ବାଣପୁରରେ ଜନ ପ୍ରତିନିଧି ପ୍ରଶାସନ ମୁହାଁମୁହିଁ, ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା ଦେଲେ ବିଡିଓ

Published: Mar 18, 2024, 11:20 am IST

ବାଣପୁର( ସୀତାରାମ ଅଗ୍ରଲାୱ): ଶୀର୍ଷରେ ପହଁଚିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ କଳି। ଦୀର୍ଘ ମାସ ଧରି ବାଣପୁର ବିଡିଓ ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧ ବିସ୍ଫୋରଣର ରୂପ ନେଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ ଶୀତଲ ଅଗ୍ରୱାଲ। ଏ ନେଇ କେସ ନମ୍ବର ୧୨୬/୨୪ ଆଇପିସି ଦଫା ୧୮୯/୩୪/୩୫୩ ରେ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ ନିକଟରେ ଚିଲିକା ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନରତ ଆଶାୟୀଙ୍କ ସହ ଧାରଣା ଦେଇଥିଲେ ଏବଂ ବ୍ଲକ କାର୍ଯ୍ୟାଳୟରେ ତାଲା ପଡିଥିଲା।

ବିଡ଼ିଓ ବ୍ଲକରେ ସଦାବେଳେ ଅନୁପସ୍ଥିତ ରହୁଛନ୍ତି, ପାତର ଅନ୍ତର ନିତି ଆପଣଉଛନ୍ତି, ଜନପ୍ରତିନିଧି ଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ଏବଂ ଏକ ନିର୍ଦିଷ୍ଟ ଦଳର ହାତବାରିସୀ ସାଜିଥିବା ଅଭିଯୋଗ କରିଥିଲେ ଅଧ୍ୟକ୍ଷ ଓ ଉପସ୍ଥିତ ଜନ ପ୍ରତିନିଧି। ବ୍ଲକ କାର୍ଯ୍ୟାଳୟ ଅଚଳ ଦ୍ୱାରା ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଚଳିତ ୧୬ ତାରିଖ ରାତିରେ ବାଣପୁର ବିଡିଓଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ଅଧିକାରୀଙ୍କୁ ଧମକାଇବା ଆଦି ଅଭିଯୋଗରେ ଥାନାରେ ଏତଲା ଦିଆଯାଇଛି।  ପୁର୍ବରୁ ମଧ୍ୟ ବାଣପୁର ବ୍ଲକରେ ଅଧ୍ୟକ୍ଷ ଓ ବିଡିଓ ବିବାଦ ଲାଗି ରହିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ସମାଧାନ କରିବାରେ ଏକ ରକମର ବିଫଳ ହୋଇଛି। ଯାହାଫଳରେ ଆଜି ଉକ୍ତ କଳି ଚରମ ସୀମାରେ ପହଁଚିଛି।

ତେବେ ଏ ନେଇ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହଙ୍କୁ ପଚାରିବାରୁ ଉକ୍ତ ଦିନ କାର୍ଯ୍ୟାଦେଶ ପାଇବା ଆଶାୟୀମାନେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ତାହାକୁ ନୈତିକତା ଦୃଷ୍ଟିରୁ ଏକାଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଅଧ୍ୟକ୍ଷ ମଧ୍ୟ ସମର୍ଥନ କରିଥିଲେ। ଏପରିକି ପ୍ରଥମ ଦିନ ଅଧ୍ୟକ୍ଷ ବିଡିଓଙ୍କ ସହ ଫୋନରେ ଯୋଗାଯୋଗ କରି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ। ତେବେ ବ୍ଲକ ତାଲା ପକେଇବା ବିଷୟରେ ସେ ଅବଗତ ନଥିବା କହିଛନ୍ତ।

Related posts