ବାଣପୁର: ରାଣୀପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳି ପୋଡ଼ି ପାଉଁଶ ହେଲା ଚାରି ବଖରା ଘର

Published: Nov 13, 2023, 9:52 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗତକାଲି ପୁଣି ଏକ ଦୁଃଖଦ ଘଟଣା ଘଟିଯାଇଛି। ରାଣୀପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାରି ବଖରା ଚାଳ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଖବର ହସ୍ତଗତ ହୋଇଛି।

ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ସୂଚନା ମୁତାବକ ଗତକାଲି ରାତି ୧୨ ଘଟିକା ପାଖାପାଖି ରାଣୀପଡ଼ା ଗ୍ରାମରେ ନିଆଁ ଲାଗିଯାଇଥିବା ଅଭିଯୋଗ ପାଇ ତୁରନ୍ତ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ଦୀର୍ଘ ସମୟର ପ୍ରଚେଷ୍ଟା ପରେ ନିଆଁ ଆୟତ୍ତ ହୋଇଥିବାବେଳେ ଉକ୍ତ ଗ୍ରାମର ପ୍ରେମଳତା ଶାସମଲଙ୍କ ତିନି ବଖରା ଏବଂ କିଶୋର ସ୍ୱାଇଁଙ୍କ ଏକ ବଖରା ଚାଳ ଘର ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଉକ୍ତ ଅଗ୍ନିକାଣ୍ଡ ବିଦ୍ୟୁତ ସଟ ସର୍କିଟ ଦ୍ୱାରା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉକି ପ୍ରେମଲତା ଜଣେ ଗରିବ ବିଧବା ମହିଳା ହୋଇଥିବା ବେଳେ ଗ୍ରାମ ସ୍କୁଲରେ ପାଚିକା ଭାବେ କାମ କରି ପେଟ ପୋଷୁଥିଲେ। ପ୍ରେମଲତାଙ୍କ ସମସ୍ତ ଆସବାବପାତ୍ର ଜଳି ପାଉଁଶ ହୋଇଯାଇଥିବା ବେଳେ ବର୍ତ୍ତମାନ ସେ ନିରୁପାୟ ହୋଇ କ୍ରନ୍ଦନ କରୁଥିବାର ଦେଖିବାକୁ ମିଳିଛି। ତୁରନ୍ତ ପୀଡ଼ିତ ମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି।

Related posts