ମୁମ୍ବାଇ: ମହାରାଷ୍ଟ୍ରର ବୁଲଢାନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ରାତି ପ୍ରାୟ ୨.୩୦ ସମୟରେ ମଲକାପୁରର ନାନ୍ଦୁର ନାକା ଫ୍ଲାଏ ଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି।
Tag: ସଡକ ଦୁର୍ଘଟଣା
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର ବ୍ରିଜ ଉପରେ ଭୟାବହ ଦୁର୍ଘଟଣା ଘଟିଯାଇଛି। ଶୋଇଥିବା ବେଳେ ଗୋରୁ ପଲ ଉପରେ ଟ୍ରକ୍ ଚଢିଯାଇଛି। ଯାହା ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିବା ଜଣା ପଡିଛି।
ଗତ କାଲି ବିଳମ୍ବିତ ରାତିରେ ଚଣ୍ଡେଶ୍ୱର ଓଭର ବ୍ରିଜ୍ ଉପରେ ଗୋରୁ ପଲ ଶୋଇଥିବା ବେଳେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ଏକ.ମାଲ ବାହୀ ଟ୍ରକ୍ ଗୋରୁ ପଲ ଉପରେ ଚଢି ଯାଇଥିଲା। ଫଳରେ ୧୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିଲା ଏବଂ ୫ ରୁ ଅଧିକ ଗୋରୁ ଗୁରୁତର ହୋଇଥିଲେ। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହୀନୀ ସହ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଗୋମାତାଙ୍କୁ ଉଦ୍ଧାର କରିଥିଲେ। ଟାଙ୍ଗୀର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ମଦର ଟେରେସା ସେବା ସଂଘର କର୍ମକର୍ତ୍ତା ମାନେ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ। ରାତି ପ୍ରାୟ ୧୨ ଟା ସମୟରୁ ରାତି ୨ ଟା ପର୍ଯ୍ୟନ୍ତ ଊଦ୍ଧାର କାର୍ଯ୍ୟ ଚାଲିଥିଲା।
ଦୁର୍ଘଟଣା ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ପୋଲିସ୍ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି।
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଜଣେ ସୁସଂଗଠକ ଭାବେ ପରିଚିତ ସ୍ୱର୍ଗତଃ ପ୍ରଧାନ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପୁରୀ ଜିଲ୍ଲା ସତ୍ୟବାଦୀ ମଣ୍ଡଳ ସଭାପତି ଭାବେ ଦାୟୀତ୍ୱକୁ ସୂଚାରୁ ରୂପେ ନିର୍ବାହ କରିବା ପରେ ଜିଲ୍ଲା ସାଧାରଣ ସଂପାଦକ ଦାୟୀତ୍ୱକୁ ମଧ୍ୟ ସୂଚାରୁ ରୂପେ ନିର୍ବାହ କରିଥିଲେ ।
ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ସ୍ୱର୍ଗତଃ ପ୍ରଧାନ ନିଜ ଅଂଚଳର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ଗୋସୁରକ୍ଷା ପାଇଁ କାର୍ଯ୍ୟରତ ସ୍ୱର୍ଗତଃ ପ୍ରଧାନ ନିଜ ଉଦ୍ୟମରେ ସତ୍ୟବାଦୀ ନିକଟରେ ଏକ ଗୋଶାଳା ପ୍ରତିଷ୍ଠା କରିଛନ୍ତି । ଜନସାଧାରଣଙ୍କ ପାଇଁ ସ୍ୱର୍ଗତଃ ପ୍ରଧାନଙ୍କ ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରି କହିଛନ୍ତି ।
ସ୍ୱର୍ଗତଃ ଶ୍ରୀ ପ୍ରଧାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ଓ ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।
ସୀତାରାମ ଅଗ୍ରୱାଲ
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ନାଚୁଣୀ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ରୋଗୀଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଖବର ମୁତାବକ ବାଣପୁର ଥାନା ଚିଆଁଙ୍କ ସାହି ଅଞ୍ଚଳର ଜଣେ ପକ୍ଷାଘାତ ରୋଗୀଙ୍କୁ ନେଇ ୩ ଜଣ ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ତେବେ ଚିକିତ୍ସା ସାରି ବାଣପୁର ଫେରିବା ସମୟରେ ଅପରାହ୍ନ ପାଖାପାଖି ପାଞ୍ଚ ଘଟିକା ସମୟରେ କାରଟି ନାଚୁଣୀ ଓଭରବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାର ଚାଳକ ଭାରସାମ୍ୟ ହରାଇ କାରକୁ ଡିଭାଇଡରରେ ପିଟି ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଫଳରେ କାରର ଚକାଟି ଫାଟିଯାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଗାଡ଼ି ଚାଳକ ସମେତ ଗାଡ଼ିରେ ଉପସ୍ଥିତ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବାଣପୁର ଭଗବତୀ ସାହିର ଜନୈକ ଯୁବକ ସୁରକ୍ଷିତ ଅଛନ୍ତି। ଗାଡିଟି ଏଯାବତ ଓଭରବ୍ରିଜ ଉପରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି।
ଗୁଆହାଟୀ: ଆଜି ଗୁଆହାଟୀରେ ଏକ ସଡ଼କ ଦୁର୍ଘଟଣାରେ ଆସାମ ଇଞ୍ଜିନିୟରିଂ କଲେଜର ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ଜଣେ ତୃତୀୟ ବର୍ଷର ଦଶ ଜଣ ଛାତ୍ର ଆଜି ସକାଳେ ଏକ କାରରେ କଲେଜ କ୍ୟାମ୍ପସରୁ ବାହାରିଥିଲେ ଏବଂ ସେମାନଙ୍କର ଦ୍ରୁତ ଗତିରେ ଯାଉଥିବା ଗାଡି ଜାଲୁକବରୀ ଅଞ୍ଚଳରେ ଏକ ରୋଡ୍ ଡିଭାଇଡର୍ ଏବଂ ପରେ ଏକ ଭ୍ୟାନ୍ କୁ ଧକ୍କା ଦେଇଥିଲା।
ପୋଲିସ କହିଛି ଯେ, “ଘଟଣାସ୍ଥଳରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଅନ୍ୟ ତିନି ଜଣଙ୍କୁ ଗୁଆହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ”ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ସମେତ ଭ୍ୟାନରେ ଥିବା ତିନି ଜଣ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ସାରୁ ଛକରୁ ଏଚପି ପେଟ୍ରୋଲ ପମ୍ପରୁ ଦୁଇ ଜଣ ଯୁବକ ରୋସନ ବେହେରା ଓ ମନୋଜ ଦାସ ନିଜ ଗାଡିରେ ତେଲ ପକାଇ ବାହାରକୁ ଆସିବା ବେଳେ ବ୍ରହ୍ମପୁରରୁ ହିଞ୍ଜିଳିକାଟୁ ଯାଉଥିବା ସଙ୍କଟ ତାରିଣୀ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ରୋସନ୍ ଙ୍କ ମୃତ୍ୟୁ ଘଟିଥିଲା। ଏବ ମନୋଜ ଦାସ ଗୁରୁତର ଆହତ ହୋଇଥିଲେ। ମନୋଜଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ଓ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୀତାରାମ ଅଗ୍ରୱାଲ
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ସୂଚନା ମୁତାବକ ଏକ କୋବି ବୋଝେଇ ଆଇଚର ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଅନୁରୂପ ଭାବେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ କୋବି ବୋଝେଇ ଆଇଚରର ଚାଳକ ଗୁରୁତର ଆହତ ହୋଇଛନ୍ତି।
ଖବର ପାଇ ନାଚୁଣୀ ପୋଲିସ ଏବଂ ସ୍ଥାନୀୟ ଜନସାଧାରଣ ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ତେବେ ପୋଲିସ ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଥିବାର ଆଇଆଇସି ଚନ୍ଦ୍ରଶେଖର ଜେନା ସୂଚନା ଦେଇଛନ୍ତି।
ସୀତାମଢୀ: ବିହାରର ସୀତାମଢୀ ଜିଲ୍ଲାରୁ ଏକ ବଡ ଖବର ଆସିଛି। ଯେଉଁଠାରେ ଆଜି ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତି ଏବଂ ଅନିୟନ୍ତ୍ରିତ ଟ୍ରକ୍ ଏକ ଅଟୋକୁ ଧକ୍କା ଦେଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କରକ ଥିଲା ଯେ ଚାରି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସା ସମୟରେ ସଦର ଡାକ୍ତରଖାନାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭ କୁ ବୃଦ୍ଧି ପାଇଛି। ଏହି ଘଟଣା ଯୋଗୁଁ କ୍ରୋଧିତ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।
ଏହି ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନିକ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହାପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଏହି ଘଟଣା ପରେ ବହୁ ସଂଖ୍ୟାରେ ଲୋକ ଏହାକୁ ବିରୋଧ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟ୍ରକରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି।
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଅଟୋନଗର୍ ନିକଟରେ ନବ ନିର୍ମାଣ ଓଭରବ୍ରିଜ୍ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା (ଓଡି ୨୯ ଏଲ୍ ୭୫୭୦) ନଂ ବିଶିଷ୍ଟ ଏକ ଟ୍ରକକୁ ଦ୍ରୁତ ଗତିରେ ଆସୁଥିବା ଏକ କଣ୍ଟେନର୍ ଟ୍ରକ୍ (ଏପି୧୬ ଟିଏଫ୨୪୭୫) ଧକ୍କା ଦେଇଥିଲା। ଯାହା ଫଳରେ କଣ୍ଟେନର୍ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ହେଲପର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦୁର୍ଘଟଣା ଏମିତି ହୋଇଥିଲା ଯେ, ଗାଡ଼ି ଭିତରୁ ଡ୍ରାଇଭର ମୃତ ଦେହକୁ ବାହାର କରିବା ପାଇଁ ଗୋଳନ୍ଥରା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଦୁଇ ଘଣ୍ଟା ସମୟ ଲାଗିଥିଲା।
ମୃତ ଡ୍ରାଇଭରର ପରିଚୟ ମିଳି ନଥିବା ବେଳେ କୌଣସି ମାମଲା ରୁଜୁ ହୋଇ ନଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି।
ନୂଆଦିଲ୍ଲୀ: ନୂଆଦିଲ୍ଲୀର ସମ୍ବିଧାନ କ୍ଲବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ଏକ କାର ରାଲିରେ ପତାକା ଉତ୍ତୋଳନ କରିଛନ୍ତି। ସଂସଦୀୟ ସଦସ୍ୟଙ୍କ ବ୍ୟତୀତ ପ୍ରତିରକ୍ଷା ତଥା ଅର୍ଦ୍ଧ-ସାମରିକ ବାହିନୀର ଅଧିକାରୀ, ଶିଳ୍ପ ତଥା ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଏହି କାର ରାଲିରେ ଭାଗ ନେଇଥିଲେ। ଚଳିତ ବର୍ଷର କାର ରାଲିର ବିଷୟବସ୍ତୁ ହେଉଛି ‘ସଡକ ସୁରକ୍ଷା’। ଏହି ଅବସରରେ ବିର୍ଲା କହିଛନ୍ତି ଯେ, ଦେଶରେ ସଡ଼କ ନେଟୱାର୍କର ଦୈର୍ଘ୍ୟ ଏବଂ ଗୁଣବତ୍ତାରେ ଅଦ୍ଭୁତପୂର୍ବ ବୃଦ୍ଧି ଘଟିଛି। ମିଶନ ଗତି ଶକ୍ତି ମାଧ୍ୟମରେ ଲୋକଙ୍କ ସାମାଜିକ-ଅର୍ଥନୈତିକ ଜୀବନରେ ଐତିହାସିକ ପରିବର୍ତ୍ତନ ଘଟିଥିବା ବେଳେ ଅନ୍ୟପଟେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହାକି ଗମ୍ଭୀର ଚିନ୍ତାର ବିଷୟ।
ଶ୍ରୀ ବିର୍ଲା କହିଛନ୍ତି ଯେ, ଆମ ଦେଶରେ ପ୍ରତିବର୍ଷ ୪ ଲକ୍ଷରୁ ଅଧିକ ଦୁର୍ଘଟଣା ଘଟେ ଏବଂ ପ୍ରତିବର୍ଷ ୧.୫ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରନ୍ତି। ଯଦି ଏକ ବର୍ଷର ସଡ଼କ ଦୁର୍ଘଟଣା ଅର୍ଥନୈତିକ ଭାବେ ମୂଲ୍ୟାଙ୍କନ କରାଯାଏ, ତେବେ ଏହା ଆମ ଜିଡିପିର ପ୍ରାୟ ୧ ପ୍ରତିଶତ ସହିତ ସମାନ ହେବ। ସେ କହିଛନ୍ତି ଯେ, ସଡ଼କ ଦୁର୍ଘଟଣା ପରିବାର, ସମାଜ ଏବଂ ଦେଶ ପାଇଁ କ୍ଷତି ଅଟେ। ସଡକ ସୁରକ୍ଷା ସମ୍ପର୍କରେ ଲୋକସଭା ବାଚସ୍ପତି ବିର୍ଲା କହିଛନ୍ତି ଯେ, ଟ୍ରାଫିକ ନିୟମ ସମସ୍ତେ ଜାଣନ୍ତି, କିନ୍ତୁ ସେମାନେ ତାହା ପାଳନ କରନ୍ତି ନାହିଁ। ଯଦି ଆମେ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବୁ, ତେବେ ଟ୍ରାଫିକ ନିୟମ ପାଳନ କରିବୁ, ତେବେ ଆମେ ନିଜକୁ ସୁରକ୍ଷିତ ରଖିବା ସହିତ ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କୁ ସୁରକ୍ଷା ଦେଇପାରିବା।
ଇଞ୍ଜିନିୟରିଂ, କାର୍ଯ୍ୟକାରୀ, ଶିକ୍ଷା ଏବଂ ଜରୁରୀକାଳୀନ ଯତ୍ନ ହେଉଛି ସଡକ ନିରାପତ୍ତାର ଚାରୋଟି ସ୍ତମ୍ଭ। ଏହି ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ନାଗରିକମାନେ ଏହି ବିଷୟରେ ସଚେତନ ହେବା ଉଚିତ୍। ସେ କହିଛନ୍ତି ଯେ, ସରକାର ନିୟମ କରିପାରିବେ। କିନ୍ତୁ ଏହାକୁ ଅନୁସରଣ କରିବା ଜନସାଧାରଣଙ୍କ ଦାୟିତ୍ଵ। ସଡକ ସୁରକ୍ଷା ପ୍ରକୃତରେ ସୁନିଶ୍ଚିତ ହୋଇପାରିବ, ଯେତେବେଳେ ସମସ୍ତ ଲୋକ ଏବଂ ନାଗରିକ ଏହି କାର୍ଯ୍ୟରେ ସହଯୋଗ କରିବେ। ସେ ମତ ଦେଇଛନ୍ତି ଯେ, ଜନସାଧାରଣ, ବିଶେଷକରି ଯୁବକମାନଙ୍କ ମାନସିକତା, ସଡକ ସୁରକ୍ଷା ନିଶ୍ଚିତ କରିବାକୁ ପରିବର୍ତ୍ତନ କରିବାକୁ ପଡିବ। ଟ୍ରାଫିକ ନିୟମ ପାଳନ କରିବାକୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଟ୍ରାଫିକ ନିୟମ ପାଳନ କରିବାକୁ ଉତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି। ଶ୍ରୀ ବିର୍ଲା ଆଶା ପ୍ରକଟ କରିଛନ୍ତି ଯେ, କାର ରାଲି ଭଳି ଘଟଣା ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବ ଏବଂ ସଡକ ନିରାପତ୍ତାର ଗୁରୁତର ସମସ୍ୟାର ମୁକାବିଲା କରିବ। ସରକାରଙ୍କ ଉଦ୍ୟମକୁ ପ୍ରୋତ୍ସାହିତ କରିବା ଏବଂ ସଡକ ନିରାପତ୍ତାର ସକରାତ୍ମକ ବାର୍ତ୍ତା ସମଗ୍ର ଦେଶକୁ ଯିବ। କାର୍ଯ୍ୟକ୍ରମ ଆରମ୍ଭରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବତନ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରଣ୍ଢା ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାବେଟି ଅଞ୍ଚଳର ଟି ମୁରଲୀ ଓ କେ ପ୍ରେମା ବୋଲି ଜଣାପଡିଛି।
ଓଡି୨୨ ଇ୬୧୭୧ ବିଶିଷ୍ଟ ଏକ କାର୍ ରେ ଆହତ ଦୁଇ ଜଣ ନିଜ ଗ୍ରାମ କାବେଟି ରୁ ବ୍ରହ୍ମପୁର ଆସୁଥିବା ବେଳେ ରଣ୍ଢା ଛକରେ ଏକ ମୋଟରସାଇକେଲ ହଠାତ୍ ଆଗକୁ ପଳିଆସିବାରୁ କାର୍ ଚାଳକ ଭାରସାମ୍ୟ ହରାଇ ରାସ୍ତା ମଧ୍ୟରେ ଥିବା ଏକ ଡିଭାଇଡର୍ କୁ ପିଟି ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ପୋଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନା କୁ ପଠାଇ ଥିଲେ ଓ ଘଟଣା ର ତଦନ୍ତ ଚଳାଇଛନ୍ତି।
ସୀତାରାମ ଅଗ୍ରୱାଲ
ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଆହତ ହୋଇଛନ୍ତି।
ସୂଚନା ମୁତାବକ ଖୋର୍ଦ୍ଧାରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ, ଅନୁରୂପ ଭାବେ ତାମିଲନାଡୁରୁ ପୁରୀ ଅଭିମୁଖେ ଯାଉଥିବା ଏକ କାରଟି ନାଚୁଣୀ କଉଡ଼ିଖଣି ଛକରେ ମୁହାଁମୁଁହିଁ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ। ଆହତଙ୍କୁ ସ୍ଥାନୀୟ ଜନସାଧାରଣ ମେଡିକାଲ ପଠାଇଥିବାବେଳେ ଘଟଣାସ୍ଥଳରେ ନାଚୁଣୀ ପୋଲିସ ପହଞ୍ଚି ଉଭୟ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।
ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଖବର ମୁତାବକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାରଟି ସଂନ୍ଧ୍ୟାରେ ବାଣପୁର-ବାଲୁଗାଁ ବାଇପାସ ନିକଟରେ ସମ୍ମୁଖରେ ଯାଉଥିବା ଏକ ଟ୍ରକକୁ ଓଭରଟେକ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଟ୍ରକଟି କାରକୁ ସାଇଡ ମାରିଥିଲା। ଫଳରେ କାର ଟି ଭାରସାମ୍ୟ ହରାଇ ଡିଭାଇଡର ଉପରେ ମାଡି ଯାଇଥିଲା। ସୌଭାଗ୍ୟବଶତଃ କାରରେ ଉପସ୍ଥିତ ଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ବାଣପୁର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଅଟକାଇ ତଦନ୍ତ ଜାରି ରଖିଛି।
ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ରାତି ନଅ ଘଟିକା ସମୟରେ ବାଣପୁର ଅଂଚଳର ଜଣେ ବିଜେଡି ନେତା ତଥା ଏନଏସି ପାଞ୍ଚ ନମ୍ବର ୱାର୍ଡ କାଉନସିଲର ଅନୁସୟା ପ୍ରଧାନଙ୍କ ସ୍ୱାମୀ ସତ୍ୟନାରାୟଣ ପ୍ରଧାନଙ୍କର ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାଯାଇଛି।
ପ୍ରକାଶ ଥାଉକି କୌଣସି ଏକ ଜରୁରୀ କାମରେ ବାଣପୁର ସ୍ଥିତ ସାନହନ୍ତୁଆଡ଼ ଗ୍ରାମକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିଲେ ସତ୍ୟ। ତାଙ୍କୁ ସଙ୍ଗେ ସଙ୍ଗେ ବାଣପୁର ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ସ୍ଥାନୀୟ ଲୋକ ପ୍ରୟାସ କରୁଥିବା ଜଣାଯାଇଛି।
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଗୋଟିଏ ଟ୍ରକକୁ ଦ୍ରୁତ ଗତିରେ ଆସୁଥିବା କାର୍ ଟି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୪ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ନାବାଳିକାଜଣଙ୍କ ଗୁରୁତର ଭାବରେ ଆହତ ହୋଇଛନ୍ତି, ଯାହାଙ୍କୁ ନିକଟତମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାରରେ ଥିବା ପରିବାର ଗୋଟିଏ ବିବାହ ସମାରୋହରୁ ଫେରୁଥିଲେ। ବାବୁଗଡ ପୋଲିସ ଷ୍ଟେସନ କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଥିଲା
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ମହୁଝର ଗ୍ରାମର ନଣ୍ଡା ଜେନା ଓ ତାଙ୍କ ପତ୍ନୀ ବାଇକ୍ ଯୋଗେ ବାଣପୁରର ଆୟତପୁରରେ ନିଜ ଝିଅ ଘରକୁ ଦୋଳ ପୁନେଇ ଭାର ନେଇ ଯାଉଥିଲେ। ହେଲେ ୧୬ ନଂ ଜାତୀୟ ରାଜପଥ ବିରିବାଡି ଛକ ନିକଟରେ ତାଙ୍କ ବାଇକ୍ କୁ ଅନ୍ୟ ଏକ ବାଇକ୍ ଧକ୍କା ଦେଇଥିଲା। ଯାହାଫଳରେ ନଣ୍ଡା ଜେନାଙ୍କ ପତ୍ନୀ ଜୟନ୍ତୀ ଜେନା (୩୦) ଙ୍କ ମୃତ୍ୟୁ ହୋଇଯାଇଛି।
ଚାନ୍ଦପୁର: ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ ଓ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି. ମୃତକ ଜଣକ ହେଲେ ଚାନ୍ଦପୁର ଥାନା ଅଧିନସ୍ଥ କୁକୁଡାଝରି ଗ୍ରାମର କାଳିଆ ତାଡ (୪୮)।
କୁକୁଡା ଝରି ଗ୍ରାମର ୫ ଜଣ ନିର୍ମାଣ ଶ୍ରମିକ ଢଳେଇ କାମ କରିବା ପାଇଁ ନିଜର ସମସ୍ତ ସାଜ ସରଂଜାମ ସହ ଏକ ପିକ୍ ଅପ୍ ଭ୍ୟାନରେ କୁକୁଡାଝରି ଗ୍ରାମରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଗୌରଚନ୍ଦ୍ରପୁର ଛକରେ ଏକ ଆଇଚର ଟ୍ରକ୍ ପିକ୍ ଅପ୍ ଭ୍ୟାନକୁ ପଛ ପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଜଣଙ୍କର ମ୍ରୁତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି।
ଖବର ପାଇ ଚାନ୍ଦପୁର ପୋଲିସ୍ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରି ଚାନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି। ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀଵନ କ୍ଷୟ କ୍ଷତି ହେଉଥିଵାରୁ ଲୋକେ ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରିଛନ୍ତି।
ଉଲ୍ଲେଖ ଥାଉ ଯେ, ଗତକାଲି ମଧ୍ୟ ସେହି ସମାନ ସ୍ଥାନରେ ଦୁର୍ଘଟଣା ଘଟିଥିଲା। ଗତକାଲି ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ ହୋଇଥିଲେ। ବାରମ୍ବାର ସେହି ସ୍ଥାନରେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷୟ କ୍ଷତି ହେଉଥିବାରୁ ଘଟଣା ସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସେଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବି କରାଯାଉଛି।
ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଆଜି ଦୁହେଁ ଦମ୍ପତି ବାଇକ୍ ରେ ଚାନ୍ଦପୁରରୁ ବଜାର କାମ ସାରି ଗୌରଚନ୍ଦ୍ରପୁର ଘରକୁ ଫେରୁଥିଵା ବେଳେ ଏକ ଦୃତଗାମୀ ଟ୍ରକ୍ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଦମ୍ପତ୍ତି ଏବଂ ତାଙ୍କ ସାଥିରେ ଥିବା ନାବାଳକ ପୁତ୍ର ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଜଗଵନ୍ଧୁ ରାଉତ (୩୫) ପତ୍ନୀ ଟିକି ରାଉତ (୨୮) ପୁତ୍ର ଆୟୁଷ ରାଉତ (୧୦) ବୋଲି ଜଣାପଡିଛି।
ଗୁରୁତରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେଁ ଚାନ୍ଦପୁର ବସନ୍ତ ମଂଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିଲେ।
ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇ ଯାଇଥିଲା। ଖବର ପାଇ ଚାନ୍ଦପୁର ପୋଲିସ୍ ଘଟଣା୍ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।
ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନାଶିକ୍-ପୁଣେ ରାଜପଥ ଅତିକ୍ରମ କରୁଥିବା ମହିଳାମାନଙ୍କୁ ଦ୍ରୁତ ଗତିରେ ଆସୁଥିବା ଏସୟୁଭି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ପୁଣେ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଶିରୋଲି ଗ୍ରାମ ନିକଟରେ କ୍ୟାଟରିଂ କାମ ପାଇଁ ୧୭ ଜଣ ମହିଳା ଗୋଷ୍ଠୀ ରାଜପଥ ପାର ହେଉଥିଲେ। ରାତି ୧୧.୪୫ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି।
ଖେଡ ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଏହି ମହିଳାମାନେ ପୁଣେ-ନାଶିକ ରାଜପଥରେ ଅବସ୍ଥିତ ଏକ ବିବାହ ହଲରେ କ୍ୟାଟରିଂ କାମ ପାଇଁ ପୁଣେ ସହରରୁ ଆସିଥିଲେ। ସେମାନେ ରାଜପଥ ପାର ହେଉଥିବା ବେଳେ ଏକ ଏସୟୁଭି ସେମାନଙ୍କୁ ଧକ୍କା ଦେଇଥିଲା।” ଦୁର୍ଘଟଣା ପରେ ଏସୟୁଭି ଡ୍ରାଇଭର ପୁଣେ ଆଡକୁ ଚାଲିଯାଇଥିଲା।
ସେ କହିଛନ୍ତି ଯେ, ଦୁଇଜଣ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ତିନିଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ସେ କହିଛନ୍ତି ଯେ, ତିନିଜଣ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଜ୍ଞାତ ଏସୟୁଭି ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି ବୋଲି ଅଧିକାରୀ କହିଛନ୍ତି।
ରଣପୁର: ଆଜି ସକାଳ ୯.୩୦ ମିନିଟରେ ରଣପୁରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଟ୍ରକ ଚାପି ଦେଇ ଦ୍ରୁତ ଗତିରେ ପଳାଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଡାକ୍ତରଖାନାକୁ ନିଆଯାଇଥିଲା। ରଙ୍ଗନାଥ ବାଲିଆରସିଂହ ନାମକ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ର ରଥ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଭୁବନେଶ୍ୱର ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ସାନଗଡ଼ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ରଣପୁର ପୋଲିସ ସବ-ଇନ୍ସପେକ୍ଟର ସଞ୍ଜୟ ପରିଡା ପୋଲିସ ବାହିନୀ ସହିତ ଘଟଣା ସ୍ଥଳରେ ପହଂଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ। ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ବ୍ୟକ୍ତିଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି। ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଥିବା ସବ-ଇନ୍ସପେକ୍ଟର ଶ୍ରୀ ପରିଡା କହିଛନ୍ତି।
ସଡ଼କ ଦୁର୍ଘଟଣାର ଅନ୍ୟତମ କାରଣ ହେଉଛି ବର୍ତ୍ତମାନ ଚାଲିଥିଲା ରାସ୍ତା କାମ। ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ରାସ୍ତା କାମ ସଠିକ ଭାବେ ହେଉ ନାହିଁ। ରାସ୍ତା କାମ ଖୁବ ମନ୍ଥର ଗତିରେ ହେଉଛି। କଣ୍ଟ୍ରାକ୍ଟରମାନେ ସରକାରୀ ନୀତି ନିୟମକୁ ବେଖାତିରି କରି ସେମାନଙ୍କ ମନ ଇଚ୍ଛା କାମ କରୁଛନ୍ତି। ରାସ୍ତା କାମର କୌଣସି ସୂଚନା ଫଳକ କିମ୍ବା ସଂକେତ ଦିଆ ଯାଉ ନାହିଁ।
ଏପରିକି ରାସ୍ତା କାମ ଅତି ନିମ୍ନମାନର ହେଉଥିବା ଅଭିଯୋଗ ମଧ୍ୟ ହେଉଛି। ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ରୁ ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଆଗ ପଛ ହୋଇ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଏବଂ ଆଇରନ ଡଷ୍ଟ ବୋଝେଇ ଟ୍ରକ ମଧ୍ୟରେ ବେଲପଡା ଛକ ଠାରେ ଧକ୍କା ହୋଇଥିଲା। ଆଇରନ ଡଷ୍ଟ ବୋଝେଇ ଗାଡ଼ି ଟି ରଡ଼ ବୋଝେଇ ଟ୍ରକ କୁ ପଛପଟୁ ଶକ୍ତ ଧକ୍କା ଦେବାରୁ ଡଷ୍ଟ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଗାଡିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡିର କ୍ୟାବିନ କୁ ଗ୍ୟାସ କଟର ମାଧ୍ୟମରେ କାଟି ତନ୍ମଧ୍ୟରୁ ଚାପି ହୋଇ ରହିଥିବା ଗାଡ଼ି ଚାଳକ ଓ ହେଲ୍ପର ଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ କୁ ଭର୍ତ୍ତି କରିଥିବା ବେଳେ ପରବର୍ତ୍ତୀ ସମୟରେ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦ୍ବୟ ଜବତ କରି ତଦନ୍ତ ଜାରି ରଖିଛି।