କୋଭିଡ ହୋମ ଆଇସୋଲେସନ ନିୟମ ଉଲଂଘନ: ବାଣପୁରରେ ଦୋକାନ ସିଲ ସହ ପାଞ୍ଚ ହଜାର ଟଙ୍କା ଜରିମାନା

Published: Sep 4, 2020, 10:09 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଜଣେ ଦୋକାନ ମାଲିକ କୋଭିଡ ହୋମ ଆଇସୋଲେସନ ନିୟମ ଉଲଂଘନ କରିବାରୁ ସ୍ଥାନୀୟ ପ୍ରଶାସନ ବଡ କାର୍ଯ୍ଯାନୁଷ୍ଠାନ ନେଇଛି। ସ୍ଥାନୀୟ ପ୍ରଶାସନ ଦୋକାନ ସିଲ କରିବା ସହ ଦୋକାନ ମାଲିକଙ୍କୁ ଦେବାକୁ ପଡିଲା ପାଞ୍ଚ ହଜାର ଟଙ୍କା ଜରିମାନା ଏବଂ ତାଙ୍କ ନାମରେ ଥାନାରେ ଏତଲା ରୁଜୁ ହୋଇଥିବା ସୂଚନା ରହିଛି।

ଏମିତି ଏକ ଘଟଣା ଘଟିଛି ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ଅଞ୍ଚଳରେ। ଏନ.ଏ.ସି ଅନ୍ତର୍ଗତ ପଲଟନ ପଡ଼ିଆର ଜଣେ ମିଠା ଦୋକାନୀ ଗତ ମାସ ୨୯ ତାରିଖରେ ସ୍ଥାନୀୟ ଗୋଦାବରୀଶ ବିଦ୍ୟାପୀଠରେ ନିଜ ସ୍ୱାବ ଟେଷ୍ଟ କରାଇଥିଲେ। ୩୧ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଏନ.ଏ.ସି ପ୍ରଶାସନ ତରଫରୁ ତାଙ୍କୁ ହୋମ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ମଧ୍ୟାହ୍ନ ରେ ଏନ.ଏ.ସି ସ୍କ୍ୱାର୍ଡ ଟିମ ହୋମ ଆଇସୋଲେସନରେ ରହୁଥିବା ପଜିଟିଭ ବ୍ୟକ୍ତି ମାନଙ୍କ ଗୃହ ପରିଦର୍ଶନ କରୁଥିବା ବେଳେ ସମ୍ପୃକ୍ତ ମିଠା ଦୋକାନୀଙ୍କୁ ତାଙ୍କ ଦୋକାନ ମଧ୍ୟରେ ବ୍ୟବସାୟ କରୁଥିବାର ଦେଖିବାକୁ ପାଇଥିଲେ।

ଏହା ଦେଖି ତୁରନ୍ତ ସ୍କ୍ୱାର୍ଡ ଟିମ ତାଙ୍କୁ ଦୋକାନ ଆସିବାକୁ ବାରଣ କରିଥିଲେ ଏବଂ ଘରେ ରହିବାକୁ ଅନୁରୋଧ କରିଥିଲେ। କିନ୍ତୁ ସମ୍ପୃକ୍ତ ଦୋକାନି ଏହାକୁ ଖାତିର ନକରି ଦୋକାନରେ ବସିଥିଲେ। କର୍ମଚାରୀମାନେ ଏ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲଙ୍କୁ ସଙ୍ଗେ ସଙ୍ଗେ ଅବଗତ କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପୃକ୍ତ ମିଠା ଦୋକାନିଙ୍କ ଘରକୁ ଯାଇ ଏନ.ଏ.ସି ଦ୍ୱାରା ଘର କାନ୍ଥରେ ମରାଯାଇଥିବା କୋଭିଡ ପଜିଟିଭ ଷ୍ଟିକର ଚିରାଯାଇଥିବା ଦେଖିବାକୁ ପାଇଥିଲେ।

ଏହାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ବାଣପୁର ପୋଲିସ ସହଯୋଗ ରେ ଉକ୍ତ ମିଠା ଦୋକାନ କୁ ସିଲ କରିବା ସହ ପାଞ୍ଚ ହଜାର ଟଙ୍କା ଜରିମାନା ଆଦାୟ କରିଥିବାର ସୂଚନା ମିଳିଛି। ଏ ନେଇ ବାଣପୁର ଏନ.ଏ.ସି ପ୍ରଶାସନ ତରଫରୁ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଥିବାର ସୂଚନା ମିଳିଛି।

Related posts