ବାଣପୁର: ନବୋଦୟ ପ୍ରବେଶିକା ପରୀକ୍ଷା ପାଇଁ ହନ୍ତସନ୍ତ ହେଲେ ଛାତ୍ରଛାତ୍ରୀ, କାର୍ଯ୍ୟାନୁଷ୍ଠାନ ଦାବି

Published: Apr 29, 2023, 7:46 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସାରା ରାଜ୍ୟରେ ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠଶ୍ରେଣୀରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ସରକାରୀ ହାଇସ୍କୁଲ, ବାଣପୁର ସରକାରୀ ହାଇସ୍କୁଲ ୧ ଓ ୨ ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ସୋନାଲି ସାହୁ, ସ୍ମୃତିପ୍ରଭା ପ୍ରଧାନଙ୍କ ସମେତ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଅନଲାଇନରୁ ପାଇଥିବା ଆଡମିଟ କାର୍ଡରେ ପରୀକ୍ଷା ସେଣ୍ଟରର ନାମ ବାଣପୁର ହାଇସ୍କୁଲ ୨, ଏକଡାଳିଆ, କୁମାରାଙ୍ଗ ବୋଲି ମୁଦ୍ରିତ ହୋଇଥିଲା। ଯାହାକି ଉଭୟ ସ୍କୁଲର ଦୂରତା ପ୍ରାୟ ପାଞ୍ଚ କିଲୋମିଟର ଅଟେ। ଯାହାଫଳରେ ଅଭିଭାବକ ମାନେ ପରୀକ୍ଷା ସେଣ୍ଟର ପାଇଁ ଦ୍ୱନ୍ଦ୍ୱରେ ପଡି ଏକଡାଳିଆ ହାଇସ୍କୁଲକୁ ଯାଇ ପରୀକ୍ଷା ହେଉ ନଥିବା ଜାଣି ନିରାଶ ହୋଇ ଫେରିଥିଲେ।

ଜେଣ ତେଣ ପ୍ରକାରରେ ହନ୍ତସନ୍ତ ହୋଇ ପରୀକ୍ଷା କେନ୍ଦ୍ରରେ ଛାତ୍ର ଛାତ୍ରୀ ପହଞ୍ଚିଥିଲେ। କିନ୍ତୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଦେବାକୁ ସ୍କୁଲ କର୍ତ୍ତୃପକ୍ଷ ଅନୁମତି ଦେଇଥିବା ଜଣାଯାଇଛି। ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ହନ୍ତସନ୍ତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଏ ପରିପ୍ରେକ୍ଷୀରେ ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲିଙ୍କୁ ପଚାରିବାରୁ ଆମେ କେବଳ ପରୀକ୍ଷା ପରିଚାଳନା କରୁଛୁ। ଆଡମିଟ କାର୍ଡ ପ୍ରଦାନ କରିବା ଆମର ଦାଇତ୍ୱ ନୁହେଁ କି କୌଣସି ଅଭିଭାବକ ଆଡମିଟ କାର୍ଡ ତ୍ରୁଟିନେଇ ଆମ୍ଭ ସାଥିରେ ଯୋଗାଯୋଗ କରି ନାହାନ୍ତି। ତଥାପି ପରୀକ୍ଷା ଦେବାକୁ ଆସି କୌଣସି ଛାତ୍ରଛାତ୍ରୀ ଫେରିକି ଯାଇନଥିବା ଶ୍ରୀଯୁକ୍ତ ଜାଲି କହିଛନ୍ତି।

ତେବେ ବାଣପୁର ବ୍ଲକରେ ସମୁଦାୟ ୩୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ସେଥିରୁ ୯୬ ଜଣ ଅନୁପସ୍ଥିତ ଥିବା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଜାଲି କହିଛନ୍ତି।

ଅନୁରୂପ ଭାବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନାହାନ୍ତି ଏବଂ ଏ ଦିଗରେ ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି।

Related posts