କଟକ: ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଏବଂ ତାଙ୍କ ବେସରକାରୀ ସହଯୋଗୀ ସୋମନାଥ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ଉଭୟଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଇଛି।
ବଡ଼ଚଣା ବ୍ଲକ୍ ଅଧୀନ ଏକ ସ୍କୁଲ୍ର ନିର୍ମାଣ କାର୍ଯ୍ୟ କରିଥିବା ଜଣେ ଠିକାଦାର ନିଜର ବକେୟା ବିଲ୍ ପୈଠ ଏବଂ ସିକ୍ୟୁରିଟି ଡିପୋଜିଟ୍ ଫେରସ୍ତ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଆଧାରରେ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହେବା ପରେ ବଡ଼ଚଣା ବ୍ଲକ୍ କାର୍ଯ୍ୟାଳୟରେ ଠିକାଦାରଙ୍କଠାରୁ ୩୫ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ରେଡ୍ହାଣ୍ଡେଡ୍ ଧରିଥିଲା। ରାସାୟନିକ ପରୀକ୍ଷାରେ ଉଭୟଙ୍କ ହାତର ଫଳାଫଳ ପଜିଟିଭ୍ ଆସିବା ସହ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଟ୍ରାପ୍ ପରେ ବନ୍ଦିତା ଦାଶଙ୍କ ବଡ଼ଚଣା କାର୍ଯ୍ୟାଳୟ, କଟକ ଜଗତପୁରସ୍ଥିତ ବାସଭବନ ଏବଂ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇସ୍ଥିତ ଶ୍ୱଶୁର ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ଜଗତପୁର ବାସଭବନରୁ ୫.୧୫ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


