ ମାଝି

 

Categories
ଆଜିର ଖବର

୪୦ଜଣିଆ ଷ୍ଟାରପ୍ରଚାରକ ତାଲିକା ଜାରି କଲା ରାଜ୍ୟ ବିଜେପି

୨୦୧୯ ସାଧାରଣ ନିର୍ବାଚନର ଉଷ୍ମତା ଧିରେ ଧିରେ ସାରା ଦେଶରେ ବଢିବାରେ ଲାଗିଛି। ଓଡିଶାରେ ମଧ୍ୟ ସବୁ ଦଳ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଉଦ୍ୟମ ଆରମ୍ଭ କରିସାରିଲେଣି। ବିଜେଡ଼ି ଏବଂ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରି ପ୍ରଥମ ଆଉ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, ବିଜେପି କିନ୍ତୁ ପଛରେ ରହିଯାଇଛି। ବିଜେପି ଏ ପର୍ଯ୍ୟନ୍ତ ତାହାର ପ୍ରାର୍ଥୀ ତାଲିକା ଘୋଷଣା କରିପାରିନି। କିନ୍ତୁ ଏହି ନିର୍ବାଚନ ପାଇଁ ବିଜେପି ତାହାର ଷ୍ଟାର ପ୍ରଚାରକଙ୍କ ତାଲିକା ଆଜି ପ୍ରସ୍ତୁତ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଓଡିଶାର ବହୁ ପୁରୁଖା ନେତାଙ୍କ ନାମ ରହିଛି। ସେମାନେ ହେଲେ ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ, ପ୍ରକାଶ ଜାବେଦକର, ସ୍ମୃତି ଇରାନୀ, ହେମା ମାଳିନୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ରମଣ ସିଂହ, ଶିବରାଜ ସିଂହ ଚୌହାନ ପ୍ରମୁଖ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେହିପରି ଓଡିଶାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବଭୂଷଣ ହରିଚନ୍ଦନ, ସମ୍ବିତ ପାତ୍ର, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ,କେଭି ସିଂହ ଦେଓ, ଜୁଏଲ ଓରାମ, ଓଡିଆ ଚିତ୍ରତାରକ ମିହିର ଦାସ, ମହେଶ୍ଵତା, ଅପରାଜିତା, ଅନୁ ଚୌଧୁରୀ, ଶ୍ରୀତମ ଦାସ ପ୍ରଭୃତି ଷ୍ଟାରପ୍ରଚାରକ ଏହି ତାଲିକାରେ ସାମିଲ ହୋଇଛନ୍ତି।

 

Categories
ଆଜିର ଖବର

ପ୍ରଥମ ପର୍ୟାୟ ଭୋଟ ପାଇଁ ବିଜେଡ଼ି ଲୋକସଭା ପ୍ରାର୍ଥୀ ଘୋଷିତ

ପ୍ରଥମ ପର୍ଯ୍ୟାୟରେ ବିଜେଡି ତରଫରୁ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ପାଇଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି। ବ୍ରହ୍ମପୁର ରୁ ଚନ୍ଦ୍ରଶେଖର ସାହୁ, ନବରଙ୍ଗପୁର ରୁ ରମେଶ ଚନ୍ଦ୍ର ମାଝି, କଳାହାଣ୍ଡି ରୁ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ କୋରାପୁଟ ରୁ କୌଶଲ୍ୟା ହିକକାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି।

Categories
ଆଜିର ଖବର

ସିପ୍ଆଇଏମ୍ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷିତ , ଭୁବନେଶ୍ୱରରୁ ଜନାର୍ଦ୍ଦନ ପତି

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପ୍ରଥମ ତାଲିକାରେ ସିପିଆଇଏମ୍‌ ପକ୍ଷରୁ ୪୫ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ୨୦୧୯ ସାଧାରଣ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଚାଲିଛି ଜୋର୍‌ଦାର ରାଜନୀତି ଓ ସମୀକରଣ। ଏହି ପରିପ୍ରେକ୍ଷିରେ ସିପିଆଇଏମ୍ ତାର ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭୁବନେଶ୍ୱର ଲୋକସଭା ଆସନକୁ ମଧ୍ୟ ସ୍ଥାନ ଦିଆଯାଇଛି। ପ୍ରକାଶିତ ତାଲିକା ଅନୁଯାୟୀ, ଭୁବନେଶ୍ୱରରୁ ଜନାର୍ଦ୍ଦନ ପତିଙ୍କୁ ଭୁବେନଶ୍ବରର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବିଜେପି, ବିଜେଡ଼ି ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ଜନାର୍ଦ୍ଦନ କହିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ବେକାରୀ, ଦଳିତ, ମହିଳା ଓ ସ୍ମାର୍ଟ ଆଦି ନିର୍ବାଚନୀ ବିଷୟକୁ ଧ୍ୟାନରେ ରଖି ନିର୍ବାଚନ ଲଢିବେ ବୋଲି କହିଛନ୍ତି ଜନାର୍ଦ୍ଦନ।  କଂଗ୍ରେସ ସହ ଅନ୍ୟ ବାମପନ୍ଥୀ ଶକ୍ତିମାନେ ତାଙ୍କୁ ଶକ୍ତି ଯୋଗାଇବେ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର

ବୈଜୟନ୍ତଙ୍କ ଶକ୍ତି ବୃଦ୍ଧିରେ ଓଡିଶା ଭାରତୀୟ ଜନତା ପାର୍ଟିର ପରବର୍ତ୍ତି ସ୍ଥିତି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଗ୍ୟ ଓ ଭବିଷ୍ୟତ।

ସମୀକ୍ଷା ବ୍ୟୁରୋ

ବୈଜୟନ୍ତ ପଣ୍ଡା ବିଜେପିର ଜାତୀୟ  ଉପସଭାପତି  ଓ ମୁଖପାତ୍ର ଭାବେ ନିୟୁକ୍ତି ପାଇବା ପରେ ଓଡିଶାରେ ବିଜେପିର ସମୀକରଣ ବଦଳିବାକୁ ଯାଉଛି ।  କେନ୍ଦ୍ରୀୟ ନେତୃତ୍ବ ବୈଜୟନ୍ତଙ୍କୁ ଯେ ଅଧିକ ଗୁରୁତ୍ବ ଦେଉଛି, ତାହା ଆଉ ଅଛପା ହୋଇ ରହିନାହିଁ । ଆବଶ୍ୟକତା ଠାରୁ ବୈଜୟନ୍ତଙ୍କୁ ଅଧିକ ଗୁରୁତ୍ଭ ହିଁ  ତାଙ୍କୁ ଚର୍ଚ୍ଚାର ପରିସର ଭିତରକୁ ଟାଣିନେଇଛି। ବୈଜୟନ୍ତ ଏବେ  ରାଜ୍ୟରେ ବିଜେପିର  ନୂଆ ମୁହଁ ବୋଲି ଦଳ ଭିତରେ ଚର୍ଚ୍ଚା ହେଉଛି । ଅର୍ଥାତ ବୈଜୟନ୍ତ ବିଜେପିର ମୁଖ୍ୟମନ୍ତ୍ରୀ ପଦ  ରେସରେ ସାମିଲ ହୋଇଛନ୍ତି ।

୬ ମାସ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦଳ ଭିତରେ ଓ ବାହାରେ ଏକ ଧାରଣା ସୃଷ୍ଟି ହୋଇଥିଲା। ତେବେ ଆଇଏଏସ ଚାକିରି ଛାଡି ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବାପରେ  ସେ ମୁଖ୍ୟମନ୍ତ୍ରୀ ହେବା ଆଶାରେ ଦଳରେ ଯୋଗ ଦେଇଛନ୍ତି ବୋଲି  ଆଲୋଚନା ହେଲା। ଏହା ପରେ ବିଜେପି ନେତାମାନେ  ଅପରାଜିତାଙ୍କ ନିକଟତର ହେବାକୁ ଚେଷ୍ଟା କଲେ। ଅପରାଜିତା ବି ଦଳର କର୍ମୀମାନଙ୍କୁ ଅମୁକ ଭାଇ ସମୁକ ଭାଇ ଛାଡି ଦଳ ପାଇଁ କାମ କରିବାକୁ ତାଗିଦ କଲେ। ଧାରଣା ସୃଷ୍ଟି ହେଲା ଯେ, ଅପରାଜିତା ହିଁ ଦଳରେ କ୍ଷମତା କେନ୍ଦ୍ର ହେବାକୁ ଯାଉଛନ୍ତି। ଧର୍ମେନ୍ଦ୍ରଙ୍କ  ପତିଆରା କମୁଥିବା ନେଇ କର୍ମୀମାନେ ଖୋଲାଖୋଲି ଆଲୋଚନା କଲେ।

ଏପରିକି ନିର୍ବାଚନ ମଣ୍ଡଳୀ  ସ୍ତରର ନେତାମାନେ ପୋଷ୍ଟର ବ୍ୟାନରରେ ଅନ୍ୟ ନେତାଙ୍କ ସହ ଅପରାଜିତାଙ୍କ ଫଟୋ ମଧ୍ୟ ଲଗାଇବାକୁ ପଛାଇଲେ ନାହିଁ । ଅପରାଜିତା ଦଲର ଫେସ ବୋଲି  ବାର୍ତ୍ତା ଦିଆଗଲା। ବିଜେପି କର୍ମୀମାନଙ୍କ ଯୁକ୍ତି ଥିଲା ,ଏଥର ନିର୍ବାଚନରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଭଲ  କାମ କରିବ । ଏବେ ଏଭଳି ଯୁକ୍ତି ଆଉ ଶୁଣିବାକୁ ମିଳୁନାହିଁ । ଅପରାଜିତା ତାଙ୍କର ରାଜନୈତିକ କାର୍ଯ୍ୟକଳାପ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ରଖିଛନ୍ତି। ଯଦି ସେ ଲୋକସଭା ପ୍ରାର୍ଥୀ ହୁଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ରହିବେ ନାହିଁ। ସେ ବିଧାନସଭା ପାଇଁ ପ୍ରାର୍ଥୀ ହେଲେ, ମୁଖ୍ୟମନ୍ତ୍ରୀ ପଦ ପାଇଁ  ଦାବିଦାର ହେବେ। ଅପରାଜିତା ଆସିବା ପରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ ଦଳରେ କିଛିଟା କମିଛି।

ଏଭଳି ସ୍ଥିତିରେ ବୈଜୟନ୍ତ ପଣ୍ଡା ଦଳରେ ପ୍ରବେଶ କରି ଜାତୀୟ ଉପସଭାପତି  ଓ ମୁଖପାତ୍ର ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ହାସଲ କରିଛନ୍ତି । ଓଡିଶାର କୌଣସି ବିଜେପି ନେତାଙ୍କୁ ଦଳରେ ଯୋଗଦେବା ମାତ୍ରେ ଜାତୀୟ ସ୍ତରରେ ବଡ ପଦବୀ ମିଳିନଥିଲା। ତେବେ ମୁଖପାତ୍ର ପଦବୀ ଦେଇ ଦଳ ଅନେକ ପ୍ରଶ୍ନ ମଧ୍ୟ ଛିଡା କରାଇଛି । ନିର୍ବାଚନ ସମୟରେ ମୁଖପାତ୍ର ହିସାବରେ ବିଭିନ୍ନ ବିିତର୍କରେ ବୈଜୟନ୍ତଙ୍କୁ ଅଧିକ ସମୟ ଦେବାକୁ ପଡିବ । ତେଣୁ  ସେ ନିର୍ବାଚନ ଲଢିବେ କି  ନାହିଁ , ତାହା ଜଣା ପଡିନାହିଁ। ତେବେ ସେ ଯେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ସେ ନେଇ ଚର୍ଚ୍ଚା ଚାଲିଛି । ବିଜେପିର ରଣନୀତି ଓ ଆଭିମୁଖ୍ୟ କଣ ହେବ, ତାହା ମଧ୍ୟ ସ୍ପଷ୍ଟ ହୋଇନାହି। ସେ ଯାହା ହେଉନା କାହିଁକି , ଦଳ ଭିତରେ ବୈଜୟନ୍ତ ଏବେ  ନିଜର ପତିଆରା ଜାହିର କରିବେ। ବୈଜୟନ୍ତଙ୍କ ଯୋଗଦାନ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି ।ଆଗକୁ ଦଳ କାହା ଇଶାରାରେ ଚାଲିବ, ଧର୍ମେନ୍ଦ୍ର, ବୈଜୟନ୍ତ ନା ଅପରାଜିତା । ଏମିତି ଏକ  ସ୍ଥିତିରେ  କର୍ମୀମାନେ ଦ୍ବନ୍ଦ୍ବରେ ପଡିବା ସ୍ବାଭାବିକ। ପୂର୍ବରୁ ଦଳ କହି ଆସିଛି  ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳରେ  ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି । ଏବେ ଏହି ରେସରେ ପୁଣି ଦୁଇଜଣ ଯୋଡି ହୋଇଛନ୍ତି । ଏହା ଆଗକୁ ଦଳକୁ ଶକ୍ତିଶାଳୀ କରିବାରେ ସହାୟକ ହେବ ନା ବିଭିନ୍ନ ଗୋଷ୍ଠୀରେ ଭାଗ ଭାଗ କରିଦେବ, ତାହା ସମୟ କହିବ। ତା ଉପରେ ନିର୍ଭର କରିବ ଦଳର ଭବିଷ୍ୟତ ।

Categories
ଆଜିର ଖବର

ଓଡ଼ିଶାର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ  : ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହର

ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଓଡ଼ିଶାର ବ୍ରହ୍ମପୁର ସ୍ୱଚ୍ଛ ସହର ରୂପେ ଆଗରେ ରହିଛି । ୨୧୬ ସ୍ଥାନରେ ଅଛି ବ୍ରହ୍ମପୁର । ପୂର୍ବରୁ ୩୦୫ ସ୍ଥାନରେ ରହିଥିଲା ବ୍ରହ୍ମପୁର । ଭୁବନେଶ୍ୱର ଏହି ତାଲିକାରେ ସ୍ୱଚ୍ଛ ସହର ଭାବେ ୨୮୮ ସ୍ଥାନରେ ରହି  ଦ୍ୱିତୀୟରେ ରହିଛି । ପୂର୍ବରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ୨୪୫ ସ୍ଥାନରେ ରହିଥିଲା । ଏହି କ୍ରମରେ ତାଲିକାରେ ତୃତୀୟରେ ବାଲେଶ୍ୱର ,ଚତୁର୍ଥରେ ବାରିପଦା, ପଞ୍ଚମରେ ସମ୍ବଲପୁର, ଷଷ୍ଠରେ ପୁରୀ,ସପ୍ତମରେ ରାଉରକେଲା, ଅଷ୍ଟମରେ କଟକ ଏବଂ ନବମରେ ଭଦ୍ରକ ସ୍ଥାନ ପାଇଛି   । ସ୍ମାର୍ଟ ସିଟି ଓ ସହରକୁ ସହରକୁ ସବୁଜ ସୁନ୍ଦର ତଥା ନିର୍ମଳ କରିବା ପାଇଁ ବିଏମ୍‌ସି (ଭୁବନେଶ୍ୱର ମୁନ୍ୟୁସିପାଲିଟି ଅଥରିଟି) ଅନେକଗୁଡ଼ିଏ ପଦକ୍ଷେପ ନେଇଥିବାବେଳେ ଏସବୁ ଭେଳିକି ସଦୃଶ ହୋଇଛି । ନିକଟରେ ପଲିଥିନ୍‌କୁ ବ୍ୟାନ୍‌ କରାଯାଇଥିବାବେଳେ ଭୁବନେଶ୍ୱର ସହରରେ ପଲିଥନ୍‌ର ବହୁଳ ବ୍ୟବହାର କରାଯାଉଛି । ନିୟମକୁ କଡ଼ାକଡ଼ି କରିବା ସହ ବର୍ଷା ଦିନରେ ବର୍ଷା ପାଣି ତଥା ସ୍ବେରାଜ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବା ଦେଖାଯାଉଛି । ଟିକିଏ ବର୍ଷାରେ ଭୁବନେଶ୍ବରର ଅବସ୍ଥା ଏକ ନିପଟ ଗାଁଠାରୁ ମଧ୍ୟ ହୀନ ହୋଇଯାଉଛି । ବିଏମ୍‌ସି ଏସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ସ୍ୱଚ୍ଛ ତାଲିକାରେ ଭୁବନେଶ୍ୱର ଯେ ସ୍ଥାନ ବଢାଇ ପାରିବ, ଏଥିରେ ସନ୍ଦେହ ନାହିଁ ।

Categories
ଆଜିର ଖବର

ମହାନଦୀ ବୈଠକ ବିଫଳ, ମାର୍ଚ୍ଚ ୯ରେ ଚୂଡ଼ାନ୍ତ ଶୁଣାଣୀ

ମହାନଦୀ ଜଳବିବାଦ ମାମଲାର ଆପୋଷ ବୁଝାମଣା ପାଇଁ ବସିଥିବା ବୈଠକ ବିଫଳ ହୋଇଛି। ଦୁଇ ରାଜ୍ୟର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଓଡିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ପୂର୍ବରୁ ହୋଇଛି । ତେବେ ମାର୍ଚ୍ଚ ୯ ତାରିଖରେ ଟ୍ରିବ୍ୟୁନାଲ ଏନେଇ ଚୂଡାନ୍ତ ରାୟ ଶୁଣାଇବେ । ଚୂଡାନ୍ତ ରାୟ ପୂର୍ବରୁ ପରସ୍ପରଙ୍କ ମଧ୍ୟରେ ଆପୋଷ ସମାଧାନ ଲାଗି ଉଭୟ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ । ଅଣମୌସୁମୀରେ ୧.୭୪ ନିୟୁତ କୋଟି ଘନଫୁଟ ଜଳ ଦାବି କରୁଛି ଓଡ଼ିଶା। ପୂର୍ବରୁ ଡିସେମ୍ବର ୧୫ରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଶୁଣାଣି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିଲା । ଏହି ଶୁଣାଣି ସମୟରେ ଛତିଶଗଡ଼ ବେଆଇନ ଭାବେ ମହାନଦୀ ପାଣିକୁ ଅବରୋଧ କରୁଥିବା ଓଡିଶା ନିଜର ଯୁକ୍ତି ଉପସ୍ଥାପନ  କରିଥିଲା ।

Categories
ଆଜିର ଖବର

ଆସନ୍ତା କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା : ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଆସନ୍ତା କାଲିଠାରୁ  ଆରମ୍ଭ ହେବାକୁ ଯାଉଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରୀଛାତ୍ର  ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ପରୀକ୍ଷା ଭଳି ଯେପରି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେ ନେଇ ତ୍ରି-ସ୍ତରୀୟ ସ୍କ୍ବାର୍ଡ ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍‌,ଏବଂ କାଲ୍‌କୁଲେଟର ଆଦି ନେବା ପାଇଁ ବାରଣ ହୋଇଛି। ଏହାସହ ସିସିଟିଭି ମଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ରଉପରେ ନଜର ରଖାଯିବ। ସକାଳ ୯ରେ ପ୍ରଶ୍ନପତ୍ର  ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୨୦୨ଟି ନୋଡାଲ୍‌ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡ଼ି ଯୋଗେ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତି ଜାଣିଶୁଣି ପୁରୁଣା ପ୍ରଶ୍ନପତ୍ର କିମ୍ବା ଗୁଜବ ଭାଇରାଲ୍‌ କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ସହିତ କଠୋର ଦଣ୍ଡ ବିଧାନ କରାଯିବ । ସେହିପରି ପ୍ରଶ୍ନପତ୍ରରେ କେବଳର ପରୀକ୍ଷାର୍ଥୀ ରୋଲ୍‌ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିପାରିବେ ନାହିଁ । ଉଦ୍ଭିଦ ବିଜ୍ଞାନ (ବଟ୍‌ନି) ଏବଂ ପ୍ରାଣୀ ବିଜ୍ଞାନ (ଜୁଲୋଜି) ପରୀକ୍ଷା ମଧ୍ୟରେ ୨୦ ମିନିଟ୍‌ ବ୍ୟବଧାନ ରଖାଯାଇଛି ।  ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ୦୬୭୪-୨୩୦୩୮୦୩, ୨୩୦୦୦୯୯ ଦୁଇଟି ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି ।

Categories
ବିଶେଷ ଖବର ମତାମତ

ଓଡିଶାର ସାମ୍ବାଦିକତା ଓ ବିଜୁ ପଟ୍ଟନାୟକ, ଏକ ଭିନ୍ନ ଆକଳନ

ପ୍ରଶାନ୍ତ ପଟ୍ଟନାୟକ

ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ ଅନ୍ଧାରରେ ରହିଯାଇଛି ।
ସ୍ୱାଧୀନତା ପୂର୍ବରୁ ଏବଂ ପରେ ପରେ ସମ୍ବାଦପତ୍ର ଗଣମାଧ୍ୟମର ଏକମାତ୍ର ଅସ୍ତ୍ର ରୂପେ ଥିବାରୁ ଏବଂ ଜନସାଧାରଣଙ୍କୁ ପ୍ରଭାବିତ କରିବା ଲାଗି ଅନ୍ୟ କୌଣସି ସମ୍ଭାବ୍ୟ ବିକଳ୍ପ ନଥିବାରୁ ବିଶିଷ୍ଟ ବାମପନ୍ଥୀ ନେତା ଓ ସାମ୍ବାଦିକ ଶ୍ରୀ ଏଡେଟାଟା ନାରାୟଣନ୍, ଡ. ଏ.ଭି. ବାଲିଗା, ଅରୁଣା ଅ ।ସଫ ଅଲ୍ଲୀ ପ୍ରମୁଖ ଯେତେବେଳେ ଗୋଟିଏ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରିବା ଲାଗି ଚିନ୍ତା କରିଥିଲେ, ସେମାନଙ୍କ ସହ ସାମିଲ ହୋଇଥିଲେ ବିଜୁ ପଟ୍ଟନାୟକ । ସେ ବ୍ରିଟିଶ ସରକାରଙ୍କ ଅଧିନସ୍ଥ ରୟାଲ ଇଣ୍ଡିଅ ।ନ୍ ଏୟାରଫୋର୍ସରେ ପାଇଲଟ୍ ଥିବା ସମୟରେ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ,ରାମ ମନୋହର ଲୋହିଅ ।, ଅରୁଣା ଅ ।ସଫ ଅଲ୍ଲୀ ପ୍ରମୁଖଙ୍କୁ ଗୋପନରେ ନିରାପଦ ସ୍ଥାନକୁ ନେବା ଅ ।ଣିବା କରି ବହୁ ବିପ୍ଳବୀଙ୍କର ଏକାନ୍ତ ଅ ।ସ୍ଥାଭାଜନ ହୋଇସାରିଥିଲେ । ତେଣୁ ଶ୍ରୀମତି ଅ ।ସଫ୍ ଅଲ୍ଲୀ, ଡ. ବାଲିଗା, ଶ୍ରୀ ନାରାୟଣନ୍ ପ୍ରମୁଖ ବିଜୁଙ୍କ ସହଯୋଗରେ ଦିଲ୍ଲୀର ଓଲଡ୍ ଥିଏଟର ରୋଡ୍ ସ୍ଥିତ ଏକ ଗୋଦାମ ଘରୁ ଦେଶର ପ୍ରଥମ ସମ୍ବାଦ ସାପ୍ତାହିକ ପତ୍ରିକା “ଲିଙ୍କ୍’ ପ୍ରକାଶ ପାଇବା ଲାଗି ବ୍ୟବସ୍ଥା ହୋଇଥିଲା । ସେତେବେଳେ ବିଜୁ ସବୁପ୍ରକାର ସହଯୋଗ କରିବା ସହ ଦିଲ୍ଲୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବହୁତଳ ପ୍ରାସାଦରୁ ଏହି ପତ୍ରିକାଟି ପ୍ରକାଶ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବ ଶୁଣି ଅରୁଣାଜୀ ଏବଂ ଅନ୍ୟମାନେ କହିଥିଲେ ” ତୁମର ଚେହେରା ଯେଭଳି ଉଚ୍ଚ ତୁମର ଚିନ୍ତାଧାରା ସେଭଳି ଉଚ୍ଚ, ମାତ୍ର ଏଥିପାଇଁ ଅ ।ବଶ୍ୟକ ଟଙ୍କା ଅ ।ସିବ କେମିତି ?’ ବିଜୁ ସେତବେଳେ କହିଥିଲେ, “ଇଫ୍ ଦେୟାର ଇଜ୍ ଏ ଉଇଲ, ଦେୟାର ଉଇଲ ବି ଏ ୱେ’ ( ଅ ।ମେ ଇଚ୍ଛା ଓ ଉଦ୍ୟମ କଲେ ପଇସାର ଅ ।ଦୌ ଅଭାବ ରହିବ ନାହିଁ) ।
ସେତେବେଳେ ବିଜୁଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସ ନେପାଳର କାଠମାଣ୍ଡୁ ସମେତ ବିଭିନ୍ନ ସ୍ଥାନକୁ ଯାତ୍ରୀ ଓ ମାଲ ପରିବହନ କରି ବେଶ୍ ଅ ।ଦୃତ ହୋଇଥିଲା । ତେଣୁ ଏହି ଏୟାରଲାଇନ୍ସର ଯୋଗାଯୋଗ ଥିବାର ବ୍ୟକ୍ତିମାନଙ୍କ ଠାରୁ ପ୍ରସ୍ତାବିତ “ଲିଙ୍କ’ ପାଇଁ ସାହାଯ୍ୟ ଓ ସହଯୋଗ ଲୋଡାଯାଇଥିଲା । ସେତେବେଳେ କଳିଙ୍ଗ ଏୟାରଲାଇନ୍ସର ନେପାଳ ଅଫିସ ଦାୟିତ୍ୱରେ ଥିଲେ ଉଚ୍ଚ ଶିକ୍ଷିତ ଓଡିଅ । ଯୁବକ ବଙ୍କିମ ଚନ୍ଦ୍ର ଦାସ । ବିଜୁଙ୍କ ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରକ୍ତି ଏବଂ ସାମ୍ବାଦିକତା ପ୍ରତି ବିଶେଷ ଶ୍ରଦ୍ଧା ଥିବା ହେତୁ ସେ ଏହି ପତ୍ରିକାଟି ପ୍ରକାଶ କରିବା ନିମନ୍ତେ ଗଠିତ ୟୁନାଇଟେଡ୍ ଇଣ୍ଡିଅ । ପିରିଅଡିକାଲସ୍ ପ୍ରା. ଲି.ର ଅଂଶଧନ ବିକ୍ରି କରିବା ଦିଗରେ ଉଦ୍ୟମ ଅ ।ରମ୍ଭ କରିଥିଲେ । ନିଜେ ବିଜୁବାବୁ ଓ ତାଙ୍କର ବନ୍ଧୁମାନେ ମଧ୍ୟ ଏହାର ଅଂଶଧନ ବିକ୍ରିପାଇଁ ଲାଗି ପଡିଥିଲେ । ଏହି ଉଦ୍ୟମରେ ସଫଳ ହେବା ଫଳରେ ଲିଙ୍କ୍ ପତ୍ରିକାଟି ଅ ।ତ୍ମପ୍ରକାଶ କରି କେବଳ ଭାରତରେ ନୁହେଁ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ ଅ ।ଦୃତ ହୋଇଥିଲା । ଇତି ମଧ୍ୟରେ ଦିଲ୍ଲୀର ବାହାଦୂର ଶାହ ଜାଫର ମାର୍ଗଠାରେ ଏକ ଜମି ନେଇ “ଲିଙ୍କ୍ ହାଉସ୍’ ନିର୍ମାଣ କରାଯାଇ ସେହିଠାରୁ ଦୈନିକ “ପ୍ୟାଟ୍ରିୟଟ୍’ ସମ୍ବାଦପତ୍ର ପ୍ରକାଶ ପାଇଁ ମଧ୍ୟ ପଦକ୍ଷେପ ନିଅ ।ଗଲା । ବିଜୁଙ୍କ ସହଧର୍ମିଣୀ ଶ୍ରୀମତି ଜ୍ଞାନ ପଟ୍ଟନାୟକ ସଂପୃକ୍ତ ପ୍ରକାଶନ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶିକା ଭାବରେ ରହିଲେ ।
ପଣ୍ଡିତ ଜବାହାରଲାଲ ନେହେରୁଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ତଥା ଦେଶର ବୈଦେଶିକ ମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଥିବା ଭି.କେ କ୍ରିଷ୍ଣାମେନନ୍, ସମାଜବାଦୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ବହୁ କଂଗ୍ରେସ ନେତା ଏହି ପ୍ରକାଶନ ସଂସ୍ଥାର ଶୁଭଚିନ୍ତକ ଥିଲେ । ଏଡେଟାଟା ନାରାୟଣନ୍ ପ୍ୟାଟ୍ରିୟଟ ଦୈନିକ ଓ ଲିଙ୍କ୍ ସାପ୍ତାହିକର ମୁଖ୍ୟ ସଂପାଦକ ଏବଂ ସୁପରିଚିତ ସମାଜବାଦୀ ସାମ୍ବାଦିକ ପି. ବିଶ୍ୱନାଥ ଏହାର ସଂପାଦକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଦେଶର ପ୍ରଗତିଶୀଳ ଓ ସମାଜବାଦୀ ଚିନ୍ତାଧାରାର ବାର୍ତ୍ତାବହ ଭାବରେ ଏହି ସମ୍ବାଦପତ୍ର ଓ ସାପ୍ତାହିକ ପତ୍ରିକା ଦିଲ୍ଲୀର ରାଜନୀତିକୁ ପ୍ରଭାବିତ କରିବାରେ କେତେକ ପରିମାଣରେ ସଫଳ ହୋଇପାରିଥିଲା ।
ବିଜୁଙ୍କ “ଲିଙ୍କ୍ ହାଉସ୍’ ନିର୍ମାଣର ସ୍ୱପ୍ନକୁ ପ୍ରଥମେ ପ୍ରଥମେ ଅରୁଣାଜୀ ମଧ୍ୟ ବିରୋଧ କରିଥିଲେ । ସେ କହିଥିଲେ, ହାତରେ ଧନ ନଥିବା ସମୟରେ ଏତେବଡ ସ୍ୱପ୍ନ ଦେଖିବା ଉଚିତ ହେବ ନାହିଁ । ମାତ୍ର ବିଜୁ ତାଙ୍କ ସ୍ୱଭାବ ସୁଲଭ ଭଙ୍ଗୀରେ କହୁଥିଲେ, ” ଅରୁଣାଜୀ, ଅ ।ପଣା ଅ ।ଦୌ ହତାଶ ହୁଅନ୍ତୁ ନାହିଁ, ନିଜ ଉପରେ ଓ ମୋ ଭଳି ଅ ।ପଣଙ୍କ ସହ ଥିବା ପ୍ରତିଟି “ସୈନିକ’ ଉପରେ ଅ ।ସ୍ଥା ରଖନ୍ତୁ, ନିଶ୍ଚିତ ଭାବରେ ଏହିଠାରେ “ଟାଇମ୍ସ ଅଫ୍ ଇଣ୍ଡିଅ ।’, “ଇଣ୍ଡିଅ ।ନ୍ ଏକ୍ସପ୍ରେସ୍’ ପ୍ରଭୃତି ସମ୍ବାଦପତ୍ରର କାର୍ଯ୍ୟାଳୟ ନିକଟରେ ଲିଙ୍କ୍ ହାଉସ୍ ମୁଣ୍ଡଟେକି ଛିଡାହେବ ।’
ଏହି ସାମ୍ବାଦିକ ୧୯୬୭ ମସିହା ଠାରୁ ଲିଙ୍କ ଓ ପ୍ୟାଟ୍ରିୟଟ୍ ସହ ସଂପୃକ୍ତ ହେବା ପରେ ଯେତେବେଳେ ଶ୍ରୀମତି ଅ ।ସଫ୍ ଅଲ୍ଲୀଙ୍କ ସହ ଦେଖାହୁଏ ସେ ସବୁବେଳେ ଲିଙ୍କ୍ ହାଉସ୍ ନିର୍ମାଣରେ ବିଜୁଙ୍କ ଅବଦାନ ସଂପର୍କରେ ମନେ ପକାଇ ଏଥିପାଇଁ ତାଙ୍କୁ ପ୍ରଶଂସା କରିବା ସମୟରେ ଯଥେଷ୍ଟ ପରିମାଣରେ ଭାବପ୍ରବଣ ହୋଇଉଠିଥାନ୍ତି ।
ଏହା ତ ଗଲା ଇଂରାଜୀ ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ । ଓଡିଅ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଓଡିଶାରୁ ପ୍ରକାଶ ପାଉଥିବା ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଗଣତନ୍ତ୍ର ପ୍ରଭୃତି ସମ୍ବାଦପତ୍ରଗୁଡିକରେ ବହୁ ଉଚ୍ଚ ଶିକ୍ଷିତ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ପେଶା ପ୍ରତି ଶିକ୍ଷିତ ଯୁବକମାନଙ୍କୁ ଅ ।କର୍ଷିତ କରିବା ଭଳି ଦରମା ମିଳୁନଥିବାରୁ ଅନେକ ଏଥିପ୍ରତି ଅ ।ଗ୍ରହୀ ହେଉନଥିଲେ । ବହୁ କ୍ଷେତ୍ରରେ ଡ. ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ ପ୍ରମୁଖଙ୍କ ଅନୁଗାମୀମାନଙ୍କୁ ଏବଂ ଦଳୀୟ କର୍ମୀମାନଙ୍କୁ ସାମ୍ବାଦିକ ଭାବରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳୁଥିଲା । ସେହି ଦୃଷ୍ଟିରୁ ସାମ୍ବାଦିକତାକୁ ପେଶା ଭାବରେ ଗ୍ରହଣ କରିବା ପାଇଁ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ଅ ।ଗ୍ରହ ପ୍ରକାଶ ପାଉନଥିଲା । ମାତ୍ର, ବିଜୁବାବୁ ଯେତବେଳେ “କଳିଙ୍ଗ’ ସମ୍ବାଦପତ୍ରଟି ପ୍ରକାଶ କରିବା ଲାଗି ସ୍ଥିର କଲେ ସେତେବେଳେ ରାଜ୍ୟର ଜଣାଶୁଣା କବି ଓ ସାହିତ୍ୟିକ ତଥା ବାମପନ୍ଥୀ ନେତା ଶ୍ରୀ ମନମୋହନ ମିଶ୍ରଙ୍କୁ ଏହାର ସଂପାଦକ ଭାବରେ ନିଯୁକ୍ତି ଦେବା ସହ ବିଶିଷ୍ଟ କମ୍ୟୁନିଷ୍ଟ ନେତା ଶ୍ରୀ ବୈଦନାଥ ରଥଙ୍କୁ ଏହାର ଜେନେରାଲ ମ୍ୟାଜେନର ଭାବରେ ନିଯୁକ୍ତି ଦେଇଥିଲେ । ଏହି ସମ୍ବାଦପତ୍ରରେ ପ୍ରଖ୍ୟାତ କବି ଶ୍ରୀ ଜ୍ଞାନେନ୍ଦ୍ର ବର୍ମା, ଶ୍ରୀ ଭାନୁଜୀ ରାଓଙ୍କୁ ମଧ୍ୟ ସମ୍ମାନର ସହ ନିଯୁକ୍ତି ଦିଅ ।ଯାଇଥିଲା । ପରବର୍ତ୍ତୀ କାଳରେ ବିଶିଷ୍ଟ ଔପନାସିକ ଶ୍ରୀ ସୁରେନ୍ଦ୍ର ମହାନ୍ତି ଏହାର ସଂପାଦକ ଭାବରେ ଯୋଗ ଦେଇଥିଲେ । ସେ ସମୟରେ ଘରୋଇ କଲେଜର ଅଧ୍ୟାପକମାନଙ୍କ ଦରମା ମାତ୍ର ଦୁଇଶହ ଷାଠିଏ ଟଙ୍କା ଓ ସରକାରୀ କଲେଜର ଅଧ୍ୟାପକମାନଙ୍କ ଦରମା ଦୁଇଶହ ନବେ ଟଙ୍କାରୁ ଅ ।ରମ୍ଭ ହେଉଥିଲା । ମାତ୍ର ଯେଉଁ ଉଚ୍ଚ ଶିକ୍ଷିତ ଯୁବକମାନେ କଳିଙ୍ଗରେ ସହ ସଂପାଦକ ଭାବରେ ଯୋଗ ଦେଇଥିଲେ ସେମାନଙ୍କୁ ସର୍ବନିମ୍ନ ତିନିଶହ ପଚାଶ ଟଙ୍କା ଦରମା ମିଳିବାରୁ ଶ୍ରୀ ଦୀପକ ମିଶ୍ର, ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ବହୁ ଉଚ୍ଚ ଶିକ୍ଷିତ ଯୁବକ ଅଧ୍ୟାପନାରୁ ଇସ୍ତଫା ଦେଇ କଳିଙ୍ଗ ସମ୍ବାଦପତ୍ରରେ ଯୋଗ ଦେଇଥିଲେ ।
କେବଳ ସେତିକି ନୁହେଁ, “କଳିଙ୍ଗ’କୁ ଏକ ସୁଦୃଶ୍ୟ ଓ ରୁଚିସୁଲଭ ସମ୍ବାଦପତ୍ର ଭାବେ ପ୍ରକାଶ କରିବା ଲାଗି ସେ ସର୍ବଦା ଚେଷ୍ଟିତ ଥିଲେ । ଫଳରେ କଳିଙ୍ଗ ଏକାଧିକବାର ସୁଦୃଶ୍ୟ ସମ୍ବାଦପତ୍ର ଭାବରେ ଜାତୀୟ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଥିଲା ।
ସାମ୍ବାଦିକ ମାନଙ୍କୁ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଦେବା ଲାଗି ବିଜୁ କେବେ ହେଲେ କୁଣ୍ଠିତ ନଥିଲେ । ସମ୍ବାଦିକ ସମ୍ମିଳନୀ ସମୟରେ ସେ ରୁଚିଶୀଳ ଖାଦ୍ୟପେୟ ପରିବେଷଣ କରିବା ଲାଗି ବ୍ୟବସ୍ଥା କରୁଥିଲେ । ସାମ୍ବାଦିକମାନେ ବିପଦ ଅ ।ପଦର ସମ୍ମୁଖୀନ ହେଲେ ବିଜୁ ସେମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ଲାଗି ତତ୍ପର ହୋଇଉଠିଥିଲେ । ତାଙ୍କରି ଶାସନ କାଳରେ କୌଣସି ସାମ୍ବାଦିକ ସରକାରୀ ଦଳ ବା ସରକାରୀ କଳର ଅ ।କ୍ରୋଶର ଶିକାର ହୋଇନଥିଲା । ପରବର୍ତ୍ତୀ କାଳରେ ଯେତେବେଳେ ସାମ୍ବାଦିକମାନେ ଅ ।କ୍ରୋଶର ଶିକାର ହୋଇଥିଲେ ସେତେବେଳେ ଖୋଦ୍ ବିଜୁବାବୁ ସେମାନଙ୍କ ନିରାପତ୍ତା ଦାବି କରିବା ଲାଗି ପଶ୍ଚାତ୍ପଦ ଦେଉନଥିଲେ । ସେ ଥିଲେ ସାମ୍ବାଦିକମାନଙ୍କ ପାଇଁ ଅସରନ୍ତି ପ୍ରେରଣା ଉତ୍ସ ।

(ପ୍ରଶାନ୍ତ ପଟ୍ଟନାୟକ, ଓଡିଶାର ବରିଷ୍ଠତମ ସାମ୍ବାଦିକ, ଲେଖକ ଓ ସମ୍ପାଦକ। )

Categories
ଆଜିର ଖବର

ଗୌହ୍ଵାଟୀର ମୁଖ୍ୟ ବିଚାରପତି ଅଜିତ୍‌ ସିଂହ ହେଲେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ

ଗୌହ୍ଵାଟୀର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍‌ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ଦ୍ଵାରା ସୁପାରିସ୍‌ ଜଷ୍ଟିସ୍‌ ସିଂହଙ୍କ ନାମକୁ ସ୍ଵୀକୃତ ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍‌ ।  ୨୦୧୬ ମାର୍ଚ୍ଚ ୫ରେ ଆସାମର ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ସେପ୍ଟମ୍ବର ୨୦୧୮ରେ ସେ ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି । ୬ସେପ୍ଟମ୍ବର ୧୯୫୬ ମସିହାରେ ଜନ୍ମିତ ଅବସରପ୍ରାପ୍ତ ବିଚାରପତି ଶ୍ରୀ ସିଂହ ସିଭିଲ୍‌, କ୍ରିମିନାଲ୍‌ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ବିଶେଷ ଦକ୍ଷତା ରଖିଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟରୁ ଓକିଲାତି ପେଶା ଆରମ୍ଭ କରିଥିବାବେଳେ ୨୦୦୨ ଏପ୍ରିଲ୍‌ ୧ରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୦୩, ମାର୍ଚ୍ଚ ୨୧ରେ ସ୍ଥାୟୀ ବିଚାରପତି ଦାୟିତ୍ବ ତୁଲାଇଥିବାବେଳେ ୨୦୧୬ ମାର୍ଚ୍ଚ ୫ରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ପଦ ମଧ୍ୟ ସମ୍ଭାଳିଥିଲେ । ଓଡ଼ିଶା ଲୋକାପାଳ ଓ ଲୋକାୟୁକ୍ତ ଆଇନକୁ ବିଧାନସଭାରେ ଅତୀତରେ ଗୃହୀତ କରାଯାଇଥିଲା । ତେବେ ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟିବା ପରେ ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

 

Categories
ବିଶେଷ ଖବର ସଂସ୍କୃତି

ଫକୀରମୋହନଙ୍କ “ରସଗୋଲା’

ଅସୀତ ମହାନ୍ତି

ଓଡ଼ିଆ ସାହିତ୍ୟର ଇତିହାସରେ ୨୦୧୮ ବର୍ଷ ଥିଲା ଏକ ବିରଳ ସଂଯୋଗର ବର୍ଷ । କାରଣ ସେବର୍ଷଟି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁର ୧୦୦ ବର୍ଷ । ସେ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଛୋଟବଡ଼ ଅନେକ ଅନୁଷ୍ଠାନ ପକ୍ଷରୁ କେତେକ ଛୋଟବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସମେତ ରାଜ୍ୟ ଓ ଦେଶର କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସଭା, ସେମିନାର ଆଦି ଆୟୋଜନ ହୋଇଛି ।

ଏ ପ୍ରସଙ୍ଗରେ ଆଉ ଏକ ଭିନ୍ନ ଦୃଷ୍ଟିର ସଂଯୋଗ ହେଉଛି- ଯେଉଁ ଜାନୁଆରୀ ୧୪, ମକର ସଂକ୍ରାନ୍ତି ତିଥି ଫକୀରମୋହନ ସେନାପତିଙ୍କ ଆବିର୍ଭାବ ଦିବସ, ଠିକ୍‍ ଦୁଇମାସ ତଳେ, ନଭେମ୍ୱର ମାସର ସେହି ୧୪ ତାରିଖ ଦିନରେ ପଶ୍ଚିମବଙ୍ଗ “ବାଂଲାର ରସଗୋଲ୍ଲା’ ପାଇଁ ଭୌଗୋଳିକ ପରିଚିତି (ଜି.ଆଇ.) ମାନ୍ୟତା ପାଇଛି । ଏହି ପରିପ୍ରେକ୍ଷୀରେ “ଫକୀରମୋହନଙ୍କ ରସଗୋଲା’ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ।

ଫକୀରମୋହନଙ୍କ ଜୀବନ ଓ ସାହିତ୍ୟର ଏକ ବିଶେଷତ୍ୱ ହେଉଛି, ଯେଉଁ କାଳଖଠରେ ସେ ଜୀବିତ ଓ ସୃଷ୍ଟିଶୀଳ ଥିଲେ, ସେହି ସମୟ ଥିଲା ଓଡ଼ିଆ ଅସ୍ମିତାର ଏକ ସନ୍ଧିକାଳ ଏବଂ ସେ ତାଙ୍କର ସାଧ୍ୟମତେ ଏହି ଅସ୍ମିତାର ଉଦ୍‍ବୋଧନପାଇଁ ଉଦ୍ୟମ କରିଥିଲେ । ସେଇଥିପାଇଁ, ତାଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁ ଶତବାର୍ଷିକୀ ଅବସରରେ, ସେ ସର୍ବାଧିକ ସଂଜୀବିତ ଥିବାପରି ମନେ ହେଉଛନ୍ତି ।

ଏ ପ୍ରସଙ୍ଗରେ ଆହୁରି ଏକ ବିରଳ ସଂଯୋଗ ହେଉଛି, ଏ ଭିତରେ ଫକୀର ମୋହନଙ୍କ “ଉତ୍କଳଭ୍ରମଣଂ’ର ମଧ୍ୟ ୧୨୬ ବର୍ଷ ପୂର୍ଣ୍ଣ ହୋଇଛି । ଏ ସଂପର୍କିତ ବିବରଣୀରୁ ଜଣାଯାଏ, ୧୮୯୨ ମସିହା ଫେବୃଆରି ମାସରେ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ର ପହିଲି ଗସ୍ତ ଲିଖିତ ହୋଇ, ଆନନ୍ଦପୁର ପ୍ରେସ୍‍ରୁ ପ୍ରକାଶ ପାଇଥିଲା । ତାହା ପ୍ରକାଶ ପାଇଥିଲା ବିନା ମୂଲ୍ୟରେ ବିତରିତ ହେବାପାଇଁ ଏବଂ ପୁସ୍ତକର ସୂଚନା ଅନୁସାରେ ତାହା ଥିଲା “କେନ ଉତ୍କଳପୁତ୍ରେଣ ବିରଚିତ’ । ପୁସ୍ତକର ବର୍ଣ୍ଣନା ଶୈଳୀ ଓ ବିଷୟ ପ୍ରକରଣ ଏପରି ଅଭିନବ ଥିଲା ଯେ ସେତେବେଳେ ନୀଳମଣି ବିଦ୍ୟାରତ୍ନ ତାହାକୁ “ସମ୍ୱଲପୁର ହିତୈଷିଣୀ’ରେ କ୍ରମାନ୍ୱୟରେ ପୁନର୍ମୁଦ୍ରଣ କରିଥିଲେ । ପରବର୍ତ୍ତୀ କାଳରେ, ସେହିବର୍ଷ ଜୁଲାଇ ମାସରେ “ଉତ୍କଳ ଭ୍ରମଣଂ’ର ଦୁସରା ଗସ୍ତ ବାଲେଶ୍ୱରର ଉତ୍କଳ ପ୍ରିଣ୍ଟିଂ ପ୍ରେସରେ ମୁଦ୍ରିତ ହୋଇ ପ୍ରକାଶ ପାଇଲା । ପହିଲିଗସ୍ତ ପରି ଏହି ଦୁସରା ଗସ୍ତ ମଧ୍ୟ ବିନାମୂଲ୍ୟରେ ବିତରିତ ହେବାପାଇଁ ଉଦ୍ଦିଷ୍ଟ ଥିଲା । ପରେ ୧୮୯୯ ଓ ୧୯୧୬ରେ ଯଥାକ୍ରମେ ତାହାର ଦ୍ୱିତୀୟ ଓ ତୃତୀୟ ସଂସ୍କରଣ ଏବଂ ୧୯୨୫ରେ ତାଙ୍କ ପୁତ୍ର ମୋହିନୀମୋହନ ସେନାପତିଙ୍କ ଦ୍ୱାରା ଚତୁର୍ଥ ସଂପାଦିତ ସଂସ୍କରଣ ପ୍ରକାଶ ପାଇଥିଲା ।

“ଉତ୍କଳ ଭ୍ରମଣଂ’ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଦିର ଏକ ଅମୂଲ୍ୟ ଦଲିଲ । ଏଥିରେ ପ୍ରାୟ ୯୦ ଜଣ ବିଶିଷ୍ଟ ବ୍ୟକ୍ତି, ପ୍ରାୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ କେତେକ ଗୋଷ୍ଠୀ ଓ ଅନୁଷ୍ଠାନ ସଂପର୍କରେ ବ୍ୟଞ୍ଜନାପୂର୍ଣ୍ଣ ଆଲେଖ୍ୟ ଅଛି । ଏପରିକି ପୁରୀ ମନ୍ଦିର ଓ ତାହାର ଚଳନ୍ତି ବ୍ୟବସ୍ଥା ବାବଦରେ ମଧ୍ୟ ଫକୀରମୋହନ ଅତ୍ୟନ୍ତ କଠୋର ମତ, ମନ୍ତବ୍ୟ ଦେଇଛନ୍ତି ।

ତେବେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଯେଉଁ ୧୮୯୨ ବର୍ଷର ଜୁଲାଇ ମାସରେ ଏହା ପ୍ରଥମେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା, ତାହାର ପର ମାସରେ, “ଉତ୍କଳ ଦୀପିକା’ର ଅଗଷ୍ଟ ୨୭ ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା ତାହାର ଏକ ରୋଚକ ସମୀକ୍ଷା । ଢେଙ୍କାନାଳଗଡ଼ରୁ ୧୬ ଅଗଷ୍ଟ ୧୮୯୨ରେ ପ୍ରେରିତ ସେହି ସମୀକ୍ଷା ପଦ୍ୟାକାରରେ ରଚିତ ଏବଂ ତାହା ଢେଙ୍କାନାଳ ରାଜବଂଶଜ ଦାମୋଦର ପଟ୍ଟନାୟକ ଲେଖିଥିବା ଜଣାଯାଏ । କୌତୁକର ବିଷୟ ହେଉଛି- “ଉତ୍କଳ ଭ୍ରମଣଂ’ରୁ ଗୋଟିଏ ପଙ୍‍କ୍ତି ନେଇ ଏବଂ ତା’ ସହିତ ଆଉ ଗୋଟିଏ ପଙ୍‍କ୍ତି ଯୋଡ଼ି, ସେ ସେହି ସମୀକ୍ଷାର ଶୀର୍ଷକକୁ ଏକ ପଦର ରୂପ ଦେଇଛନ୍ତି । ସେହି ପଦଟି ହେଉଛି-

“ନିନ୍ଦା ଯଶ ଗନ୍ଧ ବାସ ରୁହେ ନାହିଁ ଢଙ୍କା

ଏ ପରି କବିତା ପାଇଁ ନଲାଗଇ ଟଙ୍କା ।”

କିନ୍ତୁ “ରସଗୋଲା’କୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏବେ ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ, ସେହି ସମୀକ୍ଷାର ପ୍ରଥମ ଦୁଇପଦ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ । ସେଥିରେ ସେ ଲେଖିଛନ୍ତି-

“”ପଢ଼ିଲି ପଢ଼ିଲି ମୁହିଁ ଉତ୍କଳ ଭ୍ରମଣ ।

ଓଡ଼ିଆରେ ବହୀ ଖଠେ ଏକା ଏକୁ ଗଣ ।

ଖଟା ମିଠା ସବୁ ଅଛି ଚୁଡ଼ା ରସଗୋଲ୍ଲା ।

କିଏ ବା ହୋଇଛି ତହିଁ ଅଲ୍ଲା ବିସମୁଲ୍ଲା ।”

ଅବଶ୍ୟ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ରେ “ଚୁଡ଼ା’ ସହିତ “ଚିତଉ’ ଆଦି “ପିଠା’ ଓ “ଲଡ଼ୁ’ ଆଦି ନାନାଜାତି “ମିଠା’ ଏବଂ “ଛେନାବରା’ ପରି ଅନ୍ୟ କେତେକ ଖାଦ୍ୟଦ୍ରବ୍ୟର ବର୍ଣ୍ଣନା ଅଛି- କିନ୍ତୁ “ରସଗୋଲା’ (ରସଗୋଲ୍ଲା) ମିଳେ ନାହିଁ । କିନ୍ତୁ ପ୍ରମୋଦ ପଟ୍ଟନାୟକ ଏହା ଲେଖିଛନ୍ତି ପ୍ରତୀକାତ୍ମକ ଭାବରେ ଏବଂ ଖଟା, ମିଠା, ଚୁଡ଼ା, ରସଗୋଲ୍ଲା, ଅଲ୍ଲା, ବିସମୁଲ୍ଲା- ସବୁ ସେଥିରେ ଏକ ଏକ ପ୍ରତୀକ ଭାବରେ ବ୍ୟବହୃତ ହୋଇଛନ୍ତି । ଏହା ମଧ୍ୟ ସୂଚାଏ ଯେ ୧୮୯୨ରେ “ଉତ୍କଳ ଭ୍ରମଣଂ’ର ରଚନାର ବହୁ ପୂର୍ବରୁ, ଚୁଡ଼ା ଏକ ସାଧାରଣ ଖାଦ୍ୟ ଭାବରେ ଓ ରସଗୋଲା ଏକ ସଂଭ୍ରାନ୍ତ ମିଷ୍ଟାନ୍ନ ଭାବରେ ଓଡ଼ିଶାରେ ସୁପ୍ରଚଳିତ ଥିଲା ।

ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ “ରସଗୋଲା’ର ପ୍ରାଚୀନତା ନେଇ ଚାଲିଥିବା ବିତର୍କର ଅନୁଧ୍ୟାନ କଲେ ଜଣାଯାଏ ଯେ ଉଭୟ ରାଜ୍ୟ ପକ୍ଷରୁ ଏ ବାବଦରେ ନିଜ ନିଜ ସାହିତ୍ୟର ପ୍ରମାଣକୁ ମଧ୍ୟ ଗୁରୁତ୍ୱ ଦିଆ ହୋଇଆସିଛି । କଲିକତାର “ଗାଙ୍ଗଚିଲ’ ପ୍ରକାଶନ ପକ୍ଷରୁ ପ୍ରକାଶିତ ବଙ୍ଗଳା ବହି (ରସଗୋଲ୍ଲା- ବାଂଲାର ଜଗତମାତାନୋ ଆବିଷ୍କାର)ରେ “ରସଗୋଲ୍ଳା’ର ସର୍ବପ୍ରାଚୀନ ସାହିତ୍ୟକ ଉଲ୍ଲେଖ ଅଛି ବୋଲି କୁହାଯାଇଛି । ସେହି ପ୍ରମାଣ ହେଉଛି “ରସିକତା’ ପତ୍ରିକାର ୧୮୯୬ ମସିହା, ପ୍ରଥମ ଭାଗରେ ପ୍ରକାଶିତ “ରସଗୋଲାର ସ୍ତବ’ କବିତା । ରାଖାଲ ଦାସ ଅଧିକାରୀ ତାହାର ରଚୟିତା । ଯେ କେହି ବ୍ୟକ୍ତି “ରସଗୋଲ୍ଲା’ ନାମକ ଏକ ମିଠା ଖାଇ ତାହାର ସ୍ୱାଦରେ ମୁଗ୍ଧ ହୋଇ ଏପରି କବିତା ଲେଖିବା କିଛି ଅସ୍ୱାଭାବିକ ନୁହେ । ଅପରପକ୍ଷେ, ଏହି ଲେଖକର “ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହି (ପ୍ରକାଶକ, ଆମ ଓଡ଼ିଶା)ରେ ପଞ୍ଚଦଶ ଶତାବ୍ଦୀ ଶେଷଭାଗର ବଳରାମ ଦାସଙ୍କ “ଦାଣ୍ଡି ରାମାୟଣ’କୁ ଓଡ଼ିଶାର ପ୍ରମାଣ ରୂପେ ଉପସ୍ଥାପିତ କରାଯାଇଛି । “ଦାଣ୍ଡି ରାମାୟଣ’ର “ଅଯୋଧ୍ୟା କାଣ୍ଡ’ରେ ଥିବା ବର୍ଣ୍ଣନା ଅନୁସାରେ, ଭରତ, ଶତ୍ରୁଘ୍ନ ଓ ଅନ୍ୟମାନଙ୍କୁ ଭରଦ୍ୱାଜ ମୁନି ତାଙ୍କ ଆଶ୍ରମରେ ଯେଉଁସବୁ ଖାଦ୍ୟ ଦ୍ରବ୍ୟ ପରଷିଛନ୍ତି, ତା’ ମଧ୍ୟରେ ବହୁ ଓଡ଼ିଆ ଖାଦ୍ୟ ସହିତ ରସଗୋଲା ରହିଛି । “ଅଯୋଧ୍ୟା କାଣ୍ଡ’ର ସେହି ପଦରୁ କେତୋଟି ହେଉଛି-

“ନାଡ଼ୀ ସରପୁଳି ଯେ ଆରିଷା ଛେନାପୁରୀ ।

କାକରା ଛେନା ଲଡ଼ୁ ଯେ ମାଲପୁଆ ପୁରୀ ।

ସଜମରା ଘିଅ ଆଣି ଦ୍ୟନ୍ତି ବଢ଼ାବଢ଼ା

ଗଜା କଚୁରୀ ପଣସ ଖୋସା ବୀରିବରା  । ।

କୋରା ରସଗୋଲା ଯେ ଅମୃତ ରସାବଳୀ  ।

ମଠା ନାନମାନ ଅମୃତପାଣି କଦଳୀ  ।”

ପ୍ରାୟ ୫୦୦ ବର୍ଷ ତଳର ଏହି ପ୍ରାଚୀନ ପ୍ରମାଣ ବ୍ୟତୀତ, ଆଧୁନିକ ସାହିତ୍ୟର ପ୍ରମାଣ ଭାବରେ ଓଡ଼ିଆ “ରସଗୋଲା’ ବହିରେ ଦିଆଯାଇଛି “ଇନ୍ଦ୍ରଧନୁ’ ପତ୍ରିକାର ୧୮୯୩ ମସିହା, ଡିସେମ୍ୱର ୧୪ ସଂଖ୍ୟାରେ ପ୍ରକାଶିତ “ବାଲିଯାତ୍ରା’ କବିତା । ସେହି ଦୀର୍ଘ କବିତାରେ କଟକର ଇତିହାସ-ପ୍ରସିଦ୍ଧ ବାଲିଯାତ୍ରାର ବିଶଦ ବର୍ଣ୍ଣନା ସହିତ ସେଠାରେ ବିକ୍ରି ହେଉଥିବା ଗୁଡ଼ିଆସାହୁ ଦୋକାନ ଓ ସେଥିରେ ବିକ୍ରି ହେଉଥିବା “ରସଗୋଲା’ର ବର୍ଣ୍ଣନା ରହିଛି । ତାହାର ୩୫ ଓ ୩୬ ପଦରେ କୁହାଯାଇଛି-

“ଗୁଡ଼ିଆ ସାହୁର                  ମିଠାଇ ଦୋକାନ

ହୋଇଅଛି ବଡ଼ ଜାକଜମକ

ଲଡ଼ୁ ରସଗୋଲା                 ବରଫି, ଜଲପି

ପୁଣି ତେଜପତ୍ର ପୋଡ଼ା ପିଷ୍ଟକ । (୩୫)

କଞ୍ଚାଗୋଲା ସର-               ପୁଳି ମାଲପୁଆ

ମୋହନଭୋଗ ଯେ ଲାଲମୋହନ

କେତେ କି କହିବା                ଦେଖି ନଖାଇଲେ

ପାଟିରୁ ବହିବ ଲାଳ ବହନ ।”

ଏହା ବଙ୍ଗୀୟ ‘ରସଗୋଲ୍ଲା’ର ୧୮୯୬ ମସିହା ପ୍ରମାଣର ତିନିବର୍ଷ ପୂର୍ବର ପ୍ରମାଣ ।

କିନ୍ତୁ ‘ଉତ୍କଳଭ୍ରମଣଂ’ର ଉପର ସୂଚିତ ସମୀକ୍ଷା ଏହାର ଆହୁରି ପ୍ରାଚୀନ ପ୍ରମାଣ । କାରଣ ଏହା ବଙ୍ଗଳା ‘ରସିକତା’ ପତ୍ରିକାର ‘ରସଗୋଲ୍ଲାର ସ୍ତବ’ କବିତାର ଚାରିବର୍ଷ ପୂର୍ବରୁ (୧୮୯୨)ପ୍ରକାଶିତ ଏବଂ କେବଳ ‘ରସଗୋଲା’ ନୁହେ, ରସଗୋଲାର ପ୍ରତୀକାତ୍ମକତାର ସୂଚକ ।

କିନ୍ତୁ ଫକୀରମୋହନଙ୍କ ରଚନାରୁ ‘ରସଗୋଲା’ର ଆଉ ଏକ ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳେ । ତାହା ହେଉଛି- ତାଙ୍କର ଏକ ଭ୍ରମଣ-ବୃତ୍ତାନ୍ତ ‘ଓୟାଲ୍‍ଟେୟାର ଦର୍ଶନ’ । ତାହା ‘ଉତ୍କଳ ସାହିତ୍ୟ’ର ୭ମ ବର୍ଷ, ୧ମ ସଂଖ୍ୟା, ୧୩୧୦-୧୧ ସାଲ (୧୯୦୪)ରେ ପ୍ରକାଶିତ । ଏ ସଂପର୍କିତ ବିବରଣୀରୁ ଜଣାଯାଏ ଯେ ଏପ୍ରିଲ୍‍ ୧୧ ଓ ୧୨ ତାରିଖ ଦୁଇଦିନ ବ୍ରହ୍ମପୁରଠାରେ ‘ଗଞ୍ଜାମ ଜାତୀୟ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା ଏବଂ ମଧୁସୂଦନ ଦାସ ଓ ବିଶ୍ୱନାଥ କର ପ୍ରମୁଖଙ୍କ ସହିତ ଫକୀରମୋହନ ସେହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

ସମ୍ମିଳନୀ ପରେ ସେଠାରେ କିଛିଦିନ ଅବସ୍ଥାନ କରିବା ପରେ, ଯୁବରାଜ ବିକ୍ରମଦେବ ବର୍ମା (୧୮୬୯-୧୯୫୧)ଙ୍କ ନିମନ୍ତ୍ରଣକ୍ରମେ ସେ ଓ୍ୱାଲଟିୟର ଯାଇଥିଲେ । ଏ ସଂପର୍କରେ ସେହି ଭ୍ରମଣ ବୃତ୍ତାନ୍ତରେ ସେ ଲେଖିଛନ୍ତି- ‘‘ଉତ୍କକର ଶିକ୍ଷିତ, ସ୍ୱଦେଶବତ୍ସଳ ସୁସନ୍ତାନମାନେ ଗତ ଏପ୍ରିଲ୍‍ ମାସ ୧୧/୧୨ ତାରିଖରେ ବ୍ରହ୍ମପୁରଠାରେ ମାତୃସେବା ସମାପ୍ତ କରି ସ୍ୱସ୍ୱ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କଲା ଉତ୍ତାରେ ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ଗ୍ରହଣ କରି କିଛିଦିନ ସେହିଠାରେ ଅବସ୍ଥାନ କରି ଏପ୍ରିଲ୍‍ ମାସ ୨୪ ତାରିଖ ଦିନ ଦିବା ୧୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଟିକିଟ କ୍ରୟ କରି ମାନ୍ଦ୍ରାଜଗାମୀ ଟ୍ରେନ୍‍ରେ ଯାତ୍ରା କଲୁଁ । ସନ୍ଧ୍ୟା ୭ ଘଟିକା ସମୟରେ ଟ୍ରେନ୍‍ ଓୟାଲ୍‍ଟେୟାରରେ ଉପସ୍ଥିତ ହେଲା ।… ପ୍ରିନ୍‍ସ ବିକ୍ରମ ଦେଓ ବର୍ମାଙ୍କ ପ୍ରେରିତ ବାବୁ ବଡ଼ ନିନା ଦେଓ ଆମ୍ଭମାନଙ୍କ ଅପେକ୍ଷାରେ ପ୍ଲାଟଫର୍ମରେ ଦଣ୍ଡାୟମାନ ଥିଲେ । ଟ୍ରେନରୁ ଅବତରଣ କଲା ମାତ୍ରକେ ତାଙ୍କ ସହିତ ସାକ୍ଷାତ ହେଲା । ବାବୁ ନିନା ଦେଓ ଆମ୍ଭମାନଙ୍କୁ ଅତି ଯତ୍ନ ଓ ଆଦର ସହିତ ରାଜକୀୟ ଅଶ୍ୱଶକଟରେ ଘେନିଗଲେ । ଆମ୍ଭମାନଙ୍କ ବାସ ନିମନ୍ତେ ବିଶାଖାପତ୍ତନ ସହର ମଧ୍ୟଭାଗରେ ଗୋଟିଏ କ୍ଷୁଦ୍ର ସୁନ୍ଦର ଦ୍ୱିତଳ ଗୃହ ନିରୂପିତ ଥିଲା । … ଆହାରାଦି କରି ପରମାନନ୍ଦରେ ରାତ୍ରିଯାପନ କଲୁଁ ।”

ଏହି ପରିପ୍ରେକ୍ଷୀରେ ସେଠାର ଦର୍ଶନୀୟ ସ୍ଥାନଗୁଡ଼ିକର ବର୍ଣ୍ଣନା ସମେତ, ସେଠାର ଖାଦ୍ୟ ରୁଚି ଓ ତାଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର ବର୍ଣ୍ଣନା ଅଛି । ଫକୀରମୋହନ ଲେଖିଛନ୍ତି, “ଦକ୍ଷିଣ ଦେଶସ୍ଥ ଅନ୍ୟାନ୍ୟ ସହର ପରି ଆମ୍ଭେମାନେ ବୈଜାଗ ସହରରେ ମଧ୍ୟ ଉପଯୁକ୍ତ ମିଷ୍ଟାନ୍ନ ଦୋକାନ ଦେଖିଲୁ ନାହିଁ । ଯେ ସମସ୍ତ ଦୋକାନ ଅଛି ତାହା ନେତ୍ର ତୃପ୍ତିକର ଓ ରୁଚିକର ବୋଲି ବୋଧ ହେଲା ନାହିଁ । ବୋଧହୁଏ ଆନ୍ଧ୍ରଲୋକେ ମିଷ୍ଟାନ୍ନକୁ ଏତାଦୃଶ ପସନ୍ଦ କରନ୍ତି ନାହିଁ । ଆମ୍ଭେମାନେ ସେଠାରେ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ରସଗୋଲା, କଚୁରୀ ଓ ପୁରୀ ପାଇ ଆଶ୍ଚର୍ଯ୍ୟବୋଧ କଲୁ । ସେସବୁ ପ୍ରିନ୍‍ସ ବିକ୍ରମ ଦେଓଙ୍କ ସ୍ୱଗୃହ ପ୍ରସ୍ତୁତ ।”

ଫକୀରମୋହନଙ୍କର ଏହି ବର୍ଣ୍ଣନା ସ୍ପଷ୍ଟ ସୂଚାଏ ଯେ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରସଗୋଲା ପରି ମିଠା ପ୍ରାୟ ପ୍ରଚଳିତ ନଥିବାବେଳେ, ଓଡ଼ିଶାରେ ଓ ସଂଭ୍ରାନ୍ତ ଓଡ଼ିଆ ପରିବାରରେ ରସଗୋଲା ସୁପ୍ରଚଳିତ ଥିଲା ।

“ବାଂଲାର ରସଗୋଲ୍ଲା’ ପାଇଁ ପଶ୍ଚିମବଙ୍ଗ ଜି.ଆଇ. ମାନ୍ୟତା ପାଇବାକୁ ଏ ଭିତରେ ପ୍ରାୟ ୧୫ମାସ ବିତିଯିବାକୁ ବସିଛି । ଯଥେଷ୍ଟ ତଥ୍ୟ ପ୍ରମାଣ ମହଜୁଦ ଥିଲେ ମଧ୍ୟ ଓଡ଼ିଶା ସରକାର “ଓଡ଼ିଶାର ରସଗୋଲା’ ବା “ଜଗନ୍ନାଥ ରସଗୋଲା’ପାଇଁ ଜି.ଆଇ. ମାନ୍ୟତା ଦାବି ପାଇଁ ଯଥେଷ୍ଟ ଅବହେଳା ଦେଖାଇଥିଲେ । ବହୁ ବିଳମ୍ୱରେ ଏଥିପାଇଁ ଆବେଦନ କଲେ । ଫକୀରମୋହନଙ୍କ ରସଗୋଲା ପ୍ରସଙ୍ଗ ଓଡ଼ିଶାର ଦାବିକୁ ଆହୁରି ବଳିଷ୍ଠ କରିଛି । ତାଙ୍କ  ଓ୍ୱାଲଟିୟର ଭ୍ରମଣ ବୃତ୍ତାନ୍ତରେ ଏବଂ ତାଙ୍କ “ଉତ୍କଳ ଭ୍ରମଣଂ’ ବାବଦ ଆଲୋଚନାରେ “ରସଗୋଲା’ର ଉପସ୍ଥିତି, ରସଗୋଲା ଯେ ଓଡ଼ିଶାର ଏକ ପ୍ରାଚୀନ ଓ ସୁପ୍ରଚଳିତ ମିଷ୍ଟାନ୍ନ- ଏହାର ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ।

ଏଣୁ ଆଶା କରାଯାଏ, ଫକୀରମୋହନଙ୍କର ମୃତ୍ୟୁର ଶତବାର୍ଷିକୀର ସ୍ମୃତିରେ, ଅନ୍ତତଃ ତାଙ୍କର ସମ୍ମାନାର୍ଥେ ରାଜ୍ୟ ସରକାର ଓଡ଼ିଶାର ଏହି ଲୋକପ୍ରିୟ ମିଷ୍ଟାନ୍ନର ଜି.ଆଇ. ମାନ୍ୟତାପାଇଁ ଅଧିକ ତତ୍ପର ହେବେ ।

Categories
ବିଶେଷ ଖବର ବ୍ୟବସାୟ

ଅକ୍ଟୋବରରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ ନୂଆ ମୋବାଇଲ ଉପଭୋକ୍ତା ଯୋଗକଲା ଜିଓ: ଟ୍ରାଇ ରିପୋର୍ଟ

ସମୀକ୍ଷା ବ୍ୟୁରୋ

କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ  ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ବା ଟ୍ରାଇ ପ୍ରକାଶ କରିଛି। ଗତ ଜାନୁୟାରୀ 2 ତାରିଖରେ ଆସିଥିବା ଉପଭୋକ୍ତା ତଥ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି |

ଅକ୍ଟୋବର ମାସରେ ରିଲାଏନ୍ସ ଜିଓ ୩.୧୧ ଲକ୍ଷ ନୂତନ ଉପଭୋକ୍ତା ସାଙ୍ଗକୁ କେବଳ ବିଏସଏନଏଲ ୫୦୦୦ ନୂତନ ଉପଭୋକ୍ତା ଯୋଗ କରିଥିବାବେଳେ, ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କର ଉପଭୋକ୍ତା ସଂଖ୍ୟାରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି | ଏହି ମାସରେ ଭୋଡାଫୋନ ଆଇଡ଼ିଆ ଓଡ଼ିଶାରେ ସର୍ବାଧିକ ୨.୮ ଲକ୍ଷ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୪୧୦୦୦ ଉପଭୋକ୍ତା ହରାଇଥିବା ଜଣାପଡିଛି | ମୋଟ ଉପରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ  ସଂଖ୍ୟାରେ ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବରରେ ପ୍ରାୟ ୪୮୦୦୦ ହ୍ରାସ ଘଟି ଅକ୍ଟୋବର ୩୧ ସୁଦ୍ଧା ଏହା ୩,୩୦,୬୭,୫୨୮ ରେ ପହଂଚିଛି |

ସର୍ବଭାରତୀୟ ସ୍ତରରେ ରିଲାଏନ୍ସ ଜିଓ ନୂତନ ଉପଭୋକ୍ତା ଯୋଗକରିବାରେ  ନିଜର ଜୟଯାତ୍ରା ଜାରିରଖି ଅକ୍ଟୋବରରେ ଏକ କୋଟିରୁ ଉର୍ଧ୍ଵ ନୂତନ ଉପଭୋକ୍ତା ହାସଲ କରିଥିବାବେଳେ , ଏହି ଅବଧିରେ ବିଏସଏନଏଲ ୩.୬୬ ଲକ୍ଷ ନୂତନ ଉପଭୋକ୍ତା ଯୋଗ କରିଛି | ଅନ୍ୟମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡ଼ିଆ, ଭାରତୀ ଏୟାରଟେଲ ଏବଂ ଏମଟିଏନଏଲ ମିଳିତ ଭାବରେ ଏହି ମାସରେ ଏକ କୋଟିରୁ ଉର୍ଧ୍ଵ ଗ୍ରାହକ ହରାଇଛନ୍ତି |

ଟ୍ରାଇ ରିପୋର୍ଟ ଅନୁଯାୟୀ ୩୧ ଅକ୍ଟୋବର ୨୦୧୮ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ୭୪,୯୧,୬୯୨ ମୋବାଇଲ ଉପଭୋକ୍ତା ରହିଥିବାବେଳେ ଏୟାରଟେଲର ୧.୩୧.୫୨,୮୪୫ , ଭୋଡାଫୋନ ଆଇଡ଼ିଆର ୬୩,୦୩,୫୩୦ ଏବଂ ବିଏସଏନଏଲର ୫୫,୧୫,୫୧୯ ମୋବାଇଲ ଉପଭୋକ୍ତା ରହିଛନ୍ତି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ଦ୍ୱାରା ନିକଟରେ ପ୍ରକାଶିତ ଅନ୍ୟ ଏକ ଆର୍ଥିକ ରିପୋର୍ଟରେ ସେପ୍ଟେମ୍ବର ତ୍ରୈମାସିକରେ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଓଡ଼ିଶାରେ ମୋଟ ଆୟରେ ରିଲାଏନ୍ସ ଜିଓ ୩୩୬.୯୨ କୋଟି ଟଙ୍କା ପ୍ରଥମଥର ପାଇଁ ସବୁଠାରୁ ଆଗରେ ରହିଥିଲା ।  ସର୍ବଭାରତୀୟ ସ୍ତରରେ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ତ୍ରୈମାସିକ ରେ ସମସ୍ତ ୨୨ ଟି ଟେଲିକମ ସର୍କଲ ମଧ୍ୟରୁ ଜିଓ ୧୧ ଟି ସର୍କଲ ରେ ଆୟ (ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ) ରେ ଆଗୁଆ ରହିଥିବା ବେଳେ ଏୟାରଟେଲ ୬ଟି ଓ ଭୋଡାଫୋନ ଆଇଡ଼ିଆ ୫ଟି ଟେଲିକମ ସର୍କଲରେ ଆଗୁଆ ରହିଥିଲେ |

Categories
ବିଶେଷ ଖବର ମତାମତ

ପ୍ରିୟ ଜଷ୍ଟିସ କାଟଜୁ! ଆପଣଙ୍କ ଲାଗି ଜେଲଖାନା ନୁହଁ, ବରଂ ଗୋଟେ ଭଲ ଡାକ୍ତରଖାନାର ଆବଶ୍ୟକତା ରହିଛି!!

କେଦାର ମିଶ୍ର

ଜଷ୍ଟିସ ମାର୍କଣ୍ଡେୟ କାଟଜୁ, ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଓ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ପୂର୍ବତନ ଅଧ୍ୟକ୍ଷ। ବିଚାରପତି ଥିବା ସମୟରେ ନିଜ ରାୟକୁ ନେଇ ସେ ଯେତିକି ଚର୍ଚ୍ଚିତ ନଥିଲେ, ପଦବୀରୁ ଅବସର ନେବାପରେ ଟୁଇଟରରେ ନିଜର ବାଚାଳାମୀ କାରଣରୁ ଆଜିକାଲି ବେଶୀ ଚର୍ଚ୍ଚିତ। ଓଡିଆରେ ଆମର ସେ ପ୍ରସିଦ୍ଧ କଥା- ଦେଉଳ ତୋଳିଲେ ନାଁ, ଆଉ ବାଟରେ ଝାଡା ଫେରିଲେ ବି ନାଁ। ଜଷ୍ଟିସ କାଟଜୁ ଦ୍ଵିତୀୟ କାମଟି କରି ବେଶୀ ବେଶୀ ଚର୍ଚ୍ଚାରେ ରହିବାକୁ ଇଚ୍ଛୁକ। କେତେବେଳେ ବିଭିନ୍ନ ରାଜ୍ୟର ସଂସ୍କୃତି ବିଷୟରେ କଦର୍ୟ ମନ୍ତବ୍ୟ ଦେଲେଣି ତ ପୁଣି କେବେ ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ବୋଷଙ୍କ ବ୍ୟକ୍ତିତ୍ବ ବିଷୟରେ କଟୁ କଥା କହିଲେଣି। କେତେବେଳେ ନିଜକୁ ଧର୍ମନିରପେକ୍ଷ ବୁଦ୍ଧିଜୀବୀ ବୋଲି କହୁଛନ୍ତି ତ ଠିକ ତା ପରେ ପରେ ସଂଖ୍ୟାଲଘୁଙ୍କ ଉପରେ ନିକୃଷ୍ଟ ମତ ପୋଷଣ କଲେଣି। ମୋଟାମୋଟି କହିବାକୁ ଗଲେ ଜଷ୍ଟିସ କାଟଜୁଙ୍କ ମତାମତ ଦେଖିଲେ ତାଙ୍କର ମାନସିକ ଭାରସାମ୍ୟକୁ ନେଇ ସନ୍ଦେହ ଆସିବା ସ୍ଵାଭାବିକ ।

ଓଡିଶା ସମ୍ପର୍କରେ କିଛିମାସ ତଳେ ସେ କିଛି ଅରୁଚିକର ମନ୍ତବ୍ୟ ରଖିଥିଲେ। ତାକୁ ନେଇ ଓଡିଶାର ସାଧାରଣ ଜନତା ଅତ୍ୟନ୍ତ ଭଦ୍ର କିନ୍ତୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କିଛି ଓଡିଆ ଯୁବକ ଜଷ୍ଟିସ କାଟଜୁଙ୍କ ଘରକୁ ଗୋଟେ ଫୁଲ ତୋଡା ପଠାଇ ସେଥିରେ ଲେଖିଥିଲେ- Dear Justice Katju, get well soon. ଏହି ଘଟଣା ପରେ ବିଚାରପତିଙ୍କ ବିଚାର ବିଭ୍ରାଟ ଓ ବାଚାଳାମୀ ବନ୍ଦ ହୋଇଯିବା କଥା। କିନ୍ତୁ କାଟଜୁଙ୍କ ବାଚାଳ ମସ୍ତିସ୍କରେ ଅନ୍ୟ ସହ କଣ୍ଟା ବାଡରେ ଲୁଗା ପକେଇ କଳି କରିବାର ଏକ ପୋକ ଅଛି। ସେ ପୋକ କାମୁଡିଲେ ଏ ମହାଶୟ ଆକାରଣରେ ଅନ୍ୟମାନଙ୍କ ସହ ଝଗଡା କରନ୍ତି।

ତାଙ୍କୁ କହ୍ନେୟା କୁମାର ର ଭାଷଣ ଶୁଣିଲେ ଚିଡ ଚିଡ ଲାଗେ। ଯୋଗେନ୍ଦ୍ର ଯାଦବଙ୍କ ଦାଢି ତାଙ୍କୁ ଭଲ ଲାଗେନାହିଁ। ସେପରି ଓଡିଆଙ୍କ ନାଁ ଶୁଣିଲେ ତାଙ୍କର ମୁଣ୍ଡରେ ପୋକ କାମୁଡେ। କିଛିଦିନ ତଳେ ଅଭିଜିତ ଆୟାର ମିତ୍ର ନାମକ ଉଦଭ୍ରାନ୍ତ ବାଳକ ଜଣକ ଯେତେବେଳେ ଓଡ଼ିଶାକୁ ନେଇ କିଛି ଅଭଦ୍ର ଓ ଉତ୍ତେଜନା ସୃଷ୍ଟିକାରୀ କଥା କହିଲା, ଓଡିଶା ପୋଲିସ ତାଙ୍କୁ ଗିରଫ କଲେ। ସର୍ବ ସାଧାରଣରେ ଅଶ୍ଳୀଳ ଭାଷା କହିବା ଓ ଗୋଟେ ରାଜ୍ୟର ଲୋକଙ୍କୁ ଅଭଦ୍ର ବ୍ୟବହାର କରିବା, ବାକ ସ୍ଵାଧୀନତାର ଅଂଶ ବୋଲି ଆମ ଦେଶର ବହୁ ବୁଦ୍ଧିଜୀବୀ ହଠାତ ଯୁକ୍ତି କରନ୍ତି। ସେ ଯାହାବି ହେଉ ୪୨ ଦିନ ଜେଲରେ ରହିବା ପରେ ଓ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିବାପରେ ଅଭିଜିତଙ୍କ ଉପରୁ ସବୁ ମକଦ୍ଦମା ଉଠେଇ ଦେବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଅଭିଜିତ ଜେଲରୁ ମୁକୁଳିବା ପରେ ଜଷ୍ଟିସ କାଟଜୁ ମୁଁ ଓଡିଆଙ୍କୁ ଅପମାନିତ କରି ଜେଲ ଯିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଆମ ଓଡିଆରେ ଗୋଟେ କଥା ଅଛି- ବୃଦ୍ଧ ବାଳୁତ କଥାକୁ ମନରେ ନ ଧର। ଜଷ୍ଟିସ କାଟଜୂ ସେଇ ବୃଦ୍ଧ ବାଳୁତ ଶ୍ରେଣୀର। ତାଙ୍କୁ ନେଇ ବା ତାଙ୍କ ଟୁଇଟକୁ ନେଇ ବିଚଳିତ ହେବାର କୌଣସି କାରଣ ନାଇଁ। ହଁ, ସେ ଯଦି ଅଭିଜିତ ପରି ଅଶ୍ଳୀଳ ଭାଷାର ପ୍ରୟୋଗ କରନ୍ତି କିମ୍ବା ଘୃଣା ସୃଷ୍ଟିକାରୀ ଭାଷଣ ଦିଅନ୍ତି, ତାହେଲେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ୟାନୁଷ୍ଠାନ ହେବା ଉଚିତ। ନଚେତ ଏ ବାଚାଳ ଟୁଇଟ କୁ ନେଇ କିଛି କହିବା ବାଚାଳତା ଇ ହେବ।

ତେବେ ବାଚାଳ କାଟଜୁଙ୍କ କିଛି ଓଡିଆ ପ୍ରଶଂସକ ମଧ୍ୟ ଅଛନ୍ତି। ତାଙ୍କ ଟୁଇଟ କୁ ଲାଇକ କରିଥିବା ଲୋକଙ୍କ ଭିତରେ ଆମର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜାଗି ମଙ୍ଗତ ପଣ୍ଡା ରହିଛନ୍ତି। କିଛି ସାମ୍ବାଦିକ ମଧ୍ୟ କାଟଜୁଙ୍କୁ ବାଃ ବାଃ କରିଛନ୍ତି। ଏମାନେ ଭାବୁଥିବେ, ବୋଧେ ଜେଲ ଦଣ୍ଡ ଦେଇ ଓଡିଶା ସରକାର ଏମାନଙ୍କୁ ସେଲିବ୍ରିଟି ହେବାର ସୁଯୋଗ ଦେବେ। ବାସ୍ତବରେ ଏମାନଙ୍କୁ ଜେଲଖାନା ଅପେକ୍ଷା ଡାକ୍ତରଖାନା ର ଆବଶ୍ୟକତା ବେଶୀ । ମନୋ ଚିକିତ୍ସା ସଠିକ ସମୟରେ ନହେଲେ, କିଛି ଲୋକ ପାଗଳ ହୋଇ ରାସ୍ତାରେ ବୁଲିବାର ସମ୍ଭାବନା ରହିଥାଏ। ଆମେ ପ୍ରାର୍ଥନା କରିବୁ ଜଷ୍ଟିସ କାଟଜୁଙ୍କ କ୍ଷେତ୍ରରେ ସେମିତି କିଛି ନ ଘଟୁ!!