ଗଞ୍ଜାମ ଜିଲ୍ଲାରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ, ୨ ମୃତ: ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Published: Aug 28, 2020, 10:08 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଲ୍ଲାରେ କରୋନାର ସ୍ଥିତି ନିୟନ୍ତ୍ରଣରେ ରହିଥିବା ଆଜି ଜିଲ୍ଲାପାଳ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଛନ୍ତି। ସେ ଗଂଜାମରେ ସମସ୍ତ ଲୋକ କରୋନା ନିୟମ ମାନୁଥିବାରୁ ଧନ୍ୟବାଦ ଜଣାଇଥିଲେ। ଏହାସହ କରୋନା ନୂଆ ନୂଆଁ ରୂପରେ ଆସି ପୁଣିଥରେ ସଂକ୍ରମିତ ଯେପରି ନ କରିବ ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ସେ କହିଛନ୍ତି। ଦୋକାନୀମାନେ ପଞ୍ଚସୂତ୍ର ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ଯେଉଁ ପର୍ଯ୍ୟନ୍ତ ଭେକ୍‌ସିନ ନ ଆସିଛି ଏହି ଲଢ଼େଇ ଜାରି ରହିବ ବୋଲି ଜିଲ୍ଲାପାଳ ଭିଡ଼ିଓ ବାର୍ତ୍ତାରେ ଜଣାଇଥିଲେ।

ଆଜି ମଧ୍ୟ ଗଂଜାମରେ ନୂତନ ୧୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି କାହାରି ମୃତ୍ୟୁ ଘଟିନଥିବାବେଳେ ଆଜିର ଦୁଇଜଣ ମୃତ୍ୟୁ ପୁଣି ଚିନ୍ତା ବଢ଼ାଇଛି। ଆଜିର ସଂକ୍ରମଣ ମଧ୍ୟରେ ଭଂଜନଗର ବ୍ଲକ୍‌ରୁ ୧୧, ଜଗନ୍ନାଥପ୍ରସାଦରୁ ୪, ବୁଗୁଡ଼ାରୁ ୩, ବେଲଗୁଣ୍ଠାରୁ ୧, ସୋରଡ଼ାରୁ ୪, ଧରାକୋଟରୁ ୩, ଆସିକାରୁ ୩, ପୋଲସରାରୁ ୭, ବେଗୁନିଆପଡ଼ାରୁ ୨୦, କବିସୂର୍ଯ୍ୟନଗରରୁ ୨, ଖଲିକୋଟରୁ ୧୬, ଗଂଜାମରୁ ୫, ଛତ୍ରପୁରରୁ ୧୦, ହିଂଜିଳିକାଟୁରୁ ୮, କୁକୁଡ଼ାଖଣ୍ଡିରୁ ୭, ରଙ୍ଗେଇଲୁଣ୍ଡାରୁ ୧୮, ସାନଖେମୁଣ୍ଡିରୁ ୩, ଦିଗପହଣ୍ଡିରୁ ୩, ଚିକିଟିରୁ ୪, ପାତ୍ରପୁରରୁ ୭, ବ୍ରହ୍ମପୁର ମହାନଗର ନିଗମରୁ ୩୬ ଏବଂ ଅନ୍ୟାନ୍ୟ ୨ ଅଛନ୍ତି।

ଗଂଜାମ ଜିଲ୍ଲାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୧୭୨୮୭ ହୋଇଥିବାବେଳେ ଆଜି ୨୦୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୪୨୮ ଟି ଆକ୍ଟିଭ୍ କେସ ଥିବାବେଳେ ୧୮୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ବ୍ରହ୍ମପୁର ମହାନଗର ନିଗମରେ ଆଜିର ମାମଲାକୁ ମିଶାଇଲେ ସମୁଦାୟ ୩୧୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୭୬୩ ଜଣ ସୁସ୍ଥ ହୋଇଥିବାବେଳେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୧୬ ଜଣ ବିଭିନ୍ନ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ସମୁଦାୟ ୪୯୨ ଜଣ ପ୍ଲାଜମା ପ୍ରଦାନ ପାଇଁ ଚିହ୍ନଟ ହୋଇଥିବାବେଳେ ୧୦୨ ପ୍ୟାକେଟ୍ ପ୍ଲାଜମା ସଂଗ୍ରହ ହୋଇଛି। ଏହାଛଡ଼ା ୯୭ ଜଣଙ୍କୁ ପ୍ଲାଜମା ପ୍ରଦାନ କରାଯାଇଥିବାବେଳେ ୨୦ ଜଣ ରୋଗୀ ଠିକ୍ ହୋଇ ଘରକୁ ଫେରିଛନ୍ତି।

Related posts