ଜିଲ୍ଲାସ୍ତରୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ନୀତି ଆୟୋଗର ଅନୁଧ୍ୟାନ ରିପୋର୍ଟ ଉନ୍ମୋଚିତ

Published: Dec 11, 2021, 10:29 am IST

ନୂଆଦିଲ୍ଲୀ: ନୀତି ଆୟୋଗ ପକ୍ଷରୁ ଦେଶର ଦ୍ୱିତୀୟ ଓ ତୃତୀୟସ୍ତର ଚିକିତ୍ସା ସେବା କ୍ଷେତ୍ର ଏବଂ ଜିଲ୍ଲାସ୍ତରର ଜରୁରୀକାଳୀନ ତଥା ଆଘାତ ଚିକିତ୍ସା ସେବା ସମ୍ପର୍କରେ ଦୁଇଟି ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଦୁଇଟିରେ ବ୍ୟାପକ ତଥ୍ୟାବଳୀ ରହିଛି। ଗୋଟିଏ ରିପୋର୍ଟ ଦ୍ୱୟରେ ମାଧ୍ୟମିକ ଓ ତୃତୀୟକ ସ୍ୱାସ୍ଥ୍ୟ ସେବା ସୁବିଧା ସମ୍ପର୍କରେ ହୋଇଥିବାବେଳେ ଅନ୍ୟଟି ଜିଲ୍ଳାସ୍ତରୀୟ ଜରୁରୀ ଓ ଆଘାତଜନିତ ଚିକିତ୍ସାସେବା ଯୋଗାଣ ତଥା ଯତ୍ନ ଉପରେ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଦ୍ୱୟରେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଯୋଗାଣର ପରିସର, ସ୍ଥିତି, ଏହା ଉପରେ ନିର୍ଭର କରୁଥିବା ରୋଗୀଙ୍କ ବୋଝ, ବିଶେଷକରି ଜରୁରୀ ଚିକିତ୍ସା ଚାହୁଁଥିବା ରୋଗୀଙ୍କ ସଂଖ୍ୟା, ଆମ୍ବୁଲାନ୍ସ ସେବା ଯୋଗାଣରେ ଥିବା ଅଭାବ, ସ୍ୱାସ୍ଥ୍ୟଭିତ୍ତିଭୂମିର ଅଭାବ ଅସୁବିଧା, ଆବଶ୍ୟକ ମାନବସମ୍ବଳ ଓ ଚିକିତ୍ସା ଉପକରଣର ଅଭାବ ଆଦି ସମ୍ପର୍କରେ ତଥ୍ୟ ରହିଛି।

ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ. ପାଲ, ଅତିରିକ୍ତ ସଚିବ ଡକ୍ଟର ରାଜେଶ ସରୱାଲ ଆଦି ଅତିଥିଙ୍କ ଉପସ୍ଥିତିରେ ଏହି ଦୁଇ ରିପୋର୍ଟ ଆଜି ନୂଆଦିଲ୍ଲୀରେ ଉନ୍ମୋଚିତ ହୋଇଛି।

ନୀତି ଆୟୋଗର ସହାୟତାରେ ନୂଆଦିଲ୍ଲୀସ୍ଥିତ ଏମ୍‌ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରଉମା ସେଣ୍ଟର(ଜେପିଏନଏଟିସି)ର ଇମରେଜେନ୍ସି ମେଡିସିନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇ ଏହି ଦୁଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି।

ରିପୋର୍ଟର ମୁଖବନ୍ଧ ଲେଖିଛନ୍ତି ନୀତି ଆୟୋଗର ସଦସ୍ୟ ଭି.କେ ପାଲ। ସେଥିରେ ସେ ସମଗ୍ର ଦେଶ ପାଇଁ ଏକ ବିଶ୍ୱସ୍ତରୀୟ ଦକ୍ଷ, ପେସାଦାର, ସମନ୍ୱିତ ‘ଏମର୍ଜେନ୍ସି କେୟାର’ ବ୍ୟବସ୍ଥା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ଲେଖିଛନ୍ତି ଯେ ଏହି ସମନ୍ୱିତ ଜରୁରୀ ଚିକିତ୍ସା ଓ ସେବା ବ୍ୟବସ୍ଥା ଟେକ୍‌ନୋଲୋଜି ଦ୍ୱାରା ପରିଚାଳିତ ହେବା ଆବଶ୍ୟକ। ଏହାଫଳରେ ଦୁର୍ଘଟଣା, ଜରୁରୀ ଚିକିତ୍ସା ଏବଂ ଟ୍ରଉମାର ସମ୍ମୁଖୀନ ବ୍ୟକ୍ତିଙ୍କୁ ଦେଶର ଯେକୌଣସି ପ୍ରାନ୍ତରେ ତୁରନ୍ତ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ। ଏହି ଲକ୍ଷ୍ୟପୂରଣ କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଜରୁରୀ ଚିକିତ୍ସା ଓ ସେବା ଯୋଗାଣ ବ୍ୟବସ୍ଥାର ଆକଳନ କରାଯାଇଥିଲା। ଏଥିରୁ ମିଳିଥିବା ତଥ୍ୟ ଉପରେ ବିଚାର ଆଲୋଚନା କରାଯିବ।

ନୂଆଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ସମଗ୍ର ଦେଶ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଣ ବ୍ୟବସ୍ଥା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହି ଚିକିତ୍ସା ବ୍ୟବସ୍ଥାରେ ହୃଦ୍‌ରୋଗ, ହୃଦ୍‌ଘାତ, ଶ୍ୱାସପ୍ରଶ୍ୱାସଜନିତ ରୋଗ, ଗର୍ଭବତୀ, ପ୍ରସୂତି ଓ ଶିଶୁରୋଗ ତଥା ଆଘାତ ଜନିତ ଜରୁରୀ ଚିକିତ୍ସା ପରାମର୍ଶ ଓ ସେବା ଯୋଗାଇ ଦେବାର ବିଶେଷ ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି। ଏହି ସମନ୍ୱିତ ସେବା ଓ ଚିକିତ୍ସାର ଅଭାବ ଯୋଗୁଁ ଦେଶରେ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି ଓ ଦୁର୍ଘଟଣା ଆଦି କାରଣରୁ ଉପଯୁକ୍ତ ଚିକିତ୍ସା ନ ପାଇଁ ଅଧିକ ଲୋକ ପଙ୍ଗୁ ହେଉଥିବା ସେ ଦର୍ଶାଇଛନ୍ତି।

ଦେଶର ୨୮ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଂଚଳର ୧୦୦ସରକାରୀ ଓ ବେସରକାରୀ ଏମର୍ଜେନ୍ସି ଓ କେୟାର(ଜରୁରୀ ଚିକିତ୍ସା ଓ ସେବା) ଚିକିତ୍ସା କେନ୍ଦ୍ରର ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ଏଥିରେ ଦେଶର ୩୪ଗୋଟି ଜିଲ୍ଲା ଅନ୍ତର୍ଭୁକ୍ତ। ସମ୍ପୃକ୍ତ ଅନୁଧ୍ୟାନରୁ ପ୍ରାପ୍ତ ତଥ୍ୟକୁ ଭଲଭାବେ ପରୀକ୍ଷାନିରୀକ୍ଷା କରାଯାଇ ଜରୁରୀ ଚିକିତ୍ସା ଓ ସେବା ଯୋଗାଣ କ୍ଷେତ୍ରରେ ଥିବା ପ୍ରମୁଖ ଅଭାବ ଅସୁବିଧାଗୁଡିକୁ ଚିହ୍ନଟ କରାଯାଇଛି। ସେଥିରେ ରହିଛି ଆମ୍ବୁଲାନ୍ସ ସେବା, ଭିତ୍ତିଭୂମି, ମାନବସମ୍ବଳ, ଚିକିତ୍ସାଉପକରଣ, ଅତ୍ୟାବଶ୍ୟକ ଔଷଧପତ୍ର, ସେବା ଯୋଗାଣ ବ୍ୟବସ୍ଥା ଏବଂ ବିଭିନ୍ନ ରୋଗର ବୋଝ ସଂକ୍ରାନ୍ତ ପ୍ରକୃତ ସ୍ଥିତି। ସେସବୁ ବିଷୟରେ ଉଭୟ ରିପୋର୍ଟରେ ବସ୍ତୁନିଷ୍ଟ  ତଥ୍ୟ ରହିଛି। ଏହାସହିତ ଏହି ଦୁଇ ରିପୋର୍ଟରେ ସେବା ଯତ୍ନର ବାସ୍ତବ ତଥ୍ୟାବଳୀ ଓ ଟିକିନିଖି ତଥ୍ୟ ସ୍ଥାନ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ସମ୍ବଳ ଅଭାବରୁ ସବୁ ରୋଗୀଙ୍କୁ ଶ୍ରେଷ୍ଠ ଚିକିତ୍ସାସେବା ଓ ଯତ୍ନ ଯୋଗାଇ ଦିଆଯାଇ ପାରୁ ନ ଥିବା ପରମ୍ପରା(ଟ୍ରାଏଜ୍‌) ଫଳରେ କେବଳ ଅତି ଗୁରୁତର ରୋଗୀଙ୍କୁ ଚିକିତ୍ସାସେବାରେ ଗୁରୁତ୍ୱ ଦିଆଯିବା ପ୍ରଥାର ଅବସାନ ଘଟିବା ଆବଶ୍ୟକ। ଏହାଛଡା ରୋଗୀସେବାରେ ଏକ ମାନକୀକୃତ ବିଧିବ୍ୟବସ୍ଥା, ବିଶ୍ୱସ୍ତରୀୟ, ଆମ୍ବୁଲାନ୍ସ ସେବା, ବ୍ୟାଙ୍କଗୁଡିକର ସମ୍ପ୍ରସାରଣ ଏବଂ ଦକ୍ଷ ଓ ଆବଶ୍ୟକ ସଂଖ୍ୟକ ପାରା ମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିଭଳି ଜରୁରୀକାଳୀନ ସେବା ପରିସରରେ ଗୁରୁତର ଆହତଙ୍କୁ ତତ୍କାଳ ଉପଯୁକ୍ତ ଚିକିତ୍ସା ଓ ସେବା ଯତ୍ନ ଯୋଗାଣ ଉପରେ ରିପୋର୍ଟ ଗୁରୁତ୍ୱ ଦେଇଛି। ରିପୋର୍ଟ ଅନୁସାରେ ଏକ ସୁଦୃଢ, ସମନ୍ୱିତ ଜରୁରୀ ଚିକିତ୍ସାସେବା ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଅକାଳମୃତ୍ୟୁ ଏବଂ ଅକ୍ଷମତାଜନିତ ଦୁଃଖଦ ଜୀବନ ବଞ୍ଚିତ ସମସ୍ୟାକୁ ଅନେକାଂଶରେ ଦୂର କରାଯାଇପାରିବ।

ଦେଶରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ଚିକିତ୍ସା/ବ୍ୟବସ୍ଥା ସମ୍ପର୍କରେ ନୀତି ପ୍ରଣୟନବେଳେ ଏହି ଦୁଇ ରିପୋର୍ଟର ତଥ୍ୟାବଳୀ ବିଶେଷ ସହାୟକ ହେବ। (ପି.ଆଇ.ବି.)

Related posts