Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରୁ ବହିସ୍କାର ହେଲେ ଏହି ନେତା, ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗ

ଭୁବନେଶ୍ବର : ଆଜି ବିଜୁ ଜନତା ଦଳ ଜଣେ ନେତାଙ୍କୁ ଦଳରୁ ବହିସ୍କାର କରିଛନ୍ତି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳ ତରଫରୁ ବହିସ୍କାର କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ବହିସ୍କାର କରାଯାଇଛି ବୋଲି କୁହାଯାଇଛି।

ସେ ହେଉଛନ୍ତି ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ। ଏହି ବହିସ୍କାର ନେଇ ଆଜି ବିଜେଡି କାର୍ଯ୍ୟାଳୟ ତରଫରୁ ନୋଟିସ ଜାରୀ କରାଯାଇଛି। ଏହାକୁ ଶିଘ୍ର କାର୍ଯ୍ୟକାରୀ କରାଗଲା ବୋଲି ଉଲ୍ଲେଖ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ପ୍ରଥମ ରଜରେ ବିଜେଡି ବିଜେପି ହେବେ ମୁହାଁମୁହିଁ

ଭୁବନେଶ୍ବର: ଆଜି ପ୍ରଥମ ରଜ। ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସ ଖେଳିଯାଉଥିବା ବେଳେ ରାଜନୀତି ପାଣିପାଗ କିନ୍ତୁ ଭିନ୍ନ ରହିଛି। କାରଣ ଆଜି ଉଭୟ ବିଜେଡି ବିଜେପି ପିଠାପଣା ଛାଡି ରାଜରାସ୍ତାକୁ ଓହ୍ଲାଇବେ। ସେଥିପାଇଁ ସେମାନେ ଆସନ୍ତାକାଲିଠାରୁ ରଣ ହୁଙ୍କାର ଦେଇଛନ୍ତି।

ଆଜି ବିଜେପି ରାଜ୍ୟରେ ହେଉଥିବା ବିଜୁଳି ବିଭ୍ରାଟ ନେଇ ଆନ୍ଦୋଳନ କରିବ। ମୁଖ୍ୟତଃ ଟାଟା ପାୱାରର ମନମୁଖୀ ଶାସନ ବାରମ୍ବାର ବିଜୁଳି କଟ ବିରୋଧରେ ଏହି ଆନ୍ଦୋଳନ। ଦଳ କର୍ମିମାନେ ରାଜ୍ୟର ସମସ୍ତ ଟାଟା ପାୱାର ଅଫିସ ଆଗରେ ବିକ୍ଷୋଭ କରିବେ। ସେଥିପାଇଁ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି।

ସେହିପରି ବିଜେଡି ମଧ୍ୟ ଆଜି ରାଜରାସ୍ତାକୁ ଓହ୍ଲାଇବ। କେନ୍ଦ୍ର ସରକାର ଗ୍ୟାସ ଦରରେ ଆହୁତେକ ବୃଦ୍ଧି ବିରୋଧରେ ଏହି ରଣହୁଙ୍କାର ଦେବ। ଦଳର କର୍ମିମାନେ ଆଜି ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବେ।

ଦଳ କହିଛି ଯେ, ୨୦୧୪ ମସିହାରେ ଯେଉଁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧୩୦ ଟଙ୍କାରେ ପହଞ୍ଚିଛି। ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢି ଗଲାଣି। ଯଦି କେନ୍ଦ୍ର ଏହାର ମୂଲ୍ୟ ହ୍ରାସ ନ କରେ ତେବେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ତୀବ୍ର କରିବ ବୋଲି ଧମକ ଦେଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି: ବିଜେଡି

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରୁଥିବାବେଳେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଥିବା ବିଜେଡି ପକ୍ଷରୁ କୁହାଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ତିନି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ, ଶ୍ରୀ ଗୌତମବୁଦ୍ଧ ଦାସ ଏବଂ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ବିଜେପି ଷଡଯନ୍ତ୍ରର ସବୁଠାରୁ ବଡ ଉଦାହରଣ ହେଉଛି ଉଜ୍ୱଳା ଯୋଜନା। ଏହି ଯୋଜନାରେ ଓଡିଶାର ମହିଳାମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ସାହାଯ୍ୟ କରାଯିବ ବୋଲି ପ୍ରଚାର ହେଲା।

ଆଜି ଉଜ୍ୱଳା ଅନ୍ଧାର ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏହା ଏକ ନିଷ୍ଠୁର ପରିହାସ ହୋଇଛି। ଏଲପିଜି ସିଲିଣ୍ଡର ମୂଲ୍ୟ ବଢୁଛି, ରିଫିଲ ପରିମାଣ ହ୍ରାସ ପାଉଛି, ହିତାଧିକାରୀମାନେ ବ୍ୟବହାର ହ୍ରାସ କରୁଛନ୍ତି ଏବଂ ଓଡିଶାର ମହିଳାଙ୍କ ଦ୍ୱାରା ଏହାର ବ୍ୟବହାର ହ୍ରାସ ପାଉଛି।

ବେଡି ଉପରେ କୋରଡା ମାଡ ଭଳି ଇନ୍ଧନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ମୂଲ୍ୟ ବୃଦ୍ଧି ଯାହା କି ରୋଷେଇ ଘର ତଥା ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି। ଯଦିଓ ବିଜୁ ଜନତା ଦଳ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତଥାପି ଓଡିଶାର ବିଜେପି ନେତାମାନେ ନିରବ ରହିଛନ୍ତି ଏବଂ ଏହି ଲକ୍ଷ ଲକ୍ଷ ପ୍ରଭାବିତ ମହିଳାଙ୍କ କଲ୍ୟାଣ ପାଇଁ ପଦୁଟିଏ ହେଲେ କହୁ ନାହାନ୍ତି।

ଓଡିଶା ବିରୋଧି ଷଡଯନ୍ତ୍ରର ଦ୍ୱିତୀୟ ଉଦାହରଣ ହେଉଛି ରାଜ୍ୟରେ ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ ଅବସ୍ଥା। ଗତ ନଅ ବର୍ଷ ଧରି ସମ୍ବଲପୁର-କଟକ ଜାତୀୟ ରାଜପଥ ଅବସ୍ଥା ସଙ୍କଟାପନ୍ନ ରହିଛି। କାର୍ଯ୍ୟ ସମାପ୍ତ ହେଉନାହିଁ। ଗତ ନଅ ବର୍ଷ ମଧ୍ୟରେ ଏହି ରାଜପଥ ପ୍ରକଳ୍ପର କାର୍ଯ୍ୟ ସରୁନଥିବାରୁ ଶହ ଶହ ଦୁର୍ଘଟଣା ଘଟିଛି ଏବଂ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଇଛି। ଏଥିପାଇଁ ବିଜେଡି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରୁଛି, କିନ୍ତୁ ଓଡିଶା ବିଜେପି ନେତାମାନେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି।

ସେହିଭଳି ଆଉ ଦୁଇଟି ବଡ ଷଡଯନ୍ତ୍ର ହେଉଛି ଓଡ଼ିଶାରେ ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ୍ ସେବା ଅତ୍ୟନ୍ତ ଖରାପ। ଯଦିଓ ଗତ ନଅ ବର୍ଷ ଧରି ବିଜେଡି ଏହି ଅବହେଳା ଉପରେ ସ୍ୱର ଉତ୍ତୋଳନ କରୁଛି, ତଥାପି ଓଡିଶାର ବିଜେପି ନେତାମାନେ ଏକ ପ୍ରକାର ନିରବତା ବଜାୟ ରଖିଛନ୍ତି। ବ୍ୟାଙ୍କିଙ୍ଗ ସଂଯୋଗର ଅଭାବ ଯୋଗୁଁ ମିଶନ ଶକ୍ତି ଅଧିନରେ ଥିବା ୬ ଲକ୍ଷ ମହିଳା ଏସଏଚଜି ଗୋଷ୍ଠୀର ୭୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାମାନେ ବିନା ସୁଧରେ ୫ ଲକ୍ଷ ଋଣ ପାଇବା କଷ୍ଟକର ହୋଇପଡୁଛି ଯାହା ସେମାନଙ୍କୁ ଓଡ଼ିଶା ସରକାର ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ସାଧାରଣ ଲୋକେ ମଧ୍ୟ ଖରାପ ବ୍ୟାଙ୍କିଂ ନେଟୱାର୍କ ହେତୁ ସେମାନଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବିଜେଡି ମୁଖପାତ୍ରମାନେ କହିଛନ୍ତି ଯେ ପ୍ରଥମେ ଓଡିଶା ବିଜେପି ନେତାମାନେ କ୍ରମାଗତ ଭାବରେ ଓଡିଶାର ଲୋକଙ୍କୁ ଆଇନହୀନ ବୋଲି କହୁଥିଲେ। ତା’ପରେ ସେମାନେ କ୍ରମାଗତ ଭାବରେ ଓଡିଶାର ମହିଳା ଏସଏଚଜି ସଦସ୍ୟମାନଙ୍କୁ ଅପମାନିତ ଏବଂ ଅସମ୍ମାନ କଲେ। ଏହା ସେମାନଙ୍କର ଓଡିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି।

ଏହି ସମସ୍ତ ପ୍ରୟାସ ମାଧ୍ୟମରେ ଓଡିଶା ବିଜେପି ନେତାମାନେ ଓଡିଶାର ବିକାଶକୁ ରୋକିବାପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେଥିରେ ସେମାନେ ବିଫଳ ହେବେ। ଓଡିଶାବାସୀଙ୍କ ସାମୂହିକ ଇଚ୍ଛା ଏବଂ ବିଜୁ ଜନତା ଦଳର ବିକାଶମୂଳକ ଏଜେଣ୍ଡା ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟ ହେବାକୁ ଆଗେଇ ନେବ। ତେବେ ଓଡିଶାର ସ୍ୱାର୍ଥ ବିରୁଦ୍ଧରେ ତଥା ଓଡିଶାର ୪.୫ କୋଟି ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡିଶାର ବିଜେପି ନେତାମାନେ ଯେଭଳି ଷଡଯନ୍ତ୍ର କରୁଛନ୍ତି। ସେଥିପାଇଁ କୋଟି କୋଟି ଓଡିଶାବାସୀ ତାଙ୍କୁ ସବୁବେଳେ ମନେ ରଖିବେ ବୋଲି ବିଜେଡି ମୁଖପାତ୍ରମାନେ କହିଛନ୍ତି।

Categories
ବିଶେଷ ଖବର

ଓଡ଼ିଶା ବିଜେପି ନେତାଙ୍କ ଅପାରଗତା ବିରୋଧରେ ବର୍ଷିଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାରେ ବିଜେପି ନେତାମାନେ ଜନସଂପର୍କ ଯାତ୍ରା ମାଧ୍ୟମରେ ସଫଳତାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବତା ହେଲା, ଓଡ଼ିଶା ବିଜେପି ୯ ବର୍ଷ ହେଲା ଓଡ଼ିଶାବାସୀଙ୍କୁ କେବଳ ପ୍ରତାରଣା, ଅବହେଳା ଓ ବିଶ୍ୱାସଘାତ କରି ଆସୁଛି। ଓଡ଼ିଶାରୁ ନିର୍ବାଚିତ ହୋଇ ଦିଲ୍ଲୀ ଯାଇଥିବା ରାଜ୍ୟ ବିଜେପି ନେତାମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛନ୍ତି। ମାଟି ପାଇଁ ପାଟି ନ ଖୋଲି କେବଳ ନିଜ ପାର୍ଟିର ସ୍ୱାର୍ଥ କଥା ଭାବୁଛନ୍ତି ଏବଂ ମିଛ ସଫଳତାର କାହାଣୀ ଗପି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛନ୍ତି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏଭଳି ଗୁରୁତର ଅଭିଯୋଗ ଆଣି ଓଡ଼ିଶା ବିଜେପି ନେତାମାନଙ୍କ ବିରୋଧରେ ଖୁବ୍ ବର୍ଷିଛି ବିଜେଡି।

ଓଡ଼ିଶାବାସୀଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାରଙ୍କ ପ୍ରତାରଣାର ଏକ ଉଦାହରଣ ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ଏବଂ ରାଜଧାନୀ ସହ ଯୋଡ଼ୁଥିବା କଟକ-ସମ୍ୱଲପୁର ଜାତୀୟ ରାଜପଥ-୫୫ ଉପରେ ଦେଢ଼ କୋଟିରୁ ଅଧିକ ଲୋକ ନିର୍ଭର କରନ୍ତି । ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ଏହି ଏନ୍‌ଏଚ୍‌-୫୫ର ସଂପ୍ରସାରଣ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇ ତିନି ବର୍ଷ ମଧ୍ୟରେ ଶେଷ ହେବାର ଥିଲା। ମାତ୍ର ୬ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହି କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି। ୨୬୩ କିମି ରାସ୍ତାର ଚାରିଥାକିଆ ସଂପ୍ରସାରଣ ପାଇଁ ପ୍ରଥମେ ୨୩୬୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତାହା ଏବେ ପ୍ରାୟ ଦୁଇ ଗୁଣ ବଢ଼ି ୪୪୮୨ କୋଟି ଟଙ୍କାରେ ପହଞ୍ଚିଲାଣି। କାମ ଶେଷ କରିବାକୁ ତିନିଥର ଡେଡ୍ ଲାଇନ୍ ଦିଆଯିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ସାରି ପାରୁନାହାନ୍ତି ଏନ୍‌ଏଚ୍ କର୍ତ୍ତୃପକ୍ଷ।

ଏନ୍‌ଏଚ୍‌-୫୫କୁ ଦେଶର ସର୍ବାଧିକ ବିପଦଜନକ ଜାତୀୟ ରାଜପଥ ବୋଲି ଅଭିହିତ କରି ଶ୍ରୀ ଦାସ କହିଲେ ଯେ ବିଭିନ୍ନ ସ୍ଥାନରେ ରାସ୍ତା ଖୋଳା ହୋଇ ପଡ଼ିଥିବାରୁ ଏବଂ ଏକାଧିକ ବ୍ରିଜ୍ ଅଧପନ୍ତରିଆ କରି ଛାଡ଼ି ଦିଆଯାଇଥିବାରୁ ଏହି ଜାତୀୟ ରାଜପଥ ପ୍ରତି ମୁହୂର୍ତ୍ତରେ ମୃତ୍ୟୁକୁ ଆମନ୍ତ୍ରଣ ଜଣାଉଛି। ମୃତ୍ୟୁଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ୨୦୧୬ରୁ ୨୦୨୨ ଅର୍ଥାତ ଗତ ୬ ବର୍ଷ ମଧ୍ୟରେ ୧୩୧୫ଟି ଦୁର୍ଘଟଣା ଘଟି ୬୦୩ ଜଣକ ଜୀବନ ଯାଇଛି। ସେଥିରୁ ଶେଷ ୨ ବର୍ଷ ମଧ୍ୟରେ ୪୦୦ରୁ ଅଧିକ ଦୁର୍ଘଟଣା ଘଟି ପ୍ରାୟ ୨୦୦ ମୁଣ୍ଡ ଗଡ଼ିଲାଣି। ତଥାପି ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଥିବା ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ବିଜେପି ନେତାମାନେ ଏଥିପାଇଁ କେନ୍ଦ୍ର ଆଗରେ ପାଟି ଫିଟାଉ ନାହାନ୍ତି। ସାଇଲେଣ୍ଟ୍ କିଲର୍ ପାଲଟିଥିବା ଏହି ଏନ୍‌ଏଚ୍ ପାଇଁ ସତେ ଯେମିତି ଓଡ଼ିଶା ବିଜେପି ନେତାମାନେ ସାଇଲେଣ୍ଟ ପାଲଟି ଯାଇଛନ୍ତି। ଏଭଳି ଓଡ଼ିଶାବିରୋଧୀ ମନୋଭାବ ଥିବା କାରଣରୁ ରାଜ୍ୟବାସୀ ଓଡ଼ିଶା ବିଜେପି ନେତାମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡିର ଅନ୍ୟତମ ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଓଡ଼ିଶା ବିଜେପିର ପ୍ରତାରଣାର ଆଉ ଏକ ନମୁନା ବିଷୟରେ ଉଲ୍ଲେଖ କରି କହିଲେ ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେବଗଡ଼ରେ ଆୟୋଜିତ ବିଜେପିର ନିର୍ବାଚନୀ ସଭାରେ ବିଜେପିର ବଡ଼ ବଡ଼ ନେତାମାନେ ଉଦ୍‌ବୋଧନ ଦେଇ ଦେବଗଡ଼ବାସୀଙ୍କୁ ଅନେକ ପ୍ରତିଶୃତି ଦେଇଥିଲେ। କେନ୍ଦ୍ରରେ ବିଜେପି ସରକାରକୁ ଆସିଲେ ଦେବଗଡ଼ରେ ଫୁଡ୍ ପ୍ରସେସିଂ ଉଦ୍ୟୋଗର କ୍ଲଷ୍ଟର କରାଯିବ, ଚାଷୀମାନେ କାରଖାନାର ମାଲିକ ହେବେ, ଦୁଇବର୍ଷ ଭିତରେ ଅଗ୍ରାଧିକାର ଭିତ୍ତିରେ ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ୨ ବର୍ଷ ମଧ୍ୟରେ ଶେଷ ହେବ, ନୀତିଶ ଗଙ୍ଗଦେବ ଏମ୍‌ପି ହେଲେ ଦିଲ୍ଲୀରୁ ଟଙ୍କା ଆଣି ଦେବଗଡ଼ର ବିକାଶ କରିବେ, ଦେବଗଡ଼କୁ ରାଜ୍ୟର ୧ ନମ୍ୱର ଜିଲ୍ଲାରେ ପରିଣତ କରାଯିବ ବୋଲି ଏହି ବିଜେପି ନେତାମାନେ ଦେଇଥିବା ଗୋଟିଏ ବି ପ୍ରତିଶୃତି ଏଯାଏଁ ପୂରଣ ହୋଇନି। ତେଣୁ ଓଡ଼ିଶା ବିଜେପିର ନେତାମାନେ କିପରି ମନଗଢ଼ା କାହାଣୀ ଶୁଣାଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି ଏବଂ ବାରମ୍ୱାର ପ୍ରତାରଣା କରୁଛନ୍ତି, ତାହା ଏଥିରୁ ଜଳଜଳ ଦିଶିଯାଉଛି। ଏହି କାରଣରୁ ଓଡ଼ିଶାର ସ୍ୱାର୍ଥରକ୍ଷା ବଦଳରେ ଓଡ଼ିଶାର ସ୍ୱାର୍ଥ ବିରୋଧରେ କାମ କରୁଥିବା ଓଡ଼ିଶା ବିଜେପି ନେତାମାନଙ୍କୁ ସଚେତନ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ ବୋଲି ଡ. ମାଝୀ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବରେ ଯୋଗଦେବ ବିଜେଡି

ଭୁବନେଶ୍ବର: ଆସନ୍ତା 28 ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନର ଉଦଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ଏ ନେଇ ଆଜି ଦଳ ତରଫରୁ ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରମୁଖ୍ୟ ଏବଂ ସଂସଦ ହେଉଛି ଭାରତ 140 କୋଟି ଲୋକଙ୍କ ନିର୍ବାଚିତ ପ୍ରତିନିଧିଙ୍କ ଭବନ।  ବିଜେଡି ସବୁବେଳେ ଉଭୟଙ୍କୁ ସମ୍ମାନ ଦେଇ ଆସିଛି। ତେଣୁ ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ବିଜେଡି ଯୋଗଦେବ ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ସଂସଦ ଭବନ ଉଦଘାଟନ ଉତ୍ସବ: ବିରୋଧୀଙ୍କ ବର୍ଜନ ପରେ କଣ କରିବ ବିଜେଡି?

ଭୁବନେଶ୍ବର: ନୂଆ ସଂସଦ ଭବନ ଉଦଘାଟନ ନେଇ ବର୍ତ୍ତମାନ ରାଜନୀତି ବେଶ ସରଗରମ ହେବାରେ ଲାଗିଛି। ଏହି ଭବନକୁ ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟନ କରାଯାଉ ବୋଲି ବିରୋଧୀ ଦାବୀ କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ କରିବା ପାଇଁ ନିଷ୍ପତି କରିଛନ୍ତି। ଫଳରେ ୧୯ଟି ବିରୋଧୀ ଦଳ ଏହି ଉଦଘାଟନ ଉତ୍ସବକୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।

ଏପରି କ୍ଷେତ୍ରରେ ବିଜେଡି କଣ କରିବ ସେ ନେଇ ସମସ୍ତଙ୍କ ନଜର ରହିଛି। କାରଣ ଓଡିଶା ମାଟିର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏହା ଅପମାନ ବୋଲି ବିରୋଧୀ କହିଆସୁଛନ୍ତି। ସେଥିପାଇଁ ଓଡିଶା ମାଟିର ଦଳ ବିଜେଡି ଓଡିଶା ମାଟିର ଝିଅ ପ୍ରତି ହେଉଥିବା ଅପମାନ ଉପରେ କଣ କରିବ ତାହାକୁ ନେଇ ସମସ୍ତଙ୍କର ଅପେକ୍ଷା।

ଧିରେ ଧିରେ ଏହି ଘଟଣାଟି ଏକ ଭିନ୍ନ ମୋଡ ନେବାରେ ଲାଗିଛି। ଗୋଟିଏ ପଟେ ମୋଦୀ ସରକାରଙ୍କ ନିଷ୍ପତି ଅନ୍ୟପଟେ ଓଡିଶା ମାଟିର ଝିଅକୁ ଅପମାନ। ଏହି ଦୋଛକିରେ ରହିଛି ବିଜୁ ଜନତା ଦଳ। ତେବେ ବିଭିନ୍ନ ଦଳର ନେତା ବିଜେଡି ଏହି ଉତ୍ସବରୁ ଦୂରେଇ ରହିବା ଉଚିତ ବୋଲି କହିଛନ୍ତି। ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି ଯେ, ବିଜେଡି ଏଥିରୁ ଦୂରେଇ ରହିବା ଉଚିତ ହେବ।

ତେବେ ଏକ ବିଶେଷ ସୁତ୍ର ଅନୁସାରେ ବିଜେଡି ଏ ନେଇ କଣ କରିବ ସେ ସଂପର୍କରେ କୌଣସି ନିଷ୍ପତି ଗ୍ରହଣ କରିପାରି ନାହିଁ। ତେବେ ଦଳର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ ସେମାନେ ସେହି ଉତ୍ସବକୁ ଯିବେ କି ନାହିଁ ନବୀନ ନିବାସରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଉଦଘାଟନ ପୂର୍ବଦିନ କେତେକ ସାଂସଦ ନବୀନଙ୍କ ସହିତ ଆଲୋଚନା କରି ନିଷ୍ପତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

Breaking News: ବିଜେଡି ଘୋଷଣା କଲା ନୟାଗଡ ଜିଲ୍ଲାର ନୂଆ କର୍ମକର୍ତ୍ତାଙ୍କ ନାମ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୟାଗଡ ଜିଲ୍ଲା ପାଇଁ ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଏହି ଘୋଷଣା କରାଯାଇଛି।

ଏଥିରେ ନୟାଗଡ ଜିଲ୍ଲା ସଭାପତି ଭାବେ ରମେଶ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୧୨ ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ଏହି ନୂଆ ତାଲିକାରେ ୨୦ ଜଣ ସାଧାରଣ ସଂପାଦକ ଏବଂ ୬୦ ଜଣଙ୍କୁ ସଂପାଦକ ଭାବେ ମଧ୍ୟ ବିଜେଡି ନିଯୁକ୍ତି ଦେଇଛି।

ଜିଲ୍ଲାର ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ମଧ୍ୟ ଦଳ ୧୨ ଜଣଙ୍କୁ ଏବଂ ବିଭିନ୍ନ ଏନଏସିର, ମୁନ୍ୟୁସିପାଲଟି ଏବଂ ବ୍ଲକ ସଭାପତି ଭାବେ ୧୩ ଜଣଙ୍କୁ ନିଯୁକ୍ତି କରାଯାଇଛି।

Categories
ବିଶେଷ ଖବର

କପିଳେଶ୍ୱର ମନ୍ଦିର ପ୍ରସଙ୍ଗ: ସଂସ୍କୃତି ମନ୍ତ୍ରଣାଳୟର ବିଜ୍ଞପ୍ତି ପରେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ, କଟାକ୍ଷ କଲା ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ ପ୍ରକୃତରେ କାର୍ଯ୍ୟ କରିବା ଅପେକ୍ଷା ପ୍ରଚାରରେ ଅଧିକ ଆଗ୍ରହୀ। ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠି ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍‍ ମହାନ୍ତି।

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ସର୍ବଶେଷ ଉଦାହରଣ ହେଉଛି କପିଳେଶ୍ୱର ମନ୍ଦିର ପ୍ରସଙ୍ଗ। ମଇ ୫ତାରିଖରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଥିଲେ ଯେ, କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଏଏସଆଇ ଦ୍ୱାରା ହାତକୁ ନିଆଯିବ। ତେବେ ମଇ ୯ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ଜୋରଦାର ପ୍ରଚାର ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଏକ ଚିଠି ଲେଖି କପିଳେଶ୍ୱର ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ଏଏସ୍‍ଆଇକୁ ଅନୁରୋଧ କରିଛନ୍ତି। ଏହି ପ୍ରସଙ୍ଗରେ ଏବେ ସମସ୍ତେ ହସୁଛନ୍ତି।

ଶ୍ରୀ ପ୍ରଧାନ ନିଜର ପ୍ରଚାର ପ୍ରସାର କରିବା ଏବଂ ଚିଠି ଦେବା ପରିବର୍ତ୍ତେ କେବଳ ତାଙ୍କ ସହକର୍ମୀ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଠାରୁ ଏ ସଂକ୍ରାନ୍ତରେ ବୁଝି ପାରିଥାନ୍ତେ। ଆମେ ଜାଣିଛୁ ଯେ, କପିଳେଶ୍ୱର ମନ୍ଦିର କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ ଅପେକ୍ଷା ଶ୍ରୀ ପ୍ରଧାନ ପ୍ରଚାରରେ ଅଧିକ ଆଗ୍ରହୀ। ସେ ତାଙ୍କ ଦଳର ସହକର୍ମୀ ଶ୍ରୀମତୀ ଅପରାଜିତାଙ୍କ ଠାରୁ ଶିଖି ନେବା ଉଚିତ୍‍ ବୋଲି ଡକ୍ଟର ମହାନ୍ତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଧ୍ର ବିଧାନ ପରିଷଦ ସଦସ୍ୟତା ଠକେଇ ମାମାଲ, ଗିରଫ ହେବେ ଓଡିଶା ବିଜେପି ନେତା: ବିଜେଡି

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରାଇ ଦେବା ପାଇଁ ଆଶାୟୀମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ମଧ୍ୟ ହେବାକୁ ଯାଉଛି ଏବଂ ଏଥିରେ ଓଡିଶା ବିଜେପି ନେତା ଗିରଫ ହେବାର ସମ୍ଭାବନା ରହିଛି ବୋଲି ବିଜେଡି ଅଭିଯୋଗ କରିଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ତୁମ୍ବନାଥ ପଣ୍ଡା ଏହା କହିଛନ୍ତି। ସେ ପୃଥୀରାଜ ହରିଚନ୍ଦନଙ୍କ ନାମ ନେଇ କହିଛନ୍ତି ଯେ, ସମସ୍ତେ ଜାଣନ୍ତି, ଜୀବନରେ ୱାର୍ଡ଼ମେମ୍ବର ନିର୍ବାଚନରେ ବି ଜିତି ପାରିନଥିବା ଓଡ଼ିଶା ବିଜେପିର କୁହାଳିଆ ନେତା ପୃଥ୍ୱୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶା ବିରୋଧୀ ବୟାନ ଦିଅନ୍ତି। ତାଙ୍କୁ ଓଡିଶା ଲୋକେ ପ୍ରତ୍ୟାଖାତ କରିବାରେ ଲାଗିଛନ୍ତି।

ତେବେ ଆନ୍ଧ୍ରର ଏହି ଠକେଇ ଘଟଣା ଉପରେ ପୃଥୀରାଜ ରାଜ୍ୟବାସୀଙ୍କୁ ବିବୃତି ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ମଣିପୁର ହିଂସାରେ ଫସିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କ୍ଷେତ୍ରରେ ବିଜେପି ନିରବ: ବିଜେଡି

ଭୁବନେଶ୍ୱର: ମଣିପୁରରେ ସୃଷ୍ଟି ହୋଇଥିବା ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତ୍ୱରିତ ଉଦ୍ଧାର କରି ଓଡିଶା ଫେରାଇ ଅଣାଯାଇଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ପ୍ରସଙ୍ଗରେ ନିରବ। ଛାତ୍ରଛାତ୍ରୀଙ୍କ ଉଦ୍ଧାର ତ ଦୂରରକଥା ରାଜନୈତିକ ବାଧ୍ୟବାଧକତା ପାଇଁ ସେ ଏ ସଂକ୍ରାନ୍ତରେ ମୁହଁ ଖୋଲୁନଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୫୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୨୩,୦୦୦ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଯାନବାହନ, ଘର, ବିଦ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ ନିଆଁ ଲଗାଯାଇଥିବାବେଳେ ଦଙ୍ଗାକାରୀଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ ସେଠାରେ ସେନା ମୁତୟନ ହୋଇଥିବାବେଳେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି।

ଓଡିଆ ଛାତ୍ରଛାତ୍ରୀମାନେ ମଣିପୁରରେ ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି। ମଣିପୁରର ଏହି ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଓଡିଶାର ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ଭୟ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁରୋଧ କରିଥିଲେ ଯେ ସେମାନେ ଓଡ଼ିଶାକୁ ଫେରିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୁରନ୍ତ ଏହି ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଗଲା।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା ଯିଏ କି ସ୍ୱତନ୍ତ୍ର ବିମାନ ପଠାଯାଇଥିଲା ଏବଂ ଯୁଦ୍ଧ କ୍ଷେତ୍ର ୟୁକ୍ରେନରୁ ଛାତ୍ରମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା। କୋଭିଡ ସମୟରେ, ଓଡିଶା ପ୍ରଥମ ରାଜ୍ୟ ଭାବରେ ବିମାନ ପଠାଇଥିଲା ଏବଂ ଜାମ୍ମୁ କାଶ୍ମୀର ସମେତ ଦେଶର ଉତ୍ତର ପୂର୍ବର ଅନ୍ୟ ରାଜ୍ୟରୁ ଓଡିଆ ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିଥିଲା।

ଯେତେବେଳେ ବି ଓଡିଆ ବିଶେଷକରି ଛାତ୍ରଛାତ୍ରୀ ମାନେ ରାଜ୍ୟ ବାହାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ତ୍ୱରିତ ପଦକ୍ଷେପ ନିଅନ୍ତି ଯେ ସେମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପ୍ରତି ଯତ୍ନ ନିଆଯାଏ ଏବଂ ସେମାନଙ୍କୁ ନିରାପଦରେ ଓଡିଶାକୁ ଫେରାଇ ଅଣାଯାଏ।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବାକୁ ବିଜେଡି ବିଶ୍ୱାସ କରେ ନାହିଁ ଏବଂ ବିଜେପି ଭଳି ଅଭ୍ୟାସଗତ ଭାବେ ଅତି ନିମ୍ନ ସ୍ତରକୁ ଯାଏ ନାହିଁ । ତଥାପି, ଆମେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁ ଯେ ଏହି ଓଡିଆ ଛାତ୍ରଛାତ୍ରୀମାନେ ସାହାଯ୍ୟ ମାଗୁଥିବାବେଳେ ସେମାନେ କେଉଁଠି ଥିଲେ ?

ଦେଖାଯାଇଛି ଯେ ମଣିପୁର ପ୍ରସଙ୍ଗରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚୁପ୍ ରହିଛନ୍ତି। କାରଣ ଏହା ଏକ ବିଜେପି ଶାସିତ ରାଜ୍ୟ ଏବଂ ସେଠାକୁ ଯାଇ ଓଡିଆ ଛାତଛାତ୍ରୀମାନଙ୍କୁ ସାହାଯ୍ୟ କରିବା ତାଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ସହଜ ନୁହେଁ। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ।

ସେ ଏବଂ ଓଡିଶା ବିଜେପିରେ ଥିବା ତାଙ୍କର କିଛି ସହକର୍ମୀ ଆଇନହୀନ ବୋଲି କହି ଓଡିଆଙ୍କୁ ଅପମାନିତ କରିବା ଏବଂ ବଦନାମ କରିବାର ସୁଯୋଗକୁ ହାତଛଡା କରନ୍ତି ନାହିଁ । ଏବେ ମଣିପୁରର ପରିସ୍ଥିତି ଦେଖିବା ପରେ ସେ ଅତି କମରେ ଆଇନହୀନ ବୋଲି କହିଥିବାରୁ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ।

ଏଥିରୁ ଆହୁରି ମଧ୍ୟ ସ୍ପଷ୍ଟ ଯେ ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାଙ୍କ ପାଇଁ ରାଜନୈତିକ ସୁବିଧାବାଦ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମେ ଓଡିଶା ବିଜେପିର ଅନ୍ୟ ନେତାମାନଙ୍କୁ ଅନୁରୋଧ କରୁଛୁ ଯେ ଧର୍ମେନ୍ଦ୍ର ପ୍ରଧାନ ଏବଂ କିଛି ଓଡିଶା ବିଜେପି ନେତା ଯେଭଳି ଓଡିଶାର ଲୋକଙ୍କୁ ବଦନାମ କରିବାରେ ସମର୍ଥନ କରୁଛନ୍ତି, ଏଥିପାଇଁ ସେମାନେ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସୁଶ୍ରୀ ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ପ୍ରବକ୍ତା ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଗରମ ହେଲା ଝାରସୁଗୁଡା ପ୍ରଚାର, ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଖେଇଲାଣି ଝାରସୁଗୁଡା ଉପନିର୍ବାଚନ। ଆସନ୍ତା ୧୦ ତାରିଖରେ ହେବ ଏହି ଉପନିର୍ବାଚନ। ସେଥିପାଇଁ ୯ ତାରିଖରେ ପ୍ରଚାର ବନ୍ଦ ରହିବ। ଅର୍ଥାତ ଆଜିଠାରୁ ଆଉ ତିନିଦିନ ଧରି ପ୍ରଚାର କାର୍ଯ୍ୟ ଚାଲିବ। ହାତରେ ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ଘରକୁ ଘର ବୁଲି ସେମାନଙ୍କର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। କଂଗ୍ରେସ ତରଫରୁ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଲାଗି ପଡିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ଭୋଟ ଦେବା ପାଇଁ ସେମାନେ ଭୋଟରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି।

ସେହିପରି ବିଜେପି ମଧ୍ୟ ପାରୁ ପର୍ଯ୍ୟନ୍ତ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ପ୍ରଚାରକୁ ଯୋରଦାର କରିଛନ୍ତି। କାରଣ ଏହି ନିର୍ବାଚନ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। ସେ ସଭାପତି ହେବା ପରେ ପରେ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛନ୍ତି। ପ୍ରଚାରକୁ ଜୋରଦାର କରିବା ପାଇଁ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ତେବେ ସବୁଠାରୁ ଯାହା ବଡ ଚର୍ଚ୍ଚାର ବିଷୟ, ତାହା ହେଲା ରବିବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ରବିବାର ଦିନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନଙ୍କୁ ନେଇ ବିଜେଡି ତାହାର ଶକ୍ତି ପ୍ରଦର୍ଶନ କରିବ। ସେଥିପାଇଁ ଦଳ ତରଫରୁ ବେଶ ଉତ୍ସାହ ସୃଷ୍ଟି ହୋଇଛି।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ନବୀନ ଝାରସୁଗୁଡାବାସୀଙ୍କୁ ଭୋଟ ଭିକ୍ଷା କରିବେ। ଏହି ସମାବେଶକୁ ସଫଳ କରିବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ ପ୍ରମୁଖ ଘନଘନ ବୈଠକ କରି ପ୍ରସ୍ତୁତି କରିବାରେ ଲାଗିଛନ୍ତି।

ପୂର୍ବରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ପ୍ରଚାର କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ନିଜେ ନବୀନ ଝାରସୁଗୁଡା ଯିବେ ବୋଲି ନିଷ୍ପତି କରିବାରୁ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେଉଥିବା ବେଳେ ଗଣତି ୧୩ ତାରିଖରେ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ରହିଛି ହତ୍ୟା ଉଦ୍ୟମ ସହ ୧୨ଟି ମାମଲା: ବିଜେଡି

ଭୁବନେଶ୍ୱର: ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଏବଂ ୪.୫ କୋଟି ଓଡିଆ ହେଉଛନ୍ତି ଅତ୍ୟନ୍ତ ଶାନ୍ତିପ୍ରିୟ ଲୋକ। ସେମାନେ ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି। ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦିଆଯାଏ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ।

ତେବେ ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବା ବେଳେ ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ ଟି ମାମଲା ରହିଛି। ଏହା ଏକମାତ୍ର ଉଦାହରଣ ନୁହେଁ, ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ହିଁ ସ୍ଥାନ ଦେଇଥାଏ। ପଦମପୁର ଉପନିର୍ବାଚନରେ ଓଡିଶା ବିଜେପି ପ୍ରାର୍ଥୀ କରିଥିବା ଶ୍ରୀ ପ୍ରଦୀପ ପୁରୋହିତଙ୍କ ବିରୋଧରେ ୧୩ ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯୁକ୍ତ ଶ୍ରୀ ଇରାସିସ୍ ଆଚାର୍ଯ୍ୟଙ୍କ କଥା ସମସ୍ତଙ୍କୁ ଜଣା ଏବଂ ହତ୍ୟା ମାମଲା ସମେତ ତାଙ୍କ ବିରୋଧରେ ୧୪ ଟି ମାମଲା ବିଚାରାଧୀନ ଅଛି। ସେହିଭଳି ଓଡିଶା ବିଜେପିର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଟ୍ରାକ୍ ରେକର୍ଡ ବି ସମସ୍ତଙ୍କୁ ଜଣା। ତାଙ୍କ ବିରୋଧରେ ହତ୍ୟା ମାମଲା ସମେତ ୧୬ ଟି ଅପରାଧିକ ମାମଲା ରହିଛି।

ଯେତେବେଳେ ଏହାର ନେତାଙ୍କ ବିରୋଧରେ ଏତେଗୁଡ଼ିଏ ଅପରାଧିକ ମାମଲା ରହିଛି, ସେତେବେଳେ ଓଡ଼ିଶା ବିଜେପି କିନ୍ତୁ ଓଡିଶାବାସୀଙ୍କ ସମ୍ମାନହାନୀ କରିବା ପାଇଁ ସେମାନଙ୍କୁ ଆଇନହୀନ ବୋଲି କହିବା ଜାରି ରଖିଛି। କିଏ ବେଆଇନ୍‍ କାର୍ଯ୍ୟ କରୁଛି ଏବଂ ଅପରାଧୀଙ୍କୁ କିଏ ସମର୍ଥନ କରୁଛି ତାହା ଓଡିଶାର ଲୋକମାନେ ଦେଖୁଛନ୍ତି। ସେମାନେ ଏହାର ଉପଯୁକ୍ତ ଉତ୍ତର ଦେଉଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଉପଯୁକ୍ତ ଉତ୍ତର ଦେବା ଜାରି ରଖିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଝାରସୁଗୁଡା ଉପନିର୍ବାଚନରେ ଓଡିଶା ବିଜେପି ନିଜର ଆସନ୍ନ ପରାଜୟକୁ ଦେଖି ବିଜୁ ଜନତା ଦଳର ନେତା ତଥା କର୍ମୀଙ୍କ ଉପରେ ନିର୍ବାଚନ ହିଂସା ଆରମ୍ଭ କରିଦେଇଛି। ଆମେ ଦେଖିଲୁ ଯେ ପଦମପୁର ଏବଂ ବିଜେପୁର ଉପନିର୍ବାଚନରେ ଏବଂ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନରେ ପରାଜୟକୁ ଭୟ କରି ସେମାନେ ପୁଣି ଏଭଳି କାଣ୍ଡ ଆରମ୍ଭ କରିଛନ୍ତି।

ମଇ ୨ତାରିଖରେ ଓଡିଶା ବିଜେପି କର୍ମୀ ବିପ୍ର ବାଞ୍ଚୋରଙ୍କ ସମେତ ଓଡିଶା ବିଜେପିର ବହୁ ସମର୍ଥକ ବିଜେଡି କର୍ମୀ ଶ୍ରୀ ଗୋବିନ୍ଦ ଝରାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ। ଝାରସୁଗୁଡା ବିଧାନସଭା ନିର୍ବାଚନୀ କ୍ଷେତ୍ରର ଗୌରପଡା, ଧୁବେନବୁଡା, କୁଲିହାମଲ, କୋଲାବିରା ବ୍ଲକରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିଜେଡି କର୍ମୀ ଶ୍ରୀ ଗୋବିନ୍ଦ ଝରା ଗୁରୁତର ଭାବେ ଆହତ ହୋଇଛନ୍ତି।

ମଇ ୩ ତାରିଖ ସନ୍ଧ୍ୟାରେ ବିଜେପି ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ସମେତ ଝାରସୁଗୁଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡିଶା ବିଜେପିର ଶ୍ରୀ ଟଙ୍କଧର ତ୍ରିପାଠୀ ତାଙ୍କର ଦଳ ବଳ ସହିତ ଲୋଇକେରା ବ୍ଲକର ନିକିଟିମାଳ ଠାରେ ପହଞ୍ଚିଥିଲେ ଯେଉଁଠାରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା।

ଯେତେବେଳେ ସେମାନେ ବିଜେଡି କର୍ମୀମାନେ ପ୍ରଚାର କରୁଥିବା ଦେଖିଲେ, ସେମାନେ ବିଜୁ ଜନତା ଦଳ କର୍ମୀଙ୍କୁ ପ୍ରଚାର ବନ୍ଦ କରିବାକୁ ଏବଂ ସେମାନଙ୍କ ସହ ଯିବାକୁ କହିଥିଲେ । ଯେତେବେଳେ ବିଜେଡି କର୍ମୀମାନେ ତାହା କରିନଥିଲେ, ସେତେବେଳେ ଓଡିଶା ବିଜେପିର ଜଣେ କର୍ମୀ ଲାଇକେରା ବ୍ଲକ ନିକିଟିମାଳର ସ୍ୱର୍ଗତ କାଲୋ ପ୍ରଧାନଙ୍କ ପୁଅ ଶ୍ରୀ ଦିଲ୍ଲୀପ ପ୍ରଧାନଙ୍କ ମୋଟରସାଇକେଲକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ।

ବିଜେଡି କର୍ମୀମାନେ ସେଠାରେ ଥିବା ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ଏହି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରିବାରୁ ଓଡିଶା ବିଜେପି ନେତାମାନେ ବିଜେଡି କର୍ମୀଙ୍କୁ ଦୁର୍ବ୍ୟବହାର ଆରମ୍ଭ କରିଦେଇଥିଲେ। ଯେତେବେଳେ ଓଡିଶା ବିଜେପି ନେତାଙ୍କ ଏପରି ଆଚରଣରେ ଗ୍ରାମବାସୀ ଅଶ୍ଚର୍ଯ୍ୟ ପ୍ରକଟ କରିଥିଲେ ସେତେବେଳେ ଓଡିଶା ବିଜେପିର ନେତା ଓ କର୍ମୀମାନେ ଗାଁ ଛାଡି ପଳାଇଥିଲେ।

ଓଡିଶା ବିଜେପି ନେତାଙ୍କ ଅପରାଧିକ ମାମଲା ତଥା ଝାରସୁଗୁଡା ଉପନିର୍ବାଚନରେ ନିର୍ବାଚନୀ ହିଂସା ତଥା ପଦମପୁର ଏବଂ ବିଜେପୁର ଉପନିର୍ବାଚନର ସମସ୍ତ ଉଦାହରଣ ଦର୍ଶାଉଛି ଯେ ଅପରାଧିକ ରେକର୍ଡ ଥିବା ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓଡିଶା ବିଜେପି କିପରି ଉତ୍ସାହିତ କରୁଛି ଏବଂ ଯେତେବେଳେ ନିର୍ବାଚନରେ ନିଶ୍ଚିତ ପରାଜୟ ଦେଖୁଛି ମୁଖଲଜା ବଞ୍ଚାଇବାକୁ ଏଭଳି ହିଂସାକାଣ୍ଡ ଭିଆଉଛି।

ଏଥିପାଇଁ ଓଡିଶାର ଲୋକମାନେ ଓଡିଶା ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଝାରସୁଗୁଡା ଉପର୍ନିବାଚନରେ ମଧ୍ୟ ଓଡିଶା ବିଜେପିକୁ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମତୀ ଲୋରା ମହାପାତ୍ର ଏବଂ ମଧୁସ୍ମିତା ସାହୁ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ଓ ବିଧାୟିକାଙ୍କ ବିରୋଧର ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଆଜି ବିଜେଡିର ବରିଷ୍ଠ ନେତା ଲେନିନ ମହାନ୍ତିଙ୍କ ନେତୃତ୍ୟରେ ଏକ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିସହିତ ସେମାନେ ଝାରସୁଗୁଡା ଉପନିର୍ବାଚନ ନେଇ ଏକ ଅଭିଯୋଗ ସିଇଓଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସେମାନେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ବିଜେଡି କର୍ମିମାନେ ପ୍ରଚାର କରୁଥିବା ବେଳେ ସେମାନଙ୍କୁ ଉଭୟ ଡରାଇଥିଲେ। ସେମାନେ ଲାଇକେରା ବ୍ଲକର ନିକିତିମାଳରେ ପ୍ରଚାର କରୁଥିବା ବେଳେ ଏହା ଘଟିଛି। ଉଭୟ କର୍ମମାନଙ୍କୁ ବିଜେପିର ପ୍ରଚାର କରିବାକୁ ବାଧ୍ୟ କରିଥିଲେ। ତାହା ନ କରିବାରୁ ସେମାନେ ବିଜେଡି କର୍ମିଙ୍କ ମୋଟର ସାଇକେଲକୁ ଗୋଇଠା ମାରିଥିଲେ। ଏହା ଉପରେ ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠନ ନେବାକୁ ବିଜେଡି ନେତା ଅନୁରୋଧ କରିଥିଲେ।

Categories
ବିଶେଷ ଖବର

ସମ୍ବଲପୁରରେ ପୁନର୍ବାର ବିଶୃଙ୍ଖଳା ସୃଷ୍ଟି ହେଲେ ବିଜେପି ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ: ବିଜେଡି

ଭୁବନେଶ୍ଵର: କିଛିଦିନ ପୂର୍ବେ ସମ୍ବଲପୁରରେ ଯେଉଁ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା, ତାହା ସମସ୍ତଙ୍କୁ  ବ୍ୟଥିତ କରିଥିଲା। ତେବେ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରୟାସ ଏବଂ ପୁଲିସ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ଵଭାବିକ ସ୍ଥିତି ଫେରି ଆସିଛି। ଏହି ଘଟଣାରେ ସଂପୃକ୍ତ ଅଧିକାଂଶ ଗଣ୍ଡଗୋଳକାରୀ ଗିରଫ ହୋଇ ଜେଲରେ ଅଛନ୍ତି। ମାତ୍ର ଏହି ଘଟଣାକୁ ନେଇ ହୀନ ରାଜନୀତିର ଖେଳ ଖେଳିବା ପାଇଁ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜରିଆରେ ଉଦ୍ୟମ କରୁଛି। ଏହା ଫଳରେ ଯଦି ସମ୍ୱଲପୁରରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଏଥିପାଇଁ ଓଡ଼ିଶା ବିଜେପି ସଂପୂର୍ଣ୍ଣ ରୂପେ ଦାୟୀ ରହିବ ବୋଲି ବିଜୁ ଜନତା ଦଳ ଚେତାଇ ଦେଇଛି।

ଆଜି ସମ୍ବଲପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଲେ ଯେ ସମ୍ବଲପୁର ହେଉଛି ଶାନ୍ତି ଓ ଭାଇଚାରାର ସହର। ଗୋଟିଏ ଅପ୍ରୀତିକର ଘଟଣା ପରେ ଧର୍ମମତ ନିର୍ବିଶେଷରେ ସଭିଙ୍କ ପ୍ରୟାସ ଫଳରେ ଶାନ୍ତି ଫେରିଆସିଛି। ମାତ୍ର ଏହାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଅସୁଖୀ ହୋଇ ପଡ଼ିଛନ୍ତି। ସେମାନେ ଚାହାନ୍ତି, ସମ୍ବଲପୁରରେ ଏହି ବିଶୃଙ୍ଖଳା ଲାଗି ରହୁ, ଯାହାକୁ ନେଇ ସେମାନେ ହୀନ ରାଜନୀତିର ଖେଳ ଖେଳିପାରିବେ ଏବଂ ଏହାକୁ ଚଳାଇ ରଖିବା ଲାଗି ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇ ଆସୁଛନ୍ତି। ଏହାର ଏକ ଆୟୁଧ ଭାବେ ସେମାନେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ବ୍ୟବହାର କରୁଛନ୍ତି।

ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ ଯେ ସମ୍ବଲପୁରକୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇ ଓଡ଼ିଶା ବିଜେପି କ’ଣ ଏଇ କଥା କହିବାକୁ ଚାହୁଁଛି ଯେ ମାନ୍ୟବର କୋର୍ଟ, ତଦନ୍ତକାରୀ ସଂସ୍ଥା, ମାନବାଧିକାର କମିସନ ବା ଏସ୍‌ଟି କମିସନ ଭଳି ଆୟୋଗ ଉପରେ ମଧ୍ୟ ସେମାନଙ୍କର ଭରସା ନାହିଁ ? ଯଦି ଏହା ଠିକ୍ ତେବେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଭଳି ବିଜେପିଶାସିତ ରାଜ୍ୟରେ ଯେତେବେଳେ ନିୟମିତ ଭାବେ ଏମିତି ଅଘଟଣମାନ ଘଟେ, ସେଠାକୁ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଏ କି ?

ସେ ଆହୁରି କହିଲେ ଯେ ଯେତେବେଳେ ଏଭଳି ବିଶୃଙ୍ଖଳା ସୃଷ୍ଟି ହୁଏ, ଗରିବ ଓ ଖଟିଖିଆ ଲୋକଙ୍କ ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହୁଏ। ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା କ୍ଷୁଦ୍ର ବ୍ୟବସାୟୀମାନେ ଦୁଃଖ ଭୋଗନ୍ତି, କାରଣ ସେମାନଙ୍କ ଦୋକାନ ବଜାର ବନ୍ଦ ହୋଇଯାଏ। ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଗୁଡ଼ିକ ମଧ୍ୟ ସେମାନଙ୍କ ଉତ୍ପାଦନ ଓ ବ୍ୟବସାୟ ବନ୍ଦ ରଖିବାକୁ ବାଧ୍ୟ ହୁଅନ୍ତି। ଲୋକେ ଏଭଳି ଦୁର୍ଦ୍ଦଶା ଭୋଗନ୍ତୁ ବୋଲି ଓଡ଼ିଶା ବିଜେପି ଚାହୁଁଛି କି ? ଗଣ୍ଡଗୋଳ ଓ ବିଶୃଙ୍ଖଳା ଯୋଗୁଁ ଦୋକାନବଜାର ବନ୍ଦ ହୋଇଗଲେ, ପନିପରିବା, ଫଳମୂଳ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ଗରିବ ଚାଷୀଠୁ ଆରମ୍ଭ କରି ଛୋଟ ପରିବାବିକାଳୀଟିଏ ମଧ୍ୟ ଏହା ବିକ୍ରି କରି ନ ପାରି ହଇରାଣ ହୁଅନ୍ତି। ଗରିବ ଚାଷୀ ଓ ଛୋଟ ପରିବାବିକାଳୀ ଏମିତି କ୍ଷତି ସହନ୍ତୁ ଏବଂ ଯନ୍ତ୍ରଣା ପାଆନ୍ତୁ ବୋଲି ଓଡ଼ିଶା ବିଜେପି ଚାହୁଁଛି କି ? ଏଭଳି ବିଶୃଙ୍ଖଳା ଯୋଗୁଁ ପ୍ରତିଦିନ କାମ କରି ଜୀବିକା ଅର୍ଜନ କରୁଥିବା ହଜାର ହଜାର ଗରିବ ଦିନମଜୁରିଆ ଘରୁ ପଦାକୁ ବାହାରି ପାରନ୍ତି ନାହିଁ। ମଧ୍ୟବିତ୍ତ ଲୋକେ ବି ସେମାନଙ୍କ କର୍ମସ୍ଥଳୀକୁ ଯାଇପାରନ୍ତି ନାହିଁ। ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ, ଟିଉସନ୍ ଯିବାରୁ ବଞ୍ଚିତ ହୁଅନ୍ତି। ସ୍ଥାନୀୟ ଅଟୋଚାଳକଠୁ ନେଇ ଘରୋଇ ବସ୍‌ ଡ୍ରାଇଭର, ଗାଡ଼ି ମାଲିକ ପର୍ଯ୍ୟନ୍ତ ସମସ୍ତେ ଯନ୍ତ୍ରଣା ଭୋଗନ୍ତି। ସମସ୍ତେ ଏମିତି ଦୁର୍ଦ୍ଦଶାର ଶିକାର ହୁଅନ୍ତୁ ବୋଲି ଓଡ଼ିଶା ବିଜେପି ଚାହେଁ କି ?

ଓଡିଶା ବିଜେପିକୁ ଆକ୍ଷେପ କରି ଶ୍ରୀମତୀ ଛୁରିଆ କହିଲେ ଯେ ଏଭଳି ଗଣ୍ଡଗୋଳ ଓ ବିଶୃଙ୍ଖଳାକୁ ଜାରି ରଖିବା ପାଇଁ ଓଡ଼ିଶା ବିଜେପି ଜାଣିଶୁଣି ରଣନୀତି ପ୍ରସ୍ତୁତ କରିଛି, ଯାହାକୁ ଆଧାର କରି ସେମାନେ ହୀନ ରାଜନୀତିର ଖେଳ ଖେଳିପାରିବେ। ସେମାନେ କ’ଣ ଭାବୁଛନ୍ତି ଯେ ଏଭଳି ଗଣ୍ଡଗୋଳ ଓ ବିଶୃଙ୍ଖଳା ସୃଷ୍ଟି ପାଇଁ ଉସୁକାଇଲେ, ଓଡ଼ିଶାବାସୀ ସେମାନଙ୍କୁ ଭୋଟ ଦେବେ ? ସେମାନଙ୍କର ଏଭଳି ଦୁରାଶା କେବେବି ପୂରଣ ହେବ ନାହିଁ। ଓଡ଼ିଶା ବିଜେପିର ଏଭଳି ହୀନ ରାଜନୀତି ପାଇଁ ଅତ୍ୟନ୍ତ ଅସୁଖୀ ଏବଂ କ୍ଷୁବ୍ଧ ଅଛନ୍ତି। ଏହି କାରଣରୁ ସେମାନେ ଓଡ଼ିଶାରେ ବିଜେପିକୁ ବିଗତ ୨୩ ବର୍ଷ ହେଲା ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ। ଏବେ ଯଦି ପୁଣିଥରେ କିଛି ବିଶୃଙ୍ଖଳା ସୃଷ୍ଟି ହୁଏ, ତେବେ ଏହା କେବଳ ଓଡ଼ିଶା ବିଜେପି ପାଇଁ ଘଟିବ ଏବଂ  ଜାଣିଶୁଣି ଏଠାରେ ରାଜ‌ନୈତିକ ବିଶୃଙ୍ଖଳା ସୃଷ୍ଟି କରିବାକୁ ସେମାନଙ୍କର ରଣନୀତି ପାଇଁ ହିଁ ଉତ୍ପନ୍ନ ହେବ। ଏହି ବିଶୃଙ୍ଖଳା ପାଇଁ ଓଡ଼ିଶା ବିଜେପି ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବ। ଲୋକେ ଏହା ମଧ୍ୟ ହୃଦୟଙ୍ଗମ କରିବେ ଯେ ଏଭଳି ଏକ ପାର୍ଟି ଓଡ଼ିଶାର ସ୍ଵାସ୍ଥ୍ୟ ଓ କଲ୍ୟାଣ ପାଇଁ ଆଦୌ ମଙ୍ଗଳକର ନୁହେଁ। ଏହା ଫଳରେ ଓଡ଼ିଶାବାସୀଙ୍କ ଆଗରେ ଓଡ଼ିଶା ବିଜେପିର ଛବି ଆହୁରି ମଳିନ ହୋଇଯିବ ବୋଲି ସେ ଚେତାଇ ଦେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ,  ବିଜେଡିର ସମ୍ବଲପୁର ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଓ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ମହାନଦୀ ବ୍ୟାରେଜ ନିର୍ମାଣରେ ଛତିଶଗଡକୁ ସହାୟତା କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ: ବିଜେଡି

ଭୁବନେଶ୍ୱର: ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଏବଂ କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଏବଂ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ। ମହାନଦୀ ଓଡିଶାର ଅଧା ଜିଲ୍ଲା ଦେଇ ପ୍ରବାହିତ ହେଉଛି ଏବଂ ଓଡିଶାର ପ୍ରାୟ ୨.୫ କୋଟି ଲୋକଙ୍କୁ ଏହା ପ୍ରଭାବିତ କରିଥାଏ। ଓଡିଶା ଏବଂ ମହାନାଦୀର ଇତିହାସ ପରସ୍ପର ସହ ଜଡିତ।

ହେଲେ ଛତିଶଗଡର ବେଆଇନ୍‍ କାର୍ଯ୍ୟ ଯୋଗୁଁ ମହାନଦୀ ଶୁଖିଲା ପଡିଥିବାବେଳେ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏବଂ ପ୍ୟାନେଲିଷ୍ଟ ସ୍ୱୟଂ ପ୍ରକାଶ ମହାପାତ୍ର।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଓ ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡିଶାର ସମୃଦ୍ଧତା ମଧ୍ୟ ମହାନାଦୀର ସମୃଦ୍ଧତା ସହିତ ସିଧାସଳଖ ଜଡିତ। ମହାନଦୀକୁ କେବଳ ଓଡିଶାର ଏକ ନଦୀ ଭାବରେ ବିବେଚନା କରାଯାଏ ନାହିଁ ବରଂ ଏହାକୁ ଓଡିଶାର ଅଭିବୃଦ୍ଧି ଏବଂ ପ୍ରଗତିର ଏକ ପ୍ରମୁଖ ଉପାଦାନ ଭାବରେ ବିବେଚନା କରାଯାଏ। କୃଷି, ସାମାଜିକ ଚଳଣୀ ଏବଂ ଶିଳ୍ପ ଠାରୁ ସହର ସବୁକିଛି ମହାନଦୀ ଚାରିପାଖରେ ବୃଦ୍ଧି ପାଇଛି।

ଓଡିଶାର ଜନଜୀବନ ଏବଂ ସାମାଜିକ ଭାବଧାରା ମହାନାଦୀର ପ୍ରବାହରେ ଗଢି ଉଠିଛି। ଏହି ନଦୀ କେବଳ ଏକ ନଦୀ ମଧ୍ୟରେ ସୀମିତ ନୁହେଁ, ଏହା ଓଡିଶାର ଅସ୍ମିତା, ଓଡିଶାର ଐତିହ୍ୟ ଏବଂ ସମୃଦ୍ଧ ଉତ୍ତରାଧିକାରୀ ଏବଂ ୪.୫ କୋଟି ଓଡିଆଙ୍କ ସହିତ ଜଡିତ।
୨୦୧୭ ରେ ଏହା ଦେଖିବାକୁ ମିଳିଥିଲା ଯେ ଛତିଶଗଡ ମହାନଦୀର ଉପରମୁଣ୍ଡରେ ବେଆଇନ ବ୍ୟାରେଜ ନିର୍ମାଣ କରିଛି।

ବିଜେଡି ନେତୃତ୍ତ୍ୱାଧିନ ଓଡିଶା ସରକାର ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ଛତିଶଗଡ଼ ତାହା କରୁ ନାହିଁ। ଏହା ପରେ ବିଜେଡି ନେତୃତ୍ୱାଧିନ ସରକାର ଏଥିରେ ହସ୍ତକ୍ଷେପ କରିବା ସହିତ ଏବଂ ଛତିଶଗଡ ସରକାରଙ୍କୁ ନେଇ ଦିଲ୍ଲୀରେ ଏକ ତ୍ରିପାକ୍ଷିକ ବୈଠକ ଜରିଆରେ ମହାନଦୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଉପରେ ଚାପ ପକାଇଥିଲେ।

ଯେତେବେଳେ ଓଡିଶା ସରକାର ଚାହୁଁଥିଲେ ଯେ କେନ୍ଦ୍ର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବ, ସେତେବେଳେ ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଓଡିଶାର ଲୋକଙ୍କ ସ୍ୱାର୍ଥ ପାଇଁ ଛିଡା ହେବା ପରିବର୍ତ୍ତେ ଛତିଶଗଡକୁ ସମର୍ଥନ କରିଥିଲେ ଏବଂ ଛତିଶଗଡ଼କୁ ସହଯୋଗ କରିବାକୁ ଓଡିଶା ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ।

ଏହାପରେ ଓଡିଶା ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଛତିଶଗଡ଼ର ମହାନଦୀ ଉପରେ ହୋଇଥିବା ଏହି ବେଆଇନ ବ୍ୟାରେଜ କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଥିଲେ। କିନ୍ତୁ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧିନ ସରକାର ଓଡ଼ିଶାକୁ ସମର୍ଥନ କରିବା ପରିବର୍ତ୍ତେ ଏହି ବିବାଦକୁ ବିରୋଧ କରିଥିଲା ଏବଂ ଛତିଶଗଡକୁ ସମର୍ଥନ କରିଥିଲା।

ଶେଷରେ ମାନ୍ୟବର ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୩ ଜାନୁୟାରୀ, ୨୦୧୮ର ଆଦେଶ ମାଧ୍ୟମରେ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଅଧିନିୟମ, ୧୯୫୬ ଅନୁଯାୟୀ ବିଚାର ପାଇଁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ମହାନଦୀ ଏବଂ ଓଡିଶାର ଲୋକଙ୍କ ପାଇଁ ଜୋରଦାର ଲଢୁଥିବାବେଳେ ଓଡିଶା ବିଜେପି ନେତାମାନେ ମୂକ ଦର୍ଶକ ସାଜିଥିଲେ ଏବଂ ସେମାନଙ୍କ ଦଳ ଦ୍ୱାରା ପରିଚାଳିତ ଛତିଶଗଡ ସରକାର ବିରୋଧରେ କହିବାକୁ ସାହସ କରିପାରିନଥିଲେ। ୨୦୧୮ରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହେବାର ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ।

ଓଡିଶା ସରକାର ୪.୫ କୋଟି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଶୀଘ୍ର ସମାଧାନ ପାଇଁ ଦାବି କରିଆସୁଥିବାବେଳେ ମହାନଦୀ ଜଳ ପ୍ରବାହ ଏବଂ ଓଡିଶାବାସୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ନେଇ ଓଡିଶା ବିଜେପି ନେତାମାନେ ଆଦୌ ଚିନ୍ତିତ ନାହାନ୍ତି।
ବର୍ତ୍ତମାନ ଛତିଶଗଡ କଂଗ୍ରେସ ଦଳ ଦ୍ୱାରା ପରିଚାଳିତ ହେଉଛି।

ଓଡିଶା କଂଗ୍ରେସ ନେତା, ଯେଉଁମାନେ ପୂର୍ବ ବର୍ଷଗୁଡିକରେ ବିଜେପି ନେତୃତ୍ୱାଧୀନ ଛତିଶଗଡ ବିରୋଧରେ ମହାନଦୀ ଉପରେ ସ୍ଲୋଗାନ ଦେଉଥିଲେ, ସେମାନେ ବର୍ତ୍ତମାନ ଚୁପ୍ ରହିଛନ୍ତି। ସେମାନଙ୍କର ନିରବତା ଦର୍ଶାଉଛି ଯେ ଓଡିଶା ବିଜେପି ପାଇଁ ଏହା ହେଉଛି ପ୍ରଥମେ ପାର୍ଟି ଏବଂ ପରେ ମାଟି। ଓଡିଶା କଂଗ୍ରେସ ନେତାମାନେ ମଧ୍ୟ ଦିଲ୍ଲୀ ଏବଂ ଛତିଶଗଡ଼ରେ ସେମାନଙ୍କ ଦଳ ସହ ହସ୍ତକ୍ଷେପ କରିବା ଉଚିତ ଏବଂ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଏହି ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ ଦାବି କରିବା ଉଚିତ।

ଉଭୟ କଂଗ୍ରେସ ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର। ଉଭୟ ଓଡିଶାବାସୀଙ୍କ ଆଗରେ ଡ୍ରାମା କରୁଛନ୍ତି ଯେ ସେମାନେ ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି । ବାସ୍ତବରେ କିନ୍ତୁ ସେମାନେ ଓଡିଶାବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି। ମହାନଦୀ ପ୍ରସଙ୍ଗ ସେମାନଙ୍କର ଉଦ୍ଦେଶ୍ୟକୁ ପଦାରେ ପକାଇଛି।

ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଦୁର୍ଭାଗ୍ୟଜନକ ଯେ ମହାନଦୀର ବୃହତ ସ୍ୱାର୍ଥ ତଥା କୋଟି କୋଟି ଓଡିଆଙ୍କ ଉପରେ ପ୍ରଭାବ ପକାଉଥିବା ମହାନଦୀ ପ୍ରସଙ୍ଗରେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସ ନେତାମାନେ ନିଜ ନିଜ ଦଳକୁ ଯଥାକ୍ରମେ ଛତିଶଗଡ ଏବଂ କେନ୍ଦ୍ର ସ୍ତରରେ ହସ୍ତକ୍ଷେପ କରିବାକୁ କହୁ ନାହାଁନ୍ତି।

ଏହା ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସର ଦୋ ମୁହାଁ ନୀତିକୁ ପ୍ରକାଶ କରୁଛି । ଗୋଟିଏ ପଟେ ସେମାନେ ଓଡିଶାର ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଅନ୍ୟ ପଟେ ଛତିଶଗଡକୁ ଚୁପଚାପ୍ ସମର୍ଥନ କରୁଛନ୍ତି।

ବିଜୁ ଜନତା ଦଳ ଓଡିଶା ବିରୋଧୀ, ଓଡିଆ ବିରୋଧୀ, ଓଡିଶା କଂଗ୍ରେସ ଓ ଓଡିଶା ବିଜେପିର ଲୋକ ବିରୋଧୀ ମନୋଭାବକୁ ଦୃଢ ନିନ୍ଦା କରୁଛି ଏବଂ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏବଂ ମହାନଦୀ ସମସ୍ୟାର ସମାଧାନ କରିବାକୁ ଦାବି କରିଛି।

ଯଦି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସ ନୀରବ ରହି ଏକ ପ୍ରକାର ମୂକ ଦର୍ଶକ ସାଜିବେ ଏବଂ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହାର ସମାଧାନ ପାଇଁ ଯଥାକ୍ରମେ ସେମାନଙ୍କ ଦଳ ପରିଚାଳିତ କେନ୍ଦ୍ର ତଥା ଛତିଶଗଡ ସରକାରକୁ କହିବେ ନାହିଁ, ତେବେ ତାହା ଓଡିଶାବାସୀଙ୍କୁ ଜଣାଇଦେବ ଯେ ଓଡିଶା ବିଜେପି ଏବଂ ଓଡିଶା କଂଗ୍ରେସର ଏହି କୁମ୍ଭୀର କାନ୍ଦଣା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଦିଷ୍ଟ ଏବଂ ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ ନୁହେଁ ବୋଲି ଶ୍ରୀମତୀ ମିଶ୍ର ଏବଂ ଶ୍ରୀ ମହାପାତ୍ର କହିଛନ୍ତି।

Categories
ବିଶେଷ ଖବର

ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପରୋକ୍ଷରେ ଦାୟୀ କରୁଛନ୍ତି ବିଜେପି ନେତା: ବିଜେଡ଼ି

ଭୁବନେଶ୍ୱର: ବିନା କାରଣରେ ବିଭିନ୍ନ ସ୍ପର୍ଶକାତର ଘଟଣାରେ ମନଗଢ଼ା କାହାଣୀ କହି ରାଜନୀତି କରିବା ଓଡ଼ିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି। ବୋଧହୁଏ ଆଜିକାଲି ସେମାନେ ଘରେ ବସି ଅଧିକ ବଲିଉଡ୍ ଫିଲ୍ମ ଓ ୱେବ୍ ସିରିଜ୍ ଦେଖୁଛନ୍ତି ଏବଂ ଏହାର ପ୍ରଭାବରେ ମନଗଢ଼ା କାହାଣୀ ତିଆରି କରି ପ୍ରତିଦିନ ଗଣମାଧ୍ୟମ ସାମ୍ନାରେ ଗପୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ନେତା ପୀତାମ୍ବର ଆଚାର‌୍ୟ୍ୟଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ତାଙ୍କୁ ଏମିତି କଟାକ୍ଷ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ. ମହାନ୍ତି କହିଛନ୍ତି ଯେ, ଆଜି ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପି ଯେଉଁ କାହାଣୀ ଶୁଣାଇଛି, ତାହା ଦେଖି ମନେ ହେଉଛି ଓଡ଼ିଶା ବିଜେପି ନେତାମାନଙ୍କର ମଧ୍ୟ ସ୍ମୃତି ବିଭ୍ରମ ଘଟିଲାଣି। ସେମାନେ ସମ୍ଭବତଃ ଜାଣି ନାହାନ୍ତି ଯେ ଆଜି ନୁହେଁ, ୧୯୮୫ ମସିହାରୁ ଦୀର୍ଘ ୩୮ ବର୍ଷ ଧରି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲା ହୋଇନାହିଁ। ଆଜିର ସାମ୍ବାଦିକ ସମ୍ମିଳନୀ ମଧ୍ୟ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇ ଦେଇଛି। କାରଣ ୨୦୦୦ରୁ ୨୦୦୯ ମସିହା ପର‌୍ୟ୍ୟନ୍ତ ମିଳିତ ସରକାରରେ ଆଇନ ମନ୍ତ୍ରୀ ଥିବା ନିଜ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ରତ୍ନଭଣ୍ଡାର ଖୋଲା ନ ହେବା ପାଇଁ ବିଜେପି ପରୋକ୍ଷରେ ଦାୟୀ କରିଛି।

ଡ. ମହାନ୍ତି ଆହୁରି କହିଛନ୍ତି, ରାଜନୀତି କରିବା ପାଇଁ ବିରୋଧୀ ଦଳ ପାଖରେ ଅନେକ ପ୍ରସଙ୍ଗ ଅଛି। ଓଡ଼ିଶାରେ ସ୍ୱାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ସେମାନେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିପାରିବେ। ମାତ୍ର ସେପରି ନ କରି ସେମାନେ ଟାଣିଓଟାରି ବିଭିନ୍ନ ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରୁଛନ୍ତି ଏବଂ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳୁଛନ୍ତି। ସେମାନେ ମନେ ରଖିବା ଉଚିତ ଯେ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଜଗନ୍ନାଥପ୍ରେମୀ ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ।

Categories
ବିଶେଷ ଖବର

ବରିଷ୍ଠ ନେତା ସମୀର ମହାନ୍ତିଙ୍କ ମୁହଁରେ ମିଛ କୁହାଉଛି ବିଜେପି: ଅଭିଯୋଗ କଲା ବିଜେଡ଼ି

ଭୁବନେଶ୍ଵର: ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରି ଆସିଛି। କିନ୍ତୁ ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ଚାହୁଁଥିବା ବିଜେପି ଏହା ସହି ପାରୁନାହିଁ। ସେଥିପାଇଁ ଓଡ଼ିଶା ବିଜେପି ନେତାମାନେ ବାଉଳିଚାଉଳି ହୋଇ ବିବୃତି ଦେଉଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି।

ଆଜି ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଡ.ଲେନିନ ମହାନ୍ତି କହିଛନ୍ତି, ଦେଖି ଖୁସି ଲାଗିଲା ଯେ ବହୁତ ଦିନ ପରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ପଦାକୁ ବାହାରିଲେ ଏବଂ ଗଣମାଧ୍ୟମ ଆଗରେ ବିବୃତି ଦେଲେ। ତେବେ ତାଙ୍କ କଥା ଶୁଣି ଲାଗିଲା; ଗଣମାଧ୍ୟମରେ ସେ ଯାହା କହିଲେ, ତାହା ତାଙ୍କର ନିଜସ୍ୱ ମତାମତ ନୁହେଁ। ଅନ୍ୟ କାହାର ବାଧ୍ୟବାଧକତାରେ ସେ ଏଭଳି ବିବୃତି ଦେଇଛନ୍ତି। ତେବେ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ନେଇ ସମୀର ବାବୁଙ୍କ ମୁହଁରେ ଆଜି ଯାହା କୁହାଗଲା, ତାହା ଶୁଣି ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। କାରଣ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ବିଜେପି ଶାସିତ ରାଜ୍ୟରେ ଅପରାଧ, ହିଂସା ଓ ଦଙ୍ଗାର ତାଲିକା ଦେଖିଲେ, ଓଡ଼ିଶା ଏସବୁ ରାଜ୍ୟଠାରୁ ଢେର୍ ତଳେ ଅଛି।

ଡ.ମହାନ୍ତି ଆହୁରି କହିଲେ ଯେ ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ବୋଲି ସମସ୍ତେ ଜାଣନ୍ତି। ମାତ୍ର ବିଡ଼ମ୍ବନା ହେଲା ଓଡ଼ିଶା ବିଜେପିର ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ଅରାଜକ ଆଖ୍ୟା ଦେଇ ଅପମାନିତ କରି ଚାଲିଛନ୍ତି। ବାସ୍ତବରେ ଓଡ଼ିଶା ବିଜେପିର ନେତାମାନେ ହିଁ ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଶାନ୍ତିପ୍ରିୟ ସମ୍ବଲପୁରବାସୀଙ୍କ ଆନ୍ତରିକ ପ୍ରଚେଷ୍ଟା ଏବଂ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ବଲପୁରରେ ଶାନ୍ତି ଫେରି ଆସିଥିବାବେଳେ ସମୀର ବାବୁଙ୍କ ମୁହଁରେ ଏଭଳି କୁହାଉଥିବା ଓଡ଼ିଶା ବିଜେପି ନେତାମାନେ ଏହା ସହିପାରୁ ନାହାନ୍ତି।

ଏହି ସମ୍ବେଦନଶୀଳ ମାମଲାର ରାଜନୀତିକରଣ କରି ଫାଇଦା ହାସଲ କରିବାକୁ ସେମାନଙ୍କର ଯେଉଁ ମନ୍ଦ ଉଦ୍ଦେଶ୍ୟ ରହିଛି, ତାହା ସାଧିତ ହୋଇ ପାରୁନାହିଁ। ତେଣୁ ସେମାନେ ପ୍ରତିଦିନ ବାଉଳିଚାଉଳି ହୋଇ ଗଣମାଧ୍ୟମରେ ଏଭଳି ବୟାନବାଜି କରୁଛନ୍ତି। ଏଭଳି ହୀନ ରାଜନୀନୈତିକ ଷଡ଼ଯନ୍ତ୍ର କରି ବିଜେପି ସାଢେ ଚାରି କୋଟି ଓଡ଼ିଆ ଏବଂ ଓଡ଼ିଶାକୁ ବଦନାମ କରୁଛି। ଶାନ୍ତି ଓ ଭାଇଚାରାରେ ବିଶ୍ୱାସ କରୁଥିବା ସମ୍ବଲପୁରବାସୀ ଆଗାମୀ ଦିନରେ ବିଜେପି ନେତାମାନଙ୍କ ଏଭଳି ହୀନ ରାଜନୀତିର ଉଚିତ ଜବାବ ଦେବେ ବୋଲି ଡ.ମହାନ୍ତି ଚେତାଇ ଦେଇଛନ୍ତି।

Categories
ବିଶେଷ ଖବର

ଅନ୍ୟର ଚାନ୍ଦା ଉପରେ ମତ ଦେବା ପୂର୍ବରୁ ନିଜ ଦଳର ଡୋନେସନର ତଥ୍ୟ ସଂଗ୍ରହ କରୁ ବିଜେପି: ବିଜେଡ଼ି

ଭୁବନେଶ୍ଵର: ଗତ କିଛିଦିନ ହେଲା କିଛି ବିଜେପି ନେତା ରାଜନୈତିକ ଚାନ୍ଦାକୁ ନେଇ ଗଣମାଧ୍ୟମରେ ନାନାପ୍ରକାର ଅରୁଚିକର ଏବଂ ବିଭ୍ରାନ୍ତିକର ବିବୃତି ଦେଇ ଚାଲିଛନ୍ତି। ଏହି କ୍ରମରେ ଆଜି ବିଜେପି ବିଧାୟକ ବୁଧାନ ମୁର୍ମୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତିକୁ ଆକ୍ଷେପ କରି ଯେଉଁ ବୟାନ ଦେଇଛନ୍ତି, ସେଥିରୁ ତାଙ୍କ ଅଜ୍ଞାନତାର ପରିଚୟ ମିଳୁଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି।

ଏକ ପ୍ରେସ୍ ବିବୃତିରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି; ବିଜେପି ବିଧାୟକ ବୁଧାନ ମୁର୍ମୁ ବୋଧେ ଜାଣି ନାହାନ୍ତି ଯେ ଦେଶରେ ସର୍ବାଧିକ ଡୋନେସନ ପାଉଥିବା ଦଳ ହେଉଛି ତାଙ୍କ ନିଜ ଦଳ ବିଜେପି। ଏହା ପଛକୁ କଂଗ୍ରେସ ଦଳ ରହିଥିବାବେଳେ ଅନ୍ୟ ଆଞ୍ଚଳିକ ଦଳମାନେ ଏହି ଦୁଇ ଜାତୀୟ ଦଳଠାରୁ ଢେର ପଛରେ ରହିଛନ୍ତି।

ଅନ୍ୟ ରାଜନୈତିକ ଦଳଗୁଡ଼ିକ ଭଳି ବିଜୁ ଜନତା ଦଳକୁ ଯେତିକି ଡୋନେସନ ଆସେ, ତାହାର ଗୋଟି ଗୋଟି ହିସାବ ଜାତୀୟ ନିର୍ବାଚନ କମିସନକୁ ଦେବାକୁ ପଡ଼େ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଅନ୍ୟ ସଂସ୍ଥାଗୁଡ଼ିକ ପାଖରେ ମଧ୍ୟ ଏହାର ହିସାବ ରହିଛି।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସଂପର୍କରେ ମଧ୍ୟ ସେ ରୁଚିହୀନ ଟିପ୍ପଣି ଦେଇ ନିଜ ଅଜ୍ଞାନତାର ପରିଚୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଙ୍କ ସମ୍ପତ୍ତି ତାଲିକା ଦାଖଲ କରନ୍ତି ଏବଂ ତାହା ସର୍ବସାଧାରଣରେ ପ୍ରକାଶିତ ହୁଏ। ତେଣୁ ଏ ବିଷୟରେ କିଛି ନ ଜାଣି ଶ୍ରୀ ମୁର୍ମୁ ବିଜେପି ପ୍ରାୟୋଜିତ ଚ୍ୟାନେଲରେ ଯେଉଁ ବୟାନ ଦେଇଛନ୍ତି ତାହା ମଧ୍ୟ ପ୍ରାୟୋଜିତ ଥିବା ଭଳି ମନେ ହେଉଛି।

ବିଜେଡି ଡୋନେସନର ଉତ୍ସ ସଂପର୍କରେ ମତ ଦେବା ପୂର୍ବରୁ ସେ ପ୍ରଥମେ ତାଙ୍କ ନିଜ ଦଳ ବିଜେପି ଯେଉଁ ବିପୁଳ ଡୋନେସନ ଲାଭ କରିଛି, ସେ ନେଇ ତଥ୍ୟ ସଂଗ୍ରହ କରନ୍ତୁ ବୋଲି ଶ୍ରୀ ଦାସ ତାଙ୍କୁ ପରାମର୍ଶ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ଝାରସୁଗୁଡ଼ାର ବରିଷ୍ଠ ବିଜେପି ନେତା ତ୍ରିନାଥ ଗୁଆଳ

ଭୁବନେଶ୍ଵର: ଝାରସୁଗୁଡାର ବରିଷ୍ଠ ବିଜେପି ନେତା ତଥା ଝାରସୁଗୁଡ଼ା ବାର୍ ଆସୋସିଏସନର ସଭାପତି ତ୍ରିନାଥ ଗୁଆଳ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ତଥା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀ ଗୁଆଳ ପ୍ରକାଶ କରିଛନ୍ତି।

ଆଜି ସନ୍ଧ୍ୟାରେ ରାଜ୍ୟ ବିଜେଡି ମୁଖ୍ୟ କାର୍ଯ୍ୟାଳୟ “ଶଙ୍ଖ ଭବନ”ରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଦଳୀୟ ଉତ୍ତରୀୟ ଦେଇ ଶ୍ରୀ ଗୁଆଳଙ୍କୁ ଦଳକୁ ସ୍ଵାଗତ କରିଥିଲେ। ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ସଭାରେ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ଶାରଦା ପ୍ରସାଦ ନାୟକ ଏବଂ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଗୁଆଳ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏବେ ସାରା ଓଡ଼ିଶାରେ ଯେଉଁ ବିକାଶର ପର୍ବ ଚାଲିଛି, ତାହା ମୋତେ ଅଭିଭୂତ କରିଛି। ଏହା ବ୍ୟତୀତ ଏବେ ଝାରସୁଗୁଡାରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତାମାନେ ଯେଉଁଭଳି ଭାବେ ଜଣେ ବାପ ଛେଉଣ୍ଡ ଝିଅକୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ କୁତ୍ସା ରଟନା କରି ଆସୁଛନ୍ତି, ତାହା ମୋତେ ମର୍ମାହତ କରିବାରୁ ମୁଁ ବିଜେପି ଛାଡିବାକୁ ନିଷ୍ପତ୍ତି ନେଲି। ଏବେ ଦଳ ମୋତେ ଯେଉଁ ଦାୟିତ୍ଵ ଦେବ, ମୁଁ ତାହା ପାଳନ କରିବି ଏବଂ ଝାରସୁଗୁଡାରେ ବିଜେଡି ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ କାର୍ଯ୍ୟ କରିବି।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଗୁଆଳ ବିଗତ ମୁନିସିପାଲିଟି ନିର୍ବାଚନରେ ଝାରସୁଗୁଡ଼ା ମୁନିସିପାଲିଟିର ବିଜେପିରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଥିଲେ। ଚଳିତ ଉପନିର୍ବାଚନରେ ମଧ୍ୟ ସେ ବିଜେପିର ଷ୍ଟାର୍ ପ୍ରଚାରକ ତାଲିକାରେ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବର୍ଷାଙ୍କ ଭଳି ଦୀପାଳିଙ୍କୁ ମଧ୍ୟ ବ୍ୟକ୍ତିଗତ ଆକ୍ଷେପ କରୁଛି ବିଜେପି, ବିଜେଡି କଲା ଅଭିଯୋଗ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନବେଳେ ବି‌ଜେପି ନେତାମାନେ ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ ଅତ୍ୟନ୍ତ ତଳ ସ୍ତରକୁ ଯାଇ କୁତ୍ସା ରଟନା କରିବାକୁ ପଛାଇ ନ ଥିଲେ। ଏବେ ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ସମାନ ରଣନୀତି ଆପଣାଇ ଦୀପାଳି ଦାସଙ୍କୁ ବ୍ୟକ୍ତିଗତ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିରୋଧୀ ବିଜେପିର ଏଭଳି ହୀନ ରାଜନୀତିକୁ ବିଜୁ ଜନତା ଦଳ କଡ଼ା ନିନ୍ଦା କରିଛି।

ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ନିଜ ମତ ରଖି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ଯେ‌ତେବେ‌ଳେ ପଦ୍ମପୁରର ଲୋକପ୍ରିୟ ବିଧାୟକ ବିଜୟ ରଂଜନ ସିଂ ବରିହା ପ୍ରାଣ ହରାଇଲେ, ପଦ୍ମପୁରବାସୀ ଚାହିଁଲେ ତାଙ୍କ ଝିଅ ବର୍ଷା ସିଂ ବରିହା ରାଜନୀତିରେ ପ୍ରବେଶ କରନ୍ତୁ ଏବଂ ପଦ୍ମପୁର ପାଇଁ ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ପୂରଣ କରନ୍ତୁ। ଆଉ ପଦ୍ମପୁରରେ ଉପନିର୍ବାଚନ ଘୋଷଣା ହେବା ପରେ ବର୍ଷା ରାଜନୀତିରେ ପ୍ରବେଶ କରି ଲୋକଙ୍କ ସେବା କରିବାକୁ ସ୍ଥିର କଲେ।

ମାତ୍ର ଓଡ଼ିଶା ବିଜେପିର ନେତାମାନେ ବର୍ଷାଙ୍କୁ ରାଜନୈତିକ ଭାବେ ସମାଲୋଚନା କରିବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ତର‌କୁ ଯାଇ ତାଙ୍କୁ କଟୁ ଆକ୍ଷେପ ଓ ଆକ୍ରମଣ କଲେ। ତାଙ୍କ ବିରୋଧରେ ଅତ୍ୟନ୍ତ ନିମ୍ନ ରୁଚିର ଅଶାଳୀନ ଶବ୍ଦ ବ୍ୟବହାର କଲେ, ଯାହାକି ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ। କେବଳ ସେତିକି ନୁହେଁ, ତାଙ୍କୁ ଟାର୍ଗେଟ କରି ସେମାନେ ଏମିତି କିଛି ମହିଳା ବିରୋଧୀ ମନ୍ତବ୍ୟ ମଧ୍ୟ ଦେଲେ, ଯାହାକି ଅଧିକ ଯନ୍ତ୍ରଣାଦାୟକ ଥିଲା।

ଅନ୍ୟ କେହି ନୁହନ୍ତି, ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ତଳ ସ୍ତରକୁ ଯାଇ ଏଭଳି ମନ୍ତବ୍ୟ ଦେଉଥିଲେ। ସ୍ୱାଭାବିକ ଭାବେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଏଭଳି କହିବାକୁ ସେମାନଙ୍କୁ ଉସୁକାଉଥିଲେ। ସେମାନଙ୍କର ଏଭଳି ଆଚରଣ ଓ ଉଚ୍ଚାରଣ ବ୍ୟକ୍ତିଗତ ଭାବେ ବର୍ଷା ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଆମେ କେହି ବିଶ୍ୱାସ କରିପାରୁ ନ ଥିଲୁ ଯେ ଓଡ଼ିଶା ବିଜେପିର ନେତାମାନେ ଏତେ ତଳ ସ୍ତରକୁ ଖସି ଯାଇ ପାରନ୍ତି। ମାତ୍ର ନିର୍ବାଚନରେ ଲଢ଼େଇ ପାଇଁ ଏହା ବର୍ଷାଙ୍କୁ ଅଧିକ ସଶକ୍ତ କରିଥିଲା।

ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ କରିଥିବା ତ୍ରୁଟିରୁ ବିଜେପି ନେତାମାନେ କିଛି ଶିକ୍ଷା ଲାଭ କରିପାରିଲେନି। ଏବେ ପ୍ରଦୀପ ପୁରୋହିତଙ୍କ ଭଳି ବିଜେପି ନେତାମାନେ ଝାରସୁଗୁଡ଼ାରେ ଉପନିର୍ବାଚନ ଲଢ଼ୁଥିବା ଦୀପାଳି ଦାସଙ୍କ ବିରୋଧରେ ଅନୁରୂପ ଭାବେ ବ୍ୟକ୍ତିଗତ ଆକ୍ଷେପମୂଳକ ଏବଂ ବିଦ୍ୱେଷପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି।

ଦୀପାଳି ଓ ତାଙ୍କ ପରିବାର ଏହାକୁ ନେଇ କେତେ ମାନସିକ ଯନ୍ତ୍ରଣା ପାଉଥିବେ, ତାହା ସହଜରେ ଅନୁମେୟ। ଆମେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ବିଜେପିର ଅନ୍ୟ ନେତାମାନଙ୍କୁ ପଚାରିବାକୁ ଚାହୁଁ, ସେମାନଙ୍କର ମଧ୍ୟ ଝିଅ, ଭଉଣୀ ଏବଂ ପରିବାରରେ ଅନ୍ୟ ମହିଳାମାନେ ଅଛନ୍ତି। ଯଦି କେହି ସେମାନଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦିଏ, ସେମାନଙ୍କୁ କେମିତି ଲାଗିବ ?

ବିଜେପି ନେତାମାନଙ୍କୁ ଚେତାବନୀ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏସବୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିରୋଧୀ। ଦୟାକରି ଏଭଳି କୁକର୍ମ ବନ୍ଦ କରନ୍ତୁ। ଓଡ଼ିଶାର ମହିଳାମାନଙ୍କୁ ଏମିତି ଲାଞ୍ଛିତ କରିବା ଏବଂ କୁତ୍ସା ରଟନା କରୁଥିବା ଓଡ଼ିଶା ବିଜେପି ଏବଂ ଏହାର ନେତାମାନଙ୍କୁ ଓଡ଼ିଶାବାସୀ କେବେ ବି କ୍ଷମା ଦେବେ ନାହିଁ।

Categories
ବିଶେଷ ଖବର

ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ: ଦଳକୁ ସ୍ୱାଗତ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଛୁଟିଛି ସମର୍ଥନର ସୁଅ। ନିର୍ବାଚନ ଘୋଷଣା ହେବା ପରଠାରୁ ଝାରସୁଗୁଡ଼ାରେ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତା ନିୟମିତ ବ୍ୟବଧାନରେ ବିଜେଡିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୋଁଡ଼ ସମାଜର ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେଡି କାର‌୍ୟ୍ୟାଳୟରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଡ଼ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି।

ଅନୁରୂପ ଭାବରେ ଗୋଁଡ଼ ମହାସଭା କୋଲାବିରା ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂହ, ରାଜ୍ୟ ମହିଳା ସଂଯୋଜକ ଦମୟନ୍ତୀ ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଅନୁଗୋଳ ଜିଲ୍ଲା ସଭାପତି ସଦାଶିବ ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ପରାମର୍ଶଦାତା ସଦାଶିବ ନାୟକ, ସାଧାରଣ ସମ୍ପାଦକ ଅଶୋକ ମାଝି, ଉପସଭାପତି ବୀର ଧୁରୁଆ, ବରଗଡ଼ ଜିଲ୍ଲା ଗୋଁଡ଼ ସମାଜ ସମ୍ପାଦକ ଧନେଶ୍ୱର ସିଂହଙ୍କ ସହ ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ସାଂସଦ ଶ୍ରୀ ମଙ୍ଗରାଜ ଏହି ନେତାମାନଙ୍କୁ ବିଜେଡି ଓ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଯେଉଁ ବିକାଶ ଓ ରୂପାନ୍ତରଣର ଧାରା ଆରମ୍ଭ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗ ଦେଉଛନ୍ତି। ବିଜୁ ଜନତା ଦଳରେ ସମସ୍ତଙ୍କ ପାଇଁ କାର‌୍ୟ୍ୟ କରିବାର ସୁଯୋଗ ରହିଛି। ତେଣୁ ଯେଉଁମାନେ ବାସ୍ତବରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଦଳ ସର୍ବଦା ସ୍ୱାଗତ କରି ଆସିଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ସହ ସାରା ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଅବିସ୍ମରଣୀୟ। ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ କରିଛି ଓ ସେମାନଙ୍କ ବର୍ଗ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେପରି ନିଷ୍ଠାପର ଭାବରେ କାର‌୍ୟ୍ୟ କରିଛନ୍ତି ସେଥିପାଇଁ ସାରା ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ଉଲ୍ଲେଖ କରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିଜୟ ନିମନ୍ତେ ସେମାନେ କାର‌୍ୟ୍ୟ କରିବେ ବୋଲି କହିଛନ୍ତି ମହେନ୍ଦ୍ର। ସେହିପରି ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ମଧ୍ୟ ବିଜେଡିରେ ଯୋଗ ଦେଇ ସେମାନେ ସାଧାରଣ ଲୋକଙ୍କ ନିମନ୍ତେ କାର‌୍ୟ୍ୟ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା ମହେନ୍ଦ୍ର ବଢ଼େଇ, ଦଳର ମୁଖପାତ୍ର ସଞ୍ଜୟ ବାବୁ, ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପର‌୍ୟ୍ୟବେକ୍ଷକ ଅମରେଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।