ନୂଆଦିଲ୍ଲୀ: ଯଦି ଆପଣ ପେଟ୍ରୋଲ୍ ଗାଡ଼ି ବ୍ୟବହାର କରୁଛନ୍ତି, ତେବେ ଏ ଖବର ଆପଣଙ୍କ କାମର। କର୍ଣ୍ଣାଟକରେ ପେଟ୍ରୋଲ୍ ଯାଞ୍ଚରେ ଇଥାନଲ୍ ମାତ୍ରା ନିର୍ଦ୍ଧାରିତ ସୀମାଠୁ ବହୁତ ଅଧିକ ମିଳିଛି। ଗୋଟିଏ ନମୁନାରେ ୩୧.୨% ଇଥାନଲ୍ ମିଳିଥିବା ବେଳେ ଇ-୨୦ ପେଟ୍ରୋଲରେ ଏହା ୨୦% ରହିବା କଥା।
କର୍ଣ୍ଣାଟକ ସରକାର ରାଜ୍ୟର ୭ଟି ଜିଲ୍ଲା – ବେଙ୍ଗାଲୁରୁ, କୋଲାର, ଚିକ୍କବଲ୍ଲାପୁର, ବେଙ୍ଗାଲୁରୁ ଗ୍ରାମୀଣ, ରାମନଗର, ମଙ୍ଗାଲୁରୁ ଓ ତୁମକୁରୁରୁ ପେଟ୍ରୋଲର ୧୪ଟି ନମୁନା ସଂଗ୍ରହ କରିଥିଲେ। ଖାଦ୍ୟ, ନାଗରିକ ଯୋଗାଣ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରିଜ୍ୱାନ୍ ଅର୍ଶଦ୍ଙ୍କ ନିର୍ଦ୍ଦେଶରେ ବେଙ୍ଗାଲୁରୁର NABL ମାନ୍ୟତାପ୍ରାପ୍ତ ଓ ISO ପ୍ରମାଣିତ ଶ୍ରୀରାମ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ରେ ଏହାର ଯାଞ୍ଚ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ, ୧୪ଟି ମଧ୍ୟରୁ ୧୧ଟି ନମୁନାରେ ଇଥାନଲ୍ ମାତ୍ରା ୨୦% ରୁ ଅଧିକ ମିଳିଛି।
ଅନ୍ୟପକ୍ଷରେ ୩ଟି ନମୁନାରେ ମାତ୍ରା ୨୦% ରୁ କମ୍ ଥିଲା – BPCL ୧୯.୯%, MRPL ୧୯.୨% ଓ ସେଲ୍ ୧୩.୫%।
ଗାଡ଼ିକୁ କେମିତି କ୍ଷତି?
ରାଜ୍ୟ ସରକାରଙ୍କ ଆଶଙ୍କା, ଇ-୨୦ ଠୁ ଅଧିକ ଇଥାନଲ୍ ଥିବା ପେଟ୍ରୋଲ୍ ବ୍ୟବହାର କଲେ ଗାଡ଼ିର ମାଇଲେଜ୍ କମିଯିବ। ଏହା ସହ ଫ୍ୟୁଏଲ୍ ପମ୍ପ, ଇଞ୍ଜେକ୍ଟର, ଫିଲ୍ଟର, ହୋଜ୍ ଓ ସିଲ୍ ଭଳି ଜରୁରୀ ପାର୍ଟସ୍ ଖରାପ ହୋଇପାରେ।
ଏହା ପରେ କର୍ଣ୍ଣାଟକ ସରକାର ତେଲ କମ୍ପାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗାଡ଼ି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ସରକାରଙ୍କ ଅଭିଯୋଗ, ପେଟ୍ରୋଲ୍ ପମ୍ପରେ ଇ-୨୦ ନାଁରେ ଅଧିକ ଇଥାନଲ୍ ମିଶା ପେଟ୍ରୋଲ୍ ବିକ୍ରି କରାଯାଉଛି।


