ଚିଲିକା: ୧୯ ବର୍ଷରୁ କମ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହେଲେ ଚାଷଙ୍ଗରା ଗ୍ରାମର ଆଶିଷ

Published: Jul 24, 2021, 8:57 pm IST

ସୀତାରାମ ଅଗ୍ରୱାଲ
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଆଉ ଜଣେ ଯୁବ ଖେଳାଳି ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। ଚିଲିକା ବ୍ଲକ ଅନ୍ତର୍ଗତ ଚାଷଙ୍ଗରା ଗ୍ରାମର ଆଶିଷ ସ୍ଵାଇଁ ଜାତୀୟ ଭଲିବଲ ଶିବିର ପାଇଁ ମନୋନୀତ ହୋଇଛନ୍ତି। କିଟ୍ ରେ ଆଜିଠୁ ଅଗଷ୍ଟ ୨୩ ତାରିଖ ଯାଏଁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବା ବେଳେ ଏଥିରୁ ଆଗାମୀ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ପାଇଁ ଚୁଡାନ୍ତ ୧୪ ଜଣିଆ ଦଳ ମନୋନୀତ ହେବେ। ବର୍ତ୍ତମାନ ଦେଶର ମୋଟ ୨୧ ଜଣ ମନୋନୀତ ଖେଳାଳିଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଉଥିବା ସୂଚନା ରହିଛି।

ତେବେ ଅଗଷ୍ଟ ୨୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଇରାନର ତେହେରାନରେ ଏଫଆଇଭିବି ୧୯ ବର୍ଷରୁ କମ ପୁରୁଷ ବିଶ୍ଵ ଭଲିବଲ ଚମ୍ପିୟାନଶିପ ଆୟୋଜିତ ହେବ। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ସାଂସଦ ଡା. ଅଚ୍ୟୁତ ସାମନ୍ତ ଏବଂ ଓଡିଶା ଭଲିବଲ ଆସୋସିଏସନ ସମ୍ପାଦକ ଡା. ଗଗନେନ୍ଦୁ ଦାଶ ଆଶିଷଙ୍କୁ ଶୁଭେଚ୍ଛା ଜଣାଇବା ସହ ଚୁଡାନ୍ତ ଦଳରେ ସ୍ଥାନ ପାଇବା ନେଇ ଆଶା ବ୍ୟକ୍ତ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଚାଷଙ୍ଗରା ଗ୍ରାମର ପିତା ଭରତ ସ୍ଵାଇଁ ଏବଂ ଗୀତାଞ୍ଜଳି ସ୍ଵାଇଁଙ୍କ ପୁତ୍ର ଆଶିଷ ଭାଲେରୀ ଉଚ୍ଚ ବିଦ୍ୟାଳୟରରୁ ୨୦୧୯/୨୦ରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଯୁକ୍ତ ଦୁଇର ଦ୍ଵିତୀୟ ବର୍ଷରେ ପାଠ ପଢା ଜାରି ରଖିଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ ସ୍ଥାନୀୟ ଲୋକେ ଗର୍ବ ଅନୁଭବ କରିବା ସହ ଆଶିଷଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପତିତପାବନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Related posts