Categories
ଆଜିର ଖବର ଜାତୀୟ ଖବର

ଦୁଇ ଶିଶୁଙ୍କ ସହିତ ନିଜକୁ ନିଆଁ ଲଗାଇଲେ ମହିଳା

ମଣିପୁରୀ : ଉତ୍ତରପ୍ରଦେଶର ମଣିପୁରୀରେ ଜଣେ ମହିଳା ନିଜ ଦୁଇ ଶିଶୁଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ନିଜର ଦୁଇ ଶିଶୁଙ୍କୁ ନିଆଁ ଲଗାଇବା ପରେ ମହିଳା ଜଣକ ନିଜେ ଆତ୍ମହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ଭାତୁଆ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ମହିଳାଙ୍କ ପତି ଉପସ୍ଥିତ ନଥିବା ବେଳେ ପଡୋଶୀ କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଅଧିକ ପୋଡି ଯାଇଥିବାରୁ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା । ତିନି ଜଣଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ଅଭାବନୀୟ ଘଟଣା : କ୍ବାରାଣ୍ଟାଇନ୍‌ ହୋମ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଜୟପୁର : ଦେଶରେ କରୋନାକୁ ନେଇ ସଙ୍କଟ ଲାଗି ରହିଥିବା ବେଳେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜସ୍ଥାନର ଜୟପୁରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । କ୍ବାରାଣ୍ଟାଇନ୍‌ ହୋମ୍‌ରେ ରହିଥିବା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ତିନି ଦିନ ଧରି ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ବେଳେ ରବିବାର ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ରବିବାର ଦିନ ସଓ୍ବାଇ ମାଧୋପୁର ଥାନାରେ ଅଭିଯୋଗ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଜବରଦସ୍ତି କ୍ବାରାଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିବା ନେଇ ପୋଲିସ୍‌ ସୂଚନା ପ୍ରଦାନ କରିଛି । ମହିଳା ଜଣଙ୍କୁ ଅନ୍ୟ ଏକ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିବା ବେଳେ କରୋନା ପାଇଁ ନମୂନା ସଂଗ୍ରହ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ରେଳଷ୍ଟେସନ୍‌ ପରିସର ସାନିଟାଇଜ୍‌ଡ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍‌ କରାଯାଉଥିବା ବେଳେ ଆଜି ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ସାନିଟାଇଜ୍‌ କରାଯାଇଛି । ଆରପିଏଫ୍‌ ଏବଂ ଓଡିଶା ପୋଲିସ୍‌ର ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଏହି ସାନିଟାଇଜ୍‌ କାର୍ଯ୍ୟକ୍ରମ କରାଯାଉଥିଲା । ବିଭିନ୍ନ ଆର୍‌ପିଏଫ୍‌ ପୋଷ୍ଟ ସହିତ ସମୁଦାୟ ଷ୍ଟେସନ୍‌ ପରିସରକୁ ସାନିଟାଇଜ୍‌ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀ ଓଡିଆଙ୍କୁ ବସ୍‌ରେ ରାଜ୍ୟକୁ ଫେରାଇ ଅଣାଯିବ : ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା

ଭୁବନେଶ୍ବର : ପ୍ରବାସୀ ଓଡିଆଙ୍କୁ ବିଭିନ୍ନ ରାଜ୍ୟରୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ଏହାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ଲକ୍‌ଡାଉନ୍‌ ହଟିବା ପରେ ବସ୍ ଜରିଆରେ ଶ୍ରମିକ ମାନଙ୍କୁ ବସ୍‌ ଜରିଆରେ ରାଜ୍ୟକୁ ଫେରାଇ ଅଣାଯିବ ବୋଲି ଜଣାପଡିଛି । ପଞ୍ଜୀକରଣ ପରେ ସମସ୍ତଙ୍କୁ ଫେରାଇ ଅଣାଯିବା ସହିତ କ୍ବାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡିଛି ।

Categories
ଆଞ୍ଚଳିକ

ଅସହାୟଙ୍କୁ ସହାୟତାର ହାତ ବଢାଇଲା ଗଞ୍ଜାମ ଜିଲ୍ଲା ବିଜେପି

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱକୁ ଘାଇଲା କରିଥିବା ବେଳେ ଆମ ଦେଶ ଓ ରାଜ୍ୟ ଏଥିରୁ ବାଦ ପଡିନାହିଁ। ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ରାଜ୍ୟ ମଧ୍ୟ କରୋନା ଆକ୍ରାନ୍ତରେ ସେଞ୍ଚୁରି ମାରିସାରିଲାଣି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶ ଓ ରାଜ୍ୟରେ ଲକ ଡାଉନ ଜାରି ରହିଥିବା ବେଳେ ଏବେ ଏହାର ପ୍ରଭାବ ଦିନ ମଜୁରିଆ, ଅସହାୟ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ପଡିଛି। ତେବେ ସେମାନଙ୍କ ପେଟର ଭୋକକୁ ଦେଖି ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ରାସନ କାର୍ଡ ଧାରୀ ମାନଙ୍କୁ ଆଗୁଆ ୩ ମାସର ରାସନ ସାମଗ୍ରୀ ପ୍ରଦାନ କରୁଛନ୍ତି। ତେବେ ସେଥିରେ ବଳି ପଡୁଛନ୍ତି ରାସନ କାର୍ଡ ରୁ ବାଦ ପଡିଥିବା ଲୋକେ। ଏଭଳି ଅବସ୍ଥାରେ ଏବେ ସେମାନଙ୍କ ନିକଟରେ ପହଂଚି ପେଟକୁ ଆହାର ଯୋଗାଇଦେବା ପାଇଁ ଅଣ୍ଟା ଭିଡ଼ିଛି ଗଂଜାମ ଜିଲ୍ଲା ବିଜେପି।

ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡରେ ବିଜେପି ପକ୍ଷରୁ ଅସହାୟ ଓ ରାସନ କାର୍ଡରୁ ବଂଚିତ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି। ଏଥି ସହ କରୋନାକୁ ମୁକାବିଲା କରିବା ନେଇ ପ୍ରତ୍ୟେକଟି ନିୟମାବଳୀକୁ ମାନି ଅର୍ଥାତ ମାସ୍କ ବ୍ୟବହାର ବାଧ୍ୟତାମୂଳକ, ସମାଜିକ ଦୂରତା ପ୍ରତି ଗୁରୁତ୍ୱ, ସାନିଟାଇଜର ହାତକୁ ଭଲ ଭାବେ ସଫା କରିବା ଇତ୍ୟାଦି ନେଇ ଲୋକଙ୍କୁ ସଚେତନ କରାଯାଉଛି। ସେହିଭଳି ଆଜି ବିଜେପି ପକ୍ଷରୁ ପୁରୁଣା ବ୍ରହ୍ମପୁର ସ୍ଥିତ ଆଗା ସାହି ଠାରେ ଅସହାୟ ଓ ରାସନ କାର୍ଡରୁ ବାଦ ପଡିଥିବା ଲୋକଙ୍କୁ ରାସନ ସାମଗ୍ରୀ ବିଜେପି ପକ୍ଷରୁ ପ୍ରଦାନ କରାଯାଇଥିଲା। ପ୍ରତ୍ୟକ ଦିନ ଭିଭିନ୍ନ ୱାର୍ଡ ସ୍ତରରେ ୨୦୦ରୁ ୩୦୦ ଜଣ ବ୍ୟକ୍ତି ଙ୍କୁ ଏହି ଘରୋଇ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। ଆଜିର ଏହି ସାମଗ୍ରୀ ବଣ୍ଟନ ରେ ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ପୂର୍ବତନ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବିନାୟକ ରଥ, ପ୍ରଭାତ ଷଡଙ୍ଗୀ, କମଳ, ଚନ୍ଦନ ସାହୁ, ଭାବଗ୍ରାହୀ ପାଳ, ବିଘନେଶ୍ୱର ନାୟକ, ଏନ ରାଜେନ୍ଦ୍ର, କିରଣ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସାମାଜିକ ଦୂରତା ବଜାଇ ରଖି ରାସନ ସାମଗ୍ରୀ ବଣ୍ଟନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମୋଦିଙ୍କ ମନ୍‌ କୀ ବାତ୍‌ : କରୋନା ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ର ଘୋଷଣା

ନୂଆଦିଲ୍ଲୀ : ଦେଶରେ କରୋନା ସଙ୍କଟ ସମୟରେ ମନ୍‌ ମୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ୍‌-19 ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ କରିଛନ୍ତି । କୋଭିଡ୍‌19 ମୁକାବିଲାରେ ସମଗ୍ର ଦେଶବାସୀ ଏକତ୍ର ହୋଇଛନ୍ତି । ଦେଶର ପ୍ରତ୍ୟେକ ନାଗରିକ କରୋନା ମୁକାବିଲାର ଜଣେ ଜଣେ ଯୋଦ୍ଧା ତେଣୁ ସମସ୍ତେ କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଓ୍ବେବ୍‌ସାଇଟ୍‌ରେ ଯୋଗଦାନ କରିବା ଉଚିତ୍‌ । ବର୍ତ୍ତମାନ ସୁଦ୍ଧା 1.25 କୋଟି ଭାରତୀୟ ଏହି ଓ୍ବେବ୍‌ସାଇଟ୍‌ରେ ଯୋଗ ଦେଇଛନ୍ତି । ଭାରତୀୟ ମାନେ କରୋନା ସହିତ ଲଢୁଛନ୍ତି ଏହା ବ୍ୟତିତ ଅନାହାର ଏବଂ ଦାରିଦ୍ର୍ୟ ସହିତ ମଧ୍ୟ ଲଢିବାକୁ ପଡୁଛି । କରୋନା ସମୟରେ ଦେଶବାସୀ ଦୃଢ ଭାବରେ କରୋନାର ମୁକାବିଲା କରୁଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଗତକାଲି ଦେଶରେ ନୂତନ ଭାବରେ 1990 ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 26496 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 800 ଅତିକ୍ରମ କରି ସାରିଛି ।

ମାସ୍କ ବ୍ୟବହାର ବର୍ତ୍ତମାନ ଦେଶର ପରମ୍ପରା ପାଲିଟିଛି । ଆଗାମୀ ଦିନରେ କରୋନା ସଙ୍କଟ ଦୂର ହେଲେ ମଧ୍ୟ ମାସ୍କର ପରମ୍ପରା ଜାରି ରହିବ ବୋଲି ମୋଦି କହିଛନ୍ତି । ଏହା ସହିତ ମୋଦି ଦେଶବାସୀଙ୍କୁ ରମ୍‌ଜାନ୍‌ ଏବଂ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ସଂକ୍ରମିତ ହେଲେ ବର-କନ୍ୟା, ପୂରା ଗ୍ରାମକୁ କରାଗଲା ସିଲ୍‌

ଆଜମଗଡ : କରୋନା ମହାମାରୀ ସହ ଲଢିବା ପାଇଁ ସାରା ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ଲକ୍‌ ଡାଉନ୍‌ ସମୟରେ ଧାର୍ମିକ କାର୍ଯ୍ୟକ୍ରମ ସମେତ ବିବାହ, ବ୍ରତଘର, ଭୋଜି ଭାତ ଆଦିକୁ ବନ୍ଦ ରଖାଯାଇଛି । କିନ୍ତୁ ଏହି ଲକ୍ ଡାଉନ୍‌ ସମୟରେ ବହୁ ଲୋକେ ସାମାଜିକ ଦୂରତ୍ବ ରଖି ବିବାହ କରୁଛନ୍ତି । କେହି କେହି ଏହାକୁ ଅଣଦେଖା ମଧ୍ୟ କରୁଛନ୍ତି । ଏହି ଲକ୍ ଡାଉନ୍‌ ସମୟରେ ବିବାହ କରିବା ନବଦମ୍ପତିକୁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଦୁହିଁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ପୂରା ଗ୍ରାମକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ୟୁପିର ଆଜଗମଡର ଏହି ନବଦମ୍ପତି ବିବାହ କରି ରାଜସ୍ଥାନ ଚାଲି ଆସିଥିଲେ । ଏଡାରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ଦୁହେଁ କରୋନା ପଜିଟିଭ୍‌ ମିଳିବା ପରେ ସେମାନେ ବିବାହ କରିଥିବା ଗ୍ରାମରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣାଟି ଆଜଗମଡର ଛତରପୁର ଗ୍ରାମରେ ହିଁ ଘଟିଛି । ଏହା ପରେ ସମ୍ପୂର୍ଣ୍ଣ ଗ୍ରାମଟିକୁ ସିଲ୍‌ କରାଯିବା ସହ ସାନିଟାଇଜସେନ୍‌ କରାଯାଉଛି । ଏପ୍ରିଲ୍‌ 14 ତାରିଖରେ ଏହି ଦମ୍ପତି ବିବାହ କରିଥିବାବେଳେ କାର୍‌ ଯୋଗେ ରାଜସ୍ଥାନରେ ପହଞ୍ଚିଥିଲେ । ଦୁହେଁ କରୋନା ସଂକ୍ରମିତ ହେବା ପରେ ଏମାନଙ୍କ ପରିବାରକୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ଏହା ସହିତ ସମ୍ପୂର୍ଣ୍ଣ ଗ୍ରାମକୁ ସିଲ୍‌ କରାଯାଇଛି ।

ବର କନ୍ୟାଙ୍କୁ କରୋନା ସଂକ୍ରମିତ ହେବା ପରେ ଆଜମଗଡରେ ଥିବା ଏକ ପ୍ଲାଣ୍ଟକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । କାରଣ ଏହି ବର କନ୍ୟା ଏହି ପ୍ଲାଣ୍ଟ ନିକଟରେ ରହୁଥିଲେ ।  ଏଠାରେ ଏକ ହାଇଓ୍ବ ନିର୍ମାଣ ପାଇଁ ପ୍ଲାଣ୍ଟ ଚାଲୁ ରହିଛି । ଲକ ଡାଉନ୍‌ କାରଣରୁ ଏହା ବନ୍ଦ ଥିଲା । କିନ୍ତୁ ସରକାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଆଦେଶ ମିଳିବା ପରେ ଏହି ପ୍ଲାଣ୍ଟ ପୁଣିଥରେ କାର୍ଯ୍ୟ ଆରମ୍ଭ କରିଛି । ଗ୍ରାମବାସୀମାନେ ଏହି ପ୍ଲାଣ୍ଟକୁ ବିରୋଧ କରି ସଂକ୍ରମଣ ବଢିବାର ବିପଦ ବୋଲି କହିଛନ୍ତି । ଅପରପକ୍ଷରେ ଏହି ପ୍ଲାଣ୍ଟକୁ ନେଇ ପୋଲିସ୍‌ କହିଛନ୍ତି ଯେ, ପ୍ରଶାସନର ଆଦେଶ ଅନୁସାରେ ଏହି ପ୍ଲାଣ୍ଟଟି କାର୍ଯ୍ୟକ୍ଷମ ହେଉଛି । ଏଠାରେ ସାମାଜିକ ଦୂରତ୍ବ ପାଳନ କରାଯାଉଥିବାବେଳେ ସମସ୍ତ ଶ୍ରମିକମାନେ ମାସ୍କ ପିନ୍ଧି କାର୍ଯ୍ୟ କରୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଆଜି ପବିତ୍ର ଅକ୍ଷୟ ତୃତୀୟା, ମୁଣ୍ଡରେ ହାତଦେଲେ ସୁନା ବେପାରୀ, କରୋନା ପାଇଁ ବେପାର ପୁରା ଠପ୍

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହୋଇଥାଏ। ଏପରିକି ଏହି ଅକ୍ଷୟ ତୃତୀୟାରେ ଚାଷକାମ ଆରମ୍ଭ କଲେ ଭଲ ଫଶଲ ଅମଳ ହେବ ବୋଲି ପୂର୍ବରୁ ବିଶ୍ବାସ ରହିଛି। ସେହିପରି ଏହି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରେ ଧନସଂପତ୍ତି ବୃଦ୍ଧି ଘଟିବ ବୋଲି ମଧ୍ୟ ବିଶ୍ବାସ ରହିଛି। ସେଥିପାଇଁ ଅନେକ ଏହିଦିନ ସୁନାରୂପା ମଧ୍ୟ କିଣିଥାନ୍ତି। ହେଲେ ସେ ସବୁ ବିଶ୍ବାସକୁ ଭାଙ୍ଗି ଚୁରମାର କରିଦେଇଛି କରୋନା ଭାଇରସ।

କରୋନା ଭାଇରସ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ଲାଗୁ ହୋଇଛି ଲକ ଡାଉନ। ଫଳରେ ଦୋକାନବଜାର ସଂପୂର୍ଣ୍ଣ ବନ୍ଦ ରହିଛି। ଏପରି ପରିସ୍ଥିତିରେ ସୁନା ବେପାରୀମାନେ ଯେଉଁ ଆଶା ରଖିଥିଲେ ସେଥିରେ ଫସର ଫାଟିଯାଇଛି। ସୁନା ବ୍ୟବସାୟୀ ସଂଘର ସଦସ୍ୟଙ୍କ ଅନୁସାରେ ସରକାର ବିଭିନ୍ନ ଦୋକାନ ବନ୍ଦ କରିବା ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ହେଲେ ସେଥିରେ ସୁନା ଦୋକାନ ବନ୍ଦ ଉପରେ କୌଣସି କଥା କୁହାଯାଇ ନାହିଁ। ତେବେ ବର୍ତ୍ତମାନ ପରିସ୍ଥିତିରେ ଦୋକାନ ଖୋଲିଲେ ମଧ୍ୟ କେହି ଗରାଖ ଆସିବେ ନାହିଁ। ଅନ୍ୟପଟେ ବର୍ତ୍ତମାନ ସୁନା 10 ଗ୍ରାମକୁ ପ୍ରାୟ 46 ହଜାର ଟଙ୍କା ରହିଥିବାରୁ ଲୋକଙ୍କର ଆଗ୍ରହ ମଧ୍ୟ ରହିବ ନାହିଁ। ଗତ ବର୍ଷ ଫନି ବାତ୍ୟା ସୁନା ବେପାରକୁ ମଧ୍ୟ ଠପ୍ କରିଦେଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ତିନୋଟି ଜିଲ୍ଲାରୁ ଉଠିଲା ସଟ୍‌ଡାଉନ୍‌ କଟକଣା: ଏହିସବୁ ଦୋକାନ ଖୋଲିବା ନେଇ ମିଳିଲା ଅନୁମତି

ଭୁବନେଶ୍ୱର:  ରାଜ୍ୟର ତିନୋଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ 60 ଘଣ୍ଟିଆ ଲକ୍‌ଡାଉନ ଅବଧି ଶେଷ ହୋଇଛି। ଏପ୍ରିଲ 23 ତାରିଖରୁ ରାତ୍ରି 10ଟାରୁ 60 ଘଣ୍ଟିଆ ସଟ୍ ଡାଉନ ଘାେଷଣା କରାଯାଇଥିଲା। ସଟ୍‌ଡାଉନ ଅବଧି ସରିଥିଲେ ବି ଲକଡାଉନ କଟକଣା ପୂର୍ବ ଭଳି ଜାରି ରହିବ ବୋଲି ସୂଚନା ରହିଛି।

ଲକ୍ ଡାଉନ୍‌ ସମୟରେ କେନ୍ଦ୍ର ନିର୍ଦ୍ଦେଶ ମୁତାବକ କିଛି ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏହିକ୍ରମରେ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ କିଛି ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି ।

ଏହି ତିନୋଟି ଜିଲ୍ଲାରେ ସଟ୍‌ଡାଉଡ଼ ଉଠିବା କ୍ଷଣି କିଛି ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।  ତେବେ ଅନୁମତି ଦିଆଯାଇଥିବା ଦୋକାନଗୁଡିକ ମଧ୍ୟରେ ରହିଛି – ବହି ଦୋକାନ, ମୋଟର ସାଇକେଲ୍ ଗ୍ୟାରେଜ୍, ରଡ୍ ସିମେଣ୍ଟ ଦୋକାନ, ତେଜରାତି ଦୋକାନ, ପରିବା ଦୋକାନ । ଏହି ସମସ୍ତ ଦୋକାନ ସକାଳ 6ରୁ ଦିନ ଗୋଟାଏ ଯାଏ ଖୋଲା ରହିବ। ସକାଳ 6ଟାରୁ ରାତି 10ଟାଏ ଯାଏ ଔଷଧ ଦୋକାନ ଖୋଲା ରହିବ । ସେହିପରି ସକାଳ 6ରୁ ସନ୍ଧ୍ୟା 6ଟା ଯାଏ ପେଟ୍ରୋଲ୍‌ ପମ୍ପ ଖୋଲା ରହିବ ।

Categories
ଆଜିର ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 103ରେ ପହଞ୍ଚିଛି : ଜାଣନ୍ତୁ କେଉଁ ଜିଲ୍ଲାରେ କେମିତି ରହିଛି କରୋନା ସ୍ଥିତି

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ବଢିବାରେ ଲାଗିଛି । ଆଜି ରାଜ୍ୟରେ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ସଂଖ୍ୟା 103କୁ ବୃଦ୍ଧି ହୋଇଛି । ଏହି ନୂତନ ତିନି ଆକ୍ରାନ୍ତ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଓଡ଼ିଶାର ମୋଟ୍‌ 30 ଟି ଜିଲ୍ଲା ମଧ୍ୟରୁ 10ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ରୁ 47ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 22 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରୁ ଜଣେ ମୃତ ହୋଇଥିବାବେଳେ 23 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା । ଗତକାଲି ରାତ୍ରିରୁ ଏହି ଜିଲ୍ଲାରୁ 6ଜଣ ନୂତନ ଭାବେ ଚିହ୍ନଟ ହୋଇଥିବାବେଳେ ଏଠାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 18ରେ ପହଞ୍ଚିଛି । ଏହି ଜିଲ୍ଲାରୁ ଜଣେ ସୁସ୍ଥ ହୋଇଥିବାବେଳେ 17ଜଣ ଚିକିତ୍ସାଧୀନ ରହିଛନ୍ତି । ତୃତୀୟ ସ୍ଥାନରେ ରହିଛି ଭଦ୍ରକ ଜିଲ୍ଲା । ଏହି ଜିଲ୍ଲାରେ ସର୍ବମୋଟ୍‌ 16 ଜଣଆକ୍ରାନ୍ତ ରହିଥିବାବେଳେ 2ଜଣ ସୁସ୍ଥ ହୋଇଛନ୍ତି । 14 ଜଣ ଚିକିତ୍ସାଧୀନ ରହିଛନ୍ତି । ସେହିପରି ବାଲେଶ୍ବରରୁ 10 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।   ଅପରପକ୍ଷେ କରୋନା ଆକ୍ରାନ୍ତ ୪ଟି ଜିଲ୍ଲା କଳାହାଣ୍ଡିରୁ 2 ଜଣ , କଟକ, ପୁରୀ ଏବଂ ଢେଙ୍କାନାଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଏମାନେ ସମସ୍ତେ ସୁସ୍ଥ ହୋଇଛନ୍ତି । ଏହି ଚାରୋଟି ଜିଲ୍ଲାରେ କୌଣସି ସକ୍ରିୟ ସଂକ୍ରମିତ ନାହାନ୍ତି।

ସେହିପରି ଗତକାଲି ସୁନ୍ଦରଗଡ ତିନି ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି। ସେପଟେ ଜିଲ୍ଲାରେ ପୂର୍ବରୁ 2ଜଣ ଓ ଗତକାଲି ଜଣେ ସୁସ୍ଥ ହୋଇଥିବାରୁ ଏବେ 3ଟି ଆକ୍ଟିଭ୍ କେଶ୍‌ ରହିଛି।

ରାଜ୍ୟରେ ମୋଟ୍ 103 ଆକ୍ରାନ୍ତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 34 ଜଣ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ 68 ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।

Categories
ଆଜିର ଖବର

ତାସ୍‌ ଖେଳିବା ପଡିଲା ମହଙ୍ଗା : 24 ଜଣେ ହେଲେ ସଂକ୍ରମିତ

ବିଜୟଓ୍ବାଡା : ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି । ଏହି ସମୟରେ ଅବସର ସମୟ ବିନିଯୋଗ କରିବା ପାଇଁ କିଏ ଲୁଡୁ ତ କିଏ ତାସ୍‌ର ସାହାରା ନେଉଛି । କିନ୍ତୁ ଏବେ ଏହି ତାସ୍‌ ଖେଳିବା ବେଶ୍‌ ମହାଙ୍ଗା ସାବ୍ୟସ୍ତ ହୋଇପଡିଛି । ଏହି ତାସ୍‌ ଖେଳିବା ଚକ୍କରରେ 24 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । କୃଷ୍ଣାଜିଲ୍ଲାର ଅଧିକାରୀ ମୋହମ୍ମଦ ଇମ୍‌ତିଆଜ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ମତରେ ବିଜୟଓ୍ବାଡାର ଜଣେ ଟ୍ରକ୍‌ ଚାଳକ ଯୋଗୁଁ ବହୁ ଲୋକ ସଂକ୍ରମିତ ହୋଇଛନ୍ତି । ଏହି ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରାୟ 40 ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

ଏହି ସହରର କୃଷ୍ଣ ଲଙ୍କା ଅଞ୍ଚଳରେ ସମୟ ବିତାଇବା ପାଇଁ ଜଣେ ଟ୍ରକ ଚାଳକ ବନ୍ଧୁ ଓ ପଡେଶୀ ସହିତ ମିଶି କରି ତାସ୍‌ ଖେଳୁଥିଲେ । ସେହି ସମୟରେ ମହିଳାମାନେ ମଧ୍ୟ ଏକାଠି ହୋଇ ଖେଳ ଖେଳୁଥିଲେ । ସାମାଜିକ ଦୂରତ୍ବ ଅଭାବ କାରଣରୁ 24 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଟ୍ରକ୍‌ ଚାଳକ ଜଣକ ସାମାଜିକ ଦୂରତ୍ବ ଉଲ୍ଲଂଘନ କରିଥିଲେ ଏହି କାରଣରୁ 15 ଜଣ କରୋନା କବଳରେ କବଳିତ ହୋଇଛନ୍ତି । ବିଜୟଓ୍ବାଡାରୁ ଏପର୍ଯ୍ୟନ୍ତ 100ଟି କରୋନା ମାମଲା ସାମ୍ନାକୁ ଆସିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚାଲିଛି ଗୁଜବ: ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ

ସିଓଲୋ: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ଙ୍କର ପରଲୋକ ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଲି ନାହିଁ। ହେଲେ ତାଙ୍କର ଗତକାଲି ରାତିରୁ ପରଲୋକ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କେତେକ ତାଙ୍କର ଡାକ୍ତରଖାନାରେ ଥିବା ଫଟୋକୁ ସେୟାର କରିବାରେ ଲାଗିଛନ୍ତି। ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ଖବର ମିଳି ନ ଥିବାର ଜଣାପଡିଛି।

ହେଲେ ନିର୍ଭରଯୋଗ୍ୟ ସୂଚନା ଅନୁସାରେ କିମ୍ ଜଙ୍ଗ ଏକ ଅପରେସନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ଏପରି ପରିସ୍ଥିତି ଦେଖି ଚାଇନ ତରଫରୁ ଏକ ମେଡିକାଲ ଟିମ ପଠାଯାଇଛି ବୋଲି କୁହାଗଲା। ଏହି ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ତଦାରଖ କରିବେ ବୋଲି ଜଣାପଡିଛି। ହେଲେ ଏ ନେଇ ଉତ୍ତର କୋରିଆ ତରଫରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ।

Categories
ବିଶେଷ ଖବର

ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ନ ଦେଇ ଖାଲି ଆଇନ ପ୍ରଣୟନର କିଛି ମୂଲ୍ୟ ନାହିଁ

କେଦାର ମିଶ୍ର  

ଯୁଦ୍ଧ କରିବାକୁ ଗଲାବେଳେ ଖୋଦ ସେନାପତି ଯଦି ଅସୁରକ୍ଷିତ, ତା ହେଲେ କାହା ଭରସାରେ ଆମେ ଯୁଦ୍ଧ ଲଢିବା? କୋଭିଡ-୧୯ ବା କରୋନା ଭୂତାଣୁ ବିରୋଧୀ ସଂଗ୍ରାମରେ ଯେଉଁମାନେ ଆମର ଆଗୁଆ ଯୋଦ୍ଧା ସେମାନେ କେତେ ଦୂର ସୁରକ୍ଷିତ? କେହି କେହି କହିପାରନ୍ତି, ସରକାର ତ ଏହି ସଂଗ୍ରାମର ମୁଖ୍ୟ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ କେତେ କଣ ସୁବିଧା ଯୋଗାଇଛନ୍ତି। ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆମେ ଗତ ମାର୍ଚ୍ଚ ୨୨ ତାରିଖ ଦିନ ୫ ଟା ସମୟରେ ୫ ମିନିଟ ତାଳି ଓ ଥାଳି ବଜେଇ, କୀର୍ତ୍ତନ କରି କୃତଜ୍ଞତା ଜଣାଇଛୁ। ପୁଣି ଏପ୍ରିଲ ୫ ତାରିଖରେ ୯ ଟାରେ ୯ ମିନିଟ ଯାଏ ଦୀପ ଜଳାଇ ଓ ବାଣ ଫୁଟେଇ ସମ୍ବର୍ଦ୍ଧନା ଦେଇଛୁ। ତାପରେ ଭାରତ ସରକାର ଏକ ଅଧ୍ୟାଦେଶ ଆଣି ଯେଉଁମାନେ ଡାକ୍ତର ତଥା ସ୍ଵାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କରିବେ ସେମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ମରଣୋପରାନ୍ତ ୫୦ ଲକ୍ଷର ବୀମା ଓ ଶହୀଦ ହେବାର ମାନ୍ୟତା ଦିଆ ଯାଇଛି।  ୟା ପରେ ବି ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଅସୁରକ୍ଷିତ ବୋଲି କହିବାର କାରଣ କଣ?

ସତ କଥା ହେଉଛି, କରୋନା ଭୂତାଣୁ ସହ ଲଢୁଥିବା ଆମର ସ୍ଵାସ୍ଥ୍ୟକର୍ମୀମାନେ ଏବେ ଚାରି ଦିଗରୁ ଆକ୍ରମଣର ଶିକାର ହେଉଛନ୍ତି। ଡାକ୍ତରଖାନାରେ ସେମାନଙ୍କ ଲାଗି ପର୍ୟାପ୍ତ ପରିମାଣରେ ସୁରକ୍ଷା ସୁଟ ବା ପିପିଇ ନାହିଁ। ସେମାନଙ୍କୁ ଯେତେ ପରିମାଣରେ ଏନ-୯୫ ମୁଖା ଦରକାର ସେତକ ଯୋଗାଇଦେବାରେ ଆମେ ବିଫଳ ହୋଇଛୁ। ଏହାର ପ୍ରଥମ କାରଣ ହେଉଛି, ଏ ସବୁ ଉପକରଣ ଆମେ ଭାରତରେ ତିଆରି କରି ପାରୁନାହୁଁ। ଚୀନ ଓ ଦକ୍ଷିଣ କୋରିଆରୁ ଏହାକୁ ଆମଦାନୀ କଲାବେଳେ ସେସବୁ ପହଞ୍ଚିବାରେ ବିଳମ୍ବ ହେଉଛି। ଯଦିବା ଏହା ପହଞ୍ଚୁଛି, ସେଥିରୁ ଅନେକ ରଦ୍ଦି ଓ ନିମ୍ନ ମାନର ବୋଲି ଜଣା ପଡୁଛି। କରୋନା କଥା ଉଠିଲା ବେଳେ ଏ ସବୁ ସରଞ୍ଜାମ ଆଗରୁ ଯୋଗାଡ କରି ରଖିବାର ଦାୟିତ୍ଵବୋଧ ଆମର ନଥିଲା କି?

ଆବଶ୍ୟକୀୟ ସୁରକ୍ଷା ଉପକରଣ ନଥିବାରୁ ଦେଶରେ ଶତାଧିକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ଭୂତାଣୁ ଆକ୍ରାନ୍ତ ହୋଇପଡିଛନ୍ତି। ସର୍ବ ପ୍ରଥମ ସ୍ୱାସ୍ଥ୍ୟକର୍ମୀ ଭାବରେ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର  ଇନ୍ଦୋର ସହରର  ଡାକ୍ତର ଶତୃଘ୍ନ ପଞ୍ଜବାଣୀ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ତା ପୂର୍ବରୁ କର୍ଣ୍ଣାଟକରେ କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ଜଣେ ଡାକ୍ତରଙ୍କୁ କରୋନା ଭୁତାଣୁ ଧରିଥିଲା। ଏହା ବଢି ବଢି ଏବେ ଶହେ ରୁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଧରି ସାରିଲାଣି। କରୋନା ସଂକ୍ରମଣ ସମୟରେ କାମ କରୁଥିବା ପୋଲିସ, ସାମ୍ବାଦିକ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହେଉଛନ୍ତି।

ଗୋଟିଏ ପାଖରେ ଡାକ୍ତରଖାନା ଗୁଡିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମଣର ଶିକାର ହେଉଥିବା ବେଳେ, ବାହାରେ ସେମାନେ ସାଧାରଣ ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ ଏମିତି ଅନେକ ଘଟନା ଏବେ ଲୋକଲୋଚନକୁ  ଆସିଛି। ଲୋକଙ୍କ ସେବା ଓ ସୁରକ୍ଷା ପାଇଁ ଯାଉଥିବା ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ସାଧାରଣ ଲୋକ ଆକ୍ରମଣ କରିବାର କାରଣ କଣ?

ଏ ସମ୍ପର୍କରେ କହିବାକୁ ଯାଇ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ଗୁଲେରିଆ ଯେଉଁ କାରଣ ଦର୍ଶାଇଛନ୍ତି, ତାହା ଅତ୍ୟନ୍ତ ଉଦ୍ବେଗଜନକ। ଲୋକଙ୍କ ମନରେ କରୋନାକୁ ନେଇ ଭୟ, ଆତଙ୍କ ଓ ଅନ୍ଧ ବିଶ୍ଵାସ ବଢି ବଢି ଚାଲିଛି। କରୋନା ଭୂତାଣୁକୁ ନେଇ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି, ଏହାକୁ ନେଇ ଗଣମାଧ୍ୟମରେ ବଢି ଚାଲିଥିବା ଅପପ୍ରଚାର। ତବଲିଗି ଜମାତ ଘଟନା ପରେ ଏକ ନିର୍ଦ୍ଦିଷ୍ଟ ଧର୍ମର କରୋନା ଆକ୍ରାନ୍ତଙ୍କ ପ୍ରତି ଆମର ଗଣମାଧ୍ୟମ ଏକ ପ୍ରକାର ଆତଙ୍କବାଦୀ ଭଳି ବ୍ୟବହାର ଆରମ୍ଭ କରିଥିଲା। ଯେଉଁମାନେ ଏହି ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ ସେମାନଙ୍କ ମନରେ ବିଶ୍ଵାସ ଓ ଆଶ୍ଵାସନା ଜନ୍ମାଇବା ପରିବର୍ତ୍ତେ ସେମାନଙ୍କୁ ଏକପ୍ରକାର ଆତଙ୍କବାଦୀ ବା ଅପରାଧୀ ଭଳି ଚିତ୍ରଣ କରାଗଲା। ଯାହାର ପରିଣତି ସ୍ୱରୂପ ଆମେ ଦେଖିଲୁ ଲୋକେ ଭୟରେ ରୋଗ ଲୁଚାଇବା ଆରମ୍ଭ କଲେ।

ପୁନଶ୍ଚ କରୋନାକୁ ନେଇ ଅତ୍ୟଧିକ ଗୁଜବ ଓ ଅନ୍ଧବିଶ୍ଵାସ ମଧ୍ୟ ବଢି ଚାଲିଛି। ଏହା ଅତ୍ୟଧିକ ସଂକ୍ରାମକ ଏକ ରୋଗ, ହେଲେ ଏଥିରେ ମୃତ୍ୟୁ ସଂଖ୍ୟା ଅତ୍ୟନ୍ତ ସୀମିତ ବୋଲି ବୁଝାଇବାରେ ଆମେ ବିଫଳ ହୋଇଛୁ। ଅର୍ଥାତ କରୋନା ହେଲେ ଯେ ଜଣେ ମରିଯିବ, ତାହା ନିତାନ୍ତ ଭ୍ରାନ୍ତ ଧାରଣା। ଆଉ ଏକ ସମସ୍ୟା ଭାବରେ ଭାରତରେ ୮୦ ଭାଗ କରୋନା ଆକ୍ରାନ୍ତଙ୍କ ଦେହରେ କୌଣସି ଲକ୍ଷଣ ଦେଖା ଯାଉନାହିଁ। ଜ୍ଵର, କାଶ, ସର୍ଦ୍ଦି, ଦେହବିନ୍ଧା ଇତ୍ୟାଦି କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ବଡ ଭାଗ ଆକ୍ରାନ୍ତଙ୍କ ଦେହରେ ଭୂତାଣୁ ଅନୁପ୍ରବେଶ କରୁଛି। ତେଣୁ ଏହା ଲୋକଙ୍କୁ ଅଧିକ ଅସତର୍କ ଓ ସନ୍ଦେହୀ କରୁଛି। ମୋର ତ କୌଣସି ରୋଗର ଲକ୍ଷଣ ନାହିଁ ଭାବି ଆକ୍ରାନ୍ତ ଅଯଥାରେ ହିଂସ୍ର ହେଉଛି। ଧର୍ମ ଭିତ୍ତିରେ ଅସୁରକ୍ଷାର ଭାବନା ମଧ୍ୟ ଲୋକଙ୍କୁ ହିଂସ୍ର କରୁଛି।

ଗଣମାଧ୍ୟମ ଓ ସୋସିଆଲ ମିଡିଆର ଅପପ୍ରଚାରର ଫଳ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନେ ଭୋଗୁଛନ୍ତି। ଡାକ୍ତରଖାନାରେ ସେମାନଙ୍କୁ ପର୍ୟାପ୍ତ ସୁରକ୍ଷା ମିଳୁନାହିଁ। ପରିବାରଠୁ ମାସ ମାସ ଧରି ଦୂରେଇ ରହିବା ଫଳରେ ସେମାନଙ୍କ ମାନସିକ ଚାପ ବଢୁଛି। ସବୁଠୁ ଭୟଙ୍କର ଭାବରେ ରୋଗୀ ଚିହ୍ନଟ ବେଳେ ସେମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡୁଛି। ଯେଉଁମାନେ ଏହି ବିପଦ ସମୟରେ ଆମପାଇଁ ଭଗବାନ ଭଳି କାମ କରୁଛନ୍ତି, ସେମାନଙ୍କ ପ୍ରତି ଆମ ସମାଜରେ ଭୟ ଓ  ହିଂସା ର ବାତାବରଣ ସୃଷ୍ଟି ହେବା, ଅତ୍ୟନ୍ତ ପରିତାପର ବିଷୟ।

କେବଳ ଆଇନ ପ୍ରଣୟନ କରିଦେଲେ, ବା ତାଳି ବା ଥାଳି ବଜାଇଦେଲେ, କିମ୍ବା ସେମାନଙ୍କୁ ମଲାପରେ ଶହୀଦର ମର୍ୟାଦା ଦେଇଦେଲେ, ସେମାନେ ସୁରକ୍ଷିତ ରହିପାରିବେ ନାଇଁ। ସେମାନଙ୍କୁ ଡାକ୍ତରଖାନାରେ ଓ ବାହାରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ଆମର ପ୍ରାଥମିକ ଦାୟିତ୍ଵ। ଗଣମାଧ୍ୟମରେ କରୋନାକୁ ନେଇ ଭୟ ଓ ବିଭ୍ରାନ୍ତି ରୋକିବା ମଧ୍ୟ ସରକାରଙ୍କର ସବୁଠୁ ବଡ ଦାୟିତ୍ଵ ହେବା ଉଚିତ। କରୋନା ଆଳରେ ସାମ୍ପ୍ରଦାୟିକ ରାଜନୀତି କିମ୍ବା ବିଭାଜନର ବିଷମଞ୍ଜି ଯେମିତି ବୁଣାଯାଉଛି, ସେଥିରେ ଆମ ସ୍ଵାସ୍ଥ୍ୟକର୍ମୀଙ୍କ ଜୀବନ ଅଧିକରୁ ଅଧିକ ବିପନ୍ନ ହେଉଛି।

Categories
ଆଜିର ଖବର ଜାତୀୟ ଖବର

କରୋନା ମୃତ୍ୟୁସଂଖ୍ୟା 800 ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମାମଲା ବଢିବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 26 ହଜାର 496  ଛୁଇଁଥିବାବେଳେ ମୃତ୍ୟୁସଂଖା 800 ଟପିଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ରାଜଧାନୀ ଦିଲ୍ଲୀରେ ଏହି ଭୟାନକ କରୋନା  ଯୋଗୁଁ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ 824 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 5804ଜଣ।

କେଉଁ ରାଜ୍ୟର କେତେ ରହିଛି ମୃତ୍ୟୁ ସଂଖ୍ୟା

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ 323ଜଣଙ୍କର ମୃତ୍ୟୁହୋଇଥିବାବେଳେ ମଧ୍ୟପ୍ରଦେଶରେ 99, ଗୁଜୁରାଟରେ 133, ଦିଲ୍ଲୀରେ 54, ତାମିଲନାଡୁରେ 23, ତେଲେଙ୍ଗାନାରେ 23, ତେଲେଙ୍ଗାନାରେ 26, ଆନ୍ଧ୍ରପ୍ରଦେଶରେ 21, କର୍ଣ୍ଣାଟକରେ 18, ଉତ୍ତରପ୍ରଦେଶ 27, ପଞ୍ଜାବରେ 17, ପଶ୍ଚିମବଙ୍ଗରେ 18, ରାଜସ୍ଥାନରେ 33, ଜମ୍ମୁକାଶ୍ମୀରରେ 6, ହରିୟାଣା 3, କେରଳରେ 4, ଝାଡଖଣ୍ଡରେ ତିନି, ବିହାରରେ 2, ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଓ ଓଡ଼ିଶାରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି।

ଦେଶରେ ଜାରି ରହିଥିବା ଲକ୍ ଡାଉନ୍‌ ମଧ୍ୟରେ କିଛି ଦୋକାନ ଖୋଲିବାକୁ ଅନୁମତି  ପ୍ରଦାନ କରାଯାଇଛି। ତେବେ ସପିଂ ମଲ୍‌, ବଡ ବଡ ମାର୍କେଟ୍‌ କମ୍ପ୍ଲେକ୍ସ ଆଦିକୁ ଅନୁମତି ଦିଆଯାଇନାହିଁ। ତେବେ ପାର୍ଲର, ସେଲୁନ୍‌, ଫାଷ୍ଟଫୁଡ୍‌, ମଦ ଦୋକାନ ଆଦିକୁ ଖୋଲିବାକୁ ଅନୁମତି ଦିଆଯାଇନାହିଁ। (ଏଜେନ୍ସି)

Categories
ଆଞ୍ଚଳିକ

ଜଙ୍ଗଲ ଛାଡି ଗାଁରେ ବୁଲୁଛନ୍ତି ହରିଣ: ତିର୍ତ୍ତୋଲ ସାଆଁସ ଗୋବିନ୍ଦପୁରରୁ ଏକ ହରିଣ ଉଦ୍ଧାର

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ସାଆଁସ ଗ୍ରାମରୁ ଶନିବାର ଅପରାହ୍ନରେ ଏକ ହରିଣ ଉଦ୍ଧାର ହୋଇଛୁ। ସୂଚନାନୁଯାୟୀ ଶନିବାର ଦିନ ପ୍ରାୟ ୨ଟା ସାଢେ ୨ଟା ସମୟରେ ସାଆଁସ ଖରଖରି ଗ୍ରାମର ଭର୍ସଙ୍ଘ ପୋଖରୀ ନିକଟସ୍ଥ (ଲାଞ୍ଜି)ଦଣ୍ଡା ନିକଟରେ ଜନୈକ ବ୍ୟକ୍ତି ଛେଳି ଚରାଉଥିବା ବେଳେ ନିକଟସ୍ଥ ବିଲରେ ଏକ ହରିଣ ବୁଲୁଥିବାର ଦେଖି ଲୋକଙ୍କୁ ଡାକପକାଇବାରୁ ଗ୍ରାମର କିଛି ଲୋକ ସେଠାରେ ପହଞ୍ଚି ହରିଣକୁ ଧରିବା ପରେ ହରିଣକୁ ଗାଁ ଦାଣ୍ଡରେ ବାନ୍ଧି ତିର୍ତ୍ତୋଲ ପୋଲିସକୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ।

ତୁଣ୍ଡ ବାଇଦ ଶହସ୍ର କୋଷ ଭଳି ଏମିତିକି ଏହି ଘଟଣା ବିଜୁଳି ବେଗରେ ଚାରିଆଡେ ପ୍ରଚାର ହୋଇଯିଵାରୁ ନିକଟସ୍ଥ ବିଭିନ୍ନ ପଞ୍ଚାୟତର ଲୋକମାନେ ଏହି ହରିଣକୁ ଦେଖିବାକୁ ସେଠାରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା।ଅପରାହ୍ନ ୪ଟା ସାଢେ ୪ଟା ବେଳେ ତିର୍ତ୍ତୋଲ ପୋଲିସ୍ ଘଟଣା ସ୍ଥଳରେ ପହଂଚି ବନବିଭାଗକୁ ହରିଣ ସମ୍ପର୍କରେ ଜଣାଇଥିଲେ।କିଛି ସମୟ ପରେ ବନବିଭାଗର ଜଗତସିଂହପୁର ଫରେଷ୍ଟର୍ ରାଜେନ୍ଦ୍ର ସାମନ୍ତରାୟ, ରାହାମା ଫରେଷ୍ଟର ସୁକାନ୍ତ ବେହେରା, କିଲିପାଳ ଫରେଷ୍ଟଗାର୍ଡ ଉଲ୍ଲାସ ସ୍ୱାଇଁ ଓ ଧଳତଙ୍ଗଗଡ ପାରା ଷ୍ଟାଫ୍ ଉକ୍ତ ଗ୍ରାମରେ ପହଂଚି ହରିଣଟିକୁ ଉଦ୍ଧାର କରି ନିକଟସ୍ଥ ଧଳତଙ୍ଗଗଡ ଜଙ୍ଗଲରେ ଛାଡିଥିବା ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ଷ୍ଟେସନ ପାଖ ଏନ୍‌ଏଚ୍‌ରେ ଦୁର୍ଘଟଣା: ଟ୍ରକ ପଛପଟୁ ଧକ୍କା ଦେଲେ ଟ୍ରକ

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଚିଲିକା ଷ୍ଟେସନ ପାଖ ଏନ୍‌ଏଚ୍‌ରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାତ୍ରି ୨ଟା ସମୟରେ ଓଆର ୦୯ ଏନ ୫୮୨୮ ନମ୍ବରର ଆଇରନ ବୋଝେଇ ଟ୍ରକ କେନ୍ଦୁଝରରୁ ଗୋପାଳପୁର ପୋର୍ଟ ଅଭିମୁଖେ ଯାଉଥିବା ସମୟରେ ଚିଲିକା ଷ୍ଟେସନ ପାଖ ରାଜରାସ୍ତା ଉପରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛଆଡ଼ୁ ଧକା ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ ପହଂଚି ଗାଡି ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗାଡ଼ି ଚାଳକ କ୍ୟାବିନ ଭିତରେ ଚାପି ହୋଇ ରହିଥିବା ଦେଖିଥିଲେ। ସେ ତୁରନ୍ତ ବାଲୁଗାଁ ଅଗ୍ନିଶମ ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ଜେନାକୁ ଯୋଗାଯୋଗ କରିଥିଲେ।

ଅଗ୍ନିଶମ ଅଧିକାରୀ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି କ୍ୟାବିନକୁ ଯନ୍ତ୍ରପାତି ଦ୍ୱାରା କାଟିକରି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡ୍ରାଇଭରର ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ସହ ଡାହାଣ ଗୋଡ଼ଟି ଗୁରୁତର ଫ୍ୟାକଚର ହୋଇଯାଇଛି, ଏବଂ ବାମ ଗୋଡ଼ ଓ ହାତ ଫ୍ୟାକଚର  ହୋଇଯାଇଛି। ପ୍ରାଥମିକ ଚିକିତ୍ସା କରି ତାଙ୍କୁ ଗୁରୁତର ଭାବରେ ରାତି ୪ଟା ସମୟରେ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରାକେଶ ପଣ୍ଡା ସୂଚନା ଦେଇଛନ୍ତି । ଗୁରୁତର ହୋଇଥିବା ଡ୍ରାଭଇରଙ୍କ ନାମ  ମନୋଜ କୁମାର ମାଢି । ୩୫ ବର୍ଷୀୟ ଏହି ଯୁବକଙ୍କର ଘର କେନ୍ଦୁଝରର ମର୍ଚିପଡା ଗ୍ରାମରେ। ନାଭାଲ ଫାଣ୍ଡି ଅଧିକାରୀ ଓ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଘଟଣାର ତଦନ୍ତ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ତିନି ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛନ୍ତି। ରାଉରକେଲାରୁ ତିନି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇଥିବାବେଳେ ଆଜି ତିନିଜଣ ସେଠାରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡର ନୂଆ ତିନି ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର। ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ 23 ବର୍ଷୀୟ ଯୁବକ, 60 ବର୍ଷୀୟ ବୃଦ୍ଧ ଓ 57 ବର୍ଷୀୟ ମହିଳା ଆକ୍ରାନ୍ତ ରହିଛନ୍ତି। ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଦୁଇ ନୂଆ ଆକ୍ରାନ୍ତ। ଅନ୍ୟ ଜଣେ ନୂଆ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଇଛି। ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଶହେ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ରାଜ୍ୟରେ ଆଉ ନୂଆ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ସମସ୍ତ ୬ ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ସୂଚନାମିଳିଛି। ଏମାନେ ସମସ୍ତେ ନିକଟ ଅତୀତରେ ପଶ୍ଚିମ ବଙ୍ଗରୁ ଫେରିଥିଲେ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆ ଯାଇଛି। ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି।

ଏହି ୬ ଜଣଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦କୁ ବୃଦ୍ଧି ଘଟିଛି। ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୪ ରେ ପହଞ୍ଚିଛି।

ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଏହି ତିନୋଟି ଜିଲ୍ଲାରେ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଆଉ ନୂଆ 5 ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ସମସ୍ତ  5 ଜଣ ଆକ୍ରାନ୍ତ ହେଉଛନ୍ତି ଯାଜପୁର ଜିଲ୍ଲାର ଜଣାପଡିଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 17କୁ ବୃଦ୍ଧି ହୋଇଛି । ଏହି ସମସ୍ତ ଆକ୍ରାନ୍ତ ଯାଜପୁରର ଦଶରଥପୁର ବ୍ଲକର ବୋଲି ଜଣାପଡିଛି । କଟିକଟା  ପଞ୍ଚାୟତର କଟିକଟା ଗ୍ରାମର ଚାରିଜଣ ଆକ୍ରାନ୍ତ ରହିଥିବାବେଳେ ମଲ୍ଲିକାପୁର ପଞ୍ଚାୟତରୁ ଜଣେ ରହିଛନ୍ତି ।

ଏହି ପାଞ୍ଚ ଜଣଙ୍କୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 99କୁ ବୃଦ୍ଧି ଘଟିଛି । ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁସ୍ଥଙ୍କ ସଂଖ୍ୟା 34ରେ ପହଞ୍ଚିଛି ।

ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ହେତୁ ଏହି ତିନୋଟି ଜିଲ୍ଲାରେ 60 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ ଲରି ଚାଳକମାନଙ୍କ ପାଇଁ ସରକାର ଜାରୀ କଲେ ଗାଇଡ ଲାଇନ

ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ/ଲରି ଡ୍ରାଇଭରମାନଙ୍କ ପାଇଁ କରଣୀୟ ଏବଂ ବର୍ଜନୀୟ କାର୍ଯ୍ୟ ଦର୍ଶାଉଥିବା ଏକ ଆନିମେସନ ଭିଡିଓ ଚିତ୍ରଣ ଜାରି କରାଯାଇଛି। ଏହି ଆନିମେସନରେ ଲୋକମାନଙ୍କୁ ଟ୍ରକ/ଲରି ଡ୍ରାଇଭରମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଲାଗି ଆହ୍ବାନ କରାଯାଇଛି। କାରଣ କୋଭିଡ-19 ନିୟନ୍ତ୍ରଣ କରିବା ଏବଂ ଜୀବନ ରକ୍ଷା ନିମନ୍ତେ ସରକାରଙ୍କୁ ଲକଡାଉନ ଅବଧି ବଢ଼ାଇବାକୁ ପଡ଼ିଥିବା ବେଳେ ଏମାନେ ଆମ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରି ଆମର ଜୀବନକୁ ସହଜ କରିବାରେ ନିୟୋଜିତ ଅଛନ୍ତି।

ଅତ୍ୟନ୍ତ ଆକର୍ଷଣୀୟ ଆନିମେସନ ଜରିଆରେ କରଣୀୟ ବର୍ଜନୀୟ କାର୍ଯ୍ୟକୁ ଦର୍ଶାଯାଇଛି: 

  • ନୋଭେଲ କରୋନା ଭୂତାଣୁ ରୋଗ (କୋଭିଡ-19) ଠାରୁ ସୁରକ୍ଷା
  • ଟ୍ରକ/ଲରି ଡ୍ରାଇଭରମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ସହଯୋଗ କରନ୍ତୁ, ଯେଉଁମାନେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଣ ଜାରି ରଖିଛନ୍ତି।
  • ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖନ୍ତୁ ଓ ସୁରକ୍ଷା ନିୟମ ପାଳନ କରନ୍ତୁ।

କରିବେ :

  • ନିଜକୁ ପରିଷ୍କାର ରଖନ୍ତୁ
  • ଯେତେବେଳେ ସୁଯୋଗ ମିଳୁଛି, ସାବୁନ ଓ ପାଣିରେ ଅତି କମରେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୂଅନ୍ତୁ
  • ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରିବା ସମୟରେ ମାସ୍କ ନିଶ୍ଚିତ ଭାବେ ପିନ୍ଧନ୍ତୁ
  • ମାସ୍କ ବ୍ୟବହାର କରିସାରିବା ପରେ ତା’କୁ ସାବୁନ ଓ ପାଣିରେ ଧୋଇ ଶୁଖାଇ ଦିଅନ୍ତୁ
  • ନିଜ ଗାଡ଼ିରେ ସବୁବେଳେ ସାନିଟାଇଜର ରଖନ୍ତୁ
  • ଗାଡ଼ି ଚଳାଇବା ସମୟରେ/ଗାଡ଼ିରୁ ବାହାରକୁ ଆସିବା ସମୟରେ 70 ପ୍ରତିଶତ ଆଲକହଲଯୁକ୍ତ ସାନିଟାଇଜରରେ ହାତ ସଫା କରନ୍ତୁ
  • ନିର୍ଦ୍ଧାରିତ ନିୟମ ଅନୁଯାୟୀ ଗାଡ଼ିରେ ନିଜ ସହିତ ସହାୟକ ଓ ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କାହାକୁ ନେଇ ଯାତ୍ରା କରନ୍ତୁ ନାହିଁ
  • ପରସ୍ପର ଠାରୁ ଉଚିତ ଦୂରତ୍ବ ରକ୍ଷା କରନ୍ତୁ।
  • ଚେକ ପୋଷ୍ଟ/ଲୋଡିଂ-ଅନଲୋଡିଂ ପଏଣ୍ଟ/ଢାବା ଆଦି ସ୍ଥାନରେ ଅନ୍ୟ ଲୋକମାନଙ୍କ ନିକଟତର ହୁଅନ୍ତୁ ନାହିଁ
  • ନିଜ ଗାଡ଼ିକୁ ସବୁଦିନ ସାନିଟାଇଜ କରନ୍ତୁ

କରିବେ ନାହିଁ 

  • ଚିରା/ପୁରୁଣା ଏବଂ ଅନ୍ୟ କାହାର ମାସ୍କ ବ୍ୟବହାର କରନ୍ତୁ ନାହିଁ
  • ନିଜ ଗାଡ଼ିରେ ଜଣଙ୍କ ଠାରୁ ଅଧିକ ସହାୟକଙ୍କୁ ବସାଇବାର ଅନୁମତି ଦିଅନ୍ତୁ ନାହିଁ
  • ଅଧିକ ଲୋକଙ୍କ ସହିତ ମିଳାମିଶା କରନ୍ତୁ ନାହିଁ
  • ନିଜର ପରିଚ୍ଛନ୍ନତାକୁ ଅଣଦେଖା କରନ୍ତୁ ନାହିଁ

ଆସନ୍ତୁ, ଆମେ ସମସ୍ତେ ପରସ୍ପରର ଯତ୍ନ ନେବା ଏବଂ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା।

Categories
ଆଜିର ଖବର ରାଜ୍ୟ ଖବର

କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ : ଦେଶରେ କରୋନା ଭାଇରସ୍‌ ଯୋଗୁଁ ଜାରି ହୋଇଛି ଲକ୍‌ ଡାଉନ୍‌। ଏହି ଲକ୍‌ ଡାଉନ୍‌ରେ ବଳି ପଡିଛି ଆମର ପର୍ବ ପର୍ବାଣୀ। ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପର୍ବ ପର୍ବାଣୀ ମଧ୍ୟ ଏହି ଲକ୍‌ ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛି । ତେବେ ବିଧି ରକ୍ଷା ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କୁଣ୍ଡରେ ଛୋଟ ପ୍ରତୀକାତ୍ମକ ନୌକା ରଖାଯାଇ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା କରାଯିବ। ସେହିପରି ଚନ୍ଦନ ପାଇଁ ମହାଲକ୍ଷ୍ମୀଙ୍କ ରୋଷଶାଳାରେ ପ୍ରସ୍ତୁତ ହେବ ମାଣ୍ଡୁଅ ଭୋଗ। ଚନ୍ଦନ ଯାତ୍ରା ପାଇଁ 2ଟି ଅସ୍ଥାୟୀ କୁଣ୍ଡରେ ନୀତିକାନ୍ତି ପାଳନ ହେବ ।

ସେହିପରି ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। କାଲିର ଦିନରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ସେହିପରି ଲକ୍‌ ଡାଉନ୍‌କୁ ନେଇ ଏଥିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଏହି ସମସ୍ତ ନୀତି ମନ୍ଦିର ପରିସର ମେଘନାଦ ପାଚେରୀ ମଧ୍ୟରେ କରାଯିବ। 3ଟି ଧଉରା କାଠରେ ଶ୍ରୀମନ୍ଦିର ଭିତରେ ରଥ ଅନୁକୂଳ ନୀତି ଅନୁଷ୍ଠିତ ହେବ। ସେବାୟତ, ପୁରୋହିତଙ୍କ ଜିଲ୍ଲାପାଳଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।