ଚିଲିକା: ଆଜି ୧୨ ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଣପୁର କୋର୍ଟ ପରିସରରେ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ତତ୍ୱାବଧାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜେଏମଏଫସି ଇପ୍ସିତା ପ୍ରିୟା ଏକ୍କା, ପ୍ରଶିକ୍ଷକ ଆଇନଜୀବୀ ସନ୍ତୋଷ କୁମାର ମହାପାତ୍ର ଏବଂ କୋର୍ଟ କର୍ମଚାରୀ ମାନେ ଯୋଗଦେଇ ଦୀର୍ଘ ସମୟ ଧରି ଯୋଗାଭ୍ୟାସ କରିଥିଲେ। ସମ୍ପ୍ରତି ପ୍ରତ୍ୟହ ନାଗରିକ ନିଜର ବ୍ୟସ୍ତବହୁଳ ଜୀବନରୁ ଯୋଗ ପାଇଁ ସ୍ୱଳ୍ପ ସମୟ ବାହାର କରିବା ଉଚିତ ବୋଲି ବିଚାରପତି ଶ୍ରୀ ମହାପାତ୍ର ମତବ୍ୟକ୍ତ କରିଥିଲେ।
ସେହିପରି ଭାବେ ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଯୋଗଦେଇଥିବା ବେଳେ, ପ୍ରଶିକ୍ଷକ ପ୍ରଶାନ୍ତ ସୁପକାର, ଏବିଡ଼ିଓ ଯୋଗେନ୍ଦ୍ର ମହାକୁଡ଼,ବିଇଓ ସନାତନ ଜାଲି, ବ୍ଲକ କର୍ମଚାରୀ ଓ ଜନସାଧାରଣ ଆଦି ଯୋଗଦେଇ ଯୋଗାଭ୍ୟାସ କରିଥିଲେ।

ଅନୁରୂପ ଭାବେ ବାଲୁଗାଁ ଏନଏସି ପକ୍ଷରୁ ବାଲୁଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଲୁଗାଁ ଏନଏସି ଇଓ ପ୍ରାଣନାଥ ସେଠ, ସମସ୍ତ କାଉନସିଲର, ସ୍ବେଛାସେବୀ, ଜନସାଧାରଣ ଆଦି ଯୋଗଦେଇଥିଲେ।


