ବାଣପୁର ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି: ୧୮୭ ଗୋଟି ଅଭିଯୋଗ ଗ୍ରହଣ କଲେ ଜିଲ୍ଲାପାଳ

Published: Feb 19, 2024, 5:41 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଜି ବାଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚଞ୍ଚଳ ରାଣା ବାଣପୁର ବ୍ଳକ ଅଧୀନସ୍ଥ ୧୭ ଗୋଟି ପଞ୍ଚାୟତ ଏବଂ ଏନଏସିର ସମୁଦାୟ ୧୮୭ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରି ତନ୍ମଧ୍ୟରୁ ୨ ଗୋଟି ଅଭିଯୋଗର ତୁରନ୍ତ ଫଇସଲା କରିଥିଲେ। ୧୮୭ ଗୋଟି ଅଭିଯୋଗ ମଧ୍ୟରୁ ୧୭୮ ଟି ବ୍ୟକ୍ତିଗତ ଏବଂ ୬ ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ଥିବା ଜଣାପଡିଛି।

ଅନ୍ୟ ଅଭିଯୋଗଗୁଡ଼ିକ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ବେଳେ ଜଣେ ହିତାଧିକାରୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା।

ଉକ୍ତ ଜନଶୁଣାଣି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡଃ ବାଦଲ ମହାନ୍ତି, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡ଼ିଓ ଶୀତଲ ଅଗ୍ରୱାଲ, ତହସିଲଦାର ଟି ପଦ୍ମନାଭ ଦୋରା, ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା, ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଓ ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts