ଜନ୍ମମାଟି ବାଣପୁରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ

Published: Oct 26, 2020, 10:52 pm IST

ବାଣପୁର: ଆଜି ଓଡ଼ିଶାର ସାରସ୍ଵତ ପ୍ରତିଭା, କଳା, ସାହିତ୍ୟ, ଶିକ୍ଷା, ସଂସ୍କୃତି ଓ ସମାଜସେବାର ମଙ୍ଗୁଆଳ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୧୩୪ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଅଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ଅନୁପାଳନ ଓ ପୂଜ୍ୟପୂଜାର ପରମ୍ପରାକୁ ଆଖିଆଗରେ ରଖି ଚିଲିକା ସାହିତ୍ୟ ସମାଜ, ଶାଳିଆ ସାଂସ୍କୃତିକ ପରିଷଦ ଓ ନେହେରୁ ସେବାସଙ୍ଘ ବାଣପୁରଙ୍କ ମିଳିତ ଆନୁକୂଲ୍ୟରେ ସଙ୍ଘର କନକ ଭବନ ପରିସରରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି।

ଚିଲିକା ସାହିତ୍ୟର ସଭାପତି ଶିକ୍ଷାବିତ ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସାରସ୍ଵତ ସଭାରେ ମୁଖ୍ୟ ଅତିଥି ଭାବରେ ଶୁଶ୍ରୀ ସରୋଜିନୀ ଦାଶ, ସମ୍ମାନୀୟ ଅତିଥି ଗାଳ୍ପିକ ଶିବ ମିଶ୍ର, ମୁଖ୍ୟ ବକ୍ତା ଅଧ୍ୟାପକ ଡ଼ ସତ୍ୟ ସଡଙ୍ଗୀ ଓ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ଡ଼ କୈଳାସ ଚନ୍ଦ୍ର ମହାରଣା, ମଦନମୋହନ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ରଥ, ଓଁମ ପ୍ରକାଶ ଅଗ୍ରୱାଲ, ଗୋପୀନାଥ ଦାଶ, ଆନନ୍ଦ ଚନ୍ଦ୍ର ସେନାପତି, ବୈରାଗୀ ଚରଣ ବଳ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ପ୍ରିୟଦର୍ଶିନୀ ମହାରଣା, ପ୍ରମୁଖ ଯୋଗ ଦେଇ ପଣ୍ଡିତଙ୍କ ସାହିତ୍ୟ କୃତି ସମ୍ପର୍କରେ ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍ଥାନୀୟ କବିମାନଙ୍କର ଏକ ମନୋଜ୍ଞ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଲକ୍ଷ୍ମୀଧର ସୁବୁଦ୍ଧି ବିବରଣୀ ପାଠ କରିଥିବା ବେଳେ ରମେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ପୂର୍ବାହ୍ନରେ ବଜାର ସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା।

Related posts