Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଆଜାଦି କା ଅମୃତ ମହୋତ୍ସବ ବକ୍ତୃତା ମାଳା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଭାରତ ସରକାରଙ୍କ ଭାରତୀୟ ଦର୍ଶନ ଅନୁସନ୍ଧାନ ପରିଷଦ ପ୍ରୋତ୍ସାହନରେ ବାଲୁଗାଁ ମହାବିଦ୍ୟାଳୟ ଦର୍ଶନ ବିଭାଗ ପକ୍ଷରୁ ଆଜି ଆଜାଦି କି ଅମୃତ ମହୋତ୍ସବ ବକ୍ତୃତା ମାଳା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ପ୍ରଫେସର ସରୋଜ କାନ୍ତ କର, ଆସ୍କାସ୍ଥିତ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର କେ ଓମ ନାରାୟଣ ରାଓ, ଖଲିକୋଟ ବିଶ୍ୱ ବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ଡକ୍ଟର ଯତୀନ ବିଷୋୟୀ ଓ ଗୋଦାବରୀଶ ମହାବିଦ୍ୟାଳୟ ପ୍ରାକ୍ତନ ଦର୍ଶନ ଅଧ୍ୟାପକ ରମାକାନ୍ତ ନନ୍ଦ ଅତିଥି ବକ୍ତା ଭାବେ ଯୋଗ ଦେଇ ଭାରତର ସମସାମୟିକ ଦାର୍ଶନିକ ଓ ଚିନ୍ତlନାୟକ ମାନଙ୍କର ମାନବତlବାଦ ଓ ପରାହି ତବାଦ ତତ୍ତ୍ୱ ଆଲୋଚନା କରିବା ସହ ସାମ୍ପ୍ରତିକ ସମୟରେ ଏହାର ପ୍ରlସଙ୍ଗିକତା ଉପରେ ଆଲୋକପାତ କରିଥିଲେ।

ବିଭାଗୀୟ ମୁଖ୍ୟ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜ୍ୟୋତି ବିଶ୍ୱାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବର୍ଷା ବିଷୋୟୀ ବିଭାଗୀୟ ବିବରଣୀ ଉପସ୍ଥାପନା କରିଥିଲେ।

ଏହି ଅବସରରେ ଡକ୍ଟର ସରୋଜ କାନ୍ତ କର, ଡକ୍ଟର କେ ଓମ ନାରାୟଣ ରାଓ ଓ ଡକ୍ଟର ଯତୀନ ବିଷୋୟୀ ଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମିନାର ସଂଯୋଜିକା ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସେମିନାର ସମ୍ପାଦକ ଶୋଭିତ ଜେନା, ଗାୟତ୍ରୀ ରାଉତରାୟ, ଓ ଲଷ୍ମୀପ୍ରିୟା ଘଟୁଆଳି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପକ୍ଷରୁ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନଏସ ଚିଲିକା ପକ୍ଷରୁ ଏକ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର, ବାଲୁଗାଁ ଏବଂ ବ୍ରହ୍ମପୁର ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ଷ୍ଟେସନ ପରିସରରେ ଭବ୍ୟ ସ୍ୱାଗତ କରାଯିବା ସହ ପରବର୍ତ୍ତୀ ସମୟରେ ନାଭାଲ ଅଧିକାରୀଙ୍କ ସଙ୍ଗେ ସାମ୍ବାଦିକ ମାନେ ମା’ କାଳିଜାଇ ମନ୍ଦିର ଦର୍ଶନକୁ ଯାଇଥିଲେ। ଏହା ପରେ ଆଇଏନଏସ ଚିଲିକାର ଅଫିସର୍ସ ମେସରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ।

ଏହି ଅବସରରେ ଦୀର୍ଘ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ ଆଇଏନଏସ ଚିଲିକାର ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବାରୁ ବନ୍ଧୁ ମିଳନରେ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଇଏନଏସ ଚିଲିକା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହା ସହିତ ସ୍ଥାନୀୟ ଗଣମାଧ୍ୟମର ଭୂୟାଁସୀ ପ୍ରଶଂସା କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ। ଆଗକୁ ମଧ୍ୟ ଗଣମାଧ୍ୟମ ଓ ଆଇଏନଏସ ଚିଲିକାର ସମ୍ପର୍କ ଏହିପରି ଅତୁଟ ରହିବ ବୋଲି କହିଥିଲେ ଶ୍ରୀ ପ୍ରଦୀପ।

ପରିଶେଷରେ ସମସ୍ତ ସାମ୍ବାଦିକମାନେ କମାଣ୍ଡିଂ ଅଫିସରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମାଣ୍ଡର ପରିଚୟ କାଲରା ପରିଚାଳନା କରିଥିବା ବେଳେ କ୍ୟାପଟେନ ବାସୁଦେବନ, କ୍ୟାପଟେନ ସଞ୍ଜୟ ତ୍ରିପାଠୀ, ଡେପୁଟି ପି.ଆର.ଓ ବିନୋଦ ଚନ୍ଦ୍ର ମିଶ୍ର, ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ ସାହୁ, ସବ ଲିଉଟନାଣ୍ଟ ଜୁହି ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ବାଲୁଗାଁ: ‘ସମୀକ୍ଷା’ ଖବର ପରେ ଚେତିଲା ପ୍ରଶାସନ, ଫୁଡ୍ ଷ୍ଟଲରେ କଲା ଚଢାଉ

ସୀତାରାମ ଅଗ୍ରୱାଲ

ଚିଲିକା: ଗତ ୯ ତାରିଖ ଦିନ ‘ସମୀକ୍ଷା’ ରେ ‘ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ’ ନାମକ ଏକ ଖବର ପ୍ରସାରଣ କରାଯାଇଥିଲା। ତେବେ ଖବର ବାଜିବା ପରେ ଏହାର ସୁଫଳ ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ୧୦ ତାରିଖ ରାତିରେ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ବାଣପୁର ସହରାଞ୍ଚଳରେ ରାତ୍ରିକାଳିନ ଚଢ଼ାଉ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳ ବାଣପୁର ର ୨୩ ଗୋଟି ଫୁଡ ଷ୍ଟଲରେ ରାତ୍ରିକାଳିନ ଚଢ଼ାଉ କରିଛନ୍ତି। ଉକ୍ତ ସମୟରେ ବିଭିନ୍ନ ଦୋକାନ ରୁ ବାସି ଖାଦ୍ୟ ଏବଂ ଖାଦ୍ୟ ରଙ୍ଗ ଜବତ କରି ନଷ୍ଟ କରିଦିଆଯାଇଛି।

ସେହିପରି ଭାବେ ୧୨ ଗୋଟି ଲାଇସେନ୍ସ ବିହୀନ ଦୋକାନୀଙ୍କୁ ୧୦ ଦିନ ଭିତରେ ଫୁଡ ଲାଇସେନ୍ସ କରିବାକୁ ନୋଟିସ ଦିଆଯାଇଛି। ଅନୁରୂପ ଭାବେ ୫ ଗୋଟି ଫୁଡ ଷ୍ଟଲ କୁ ୧୯ ଶହ ଟଙ୍କାର ଜରିମାନା ମଧ୍ୟ ପଡିଥିବାର ସିଡ଼ିଏମଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସେହିପରି ଭାବେ ଏକାଧିକ ଫୁଡ ଷ୍ଟଲରେ ମଦ ଚଢ଼ାଉ ବି କରାଯାଇଥିବା ଜଣାପଡିଛି। ପରିଶେଷରେ ସମସ୍ତ ଖାଦ୍ୟ ଦୋକାନୀଙ୍କୁ ଉନ୍ନତ ଖାଦ୍ୟ ପ୍ରସ୍ତୁତ ଏବଂ ସ୍ୱଛତା ବଜାୟ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

ତେବେ ଏହିପରି ଚଢ଼ାଉ ଆଗାମୀ ଦିନରେ ବାଣପୁର-ବାଲୁଗାଁ ଅଞ୍ଚଳରେ ଜୋରଦାର ହେବ ବୋଲି ଜଣାପଡିଛି। ଉକ୍ତ ଚଢ଼ାଉ କୁ ବାଣପୁର ବାସି ସ୍ୱାଗତ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଅପମିଶ୍ରିତ ଖାଦ୍ୟକୁ ନେଇ ବଢୁଛି ଜନଅସନ୍ତୋଷ: ନିଦ୍ରାରେ ଖାଦ୍ୟ ଓ ସୁରକ୍ଷା ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ଼ ଏବଂ ମିଠା ଦୋକାନରେ ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ସମୟାନୁଯାଇ ଏବଂ ନିୟମିତ ଚଢ଼ାଉ ନକରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଁ ଭାଁ ଖାଦ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ କରାଯାଉଥିବା ଚଢ଼ାଉ ଲୋକ ଦେଖାଣିଆ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ବିଭାଗୀୟ କର୍ମଚାରୀମାନେ କେଉଁ ଛଅ ମାସରେ ଥରେ କେବଳ ଦିବା ସମୟରେ ଚଢ଼ାଉ କରି କିଛି ହୋଟେଲ ଏବଂ ମିଠା ଦୋକାନ ମାନଙ୍କଠାରୁ ସ୍ୱଳ୍ପ ଫାଇନ କାଟି ଫେରିଯାଉଥିବା ବେଳେ ସନ୍ଧ୍ୟାକାଳୀନ ଚଢ଼ାଉ ଆଦୌ କରାଯାଉନାହିଁ। ଯାହାଫଳରେ ବାଲୁଗାଁ- ବାଣପୁର ଅଞ୍ଚଳରେ ସନ୍ଧ୍ୟା ସମୟରେ ଛତୁ ଫୁଟିଲା ପରି ଏକାଧିକ ଫାଷ୍ଟଫୁଡ଼ ଏବଂ ଷ୍ଟ୍ରିଟ ଫୁଡ ଅସ୍ଥାୟୀ ସେଣ୍ଟରମାନ ଖୋଲାଯାଉଛି, ଯାହାକି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବେପାର ଜାରି ରହୁଛି। ଏପରିକି ବିଭିନ୍ନ ଫାଷ୍ଟଫୁଡ ସେଣ୍ଟରରେ ବେଆଇନ ଭାବେ ମଦ ମଧ୍ୟ ବିକ୍ରି ହେଉଥିବାର ଅଭିଯୋଗ ହେଉଛି।

ତେବେ ସେଠାରେ ଖାଦ୍ୟର ମାନ ତଦନ୍ତ କରିବା ନିତାନ୍ତ ଜରୁରୀ ହୋଇପଡିଥିବା ବେଳେ ଖାଦ୍ୟ ଓ ସୁରକ୍ଷା ପକ୍ଷରୁ ଲୋକ ଦେଖାଣିଆ ଅଦିନିଆ ଯାଞ୍ଚ ଧର୍ମକୁ ଆଖିଠାର ସଦୃଶ।  ଏନେଇ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ କରାଯାଉଥିଲେ ମଧ୍ୟ ସେସବୁକୁ ସଂପୃକ୍ତ ଖାଦ୍ୟ ଦୋକାନ ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଏପରିକି ଖାଦ୍ୟ ଓ ସୁରକ୍ଷା ବିଭାଗ ମଧ୍ୟ ଏସବୁକୁ ଅଣଦେଖା କରୁଥିବାର ଅନୁମେୟ ହେଉଛି।

ବିଭାଗ ର କୋହଳ ମନୋଭାବ ଲାଗି ଦୋକାନ ମାଲିକମାନେ ବେଖାତିର କରି ମନଇଚ୍ଛା ଅପମିଶ୍ରିତ ଖାଦ୍ୟ ଦେଉଛନ୍ତି ଏପରିକି ଗ୍ରାହକ ଅଭିଯୋଗ କଲେ ମଧ୍ୟ ଏହାକୁ ନଜର ଅନ୍ଦାଜ କରାଯାଉଛି। ତେବେ ଏହାର ସମାଧାନ ପାଇଁ କିଛି ମାସ ତଳେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଥିବା ବେଳେ କେବଳ ବାଣପୁର ବାଲୁଗାଁ ଓ ଟାଙ୍ଗୀ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଓ ସୁରକ୍ଷା ଅଧିକାରୀ ନିଯୁକ୍ତି ପାଇଛନ୍ତି। କିନ୍ତୁ ପରିତାପର ବିଷୟ ସମ୍ପୃକ୍ତ ଅଧିକାରୀ ବାଣପୁର-ବାଲୁଗାଁ ଅଞ୍ଚଳରେ ନିୟମିତ ଏବଂ ରାତ୍ରିକାଳିନ ଚଢ଼ାଉ କରୁନାହାନ୍ତି ଏବଂ ଏହା ପଛରେ କି ରହସ୍ୟ ଅଛି ତାହା ବାରି ହେଉନାହିଁ।

ତେବେ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକ ଏ ଦିଗରେ ଦୃଷ୍ଟିଦେବେ ଏବଂ ବାଲୁଗାଁ-ବାଣପୁର ଅଞ୍ଚଳରେ ନିୟମିତ ବ୍ୟବଧାନ ସହ ସନ୍ଧ୍ୟାକାଳୀନ ଚଢ଼ାଉ ଜୋରଦାର କରାଯିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।

Categories
ଆଞ୍ଚଳିକ

ବିଶ୍ୱ ନାଟ୍ୟ ମେଳାରେ ବାଣପୁରର ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ “କଳାସାଧକ” ସମ୍ମାନ

ସୀତାରାମ ଅଗ୍ରୱାଲ

ବାଣପୁର: ଲଗାତର ବିଶ୍ୱ ନାଟ୍ୟ ମେଳାରେ ନାଟକ ଏବଂ ଗୀତି ନାଟ୍ୟ ପରିବେଷଣ କରି ନୀରବଚ୍ଛିନ୍ନ ନାଟ୍ୟସାଧନା ଜାରିରଖିଥିବା ଓଡ଼ିଆ ମଞ୍ଚନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁଙ୍କୁ ଚଳିତ ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତଜୟନ୍ତୀ ଅବସରରେ କଟକ, କଳା ବିକାଶ କେନ୍ଦ୍ର ରଙ୍ଗମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଛି। ନଅ ଦିନଧରି ଆୟୋଜିତ ଏହି ନାଟକ ଉତ୍ସବର ଉଦଯାପନୀ ଦିବସରେ ଶ୍ରୀ ସ୍ୱାଇଁଙ୍କୁ “କଳାସାଧକ” ଉପାଧିରେ ଭୂଷିତ କରାଯାଇଥିଲା।

ବିଶିଷ୍ଟ ଅତିଥିଭାବେ ଆମନ୍ତ୍ରିତ ବିଚାରପତି ଅଜୟ ମହାନ୍ତି ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ଗୋଲକ ବିହାରୀ ଦାସମହାପାତ୍ର ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ମାନପତ୍ର ଓ ଉପଢୌକନ ସହ ପ୍ରଦାନ କରିଥିଲେ।

ସେହିପରି ସଂଗୀତରେ ସରୋଜକାନ୍ତ ସାସମଲଙ୍କୁ “ସ୍ୱର ସାଧକ” ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ଆମ୍ଭ ବାଲୁଗାଁ ଏବଂ ବାଣପୁର ଅଂଚଳରେ ଅତି ଖୁସିର ଲହରୀ ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ ଭାଙ୍ଗି ଚୁରମାର, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଏବଂ ଆଇରନ ଡଷ୍ଟ ବୋଝେଇ ଟ୍ରକ ମଧ୍ୟରେ ବେଲପଡା ଛକ ଠାରେ ଧକ୍କା ହୋଇଥିଲା। ଆଇରନ ଡଷ୍ଟ ବୋଝେଇ ଗାଡ଼ି ଟି ରଡ଼ ବୋଝେଇ ଟ୍ରକ କୁ ପଛପଟୁ ଶକ୍ତ ଧକ୍କା ଦେବାରୁ ଡଷ୍ଟ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଗାଡିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡିର କ୍ୟାବିନ କୁ ଗ୍ୟାସ କଟର ମାଧ୍ୟମରେ କାଟି ତନ୍ମଧ୍ୟରୁ ଚାପି ହୋଇ ରହିଥିବା ଗାଡ଼ି ଚାଳକ ଓ ହେଲ୍ପର ଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ କୁ ଭର୍ତ୍ତି କରିଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦ୍ବୟ ଜବତ କରି ତଦନ୍ତ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଚୋରି ଅଭିଯୋଗରେ ଦୁଇ ଗିରଫ, ୪୮ଟି ବ୍ୟାଟେରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି,ରାହାଜାନୀ ବଢୁଥିବା ବେଳେ ପୋଲିସର ନିଦ ହଜିଯାଇଛି।ଯାହାଫଳରେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂକୁ କଡାକଡି କରାଯାଇଛି।ଯାହାକି ଶନିବାର ଦିନ ବାଲୁଗାଁ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ପାରିକଂସାରି ଛକ ନିକଟସ୍ଥ ମୋବାଇଲ ଟାୱାର ଗୃହରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ଚୋରି ହୋଇଥିବା ନେଇ ଅଭିଯୋଗ ହେବାପରେ ଆଜି ବାଲୁଗାଁ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାସହ ସେମାନଙ୍କ ନିକଟରୁ ୪୮ଟି ଏକ୍ସାଇଡ଼ ବ୍ୟାଟେରୀ ସମେତ ଗୋଟିଏ ବାଇକ ଏବଂ ବ୍ୟବହୃତ ଆବଶ୍ୟକୀୟ ସାମଗ୍ରୀ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଘର ବାଲୁଗାଁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୧/୨୦୨୩ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଥିସହିତ ଏହା ପଛରେ କେଉଁ ରାକେଟ କାର୍ଯ୍ୟ କରୁଛି ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ -ଶିକ୍ଷକ ବୈଠକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ଏକ ଅଭିଭାବକ – ଶିକ୍ଷକ ବୈଠକ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଅକ୍ଷୟ କୁମାର ମହାପାତ୍ର, ଡକ୍ଟର ଜୟନ୍ତୀ ସାମଲ, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପକ ପତିତପାବନ ପଣ୍ଡା, ଅଧ୍ୟାପକ ମୃଡ଼ାନୀ ଶଙ୍କର ପ୍ରସାଦ ମିଶ୍ର, ବିଜୟ ରାଉତ, ଅଧ୍ୟାପକ ପ୍ରବୀଣ ଜେନା ପ୍ରମୁଖ ମହାବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ ଓ ଶିକ୍ଷକ ମାନଙ୍କର ମିଳିତ ଉଦ୍ୟମ ଓ ସମନ୍ୱୟ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।

ଉପସ୍ଥିତ ଅଭିଭାବକମାନେ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିମତ ରଖିଥିଲେ। ଏହି ଅବସରରେ ଅନୁଷ୍ଠାନରେ ପ୍ରଶାସନିକ ଶୃଙ୍ଖଳା, ଛାତ୍ର ବୃତ୍ତି, ମେଧା ତାଲିକା, କ୍ୟାରିଅର କାଉନ ସେଲିଙ୍ଗ, ଆଣ୍ଟି ରାଗିଙ୍ଗ, ବାଳିକା ଆତ୍ମ ରକ୍ଷା କୌଶଳ ତାଲିମ୍ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।

Categories
ଅପରାଧ ଆଞ୍ଚଳିକ

ବାଲୁଗାଁ: ଚୋରି ମାମଲାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ସାମଗ୍ରୀ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ଦିନକୁଦିନ ଚୋରି, ରାହଜାନୀ ବଢ଼ିବାରେ ଲାଗିଛି। ଯାହାକି ଗତକାଲି ଅପରାହ୍ନରେ ବାଲୁଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି।

ସୂଚନା ମୁତାବକ ଗତକାଲି ବାଲୁଗାଁ ଥାନା ଅଞ୍ଚଳର ମେଘନାଦ ମହାରଣାଙ୍କ ଘରୁ ଲାପଟପ ଏବଂ ୧୦୦୦ଟଙ୍କା ଚୋରି ହେଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୋଲିସ ପକ୍ଷରୁ ସର୍ଚ୍ଚ ମିଶନ ଜାରିରହିଥିବା ବେଳେ ବାଣପୁର ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଧରି ଜେରା କରିବାରୁ ତାଙ୍କ ନିକଟରୁ ଚୋରି ହୋଇଥିବା ଲାପଟପ ସହ ୧୦୦୦ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୧୧/୨୦୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଅଧିକ ଅନୁସନ୍ଧାନ ପାଇଁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ କହିଛନ୍ତି।

Categories
ଆଞ୍ଚଳିକ

ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ: ବାଲୁଗାଁ ଏବଂ ବଡବିଲ କଲେଜରେ ଶୋକାକୁଳ ପରିବେଶ

ଭୁବନେଶ୍ବର: ବଡ଼ବିଲ କଲେଜର ପ୍ରାଧ୍ୟାପକ ଦୀପକ ସିଂହଙ୍କ ଅକାଳ ବିୟୋଗ ହୋଇଯାଇଛି। ମାତ୍ର ୫୫ ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଆପୋଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଚିକିତ୍ସା ପାଇଁ ସେ ଗତ ୨ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ବ୍ରେନରେ ଏକ ଛୋଟ ଅସ୍ତ୍ରୋପଚାର କଲେ ଦୀପକ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଥିଲେ। ହେଲେ ନିଜ ଦାୟିତ୍ଵରେ କେବେ ଅବହେଳା କରୁନଥିବା ଛାତ୍ରବତ୍ସଳ ପ୍ରାଧ୍ୟାପକ ଶ୍ରୀ ସିଂହ ମାତ୍ର ୧୫ ଦିନ କଲେଜରୁ ଛୁଟି ନେଇପାରିବେ ବୋଲି ଡାକ୍ତରଙ୍କ ଆଗରେ ପ୍ରକାଶ କରିଥିଲେ। କିନ୍ତୁ ସେ ମାତ୍ର ୮ ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇ ନିଜର କର୍ତ୍ତବ୍ୟ କରିପାରିବେ ବୋଲି ଡାକ୍ତର କହିଥିଲେ।

ତା’ପରେ ତାଙ୍କର ବ୍ରେନରେ ଅସ୍ତ୍ରୋପଚାର (ଇଣ୍ଡୋସ୍କୋପି) କରାଯାଇଥିଲା। ହେଲେ ପ୍ରଥମ ଅସ୍ତ୍ରୋପଚାର ବିଫଳ ହୋଇଥିବା କୁହାଯାଉଥିବା ବେଳେ ଜାନୁୟାରୀ ୫ ତାରିଖରେ ତାଙ୍କର ଦ୍ଵିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ତେବେ ସେବେଠାରୁ ସେ ସଜ୍ଞାହୀନ ଅବସ୍ଥାରେ ଥିବା ବେଳେ ଗତକାଲି ଅପରାହ୍ନ ୧୨ ଟା ୪୦ ମିନିଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଯାହାପରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରୁ ପୈତୃକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବେତୁଲି ପର୍ଯ୍ୟନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କର ଏହି ଅକାଳ ବିୟୋଗ ଖବର ଶୁଣି ସାଙ୍ଗସାଥି, ବନ୍ଧୁ ପରିଜନ ଭାଙ୍ଗି ପଡିଛନ୍ତି। ମୃତ୍ୟୁ ବେଳକୁ ଦୀପକଙ୍କ ନିକଟରେ ତାଙ୍କ ସ୍ତ୍ରୀ, ପୁଅ, ଝିଅ, ତାଙ୍କର ୭ ଭାଇ, ସାଙ୍ଗସାଥି, ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।

ଦୀପକ ନଭେମ୍ବର ୧୧ ତାରିଖ ୧୯୬୬ ମସିହାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆଦର୍ଶ ଶିକ୍ଷକ ସ୍ଵର୍ଗତ ସଚ୍ଚିଦାନନ୍ଦ ନାୟକ ଏବଂ ପ୍ରମିଳା ନାୟକଙ୍କ ସେ ତୃତୀୟ ନମ୍ବର ସନ୍ତାନ। ତାଙ୍କର ଛୋଟ ଛୋଟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

ଦୀପକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ନିଜର ଛାତ୍ର ଜୀବନ ଶେଷ କରି କେନ୍ଦୁଝର ଜିଲ୍ଲା ବଡ଼ବିଲ ମହାବିଦ୍ୟାଳୟରେ ସେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ତାଙ୍କ ସହକର୍ମୀ ବନ୍ଧୁମାନେ ଏହି ଦୁଃଖଦ ଖବରରେ ମ୍ରିୟମାଣ ହୋଇପଡିଥିବା ବେଳେ ସେମାନେ ଏହାକୁ ବିଶ୍ଵାସ ବି କରିପାରୁନାହାନ୍ତି। ଜଣେ ସୁସ୍ଥ ଦେଖାଯାଉଥିବା ଏବଂ ନିଜର କର୍ତ୍ତବ୍ୟ ଜାରି ରଖିଥିବା ଲୋକ କିପରି ହଠାତ୍ ଅସୁସ୍ଥ ହୋଇ ଆର ପାରିକୁ ଚାଲିଯିବ, ସେକଥା କେହି ବିଶ୍ଵାସ କରିପାରୁନାହାନ୍ତି।

ଏତେ ବଡ ଦୁଃଖଦ ସମୟରେ ମହାବିଦ୍ୟାଳୟ ତରଫରୁ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଦୀପକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ମହାପ୍ରଭୁ ଜଗନ୍ନାଥ ଦୀପକଙ୍କ ଆତ୍ମା-ପ୍ରଦୀପକୁ ତାଙ୍କ ଚରଣକମଳ ନିକଟରେ ପ୍ରଜ୍ଜ୍ଵଳିତ ରଖନ୍ତୁ ବୋଲି ବଡ଼ବିଲ ମହାବିଦ୍ୟାଳୟ ପରିବାର ପକ୍ଷରୁ ପ୍ରାର୍ଥନା କରାଯାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ଗଳ୍ପ ସଂକଳନ “ଛାଇ ସହ ମୁହାଁମୁହିଁ” ଉନ୍ମୋଚିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି “ଚଳିତ ଦଶକର ସର୍ଜନ ସାହିତ୍ୟ ” ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହେବା ସହ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଗଳ୍ପ ପୁସ୍ତକ “ଛାଇ ସହ ମୁହାଁମୁହିଁ”ର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥିତଯଶା ଗାଳ୍ପିକ ଡକ୍ଟର ଅଜୟ ସ୍ୱାଇଁ କହିଲେ ଯେ, ମାତୃଭାଷାକୁ ଭଲ ପାଇଲେ ଜାତିର ଗାରିମା ବିକଶିତ ହୁଏ ଓ ଆମ ଜାତୀୟ ଚେତନା ପ୍ରତିଫଳିତ ହୋଇଥାଏ। ଛାତ୍ରଛାତ୍ରୀ ମାନେ ପାଠ୍ୟ ପୁସ୍ତକ ବ୍ୟତୀତ ଓଡ଼ିଆ ଭାଷାର ଲେଖକ ମାନଙ୍କ ଗଳ୍ପ, କବିତା, ଉପନ୍ୟାସ ଆଦି ଅଧ୍ୟୟନ ପଢିଲେ ବିଭିନ୍ନ ସମୟର ସାମାଜିକ ଚିତ୍ରଣ ଓ ସାଂସ୍କୃତିକ ଐତିହ୍ୟ ତଥା ବୌଦ୍ଧିକ ପ୍ରତିଫଳନ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରି ପାରନ୍ତେ। ସମ୍ପ୍ରତି ଛାତ୍ରଛାତ୍ରୀଙ୍କର ପଠନଶୀଳତା ହ୍ରାସ ହେବା ସହ ନିଜ ଚାରିପଟର ବ୍ୟକ୍ତି ଓ ପ୍ରକୃତି ସମ୍ପର୍କରେ ଅନାଗ୍ରହତା ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗରଣ ପ୍ରତି ଏକ ଅପମାନନ।

ସାମ୍ପ୍ରତିକ ସମୟର ଦୃଶ୍ୟପଟ କିପରି ଉପସ୍ଥାପିତ ହୋଇଛି ତାହା ଆଲୋଚନା କରିଥିଲେ।  ରାଷ୍ଟ୍ରପତିଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ହୋଇଥିବା ପ୍ରକାଶକ ବନୋଜ କୁମାର ତ୍ରିପାଠୀ ଚଳିତ ଦଶକର ସର୍ଜନ ସାହିତ୍ୟ ସମ୍ପର୍କରେ ଆଲୋକପlତ କରି ଯୁବ ପିଢ଼ି ସର୍ଜନ ମନସ୍କ ହେବାପାଇଁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅଧ୍ୟକ୍ଷତା କରି ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ ଛାତ୍ରଛାତ୍ରୀ ମାନେ ସାମ୍ପ୍ରତିକ ସମୟର ଲେଖକ ମାନଙ୍କୁ ପଢିବା ସହିତ ଗଳ୍ପ କବିତା ଲେଖି ଛାତ୍ର ଜୀବନର ଉତ୍କର୍ଷତା ପ୍ରତିପାଦନ କରିବାକୁ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ।

ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଉଚ୍ଚାଙ୍ଗ ସାହିତ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ଅଧ୍ୟାପକ ମନୋଜ କୁମାର ମହାପାତ୍ର ଓ ସପ୍ତଫେଣୀର ମୁଖ୍ୟ ସମ୍ପାଦକ କବି ଗୋପୀନାଥ ଦାଶ ବାଲୁଗାଁ ଓ ବାଣପୁର ଅଂଚଳର ଲେଖକ ମାନଙ୍କ ସାହିତ୍ୟ କିପରି ଓଡ଼ିଶାର ସାହିତ୍ୟ ପରିମଣ୍ଡଳକୁ ପରିପୁଷ୍ଟ କରିଛି, ଆଲୋଚନା କରିଥିଲେ।

ଉତ୍ସବରେ ଡକ୍ଟର ଲକ୍ଷ୍ମୀ ସୁବୁଦ୍ଧି, ଡକ୍ଟର ରଘୁନାଥ ଓଝା, ଅଧ୍ୟାପିକା ରୀନା ରାଉତ, ପ୍ରିୟଦର୍ଶିନୀ ମହାରଣା, ଗବେଷକ ମଦନ ମୋହନ ମହାପାତ୍ର, ଡକ୍ଟର ଅକ୍ଷୟ ମିଶ୍ର, ଗାଳ୍ପିକ ସୁଶାନ୍ତ ଦାଶ, ଝରଣା ନାଥ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।  ଡକ୍ଟର କୈଳାଶ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶ୍ରୀ ଜୁନାଲି ସୁର, ଓ ଶୋଭିତ ଜେନା ଏଥିରେ ସହାୟତା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ବାଳିକା ଆତ୍ମାରକ୍ଷା କୌଶଳ ତାଲିମ୍ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରୋତ୍ସାହନ ରେ ବାଲୁଗାଁ ମହାବିଦ୍ୟାଳୟରେ ଆଜି ବାଳିକା ଆତ୍ମରକ୍ଷା କୌଶଳ ତାଲିମ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।

କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହଙ୍କ ନେତୃତ୍ୱରେ ଯୁକ୍ତ ଦୁଇ ଶ୍ରେଣୀର 185 ଜଣ ଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଜୀବନର ପ୍ରତିଟି କ୍ଷେତ୍ରରେ ନିର୍ଭୀକ ଭାବେ ନିଜର ଆତ୍ମରକ୍ଷା କରିବା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ସେଲର ସମସ୍ତ ସଦସ୍ୟ ସହାୟତା କରିଥିଲେ। ଆଜିଠାରୁ ଆଠଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ତାଲିମ୍ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ସୁଶ୍ରୀ ଜ୍ୟୋତି ସାମଲ, ନିଲମ ସାହୁ ଓ ଲିପିକା ସାହୁ ତାଲିମ୍ ପ୍ରଦାନ କରିବେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି।

ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କ ସୂଚନା ମୁତାବକ ଗତକାଲି ରାତିରେ ଖଡ଼ିକାପଲ୍ଲି ଗ୍ରାମର ରବୀନ୍ଦ୍ର ସ୍ୱାଇଁ (୬୨) ନିଜ ସାଇକେଲ ଯୋଗେ ଖଡ଼ିକାପଲ୍ଲି ଛକରୁ ସୁବୁଦ୍ଧିପାଟଣା ଯିବା ପାଇଁ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ହଠାତ ବାଲୁଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାରଟି ରବୀନ୍ଦ୍ରଙ୍କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ରବୀନ୍ଦ୍ର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ପଠାଇଥିଲେ। ହେଲେ ମେଡିକାଲରେ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବାଲୁଗାଁ ଥାନାରେ କେସ ନମ୍ବର ୧/୨୩ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଜଣାପଡିଛି।

Categories
ଆଞ୍ଚଳିକ

ନବ ବର୍ଷରେ ବାଲୁଗାଁ ସହରବାସୀଙ୍କୁ ଏନଏସି ର ଭେଟି: ଉଦଘାଟିତ ହେଲା ସେଲଫି ପଏଣ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ନୂତନ ବର୍ଷ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ଦୁଇଟି ସ୍ୱାଗତ ଫଳକ ସହ ସେଲଫି ପଏଣ୍ଟ ଉନ୍ମୋଚନ ହୋଇଯାଇଛି।

ସୂଚନା ମୁତାବକ ଏସିଆ ମହାଦେଶର ବୃହତ୍ତମ ଲୁଣ ହ୍ରଦ ଚିଲିକା ତଟ ଦେଶରେ ଅବସ୍ଥିତ ବାଲୁଗାଁ ସହର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ତଥା ବ୍ୟସ୍ତବହୁଳ ସହର ଭାବେ ପରିଚିତ।ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ଦୀର୍ଘ ୪୦ ବର୍ଷ ହେବ ଏନଏସି ମାନ୍ୟତା ପାଇଥିଲେ ସୁଦ୍ଧା ଅଦ୍ୟାବଧି ସ୍ୱାଗତ ଫଳକଟିଏ ଅବା ସେଲଫି ପଏଣ୍ଟ ଦେଖିବାକୁ ମିଳୁନଥିଲା। ଏନଏସି ପକ୍ଷରୁ ହୋଲଡିଂ ଟ୍ୟାକ୍ସ, ୟୁଜର ଫି, ପାର୍କିଂ ଫି ଆଦି ନିୟମିତ ଆଦାୟ କରାଯାଉଥିଲେ ମଧ୍ୟ ତାହାର ସଦୁପଯୋଗ କେଉଁଠି କରାଯାଉଛି ତାହା ଜନସାଧାରଣଙ୍କ ଦୃଷ୍ଟି ଆଢୁଆଳରେ ରହୁଥିବା ଦେଖିବାକୁ ମିଳୁଛି।

ସ୍ଥାନୀୟ ବାସିନ୍ଦାଙ୍କ ସମେତ ଆଖପାଖ ଅଞ୍ଚଳ ହେଉ ଅବା ବାହାରୁ ଦୈନନ୍ଦିନ ଅନେକ ଲୋକଙ୍କ ଯିବାଆସିବା ଲାଗି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟଟକ ଋତୁରେ ଦେଶବିଦେଶରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଯାହାକି ବାହାରୁ ଆସୁଥିବା ଲୋକମାନେ ବାଲୁଗାଁ ସହରର ଅବସ୍ଥିତି ଜାଣିବା କଷ୍ଟକର ହୋଇପଡୁଥିବା ବେଳେ ଆଜି ମୁକ୍ତା ଯୋଜନାରେ ସହର ସୀମା ତଥା ଦକ୍ଷିଣ ପାର୍ଶ୍ଵ ପ୍ରବେଶ ଦ୍ୱାର ସୋମନାଥ ବସ ଷ୍ଟାଣ୍ଡ ଓ ଉତ୍ତର ପାର୍ଶ୍ଵ ମାମୁଁ ଭଣଜା ପାଦଦେଶ ପୋଲିସ ଥାନା ଠାରେ ନବନିର୍ମିତ ଦୁଇ ଗୋଟି ସ୍ୱାଗତ ଫଳକ ସହ ଚିଲିକା କୁଳ ଜେଟି ଠାରେ ସେଲଫି ପଏଣ୍ଟ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।

ଏଥିସହିତ ବାଲୁଗାଁ-ବାଣପୁର ରେଲୱେ ଓଭର ବ୍ରିଜ ଉପରେ ଥିବା ବିଦ୍ୟୁତ ଖୁଣ୍ଟର ସୌନ୍ଦର୍ଯ୍ୟକରଣ ଲାଇଟ ଏବଂ ବିଜ୍ଞାପିତ ପରିଷଦର ପରିମଳ କାର୍ଯ୍ୟ ପାଇଁ ନୂତନ ଭାବେ ନିୟୋଜିତ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ଟାଟା ଏସି ର ଶୁଭ ଉଦଘାଟନ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର, ପୌର ଯନ୍ତ୍ରୀ, ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଆସନ୍ତାକାଲି ଠାରୁ ଦୀନବନ୍ଧୁଙ୍କ ସ୍ମୃତିରେ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆସନ୍ତାକାଲି (୨୭ ତାରିଖ, ମଙ୍ଗଳବାର) ଠାରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଗୋପୀନାଥପୁର ଗ୍ରାମରେ ଏକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଗୋପୀନାଥପୁର ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଏହି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ସ୍ଵର୍ଗତ ଦୀନବନ୍ଧୁ ପ୍ରଧାନଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଦୀନବନ୍ଧୁ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ସେ ବାଲୁଗାଁ ମହାବିଦ୍ୟାଳୟର ଜଣେ କର୍ମଚାରୀ ଥିଲେ। ତାଙ୍କର ଗତ ୧୮ ତାରିଖରେ ଦେହାନ୍ତ ହୋଇଥିଲା। ତେଣୁ ଦୀନବନ୍ଧୁଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।

ତେବେ ଆୟୋଜକ ତରଫରୁ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଉଛନ୍ତି। ଗୋପୀନାଥପୁର, ସିଙ୍ଗେଶ୍ଵର, ଭୀମପୁର, ବାଲୁଗାଁ ଇଲେଭେନ ଷ୍ଟାର, ପଦନପୁର, ସାମାନ୍ତରାୟ ପୁର, ଏମଡି ସ୍ପୋର୍ଟସ୍ ଓ ତୋରସିଂହ ଭଳି କ୍ରିକେଟ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

ସେହିଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରେ ପରେ ଦୀନବନ୍ଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭଲି ବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରାଯାଉଛି। ଏଥିରେ ମଧ୍ୟ ୮ ଟି ଦଳ ଭାଗ ନେଉଛନ୍ତି। ସେହି ଦଳ ଗୁଡିକ ହେଲେ…ଭୀମପୁର, ବିଷରପାଟଣା, ଇଞ୍ଜନପୁର, ଗୋପୀନାଥପୁର, ଏଆରସି ବାଲୁଗାଁ, ଗମ୍ଭାରିମୁଣ୍ଡା, ଦୀକ୍ଷିତିପଡା ଏବଂ ପୁଞ୍ଜିଆମାର ଭଲି ବଲ ଟିମ ଅଂଶଗ୍ରହଣ କରୁଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗରେ ଜଣଙ୍କୁ ବାନ୍ଧିଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକାଧିକ ଏଟିଏମ କାର୍ଡ ଓ ମୋବାଇଲ ଫୋନ ଚୋରି ଅଭିଯୋଗ ପୂର୍ବରୁ ହୋଇଛି। ତେବେ ସିସିଟିଭି ଫୁଟେଜ ଏବଂ ନିଜସ୍ୱ ତଦନ୍ତ ଆଧାରରେ ଆଜି ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶିବ ପ୍ରସାଦ ପଣ୍ଡା ଓରଫ ଆଦିତ୍ୟ। ଶିବଙ୍କ ନିକଟରୁ ପୋଲିସ ଏକାଧିକ ଚୋରି ଏଟିଏମ କାର୍ଡ, ଚାରି ଗୋଟି ଚୋରା ମୋବାଇଲ ଫୋନ ଏବଂ ୯ ହଜାର ୬୦୦ ଚୋରି ଟଙ୍କା ଜବତ କରିଛି।

ଅନୁରୂପ ଭାବେ ଉକ୍ତ ଅପରାଧ କରୁଥିବା ବେଳେ ଅଭିଯୁକ୍ତଜଣଙ୍କ ବ୍ୟବହାର କରୁଥିବା ଏକ ସ୍କୁଟିକୁ ମଧ୍ୟ ପୋଲିସ ଜବତ କରିଛି। ଆଜି ଶିବଙ୍କୁ କୋର୍ଟଚାଲାଣ କରାଯାଇଛି ଏବଂ ଉକ୍ତ ଗ୍ୟାଙ୍ଗରେ ଆଉ କିଏ ସାମିଲ ଅଛନ୍ତି, ତାହାର ତଦନ୍ତ ଜାରିରହିଥିବା ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଚିଲିକାରେ ଡିଜେ ବ୍ୟାନ ମାମଲା: ସାମ୍ବାଦିକ ସମ୍ମିଳନୀ କଲା ସଂଘ, ଉପଜିଲ୍ଲାପାଳଙ୍କ ନାଁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ମା’ ଭଗବତୀ ବ୍ୟାଣ୍ଡ ଓ ସାଉଣ୍ଡ ସଂଘ ବାଲୁଗାଁ-ବାଣପୁର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ବୈଠକରେ ସଂଘ ସଭାପତି କବିରାଜ ସାହୁଙ୍କ ପୌରହିତ୍ୟରେ ବାଲୁଗାଁ ପୋଲିସ ସବଡିଭିଜନରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା ଫଳରେ ଜୀବିକା ଉଜୁଡୁଥିବା ସମ୍ପର୍କିତ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ଡିଜେ ବନ୍ଦ କରିବା ଫଳରେ ନିଜର ବ୍ୟବସାୟରେ ପ୍ରବଳ କ୍ଷତି ସହିବା ସହ ପରିବାର ପୋଷଣ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ଋଣ ଆଣି ସଂସ୍ଥା କରିଥିବାବେଳେ ଡିଜେ ନ ବାଜିବାରୁ ଋଣ ଭାରରେ ବୁଡିରହିଛନ୍ତି। ଏହାକୁ ସଂଘମତ ଭାବେ ପୁନର୍ବାର ଡିଜେ ବଜାଇବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଅବଗତ କରାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ବୈଠକରେ ବିଚାର ବିମର୍ଷ କରି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଏସମ୍ପର୍କରେ ଅବଗତ କରାଇଥିବା ସଦସ୍ୟମଣ୍ଡଳୀ କହିଛନ୍ତି।

ଏନେଇ ସଂଘ ସଭାପତି ଶ୍ରୀ ସାହୁଙ୍କୁ ଯୋଗାଯୋଗ କରିବାରେ ଡିଜେ ବନ୍ଦ ହେବା ଦ୍ୱାରା ଆମେ ଆମର ଜୀବିକା ହରେଇଛୁ।ଚଳିବୁ କେମିତି ତା ଛଡା ଏତେ ଟଙ୍କା ବିନିଯୋଗ କରି ଏକ ସଂସ୍ଥା କରିଥିଲୁ ତାହାର ଭରଣ କିଏ ଦେବ ବୋଲି କହିଥିଲେ। ତତସହିତ ନିକଟରେ ଜିଲ୍ଲା ପ୍ରଶାସନ ଅନୁମତି ସତ୍ତ୍ୱେ ବାଲୁଗାଁ ପୋଲିସ ଲାଉଡ଼ସ୍ପିକର ଗାଡ଼ି ସିଜ କରିଦେଇଥିବାର ଅଭିଯୋଗ କରିଥିଲେ ଶ୍ରୀ ସାହୁ।

ତେବେ ଏ ନେଇ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଯୋଗାଯୋଗ କରିବାରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ଲାଉଡ଼ସ୍ପିକରରେ ଶବ୍ଦର ପରିଧି ମାପିବା ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ ଅଟେ। ଉକ୍ତଦିନ ସମ୍ପୃକ୍ତ ଗାଡ଼ିରେ ଉକ୍ତ ଯନ୍ତ୍ର ନଥିଲା ଏବଂ ଉଚ୍ଚ ଶବ୍ଦରେ ଲାଉଡ଼ସ୍ପିକର ବାଜିବାରୁ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ କ୍ରମେ ତାହା ଜବତ ହୋଇଥିବାର କହିଛନ୍ତି ଶ୍ରୀ ଦାସ।

ସେହିପରି ଭାବେ ଏ ନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ଯୋଗାଯୋଗ କରାଯିବାରୁ ଜିଲ୍ଲା ପ୍ରଶାସନର ଅନୁମତି ପତ୍ର ବିନା ଡିଜେକୁ କୌଣସି ମତେ ବାଲୁଗାଁ ସବଡିଭିଜନରେ ଅନୁମତି ଦିଆଯିବ ନାହିଁ ବୋଲି ରୋକଠୋକ କହିଛନ୍ତି। କେବଳ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଡିଜେ ବାଜିପାରିବ ବୋଲି ଶ୍ରୀ ବାରିକ କହିଛନ୍ତି। ଏଥିସହିତ ଡିଜେ ବାଜିବା ସମୟରେ ଯଦି କୌଣସି ନାଗରିକଙ୍କ ସ୍ୱାସ୍ଥ୍ୟଜନିତ ଅଘଟଣ ଘଟେ, ଏଥିପ୍ରତି ଉତ୍ତରଦାୟୀ କିଏ ରହିବ ବୋଲି ଏସଡିପିଓ ଶ୍ରୀ ବାରିକ ସିଧାସଳଖ କହିଛନ୍ତି। ଯଦି ଉକ୍ତ ନିର୍ଦ୍ଦେଶନାମାରେ ଖିଲାପ ହୁଏ ତେବେ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିବା ସହ ଏଥିପାଇଁ ସମ୍ପୃକ୍ତ ଥାନା ଅଧିକାରୀମାନେ ସତର୍କ ରହିଥିବା କହିଛନ୍ତି।

ତେବେ ଏ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କୁ ପଚାରିବାରୁ ସରକାରୀ ନିୟମ ମୁତାବକ ଡ଼ିଜେ ଅନୁମତି କାହାକୁ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି। ତତସହିତ ସାଉଣ୍ଡ ଲାଇଟ ମାଲିକମାନେ ସରକାରୀ ନିୟମ ମୁତାବକ ୬୫ ଡେସିବିଲ ମଧ୍ୟରେ ଲାଉଡ଼ସ୍ପିକର ବଜାଇପାରିବେ, କିନ୍ତୁ ଡିଜେ ବଜାଇପାରିବେ ନାହିଁ ବୋଲି କହିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ଆସିବା ଫଳରେ ଏନେଇ ବାଲୁଗାଁ ପୋଲିସ ସବଡିଭିଜନ ଅଧୀନରେ ଆସୁଥିବା ଚାରି ଗୋଟି ଥାନା ଅଞ୍ଚଳରେ ଡିଜେକୁ ବ୍ୟାନ କରାଯାଇଥିଲା। ଏଥିସହିତ ଡିଜେ ବଜାଇବା ପାଇଁ କିଛି ନିୟମାବଳୀ ଅନୁସରଣ କରିବାସହ ଉପଜିଲ୍ଲାପାଳଙ୍କ ଅନୁମତି ଅପରିହାର୍ଯ୍ୟ ହୋଇଥିବା ବେଳେ ଡିଜେ ମାଲିକମାନେ ଏହାକୁ ଖୁଲାମଖୁଲା ଉଲଙ୍ଘନ କରିବାରୁ ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଭଳି ଅଭିଯୋଗମାନ ଆସିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳ ପାନ୍ଥନିବାସରୁ ଏକ ବେସରକାରୀ ଯାତ୍ରୀବାହୀ ଡଙ୍ଗା ୮ ଜଣ ଯାତ୍ରୀଙ୍କୁ ନେଇ ମା’ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ଜଟିଆ ନାସି ଠାରେ ଘେରି ଜାଲ ଲାଗିଯିବାରୁ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା। ଯାହାଫଳରେ ଚିଲିକ‍ା ମଧ୍ୟରେ ଡଙ୍ଗାଟି ଫସି ରହିଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯାତ୍ରୀ ଏ ନେଇ ବଡ଼କୂଳ ଓଟିଡିସି ପରିଚାଳକ ସବ୍ୟସାଚୀ କରଙ୍କୁ ଯୋଗାଯୋଗ କରିବାରେ ଓଟିଡିସି ଏବଂ ପ୍ରାଇଭେଟ ମୋଟର ବୋଟ ଆସୋସିଏସନ ପକ୍ଷରୁ ଉକ୍ତ ଡଙ୍ଗା ସମେତ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅଣାଯାଇଥିବା ଶ୍ରୀ କର ସୂଚନା ଦେଇଛନ୍ତି।

ଖବର ପାଇ ବାଲୁଗାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଯାତ୍ରୀଙ୍କ ସହ ଆଲୋଚନା ପରେ ସମସ୍ତ ଯାତ୍ରୀ ପୁରୀ ବରହମପୁର ଅଞ୍ଚଳର ବୋଲି ଅଗ୍ନିଶମ ଅଧିକାରୀ ମୋହନ ଦଳେଇ ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକ ଋତୁ ସମେତ ବର୍ଷତମାମ ଚିଲିକାରେ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ଏହା ଯାତ୍ରୀଙ୍କୁ ନିରାଶ କରୁଥିବା ଦେଖାଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ବାଲୁଗାଁ: ୨୯ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୨୯ ତମ ଶିବ ଜ୍ୟୋତି ଧାମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଶିକ୍ଷା ପ୍ରଦାନ କରାଯାଇଥିଲା।

ଅପରାହ୍ନରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସଂଚାଳିକା ବି.କେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ ତମବର୍ଷ ତଥା ଆଜାଦ କି ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ମହାମହିମ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କଟକ ଜୋନର ସହ ନିର୍ଦ୍ଦେଶିକା ବି.କେ ସୁଲୋଚନା, ବି.କେ କମଲେସ ଦିଦି, ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବି.କେ ଲିନା,ରାଜ୍ୟ ସଂଯୋଜକ ବି. କେ ନଥମଲ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବି.କେ ଅରୁଣ ପଣ୍ଡା, ବିଶିଷ୍ଟ ସମାଜସେବୀ ପୃଥ୍ୱୀରାଜ ହରିଚନ୍ଦନ, ରଘୁନାଥ ସାହୁ ଆଦି ଯୋଗଦେଇ ଆଧୁନିକ ସମାଜରେ ଶିବ ଜ୍ୟୋତି ଧାମ ତରଫରୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରେମ, ମୈତ୍ରୀ ଓ ଭ୍ରାତୃତ୍ବ ମନୋଭାବ ନେଇ ନୂତନ ଦିଗଦର୍ଶନ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ହରିଚନ୍ଦନ ନିଜ ଅଭିଭାଷଣ ରେ ଆଧ୍ୟାତ୍ମିକତା ହେଉଛି ଶାନ୍ତିର ପ୍ରତୀକ।ଶାନ୍ତି ହେଉଛି କାମ୍ୟ, ଅଶାନ୍ତ ସମାଜକୁ ଶାନ୍ତ ଦିଗରେ ଆଧ୍ୟାତ୍ମିକତା ଚେତନା ସଫଳୟନ ରୂପ ଦେଇପାରିବ ବୋଲି କହିଥିଲେ।

ପରିଶେଷରେ ଗମ୍ଭାରୀମୁଣ୍ଡା ଅଞ୍ଚଳର ସୁନାମ ଧନ୍ୟ ଡାକ୍ତର ସୁରେନ୍ଦ୍ରନାଥ ଦାସ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, କ୍ରୀଡ଼ାବିତ କ୍ରିଷ୍ଣା ଶିକାରୀ ଏବଂ ଆଶିଷ ସ୍ୱାଇଁଙ୍କୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଲୁଗାଁରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ: ଯୋଗଦେବେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ସଭାଗୃହରେ ୨୯ତମ ଶିବ ଜ୍ୟୋତି ଧ୍ୟାମ ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପରିଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ‘ଆଜାଦି କି ଅମୃତ ମହୋତ୍ସବ’ ଅବସରରେ ଆସନ୍ତା ୭ ତାରିଖରେ ଶିବ ଜ୍ୟୋତି ଧ୍ୟାମର ୨୯ ତମ ବାର୍ଷିକ ଉତ୍ସବ ପାଳନ କରାଯିବା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କର୍ମମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜର ମାନସିକ ଶାନ୍ତି ନିମିତ୍ତ ଆଧ୍ୟାତ୍ମିକତା ମାଧ୍ୟମରେ ଲାଘବ କରିବା ନେଇ ଆଲୋଚନା କରାଯାଇଥିଲା ଏଥିସହିତ ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟ ପରିବେଶ ଚଳଚଞ୍ଚଳ ହୋଇଥିବା ବିକେ କେତକୀ ସୂଚନା ଦେଇଛନ୍ତି।

ଉକ୍ତ ବୈଠକରେ ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟକୃଷ୍ଣ ପ୍ରମୁଖ ଯୋଗ ଦେଇ ଆଜିର ଆଧୁନିକ ସମାଜରେ ଓମ୍ ଶାନ୍ତି ଶିବ ଜ୍ୟୋତି ଧ୍ୟାମ ତରଫରୁ ସାରା ଭାରତରେ ଶାନ୍ତି, ପ୍ରେମ, ମୈତ୍ରୀ ଆଚାର ବ୍ୟବହାରକୁ ସୁଚାରରୂପେ ପରିବେଷଣ ସହ ନୂତନ ଭାରତ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି।

ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମକୁ ଆହୁରି ପ୍ରଚାର ପ୍ରସାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି ଆଲୋଚନା ଚକ୍ରରେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ୱବିଦ୍ୟାଳୟର ସମସ୍ତ ବ୍ରହ୍ମା କୁମାରୀ ଉପସ୍ଥିତ ରହି ଆସନ୍ତା ବାର୍ଷିକ ଉତ୍ସବକୁ ସଫଳତାର ସହ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଛି।

Categories
ଆଞ୍ଚଳିକ

ବାରଣ ସତ୍ତ୍ୱେ ବାଲୁଗାଁରେ ଉଚ୍ଚ ଶବ୍ଦରେ ବାଜିଲା ଡ଼ିଜେ, ଗାଡ଼ି ଜବତ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ସବ ଡିଭିଜନରେ ଗତ ମାସରେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରାଯାଇଥିଲା। ମାତ୍ର ଏହାକୁ ବେଖାତିର କରି ଆଜି ଅପରାହ୍ନରେ ବାଲୁଗାଁ ପାଟଣା ସାହିଠାରେ ଏକ ବିବାହ କାର୍ଯ୍ୟକ୍ରମରେ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବା ନେଇ ସ୍ଥାନୀୟ କିଛି ବରିଷ୍ଠ ନାଗରିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଘଟଣାସ୍ଥଳରେ ବାଲୁଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାଶ ପହଞ୍ଚି ସମ୍ପୃକ୍ତ ଡିଜେ ଗାଡିକୁ ଜବତ କରିବା ସହ କେସ ନମ୍ବର ୨୭୧/୨୦୨୨ରେ ଏକ ମାମଲା ରୁଜୁକରି ଗାଡି ଚାଳକଙ୍କୁ ଅଟକ ରଖିଛନ୍ତି।

ସୂଚନା ଥାଉକି ବାରମ୍ବାର ପୋଲିସର ଅନୁରୋଧ ସତ୍ତ୍ୱେ ବାଲୁଗାଁ ପୋଲିସ ସବଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଦିନ ହେଉ ଅବା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ଡିଜେ ବାଜୁଥିବାର ଅଭିଯୋଗ ହେଉଛି। ଯାହାଦ୍ୱାରା ବୟସ ବ୍ୟକ୍ତି, ହୃଦରୋଗୀ, ଛୋଟ ଛୋଟ ଶିଶୁମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାଫଳରେ ପୋଲିସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି।