ବିଧାୟିକାଙ୍କ ହସ୍ତକ୍ଷେପ ପରେ ସୁଧୁରିଲା ବେଗୁନିଆପଡା କ୍ବାରେଣ୍ଟାଇନ୍‌ ସେଣ୍ଟରର ବ୍ୟବସ୍ଥା

Published: May 4, 2020, 5:01 pm IST

ପିଣ୍ଟୁ ବିଷୋୟୀ
ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁର ଆଦର୍ଶ ଵିଦ୍ୟାଳୟ ଓ ବେଗୁନିଆପଡା ଜନତା ହାଇସ୍କୁଲରେ ପ୍ରବାସୀ ଓଡ଼ିଆଙ୍କ ରହଣି ପାଇଁ କ୍ବାରେଣ୍ଟାଇନ୍‌ ସେଣ୍ଟର କରାଯାଇଛି । ରାଗପୁର ଆଦର୍ଶ ବିଦ୍ୟାଳୟ ଠାରେ 145 ଓ ବେଗୁନିଆପଡା ଜନତା ହାଇସ୍କୁଲ ସେଣ୍ଟରରେ 222 ଜଣ ସୁରତ ଫେରନ୍ତା ରହୁଥିବାବେଳେ ଗତକାଲି ଖାଇବା ଓ ପାନୀୟ ଜଳଯୋଗାଣରେ ଅବ୍ୟବସ୍ଥା ଯୋଗୁଁ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା ।

ତେବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଛି । ବିଡ଼ିଓ ବେଦବର ପ୍ରଧାନ ଓ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରାଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟିକା । ଉକ୍ତ ସେଣ୍ଟରର କ୍ୟାଟେରିଙ୍ଗ ଦାୟିତ୍ୱ ଅନ୍ୟ ଏକ ସଂସ୍ଥାକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟିକା । ଫଳରେ ସୋମବାର ଦିନ ନୂତନ ସଂସ୍ଥା ଦାୟିତ୍ୱ ନେବା ପରେ ସ୍ୱାଭାବିକ ହୋଇଛି ଉକ୍ତ ସେଣ୍ଟରର ଖାଇବା ବ୍ୟବସ୍ଥା । ଆଜି ପ୍ରବାସୀ ସୁରତ ଫେରନ୍ତା ବିଧାୟିକାଙ୍କ ହସ୍ତକ୍ଷେପ ପରେ ଖାଇବାରେ ସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳିତ ଭାବେ ଖାଦ୍ୟଗ୍ରହଣ କରିଛନ୍ତି । ଏହା ସହିତ ଉକ୍ତ ସେଣ୍ଟର ଗୁଡିକରେ ସମସ୍ତଙ୍କୁ ସାନିଟାଇଜେସନ୍‌ କିଟ ପ୍ରଦାନ କରାଯାଇଛି ।

Related posts