Categories
ଆଞ୍ଚଳିକ

ବାଲୁଗାଁ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ : ସୋମବାର ଅପରାହ୍ନରେ ବାଲୁଗାଁ ସ୍ଥିତ ଡ଼ିଏଭି ଗୁରୁକୂଳ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ପ୍ଲାଣ୍ଟରୋମା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ମୁଖ୍ୟ ବକ୍ତା ଭାବେ ଚିଲିକା ଏବିଇଓ ନିଳାଦ୍ରୀ ଭୂଷଣ ଦାସ ଯୋଗଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ,ଗୁରୁକୂଳ ଶିକ୍ଷା ନିର୍ଦେଶକ ଜ୍ୟୋତି ପ୍ରକାଶ ତ୍ରିପାଠୀ, ଅବସରପ୍ରାପ୍ତ ଏବିଡିଓ କାଳୁ ଚରଣ ସାମନ୍ତରାୟ, ବାଙ୍କନିଧି ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ସୁଧୀର ପଲାଇ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବକ୍ରତୁଣ୍ଡ ମହାବିନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

ଶିକ୍ଷା ନିର୍ଦେଶକ ଗୁରୁକୁଳ ଜ୍ୟୋତି ପ୍ରକାଶ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ।ଏଥି ସହିତ ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା,ଶୈକ୍ଷିକ ପରିବେଶ,ଖେଳକୁଦ ସାଙ୍ଗକୁ ବ୍ୟାୟାମ,ଯୋଗ,ଗୁରୁ ଶିଷ୍ୟର ସମ୍ପର୍କ ସୁଦୃଢ କରିବା ଦିଗରେ ମଞ୍ଚାସିନ ଅତିଥିମାନେ ଆଲୋକପାତ କରିଥିଲେ।ପ୍ରତ୍ୟେକ ପିଲାଙ୍କ ଭବିଷ୍ୟତ ଉଜ୍ବଳ ନେଇ ପ୍ରାଥମିକ ସ୍ତରରୁ ଅଭିଭାବକମାନଙ୍କ ଗୁରୁ ଦାଇତ୍ୱ ରହିଛି।ତାଛଡା ଜୀବନରେ ଅନେକ ପରିସ୍ଥିତି ଆସିବ ଯାହାକି ନିଜ ପିଲାମାନେ କିପରି ତାହାକୁ ସାମ୍ନା କରି ଆଗକୁ ବଢ଼ିପାରିବେ ସେ ଦିଗଦର୍ଶନ ଅଭିଭାବକ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ଆଶାର ସଂଚାର ଦିଗରେ ପରାମର୍ଶ ଦେବା ନିହାତି ଆବଶ୍ୟକ ବୋଲି ମୁଖ୍ୟବକ୍ତା ଶ୍ରୀ ଦାସ କହିଛନ୍ତି।

ମୁଖ୍ୟ ଅତିଥି ଶ୍ରୀ ମହାରଣା ନିଜ ଅଭିଭାଷଣରେ ଆଜିର ଦିନରେ ଶିକ୍ଷାର ଆବଶ୍ୟକତା ନିହାତି ଜରୁରୀ ସେନେଇ ପିଲାମାନଙ୍କୁ ଉଚିତ ଶିକ୍ଷା ସହ ସାମାଜିକ ସଂସ୍କାର,ସଂସ୍କୃତି ଜ୍ଞାନ ସମ୍ବନ୍ଧରେ ଅବଗତ କରିବା ନିହାତି ଜରୁରୀ ବୋଲି କହିଛନ୍ତି।ଏଥିସହିତ ଆଗାମୀ ଦିନରେ ଶିକ୍ଷାପ୍ରଣାଳୀର ବିକାଶ ଦିଗରେ ଯୁବସମାଜ ପ୍ରେରିତ ହୋଇ ବିଦ୍ୟାଳୟର ସମୃଦ୍ଧି ସୁଦୃଢ କରିବା,ଅଭାବଗ୍ରସ୍ତ ଲୋକଙ୍କୁ ସାମାଜିକ କୁସଂସ୍କାର,ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ,ସୁନ୍ଦର,ସୁସମ୍ପନ ଓ ସୁସଂସ୍କୃତ କରିବାନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ମତପୋଷଣ କରିଥିଲେ।

ବିଗତ ଦିନରେ ସମସ୍ତ ଅଭିଭାବକ ମାନେ ସାମଗ୍ରୀକ ଭାବେ ସକରାତ୍ମକ ମନୋଭାବ ପୋଷଣ କରି ପରିବାର ସଦସ୍ୟଙ୍କ ଭଳି ଅନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହାନୁଭୂତିର ସହ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଆଗାମି ଶିକ୍ଷାବର୍ଷ ଉର୍ଣ୍ଣତମାନ କରିବାନେଇ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ମହାପାତ୍ର କହିଛନ୍ତି।

ସାନ୍ଧ୍ୟ ଅଧିବେସନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିସହିତ ମେଧାବୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପରୁସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି ,ଅଭିଭାବକ, ଶୁଭେଚ୍ଛୁବୃନ୍ଦ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବି, ଧାରଣାରେ ବସିଲେ ଏନଏସି ଅଧ୍ୟକ୍ଷା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର। କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନାରାଣୀ ପାଢ଼ୀଙ୍କ ମନମୁଖୀ ଶାସନ ବିରୋଧରେ ଅଭିଯୋଗ ଆଣି ନିର୍ବାଚିତ ଜନପ୍ରତିନିଧିମାନେ ଧାରଣାରେ ବସିଛନ୍ତି।

ସେମାନଙ୍କ ଅଭିଯୋଗ ମୁତାବକ କାର୍ଯ୍ୟନିବାହୀ ଅଧିକାରିଣୀ ଜନପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ଏବଂ କୌଣସି ଉନ୍ନୟନ କାର୍ଯ୍ୟରେ ସହଯୋଗ କରୁନାହାନ୍ତି।  ସେହିପରି ଭାବେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବି ନେଇ ଜନପ୍ରତିନିଧିମାନେ ଧାରଣାରେ ବସି ରହିଛନ୍ତି। ତେବେ ଘଟଣାସ୍ଥଳରେ ଜିଲ୍ଲାପାଳ ନଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷା।

ଅପରପକ୍ଷେ ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ପାଢ଼ୀଙ୍କୁ ପଚାରିବାରୁ ସମ୍ପୃକ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ସେହିପରି ଭାବେ ସମସ୍ତ ଜନ ପ୍ରତିନିଧିଙ୍କୁ ଉପଯୁକ୍ତ ସମ୍ମାନ ମିଳୁଛି ଏବଂ ଉନ୍ନୟନ କାର୍ଯ୍ୟ ଆଇନ ଅନୁଯାୟୀ ହେଉଥିବାର କହିଛନ୍ତି ଶ୍ରୀମତୀ ପାଢ଼ୀ।

ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଜନ ପ୍ରତିନିଧିଙ୍କ ଧାରଣା ପ୍ରାୟ ୩ ଘଣ୍ଟା ଧରି ଜାରି ରହିଛି।

Categories
ଆଞ୍ଚଳିକ

ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମହାବିଷୁବ ସଂକ୍ରାନ୍ତି ପରିପ୍ରେକ୍ଷୀରେ ଉମାମହେଶ୍ୱର ଦେବଙ୍କ ପୀଠରେ ଗତ ସାନ୍ଧ୍ୟ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମଧ୍ୟ ରାତ୍ରିରୁ ପାଟପଟୁଆର, ବାଜା ରୋଷଣୀରେ ଆଖପାଖ ଅଞ୍ଚଳର ୧୬ ଦେବା ଦେବୀଙ୍କ ବିଜେ ପ୍ରତିମାମାନଙ୍କ ଆଗମନ ହୋଇ ଆସ୍ଥାନ ବିରାଜମାନ କରିଥିଲେ।

ପ୍ରାତଃ କାଳରେ ସକାଳ ଭୋଗ, ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗ କରାଯିବା ସହ ଅପରାହ୍ନରେ ହୋମ ପୂର୍ଣ୍ଣାହୁତି ହୋଇଥିଲା। ପୂର୍ଣ୍ଣାହୁତି ପରେ ସମସ୍ତ ବିଜେ ପ୍ରତିମା ଦେବା ଦେବୀଙ୍କ ନିକଟରେ ମେଳଣ ଭୋଗ ଲାଗି ହେବାପରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା।

ବାବା ଉମାମହେଶ୍ୱର ଦେବଙ୍କ ଅପାର କରୁଣା ତଥା ଅଞ୍ଚଳର ପ୍ରତ୍ୟକ୍ଷ ଶୈବପୀଠ ହୋଇଥିବାରୁ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ଯାହାକି ପୀଠରେ ଏକତ୍ରିତ ଭାବେ ଦେବା ଦେବୀଙ୍କ ଦର୍ଶନ ପାଇବାର ସାନିଧ୍ୟ ଲାଭ କରିଥିବା ବେଳେ ପ୍ରଭୁଙ୍କ କରୁଣା ଓ ଆଶୀର୍ବାଦ ଭିକ୍ଷା କରିଥିଲେ ଶ୍ରଦ୍ଧାଳୁ ଗଣ।

ଅନୁଷ୍ଠିତ ଶମ୍ଭୁମିଳନ ମହୋତ୍ସବରେ ଉମାମହେଶ୍ୱର ଦେବଙ୍କ ପୀଠରେ ଆଖପାଖ ଅଞ୍ଚଳର ନିମନ୍ତ୍ରିତ ଦେବା ଦେବୀ ଏକତ୍ରିତ ହୋଇଥିଲେ। ଏହି ମେଳଣ ପର୍ବରେ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ଗବପଦର ବିଜେ ଶ୍ରୀ ଶ୍ରୀ ରାମେଶ୍ୱର ଦେବ, ବାଙ୍କନିଧି ଦେବ, ସିଙ୍ଗେଶ୍ୱର ବିଜେ ଶ୍ରୀ ଶ୍ରୀ ସିଂହନାଥ ଦେବ, ନିମିକ୍ଷେତା ବିଜେ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ଦେବ, ଦୋଳମୁଣ୍ଡାଇ ବିଜେ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ, ବଡ଼କୁଳ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ, ମଙ୍ଗରାଜପୁର ବିଜେ ଶ୍ରୀ ଶ୍ରୀ ଗତିଶ୍ୱର ଦେବ, ରଘୁନାଥପୁର ବିଜେ ଶ୍ରୀ ଶ୍ରୀ ଗୁପ୍ତେଶ୍ଵର ଦେବ, ସାନ୍ତରାପୁର ବିଜେ ଶ୍ରୀ ଶ୍ରୀ ଦଧିବମାନ ଦେବ, ପାଟଣା ସାହି ବିଜେ ଶ୍ରୀ ଶ୍ରୀ ଗୋପାଳଜୀଉ ଦେବ, ବାଲୁଗାଁ ବିଜେ ଶ୍ରୀ ଶ୍ରୀ ରଘୁନାଥ ଦେବ, କୁଲାକୁଣ୍ଢେଇ ବିଜେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଦେବ, ପାଟଣା ସାହି ମା ଜାଗୁଳାଇ ଠାକୁରାଣୀ, ଗୁଣ୍ଡୁରିପୁର ମା ଜାଗୁଳାଇ ଠାକୁରାଣୀ, ବାଲୁଗାଁ ମା ଚଣ୍ଡୀ ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନ ମାନ ସାମିଲ ହୋଇଥିଲେ।

ମେଳଣ ପଡିଆ ଠାରେ ସୁରୁଖୁରୁରେ ମେଳଣ ପର୍ବ ସରିଥିବା ବେଳେ ଲୋକଙ୍କ ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟି, କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳବାସୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ରେଳ ସୁରକ୍ଷା ବଳ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ରେଳ ସୁରକ୍ଷା ବଳ (ଆରପିଏଫ) ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଏସ. ଅର୍ଜୁନ ପାତ୍ରଙ୍କ ତତ୍ୱବାଧାନରେ ରେଳ ଷ୍ଟେସନ ନିକଟସ୍ଥ ବେଲପଡା, ଉମାକାନ୍ତପୁର, ରାଜୀବ ନଗର ଆଦି ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରେଳ ଟ୍ରାକକୁ ମଳ ମୁକ୍ତ ରଖିବା, ରେଳ ଲାଇନ ମଧ୍ୟକୁ ଗାଈଗୋରୁ ନଛାଡିବା ଏବଂ ଚଳନ୍ତା ଟ୍ରେନ ଉପରକୁ ହେଉ ଅବା ରେଳ ଟ୍ରାକ ମଧ୍ୟରୁ ଟେକା ପଥର ନ ଫୋପାଡିବା ସହିତ ଷ୍ଟେସନ ପରିସରରେ କୌଣସି ଭଙ୍ଗାରୁଜା ନକରିବା ପାଇଁ ଜନ ସଚେତନତା କରାଯାଇଥିଲା।

ସୂଚନା ଥାଉକି ନିକଟରେ ବାଲୁଗାଁ ରେଳ ଷ୍ଟେସନ ଟ୍ରାକରେ ସ୍ଥାନୀୟ ବାସିନ୍ଦା ମାନେ ଗୃହପାଳିତ ପଶୁ ଛାଡିବା ଦ୍ୱାରା ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା।

Categories
ଆଞ୍ଚଳିକ

ବାଲୁଗାଁ: ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଦିଗନ୍ତର ନୂତନ ଚିନ୍ତାଧାରା ନେଇ ଉଡାଣ-୨୦୨୩ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଳ୍ପପତି କେ ନାରାୟଣ ପାତ୍ର, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା କାରମେଲ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକ ସଂଜୀବିତୋ ପାଣି, ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ।

ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଅତିଥି ଗହଣରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ବିଦ୍ୟାଳୟର ସଭାପତି କିରଣ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଅରୁଣ କୁମାର ବରାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥି ସହିତ ଶିକ୍ଷାର ଅଭିବୃଦ୍ଧି, ପ୍ରତିଯୋଗିତା ମୁଳକ ଶିକ୍ଷା, ଶୈକ୍ଷିକ ପରିବେଶ, ଖେଳକୁଦ ସାଙ୍ଗକୁ ବ୍ୟାୟାମ, ଯୋଗ, ଗୁରୁ ଶିଷ୍ୟର ସମ୍ପର୍କ ସୁଦୃଢ କରିବା ଦିଗରେ ମଞ୍ଚାସିନ ଅତିଥିମାନେ ଆଲୋକପାତ କରିଥିଲେ।

ଏଥିସହିତ ଆଗାମୀ ଦିନରେ ଶିକ୍ଷାପ୍ରଣାଳୀର ବିକାଶ ଦିଗରେ ଯୁବସମାଜ ପ୍ରେରିତ ହୋଇ ବିଦ୍ୟାଳୟର ସମୃଦ୍ଧି ସୁଦୃଢ କରିବା, ଅଭାବଗ୍ରସ୍ତ ଲୋକଙ୍କୁ ସାମାଜିକ କୁସଂସ୍କାର, ଶୋଷଣ ଏବଂ ଅନ୍ୟାୟରୁ ମୁକ୍ତି କରାଇ ରାଷ୍ଟ୍ର ଜୀବନକୁ ସରସ, ସୁନ୍ଦର, ସୁସମ୍ପନ ଓ ସୁସଂସ୍କୃତ କରିବାନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳାଦ୍ରୀ ଭୂଷଣ ବେହେରା ମତପୋଷଣ କରିଥିଲେ।

ବିଗତ ଦିନରେ ସମସ୍ତ ଅଭିଭାବକ ମାନେ ସାମଗ୍ରୀକ ଭାବେ ସକରାତ୍ମକ ମନଭାବ ପୋଷଣ କରି ପରିବାର ସଦସ୍ୟଙ୍କ ଭଳି ଅନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହାନୁଭୂତିର ସହ ପୂର୍ଣ୍ଣ ସହଯୋଗ କରିଥିବା ନେଇ ବିଦ୍ୟାଳୟର ସଭାପତି ଶ୍ରୀ ପାତ୍ର କହିଛନ୍ତି। ସାନ୍ଧ୍ୟ ଅଧିବେସନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏଥିସହିତ ମେଧାବୀ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ପରୁସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତି, ଅଭିଭାବକ, ଶୁଭେଚ୍ଛୁବୃନ୍ଦ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ଖୋଲିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଭାରତର ଦ୍ଵିତୀୟ ବୃହତମ ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ ହୋଇଯାଇଛି। ବାଲୁଗାଁ ମା’ ଉତ୍ତରାୟିଣି ମନ୍ଦିର ନିକଟରେ ଉକ୍ତ ବ୍ୟାଙ୍କ ଶାଖା ଉଦଘାଟିତ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ପିଏନବି ଜୋନାଲ ମ୍ୟାନେଜର ଉଦୟ ଭାସ୍କର ରେଡି ଉଦଘାଟନ କରିଛନ୍ତି।

ତେବେ ପିଏନବି ର ୧୨୭ ବର୍ଷର ଅନୁଭୂତି ବାଲୁଗାଁ ବାସୀଙ୍କ ପ୍ରଗତିରେ ନିଶ୍ଚୟ ସହାୟକ ହେବ ବୋଲି ବାଲୁଗାଁ ଶାଖା ପ୍ରବନ୍ଧକ ଅଭିଷେକ ପଣ୍ଡା କହିଛନ୍ତି। ଆଜି ଉଦ୍ଘାଟନୀ ଦିବସରେ ୧୨୦ ରୁ ଉର୍ଦ୍ଧ ନୂତନ ଆକାଉଣ୍ଟ ଖୋଲିଥିବାର ସୂଚନା ଦେଇଛନ୍ତି ଶ୍ରୀ ପଣ୍ଡା। ତେବେ ବାଲୁଗାଁରେ ପୂର୍ବରୁ ଏକାଧିକ ରାଷ୍ଟ୍ରୟତ୍ତ ଏବଂ ଘରୋଇ ବ୍ୟାଙ୍କ ଥିବା ବେଳେ ଆଜି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉକ୍ତ ଶ୍ରେଣୀରେ ସାମିଲ ହୋଇଛି। ଏବେ ବାଲୁଗାଁ ସହର ବାସି ଏହି ବ୍ୟାଙ୍କର ସେବା ପାଇପାରିବେ।

ଉକ୍ତ ଉଦଘାଟନ ଉତ୍ସବରେ ପିଏନବି ସର୍କଲ ହେଡ଼ ଚିତ୍ତରଞ୍ଜନ ପୃଷ୍ଟିଙ୍କ ସମେତ ବାଣପୁର ଓ ଗମ୍ଭାରୀମୁଣ୍ଡା ପିଏନବି ଶାଖା ପ୍ରବନ୍ଧକ ଏବଂ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏସଡିପିଓଙ୍କୁ ସାଳିଆ ପ୍ରେସ କ୍ଲବ ଦେଲା ବିଦାୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ କ୍ଲବ’ ପକ୍ଷରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ଅବସରରେ ‘ଶାଳିଆ ପ୍ରେସ କ୍ଲବ’ର ସଦସ୍ୟମାନଙ୍କ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଶ୍ରୀ ଜଗନ୍ନାଙ୍କ ପଟ୍ଟଚିତ୍ର ଦେଇ ଶ୍ରୀ ବାରିକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା।

ପ୍ରେସ କ୍ଲବ ସଭାପତି ଅଜିତ୍ କୁମାର ସାହୁଙ୍କ ନେତୃତ୍ବରେ ସମସ୍ତ ଉପସ୍ଥିତ ସାମ୍ବାଦିକ ସଭ୍ୟଙ୍କ ଗହଣରେ ଶ୍ରୀ ବାରିକଙ୍କ ବାଲୁଗାଁ ପୋଲିସ ଉପଖଣ୍ଡରେ ବିଗତ ଦିନର କାର୍ଯ୍ୟଶୈଳୀ ବିଷୟରେ ଆଲୋଚନା କରାଯାଇଥିଲା। ଏଥି ସହିତ ନିକଟରେ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡିଜିପିଙ୍କ ଠାରୁ ପୁରସ୍କାର ପାଇଥିବା ଶ୍ରୀ ବାରିକ ନିଜର କର୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ।

ସେ ଏକାଧାରରେ ସଂପୃକ୍ତ ଅଞ୍ଚଳରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଜଣାଶୁଣା ହୋଇଥିବା ବେଳେ ଜଣେ ଭଲ ଲେଖକ ଓ କବି ଏବଂ ପରୋପକାରୀ ଅଧିକାରୀ ଭାବେ ମଧ୍ୟ ପରିଚିତ। ଯାହାକି କର୍ମ ମୟ ଜୀବନ ମଧ୍ୟରୁ ନିୟମିତ ରାତିରେ କିଛି କିଛି ସମୟ ବାହାର କରି “ଅଣୁଗଳ୍ପ ମାନସା”ଙ୍କ ନାମରେ ଏକ ପୁସ୍ତକ ରଚନା କରିଛନ୍ତି।

ବାଲୁଗାଁ ଉପଖଣ୍ଡରେ ଦୀର୍ଘ ୨ବର୍ଷ ୩ମାସ ଚାକିରି ଜୀବନ କାଳରେ ସମସ୍ତଙ୍କର ଅତି ପ୍ରିୟ ସାଜିଥିବା ଶ୍ରୀ ବାରିକଙ୍କ ତାଳଚେରକୁ ବଦଳି ହୋଇଛି । ଏ ନେଇ ସମଗ୍ର ବାଣପୁର ବାଲୁଗାଁ ଅଞ୍ଚଳବାସି ମ୍ରିୟମାଣ ଥିବା ବେଳେ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଛି ‘ଶାଳିଆ ପ୍ରେସ କ୍ଲବ’।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି, ଆଶା ଆଶଙ୍କାରେ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ
ବାଣପୁର/ବାଲୁଗାଁ: ଆସନ୍ତା ସୋମବାର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସରିବାକୁ ଥିବାବେଳେ ଶନିବାର ପରୀକ୍ଷା ପ୍ରଶ୍ନ ପତ୍ରରେ ଦେଖାଯାଇଛି ବିଭ୍ରାଟ। ଶନିବାର ସାମାଜିକ ବିଜ୍ଞାନ ପରୀକ୍ଷା ବିଷୟ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବଣ୍ଟା ହେଲା ପରେ ଉକ୍ତ ତ୍ରୁଟି ଦେଖିବାକୁ ମିଳିଥିଲା।

ପ୍ରକାଶଥାଉ କି ବୋର୍ଡ଼ ଦ୍ୱାରା ପ୍ରତି ବିଷୟରେ ଏ’ ବି’ ସି’ ଡି’ ଚାରିଗୋଟି ସେଟ ମାଧ୍ୟମରେ ପିଲାମାନଙ୍କୁ ପ୍ରଶ୍ନ ପତ୍ର ଯୋଗାଇ ଦିଆଯାଉଛି। କିନ୍ତୁ ବାଣପୁର ଓ ବାଲୁଗାଁ ଅଂଚଳର ଗୋଦାବରୀଶ ବିଦ୍ୟାପୀଠ, ବାଣପୁର ସରକାରୀ ବାଳିକା ବିଦ୍ୟାଳୟ ଭଳି ପ୍ରାୟ ସମସ୍ତ ପରୀକ୍ଷା ସେଣ୍ଟରରେ ‘ଏ ସି’ ଡି’ ସେଟର ପ୍ରଶ୍ନପତ୍ର ଠିକ ଥିଲାବେଳେ ବି ସେଟର ପ୍ରଶ୍ନପତ୍ରରେ ତ୍ରୁଟି ଦେଖିବାକୁ ମିଳିଥିଲା ବୋଲି ବାଣପୁର ବି ଇ ଓ ସନାତନ ଜାଲି କହିଛନ୍ତି।

‘ବି’ ସେଟ ପ୍ରଶ୍ନପତ୍ରରେ ‘ଏ’ ସେଟର କିଛି ପ୍ରଶ୍ନ ପଶିଯାଇଥିବା ଏବଂ ସମୁଦାୟ ୧୦୦ ମାର୍କ ପ୍ରଶ୍ନରୁ କିଛି ପ୍ରଶ୍ନ ଗାଏବ ହୋଇଯାଇଥିବା ପରିଲକ୍ଷିତ ହୋଇଥିଲା। ଏହିଭଳି ପ୍ରତି ସେଣ୍ଟରରେ ୧୦ ରୁ ୧୫ ଜଣ ଛାତ୍ରଛାତ୍ରୀ ଏହି ତ୍ରୁଟି ଜନିତ ପ୍ରଶ୍ନପତ୍ର ପାଇଥିଲେ। ଯାହାଫଳରେ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡ଼ିଥିଲେ।

ଏହିଭଳି ତ୍ରୁଟି ଦେଖିବାପରେ ପିଲାମାନଙ୍କୁ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ଯେଉଁ ଛାତ୍ରଛାତ୍ରୀ ମାନେ ଏହି ପ୍ରଶ୍ନପତ୍ର ପାଇଛନ୍ତି ସେମାନଙ୍କ ରୋଲ ନମ୍ବର ସହ ଖାତାର ଫୋଟୋ କପି ଇ ମେଲ ଜରିଆରେ ବୋର୍ଡ଼ ନିକଟକୁ ପଠାଇ ଦିଆଯାଇଛି। ତେଣୁ ଉକ୍ତ ଘଟଣା ସାରା ରାଜ୍ୟରେ ହୋଇଥିବା ଏବଂ ଏହା ବୋର୍ଡ଼ର ତ୍ରୁଟି ହୋଇଥିବାରୁ ବୋର୍ଡ଼ ଯାହା ନିଷ୍ପତି ନେବ ବୋଲି ମତ ରଖିଛନ୍ତି ଶ୍ରୀଯୁକ୍ତ ଜାଲି।

ତଥାପି ପିଲାମାନଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟକୁ ବାର୍ତ୍ତା ପଠାଇଥିବା ଖବର ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ଏସଡିପିଓଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’। ଶ୍ରୀ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବା ବେଳେ ସେ ଜଣେ ଭଲ ଲେଖକ ଓ କବି ମଧ୍ୟ। ସମୟ ସମୟରେ ସେ କ୍ଷୁଦ୍ର କବିତା ଏବଂ ଅଣୁଗଳ୍ପ ଲେଖି ନିଜେ ଟ୍ୱିଟ୍ କରିଥାନ୍ତି। ତାଙ୍କର ଗଳ୍ପ କବିତା ଗୁଡିକ ପ୍ରାୟତଃ ସାମ୍ପ୍ରତିକ ସମାଜରେ ମାନବୀୟ ଦୃଷ୍ଟିଭଙ୍ଗୀକୁ ଇଙ୍ଗିତ କରିଥାଏ।

ବାଲୁଗାଁରେ ଦୀର୍ଘ ଦୁଇ ବର୍ଷ ଚାକିରି ଜୀବନରେ ସାଉଁଟିଥିବା ଅଭିଜ୍ଞତା, କାହାଣୀ ଓ ଚରିତ୍ର ମାନଙ୍କୁ ମଧ୍ୟରାତ୍ରିରେ କାଳ୍ପନିକ ରୂପ ଦେଇ ଉକ୍ତ ପୁସ୍ତକରେ ଆହୁରି ଉଜ୍ଜୀବିତ କରିଛନ୍ତି ସେ। ଦୁଇ ଚାରି ମାସ ଭିତରେ ଏହି ଗଳ୍ପ ଗୁଡିକୁ ଜୀବନ୍ତ କରି ଗଢ଼ିଛନ୍ତି ଯାହାର ସମ୍ପୂର୍ଣ୍ଣ ସଂକଳନ ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଅଡିଟୋରିଅମ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ପୁସ୍ତକ ଉନ୍ମୋଚନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବାରିକ।

ଏହାର ମୂଲ୍ୟ ମାତ୍ର ୧୨୯ ଟଙ୍କା ରହିଥିବା ବେଳେ ୧୭ ତାରିଖ ପରେ ଏହା ଅଗ୍ରଣୀ ଅନଲାଇନ ସଂସ୍ଥା ଆମାଜନରେ ଉପଲବ୍ଧ ହେବ। ଭୁବନେଶ୍ୱରସ୍ଥିତ ପଶ୍ଚିମା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଉକ୍ତ ପୁସ୍ତକରେ ସମୁଦାୟ ୨୦୭ ଟି ଅଣୁଗଳ୍ପ ଅଛି। ସବୁଠାରୁ କ୍ଷୁଦ୍ର ଗଳ୍ପ ଗୋଟିଏ ବାକ୍ୟରେ ଏବଂ ଦୀର୍ଘତମ ଗଳ୍ପ ପାଞ୍ଚଗୋଟି ବାକ୍ୟରେ ସମାପ୍ତ ହୋଇଛି।

ଉକ୍ତ ପୁସ୍ତକ କୋଡିଏ ଗୋଟି ଥିମକୁ ନେଇ ଗଠିତ ହୋଇଥିବା ବେଳେ ପ୍ରତ୍ୟେକ ଥିମରେ ଦଶଗୋଟି ଅଣୁଗଳ୍ପ ରହିଅଛି। ପ୍ରତ୍ୟେକ ଗଳ୍ପରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ବାର୍ତ୍ତା ଲୁଚି ରହିଛି। ଆଙ୍ଗୀକ ଦୃଷ୍ଟିରୁ ମୁଖ୍ୟତଃ ଚିତ୍ରକଳ୍ପରେ ପରିପୂର୍ଣ୍ଣ ଆଉ ଆତ୍ମିକ ଦୃଷ୍ଟିରୁ ବାସ୍ତବଧର୍ମୀ ଘଟଣା ସବୁ ନିହିତ ଅଛି ବୋଲି କହିଛନ୍ତି ଶ୍ରୀ ବାରିକ।

ଅନେକାଂଶରେ ଟୁଇଷ୍ଟ, ଟର୍ନ୍, ମୋହଭଙ୍ଗ ଏବଂ ଅଯୌକ୍ତିକ ବଦ୍ଧମୂଳ ଧାରଣା ମାନଙ୍କର ମୂଳୋତ୍ପାଟନରେ ଗଳ୍ପ ସବୁ ପର୍ଯ୍ୟବେସିତ ହୋଇଛି। ଉଦ୍ଦେଶ୍ୟ ସ୍ତରୀଭୂତ ସତ୍ୟ ମାନଙ୍କର ଅନାବରଣ କାରଣ ସତ୍ୟ କେବେ ବି ଏକମାତ୍ର ନିର୍ଦ୍ଧାରିତ ଧାରଣା ହୋଇ ନପାରେ ବୋଲି ଗାଳ୍ପିକଙ୍କର ମତ। ଗୋଟିଏ ବିଷୟ କେମିତି ଭିନ୍ନ ପରିସ୍ଥିତିରେ ଭିନ୍ନ ଅର୍ଥ ବହନ କରିପାରେ ତାହା ଅତି ସହଜରେ ଅଣୁଗଳ୍ପର ସ୍ଵଳ୍ପ କାୟାରେ ବଖାଣିବାର ଚେଷ୍ଟା କରିଛନ୍ତି ଶ୍ରୀ ବାରିକ୍। ଆଗରୁ ମଧ୍ୟ ସାମାଜିକ ଗଣମାଧ୍ୟମରୁ ଏହାର ଝଲକ ପାଠକମାନେ ଦେଖିଥିବେ। ବହିର ପ୍ରଚ୍ଛଦପଟ୍ଟରୁ ଜଣା ପଡେ ଗାଳ୍ପିକ ସିନ୍ଧୁକୁ ବିନ୍ଦୁରେ ଦେଖେଇବାକୁ ଶ୍ରୀ ବାରିକ ଚେଷ୍ଟା କରିଛନ୍ତି।

ତେବେ ଚିଲିକା ଓ ବାଣପୁର ଏକ ଐତିହ୍ୟ ଭରା ମାଟି ହୋଇଥିବାବେଳେ ନିଜ କାର୍ଯ୍ୟକାଳ ମଧ୍ୟରେ ଏହି ମାଟିରେ ଉକ୍ତ ପୁସ୍ତକ ଲେଖିପାରିଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି ଶ୍ରୀ ବାରିକ କହିଛନ୍ତି। ତେବେ ଉକ୍ତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ସବୁ ବର୍ଗର ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକ।

Categories
ଆଞ୍ଚଳିକ

ଚିଲିକା: କ୍ରମାଗତ ଦ୍ଵିତୀୟ ଦିନ ଚଢାଉ କଲା ଅବକାରୀ ବିଭାଗ, ତିନି ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ/ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କ୍ରମାଗତ ଭାବେ ଦ୍ଵିତୀୟ ଦିନରେ ବାଲୁଗାଁ ଏବଂ ଟାଙ୍ଗୀ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚଢ଼ାଉରେ ଦେଶୀ ବିଦେଶୀ ମଦ ଜବତ ହୋଇଥିବା ବେଳେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ଅଞ୍ଚଳରୁ ୭୫ ଲିଟର ଦେଶୀ ମଦ ଏବଂ ୮.୪୬ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ଟାଙ୍ଗୀ ଥାନା ସୋରଣ ଅଞ୍ଚଳରୁ ୧୬ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଛି।

ଅଭିଯୁକ୍ତ ସନ୍ତୋଷ ସ୍ୱାଇଁ (୩୭), ଧୋୟା ବେହେରା (୬୭) ଏବଂ କିଶୋର ସାହୁ (୫୨) ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଏସଆଇ ବି.ମନୋଜ କୁମାର ଏଏସଆଇ ବିଶ୍ୱମ୍ବର ବିଶ୍ୱାଳ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ସ୍ଥିତ ଗୋପିନାଥ ପୁର ଗଜଲକ୍ଷ୍ମୀ କଲ୍ୟାଣ ମଣ୍ଡପ ଠାରେ ସଭାପତି କବି ତଥା ସାହିତ୍ୟିକ ରଙ୍କନାଥ ସେଠିଙ୍କ ପୌରୋହିତ୍ୟରେ ଦଶମ ରାଜ୍ୟସ୍ତରୀୟ ଭାଷା ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।

ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡଃ ସ୍ଵର୍ଣ୍ଣଲତା ପରିଡା କାର୍ଯ୍ୟକ୍ରମକୁ ଉଦଘାଟିତ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଫେସର ଡ଼ଃ ବିଜୟାଲକ୍ଷ୍ମୀ ଦାଶ ଓ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଐତିହାସିକ ତଥା ରାଜ୍ୟର ଭାଷା ସୁରକ୍ଷା ସମ୍ମିଳନୀର କର୍ଣ୍ଣଧାର ସତ୍ୟବାଦୀ ବଳିଆରସିଂହ, ନରେଶ ଚନ୍ଦ୍ର ରାୟ ମହାପାତ୍ର, ଡ଼ଃ ଶରତ ଚନ୍ଦ୍ର ମାଝି, ଦଣ୍ଡପାଣି ମହାପାତ୍ର, ରବି ରଥ, ବରିଷ୍ଠ ସାମ୍ବାଦିକ ଅଶ୍ଵିନୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଓଡିଆ ଭାଷା ସୁରକ୍ଷା ଓ ତାହାର ପ୍ରତିକାର ଶୀର୍ଷକ ବିଷୟବସ୍ତୁ ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାଣପୁର ଉପ ନିବନ୍ଧକ ରମେଶ ଚନ୍ଦ୍ର ପାଣି ଓ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଭାଷା ସୁରକ୍ଷା ସମ୍ପର୍କିତ ବହୁମୁଖୀ ଅଭିଭାଷଣ ଦେଇଥିଲେ।ସମ୍ପାଦକ ଅଧିବକ୍ତା ଶେଷଦେବ ମହାରଣା ସଂଗଠନର ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଗଠିକା ବ୍ୟଙ୍ଗ କବୟିତ୍ରୀ କୁନ୍ତଳା କୁମାରୀ ବେହେରା ମଞ୍ଚାସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ସଂଗଠନର ଉପଦେଷ୍ଟା ସର୍ବେଶ୍ଵର ଷଡ଼ଙ୍ଗୀ ଓ ମଦନ ମୋହନ ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି ଉତ୍ସବରେ ପ୍ରାୟ ଶତାଧିକ କବି ଓ ସାହିତ୍ୟିକ ସେମାନଙ୍କର ରଚିତ କବିତା ପାଠ କରିଥିଲେ। ଏହାକୁ ଗୀତିକାର ତଥା କବି ଗୋପୀନାଥ ଦାସ, ଇତିଶ୍ରୀ ସାହୁ ପ୍ରମୁଖ ସଂଯୋଜନା କରିଥିଲେ।ଏହି ଉତ୍ସବରେ ବହୁ ବିଶିଷ୍ଟ ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିଲିକା: ଖବର ପ୍ରକାଶ ପରେ ଚେତିଲା ଅବକାରୀ ବିଭାଗ, ବିଭିନ୍ନ ସ୍ଥାନରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ବାଣପୁର ଓ ବାଲୁଗାଁ ଅଞ୍ଚଳରେ ବେଆଇନ ମଦର ଅବାଧ ବିକ୍ରି ଉପରେ ଏକ ଖବର ‘ସମୀକ୍ଷା’ ରେ ପ୍ରକାଶ ପାଇଥିଲା। ଏହାପରେ ଅବକାରୀ ବିଭାଗକୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଅବକାରୀ ବିଭାଗ ବାଣପୁର ଓ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି।

ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ବିଦେଶୀ ମଦ ଏବଂ ପୋଚ ଜବତ କରିଛି ଅବକାରୀ ବିଭାଗ। ଚଢ଼ାଉରେ ବାଣପୁର ଥାନା ଅନ୍ତର୍ଗତ ବାଲିକଣିଆ ଛକରୁ ୧୪.୪୦ ଲିଟର ଜିଂଜର, କଟୁଆଳରୁ ୪୦ ଲିଟର ଦେଶୀ ମଦ ଓ ୪୦୦ କେଜି ପୋଚ, ବିଷ୍ଣୁଡିହ ଗ୍ରାମରୁ ୫.୭୬ ଲିଟର ବିଦେଶୀ ମଦ ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଗ୍ରାମରୁ ୭.୪ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଛି।

ଅନୁରୂପ ଭାବେ ଚାରି ଜଣ ଅଭିଯୁକ୍ତ ଯଥା ସୁରେନ୍ଦ୍ର ଶବର (୩୭), ଅଞ୍ଜଳି ବେହେରା (୩୫), ନିରଞ୍ଜନ ଶବର (୨୭) ଏବଂ ଭିକାରି ବେହେରା (୫୨)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଜିଲ୍ଲା ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ, ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା, ଏଏସଆଇ ବିଶ୍ୱମ୍ବର ବିଶ୍ୱାଳ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ। ତେବେ ଉକ୍ତ ଚଢ଼ାଉ ବାଣପୁର ବାଲୁଗାଁ ଅଞ୍ଚଳରେ ନିରନ୍ତର ଭାବେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବରିହା କହିଛନ୍ତି।

Categories
ଆଞ୍ଚଳିକ

ମଧ୍ୟ ପ୍ରଦେଶରୁ ଭିଟାମାଟିକୁ ଫେରିଲା ପାର୍ଥିବ ଶରୀର, ବିଜେପି ନେତା ସମ୍ବିତ ପାତ୍ରଙ୍କ ସହଯୋଗ

ବାଲୁଗାଁ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ରଙ୍କ ହସ୍ତକ୍ଷେପ ପରେ ଗତକାଲି ରାତିରେ ଜଣେ ବ୍ୟକ୍ତିଙ୍କ ମର ଶରୀର ସୁଦୂର ମଧ୍ୟପ୍ରଦେଶ ରୁ ଆସି ପହଁଚିବା ପରେ ଆଜି ସକାଳେ ଅନ୍ତେଷ୍ଟି କ୍ରିୟାକର୍ମ କରାଯାଇଛି।

ସୂଚନା ମୁତାବକ ଚିଲିକା ବ୍ଲକ ଅନ୍ତର୍ଗତ କଳକଳେଶ୍ୱର ପଞ୍ଚାୟତର ମହେଶ୍ୱର ପ୍ରଧାନଙ୍କ ପୁଅ ସହଦେବ ପ୍ରଧାନ ଦୀର୍ଘ ଦିନ ଧରି ମଧ୍ୟ ପ୍ରଦେଶ ଇନ୍ଦୋର ଗୋଏଲ ନଗର ସ୍ଥିତ ମାରାଲ ଓଭରସିଜ ଲିମିଟେଡ଼ କମ୍ପାନୀରେ ମେଣ୍ଟେନାନ୍ସ ଫିଟର ଭାବେ କାର୍ଯ୍ୟରତ ଥିଲେ। ମାତ୍ର ଗତ ଶନିବାର ଦିନ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ମିଳିଥିଲା।

ଏହି ଖବର ଗ୍ରାମରେ ପହଁଚିବା କ୍ଷଣି ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ବର୍ଗ ଧର୍ଯ୍ୟହରା ହୋଇପଡିଥିଲେ।ପରିବାର କହିଲେ ପତ୍ନୀ ମାଳତୀ ପ୍ରଧାନ ଓ ଦୁଇ ଯମଜ ସନ୍ତାନ ତୁଷାର ପ୍ରଧାନ ଓ ବିନୟ ପ୍ରଧାନ ନବମ ଶ୍ରେଣୀରେ ଅଧ୍ୟୟନ ରତ।ସ୍ୱାମୀର ମର ଶରୀର ଭିଟାମାଟିକୁ ଫେରାଇ ଆଣିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅନୁରୋଧ କରିଥିଲେ।

ସରପଞ୍ଚ ଓ ସମିତି ସଭ୍ୟଙ୍କ ଅନୁରୋଧ କ୍ରମେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ର ତତକ୍ଷଣାତ ସମ୍ପୃକ୍ତ ପରିବାରକୁ ସହାୟତା ର ହାତ ବଢ଼ାଇଥିଲେ ଏବଂ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଅନୁରୂପ ସେହି ମେଡିକାଲ ଡାକ୍ତରଙ୍କ ସହ କଥା ହୋଇ ବ୍ୟବଛେଦ ପ୍ରକ୍ରିୟା ଶୀଘ୍ର ସାରିବାକୁ ଅନୁରୋଧ ମଧ୍ୟ କରିଥିଲେ ଡ଼ା ପାତ୍ର। ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଓଡ଼ିଆ ବ୍ୟକ୍ତିଙ୍କୁ କିଛି ଆର୍ଥିକ ସହଯୋଗ କରି ନିଜ ମାଟିକୁ ଶବ ଫେରାଇଆଣିବା ବ୍ୟବସ୍ଥା କରିଥିଲେ ଶ୍ରୀ ପାତ୍ର।

ତେବେ ସ୍ୱାମୀଙ୍କୁ ହରାଇ ଏକା ହୋଇପଡିଥିବା ପତ୍ନୀ ମାଳତୀ ଓ ପିଲାମାନଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ସମେତ ସମ୍ପୃକ୍ତ କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳୁ ବୋଲି ସାଧାରଣରେ ଦାବି ହେଉଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ତେବେ ଡ଼ା ସମ୍ବିତ ପାତ୍ରଙ୍କ ଉକ୍ତ ପଦକ୍ଷେପକୁ ଚିଲିକା ବାସି ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଏନଏସି ରେ ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ

ଚିଲିକା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି।

ଅନୁରୂପ ଭାବେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ମଧ୍ୟ ହୋଇଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ଉଭୟ ଏନଏସି ର ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଛି। ବାଣପୁରରେ ୨୦ ଗୋଟି ଏବଂ ବାଲୁଗାଁରେ ୧୮ ଗୋଟି ସାଇକେଲ ପ୍ରଦାନ କରାଯାଇଛି।

ଉଭୟ ସ୍ଥାନରେ ଉଭୟ କାର୍ଯ୍ୟନିର୍ବାହୀ ଅଧିକାରୀ, ନଗରପାଳ, ଉପନଗରପାଳ, ସମସ୍ତ କାଉନସିଲର ଏବଂ ଏନଏସି ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଆଜାଦି କା ଅମୃତ ମହୋତ୍ସବ ବକ୍ତୃତା ମାଳା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଭାରତ ସରକାରଙ୍କ ଭାରତୀୟ ଦର୍ଶନ ଅନୁସନ୍ଧାନ ପରିଷଦ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ଆଜାଦି କି ଅମୃତ ମହୋତ୍ସବ ବକ୍ତୃତା ମାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ପ୍ରଫେସର ସରୋଜ କାନ୍ତ କର, ଆସ୍କାସ୍ଥିତ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କେ ଓମ ନାରାୟଣ ରାଓ, ଖଲିକୋଟ ବିଶ୍ୱ ବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର ଯତୀନ ବିଷୋୟୀ ଓ ଗୋଦାବରୀଶ ମହାବିଦ୍ୟାଳୟ ପ୍ରାକ୍ତନ ଦର୍ଶନ ଅଧ୍ୟାପକ ରମାକାନ୍ତ ନନ୍ଦ ଅତିଥି ବକ୍ତା ଭାବେ ଯୋଗ ଦେଇ ଭାରତର ସମସାମୟିକ ଦାର୍ଶନିକ ଓ ଚିନ୍ତlନାୟକ ମାନଙ୍କର ମାନବତlବାଦ ଓ ପରାହି ତବାଦ ତତ୍ତ୍ୱ ଆଲୋଚନା କରିବା ସହ ସାମ୍ପ୍ରତିକ ସମୟରେ ଏହାର ପ୍ରlସଙ୍ଗିକତା ଉପରେ ଆଲୋକପାତ କରିଥିଲେ।

ବିଭାଗୀୟ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜ୍ୟୋତି ବିଶ୍ୱାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବର୍ଷା ବିଷୋୟୀ ବିଭାଗୀୟ ବିବରଣୀ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଡକ୍ଟର ସରୋଜ କାନ୍ତ କର, ଡକ୍ଟର କେ ଓମ ନାରାୟଣ ରାଓ ଓ ଡକ୍ଟର ଯତୀନ ବିଷୋୟୀ ଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସେମିନାର ସମ୍ପାଦକ ଶୋଭିତ ଜେନା, ଗାୟତ୍ରୀ ରାଉତରାୟ, ଓ ଲଷ୍ମୀପ୍ରିୟା ଘଟୁଆଳି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପକ୍ଷରୁ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନଏସ ଚିଲିକା ପକ୍ଷରୁ ଏକ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର, ବାଲୁଗାଁ ଏବଂ ବ୍ରହ୍ମପୁର ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ଷ୍ଟେସନ ପରିସରରେ ଭବ୍ୟ ସ୍ୱାଗତ କରାଯିବା ସହ ପରବର୍ତ୍ତୀ ସମୟରେ ନାଭାଲ ଅଧିକାରୀଙ୍କ ସଙ୍ଗେ ସାମ୍ବାଦିକ ମାନେ ମା’ କାଳିଜାଇ ମନ୍ଦିର ଦର୍ଶନକୁ ଯାଇଥିଲେ। ଏହା ପରେ ଆଇଏନଏସ ଚିଲିକାର ଅଫିସର୍ସ ମେସରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ।

ଏହି ଅବସରରେ ଦୀର୍ଘ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ ଆଇଏନଏସ ଚିଲିକାର ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବାରୁ ବନ୍ଧୁ ମିଳନରେ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଇଏନଏସ ଚିଲିକା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହା ସହିତ ସ୍ଥାନୀୟ ଗଣମାଧ୍ୟମର ଭୂୟାଁସୀ ପ୍ରଶଂସା କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ। ଆଗକୁ ମଧ୍ୟ ଗଣମାଧ୍ୟମ ଓ ଆଇଏନଏସ ଚିଲିକାର ସମ୍ପର୍କ ଏହିପରି ଅତୁଟ ରହିବ ବୋଲି କହିଥିଲେ ଶ୍ରୀ ପ୍ରଦୀପ।

ପରିଶେଷରେ ସମସ୍ତ ସାମ୍ବାଦିକମାନେ କମାଣ୍ଡିଂ ଅଫିସରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମାଣ୍ଡର ପରିଚୟ କାଲରା ପରିଚାଳନା କରିଥିବା ବେଳେ କ୍ୟାପଟେନ ବାସୁଦେବନ, କ୍ୟାପଟେନ ସଞ୍ଜୟ ତ୍ରିପାଠୀ, ଡେପୁଟି ପି.ଆର.ଓ ବିନୋଦ ଚନ୍ଦ୍ର ମିଶ୍ର, ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ ସାହୁ, ସବ ଲିଉଟନାଣ୍ଟ ଜୁହି ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ‘ସମୀକ୍ଷା’ ଖବର ପରେ ଚେତିଲା ପ୍ରଶାସନ, ଫୁଡ୍ ଷ୍ଟଲରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତ ୯ ତାରିଖ ଦିନ ‘ସମୀକ୍ଷା’ ରେ ‘ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ’ ନାମକ ଏକ ଖବର ପ୍ରସାରଣ କରାଯାଇଥିଲା। ତେବେ ଖବର ବାଜିବା ପରେ ଏହାର ସୁଫଳ ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ୧୦ ତାରିଖ ରାତିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଣପୁର ସହରାଞ୍ଚଳରେ ରାତ୍ରିକାଳିନ ଚଢ଼ାଉ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ର ୨୩ ଗୋଟି ଫୁଡ ଷ୍ଟଲରେ ରାତ୍ରିକାଳିନ ଚଢ଼ାଉ କରିଛନ୍ତି। ଉକ୍ତ ସମୟରେ ବିଭିନ୍ନ ଦୋକାନ ରୁ ବାସି ଖାଦ୍ୟ ଏବଂ ଖାଦ୍ୟ ରଙ୍ଗ ଜବତ କରି ନଷ୍ଟ କରିଦିଆଯାଇଛି।

ସେହିପରି ଭାବେ ୧୨ ଗୋଟି ଲାଇସେନ୍ସ ବିହୀନ ଦୋକାନୀଙ୍କୁ ୧୦ ଦିନ ଭିତରେ ଫୁଡ ଲାଇସେନ୍ସ କରିବାକୁ ନୋଟିସ ଦିଆଯାଇଛି। ଅନୁରୂପ ଭାବେ ୫ ଗୋଟି ଫୁଡ ଷ୍ଟଲ କୁ ୧୯ ଶହ ଟଙ୍କାର ଜରିମାନା ମଧ୍ୟ ପଡିଥିବାର ସିଡ଼ିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସେହିପରି ଭାବେ ଏକାଧିକ ଫୁଡ ଷ୍ଟଲରେ ମଦ ଚଢ଼ାଉ ବି କରାଯାଇଥିବା ଜଣାପଡିଛି। ପରିଶେଷରେ ସମସ୍ତ ଖାଦ୍ୟ ଦୋକାନୀଙ୍କୁ ଉନ୍ନତ ଖାଦ୍ୟ ପ୍ରସ୍ତୁତ ଏବଂ ସ୍ୱଛତା ବଜାୟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

ତେବେ ଏହିପରି ଚଢ଼ାଉ ଆଗାମୀ ଦିନରେ ବାଣପୁର-ବାଲୁଗାଁ ଅଞ୍ଚଳରେ ଜୋରଦାର ହେବ ବୋଲି ଜଣାପଡିଛି। ଉକ୍ତ ଚଢ଼ାଉ କୁ ବାଣପୁର ବାସି ସ୍ୱାଗତ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ଼ ଏବଂ ମିଠା ଦୋକାନରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଁ ଭାଁ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ବିଭାଗୀୟ କର୍ମଚାରୀମାନେ କେଉଁ ଛଅ ମାସରେ ଥରେ କେବଳ ଦିବା ସମୟରେ ଚଢ଼ାଉ କରି କିଛି ହୋଟେଲ ଏବଂ ମିଠା ଦୋକାନ ମାନଙ୍କଠାରୁ ସ୍ୱଳ୍ପ ଫାଇନ କାଟି ଫେରିଯାଉଥିବା ବେଳେ ସନ୍ଧ୍ୟାକାଳୀନ ଚଢ଼ାଉ ଆଦୌ କରାଯାଉନାହିଁ। ଯାହାଫଳରେ ବାଲୁଗାଁ- ବାଣପୁର ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଏକାଧିକ ଫାଷ୍ଟଫୁଡ଼ ଏବଂ ଷ୍ଟ୍ରିଟ ଫୁଡ ଅସ୍ଥାୟୀ ସେଣ୍ଟରମାନ ଖୋଲାଯାଉଛି, ଯାହାକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେପାର ଜାରି ରହୁଛି। ଏପରିକି ବିଭିନ୍ନ ଫାଷ୍ଟଫୁଡ ସେଣ୍ଟରରେ ବେଆଇନ ଭାବେ ମଦ ମଧ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ତେବେ ସେଠାରେ ଖାଦ୍ୟର ମାନ ତଦନ୍ତ କରିବା ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ ଖାଦ୍ୟ ଓ ସୁରକ୍ଷା ପକ୍ଷରୁ ଲୋକ ଦେଖାଣିଆ ଅଦିନିଆ ଯାଞ୍ଚ ଧର୍ମକୁ ଆଖିଠାର ସଦୃଶ।  ଏନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ କରାଯାଉଥିଲେ ମଧ୍ୟ ସେସବୁକୁ ସଂପୃକ୍ତ ଖାଦ୍ୟ ଦୋକାନ ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଏପରିକି ଖାଦ୍ୟ ଓ ସୁରକ୍ଷା ବିଭାଗ ମଧ୍ୟ ଏସବୁକୁ ଅଣଦେଖା କରୁଥିବାର ଅନୁମେୟ ହେଉଛି।

ବିଭାଗ ର କୋହଳ ମନୋଭାବ ଲାଗି ଦୋକାନ ମାଲିକମାନେ ବେଖାତିର କରି ମନଇଚ୍ଛା ଅପମିଶ୍ରିତ ଖାଦ୍ୟ ଦେଉଛନ୍ତି ଏପରିକି ଗ୍ରାହକ ଅଭିଯୋଗ କଲେ ମଧ୍ୟ ଏହାକୁ ନଜର ଅନ୍ଦାଜ କରାଯାଉଛି। ତେବେ ଏହାର ସମାଧାନ ପାଇଁ କିଛି ମାସ ତଳେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କେବଳ ବାଣପୁର ବାଲୁଗାଁ ଓ ଟାଙ୍ଗୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ପରିତାପର ବିଷୟ ସମ୍ପୃକ୍ତ ଅଧିକାରୀ ବାଣପୁର-ବାଲୁଗାଁ ଅଞ୍ଚଳରେ ନିୟମିତ ଏବଂ ରାତ୍ରିକାଳିନ ଚଢ଼ାଉ କରୁନାହାନ୍ତି ଏବଂ ଏହା ପଛରେ କି ରହସ୍ୟ ଅଛି ତାହା ବାରି ହେଉନାହିଁ।

ତେବେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏ ଦିଗରେ ଦୃଷ୍ଟିଦେବେ ଏବଂ ବାଲୁଗାଁ-ବାଣପୁର ଅଞ୍ଚଳରେ ନିୟମିତ ବ୍ୟବଧାନ ସହ ସନ୍ଧ୍ୟାକାଳୀନ ଚଢ଼ାଉ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।

Categories
ଆଞ୍ଚଳିକ

ବିଶ୍ୱ ନାଟ୍ୟ ମେଳାରେ ବାଣପୁରର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ” ସମ୍ମାନ

ସୀତାରାମ ଅଗ୍ରୱାଲ

ବାଣପୁର: ଲଗାତର ବିଶ୍ୱ ନାଟ୍ୟ ମେଳାରେ ନାଟକ ଏବଂ ଗୀତି ନାଟ୍ୟ ପରିବେଷଣ କରି ନୀରବଚ୍ଛିନ୍ନ ନାଟ୍ୟସାଧନା ଜାରିରଖିଥିବା ଓଡ଼ିଆ ମଞ୍ଚନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଚଳିତ ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତଜୟନ୍ତୀ ଅବସରରେ କଟକ, କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି। ନଅ ଦିନଧରି ଆୟୋଜିତ ଏହି ନାଟକ ଉତ୍ସବର ଉଦଯାପନୀ ଦିବସରେ ଶ୍ରୀ ସ୍ୱାଇଁଙ୍କୁ “କଳାସାଧକ” ଉପାଧିରେ ଭୂଷିତ କରାଯାଇଥିଲା।

ବିଶିଷ୍ଟ ଅତିଥିଭାବେ ଆମନ୍ତ୍ରିତ ବିଚାରପତି ଅଜୟ ମହାନ୍ତି ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସମହାପାତ୍ର ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ମାନପତ୍ର ଓ ଉପଢୌକନ ସହ ପ୍ରଦାନ କରିଥିଲେ।

ସେହିପରି ସଂଗୀତରେ ସରୋଜକାନ୍ତ ସାସମଲଙ୍କୁ “ସ୍ୱର ସାଧକ” ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ଆମ୍ଭ ବାଲୁଗାଁ ଏବଂ ବାଣପୁର ଅଂଚଳରେ ଅତି ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଭାଙ୍ଗି ଚୁରମାର, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଏବଂ ଆଇରନ ଡଷ୍ଟ ବୋଝେଇ ଟ୍ରକ ମଧ୍ୟରେ ବେଲପଡା ଛକ ଠାରେ ଧକ୍କା ହୋଇଥିଲା। ଆଇରନ ଡଷ୍ଟ ବୋଝେଇ ଗାଡ଼ି ଟି ରଡ଼ ବୋଝେଇ ଟ୍ରକ କୁ ପଛପଟୁ ଶକ୍ତ ଧକ୍କା ଦେବାରୁ ଡଷ୍ଟ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଗାଡିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡିର କ୍ୟାବିନ କୁ ଗ୍ୟାସ କଟର ମାଧ୍ୟମରେ କାଟି ତନ୍ମଧ୍ୟରୁ ଚାପି ହୋଇ ରହିଥିବା ଗାଡ଼ି ଚାଳକ ଓ ହେଲ୍ପର ଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ କୁ ଭର୍ତ୍ତି କରିଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦ୍ବୟ ଜବତ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚୋରି ଅଭିଯୋଗରେ ଦୁଇ ଗିରଫ, ୪୮ଟି ବ୍ୟାଟେରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି,ରାହାଜାନୀ ବଢୁଥିବା ବେଳେ ପୋଲିସର ନିଦ ହଜିଯାଇଛି।ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି।ଯାହାକି ଶନିବାର ଦିନ ବାଲୁଗାଁ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ପାରିକଂସାରି ଛକ ନିକଟସ୍ଥ ମୋବାଇଲ ଟାୱାର ଗୃହରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ଆଜି ବାଲୁଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ସମେତ ଗୋଟିଏ ବାଇକ ଏବଂ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ବାଲୁଗାଁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୧/୨୦୨୩ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଥିସହିତ ଏହା ପଛରେ କେଉଁ ରାକେଟ କାର୍ଯ୍ୟ କରୁଛି ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।