ମା’ ଭଗବତୀ ମନ୍ଦିର ନବୀକରଣ ନିମନ୍ତେ ରାସ୍ତା ଅବରୋଧ କଲା ପ୍ରଶାସନ: ବିରୋଧ କଲେ ଗ୍ରାମବାସୀ

Published: Mar 16, 2024, 8:10 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ମା’ ଭଗବତୀଙ୍କ ପାର୍ଶ୍ଵ ଦେଇ ଯାଇଥିବା ରାସ୍ତାକୁ ମନ୍ଦିର ନବୀକରଣ କରାଯିବାର କାରଣ ଦର୍ଶାଇ ପ୍ରଶାସନ ଅବରୋଧ କରିଥିବାରୁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଚାରିଖଣ୍ଡ ଗ୍ରାମବାସୀ ଆଜି ଅପରାହ୍ନରେ ବାଣପୁର ଆଇଆଇସି ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ଉକ୍ତ ରାସ୍ତା ବାଣପୁର ଏନଏସି ତୁଳସୀଦେଇପୁର ଗ୍ରାମକୁ ସଂଯୋଗ କରୁଥିବା ବେଳେ ସେହି ରାସ୍ତା ଦେଇ ଅଚ୍ୟୁତରାଜପୁର, ମହାନ୍ତି ସାହି, ଶ୍ରୀନିବାସପୁର ଶାସନର ଗ୍ରାମବାସୀ ବାଣପୁର ସହରକୁ ଯିବା ଆସିବା କରନ୍ତି। ଦାବିପତ୍ର ମୁତାବକ ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ରାସ୍ତାକୁ ଅବରୋଧ କରାଯାଇଛି। ଯାହାକି କେଉଁ ପ୍ରାଚୀନ କାଳରୁ ପୁରୁଷାନୁକ୍ରମିକ ଗ୍ରାମର ଅଧିବାସୀ ମାନେ ଉକ୍ତ ରାସ୍ତା ଦେଇ ବିବାହ, ବ୍ରତ, ଦିଅଁ ଗନସା ଭଳି ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଯା’ ଆସ କରନ୍ତି।

ପ୍ରକାଶ ଥାଉକି ମା’ ଭଗବତୀ ଗ୍ରାମ ଗୁଡିକର ଇଷ୍ଟଦେବୀ ଏବଂ ଗ୍ରାମ ଦେବୀ ହୋଇଥିବା ବେଳେ ରାସ୍ତାଟି ଅବରୋଧ କରାଗଲେ ସେମାନଙ୍କର ଧାର୍ମିକ ଓ ସାମାଜିକ ଅଧିକାର କ୍ଷୁର୍ଣ୍ଣ ହେବ। ରାସ୍ତାଟି ଅଞ୍ଚଳ ବାସିଙ୍କର ଦୈନନ୍ଦିନ ଆବଶ୍ୟକୀୟ ରାସ୍ତା ଅଟେ। ଏହି ରାସ୍ତା ଦେଇ ନିତିଦିନ ଛୋଟ ଛୋଟ ପିଲା ପାଠ ପଢିବା, ଝିଅ ବୋହୁ ମାନେ ବଜାରକୁ ଯିବା ଆସିବା କରୁଥିବାରୁ ଏହା ଅବାଧ ଓ ମୁକ୍ତ ଯିବା ଆସିବା କାର୍ଯ୍ୟରେ ଲାଗୁଛି। ଏଥିରେ ବାଧା ଉପୁଜିଲେ ଅଞ୍ଚଳବାସି ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଗ୍ରାମବାସୀମାନଙ୍କର ଅପୂରଣୀୟ କ୍ଷତି ହେବ। ତେଣୁ ଏହାକୁ ଅବାଧ ଓ ମୁକ୍ତ ଯିବା ଆସିବାର ବନ୍ଦୋବସ୍ତ କରିବାକୁ ବାଣପୁର ତହସିଲଦାରଙ୍କୁ ନିଜର ଦାବୀ ଉପରୋକ୍ତ ଗ୍ରାମବାସୀମାନେ ଜଣାଇଛନ୍ତି।

ତେବେ ଏ ନେଇ ବାଣପୁର ତହସିଲଦାର ଟି ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ଉକ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ଏବଂ ଏକ ପାଦଚଲା ରାସ୍ତା ଜନସାଧାରଣଙ୍କ ପାଇଁ ନିର୍ମାଣ ହେବ ବୋଲି କହିଛନ୍ତି।

Related posts