ଭଲକାମ ପାଇଁ ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଲେ ଟାଙ୍ଗୀ ଥାନା ଅଧିକାରୀ

Published: Apr 1, 2022, 7:49 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ। ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୯୮ ଜଣ ପୋଲିସ ଅଧିକାରୀଙ୍କ ସମେତ ୨ ଜଣ ସହିଦ କୋଭିଡ ଯୋଦ୍ଧାଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପଦକ ଏବଂ ପ୍ରଶଂସାପତ୍ର ଦେଇ ସମ୍ମାନିତ କରିଛନ୍ତି।

ବିଜୟ କୁମାର ମଲ୍ଲିକ ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ଇନ୍ସପେକ୍ଟର ଭାବେ ଦାଇତ୍ୱ ନେବାର ସ୍ୱଳ୍ପ ମାସ ମଧ୍ୟରେ ଟାଙ୍ଗୀ ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡିକର ସମାଧାନ କରିବା ଦିଗରେ ସଫଳ ହୋଇପାରିଛନ୍ତି। ତତସହିତ ଟାଙ୍ଗୀ ଥାନାରେ ଅପରାଧିକ ମାମଲା ଅଶାତିତ ଭାବେ ହ୍ରାସ ମଧ୍ୟ ପାଇଛି। ନିଜର ଦକ୍ଷତା ଲାଗି ସମଗ୍ର ଖୋର୍ଦ୍ଧା ଜିଲ୍ଲାରୁ ଏକମାତ୍ର ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଏବଂ ବୋଲଗଡ଼ ଥାନା ସବ ଇନ୍ସପେକ୍ଟର ରଶ୍ମିରଞ୍ଜନ ଦାସ ଡ଼ିଜିପିଙ୍କ ନିକଟରୁ ଉକ୍ତ ପଦକ ପାଇବାକୁ ସକ୍ଷମ ହୋଇପାରିଛନ୍ତି।

ତେବେ ଶ୍ରୀ ମଲ୍ଲିକ ନିଜର ଉକ୍ତ ସଫଳତାର ଶ୍ରେୟ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଥାନାର ସମସ୍ତ କର୍ମଚାରୀ ଏବଂ ଟାଙ୍ଗୀ ଜନସାଧାରଣଙ୍କୁ ପ୍ରଦାନ କରିଛନ୍ତି।

Related posts