Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ନିର୍ବାଚନ ବ୍ୟବସ୍ଥା ପରଖିଲେ ଏସପି ଅବିନାଶ କୁମାର

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାରେ ସାଧାରଣ ନିର୍ବାଚନ ମଇ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପୋଲିସ ପକ୍ଷରୁ ଏଥିପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଚେକ ପୋଷ୍ଟ ନିର୍ମାଣ କରାଯାଇଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ଚେକିଙ୍ଗ ଓ ପାଟ୍ରୋଲିଂ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଏସପି ଅବିନାଶ କୁମାର ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳ ପରିଦର୍ଶନରେ ଆସି ସମସ୍ତ ଚେକ ପୋଷ୍ଟର ବ୍ୟବସ୍ଥା ପରଖିଛନ୍ତି।

ଉକ୍ତ ଚେକ ପୋଷ୍ଟ ଗୁଡିକରେ କିପରି ନାଗରିକ ମାନଙ୍କ ଯାନବାହାନ ତନଖି କରାଯାଇଛି ତାହା ଅନୁଧ୍ୟାନ କରିଥିଲେ ଏସପି। ତତସହିତ ବାଲୁଗାଁ ଓ ବାଣପୁର ଥାନାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାହା ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଛି ଯଥା ଶାଳିଆ ଡ୍ୟାମ ଏବଂ ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିବା ସହ ସେଠାର ଏସପି ସୁରକ୍ଷା ବ୍ୟବସ୍ଥା ପରଖିଥିଲେ। ଏପରିକି ଏସପି ଏକାଧିକ ଚେକ ପୋଷ୍ଟରେ କିଛି କିଛି ସମୟ ଅତିବାହିତ କରିଥିଲେ। ଏହି ସମୟରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଓ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଯୌତୁକ ଜୁଇରେ ବଳି ପଡିଲେ ମହିଳା!, ନାଚୁଣୀ ଥାନାରେ ଅଭିଯୋଗ କଲେ ପରିବାର ଲୋକ

ବାଣପୁର/ନାଚୁଣୀ (ସୀତାରାମ ଅଗ୍ରୱାଲ): ବାଣପୁର ଅଂଚଳର ଜଣେ ମହିଳା ଯୌତୁକ ଜୁଇରେ ବଳି ପଡିଛନ୍ତି। ଝିଅର ପରିବାର ଲୋକ ଟାଙ୍ଗୀ ଡାକ୍ତରଖାନାରେ ମରି ପଡ଼ିଥିବା ଦେଖି ଶଶୁର ଘର ଲୋକ ତଣ୍ଟି ଚିପି ମାରିଦେଇଥିବା ସନ୍ଦେହ କରି ନାଚୁଣୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବାସୁଦେବ ସ୍ୱାଇଁଙ୍କ ଝିଅ ଲିଜା ସ୍ୱାଇଁ ବୈଦିକ ରୀତିନୀତିରେ ନାଚୁଣୀ ଥାନା ଅଧିନସ୍ଥ ହାରିକୁଣ୍ଡ ବରଡ଼ି ଗ୍ରାମର ସନ୍ତୋଷ ପ୍ରଧାନଙ୍କୁ ୫ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହ ସମୟରେ ଶ୍ୱଶୁର ଘରର ଦାବୀ ମୁତାବକ ଏକଲକ୍ଷ ଟଙ୍କା ସୁନା ଅଳଙ୍କାର ସହ ସମସ୍ତ ଆସବାବ ପତ୍ର ଦେଇଥିଲେ।

ଲିଜାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଲା ପରେ ସ୍ୱାମୀ ସନ୍ତୋଷ, ଶାଶୁ ତଅପୋଇ ଏବଂ ନଣନ୍ଦ ଦୀପା ପ୍ରଧାନ ଅଧିକ ଏକ ଲକ୍ଷ ଟଙ୍କା ଦାବୀ କରି ଆସୁଥିଲେ। ଲିଜାଙ୍କ ବାପା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଝିଅର ଶାଶୁ ଘରକୁ ଆସି ବୁଝାସୁଝା କରିଥିଲେ। କିନ୍ତୁ ଝିଅକୁ ଏକଲକ୍ଷ ଟଙ୍କା ଦାବିକରି ବାରମ୍ବାର ଦାବୀ କରି ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ଏକବର୍ଷ ତଳେ ୨୫୦୦୦ଟଙ୍କା ଆଣି ଦେଇଥିଲେ।

ହଠାତ ଆଜି ଝିଅ ମରି ଯାଇଥିବା ଖବର ପାଇ ପରିବାର ଲୋକ ଝିଅ ଘରକୁ ଆସିବାରେ ଘରେ ଝିଅ ନଥିବା ଜାଣିବାକୁ ପାଇଥିଲେ। ପରେ ଟାଙ୍ଗୀ ଡାକ୍ତରଖାନାକୁ ଯାଇ ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥଲେ। କିନ୍ତୁ ଶାଶୁ ଘରର କୌଣସି ଲୋକଙ୍କୁ ସେଠାରେ ଦେଖିବାକୁ ପାଇ ନଥିଲେ। ଏ ନେଇ ନାଚୁଣୀ ଥାନା ଅଧିକାରୀ ମକୋଦ୍ଦମା ରୁଜୁ କରି ତଦନ୍ତ କରୁଥୁବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ସଡକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟଜଣେ ଗୁରୁତର ଆହତ

ବାଣପୁର: ବାଣପୁର ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଘଟଣାରୁ ପ୍ରକାଶ ଆଜି ଅପରାହ୍ନରେ ବାଣପୁର ନିକଟସ୍ଥ ସାନହନ୍ତୁଆଡ ବଡଶଙ୍ଖ ଠାରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି।

ମୃତକ ଜଣକ ଗମ୍ଭାରୀମୁଣ୍ଡା ମହତପଲ୍ଲା ଗ୍ରାମର ଗୌରାଙ୍ଗ ନାୟକଙ୍କ ପୁଅ ବଳରାମ ନାୟକ (୨୦) ହୋଇଥିବା ବେଳେ ଆହତ ଜଣକ ଉକ୍ତ ଗ୍ରାମର ସୁଦର୍ଶନ ନାୟକଙ୍କ ପୁଅ ସୁମନ୍ତ ନାୟକ (୨୨) ବୋଲି ଜଣାପଡିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ଖବର ଲେଖାହେଲା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଆଇଆଇସି କହିଛନ୍ତି। ମୃତକଙ୍କ ମୃତଦେହ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିବା ଜଣାଯାଇଛି।

Categories
ଆଞ୍ଚଳିକ

ବାଣପୁର: ଗୋଦାବରିଶ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଗୋଦାବରିଶ ମହାବିଦ୍ୟାଳୟର ପ୍ରେଖ୍ୟାଳୟରେ ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ବିଦାୟ ନେବାକୁ ଯାଉଥିବା ରାସାୟନିକ ବିଜ୍ଞାନ ବିଭାଗର ଡେମୋନଷ୍ତ୍ରାଟର ବିବୁ୍ଧେନ୍ଦୁ ଦାଶ ଏବଂ ଲାଇବ୍ରାରୀଆନ ବିଜୟକେତନ ଦାଶଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପ୍ରଶାସନିକ ଅଧିକାରୀ ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା, ସହପ୍ରଶାସନିକ ଅଧିକାରିଣୀ ଡକ୍ତର ସୁଜାତା ମିଶ୍ର, ଯୁକ୍ତ ଦୁଇ କାର୍ଯ୍ୟକାରୀ ଅଧ୍ୟକ୍ଷ ଲକ୍ଷ୍ମୀପ୍ରସାଦ ମିଶ୍ର, ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା, ବିବୁ୍ଧେନ୍ଦୁ ଦାଶ ଓ ବିଜୟକେତନ ଦାଶ ମଞ୍ଚାସୀନ ହୋଇଥିଲେ।

ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଭlଗନେଇ ବିଦାୟ ନେବାକୁ ଯାଉଥିବା ବିଭୁ ସାର ଓ ବିଜୟ ବାବୁଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ ହୋଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଜନିତ ସମ୍ବେଦନଶୀଳତା ଶୀର୍ଷକ ଆଲୋଚନା କାର୍ଯ୍ୟକ୍ରମ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦିବା ୧୧ ଘଟିକା ସମୟରେ ଉପର ମହଲା ପଠନ ଗୃହରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ “ଲିଙ୍ଗଜନିତ ସମ୍ବେଦନଶୀଳତା” ଶୀର୍ଷକ ବିଷୟ ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠାନର ମନସ୍ତତ୍ତ୍ଵ ବିଭାଗ ଏବଂ ଆଈ.କ୍ୟୁ. ଏ.ସି ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା।

ଏହି ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଏହି ମହାବିଦ୍ୟାଳୟର ପୂର୍ବତନ ମନସ୍ତତ୍ତ୍ଵ ବିଭାଗ ର ରିଡର ଡଃ. ହରେଶ୍ ଚନ୍ଦ୍ର ମିଶ୍ର ଯୋଗ ଦେଇ ଲିଙ୍ଗ ଜନିତ ସମସ୍ୟା ଓ ବାଛ ବିଚାର ଦୂରେଇ ମହିଳା ସଶକ୍ତିକରଣ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଡଃ. ମିଶ୍ର ତାଙ୍କର ବକ୍ତବ୍ୟ ମାଧ୍ୟମରେ ଉଲ୍ଲେଖ କରିଥିଲେ ଯେ ଗୋଟିଏ ବିରାଟ ହାତୀ ଯେମିତି ଏକ ସରୁ ରସି ଦ୍ବାରା ଗୋଟିଏ ଛୋଟ ଗଛରେ ବନ୍ଧା ହୋଇ ମଧ୍ୟ ଗଛ ଭାଙ୍ଗି ପଳାଇବାକୁ ଚେଷ୍ଟା କରି ନଥାଏ କାରଣ ଶିଶୁ ସମୟରୁ ହାତୀ ଟି ଗଛରେ ବାନ୍ଧି ହୋଇ ରହିବା ଅଭ୍ୟାସ ରେ ଅଭ୍ୟସ୍ତ, ସେହିପରି ମହିଳା ମାନଙ୍କ ଅମାପ ଶକ୍ତି ଥିଲେ ମଧ୍ୟ ସମାଜ ଓ ସଂସ୍କୃତି ଚାରି କାନ୍ଥ ମଧ୍ୟରେ ସୀମିତ ହୋଇ ରହନ୍ତି।

ମନସ୍ତତ୍ତ୍ୱ ବିଭାଗର ମୁଖ୍ୟ ସୁଜିତ କୁମାର ପାଣ୍ଡେ, ଅଜୟ କୁମାର ବେହେରା,  ସ୍ୱାଗତିକା ସାହୁ ଏବଂ ଆଈ.କ୍ୟୁ.ଏ.ସି ସଂଯୋଜିକା ଡଃ. ଋତୁସ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ଆଲୋଚନାରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପୁଲିନ୍ ବିହାରି ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ, ପ୍ରଶାସନିକ ଅଧିକାରୀ ଡକ୍ଟର ଏସ୍.ପି.ଏନ୍.ଏସ୍. ବର୍ମା ମୁଖ୍ୟବକ୍ତା ଙ୍କ ପରିଚୟ ପ୍ରଦାନ କରିଥିଲେ।

ପରିଶେଷରେ ଅଧ୍ୟାପକ( ଏଲ୍.ଟି) ଡଃ. ଗୁରୁ କିଶୋର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ରେ ପ୍ରାୟତଃ ତିନିଶହ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ମତଦାତାଙ୍କ ଆତ୍ମବିଶ୍ୱାସ ବଢାଇବା ସହ ଭୟମୁକ୍ତ ନିର୍ବାଚନ ନିମନ୍ତେ ପୋଲିସର ଫ୍ଲାଗ ମାର୍ଚ୍ଚ

ବାଣପୁର (ସୀତାରାମ ଅଗ୍ରୱାଲ): ଆଗାମୀ ସାଧାରଣ ନିର୍ବାଚନରେ ମତଦାତାଙ୍କ ମନରେ ଆତ୍ମବିଶ୍ୱାସ ବଢାଇବା ସହ ଭୟମୁକ୍ତ ନିର୍ବାଚନ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଏସପି ଅବିନାଶ କୁମାରଙ୍କ ନିର୍ଦେଶକ୍ରମେ ଏବଂ ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ନେତୃତ୍ୱରେ ସିଆରପିଅଫ ଯବାନ ଓ ପୋଲିସ କର୍ମଚାରୀ ମାନେ ମିଳିତ ଭାବେ ବାଣପୁର ବଜାରରେ ଫ୍ଲାଗ ମାର୍ଚ୍ଚ କରିଥିଲେ।

ଉକ୍ତ ଫ୍ଲାଗ ମାର୍ଚ୍ଚରେ ଏକ କମ୍ପାନୀ ସିଆରପିଅଫ ଯବାନ ଓ ବାଣପୁର ଥାନାର ସମସ୍ତ କର୍ମଚାରୀ ମାନେ ଭାଗ ନେଇଥିଲେ। ନାଗରିକମାନେ ନିର୍ଭିକ ଭାବେ ଚାପମୁକ୍ତ ହୋଇ ମତଦାନ କରିବା ଉଦ୍ଦେଶ୍ୟରେ ଏହି ଫ୍ଲାଗମାର୍ଚ୍ଚ ପୋଲିସ ପ୍ରଶାସନ ଦ୍ୱାରା ଜାରି ରହିଛି।

Categories
ଆଞ୍ଚଳିକ

ବାଣପୁର: ପରିବର୍ତ୍ତିତ ପରିବେଶ ଓ ପ୍ରଦ୍ୟୋଗ ପରିଚାଳନା ଆଲୋଚନା ଚକ୍ର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଦିବା ୧୧ ଘଟିକା ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ଶିର୍ଷକ “ପରିବର୍ତ୍ତିତ ପରିବେଶ ଓ ପ୍ରଦ୍ୟୋଗ ପରିଚାଳନା” ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହା ପାରଳା ମହାରାଜା ଇଂଜିନିୟରିଂ ମହାବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡ଼ଃ. ଜ୍ଞାନ ରଞ୍ଜନ ମହାନ୍ତିଙ୍କ ଉଦବୋଧନରେ ଅନୁଷ୍ଠିତ ହୋଇଛି।

ଏହି ପାଠଚକ୍ରକୁ ବାଣିଜ୍ୟ ବିଭାଗ ଅଧ୍ୟାପକ ଜୟନ୍ତ ବିହାରୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ଗୁଣବତ୍ତା ପ୍ରକୋଷ୍ଠର ଅଧିକାରୀ ଡ଼ଃ. ଋତୁସ୍ମିତା ମିଶ୍ରଙ୍କ ଉଦ୍ୟମରେ ଏହି ଆଲୋଚନାଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ହୋଇପାରିଥିଲା।

ଏଥିରେ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଡଃ. ଏସ୍.ପି.ଏନ୍.ଏସ୍ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଗାଡି ଚାଳକ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ଆସୁଥିବା ଏକ ଟ୍ରକ୍ ପିଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ବେଲପଡା ଛକରେ ଏକ ମାଲ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା।

ଆଜି ଭୋରରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଅନ୍ୟ ଏକ ଟ୍ରକ ଯାଉଥିଲା। ବେଲପଡା ଛକରେ ଟ୍ରକ୍ଟି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଥିଲା।

ଫଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭରଜଣକ ଫସି ରହିଥିବା ବେଳେ ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଓ ବାଣପୁର ଥାନା ପୁଲିସ୍ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ କଟର ସାହାଯ୍ୟରେ ଟ୍ରକକୁ କାଟି ଗୁରୁତର ଡ୍ରାଇଭରଙ୍କୁ ବାହାର କରାଯାଇଛି।

ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ହେଲପରଙ୍କ ମୃତଦେହକୁ ଟ୍ରକ୍ରୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ବାଣପୁର: ତାଲା ଭାଙ୍ଗି ଘରୁ ଚୋରି

ବାଣପୁର (ସୀତାରାମ ଅଗ୍ରୱାଲ): ବାଲୁଗାଁ ବାଣପୁର ରୋଡ଼ ଅନ୍ତର୍ଗତ ଗୋପିକାନ୍ତପୁର ଠାରେ ଏକ ଘରୁ ଦୁର୍ବୁତ୍ତ ମାନେ ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଚୋରି କରିଥିବାର ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଗୋପିକାନ୍ତ ପୁର ଗ୍ରାମର ରମେଶ କୁମାର ଦାସ ଭୁବନେଶ୍ୱରରେ ରହୁଥିବା ବେଳେ ଘରେ ଦୁର୍ବୁତ୍ତ ମାନେ କଳାକନା ବୁଲାଇ ଛନ୍ତି। ଗତ ରାତିରେ ତାଲା ଭାଙ୍ଗି ଘରେ ଥିବା ଏକ ମୋଟର ସାଇକେଲ, ପାଣି ମୋଟର ସହ ଆଲମିରା ଭାଙ୍ଗି ଦରକାରୀ କାଗଜପତ୍ର ଏବଂ ବିଭିନ୍ନ ଆସବାବ ପତ୍ର ନେଇଯାଇଥିଲେ।

ଆଜି ସକାଳେ ବାପାଙ୍କ ଠାରୁ ଖବର ପାଇ ଆସି ଘରେ ଦେଖନ୍ତି ଘର କବାଟ ଖୋଲା ଥାଇ ଆସବାବ ପତ୍ର ଏଣେତେଣେ ବିଛାଡି ହୋଇ ପଡିଛି। ଉକ୍ତ ଘଟଣାକୁ ରମେଶଙ୍କ ପତ୍ନୀ କଲ୍ୟାଣୀ ଦାସ ଥାନାରେ ଜଣାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ରୋଭର ରେଞ୍ଜରଙ୍କ ଦ୍ବାରା ଜଳ ସେଵା କାର୍ଯକ୍ରମ

ବାଣପୁର: ଆଜି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଗାଇଡ୍ ସହାୟତାରେ ଗୋଦାବରୀଶ ମହାବିଦ୍ୟାଳୟର ରୋଭର ରେଞ୍ଜରଙ୍କ ଦ୍ବାରା କଲେଜ ରୋଡ଼ର ଭାଗୀରଥୀ ମଣ୍ଡପ ପାର୍ଶ୍ଵରେ ଏକ ଜଳ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିନାୟକ ହୋତାଙ୍କ ଉପସ୍ଥିତିରେ ଜଳ ସେଵା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମ ତା.୨୨.୪.୨୦୨୪ ରିଖ ଠାରୁ ୧.୫.୨୦୨୪ ରିଖ ପର୍ଯ୍ୟନ୍ତ ପରିଚାଳିତ ହେବ। ପ୍ରଥମ ଦିନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଏସ୍.ପି.ଏନ୍.ଏସ୍ ବର୍ମା ,+୨ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଆଦିତ୍ୟ ସାରଥୀ ବେଦମତା, କୁମାରୀ ଉତ୍କଳିକା ପାଢୀ ଏବଂ ପ୍ରାକ୍ତନ ରୋଭର ଛାତ୍ର ସୁନିଲ୍ କୁମାର ସ୍ୱାଇଁ, ନିତିଶ୍ କୁମାର ବିଶ୍ବାଳ, ସିତୁନ ମହାପାତ୍ର ଓ ରୋଭର ତୁଷାର, ଅନିରୁଧ ଏବଂ ରେଞ୍ଜର ଚିନ୍ମୟୀ, ମୋନାଲିସା, ବର୍ଷା, ସରିତା, ଗାୟତ୍ରୀ, ଶ୍ରଦ୍ଧାଞ୍ଜଳୀ, ଅନନ୍ୟା, ଇତିଶ୍ରୀ, ଶର୍ମିଷ୍ଠା, ରୂପା, ଇତି, ବିଷ୍ଣୁପ୍ରିୟାଙ୍କ ଉପସ୍ଥିତିରେ ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ପ୍ରାୟ ୧୨୦(ଏକ ଶହ କୋଡିଏ) ଲୋକଙ୍କୁ ଦହି ସରବତ ପ୍ରଦାନ କରାଯାଇଛି।

Categories
ଆଞ୍ଚଳିକ

ବାଣପୁରରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ: ବିପୁଳ ପରିମାଣର ପୋଚ ଏବଂ ଦେଶୀ ମଦ ଜବତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ବାଣପୁର ଥାନା ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ କରାଯାଇଛି। ଦାଶରଥିପୁର ଗ୍ରାମ ଏବଂ କୋଷରଡ଼ା ଜଙ୍ଗଲ ଅଞ୍ଚଳରେ ଉକ୍ତ ଚଢ଼ାଉ କରାଯାଇଥିଲା।

ଏହି ସମୟରେ କୋଷରଡ଼ା ଅଞ୍ଚଳରୁ ସମୁଦାୟ ୨୨ ହଜାର ଲିଟର ପୋଚ ଏବଂ ୨୧୦୦ ଲିଟର ଦେଶୀ ମଦ ଜବତ କରାଯାଇ ନଷ୍ଟ କରିଦିଆଯାଇଛି। ଅନୁରୂପ ଭାବେ ଦାଶରଥିପୁର ଗ୍ରାମରୁ ୪୯ ଲିଟର ଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା, ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ତପସ୍ୱିନୀ ବରାଳ, ବାଲୁଗାଁ ଅବକାରୀ ଅଧିକାରୀ ସ୍ମିତା ପଣ୍ଡା, ବାଣପୁର ଥାନା ଏଏସଆଇ ଅନିଲ ନାୟକ ଏବଂ ପୋଲିସ ଓ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଐତିହାସିକ ପଲଟଣ ପଡିଆରେ ମହା ଧୁମଧାମରେ ପାଳିତ ହେଲା ଦଣ୍ଡ ମେଳଣ

ବାଣପୁର (ସୀତାରାମ ଅଗ୍ରୱାଲ): ଆସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ।

ଏହିଭଳି ଅନନ୍ୟ ପରମ୍ପରା ଓଡ଼ିଶାରେ ପ୍ରଚଳିତ। ବାଣପୁର ଅଂଚଳର ପ୍ରତିଷ୍ଠିତ ଶୈବପୀଠ ମାନଙ୍କରୁ ଦଣ୍ଡ ଠାକୁର ଚୈତ୍ର ମାସରେ ଭକ୍ତମାନଙ୍କ ଗହଣରେ ବର୍ଷକୁ ଥରେ ପ୍ରକଟିତ ହୁଅନ୍ତି। ବାଣପୁରର ବିଜୟ ବିଶ୍ୱାଳ, ମହେନ୍ଦ୍ର ରଣସିଂହ, ପ୍ରଶାନ୍ତ କୁମାର କାଣ୍ଡି, ସୁରେଶ ଚନ୍ଦ୍ର ବାରିକି, ସଂଗ୍ରାମ କେଶରୀ ସାହୁ ଏବଂ ଲୋକନାଥ ପ୍ରଧାନଙ୍କ ଭଳି କିଛି ଉଦୀୟମାନ ବ୍ୟକ୍ତିମାନେ ୨୦୦୯ ମସିହାରେ ଐତିହାସିକ ପଲଟଣ ପଡିଆରେ ଦଣ୍ଡ ଠାକୁରଙ୍କୁ ଏକତ୍ର କରିବାକୁ ପ୍ରୟାସ କରି ଦଣ୍ଡ ମେଳଣର ପରମ୍ପରା ସୃଷ୍ଟି କରିଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମେରୁ ଉତ୍ସବର ପୂର୍ବଦିନ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହେଉଅଛି।

ଚଳିତ ବର୍ଷ ଗୋଧୂଳି ସମୟର ଆଗମନରେ ବାଣପୁର ବଡହନ୍ତୁଆଡ଼ର ଶ୍ରୀଶ୍ରୀଶ୍ରୀ ରାଜା ରାଜେଶ୍ଵରୀଦେବ, ସାନହନ୍ତୁଆଡ଼ ଭକ୍ତ ରାଜେଶ୍ଵରୀଦେବ, ମାଟିଆପୋଖରୀ କପିଳେଶ୍ୱର ଦେବ, ଭେଟେଶ୍ୱର ଭେଟିନାଥ ଦେବ, ଗାଲୁଆ ଗୁପ୍ତେଶ୍ୱର ଦେବ, ବାଲୁଙ୍କେଶ୍ୱର ଦେବ, ବଡସିରେଇପୁର ଗୁପ୍ତେଶ୍ୱର ଦେବ, ବେଣୁଆଁବାଡି ଗାଦିଶ୍ୱରଦେବ, ଅରାଙ୍ଗ ନୀଳକଣ୍ଠେଶ୍ଵର ଦେବ, ବୋରିଗାଁ ନାଗରାଜ ଦେବ, ଭୀମପୁର ଝାଡ଼େଶ୍ୱର ଦେବ ଏବଂ ଖାରିଆ ପଲ୍ଲୀର ପଞ୍ଚମହାଦେବ ଦଣ୍ଡ ଠାକୁରଙ୍କ ପଞ୍ଚୁଦଳ ପଡିଆରେ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା।

ଠାକୁର ମାନେ ମେଳଣ ପଡିଆକୁ ପ୍ରବେଶ ସମୟରେ ସମସ୍ତ ଉଦ୍ୟୋଗୀ ବନ୍ଧୁମାନଙ୍କ ଦ୍ୱାରା ଠାକୁର ମାନଙ୍କୁ ନୂଆ ଥାଳିରେ ଗୁଆ, ଚନ୍ଦନ, ଫୁଲ, ଦୀପ, ଦିଆଯାଇ ଅଭ୍ୟର୍ଥନା କରା ଯାଇଥିଲା। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ସହିତ ଝୁଣା ଖେଳରେ ଫାଟି ପଡୁଥିଲା ପଲଟଣ ପଡିଆ। ହଜାର ହଜାର ଭକ୍ତ ମାନଙ୍କର ହରିବୋଲ ହୁଳହୁଳି ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା।

ଠାକୁର ମାନଙ୍କର ଆଗମନ ଉପଲକ୍ଷେ ଉକ୍ତ ସ୍ଥାନରେ ଯଂଜ୍ଞ, ସଂକୀର୍ତ୍ତନ ଓ ଭଜନ ସମାରୋହ ମାଧ୍ୟମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଠାକୁରଙ୍କ ଆଶୀର୍ବାଦ ନେବାପାଇଁ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଉପସ୍ଥିତ ଥିଲେ।  ପରିଶେଷରେ ଭୋଗ ନୈବେଦ୍ୟ ଲାଗି ପରେ ସମସ୍ତ ଠାକୁର ମାନଙ୍କର ମେଳଣ ପର୍ବ ଅନୁଷ୍ଠିତ ହେବାପରେ ଠାକୁର ମାନେ ସ୍ଵ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନିକଟରେ ଦୁର୍ଘଟଣାର ଶିକାର ହେଲେ କୋଣାର୍କ ଗଣନାଟ୍ୟର ଉପସ୍ଥାପକ: ବାଣପୁର ହସ୍ପିଟାଲରେ ଭର୍ତ୍ତି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଯାତ୍ରା କଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣ ଜେନାଙ୍କ ବାଲୁଗାଁ-ବାଣପୁର ନିକଟରେ ସଡକ ଦୁର୍ଘଟଣା ଘଟିଛି। ଉକ୍ତ ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି।

ପୋଲିସ ସୂଚନା ମୁତାବକ ଦ୍ଵିତିକୃଷ୍ଣ କାର ଯୋଗେ ଭୁବନେଶ୍ୱରରୁ ଖଲ୍ଲିକୋଟ ଅଭିମୁଖେ  ଯାଉଥିବାବେଳେ ବାଲୁଗାଁ ବାଇପାସ ନିକଟରେ ଏକ ମାଲବାହି ଅଟୋକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଉଭୟ ଅଟୋ ଚାଳକ ଏବଂ କାର ଚାଳକ ଗୁରୁତର ଆହତ ହୋଇଥିଲେ। ଏବଂ କାରର ସମ୍ମୁଖ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଆହତ ଅଟୋ ଚାଳକ ବାଣପୁର ଅଞ୍ଚଳର ରସିଦ ଖାନ ଏବଂ ଆହତ କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବୋଲି ଜଣାପଡିଛି।

ରସିଦଙ୍କୁ ବାଲୁଗାଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ସେହିପରି ଭାବେ ଦ୍ବିତିକୃଷ୍ଣଙ୍କୁ ବାଣପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ପୋଲିସ ଉଭୟ ଗାଡିକୁ ଜବତ କରିଥିବା ବେଳେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ ଏତଲା ହୋଇନଥିବା ଜଣାପଡିଛି।

Categories
ଆଞ୍ଚଳିକ

ନୂତନ ଖୋର୍ଦ୍ଧା ଏସପିଙ୍କ ବାଣପୁର ଓ ବାଲୁଗାଁ ଥାନା ପରିଦର୍ଶନ

ଚିଲିକା (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧାରେ ନୂତନ ଏସପି ଭାବେ ଗତ ଦୁଇ ଦିନ ତଳେ ଅବିନାଶ କୁମାର ଯୋଗଦେବା ପରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ଗସ୍ତକରି ସେଠାକାର ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ସ୍ଥିତି ତଦାରଖ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ଏସପି ଗତକାଲି ବାଲୁଗାଁ ଓ ବାଣପୁର ଥାନା ପରିଦର୍ଶନ କରିଥିଲେ।  ଅପରାହ୍ନରେ ବାଲୁଗାଁ ଥାନା ପହଞ୍ଚିବା ପରେ ଏସପିଙ୍କୁ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।

ଏହି ଅବସରରେ ଏସପି ଶ୍ରୀ କୁମାର ବାଲୁଗାଁ ଥାନା ଏବଂ ଏହାର ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଥିବା ନାଭାଲ ଫାଣ୍ଡି ଅଞ୍ଚଳ ପରିଦର୍ଶନ କରିଥିଲେ।  ସଂନ୍ଧ୍ୟାରେ ନୂତନ ଏସପି ବାଣପୁର ଥାନାରେ ପହଞ୍ଚି ସେଠାର ଆଇନ ଶୃଙ୍ଖଳା ସ୍ଥିତି ପରଖିଥିଲେ।

ଏହି ଅବସରରେ ତାଙ୍କୁ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା ଏବଂ ଥାନାର ସମସ୍ତ ପୋଲିସ କର୍ମଚାରୀ ମାନେ ଗାର୍ଡ ଅଫ ଅନର ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ।  ତେବେ ସାଧାରଣ ନିର୍ବାଚନରେ ପୋଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚଳିତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ଭାବେ ପରିଚାଳନା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଏସପି ତାଗିଦ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: କ୍ରିକେଟ ଖେଳ ସମୟରେ ଖେଳାଳିଙ୍କୁ ଅତର୍କିତ ଆକ୍ରମଣ, ଦୁଇ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅଘଟଣ ଘଟିଯାଇଛି। ଖେଳ ଶେଷ ହେବା ପରେ ବାଲୁଗାଁରୁ ଆସିଥିବା ଖେଳାଳିଙ୍କୁ ଅତର୍କିତ ଆକ୍ରମଣ କରାଯାଇଛି। ଯାହାଫଳରେ ଦୁଇଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ବାଣପୁର କପିଳେଶ୍ଵର ସାହିରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ଦିନ ବାଲୁଗାଁ ସହ ବିଂଝଳା ଗ୍ରାମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଖେଳ ସରିବା ପରେ ବାଲୁଗାଁ ଖେଳାଳି ମାନେ ପଡିଆ ଭିତରୁ ବାହାରକୁ ଯାଉଥିଲେ। ତେବେ ପୂର୍ବରୁ ଅଟୋରେ ଆସି ଲୁଚି ରହିଥିବା ଘନ ନାୟକ, ରାକ ନାୟକ, ଏବଂ ୱାର୍ଲଡ ନାୟକ ସମେତ ୭ରୁ ୮ଜଣ ଯୁବକ ସେମାନଙ୍କ ଉପରେ ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ ବୋଲି ଆହତ ମାନେ ପ୍ରକାଶ କରିଛନ୍ତି। ଯାହାଫଳରେ ବାଲୁଗାଁ ଟିମର ଦୁଇଜଣ ଖେଳାଳି ଗୁରତର ଆହତ ହେବା ସହ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବ ବେଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ସେମାନଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା।

ତେବେ ଅଭିଯୁକ୍ତମାନେ ବିଂଝଳା ଗ୍ରାମର ହୋଇଥିବା ବେଳେ ଉକ୍ତ ଗ୍ରାମର ଖେଳାଳି ମାନେ ଏଥିରେ ସମ୍ପୃକ୍ତ ନଥିବା ଜଣାପଡିଛି। ଅଭିଯୁକ୍ତମାନଙ୍କ ସହ କୌଣସି ପୂର୍ବ ଶତ୍ରୁତା ନଥିବା ଆହତ ଯୁବକମାନେ ପ୍ରକାଶ କରିଛନ୍ତି। ଆହତ ପରିବାରଙ୍କ ତରଫରୁ ବାଣପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ ତଦନ୍ତ କଲାପରେ ଅଭିଯୁକ୍ତମାନେ କଣ ପାଇଁ ଆକ୍ରମଣ କଲେ, ତାହାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି।

Categories
ଆଞ୍ଚଳିକ

ବାଣପୁର: ଇଫତାର ପାର୍ଟିରେ ଯୋଗ ଦେଲେ ବିଜେପି ପ୍ରାର୍ଥୀ ପ୍ରଥ୍ୱୀରାଜ ହରିଚନ୍ଦନ

ବାଣପୁର (ସୀତାରାମ ଅଗ୍ରୱାଲ): ମଙ୍ଗଳବାର ସନ୍ଧ୍ୟାରେ ବାଣପୁର ବଡହନ୍ତୁଆଡ଼ ଠାରେ ମସଜିଦର ଇଫତାର ପାର୍ଟିରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଥ୍ୱୀରାଜ ହରିଚନ୍ଦନ ଯୋଗଦେଇଛନ୍ତି। ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର କୌଣସି ପ୍ରାର୍ଥୀ ଘୋଷଣା ହୋଇନାହିଁ, କିନ୍ତୁ ପୃଥ୍ୱୀରାଜଙ୍କୁ ବିଜେପି ପ୍ରାର୍ଥୀ କରିଛି। ଭୋଟରଙ୍କ ସମସ୍ୟାକୁ ବୁଝିବା ପାଇଁ ବିଜେପି ପ୍ରାର୍ଥୀ ଶ୍ରୀଯୁକ୍ତ ହରିଚନ୍ଦନ ଲାଗିପଡିଛନ୍ତି।

ଏହି ପରିପ୍ରେକ୍ଷୀରେ ଚିଲିକାର ପୂର୍ବତନ ବିଧାୟକ ବିଭୁତି ଭୂଷଣ ହରିଚନ୍ଦନ, ଏବଂ ବର୍ତ୍ତମାନର ପ୍ରାର୍ଥୀ ପୃଥ୍ୱୀରାଜଙ୍କ ସହ ବଡହନ୍ତୁଆଡ଼ରେ ଇଫତାର ପାର୍ଟିରେ ଯୋଗ ଦେଇଛନ୍ତି। ଉକ୍ତ ପାର୍ଟିରେ ଯୋଗ ଦେଇ ମୁସଲିମ ଭାଇ ମାନଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ସହ କିଛି ସମୟ ବିତାଇଥିଲେ ଶ୍ରୀଯୁକ୍ତ ହରିଚନ୍ଦନ। ଆଗାମୀ ଦିନରେ ମୁସଲିମ ଭାଇ ଭଉଣୀ ମାନଙ୍କର ପ୍ରତ୍ୟେକ ସୁବିଧା ଅସୁବିଧାକୁ ନିଜର ଭାବି ସମାଧାନ କରିବାକୁ ପ୍ରତିଶୃତି ବଦ୍ଧ ବୋଲି ମତ ରଖିଥିଲେ।

ଶ୍ରୀଯୁକ୍ତ ହରିଚନ୍ଦନଙ୍କ ସହ ବାଣପୁର ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦକିଶୋର ମିଶ୍ର, ପୂର୍ବତନ ଅଧ୍ୟକ୍ଷ ସହଦେଵ ନାୟକଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଦାୟିତ୍ଵ ନେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଖୋର୍ଦ୍ଧା ଏସପି: ଚିଲିକାରେ ଯାଞ୍ଚ ହେଲା କଡାକଡ଼ି

ଚିଲିକା (ସୀତାରାମ ଅଗ୍ରୱାଲ): ଆକ୍ସନ ମୋଡ଼ରେ ଖୋର୍ଦ୍ଧା ନୂତନ ଏସପି ଅବିନାଶ କୁମାର। ଆଜି ଜିଲ୍ଲାରେ ଯୋଗଦାନ କରୁ କରୁ ବିଭିନ୍ନ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନୂତନ ଏସପିଙ୍କ ପ୍ରଥମ ପ୍ରାଥମିକତା ଥିବା ବେଳେ ଆଜି ସଂନ୍ଧ୍ୟାରେ ବାଲୁଗାଁ ପୋଲିସ ସବ ଡିଭିଜନ ଅଞ୍ଚଳରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଥାନା ଅଞ୍ଚଳରେ କଡ଼ାକଡି ଯାଞ୍ଚ ଜାରି ରହିଛି। ମଦ୍ୟପାନ କରି ଗାଡି ଚଳାଇବା, ଗାଡି ଭିତରେ ଟଙ୍କା ଚାଲାଣ, ଅସ୍ତ୍ରଶସ୍ତ୍ର ଚାଲାଣ ଆଦି ବିଭିନ୍ନ ଅପରାଧିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ। ବିଭିନ୍ନ ଛକରେ ସମସ୍ତ ଗାଡିକୁ ଗୋଟି ଗୋଟି କରି ତନଖି ପ୍ରକ୍ରିୟା ଜାରି ରହିଛି।

ତେବେ ଏହି ପ୍ରକ୍ରିୟା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିବ ବୋଲି ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି। ଉକ୍ତ ଯାଞ୍ଚରେ ବାଣପୁର ଆଇଆଇସି ରମେଶ ଚନ୍ଦ୍ର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ସାମିଲ ଅଛନ୍ତି।

Categories
ଆଞ୍ଚଳିକ

ବାଣପୁର ପଞ୍ଚୁ୍ଦୋଳରେ ସୁନା ଚେନ ଲୁଟ: ବନ୍ଧା ହେଲେ ମହିଳା

ବାଣପୁର (ସୀତାରାମ ଅଗ୍ରୱାଲ): ଗତକାଲି ଅନୁଷ୍ଠିତ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ପଞ୍ଚୁ୍ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଓଡିଶା ପ୍ରସିଦ୍ଧ ପଞ୍ଚୁଦୋଳରେ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା। ତେବେ ଏଠାରେ କିଛି ଲୁଟେରା ମାନେ ମଧ୍ୟ ସକ୍ରିୟ ଥିବା ଦେଖିବାକୁ ମିଳିଥିଲା।

ସୁଚାନା ଅନୁଯାୟୀ, ନାଚୁଣୀ ଥାନା ପାଳଧୁଆପଲି ଗ୍ରାମର ସାଗର ପଲେଇ ନିଜ ମାଙ୍କ ସହ ପଞ୍ଚୁ୍ଦୋଳ ଦେଖିବାକୁ ଆସିଥିବା ବେଳେ ଜଣେ ମହିଳା ତାଙ୍କ ମା ଙ୍କ ବେକରୁ ସୁନା ଚେନ ଛଡାଇ ନେଇ ଯାଇଥିଲା। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସାଗର ଅଭିଯୋଗ କରିଛନ୍ତି।  ସଙ୍ଗେ ସଙ୍ଗେ ସାଗର ଉକ୍ତ ମହିଳାଙ୍କୁ ଧରିଥିବା ବେଳେ ମହିଳା ଜଣକ ଗୋଟିଏ ଛୋଟ ପିଲାକୁ ଚେନ ଟିକୁ ଦେଇଦେବାରେ ପିଲାଟି ଗହଳି ଭିତରେ ଖସି ଯାଇଥିଲା।

ସାଗର ମହିଳା ଜଣଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଆଜି ପୋଲିସ ମହିଳାଙ୍କ ନାମରେ ମୋକଦମା ରୁଜୁ କରି କୋର୍ଟକୁ ସ୍ଥାନାନ୍ତର କରିଥିବା ବେଳେ ଲୁଟ ହୋଇଥିବା ସୁନା ଚେନ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରି ନାହିଁ।

Categories
ଆଞ୍ଚଳିକ

ବାଣପୁର: ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ପୁଞ୍ଜିଆମା ଶାସନରେ ଜଣେ ୨୮ବର୍ଷୀୟ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥବାର ଜଣାଯାଇଛି। ସୂଚନା ମୁତାବକ ଉକ୍ତ ଗ୍ରାମର ଅମର ବେହେରା ନାମକ ଜଣେ ଯୁବକ ନାଚୁଣୀ ଥାନା ଅଧିନସ୍ଥ ବରଡ଼ି ଗ୍ରାମରେ ବିବାହ କରିଥିଲେ। ବିବାହ ପରଠାରୁ ସେ ଘରଜୋଇଁଆ ଭାବରେ ଶ୍ୱଶୁର ଘରେ ରହି ଆସୁଥିଲେ । କିନ୍ତୁ ନିଜ ଗ୍ରାମରେ ଯାତ୍ରା ହେଉଥିବାରୁ ନିଜ ଘରକୁ ଆସିଥିଲେ।

କୌଣସି କାରଣରୁ ଘର ଲୋକଙ୍କ ସହ ମତାନ୍ତର ଘଟି ରାତି ୧୦ ଘଟିକା ପରେ କେଉଁଆଡେ ଚାଲି ଯାଇଥିଲେ। ପରିବାର ଲୋକ ବାରମ୍ବାର ଅମରକୁ ଫୋନ କରିଥିବା ପୋଲିସ କହିଛି। ପରେ ଗ୍ରାମର ବିଲ ଗହୀର ଭିତରେ ଥିବା ଏକ ଆମ୍ବ ଗଛରେ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ପୋଲିସ ଖବର ପାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରିଛି।

Categories
ଆଞ୍ଚଳିକ

ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ଜାଣନ୍ତୁ ଜିତିଲେ କିଏ?

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶା ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ରାଜ୍ୟର ସମସ୍ତ ଅନୁବନ୍ଧିତ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଏକାକାଳୀନ ଭାବେ ଅନୁଷ୍ଠିତ ହେଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ ଘଟିକା ଠାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ସମାପ୍ତ ହୋଇଥିଲା।

ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ଓକିଲ ବନ୍ଧୁମାନଙ୍କୁ ନିଜ ସପକ୍ଷରେ ମତ ଦେବାକୁ ଘରକୁ ଘର ବୁଲି ବିଭିନ୍ନ ପ୍ରକାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନ ଚାରି ଘଟିକାରେ ଗଣତି ଆରମ୍ଭ କରାଯାଇ ଫଳ ପ୍ରକାଶ ପାଇଥିଲା। ଚଳିତ ନିର୍ବାଚନରେ ସଙ୍ଘର ସମୁଦାୟ ୧୨୬ ଜଣ ଆଇନଜୀବୀ ସେମାନଙ୍କର ଭୋଟ ଦେଇଥିବା ବେଳେ ସଭାପତି ଭାବରେ ବରିଷ୍ଠ ଆଇନଜୀବି ବୃନ୍ଦାବନ ପ୍ରଧାନ ୬୪ ଖଣ୍ଡ ଭୋଟ, ଉପ ସଭାପତି ଭାବରେ ରାମଚନ୍ଦ୍ର ପଲାଇ ୭୯ ଖଣ୍ଡ ଭୋଟ, ସାଧାରଣ ସମ୍ପାଦକ ଭାବରେ ରଞ୍ଜନ କୁମାର ବେଦମତ୍ତା ୭୩ ଖଣ୍ଡ ଭୋଟ, କାର୍ଯ୍ୟକାରୀ ସଭ୍ୟ ଭାବରେ ସନ୍ତୋଷ ମହାପାତ୍ର ୭୮ ଖଣ୍ଡ ଭୋଟ, ସୁପ୍ରଭା ସାମନ୍ତରାୟ ୭୦ ଖଣ୍ଡ ଭୋଟ ଏବଂ ଦେବବ୍ରତ ବଡ଼ଜେନା ୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିଭଳି ଭାବେ ସଂଘର ସହ ସମ୍ପାଦକ ଭାବେ ନରେନ୍ଦ୍ର କୁମାର ନାୟକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବରେ ଆଇନଜୀବୀ ଶରତ କୁମାର ଲେଙ୍କା ଏବଂ ସହ ନିର୍ବାଚନ ଅଧିକାରୀ ଭାବେ ସୁନୀଲ ମହାପାତ୍ର ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ସଜେଇ ହେଲାଣି ଐତିହାସିକ ପଡିଆ ପଲଟଣ: ରାତି ପାହିଲେ ବାଣପୁରରେ ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର। ରାତି ପାହିଲେ ଓଡ଼ିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚୁଦୋଳ। ଏ ବର୍ଷ ଜମିବ ପଞ୍ଚୁଦୋଳ। ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ। କାହିଁ କେତେ ବାଟରୁ ଆସିଲାଣି ରଂଗ ବେରଙ୍ଗର ପସରା। ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇଲେଣି ଫେଁକାଳି। ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର, କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି, ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଡ଼ିଆ।କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ। ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି, ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ରମହ ମହବାସ୍ନା ମନ କିଣି ନେଲାଣି।

ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ ଚିତ୍ରିତ ହେଲାଣି ଦୋଳ ପିଣ୍ଡି। ମନ୍ଦିରମାନଙ୍କରେ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହେଲାଣି ଦୋଳବିମାନ, ଗରୁଡ଼, ହନୁମାନ ବାହାନ। ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ, ଚାଙ୍ଗୁ, ବାଘ, ଘୋଡ଼ାଇ, କେଳା କେଳୁଣୀ, ରଜାରାଣି, ଷଣ୍ଢ ନୃତ୍ୟସବୁ ପଟୁଆରରେ ସାମିଲ ହେବାକୁ ଗାଁଗାଁରେ ଚାଲିଛିପ୍ରସ୍ତୁତି।ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିସାରିଲେଣି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେଓ।

ଜଗତଜନନୀ ମା’ଭଗବତୀଙ୍କୁ ଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ପିନ୍ଧେଇ ଦେଲେଣୀ କାଠି ନାହାକ। ଅଗଣିତ ଭକ୍ତଙ୍କ ଠେଲା ପେଲା ଖାଇ ଯାତ୍ରାରେ ଦେବା ଦେବୀଙ୍କୁ ଭେଟିବାକୁ ବଢିଲାଣି ମନରେ ଉତ୍କଣ୍ଠ। ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିବ ମେଳଣ ପଡିଆ।ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ବଢିଲାଣି ଆବେଗ। ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେବ ଅଶେଷ ଆନନ୍ଦ।