ପ୍ରାଥମିକ ଶିକ୍ଷକ ସଙ୍ଘର ଗଣଧାରଣା: ବାଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ପଡିଲା ତାଲା

Published: Sep 14, 2023, 6:13 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବିଭିନ୍ନ ଦାବୀ ପୂରଣ ନିମିତ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ଗତ ଆଠ ତାରିଖରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲୁଅଛି। ତେବେ ସରକାର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିବା ସହ ଶିକ୍ଷକ ମାନଙ୍କୁ ବର୍ଷକୁ ୨୨୦ ଦିନ ଶିକ୍ଷାଦାନ ନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି। ଏବଂ ଧାରଣା ପାଇଁ ଶିକ୍ଷକ ମାନେ ଛୁଟି ନେଇ ନଥିବା ମଧ୍ୟ ସରକାର ପ୍ରକାଶ କରିଛନ୍ତି। କିନ୍ତୁ ସରକାରଙ୍କ ଚେତାବନୀ ପରେ କୌଣସି ପ୍ରଭାବ ଶିକ୍ଷକ ମାନଙ୍କ ଉପରେ ପଡି ନଥିବା ବେଳେ ଶିକ୍ଷକ ଆହୁରୀ ତାତିଛନ୍ତି।

ବାଣପୁରରେ ୫୦ ପ୍ରତିଶତ ଶିକ୍ଷକ ଧାରଣା ସ୍ଥଳକୁ ଆସୁଥିବାବେଳେ ଆଜି ସମସ୍ତ ଶିକ୍ଷକ ଧାରଣାରେ ଯୋଗ ଦେଇଥିବା ଜଣାଯାଇଛି। ସେପଟେ ବାଣପୁର ବ୍ଲକ ଅଧୀନରେ ଥିବା ୧୧୯ ଟି ପ୍ରାଥମିକ ସ୍କୁଲ ଏବଂ ୮ ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ତାଲା ପଡିଛି। ପାଠ ପଢ଼ା ସମ୍ପୂର୍ଣ୍ଣ ଭାବରେ ଠପ ହୋଇଥିବା ଶିକ୍ଷା ଅଧକାରୀ ସନାତନ ଜାଲି ପ୍ରକାଶ କରିଛନ୍ତି।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଶିକ୍ଷାଦାନ ପାଉ ନଥିବାରୁ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଏବଂ ଧାରଣାରୁ ଓହରି ଯିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଶିକ୍ଷକ ମାନେ ସେମାନଙ୍କ ଜିଦରେ ଅଟଳ ଥିବା ମଧ୍ୟ ଶ୍ରୀଯୁକ୍ତ ଜାଲି କହିଛନ୍ତି।

Related posts